Unknown

 

 

 

 

 

 

 

 

 

 

 

ଅସୁର

ଡକ୍ଟର ପ୍ରସନ୍ନ କୁମାର ମିଶ୍ର

 

ଉତ୍ସର୍ଗପତ୍ର

 

ମୋର ଆଫ୍ରିକାବାସୀ ବନ୍ଧୁ

କେଟେଣ୍ଡ୍‍ ସେମ୍ପାଙ୍କୁ ନିବେଦିତ ।

 

ଡକ୍ଟର ପ୍ରସନ୍ନ କୁମାର ମିଶ୍ର

 

କହିରଖିଲେ ଭଲ...

 

‘ଅସୁର’ର ସୃଷ୍ଟି ଶାନ୍ତିନିକତନରେ, ୧୯୬୪ର ଶେଷ ପାଦରେ । କ୍ରମେ ଧାରାବାହିକ ଭାବେ ଏହାର ପ୍ରଥମ ପର୍ବ ଓ ଦ୍ୱିତୀୟ ପର୍ବର ଆଦ୍ୟାଂଶ ‘ଆସନ୍ତାକାଲି’ ପତ୍ରିକାର ଅନେକଗୁଡ଼ିଏ ସଂଖ୍ୟାର ୧୯୬୫-୬୬ ରେ ପ୍ରକାଶିତ ହୋଇଥିଲା–ଅନେକ ସହୃଦୟ ପାଠକପାଠିକାଙ୍କର ନିଶ୍ଚୟ ମନେଥିବ । ସେତେବେଳେ ମୁଁ ଥିଲି ‘ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ’ ତରଫରୁ ଜୁନିଅର୍‌ ରିସର୍ଚ୍ଚ ଫେଲୋ, ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରେ । ଲେଖାଟି ସେତେବେଳେ ଅନେକଙ୍କୁ ଭଲଲାଗିଥିଲା, ଅନେକେ ତ ମୁଗ୍‍ଧ ହିଁ ହୋଇଥିଲେ । ୟା’ ଭିତରେ ଅନେକ ବର୍ଷ ବିତିଗଲାଣି । ତଥାପି ମୁଁ ‘ଅସୁର’କୁ ପୁନରାୟ ଉପସ୍ଥାପନ କରିବାର ସାହସ ରଖୁଚି ।

 

ଉପନ୍ୟାସରେ ତ କଥା ରହିପାରେ ! ଜୀବନର ସବୁ କିଛି ଏହାର ଉପାଦାନ । ଜୀବନ-ବଞ୍ଚିବାର ସବୁ ଦିଗକୁ ଏହା ସ୍ପର୍ଶ କରିବାର ଆସ୍ପର୍ଦ୍ଧା କରେ । କିନ୍ତୁ....

 

ଜୀବନର ବାସ୍ତବତାକୁ ଫୁଟାଇବା ଲେଖକର ଧର୍ମ । ସେଥିପାଇଁ ସେ ବାଟଟିଏ ଆବିଷ୍କାର କରେ । ଧରାବନ୍ଧା ରୀତିରୁ କିଛିଟା ଭାଙ୍ଗି, କିଛିଟା ନୂଆ ଗଢ଼ଣ ଦେଇ ଲେଖକ ନିଜର କଳା ଓ ନିଜର ଭାବ-ମୂର୍ତ୍ତିକୁ ସ୍ଥାପନ କରେ । ଏ କାମରେ ଲେଖକର ସହାୟ ତା’ର ମନ, ତା’ର ବୁଦ୍ଧି ଓ ତା’ର ହୃଦୟ । ମନ ଘେନିଯାଏ ଆଗକୁ ଆଗକୁ ଅମଡ଼ାକୁ, ଅଜଣାକୁ, ଅଜାଗାକୁ । ବୁଦ୍ଧି ଯୋଗାଇଦିଏ ତଥ୍ୟ ଓ କୌଶଳ ଏବଂ ହୃଦୟ ଦେଖାଏ ଆଲୋକ । ମାନସର ଏ ଯାତ୍ରାରେ ବୁଦ୍ଧି ଓ ହୃଦୟର ଏ ସହଯୋଗ ସୃଷ୍ଟିକୁ କରେ ସୁସ୍ଥ ଓ ସଫଳ । ଏପରି ସୃଷ୍ଟିରେ ଆନନ୍ଦ ଅଛି ।

 

କଳାକ୍ଷେତ୍ରରେ ଅବାସ୍ତବ ପୁଣି କଣ ? ବାସ୍ତବ-ଅବାସ୍ତବ ନିର୍ବିଶେଷରେ ସବୁ ଚିତ୍ର ଜୀବନରୁ ଓ ଜୀବନଆଡ଼କୁ; ଏପରିକି ପୌରାଣିକ କଳ୍ପନା ଓ ଫାଣ୍ଟାସିଗୁଡ଼ିକର ମଧ୍ୟ ଜୀବନ-ସମ୍ପର୍କ ବେଶ୍‌ ଗଭୀର ଓ ଗୁରୁତ୍ୱପୂର୍ଣ୍ଣ । ତେଣୁ ଅବାସ୍ତବ କହି କେହି କୌଣସି ଚିତ୍ରକୁ ସମ୍ପୂର୍ଣ୍ଣ ନାକଚ କରିଦେବା କୌଣସି କ୍ଷେତ୍ରରେ ଶୋଭନୀୟ ନୁହେଁ ।

ଜୀବନ ଓ ଜଗତର ଗୂଢ଼ତତ୍ତ୍ୱର କଳାତ୍ମକ ଅବବୋଧ ପାଇଁ ପୌରାଣିକତା ଓ ବାସ୍ତବତାର ଏକ ମିଶାମିଶି ଅବସ୍ଥା ପାଠକେ ଏଇ ଉପନ୍ୟାସରେ ଲକ୍ଷ୍ୟ କରିପାରିବେ । ବୈଜ୍ଞାନିକ ଜିଜ୍ଞାସା ସହିତ ହୃଦୟର ଆବେଗକୁ ମିଶାଇ ଯେଉଁ କଳ୍ପଲୋକ ଏଥିରେ ପ୍ରସ୍ତୁତ, ତାହା ଅନେକଙ୍କୁ ଭଲ ନଲାଗିବାର କାରଣ ଦେଖୁନାହିଁ ।

 

ବହୁ ବର୍ଷ ପରେ, ଅସୁରର ଏ ଆତ୍ମ-ପ୍ରକାଶ ଲଗ୍ନରେ ଲାଗୁଛି । ସେଥିପାଇଁ ଶ୍ରୀଯୁକ୍ତ ଅଭିରାମ ମହାପାତ୍ରଙ୍କୁ ଅଶେଷ ସାଧୁବାଦ ।

 

୨୫ । ୧୨ । ୭୮

ପ୍ରସନ୍ନ କୁମାର ମିଶ୍ର

ଢେଙ୍କାନାଳ

 

Image

 

ମୋତେ ବିଦାୟ ଦେବାଲାଗି ମୋର ବନ୍ଧୁମାନେ ରୁଣ୍ଡ ହୋଇଥିଲେ–ବୁନ୍ଦାଏ ଗୁଡ଼କୁ ଦଶବିନ୍ଦୁ ପିମ୍ପୁଡ଼ି ପରି, ଗୋଟିଏ କୋକେଇକୁ ଦଶଜଣ ଲୋକ ପରି । ଅନେକ କାରଣରୁ ମୁଁ ସେମାନଙ୍କୁ ବନ୍ଧୁ, ବୋଲି କହିବି । ଅଦିନ ବର୍ଷା, ସୁ-ସୁ ଝଡ଼, ଝକ୍‌ଝକ୍‌ ବିଜୁଳି, ପୁଣି ରାତି ବାରଟା–ଏତେବେଳେ ସେମାନେ ଆପଣାର ପୋଷାକପତ୍ରକୁ ଓଦା କରି ମୋତେ ଟ୍ରେନ୍‌ରେ ଚଢ଼େଇଦେବାକୁ ଆସିବାଟା ବନ୍ଧୁତ୍ଵର ଯଥେଷ୍ଟ ପରିଚୟ । ଯେଉଁମାନେ ମୋର ବନ୍ଧୁ ନୁହନ୍ତି, ସେତେବେଳେ ସେମାନେ ଆସି ନ ଥାନ୍ତେ–ଯେପରି ଅନେକେ ସେଠିକି ଆସିନଥିଲେ । ଯାହାହେଉ ଅବନ୍ଧୁଙ୍କର ଅପ୍ରିୟ ହେବାକୁ ନାହଁ; କାରଣ ସେମାନଙ୍କର ଦିହ ଜଳି ଉଠିବ, ଦାନ୍ତ ଠକ୍‌ଠକ୍‌ ହେବ, ଏପରିକି ସେମାନେ ମୋର ଏଇ ଲେଖା ନ ପଢ଼ି ମୋଡ଼ିମାଡ଼ି କାଗଜ ଦରରେ ଠୁଙ୍ଗାବାଲାଙ୍କୁ ବିକ୍ରି କରିଦେବାର ମଧ୍ୟ ସମ୍ଭାବନା ଅଛି । ଜାଣିଶୁଣି ଏପରି ପ୍ରସଙ୍ଗ ଉଠାଇବା ନିର୍ବୋଧତା ଛଡ଼ା ଆଉ କଣ ?

 

କଟକ ଷ୍ଟେସନରେ ମାନ୍ଦ୍ରାଜଆଡ଼ୁ ଯେତେବେଳେ ଏକ୍‌ସପ୍ରେସ୍‌ ଟ୍ରେନ ଆସି ପହଞ୍ଚିଲା, ସେତେବେଳେ ମୋର ଜଣେ ବନ୍ଧୁ (ସିନିକ୍‌ କିମ୍ବା ମିଷ୍ଟିକ୍‌ ନୁହନ୍ତି) କହିଲେ–ରାତିଅଧରେ ଏଇ କଳା-ମଚମଚ ଟ୍ରେନ୍‌ଟା ଏକ ସର୍ପାସୁର ପରି ଦିଶେ, ଯେ କି ଯାତ୍ରୀଙ୍କୁ ଗିଳି ପେଟ ଭର୍ତ୍ତିକରେ ।

 

ମୁଁ ପଚାରିଲି–‘ହଇରେ ସର୍ପାସୁର କଣ ? ‘ମାନେ ?’–ସେ କହିଲା, ‘ସର୍ପକନ୍ୟା ଓ ଅସୁରର ସଙ୍ଗମରୁ ଯେ ଜାତ ହୋଇଚି । ଅସୁର ମୁଣ୍ଡ ଓ ସାପର ଦେହ, ମାନେ ଇଞ୍ଜିନ ଆଉ ବଗି ପରେ ବଗି ।’

 

ଟ୍ରେନ୍‌କୁ ଉଠି ମୁଁ ହସିହସି କହିଲି–‘ହଁ, ଏଥର ସର୍ପାସୁର ମୋ ଭଳି ମଣିଷ ବେଙ୍ଗଟାକୁ ଗିଳିଲା ।’ ସମସ୍ତେ ହସିଲେ ।

 

ଟ୍ରେନ୍‌ ଛାଡ଼ିଲା । ବର୍ଷାର ଟୋପା ଟୋପା ଲୁହ ଭିତରେ ବନ୍ଧୁଗଣଙ୍କର ମୁହଁ ଲୁଚିଗଲା । ସେମାନଙ୍କ ହାତ ଓ ରୁମାଲର ଛାଇ ମୋ ଆଖିଡୋଳାରେ ଆଉ ପଡ଼ିଲାନାଇଁ । ଆସ୍ତେ ଆସ୍ତେ ଲୁଚିଗଲା ଅର୍ଦ୍ଧନିଦ୍ରିତ କଟକ ସହର । ଗୋଟିଏ କଳାକାରର ବିମୂର୍ତ୍ତ ଛବି ପରି ମୋ ହୃଦୟରେ ତାହା ଝୁଲିଲା; ଏବଂ ତା’ ଭିତରେ ନାକ, ମୁଣ୍ଡ, ଗାଲ, ନିଶ ଓ ଦାଢ଼ି ଦେଖାଇଲେ ବେଉରିଆ, ମିଶ୍ର, ଦାସ, ମହାନ୍ତି ଓ ଲେଙ୍କା ।

 

ମୁଁ ଝରକା ବନ୍ଦକରି ବସିଲି । ଦୂରାଗତ ଯାତ୍ରୀମାନେ ଶୋଇଥାଆନ୍ତି । ମୋର କଲିକତା ପର୍ଯ୍ୟନ୍ତ ଯିବାର କଥା । ହାଉଡ଼ାରେ ସକାଳ ହେବ । ଷ୍ଟେସନକୁ ଆସିଥିବ ଜୋନାକୀ । ପ୍ରତୀକ୍ଷା କରିଥିବ । ମୋତେ ଦେଖି ତାର ଛଳଛଳ ଆଖିରେ ହସର ଅଶ୍ରୁ ଭରିଯିବ । କହିବ–ଦୁଷ୍ଟ,ଏତେ ଦିନେ ମନେପଡ଼ିଲା ! (ଅଭିମାନ, ଗାଳି) ଜାଣିଚ, ମୁନୁ ତୁମକୁ କେତେ ଖୋଜୁଚି ? ଦିନରାତି ଖାଲି ବାପା ବାପା ବାପା !

 

ଜୋନାକୀକୁ ଚାହିଁ ମୁଁ ଗୋଟିଏ ଚୁମ୍ବନ ଦେବି ମୁନୁର ଗାଲରେ ।

 

ମୁନୁ ଦୁଇବର୍ଷର ହେଲାଣି । ବାପା ମା’ ଡାକୁଚି । ଖୋଜୁଚି, ଖୋଜୁଚି ମୋତେ । ଠିଆହେଉଚି, ଚାଲୁଚି, ଚାଲୁଚାଲୁ ପଡ଼ିଯାଉଚି । କେତେବେଳେ ଖିଲିଖିଲି ଉଦୀୟମାନ ସୂର୍ଯ୍ୟପରି ତୋରା ହସ, କେତେବେଳେ ବା ଲୁହ-ହୀନ କାନ୍ଦଣା । ବିସ୍କୁଟ, ବେଲୁନ୍‌, ବଲ୍‌ । ଜୋନାକୀର କୋଳରେ ଅଝଟ । ମୋ ବାପାଙ୍କ କାନ୍ଧରେ ବୁଲାବୁଲି, ଧୋ-ବାୟା ଗୀତ ଓ ସ୍ଵପ୍ନ-ହୀନ ନିଦ୍ରା । ମୁନୁ, ମୋର ଦୁଇବର୍ଷର ପୁଅ ମୁନୁ । ନାଲି ପେଣ୍ଟ ଓ କୁର୍ତ୍ତା; ଆମ୍ବଗଛର କଅଁଳ ପତ୍ର, ପଦ୍ମପାଖୁଡ଼ା-! ଫୁଟିଉଠିଲା ।

 

କଲିକତା–୧୨ର ଲୋକାକୀର୍ଣ୍ଣ ଉପଗଳିରେ ମୋର ବାପାଙ୍କର ଦୁଇବଖରା ଉଡ଼ାଘର, ତା ଭିତରେ ତିନିପ୍ରାଣୀ କୁଟୁମ୍ବ ଓ ଦଶବର୍ଷର ପ୍ରବାସୀ ଜୀବନ ।

 

କଟକରେ ମୋର ଅସୁବିଧା ହେଉଛି । ଏଥର ସ୍ତ୍ରୀକୁ ଘେନିଆସିବି । ବାପା ରାଜି ହୋଇଛନ୍ତି (ଉପର ମନରେ ହୁଏତ) । ସେ ହୋଟେଲରେ ଖାଇବେ କିମ୍ବା..... ଛାଡ଼ନ୍ତୁ ।

 

ଆଜି ରାତିରେ ଜୋନାକୀକୁ ନିଦ ହେଉନଥିବ, ଭାବୁଥିବ କେମିତି ଶୀଘ୍ର ସକାଳ ହୁଅନ୍ତା । ମନ ତାର ଛନଛନ ହେଉଥିବ । ମୋର ମନେପଡ଼ିଲା ଜୋନାକୀର ସେଇ ଅନାବୃତ ଦେହ । କ’ଣ ନାହିଁ ତା’ ଭିତରେ ? ତା’ ଭିତରେ ସବୁ ବାଦ, ସବୁ ଧର୍ମ ଓ ସବୁ ନ୍ୟାୟ । ନାରୀଟା ଦେହଟା ହିଁ ପୃଥିବୀ । ତା’ ବିନା ବଞ୍ଚିବାର ପରିକଳ୍ପନା ମୁଁ କରିପାରୁନାଇଁ ।

 

ମହାନଦୀ ପୋଲ ଉପରେ ଗାଡ଼ି ଚାଲିଛି । ବାହାରେ ବର୍ଷା ଥମିନାହିଁ । ଅନ୍ଧକାର । କଟକଆଡ଼କୁ ଚାହିଁଲି, ସେଠି ସହସ୍ର ତାରାର ଅଚାନକ ଅବତରଣ । ତଳେ ମହାନଦୀ ବାଲି, କେଉଁଠି କେମିତି ମାର୍ଚ୍ଚ ମାସର ସୁଅ, ଦୁଃଖ ଓ ସୁଖର ଟଣାଓଟରା ।

 

ଜଗତପୁର ।

ଗରମ ଚା, ପାନ ବିଡ଼ି ସିଗ୍ରେଟ, ଚାନାଚୁର

ବାବୁ କୁଲି ହେବ । କୁଲି.....

ଆମ କମ୍ପାର୍ଟମେଣ୍ଟରୁ କେହି ଓହ୍ଲେଇଲେ ନାହିଁ, ବରଂ ଆମ ଭିତରୁ ଅଧିକାଂଶ ଘୁଙ୍ଗୁଡ଼ିମାରିବାକୁ ଆରମ୍ଭ କରିଦେଇଥିଲେ ।

 

ଇଞ୍ଜିନ୍‍ର ପ୍ରଥମ ଝୁଙ୍କରେ ମୁଁ ଦୋହଲିଗଲି । ତା’ପରେ ଆମ କମ୍ପାର୍ଟମେଣ୍ଟ ଭିତରକୁ ଯିଏ ପଶିଆସିଲା ଓ ଯେମିତି ଭାବରେ ପଶିଆସିଲା, ତାହା ଦେଖିଥିଲେ ଆପଣମାନେ ଏବେ ବି ଛାତିରେ ଛେପ ପକାଉଥାନ୍ତେ । ସେ କଳା ହେଇକି କାହିଁରେ କଣ ଡେଙ୍ଗା । ଏଡ଼େ ଏଡ଼େ ମୋଟା ବାହାମୂଳ । ବେଢ଼ଙ୍ଗ ମୁହଁ । ଗାଲରେ ଗୋଟାଏ ବିରାଟ ପୋଡ଼ା ଦାଗ । ବେତାଏ ବାଳ, ପୃଥୁଳ ଓ ଚେପ୍‍ଟା ନାକ, ମୋଟା ଓଠ । ହାତରେ ଗୋଟାଏ ସୁଟ୍‌କେଶ । ମୁଁ ଭାବିଲି ଡକେଇତ । ମୋର ସୁଟ୍‌କେଶଟାକୁ ହାତ ପାଖକୁ ଆଣିଲି । ସେଇ ଲୋକଟାକୁ ମୋ ପୁଅ ମୁନୁ ଦେଖିଥିଲେ ହାଉଳି ଖାଇଥାନ୍ତା । ସାତ ଆଠ ବର୍ଷର ପିଲାଏ ଦଉଡ଼ି ପଳେଇଥାନ୍ତେ ଚିତ୍କାର କରି–ଇଲୋ, ମାଲୋ ! ଅସୁର, ବାଇଆ । ପିଲାବେଳେ ପଢ଼ିଥିବା ଓ ଶୁଣିଥିବା ଗପର ଅସୁରପରି ତା’ର ଚେହେରା । ଠିକ୍‌ ସେଇ ମୁହୂର୍ତ୍ତରେ ଯଦି ମୋର ସ୍ତ୍ରୀ ମୋତେ ପଚାରିଥାନ୍ତା–କିଏ ମ ଏଇଟା ? ମୁଁ ଦୋ-ଦୋ-ପାଞ୍ଚ ହୋଇ ନର୍ଭସ୍‍ ଗଳାରେ କହିଥାନ୍ତି–‘ମାନବାସୁର ।’ ସ୍ତ୍ରୀ ମୋତେ ଭୟରେ ଜାବୁଡ଼ି ଧରିଥାନ୍ତେ; କିନ୍ତୁ ପ୍ରକୃତରେ ସେ କଣ ଓ କିଏ ତାହା ଠିକ୍‌ ଜାଗାରେ କୁହାଯିବ ।

 

ବର୍ତ୍ତମାନ ଏତିକି ଜାଣିରଖନ୍ତୁ ଯେ ସେ ଆସି ମୋ ନିକଟରେ ବସିଲା । ମୁଁ ସଂକୁଚିତ ହୋଇପଡ଼ିଲି । ଯାହାକୁ କହନ୍ତି, ଭୟରେ ପିଳେହି ପାଣି ହୋଇଗଲା । ଛାତି ଧକ୍‌ଧକ୍‌ କଲା । ଅନ୍ୟ ଯାତ୍ରୀମାନେ ଶୋଇଥାନ୍ତି । ମୋତେ ଆଖିଆଡ଼ୁ ଯାହା ଟିକିଏ ଢୋଳ ଲାଗିଆସୁଥିଲା, ସେତକ ବି ଆଉ ରହିଲାନାହିଁ ।

 

ମୁଁ ଖବରକାଗଜ ପଢ଼ିବାର ଛଳନା କଲି; କିନ୍ତୁ ନଜର ଥାଏ ଲୋକଟା ଉପରେ । ଯଦି ମୋ ସୁଟକେଶ୍‌ଟା ଧରି ଚଳନ୍ତା ଟ୍ରେନ୍‌ରୁ ଡେଇଁପଡ଼ି ପଳେଇଯାଏ ?

 

ମୁଁ ତାର ସୁଟକେଶ ଉପରକୁ ଚାହିଁଲି । ମୋର ହୋସ୍‌ ହେଲା । ଜାଣିଲି ଲୋକଟା ଡକାୟତ ନୁହେଁ–ଡ: ଅନୁପମ ଦାସ. ଏମ. ବି. ବି. ଏସ୍‌ । ମାନେ, ସେ ଜଣେ ଡାକ୍ତର, ଶିକ୍ଷିତ । ତଥାପି ସନ୍ଦେହ ଗଲାନାହିଁ । କାହିଁକି ନା, ଡକେଇତମାନେ ଆଜିକାଲି ନାନା ବେଶରେ ଆସିଥାନ୍ତି ।

 

କିଛି ସମୟ ପରେ ସେ ମୋତେ ଖବରକାଗଜଟା ମାଗିଲା । ମୁଁ ତରବରରେ କହିଲି–ନିଅନ୍ତୁ ! (କାରଣ, ଫେରାଇ ନ ଦେଲେ ବି ଦୁଃଖ ନାହିଁ । ବେଶି ଦାମ୍‌ ନୁହେଁ, ପଢ଼ା ସରିଚି) । କିନ୍ତୁ ଖବରକାଗଜଟାକୁ ସେ ବେଶି ସମୟ ଧରିପାରିଲା ନାହିଁ । ମୋତେ ଫେରାଇଦେଲା, ସୁନ୍ଦର ଏକ ଧନ୍ୟବାଦ ସହ । ଝରକା ଖୋଲି ସେ ଚାହିଁଲା–ବାହାରକୁ । କେଉଁଠି ଆଲୁଅ ନାହିଁ । ତା’ ମୁହଁରେ ନାନା ବ୍ୟସ୍ତତାର ଚିହ୍ନ ଲକ୍ଷ୍ୟକଲି । କଣ ସେ ଭାବୁଥାଏ କିଏ ଜାଣେ-?

 

ସେ ମୋ’ଆଡ଼କୁ ଚାହିଁଲା । ମୋ ଦୃଷ୍ଟି ସେତେବେଳେ ତାର ସୁଟ୍‌କେଶ୍‌ ଉପରେ ଥାଏ, ଯେଉଁଠି ବିଶେଷ କରି ନାଁଟା ଲେଖାଯାଇଥାଏ । ସେ କଣ ଭାବିଲା କେଜାଣି–ହଠାତ୍‌ ସୁଟ୍‌କେଶଟାକୁ ସିଟ୍‌ ତଳକୁ ଠେଲିଦେଲା; ଯେମିତି ସେଟାକୁ ମୁଁ ଆଉ ଦେଖିପାରବିନାହିଁ ।

 

ସତ କହୁଚି–ସେତିକି ବେଳଠୁଁ ମୁଁ ତାକୁ ସନ୍ଦେହ କଲି । ସେ ନିଶ୍ଚୟ ଚୋର । ବୋଧହୁଏ ସୁଟକେଶ୍‌ଟା ତାର ନୁହେଁ । ତା’ ନାଁ କଣ ଏଡ଼େ ସୁନ୍ଦର ହୋଇଥାନ୍ତାନା ! ମୋ ମନ ଖାଲି ଏକଣ ସେକଣ ହେଲା ।

 

ଏକ୍‌ସପ୍ରେସ୍‌ ଗାଡ଼ି । ଜଗତ୍‌ପୁର ପରେ ଯାଜପୁର ରୋଡ଼ । ବାଟରେ ଆଉ ବନ୍ଦ ହେବନାହିଁ ।

 

ପରୀକ୍ଷାର ଏକଘଣ୍ଟା ପୂର୍ବରୁ ଇତିହାସ ଛାତ୍ର ଯେମିତି ଛୋଟ ଛୋଟ ରାଜାଙ୍କୁ ଛାଡ଼ି ଅଶୋକରୁ ସମୁଦ୍ରଗୁପ୍ତକୁ ଡେଇଁପଡ଼େ, ଠିକ୍‌ ସେମିତି ଆମ ଗାଡ଼ି ଛୋଟ ଷ୍ଟେସନର ଆଲୁଅ ଆଖିକୁ ଜବାବ୍‌ ନଦେଇ ଦଉଡ଼ୁଥାଏ ।

 

ମୁଁ ପୁଣି ବାହାରକୁ ଚାହିଁଲି । ମେଘାୟିତ ଅସୁରୁଣୀ ଆକାଶ ଯେମିତି ପୃଥିବୀଟାକୁ ଗିଳିପକେଇଛି । ଆମେ ତାର ଅନ୍ଧାର ଉଦର ଭିତରେ ଏପଟ ସେପଟ ହେଉଛୁଁ । ମୁକ୍ତିର ବାଟ ନାହିଁ । ଅସୁରୁଣୀର ମୁହଁ ବା ଦିଶନ୍ତା କେମିତି !

 

ଅନ୍ଧକାର । ଉଚ୍ଛ୍ଵସିତ ଅନ୍ଧକାର । ବିକଟ ଅନ୍ଧକାର । ପ୍ରଳୟଙ୍କରୀ ଅନ୍ଧକାର–ନିର୍ଦ୍ଦୟ, ନିଷ୍ଠୁର, ନିରାଲମ୍ବ ଓ ନିରାକାର ।

 

ଯାଜପୁର ରୋଡ଼ ଷ୍ଟେସନ୍‌ରେ ଗାଡ଼ି ବନ୍ଦ ହେଲାକ୍ଷଣି ଅନୁପମ ଉଠିଲା । ମୁଁ ମୋର ସୁଟ୍‌କେଶ ଉପରେ ହାତ ପକାଇଲି, କାଳେ ନେଇ ଚାଲିଯିବ ସେଇ ଭୟରେ; କିନ୍ତୁ ଅନୁପମ ଓହ୍ଲେଇଲା ନାହିଁ । ସେ ପାଇଖାନା ଭିତରକୁ ଯାଇ ଦର୍ଜା ବନ୍ଦକଲା । ଗାଡ଼ି ନ ଛାଡ଼ିବା ଯାଏଁ ବାହାରକୁ ଆସିଲା ନାଇଁ । ଗାଡ଼ି ଛାଡ଼ିବା ପରେ ସେ ଦର୍ଜା ଖୋଲିଲା । ଠିଆ ହୋଇ ସେ ପ୍ରଥମେ ଚାରିଆଡ଼କୁ ନିବିଡ଼ ଭାବରେ ଲକ୍ଷ୍ୟକଲା । କାହାକୁ ଲକ୍ଷ୍ୟକରୁଛି ସେ ମୁଁ ଠିକ୍‌ କରି ଜାଣିପାରିଲି ନାହିଁ । କ’ଣ ପୋଲିସ୍‌ଙ୍କୁ ଡରୁଚି କି ? ଭାବିଲି–ବୋଧହୁଏ ୟାର ନାଁ ନିଶ୍ଚୟ ଅନୁପମ ନୁହେଁ । ଏ ଅନୁପମର ସୁଟ୍‌କେଶ ଚୋରିକରି ପଳେଇ ଆସିଛି–ଆଉ ସେଇଥିପାଇଁ ଷ୍ଟେସନ ହେଲାକ୍ଷଣି ଯାଇଁ ପାଇଖାନାରେ ଲୁଚିଯାଉଚି । ସତ କହୁଚି, ଏଇ ଘଟଣା ପରେ ମୋର ଅନୁପମ (?) ପ୍ରତି ସନ୍ଦେହ ଦ୍ଵିଗୁଣିତ ହୋଇଗଲା । ମୁଁ ଠିକ୍‌ କଲି ଯଦି ଦର୍କାରପଡ଼େ କିମ୍ବା ଯଦି ସେମିତି କିଛି ଘଟେ, ତେବେ ଭଦ୍ରକ ଷ୍ଟେସନ୍‌ରେ ପୋଲିସକୁ ଧରେଇଦେବି । ଡକେଇତଟେ ରେ !

 

ୟା’ପରେ ଯାହା ଘଟିଲା, ଏ ଭାରତବର୍ଷର ପ୍ରତି ପ୍ରାନ୍ତର ସବୁ ଖବରକାଗଜପଢ଼ା ଲୋକେ ନିଶ୍ଚୟ ଜାଣିଥିବେ । ମୁଁ ସେ ଘଟଣାର କେବଳ ଦ୍ରଷ୍ଟା ନୁହେଁ; ଭୁକ୍ତଭୋଗୀ । କାଗଜ ପଢ଼ି ଆପଣ କେବଳ ଜାଣନ୍ତି ଯେ ବାଉଦପୁର ନିକଟରେ ରେଳ ଓଲଟିପଡ଼ିଲା ସତୁରି ମୃତ ଓ ଶତାଧିକ ଆହତ; କିନ୍ତୁ ଆପଣମାନେ ଜାଣନ୍ତି ନାହିଁ, ଆମେ କିପରି ପରସ୍ପର ରକ୍ତରେ ଗାଧୋଇ ପଡ଼ିଥିଲୁ, ତୃଷାରେ ପିଇଯାଇଥିଲୁଁ । ଆମର ବିକଳ ଚିତ୍କାର, ବୁକୁଫଟା କାନ୍ଦଣା ଶୁଣିଥିଲେ ଆପଣ କାରୁଣ୍ୟରେ ଜଡ଼ ପାଲଟି ଯାଇଥାନ୍ତେ । ସେ ଦୃଶ ବର୍ଣ୍ଣନା କରିବା ମୋ କ୍ଷମତାର ବାହାରେ । ମୋର ଭାଷା ଅକ୍ଷମ । କାହାର ଅନ୍ତ ନିକିଲି ପଡ଼ିଥାଏ । କାହାର ନଥାଏ ମୁଣ୍ଡ । କାହାର ସୁସ୍ଥ ଚେହେରା ହାଡ଼ମାଉଁସର ପିଣ୍ଡୁଳାଟେ ହୋଇଯାଇଥାଏ । ଚାରିଆଡ଼େ ରକ୍ତର ପ୍ଳାବନ, ତା’ ଭିତରେ ବହୁ କବନ୍ଧ, ବହୁ ମାଦଳ ଗଡ଼ୁଥାନ୍ତି । ମଣିଷର ଲାଲ ଲହୁରେ ପୃଥିବୀ ରଞ୍ଜିତ ହୋଇଯାଇଥାଏ । ମୋ ମୁଣ୍ଡ ଉପରେ କାହାର ଟ୍ରଙ୍କ୍‌ ପଡ଼ିଯାଇଥାଏ–ମୋରି ରକ୍ତରେ ମୋ ଜିଭ ଓଦା । ମୁଁ କେବଳ ଯନ୍ତ୍ରଣାରେ ଆଃ ଉଃ ହେଉଥାଏ । ଆସ୍ତେ ଆସ୍ତେ ମୋର ଚେତା ଲୁପ୍ତ ହୋଇଗଲା । ମୁଁ ଆଉ ସେ ଅନ୍ଧାର ଭିତରେ କୁଆଡ଼େ ଗୁରୁଣ୍ଡି ଗୁରୁଣ୍ଡି ଯାଇପାରିଲି ନାହିଁ । ସେଠି ସାଇବ, ବିବି, ଗୋଲାମ, ଚାଳକ ଓ ଯାତ୍ରୀ–ସମସ୍ତେ ଏକାକାର । କ୍ରନ୍ଦନ ଓ ଚିତ୍କାରର ଶବ୍ଦ ଭିତରେ ମୁଁ ଅଚେତ ହୋଇପଡ଼ିଲି । ମୋର କାନ୍ଦଣା ଓ ଡାକରା ଆଉ କାହାକୁ ଶୁଣାଗଲା ନାହିଁ ।

 

ତା’ପରେ ମୁଁ ଜାଣେନା–ମୋତେ କିଏ କେତେବେଳେ ସେଇ ନିର୍ଦ୍ଦୟ କ୍ଷେତ୍ରରୁ ବୋହି ନେଇଗଲା ।

 

ପରଦିନ ସକାଳ ଆଠଟାବେଳେ ମୋର ଚେତନା ହେଲା । ମୁଁ ଆଖି ଖୋଲିଲାକ୍ଷଣି ଦେଖିଲି ମୋ’ ପାଖରେ ଜଣେ ଡାକ୍ତର ଠିଆହୋଇଛନ୍ତି । ମୁଁ ଚାହିଁଲି । ଡାକ୍ତରଙ୍କ ଓଠରେ ଛୋଟିଆ ହସର ଲହଡ଼ିଟିଏ ଖେଳିଗଲା । ସେ କହିଲେ–ଚିନ୍ତା ନାହିଁ; ଆପଣ ଭଲହୋଇଯିବେ ।

 

ମୁଁ ଜାଣିବାକୁ ଚାହିଁଲି–ମୁଁ କେଉଁଠି ଅଛି ।

 

ନର୍ସଟିଏ ମୋତେ ବୁଝାଇଦେଲା, ମୁଁ ଭଦ୍ରକ ହସ୍‌ପିଟାଲରେ । ଦେଖିଲି, ମୁଁ ତଳେ ଶୋଇଚି । ହସ୍‌ପିଟାଲରେ ଏତେ ବେଡ୍‍ ନାହିଁ । ମୁଁ ବି ଏକା ନୁହେଁ–ସେଇ ହଲଟି ପୂରିଛି ମୋରି ଭଳି ଅନେକ ଆହତ ଯାତ୍ରୀଙ୍କ କରୁଣ ଅବସ୍ଥାରେ । ବାଉଦପୁର ଟ୍ରେନ-ଦୁର୍ଘଟଣା ।

 

ଭାବିଲି–ଜୋନାକୀ ଆସି ଷ୍ଟେସନରୁ ଫେରିଯାଇଥିବ । ମୁନୁ କାନ୍ଦୁଥିବ । ବାପା ଅସ୍ଥିର ହୋଇଉଠିଥିବେ । ମୁଁ ହାଉଡ଼ା ପହଞ୍ଚିନାହିଁ । ଭୋ-ଭୋ ହୋଇ କାନ୍ଦିଉଠିଲି ମୁଁ । ବଂଚିପାରିଚି ବୋଲି କାନ୍ଦିଲି ।

 

ମୋ ସାମ୍ନାରେ ଠିଆହୋଇଥିବା ନର୍ସଟିର ଆଖି ମଧ୍ୟ ଲୁହରେ ଛଳଛଳ ହୋଇଗଲା ।

 

ମୁଁ ଆତୁର ହୋଇ ପଚାରିଲି–କୁହ ସିଷ୍ଟର୍‌ ! ମୁଁ ବଞ୍ଚିବି ତ ?

 

ସେ ପୁଣି ଟିକିଏ ହସିଲେ । ବଡ଼ ମିଠା ସେ ହସ । ବିଶ୍ଵାସ ହେଲା–ମୁଁ ବଞ୍ଚିଯିବି । ବାପା, ମୁନୁ, ଜୋନାକୀ ସମସ୍ତକୁ ଦେଖିପାରିବି । ମୁଁ କହିଲି–‘ମୋ ଘରକୁ ଟିକିଏ ଖବର ପଠାଇବ ସିଷ୍ଟର୍‌ ?’

 

ସେ ହଁ ଭରିଲେ ।

 

ତା’ପରେ ମୋର ମନେପଡ଼ିଲା ସେଇ ବିରାଟ କଳା ଡେଙ୍ଗା ଲୋକଟା କଥା । କୁଆଡ଼େ ଗଲା ସିଏ ? ମୁଁ ଚାରିଆଡ଼କୁ ଅନିଷା କଲି; କିନ୍ତୁ ମୋତେ ବେଶି ସମୟ ଖୋଜିବାକୁ ପଡ଼ିଲା ନାହିଁ-। ତା’ର ଚିତ୍କାର–ମନ୍ଦେ ପାଣିଦିଅ ଡାକ୍ତର ! ଟୋପାଏ ପାଣି ଦିଅ । ଭାରି ଶୋଷ । ଶୋଷରେ ତଣ୍ଟି ଶୁଖିଯାଉଛି.... ଆଃ–ମୋ କାନରେ କରୁଣ ଭାବରେ ପିଟିହେଲା । ମୁଁ ଦେଖେ ତ ମୋରି ଶେଯର ଅନତିଦୂରରେ ସେ ଶୋଇଛି । ତାର ଦୁଇଟିଯାକ ହାତ ଅଧାରୁ କଟିଯାଇଚି । ସେ ପଡ଼ିଚି ଚିତ୍‌ହୋଇ । ମୁଣ୍ଡ ଆଉ ହାତରେ ଧଳା ପଟି । ଉଠିପାରୁନାହିଁ । ଦାନ୍ତଦୁଇଟି ଭାଙ୍ଗି ଯାଇଛି-। ସେ ଦିଶୁଛି ଆହୁରି ବୀଭତ୍ସ, ଆହୁରି ଭୟାନକ । ତାକୁ ଚାହିଁ ମୁଁ କ୍ଷଣକଲାଗି ଭୁଲିଗଲି ଯେ ମୋର ମୁଣ୍ଡ ଫାଟିଯାଇଚି । ମୋର ଚକ୍ଷୁରେ ସମବେଦନାର ଲୁହ ଜକେଇ ଆସିଲା ।

 

ସେଇ ହସ୍‌ପିଟାଲରେ କେହି କାହାର ଆତ୍ମୀୟ ନଥିଲେ । କିଏ ହରେଇଚି ତାର ପୁଅ, ବିକଳ ହୋଇ ଡାକ୍ତରଙ୍କୁ କହୁଚି–ଡାକ୍ତରବାବୁ, ମୋର ବାରବର୍ଷର ପୁଅ କୁଆଡ଼େ ଗଲା ଦେଖନ୍ତୁ ତ-! ଧଳା ହାଫ୍‌ ପ୍ୟାଣ୍ଟଟିଏ ପିନ୍ଧିଥିଲା । ମୋରି ପାଖରେ ଶୋଇଥିଲା । ମୋତେ ଆଣିଲ, ତାକୁ କାହିଁକି ଆଣିଲନି ? ମୁଁ ତାର ମା’କୁ କ’ଣ କହି ବୁଝେଇବି ? ତା’ପରେ ସେ ଆଉ କହିପାରୁନି, ତାର ବାକ୍‌ରୁଦ୍ଧ ହୋଇଯାଉଛି ।

 

କିଏ ହରେଇଚି ତାର ସ୍ଵାମୀ, କିଏ ହରେଇଚି ତାର ସ୍ତ୍ରୀ, କିଏ ବା ଟଙ୍କା । ଯେଉଁମାନେ ନିଜକୁ ବି ହରେଇଥିଲେ ସେମାନଙ୍କୁ ସେଇ ହସ୍‌ପିଟାଲକୁ ଅଣାହୋଇନଥିଲା । ସେମାନଙ୍କର ବଞ୍ଚିବାର ପ୍ରାର୍ଥନା ଆଉ କାହାକୁ ଶୁଣାଯାଉନଥିଲା । ଅସ୍ଫୁଟ ଅପରିଚିତ ଶଦ୍ଦପରି ସେମାନେ ଅନ୍ତରୀକ୍ଷର ହଜିଯାଇଥିଲେ–ପୃଥିବୀରେ ସେମାନଙ୍କର ଛାଇ ପଡ଼ୁ ନଥିଲା ଆଉ ।

 

ଆମେ ସମସ୍ତେ ସର୍ବହରା । ସେଇ ଦୁର୍ଘଟଣା ବଡ଼-ସାନର ଭେଦ ଉଠେଇ ଦେଇଥିଲା-। ଯନ୍ତ୍ରଣା ସଭିଙ୍କୁ କରିଥିଲା ଏକପ୍ରକାର । ରକ୍ତ ଚିହ୍ନେଇଲା ଯେ ଆମେ ଗୋଟିଏ ବୃନ୍ତର ଅଗଣିତ ପତ୍ର; ଗୋଟିଏ ବେପାରିର ପାଳିତ କୁକୁଡ଼ା । ଗୋଟିଏ ନିର୍ଦ୍ଦିଷ୍ଟ ଝଡ଼ରୁ ଜାତହୋଇ ଶିଖାମଣ୍ଡଳରେ ଦଗ୍‌ଧ–କ୍ଳୀବ ପକ୍ଷହୀନ ଅସଂଖ୍ୟ ଝଡ଼ିପୋକ ।

 

ଅନୁପମ ଆଗଭଳି ଚିତ୍କାର କରୁଥାଏ । ମୁଁ ତା’ଆଡ଼ୁ ଆଖି ଫେରାଇଲି । ନର୍ସ ଆସି ଖବର ଦେଲେ–ସେ ମୋ ବାପାଙ୍କୁ ଟେଲିଗ୍ରାମ୍‌ କରିଛନ୍ତି । ମୁଁ ଧନ୍ୟବାଦ ଦେଲି ।

 

ତା’ପରେ ପୋଲିସ ଆସି ପହଞ୍ଚିଲେ । ସମସ୍ତଙ୍କର ନାମ ଗ୍ରାମର ଖବର ସେମାନେ ନେଉଥାଆନ୍ତି । ଆମର ଜିନିଷପତ୍ର ମଧ୍ୟ ହଜିଯାଇଥାଏ । ପୋଲିସ ତାହାର ସନ୍ଧାନ ନେବାଲାଗି ବାହାରିଥାଆନ୍ତି ।

 

ସେମାନେ ମୋତେ ପଚାରିଲେ–ଆପଣଙ୍କ ନାମ ?

 

ମୁଁ କହିଲି–ଧୀରେନ୍ଦ୍ର ନାୟକ । ରେଭନ୍‌ସା କଲେଜରେ ଅଧ୍ୟାପନା କରେ, ଗଣିତରେ ।

 

ସେମାନେ କହିଲେ–ଆପଣଙ୍କର କ’ଣ ହଜିଚି, ତାଲିକା ଦେଇ ଦରଖାସ୍ତ ଖଣ୍ଡେ କରନ୍ତୁ-। ଆମେ ଚେଷ୍ଟାକରିବୁ । ତା’ପରେ ସେମାନେ ଚାଲିଗଲେ ଅନୁପମ ପାଖକୁ । ମୁଁ ଉତ୍‌କଣ୍ଠାରେ ଚାହିଁଲି । ସେମାନଙ୍କୁ ଦେଖି ଅନୁପମ ଜୋର୍‌ରେ କାନ୍ଦିବାକୁ ଲାଗିଲା । ସେ କହିଲା–ମୋ ନାଁ ଅସୁର !

 

ମୁଁ କାବ୍‌ବା ହୋଇଗଲି ।

 

ବିସ୍ମୟରେ ପୋଲିସ କହିଲେ–ଅସୁର !

 

ଅନୁପମ କହିଲା–ହଁ, ଅସୁର ନୁହେଁ ତ ଆଉ କଣ । ଆଉ କଣ ଦେବତା !

 

ନର୍ସଟି ପୋଲିସକୁ କହିଲା–ବର୍ତ୍ତମାନ ଆପଣ ତାଙ୍କୁ କିଛି ପଚାରନ୍ତୁ ନାହିଁ ।

 

ତଥାପି ପୋଲିସ ଶେଷ ଚେଷ୍ଟା କଲେ–ଦେଖନ୍ତୁ ଆପଣଙ୍କ ନାଁ ନ କହିଲେ ଆମେ ଆପଣଙ୍କ ଘରକୁ ଖବର ଦେବୁ କିପରି ?

 

ଅନୁପମ ଚିତ୍କାର କରିଉଠିଲା–ଘର, କାହାର ଘର ? ମୋର ! ମୋର ଘରେ କେହି ନାହାନ୍ତି । ମୁଁ ଏକା, ଏକାନ୍ତ ଏକାକୀ । ମୋର ଆପଣାର ହୋଇ ଏ ଦୁନିଆରେ କେହି ନାହିଁ । ମୋ ନାଁ ଶୁଣି ଏଠକି କୁଆ କୋଇଲିଟାଏ ବି ଦଉଡ଼ି ଆସିବ ନାଇଁ । ଆପଣ ଶୁଣନ୍ତୁ–ମୋ ନାମ ବିକ୍ରମ ସିଂ ।

 

ବିକ୍ରମ ସିଂ !!

 

କିନ୍ତୁ ସେଇ ସୁଟ୍‌କେଶଟାରେ ତ ! ଭାବିଲି ପୋଲିସ୍‌କୁ କହିଦେବି; କିନ୍ତୁ ମୋର ଜିଭ ଲେଉଟିଲା ନାହିଁ । ପୋଲିସ୍‌ ପୁଣି ପଚାରିଲେ–ବିକ୍ରମ ବାବୁ ! ଆପଣଙ୍କର କିଛି ଜିନିଷପତ୍ର ହଜିଚି-?

 

ମୁଣ୍ଡ ହଲେଇ କହିଲା–ନା ।

 

ତାର ଏଇ ନ-କାରଟାକୁ ମୁଁ ବୁଝିପାରିଲି ନାହିଁ । ତା’ହେଲେ ତା’ ନାଁ କଣ ବିକ୍ରମ–ଅନୁପମ ନୁହେଁ ? ଅନୁପମର ସୁଟ୍‌କେଶ୍‌ଟାକୁ ଚୋରିକରି ଆଣିଥିଲା । ଧରାପଡ଼ିବା ଭୟରେ କହୁନାହିଁ । ମୋର ମୁଣ୍ଡ ଗୋଳମାଳ ହୋଇଗଲା । କେଉଁଟି ସତ୍ୟ ?

 

ମୁଁ ଦେଖିଲି, ଅନୁପମ ଆଖି ବୁଜିଦେଇଛି । ପୋଲିସ୍‌ ଚାଲିଗଲେଣି । ସେ ଯେମିତି ତାର ହାତକଟା ଯନ୍ତ୍ରଣାରୁ ଆହୁରି ଅଧିକ କିଛି ଯନ୍ତ୍ରଣା ଭିତରେ ଭିତରେ ଅନୁଭବ କରୁଛି । ସେ ଆଉ ଥୟ ଧରି ରହି ପାରିଲା ନାହିଁ–ପୁଣି ଭୋ ଭୋ’ କରି କାନ୍ଦିଉଠିଲା । ମୁଁ ଭାବିଲି, ପଚାରିଥାନ୍ତି–ସତରେ ତୁମ ନାଁ କଣ ବିକ୍ରମ ? ଯଦି ନୁହେଁ, ତେବେ ଏମିତି ମିଛ କହିଲ କାହିଁକି ?

 

ଶୁଣିଲି, ସେ ପୁଣି କହୁଚି–ସିଷ୍ଟର୍‌ ! ମନ୍ଦେ ପାଣି ! ଭାରି ଶୋଷ । ନା, ଖାଲି ପାଣି ନୁହେଁ, ତା’ସହିତ ଦୁଇବୁନ୍ଦା ଗରଳ । ହଁ ସିଷ୍ଟର୍‌, ମୁଁ ଆଉ ବଞ୍ଚିବାକୁ ଚାହେଁନା । ମୁଁ ଆଉ କାହିଁକି ବଞ୍ଚିବି କହିଲ ? କାହାଲାଗି ବଞ୍ଚିବି ?

 

ତା’ର ହାତ ନାହିଁ । ଆଁ ଅଛି ।

 

ସିଷ୍ଟର ତାକୁ ପାଣି ଗିଲାସେ ପେଇଦେଲେ । ସେ ଢକଢକ କରି ପିଇଗଲା ଏକା ନିଃଶ୍ଵାସରେ ।

 

ତା ପରଦିନ ସକାଳ ।

 

ମୋ ମୁଣ୍ଡରୁ ପଟି ଖୋଲିନଥାଏ । ରକ୍ତସ୍ରାବ ବନ୍ଦ ହୋଇଯାଇଥାଏ । ମୁଁ ଏକରକମ ଅପେକ୍ଷା କରୁଥିଲି ବାପା ଓ ଜୋନାକୀଙ୍କୁ । ମୋର ଅପେକ୍ଷା ଅପେକ୍ଷାରେ ରହିଗଲା ନାହିଁ । ସେମାନେ ସତକୁସତ ସକାଳୁ ଆସି ପହଞ୍ଚିଲେ ।

 

ମୋତେ ଦେଖି ବାପାଙ୍କ ଆଖିରେ ବି ଲୁହ ଜମିଗଲା । ଜୋନାକୀର ଦାନ୍ତ ଚିପି ହୋଇଗଲା ଓ ଆଖି ଦୁଇଟି ଡୁବିଗଲା ଅଶ୍ରୁର ଲହରୀରେ । ମୁଁ ବି ନିଜକୁ ଧରି ରଖିପାରିଲି ନାହିଁ–ସେମାନଙ୍କ ସହିତ ନିଜକୁ ମିଶେଇଦେଲି ।

 

ଏଇ ଅଶ୍ରୁ ! ହଁ, ଏଇ ଉତ୍ସବ । ଏଇ ଉତ୍ସବରେ ହିଁ ବଞ୍ଚିବାର ସାର୍ଥକତା । ଏଇ ଅଶ୍ରୁ–ପ୍ରୀତି, ଆନନ୍ଦ ଓ ସଖ୍ୟର ।

 

କାନ୍ଦିପକାଇବା ପରେ ମୁଁ ଆଉ ନିଜକୁ ନିରାଶ୍ରୟ ଓ ଅସହାୟ ମନେକଲିନାହିଁ । ଜୋନାକୀ ମୋର ଗୋଡ଼ ପାଖରେ ବସିଥାଏ । ମୁନୁକୁ ମୁଁ ଛାତି ପାଖକୁ ଆଉଜେଇ ଆଣିଲି ।

 

ମୁଁ ମୁହଁ ବୁଲେଇ ଚାହିଁଲି ଅନୁପମକୁ । ସେ ଚାହିଁଛି ଜୋନାକୀକୁ, ବିକଳ ହୋଇ, ନିଷ୍ପଲକ ନୟନରେ । ଦୁଇଧାର ଥଣ୍ଡାଲୁହ ଗଡ଼ିଆସି ତାର ଉଷୁମ ଗାଲ ଉପରେ ଶୁଖିଯାଇଛି । ମୁଁ ସେଇ ଅବସ୍ଥାରେ ତାର ସେ ଦୃଷ୍ଟିକୁ ସହିପାରିଲି ନାହିଁ । କି ଅଧିକାର ଅଛି ତାର ମୋ ସ୍ତ୍ରୀ ଓ ପୁଅକୁ ଚାହିଁବାର ?

 

ମୋର ମନେପଡ଼ିଲା, ତାର ସେଇ ଚିତ୍କାର–ଡାକ୍ତରବାବୁ, ମୋତେ ମାରିଦିଅ, ବିଷ ଦେଇଦିଅ, ମୁଁ ବଞ୍ଚିବାକୁ ଚାହେଁନା । କାହିଁକି ବଞ୍ଚିବି ? କାହାଲାଗି ? କି’ ଲୋଭରେ ?

 

ଅନୁପମ ନିକଟକୁ କେହି ଆସିନାହାନ୍ତି ସମବେଦନା ଜଣାଇବାଲାଗି । ତାର ହାତ ନାହିଁ, ସେ ବଞ୍ଚିବାକୁ ଚାହେଁନା ।

 

ଦୁଃଖରେ ମୋର ଅନ୍ତର ତରଳିଗଲା । ଭାବିଲ–ସତରେ ସ୍ତ୍ରୀ, ପୁତ୍ର, ବାପା–ମା କେହି କିଛି ମାୟା ନୁହେଁ । ଏ ସଂସାରରେ ବଞ୍ଚିବା ପାଇଁ ସବୁ ଦରକାର । ଏମାନଙ୍କ ବିହୀନରେ ବଞ୍ଚିବାଟା ରହିବା ନୁହେଁ, ଏକ ବୋଝ-ବୁହା ।

 

ଅନୁପମ ଜୋନାକୀକୁ ଚାହିଁଥାଏ ।

 

ମୁଁ ଦରଖାସ୍ତ ଖଣ୍ଡିଏ ଲେଖିଲି–ରେଲୱେ ପୋଲିସ୍‌ ବିଭାଗକୁ । ତହିଁରେ ବି ଅନୁପମ ଦାସର ସୁଟ୍‌କେଶ୍‌ କଥା ଲେଖିଦେଲି ଯେଉଁଟାକୁ ଅନୁପମ ନିଜର ବୋଲି ପ୍ରକାରନ୍ତରେ ଅସ୍ଵୀକାର କରିଥିଲା । ପୋଲିସ ବିଭାଗ ଖୋଜନେଇ ମୋତେ ଖବର ଦେବେ ।

 

ଦିନ ବାରଟା ।

 

ମୋର ଡାହାଣ ପାଖରେ ଶୋଇଥିବା ଆହତ ବ୍ୟକ୍ତିଟିକୁ ବଞ୍ଚାଇବାର ଶେଷ ଚେଷ୍ଟା କରି ଡାକ୍ତର ଅସଫଳ ହେଲେ । ଆହତ ବ୍ୟକ୍ତିଟି ଦୁଇଦିନ ଅଚେତନ ରହିବା ପରେ ଶେଷରେ ଚାଲିଗଲା । ତା’ ପାଇଁ କେହି କାନ୍ଦିଲେ ନାହିଁ । ତା’ ଘର କେଉଁଠି କେହି ଜାଣି ପାରିଲେ ନାହିଁ । ମୁଁ କେବଳ ଜାଣିଥିଲି, ସେ ଏଇ ମାଟିର ମଣିଷ । କାନ୍ଦି କାନ୍ଦି ଆସିଥିଲା, କାନ୍ଦି କାନ୍ଦି ଫେରିଗଲା–କିନ୍ତୁ ଗଲାବେଳେ ସେ କାହାକୁ କନ୍ଦେଇ ଯାଇ ପାରିଲା ନାହିଁ ।

 

ଲୋକଟିର ମରିବା ଖବର ଶୁଣି ବାପା ମୁନୁକୁ ନେଇ ବାହାରକୁ ଚାଲିଗଲେ । ଜୋନାକୀ ଭୟରେ ଶିହରି ଉଠିଲା । ଟିକିଏ ପୂର୍ବରୁ ଯିଏ ଗଣାଯାଉଥିଲା ଆମରି ଭିତରେ ଜଣେ ଭାବରେ, ତାକୁ ଦେଖି ଆମେ ପୁଣି ଭୟରେ ଥରିଉଠିଲୁ !

 

ପୁଲିସ ଆସି ଶବଟାର ଟିପା ନେଇଗଲା । ଶବଟାର ରକ୍ତ-ସାଲୁବାଲୁ ପକେଟରୁ ଦଶଟା ଟଙ୍କା ଓ ଖଣ୍ଡେ ଚିଠି ମିଳିଲା । ସେଥିରେ ତା’ ନାଁ ଲେଖାଥିଲା ଅଛୁତ ବେହେରା । ସେ ଚିଠିଟି ତା’ର ମାଆ କାହା ହାତରେ ଲେଖେଇ କଟକ ପଠାଇଥିଲା ।

 

କିଛିକ୍ଷଣ ପରେ ଆସିଲେ ଦୁଇଜଣ ମେହେନ୍ତର–ଗୋଟାଏ ଠେଲାଗାଡ଼ିରେ ଭର୍ତ୍ତି କରି ନେଇଗଲେ ତାକୁ । ସେ ଚାଲିଗଲା । ଏ ଧରଣୀରେ ଆଉ ତା’ର ଛାଇ ପଡ଼ିବ ନାହିଁ । ତା’ ମାଆ ଲେଖିଥିଲା–‘ଅଛୁତିରେ ଶୀଘ୍ର ଆସିବୁ !’ ସେଇ ତାର ଶେଷ ଆସିବା....

 

ମୁଁ କହିଲି–‘ଜୋନାକୀ, ଭାରି ଶୋଷ । ପାଣି ମୁନ୍ଦେ ଦିଅ ତ !’ ଜୋନାକୀ ତା’ର ଶାଢ଼ି ପଣତରେ ଛାଙ୍କି ମୋ’ ପାଇଁ ଗିଲାସେ ପାଣି ଗଡ଼ାଇଲା । ମୋତେ ସେ ପେଇଦେବାକୁ ଯାଉଛି, ସେଇ ସମୟରେ ଶୁଣାଗଲା ଅନୁପମର ଚିତ୍କାର–‘ଆଃ, ଭାରି ଶୋଷ, ଟୋପାଏ ପାଣି, ଆଃ..... ।’ ଜୋନାକୀର ହାତ ଓ ମୋର ଆଁ ବନ୍ଦ ହୋଇଗଲା ।

 

ମୁଁ ଜୋନାକୀକୁ ବିକଳ ଅନୁରୋଧ ଭଙ୍ଗୀରେ ଚାହିଁଲି । ଜୋନାକୀ ନାରୀ, ସେ କଣ ବୁଝେନା ଅନ୍ୟର ଶୋଷ ! ମୁଁ କହିଲି–‘ଜୋନାକୀ ! ଏ ପାଣି ତାକୁ ପେଇଦେଇ ଆସ–ମୁଁ ପରେ ପିଇବି । ଯାଅ, ଜୋନାକୀ ଯାଅ । ତାର କେହି ନାହିଁ ।’

 

ଜୋନାକୀ ଉଠିଲା । ମୁଁ ତାକୁ ସାହସ ଦେଲି । ଜୋନାକୀ ଅନୁପମକୁ କହୁଛି–‘ଆଁ କରନ୍ତୁ, ମୁଁ ପେଇଦେବି ! ଖୁବ୍‌ଶୋଷ ଯେ ଆପଣଙ୍କୁ ।’

 

ଅନୁପମ କହିଲା–‘ବାଃ, ବାଃ, ଆପଣ ସେ ନୁହନ୍ତି । ତା’ର କେଉଁଠୁ ଏତେ ଦୟା ହୋଇଥାନ୍ତା ?’ ଅନୁପମ ପାଣି ଢକଢକ କରି ପିଇଲା ।

 

ଜୋନାକୀ ଫେରିଆସିଲା । ସେ ଭୟରେ ଥରୁଥାଏ । ଆଖିରୁ ତେଜ ଶୁଖିଯାଇଥାଏ ।

 

‘‘ଏ ଦୁନିଆ ଭିତରେ ସେ ବି ଏକ ମଣିଷ–କହିଲ ଜୋନାକୀ, ତୁମେ କଣ ତାକୁ ଚିହ୍ନିଥିଲ ?’’ ମୁଁ ପଚାରିଲି ।

 

‘‘ନାଁ ତ–ତେବେ କେଉଁଠି ଦେଖିଲା ଭଳି ମନେପଡ଼ୁଛି ।’’ ଜୋନାକୀର ମୁଖମଣ୍ଡଳରେ କେତୋଟି ରେଖା କ୍ଷଣକଲାଗି କୁଞ୍ଚିତ ହୋଇ ପରମୁହୂର୍ତ୍ତରେ ମିଳେଇଗଲା, ମୁଁ ଦେଖିଛି; କିନ୍ତୁ ସେ ମୁହୂର୍ତ୍ତରେ ମୁଁ ଜୋନାକୀକୁ ତିଳେମାତ୍ର ସନ୍ଦେହ କରିନଥିଲି । କାରଣ, ଏମିତି ତ ଅନେକ ଘଟେ । ଚିହ୍ନା ଥାଏ; ଭୁଲି ହୋଇଯାଏ; ପୁଣି ଦେଖାହେଲେ ମନେପଡ଼େ ଗତଦିନର କେତେଟା ପାଉଁଶିଆ ହୋଇଯାଇଥିବା ଘଟଣା (କାହାର ବା ଆଦୌ ମନେପଡ଼େନାହିଁ), ଯାହା ଉପରେ ରଙ୍ଗ ବୋଳିଲେ ବି ଆଉ ସୁନ୍ଦର ଦିଶେନି । ବରଂ ସେ ‘ରଙ୍ଗ’ଟା ବେଳେବେଳେ ଏମିତି ତୀବ୍ର ହୁଏ ଯେ ବର୍ତ୍ତମାନର ମନ ଉପରର ରଙ୍ଗକୁ ପାଣିଚିଆ କରିଦିଏ ।

 

ଅନୁପମ ଚିତ୍‌ହୋଇ ଶୋଇଥାଏ । ସେ କଡ଼ ଲେଉଟାଇବାକୁ ଅକ୍ଷମ । ଅନୁପମ ପ୍ରଳାପ କରୁଛି–‘ମୁଁ ବଞ୍ଚିବାକୁ ଚାହେଁନା । ମୋତେ ବିଷ ଦେଇଦିଅ ।’

 

ତାର କଥା ଶୁଣି ଯେ କେହି ଭାବିବ ଯେମିତି ସେ କୌଣସି ନାଟକରେ ଅଭିନୟ କରୁଛି; କିନ୍ତୁ ମୁଁ ପରେ ଜାଣିଲି, ସେ ଦୁଃଖରେ ମୁହ୍ୟମାନ ହୋଇ ସେମିତି କରୁଥିଲା । ପ୍ରକୃତରେ ଜୀବନଟା ଥିଲା ତା’ ପ୍ରତି ଏକ ତୁଷ–ବସ୍ତା । ମଝିରାସ୍ତାରେ ବିଗିଡ଼ିଯାଇଥିବା ମୋଟର ସାଇକେଲ ପରି ସେ କେବଳ ବୋହୁଥିଲା ଆପଣାର ବିଶାଳ ଶରୀର । କ୍ଷୀଣ ଆଶାର ବିଶଲ୍ୟକରଣୀ ଲାଗି ଏକ ବିରାଟ ଗନ୍ଧମାଦନ ବୋହିବା ପରି ଜୀବନଟା ଥିଲା ତା’ ପ୍ରତି ଏକ ବିରାଟ ବୋଝ ।

 

ପରେ ଜାଣିଲି ପ୍ରକୃତରେ ତା’ ନାଁ ଅନୁପମ; ବିକ୍ରମ ନୁହେଁ । ପୋଲିସ୍‌କୁ ସେ ମିଛ କହିଥିଲା । ହୁଏତ–ଆପଣା ପ୍ରତି କ୍ରୋଧରୁ; ଅଥବା..... ?

 

ମୋ ମୁଣ୍ଡର ପଟି ଖୋଲି ନ ଥିଲେ ବି ମୋତେ ଘରକୁ ଘେନିଯିବାକୁ ବାପା ଡାକ୍ତରଙ୍କ ପାଖରୁ ଅନୁମତି ଚାହିଁଲେ । ଡାକ୍ତରଙ୍କର ବୋଧହୁଏ ସେତେବେଳକୁ ମୋର ଜୀବନ ଉପରେ ବିଶ୍ଵାସ ଆସିଯାଇଥିଲା । ଏଣୁ ସେ ମନାକଲେ ନାହିଁ ।

 

ଜୋନାକୀ, ମୁନୁ ଓ ବାପାଙ୍କ ସହିତ ମୁଁ ବାହାରିଲି ।

 

ମୋତେ ଆଜି ବି ଜଳଜଳ ଦିଶୁଛି ହସପିଟାଲ୍‍ର ସେଇ ଦୃଶ୍ୟ । କାହାଠୁ ବିଦାୟ ଆଣିବି–ଚିନ୍ତା କରିପାରିଲି ନାହିଁ । ମୋର ଯିବା କଥା ଶୁଣି ଅନୁପମ ମୋତେ ଚାହିଁଥାଏ । ଜୋନାକୀ, ମୁନୁ ଓ ବାପା ବାହାରକୁ ସେତେବେଳକୁ ଯାଇସାରିଥିଲେ । ମୁଁ ଧୀରେ ଧୀରେ କେବଳ ଗଲି ଅନୁପମ ପାଖକୁ । ତାର ଆଖିରୁ ଦୁଇଧାର ଲୁହ ଗଡ଼ି ଆସିଥାଏ । ମୁଁ ରୁମାଲ୍‌ରେ ତା’ ଆଖିର ଲୁହକୁ ପୋଛିଦେଲି । କହିଲି–‘‘ଭାଇ, ଯାଉଚି !’’

 

ସେଇ ବୋଧହୁଏ ତା’ ଜୀବନର ଶେଷ ଲୁହପୋଛା । ତା’ପରେ ତା’ ଆଖିରୁ ଯେତେ ଲୁହ ଗଡ଼ିଥିବ, ଆଉ କେହି ପୋଛି ନ ଥିବେ, ସେଇମିତି ଶୁଖିଯାଇଥିବ ।

 

ମୁଁ ଫେରିଲି–ଅନୁପମ ନିକଟରୁ । ହସ୍‌ପିଟାଲ୍‌ର ଶତଶତ ଆହତ ଆଖି ମୋତେ ଚାହିଁଥାଏ । ଅନ୍ୟମାନଙ୍କର ଈର୍ଷାର ପାତ୍ର ହେଲା ଭଳି ମୁଁ ଭାଗ୍ୟବାନ୍‌ ।

 

ମୋ ପଛରେ କ୍ରନ୍ଦନର ଖୁଁ-ଖୁଁ ଧ୍ୱନି ଶୁଣାଗଲା । ବୁଝିଲି, ଅନୁପମ କାନ୍ଦୁଛି । ମୁଁ କିନ୍ତୁ ପଛକୁ ଫେରିଲି ନାହିଁ ।

 

ହସ୍‌ପିଟାଲ୍‌ ଗେଟ୍‌ ସାମ୍ନାରେ ବହୁ କଷ୍ଟରେ ବନ୍ଦୋବସ୍ତ କରି ଆଣିଥିବା ଜିପ୍‌ଗାଡ଼ିଟିଏ ଠିଆ ହୋଇଥାଏ । ସେଇଥିରେ ଆମର ଷ୍ଟେସନ୍‌ ଯାଏ ଯିବାର କଥା । ମୁନୁ ଭିତରେ ବସିସାରିଲାଣି । ବାପା ଓ ଜୋନାକୀ ଠିଆ ହୋଇଥାନ୍ତି–ମୋତେ ଧରି ଭିତରେ ବସେଇଦେବେ ।

 

ମୁଁ ଗେଟ୍‌ରେ ପହଞ୍ଚିଲାକ୍ଷଣି ମୋ ଆଗରେ ବୁଢ଼ୀଟିଏ ଠିଆହେଲା । ହଁ, ବୁଢ଼ୀଟେ–ସତୁରି ବର୍ଷରୁ କମ୍‍ ହେବ ନାହିଁ । କଙ୍କାଳ ପଡ଼ିଲାଣି, ବାଡ଼ି ଖଣ୍ଡିଏ ଧରିଛି । ମଳି–କୁତୁକୁତୁ ଛିଣ୍ଡା ଲୁଗାଟିଏ ପିନ୍ଧିଛି । ବାଳକେରାଏ ଅଛି, ଝୋଟ ରଙ୍ଗର । କାନ୍ଧରେ ଖଣ୍ଡିଏ ଗାମୁଛାରେ ବାନ୍ଧିଛି ଚୁଡ଼ାପରି କଣ ଗଣ୍ଠିଲି କିଛି । ଆଖିକୁ ତାର ଭଲ କରି ଦିଶୁ ନଥିଲା । ସେ ମୋତେ ଲକ୍ଷ୍ୟକରି କହିଲା–‘‘କିଏ ଅଛୁତି କିରେ ?’’

 

‘‘ମୁଁ କହିଲି–‘‘ନାଇଁ ମାଉସୀ ! ମୁଁ ଅଛୁତି ନୁହେଁ ।’’

 

‘‘କିଛି ଭାବିବୁ ନାହିଁ ପୁଅ’’–ବୁଢ଼ୀଟି କହିଲା–‘‘ମୋ ଆଖିକୁ କିଛି ଭଲ ଦିଶୁ ନାହିଁ । ମୁଁ ଅଛୁତିକି ଖୋଜୁଛି–ଅଛୁତିକି । ତୁ ପୁଅ ତାକୁ କେମିତି ଚିହ୍ନିବୁ ? ସେ ତ କଟକରେ ହୋଟେଲରେ ଚାକିରି କରୁଥିଲା । ଆରେ ବାପ ! ଏଇଟା ହସପାତାଳ ନା ! ଏଇଠି କାଳେ ସିଏ ଅଛି । ମୁଁ ଝାଡ଼ାମାତିଆଣୀ ତାକୁ ଖବର ପଠାନ୍ତି ନାହିଁ ନା ? ଆସିକି ତିରିଶି ବର୍ଷ ହେଲାଣି ତାକୁ, ବାହା ହେବ ନାହିଁନା ସିଏ ? ମୁଁ ବୁଢ଼ୀଟା ଏକା କେମିତି କାମଧନ୍ଦା କରିବି ? ଖାଲି ଡକେଇଥିଲି, ସେ କନିଆଟାକୁ ଦେଖି ଯାଇଥାନ୍ତା । ଆମର ଗରିବ ନୋକ ବାବୁ, କଣ ଥାଏ, ଖାଲି ହାତକୁ ଦି ହାତ ହବା କଥା ନା ।

 

‘‘ମୋ ଅଛୁତି ଏଇଠି ଅଛି ତ ବାବୁ ! ଗାଡ଼ି କଣ ଖରାପ ହେଲା । କି ଗାଡ଼ି ସେ ?’’

 

ମୁଁ କିଛି କହିପାରିଲି ନାହିଁ । କେବଳ ହାତ ଦେଖାଇଦେଲି ହସ୍‌ପିଟାଲ ଆଡ଼କୁ । ବୁଢୀଟି ପୁଣି ନଇଁ ନଇଁ ବାଡ଼ି ଠୁକୁଠୁକୁ କରି ଡାକିଡାକି ଚାଲିଲା ସେଇଠୁ–ରେ ଅଛୁତି ! ଅଛୁତିରେ-! ମୋ ବାପ ଅଛୁତି । ମୁଁ ପୁତଖାଈ ତାକୁ କାହିଁକି ଡକେଇଲିଲୋ ! ଅଛୁତିରେ !

 

ବାପା ମୋତେ ଧରି ଗାଡ଼ିରେ ବସାଇଲେ–ଗାଡ଼ି ଛାଡ଼ିଲା । ମୋ କାନରେ ତଥାପି ବି ବାଜିଯାଉଥାଏ–‘ରେ ଅଛୁତି ! ମୋ ଅଛୁତି ! ମୋ ଅଛୁତିକି ଦେଖିଚ ବାପ....?’ ମୁଁ କେମିତି କହିଥାନ୍ତି, ଅଛୁତିକି କାଲି ମେହେନ୍ତରମାନେ.......

 

ମୋର ଦେହ ସଂପୂର୍ଣ୍ଣ ଆରୋଗ୍ୟ ହେବାକୁ ପ୍ରାୟ ଏକମାସରୁ ଅଧିକ ଲାଗିଗଲା । କଲିକତାର ‘ଗଙ୍ଗାକାଳୀ’ ନିକଟରେ ମୋ ସ୍ଵାସ୍ଥ୍ୟର ପୁନରପି ପୁଷ୍ଟି ଲାଗି ବାପା ମାନସିକ ମଧ୍ୟ କରିଥିଲେ ।

 

ଓଡ଼ିଶା ସରକାର ଦୟାପୂର୍ବକ ଏଇ ଦୁର୍ଘଟଣା ପାଇଁ ମୋତେ ଗ୍ରୀଷ୍ମଛୁଟି ଯାଏଁ ସବେତନ ଛୁଟି ମଞ୍ଜୁର କରିଥିଲେ । ଏଣୁ ମୋତେ ଗ୍ରୀଷ୍ମଛୁଟି ପୂର୍ବରୁ ପୁଣି ଥରେ କଟକ ଫେରିବାକୁ ପଡ଼ିନଥିଲା ।

 

କଲିକତା ବସାରେ ଦାଣ୍ଡଘରଟାକୁ ଲଗେଇ ମାତ୍ର ଦୁଇ ବଖରା ଘର । ଉପଗଳିଟା ନିହାତି ଲୋକାରଣ୍ୟ । ସାରା ଦିନରାତି କାଁ-କେଁ ଭାଁ-ଭେଁ । ଅଶାନ୍ତ ମହାନଗରୀଟା ଠିକ୍‌ ଏକ ଅଶାନ୍ତ ସମୁଦ୍ର ପରି ଦିନରାତି ଗର୍ଜୁଥାଏ; କିନ୍ତୁ ଆମେ ସବୁ କଂସାରିଘରର ପାରା ପାଲଟିଯାଇଥିଲୁ-। ଘୋ-ଘୋ ଝୋଁ-ଝାଁ ଆମକୁ ଆଉ ଲାଗୁନଥିଲା ।

 

ମୁଁ ଯେତେବେଳେ ଏକାକୀ ବସୁଥିଲି, ଅନୁପମର କଥା ମୋର ଆଖି ଆଗରେ ନାଚି ଉଠୁଥିଲା । ତାର ସେଇ ପ୍ରଳାପ ସବୁ କାନରେ ଗୁଞ୍ଜରି ଉଠୁଥିଲା । ଜୋନାକୀର ମୁହଁକୁ ଚାହିଁଲେ ମୋର ବେଳେବେଳେ ମନେପଡ଼ିଯାଉଥିଲା–‘ନା, ନା, ଆପଣ ସିଏ ନୁହନ୍ତି । ତା’ଠି ଏତେ ଦୟା ନଥିଲା ।’ ମୁଁ ବସିବା ଜାଗାରୁ ଉଠିଯାଉଥିଲି । ଜୋନାକୀକୁ ସନ୍ଦେହ କରୁଥିଲି–ଜୋନାକୀ ସହିତ ତାର କଣ କିଛି ସମ୍ପର୍କ ଥାଇପାରେ ? ସେତେବେଳ ପର୍ଯ୍ୟନ୍ତ ମୁଁ ଏ ପ୍ରଶ୍ନର ଜବାବ୍‌ ପାଇନଥିଲି । ଅନୁପମର ବିକଟାଳ ଚେହେରା ସହିତ ଜୋନାକୀପରି ଏକ ଫୁଲ-ମହୁର କନ୍ୟାକୁ ମୁଁ ସଂଯୁକ୍ତ କରି ପାରୁନଥିଲି । ବିଷ ଓ ଅମୃତ-ଅମୃତ କି କେବେ ପ୍ରଣୟପ୍ରାର୍ଥୀ ହୋଇପାରେ ବିଷର ?

 

ଅନୁପମର ସେଇ ପ୍ରଳାପ–‘ଦିଅନ୍ତୁ, ପାଣିଟୋପେ ଦିଅନ୍ତୁ...ଭାରି ଶୋଷ । ଜାଣନ୍ତି, ଏ ଶୋଷ ଦିନେ ଦି’ଦିନର ନୁହେଁ, ଗୋଟିଏ ଯୁଗର, ଗୋଟିଏ ଜୀବନର । ସିଷ୍ଟର୍‌, ତୁମକୁ ନେହୁରା ହେଉଚି, ମୋତେ ପାଣି ସାଙ୍ଗରେ ଟୋପେ ବିଷ ମିଶେଇ ଦିଅ । ଏ ତୃଷ୍ଣା କେବଳ ସେଇଥିରେ ମେଣ୍ଟିବ ଡାକ୍ତରବାବୁ ! ...ମୁଁ ବଞ୍ଚିବାକୁ ଚାହେଁନା । ....ମୋ ନାଁ ଅସୁର... ମୋ ନାଁ ବିକ୍ରମ ସିଂ । ....ମନେପଡ଼ିଲେ ମୋର ଆଖିପତା ଓଦା ହୋଇଯାଏ । ଦେହ ଶିହରି ଉଠେ । ଏଇ ତ ମଣିଷର ପରିଣତି ! ଏଇ ତ ସୃଷ୍ଟିର ନିର୍ଦ୍ଦୟ ବୈଚିତ୍ର୍ୟ ! ଅନୁପମ ଡକାୟତ ହେଉ ଅଥବା ଡାକ୍ତର ହେଉ, ତାର ହାତ ନାହିଁ, ତାର ବନ୍ଧୁ ନାହିଁ, କେହି ନାହାନ୍ତି । ସେ କେମିତି ବଞ୍ଚିବ ? କିଏ ତା’ର ସେବା କରିବ ?

 

ବେଳେବେଳେ ଭାବେ ଜୋନାକୀକୁ କେନ୍ଦ୍ର କରି, ବୋଧହୁଏ ଅନୁପମ ଯାହା ଇଚ୍ଛା କରିଥିଲା ପାଇନାଇଁ । ତାର କ୍ଷୁଧା ମେଣ୍ଟି ନାହିଁ । ତାର ଡିମ୍ବାଡିମ୍ବା ଆଖିରୁ ଖାଲି ଛେଦାଛେଦା ରକ୍ତପରି ଲୁହ ଗଡ଼ିଛି । ତା’ ଲୁହର ପ୍ରତି ବୃନ୍ଦାଟିକୁ ଯଦି କେହି ପରୀକ୍ଷା କରିଥାନ୍ତା । କ’ଣ ଦେଖିଥାନ୍ତା ଜାଣନ୍ତି ? ଦେଖିଥାନ୍ତା–ତା’ ଭିତରେ ଦାନ୍ତ ନିକୁଟି ଠିଆହୋଇଥିବା ଗୋଟିଏ ରୂପବତୀ ରମଣୀର ନିଷେଧ ବାକ୍ୟ–ନା-ନା-ନା, ମୁଁ ତୁମକୁ ଭଲପାଇ ପାରେନା । ତୁମେ ମଣିଷ ନୁହଁ, ଏକ ପ୍ରବଳ ଅସୁର ।’

 

ଦୁନିଆରେ ରୂପର ସୃଷ୍ଟି କେବଳ ସୁଖ ଓ ଦୁଃଖକୁ ବଞ୍ଚେଇ ରଖିବା ଲାଗି ସିନା !

 

ସେଦିନ ମେ ମାସ ସନ୍ଧ୍ୟା । ଛାତ ଉପରେ ମୁଁ ବସିଥାଏ । ମୁନୁ ହାତରେ ବିସ୍କୁଟ ଖଣ୍ଡିଏ ଧରି ଚୋଚମିବାରେ ଲାଗିଥାଏ । ପଛଆଡ଼ୁ ଆସିଲା ଜୋନାକୀ ଓ ମୋର ମୁଣ୍ଡବାଳ ସାଉଁଳେଇବାକୁ ଆରମ୍ଭ କଲା । ମଝିରେ ମଝିରେ ସେ ଏଇ କାଇଦାରେ ମୋର ଧ୍ୟାନ ଭାଙ୍ଗିଦିଏ । ମୁଁ ତାକୁ ସ୍ଵାଭାବିକ ଗଳାରେ ପଚାରିଲି–‘ତୁମେ ଅନୁପମକୁ ଚିହ୍ନିଥିଲ ନା ! ମୁଁ ଜୋନାକୀର ମୁହଁଟି ସେତେବେଳେ ଦେଖିପାରୁନଥିଲି । ଏଣୁ କହିପାରିବି ନାହିଁ, ତାର ମୁହଁଭଙ୍ଗୀରେ କିଛି ଅଚାନକ ପରିବର୍ତ୍ତନ ଘଟିଥିଲା କି ନାହିଁ; କିନ୍ତୁ ତାର ହାତଟା ଟିକିଏ ଶିଥିଳ ହେଲାପରି ଲାଗିଲା (ହୁଏତ, ମୋର ଏହା ଭୁଲ ଅନୁଭବ) ।

 

ଜୋନାକୀ କିଛି ଉତ୍ତର ଦେଲାନି । ମୁଁ ବି ତାକୁ ଆଉ କିଛି ପଚାରିବାକୁ ସାହସ କଲିନାହିଁ ।

 

ତଳୁ ବାପାଙ୍କର ପାଦଶବ୍ଦ ଶିଡ଼ିଦେଇ ଉପରକୁ ଉଠୁଥିଲା । ସେ ଡାକି ଡାକି ଆସୁଥିଲେ–‘ଧୀର !’ ଜୋନାକୀ ଘୁଞ୍ଚି ଠିଆହେଲା ।

 

ବାପା ମୋ ହାତକୁ ଚିଠିଟାଏ ବଢ଼ାଇଦେଇ କହିଲେ–‘‘ତୋର ଚୋରି ଯାଇଥିବା ଜିନିଷପତ୍ର ମିଳିଚି । ଭଦ୍ରଖ ରେଳୱେ ପୋଲିସ୍‌ ଚିଠି ଦେଇଛନ୍ତି ।’’ ମୁଁ ତରବରରେ ଚିଠିଟା ପଢ଼ିଲି-। ଘରପୋଡ଼ିରୁ ଯାଇ ମିଳିଲା ତାଇ । ମୋର ଓ ଅନୁପମର ସୁଟ୍‌କେଶରେ ନାଁ ଲେଖାଥିବାରୁ ମିଳିଯାଇଚି । ଚାବି ଭଙ୍ଗା, ଟଙ୍କା ନାହିଁ । କାଗଜପତ୍ର ନିଶ୍ଚୟ ଥିବ । ଅନୁପମ ନିଜର ବୋଲି ଅସ୍ଵୀକାର କରିଥିବା ସୁଟ୍‌କେଶଟି ମୋ ନାଁରେ ଆସୁଚି । ମୁଁ ତାହାକୁ ନିଜର ବୋଲି ଦରଖାସ୍ତ କରି ନିଶ୍ଚୟ ଭୁଲ୍‌ କରିଛି । ଭାବିଲି ପୋଲିସ୍‌କୁ ଫେରାଇଦେବି, ଯଦି ଅନୁପମର ସନ୍ଧାନ ନପାଏ-

 

କିଛିଦିନ ପରେ ପାର୍ସଲ୍‌ରେ ମୋର ଓ ଡ: ଅନୁପମ ଦାସର ବାକ୍‍ସ ଦୁଇଟି ଆସିଲା ମୋ ଠିକଣାରେ (ଟ୍ରେନ୍‌ ଦୁର୍ଘଟଣା ସଙ୍ଗେ ସଙ୍ଗେ ପାଖଆଖର ଚୋରମାନଙ୍କୁ ମଧ୍ୟ ସୁଯୋଗ ମିଳିଯାଇଥିଲା । ଏକା ଆମ ଦୁଇଜଣଙ୍କର ନୁହେଁ, ବହୁ ବ୍ୟକ୍ତିଙ୍କର ଜିନିଷପତ୍ର ଚୋରିହୋଇ ଯାଇଥିଲା) ।

 

ମୋ ବାକ୍‌ସରେ କେତେକ କାଗଜପତ୍ର ବ୍ୟତୀତ ଆଉ ସତରେ କିଛି ନଥାଏ । ଅନୁପମ ବାକ୍‌ସର ବି ସେଇ ଦଶା; କିନ୍ତୁ ଅନୁପମର ବାକ୍‌ସ ଭିତରେ ଗୋଟିଏ ପ୍ରଧାନ ଜିନିଷ ରହିଥିଲା, ତାହା ହେଉଛି ଅନୁପମର ଡାଇରି । ତାହା ପାଇ ମୁଁ ଆନନ୍ଦରେ ଏକରକମ ନାଚିଉଠିଲି-। ଡାଇରିଟି ଜୋନାକୀ ସାମ୍ନାରୁ ଲୁଚେଇ ରଖିଲି । ଜୋନାକୀ ଘରକାମରେ ବ୍ୟସ୍ତ ଥିଲାବେଳେ ମୁଁ ତାହା ପଢ଼େ ।

 

ଏଠି ମୁଁ ସେ ଡାଇରିର ଅବିକଳ ଅନୁକୃତି ଦେଉନାହିଁ–ତାର କଥାଗୁଡ଼ାକ ମୁଁ କହିଦେଉଛି । ଅନୁପମ ବିଷୟରେ ଯଦି ତାର ବନ୍ଧୁଙ୍କ ଭିତରୁ ଆଉ କିଏ କିଛି ବେଶି ଜାଣନ୍ତି, ଲେଖିଲେ ତାର ଜୀବନୀ ପୂର୍ଣ୍ଣାଙ୍ଗ ଭାବେ ସଂକଳିତ ହୋଇପାରିବ ।

 

ଆଗେ ଶୁଣନ୍ତୁ....ଅନୁପମ ମେଡ଼ିକାଲ୍‌ କଲେଜରେ ପଢ଼ିବାବେଳେ ଡାଏରି–ଲେଖା ଆରମ୍ଭ କରିଥିଲା । ଏଣୁ ତାର ଶୈଶବ ଓ କୈଶୋର ସମ୍ପର୍କରେ ମୁଁ ବେଶି କିଛି ଜାଣିବାର ସୁବିଧା ପାଇନାହିଁ । ଡାଇରିରୁ କେବଳ ତାର ଶୈଶବ ଓ ବାଲ୍ୟକାଳର କେତୋଟି ମାତ୍ର ସୂଚନା ମିଳୁଛି–ତାହା ମଧ୍ୟ ଅସଂପୂର୍ଣ୍ଣ । ଲିଭିଗଲା ପଦଚିହ୍ନ ପରି ତାର ସ୍ମୃତିରେ ଯେଉଁ କେତେଟା ଘଟଣା ମେଘୁଆ ଆକାଶର ତାରା ପରି ଜକ୍‌ଜକ୍‌ କରୁଥିଲା, ସେସବୁକୁ ସେ ଯୌବନରେ ଆଲୋଚନା କରିଛି, ଘଟଣା ପ୍ରସଙ୍ଗରେ ଓ ଦୁଃଖପୂର୍ଣ୍ଣ ଜ୍ଵାଳାମୟ ମୁହୂର୍ତ୍ତରେ । ଜୀବନର କଣ୍ଟାବାଟରେ ଚାଲୁଚାଲୁ ସେ ଯେତେବେଳେ କ୍ଷତ-ବିକ୍ଷତ ହୋଇଯାଏ, ସେତେବେଳେ ତାର ମନେପଡ଼େ ବାପ-ମା, ଗାଁ-ବିଲ ଏବଂ ତାର ଅଭିଶପ୍ତ ଜୀବନ କଥା ।

 

ଅନୁପମର ବାପାଙ୍କ ନାମ ମାଗୁଣି ଦାସ, ମାତା ଭାମା ଦେଈ । ସେମାନେ ଧର୍ମରେ ହିନ୍ଦୁ, ଜାତିରେ କମାର । ଅନୁପମ ବାପାଙ୍କର ପ୍ରଧାନ ଜୀବିକା ଥିଲା ଚାଷ । ପରେ ସେ ଚାଉଳ, ଅଟା ଓ ତେଲର ଦୋକାନ କରିଥିଲେ । ଜମିବାଡ଼ି ଚଳିବା ମୁତାବକ ଥିଲା ଓ ସେଥିରୁ ବେଶ୍‌ ଦି-ପଇସା ଆୟ ହେଉଥିଲା ମଧ୍ୟ ।

 

ମାଗୁଣି ଦାସଙ୍କର ଏଇ ଏକମାତ୍ର ସନ୍ତାନ ଅନୁପମ । ଆଉ ପୁଅ କି ଝିଅ କିଛି ନାହିଁ ।

 

ଆପଣମାନେ ବର୍ତ୍ତମାନ ସନ୍ଦେହରେ ପଡ଼ିଥିବେ, ଏମିତି ଏକ ମଫସଲି ଚଷାଭୂଷା ଘରର ଲୋକ ‘ଅନୁପମ’ ପରି ସୁନ୍ଦର ସାହିତ୍ୟିକ ନାମଟିଏ କେମିତି ରଖିଲେ । ମୋ ମନରେ ବି ଏପ୍ରକାର ସନ୍ଦେହ ଉଠିଥିଲା । ଡାଇରିରୁ ଜାଣିଲି–ମାଗୁଣି ଦାସ ତାଙ୍କ ପୁଅର ନାଁ ବୁଲା ରଖିଥିଲେ-। ‘ବୁଲା’ର ଗ୍ରାମ-ଶିକ୍ଷକ ବୁଲାର ରୂପ ଓ ଗୁଣକୁ ଉପହାସ ଓ ବିଦ୍ରୂପ କରି ଏମିତି ଏକ ନାମ (ଅନୁପମ) ସ୍କୁଲ ରେଜିଷ୍ଟାରରେ ଲେଖିଦେଇଥିଲେ । ସେ ମଝିରେ ମଝିରେ ତାତ୍ସଲ୍ୟ କରି ଅନୁପମକୁ କହୁଥିଲେ–‘ସତରେ ତୁ ଅନୁପମ । କାହାରି ସାଙ୍ଗରେ ମିଶିବୁ ନାହିଁ ।’ ସେଇଦିନଠୁଁ ଅନୁପମ ନାମରେ ସେ ପରିଚିତ । ଗାଁରେ ତାକୁ କିନ୍ତୁ ସମସ୍ତେ ଡାକନ୍ତି ବୁଲା । ଏବେ ବି... ଅନୁପମର ଗ୍ରାମ-ଶିକ୍ଷକ ତା’ ମୁହଁକୁ କେବେହେଲେ ସ୍ନେହୀ ଆଖିରେ ଚାହିଁ ନାହାନ୍ତି, ହସହସ ଓଠରେ କଥା କହି ନାହାନ୍ତି । ଭଲକଥା ପଦେ ମଧ୍ୟ ଅନୁପମ ତାଙ୍କ ମୁହଁରୁ ଶୁଣିବାକୁ ପାଇନଥିଲା-। ଅନୁପମକୁ ସେ ବହୁ ସମୟରେ ବିନା ବିଚାରରେ ଦଣ୍ଡ ମଧ୍ୟ ଦେଉଥିଲେ । ଗୋଟିଏ ଘଟଣା ଅନୁପମର ଅଧିକାଂଶ ଦିନ ମନେ ପଡ଼ୁଥିଲା । ସେତେବେଳେ ସେ ଆଠ କିମ୍ବା ନଅ ବର୍ଷର ହେଲାଣି । ତାରି ସାଙ୍ଗରେ ତାଙ୍କ ଗାଁର ନାରଣ ମିଶ୍ରଙ୍କ ପୁଅ ମନୁଆ ପଢ଼ୁଥିଲା । ମନୁଆର ପଢ଼ିବାକୁ ମୋଟେ ମନ ନଥାଏ । ସେ ପ୍ରତିଦିନ ଡେରିରେ ସ୍କୁଲକୁ ଆସେ ଓ ସ୍କୁଲରୁ ଲୁଚି ଆମ୍ବତୋଟାକୁ ପଳେଇଯାଏ; ସେଥିପାଇଁ କେତେଥର ମାଡ଼ ମଧ୍ୟ ଖାଇଛି । ସେଥର ଅନୁପମର କ୍ଲାସରେ ସମସ୍ତେ ନୂଆ ‘ପାଠ ସୋପାନ’ କିଣିଥାନ୍ତି । ଅନୁପମର ବହିଟି ମଧ୍ୟ ନୂଆ ଥାଏ-। ମାଷ୍ଟ୍ରେ ନଥାନ୍ତି । ଅନୁପମ ବସି ନିଜେ ନିଜେ ପଢ଼ୁଥାଏ । ମନୁଆ ତେଣୁ ଦଉଡ଼ିଆସି ଅନୁପମର ବହି ଉପରେ କାଳି ଦୁଆତଟା ଢାଳିଦେଲା । ଅନ୍ୟ ପିଲାମାନେ ସବୁ ‘ହୋ ହୋ’ କରି ହସି ଉଠିଲେ-। ମନୁଆ ଯାଇ ନିଜ ଆସନରେ ବସିପଡ଼ିଲା । ଅନୁପମ କହିଲା, ‘‘ତୁ କାହିଁକି ମୋ ବହି ଉପରେ କାଳି ଢାଳିଦେଲୁ, ସାର୍‌ ଆସନ୍ତୁ କହିଦେବି ।’’

 

ମନୁଆ କହିଲା–‘‘କହି ଦଉନୁ । ତୋତେ ଡରିଚି ନା ତୋ ସାର୍‌କୁ ଡରିଚି ବେ । ତୁ ଯଦି କହିଦବୁ, ମୁଁ ବି କହିଦେବି ତୁ ମୋ ବହି ଚିରିଦେଲୁ ବୋଲି ।’’

 

ଅନୁପମ କହିଲା–‘‘ମିଛୁଆ, ମୁଁ ତୋ’ ବହି କେତେବେଳେ ଚିରିଲି । ହେଇ ପରା ତୋ ନୂଆ ବହିଟା ସେଇମିତି ଅଛି ପାଖରେ ।’’

 

ଏହା ଶୁଣି ମନୁଆ ସାଙ୍ଗେ ସାଙ୍ଗେ ନିଜ ହାତରେ ଆପଣା ବହିଟାକୁ ଚିରିପକାଇ କାନ୍ଦିବାକୁ ଲାଗିଲା–‘‘ରହ, ମୁଁ ସାର୍‌ଙ୍କ ପାଖରେ କହିଦେଉଚି, ମୋ ବହି ତୁ ଚିରିଦେଲୁ ଆଗେ ।’’

 

ମାଷ୍ଟ୍ରେ ଆସିଲେ । ଦୁଇଜଣ ଯାକ ଫେରାଦ୍‌ ହେଲେ । ପିଲାଏ କେହି ସାକ୍ଷୀ ଦେଲେ ନାହିଁ । ଅନୁପମର କଥା ସାର୍‌ ନଶୁଣି ତାକୁ ଜୋର୍‌ରେ ମାଡ଼ ଦେଲେ । ଖାଲି ସେତିକି ନୁହେଁ, ନାରଣ ମିଶ୍ର ଆସି ପଟେ କଜିଆ କରି ମାଗୁଣି ଦାସକୁ ମାରେ କି ନମାରେ । ଅନୁପମକୁ ମନୁଆ ପାଇଁ ନୂଆ ବହିଟାଏ ବି ଦେବାକୁ ପଡ଼ିଲା । ଗ୍ରାମ-ଶିକ୍ଷକଙ୍କର କଥାଗୁଡ଼ାକ ବହୁଦିନ ପର୍ଯ୍ୟନ୍ତ ଅନୁପମର ମନେଥିଲା–‘ମରିଯାଉନୁ ତୁଟା । ପାଠ ପଢ଼ିବାକୁ ଆସିଚୁ ! ହୁଁ, ତୁମ ଚୌଦପୁରୁଷରେ କେହି ପଢ଼ିଥିଲେ ନା ? କାଳିଆ ଭୂତ.... ଚାହୁଁଚି କିମିତି ଗିଳାଭାଲୁ ? ଯାଃ ବେ, ହଳ କରିବୁ ।

 

ଗାଁର କୌଣସି ପିଲା ଅନୁପମ ସହିତ ମିଶୁନଥିଲେ । ଅନୁପମ ଅଛବ ପିଲାଙ୍କଠୁଁ ଆହୁରି ଅଛୁଆଁ ଭାବରେ ଚଳୁଥିଲା । ବରଂ ତାକୁ ଦେଖେଇ ପିଲାଏ କହୁଥିଲେ–କାଳିଆଟେ, ଅସୁନ୍ଦରଟେ, ଛୁଁ ନା, ମୋ ଦିହରେ କଳା ଲାଗିଯିବ ।

 

ଅନୁପମ ମନଦେଇ ପଢ଼ୁଥିଲା । ଗାଁ ସ୍କୁଲର ପାଠ ଶେଷକରି ସେ ନିକଟତମ ହାଇସ୍କୁଲକୁ ପଢ଼ିବାକୁ ଗଲା । ସେଠି ତାକୁ ଗଣିତ ମାଷ୍ଟ୍ରଙ୍କ ବ୍ୟତୀତ ଆଉ କେହି ଭଲପାଉ ନଥିଲେ । ସବୁଠୁଁ ବେଶି ତାକୁ ଘୃଣା କରୁଥିଲେ–ସେଇ ଶିକ୍ଷକ, ଯିଏ ଇତିହାସ ପଢ଼ାଉଥିଲେ, ତାଙ୍କ ନାଁ ରାଧାକାନ୍ତ । ଅନୁପମ ଲେଖିଚି, ଥରେ ସେ ତାଙ୍କୁ କ୍ଲାସ୍‌ରେ ତ ପଚାରି ଥିଲା–‘ସାର୍‌, ବୁଦ୍ଧଦେବ ତ ତପସ୍ୟା କରୁଥିଲେ । ତପସ୍ୟା କରୁ କରୁ ତାଙ୍କର ତ ନିଶ୍ଚୟ ଦାଢ଼ି ଲମ୍ବି ଯିବାର କଥା । କିନ୍ତୁ ଏ ବହିର ଛବିରେ ତାହା ଦିଆହୋଇନି କାହିଁକି ?’

 

ଶିକ୍ଷକ କିଛି ଉତ୍ତର ଦେଇ ପାରିଲେ ନାହିଁ ।

 

ଅନୁପମ କହିଥିଲା–‘ସାର୍‌, ବୋଧହୁଏ ତାଙ୍କର ମୋଟେ ଦାଢ଼ି ଉଠିନଥିଲ–ଯେମିତି ଆମ ଗାଁର ଗୋଟିଏ ଲୋକର ବୟସ ପ୍ରାୟ ପଚାଶ ହେଲାଣି, ତା ମୁହଁରେ ଟିକିଏ ବି ଦାଢ଼ି ଉଠିନାହିଁ ।’

 

ଅନୁପମର କଥା ଶୁଣି ଅନ୍ୟାନ୍ୟ ପିଲାମାନେ କୁର୍‌କୁର୍‌ କରି ହସିଲେ ଡେସ୍କ୍‌ତଳେ ମୁହଁ ଲୁଚେଇ । ଝିଅ ପିଲାଏ ମୁହଁରେ ରୁମାଲ୍‌, କିଏ ବା ଶାଢ଼ିକାନି ଦେଇ । କିଏ କେତେ ଭିତରେ ଭିତରେ ଠାରଠୁର୍‌ ହେଲେ । କଥାଟା କଣ କି–ଶିକ୍ଷକ ମହାଶୟଙ୍କର ମଧ୍ୟ ମୁହଁରେ ଦାଢ଼ିସଂଖ୍ୟା ଟିକେ କମ୍‌ଥିଲା; ମାନେ ନଥିଲା କହିଲେ ଚଳେ ।

 

ଶିକ୍ଷକ ମହାଶୟ ନିଜର ଅଜାଣତରେ ଥରେ କେତେବେଳେ ଆପଣା ମୁହଁରେ ହାତମାରି ଦେଇଛନ୍ତି । ଦୁଇତିନିଟା ପଛ ବେଞ୍ଚୁଆ ପିଲା ଡେସ୍କ୍‌ ଭିତରେ ମୁହଁ ଲୁଚେଇ ଠୋ ଠୋ କରି ହସିଦେଲେ । ପୁଣି ତା’ ଭିତରେ କିଏ ଥିଲା, ଚପଲ ଘସର ଘସର କରିଦେଲା ତଳେ । କିଏ ବା ଲୁଚି ଲୁଚି ଡେସ୍କ୍‌ରେ, ହାଉଳି ଭିତରେ, ଦୁଇଚାରି ବିଧା ବାଜା ବାଡ଼େଇ ଦେଲା । ଶିକ୍ଷକ ମହାଶୟଙ୍କ ଆଖି ଲାଲ୍‌ ହୋଇଗଲା । ସେ ପାଟିକରି ଉଠି ଅନୁପମକୁ ପଟାସ୍‌ କରି ଚାପୁଡ଼ାଟାଏ ଦେଲେ । କହିଲେ–‘ହଇରେ, ତୁ କି ଘର ପିଲା ? ଅଭଦ୍ର, ଭଦ୍ରାମି ଶିଖିନୁ ! ଶିକ୍ଷକଙ୍କୁ କି ଧରଣର ପ୍ରଶ୍ନ ପଚରାଯାଏ ଜାଣିନୁ ?

 

ଅନୁପମ ତଥାପି କହିଲା–‘ସାର୍‌, ବହିରେ ଚିତ୍ର ଦିଆଯାଇଛି । ମୁଁ ବୁଝିପାରିଲି ନାହିଁ । ଆପଣଙ୍କୁ ପଚାରିବା କ’ଣ ଦୋଷ ?

 

ଆଉ ଗୋଟିଏ ଚାପୁଡ଼ା–‘ପୁଣି ? ଏଁ ! ଗୌତମ ବୁଦ୍ଧଙ୍କର ଦାଢ଼ି ଥିଲା କି ନଥିଲା ତୋର ଜାଣିବା କ’ଣ ଦରକାର ?

 

ତା’ପରେ ଅନୁପମକୁ ଆଣ୍ଠେଇବାକୁ ପଡ଼ିଥିଲା । ସେଇଦିନରୁ ଶ୍ରୀ ରାଧାକାନ୍ତ ତାକୁ ଜମା ଦେଖିପାରୁ ନ ଥିଲେ । ସେ ତିନିଥରରେ ବି.ଏ. ପାସ୍‌କରି ଆରମ୍ଭ କରିଥିଲେ ଶିକ୍ଷକତା । ଗୋଟାଏ ନହକା ଶୁଖିଲା ଡାଳ ପରି ଦେଖିବାକୁ । ବାହାହେଇନଥିଲେ । ଗୋଟିଏ ଆଖି ଟେରା ଥିଲା । ଅନୁପମ ଛଡ଼ା ପ୍ରାୟ ଅଧିକାଂଶ ପିଲା ତାଙ୍କୁ ବାଟରେ ଘାଟରେ ଦେଖି ବୁଝି ଥଟ୍ଟା କରୁଥିଲେ । ବେଳେବେଳେ କଳାପଟା ଉପରେ ଗୋଟିଏ ଟେରାଆଖିଆ ଅଦ୍ଭୁତ ମଣିଷର ଚିତ୍ର କରିଦେଉଥିଲେ ସେ ଆସିବା ପୂର୍ବରୁ ।

 

ଅନୁପମକୁ ହାଇସ୍କୁଲରେ ପଢ଼ିଲାବେଳେ ପ୍ରତିଦିନ ଚାରି ଚାରି ମାଇଲ କରି ଯାଉଣୁ-ଆସୁଣୁ ଚାଲିବାକୁ ପଡ଼ୁଥିଲା ଆଠ ମାଇଲ । ଉପାୟ ବି ନଥିଲା । ତା’ଠୁ ପାଖରେ ଆଉ କେଉଁଠି ହାଇସ୍କୁଲ ନଥିଲା ।

 

ଅନୁପମ ଦଶମ ଶ୍ରେଣୀରେ ପଢ଼ିବାବେଳେ ତାଙ୍କ ସ୍କୁଲର ବାର୍ଷିକ ଉତ୍ସବରେ ଅଭିନୟ କରିଥିଲା । ତାଙ୍କର ଇଂରେଜୀ ଶିକ୍ଷକ ଗୋଟିଏ ଏକାଙ୍କିକା ଇଂରେଜୀରେ ଲେଖିଥିଲେ । ତାର ନାମ ଥିଲା ବ୍ରୋଟିଅସ୍‌(Broteas); ମାତ୍ର ଦୁଇଟି ଦୃଶ୍ୟ । ଗୋଟିକରେ ଟାଂଟାଲୁସ୍‌ର ପୁତ୍ର ବ୍ରୋଟିଅସ୍‌ ଦେବମାତାଙ୍କର ମୂର୍ତ୍ତି ଖୋଦନ କରୁଥାଏ । ସେ ଅସୁନ୍ଦର ଥିଲା । ତାକୁ ସମସ୍ତେ ଘୃଣା କରୁଥିଲେ । ବ୍ରୋଟିଅସ୍‌ କିନ୍ତୁ ଜଣେ ଦକ୍ଷ ଶିକାରୀ ଥିଲା । ତାକୁ କେହି ଭଲ ପାଇଲେ ନାହିଁ । ରାଜା ତାକୁ ଅନ୍ୟାୟରେ ବିତାଡ଼ିତ କରିଦେଲେ; ଦେଶବାସୀ ତାକୁ ଗ୍ରହଣ କଲେ ନାହିଁ । ଦ୍ଵିତୀୟ ଦୃଶ୍ୟରେ ସେ ନିଜକୁ ଅସୁନ୍ଦର ବୋଲି, ଅଭିଶପ୍ତ ବୋଲି ଜାଣି ବ୍ୟର୍ଥତା, ଗ୍ଳାନି ଆଉ ଘୃଣାର ବାଣପ୍ରହାର ସହି ନ ପାରି ନିଆଁ ଭିତରକୁ ଡେଇଁ ଆତ୍ମହତ୍ୟା କଲା ।

 

ଅନୁପମ ବ୍ରୋଟିଅସ୍‌ ହୋଇଥିଲା । ସେଇ ଅଭିନୟ ପାଇଁ ତାକୁ ପୁରସ୍କାର ମଧ୍ୟ ମିଳିଥିଲା । ତାକୁ ସବୁଠୁଁ ବେଶି ପ୍ରଶଂସା କରିଥିଲେ ଗଣିତ ସାର୍‌ ଓ ଇଂରେଜୀ ସାର୍‌ । କିନ୍ତୁ ସେଇ ପ୍ରଶଂସା ବା କୁଶଳ–ଅଭିନୟ ତାର ରୂପ କିମ୍ବା ମୂଲ୍ୟକୁ ସମାଜରେ ଆଦୌ ପ୍ରତିଷ୍ଠା ଦେଇପାରିନଥିଲା ।

 

ଅନୁପମ ମାଟ୍ରିକ୍‌ ପାସ୍‌କରି ଆଇ. ଏସ୍‌ସି. ପଢ଼ିଲା । ତା’ପରେ ବାପା ତାକୁ ଡାକ୍ତରି ପଢ଼ାଇବାକୁ ଠିକ୍‌ କଲେ । ଅନୁପମ କେତେକ ପ୍ରତିବନ୍ଧକ ମଧ୍ୟଦେଇ କଟକ ମେଡିକାଲ୍‌ କଲେଜରେ ଭର୍ତ୍ତିହୋଇଛି । ପ୍ରଥମ ନିର୍ବାଚନରେ ସେ ସିଟ୍‌ ପାଇନଥିଲା, କାରଣ ସେ ଗାଁର ମାଗୁଣି ଦାସର ପୁଅ । କୌଣସି ଜଣେ ନିର୍ବାଚିତ ଛାତ୍ର ନପଢ଼ିବାରୁ ଦ୍ଵିତୀୟ ନିର୍ବାଚନରେ ଅନୁପମକୁ ନିଆଯାଇଛି ।

 

ଅନୁପମର ସବୁ ଦୁଃଖ ମୂଳରେ ଥିଲା ତା’ର ଅସ୍ଵାଭାବିକ ରୂପ ଓ ଏକ ବିଗଠ ଶରୀର-

 

ଅନୁପମ କବିଭାବର ଲୋକ, ଯଦିଓ କବିତା ଲେଖିନାହିଁ । ତାର ଡାଇରି ପଢ଼ୁପଢ଼ୁ ମୁଁ ମଧ୍ୟ ବେଳେବେଳେ ମୁଗ୍‌ଧ ହୋଇ ନିଜକୁ ଭୁଲିଯାଇଛି । ଦୁଃଖରେ ମୋ ଆଖିରୁ ଲୁହ ଗଡ଼ିପଡ଼ିଛି । ମନ ବିଦ୍ରୋହ କରିଉଠିଛି ।

 

ପିଲାଦିନରୁ ଅନୁପମର ଡାହାଣ ଗାଲରେ ଗୋଟିଏ ପୋଡ଼ା ଚିହ୍ନ ଅଛି । ଗାଲର ସେଇ ଅଂଶଟି ସିଝିଲା, ଲୋଚାକୋଚା ଓ ସାମାନ୍ୟ ଲୋହିତିଆ । ଦାଗଟା ଠିକ୍‌ କଲିତଳକୁ, କାନମୂଳରୁ ଆରମ୍ଭ ହୋଇ ତଳପାଟି ଯାଏ ବ୍ୟାପିଛି–ଉପରେ ଗୋଜିଆ, ତଳେ ଗୋଜିଆ; ମଝିଟା ଚକଡ଼ା, ଆଧୁନିକ ଓଡ଼ିଶାର ମାନଚିତ୍ର ପରି ଦିଶେ । ସେଇ ଜାଗାଟା ଭାରି ପାଲିସ୍‌; ସେଠି ଦାଢ଼ି ଉଠେ ନାହିଁ । ଅନୁପମର ମା’ ଭାମା ଦେଈ ମଝିରେ ମଝିରେ ଅନୁପମ ଗାଲର ସେଇ ପୋଡ଼ା ଜାଗାଟାରେ ହାତ ସାଉଁଳେଇ ଦୁଃଖ କରନ୍ତି, କେତେବେଳେ ବି ଦୁଇଠୋପା ଲୁହ ତାଙ୍କ ଆଖି ଭିତରେ ଢଳଢଳ ହୋଇଯାଏ ସାରୁପତ୍ର ଉପରେ ବିନ୍ଦୁଏ ବର୍ଷାପାଣି ପରିକା । କେତେବେଳେ ବା ସେ ଅତୀତର କୌଣସି ଦୁର୍ଘଟଣାକୁ ସ୍ମରଣ କରି ଶିହରି ଉଠନ୍ତି, ଆଉ ମନକୁମନ କୁହନ୍ତି–‘‘ଧିକ ମୋର ମାଆପଣକୁ । ଅନ୍ତୁଡ଼ିଶାଳରେ ପୁଣି କାହାକୁ ଏମିତି ନିଦ ହୁଏ !’’

 

ଅନୁପମ ଜନ୍ମ ହେବାର ସାତଦିନ ପରେ ସେଇ ଦୁର୍ଘଟଣା ଘଟିଥିଲା ।

 

ସେତେବେଳକୁ ଅନ୍ତୁଡ଼ିଶାଳର ନିଆଁ ଲିଭି ନ ଥାଏ । ବିବାହର ଦୀର୍ଘ ପାଞ୍ଚବର୍ଷ ପରେ ଭାମା ଦେଈଙ୍କର ସେଇ ପ୍ରଥମ ପ୍ରସୂତିରୂପ, ପୁଣି ପୁଅ । ଏଣୁ ଯେତେ ଯତ୍ନ ଗାଉଁଲି ପରିବେଶରେ ସମ୍ଭବ ତାହା ସେ କରିଥିଲେ । ସେଇ ଅଷ୍ଟମ ରାତ୍ରି । ଶୀତଦିନର ମାଘମାସ I ସନ୍ତସନ୍ତିଆ ମାଟିଘର–ହାଡ଼ଫଟା ଶୀତୁଆ ପବନ କବାଟ ଫାଙ୍କ ଦେଇ ବି ଆସୁଥାଏ । ଏଣୁ ଅନ୍ତୁଡିର ରଡ଼ ନିଆଁଟାକୁ ଦାଉଦାଉ ଜଲେଇ ଦେଇଥିଲେ ଭାମା ଦେଈ । ତାଙ୍କୁ ନିଦ ଲାଗିଯାଇଥିଲା । ନିଦାବାଉଳାରେ ତାଙ୍କର ହାତ ପାଖରେ ପଡ଼ିଥିବା କବଟା ଖଣ୍ଡେ ନିଆଁ ପାଖରୁ ସମ୍ଭବତଃ ହାତ ବାଜି ଠେଲିହୋଇଗଲା । ଧୀରେ ଧୀରେ ସେଇ କବଟାରେ ନଆଁ ଚରିଲା ଅନୁପମର ଶେଯକୁ ।

 

ଛୁଆର କାନ୍ଦଣାରେ ଭାମା ଦେଈଙ୍କ ନିଦ ଭାଙ୍ଗିଲାବେଳକୁ ନେଡିଗୁଡ଼ କହୁଣୀକି ବହିସାରିଥାଏ ।

 

ପିଲାଟା ବଞ୍ଚିନଥାନ୍ତା ।

 

ଭାମା ଦେଈ ମା’ ନୁହନ୍ତି, ଏକ ରାକ୍ଷସୀ । ସେ ଅନୁତାପ କରୁଥିଲେ ।

 

ସେଇ ପୋଡ଼ା ଦାଗଟା ଯୋଗୁଁ ଅନୁପମର ଭବିଷ୍ୟତଟା ମଧ୍ୟ ଜଳିପୋଡ଼ି ଛାରଖାର ହୋଇଯାଇଚି ।

 

ଅନୁପମ ତାଳଗଛ ପରି ଡେଙ୍ଗା, ଅନ୍ଧାର ପରି କଳା, ଦେବଦାରୁ ପତ୍ର ପରି କୁଞ୍ଚକୁଞ୍ଚ ହେଇ ଝଙ୍କା ବରଗଛ ପରି ମୁଣ୍ଡରେ ବେତାଏ ବାଳ, କାଚ ପେପରୱେଟ ପରି ଡିମାଡ଼ିମା ଆଖି, ଗୋଟିଏ ମଧ୍ୟଯୁଗୀୟ ସର୍ଦ୍ଦାରର ନାକ ପରି ଏକ ପୃଥୁଳ ଅଥଚ ଚେପ୍‌ଟା ନାକ । କଳା ମୋଟର-ଟ୍ୟୁବ୍‌ପରି ମୋଟା ଓଠ ।

 

ମୁଁ ଯେଉଁ ଦିନ କଥା କହୁଚି–ସେଦିନ ସକାଳେ ଅନୁପମ ଭଲ କରି ଦାଢ଼ି କାଟିଲା ଗୋଟିଏ ନୂଆ ଚିକ୍‌କଣ ବ୍ଲେଡ଼ରେ । ସେ ସେତେବେଳେ ମେଡ଼ିକାଲ କଲେଜର ଶେଷ ବର୍ଷର ଛାତ୍ର । ହଷ୍ଟେଲରେ ତାକୁ ଏକ ସ୍ଵତନ୍ତ୍ର ବଖରା ମିଳିଥାଏ । ଇସ୍ତ୍ରୀକରା ଧଳା ପ୍ୟାଣ୍ଟ୍‌ଟାଏ ଓ ଫିନ୍‌ଫିନ୍‌ ବୁସ୍‍ସାର୍ଟ ପିନ୍ଧି ଅନୁପମ ଠିଆହେଲା ଆରସି ସାମ୍ନାରେ । ଗାଲର ପୋଡ଼ା ଦାଗଟା ଉପରେ ସ୍ନୋ ମାରିଲା, ପାଉଡ଼ର ମାରିଲା; ତଥାପି ତାହା ଲୁଚିଲା ନାହିଁ, ଫୁଟି ଦିଶିଲା । ଏଇ ପାଉଡ଼ର ମାରିବା ତାର ଏକ ନିତିଦିନିଆ ଅଭ୍ୟାସରେ ପରିଣତ ହୋଇଥିଲା । କିନ୍ତୁ ସବୁ ନିଷ୍ଫଳ । ତଥାପି ତାର ଚେଷ୍ଟାର ଅନ୍ତ ନଥିଲା । ସେଦିନ ସକାଳେ ତାକୁ ଲାଗିଲା ଯେମିତିକି ତାର ସାଧନା କିଛି ଅଂଶରେ ସଫଳ ହୋଇଛି ଓ ସେ କିଛି ପରିମାଣରେ ସୁନ୍ଦର ଦେଖାଯାଉଛି । ଏଇଆ ଭାବୁଭାବୁ ଆରସି ସାମ୍ନାରେ ସେ କେତେବେଳେ ତା’ର ଦାନ୍ତ ନେପେଡ଼ି ହସିଦେଇଚି ତାକୁ ଜଣାନାଇଁ । କିନ୍ତୁ ଯେତେବେଳେ ତାର ଦାନ୍ତଗୁଡ଼ାକ ଓ ଦାନ୍ତମୂଳର ଲାଲଚରଚର ରିଢ଼ାଧାରଟା ଆରସିରେ ଉଜଳିଉଠିଲା, ସେ ପ୍ରାୟ ଏକରକମ ଚମକିପଡ଼ିଲା–ମୁଁ କେଡ଼େ ଭୟଙ୍କର ସତେ ! ତା’ର ଉତୁରି ଉଠୁଥିବା ମନଟା ଦବିଗଲା ଛାତି ତଳକୁ । ସେ ଆରସିର ମୁହଁ ଉପରେ ତଉଲିଆଟା ଢାଙ୍କିଦେଇ ଚେୟାର ଉପରେ ବସିପଡ଼ିଲା ଟେବୁଲ୍‌ ଦାଢ଼ରେ ମୁଣ୍ଡ ପୋତି ।

 

ସେଇଠି ବସୁ ବସୁ ସେ ଅନୁଭବ କଲା–ତାର ମୁଣ୍ଡର ବାଳଗୁଡ଼ାକ ଉପରେ କିଏ ଯେମିତି ଆଙ୍ଗୁଳିଚାଳନା କରୁଚି, ପରସ୍ତ ପରସ୍ତ ଓଲଟେଇ ଉକୁଣି ଦେଖିଲା ଭଳି । ‘କିଏ ?’ ଅନୁପମ ଭାବନା ବୁଲେଇ ଚାହିଁଲା । କାହିଁ, କେହି ତ ନାହାନ୍ତି ! ଆଉ ଟିକକ ପରେ–ପୁଣି ସେ ଅନୁଭବ କଲା, ଯେମିତି ତାର ପିଠିର ଖୁଆମୂଳି ଉପରେ କେହି ହାତ ଥାପୁଡ଼ଉଛି । ‘କିଏ ?’ ...କାହିଁ, କେହି ତ ନାହିଁ ! ତାର ବାପାର ଚିଠିଟି ପଡ଼ିଛି ଟେବୁଲ ଉପରେ । ନୂଆ ଲେଖି ଶିଖୁଥିବା ପିଲାର ଅକ୍ଷର ପରି ବଡ଼ବଡ଼ ଆବୁରୁ-ଜାବୁରୁ ଲେଖା, କଳା କାଳିରେ ଅଙ୍କା ଲାଉ, କଖାରୁ ଓ ତରଭୁଜ ପରି ଅସମ ବିଷମ, କମା ପୂର୍ଣ୍ଣଚ୍ଛେଦ ନଥିବା ଅଣନିଃଶ୍ଵାସୀ ଧପାଲି କିମ୍ବା ଦଉଡ଼ ପରି ଚିଠିଟା । ହେଇ, ପଡ଼ିଛି ଚିତ୍‌ହେଇ । ଅନୁପମ ବୁଝିଲା ସେଇ ଚିଠିର ବିକୃତ ଅକ୍ଷରଗୁଡ଼ାକ ତାକୁ ଥାପୁଡଉଛନ୍ତି, ସେଗୁଡ଼ାକ ତାରି ବାପା ଭଳି ଭୁଷୁଣ୍ଡା ଆଉ ତେର୍ଚ୍ଛା-ମେର୍ଚ୍ଛା, ବିବାକ ବେହୁସିଆର ।

 

ଆସ୍ତେ ଆସ୍ତେ ସେଇ କଳା ଠୋଲକା ଅକ୍ଷରଗୁଡ଼ାକ ଯୋଡ଼ିହୋଇଗଲେ । ସତେ ଏଇ ତ, ଏଇ ତ ତାର ବାପା–ନିଶୁଆ କାଳିଆ ଭୁଣ୍ଡା ମାଗୁଣି ଦାସ, ଚିଠିଟା ଉପରେ ଖାଲି ଦେହରେ ଠିଆହେଇଚି । ତା’ର ବାପା । ଟିକିଏ ଆଗରୁ ସେଇ ତା’ହେଲେ ପିଠି ଥାପୁଡଉଥିଲା !

 

ଅନୁପମର ମନେଅଛି–ସେ ଥରେ ବାପାର ଚେହେରା ଦେଖି ଡରିଯାଇଥିଲା ସେତେବେଳେ ତା’ର ବୟସ ଛ’ । ଅନୁପମର ଗାଁ ଗୋବିନ୍ଦପୁରର ଅଧିବାସୀମାନେ ମିଶି ଏକ ଯାତ୍ରାଦଳ ଗଢ଼ିଥିଲେ । ଗ୍ରାମର ନାଁ ଅନୁସାରେ ଏଇ ଦଳର ନାଁ ରଖାଯାଇଥିଲା–‘ଗୋବିନ୍ଦପୁର ଯାତ୍ରାପାର୍ଟି’ । ମାଗୁଣି ଦାସେ ଏଇ ଦଳ ସହିତ ସଂପୃକ୍ତ ଥିଲେ । ଚାଷବାସ ଛଡ଼ା ଏଇ ଯାତ୍ରା ଥିଲା ମାଗୁଣି ଦାସଙ୍କର ପ୍ରଧାନ ସଉକି ଓ ଉପୁରି ଜୀବିକା । ଦାସେ ‘ଲକ୍ଷ୍ମଣ ଶକ୍ତିଭେଦ’ରେ ରାବଣ, ‘ଚଣ୍ଡୀଯୁଦ୍ଧ’ରେ ମହିଷାସୁର ଓ ‘ଭୁଜଦର୍ପୀ’ରେ ବାଣାସୁର ହେଉଥିଲେ । ଏପରିକି ‘ତାଡ଼କାସୁରୀ ବଧ’ରେ ସ୍ତ୍ରୀବେଶ ପିନ୍ଧି ‘ତାଡ଼କାସୁରୀ’ ହୋଇ ବାହାରୁଥିଲେ । ଲକ୍ଷ୍ମୀପୂଜା, ଦୁର୍ଗାପୂଜା ଓ କାଳୀପୂଜା ଇତ୍ୟାଦି ଉତ୍ସବ ସବୁରେ ସେ କଟକ, ସାଲେପୁର ଏପରି କି କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ମଧ୍ୟ ଯାତ୍ରାକରି ଯାଉଥିଲେ । ଗୋବିନ୍ଦପୁର ଯାତ୍ରା ପାର୍ଟିର ଭାରି ଡାକଥିଲା ସେତେବେଳେ । କଳା ଦିହରେ ଆହୁରି କଳାରଙ୍ଗ ଲିପି ହେଇ, ନିଶ ଦୁଇଟାକୁ ଛଣବିଡ଼ା ଭଳି କରି, ମୁହଁରେ ମିଛିମିଛିକା ବଡ଼ବଡ଼ ଦାନ୍ତ ଲଗେଇ ଓ ହାତରେ ଦୁଇହାତ ଲମ୍ବ ଏକ ତରୁଓ୍ୟାଲ୍‌ ଧରି ମାଗୁଣି ଦାସେ ଯେତେବେଳେ ନାଟ ମଣ୍ଡପ ଉପରକୁ କୁଦି ପଡ଼ୁଥିଲେ–ତାଙ୍କ ପାଦଶବ୍ଦରେ ଦର୍ଶକମାନଙ୍କର ଚିତ୍ତରେ ଶାଗୁଣା ଡେଣା ପିଟିଦେଉଥିଲା, ଛାତିରେ ଢୋ-ଢୋ ହୋଇ ଢୋଲ ବାଜିଯାଉଥିଲା । ସେଥର କାର୍ତ୍ତିକେଶ୍ଵର ପୂଜା । ସେଇ ଉପଲକ୍ଷେ ଗାଁରେ ଯାତ୍ରା ହେଉଥିଲା । ଅନୁପମ ମା’ ସାଙ୍ଗରେ ଯାଇଥିଲା ଦେଖିବାକୁ । ରାତି ସେତେବେଳେ କାହିଁରେ କଣ । ଡ୍ରମ୍‌, ସାଇଡ୍ରମ୍‌, ଢୋଲକ, ତବଲା, ବେଗୁଲ୍‌, ବଂଶୀ ଆଦି ବାଜୁଥାଏ–ଝୋଁ ଝୋଁ ହେଇ । ଅନୁପମ ନିଦରୁ ଉଠି ଆଖି ତରାଟି ଚାହିଁଥାଏ I ମାଗୁଣି ଦାସ ବେଶଘରୁ ହାତରେ ନିଆଁହୁଳା ଧରି ଭୈରବ ରଡ଼ି କରି ରାକ୍ଷସବେଶରେ ଗୋଟିଏ ନିରୀହ ପିଲା ଉପରକୁ କୁଦିପଡ଼ି ଯେତେବେଳେ ତାକୁ ଦୁଇ ହାତରେ ଆକାଶକୁ ଟେକିନେଲେ–ଅନୁପମର ଆଖି ବୁଜି ହୋଇଗଲା । ସେ ହାଉଳିଖାଇ ମା’ କୋଳରେ ମୁହଁ ଲୁଚେଇଦେଲା । ଭାମା ଦେଈ ଟିକିଏ ନ ଡରି କହିଲେ–‘ଆରେ ବାୟାଟା ଡରୁଚୁ କଣ ? ସେ ତୋ ବାପା ପରା ।’

 

ସେ ଯାତ୍ରାଦଳ ଅବଶ୍ୟ ଏବେ ଭାଙ୍ଗି ଗଲାଣି । ମାଗୁଣି ଦାସେ ଆଉ ସେ ଅଂଶରେ ଅଭିନୟ କରୁନାହାନ୍ତି ।

 

ଅନୁପମଠି ମାଗୁଣି ଦାସଙ୍କ କଳା ରହିଛି । ଅନୁପମର ମୁଣ୍ଡ ଭିତରେ ଚେମୁଣିଆଟାଏ ଚକ୍‌କର ଦେବାକୁ ଲାଗିଲା, କେଁ-କଟର କରି ତେଲଘଣା ପରି ଚକ୍ରାକାରରେ ଘୂରିଲା । ତାର ଶବ୍ଦରେ ସେ ଆଉ ଥିରହେଇ ବସିପାରିଲା ନାହିଁ । ରୁମ୍‌ ଭିତରେ ତାର ଯୋତାର ଆୱାଜ ମଣ୍ଡଳାକାରରେ ଘିର୍‌ଘିର୍‌ ହୋଇ ବୁଲିଲା ।

 

କିଛି କ୍ଷଣ ପରେ ସେ ଆରସିର ମୁହଁ ଉପରୁ ତଉଲିଆଟା କାଢ଼ି ପୁଣି ଚାହିଁଲା ନିଜକୁ । କଇଁକଇଁ ହୋଇ କାନ୍ଦି ଉଠିଲା ତାର ଛାତି ଭିତରର ପୁରୁଷଟି, ମା’–ବାପଛେଉଣ୍ଡ ନିଃସହାୟ ଶିଶୁ ପରି । ସେ ଦେଖିଲା–ସେ ବୁଡ଼ିଯାଉଚି ଗୋଟାଏ ପ୍ରକାଣ୍ଡ ଗୋବର ଗଡ଼ିଆ ଭିତରେ, ଆଉ ଉଠିପାରୁନାହିଁ । ତାର ମୁଣ୍ଡ ଦିଶୁ ନାହିଁ । କେହି ତାକୁ ଉଠାଉ ନାହିଁ । ତଳକୁ ତଳକୁ ସେ ଦବିଯାଉଛି । ଗଦାଗଦା ପାଛିଆ ପାଛିଆ ସିଉରା ସିଉରା ଗୋବର ପୁଣି ତାର ଉପରେ କିଏ ସବୁ ଗଦେଇଦେଇ ଯାଉଛନ୍ତି ।

 

ସେ ଆରସିର ମୁହଁ ଉପରେ ପୁଣି ବିଛେଇ ଦେଲା ତଉଲିଆଟା ।

 

ନା, ତାକୁ ବଞ୍ଚିବାକୁ ପଡ଼ିବ–ବଞ୍ଚିବାକୁ ପଡ଼ିବ ।

 

କିନ୍ତୁ କେମିତି ?

 

ସେ ଧସ୍‌କରି ବହିପତ୍ର ଧରି, ରୁମ୍‌ ବନ୍ଦକରି ଦ୍ରୁତଗତିରେ ଚାଲିଲା କଲେଜଆଡ଼େ; କିନ୍ତୁ ତାର ସେଇ ଅସ୍ଵାଭାବିକ ବେଗ ବେଶି ସମୟ ଯାଏଁ ରହିଲା ନାହିଁ । ଆପେ ଆପେ ତାରି ଗୋଡ଼ ଦି’ଟା ବନ୍ଦ ହୋଇଗଲା । ସୁଇଚ୍‌ ଅଫ୍‌ କରିଦେଲା ପରେ ପଙ୍ଖାର ପରଗୁଡ଼ାକ ଧୀରେ ଧୀରେ ଧିମେଇ ଧିମେଇ ରହିଲା ପରି ପୁଣି ତାର ମନ ଉପରେ ଗୁଡ଼େଇ ହେଇଗଲା । କଳା ଟାଆଁସା ପେନ୍‌ସିଲରେ ଅଙ୍କା ଗୋଟାଏ ଟୁମୁକାପେଟା ଅସୁରର ଛବି ଫୁଟି ଦିଶିଲା ।

 

ସେଦିନ ଅନୁପମ ଦେଖିଲା–ବାରଣ୍ଡାରେ ସେ ମୁଣ୍ଡରୁ ଆସୁଛନ୍ତି ତିନିଟା ପ୍ରଜାପତି । ସେମାନେ ଯେମିତି ତା’ରିଆଡ଼କୁ ମାଡ଼ି ଆସୁଛନ୍ତି କୌଣସି ଗୋଟାଏ ମାମୁଲି କଥାର ଖିଅକୁ ଏପଟ ସେପଟ କରି, ଗଣ୍ଠି ପକେଇ ଓ ଗଣ୍ଠି ଖୋଲି ଖୋଲି । ସେମାନେ ଫାଷ୍ଟ୍‌ଇୟର୍‌ର ଛାତ୍ରୀ । ଏଇ ବର୍ଷ ନୂଆ ଆସିଛନ୍ତି; କିନ୍ତୁ ଆସୁ ଆସୁ ସେମାନେ ପୁରୁଣା ହୋଇଗଲେଣି । ଫୁଟୁଫୁଟୁ ଚମକେଇଦେଲେଣି । ସୂର୍ଯ୍ୟ ଉଦୟ ହେଉହେଉ ଅନ୍ଧାର ପାଣିଫାଟିଯିବା ପରି ସେମାନେ କଲେଜରେ ପହଞ୍ଚୁ ପହଞ୍ଚୁ, ପୁରାତନ ଛାତ୍ରୀମାନଙ୍କର ସୁନାମ ଓ ମହକ ଛତ୍ରଭଙ୍ଗ ଦେଇଚି । ଅନୁପମ ସେମାନଙ୍କୁ ଜାଣିଥିଲା । ସେମାନେ ଯଥାକ୍ରମେ ବାମରୁ ଡାହାଣକୁ–କନକ ମିଶ୍ର, ଜୋନାକୀ ଓ ରୂପା । ତା’ ଭିତରୁ ଜୋନାକୀ ସହିତ ଅନୁପମ ଦି’ପଦ କଥା ହେବାର ସୁଯୋଗ ପାଇଥିଲା । ସେ ସୁଯୋଗ ଅବଶ୍ୟ ଅନୁପମ କିଛି ଖୋଜିବାକୁ ଯାଇନଥିଲା–ତାହା ଆପଣାଛାଏଁ ଆସିଥିଲା । ବାଘ ଭୟରେ ଦଉଡ଼ୁଥିବା ଠେକୁଆଟାଏ ଅଚାନକ ଧକ୍‌କା ଖାଇବା ପରି ଜୋନାକୀର ତା ସହିତ ଧକ୍‌କା ହୋଇଥିଲା, ଡାର୍କ୍‌ ରୁମ୍‌ର ପଛପଟେ । କିନ୍ତୁ କାହିଁକି ଯେ ସେଦିନ ଅଣନିଶ୍ଵାସୀ ହେଇ, ପଛକୁ ଚାହିଁ ଚାହିଁ ଜୋନାକୀ ଦଉଡ଼ୁଥିଲା–ଅନୁପମ ଜାଣିବାକୁ ଚେଷ୍ଟାକରି ମଧ୍ୟ ଜାଣିପାରି ନଥିଲା । ଧକ୍‌କା ଖାଇ ଜୋନାକୀ ହସିଦେଇଥିଲା ଟିକିଏ । ଅନୁପମର ହାତଟା ହୁ–ଦସ୍ତ ତାକୁ ଦୁଇ ସେକେଣ୍ଡ ଲାଗି କୁଣ୍ଢାଇ ପକାଇଥିଲା ଅତର୍ଚ୍ଛା । ଜୋନାକୀ ମୁକୁଳି ଚାଲି ଯାଉଁ ଯାଉଁ ଫେରି ଚାହୁଁଥିଲା ଅନୁପମକୁ । ଅନୁପମ ଠିଆହେଇ ମୁରୁକି ମୁରୁକି ହସୁଥିଲା । କିନ୍ତୁ ଜୋନାକୀ ଅଦୃଶ୍ୟ ହୋଇଯିବା ପରେ ଅନୁପମର ଛାତିଟା ବିନ୍ଧିଉଠିଲା । ସେ ଅନୁଭବ କଲା–ଜୋନାକୀ ତା’ ଦିହରେ କେଉଁଠି ଯେମିତି ମୁନିଆ ନାଉଡ଼ ମାରିଦେଉଛି । କିଛି କ୍ଷଣପରେ ଖୋଜି ପାଇଲା ଜାଗାଟା । ଏଡ଼ିକି ଟିକେ ଜାଗା ସତ, କିନ୍ତୁ, ତା’ ଦିହରୁ ବାମ୍ଫ ବାହାରୁଚି । ସେ ବିନ୍ଧିଲା ଜାଗାଟା ଉପରେ ଥଣ୍ଡା ନାଲି କାଳିର କଲମ ନେଇ ରଙ୍ଗ ବୋଳିଦେଲା । ଆଉ ବିନ୍ଧିଲା ନାହିଁ । ଗୋଟାଏ ଗାଁଉଲି ବାରିକର ରାନ୍ଥୁଆ ଖୁରରେ ଦାଢ଼ି କାଟିବା ପରେ ମୁହଁରେ ଫିଟିକିରି ଘଷିଲେ ପ୍ରଥମେ ଯେମିତି ଚାଉଁକିନା ପୋଡ଼ିଉଠେ କିନ୍ତୁ ତା’ ପରେ ଭାରି ଆରାମ ଲାଗେ, ଠିକ୍‌ ସେମିତି–ଜୋନାକୀ ନାଉଡ଼ ମାରିଦେଇଥିବା ଜାଗାରେ ନାଲିକାଳି ବୋଳିଦେଲାକ୍ଷଣି ଅନୁପମ ଦିହ ଭିତରେ ଏକ ନୂଆ ମଳୟର ସଂଚରଣ ଅନୁଭବ କଲା । ଦି’ଟା ମୁହୂର୍ତ୍ତରେ ତାର ହାକୁଟି ଦେଇ ତାର ପେଟ ଭିତରୁ ଅସଂଖ୍ୟ ବୁଲ୍‌ବୁଲ୍‌ ଚଢ଼େଇ ବାହାରି ଆକାଶରେ ଉଡ଼ିଲେ । ସେଦିନ ଅନୁପମ ରୁମ୍‌କୁ ଫେରି ହଷ୍ଟେଲ୍‌ ବଗିଚାରୁ ଗୋଟିଏ ସୁନ୍ଦର ଗୋଲାପ ଛିଣ୍ଡେଇଲା ଲୁଚେଇ କରି । ସେ ଭାବିଲା ଏଇଟା ଜୋନାକୀର କଜଳ କବରୀରେ ଭାରି ତୋରା ଦିଶିବ । ସେ ରୁମ୍‌ ଭିତରେ ଫୁଲଟାକୁ ଦି’ଚାରି ଥର ଚୁମ୍ବନ ଦେଇ ନିଜ ଛାତିରେ ଲଗାଇଲା ଓ ତା’ ପରେ ପକେଟ୍‌ ଭିତରେ ଭର୍ତ୍ତି କରି ପୁଣି ବାହାରିଲା କଲେଜକୁ; ଇଚ୍ଛା, ଜୋନାକୀକୁ ଦେବ । ବିରାଡ଼ି କପାଳକୁ ଶିକାଟା ବି ଛିଣ୍ଡିପଡ଼ିଲା । ଦେଖିଲା ଜୋନାକୀ ଆସୁଚି । ନୋଟିସ୍‌ବୋର୍ଡ଼ ପାଖରେ ଠିଆ ହେଲା ଅନୁପମ ନୋଟିସ୍‌ ପଢ଼ିବାର ବାହାନାକରି । ଜୋନାକୀ ଆସୁଥାଏ । ପାଖରେ ପହିଞ୍ଚିଲାକ୍ଷଣି, ଅନୁପମ ପକେଟରୁ ଫୁଲଟା ବାହାର କରି କହିଲା–‘ଶୁଣ ! ନିଅ ଏଇ ଫୁଲଟା !’ ଜୋନାକୀ ଦୋଦୋ–ପାଞ୍ଚ ହୋଇ ଏଣିକି ତେଣିକି ଚାହିଁ ଫୁଲଟା ନେଲା ଓ କହିଲା–ଧନ୍ୟବାଦ । ଫୁଲଟାକୁ ଖୋସାରେ ମଣ୍ଡେଇ ଜୋନାକୀ ଖଣ୍ଡିଏ ଧଳା ମେଘପରି ସିଆଡ଼କୁ ପଳେଇଲା । ଅନୁପମ ଚାହିଁରହିଥିଲା–କିଛି ପୁଲକ, ଅଙ୍ଗୁର ଆଉ ମୁଗ୍‌ଧତାର କୁଞ୍ଜରେ ଠିଆହୋଇ ।

 

ଆଉ ଦିନେ....

 

ଲାଇବ୍ରେରୀ ଭିତରେ ଜୋନାକୀ ଠିଆହୋଇଥିଲା । ଅନୁପମ ଜୋନାକୀର ପିଠି ଉପରେ ଝୁଲୁଥିବା ବେଣୀଟାକୁ ଚାହିଁ ଦେଖିଲା ସେଠି ଆଉ ଗୋଟିଏ ଗୋଲାପ କିଏ ଯେମିତି ଖଞ୍ଜିଦେଇଛି । ସେଦିନ ରାତିରେ ହଷ୍ଟେଲ୍‌ରେ ସେ ଆସି ଶୁଣିଲା–ସହପାଠୀ ସ୍ଵପ୍ନକାନ୍ତ କାଳେ ଜୋନାକୀର ପ୍ରେମରେ ପଡ଼ିଯାଇଚି । ସେତିକିବେଳୁ ଅନୁପମର ମୁଣ୍ଡଉପରେ ମାଟିଆଚିଲ ଉଡ଼ିବାକୁ ଆରମ୍ଭ କରିଛି । ସେ ସବୁବେଳେ ନିଜକୁ ସ୍ଵପ୍ନକାନ୍ତ ସହିତ ମିଳେଇ ଦେଖୁଥିଲା ଏବଂ ତୁଳନାରେ ପଙ୍କ ଭିତରକୁ ଦବିଯାଉଥିଲା ଅନୁପମ ନିଜ ବିଚାରରେ ବି ।

 

ଜୋନାକୀକୁ ଯେମିତି କନକ, ରୂପା ସହିତ ଦେଖିଲା, ସହସା ତା’ର ମନରେ ପୁଣି ଏକ ପଦୁଅଁ ପୋଖରୀ ହୋଇଗଲା । ଜୋନାକୀ କ’ଣ ତାକୁ ଭଲପାଇବ ? କାହିଁକି କିନ୍ତୁ ! ହଁ ଓ ନାଁ ଭିତରେ ସେ ଦୋଳିବାକୁ ଲାଗିଲା । ପୁଣି ତାର ମନେପଡ଼ିଲା ଗାଲର ପୋଡ଼ା ଦାଗଟା କଥା । ଆରସିରେ ସେଇ ଚେହେରା ! ବଦଳିବ ନାହିଁ ? ଯଦି ନୁହେଁ, ତେବେ ? ଜୋନାକୀ ବାଆଁରେଇ ଚାଲିଯିବ; କିନ୍ତୁ ସେ ତ ଫୁଲ ନେଇଚି ? ନେଉ ! କ’ଣ ହେଲା ସେଇଠୁ ? ଜଣେ ଯାଚିକରି ଦେଲା, ସିଏ ନେଲା ବୋଲି କ’ଣ ଦୋଷ କଲା ? ହୁଏତ ତା’ର ନେବା ଭିତରେ କିଛି ହେଲେ ଉଦ୍ଦେଶ୍ୟ ନଥାଇପାରେ ।

 

ଅନୁପମ ଠିଆ ହେଉ ହେଉ ଚାଲିଲା । ସେ ଜୋନାକୀର ମୁହଁକୁ ଭଲ କରି ଚାହିଁ ପାରିଲା ନାହିଁ ।

 

କନକ, ରୂପା ଓ ଜୋନାକୀ ସେ ବାଟଦେଇ ଚପଲ ଘୋଷାରି ଘୋଷାରି ଚାଲିଗଲେ ।

 

ଅନୁପମ ଦି’ଚାରି ପାଦ ଆଗକୁ ଯାଇ ପୁଣି ଫେରି ଚାହିଁଲା । ତା’ର ନଜର ପଡ଼ିଲା ସୁମିତା ଉପରେ । ସୁମିତା ସାଙ୍ଗେ ସାଙ୍ଗେ ହସିଦେଇ କହିଲା–‘ହ୍ୟାଲୋ !’

 

‘ହ୍ୟାଲୋ’–ଅନୁପମ ଜବାବ ଦେଲା । ଜୋନାକୀ ଆଦି ଅଦୃଶ୍ୟ ହୋଇଗଲେଣି । ସୁମିତା ପୁଣି କହିଲା–‘ଚାଲନ୍ତୁ ! କ୍ଳାସ୍‌ ଯିବେନି ?”

 

‘ହଁ, ଯିବି’–ଅନୁପମ କହିଲା, ‘ଆପଣ ଆଗରେ ଚାଲନ୍ତୁ !’

 

ସୁମିତା ଚାଲିଗଲା ।

 

ଅନୁପମ ଏଇ ଝିଅଟାକୁ ସହିପାରେନାହିଁ; ଅଥଚ ଏଇ ଝିଅଟା ସବୁବେଳେ ଉପରେ ପଡ଼ି ତା’ ସାଙ୍ଗରେ କଥା କହେ ।

 

ସୁମିତାର କଳା ଅପର୍ଚ୍ଛନିଆ ଚେହେରା ଓ ଟେରା ଆଖି ଅନୁପମକୁ ଭାରି ବିରକ୍ତ ଲାଗେ-। ଝିଅ ଜନମ ପାଇ ପୁଣି ଏତେ ଉଚ୍ଚ ଓ ଏତେ ମୋଟା କିଏ ଅଛି ? ସୁମିତା ନିଜକୁ ଭାରି ସଜେଇକରି ଆସେ । ତା’ର ମୁଣ୍ଡବାଳ ଅଧା ଉପୁଡ଼ିଗଲାଣି । କିଏ କିଏ କୁହନ୍ତି ସେ କାଳେ ମଝିରେ ମଝିରେ ମିଛବାଳ ଲଗେଇ ଆସେ, ନହେଲେ ଏତେ ବଡ଼ ଖୋଷାଟାଏ ତା’ର ହୁଅନ୍ତା କେମିତି ? ଅନୁପମ ବି ସେଇଆ ଭାବେ ।

 

ସୁମିତା ପାଖରେ ଅନୁପମ ଠିଆହେଲେ ଅନୁପମକୁ ମାଡ଼ିପଡ଼ିଲା ପରି ଲାଗେ; କିନ୍ତୁ ଯେତେହେଲେ ସୁମିତା ତା’ର ସହପାଠୀ, ପୁଣି ଝିଅପିଲା, ତାକୁ ସେ ମନାକରି ପାରେ ନାହଁ । ସୁମିତା ଟିକିଏ ସମୟ ପାଇଲେ ଅନୁପମର ପାଖକୁ ଲାଗିଆସି ପଚାରେ–‘କଣ ଖବର ? ଭଲ ତ-! ଆଉ ପଢ଼ାପଢ଼ି କେମିତି ଚାଲିଛି ? ତମର ତ ଏକାଥରେ ପାସ୍‌ ।’

 

ସୁମିତା ଚାଲିଯିବାରୁ ଅନୁପମ ଖୁସିହେଲା । ଅନୁପମ କ୍ଲାସ୍‌ଆଡ଼କୁ ଚାଲିଗଲା । ସିଧା ଯାଇ ଡାହାଣ ହାତି ବାଙ୍କିବା ପରେ ପୁଣି ସେ ଭେଟିଲା ସୁମିତାକୁ, ନୋଟିସ୍‌ ବୋର୍ଡ଼ ପାଖରେ ଠିଆହୋଇଚି, ଆଉ ନିବିଷ୍ଟ ଚିତ୍ତରେ ପଢ଼ୁଚି ନୋଟିସ୍‌ ।

 

ଅନୁପମ ନିଃଶବ୍ଦରେ ଅତିକ୍ରମ କରିବାକୁ ଚେଷ୍ଟାକରି ଟିକିଏ ସାବଧାନ ପଦକ୍ଷେପ ନେଲା । କିନ୍ତୁ ସୁମିତା ପୁଣି ବୁଲିପଡ଼ି କହିଲା–‘ରହନ୍ତୁ ! ମୁଁ ବି ଯିବି ।’

 

ଅନୁପମ ଯିବାର ବାଟ ପାଇଲା ନାହିଁ । ସୁମିତା କହିଲା–‘ଚାଲନ୍ତୁ ! ଆପଣଙ୍କର ଆଜି ରାତିରେ ସର୍ଜରୀ କ୍ଲାସ ଅଛି ବୋଧେ । ମୋର ଅଛି ।’

 

ଅନୁପମ କହିଲା–‘ଅଛି ।’

 

ସୁମିତା କହିଲା–‘ଆପଣ ଆସୁଛନ୍ତି ତ ?

 

‘ହୁଁ’–ଅନୁପମ କହିଲା ।

 

ସେମାନେ କ୍ଲାସ୍‌ ଦୁଆରମୁହଁରେ ପହଞ୍ଚି ଭିତରକୁ ଯିବାବେଳେ ଅନୁପମ ଶୁଣିପାରିଲା ତା’ର ସହପାଠିନୀ ମଲ୍ଲିକା ନବବନ୍ଧୁକୁ କହୁଚି ଧୀର ଗଳାରେ–‘ଏକ ବଢ଼ିଆ ମେଳ, ମାନେ ଏ ବିଉଟିଫୁଲ ମ୍ୟାଚ୍‌ !’

 

ଅନୁପମ ମୁଣ୍ଡଟା ଗରମ ହୋଇଗଲା । ସେ ଭାବିଥିଲା ବୁଲିପଡ଼ି ମଲ୍ଲିକାର ଗାଲରେ ଦୁଇଟା ଚାପଡ଼ ବସେଇଦେବ ।

 

ଅନୁପମ ସୁମିତାକୁ ଚାହିଁଲା । ସୁମିତା ହସୁଚି ଅତି ଅର୍ଥପୂର୍ଣ୍ଣ ହସ; କିନ୍ତୁ ଅନୁପମକୁ ବିରକ୍ତ ଲାଗିଲା–ଯେମିତି ସେ ନିଆଁର ଫାଶରେ ପଡ଼ିଯାଇଛି ।

 

ଅନୁପମ ଗାରଡ଼େଇ ଚାହିଁଲା ମଲ୍ଲିକାକୁ । ସେ ସୁମିତା ନିକଟରେ ନ ବସି ଅନ୍ୟଆଡ଼େ ବସିଲା । ସୁମିତାର ହସଟା ହଠାତ୍‌ ଲିଭିଗଲା । ଭଲ ହେଇଚି ! ଅନୁପମ ବିଚଳିତ ହୋଇପଡ଼ିଲା ।

 

ସୁମିତାର ଆଖି ପୁଣି ଅନୁପମ ଉପରକୁ ଡେଇଁପଡ଼ିଲା । ବାଘନଖ ପରି ଗୋଜିଆ ନାକଟାର ମୁନଟା ଅନୁପମଆଡ଼କୁ ସିଧା ହୋଇଗଲା । ଡାଆଣୀଟେ କିରେ ! ଏଁ, କଣ୍‌ କହୁଚି ଏଇ ସୁମିତା ? କଣ ଚାହୁଁଚି ଅନୁପମ ଠୁଁ ? ହେତ୍‌ ।

 

କ୍ଲାସକୁ ଅଧ୍ୟାପକ ଆସିନଥାନ୍ତି । ଅନୁପମ ମୁହଁପୋତି ଖାତା ଭିତରେ ଆଉ କିଛି ଅଣ୍ଡାଳିବାକୁ ଲାଗିଲା । ପୃଷ୍ଠା ପରେ ପୃଷ୍ଠା ଓଲଟେଇବା ପରେ ସେ ଯାହା ଖୋଜୁଥିଲା, ପାଇଲା । ପୂରା ଲାଲ କାଳିରେ ଅଙ୍କାହୋଇଥିବା ଗୋଲାପ ଫୁଲର ଛବି ଧରିରଖିଲା ତା’ର ଚିତ୍ତ-କୁକୁର ବେକରେ ଲାଗିଥିବା ଜଂଜିରଟାକୁ । ତାର ଚିତ୍ତ-କୁକୁରଟା ଶୁଙ୍ଘି ପକେଇଲା ଫୁଲଟାକୁ । ଶୁଙ୍ଘୁଶୁଙ୍ଘୁ କୁକୁରଟା ସାଙ୍ଗେସାଙ୍ଗେ ବଦଳିଗଲା ଗୋଟାଏ କଙ୍କିକୁ । କଙ୍କିଟା ବି ଗୋଲପ ଫୁଲକୁ ଛାଡ଼ି ଆଉ କୁଆଡ଼େ ଯାଇପାରିଲା ନାହିଁ, ତା’ ଲାଞ୍ଜରେ ଏକ ସୂତା ବାନ୍ଧି ଟାଣିଧରିଲା ଗୋଲାପଟା । ଆସ୍ତେ ଆସ୍ତେ କଙ୍କିର ଓଠ ଫାଡ଼ିହୋଇଗଲା ଓ ଗୋଲାପର ମୁହଁ ଉପରେ ଢଳିପଡ଼ିଲା ।

 

‘ଆପଣଙ୍କର ମୁଣ୍ଡ ବଥାଉଛି କି ? ଚାଲନ୍ତୁ ମିକ୍‌ସଚର୍‌ଟାଏ ପିଇଦେଇ ଆସିବେ ।’

 

ଅନୁପମ ମୁହଁ ଉଠେଇ ଦେଖେ ତ ସୁମିତା । ଇସ୍‌ ପୁଣି ସେଇ ? ପୁଣି ତାର ଅଭ୍ୟାଚାର ? ନିଜ ସିଟରୁ ଉଠି ବି ଆସିଚି ଏଠିକି ? କେମିତି ହସୁଛି ଦେଖ ! ଭଲା ହଇରାଣରେ ପକାଇଲା ମଣିଷକୁ ?

 

ସୌଜନ୍ୟ ଦେଖାଇ ଅନୁପମ କହିଲା–‘ନାଃ କିଛି ହେଇନାଇଁ । କାଲି ରାତିରେ ଟିକିଏ ଡେରିରେ ଶୋଇଲି କିନା, ସେଥିପାଇଁ ଆଖିଟା ମାଡ଼ିମାଡ଼ି ପଡ଼ୁଛି ।’

 

ସୁମିତା ହସିଲା । ତା’ର ଅସମାନ୍ତର ଆଖି ଦୁଇଟାରୁ ପ୍ରଖର ରଶ୍ମି ବାହାରିପଡ଼ିଲା ଚଷମା ଭିତର ଦେଇ; ଅନ୍ଧାର ଘର ଭିତରେ ଥୁଆହୋଇଥିବା ଦୁଇମୁଣ୍ଡା ରଡ଼ ନିଆଁପରି ।

 

ସୁମିତା ଫେରିଗଲା ।

 

ଅନୁପମ ପୁଣି ଖାତାର ପୃଷ୍ଠା ଓଲଟେଇଲା । ଏଥର ଆଉ ସେ ଗୋଲାପ ଚିତ୍ରଟାକୁ ଖୋଜି ପାଇଲା ନାହିଁ । କୁଆଡ଼େ ହଜିଗଲା ସେଇଠି । ନୋଟ୍‌ର ଆବର୍ଜନା ଭିତରେ ତାକୁ ଆଉ ଠାବ କରିପାରିଲା ନାହିଁ ଅନୁପମ । ତା’ର ରାଗ ହେଲା ସୁମିତା ଉପରେ । କାହିଁକି ସେ ଆସି ଅନୁପମକୁ ଏମିତି ଅଖଞ୍ଜ ଅବସ୍ଥାରେ ପକେଇ ଦେଇ ଯାଇଚି କିଏ ଡାକୁଚି, କିଏ ଲୋଡ଼ୁଚି ସେଇ ଅନାବନା ଘାସପଡ଼ିଆଟାକୁ ? ଖାଲି ଗୁଗୁଚିଆ ପରି ଆପେ ଆପେ ଆସି ନେସିହେଉଚି ସେ କାହିଁକି ?

 

କ୍ଳାସ୍‌ ଶେଷ ହେବା ପରେ ଅନୁପମ ବାଆଁରେଇ ହେଇ ସୁମିତାର ଆଖିଆଗରୁ ଖସିଆସିଲା ହଷ୍ଟେଲ୍‌କୁ ।

 

ଅନୁପମ କୁଆଡ଼େ ବେଶି ବୁଲିବାକୁ ଯାଉନଥିଲା; ଯେତେବେଳେ ଯାଉଥିଲା, ଏକା ଏକା । ନିଜର ଦେହଟାକୁ ଟାଣି ଟାଣି ଗୋଟାଏ ଉଦ୍ଦେଶ୍ୟହୀନ ଗାଡ଼ିପରି ରାସ୍ତା ଉପରେ ଗଡ଼ିଗଡ଼ି ଯିବାକୁ ସେ ଆଦୌ ପସନ୍ଦ କରୁନଥିଲା । ସମଗ୍ର ହଷ୍ଟେଲ୍‌ଟାରେ ତାହାର କେହି ଜଣେହେଲେ କଥା-କୁହା ବନ୍ଧୁ ମଧ୍ୟ ନଥିଲେ । ଏଣୁ ସେ ନିଜର ମନକଥାଗୁଡ଼ାକ ମଧ୍ୟ କାହା ନିକଟରେ ଗପି ହୃଦୟର ଭାରାକୁ ଲଘୁ କରିପାରୁନଥିଲା । ପୁଣି ହୃଦୟଭାର ତାର ଥିଲା ଅସ୍ଵାଭାବିକ ଓ ଅସୀମ । କେବଳ ଡାଇରି ଲେଖି ସେ ଯେତିକି ଶାନ୍ତିପାଉଥିଲା, ବେଶ୍‌ ସେତିକି; ଏବଂ ସେଥିପାଇଁ ସେ ଲେଖୁଥିଲା ବୋଧହୁଏ ଏତେ ଟିକିନିଖି କରି ।

 

ରୂପବାନ୍‌ଠାରେ ଯେମିତି ଆତ୍ମ-ଗର୍ବିତା ଘରକରି ରହେ, ସେମିତି ରୂପହୀନଠାରେ ଗୌଣମନୋବୃତ୍ତି କୋଠାପିଟେ । କାରଣ, ମଣିଷ ନିଜେ ଜାଗତିଆରରେ ‘ରୂପ’ ତିଆରି କରି ନିଜଠାରେ ଲଗେଇଦେଇ ପାରେନାହିଁ । ଏଣୁ ‘ରୂପ’ ମଣିଷର ସବୁଠୁ ବଡ଼ ସମ୍ପତ୍ତି ଏବଂ ରୂପ-ହୀନତା ମଣିଷ ପକ୍ଷରେ ଏକ ଅପୂରଣୀୟ ଅଭାବ । ଧନ-ଦୌଲତ ସମ୍ମାନ କିଛି ତାର ଜାଗା ପୂରଣ କରିପାରେ ନାହିଁ । ରୂପବନ୍ତଗଣ ଏ ପୃଥିବୀରେ ଆଜନ୍ମ ଧନିକ ଓ ରୂପହୀନଗଣ ଆଜନ୍ମ ଦରିଦ୍ର–ଏ କଥା ମିଛ ନୁହେଁ । ଅନୁପମ ଏଇ ଦାରିଦ୍ର୍ୟକୁ ନିଜଠାରେ ପ୍ରତି ମୁହୂର୍ତ୍ତରେ ଅନୁଭବ କରୁଥିଲା ।

 

ସେ ଭାରୁଥିଲା–ଜୋନାକୀ ସତରେ କ’ଣ ତାକୁ ଭଲ ପାଇବ ନାହିଁ ? ଜୋନାକୀକୁ ସେ ଖୁବ୍‍ ସୁଖରେ ରଖନ୍ତା; କିନ୍ତୁ ତା’ର ନିଜର ଚେହେରା ଦାନ୍ତ ନେଫେଡ଼ି ତା’ର ସାମ୍ନାରେ ଠିଆହୁଏ । ତାର କଳ୍ପନାର ବାଲିଘର ସତକୁସତ ବାଲି ହେଇଯାଏ ବାସ୍ତବତାର ଦମକାଏ ପବନ ବାଜି । ସେ ବିଛଣାରେ ଗଡ଼ିଯାଏ, ଉଠି ବସେ, ପୁଣି ଗଡ଼ିଯାଏ । କୌଣସି କାମ ତାର ସୁଖରେ ଯାଏନାହିଁ । ଆବୁରୁ-ଜାବୁରୁ ଚିନ୍ତାର ଦଳା-ଦଳି ସେ ବରଦାସ୍ତ କରିନପାରି ନିଜ ଗାଲର ପୋଡ଼ା ଚିହ୍ନଟାକୁ ରାମ୍ପୁଡ଼ିପକାଏ ।

 

ପରଦିନ ପ୍ରଭାତ ।

 

ପ୍ରଥମ ଦୁଇ ଘଣ୍ଟା ଅନୁପମର କ୍ଲାସ ନଥିଲା । ସେ ରୁମରେ ବସି କିଛି ପଢ଼ାପଢ଼ି କରିବାକୁ ଆରମ୍ଭକରିଛି କି ନାହିଁ–ତାର ଦରଜାରେ କାହାର କରାଘାତ ଶୁଣାଗଲା । ଅନୁପମ ଉଠି ଦରଜା ଖୋଲିଲା । ବସ୍‌ ଭିତରକୁ ଯାତ୍ରୀ ଠେଲାଠେଲି ହେଇ ପଶିଲା ପରି ତାର ରୁମ୍‌ ଭିତରକୁ ପଶିଆସିଲେ ତାର ସାତ ଆଠ ଜଣ ସହପାଠୀ–ସ୍ଵପ୍ନକାନ୍ତ, ନବବନ୍ଧୁ ଇତ୍ୟାଦି । ନବବନ୍ଧୁ, କଲେଜ ୟୁନିୟନର ସଭାପତି, ଯାହାକୁ କୁହନ୍ତି ଛାତ୍ରନେତା । ଅନୁପମ ସେମାନଙ୍କୁ ଏକ ଦଳବଦ୍ଧ ହୋଇ ଆସିଥିବାର ଦେଖି ପ୍ରଥମେ ଭୟ ପାଇଗଲା । ଘଟଣା କ’ଣ ବୁଝିପାରିଲା ନାହିଁ । କଥାଟା ଆରମ୍ଭକଲା ନବବନ୍ଧୁ ।

 

–ଦେଖନ୍ତୁ ଅନୁପମବାବୁ ! ଆମେ ଆପଣଙ୍କୁ ଏକ ନିଃସ୍ଵାର୍ଥ ଅନୁରୋଧ କରିବାକୁ ଆସିଛୁ । ଆପଣ ପ୍ରଥମେ କୁହନ୍ତୁ ଅନୁରୋଧ ରଖିବେ କି ନା ? ଯଦି ରଖିବାକୁ ପ୍ରତିଶ୍ରୁତି ଦେବେ, ତା’ହେଲେ କହିବୁ, ନହେଲେ ଏଇଠୁ ଏଇଛୁଣି ଫେରିଯିବୁ ।

 

ନବବନ୍ଧୁର ଏ ପ୍ରକାର ଆରମ୍ଭ ରୁମ୍‍ ଭିତରେ ଏକ ରହସ୍ୟାତ୍ମକ ନୀରବତାର କୁହେଳିକା ବିଛେଇଦେଲା । ସମସ୍ତଙ୍କର ଆଖିଗୁଡ଼ାକ ଅନୁପମ ଉପରେ । ନବବନ୍ଧୁ ପାଟି ଅଳ୍ପ ଆଁ ହୋଇଯାଇଚି । ସ୍ଵପ୍ନକାନ୍ତ ସିଗାରେଟ୍‌ ଧୂଆଁ ସୁ-ସା କରୁଛି । ଅନ୍ୟମାନେ ବାର୍‍ହାଙ୍କ ପରି ଚାହିଁଛନ୍ତି-। ନବବନ୍ଧୁ ଗର୍ବ ଅନୁଭବ କରୁଥିଲା–ଯେହେତୁ ସେ ଏମିତି ଏକ ଅବସ୍ଥାର ପ୍ରାଣଦାତା ଥିଲା ଏବଂ ଅନ୍ୟମାନଙ୍କର, ବିଶେଷ କରି ଅନୁପମର ଅକଲଟାକୁ ଗୁଡ଼ୁମ୍‌ କରିଦେଇ ପାରିଥିଲା ବୋଲି-। ଅନୁପମ ଦୋ-ଦୋପାଞ୍ଚ ହୋଇ କହିଲା–‘ଆଚ୍ଛା କହନ୍ତୁ; କଥାଦେଲି ରଖିବି ।’

 

‘ସାବାସ୍‌, ଜବାବ୍‌ ନେହିଁ’–ସମସ୍ତେ ହି-ହି ହୋଇ ହସିଉଠିଲେ–‘ଆପଣଙ୍କୁ ଏଥର କଲେଜ ଡ୍ରାମାରେ ଅଭିନୟ କରିବାକୁ ପଡ଼ିବ ।’

 

“ମୋତେ !’’

 

“ହଁ ହଁ, ଆପଣଙ୍କୁ । ଆମେ ଶୁଣିଛୁ ଆପଣ ଭଲ ଅଭିନେତା; କିନ୍ତୁ ମେଡିକାଲ୍‌ କଲେଜରେ ଆପଣ ପ୍ରତିବର୍ଷ ଫାଙ୍କିଦେଇ ଯାଇଛନ୍ତି । ଏ ବର୍ଷ ଆଉ ନୁହେଁ ।’’

 

“ମୁଁ ?’’…..

 

‘‘ହଁ ଅନୁପମବାବୁ ! ପାର୍ଟ ସିଲେକ୍‌ସନ୍ ସରିଚି । ନାଟକର ନାମ କୀଚକ । ଆପଣ ତହିଁରେ ହୀରୋ, ମାନେ କୀଚକ ।’’ ନବବନ୍ଧୁ କହିଲା ।

 

‘‘କୀଚକ !!’’ ଅନୁପମର ମନେହେଲା ଏହା ଯେମିତି ତାର ରୂପ ପ୍ରତି ଏକ ଆନୁଷ୍ଠାନିକ ଓ ଦଳବଦ୍ଧ ଉପହାସ ।

 

‘‘ଆରେ ସେଥିରେ କଣ ଅଛି–କଲେଜର ପ୍ରିନ୍‌ସିପାଲ୍‌ ପରା ଥରେ ଚାକର ଭୂମିକାରେ ଅଭିନୟ କରିଥିଲେ ? ଅଭିନୟ ପରେ ଯେଉଁ ପ୍ରିନ୍‌ସିପାଲ୍‌କୁ ସେଇ ପ୍ରିନ୍‌ସିପାଲ୍‌, ହେଁ ହେଁ । ଆପଣ ସେମିତି ସତରେ କୀଚକ ହୋଇଯିବେନି ମ ! ମଞ୍ଚରୁ ଓହ୍ଲେଇଲାକ୍ଷଣି ଆମେ ଆପଣଙ୍କୁ ଡାକିବୁ ଅନୁପମ ବାବୁ ! ହେଁ-ହେଁ-ହେଁ ।” ନବବନ୍ଧୁ କହି ହସିଲା ।

 

ଅନୁପମ ପଚାରିଲା–‘‘ଆଉ ସବୁ କିଏ ଅଭିନୟ କରୁଛନ୍ତି ?’’

 

ନବବନ୍ଧୁ (ସାମାନ୍ୟ ଛେପ ଢୋକି) କହିଲା–”ଦେଖନ୍ତୁ, ଭୀମ ଅଂଶରେ ଅଭିନୟ କରିବାକୁ ଶରୀରଦୃଷ୍ଟିରୁ ଆମେ ଯୋଗ୍ୟତାର ପିଲା ପାଇଲୁନାହିଁ । ଫାଷ୍ଟ ଇଅରରେ ଗୋଟାଏ ପିଲା ଅଛି; କିନ୍ତୁ ସେ ପିଲାଟାର ଖାଲି ଦେହଟା ମୋଟା ନୁହେଁ, ତା’ ସାଙ୍ଗେ ସାଙ୍ଗେ ବୁଦ୍ଧିଟା ବି । ଭାରି ଲାଜକୁଳା–ମାନେ ଯାହାକୁ କହନ୍ତି ଗାଦୁକାଟାଏ । ଏଣୁ ସ୍ଵପ୍ନକାନ୍ତ ଭୀମ ହେଉଛି–ବସ୍ତ୍ର ଭାବେ ସୂକ୍ରଂଦଦ୍ୟାତ୍‌ ନୀତିରେ ।’’

 

ଦମ୍‌ନେଇ ପୁଣି କହିଲା–‘‘ଦ୍ରୌପଦୀ ହେଉଛି ଫାଷ୍ଟଇୟର୍‌ର ନୂଆ ଝିଅଟାଏ, ଆପଣ ଚିହ୍ନି ନଥିବେ, ତା’ ନାଁ ଜୋନାକୀ ।”

 

ଜୋନାକୀ ନାଁ ଶୁଣୁଶୁଣୁ ଅନୁପମର ପେଟଭିତରୁ ଏକ ଉଲ୍ଲାସର ଫୁଆରା ଉଠିଲା; କିନ୍ତୁ ଭୀମ ହେବ ସ୍ଵପ୍ନକାନ୍ତ । ସେ ଯାହା ଶୁଣିଥିଲା–ଜୋନାକୀର ପ୍ରେମରେ ସ୍ଵପ୍ନକାନ୍ତ ପଡ଼ିଚି–ତା’ହେଲେ କ’ଣ ସତ ! ସେ ମନେମନେ ଈର୍ଷାରେ ଜଳିଉଠିଲା । ସେ କହିଲା–‘‘ଆଚ୍ଛା ! ମୁଁ ଅଭିନୟ କରିବି । କଥା ଦେଲି ।’’

 

“ଧନ୍ୟବାଦ !’’ ବାଘଗୁମ୍ଫାରୁ ରକ୍ଷା ପାଇ ଶିଆଳମାନେ ଜୀବନବିକଳରେ ବାହାରିଲା ପରି ସେମାନେ ଦର୍ଜା ଖୋଲି ବାହାରିଗଲେ ।

 

ସେମାନେ ଚାଲିଗଲା ପରେ ଅନୁପମର ମନ ଉପରେ ଗୋଟିଏ ଘୋଡ଼ାଦୌଡ଼ ଆରମ୍ଭ ହୋଇଗଲା । ସିଏ ବି ବସିଚି ଏକ ଘୋଡ଼ା ଉପରେ । ଘୋଡ଼ାର ରଙ୍ଗଟାକୁ ଠିକ୍‌ସେ କଳ୍ପନା କରିପାରୁନାହିଁ; କାରଣ କୌଣସି ବିଶେଷ ରଙ୍ଗ ଉପରେ ତାର ବେଶି ସମୟ ଆସ୍ଥା ରହୁନାହିଁ–କଳା, ଧଳା, ଲାଲ, ନା, ନା, ନା..... ଅଥଚ ସେ ଘୋଡ଼ାଟାର ଏକ ଆଖିଦୂରୁଶିଆ ରଙ୍ଗ ଅଛି ବୋଲି ଅନୁପମର ଧାରଣା; କିନ୍ତୁ ଘୋଡ଼ାକୁ ରଙ୍ଗ ଦେବାକୁ ଯାଇ ଚିନ୍ତାର ପ୍ରତିଟି ପାହାଚରେ ଏକ ନିରାଶ ସୈନିକପରି ଉଠୁ ଉଠୁ ସେ ପଡ଼ିଯାଉଚି; ପୁଣି କେତେବେଳେ ଖସିଆସୁଛି ତଳକୁ ଠିକ୍‌ ଯେଉଁଠୁ ଆରମ୍ଭ କରିଥିଲା । ତଥାପି ଅନୁପମର ଘୋଡ଼ା ଏକ ବେଗବନ୍ତ ଉଲ୍‌କା ପରି ଦୌଡ଼ୁଛି । ଗ୍ୟାଲେରି ଉପରୁ ହଜାର ହଜାର ଆଖି ତା’ରି ଉପରେ,–କେତେ ଦୂରବୀଣ୍‌ ଏବଂ କେତେ ହୋ-ହୋ-କାର ତା’ରି ଘୋଡ଼ାର ପଛେ ପଛେ; କେତେ ହସ, କେତେ ବାହାବା; କିନ୍ତୁ ସେ କଳ୍ପନା କରି ପାରୁନାହିଁ ଶେଷଟା–କାହାର ବିଜୟ ହେବ ? ବେଳେବେଳେ ଅନୁପମର ଛାତିରେ ବିଜୟର ଆଲିଙ୍ଗନ ଲାଗିଯାଉଚି, କଂଗ୍ରାଚୁଲେସନ୍‌, ସାବାସ୍‌....ରେ ପୂରିଉଠୁଚି ସେ । ଆଉ ଏକ ମୁହୂର୍ତ୍ତରେ ତା’ର ଘୋଡ଼ା ଢିପେଇବାକୁ ଆରମ୍ଭ କରିଦେଇଚି ଦୌଡ଼ ମଝିରେ, ଗୁଡ଼ାଏ ତାଚ୍ଛଲ୍ୟ ହସର ଲହଡ଼ି ଭିତରେ ଉବୁଟୁବୁ ହେଉଚି । ସେ ଠିକ୍‌ କରିପାରୁନାହିଁ, ଏ ଘୋଡ଼ାଦୌଡ଼ରେ ବିଜୟ କାହାର ହେବ-! ବେଳେବେଳେ ଜୋନାକୀ ତା’ରି ଘୋଡ଼ା ପିଠିରେ ବସି ଯାଉଚି ସଂଯୁକ୍ତା ପରି, ଆଉ ସେ ଦୌଡ଼େଇ ଦେଉଚି ଘୋଡ଼ା ପୃଥ୍ଵୀରାଜ ପରି; ତାର ପଛେପଛେ ଛତ୍ରଭଙ୍ଗ ଦେଉଚି ଜୟଚନ୍ଦ୍ରର ସ୍ଵୟମ୍ବର ସଭା । ‘ସଂଯୁକ୍ତା ମୋର ହେବ’, ‘‘ସଂଯୁକ୍ତା ହେବ ମୋର ଜୋନକୀ’, ‘ଜୋନାକୀ ହେବ ମୋର ସଂଯୁକ୍ତା’…..

 

ଅନୁପମର ଘୋଡ଼ଦୌଡ଼ ଶେଷ ହୋଇପାରୁନାହିଁ । ସାମାନ୍ୟ ନିର୍ଜନତା ପାଇବାକ୍ଷଣି ସେ ଲମ୍ଫ ଦେଉଚି ଘୋଡ଼ା ଉପରକୁ ଏବଂ ଘୋଡ଼ଦୌଡ଼ ଆରମ୍ଭ ହୋଇଯାଉଚି ସେଇଛୁଣିକା । ଅନୁପମର ଉପର ଓ ତଳ ଦାନ୍ତଗୁଡ଼ାକ ପାଟି ଭିତରେ ଦାବିହୋଇଯାଉଚି । ଦୁଇ କାନମୂଳର ଦୁଇକେରା ବାଳ ଠିଆହୋଇଯାଉଚି ।

 

ସେ ରାବଣ ପରି ଚାହୁଁଛି ନିଜକୁ; ତାର ମାଂସପେଶୀଗୁଡ଼ାକ ସାନସାନ ପାହାଡ଼ ପରି ଗୁବାଗୁବା ହୋଇଯାଉଚି ଦେହସାରା । ସେଇ ତାର ଅସୁର ବଳ, ସେଇ ତାର ଉତ୍ତେଜନା, ସେଇ ତାର ବ୍ରହ୍ମାଣ୍ଡର ଅନନ୍ତଶୟନ ଓ ସେଇ ତା’ର ଈପ୍‍ସିତ ବୈକୁଣ୍ଠ । ଅନୁପମର କାନ ପାଖରେ ରାବଣର ଧୃତିମାନ୍‌ ଶପଥ–ମୁଁ ଜାନକୀକୁ ଭଲପାଏଁ, ମୋର ସୁନାର ଲଙ୍କାଠାରୁ ବେଶି, ମୋର ଆଭିଜାତ୍ୟଠାରୁ ବେଶି; ମୋର ପ୍ରଜା, ମୋର ପୁତ୍ର, ମୋର ସ୍ତ୍ରୀ,….ମୋର ସଂପଦ ଓ ମୋର ନିରାପଦ ଭବିଷ୍ୟତ ଓ ମୋର ଜୀବନଠାରୁ ଅନେକ ବେଶି, ଢେର୍‌ ଢେର୍‌ ଅଧିକ । ତେଣୁ ମୁଁ ଜାଗିଲିରେ, ତେଣୁ ମୁଁ ଉଠିଲିରେ...., କେତେ ଦୂର ପଞ୍ଚବଟୀ ବନ, କେତେ ଦୂର.... ? କେତେ ଦୂର….-?’’

 

ଅନୁପମ ରୁମ୍‌ର କବାଟଟାକୁ ଧଡ଼ାକ୍‌କରି ବନ୍ଦକରି ଦୌଡ଼ିଲା । ଧୁର୍ମୁଷ ପରି ତାର ପାହୁଲଗୁଡ଼ାକ ପଡ଼ି ପଡ଼ି ଯାଉଥାଏ । ସେ ଯାଇ ଅଟକିଲା କଲେଜର ପଶ୍ଚିମ ପଟକୁ ଥିବା ଗାର୍ଲସ କମନ୍‌ରୁମ୍‌ ପାଖରେ, ଯେଉଁଠି ନବବନ୍ଧୁ ଓ ସ୍ଵପ୍ନକାନ୍ତ ଜୋନାକୀ ସହିତ ଗଳ୍ପ ଜମେଇଥିଲେ । ଜୋନାକୀ ହସୁଚି, ନବବନ୍ଧୁ, ପାଖରେ ବି, ସ୍ଵପ୍ନକାନ୍ତ ପାଖରେ ବି ।

 

ଅନୁପମ ଭାବିଲା–ସେମାନଙ୍କ ପାଖକୁ ଯିବ କି ନାହିଁ । କାହିଁକି ଯିବ ? କି ଲାଭ ? ମାୟାମୃଗ ସେ ବା ତିଆରି କରିପାରିଲା କେଉଁଠି ? ସେ ଏଇ ଶତାବ୍ଦୀର ଅସୁର । ସେ ରାବଣ ହୋଇପାରେନାହିଁ ।

 

ତା’ ଛାତି ଭିତରର ମେଣ୍ଢାଟା ମେଁ–ମେଁ କରିଉଠିଲା । ପାଦଗୁଡ଼ାକ ତା’ର ନର୍ଭସ ହୋଇଗଲେ ।

 

ସ୍ଵପ୍ନକାନ୍ତ ଜୋନାକୀକୁ କଣ କହୁଥିବ ? କଣ ଆଲୋଚନା ପଡ଼ିଥିବ ? ଅନୁପମକୁ ଶୁଣାଯାଉନାହିଁ । ସ୍ଵପ୍ନକାନ୍ତ ଅବଶ୍ୟ ବେଶି କଥା କହିଲା ପରି ଜଣାଯାଉନଥାଏ,–ଗପୁଥାଏ ନବବନ୍ଧୁ । ହାତରେ ଧୂସର ଫାଇଲ୍‌ଟେ ଓ ପୁରୁଣା ଡିସେକ୍‌ସନ୍‌ ବାକ୍‌ସଟେ ଧରି ସ୍ଵପ୍ନକାନ୍ତ ଖୁଣ୍ଟକୁ ଆଉଜି ଠିଆହୋଇଥାଏ ଓ ନିଜର ଛାତି ବୋତାମଗୁଡ଼ାକ ଖୋଲୁଥାଏ ଓ ବନ୍ଦ କରୁଥାଏ । ମଝିରେ ମଝିରେ କିଛି କିଛି କହୁଥାଏ । ଜୋନାକୀ ପେଟରୁ ଦମକାଏ ହସ ପ୍ରଖର ବେଗରେ ଉପରକୁ ଉଠୁଉଠୁ ସହସା ବ୍ରେକ ନିଏ ତଣ୍ଟି ପାଖରେ; ତା’ପରେ ଜୋନାକୀ ଅକ୍ତିଆର କରିନିଏ ହସଟାକୁ ଓ ବଗିଚାର ମାଳୀ ପାଣିଟ୍ୟୁବ୍‌ର ମୁହଁକୁ ଚିପି ଆବଶ୍ୟକ ମୁତାବକ ଜଳ ପିଚ୍‌ପିଚ୍‌ କରି ଗଛଗୁଡ଼ାକ ଉପରେ ମୁଲାୟମ୍‌ ବର୍ଷଣ କଲା ସମାନ ସେ ହସକୁ ଚେନା ଚେନା କରି ବାହାରକଲେ ଗାଲ, ଆଖି ଓ ଓଠ ଦେଇ । ସ୍ଵପ୍ନକାନ୍ତ ହସାଉଚି । ନୂଆ ଡିସେକ୍‌ସନ୍‌ ବାକ୍‌ସ ଗାଲପାଖରେ ଧରି ଜେନାକୀ ହସୁଚି; ତେଜୀୟାନ୍‌ ଖରା ଭିତର ଦେଇ ଝିପିଝିପି ବର୍ଷାର ଗୁଞ୍ଜରଣ ଭଳି ସେଇ ହସ । ନବବନ୍ଧୁ ଫେଁ ଫେଁ ହେଉଚି । ତାର ଦାନ୍ତଗୁଡ଼ାକ ସବୁ ଦିଶିଯାଉଚି, ତା’ ସହିତ ଚାର୍‌ମିନାର୍‌ ସିଗ୍ରେଟ୍‌ ଖାଇ କଳା ହୋଇଥିବା ରିଢ଼ାଗୁଡ଼ାକ ବି l

 

ଅନୁପମ ଦେଖୁଥିଲା କିଛି ଦୂରରେ ଠିଆହୋଇ । ଦୂରରୁ ଦିଶୁଥିବା ଡାର୍କରୁମ ଓ ତା’ ନିକଟରେ ବଉଳଗଛଟାକୁ ସେ ଚାହିଁଲା । ଫୁଲ ଫୁଟିଛି କି ?

 

ଜୋନାକୀ ଅନୁପମକୁ ହୁଏତ ଚାହିଁଲା; ଚାହୁଁଚାହୁଁ ଜୋନାକୀର ଆଖିର ରଙ୍ଗଟା ହୁଏତ ବଦଳିଗଲା ।

 

ଅନୁପମ ଠିଆହୋଇପାରିଲାନାହିଁ ।

ତାକୁ ଯେମିତି କିଏ ଠେଲି ପକାଇଲା; ସେ ତଳକୁ ମୁହଁ ପୋତି ପୋତି ଗୋଟାଏ ଧରାପଡ଼ିଥିବା ଆସାମୀ ପରି ଚାଲିବାକୁ ଲାଗିଲା ଲାବୋରେଟରିଆଡ଼େ । ଗୋଟାଏ ଅଦ୍ଭୁତ ଯାଦୁକରର ଅସଂଖ୍ୟ କତୁରୀ ତାର ପଛେ ପଛେ ଉନ୍ମତ୍ତ ଗରିଲା–ବାହିନୀ ପରି ଛୁଟିଥିଲେ । ଗୋଟାଏ ଅଚଳନ୍ତ ଟ୍ରକ୍‌କୁ ଆଉ ଗୋଟାଏ ଟ୍ରକ୍‌ଟାଣିନେବା ପରି ତାକୁ କିଏ କୁଆଡ଼େ ଟାଣିନେଉଥିଲା ସେ ଜାଣେନାହିଁ ।

ଅନୁପମ ଲାବୋରେଟରି ଭିତରକୁ ପଶିଯାଇ କାଚ ଝରକା ଫାଙ୍କ ଦେଇ ପୁଣି ଚାହିଁଲା–ଜୋନାକୀ ହସୁଛି ଓ କଥା କହୁଛି । ମୃଦୁ ପବନରେ ମାଳତୀ ଫୁଲ ମୁଣ୍ଡ ନଚେଇଲା ପରି ତାର ସର୍ବାଙ୍ଗ ଦୋହଲୁଚି । ଏଥରକ ସେ ଆଖି ଡିମ୍ବା ଡିମ୍ବା କରି ଚାହିଁଲା ନିର୍ଭୟରେ । ତାର ଦେଖିବାର ଆକାଂକ୍ଷା ଗୋଟାଏ ମନୋହରୀ ଦୋକାନର ଦରଜା ପରି ମେଲା ହୋଇଯାଇଥିଲା ଏକାବେଳକେ । ଆଃ, ଜେନାକୀ ! ସେ ନାରୀ ନୁହେଁ, ଏକ ଅଫୁରନ୍ତ ସୌନ୍ଦର୍ଯ୍ୟର ଦୀଆଲି-ଝର୍ଝରୀ, ଅଥବା କୌଣସି ମହାନଗରୀର ଏକ ନୈଶ ଅନୁଭୂତି । ତାକୁ କଣ ନିଜର କରି ହୁଏ ନାହିଁ-? ହୁଏ । ହୋଇପାରେ । କାଚ ଝରକାରେ ତାର ମୁହଁଟା ହଠାତ୍‌ କେମିତି ବିମ୍ବିତ ହୋଇଉଠିଲା-। ଜଣେ ବକ୍ତାର ଟେବୁଲ ଉପରେ କୌଣସି ଶ୍ରୋତାର ଗେଟି ପଡ଼ିଲାପରି ଅନୁପମର ମୁହଁ ଛବି ଭିତରୁ ଠୋସ୍‌କିନା ଫୁଟିପଡ଼ିଲା ତାର ଗାଲର ସେଇ ଲୋଚାକୋଚା ପୋଡ଼ା ଦାଗଟା ।

ନାଲି ବେଲୁନ ଉପରେ ଗୋଟାଏ ଛୁଞ୍ଚିଦାଗ ମାରିଲେ ଯେମିତି ଫାଟିଯାଇ ନଷ୍ଟ ହୁଏ, ଅନୁପମ ସେଇମିତି ଫାଟିଗଲା ନିଃଶବ୍ଦରେ । ତାର ଆକାଂକ୍ଷାଗୁଡ଼ାକ ଗୋଟାଏ ପେଟଆଣ୍ଡୁଳା ପିଲା ପାଟିରେ ହାୱାଇ ମିଠେଇ ମିଳେଇଗଲା ପରି ଉଭାନ୍‌ ହୋଇଗଲା କ୍ଷଣକରେ ।

ସେ ବସିପଡ଼ିଲା ଟେବୁଲ ଦାଢ଼ରେ ମୁଣ୍ଡ ଦେଇ, ବିଦ୍ୟୁତ ସକ୍‌ରେ ମରିଯାଇଥିବା ଏକ ନିରପରାଧ ଗରିଲା ପରି ।

କିଏ ଜଣେ ଆସୁଛି । କାହାର ପାଦଶବ୍ଦ ? ଅନୁପମ ମୁଣ୍ଡ ଉଠେଇଲା । ତଳକୁ ମୁହଁକରି ଲାବୋରେଟରି ଆଡ଼କୁ ଛୁଟିଚି ଜୋନାକୀ । ଅନୁପମ ଠିଆହେଲା ତାର ହାତଗୋଡ଼ର କବ୍‌ଜାଗୁଡ଼ାକ ସଳଖକରି ।

ଜୋନାକୀ ଆସୁଥାଏ ।

ଅନୁପମ ସାହସ ବଢ଼େଇବାକୁ ପକେଟରେ ହାତ ଭର୍ତ୍ତିକଲା ।

ଜୋନାକୀ ଆଉ କ୍ଷଣକରେ ଅନୁପମର କଡ଼ ଦେଇ ଲାବୋରେଟରିର ଭିତରପଟକୁ ପଳେଇବ । ଅନୁପମର ଭୟଗୁଡ଼ାକ ତଣ୍ଟି ପାଖରେ କଫ ହୋଇଗଲାଣି । ସେ ଗଳାଖଙ୍କାର ମାରିଲା । ଅନୁପମର କଫ-ନିସ୍ତାର ଶବ୍ଦରେ ଠିଆ ହୋଇପଡ଼ିଲା ଜୋନାକୀ, ଅଧା ଆଗକୁ ଝୁଙ୍କି ।

‘ହ୍ୟାଲେ’–ଅନୁପମ ଉପରେ ଭାସିଲା ଆଖି ଦୁଇଟାକୁ ନିବଦ୍ଧ ରଖି, ଓଠ ଉପରେ ବୁନ୍ଦାଏ ହସ ବାହାର କରି ଜୋନାକୀ କହିଲା ।

ଅନୁପମ ଆଉ ଗୋଟାଏ ପାଦ ଆଗକୁ ଯାଇ ପଚାରିଲା–‘ମୋ ଫୁଲ ?’

‘‘ସେଇ ଫୁଲଟା କଣ ଏତେ ଦିନଯାଏଁ ଥାଆନ୍ତା ? ମଉଳିଗଲା । କଣ ଫେରାଇ ନେବାକୁ ଚାହାନ୍ତି ?’’ ଜୋନାକୀ ପଚାରିଲା ।

 

‘‘ନାଁ–କେହି କଣ ଫେରାଇନେବାକୁ ଦେଇଥାଏ ?’’

 

‘‘ତେବେ…. ?’’

 

‘‘ଦାନର କଣ ପ୍ରତିଦାନ ନ ଥାଏ ?’’

 

‘‘ଠିକ୍‌ଅଛି, ମୁଁ ଆପଣଙ୍କ ମୁଣ୍ଡରେ ଫୁଲଟିଏ ଖୋସିଦେବି ।’’ ଜୋନାକୀ ହସିବାକୁ ଲାଗିଲା ।

 

ଅନୁପମ କିନ୍ତୁ ଜୋନାକୀ ଭଳି ହସିପାରିଲାନାହିଁ । ଅନୁପମର ହସ ଯେମିତି ଏକ ପ୍ରତ୍ୟୁତ୍ତର ବା ପ୍ରତିଧ୍ୱନି । ଜୋନାକୀ ହସୁହସୁ ପୁଣି କହିଲା–‘‘କଣ ରାଜି ?’’

 

‘‘ନା–’’

 

‘‘ଆଉ– ?’’ ଓଠ ବୁଜି ଏକ ପ୍ରଶ୍ନିଳ ଦୃଷ୍ଟିରେ ଚାହିଁଲା ଜୋନାକୀ ।

 

‘‘ଆଉ ଗୋଟାଏ ଫୁଲ ଦେବି... ?’’ ଅନୁପମ ଏତକ କହିସାରି ଗୋଟାଏ ଆସାମୀ ବିଚାରପତିର ସିଦ୍ଧାନ୍ତକୁ କମ୍ପିତ ଦେହରେ ଅପେକ୍ଷା କଲାଭଳି ଜୋନାକୀକୁ ଚାହିଁଲା । ନିରିଖେଇ ଚାହିଁଲା ଜୋନାକୀର ଆଖି, ଗାଲ ଓ ଓଠରେ କିଛି ଚମକ ଓ ପରିବର୍ତ୍ତନ ଆସୁଛି କି ନାହିଁ ?

 

କିନ୍ତୁ–ଜୋନାକୀର ମୁହଁ ଉପରେ କୌଣସି ଚିହ୍ନର ଛାୟା ଦିଶିଲା ନାହିଁ; କିମ୍ବା କୌଣସି କଳାହାଣ୍ଡିଆ ମେଘ ଭାସିଉଠିଲାନାହିଁ ।

 

କେବଳ ଜୋନାକୀର ବାମପଟ ଗାଲରେ ଥିବା କଳାରଙ୍ଗର ତିଳ ବିନ୍ଦୁଟି ସାମାନ୍ୟ ଉପରକୁ ଉଠିଗଲା ଏବଂ କୌଣସି ଅଣୁବୀକ୍ଷଣରେ ଦେଖିଥିଲେ ବୁଝାପଡ଼ିଥାନ୍ତା ଯେ ସେଇ ତିଳବିନ୍ଦୁଟି ଅସ୍ଥିର ଭାବରେ ଉପର ତଳ ହେବାକୁ ଲାଗିଥିଲା କିଛିକ୍ଷଣ ପାଇଁ ।

 

‘‘ଦେଖନ୍ତୁ ! ଆଜି ମୋ ମୁଣ୍ଡରେ ଆପଣଙ୍କ ଫୁଲ ନେବାକୁ ଜାଗା ନାହିଁ । ନୂଆବୋଉ ମୋର ଭାରି ଦୁଷ୍ଟ । ମୋ ମୁଣ୍ଡରେ କେତେ ଫୁଲ ଦେଇଦେଇଚି, ଦେଖନ୍ତୁ ନା ।’’ ଜୋନାକୀ ଅନୁପମର ଆଖିଆଡ଼କୁ କବରୀ ବୁଲାଇଦେଲା ।

 

‘‘ସତେ, କେତେ ଫୁଲ ! ତୁମ ନୂଆ’ଉ ତୁମକୁ ଭାରି ଭଲପାଆନ୍ତି ନା !’’ କହୁଁ କହୁଁ ଅନୁପମ ଗୋଟାଏ ଫୁଲ କାଢ଼ିଆଣିଲା ଜୋନାକୀର କବରୀରୁ ।

 

‘‘ଏ ଫୁଲ ଆପଣ କଣ କରିବେ ?’’ ଜୋନାକୀ ପଚାରିଲା ।

 

‘‘ରଖିବି ।’’

 

‘‘ଏଇ ଛଡ଼ାଫୁଲଟା !’’

 

‘‘ଛଡ଼ା କଣ, ତୁମ ଗଭାରେ ଥିଲା ଯେ !’’

 

ଅନୁପମ ଜୋନାକୀର ଆଖିକୁ ବେଶି ସମୟ ଚାହିଁପାରିଲାନାହିଁ । ଜୋନାକୀ ଚାହିଁଥିଲା ସେଇମିତି ।

 

ଜୋନାକୀ କହଲା–‘‘ଡ: ମିଶ୍ର କହୁଥିଲେ ଆପଣ ଖୁବ୍‌ ଭଲ ଛାତ୍ର ।’’

 

‘‘ଲାଭ କଣ ସେଥିରେ ଯଦି....’’ ଅନୁପମ ଆହୁରି କିଛି କହିବାକୁ ଚାହୁଁଥିଲା; କିନ୍ତୁ କହିପାରିଲା ନାହିଁ ।

 

‘‘ଆପଣଙ୍କ ଗାଲଟା କଣ.....’’ ଜୋନାକୀ ପ୍ରଶ୍ନଟା ପୂରା କରିପାରିଲାନାହିଁ । ଖାଲି ସେତିକି ନୁହେଁ ଏଭଳି ଏକ ପ୍ରଶ୍ନ ପଚାରିଥିବାରୁ ହଠାତ୍‌ ତାର ମୁହଁଟା ଶୁଖିଗଲା ।

 

ଅନୁପମର ହାତଟା ଗୋଟାଏ କପିଯନ୍ତ୍ର ପରି ଆପେ ଆପେ ଉଠିଗଲା ଡାହାଣ ଗାଲର ସେଇ ଅଭିଶପ୍ତ ଚିହ୍ନଟା ଉପରକୁ ଏବଂ ଜୋନାକୀର କବରୀରୁ ତୋଳି ଆଣିଥିବା ଫୁଲଟା ଘଷି ହୋଇଗଲା ସେଇ ଜାଗାଟାରେ ଏବଂ ଦୁଇ ତିନିଟା ପାଖୁଡ଼ା ଝଡ଼ିପଡ଼ିଲା ତହିଁରୁ, ଅନୁପମର ଅଜାଣତରେ ।

 

ଅନୁପମ କହିଲା–ଓଠରେ ଯନ୍ତ୍ରଣାର ହସ ଫୁଟାଇ–‘‘ଏଇ ଚିହ୍ନଟା ଅନ୍ତୁଡ଼ିଶାଳର ପୋଡ଼ାଚିହ୍ନ ।’’

 

ଜୋନାକୀ କିଛି କହିଲାନାହିଁ, କେବଳ ଅନୁପମକୁ ଚାହିଁରହିଲା । ଅନୁପମ ତଳକୁ ଚାହିଁ ଦେଖେତ ଫୁଲରୁ ତିନିଟା ପାଖୁଡ଼ା ଝଡିପଡ଼ିଛି ତଳେ । ସେ ନଇଁପଡ଼ିଲା ତଳକୁ ଗୋଟେଇବା ଲାଗି-

 

‘‘ମୁଁ ଖୁବ୍‌ ଦୁଃଖିତ ଜୋନାକୀ ! ତୁମ ସାମ୍ନାରେ ଏଇ ଫୁଲଟାକୁ ବିକଳାଙ୍ଗ କରିଦେଲି ବୋଲି । କ୍ଷମାକରିବ ।’’

 

ଜୋନାକୀ ତଥାପି କିଛି କହିଲା ନାହିଁ ।

 

‘‘ଆରେ, କଣ ହେଲା ତୁମର ?’’

 

ଏଥର ଜୋନାକୀ ଉତ୍ତର ଦେଲା–‘‘ମି: ଦାସ, ଆପଣ ଭୀମ ନ ହୋଇ କୀଚକ ହେଲେ କାହିଁକି ?’’

 

‘‘ମୁଁ ଇଚ୍ଛାକରି ହୋଇନାହିଁ । ମୋତେ କରାଯାଇଛି । ଏହା କାଳେ ଡ. ମିଶ୍ରଙ୍କର ଇଚ୍ଛା-।’’

 

‘‘ଆପଣ ଆଜି ରିହରର୍ସାଲ୍‌କୁ ଆସିବେ ତ !’’

 

‘‘ଆସିବି । ତୁମେ ?’’

 

‘‘ଆସିବ–ଯଦି ଭାଇ ଓ ନୂଆବୋଉ ଛାଡ଼ନ୍ତି ।’’

 

‘‘ନିଶ୍ଚୟ ଛାଡ଼ିବେ–’’ ଅନୁପମ କହିଲା ।

 

‘‘ହଁ । ମି: ଦାସ, ଆପଣଙ୍କ ପ୍ରଥମବର୍ଷ ନୋଟ୍‌ବହିଗୁଡ଼ାକ ମୋତେ ଟିକିଏ ଦେବେ ? ନିଶ୍ଚୟ ଥିବ…’’

 

‘‘ଦେବି । କାଲି ଦେବି ?’’

 

‘‘ମୋ ରାଣ !’’ ଜୋନାକୀ କହିଲା ।

 

Unknown

‘‘ଛି, ଏଇ କଥାରେ ସବୁ ରାଣପକାନ୍ତି ? ମୁଁ କଣ ତୁମ ନିଜର ନୁହେଁ ।’’ ଅନୁପମ କହିଦେଇ ଉତ୍ତର ଚାହିଁଲା । ସତେ ଯେମିତି ଏଇ ପଦକରେ ସେ ମନରୁ ସବୁ ଗୁପ୍ତ କଥାଗୁଡ଼ାକୁ କହିପକେଇଚି ଗୋଟାଏ ଧମସରେ । ଯାହା କହିବାପାଇଁ ଚେଷ୍ଟା କରି ସେ ହୁଏତ ସ୍ଵତନ୍ତ୍ର ଭାବରେ କହିପାରିନଥାନ୍ତା ଅନ୍ୟବେଳେ । ଜୋନାକୀ ଯାହା ଭାବୁନା କାହିଁକି, ଉତ୍ତରଟା ଯେଉଁ ଢଙ୍ଗରେ ଦେଉନା କାହିଁକି, ଗୋଟାଏ ସମସ୍ୟାରୁ ନିଷ୍କୃତି ପାଇଚି ଅନୁପମ ଏତେବେଳକେ । ଏଣୁ ଅନୁପମର ପେଟ ଭିତରୁ ଦୁଇଚାରିଟା ହାଲୁକା ନିଃଶ୍ଵାସ ମଧ୍ୟ ବାହାରିଆସିଲା ଶବ୍ଦକରି । ଯେପରି ଗୋଟାଏ ସଫଳ ଅପରେସନ୍‌ ପରେ ଡାକ୍ତର ନିଜକୁ ଉତ୍ସାହିତ ଓ ପୂରିଲା ପୂରିଲା ମନେକରେ, ଠିକ୍‌ ସେମିତି ଅନୁପମର ନାକପୁଡ଼ା ଦୁଇଟି ଆଶ୍ଵସ୍ତିର ପବନରେ ପୂରିଉଠିଲା । ସେ ପୁଣି କହିଲା–

 

‘‘କଣ କହୁନ ଯେ ? ତୁମେ କଣ ମୋତେ ଆପଣାର ହେବାକୁ ଦେବନାହିଁ ?’’

 

ଜୋନାକୀ ଆଉ ଅନୁପମକୁ ଚାହିଁଲାନାହିଁ । ଝରକା ଫାଙ୍କ ଦେଇ ଚାହିଁଲା ବାହାରକୁ, ଆକାଶକୁ, ନୀଳ ବିସ୍ତାରିତ ଆକାଶକୁ–ଯେମିତିକି ସିଏ ତାର ଆଖିର ବୃତ୍ତ ଭିତରେ ସମଗ୍ର ଆକାଶଟାକୁ ଧରିରଖିବାକୁ ଚାହୁଁଥିଲା । ଯେମିତିକି ସିଏ ଚାହୁଁଥିଲା ଝରକା ଭିତର ଦେଇ କପୋତୀଟିଏ ପରି ବାହାରକୁ ଉଡ଼ିଯିବ; ଅଥବା ଯେମିତିକି ଆକାଶ ଭିତରୁ ଖୋଜୁଥିଲା ଏଇ ପ୍ରଶ୍ନଟିର ଉତ୍ତର । ତାର ଦୃଷ୍ଟି ବେଳକୁବେଳ ତୀକ୍ଷ୍‌ଣତର ହେଉଥିଲା । କପାଳରେ ଫୁଟିଉଠି ଥିଲା ବିନ୍ଦୁ, ବିନ୍ଦୁ, ଝାଳ । ଜୋନାକୀ ତଥାପି ବି ଖୋଜୁଥିଲା ଆକାଶ ଭିତରୁ କଣ ଗୋଟାଏ ଯାହାକୁ ସେ ପାଉନଥିଲା ସହଜରେ । ଜୋନାକୀର ଏଇ ଧ୍ୟାନ ଦେଖି ଆଚମ୍ବିତ ହୋଇଗଲା ଅନୁପମ । ଅନୁପମ ନିଜେ ପଚାରିଥିବା ପ୍ରଶ୍ନଟିର ଗୁରୁତ୍ଵ କ୍ରମେ କ୍ରମେ ବଢ଼ିବାକୁ ଲାଗିଲା ।

 

ଏ ଏକ କଠୋର ପ୍ରଶ୍ନ ।

 

ଏ ପ୍ରଶ୍ନ ଜୋନାକୀକୁ ପଚାରି ସେ ଭୁଲକରିଛି । ଭୁଲ କରିନାହିଁ ତ ଆଉ କ’ଣ ? ଅନୁପମ ନିଜେ ନିଜ ବାଣରେ ବିଦ୍ଧହେବାକୁ ଲାଗିଲା । ସତେ ସେ କ'ଣ ଆପଣାର ହୋଇପାରିବ-? ସତେ ସେ କଣ ଆପଣାର କରିପାରିବ ! କିଏ ହେବ ଆପଣାର ? ଅନୁପମର ଦୃଷ୍ଟି ଆସ୍ତେଆସ୍ତେ ଜୋନାକୀର ଧ୍ୟାନରତ ଆଖି ଭିତରଟାକୁ ପରୀକ୍ଷା କରିବାକୁ ଲାଗିଲା, ଜୋନାକୀର ଆଖି ଭିତରେ ଆପଣାର ହେଲାଭଳି କିଛି ଉପାଦାନ ଅଛି କି ନାହିଁ । ଲାବୋରେଟରୀ ଭିତରୁ କିଛି କିଛି ଝଣ୍‌ଝାଣ୍‌ ଶବ୍ଦ ଆସୁଛି । ଆଖି-ବିଦ୍ୟାରେ ନିପୁଣ ପଣ୍ଡିତ ଡ: ମିଶ୍ରଙ୍କ ଲାବୋରେଟରୀ ଏଇଟା-। ଡ: ମିଶ୍ର । ଫ୍ରେଞ୍ଚକଟ୍‌ ଦାଢ଼ି । ଈଷତ୍‌ ନୀଳ ଚଷମା । ହସ-ଗମ୍ଭୀର ମୁଖ-। ଜଣେ ରସିକ ଓ ଜିନିଅସ୍‌ । ଡାକ୍ତରୀ ଗବେଷଣା ବାହାରେ, ନାଟକ ଅଭିନୟ କରିବାହିଁ ତାଙ୍କର ସର୍ବଶ୍ରେଷ୍ଠ ହବି-। ଗବେଷଣାଗାରରୁ ବାହାରି ଛାତ୍ରଙ୍କ ସହିତ ଗୁଡ଼ାଏ ଥଟ୍ଟାକରି ବହେ ହସନ୍ତି-। କହନ୍ତି–ହସିଲେ ତାଙ୍କର ଆଖିର ଶକ୍ତି ବଢ଼ିବ; ଦୃଷ୍ଟି ତେଜୀୟାନ୍‌ ହେବ । ଅଭିନୟରେ ବି ସେ ଆଖିର ପ୍ରକୃତି ଓ ଚାଳନା ଉପରେ ବେଶି ଜୋର୍‌ ଦିଅନ୍ତି । କହନ୍ତି–‘ଆଖି ହେଉଛି ପିଣ୍ଡ ଓ ବ୍ରହ୍ମାଣ୍ଡ ଭିତରେ ଏକମାତ୍ର ସେତୁ । ତା’ ଛଡ଼ା ଆଉ କିଛି ନାହିଁ ।

ଅନୁପମ ଓ ଜୋନାକୀର ଅଜାଣତରେ ଡ: ମିଶ୍ର ଠିଆହୋଇ ଦେଖୁଛନ୍ତି ଏମାନଙ୍କୁ ନୀରବରେ ।

ଅନୁପମର ଖୋଜିବାର ଅନ୍ତ ନାହିଁ ।

ଆକାଶରୁ ଆଖି ଫେରାଇଆଣି ଜୋନାକୀ କହିଲା–‘‘ମି: ଦାସ, ଏଇ ଆକାଶ ବ୍ୟତୀତ ମୋତେ ଯେ ଆଉ କେହି ଆପଣାର କରିପାରିବ ଏ ବିଶ୍ଵାସ ମୋର ଆସୁନାହିଁ ।’’

ଡ: ମିଶ୍ର ପଛଆଡ଼ୁ ଏକରକମ ଚିତ୍କାର କରିଉଠିଲେ–‘‘ୟୁ ଆର୍‌ ରାଇଟ୍‌, ୟୁ ଆର୍‌ ରାଇଟ୍‌ । ତୁମେ ସତ କହିଚ । ଏଇ ଆକାଶ ହିଁ ଆମର ଏକମାତ୍ର ଆପଣାର; କିନ୍ତୁ ଅନ୍ୟମାନଙ୍କୁ ଆପଣାର କରିବା କ୍ଷମତା ମଣିଷର ଅଛି, କାରଣ ମଣିଷର ଆଖିଗୁଡ଼ାକ ଅତି ବିଚିତ୍ର ।’’ ଅନୁପମର ଚେତା ଫେରିଆସିଲା । ଜୋନାକୀ ସଂକୁଚିତ ହୋଇଗଲା ।

ଡ: ମିଶ୍ର କହିଲେ–‘‘ଆସ ଆସ, ତୁମେ ଦୁହେଁ ଭିତରକୁ ଆସ । ମୁଁ ତୁମକୁ ପରୀକ୍ଷା କରିବାକୁ ଚାହେଁ । ବୋଥ ଅଫ୍‌ ୟୁ ପଜେସ୍‌ ଟୁ ରିମାର୍କେବଲ ପେଆର୍‌ ଅଫ୍‌ ଆଇଜ୍‌ । ତୁମର ଆଖି ଦୁଇଯୋଡ଼ା ଅତି ଅଦ୍ଭୁତ, ଅତି ବିଚିତ୍ର । ମୋର ନିଭୃତ ଆଗାରକୁ ତୁମେ ଆସ । ଶୋଚନା କରନା, ତୁମର କୌଣସି କ୍ଷତି ହେବନାହିଁ ।’’ ଅନୁପମ ଓ ପଛେ ପଛେ ଜୋନାକୀ ଭିତରକୁ ଗଲେ ।

ଡ: ମିଶ୍ର ପୁଣି କହିଲେ–‘‘ବୁଝିଲ ପିଲେ, ଆଖି ହେଉଛି ମଣିଷ ମନର ସବୁଠୁ ବଡ଼ ନିର୍ଭୁଲ ଦର୍ପଣ । ଆମେ କେବଳ ଅନ୍ୟାନ୍ୟ ପ୍ରାଣୀଙ୍କପରି ଆଖିରେ ଦେଖୁନା କି ଖୋଜୁନା, ଆମେ ଆଖି ସାହାଯ୍ୟରେ କଥାବାର୍ତ୍ତା ମଧ୍ୟ କରୁ ।’’

 

କହୁଁ କହୁଁ ସେ ନିଜର ଆଗାର ଭିତରେ ପହଞ୍ଚି ଏକ ସୁନ୍ଦର ଦର୍ପଣ ଆଣି ଜୋନାକୀ ଆଖି ସାମ୍ନାରେ ଧରିଲେ, ନିବିଡ଼ରେ ।

 

‘‘କହ ଜୋନାକୀ, ବର୍ତ୍ତମାନ ତୁମେ କ’ଣ ଦେଖୁଛ’’–ଡ: ମିଶ୍ର ପଚାରିଲେ ।

 

‘‘ମୁଁ ଅନେକ କିଛି ଦେଖଛି ସାର୍‌’’–ଜୋନାକୀ କହିଲା–‘‘କିନ୍ତୁ ଏ ସବୁର ନାମ ମୁଁ ଜାଣେନା । ଆପଣ ବି ଆମକୁ କେବେ ପଢ଼ାଇନାହାନ୍ତି ସାର୍‍ । ଏତିକି କହିପାରେ–ଏକ ବିରାଟ ଅନ୍ଧକାର ରାଜ୍ୟ ଭିତରେ ଜୁଳୁଜୁଳା ପୋକ କ’ଣ ଗୁଡ଼ାଏ ଖାଲି ଦପ୍‌ଦପ୍‌ ହେଉଛି । ଏଠି ସେଠି । ଶୃଙ୍ଖଳା ନାହିଁ ।’’

 

‘‘ଆହୁରି ଭଲ କରି ଦେଖ ଜୋନାକୀ । ଚିହ୍ନି ରଖିବାକୁ ଚେଷ୍ଟାକର । ଯେମିତି କି ତୁମେ ଆଉ ସେଗୁଡ଼ାକ ଭୁଲିବନାହିଁ କେବେହେଲେ ।’’

 

‘‘ସାର୍‌, ଜୁଳୁଜୁଳାପୋକ ପରି ଦପ୍‌ଦପ୍‌ ବତିଗୁଡ଼ାକ ଗୋଟାଏ ଲେଖାଁ ପାହାଡ଼ ଶୃଙ୍ଗରେ ବନ୍ଧାହେଲାପରି । ମଝିରେ ମଝିରେ ତହିଁରୁ ନିଆଁ ପରି କଣ ସବୁ ଉଦ୍‌ଗୀରଣ ହେଉଛି । ଭାରି ଭୟ ଲାଗୁଛି ସାର୍‌ ।’’

 

‘‘ଭୟ ଲାଗୁଛି–ହାଃ ହାଃ, ନିଜ ମନକୁ ଦେଖି ମଧ୍ୟ ତୁମେ ଏମିତି ଡରୁଛ ଜୋନାକୀ !’’ ଡ: ମିଶ୍ର ଜୋନାକୀର ଆଖି ଉପରୁ ଆରସିଟା କାଢ଼ିଆଣି କହିଲେ, ‘‘ଏଇ ହେଉଛି ତୁମ ମନର ସ୍ୱରୂପ । ତୁମେ ନିଜ ଆଖିରେ ତାକୁ ଦେଖିଲ । କି ଅନ୍ଧାର ତାହା; କିନ୍ତୁ ତା’ ଭିତରେ ଜଳୁଥିବା ସେଇ ବତିସବୁ ତୁମ ମନର କ୍ରିୟାଶୀଳ ଭାଲ୍‌ବ । ସେଇ ଭାଲ୍‌ବ ହିଁ ତୁମର ପ୍ରତିଟି ଆକାଂକ୍ଷାକୁ ଧରିରଖେ । ମଣିଷ ନୂତନ ଆଶା କଲାକ୍ଷଣି କଳା ପାହାଡ଼ ଅଗରୁ ନିଆଁଶିଖା ବାହାରେ ଏବଂ ଏକ ନୂତନ ଭାଲବର ସର୍ଜନା ହୁଏ । ସେଇ ଭାଲ୍‌ଭ ଚିରଦିନ ଦପ୍‌ଦପ୍‌ ହେଉଥିବ, ଖଦ୍ୟୋତ ପରି ମଣିଷର ସେଇ ବିଶେଷ ଆଶା ସଂପୂର୍ଣ୍ଣ ଚରିତାର୍ଥ ନହେବାଯାଏ । ମଣିଷର ମନ ଏକ ଅପରିସୀମ ଅନ୍ଧକାର ରାଜ୍ୟ ଏବଂ ତା’ ଭିତରେ ଅସଂଖ୍ୟ ଆଶାର ଭାଲ୍‌ବ । ସେଇ ଭାଲ୍‌ବର ସ୍ଵରହିଁ ବିଜ୍ଞାନ-।’’

 

ତା’ପରେ ଅନୁପମର ଆଖିକୁ ଲଗେଇ ସେଇ ଅଦ୍ଭୁତ ଆରସିଟି ଧରିଲେ ଡକ୍ଟର ମିଶ୍ର । ଅନୁପମ ଦେଖିଲା–ଠିକ୍‍ ସେଇ ଅନ୍ଧକାର ଏବଂ ଦପ୍‌ଦପ୍‌ ଅସଂଖ୍ୟ ଭାଲ୍‌ବ୍‌ ।

 

ଡକ୍ଟର ମିଶ୍ର ଆଉ ଗୋଟିଏ କାଚ ପ୍ଲେଟ ଉଠାଇଆଣି ପୁଣି ଜୋନାକୀର ଆଖି ସାମ୍ନାରେ ଧରିଲେ–

 

‘‘କ’ଣ ଦେଖୁଚ ?’’

 

‘ସାର, ମୁଁ ଅନ୍ଧ ହୋଇଯିବି ସାର୍‌ । ଓଃ ମୋ ଆଖି ଫାଟିପଡ଼ୁଛି । ସେଇମିତି ଅନ୍ଧକାର; କିନ୍ତୁ ଏଥର ଏ ଆଲୋକପିଣ୍ଡଗୁଡ଼ାକ କେତେ ବିରାଟ, କେତେ ତେଜୀୟାନ !’’

 

ଡ: ମିଶ୍ର ପୁଣି ଅନୁପମର ଆଖି ସାମ୍ନାରେ ସେଇ କାଚପ୍ଲେଟଟି ଧରି କହିଲେ–‘‘ଆରସି ଭିତରେ ଦେଖିଥିଲ ତୁମର ମନକୁ । ଏଥିରେ ଦେଖ ବ୍ରହ୍ମାଣ୍ଡ । ଏ ଅନନ୍ତ ଆକାଶ । ଘନ ଅନ୍ଧକାର-। ଏ ଆଲୋକ ପିଣ୍ଡ ସବୁ ଗୋଟିଏ ଗୋଟିଏ ତାରା । ସୃଷ୍ଟିକର୍ତ୍ତାଙ୍କର ମାନସିକ ଉତ୍ତେଜନାରୁ ଏଇ ତାରାଗୁଡ଼ିକର ସୃଷ୍ଟି । ମଣିଷର ଆଶା ମଧ୍ୟ ଏକ ମାନସିକ ଉତ୍ତେଜନା । ଯେଉଁ ଉପାୟରେ ମଣିଷ ମନ ଭିତରେ ଭାଲ୍‍ବର ସୃଷ୍ଟି, ଠିକ୍‌ ସେଇ ଉପାୟରେ ଏଇ ଅନନ୍ତ ଆକାଶରେ ଅସଂଖ୍ୟ ତାରର ସର୍ଜନା ହୋଇଛି । ମଣିଷ ମନର ଆଶା-ଭାଲ୍‌ବ ପରି ଏଗୁଡ଼ିକ ଚିରକାଳ ଦପ୍‌ଦପ୍‌ ହେଉଛନ୍ତି-। ଏଇ ତାରାଗୁଡ଼ିକର ଜ୍ୟୋତି ହେଉଛି କାବ୍ୟ, ସେମାନଙ୍କର ଅନୁଶୀଳନ ହେଉଛି ବିଜ୍ଞାନ-।’’

 

‘‘ବୁଝିଲ ପିଲେ’’ ଡ: ମିଶ୍ର ପୁଣି କହିଲେ–ଯେଉଁ ଆଶାକୁ ଆମେ ପରିତ୍ୟାଗ କରିଛୁ ବୋଲି ବାହାରେ ନାଗରା ପିଟୁଁ, ତାହାକୁ ଆମେ ଯଥାର୍ଥରେ ଛାଡ଼ିପାରି ନ ଥାଉଁ । ସେ ଧରଣର ନାଗରାପିଟା କେବଳ ଏକ ଆତ୍ମପ୍ରବଞ୍ଚନା । ଏଇ ଆତ୍ମପ୍ରବଞ୍ଚନା ହିଁ ମାନସିକ ଅଶାନ୍ତିର ପ୍ରଧାନ କାରଣ ।’’

 

ଟିକେ ଦମ୍‌ ନେଇ ଡ: ମିଶ୍ର ପାଇପ୍‌ ଲଗାଇଲେ । ଭକ୍‌ଭକ୍‌ ହୋଇ ଗୁଡ଼ାଏ ଧୂଆଁ ଲାବୋରେଟରୀ ଭିତରେ ଖେଳିଗଲା । ଆପଣାର ଫ୍ରେଞ୍ଚକଟ୍‌ ଦାଢ଼ି ଉପରେ ହସ୍ତ ସଞ୍ଚାଳନ କରି ଡ: ମିଶ୍ର ପୁଣି କହିଲେ–‘‘ତୁମେ ଦୁହେଁଯାକ ଯଦି ପରସ୍ପରକୁ କେବେହେଲେ ଆପଣାର କରିବାର, ଇଚ୍ଛା କରିଥିବ, ସେ ଆଶା ଯେତେ ଅଚାନକ କିମ୍ବା ଅଦୂରଦର୍ଶିତା କିମ୍ବା ଅବିଜ୍ଞତା ହେଉନା କାହିଁକି, ସେ ଆଶା ତୁମମାନଙ୍କ ମନରେ ଖଦ୍ୟୋତ ପରି ଜଳୁଥିବ ।’’ ତା’ପରେ ପ୍ରସଙ୍ଗ ବନ୍ଦକରି ସେ କହିଲେ–‘ବର୍ତ୍ତମାନ ତୁମେ ଦୁହେଁ ଯାଇପାର ।’’

 

ଜୋନାକୀ ଓ ଅନୁପମ ଥଙ୍ଗଅଙ୍ଗ ହୋଇ ବାହାରିବାକୁ ଆରମ୍ଭ କଲାକ୍ଷଣି ଡଃ: ମିଶ୍ର ପୁଣି ଅଟକାଇଲେ–‘‘ଶୁଣ ! ଆଉ ଗୋଟିଏ କଥା ତୁମେ ମନେରଖିବା ଉଚିତ ଯେ ଏଇ ସଂସାରରେ ଜନ୍ମିତ ପ୍ରତ୍ୟେକ ପ୍ରାଣୀର ମନୋରାଜ୍ୟ ମୂଳତଃ ଅନ୍ଧକାର ଥାଏ । ଗୋଟିଏ ଶିଶୁର ମନଟା ଠିକ୍‍ ଏଇମିତି । ଗୋଟାଏ ନବଜନ୍ମିତ ଶିଶୁ ଆଶା କରି ଶିଖିନଥାଏ, ତାର ମନ ଥାଏ କେବଳ ଅନ୍ଧକାର, ତା’ଭିତରେ ଆଶାର ଜୁଳୁଜୁଳା ପୋକ ଜନ୍ମହୋଇ ନଥାନ୍ତି । ସେ ଯାହା କରେ, ଯାହା ଖାଏ, କେବଳ ପ୍ରବୃତ୍ତିର ଚାପରୁ । ସେ ଆଶାକରି ଶିଖି ନଥାଏ । ସେ ଆଶା କରି ଶିଖିଲା କ୍ଷଣି ତା’ର ମନୋଦେଶରେ ଧୀରେ ଧୀରେ କ୍ରିୟାଶୀଳ ଭାଲ୍‌ବ ସବୁ ଜଳିଉଠନ୍ତି । ଏଇ କ୍ରିୟାଶୀଳ ଭାଲ୍‌ବ ତା’ ମୁହଁରେ ଭାଷା ଆଣିଦିଏ, ତାକୁ ଚଲାଏ, ତାକୁ ବାଟ କଢ଼ାଏ, ତାକୁ ସ୍ଥିତି ସଚେତନ କରାଏ, ତାକୁ ଯୁଦ୍ଧଭୂମିକୁ ଟାଣିନିଏ, ତାକୁ ପ୍ରତିଜ୍ଞା କରି ଶିଖାଏ । ଯାହାର ମନର କ୍ରିୟାଶୀଳ ଭାଲ୍‌ବଗୁଡ଼ିକ ଯେତେ ଶକ୍ତଶାଳୀ, ସେ ସେତେ ବଡ଼ ମଣିଷ, ଯାହାଙ୍କୁ ମୁଁ କହେ ‘ହୀରୋ’ । ଏଇ ‘ହୀରୋ’ମାନେ ଶାରୀରିକ ଦୃଷ୍ଟିରୁ ଯେତେ ଦୁର୍ବଳ ହୁଅନ୍ତୁ ନା କାହିଁକି–ଦେ ନେଭର୍‌ ଲିଭ୍‌ ଦେଆର ଡିଜାୟାର୍‌ ଅନ୍‌ଫୁଲ-ଫିଲଡ୍‌ । ସେମାନେ ଇପ୍‍ସିତ ବସ୍ତ୍ରଟିକୁ ନ ପାଇବା ପର୍ଯ୍ୟନ୍ତ ପରାଜୟ ସ୍ଵୀକାର କରନ୍ତିନାହିଁ, କିମ୍ବା ଯୁଦ୍ଧଭୂମିରୁ ଛତ୍ରଭଙ୍ଗଦେଇ ପଳାଇ ଆସନ୍ତିନାହିଁ । ମୁଁ ସେଇମାନଙ୍କୁ ଭଲପାଏଁ । ସେଇମାନେ ହେଉଛନ୍ତି.....ଆମ ହିନ୍ଦୁ-ସମାଜର ଘୃଣ୍ୟ ବିବେଚିତ.....ରାବଣ, ମହିଷାସୁର ଓ କୀଚକ । ତୁମେ ସେମାନଙ୍କୁ ଅସୁର କହ । ବଟ୍‍ ଟୁ ମି ଦେ ଆର୍‌ ହୀରୋଜ୍‌ । ମୁଁ ସେମାନଙ୍କୁ ବୀର କହେଁ, ପ୍ରଣତି କରେ । ସେମାନେ ଯଦି ବଞ୍ଚିଥାଆନ୍ତେ, ମୁଁ ସେମାନଙ୍କ ଆଖି ଦୁଇଟା ଥରେ ଦେଖିଥାନ୍ତି–କେଡ଼େ ବିଚିତ୍ର କେଡ଼େ ଅଦ୍ଭୁତ ହୋଇନଥିବ ସେମାନଙ୍କର ଆଖି ସବୁ-!’’

 

‘‘କାରଣ ଆଖି ହିଁ ମନର ଦର୍ପଣ । ହଁ ଆଖି ହିଁ ମନର ଦର୍ପଣ–କହୁଁ କହୁଁ ଆବେଗରେ ଡକ୍ଟର ମିଶ୍ର ଥରିଉଠିଲେ ଓ ପଦଚାରଣ କଲେ ।

 

ଜୋନାକୀ ପ୍ରଶ୍ନଟିଏ ପଚାରିବ ବୋଲି ତିନି ଚାରି ଥର ଜିଭ ଠିକ୍‌କରି ପଚାରିପାରୁନଥିଲା । ଡ: ମିଶ୍ର ବକି ଚାଲିଥିଲେ ତାଙ୍କ ପରୀକ୍ଷାର ନୂତନ ଦିଗ୍‌ବଳୟ ଉପରେ । ଜୋନାକୀ ଏଥର ଆଗକୁ ବାହାରି ପଡ଼ିଲା–‘‘ସାର୍‌ !’’

 

‘‘କଣ କୁହ...... ?’’

 

ଜୋନାକୀ ପ୍ରଶ୍ନଟିକୁ ଆଉ ଥରେ ପରୀକ୍ଷା କରିନେଇ ପଚାରିଲା–‘‘ସାର, ମରଣ ପରେ ମନର ଅବସ୍ଥା କଣ ହୁଏ ? ମରଣ ପରେ ମନର ସ୍ଥିତି ଅଛି ନା ନାହିଁ ? ମରଣ ପରେ ଅଚରିତାର୍ଥ ଆଶାର ଗତି ଓ ପ୍ରକୃତି କଣ ହୁଏ ?’’

 

ଡା: ମିଶ୍ରଙ୍କ ମୁହଁ ଉପରେ ହଠାତ୍‍ ଗୋଟାଏ ମେଘର, ପଣତ ଢାଙ୍କି ହୋଇଗଲା । ନାକଟା ଗୋଜିଆ ହୋଇଗଲା । ଆଖିଗୁଡ଼ାକ ଜଳିଉଠିଲା । ପାଇପରୁ ଜୋର୍‌ରେ ଧୂଆଁ ବାହାରିବାକୁ ଲାଗିଲା ।

 

‘‘ମରଣ ପରେ.....’’ ଡ: ମିଶ୍ର ଅସ୍ପଷ୍ଟ ସ୍ଵରରେ ପ୍ରଳାପ କରିବାକୁ ଲାଗିଲେ–‘‘ମରଣ ପରେ….ମରଣ ପରେ ।’’

 

ଡ: ମିଶ୍ର ପଦଚାରଣ କରିବାକୁ ଲାଗିଲେ କିଛିକ୍ଷଣ । ତା’ପରେ ସେ ଜୋନାକୀକୁ କହିଲେ–‘ମୁଁ ସମୟ ଚାହେଁ । ତୁମେ ସବୁ ଯାଅ ।’’

 

ଅନୁପମ ଓ ଜୋନାକୀ ଡ: ମିଶ୍ରଙ୍କ ଚାମ୍ବରରୁ ଧୀରେ ଧୀରେ ନିଷ୍କ୍ରାନ୍ତ ହେଲେ । ଅନୁପମ ଓ ଜୋନାକୀଙ୍କ ଆଖି ସାମ୍ନାରେ ମଧ୍ୟ ଏକ ନୂତନ ଦିଗ୍‍ବଳୟ ଫୁଟିଉଠିଲା–‘‘ମରଣ ପରେ–କଣ ହୁଏ ମରଣ ପରେ ?’’

 

ଜୋନାକୀ ଓ ଅନୁପମ ଲାବୋରୋଟାରୀ ଭିତରୁ ବାହାରି ଆସି ବାରଣ୍ଡାରେ ପହଞ୍ଚିଲେ-

 

ଜୋନାକୀ କହିଲା–‘‘ମିଃ ଦାସ ! ଡଃ: ମିଶ୍ର ତା’ହେଲେ ଆପଣଙ୍କ ଆଖିକୁ ଚିହ୍ନି କୀଚକ ହେବାପାଇଁ କହିଛନ୍ତି–ଯେହେତୁ ତାଙ୍କ ମତରେ କୀଚକ ଜଣେ ହୀରୋ ।’’

 

ଅନୁପମ କହିଲା–‘‘ସେ ଯାହାହେଉ, କୀଚକ ରୂପରେ ମୁଁ କେବଳ ଅଭିନୟ କରିବି–ଜବାବ୍‌ ଦେଇଛି ଯେତେବେଳେ ।’’

 

ଜୋନାକୀ କହିଲା–‘‘ମୋର ଭୟ ହେଉଛି, ମୁଁ ଆପଣଙ୍କ ସାଥିରେ ତାଳ ଦେଇ ଅଭିନୟ କରିପାରିବି କି ନା ! କାରଣ କୀଚକ ହେବେ ଆପଣ । ମୋର ଯଦି ପ୍ରତିନାୟକ ପ୍ରତି ବ୍ୟଥା ଆସେ, ମନରେ ଯଦି ବେଦନା ଉରିଯାଏ, ତେବେ ନାଟକ ଅଭିନୟ ଏକ ଭୟଙ୍କର ଅସୁବିଧାର ସମ୍ମୁଖୀନ ହେବନାହିଁକି ? କାରଣ–’’

 

‘‘କାରଣ ?’’

 

‘‘ଡ: ମିଶ୍ରଙ୍କ ଥିଓରି ଅନୁସାରେ ମୋ ମନର ଅନ୍ଧକାର ରାଇଜରେ ଆପଣଙ୍କ ଲାଗି ଏକ ନୂଆ ଓ ଶକ୍ତିଶାଳୀ ଭାଲ୍‍ବର ସୃଷ୍ଟି ଘଟିଗଲାଣି । ମିଃ ଦାସ ! ମୁଁ କଣ ତାକୁ ଅସ୍ଵୀକାର କରିପାରିବି-?’’ ଜୋନାକୀ ଅନୁପମର ମୁହଁକୁ ଚାହିଁଲା–‘‘ମୋତେ ଆପଣ ନିଜର କରିବାକୁ ଚାହାନ୍ତି ତ-!’’

 

ଏଁ ! ଏ କଣ ଶୁଣୁଚି ସେ ? ଅନୁପମର କାନର ରିସିଭର ପର୍ଦ୍ଦାଟା ଝଂକୃତ ହୋଇ ଉଠିଲା ଏକ ଅଚାନକ ଦେବ-ଲବ୍‌ଧ ରାଗିଣୀରେ । ସେ ଅନୁଭବକଲା ଯେମିତି ତାର ଗାଲର ପୋଡ଼ାଚିହ୍ନଟା କୁଆଡ଼େ ମିଳେଇଯାଇଚି । ତେଣୁ ସେ ଆପଣାର ବିଚିତ୍ର ଆଖି ଦୁଇଟାକୁ ସ୍ଥିରକରି ଜୋନାକୀର ସାମ୍ନାରେ ଠିଆହୋଇପଡ଼ିଲା । ତାର ଇଚ୍ଛାହେଲା–ସେ ଜୋନାକୀକୁ ଟେକିଧରି ଏକ ବିସ୍ମୟକର ଭଙ୍ଗୀରେ ନାଚନ୍ତା; ଏବଂ କାନ୍ଧରେ ଶୁଆଇ ଶିବଙ୍କପରି ନାଚିନାଚି ପୃଥିବୀ ବୁଲନ୍ତା, ତାଣ୍ଡବ ଭଙ୍ଗୀରେ ନୁହେଁ–ଏକ ନୂତନ ଆନନ୍ଦୋନ୍ମାଦକ ଲାସ୍ୟ ଭଙ୍ଗୀରେ; କିମ୍ବା ମେଡ଼ିକାଲ କଲେଜର ଦି-ତାଲା ଛାତ ଉପରୁ ଜୋନାକୀକୁ ଧରି ତଳକୁ ଡେଇଁପଡ଼ନ୍ତା । ସେ କହିଲା–

 

‘‘ତୁମେତ ମୋର ନିଜର ହୋଇସାରିଚ ଜୋନାକୀ ! ମୋ ଆଖି ଭିତରେ ତୁମେ କଣ ନିଜକୁ ଦେଖିପାରୁନାହଁ !’’

 

କଲେଜ ବାରଣ୍ଡା ନହୋଇଥିଲେ ବୋଧହୁଏ ଜୋନାକୀକୁ ଅନୁପମ ବକ୍ଷରେ ଜଡ଼ାଇ ଧରିଥାନ୍ତା, ଆଉ କହିଥାନ୍ତା–‘‘ଜୋନାକୀ ! ତୁମେ ହିଁ ମୋର ଆକାଶ । ମୋର ଅତି ଆପଣାର......’’

 

‘‘ମୁଁ ଯାଉଚି ମି: ଦାସ’’–ଜୋନାକୀ କହିଲା–ମୋର କ୍ଲାସ୍‌ ଅଛି । ଆଜି ସନ୍ଧ୍ୟାରେ ରିହର୍ସାଲ୍‌ରେ ଦେଖାହେବ । ଯାଏଁ....... ।’’

 

‘‘ଯିବ ! ହଉ ଯା ! ଏକା ଏକା ଆହୁରି କେତେ ଦିନ ଯେ ମୋତେ ଅତିପାତ କରିବାକୁ ପଡ଼ିବ କିଏ ଜାଣେ ?’’ ଅନୁପମ କହିସାରି ଗୋଟାଏ ମସ୍ତବଡ଼ ନିଃଶ୍ଵାସ ନେଲା । ସେ ନିଃଶ୍ଵାସର ଓଜନଟାକୁ ଅନୁଭବ କରିପାରିଲା ଜୋନାକୀ । ସାମାନ୍ୟ ହସି କହିଲା–‘‘ଏତେ ଭାବପ୍ରବଣ ହୁଅନା-। ତୁମେ ଜଣେ ଡାକ୍ତର ।’’ ତୁମେ ସମ୍ବୋଧନରୁ ଅନୁପମ ଅନୁଭବ କଲା ଯେମିତି ଜୋନାକୀର ମନ ଉପରେ ବହୁଦିନ ଧରି ପଡ଼ିଥିବା କୌଣସି ଏକ ମାଟିଆ କେରପାଲ୍‌ ଏକ ସହସା ତୋଫାନରେ ଉଡ଼ିଗଲା । ସେ ଜୋନାକୀକୁ ଆହୁରି ନିକଟତର ମନେକଲା । ଅନୁପମ କହିଲା–‘‘ଡାକ୍ତର ହେଲେ ବି ତ ମୁଁ ମଣିଷ ? ମୁଁ ଯେଉଁ ହାତରେ ମଣିଷର ଶରୀର କାଟିପାରେ, ସେଇ ହାତରେ ବି ତୁମ ଓଠର ସ୍ନିଗ୍‌ଧତାକୁ ଅନୁଭବ କରିପାରିବି । ଶରୀର ରୋଗ-ଭୂ ହେଲେ ବି ତା’ର ଜ୍ୟୋତିକୁ ତୁମେ କ’ଣ ଅସ୍ଵୀକାର କରିପାରିବ ! ତୁମେ ତ ବି ହେବ ଜଣେ ଡାକ୍ତରାଣୀ । କହିପାରିବ, ତୁମ ମୁଣ୍ଡରେ କାହିଁକି ଏତେ ଫୁଲ ସଜାହୋଇଚି ? ଆମେ ଯାହା ହେଉନା କାହିଁକି, ଆମେ ସେଇ ନାରୀ ଓ ପୁରୁଷ । ଆମେ ଗୋଟିଏ କବିତାର ଦୁଇଟି ଧାଡ଼ି, ଗୋଟିଏ ଚିତ୍ରର ଦୁଇଟି ରେଖା; ଏକ ଆଶ୍ଚର୍ଯ୍ୟ କଳାକୃତି ଏବଂ ବିଜ୍ଞାନାଗାରର ପରୀକ୍ଷାପାଇଁ ପ୍ରସ୍ତୁତ ଗୋଟିଏ ସ୍ଵୟଂ-ସଂପୂର୍ଣ୍ଣ ସରଞ୍ଜାମ । ଛାତିର ବିଜ୍ଞାନଟାକୁ ଜାଣିବା ଲାଗି ଷ୍ଟେଥିସ୍‌କୋପ୍‌ ଦରକାର ହୁଏ ଜୋନାକୀ ! କିନ୍ତୁ ଛାତିର ଆର୍ଟ୍‌ପାଇଁ ମୋର ଏଇ ଆଖିଯୋଡ଼ାକ, ମୋର ଏଇ କାନଯୋଡ଼ାକ, ଦୁଇଟି ଓଠ ଯଥେଷ୍ଟ । ସବୁ ଜିନିଷ ଆର୍ଟ୍‌ ଆଉ ବିଜ୍ଞାନର ଏକ ସମନ୍ଵୟ ଏବଂ ଆମେ ସମସ୍ତେ ଜଣେ ଲେଖା ଆର୍ଟିଷ୍ଟ୍‌ ଓ ବୈଜ୍ଞାନିକ । ଆମେ ସଭିଏଁ ଭାବପ୍ରବଣ ଏବଂ ଆମେ ସମସ୍ତେ ମଣିଷ ।’’

 

ଜୋନାକୀର ଆଖି ଦୁଇକୋଣରେ ଦୁଇବିନ୍ଦୁ ଲୋତକ ଢଳଢଳ ହୋଇସାରିଥିଲା ।

 

‘‘ମୋ ମନର ଏଇ ଦୀର୍ଘଶ୍ଵାସ ତୁମ ଆଖିରେ ଏଇ ଲୋତକ-ବିନ୍ଦୁ ପରି ଏକ ମାନବିକ ପ୍ରୀତିର ଆକୃତି ଜୋନାକୀ ! ତୁମେ ବର୍ତ୍ତମାନ ଯାଅ !’’

 

ଜୋନାକୀ ଚାଲିଗଲା । ଅନୁପମ ଚାଲିଲା ହଷ୍ଟେଲ୍‌ଆଡ଼େ । ଯାଉଁ ଯାଉଁ ବାଟରେ ସେ ଦେଖିଲା ନୋଟିସ୍‌ବୋର୍ଡ଼ ପାଖରେ ଏକା ଏକା ଠିଆହୋଇଛି ସୁମିତା । ସୁମିତାକୁ ଦେଖିଲାକ୍ଷଣି ଅନୁପମର ଗୋଡ଼ ଦୁଇଟା ବନ୍ଦ ହୋଇଗଲା, ଜାଲିଆକୁ ଦେଖିଲେ ମାଛମାନେ ଯେପରି ନିରାପଦ ଜାଗାର ଠିକଣା ଭୁଲିଯା’ନ୍ତି । ଇସ୍‌, ସେଇ ଝିଅଟା ଏଇକ୍ଷିଣା କେତେ କଥା ପଚାରିବ । ପଚାରିବ–କ୍ଲାସକୁ କାହିଁକି ଗଲନାହିଁ । ଦେହ ଖରାପ ବୋଲି କହିଲେ, କହିବ ଚାଲ ମୁଁ ନିଜେ ମିକଶ୍ଚରଟାଏ ପ୍ରସ୍ତୁତ କରିଦେବି । ନଛୋଡ଼ବନ୍ଧା ସେ । ନଇଲେ କହିବ–ଦିଅନ୍ତୁ, ମୁଁ ଆପଣଙ୍କ ଖାତାରେ ଆଜିର କ୍ଲାସ ନୋଟ୍‌ଟା ଟିପିଦେବି । ଜବରଦସ୍ତି ତାହାହିଁ କରିବ । ଖାଲି ସେତିକି ନୁହେଁ–ନୋଟ୍‌ର ନାନା ସ୍ଥାନରେ ତାହାର ନାଁଟିକୁ ବାରମ୍ବାର ଲେଖିଥିବ; କେତେବେଳେ ବା ଅନୁପମର ନାଁ ସହିତ ତାର ନାଁକୁ ଯୋଡ଼ି । ଅନୁପମ ବିରକ୍ତ ହୋଇପାରେନାହିଁ । ଘର ଭିତରକୁ ଆଣି ବାଧ୍ୟହୋଇ କଟାକଟି ଆରମ୍ଭ କରିଦିଏ, କିମ୍ବା କାଳି ଢାଳିଦିଏ ଜାଣି ଜାଣି ।

 

ଅନୁପମ ଏଥର ମଧ୍ୟ ସୁମିତାକୁ ଅତିକ୍ରମ କରିପାରିଲାନାହିଁ । ସୁମିତା ଯେମିତି–ଅନୁପମ ଲାଗି ଅପେକ୍ଷା କରି ଠିଆହୋଇଥିଲା ।

 

‘‘ମୁଁ ଆଜି ଡ: ମହାନ୍ତିଙ୍କ କ୍ଲାସକୁ ଯାଇପାରିଲିନାହିଁ’’–ସୁମିତା କହିଲା–‘‘ଘରେ ଟିକେ ଅସୁବିଧା ପଡ଼ିଗଲା । ଆପଣ ମୋତେ ଟିକେ ନୋଟ୍‌ଟା ଦେବେ ?’’

 

‘‘ଏଁ ଓ ! ନୋଟ୍‌; କିନ୍ତୁ ମୁଁ ବି ତ–’’ ଅନୁପମ କହିପାରିଲାନାଇଁ ।

‘‘ମାନେ, ଆପଣ ବି କ୍ଲାସ ଯାଇନାହାନ୍ତି ! ଦେଖନ୍ତୁ ତ କି ରକମ ଯୋଗାଯୋଗ ! ଦୁଇଜଣ ହିଁ ଅନୁପସ୍ଥିତ ।’’ ସୁମିତା ହସିବାକୁ ଲାଗିଲା ।

ଅନୁପମ ବି ଅନିଚ୍ଛାସତ୍ତ୍ୱେ ହସିଲା ।

ତା’ପରେ ସୁମିତା ତା’ର ଡିସେକ୍‌ସନ୍‌ ବାକ୍‌ସ ଭିତରୁ ଦୁଇଟି ଫୁଲ ବାହାର କରି ଅନୁପମକୁ ଦେଲା–‘‘ନିଅନ୍ତୁ, ଗୋଟିଏ ଆପଣଙ୍କର ଓ ଗୋଟିଏ ମୋର । ଆମ ବଗିଚାରେ ଫୁଟିଥିଲା । କେମିତି ଫୁଲ କହିଲେ ! ଭଲ ବାସ୍ନା ନିଶ୍ଚୟ । ଜାଣନ୍ତି, ଏ ଗୋଲାପ ଗଛଟି ମୁଁ ନିଜ ହାତରେ ଲଗେଇଥିଲି । ଏ ଦୁଇଟି ୟା’ର ପ୍ରଥମ ଫୁଲ ।’’

ଅନୁପମ ଫୁଲ ଦୁଇଟି ହାତରେ ଗୋଟାଏ କ୍ରେନ୍‍ ମାଲ୍‍ ଉଠାଇଲାପରି ଧରିଲା ‘‘କହିଲା ଯେ ଏଥିରୁ ଗୋଟେ ତୁମର ବୋଲି, ମୋତେ ଦୁଇଟା ଦେଲ କାହିଁକି ? ନିଅ, ଏଇଟି ତମେ ନିଅ ।’’

ସୁମିତା ସାମାନ୍ୟ ଅଭିମାନ କରି କହିଲା–‘‘କଣ ହାତରେ ନେବି ?’’

‘‘ଆଉ.......’’ ଅନୁପମ ସୁମିତାର ଉଦ୍ଦେଶ୍ୟଟା ବୁଝିପାରୁଥିଲେ ବି ତା’ର ଇଚ୍ଛା ନଥିଲା ସୁମିତାର କବରୀ ଛୁଇଁବା ଲାଗି ।

କିନ୍ତୁ ସୁମିତା ତାର ପାହାଡ଼ପରି ଦେହଟାକୁ ଘୂରେଇ ଅନୁପମର ଆଖି ସାମ୍ନାରେ ନିଜର କବରୀ ରଖି ଠିଆହେଲା । ‘‘ନାରୀ ପୁରୁଷ ନିକଟରୁ ଫୁଲ ହାତରେ ନେବା ସୁନ୍ଦର ଦିଶେନାହିଁ । ସେଥିପାଇଁ ତାର କବରୀ ଅଛି ।’’

 

ଅନୁପମ ଏକ ଯନ୍ତ୍ର ହୋଇଯାଇଥିଲା । ତାର ହାତର ଫୁଲଟା କେତେବେଳେ ଯେ ଯାଇ ସୁମିତାର ଗଭାରେ ଖୋସିହୋଇଗଲା, ସେଥିକି ତାର ହେଜ ନାହିଁ ।

 

ସୁମିତା କହୁଛି–‘‘ଆପଣ ଖୁବ୍‌ ଡରକୁଳା । ଛିଃ, ପୁରୁଷ ପୁଅ ହୋଇ......’’

 

କଥାଟା ଅନୁପମର ଛାତିରେ ଚାଏଁ କିନା ଲାଗିଗଲା; କିନ୍ତୁ ସୁମିତା ହସୁଥାଏ । କହୁଥାଏ ଅନେକ କିଛି । ଅନୁପମର ସେ ସବୁ ଶୁଣିବାକୁ ଧୈର୍ଯ୍ୟ ନଥିଲା । ସେ କେବଳ ଖୁଣ୍ଟପରି ଠିଆହୋଇଥାଏ ସେଇଠି ।

 

ସୁମିତାଠୁଁ ବିଦାୟ ଆଣି ଅନୁପମ ଚିତ୍‌ହୋଇ ନିଜ ରୁମର ଖଟ ଉପରେ କିଛିକ୍ଷଣ ପଡ଼ିରହିଲା । ନୂଆ ହଷ୍ଟେଲର ଛାତ ପିଟା ଚାଲିଚି ବଗିଚା ଆର କଡ଼ରେ । କୋଠା ପିଟାର ସେଇ ଶବ୍ଦ ଭିତରେ ବେପରୁଆ ନିଦ ଲାଗିଆସୁଚି ଅନୁପମର ଆଖିଉପରକୁ । ଜୋତା ଖୋଲାହୋଇନାହିଁ-। ପକେଟ୍‌ ଭିତରେ ଜୋନାକୀ ଓ ସୁମିତାଙ୍କର ଫୁଲ ଦୁଇଟି ଅଛି ।

 

କୋଠା ପିଟୁଥିବା ଆଦିବାସୀ ଝିଅମାନେ ଏକ ସ୍ଵରରେ ଗୀତ ଗାଉଛନ୍ତି ଆଦିବାସୀ ଭାଷାରେ–ତାର ଅର୍ଥ–‘‘ଶୋଇବାକୁ ବେଳ ନାହିଁରେ ସଙ୍ଗାତ–କାମ କରିକରି ଦିହ ବଥା ହେଲାଣି । କାମ ଶେଷ ହେଉ, ଆମେ ଦିହେଁ ଟୋପେ ଟୋପେ ମଦପିଇ ଶୋଇପଡ଼ିବା । ଦେଖୁଛ ତ ଏ ଶରତ୍‌କାଳ । ଫୁଲସବୁ ଫୁଟିଛି ବଣରେ । ରେ ସଙ୍ଗାତ, ତୁ ନିଜେ ତୋଳିଆଣି ମୋ ଗଭାରେ ନଦେଲେ ମୁଁ ପିନ୍ଧିବିନାହିଁ । ତୋ’ ଆଖିଲାଗି ମୁଁ ପିନ୍ଧେ, ମୋ ଆଖିର ପଛରେ ମୋ ଖୋଷା, ସୁନ୍ଦର ଅସୁନ୍ଦରରେ ମୋର ବା କି ଯାଏ ? ଶୋଇବାକୁ ବେଳନାହିଁ–ରେ ସଙ୍ଗାତ । କାମ ଶେଷକର, ଫୁଲ ତୋଳିଆଣି ପରେ ମୋ ଗଭାରେ ଖୋଷିଦେବୁ । ତୋ ପାଇଁ ଦୁଇଟା ରାନ୍ଧିନଦେଲେ ତୁ କଣ ମୋତେ ଅନେଇବୁ–ତୋତେ ରାନ୍ଧିକି ପରଷିବାଲାଗି ସିନା ମୁଁ କୋଠା ପିଟିବି । ଶୋଇବାକୁ ବେଳନାହିଁ–ରେ ସଙ୍ଗାତ, କାମ ଶେଷ କର !’’

 

ଅନୁପମ ଶୋଇପଡ଼ିଲା ।

 

କଟକ ଆକାଶର ଧୂଳିରେ ପହଁରି ପହଁରି ଆସିଲାଣି ସନ୍ଧ୍ୟା, କାର୍ତ୍ତିକ ମାସର ନାତିଶୀତୋଷ୍ଣ ସନ୍ଧ୍ୟା । ହସ୍‌ପିଟାଲର ଝରକାଗୁଡ଼ାକ ଉଜ୍ଜ୍ଵଳ ହୋଇଗଲାଣି । ଅନୁପମର ନିଦ ଭାଙ୍ଗିଲା । ବ୍ୟାଡ଼ମିଣ୍ଟେନ, ହକି ଓ କ୍ରିକେଟ୍‌ ଖେଳରୁ ପିଲାମାନେ ଫେରୁଥାଆନ୍ତି । ସେମାନଙ୍କର ପାଟି ଶୁଣାଯାଉଥାଏ ଦୂରରୁ । କେତେକଙ୍କ ଟ୍ରାନଜିଷ୍ଟର ରେଡ଼ିଓରୁ ଭାସି ଆସୁଥାଏ କେତେଟା ଲଘୁ ହିନ୍ଦି ସିନେମା ଗୀତର ଆୱାଜ ।

 

ମଣିଷ ଲଘୁହେବାକୁ ଭଲପାଏ; କିନ୍ତୁ ଅନୁପମକୁ କର୍କଶ ଲାଗେ ସେଗୁଡ଼ାକ । ସେଥିପାଇଁ ବି ମଝିରେ ମଝିରେ ତାକୁ ସୁମିତା କହେ ବେରସିକ ।

 

ହଷ୍ଟେଲ ବାରଣ୍ଡାରେ କେହି ଜଣେ ଆସୁଚି । ପାଦଶବ୍ଦ । ଅନୁପମକୁ ହଠାତ୍‌ ଏ ପାଦଶବ୍ଦ ନୂଆ ନୂଆ ଲାଗିଲା । ସେ ଅନେଇଲା, ଯେମିତି କେହି ଜଣେ ପ୍ରତି ରୁମ୍‍, ଦରଜା ନିକଟରେ ଅଟକି ଅଟକି ଆସୁଚି । ପାଦଶବ୍ଦରୁ ଜଣାଯାଏ, ନିଶ୍ଚୟ ଜଣେ ଭାବପ୍ରବଣ ଲୋକ । ପାଦଶବ୍ଦଟି ତାର ରୁମ୍‌ଆଡ଼କୁ ଆସୁଚି । ତା’ହେଲେ ତା’ ରୁମ୍‌ ନିକଟରେ ବି ଅଟକିବ । ଅନୁପମ କୌତୂହଳବଶତଃ ଚାହିଁ ରହିଲା । ଏଁ, ଏ ଯେ ଡ: ମିଶ୍ର । ‘‘ସାର୍‌ !’’

 

‘‘ହଁ-ହଁ । ମୁଁ ତମକୁ ଖୋଜିଖୋଜି ହଁ ଆସିଛି । ଆସ, ଅଭିନୟ କରିବା ଯେ ! ତୁମେ ସେଠି ନ ରହିଲେ ମୁଁ ଅଭିନୟ ଶିଖାଇବି କାହାକୁ ?’’

 

‘‘କାହିଁକି ସାର, ଅନ୍ୟମାନେ ଅଛନ୍ତି ଯେ ।’’

 

ଡ: ମିଶ୍ର କହିଲେ–‘‘କାରଣ ତୁମର ଦୁଇଟା ଶକ୍ତିଶାଳୀ ଆଖି ଅଛି । ଆଣ୍ଡ ହ୍ୱେୟାର ଇଜ୍‌ ଦାଟ୍‌ ଗାର୍ଲ । ସେଇ ଝିଅଟା କୁଆଡ଼େ ଗଲା ?’’ ଏହା କହି ଡ: ମିଶ୍ର ରୁମ୍‌ର କୋଣଗୁଡ଼ାକୁ ଚାହିଁ ଦେଇଗଲେ–‘‘ଆରେ, କାହିଁ ସେ ତ ଏଠି ନାହିଁ ?’’

 

ଅନୁପମକୁ ଲାଜଲାଗିଲା । ସେ କହିଲା–‘‘ସାର୍‌, ସେ ଏଠାକୁ ଆସିନାହିଁ । ତାଙ୍କ ଘରେ ଥିବ ।’’

 

ଡ: ମିଶ୍ର କହିଲେ–‘‘ହ୍ୱାଟ ନନ୍‌ସେନ୍‌ସ ! ସେ ତୁମକୁ ଭଲପାଏ ପରା ? ସଂଧ୍ୟାବେଳେ ଘରେ ଏକା ରହୁଛି କେମିତି ? ମୁଁ କିଛି ବୁଝିପାରୁ ନାହିଁ । ବର୍ତ୍ତମାନ ତାର ତୁମ ନିକଟକୁ ଆସିବା କର୍ତ୍ତବ୍ୟ । ସି ସୁଡ୍‌ ।’’

 

‘‘ସେ ଏଠିକି ଆସିଲେ’’–ଅନୁପମ ଲାଜ ଛାଡ଼ି କହିଲା ‘‘କଲେଜର ପ୍ରିନ୍‍ସପାଲ ମୋତେ କଲେଜରୁ ତଡ଼ିଦେବେ ନାହିଁ ?’’

 

‘‘କାହିଁକି ?’’ ଡ: ମିଶ୍ର ଗୋଟାଏ ଅଜ୍ଞ ଶିଶୁପରି ପ୍ରଶ୍ନକଲେ ଓ ଅନୁପମର ମୁହଁକୁ ଚାହିଁ ରହିଲେ–‘‘ସେ ତୁମକୁ ଭଲପାଏ ପରା !’’

 

‘‘କିନ୍ତୁ ସାର୍‌ ! ଏଟା ପରା ଭାରତବର୍ଷ ।’’ ଅନୁପମ କହିଲା ।

 

ପିଲାଟିବେଳୁ ଇଂରେଜୀ ସ୍କୁଲରେ ପଢ଼ି ଲଣ୍ଡନରୁ ଉଚ୍ଚଶିକ୍ଷା ପାଇ ଫେରିଥିବା ଡଃ: ମିଶ୍ରଙ୍କ କାନରେ ଏକଥା ପଡ଼ିବାମାତ୍ରେ ତାଙ୍କର ଆଖି ଦୁଇଟା ଫାଡ଼ିହୋଇଗଲା । ଲାବୋରେଟରି ବାହାରର ଭାରତବର୍ଷକୁ ସେ ଜାଣନ୍ତିନାହିଁ ଟିକିନିଖି କରି । ସ୍ଵଦେଶର କିମ୍ବା ବିଦେଶର ନିତିଦିନିଆ ଖବର ସେ ରଖନ୍ତିନାହିଁ । ସେ କହନ୍ତି–‘ମୋ ଧାରଣାରେ ସ୍ଵଦେଶ ଓ ବିଦେଶ ସମାନ । ସବୁ ଏଇ ପୃଥିବୀରେ । ସବୁଆଡ଼େ ଏଇମିତି ଦୁଇ ଆଖିଆ ମଣିଷ ।’ ତାଙ୍କର ଦରକାର ଗୁଡ଼ାଏ ଆଖି ଓ ଏକ ଅପ୍‌-ଟୁ-ଡେଟ୍‌ ଗବେଷଣାଗାର । ମଣିଷର ଅନ୍ଧତା ଦୂରକରିବା ତାଙ୍କର ଶପଥ । ଆଖିଥିଲା ଅନ୍ଧ ମଣିଷ ବିଦେଶରେ ଯେତେ ସ୍ଵଦେଶରେ ବି ସେତିକି । ସେଇଥିପାଇଁ ସେ ଅବିବାହିତ ରହିଚନ୍ତି । ତାଙ୍କର ଲାବୋରେଟରି ସର୍ବଶ୍ରେଷ୍ଠ ବନ୍ଧୁ । ସେଇ ଲାବୋରେଟରିର ଦକ୍ଷିଣ ଓ ପଶ୍ଚିମପଟ ଝରକା ଖୋଲି ସେ ବି ନୀଳ-କାନ୍ତ ଗଗନର ବିରାଟ ଦାଣ୍ଡ ଉପରେ ଚାଲିଥିବା ନିତ୍ୟଲୀଳାକୁ ବେଶ୍‌ ଅନୁଭବ କରିପାରନ୍ତି ଓ ମଝିରେ ମଝିରେଗୁଡ଼ାଏ ଆଖିରୋଗୀଙ୍କୁ ପରୀକ୍ଷାକରି ସେ ନିଜର ଜୀବନୀଶକ୍ତିକୁ ବେଶ୍‌ ସଜେଇ ଓ ବଞ୍ଚେଇ ରଖିପାରିଛନ୍ତି । ଇଂରେଜୀର ଗୋଟାଏ ଦୁଇଟା ବିଜ୍ଞାନ ପତ୍ରିକାକୁ ଛାଡ଼ିଦେଲେ, ସେ ଆଉ କିଛି ପଢ଼ନ୍ତିନାହିଁ । ହସ୍‌ପିଟାଲ୍‌ରେ ମରିଥିବା ଲୋକଙ୍କର ଆଖିଗୁଡ଼ାକୁ କିଣି ସେ କାଚ ଜାର୍‌ ଭିତରେ ଏସିଡ଼ ଦେଇ ସଜେଇଥାନ୍ତି ଏବଂ ସେଇଗୁଡ଼ାକୁ ପଢ଼ିବା ତାଙ୍କର ନିତିଦିନିଆ ଆବସରିକ ଲଘୁପାଠ । ସଂସ୍କୃତି ଇତ୍ୟାଦି ସେ କିଛି ବୁଝନ୍ତିନାହିଁ । ତାଙ୍କ ନିକଟରେ ସବୁ ମଣିଷର ଗୋଟିଏ ସଂସ୍କୃତି ଓ ଗୋଟିଏ ଧର୍ମ । ସ୍କୁଲଜୀବନରେ ପଢ଼ିଥିବା ସଂସ୍କୃତି ଘେନି ଦୁଇ ଚାରିଟା ପ୍ରବନ୍ଧକୁ ସେ ଇଚ୍ଛାକରି ଭୁଲିଯାଇଛନ୍ତି । ମଝିରେ ମଝିରେ ସେ ଲାବୋରେଟରୀର ବୁଢ଼ା ପିଅନଠାରୁ ହିନ୍ଦୁ ପୁରାଣର ମଜା ମଜା ଗପସବୁ ଶୁଣନ୍ତି । ସେଥିପାଇଁ ତାଙ୍କୁ ଲୋକେ କହନ୍ତି ପାଗଳା ଡାକ୍ତର । ମଝିରେ ମଝିରେ ତାଙ୍କ କାନରେ ଏଇ ଶବ୍ଦଟା ପଡ଼େ ଏବଂ ସେ ଗୋଟାଏ ଦରହସା ପିଲାପରି ହି–ହି ହୋଇ ହସିଉଠନ୍ତି । ଅନୁପମ ଡଃ: ମିଶ୍ରଙ୍କର ପ୍ରିୟ ଛାତ୍ର । ଅନୁପମ ତାଙ୍କୁ ଭଲକରି ଚିହ୍ନିଥିଲା । ସେ ବି ମଝିରେ ମଝିରେ ଡାକ୍ତର ମିଶ୍ରଙ୍କର ଆଖି ଦେଖି ଭୟ ପାଇଯାଏ ।

 

ଡଃ: ମିଶ୍ର ଯେମିତି ଅନୁପମର ‘ଭାରତବର୍ଷ’ ଶବ୍ଦଟାକୁ ବଡ଼ ସମୟଧରି ତଉଲୁଥିଲେ ।

 

ଭାରତବର୍ଷ କହିଲେ ଡ: ମିଶ୍ର ବୁଝନ୍ତି–ଗୋଟାଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଜନ୍ମିଥିବା ଗୁଡ଼ାଏ ଲୋକଙ୍କର ବିଭିନ୍ନ ଆକାରର ଅସଂଖ୍ୟ ଦୃଷ୍ଟିଧର୍ମୀ ଆଖି । ଇଉରୋପ ଓ ଭାରତବର୍ଷର ଲୋକଙ୍କର ଆଖି-ଧର୍ମରେ ତଫାତ୍‌ କଣ ? କେଉଁଠି ପାର୍ଥକ୍ୟ ? କାହିଁକି ସେମାନେ ଇଉରୋପୀୟ ଆଉ ଏମାନେ ଭାରତବାସୀ ? ମଣିଷର କି ଅଧିକାର ଅଛି ଏମାନଙ୍କୁ ଅଲଗା ଅଲଗା ବିଚାର କରିବାର-?

 

ଡ:ମିଶ୍ରଙ୍କ ପୃଥିବୀର ମାନଚିତ୍ରରେ ଦେଶ ନାହିଁ, ମନଗଢ଼ା ରେଖା ନାହିଁ, ରଙ୍ଗର ପାର୍ଥକ୍ୟ ନାହିଁ । ଚାରିଆଡ଼େ କେବଳ ଆଖି, ଆଖି; ଗୋଟାଏ ସପୁରି ପଣସ ପରି; ଯେଉଁ ଆଖିଗୁଡ଼ାକ ଉପରେ ପ୍ରତିଭାତ ହେଉଛି ଅନ୍ଧକାର ଆକାଶର ଅସଂଖ୍ୟ ଜୁଳୁଜୁଳା ପୋକପରି ଅଗଣିତ ତେଜୀୟାନ୍‌ ତାରା ।

 

ଡଃ: ମିଶ୍ର ଆପଣାର ଦାଢ଼ି ମକଚିବାକୁ ଲାଗିଲେ । ତା’ପରେ ସେ ଏକ ଗମ୍ଭୀର ଓ ଉଦାସ କଣ୍ଠରେ କହିବାକୁ ଲାଗିଲେ–‘‘ଅନୁପମ ! କହିପାରିବ, ମଣିଷମାନେ କିଭଳି ଶିକ୍ଷା ପାଇଲେ ସେମାନଙ୍କ ଆଖିର ସଦ୍‌ବ୍ୟବହାର କରି ପାରିବେ ?’’

 

ଅନୁପମ ନିରୁତ୍ତର ରହିଲା ।

 

ଡ: ମିଶ୍ର ସେଇମିତି ଏକ ଚିନ୍ତାଛାୟିତ ମୁଖମଣ୍ଡଳ ଘେନି ବାହାରିଆସିଲେ ପଦାକୁ । ପଛେ ପଛେ ଆସିଲା ଅନୁପମ ।

 

ଡ: ମିଶ୍ର ଚାହିଁଲେ ମୁହଁ ଟେକି ଆକାଶକୁ । ଏପଟ ସେପଟ ହେଇ କିଛିଟା ତାରା ଜଳିଉଠିଥାନ୍ତି ସେଠି । ଜହ୍ନ ନ ଥାଏ । ଚଷମାଟାକୁ ରୁମାଲରେ ପୋଛି ପୁଣି ଲଗେଇଲେ ଆଖିରେ ଡ: ମିଶ୍ର । ପୁଣି ଚାହିଁଲେ ଆକାଶକୁ । ତା’ପରେ ଏକ ପ୍ରକାଣ୍ଡ ହସ ବାହାରିଆସିଲା ତାଙ୍କର ପେଟ ଭିତରୁ । ତା’ପରେ ସେ ଚାଲିଲେ କଲେଜ ହଲକୁ । ଅନୁପମ ଏକ ପୋଷା କୁକୁର ପରି ଅନୁସରଣ କଲା ।

 

‘କୀଚକବଧ’ ନାଟକର ରିହର୍ସାଲ୍‌ ଆରମ୍ଭ ହୋଇଥାଏ । ଅଭିନୟ ଲାଗି ବଛା ହୋଇଥିବା ଛାତ୍ରଛାତ୍ରୀମାନେ ଆସିଯାଇଥାନ୍ତି । କଲେଜ ୟୁନିୟନର ସଭାପତି ନବବନ୍ଧୁ ସିଗ୍ରେଟ୍‌ ଟାଣି ଟାଣି ଏପାଖ ସେପାଖ ହେଉଥାଏ । ସ୍ଵପ୍ନକାନ୍ତ ଠିଆହୋଇଥାଏ ବାହାରେ । ସେ ଭୀମ ହେବ କି ନା; ଏଣୁ ସେ ତାର ନର୍ଭସ ଶିରାଗୁଡ଼ାକୁ ଟିକିଏ ମାଡ଼ି-ମକଚି ଟାଣ କରିନେଉଥାଏ, ଯେମିତି ଜୋନାକୀ ସାମ୍ନାରେ ସେଗୁଡ଼ାକ କମ୍ପିତ ହୋଇ ନଉଠନ୍ତି, ଯେମିତି ତାର ଛାତି ଭିତରୁ ରଡ଼ି ପରିବର୍ତ୍ତରେ ରୋଦନ ନ ବାହାରେ । ଜୋନାକୀ ସାମ୍ନାରେ ଠିଆହେବାଲାଗି ଯେତେଟା ପୌରୁଷ-ପ୍ରସ୍ତୁତି ଦରକାର, ଅନ୍ୟମାନଙ୍କ ଅଲକ୍ଷ୍ୟରେ ସେ ସବୁକୁ ତିଆରି କରି ନେଉଥାଏ ସ୍ଵପ୍ନକାନ୍ତ; କିନ୍ତୁ ଅନୁପମର ଆଖିରୁ ତାର ଭିଡ଼ାମୋଡ଼ାଟା ବାଦ୍‌ ଗଲାନାହିଁ । ଅନୁପମ ଉପରେ ଆଖି ପଡ଼ିବାକ୍ଷଣି ସ୍ଵପ୍ନକାନ୍ତ ତା’ର ‘ନାରୋ’ ନଳୀପେଣ୍ଟ ପକେଟରେ ହାତ ଉର୍ତ୍ତିକଲା ଓ ପାନିଆଁଟାଏ ଧରି ମୁଣ୍ଡବାଳଟାକୁ ସେ ଝାପ୍‌ସା ଅନ୍ଧାର ଭିତରେ ଟିକିଏ ବାଗେଇନେଲା । ଦୁକୁଦୁକି ଉପରେ କଳା-ମଚମଚ ବାଳଗୁଡ଼ାକ ଚିତ୍ରିତ ତରଙ୍ଗପରି ଜମିରହିଥିଲେ ବି, ସ୍ଵପ୍ନକାନ୍ତର ଆଖି ଦେଇ ଅସଲ ଦୁକୁଦୁକିଟି ଜୁଳୁଜୁଳୁ ହେଉଥିଲା ଓ ଯାହାର କିରଣଗୁଡ଼ାକୁ ବେଶ୍‌ ଠଉରେଇ ନେଇଥିଲା ଅନୁପମ । ଅନ୍ଧାର ପଡ଼ିଆ ଭିତରୁ ଅନୁପମ କଲେଜ ହଲ୍‌ର ଆଲୁଅଟାକୁ ବିଶ୍ଳେଷଣ କରୁଥିଲା ।

 

ଅନୁପମ ଓ ଡ: ମିଶ୍ରଙ୍କୁ ଆସୁଥିବାର ଦେଖି ନବବନ୍ଧୁ, ଆସି ହଲ୍‍ର ପ୍ରଧାନ ଦରଜାରେ ଠିଆହେଲା, ଅଧାଜଳା ସିଗ୍ରେଟ୍‌ଟାକୁ ଫୋପାଡ଼ିଦେଲା, ଆଉ ଦି-ତିନିଜଣ ଛାତ୍ର ବି ଉଠି ଠିଆହୋଇପଡ଼ିଲେ ଡ: ମିଶ୍ରଙ୍କୁ ପାଛୋଟି ନେବାଲାଗି ।

 

ଚାଳକକୁ ଅପେକ୍ଷା କରି ବସିଥିବା ବସ୍‍ ଭିତରେ ଯାତ୍ରୀମାନେ ଚାଳକ ଆସି ସିଟ୍‌ରେ ବସିପଡ଼ିଲେ ଯେମିତି ଖୁସିଟାଏ ହୁଅନ୍ତି, ଠିକ୍‌ ସେମିତି କଲେଜ ହଲ୍‌ଟାରୁ ହଠାତ୍‌ ଜମିଆସୁଥିବା ବିରକ୍ତିଟା ନିଭିଗଲା । ସମସ୍ତେ ଖୁସିହୋଇ ପଡ଼ିଲେ । ଗୋଟାଏ ଗରମାଗରମ ହିନ୍ଦୀ ଛବି ଦେଖିବାଲାଗି ଭିଡ଼ ଭିତରେ ଠେଲାଠେଲି କରି ଆଠଣିଆ ଟିକେଟ୍‌ଟାଏ ପାଇଗଲେ ଗୋଟାଏ ଟୋକା ରିକ୍‍ସାବାଲାର ଓଠରେ ଯେମିତି ଏକ ପୂର୍ଣ୍ଣତାର ହସ ଖେଳିଯାଏ, ସେଇ ଧରଣର ଗୋଟାଏ ପୂର୍ଣ୍ଣତା ଜୋନାକୀର ଓଠ ଓ ଆଖିରେ ଅନୁପମକୁ ଦେଖି ଭାସିଉଠିଲା । ଅନୁପମର ମନେହେଲା ଜୋନାକୀ ଯେମିତି ପଚାରୁଛି–ଏତେ ଡେରି ଯେ–ମୁଁ କେତେବେଳୁ ଆସି ଏଠି ଅପେକ୍ଷାକରି ବସିଚି ।

 

ଅନୁପମ ଜୋନାକୀକୁ କାରଣ ବତେଇ ପାରିଲାନାହିଁ । ସେ ମୁଗ୍‍ଧ ହୋଇପଡ଼ିଲା । ଜୋନାକୀ ତଳକୁ ଆଖି କଲାଣି । ତା’ପାଖରେ ଆଉ ଦି ଚାରିଜଣ ଝିଅପିଲା ବସିଥାନ୍ତି । ସେମାନେ ବି ଅଭିନୟ କରିବେ । ଦ୍ରୌପଦୀ ଛଡ଼ା କଣ ଆହୁରି ନାରୀଚରିତ୍ର ଅଛନ୍ତି ‘କୀଚକବଧ’ରେ ? ହଁ, ଥିବେ ।

 

କଲେଜ ନାଟ୍ୟ ସଂସଦର ସଂପାଦକ ମଞ୍ଜୁର ଅଲି ଖାଁ ଫୁସଫୁସ କରି କଣ କହିଲା, ଦୃଷ୍ଟିରୁ ଅଧେ ଅନୁପମ ଉପରେ ରଖି । ଅନ୍ୟର ନିନ୍ଦା-ଓରଫ୍‌ ନିଜର ପ୍ରଶଂସା ଶୁଣିଲେ ଯେମିତି ଛାତି କୁଣ୍ଢେମୋଟ ହୋଇଯାଏ ଓ ଏକ ମନଫୁଲା ହସ ବାହାରେ, ସ୍ଵପ୍ନକାନ୍ତର ଓଠ ଓ ଛାତିରେ ସେଇମିତି ଏକ ସ୍ଵର ସଂଯୋଜିତ ହେବାର ଅନୁପମ ଲକ୍ଷ୍ୟକଲା ।

 

ତା’ପରେ ଅନୁପମ ଦେଖିଲା–ସ୍ଵପ୍ନକାନ୍ତ ଆସି ବେକ ଓ ଅଣ୍ଟା ଭାଙ୍ଗି ଝିଅଙ୍କ ମୁହଁ ସାମ୍ନାରେ ନଇଁଚି । କିଛିଟାଏ ଧୀରକଣ୍ଠରେ କହୁଛି । ସବୁ ଝିଅମାନେ ମୁହଁରେ ରୁମାଲ ଦେଇ ହସୁଛନ୍ତି । ପୁଣି, ଆଉରି କ’ଣ କହିଲା–ସମସ୍ତେ ଖିଙ୍କାରି ଉଠିଲେ–‘ନା, ନା, ନା ।’ କଣ ସେଇ ନା-। ଅନୁପମ ବୁଝିପାରିଲାନାହିଁ । ମୁହଁ ବୁଲେଇଆଣିଲା ।

 

ଡ: ମିଶ୍ର ମଞ୍ଚ ଉପରେ କୀଚକବଧ ବହିଟାକୁ ଧରି ଓଲଟେଇ ଓଲଟେଇ ପଦଚାରଣ ଆରମ୍ଭ କରିଦେଇଚନ୍ତି । ନବବନ୍ଧୁ, ନଈ ତଡ଼ିର ଗୋଟିଏ ଲଣ୍ଡା ଗଛ ଉପରେ ମାଛକୁ ଜଗି ବସିଥିବା ଗୋଟିଏ ଥଣ୍ଟିଆ ବଗ ପରି ଠିଆହୋଇଚି । ନାଟ୍ୟ ବିଭାଗର ସହକାରୀ ସଂପାଦକ ଝାଳନାଳ ହୋଇ ସମସ୍ତଙ୍କ ହାତରେ ଗୋଟିଏ ଗୋଟିଏ ଚା-କପ୍‌ ଧରାଇ ଦେଇ ଯାଉଛନ୍ତି ।

 

ସ୍ଵପ୍ନକାନ୍ତ ସଳଖି ଠିଆହେଲାଣି, ଜୋନାକୀ ଚା’ କପ୍‌ ଧରିଚି, ଚୁମକ ଦେଉନାହିଁ । ଅନୁପମର ହାତ ପାଖକୁ ଚା-କପ୍‍ ପହଞ୍ଚି ନଥାଏ । ଡଃ: ମିଶ୍ର ମଞ୍ଚ ଉପରୁ ଚିତ୍କାର କରିଉଠିଲେ–ଦ୍ରୌପଦୀ, କୀଚକ, ମାଲୁଣୀ ମଞ୍ଚ ଉପରକୁ ଆସ ।

 

ଜୋନାକୀ’ ଚା’ କପ୍‌ଟାକୁ ସେଇମିତି ରଖିଦେଇ ମଞ୍ଚ ଉପରକୁ ଉଠିଗଲା । ପଛେ ପଛେ ଅନୁପମ ।

 

ମଞ୍ଚ ଉପରେ ଅନୁପମ ଓ ଜୋନାକୀକୁ ଡ: ମିଶ୍ର କିଛିକ୍ଷଣ ଚାହିଁଲେ–ଜଣେ ଗବେଷକର ଭଙ୍ଗୀରେ, ଯେମିତି କି ସେ ପରୀକ୍ଷାନଳିରେ କୌଣସି ଏକ ପରୀକ୍ଷାରେ ପ୍ରତି ମୁହୂର୍ତ୍ତରେ ଘଟୁଥିବା ପରିବର୍ତ୍ତନଟାକୁ ଲକ୍ଷ୍ୟ କରୁଛନ୍ତି । ଡ: ମିଶ୍ରଙ୍କର ଏଇପରି ଏକ ନିବିଡ଼ ଓ ଶାଣିତ ଚାହାଣିକୁ ଜୋନାକୀ ବୋଧହୁଏ ସତେଜ ଭାବରେ ନିଜଠି ଦ୍ରବୀଭୂତ କରିପାରିଲା ନାହିଁ । ସେ ଆପେ ଆପେ ଝାଉଁଳିପଡ଼ିଲା ଲାଜରେ ।

 

ସେଇ ପ୍ରଥମ ଦୃଶ୍ୟ କୀଚକବଧର । ସେଇ ପ୍ରଥମ ଅଭିନୟ ଅନୁପମର ଜୋନାକୀ ସହିତ । ସେଇ ପ୍ରଥମ ଆରମ୍ଭ ତା’ କୀଚକ-ଜୀବନର । ବିରାଟନଗରର ବଗିଚା ଭିତରେ ତାକୁ ଠିଆହେବାକୁ ପଡ଼ିଲା ଗୋଟାଏ ମୃଗଶିଶୁକୁ ଜବରଦସ୍ତି କାନ୍ଧରେ ପକାଇ । ବଗିଚାର ମାଲୁଣୀ ସହିତ ଆସିଲା ଜୋନାକୀ ସେଇ ପଥଦେଇ । ଅନୁପମ କେରାଏ ଘାସ ଧରି ଖୁଆଇ ଦେଇଥିଲା ମୃଗ ଶିଶୁଟିକୁ । ମୃଗଶିଶୁଟି ପାଟି ଆଁ କରୁନଥିଲା । ଅନୁପମ ମୃଗଶିଶୁଟିର ପାଟିରେ ଆଙ୍ଗୁଳି ପୂରାଇ ଜବରଦସ୍ତି ଖୁଆଉଥିଲା । ପଛଆଡ଼େ ବିରାଟ ରାଜବାଟୀର ରାଜହଂସପୁରର ଦୃଶ୍ୟ । ଗୋଟାଏ ଫୁଲ-ପାଛିଆ ମୁଣ୍ଡେଇ ଚାଲିଛି ଦ୍ରୌପଦୀ….. । ସହସା ଏକ କଳାନାଗ କାହୁଁ ଆସି ଦ୍ରୌପଦୀ ଓ ମାଲୁଣୀର ପଥରୋଧ କରିଛି । ଭୟରେ ଚିତ୍କାର କରିଉଠିଛି ଦ୍ରୌପଦୀ..... ସାପ । କୀଚକ ଏହା ଶୁଣିପାରିଛି ଓ ତତ୍‍କ୍ଷଣାତ୍‍ ମୃଗଶିଶୁଟିକୁ ତଳେ ଛାଡ଼ିଦେଇ ଝପଟିପଡ଼ିଛି ଆଗକୁ । ଗୋଟିଏ ମୁହୂର୍ତ୍ତରେ ସାପଟା ମରି ପଡ଼ିଛି । ସାପଟା ମରିଗଲା ପରେ କୀଚକ ଚାହିଁଚି ଭୟ-ସଂକୁଚିତା ଦ୍ରୌପଦୀକୁ...କିଏ ଏ ? ମାଳୀଘରେ ଜନ୍ମହୋଇ ଏତେ ସୁନ୍ଦରୀ ! ଏଡେ କମନୀୟା ! ଏଡ଼େ କାନ୍ତ !’ ତା’ପରେ ସେ ଡାହାଣ ହାତରେ ମୃତ ସାପର ଲାଞ୍ଜ ଧରି ଦ୍ରୌପଦୀ ଆଗରେ ଚରକି ପରି ଘୂରାଇବାକୁ ଲାଗିଲା । କୀଚକର ଆଖିରେ ଦ୍ରୌପଦୀର ମଥା-ସିନ୍ଦୂର ଆସ୍ତେ ଆସ୍ତେ ଅଦୃଶ୍ୟ ହୋଇଯାଉଥିଲା । ପଥରୋଧକରି ଠିଆହୋଇଥିଲା ସେ, ସାପଠାରୁ ଆହୁରି ଭୟଙ୍କର ଭାବରେ । ମୃଗଶିଶୁଟା ଆସି ଦ୍ରୌପଦୀର ଲୋଟୁଥିବା ପଣତଟାକୁ ଦାନ୍ତରେ ଚୋବାଇବାକୁ ଆରମ୍ଭ କରିଦେଇଥାଏ । ଦ୍ରୌପଦୀର ଦେହ ଥରିଉଠିଲା । ସେ ଆଖି ଫେରାଇଆଣିଲା କୀଚକର ଢାଲ ପରି ଆଖି ଉପରୁ । ଫୁଲର ପାଛିଆଟା ତାର ମୁଣ୍ଡରୁ ଖସିପଡ଼ିଲା ତଳକୁ ଏତେ ଯତ୍ନରେ ସଂଗ୍ରହ କରିଥିବା ଫୁଲାଗୁଡ଼ାକ ବୁଣିହୋଇ ଗଲା କୀଚକର ପାଦତଳେ । ଗୋଟାଏ ଭୟଭୀତା ହରିଣୀପରି ଦଉଡ଼ି ପଳାଇଲା ଦ୍ରୌପଦୀ ପଛେଇ ପଛେଇ ଅଦୃଶ୍ୟ ହୋଇଗଲା ବନର ଗଛଲତା ଭିତରେ । କୀଚକ ହାତରେ ଚିତ୍ରପରି ଘୂରୁଥିବା ସାପଟାର ଘୂର୍ଣ୍ଣନବେଗ ଧୀରେ ଧୀରେ କମିଆସିଲା ଓ କିଛିକ୍ଷଣ ପରେ ସେଇଟା ତଳେ ଖସିପଡ଼ିଲା । ସ୍ତମ୍ଭୀଭୂତ ହୋଇଗଲା କୀଚକ । ମାଲୁଣୀ ସେଇମିତି ଠିଆ ହୋଇଥାଏ ନୀରବରେ ।

 

ତା’ପରେ ବୁଣିହୋଇଥିବା ସବୁ ଫୁଲଗୁଡ଼ାକୁ ପାଛିଆରେ ଭର୍ତ୍ତିକରି କୀଚକ ମାଲୁଣୀକୁ ଦେଲା । କହିଲା–ନେଇଯା, ତା’ର ଫୁଲ, ତାକୁ ହିଁ ଦେଇଦେବୁ ।

 

ତା’ପରେ ପୁଣି ସେ ହରିଣଛୁଆଟାର କଅଁଳ କାନଟାକୁ ସ୍ନେହରେ କାମୁଡ଼ି କାମୁଡ଼ି ଫେରିଗଲା ପଛଆଡ଼କୁ । ପ୍ରଥମ ଦୃଶ୍ୟ ଶେଷ ।

 

ଡ: ମିଶ୍ର କହିଉଠିଲେ–ଅନୁପମ, ତୁମେ ଭଲ ଅଭିନୟ କରିଛି । ୟୁ ଆର୍‍ ଏ ମାଷ୍ଟର ଆର୍ଟିଷ୍ଟ୍‌.....ତୁମେ ଜଣେ ପ୍ରଥମଶ୍ରେଣୀର କଳାକାର ।

 

ଅନୁପମ ବୁଲି ଚାହିଁଲା ମଞ୍ଚରୁ ନିଷ୍କ୍ରାନ୍ତ ହୋଇ ଠିଆହୋଇଥିବା ଜୋନାକୀର ଆଖି ଦୁଇଟାକୁ....ତା’ରିପାଇଁ ଏ ସଫଳତା ! ତା’ରି ପାଇଁ !

 

‘କୀଚକବଧ’ର ରିହର୍ସାଲ୍‌ ଚାଲିଥାଏ–ଦିନ ପରେ ଦିନ । ସେଇ ସଞ୍ଜଗୁଡ଼ାକ ଅନୁପମକୁ ପ୍ରତିଦିନ ନୂତନ ନୂତନ ଲାଗୁଥାଏ । କ୍ଳାନ୍ତି ଆସୁନଥାଏ, ଏହା ହିଁ ବୋଧହୁଏ ପ୍ରତି କଳାର ସାର୍ବଜନିକ ଓ ସାର୍ବକାଳିକ ମୂଲ୍ୟ । କଳା ସାଧନାର ଏକ ଅପହଞ୍ଚକୁ ଛୁଇଁବାର ଦୌଡ଼ ହେଲେ ବି ତହିଁରେ ଏକ କ୍ରମବର୍ଦ୍ଧିଷ୍ଣୁ ଉତ୍ତେଜନା ଥାଏ, ଯାହା ଫଳରେ କଳାକାର କେବେ କ୍ଳାନ୍ତି ଅନୁଭବ କରେନାହିଁ ।

 

କିନ୍ତୁ ପ୍ରତି କଳାସାଧନାର ଏଇ ବିଲକ୍ଷଣ ନିର୍ଭର କରେ ଆଉ ଏକ ବସ୍ତୁ ଉପରେ । କାରଣ, ଶୂନ୍ୟତା ଭିତରେ ଦୌଡ଼ିବା ସମ୍ଭବ ନୁହେଁ । ସେ ଶୂନ୍ୟରେ ଶୂନ୍ୟରେ ଦୌଡ଼ିବା । ଆରମ୍ଭ କରେ ଅଳ୍ପକାଳ ପରେ ଦୌଡ଼ ଉପରୁ ତା’ର ଆତ୍ମବିଶ୍ଵାସ ତୁଟିଯାଏ ଓ ତା’ ଗାଡ଼ିର ବ୍ରେକ୍‌ଡାଉନ୍‌ ହୁଏ, ଯାହାକୁ ଆଉ ଦକ୍ଷ ମେକାନିକ୍‌ ଆସି ବି ଠିକ୍‌ କରି ପାରେନାହିଁ ।

 

ଅତଏବ ପ୍ରତି ଅପହଞ୍ଚର ରୂପଟା ଯେତେ ନିରାକାର ହେଉନା କାହିଁକି, ତାହା ଆକାର ଘେନି ଉଭାହୁଏ ଶିଳ୍ପୀର ମନଭୂମିରେ । ଗୋଟାଏ ଦୂରବାହୀ ଜାହାଜର ଲକ୍ଷ୍ୟ ହୁଏତ ଥାଏ ଅପସୃୟମାନ ଦିଗ୍‌ବଳୟ ରେଖାରେ; କିନ୍ତୁ ତାହାର ଦୃଷ୍ଟି ସର୍ବଦା ନିବଦ୍ଧ ରହିଥାଏ ଗୋଟିଏ ସ୍ଥିର ଆଲୋକ ବିନ୍ଦୁ, ଉପରେ । ତାହା ବତିଘର ଅଥବା ଧ୍ରୁବତାରା; ଯାହାଙ୍କର ଅବସ୍ଥିତି ବିନା ଜାହାଜର ଦିଗ୍‌ବଳୟ ଛୁଇଁବା ସାଧନା ଏକ ଅକାଳ ବିଲୁପ୍ତିର ସମ୍ମୁଖୀନ ହୁଅନ୍ତା ।

 

ଅନୁପମ ପକ୍ଷରେ ଏଇ ଧରଣର ଆଶ୍ରୟ-ବିନ୍ଦୁ, ଥିଲା ଜୋନାକୀ ଯାହା ତାକୁ ଭୂଆଁବୁଲାରୁ ରକ୍ଷା କରୁଥିଲା ।

 

ସେଇଦିନ ନାଟକ ମଞ୍ଚସ୍ଥ ହେବାର କଥା ।

 

ସକାଳୁ ସକାଳୁ ହଷ୍ଟେଲରେ ଏକ ଚାପା ହସ ଓ ଏକ ଲୁଚାଚୋରା ବିସ୍ଫୋରଣ ଓ ଆଲୋଚନା ଆରମ୍ଭ ହୋଇଯାଇଥାଏ । ଦଳଦଳ ହୋଇ ପିଲା କଲେଜଆଡ଼ୁ, ଗୋଟିଏ ପ୍ରକାର ଢଙ୍ଗରେ ଆସୁଥାନ୍ତି । ଘଟଣା କଣ ? ଅନୁପମ କଲେଜଆଡ଼କୁ ଗଲା ।

 

ଘଟଣା ହେଉଚି ଖଣ୍ଡିଏ କାର୍ଟୁନ ଅର୍ଥାତ୍‌ ଏକ ବ୍ୟଙ୍ଗଚିତ୍ର–କେହି ସକାଳ ଆଗରୁ ନୋଟିସ୍‌ବୋର୍ଡ ଉପରକୁ କାନ୍ଥରେ ମାରିଦେଇଯାଇଛି । ‘କାର୍ଟୁନ୍‌’ର ନାଁ ସ୍ପଷ୍ଟ ଅକ୍ଷରରେ ଲେଖାଯାଇଚି....କୀଚକବଧ ପରେ ।’ ‘କୀଚକ’ ଶବ୍ଦଟା ପଡ଼ି ଅନୁପମର ମନଟା ଚମକିଗଲା । ଆରେ କଣ ତା’ ବିଷୟରେ କିଛି ? ନା, ସେ ନିଜର ଚେହେରାକୁ ତା’ଭିତରେ ଖୋଜି ପାଇଲାନାହିଁ-। ସେ ଦେଖିଲା..... ‘ଡାର୍କ୍‌ରୁମ ପଛପଟରେ ସେଇ ବଉଳଗଛ ମୂଳେ ସ୍ଵପ୍ନକାନ୍ତ ଜୋନାକୀକୁ ଚୁମ୍ବନଦେଉଛି ନିବିଡ଼ ଭାବରେ; ଏବଂ ଭୀମ ଦ୍ରୌପଦୀକୁ କହୁଚି ଶ୍ରଦ୍ଧାରେ–‘ପ୍ରିୟେ ! ଏଥର ତୁମର ମନସ୍କାମ ପୂରିଲା ?’ ଚିତ୍ରଟା ଦେଖି ଅନୁପମର ଦେହଟା କ୍ରୋଧରେ ଜଳିଉଠିଲ-। ତାହାର କ୍ରୋଧଟା ‘କାର୍ଟୁନ୍‌’ର ଶିଳ୍ପୀ ଉପରେ ଯେତେ ନହେଲା, ଅଧିକ ହେଲା ସେଇ ସ୍ଵପ୍ନକାନ୍ତ ଉପରେ-। ଅନୁପମର ସ୍ଥାନ ନେବାକୁ ମଞ୍ଚ ବାହାରେ ସେ କିଏ ? ବରଂ ସେ ଖୁସି ହେଇଥାନ୍ତା ଯଦି ଜୋନାକୀ ଓ ଅନୁପମର କାର୍ଟୁନ୍‌ କରି କିଏ କେବଳ ଗୋଟିଏ ଜାଗାରେ ନମଡ଼େଇ ବିଭିନ୍ନ ଜାଗାରେ ଲଗେଇଥାନ୍ତି, ଯେଉଁ ଛବି ଦେଖି ଉପରକୁ ସେ ବିରକ୍ତ ଓ ଅପମାନିତ ହେବାର ଢଙ୍ଗ ପ୍ରକାଶ କରି ଭିତରେ ଭିତରେ ଏକ ଅନବଦ୍ୟ ଆନନ୍ଦ ଓ ଗର୍ବ ଅନୁଭବ କରିଥାଆନ୍ତା; କିନ୍ତୁ ସ୍ଵପ୍ନକାନ୍ତ ଯୋଗୁଁ ଏଇ ଛବିଟା ଅନୁପମ ପକ୍ଷରେ ଅଶ୍ଳୀଳ ହୋଇଉଠିଛି । ସେ ଆଉ ଗୋଟିଏ ମୁହୂର୍ତ୍ତ ବି ଚିତ୍ରଟାର ରଙ୍ଗକୁ ସହିପାରିଲାନାହିଁ ।

 

ସେ ଧାଇଁଗଲା ସ୍ପୋର୍ଟସ ରୁମକୁ ଏବଂ ଅବିଳମ୍ବେ ଗୋଟାଏ ଜାଭେଲିନ୍‌ ଧରି ଆସି ପହଞ୍ଚିଲା । ତା ତଳେ ଜମା ହୋଇଥିବା ପିଲାମାନେ ତଥାପି ବି କିର୍‌କିର୍‌ ହୋଇ ହସୁଥାଆନ୍ତି । ଅନୁପମ ଜାଭେଲିନ୍‌ ଆଗରେ ଖେଁଚି ଖେଁଚି ପ୍ରଥମେ ସ୍ଵପ୍ନକାନ୍ତର ଛବିଟାକୁ ବିକଳାଙ୍ଗ କରିପକାଇଲା, ଯେପରି ସ୍ଵପ୍ନକାନ୍ତକୁ ଚିହ୍ନି ହେବନାହିଁ । ଜୋନାକୀର ଦେହ ଓ ଓଠ ପାଖରୁ ସ୍ଵପ୍ନକାନ୍ତକୁ ବଚ୍ଛିନ୍ନ କରିଦେବା ପରେ ଅନୁପମର ମୁଣ୍ଡରୁ ସତକୁସତ ଏକ ଝାଳ ବୋହିଗଲା ।

 

ଜୋନାକୀର ଛବିଟାକୁ ଜାଭେଲିନ୍‌ ମୁନରେ ଛୁଇଁବାକୁ ତାହାର ହାତ ଯାଉନଥାଏ–ଯେମିତି କିଏ ତାର ହାତଟାକୁ ତଳଆଡ଼ୁ ଟାଣିଧରିଥାଏ ।

 

ତଥାପି ଅନୁପମ ଜାଭେଲିନ ଉଠେଇଲା ଓ ଏକାନିଃଶ୍ଵାସରେ ଜୋନାକୀର ଗୋଡ଼, କଟି ଓ ହାତକୁ ସବୁ ଖେଞ୍ଚି ଖେଞ୍ଚି ଚିରିପକାଇଲା; କିନ୍ତୁ ଜୋନାକୀର ମୁହଁ ଉପରେ ଜେଭେଲିନ୍‌ ଲଗେଇପାରିଲାନାହିଁ । ଥାଉ । ସୁନ୍ଦର ଦିଶୁଚି । ଆହୁରି ସୁନ୍ଦର ଦିଶୁଚି ଆଖି ଦୁଇଟା । ଜାଭେଲିନ୍‌ର ଥଣ୍ଟଟା ଆପେ ଆପେ ନଇଁଆସିଲା ତଳକୁ । ଅନୁପମ ନିଷ୍ପଲକ ନୟନରେ ଚାହିଁ ରହିଥାଏ ଚିତ୍ରର ସେଇ ଅବିକୃତ ଆଖିଦୁଇଟାକୁ ।

 

ଅନୁପମ ଦେଖିଲା–ବାରଣ୍ଡାର ଗୋଟାଏ ମୁଣ୍ଡରୁ ଧଇଁସଇଁ ହୋଇ ଦଉଡ଼ୁଚି ନବବନ୍ଧୁ, କଲଜେ ଇଉନିଅନ୍‍ର ସଭାପତି । ନବବନ୍ଧୁକୁ ଦେଖି ଅନୁପମ ଆତ୍ମସ୍ଥ ହେଲା । ନବବନ୍ଧୁ ପହଞ୍ଚିଲାକ୍ଷଣି ଅନୁପମ କହିଉଠିଲା–‘‘ଦେଖନ୍ତୁ ଆଜ୍ଞା ! ନାଟକ ନ ହେଉଣୁ କାର୍ଟୁନ୍‌ ମରାହେଲାଣି । ନାଟକ ସରିଲେ ଆଉ କେତେ ନ ହେବ, ଛି ? ଅଭିନୟଟାକୁ ଯଦି ଏଇପରି ବିଦ୍ରୂପ କରାଯାଏ, ତା’ହେଲେ କେହି କଣ ଅଭିନୟ କରିବାକୁ ସ୍ଵେଚ୍ଛାରେ ବାହାରିବେ ? ଜୋନାକୀ ଯଦି ଏଇ ଚିତ୍ରକଥା ଶୁଣିବ ତାହାର ଅଭିନୟ କରିବାକୁ ଆଉ ଇଚ୍ଛା ହେବ କି ? ଆଜି ସ୍ଵପ୍ନକାନ୍ତକୁ ଠିଆକରାଗଲା, ହୁଏତ କାଲି ମୋର ଚିତ୍ର ହେବ, ତା’ଆର ଦିନ ଆଉ କାହାର । ମୋର କହିବାର କଥା, ଏଇ ‘କାର୍ଟୁନ୍‌’ର କଲେଜ ଛାତ୍ର ସଂଘ ତରଫରୁ ଏକ ସ୍ଵରରେ ଘୋର ନିନ୍ଦାବାଦ କରାଯାଉ, ଆଉ ଯେମିତି ଏହାର ଏଇପରି ଅଶ୍ଳୀଳ ପୁନରାବୃତ୍ତି ନଘଟେ ।’’ ଅନୁପମ କହିସାରି ନିଃଶ୍ଵାସ ନେଲା ।

 

କାର୍ଟୁନ୍‌ରୁ ଆନନ୍ଦ ଅନୁଭବ କରୁଥିବା ଦର୍ଶକମାନେ ଚୁପ୍‌ ହୋଇଗଲେ । ନବବନ୍ଧୁ, ଜାଭେଲିନର ଅଗକୁ ଥରେ ଓ ଚିରିଯାଇଥିବା କାର୍ଟୁନକୁ ଥରେ ଚାହୁଁଥାଏ । ତା’ପରେ ସେ ହଠାତ୍‍ ଅନୁପମର ହାତରୁ ଜାଭେଲିନ୍‌ଟା ଛଡ଼େଇନେଇ ସେଇ ଅବିକୃତ ଜୋନାକୀର ମୁହଁଟାକୁ ବି ଖେଂଚିପକେଇଲା ।

 

ଅନୁପମ ଏକ ଯନ୍ତ୍ରଣା ଅନୁଭବ କଲା, ସଭେ ଯେମିତି ଜାଭେଲିନ୍‌ରେ ତାର ଛାତିଟାକୁ କିଏ ବିଦାରିପକେଇଲା ।

 

ଅନୁପମ ଫେରିଆସିଲା ହଷ୍ଟେଲକୁ । ତା’ ପାଖ ରୁମରେ ଟୁପୁରୁ-ଟାପୁରୁ ଚାଲିଛି । ଜଣେ କହୁଚି ଅନ୍ୟ ଜଣକୁ ଜୋର ଦେଇ–‘‘ଆରେ, ତୁ ଜାଣିନ୍‌ । ସ୍ଵପ୍ନକାନ୍ତ ତାକୁ ନିଶ୍ଚୟ ବାହାହେବ । ଜୋନାକୀ ତାକୁ କଥାଦେଇଚି ପରା !’’

 

ଅନୁପମର କାନ ଝାଁ-ଝାଁ ହୋଇଗଲା । ତାର ମନେହେଉଥିଲା ସେଇ ପିଲାଦି’ଟାଙ୍କୁ ଗଳାଚିପି ମାରି ଦେଇଥାନ୍ତା–ଯେପରିକି ସେମାନେ ଆଉ ଏପରି ଗୁଜବ ଖେଳାଇ ପାରିନଥାନ୍ତେ । ସେ ପୁଣି ଶୁଣିଲା ଅନ୍ୟ ଜଣକ କହୁଛି–‘ହେଇପାରେ–ଅସମ୍ଭବ କଣ ? ସ୍ଵପ୍ନକାନ୍ତ ତ ଖୁବ୍‌ ସ୍ମାର୍ଟ୍‌ ଓ ସୁନ୍ଦର ।’’ କାହିଁ, କେହି ତ ଅନୁପମକୁ ନେଇ ଜୋନାକୀ ସହିତ ଯୋଡ଼ୁ ନାହାନ୍ତି ? କାହିଁକି ଯୋଡ଼ୁ ନାହାନ୍ତି ? ଅନୁପମ ନାଁରେ ତ ଗୁଜବ ଉଠୁନାହିଁ ! କାହିଁକି…... ? ତେବେ !!’’ ଅନୁପମକୁ ଲାଗିଲା, ଏତେଦିନଧରି ନିର୍ବାକ ଥିବା ତା’ ଗାଲର ପୋଡ଼ାଚିହ୍ନଟାର ଯେମିତି ପୁଣି ଥରେ ନିଦ ଭାଙ୍ଗିଚି; ସେଇଟା ପୁଣି ଯେମିତି ବା କ୍ରିୟାଶୀଳ ହୋଇଉଠିଛି, ମାତିଉଠିଛି ! ପୁଣି ସତେ ବା କଥା କହିବାକୁ ଆରମ୍ଭ କରିଛି ସେଇଟା ।

 

ସେଇ ଦାଗଟା ଉପରେ ଅନୁପମ ହାତ ମାରିଲା I କି ଗରମ ? କି ଭଳି ବାମ୍ଫ ବାହାରୁଛି ତହିଁରୁ !

 

ସେ ରାମ୍ପୁଡ଼ିପକାଇଲା ସେଇ ଦଗଟାକୁ ଏକ ବୀଭତ୍ସ ବେଦନାରେ ବିଚଳିତ ହୋଇ ।

 

ସେଇ ଦିନ ।

 

ବେଳ ପ୍ରାୟ ଦଶଟା ହେବ ।

 

ଯଦିଓ ଅନୁପମର ମନ ନଥିଲା ରୁମ୍‌ର ବାହାରକୁ ଯିବାକୁ, ତଥାପି ସେ ଗଲା । ଯଦି ଦେଖାହୁଏ ଜୋନାକୀକୁ ସେ ସ୍ପଷ୍ଟକରି ମୁହେଁ ମୁହେଁ ପଚାରିଦେବ..... କଣ ତାର ଇଚ୍ଛା ? କାର୍ଟୁନ୍‌ ଛବିଟା ସହିତ ତାର କଣ ଆନ୍ତରିକ ସମର୍ଥନ ଅଛି ? ହଁ, ତାହାହିଁ ପଚାରିଦେବ ।

 

ଆଉ ମଧ୍ୟ ସେ ଆଜି ଚର୍ମବିଶେଷଜ୍ଞ ଡ: ଜନ୍‌ଙ୍କୁ ପଚାରିବ, ତାର ଏଇ ପୋଡ଼ାଦାଗଟାକୁ ଲିଭେଇ ହେବ କି ନାହିଁ ? ଆଉ ଡ: ମିଶ୍ରଙ୍କୁ ପଚାରିବ.....ଜୋନାକୀର ଦୃଷ୍ଟିଶକ୍ତିରେ କିଛି ପରିବର୍ତ୍ତନ ହୋଇଛି କି ନାହିଁ ? କିନ୍ତୁ, ଡ: ମିଶ୍ର ତ କହୁଥିଲେ, ମନ ଭିତରେ ଆଶାର ଭାଲ ବି ଥରେ ସୃଷ୍ଟି ହେଲେ ଆଉ ମରିପାରେନାହିଁ । ତେବେ ଜୋନାକୀର ମନ ଭିତରୁ ସେ ଘୁଞ୍ଚିଯିବାଟା......... । ନାଃ, ଜୋନାକୀ ତାକୁ ଭଲପାଏ; କିନ୍ତୁ ଡ: ମିଶ୍ରଙ୍କ ପରୀକ୍ଷାଟା ଠିକ୍‌ ନା ଭୁଲ୍‌–କିଏ, କିଏ କହିବ ?

 

ଅନୁପମର ଚାଲିବାର ବେଗ କ୍ରମଶଃ ବଢ଼ିବାକୁ ଲାଗିଲା । ବାଟରେ ସୁମିତା ସତିହ ଧକ୍‌କା ଲାଗିଯାଇଥାଆନ୍ତା ଅନୁପମର । ସେ ଆପଣାକୁ ସମ୍ଭାଳିନେଲା ।

 

ପୁଣି ସେଇ !! ଅନୁପମର ଭାଗ୍ୟ !!

 

ସୁମିତା କିନ୍ତୁ ହସିପକାଇଲା । ଚଷମା ଭିତରୁ ସୁମିତାର ଅସମାନ୍ତର ଆଖି ଦୁଇଟା ବାହାରି ଆସି ଅନୁପମ ଉପରେ ନାଚିବାକୁ ଲାଗିଲା, ‘‘ଆଜି ସନ୍ଧ୍ୟାରେ ଆପଣଙ୍କ ନାଟକ ହେବନା-! ମୁଁ ନିଶ୍ଚୟ ଆସିବି । ମୁଁ ଜାଣିନଥିଲି ଯେ ଆପଣ ଅଭିନୟ କରନ୍ତି ବୋଲି ? ଖୁବ୍‌ ଭଲ । ଏ କଳା ସମସ୍ତଙ୍କଠି ନଥାଏ ।’’

 

ସୁମିତାର କଥାରୁ ଅନୁପମ କିନ୍ତୁ ଗର୍ବ କରିବାର କୌଣସି ଉପାଦାନ ଖୋଜି ପାଇଲାନାହିଁ । ସୁମିତା ପୁଣି କହିଲା–‘‘ଆଜି କାଳେ ଗୋଟାଏ ‘କାର୍ଟୁନ୍‌’ କିଏ ତିଆରି କରି ଝୁଲେଇଥିଲା । ଝିଅଙ୍କ ମହଲରେ ତା’ର ଖୁବ୍‌ ଆଲୋଚନା ଚାଲିଛି ।’’

 

‘‘କଣ୍‌ ଆଲୋଚନା ଚାଲିଛି ?’’ ଅନୁପମ ଗମ୍ଭୀର ହୋଇ ପଚାରିଲା । ଅନୁପମକୁ ଗମ୍ଭୀର ହୋଇଯିବାର ଦେଖି ସୁମିତାର ପଦାକୁ ବାହାରି ଆସିଥିବା ଆଖି ଦୁଇଟା ସହସା ଭିତରକୁ ପଶିଗଲା । ସେ ଚଷମାଟା କାଢ଼ି କାନିରେ ପୋଛି ପୁଣି ଲଗେଇଲା; କିନ୍ତୁ କଥାଟାର ମୋଡ଼ ବଦଳେଇ ପାରିଲାନାହିଁ ।

 

‘‘ଏଇ ଜୋନାକୀ ଆଉ ସ୍ଵପ୍ନକାନ୍ତ ବିଷୟରେ । ସେମାନେ କାଳେ….’’ ସୁମିତା ଆଉ କହିପାରିଲାନାହିଁ । ଅନୁପମର ସର୍ବାଙ୍ଗ ଟାଣହୋଇଗଲା । ସେ ଭାବିଲା ସୁମିତାର ଦାନ୍ତଗୁଡ଼ାକୁ ସେ ଖୁନ୍ଦା ମାରି ଖସେଇଦିଅନ୍ତା ଓ ଜିଭଟାକୁ କାଟିପକାନ୍ତା, ଯେପରିକି ସେ ଆଉ ଉଚ୍ଚାରଣ କରିପାରନ୍ତାନାହିଁ ।

 

ସୁମିତା ପରିବେଶଟା ଏମିତି ହେବ ବୋଲି ଜାଣିନଥିଲା ସେ ଅନୁପମକୁ ଲଘୁ କରିଦେବାଲାଗି ଚେଷ୍ଟାକରି ହସିଲା ଫୁଟ୍‌ଫୁଟ୍‌ କରି ଓ କହିଲା–‘ସେମାନେ ବାହାହେବାକୁ ସ୍ଥିର କରି ସାରିଲେଣି । ଜୋନାକୀ କାଳେ–‘‘ହଠାତ୍‌ ସୁମିତା ଜିଭ କାମୁଡ଼ି ପକେଇଲା । ପଛଆଡ଼ୁ ଦୁଇଟା ବେଗବାନ୍‌ ପାଦଶବ୍ଦ ଆସି ଅନୁପମର ଡାହାଣ ହାତ ପାଖରେ ଅଟକିଗଲା । ଅନୁପମ ଦେଖେ ତ ଜୋନାକୀ । ମୁହଁଟା ତାର ମନ୍ଦାର ଫୁଲ ପରି ଜଳୁଛି । ଜୋନାକୀ ଦୃଢ଼କଣ୍ଠରେ କହିଉଠିଲା–‘‘ଅନୁପମ ! ତୁମେ ବି ସେଇ ଆଲୋଚନାରେ ଭାଗ ନେଲ ଶେଷରେ ?’’

 

ଅନୁପମ ଜୋନାକୀ ମୁହଁକୁ ଚାହିଁରହିଲା କେବଳ । ତା’ ମୁହଁରୁ ହଠାତ୍‌ କୌଣସି କଥା ବାହାରିଲାନାହିଁ ।

 

ସୁମିତା ଅନୁପମର ପଟହୋଇ କହିବାକୁ ଆରମ୍ଭକଲା–‘‘ଜୋନାକୀ ! ସିନିଅରଙ୍କ ସହିତ କଥା କହିଲାବେଳେ ତୁମେ ନ କହି ଆପଣ କହି ଶିଖ ! ଏଇଟା ସାଧାରଣ ଭଦ୍ରାମି ।’’

 

ସୁମିତାକୁ ବି ଅନୁପମ ବନ୍ଦ କରିପାରିଲାନାହିଁ ।

 

ଜୋନାକୀ କହିଲା–‘ମୁଁ ଆପଣଙ୍କ ସହିତ କଥା କହୁନାହିଁ । କ୍ଷମା ଦେବେ ।’’ ଜୋନାକୀ ଅନୁପମକୁ ଚାହିଁଲା ।

 

ଅନୁପମ କଣ କହିବ ଠିକ୍‌ କରିପାରିଲାନାହିଁ । କଣ ଯେମିତି ହୋଇଗଲା ତା’ର ? ସୁମିତା ଆଗରେ ଜୋନାକୀର ନାଁଟା ବି ତା’ ଜିଭରେ ଯେମିତି ଓଲଟୁନାହିଁ ।

 

ଅପମାନରେ ଜୋନାକୀର କଣ୍ଠରୁଦ୍ଧ ହୋଇଆସୁଥାଏ । ବର୍ଷଣମୁଖୀ ମେଘଭଳି । ଆଖିଗୁଡ଼ାକ ତାର ଲୁହ ଛଳଛଳ ହୋଇଉଠୁଥାଏ–‘‘କୁହ, କୁହ ଅନୁପମ, ତୁମେ କଣ..... ?’’

 

ଅନୁପମର ଇଚ୍ଛା ହେଉଥିଲା ଜୋନାକୀକୁ ତାର ବିଶାଳ ଛାତି ପାଖରେ ଜାକିଧରି ତା’ର ସମସ୍ତ କାରୁଣ୍ୟକୁ ଶୋଷିନିଅନ୍ତା ।

 

ଜୋନାକୀର ନାକପୁଡ଼ାରୁ ଘନଘନ ନିଃଶ୍ଵାସ ବାହାରୁଥାଏ । ଅନୁପମ ବିଚଳିତ ହୋଇପଡ଼ିଲା । ସେ କହିଲା–‘‘ଜେନାକୀ ! ତୁମେ.…’’

 

‘‘କଣ ହେଇଚି ତୁମର ? ତୁମେ ବି ସେଇ ଚିତ୍ରଟାକୁ ଦେଖି ବିଶ୍ଵାସ କରିଯାଇଚ ନା ? ତେବେ ମୁଁ ଆଉ କାହା ପାଖରେ....’’ ଜୋନାକୀ ଆଉ କହିପାରିଲାନାହିଁ । ତାର କଣ୍ଠ ବାଷ୍ପରୁଦ୍ଧ ହୋଇଗଲା । ଆଖିରୁ ତା’ର ଗଡ଼ିଆସିଲା ଦୁଇଧାର ଲୁହ ।

 

ଅନୁପମର ଇଚ୍ଛାହେଉଥିଲା ଜିଭ ଲଗେଇ ସେ ଚାଟିପକାଇଥାନ୍ତା ଜୋନାକୀର ଲୁହବିନ୍ଦୁଗୁଡ଼ିକୁ; କିନ୍ତୁ ସେ ପାରିଲାନାହିଁ ।

 

ଜୋନାକୀ ପୁଣି କହିଲା–‘ବେଶ୍‌ ! ତାହା ବି ଯଦି ସତ ହୋଇଥାଏ ତେବେ......’’ ସେ ଆଉ କହିପାରିଲାନାହିଁ । ସୁମିତାଆଡ଼କୁ ଚାହିଁ କେତେଟା କଥା ତାର ଅନୁଚ୍ଚାରିତ ରହିଗଲା ଏବଂ ସେଠୁ ସେ ପଳାଇଗଲା ନିଜର ପଣତକାନିରେ ଲୁହ ପୋଛି ପୋଛି ।’’

 

ଅନୁପମ କହିଉଠିଲା–‘‘ନା ନା ଜୋନାକୀ ! ନା..’’ ସେ ମଧ୍ୟ ଯିବାକୁ ଆରମ୍ଭକଲା; କିନ୍ତୁ ହଠାତ୍‌ ତାର ବାଁ-ହାତଟାକୁ ଧରି ଅଟକେଇନେଲା ସୁମିତା । ଜୋନାକୀର ଗତି ବନ୍ଦହୋଇଗଲା । ସେ ପଛଆଡ଼କୁ ବୁଲି ଦେଖେ ତ ସୁମିତା ଅନୁପମର ହାତ ଧରିଛି ପଛଆଡ଼ୁ ।

 

ଅନୁପମ ସୁମିତାର ହାତଟାକୁ ଛିଞ୍ଚାଡ଼ିଦେଲା ସତ, କିନ୍ତୁ ଜୋନାକୀର ଗତି ଆଉ ବନ୍ଦ ହେଲାନାହିଁ । ଅନୁପମ ତାକୁ କିଛିଦୂର ଅନୁସରଣ କଲା । ଜୋନାକୀ କିନ୍ତୁ ଅଦୃଶ୍ୟ ହୋଇଗଲା ଧୀରେ ଧୀରେ କଲେଜ ଭିତରେ ।

 

ଅନୁପମ ସୁମିତାକୁ ପ୍ରଶ୍ରୟ ଦେଇ ଭୁଲକରିଛି । ତା’ରି ଯୋଗୁଁ ସବୁ କାଣ୍ଡ, ସବୁ ଦୁର୍ଘଟଣା.... । ଆଃ ଅନୁପମ ଏକ ତିକ୍ତ ବେଦନା ଅନୁଭବ କଲା ଅନ୍ତରରେ । ଜୋନାକୀ ତାକୁ ଭୁଲ୍‌ ବୁଝିଲା; କିନ୍ତୁ କେମିତି ସେ ବୁଝେଇବ ଜୋନାକୀକୁ ଯେ ଏଇ ସୁମିତା ତାର କିଛି ନୁହେଁ; ତାକୁ ସେ ଭଲପାଏନାହିଁ । କେମିତି ବୁଝେଇବ ? କେମିତି ବୁଝେଇବ ?

 

ଅନୁପମ ଗୋଟାଏ ଖୁଣ୍ଟକୁ ଆଜି ଠିଆହୋଇପଡ଼ିଲା ।

 

କିଛି ସମୟ ପରେ–

 

ଅନୁପମ ଦୋହଲି ଦୋହଲି ଚାଲିଲା ଡ: ମିଶ୍ରଙ୍କର ଲାବୋରେଟରୀ ଆଡ଼କୁ । ଲାବୋରେଟରିର ବାହାର ରୁମରେ ପହଞ୍ଚି ସେ ଜୋନାକୀର ସ୍ଵର ଶୁଣିବାକୁ ପାଇଲା । ଜୋନାକୀ କହୁଥାଏ–‘‘ନା ସାର୍‌, ମୁଁ ଅଭିନୟ କରିବାକୁ ଆସିପାରିବିନାହିଁ । ମୁଁ ଚାହେଁନା । ନାଟକ ହେବା ଆଗରୁ ଏତିକି ଅପବାଦ; ନାଟକ ହେଲେ ଆଉ କେତେ ନ ହେବ ?” ଡ: ମିଶ୍ର ଉତ୍ତର ଦେଉଛନ୍ତି–‘‘ମୁଁ ଜାଣେ ଜୋନାକୀ ! ତୁମେ ଗୋଟାଏ ସୁନା-ପିଣ୍ଡୁଳା । ତମଠି କଳଙ୍କି ଲାଗିପାରେନାହିଁ । ଗୋଟାଏ କାର୍ଟୁନ୍‌ ତମକୁ ବିଚଳିତ କରିପାରେନାହିଁ । ତୁମେ କଳାର ପୂଜାରିଣୀ-।’’

 

‘‘କିନ୍ତୁ ମୁଁ ନାରୀ ସାର୍‌, ହିନ୍ଦୁଘରର ନାରୀ । ମୋର ପୁଣି ଭବିଷ୍ୟତ ଅଛି ।’’ ଡ: ମିଶ୍ର କିଛି କହିପାରୁନାହାନ୍ତି । ତାଙ୍କ ଆଗରେ ପୁଣି ସେଇ ସମସ୍ୟା । ହିନ୍ଦୁଘର ନାରୀର ବୈଚିତ୍ର୍ୟ ଓ ସ୍ଵାତନ୍ତ୍ର୍ୟକୁ ସେ କୌଣସି ଭାବରେ ବି ମନ ଭିତରେ ଆକୃତି ଦେଇପାରୁନାହାନ୍ତି ।

 

ଅନୁପମ ଭିତରକୁ ପଶିଲା ।

 

ଅନୁପମକୁ ଦେଖି ଜୋନାକୀ ଗମ୍ଭୀର ହୋଇଗଲା । ଡ: ମିଶ୍ର ସହଯୋଗୀ ପାଇଲା ଭଳି ଖୁସିହୋଇଗଲେ ଓ କହିଉଠିଲେ–‘‘ଅନୁପମ ! ତୁମେ ଏକୁ ବୁଝାଅ ଯେ ଶିଳ୍ପୀର ଜୀବନକୁ ଗୋଟାଏ କାର୍ଟୁନ୍‌ କେବେ କଳଙ୍କିତ କରିପାରେନାହିଁ ।’’ ଡ: ମିଶ୍ର ଅନ୍ୟ କାମରେ ମନଦେଲେ ।

 

ଅନୁପମ କହିବାକୁ ଚେଷ୍ଟାକଲା–‘‘ଜୋନାକୀ.....’’

 

ଜୋନାକୀ ଅନୁପମର ସମ୍ବୋଧନକୁ ନ ଶୁଣିଲାପରି କହିଲା–‘‘ଠିକ୍‌ ଅଛି ସାର୍‌ ! ମୁଁ ଆସିବି ଅଭିନୟ କରିବାକୁ ।’’ କହି ସେ ସେଠାରୁ କ୍ଷିପ୍ରବେଗରେ ପଳାଇଗଲା ।

 

ଡ: ମିଶ୍ର ନିଜ କାମରେ ବ୍ୟସ୍ତରହି ସେଆଡ଼କୁ ନ ଚାହିଁ କହୁଥାନ୍ତି–! ‘‘ଦ୍ୟାଟସ୍‍ ଲାଇକ୍‍ ଏ ଗୁଡ଼୍‌ଗାର୍ଲ୍‌ । ମୁଁ ଜାଣେ, ଅନୁପମର କଥା ତୁମେ ଭାଙ୍ଗି ପାରିବନାହିଁ । ହିଃ ହିଃ ହିଃ, ଯେହେତୁ ତୁମେ ଅନୁପମକୁ ଭଲପାଅ । ଆଣ୍ଡ ବିକଜ୍‌ ବୋଥ୍‌ ଅଫ୍‌ ୟୁ ପଜେସ୍‌ ଟୁ ବିଉଟିଫୁଲ ପେୟାର୍‌ ଅଫ୍‌ ଆଇଜ୍‌–ହେ ହେ ହେ ହେ ।’’

 

ଡ: ମିଶ୍ରଙ୍କର ଏହି କଥା ଅନୁପମର ଛାତି ଭିତରେ ପଥର ବୃଷ୍ଟିକଲା । ସେ ମଧ୍ୟ ସେଠାରୁ ପଳାଇଆସିଲା ବିନା ଆଳାପରେ ।

 

ସେଇ ଦିନ ।

 

ସନ୍ଧ୍ୟା ଆଗତ ପ୍ରାୟ । ହସ୍‌ପିଟାଲର ତିନିମହଲା କୋଠା ଉପରେ ହଳଦିଆ କିରଣଗୁଡ଼ାଏ ବିଛେଇ ହୋଇଯାଇଥାଏ । ନୂଆ ହଷ୍ଟେଲ୍‌ର କୋଠା ପିଟୁଥିବା ମଜୁରିଆମାନେ ଫେରିଲେଣି । ଖେଳପଡ଼ିଆରୁ ଉଭିବଲ୍‌ର ଧବା–ଧବ୍‌ ମାଡ଼ ଭାସିଆସୁଥାଏ ।

 

ନାଟକ ହେବ । ଅଭିନେତା–ଅଭିନେତ୍ରୀମାନେ ଆଗରୁ ଯାଇ ରଙ୍ଗ ବୋଳିହେବେ । ଠିକ୍‌ସନ୍ଧ୍ୟା–ଘଣ୍ଟାର ପରେ ପରେ ଆରମ୍ଭ ହେବ ନାଟକ । କଟକ ସହରର ଉଚ୍ଚପାହ୍ୟା ଭଦ୍ରଲୋକଙ୍କୁ ନିମନ୍ତ୍ରଣ କରିଯାଇଛି । ସେମାନେ ଆସିବେ । ସେମାନଙ୍କ ଆଖି ଆଗରେ ଅନୁପମକୁ କୀଚକ ହୋଇ ବାହାରିବାକୁ ପଡ଼ିବ ।

 

ଅନୁପମ ପକେଟ୍‌ରେ ଫୁଲଟାଏ । ଉର୍ତ୍ତିକରି କଲେଜ ମଣ୍ଡପଆଡ଼େ ବାହାରିଲା । ତା’ର ଆଗରୁ ପହଞ୍ଚିବା ଦର୍କାର ।

 

ଅନୁପମ ଚାଲିଥାଏ । ଭାବୁଥାଏ–ଜୋନାକୀକୁ ସେ ବୁଝାଇବାକୁ ଚେଷ୍ଟାକରିବ ଯେ ସୁମିତା ସହିତ ତାର ସମ୍ପର୍କ କିଛି ନଥିଲା କିମ୍ବା ନାହିଁ ।

 

ବେଶଘର ଝରକା ପାଖରେ ଠିଆହେଇଚି ଜୋନାକୀ । ତାର ଗଭାଟା ଦିଶୁଛି ଏପାଖକୁ-। କାହା ସହିତ ଯେମିତି ଗପ କରୁଚି ସେ ! ସକାଳର ଅପ୍ରୀତିକର ଘଟଣାଟା ଘଟିନଥିଲେ ଅନୁପମ ହୁଏତ ଝରକା ଏପାଖରେ ଥାଇ ଜୋନାକୀର ଖୋସାରେ ଗେଂଜି ଦେଇଥାନ୍ତା ଫୁଲଟାକୁ-। ଆପତ୍ତି ନିଶ୍ଚୟ କରିନଥାନ୍ତା ଜୋନାକୀ; କିନ୍ତୁ ସକାଳଟା ତା’ ଆଖି ଆଗରେ ଗୋଟାଏ କଳାହାଣ୍ଡିଆ ବାଦଲପରି ଭାସୁଚି, ଗୋଟାଏ ମାଟିଆ ଚିଲପରି ଚକ୍‌କର ଦେଉଚି । ତାହାର ନୀତିବୋଧର ହଠାତ୍‌ ଯେମିତି ଏକ ବିପର୍ଯ୍ୟୟ ଘଟିଛି, ତାହାର ପ୍ରୀତିର ଯେପରି ଏକ ଅସଂଯତ ସ୍ଖଳନ ଘଟିଛି, ଯାହା ସହିତ ଭାଙ୍ଗି ଚୁରମାର ହୋଇଯାଇଚି ତା’ର ସବୁ ପୌରୁଷ ଓ ତାରୁଣ୍ୟ ।

 

ନିର୍ଦ୍ଦେଶକ ଡ: ମିଶ୍ର ଆସିଗଲେଣି । ତାଙ୍କର ପାଟି ଶୁଭୁଚି । ହାତରେ ବିଟ୍ରିଶ୍‌ ବେତଟାଏ ଧରି ସେ ଏପଟ ସେପଟ ହେଉଛନ୍ତି ।

 

ଅନୁପମ ପହଞ୍ଚିଲା ।

 

ଅନୁପମକୁ ଥରୁଟିଏ ମାତ୍ର ଚାହିଁ ଜୋନାକୀ ଆଖି ବୁଲେଇନେଲା ଅନ୍ୟଆଡ଼କୁ ।

 

ଅନୁପମ ଡାକିଲା–‘‘ଜୋନାକୀ ! ତୁମେ କେତେବେଳୁ ଆସିଲଣି ?’’

 

ଜୋନାକୀ ଉତ୍ତର ଦେଲାନାହିଁ । ଅନୁପମ ହତୋତ୍ସାହ ନ ହୋଇ ନିଜର ଅବସ୍ଥା ଠିକ୍‌ ରଖିବାକୁ ପୁଣି ମନକୁମନ କହିହେଲା–‘‘ମୋର ଟିକିଏ ଡେରିହେଲା । ସାର୍‌ ଗାଳିଦେଉଥିଲେ କି-?’’

 

ଜୋନାକୀର ଖୋସାଟା ହଲିଉଠିଲା–‘ନା’ ‘ନା’ । କିନ୍ତୁ କଥା ନାହିଁ । ଡ: ମିଶ୍ର ଆସିଲେ-

 

‘‘ଏଇ ସେ ଅନୁପମ, ତୁମର ବିଳମ୍ବ ହେଇଚି ।’’

 

‘‘ହଁ ସାର୍‌ ।’’

 

‘‘ତୁମ ପାଇଁ ଜୋନାକୀ ଅପେକ୍ଷା କରିଚି ପରା ! ତୁମେ ନଆସିଲେ ସେ ଆଉ ରଙ୍ଗ ହୁଅନ୍ତା ନା ! ଯାଅ, ଯାଅ, ତୁମେମାନେ ପେଣ୍ଟିଂ ହେବ ଯାଅ ।’’

 

ଡ: ମିଶ୍ର ପୁଣି ଅନ୍ୟଆଡ଼କୁ ଚାଲିଗଲେ ।

 

ଅନୁପମ କହିଲା–’ଜୋନାକୀ ! ଦେଖ ତୁମ ପାଇଁ ଏ ଫୁଲଟା ଆଣିଚି...... ।’’

 

“ମୋ ମୁଣ୍ଡରେ ଜାଗା ନାହିଁ ତୁମ ଫୁଲ ପାଇଁ । ତୁମ ଫୁଲ ନେବାପାଇଁ...’’ ଜୋନାକୀ କହିଲା ।

 

‘‘ଏ ସବୁ କଣ କହୁଚ ଜୋନାକୀ ! ତୁମେ ମୋତେ ଅବିଶ୍ଵାସ କରନା । ସେଇ ଝିଅଟା ସହିତ.....’’ ଅନୁପମ ପାଟିରେ କଥାଟା ଲେଉଟିନାହିଁ ।

 

ଜୋନାକୀ କହିଲା–‘‘କୁହ ! କହୁନ ! ତୁମେ ସେଇ ଝିଅଟାକୁ ଆଦୌ ଜାଣିନାହଁ, ଏଇଆ ତ କହିବ !’’

 

‘‘ଜୋନାକୀ ! !’’

 

‘‘ତୁମର ଜାଣିରଖିବା ଉଚିତ ମୋର ଦୁଇଟା ଶକ୍ତିଶାଳୀ ଆଖି ଅଛି । ମୁଁ ନିଶ୍ଚୟ ଭୁଲ ଦେଖିନାହିଁ ।’’ ଜୋନାକୀ ଝରକା ରେଲିଂରେ ମୁଣ୍ଡ ଦେଇ କାନ୍ଦିପକାଇଲା । ତାର ଲୁହବିନ୍ଦୁ କେଇଟା ଗଡିପଡ଼ିଲା ତଳକୁ ।

 

‘‘ଛି, ଜୋନାକୀ ! ଗୋଟାଏ ସାଧାରଣ ଘଟଣାକୁ ଟାଣିଆଣି ଏମିତି ରୂପଦେବା ! ନା, ଜୋନାକୀ ! ମୁଁ ତମକୁ କାନ୍ଦିବାକୁ ଦେବିନାହିଁ । ତୁମେ ମୋତେ ଭୁଲ ବୁଝିଲେ ବି ମୁଁ ତୁମକୁ ଠିକ୍‌ ବୁଝିଚି । ତୁମର ଜାଣିରଖିବା ଉଚିତ, ସେଇ କାର୍ଟୁନଟାକୁ ଖେଞ୍ଚି ଖେଞ୍ଚି ମୁଁ ଛିଡ଼େଇ ଦେଇଥିଲି । ଆଉ ସେଇ ଝିଅଟା ମୋର ସହପାଠୀ ବୋଲି ଜବର୍‍ଦସ୍ତି ମୋତେ ଅଟକାଇ ରଖିଥିଲା ସେଇଠି । ମୋତେ ଅବିଶ୍ଵାସ କରନା ।’’

 

‘‘ଖୁବ୍‌ସୁନ୍ଦର ସଫେଇ ଦେଇ ଜାଣ; କିନ୍ତୁ ସେଇ ସୁମିତା ଯାଇ ଝିଅମହଲରେ ପ୍ରଚାରକରିଛି ଯେ ତୁମେ ତାକୁ ଭଲପାଅ, ତା ମୁଣ୍ଡରେ ଫୁଲ ଦେଇଛ, ତାକୁ.....’’ ଜୋନାକୀ ପୂର୍ଣ୍ଣ କରିପାରିଲାନାହିଁ–‘‘କୁହ, ଏସବୁ କଣ ମିଛ !’’

 

‘‘ମିଛ’–‘‘ଅନୁପମ କହିଲା’’, ‘‘ଏସବୁର ବିନ୍ଦୁ, ବିସର୍ଗ ମୁଁ ଜାଣେନାହିଁ । ସୁମିତା ଓ ବିବାହ-! ମୁଁ ! ବିଶ୍ଵାସ କର ଜୋନାକୀ ! ସେ ଝିଅଟାକୁ ମୁଁ କଥା କହିବାର ଅଧିକାର ଦେଇଥିଲି ବୋଲି ଏହା ସବୁ ଘଟିଛି । ବେଶ୍‌, ତୁମେ ଯଦି ଏସବୁକୁ ବିଶ୍ଵାସ କରୁଥାଅ, ମୁଁ ନିରୁପାୟ, ମୁଁ ନାଚାର-। କିନ୍ତୁ ନା.... ।’’ ଅନୁପମ ଆଉ ଗୋଟାଏ ଘର ଭିତରକୁ ପଶିଗଲା ।

 

ଦେଖିଲା ସ୍ଵପ୍ନକାନ୍ତ ଦେହରେ ବ୍ୟାଣ୍ଡେଜ କନା ଭିଡ଼ାହୋଇ ତାକୁ ମୋଟା କରାଯାଉଛି-। ପରସ୍ତ ପରସ୍ତ କରି ଧଳାକନା ଗୁଡ଼ାହୋଇଥିବାରୁ ସେ ଏକ ଅଦ୍ଭୁତ ଧରଣର ଦିଶୁଛି-। ଆଉମାନେ ସବୁ ରଙ୍ଗ ବୋଳିହେଉଛନ୍ତି ।

 

ପୁଣି ସେ ଫେରିଆସିଲା ।

 

ଜୋନାକୀ ସେଇମିତି ଠିଆହୋଇଥାଏ ଏକ ନିଦା କାଠମୂର୍ତ୍ତି ଭଳି । ଝରକା ରେଲିଂ ଦେଇ ତାର ଦୃଷ୍ଟିଟା ନିବଦ୍ଧ ଥାଏ ହସ୍‌ପିଟାଲର ସମୁଜ୍ଜ୍ଵଳ ଷ୍ଟେୟାରକେଶ୍‌ ଉପରେ; ଯେଉଁ ବାଟ ଦେଇ ତଳମହଲାରୁ ଉପରକୁ ଓ ଉପରୁ ତଳମହଲାକୁ ମଣିଷ ଯା’ ଆସ କରେ, ରୋଗୀ ଯା’ ଆସ କରେ; ଡାକ୍ତର, ନର୍ସ୍‌ ସମସ୍ତେ ଯା’ଆସ କରନ୍ତି ଏବଂ ଯାହାର ଚୂଡ଼ା ଗୋଟାଏ ଅନ୍ଧାର ଆକାଶର ପେଟଭିତରକୁ ଗୋଜହୋଇ ଉଠିଯାଇଛି ।

 

‘‘ଜୋନାକୀ !’’ ଅନୁପମ ଡାକିଲା ।

 

‘‘ଉଁ–’’

 

‘‘ଅନୁମତି ଦିଅ । ଏଇ ଫୁଲଟା....’’

 

ଜୋନାକୀ ଚୁପ୍‌ ରହିଲା ।

 

ଅନୁପମ ଆଗେଇଲା କେତୋଟି ପାଦ ।

 

ଡ: ମିଶ୍ର ଆସି ପୁଣି ପହଞ୍ଚିଗଲେ–‘‘ଆରେ, ତୁମେ ସବୁ ଠିଆହେଇଚ ସେତିକିବେଳୁ ? ତୁମର ପ୍ରଥମ ଦୃଶ୍ୟ ଯେ !’’

 

‘‘ନାଇଁ ସାର୍‌, ଗୋଟାଏ ସଂଳାପ ଅଭ୍ୟାସ କରିନେଉଥିଲୁଁ ।’’

 

‘‘ଓ ଆଇସି’–ଡ: ମିଶ୍ର କହିଲେ–‘‘କିନ୍ତୁ ତୁମେମାନେ ଶୀଘ୍ର ପ୍ରସ୍ତୁତ ହୁଅ ।’’ ସେ ଚାଲିଗଲେ ।

 

ଅନୁପମ ସେଇ ଅବସରରେ ଫୁଲଟି ଖୋସିଦେଲା ଜୋନାକୀର କବରୀରେ । ଅନ୍ଧକାର ଆକାଶର ଏକ ଉଜ୍ଜ୍ଵଳ ତାରାପରି ତାହା ଝଲସିଉଠିଲା ।

 

‘‘ଚାଲ ପେଣ୍ଟିଂ ହେବା ।’’

 

ଜୋନାକୀ ଅନୁପମକୁ ଅନୁସରଣ କଲା ।

 

ଅଭିନେତ୍ରୀମାନଙ୍କୁ ଅଲଗା ବଖରାଟିରେ ଚିତ୍ର କରାଯାଉଥାଏ । ଜୋନାକୀ ବାଙ୍କିଗଲା-

 

ଅନୁପମ ଏକ ଉତ୍‌ଫୁଲ୍ଲ ଚିତ୍ତରେ ଯାଇ ବସିଲା ପେଣ୍ଟର୍‌ ଆଗରେ, ‘‘ଦିଅ–ମୋତେ ସଜ କର ।’’

 

ସ୍ଵପ୍ନକାନ୍ତ ଦେହର ବ୍ୟାଣ୍ଡେଜ ଭିଡ଼ା ତଥାପି ଶେଷ ହୋଇନଥାଏ ।

 

ଅନୁପମ ଆଇନା ଆଗରେ ବସିଚି । ଚିତ୍ରକାର ତା ମୁହଁଟାକୁ କିଛି ସମୟ ପାଇଁ କିଣିନେଲା ଭଳି ନିଜ ଇଚ୍ଛା ଅନୁସାରେ ଏପଟ ସେପଟ କରୁଛି । ତା’ ଚିତ୍ରକଳାର ପରୀକ୍ଷା କରୁଛି ଯେମିତି ।

 

ଅନୁପମ ଦେଖୁଛି–କ୍ଷଣକ୍ଷଣକେ କେତେ ପରିବର୍ତ୍ତନ ହୋଇଯାଉଛି ତା’ର ମୁହଁରେ । ସେ ପୋଡ଼ା ଦାଗଟା ସତକୁସତ ଆଉ ନାହିଁ । ଅନୁପମର ଇଚ୍ଛା ହେଲା ହାତମାରି ଦେଖିବାକୁ; କିନ୍ତୁ ପେଣ୍ଟର୍‌ ବାରଣକଲା । ତା ମୁହଁରୁ ସେ କୃଷ୍ଣକଳା ପୋଛିହୋଇଗଲାଣି । ସେ ଦେଖାଗଲାଣି ଆର୍ଯ୍ୟ ପରି, ଆହୁରି ତେଜୋବନ୍ତ ଦେଖାଗଲାଣି ତାହାର ଆଖି ଦୁଇଟା । ସେ ପେଣ୍ଟ୍‌ରକୁ କେତେ ପ୍ରଶଂସା କଲା ମନେମନେ । ଏଇ ହିଁ କଳାକାର, ଏଇ କେବଳ ଇଚ୍ଛା ମୁତାବକ ରୂପ ସୃଷ୍ଟି କରିପାରେ, ଏଇ କେବଳ ହୋଇପାରେ ଭଗବାନ ।

 

ପେଣ୍ଟର କାରସାଦି ଦେଖାଇବାକୁ ଆରମ୍ଭକଲା ନାକ ତଳରେ । କଳାରଙ୍ଗର ତୂଳୀଟାକୁ ଟାଣିଧରିଲା । ‘‘ରୁହନ୍ତୁ ରୁହନ୍ତୁ, ମୁହଁ ହଲାନ୍ତୁନାହିଁ, ବେକାଇଦାରେ ବେଜାଗାରେ ଲାଗିଯିବ । ଏତେ ବେଳର ଟିକିନିଖି ସାଧନା ଫସରଫାଟିଯିବ ।’’

 

ଅନୁପମ ଆଖି ବୁଜି ଧ୍ୟାନକଲା, ପଥରପରି ବସି ।

 

ନିଶ ଅଙ୍କାସରିଲା ।

ଅନୁପମର ମନକୁ ପାଇଲାନାହିଁ । ଯେଉଁ ତେଜଟା ତା’ ମୁହଁରୁ ବାହାରିଆସୁଥିଲା, ସେଇ ନିଶହଳକ ତାର ଯେମିତି ଏକ ପୂର୍ଣ୍ଣଚ୍ଛେଦ ଟାଣିଦେଲା; କିନ୍ତୁ ଶୁଣିଲା ପେଣ୍ଟର କହୁଚି–’ବାଃ, ବାଃ ଚମତ୍କାର ! ଆଉ ଟିକିଏ, ଆଉ ଟିକିଏ ରୁହନ୍ତୁ,’ ପୁଣି ବୁନ୍ଦାଏ କଳା ନେଇ ସେ ମଡ଼େଇଲା ତୁଳୀ ଆଗରେ ।

ଅନୁପମ ଦେଖିଲା ପେଣ୍ଟରର ଆଖିଟା ବି କେମିତି ଉଦାସ ହେଇପଡ଼ିଲା, ଯେମିତିକି ତାର ଚିତ୍ରଟା ସେଇ ବୁନ୍ଦାଏ କଳାରେ କୁଆଡ଼େ କେମିତି ନଷ୍ଟ ହେଇଗଲା । ସେ ଯାହା ଚାହୁଁଥିଲା ତାହା ହୋଇପାରିଲାନାହିଁ । ତାର ଭାବନାଟାକୁ ଯେମିତି ସେ ଫୁଟେଇ ପାରିଲାନାହିଁ ।

କିନ୍ତୁ ତୁଳୀ ଛୁଇଁବାକୁ ଆଉ ତାର ସାହସ ହେଲାନାହିଁ । କଣ ଯେମିତି ବିଗିଡ଼ିଗଲା ତା ଆଙ୍ଗୁଳି ଭିତରେ ।

ଅନୁପମ କହିଲା–‘‘ଶେଷ ନାଁ ?”

ପେଣ୍ଟର ତଳକୁ ଚାହିଁ କହିଲା–‘‘ହଁ” ।

ଡକ୍ଟର ମିଶ୍ର ଆସି ପହଞ୍ଚିଲେ । ଠିଆହେଇ ଅନୁପମକୁ ଚାହିଁଲେ । ଅନୁପମେର ନିଶଟାକୁ ଦେଖି ସେ କହିଲେ–‘‘ଭାରି ସୁନ୍ଦର ତୁମ ହାତ ପେଣ୍ଟ୍‌ର, ଭାରି ସୁନ୍ଦର । ଅନୁପମକୁ ଠିକ୍‌ମାନୁଚି ।’’

 

‘‘କିନ୍ତୁ ଟିକିଏ ବିଗିଡ଼ିଗଲା ଆଜ୍ଞା”–ଚିତ୍ରକର କହିଲା ମନ ଦୁଃଖ କରି ।

 

ଡ: ମିଶ୍ର ଓ ଅନ୍ୟାନ୍ୟ ଅଭିନେତାମାନେ ଅନୁପମର ନିଶଟାକୁ ଏ କୋଣରୁ ସେ କୋଣରୁ ଚାହିଁ ପରୀକ୍ଷା କରିବାକୁ ଲାଗିଲେ । ବିଗିଡ଼ିଯାଇଥିବା ଅଂଶଟାକୁ କେହି ଯେମିତି ଖୋଜି କରି ପାଉନାହାନ୍ତି । କେଉଁଠି ବିଗିଡ଼ିଗଲା ତାହେଲେ ?

 

‘‘ଆଉ କଣ ତା’ହେଲେ ସଜାଡ଼ି ହେବନାହଁ ?” ଅନୁପମ ପଚାରିଲା ।

 

ପେଣ୍ଟର କହିଲା–‘‘ନା । ଆଉ ଥରେ ପୂରା ଲିଭେଇଲେ ଯାଇ ହେଇପାରେ । ସେଥିକି ସମୟ ନାହିଁ ।’’

 

ପାଚକ ଭୀମ, ବୃହନ୍ନଳା ଏମାନେ ସବୁ ନିଜନିଜର ପୋଷାକ ପିନ୍ଧିସାରିଲେଣି । ଅଭିନେତ୍ରୀଙ୍କ ବେଶଘର କବାଟ ଖୋଲିଲା । ଜୋନାକୀ ଗୋଟିଏ ଗାଉଁଲ ସ୍ତ୍ରୀଲୋକର ବେଶ ହୋଇଥାଏ । ସାଧାରଣ ଶାଢ଼ି ଖଣ୍ଡେ । ସାଧାରଣ ଗହଣା କହିଲେ ରୂପାର ଖଡ଼ୁ, ଗୋଡ଼ରେ ମହଲ….ପୁଣି ନାକରେ ନୋଥ, କାନରେ ଗୋଖରା, ଆଉ ସୀମନ୍ତରେ ସିନ୍ଦୂର..... । ସତେ ଯେମିତି ପୌରାଣିକ କାଳର ମୂର୍ତ୍ତିଟାଏ ହଠାତ୍‌ କଥା କହିବାକୁ ଆରମ୍ଭ କରିଛି । କାଳ ଯେମିତି ତା ଉପରେ ବଟାଳି ବୁଲେଇ ନାହିଁ । ଅଭଙ୍ଗା କଣ୍ଢେଇ ପରି ଯୁଗ-ଯୁଗାନ୍ତର ଟପି ଯେମିତି ଭାରତର ନାରୀ ପୁଣି ଆତ୍ମପ୍ରକାଶ କରିଚି ସେଇ ଚିର-ପୁରାତନ ଓ ନିତ୍ୟ ନବ ନବ ବେଶରେ ।

 

ଅନୁପମ ଅନୁଭବ କଲା, ଜୋନାକୀ କେବଳ ବିଂଶ ଶତାବ୍ଦୀର କଣ୍ଢେଇ ନୁହେଁ, ତାରି ଭିତରେ ଯେମିତି ସବୁ ଶତାବ୍ଦୀଗୁଡ଼ାକ ପରସ୍ତ ପରସ୍ତ ହୋଇ ରହିଛି । ସେ ଖାଲି ନାରୀଟିଏ ନୁହେଁ; ଏତେ କାଳର ଏକ ପରବର୍ତ୍ତିତ ଅନୁଭୂତି ଓ ସବୁ ବିସ୍ମୃତ ପାହାଚର ଏକ ଅକଳଙ୍କ ମିଳନୋତ୍ସବ । ଜୋନାକୀ ବି ଡାରୱିନଙ୍କର ଅତି ପ୍ରିୟ ହୋଇପାରିଥାନ୍ତା ଆଜି, ଯଦି ସେଇ ଡାରୱିନ୍‌ ଆଜି ଘଡ଼ିଏ ଚାହିଁଥାନ୍ତେ ଜୋନାକୀକୁ ।

 

କିଏ କହେ ଲିଭିଯାଏ ବୋଲି ମଣିଷର ଅତୀତର ପଦଚିହ୍ନଗୁଡ଼ାକ ? ସବୁ ରହେ ଓ ବେଳେବେଳେ ଏଇମିତି ଉକୁଟିଉଠେ । ସେ ଦିନର ସୈରିନ୍ଧ୍ରୀ ଯେମିତି ଆଜି ଫୁଟିଉଠିଚି ଜୋନାକୀର ତନୁ-ଲତାର ପଲ୍ଲବେ ପଲ୍ଲବେ ।

 

ଅନୁପମ ଆଇନାକୁ ଚାହିଁଲା, ନିଜେ ଦିଶୁଚି ସେଠି । ସେ ବି ଦିନେ ଆର୍ଯ୍ୟ ଥିଲା ବୋଧେ । ତାର ଅବିଶ୍ଵାସ ହୁଏ, ଏ ଦ୍ରାବିଡ଼ ନାକଟା ତାର ନୁହେଁ । ସେଇଟାକୁ ଯେମିତି ସେ ଏବେ ବି ଆପଣାର କରିପାରିନାହିଁ–ଏଇ ନାକଟା । ଯେମିତି ପ୍ରକୃତରେ ଦ୍ରାବିଡ଼-ମୁଣ୍ଡା ନାକ ନୁହେଁ । ଆର୍ଯ୍ୟଙ୍କ ଉପରେ ମୁଣ୍ଡା-ଦ୍ରାବିଡ଼ର ଏକ ଗରିଲା ଅତ୍ୟାଚାର; ଅଥବା ଆର୍ଯ୍ୟରୁ ଦ୍ରାବିଡ଼-ମୁଣ୍ଡାଆଡ଼କୁ ଯେମିତି ଏକ ଅଦ୍ଭୁତ ବିବର୍ତ୍ତନ । ତାର କାନଟା ଆର୍ଯ୍ୟ, ଆଖିଟା ଆର୍ଯ୍ୟ, ମସ୍ତିଷ୍କଟା ଆର୍ଯ୍ୟ.... କେବଳ ଏଇ ନାକଟା !! ଏଇଟାକୁ ସେ ଯଦି କାଟି ପକାଇ ପାରନ୍ତା, ତାହେଲେ ତାର ରକ୍ତରେ ପହଁରୁଥିବା ଗୋଟାଏ ଘୃଣ୍ୟ, ଗୋଟାଏ କଳଙ୍କିତ ଯୁଗର ବୋଧହୁଏ ନିଃଶେଷ ହୋଇଯାଆନ୍ତା !

 

ନୃତତ୍ତ୍ଵବିଦ୍‌ଙ୍କ ମତରେ ମତରେ ଦ୍ରାବିଡ଼-ମୁଣ୍ଡା ନାକ ପାହାଡ଼ରେ ଦେଖାଯାଏ । ସେମାନେ ଭାରତବର୍ଷର ଆଦିମ ଅଧିବାସୀ ।

 

ତା’ହେଲେ ଅନୁପମ ବଂଶର କେଉଁ ପୁରୁଷ ଅଥବା ନାରୀ ପାହାଡ଼ ଉପରକୁ ଯାଉଥିଲେ ଏବଂ ଜଙ୍ଗଲ ଭିତରୁ ଏଇପରି ଏକ ନାକ ଧରି ଫେରିଆସିଥିଲେ ଆର୍ଯ୍ୟଭୂମିକୁ ? ଗଲେ ବା କାହିଁକି ? ଯଦି ବା ଗଲେ, ପୁଣି ଏପରି କୁତ୍ସିତ ନାକଟାଏ ଧରି ଫେରିଆସିଲେ ବା କାହିଁକି ?

 

ସେଇଥିପାଇଁ ଅନୁପମ ସେଇ ଯୁଗଟାକୁ କଳଙ୍କିତ ବୋଲି କୁହେ ଏବଂ ସେଇଥି–ପାଇଁ ନାକଟାକୁ ସେ ଏକ ଜଙ୍ଗଲର ଅତ୍ୟାଚାରର ସ୍ମାରକୀ ବୋଲି କୁହେ ।

 

ଆଉ ବେଶି ବିଶ୍ଳେଷଣ କରିବାକୁ ତା ହାତପାଖରେ ଉପାଦାନ ସେ ପାଏନାହିଁ ।

 

ନହେଲେ ସେ ବି ଗୋଟିପଣେ ଆର୍ଯ୍ୟପୁତ୍ର । ଏଇ ଯୁଧିଷ୍ଠିର, ଏଇ ଭୀମ, ଏଇ ଅର୍ଜୁନ, ଏମାନଙ୍କଠାରୁ ସେ ନ୍ୟୂନ ନୁହେଁ । ସେ ବି ଆସିଥିଲା ମଧ୍ୟ-ଏସିଆରୁ । ତା ବଂଶର ପ୍ରଥମ ଅଙ୍କୁର ମଧ୍ୟ-ଏସିଆରେ ହିଁ ଫୁଟିଥିଲା ।

 

ଆଜିର ଅନୁପମ ମଧ୍ୟ-ଏସିଆରୁ ଆରମ୍ଭ ହୋଇଥିବା ସେଇ ଅଙ୍କୁରର ଏକ ବିବର୍ତ୍ତିତ ପୁରୁଷ । ସ୍ଵପ୍ନକାନ୍ତ ସହିତ ଟକ୍‌କର ଦେବାଲାଗି ତା ପାଖରେ ପ୍ରମାଣ ଅଛି । ତାର ଆର୍ଯ୍ୟ ମସ୍ତିଷ୍କ ଓ ଅର୍ଯ୍ୟ ଲଲାଟ । କୀଚକ ହେଲେ ବି ସେ ମଧ୍ୟ ଭୀମର ସମଗୋତ୍ରୀ ।

 

ଦର୍ପଣକୁ ଥରେ ଓ ଜୋନାକୀକୁ ଚାହିଁ ଅନୁପମ ନିଜ ଭିତରର ଆର୍ଯ୍ୟ–ଶିରାଗୁଡ଼ାକୁ ଏକତ୍ର କରିପକାଇଲା । କିନ୍ତୁ ଆର୍ଯ୍ୟ ପ୍ରଦୀପର ଏକ ଉଦାର ଶିଖାପରି ଠିଆହୋଇଥାଏ ଜୋନାକୀ, ଗୋଟାଏ ଅବିକ୍ଷତ ଓ ଅପ୍ରତିହତ ନାକ ଧରି । ଅନୁପମ ଦେଇଥିବା ଫୁଲଟା ଜୋନାକୀର କବରୀରେ ସେଇମିତି ଅଛି । ଫୁଲ ଭୂଷଣ କୌଣସି ଶତାବ୍ଦୀର ଏକଚାଟିଆ ନୁହେଁ; ତାହା ସବୁ ଶତାବ୍ଦୀର ।

 

କଲେଜ ହଲ୍‌ରୁ ଦର୍ଶକଙ୍କର ଅପେକ୍ଷମାଣ ମନ ଘୋ ଘୋ ଡାକୁଛି । ନାଟକ ଆରମ୍ଭ ହେବାକୁ ଆଉ ଅଳ୍ପ ବାକି ।

 

ମଞ୍ଚର ପରିଚାଳକମାନେ ନିଜକୁ ସଜାଡ଼ିନେଲେ । ସଙ୍ଗୀତର ଝଙ୍କାର ଉଠିଲା । ମାଇକ୍‌ରେ ଡଃ ମିଶ୍ର କହିବାକୁ ଲାଗିଲେ ମଞ୍ଚ ଉପରେ–

 

‘‘ବନ୍ଧୁଗଣ ! ଆମର ଅଭିନୟ ବର୍ତ୍ତମାନ ଆରମ୍ଭ ହେବ । ….ଆର୍ଟିଷ୍ଟର ଶକ୍ତି ଅତି ବିଚିତ୍ର-। ସେ କଳା ଭିତରେ ସମୟକୁ ଧରିରଖିପାରେ ।

 

‘‘ଆଜି ଆପଣମାନେ ଦେଖିବେ ଆର୍ଯ୍ୟ-ଜୀବନର ଏକ ବିସ୍ତୃତ ଘଟଣା । ଯାହା ଉପରେ ସମୟ ପାହାଡ଼ ପରି ବାଲି ଜମାଇଦେଇଛି; କିନ୍ତୁ କଳାକାରମାନେ ସେଇ ଘଟଣାକୁ ଆପଣଙ୍କ ସମ୍ମୁଖରେ ଆଜି ପ୍ରକାଶ କରିବେ । ସମୟକୁ ଜୟ କରିପାରେ କଳାକାର ।’’

 

ତା’ପରେ ‘କୀଚକବଧ’ ଅଭିନୀତ ହୋଇଥିଲା ।

 

କେତେ ଅନୁନୟ କରି ନ ଥିଲା କୀଚକ ସୈରିନ୍ଧ୍ରୀକୁ ! ପ୍ରାଣର କି ନିର୍ଯ୍ୟାସ ସେ ଅଜାଡ଼ି ଦେଇ ନ ଥିଲା ସୈରିନ୍ଧ୍ରୀର ପାଦତଳେ–‘ମୋର ନିବେଦନ ବ୍ୟର୍ଥ କରନା ସୈରିନ୍ଧ୍ରୀ ! ମୁଁ ତୁମକୁ ଭଲପାଏଁ ।’ ଅନୁପମ କଚାଡ଼ିହୋଇ ପଡ଼ିଥିଲା ସୈରିନ୍ଧ୍ରୀର ପାହୁଲ ଦିଓଟି ପାଖରେ ।

 

କିନ୍ତୁ କୀଚକର ସବୁ ନିବେଦନ ବ୍ୟର୍ଥ ହେଲା । ସବୁ କାକୁତି ନିଷ୍ଫଳ ହେଲା । ତା’ ପ୍ରାଣର ପ୍ରୀତିକୁ ଚିହ୍ନି ପାରିଲା ନାହିଁ ସୌରିନ୍ଧ୍ରୀ । ଏଣୁ କୀଚକ ହେଲା ଏକ ଅସୁର । ସେ ବି କଲା ମାୟା ରଚନା ।

 

‘ଉ ହା ହା ହା’ ପ୍ରକାଣ୍ଡ, ହସ ଭିତରେ ଉଛୁଳି ଉଠିଲା କୀଚକ ଭିତରର ଉନ୍ମତ୍ତ ଅସୁର–‘ହା ହା ହା ହା । ଏଇଥର ତୁମେ ଆଉ ଖସି ଯାଇ ପାରିବ ନାହିଁ ସୁନ୍ଦରୀ । ମୋର ବାହୁବନ୍ଧନରୁ ମୁକ୍ତିଲାଭ ଅସମ୍ଭବ ।’

 

କୀଚକ ଉନ୍ମାଦପରି ହସୁଥିଲା ।

 

ସେ ଜାଣିନଥିଲା ନାରୀର ଆବରଣ ଭିତରେ ଗୋଟିଏ ପୁରୁଷକୁ ସେ ବନ୍ଧନ କରିଛି ।

 

ତାହାହିଁ ତା’ର ଶେଷ ।

 

ଅନୁପମ ତଳେ ଗଛ କାଟିଲା ପରି କଚାଡ଼ିହୋଇ ପଡ଼ିଲା । ତା’ର ପିଠି ଉପରେ ମାଡ଼ିବସିଲା ସ୍ଵପ୍ନକାନ୍ତ ।

 

ଅନୁପମ କାନେଇଲା । ଦର୍ଶକମାନେ ହସୁଛନ୍ତି । ହଲ୍‌ ଫାଟିପଡ଼ୁଛି ସେମାନଙ୍କ ହସରେ-। ସାମ୍ନାଆଡ଼କୁ ବସିଥିବା ଧାଡ଼ିଏ ଛୋଟ ପିଲାଙ୍କ ଭିତରୁ କେହି ଜଣେ ଚିତ୍କାର କରୁଛି–‘‘ହଁ, ଆହୁରି ମାର୍‌ । ବେଶ୍‌ ବେଶ୍‌ । ହଁ ହଁ ।’’

 

ପୁଣି ସେଇ ହସ ।

କୀଚକ ମରିଗଲା । ଏତେ ଭଲ ଅଭିନୟ କଲା ଅନୁପମ–କାହିଁ, ଟିକିଏ ସଂବେଦନା କିମ୍ବା ସହାନୁଭୂତି ସେ ସୃଷ୍ଟି କରିପାରିଲାନାହିଁ ଦର୍ଶକଙ୍କ ଚିତ୍ତରେ ? କୀଚକ ପାଇଁ କେହି ତ ଆହା ଆହା କଲେନାହିଁ । କାହାରି ଆଖି ତ ଅଶ୍ରୁ ଛଳଛଳ ହୋଇ ଉଠିଲାନାହିଁ ।

ସ୍ଵପ୍ନକାନ୍ତ ଅନୁପମର ପିଠି ଉପରୁ ଉଠିଗଲାଣି । ଅନୁପମ ମୃତପରି ପଡ଼ିଚି ଭୂଲୁଣ୍ଠିତ ହୋଇ ।

ସୈରିନ୍ଧ୍ରୀ ଆସିଲା ।

ବୃକୋଦର ସୈରିନ୍ଧ୍ରୀକୁ ଆଲିଙ୍ଗନ କଲାକ୍ଷଣି ଅନୁପମର ଶିରାଗୁଡ଼ାକ ତାତି ଉଠିଲା । ତା’ ମନର ବାରଣ ନ ମାନି ପୁଣି ଖିଙ୍କାରି ଉଠିଲା ସେଇ କାର୍ଟୁନ୍‌ଟା ‘ପ୍ରିୟେ,ଏଥର ତୁମ ମନସ୍କାମ ପୂର୍ଣ୍ଣ ହେଲା ତ !’

ପର୍ଦ୍ଦା ପଡ଼ିଲା ।

ଅନୁପମ ଆପେ ଆପେ ଉଠିଲା ।

ସ୍ଵପ୍ନକାନ୍ତ ମଞ୍ଚ ଉପରୁ ଓହ୍ଲାଉ ଓହ୍ଲାଉ ତା’ ଉପରେ କେତେ ପ୍ରଶଂସା, ସମ୍ବର୍ଦ୍ଧନା ନା ଅଜାଡ଼ିହୋଇପଡ଼ିଲା । ‘ସାବାସ୍‌, ସାବାସ, ତୁମେ ଖୁବ୍‌ ଭଲ ଅଭିନୟ କରିଛ । କାଲି ତୁମ ନାମରେ ମେଡ଼ାଲ୍‌ ଘୋଷଣା କରାଯିବ ।”

 

ସ୍ଵପ୍ନକାନ୍ତ ହସିହସି ସେମାନଙ୍କର ପ୍ରଶଂସାକୁ ଛାତି ଭିତରକୁ ନେଇଗଲା ।

 

ଅନୁପମ ପାଇଁ କିଛି ନ ଥିଲା ।

 

ବେଶ ବଦଳାଉ ବଦଳାଉ ସେ ଶୁଣିଲା ଝରକା ଆରପଟରେ ଫେରୁଥିବା କେହି ଜଣେ ନାରୀ ଦର୍ଶକ ଅପରକୁ କହି କହି ଯାଉଚି–‘‘କୀଚକ ନା, ଠିକ୍‌ ଗୋଟାଏ ଅସୁରପରି ଦିଶୁଥିଲା । ତା’ ହସ ଶୁଣି ମୁଁ ଚମକି ପଡ଼ିଲି ପରା ! ଓଃ, କି ଭୟଙ୍କର ସେ ପିଲାଟା ମୁଁ !’’ ପୁଣି ସେ କହୁଚି–‘‘ସେ କି ଡାକ୍ତର ହେବ ମ । ତାକୁ ଦେଖିଲାକ୍ଷଣି ତ ରୋଗୀ ମୂର୍ଚ୍ଛା ହୋଇଯିବ ।’’

 

ଅନୁପମ କାନେଇଲା । ତା’ କାନ ଦୁଇଟା ଅଖଞ୍ଜ ହେଲା ପରି ବୋଧହେଲା ।

 

ତା’ହେଲେ ଆରସିରେ ସେ ଯେମିତି ଦିଶୁଥିଲା, ସେଇଟା କଣ ଠିକ୍‍ ଚେହେରା ନଥିଲା-? ହଠାତ୍ ସେଇ ପେଣ୍ଟର ଉପରକୁ ତା’ର ରାଗ ଆସିଲା । କାହିଁକି ସେ ତାକୁ ଏମିତି ନିର୍ଦ୍ଦୟଭାବରେ ତିଆରି କରିଥିଲା ? ତା’ହେଲେ ଅନୁପମଠି କ’ଣ ଏତେ ଟିକେ ବି ଆର୍ଯ୍ୟଗନ୍ଧ ନାହିଁ ? ସେ କ’ଣ ବଂଶ-ପରମ୍ପରାକ୍ରମେ କେବଳ ଅସୁର-? ସେ କ’ଣ ମଧ୍ୟଏସିଆରୁ ଭାରତକୁ ଆସିନାହିଁ ?

 

ଜୋନାକୀ ଘରକୁ ଚାଲିଗଲାଣି । ସ୍ଵପ୍ନକାନ୍ତ ବ୍ୟାଣ୍ଡେଜ୍‌ ଖୋଲି ସାରିଲାଣି । ଅନୁପମ ତରତର ହୋଇ ରଙ୍ଗ ପୋଛିପକାଇଲା ମୁହଁକୁ ।

 

ଡକ୍ଟର ମିଶ୍ର ଚାଲିଗଲେଣି । ହଲ୍‌ଫାଙ୍କା ।

 

ଅନୁପମ ଫେରିଲା ଧୀରେ ଧୀରେ । ତା’ ମନରେ ସେଇ ଗୋଟାଏ କଥା ଏପାଖ ସେପାଖ ହେଉଥାଏ ଯେ ସେ ଗୋଟାଏ ଅସୁର ପରି ଦିଶୁଥିଲା । ପରେ ପରେ ଉଙ୍କିମାରୁଥାଏ ସେଇ କାର୍ଟୁନଟା–‘କୀଚକବଧ ପରେ’….ପ୍ରିୟେ, ଏଥର ତୁମ ମନସ୍କାମ ପୂର୍ଣ୍ଣ ହେଲା ତ ।’ ପ୍ରିୟେ, ଏଥର ତୁମ ମନସ୍କାମ..... ପ୍ରିୟେ, ଏଥର ତୁମ..... ପ୍ରିୟେ ।

 

ଆକାଶରେ କୁହୁଡ଼ି । ନିଷ୍ପ୍ରଭ କେତେଟା ତାରା । ଜୁଳୁଜୁଳୁ ଆଖି । କୀଚକର ପ୍ରେତାତ୍ମା ଚାଲିଛି ଅନୁପମର ସାଥେ ସାଥେ । ସାମ୍ନାରେ ହଷ୍ଟେଲ୍‌ । ଉତ୍କଟ ହସ । ତାଚ୍ଛଲ୍ୟଭରା ଚାହାଣି । କୀଚକକୁ ସେ ଘୁଞ୍ଚେଇ ପାରୁନାହିଁ, ତଡ଼ିଦେଇ ପାରୁନାହିଁ । ଗୋଟାଏ ଅନ୍ତରଙ୍ଗ କୁକ୍‌କୁର ସମାନ ସେ ଚାଲିଛି, କେତେବେଳେ ଆଗରେ ତ କେତେବେଳେ ପଛରେ ।

 

ହଷ୍ଟେଲ୍‌ର ଆଲୋକିତ ବାତାୟନସବୁର ରେଲିଂଗୁଡ଼ାକ ଦାନ୍ତପରି ଦିଶୁଚି ତାକୁ । ଯେମିତି ବା ଅନୁପମ ପହଞ୍ଚିଲାକ୍ଷଣି ଦାନ୍ତକଡ଼ରୁ ଘୃଣ୍ୟ ହସସବୁ ଫିସ୍‌ଫିସ୍‌ କରି ବାହାରିପଡ଼ିବ ।

 

ନିଜର ଚେପ୍‌ଟା ନାକଟାକୁ ଆଉଁସି ଆଉଁସି ଅନୁପମ ବାରଣ୍ଡାକୁ ଉଠିଲା ।

 

ସ୍ଵପ୍ନକାନ୍ତକୁ ଚାରିପାଖରେ ଘେରି ପିଲାଏ ଖୁସିଗପ ଆରମ୍ଭ କରିଦେଇଥାନ୍ତି । ଅନୁପମ କାନ ପାତିଲା । ଜଣେ କିଏ କହୁଛି–“ଆମର ଆଉ କିଛି ଦରକାର ନାହିଁ । ବାହାଘର ପରେ ନୂଆ’ଉଙ୍କ ହାତରୁ କପେ ଚା......”

 

ଅନୁପମ ଛାତିର ଅନ୍ତିଗୁଡ଼ାକ ଦୁହିଁହୋଇଗଲା । ଏମାନଙ୍କ ଆଲୋଚନାର ଭିତ୍ତି କଣ ? ଜୋନାକୀ କଣ ସତରେ ସ୍ଵପ୍ନକାନ୍ତକୁ ଜବାବ ଦେଇଦେଇଚି ? ତା’ହେଲେ ସକାଳର ସେଇ ଅଭିମାନ, ସେଇ କାନ୍ଦକାନ୍ଦ ମୁହଁ, ସେଇ ରୁଷା–କ’ଣ ସବୁ ମିଥ୍ୟା ? ସବୁ ଛଳନା ?? ସେଇ ଫୁଲ ନେବାରେ ଜୋନାକୀର କ’ଣ ଆନ୍ତରିକତା ନ ଥିଲା ? ତେବେ ସେ ନେଲା କାହିଁକି ? କାନ୍ଦିଲା କାହିଁକି ? ସୁମିତାର ବ୍ୟବହାର ସହି ପାରିଲା ନାହିଁ କେଉଁ ବେଦନାରୁ ?

 

ନାଁ–ସେ ଅବିଶ୍ଵାସ କରିବ ନାହିଁ ଜୋନାକୀକୁ । ଜୋନାକୀ ତାକୁ ଭଲପାଏ ।

 

କିନ୍ତୁ ସ୍ଵପ୍ନକାନ୍ତର ଏ ଉଚ୍ଛ୍ଵାସର ଭିତ୍ତି କ’ଣ ? କ’ଣ ତାକୁ ଏମିତି ଉତ୍‌ଫୁଲ୍ଲ କରୁଛି ? ଜୋନାକୀ କ’ଣ ତାକୁ କେବେହେଲେ କଥା ଦେଇଥିଲା ? ଯଦି ତାହା ନୁହେଁ, ଗୋଟାଏ ପରଝିଅର ନାଁକୁ ଏମିତି ଉଚ୍ଚାରଣ କରି ଏପରି ହସ-ରୋଳ ଏକ ତାମସା ନୁହେଁ କି ?

 

ଅନୁପମ ବିଶ୍ଵାସ ଓ ଅବିଶ୍ଵାସ ମଝିରେ ଘରର ଏ କୋଣରୁ ସେ କୋଣକୁ ଟହଲିବାକୁ ଲାଗିଲା ।

 

ଯେମିତି ତା’ରି ଉପରେ ହିଁ ହଷ୍ଟେଲଟା ସାରା ଅତ୍ୟାଚାର ଆରମ୍ଭ କରିଦେଇଛନ୍ତି । ଯେମିତି ତା’ରି ଉପରେ ସମସ୍ତେ ଆନନ୍ଦରେ ଦୁମ୍‍ଦୁମ୍‍ ହୋଇ ଚାଲିଛନ୍ତି ।

 

ଅନୁପମ ଭାବୁଚି–ଯେମିତି ସେ ଆଉ ବେଶି ସମୟଧରି ଠିଆହୋଇ ପାରିବ ନାହିଁ । ସତକୁସତ କଚାଡ଼ି ହୋଇ ପଡ଼ିବ ଓ ଜେନାକୀକୁ ମୋଟର ସାଇକେଲ ପଛରେ ବସାଇ ସ୍ଵପ୍ନକାନ୍ତ ତା’ରି ଉପରଦେଇ କୁଆଡ଼େ ନାହିଁ କୁଆଡ଼େ ଉଡ଼ିଯିବ । ଆଉ ଗୋଟାଏ ମୁର୍ଦ୍ଦାର ଚାହିଁଲା ପରି ଚାହିଁଥିବ ଅନୁପମ ସେମାନଙ୍କୁ ଜୋନାକୀର ଅଞ୍ଚଳ ଅଦୃଶ୍ୟ ହେବାଯାଏ ।

ନାଃ, ଅନୁପମକୁ ତପସ୍ୟା କରିବାକୁ ପଡ଼ିବ–କଠୋର ତପସ୍ୟା, ଆଗ୍ନେୟ ତପସ୍ୟା, ରାବଣର ତପସ୍ୟା, ମହୀଷାସୁରର ତପସ୍ୟା, ବିଶ୍ଵାମିତ୍ରର ତପସ୍ୟା–ଟିକିଏ ଏପାଖ ସେପାଖ ନୁହେଁ-

ସେ ହେବ ସୂର୍ଯ୍ୟସମ ତେଜୀୟାନ୍‌ । ସେ ବି ଦେଖାଇଦେବ ଜଗତକୁ ଯେ, ଗୋଟାଏ ଅନାର୍ଯ୍ୟ ନାକ ପାଇ ଥିଲେ ବି ନିଜ ଗୁଣରେ ସେ ଆର୍ଯ୍ୟ ହୋଇପାରେ, ବିଶ୍ଵାମିତ୍ର ବ୍ରାହ୍ମଣ ହେଲା ପରି ।

ଉନ୍ମାଦନାରେ ଅନୁପମର ବକ୍ଷ ସ୍ଫୀତ ଓ ପ୍ରସାରିତ ହୋଇଗଲା । ତା’ର ହାତ ମୁଠା ମୁଠା ହୋଇଗଲା । ତା’ର ସମସ୍ତ ଶିରାପ୍ରଶିରାକୁ ଓ ଅନ୍ତରର ସମସ୍ତ ଅନ୍ତି ଓ ଦାନ୍ତିକୁ ଥରାଇ ବାହାରିଆସିଲା ଏକ ଶଦ୍ଦ ‘ଓଁ’ । ଥରେ ନୁହେଁ ଦି’ଥର ନୁହେଁ, ତିନିଥଏ–ଓଁ...... ।

ପ୍ରତ୍ୟେକ ଉଚ୍ଚାରଣରେ ସେ ଅନୁଭବ କରୁଥିଲା ଯେମିତି ତା’ର ଭିତରେ କଳଙ୍କି ଲାଗିଥିବା କେତେଟା କବ୍‌ଜା ଆପେ ଆପେ ଫିଟି ସଚଳ ହୋଇଉଠୁଛି । ବହୁଦିନଧରି ବନ୍ଦ ଥିବା କେତେଟା ବାତାୟନ ଯେମିତି ଆପେ ଆପେ ଫିଟିଯାଉଛି ।

ନିଜର ପ୍ରତିଧ୍ୱନି ଶୁଣି ସେ ଚମକିଉଠିଲା–ଆରେ ! ୟେ କି ସ୍ଵର ! କି ଅଦ୍ଭୁତ ୟେ ! ସେ ନିଜର ସ୍ଵରକୁ କେବେହେଲେ ଏତେ ଭଲକରି ଶୁଣିନଥିଲା । ସେ ମୁଗଧ ହୋଇଗଲା–ଏଁ ! ଏ ସ୍ଵର ତାହାରି ଭିତରୁ ବାହାରୁଚି ତ !

 

ଅନୁପମ ଅଥୟ ହୋଇପଡ଼ିଲା ।

 

ବାରଣ୍ଡାରୁ ପିଲାମାନଙ୍କର ଗୋଳମାଳ କମିଗଲାଣି । ରାତି ବାରଟା । ଅନେକେ ଶୋଇପଡ଼ିଲେଣି । କାହାର କାହାର ରୁମରୁ ଆଲୁଅ ନିଭି ନଥାଏ ।

 

ଅନୁପମ ଦେଖିଲା–ତାର ରୁମ୍‌ଟା ବି ନିରାପଦ ଜାଗା ନହେଁ । ଏହା ଅତି ଅପ୍ରଶସ୍ତ ।

 

ସେ ଉଠିଲା ଉପରକୁ–ହଷ୍ଟେଲ୍‌ ଛାତ ଉପରକୁ ।

 

ବେଶ୍‌, ତାହା ଖୁବ୍‌ ନିର୍ଜନ ଜାଗା । ଖୁବ୍‌ ପ୍ରଶସ୍ତ । ଉପରେ କୁହୁଡ଼ିଘେରା ଆକାଶ, ଜୁଳୁଜୁଳିଆ, ଅସଂଖ୍ୟ ତାରା, ବର୍ଷୁଛି କାକର ।

 

ଦୂରରୁ ଦିଶୁଚି ଅର୍ଦ୍ଧନିଦ୍ରିତ କଟକ ସହର । ରାସ୍ତାଘାଟର ବିଜୁଳିବତୀ କିଛି କିଛି ଦିଶୁଚି । ମଝିରେ ମଝିରେ ଗୋଟେ ଦିଇଟା ଟ୍ରକ, କାର୍‌ ଯା–ଅସର ଶବ୍ଦ ଭାସିଆସୁଚି । ବେଳେବେଳେ ଷ୍ଟେସନରୁ ଛୁଟିଆସୁଚି ଟ୍ରେନ୍‌ର ହୁଇସିଲ୍‌ ।

 

ହସ୍‌ପିଟାଲର ଆଲୁଅ ଲିଭିନାହିଁ । କେତେଟା ଝରକା ଅନ୍ଧାର ଦିଶୁଚି । ନିଦ ଓଷଦ ଖାଇ ରୋଗୀ ସବୁ ଶୋଇ ପଡ଼ିଲେଣି । କେତେବେଳେ କେମିତି କିଏ କାଶୁଚି ଖୁଁ ଖୁଁ ହୋଇ ।

 

ଅନୁପମ ସବୁଆଡ଼େ ଦୃଷ୍ଟି ବୁଲେଇଆଣି ତଳେ ନିଜର ତଉଲିଆଟି ବିଛେଇ ଦେଲା ଓ ଜଣେ ପୁରାଣ ଋଷିପୁରୁଷ ଭଳି ପଦ୍ମାସନରେ ବସିପଡ଼ିଲା ତାରି ଉପରେ ।

 

ନିଶ୍ଚଳ ହୋଇ ପେଟ ପିଠି ସଳଖ କରି ପୁଣି ସେ ଏକ ଅପୂର୍ବ ଆବେଗରେ ଉଚ୍ଚାରଣ କଲା–‘ଓଁ ଓଁ ଓମ ।’ ତାକୁ ଭାରି ମଜା ଲଗୁଥାଏ ପ୍ରତିଧ୍ୱନି ଶୁଣିବାକୁ । ସେଇ ଧ୍ୱନି ତା’ର କାନକୁ ଛୁଇଁ ଚାଲିଯାଉଛି । ଶବ୍ଦଟାର ଆକାରକୁ ଠିକ୍‌ ଧରିପାରୁନାହିଁ ଅନୁପମ । ତେଣୁ ସେ ବାରମ୍ବାର ଉଚ୍ଚାରଣ କରୁଛି–ଓଁ ଓଁ ଓଁ ଓମ୍‌ । ପ୍ରତିଥର ତାକୁ ନୂଆ ଲାଗୁଛି । କୌଣସି ଦୁଇଟା ଧ୍ୱନି ଏକା ହୋଇପାରୁନାହିଁ, କେଉଁଠି ନା କେଉଁଠି ଯେମିତି ବଦିଳଯାଉଛି । ଗଣ୍ଠିଟାକୁ ଠିକଣା କରିପାରୁନାହିଁ ଅନୁପମ । ଏଣୁ ସେ ଥରକୁଥର ଉଦ୍‌ଗାର କରିବାକୁ ଲାଗିଛି ସେଇ ଧ୍ୱନିଟାକୁ ।

 

ତାର ନାଭିକମଳ ପଶିଯାଉଛି ଭିତରକୁ ପୁଣି ସ୍ଫୀତ ହୋଇଯାଉଛି । ତାର ସାକାର ଦେହଯନ୍ତ୍ର ଭିତରୁ ପ୍ରକାଶିତ ହେଉଛି ଏଇ ଅଣାକାର ଶଦ୍ଦ ।

 

ନାଭି ହେଉଛି ଶବ୍ଦର ଉତ୍ସ । ଶବ୍ଦ ହେଉଛି ଏଇ ବ୍ରହ୍ମାଣ୍ଡ ପରି ନିରାକାର–ତା’ର ମନପରି–ଆକାଶ ପରି ।

 

ଉତ୍ତର ଆକାଶରେ ଫୁଟିଉଠିଥିଲା ଧ୍ରୂବତାରା । ଅନୁପମର ଦୃଷ୍ଟି ପଡ଼ିଛି ତା’ରି ଉପରେ-। କେଡ଼େ ପ୍ରଶାନ୍ତ ସେଇ ତାରାଟା ! ଡ: ମିଶ୍ର କହୁଥିଲେ–ଭଗବାନଙ୍କ ମାନସିକ ଉତ୍ତେଜନାରୁ ତାରାଗୁଡ଼ାଙ୍କର ଜନ୍ମ । ସେ ବି ଦେଖିଚି ସେଇଦିନ କାଚପଟା ଭିତର ଦେଇ ଏଇ ତାରାଗୁଡ଼ାଙ୍କୁ-। କେଡ଼େ ବିଶାଳ ଏମାନେ । ଚାହିଁହୁଏନାହିଁ ସେମାନଙ୍କର ଜ୍ୟୋତିକୁ । ଏଇ ଜ୍ୟୋତିର୍ମୟୀ ପିଣ୍ଡଗୁଡ଼ାକ ତା’ହେଲେ କେତେ ଦୂର ଯାଏଁ ବ୍ୟାପ୍ତ ? ତଳେ କେତେ ଦୂର, ଉପରକୁ କେତେ ଦୂର-? ଚାରିଦିଗକୁ କେତେ କେତେ ବାଟ ?

 

କଣ ସତରେ ଶେଷ ନାହିଁ ! ଶେଷ ନ ଥିବା କଣ ସମ୍ଭବ ? ଯଦି ଶେଷ ନାହିଁ ତେବେ ! ଓଃ ! –ତାର ମୁଣ୍ଡ ଘୂରିଗଲା ।

 

ତାର ତେଜୀୟାନ୍‌ ଦୃଷ୍ଟି ଧ୍ରୁବତାରାକୁ ଅତିକ୍ରମ କରିଗଲା । ତା’ ମନପଟରେ ଉଦ୍ଭାସିତ ହୋଇଉଠିଲା ଏଇ ବ୍ରହ୍ମାଣ୍ଡ । ଅସଂଖ୍ୟ ଜ୍ୟୋତିର୍ମୟ ପିଣ୍ଡରେ ପରିପୂର୍ଣ୍ଣ ଆକାଶ । ତା’ ଭିତରେ କେଉଁଠି ପୃଥିବୀ ? କେଉଁଠି ? ଗୋଟାଏ ବିନ୍ଦୁ–ହଁ ହଁ, ଗୋଟାଏ ବିନ୍ଦୁ । କିନ୍ତୁ ସେ ପୃଥିବୀ ଉପରେ ଅନୁପମ ବସିନାହିଁ । ସେ ନାହିଁ । ସେ ବଞ୍ଚି ନାହିଁ । ତାର ସ୍ଥିତି ନାହିଁ । କାହିଁ, କେଉଁଠି ଅନ୍ୟମାନେ-? କିଛି ଦିଶୁନାହିଁ । ପୃଥିବୀ ଗୋଟାଏ ବିନ୍ଦୁବତ୍‌ । ସେ ବିନ୍ଦୁ ଭିତରେ କେଉଁ ରୂପରେ ଅଛନ୍ତି-? ତାର ନିଜ ପ୍ରତି ବିଶ୍ଵାସ ତୁଟିଗଲା । ଭୁଲିଗଲା ଯେ ସେ ବଞ୍ଚିଛି । ଭୁଲିଗଲା ଯେ ସେ ଅଛି-। ଭୁଲିଗଲା ସଯେ ତା’ର ଦେହର କିଛି ଗୋଟାଏ ଓଜନ ଅଛି । ସେ ‘ଅଣୋରଣିୟାନ୍‌.....’’

 

ପୁଣି ସେ ଉଚ୍ଚାରଣ କଲା–‘ଓଁ ଓମ୍‌’ । ନିଜର ଶବ୍ଦ ଶୁଣି ଆଉ ଥରେ ସେ ଚମକି ଉଠିଲା-। ଏ ତ ତାହାର ଶବ୍ଦ ! ତାହାରି ପ୍ରାଣର ଝଙ୍କାର ! ତେବେ ସେ ଅଛି । ଅଣୋରଣିୟାନ୍‌ ହେଲେ ବି ସେ ଅଛି ! ବ୍ରହ୍ମାଣ୍ଡର ମାନଚିତ୍ରରେ ନ ଥିଲେ ବି ସେ ଅଛି । ତାର ଆସନ ଅଛି, ଉଚ୍ଚତା ଅଛି, ପ୍ରସ୍ଥ ଅଛି । ସେ ଗୋଟାଏ ସ୍ଥିତିଶୀଳ ଅଣୋରଣିୟାନ୍‌ ।

 

ତା’ର ଗୋଟାଏ ନିର୍ଦ୍ଦିଷ୍ଟ କବ୍‍ଜା ଅଛି ।

 

ପୁଣି ସେ ଉଚ୍ଚାରଣ କଲା କବ୍‍ଜାଗୁଡ଼ାକୁ କଂପିତ କରି–‘ଓଁ.....”

 

ସେ ଅଣୋରଣିଆନ୍‌ ହେଲେ ବି ଗୋଟାଏ ‘ମହତୋମହୀୟାନ୍‌’ ଅଣାକାର ଶବ୍ଦ ସୃଷ୍ଟି କରିପାରେ ।

 

ତେବେ ସେ ବି ଛୋଟ ନୁହେଁ ! ତାର ସାକାର ଦେହ ଭିତରେ ବି ଏକ ନିରାକାର ଚେତନା ଅଛି !

 

ଅନୁପମ ଉତ୍‌ଫୁଲ୍ଲ ହୋଇଉଠିଲା । ସେ ବଞ୍ଚିଛି । ଏ ବ୍ରହ୍ମାଣ୍ଡ ଯେତେ ବଡ଼ ହେଉନା କାହିଁକି ସେଥିରେ ତାର କିଛି ଯାଏ ଆସେ ନାହିଁ ।

 

ତଳେ ବିଛାହୋଇଥିବା ତଉଲିଆ ଖଣ୍ଡକ ଉପରେ ସେ ହାତ ମାରିଲା । ବେଶ୍‌ ମୁଲାଏମ୍‌ ଅଧଇଞ୍ଚେ ମୋର ଟିର୍କିସ୍‌ ତଉଲିଆଟା । କେତେ ସୁନ୍ଦର କରି ବୁଣିଛି, କେତେ ଅଲଗା ଅଲଗା ସୂତାକୁ ଯୋଡ଼ି ଯୋଡ଼ି ତିଆରି କରିଛି ଏ ଖଣ୍ଡକ ।

 

ରାତି ବିଟ୍‌ର ପୋଲିସ ରାସ୍ତା ଉପରେ କାହାକୁ ଧରିଛି । ଅନୁପମ କାନେଇଲା–ପୋଲିସ ପଚାରୁଛି, “ଏ, ତୁ କିଏ ? କେଉଁଠୁ ଆସିଲୁ, କୁଆଡ଼େ ଯାଉଛୁ ? ଆଁ..... ??

 

‘‘ହମ୍‌ କୋଇ ନେହିଁ । ହମ୍‌ କୋଇ ନେହିଁ ।’’

 

‘‘ବଦମାସ୍‌, ଚାଲାଖି ମାରୁଛୁ, ନାଇଁ ! ମୁଁ ପଚାରୁଚି ତୋର ନାଁ କଣ ?’’

 

‘‘ମୁଝେ ମାଲୁମ ନେହିଁ ।’’

 

‘‘ହଇବେ, ଦେବି ଦିପାହାର ଜାଣିଛୁ ନାଁ । କେଉଁଠୁ ଅଇଲୁ କହ ? କହ !”

 

“ଆସ୍‌ମାନ ସେ (ଅର୍ଥାତ୍‌ ଆକାଶରୁ) । ଯା’ରହା ହୁଁ ଭି ଓହାଁ (ଅର୍ଥାତ୍‌ ସେଇଠିକି ଯାଉଛି ମଧ୍ୟ) । ତୁମ କୌନ୍‌ ହୋ ରୁକ୍‌ନେବାଲେ ମୁଝେ ? (ମୋତେ ଅକେଇବାକୁ ତୁମେ କିଏ ?) ରାସ୍ତା ଛୋଡ଼ୋ । ମୁଝେ ଜାନେ ଦୋ ।’’ (ରାସ୍ତା ଛାଡ଼ ! ମୋତେ ଯିବାକୁ ଦିଅ)

 

‘‘ଶଳା ! ଖୁବ୍‌ ପିଇଚୁ, ନା ? ଚାଲ୍‌ଚାଲ୍‌ ଥାନାକୁ । ସେଇଠି ପାଇବୁ ତୋର ଆସ୍‌ମାନ୍‌କୁ-। ଶଳା, କେତେ ବୋତଲ ଟେକିଚୁ ବେ ?”

 

‘‘ଥାନେ ମେ ! କ୍ୟୋଁ । (ଥାନାକୁ କାହିଁକି ?) ଉହାଁସେ ଆସ୍‌ମାନ୍‌କୋ ସିଧୀ ରାସ୍ତା ମିଲ୍‌ତି ହୈ କ୍ୟା ? (ସେଇଠୁ କଣ ଆକାଶକୁ ସିଧା ସଳଖ ରାସ୍ତା ପଡ଼ିଛି ନା କଣ ?) ତବ୍‍ ତୋ ଭାୟା ଚଲ୍‍ । ମୁଝେ ଲେ ଚଲ୍‌, ମୁଝେ ଲେ ଚଲ୍‌ । ଇସ୍‌କଟକ ମେ ପିନା ବଡ଼ା ମହଙ୍ଗା ହୈ । ୟହି ଜି’ନା ମୁସ୍କିଲ୍‌ ହୈ । ପ୍ୟାର୍‌ କେ ଲିୟେ ଭି ପୈସା ଲଗତା ହୈ । (ଅର୍ଥାତ୍ ତା’ ହେଲେ ଭାଇ ଚାଲ୍‌-। ମୋତେ ନେଇ ଚାଲ୍‌ । କଟକରେ ପିଇବା ବଡ଼ ମହରଗ । ଏଠି ବଞ୍ଚିବା ଭାରି କଷ୍ଟ-। ଏଠି ପ୍ରେମ ପାଇଁ ମଧ୍ୟ ପଇସା ଖର୍ଚ୍ଚ କରିବାକୁ ପଡ଼େ) ଶୁନା ହୈ କି ଆସ୍‌ମାନ୍‌ ମେ ଜିନା, ପିନା ଔର୍‌ ପ୍ୟାର୍‌ କର୍‌ନେ କେ ଲିୟେ ପୈସା ଲଗତା ନେହିଁ । (ଶୁଣିଛି, ଆକାଶରେ ବଞ୍ଚିବା, ମଦ ଖାଇବା ଓ ପ୍ରେମକରିବା ଲାଗି ପଇସା ପଡ଼େନାହିଁ ।)

 

‘‘ହଉ ହଉ ଚାଲ୍‌ ! ଥାନାକୁ ଚାଲ୍‌ !’’ ପୋଲିସଟା ଯେମିତି ଲୋକଟାକୁ ଟାଣୁଚି ।

 

Unknown

‘‘ଏ ଭାୟା !’’ ଲୋକଟା ଫେର୍‌ କହୁଚି ଅନୁନୟ ହୋଇ‘‘–କୁଛ୍‌ ପୈସା ହୈ ତେରେ.ପାସ୍‌ (ହେ ଭାଇ ! ତୋ ପାଖରେ କିଛି ପଇସା ଅଛି ?) ତେରା ପାଓଁ ପଡ୍‌ତା ହୁଁ । କମ୍‌ ସେ କମ୍‌ ଦୋ ରୂପିଆ ଭି ଦେ ଦୋ ନା । ମୈଁ ଦୋ ରୂପିୟା ଲେ କର ନିକ୍‌ଲାଥା । ଶାଲା ମିଆଁ ହୈ ନା, ପିନେ କେ ଲିୟେ ସବ୍‌ ଲେଗୟା । କୁଛ ବଚା ନେହିଁ ପ୍ୟାର୍‌ କର୍‌ନେକେ ଲିୟେ ।

 

ପୋଲିସଟା ଯେମିତି ନୀରବରେ ରହିଲା କିଛି କ୍ଷଣ ।

 

ପୁଣି ସେ ଲୋକଟା କହୁଚି–‘‘ମେଁ ଝୁଟ୍‌ ବୋଲତା ନେହିଁ । ଦେଖ, ପକେଟ୍‌ ମେରା, ଏକ ପୈସାଭି ନେହିଁ ।

 

ପୋଲିସ୍‌ କହୁଚି–‘‘ହଉ ଯା ଘରକୁ ଯା ।’’ ତା’ ପରେ ପୋଲିସ ତାକୁ ଛାଡ଼ିଦେଲା ।

 

ଲୋକଟା କିନ୍ତୁ ତଥାପି କହିଚାଲିଲା–ଯାହାର ଅର୍ଥ ହେଲା ଘର ! ସେ ତ ଘର ନୁହେଁ, ଶ୍ମଶାନ । କିନ୍ତୁ ଦିନେ ମୋର ଘର ଉଜ୍ଜ୍ଵଳ ଥିଲା । ସେତେବେଳେ ଗୁଲାବ ଥିଲା । ମୁଁ ମଧ୍ୟ ଗୁଲାବ୍‌କୁ ଭାରି ଭଲ ପାଉଥିଲି । ସେ ତା’ ନିଜ ହାତରେ ମୋତେ ପେଇ ଦେଉଥିଲା । କହୁଥିଲା, ମଦ ଖାଇବା ଛାଡ଼ିଦେ ମୁଁ ମଧ୍ୟ ଧୀରେ ଧୀରେ ଛାଡ଼ିବାକୁ ଆରମ୍ଭ କରିଥିଲି; କିନ୍ତୁ ଦିନେ ମୁଁ କାମରେ ଦୂରକୁ ଯାଇଥିଲି । ଫେରିଲି ସନ୍ଧ୍ୟାରେ । ଫେରି ଦେଖେଁ ତ ଗୁଲାବ ନାହିଁ–କାହା ସାଙ୍ଗରେ ପଳାଇ ଯାଇଚି । ଏଇ କଟକ ସହରର ଗଳି ଗଳି ବୁଲି ତାକୁ ମୁଁ ଖୋଜିଲି; କିନ୍ତୁ ସତରେ ସେ ପଳେଇଲା । ସେଇଦିନରୁ ମଦ ପିଇବା ନ ଛାଡ଼ି ଏକ ନୂଆ ଢଙ୍ଗରେ ଆରମ୍ଭ କଲି ।

 

ଟିକିଏ ରହି ପୁଣି କହିଲା–ହେ ଭାଇ ! ତୁ ବୋଧେ ମଦ ଖାଉନା ? ଖୁବ୍‌ ଭଲ । ସେଇ ମିଆଁ, ଯିଏ ମଦ ବିକେ ମଁ, ସେ ବି ପିଏନାହିଁ । ଅତି ଆଶ୍ଚର୍ଯ୍ୟ ଲୋକ ସେଇ ମିଆଁଟା । ଦିନେ ମୁଁ ଜଣକର ପକେଟ୍‌ କାଟି ପାଞ୍ଚଟଙ୍କା ରୋଜଗାର କରିଥିଲି । ତହିଁରୁ ଦୁଇଟା ଟଙ୍କାର ମଦ ପିଇଲି । ଟଙ୍କାଏ ଖାଇବାରେ ଖର୍ଚ୍ଚ କଲି । ଆଉ ଦୁଇଟଙ୍କା ଦେଇ ମିଆଁର ଝିଅ ପାଖକୁ ଗଲି । ସେ ମୋତେ ବହୁତ ପ୍ରେମକଲା । କହିଲା, ମୁଁ ତ ପିଏନାହିଁ, ତୁ କାହିଁକି ପିଉଛୁ ? ଫେରିବା ବେଳେ ସେ କହିଥିଲା–ଭୁଲିବୁ ନାହିଁ–ଆଉ ଥରେ ଆସିବୁ । ମୁଁ ତୋତେ ଭଲପାଏ । କିନ୍ତୁ, ମୁଁ ଯିବି ବା କେମିତି-? ବିନା ପଇସାରେ ସେ ବୁଢ଼ା ତ ଭିତରକୁ ଯିବାକୁ ଦେବନାହିଁ । ହେ ଭାଇ ! ଜାଣୁ, ମୋର ମନେହେଉଛି ସେଇ ଝିଅଟା ମିଆଁର ଆପଣା ଝିଅ ନୁହେଁ–କେଉଁଠୁ ଉଠେଇ ଆଣିଛି-। ବହୁତ ପଇସା ରୋଜଗାର କରୁଛି ସେହି ବୁଢ଼ାଟା । ହେ ଭାଇ ! ଦେଇ ଦେ ନା ଦୁଇଟା ଟଙ୍କା; ମାତ୍ର ଦିଇଟା ଟଙ୍କା ।

 

ଅନୁପମ ନିବିଷ୍ଟଚିତ୍ତରେ ଶୁଣୁଥିଲା; କିନ୍ତୁ ପୋଲିସ୍‌ କିଛି ହେଲେ ଉତ୍ତର ଦେଉନାହିଁ । କାହିଁକି ଦେଉନାହିଁ । ଅତି କମ୍‌ରେ ଥାନାକୁ ଟାଣି ଟାଣି ନେଇଯାଇପାରନ୍ତା ତ !

 

ପୋଲିସ୍‌ କହୁଚି–ତୁ ବହୁତ ମଦ ପିଇଦେଇଚୁ । ଯା, କେଉଁଠି ଚୁପ୍‌ଚାପ୍‌ ଶୋଇପଡ଼ । ସକାଳୁ ଉଠି ଘରକୁ ଚାଲିଯିବୁ । କାଲିଠୁଁ ଆଉ ମଦ ପିଇବୁ ନାହିଁ ।

 

କାହିଁକି ଛାଡ଼ିଦେଲା ପୋଲିସ୍‌ ଏଇ ପକେଟ୍‌ମାରୁ ମଦୁଆଟାକୁ ? କଣ ସେ ଦୋଷ ମାନିଗଲା ବୋଲି ? ନା, ଭାଇ ଭାଇ ଡାକିଲା ବୋଲି ? ନା, ନିଜର ଦୁଃଖ ଗାଇଲା ବୋଲି ? କେଉଁଥିରେ ବିଚଳିତ ହୋଇ ଏ ପୋଲିସ ଆଇନ ଭଙ୍ଗକଲା, କର୍ତ୍ତବ୍ୟରେ ହେଳା କଲା ? କଣ୍‌ ତା ଆଗରେ ଠିଆହେଲା ? କଣ କି ସ୍ଵାର୍ଥରେ ବା ସେ ଛାଡ଼ିଦେଲା ?

 

ହସ୍‌ପିଟାଲ୍‌ରୁ ରୋଗୀର ବ୍ୟଥାତୁର ଶବ୍ଦ ଭାସିଆସିଲା । କେଉଁ ରୋଗୀର ନିଦ ଭାଙ୍ଗିଚି-। ତାଳୁ ଶୁଖିଯାଉଛି ଶୋଷରେ । ଡାକୁଚି–‘‘ଭାରି ଶୋଷ । ଦେଈ ! ଦେଈ ! ପାଣି ମୁନ୍ଦେ..... ଦେଈ-! ଦେଈ-!’’

 

ନର୍ସ ବୋଧହୁଏ ଶୋଇପଡ଼ିଛି ବସୁ ବସୁ । ଅନୁପମ ଦେଖିଲା ହସ୍‌ପିଟାଲ୍‌ ଛାତ ଉପରେ କେହି ଜଣେ ଠିଆହେଇଚି । ଛାୟାମୂର୍ତ୍ତିଟାଏ । ଚିହ୍ନି ହେଉନାହିଁ । ଚାଲ୍‌ବୁଲ୍‌ କରୁନାହିଁ । ନିଶ୍ଚଳ, ନୀରବ, ଗୋଟାଏ ଥୁଣ୍ଟା ଗଛପରି । କିଏ ସେ ଏତେ ରାତିରେ ଏପରି କାକରରେ ଠିଆହେଇଚି ? କଣ ଭାବୁଚି, କଣ ଦେଖୁଚି ?

 

ରୋଗୀଟାର କଣ୍ଠ ଆଉ ଶୁଣାଯାଉନାହିଁ । ବୋଧହୁଏ ପୁଣି ସେ ଶୋଇପଡ଼ିଲାଣି, କିମ୍ବା ନର୍ସ ଆସି ପାଣି ପିଆଇଦେଲାଣି । ମଦୁଆଟା ମଧ୍ୟ ଆଉ କିଛି ପାଟି କରୁନାହିଁ । ସତକୁସତ ରାସ୍ତାକଡ଼ରେ କେଉଁଠି ଢୁଳାଇପଡ଼ିଲାଣି କି କଣ ?

 

କିନ୍ତୁ ଛାତ ଉପରେ ସେଇ ଛାୟାମୂର୍ତ୍ତିଟା କଣ କରୁଛି ? ଛାୟାମୂର୍ତ୍ତିଟାର ଧ୍ୟାନ ଆକର୍ଷଣ କରିବା ଲାଗି ନିଜେ ଉଚ୍ଚାରଣ କଲା ସେ ପରିଚିତ ଧ୍ୱନି–ଓଁ । ଓଁ ଙ୍କାର କୁଆଡ଼େ କୁଆଡ଼େ ଭାସିଗଲା; ଅନନ୍ତ ଶୂନ୍ୟରେ ମିଳେଇଗଲା । ସେ ପୁଣି ଉଚ୍ଚାରଣ କଲା–ଓଁ ଓଁ ଓଁ; କିନ୍ତୁ କାହିଁ ? ଲୋକଟିତ ସେଇମିତି ଠିଆହୋଇଚି–ଟିକିଏ ହଲ୍‍ଚଲ୍‌ ହେଉନାହିଁ ! ସେ କଣ ଶୁଣିପାରୁ ନାହିଁ ଅନୁପମର ଓଁ କାର ? ସେ କଣ କାଲ ? ସେ କଣ ନିର୍ଜୀବ ? ଯଦି ନୁହେଁ, ପ୍ରତିକ୍ରିୟା କାହିଁ ?

 

ଅନୁପମ ଏକରକମର ପରୀକ୍ଷା ଆରମ୍ଭ କରିଦେଲା ଛାୟାମୂର୍ତ୍ତିଟିକୁ ଘେନି । ସେ କ୍ଳାନ୍ତ ଓ ହତୋତ୍ସାହ ନହୋଇ ବାରମ୍ବାର ଓଁ ଧ୍ୱନି ଖେଳାଇଦେଲା । କ୍ରମେ କ୍ରମେ ଅନୁପମର ସ୍ଵର କ୍ରମଶଃ ବଢ଼ିବାକୁ ଲାଗିଲା । ତାର ନାକପୁଡ଼ା ଦେଇ ପ୍ରଖର ନିଃଶ୍ଵାସ ବହିବାକୁ ଲାଗିଲା । ସେ ଶବ୍ଦର ପ୍ରତିଧ୍ୱନି ଆସିଲା କଟକର ବଡ଼ବଡ଼ ପ୍ରାସାଦ କାନ୍ଥରେ ଧ୍ୱନିତ ହୋଇ ।

 

ମୂର୍ତ୍ତିଟି କିନ୍ତୁ ସେଇମିତି ନିଶ୍ଚଳ ଅବସ୍ଥାରେ ଠିଆହୋଇଥାଏ । ଛାୟାମୂର୍ତ୍ତିଟିର ସ୍ଥିତିପରେ କୌଣସି ପ୍ରତିକ୍ରିୟା ନ ଆସିବା ଦେଖି ଅନୁପମର ଆତ୍ମବିଶ୍ଵାସ ତୁଟିଆସିଲା; ଏବଂ କିଛି କ୍ଷଣ ପରେ ତା’ର କ୍ରମାରୋହ ଧ୍ଵନିର କ୍ରମାବରୋହ ହେବାକୁ ଲାଗିଲା । ଶେଷରେ ତା’ର ଧ୍ୱନି ଆଉ ଶୁଣାଗଲାନାହିଁ ।

 

ନାଃ, ସେ ଛାୟାମୂର୍ତ୍ତି ନିଶ୍ଚୟ ଏକ ଶିଳ୍ପୀର ପଥରମୂର୍ତ୍ତି । ଜୀବ ନୁହେଁ–ଜଡ଼, ଜଡ଼ କିମ୍ବା କେହି ବୋଧହୁଏ ନର କଙ୍କାଳଟାଏ ଖଞ୍ଜିଖାଞ୍ଜି ସେଠି ଠିଆକରି ଦେଇଯାଇଛି । ହଁ–ସେଇଆ ହେବ–ସେଇଆ ହେବ ।

 

ଅନୁପମ ଆପଣାକୁ ସାନ୍ତ୍ୱନା ଦେବାକୁ ଲାଗିଲା; କିନ୍ତୁ ତା’ ମୁହଁରୁ କୌଣସି ତୃପ୍ତିର ହସ ବାହାରିନାହିଁ । ତା’ର ପରାଜୟ ହେଲା ସତେ ? ଏଇ ଭାବନା ତା’ର ବ୍ୟକ୍ତିତ୍ଵକୁ ଦଂଶନ କରୁଥାଏ-

 

ତଥାପି ସେ ଛାୟାମୂର୍ତ୍ତିଟାକୁ ଏକ ଲକ୍ଷ୍ୟରେ ଚାହିଁଥାଏ । ଯେତେ ସମୟ କଟୁଥାଏ ଅନୁପମ ଉଦବେଗ ସେତେ ବଢ଼ୁଥାଏ ।

 

କିନ୍ତୁ ହଠାତ୍‌ ଅନୁପମର ମୁଖ ପରାଜୟର ଗ୍ଳାନିରେ ଅବନତ ହୋଇଗଲା ଯେତେବେଳେ ସେ ଛାୟାମୂର୍ତ୍ତିଟି ହଠାତ୍‌ ଛାତ ଉପରେ ଟହଲିବାକୁ ଆରମ୍ଭକଲା, ଠିକ୍‌ ଗୋଟାଏ ମଣିଷ ପରି ।

 

କିନ୍ତୁ କିଏ ସେ ?

 

ଆଉ ଥରେ ହସ୍‌ପିଟାଲ୍‌ର ସେଇ ରୋଗୀଟାର ନିଦ ଭାଙ୍ଗିଲା । ପୁଣି ସେ ଡାକିଲା–‘‘ଆଃ, ଦେଈ ! ଦେଈ ! ପାଣି । ଶୋଷ । .....ଦେଈ ! ଦେଈ !’’

 

ଛାୟାମୂର୍ତ୍ତିଟା କ୍ଷଣକ ଲାଗି ଠିଆହୋଇ ହଠାତ୍‌ ଦଉଡ଼ିବାକୁ ଲାଗିଲା–ଛାତ ଉପରୁ ଅଦୃଶ୍ୟ ହୋଇଗଲା । ଅନୁପମ ତାଟକା ହୋଇ ଠିଆହୋଇପଡ଼ିଲା । କାନେଇଲା ଶବ୍ଦର ଗତିଟାକୁ । ଲୋକଟାର ଜୋତାଶବ୍ଦ ତଳକୁ ଓହ୍ଲାଉଛି ପାହାଚ ଦେଇ କ୍ଷିପ୍ରଗତିରେ । ହସ୍‌ପିଟାଲ୍‌ର ରୋଗୀଥିବା ହଲ୍‌ ଭିତରକୁ ଶବ୍ଦ ପ୍ରବେଶ କଲାକ୍ଷଣି ବେଗ କ୍ରମଶଃ ଧୀର ହୋଇଗଲା ଓ ଶେଷରେ ପାଣି ମାଗୁଥିବା ରୋଗୀଟି ପାଖରେ ଶବ୍ଦଟା ବନ୍ଦ ହୋଇଗଲା । ତା’ପରେ ସେ ରୋଗୀକୁ କହିବାର ଶୁଣିଲା–‘‘ପାଣି ପିଇବୁ, ନା ! ରହ ରହ, ମୁଁ ଦଉଚି । ତୋତେ ଭାରି ଶୋଷ । ସିଷ୍ଟର ଶୋଇପଡ଼ିଚି । ହଉ, ଶୋଉ ଶୋଉ–ଶୋଇଥାଉ ।’’

 

ଏଥର ଅନୁପମ ବୁଝିପାରିଲା ଲୋକଟା କିଏ । ସେ ନିଜର ଆବେଗ ସମ୍ଭାଳି ନପାରି ସେଇ ଛାତ ଉପରୁ ଡାକ ପକେଇଲା..... “ସାର୍‌ !”

 

ପୂର୍ବ ଦିଗରେ ସିନ୍ଦୂରା ଫାଟିଆସିଲାଣି ସେତେବେଳକୁ । ହୁଇସିଲ ମାରି ମହାନଦୀ ପୋଲ ଉପରେ ଟ୍ରେନ୍‌ଟା ଦଉଡ଼ିଯିବାର ଶବ୍ଦ ଆସୁଥାଏ । ନିଦବାଉଳାରୁ ଉଠି ହସ୍‌ପିଟାଲ୍‌ର ଚୌକିଦାର ବିଡ଼ିଟାଏ ଲଗେଇ ଉଷୁମ ଓ ତେଜ ଟାଣୁଥାଏ ଓ ଠେଙ୍ଗାଟାଏ ଧରି ହସ୍‌ପିଟାଲ୍‌ ଇଲାକାରେ ବୁଲିବା ଆରମ୍ଭ କରିଦେଇଥାଏ, ଯେମିତିକି ସେ ଆଦୌ ଶୋଇ ନ ଥିଲା । ମଝିରେ ମଝିରେ ଗଳାଖଙ୍କାର ମାରି ନିଜର ଅସ୍ମିତାକୁ ସେ ପ୍ରମାଣ କରୁଥାଏ, ଯେମିତିକି ସେ ଆପଣା ଭିତରକୁ ଗୋଟାଏ ବିଶ୍ଵାସ ଆଣିବାକୁ ଚେଷ୍ଟା କରୁଥାଏ ଯେ ତା’ର ଶୋଇବାଟା କାହାରି ଆଖିରେ ପଡ଼ିନାହିଁ ଓ ଶୋଇବା କାଳ ଭିତରେ ହସ୍‌ପିଟାଲରେ କିଛି ପରିବର୍ତ୍ତନ ସାଧିତ ହୋଇନାହିଁ ଏବଂ ତା’ର ଶୋଇବା ସାଥେ ସାଥେ ସମୟଟା ବି ଶୋଇପଡ଼ିଥିଲା; ଯେମିତିକି ମହାନଦୀ ପୋଲ ଉପରେ ଟ୍ରେନ୍‌ ଦଉଡ଼ିବାର ଶବ୍ଦ ସେ ଶୁଣିପାରୁନଥିଲା ।

 

ଇସ୍ପାତ୍‌ ଚୁଲିରୁ ସଦ୍ୟ ଛାଙ୍କି ଆଣିଥିବା ସ୍ଲାଗ୍‌(slag) ଲୁହାର ରଙ୍ଗ ଧରିଛି ପୂର୍ବ ଦିଗ । ବ୍ଲାଷ୍ଟ୍‌ଫର୍ନେସ୍‌ର ରଙ୍ଗ ବାଷ୍ପ ସଦୃଶ ରଙ୍ଗିନ୍‌ ହୋଇଉଠିଚି ଦିଗ୍‌ବଳୟରେ ସ୍ଥିର ନିଶ୍ଚଳ କିଛି ଲଘୁ ମେଘର ପାହାଡ଼ । ଆଉରି ଅନେକ ତଳରେ ଅଛି ସେଇ ଜ୍ଵଳନ୍ତ ତାରା, ଯାହାକୁ ଆମେ ସୂର୍ଯ୍ୟ ବୋଲି କହୁଁ ।

 

ଉଷାର ଆଗମନୀ ବାର୍ତ୍ତା ଅନୁପମକୁ ପୁଲକିତ କରିପାରିଲା ନାହିଁ, ରୋମାଞ୍ଚିତ କରିପାରିଲା ନାହିଁ । ସେଇ ପୁରାତନ ଉଷାରେ ସେ ଆଉ ନୂତନତ୍ଵ ଖୋଜି ପାଇଲାନାହିଁ ।

 

ଅନ୍ଧାର । ସେ ଅନ୍ଧାରକୁ ଘୃଣା କରେନାହିଁ । କାରଣ ସେ ଦେଖିଚି ତାର ମନଟା ଅନ୍ଧାର ଓ ଏଇ ମହାଶୂନ୍ୟଟା ବି । ଆଉ ଏଇ ସୂର୍ଯ୍ୟ ! ସେ ସତେ ସାଙ୍ଗରେ ଗୋଟାଏ ପର୍ଦ୍ଦା ଧରି ଆସେ, ଆକାଶ ଉପରେ ବିଛେଇଦିଏ, ଯାହା ଫଳରେ ଅନୁପମ ଆଉ ମାପିପାରେ ନାହିଁ ଆକାଶର ଗଭୀରତା ଏବଂ ଆକାଶର ଅସଂଖ୍ୟ ଅସଂଖ୍ୟ ସୂର୍ଯ୍ୟ-ତାରା-ଗ୍ରହ ଆହୁରି ଦୂରେଇଯାଆନ୍ତି ତା’ଠାରୁ-। ଅନୁପମ ସେମାନଙ୍କୁ ଚେଷ୍ଟା କରି ବି ଦେଖିପାରେ ନାହିଁ ।

 

ପ୍ରାୟ ସେଇଥିପାଇଁ ଅନ୍ଧାର ରାତିରେ ଖେଳପଡ଼ିଆରେ ଗାମୁଛାଟାଏ ବିଛେଇ ଦେଇ ସେ ଶୋଇପଡ଼େ ଚିତ୍‍ହୋଇ ଓ ଉପରକୁ ଅନାଏ, ନିରୀକ୍ଷଣ କରେ, ଛାୟାପଥଗୁଡ଼ାକୁ ମନେମନେ ମାପିବାକୁ ଚେଷ୍ଟାକରେ । ତାର ଆଖିପତାରେ କ୍ଳାନ୍ତି ଆସେନାହିଁ । ଚନ୍ଦ୍ର ଅପେକ୍ଷା ତାରାଗୁଡ଼ାକୁ ସେ ଅଧିକ ଭଲପାଏ । ତେଣୁ ଅମବାସ୍ୟାଗୁଡ଼ିକୁ ସେ ଅପେକ୍ଷା କରିଥାଏ ମନେମନେ ।

 

ଡକ୍ଟର ମିଶ୍ର ହସ୍‌ପିଟାଲ୍‌ର ବାରଣ୍ଡା ତଳକୁ ଓହ୍ଲେଇଲେ ଏବଂ ହଷ୍ଟେଲ ଓ ହସ୍‍ପିଟାଲ ଭିତରେ ଥିବା ପଡ଼ିଆରେ ଚାଲିବାକୁ ଲାଗିଲେ । ଡକ୍ଟର ମିଶ୍ରଙ୍କୁ ଦେଖି ଅନୁପମ ଓହ୍ଲେଇଲା ଛାତ ଉପରୁ ଏବଂ ଡ: ମିଶ୍ରଙ୍କୁ ସେ ଭେଟିଲା ପଡ଼ିଆ ମଝିରେ ।

 

‘‘ସାର୍‌...’’

 

‘‘ଅନୁପମ କି ?’’

 

ଦୁହେଁ ଦୁହିଁଙ୍କୁ ଚିହ୍ନିବାକୁ ଚେଷ୍ଟାକଲେ । ଦୁହିଁଙ୍କ ଓଠରେ ଗୋଟାଏ ଆନ୍ତରିକ ଉଚ୍ଛ୍ଵାସର ହସ ଖେଳିଗଲା । ଡଃ ମିଶ୍ର ଅନୁପମର କାନ୍ଧକୁ ହଲାଇ ଦେଇ କହିଲେ–‘‘ଅନୁପମ ! ଖୁବ୍ ଭଲ ଅଭିନୟ କରିଥିଲେ । ମୁଁ ତୁମକୁ ଅଭିନନ୍ଦନ ଜଣେଇବାକୁ ସମୟ ପାଇନଥିଲି ।”

 

ଅନୁପମ କହିଲା–‘‘ସେ ସବୁ ଆପଣଙ୍କର ଆଶୀର୍ବାଦର ଫଳ; କିନ୍ତୁ ମୋଠାରୁ ତ ଜୋନାକୀ....”

 

‘‘ନା, ନା’’–ଡକ୍ଟର ମିଶ୍ର ଅନୁପମ ପାଟିରୁ କଥା ଛଡ଼େଇନେଇ ମୁଣ୍ଡ ହଲେଇ କହିଉଠିଲେ–’ନା, ଜୋନାକୀ ପାରିଲାନାହିଁ । କଣ ଯେମିତି କେଉଁଠି ଅଭାବ ରହିଗଲା ତାର । ଜୋନାକୀ ତୁମକୁ ଭଲପାଏ; ତାହା ହିଁ କାରଣ । ସେ ତୁମ ବିରୁଦ୍ଧରେ ଠିଆହୋଇପାରିଲାନାହିଁ । ସୈରିନ୍ଧ୍ରୀ କୀଚକକୁ ନ-କାର ଭିତରେ ତୁମ ପ୍ରତି ଜୋନାକୀର ଭଲପାଇବା କ୍ଷୀର ନୀର ଭଳି ମିଶିଗଲା ।

 

ସେ ଗୋଟିଏ ଘଣ୍ଟା ପାଇଁ ବି ନିଜକୁ ବଦଳେଇ ପାରିଲାନାହିଁ । ତୁମେ ଭୀମ ହୋଇଥିଲେ ବୋଧହୁଏ ସେ ଠିକ୍‌ ପାଦ ମିଳେଇ ପାରିଥାଆନ୍ତା । ମୋର ଭୁଲ ତାହା । ମୁଁ ଜୋନାକୀକୁ ସୈରିନ୍ଧ୍ରୀ କରି ଭୁଲ କରିଛି । କୀଚକର ଅନୁନୟ ପ୍ରେମଭିକ୍ଷାରେ ସୈରିନ୍ଧ୍ରୀ ଯଦି ଥରିଉଠେ, ତା’ ଦେହରେ ଯଦି ପ୍ରୀତି ସଂଚାରିତ ହୁଏ, ତା’ଦ୍ଵାରା ସେଇ ପ୍ରାଚୀନ କବି ବ୍ୟାସଦେବଙ୍କର ଅପମାନ ହେବନାହିଁ କି ? ସେ କି କାରଣରୁ ସୈରିନ୍ଧ୍ରୀ ଗଠନ କରିଥିଲେ ? କି ପରୀକ୍ଷା ଭିତର ଦେଇ ନେଉଥିଲେ ସୌରନ୍ଧ୍ରୀକୁ ? କିନ୍ତୁ....କିନ୍ତୁ ନା-ନା-ନା ।’’ ଡଃ ମିଶ୍ରଙ୍କ ମୁଣ୍ଡ ଗୋଳମାଳ ହୋଇଗଲା । ଯେମିତି । ସେ ପୁଣି କହିଲେ–‘‘ନା ନା, ଜୋନାକୀ ସବୁଠୁଁ ଭଲ ଅଭିନୟ କରିଛି । ଯେତେହେଲେ ସୈରିନ୍ଧ୍ରୀ ନାରୀ । ଆଉ ହୃଦୟ ଏକା କଥା ନୁହେଁ । ନାରୀ ଦୁର୍ବଳ । ଜୋନାକୀ ଦୁର୍ବଳତାକୁ ଫୁଟେଇଛି । “ଠିକ୍‌ ଠିକ୍‌ । ବ୍ୟାସଦେବଙ୍କୁ ଅପମାନ ଲାଗିଲେ ବରଂ ଲାଗୁ ।’’

 

ଅନୁପମ ନିବାକ୍‌ ହୋଇ ଚାହିଁଥିଲା ସେଇ ସାଢ଼େ ପାଞ୍ଚଫୁଟିଆ ମଣିଷଟିକୁ । ଡକ୍ଟର ମିଶ୍ର କେବଳ ଆଖିକୁ ନୁହେଁ ମଣିଷର ହୃଦୟଟାକୁ ଯେମିତି ତନ୍ନତନ୍ନ କରି କାଟିଛନ୍ତି, ଆଉ ଦେଖିସାରିଛନ୍ତି । କିଭଳି ଏ ଦେଖିବାର ଭଙ୍ଗୀ ? କି ଆଶ୍ଚର୍ଯ୍ୟ ଏଇ ଚକ୍ଷୁବିଦ୍‌ ଡକ୍ଟର ମିଶ୍ର !

 

ଅନୁପମର ମୁହଁରୁ କିଛି କାଳ କଥା ବାହାରିଲାନାହିଁ ।

 

ଡକ୍ଟର ମିଶ୍ର ପୁଣି କହିଲେ, “ପ୍ରଥମେ ଜୋନାକୀର ନିନ୍ଦାକରି ମୁଁ ତୁମ ମନରେ ବହୁତ କଷ୍ଟ ଦେଇଛି । ମୋତେ କ୍ଷମାକର । ସି ଇଜ ଏ ପ୍ରେଟି ଗାର୍ଲ୍‌–ସେ ଖୁବ୍‍ ସୁନ୍ଦର । ତୁମ ଆଖି ଭଳି ତା’ର ଆଖି ବି ତେଜୀୟାନ୍‌ । ତା’ର ବାଳ ବି ଖୁବ୍‌ଲମ୍ବା । ତା’ର ଆଖି କହେ ଯେ ସେ ଏବେ ବି ଆର୍ଯ୍ୟ ଅଛି । ତା’ର ବଂଶରେ କେହି କେବେ ଭିନ୍ନ ଗୋଷ୍ଠୀରେ ବାହା ହେଇନାହାନ୍ତି । ତେଣୁ ସେ ଅତି ବୁଦ୍ଧିମତୀ ଓ ସ୍ଵଭାବତଃ ଲଳିତ ମଧୁର କବିତା ପରି ହେବାର ଶାସ୍ତ୍ରୀୟ ଯୁକ୍ତି ରହିଛି । ସିଇଜ୍‌ଏ ପରଫେକ୍‌ଟ ଆସିୟାନ୍‌ ସ୍ପେସିମେନ୍‌ ।”

 

“କିନ୍ତୁ ମୁଁ ଆଜି ତୁମର ଛାତି ଓ ପାହୁଲ ଦିଟାକୁ ଅନାବୃତ ଅବସ୍ଥାରେ ଦେଖିଚି । ତୁମ ବଂଶରେ କେହି ଗୋଟାଏ ଅସୁରୁଣୀକୁ ବାହାହୋଇଥିଲେ, ତୁମ ପାହୁଲ ଓ ଛାତିରେ ତାହାର ଚିହ୍ନ ଏବେ ବି ରହିଛି । ଆଉ ପୁଣି ତୁମର ନାକଟା ଦ୍ରାବିଡ଼-ମୁଣ୍ଡା ପରିବାରର । କିନ୍ତୁ ତୁମ ଆଖି କହେ ତୁମେ ଆର୍ଯ୍ୟ ଥିଲ । ତେବେ ତୁମ ବଂଶରେ ଅସୁର କେମିତି ପ୍ରବେଶ କଲା ?”

 

ଅନୁପମ ବି ଇତିହାସଟାକୁ ଏପଟସେପଟ କଲା । ଯଦି ସୂତ୍ର ମିଳିଯାଏ ତେବେ ସେ ବୁଝେଇଦେବ ଡକ୍ଟର ମିଶ୍ରଙ୍କୁ; କିନ୍ତୁ ନିରୁପାୟ !

 

ଡକ୍ଟର ମିଶ୍ର କହିଲେ–‘‘କିନ୍ତୁ ସେଥିରେ କିଛି ନାହିଁ । ତୁମେ ଜୋନାକୀକୁ ସ୍ତ୍ରୀଭାବରେ ଗ୍ରହଣ କର । ତୁମ ପରିବାରରୁ ଏ ଅସୁରଦାଗ ଓ ମୁଣ୍ଡାଦାଗ ଆପେ ଆପେ ଲୁପ୍ତ ହୋଇଯିବ । ତୁମର ଅଭ୍ୟୁଦୟ ହେବ ।”

 

ଅନୁପମ କହିଲା–‘‘ସାର୍‌ !’’

 

‘‘କିଛି ଦୁଃଖ କର ନାହିଁ । ଅସୁର ବି ମଣିଷ । ତାର ବି ପେଟ ଅଛି । ତା’ର ବି ବାସନା ଅଛି । ଅସୁରମାନେ ବି ନଗରୀ ନିର୍ମାଣ କରିଥିଲେ.....ହେଃ ହେଃ ହେଃ ।’’

 

‘‘କିନ୍ତୁ ଦୁଃଖ କର ନାହିଁ । ଅସୁର ବି ମଣିଷ । ତାର ବି ପେଟ ଅଛି । ତା’ର ବି ବାସନା ଅଛି । ଅସୁରମାନ ବି ନଗରୀ ନିର୍ମାଣ କରିଥିଲେ..... ହେଃ ହେଃ ହେଃ ।”

 

‘‘କିନ୍ତୁ ଚିରକାଳ ଆର୍ଯ୍ୟମାନେ ଅସୁରଙ୍କୁ ଘୃଣା କରିଆସିଛନ୍ତି କାହିଁକି ? କାହିଁକି ସେମାନଙ୍କୁ ଆର୍ଯ୍ୟମାନେ ମାନବିକତାହୀନ ପଶୁ ଭାବରେ ଚିତ୍ର କରିଆସିଛନ୍ତି ? ଏହା କଣ ଆର୍ଯ୍ୟମାନଙ୍କର ଜଙ୍ଗଲର ନିରପରାଧ ଅସୁରମାନଙ୍କ ଉପରେ ଅତ୍ୟାଚାର ନୁହେଁ ?’’ ଅନୁପମ କହିଉଠିଲା ।

 

‘‘ନିଶ୍ଚୟ, ନିଶ୍ଚୟ ।’’ ଡ: ମିଶ୍ର କହିଲେ–‘‘ଏବଂ ଏସବୁର ମୂଳର ସେଇ ଗୋଟିଏ ସତ୍ୟ, ତାହା ହେଉଛି ନିଜର ଜାତିକୁ ଏକ ନିଷ୍ଟଣ୍ଟକ ଓ ନିରାପଦ ଭବିଷ୍ୟତ ଆଣିଦେବାର ପ୍ରଚ୍ଛନ୍ନ ପ୍ରୟାସ-। ସେଥିପାଇଁ ପୃଥିବୀରେ ଯୁଗେ ଯୁଗେ ଗୋଷ୍ଠୀ ଗୋଷ୍ଠୀ ଭିତରେ ସଂଗ୍ରାମ ସଂଘଟିତ ହୋଇଆସିଛି-। ଆର୍ଯ୍ୟ ବିତାଡ଼ିତ କରିଛି ଅସୁରଙ୍କୁ ଆର୍ଯ୍ୟ–ସାମ୍ରାଜ୍ୟର ପ୍ରତିଷ୍ଠା ଲାଗି । ହିନ୍ଦୁ ମୁସଲମାନର ସଂଗ୍ରାମ ଏଇଥିପାଇଁ ଏଯାଏ ଲାଗିଛି । ଏଇଥିପାଇଁ ବି ଖ୍ରୀଷ୍ଟାନ୍‌ମାନେ ଆଫ୍ରିକା ଓ ଭାରତକୁ ଅଧିକାର କରିଥିଲେ ।”

 

‘‘ଓଃ ଏଇଥିପାଇଁ କେବଳ ବିଷ୍ଣୁ ଅସୁରମାନଙ୍କୁ ଅମୃତ ନ ଦେଇ ଦେଇଥିଲେ ଆପଣାର ଦେବତାମାନଙ୍କୁ । ଭ୍ରମବଶତଃ ଅମୃତ ପାନ କରିଥିବା ରାହୁକୁ ସେ କେବଳ ଏଇ ଉଦ୍ଦେଶ୍ୟରେ ସୁଦର୍ଶନ ଚକ୍ରରେ ଦି’ଖଣ୍ଡ କରି ବିକଳାଙ୍ଗ କରିଦେଇଥିଲେ !

 

“କିନ୍ତୁ ସେ ସୁଦର୍ଶନ ଚକ୍ର ଏବେ ବି ଘୂରୁଛି–ବିଷ୍ଣୁଙ୍କ ହାତରେ ନୁହେଁ, ଏଇ ଅନନ୍ତ ଅସୀମ ଆକାଶରେ । ଚକ ପୁଣି ଓଲଟିବ । ସେଇ ରାହୁ ଦିନେ ନା ଦିନେ ଗିଳିବ ଏଇ ସୂର୍ଯ୍ୟକୁ ।” ଏଣୁ ହେବ ନିରାଟ ଅନ୍ଧକାର । ଆର୍ଯ୍ୟର ସେଇ ବୈକୁଣ୍ଠପୁର ଭାଙ୍ଗି ପଡ଼ିବ । ଲକ୍ଷ୍ମୀ ଧ୍ଵଂସହେବ । ସେଇ ଐରାବତ ହାତୀ ଲୁପ୍ତ ହେବ, ଆଉ ତା’ରି ଅସ୍ଥି ଓ ଦାନ୍ତରେ ଗଢ଼ାହେବ ଅସୁର ସାମ୍ରାଜ୍ୟର ପଲ୍ୟଙ୍କ, ନୂଆକରି ।

 

“ଆଉ ଥରେ ହେବ ସାଗରମନ୍ଥନ । ଏଥର କିନ୍ତୁ ଆଉ ବିଷ୍ଣୁ ନଥିବେ, କିମ୍ବା ତାଙ୍କ ହାତରେ ସୁଦର୍ଶନ ନଥିବ । ତା’ପରେ ଯେଉଁ ନୂଆ ସୂର୍ଯ୍ୟ ଏଇ ଆକାଶକୁ ଆସିବେ, ସେ ହୋଇଥିବେ ଜଣେ ଅସୁର । ତା’ପରେ ଆର୍ଯ୍ୟମାନେ ହେବେ ଅସୁରଙ୍କ ଦାସ ।

 

କାଳଚକ୍ର ଘୂରୁଛି । ସବୁ ଓଲଟିଯିବ । ଆଉ ବେଶି ଦିନ ନୁହେଁ । ଚିରକାଳ ଉତ୍ପୀଡ଼ିତ ହେବାକୁ କିମ୍ବା ଚିରକାଳ ସୁଖଭୋଗ କରିବାକୁ ଏ ବ୍ରହ୍ମାଣ୍ଡରେ କେହି ହେଲେ ଭାଜନ ନୁହେଁ । କାଳଚକ୍ଷୁରେ ଅସୁର ଓ ଆର୍ଯ୍ୟ, ଦେବତା ଓ ଦାନବ ସବୁ ସମାନ । ତୁମେ ତଳେ ଅଛ ବୋଲି ବିଚଳିତ ହୁଅନା । ସଂସାରଟା ଚରଖି ଦୋଳି । ତୁମେ ବି ଦିନେ ଉପରେ ବସିବ ।’’

 

‘‘ତା’ ହେଲେ–ଏ ମହାସମର, ଏ ମହାବିପ୍ଳବ କଣ ଅନିବାର୍ଯ୍ୟ ସାର୍‌ ?’’

 

‘‘ହଁ, ହଁ ଅନିବାର୍ଯ୍ୟ । କେହି ତାକୁ ରୋକିପାରିବନାହିଁ ।’’ ଡକ୍ଟର ମିଶ୍ର କହିଲେ–‘‘ଏହି ମହା ସଂଘର୍ଷଟାକୁ ମୁଁ ସ୍ପଷ୍ଟ ଦେଖିପାରୁଛି । ସୁଦର୍ଶନ ଚକ୍ରର ଦାନ୍ତ ଉଜ୍ଜ୍ୱଳ ହୋଇ ଉଠିଲାଣି । ତା’ର ଗର୍ଜନ ଶୁଣାଯାଉଛି । ସେ ଅସୁରଙ୍କୁ କାଟିଥିଲା, ଆଜି ପୁଣି ସେଇ କାଟିବ ଆର୍ଯ୍ୟଙ୍କୁ, ସେଇ କାଟିବ ଦେବତାଙ୍କୁ ।’’

 

‘‘କିନ୍ତୁ ଏହାର କଣ କୌଣସି ପ୍ରତିକାର କରାଯାଇପାରେନାହିଁ ସାର, ସ୍ଥାୟୀ ଭାବରେ ? ଏଇ ଉତ୍ପନ୍ନ ମହାବିପ୍ଳବର କୌଣସି ସମାଧାନ କଣ ଯଥାର୍ଥରେ ଅସମ୍ଭବ ?’’ ଅନୁପମ କହିଲା–‘‘ମୁଁ ଚାହେଁନା ଆର୍ଯ୍ୟ ଓ ଅସୁରଙ୍କର ସଂଗ୍ରାମ ଏଇ ପୃଥିବୀରେ ପୁନରାବୃତ୍ତ ହେଉ । କୁହନ୍ତୁ, କଣ କରାଯାଇପାରେ ? ସହାବସ୍ଥାନ କଣ ଅସମ୍ଭବ ? ଶାନ୍ତି କଣ ପ୍ରତିଷ୍ଠା କରାଯାଇପାରେନା ?’’

 

‘‘ଗୋଟିଏ ଉପାୟ ମୋତେ ଦିଶୁଛି–ଆର୍ଯ୍ୟ ଓ ଅସୁରଙ୍କ ମଧ୍ୟରେ ବୈବାହିକ ସମ୍ବନ୍ଧ ସ୍ଥାପନ । କେବଳ ଏଇ ସମ୍ପର୍କଦ୍ଵାରା ଆର୍ଯ୍ୟ ଓ ଅସୁରଙ୍କ ମଧ୍ୟରେ ଥିବା ଦୂରତା କ୍ରମେ କମି କମି ଆସିବ । ବିବର୍ତ୍ତନ ହେବ ରୂପର ଏବଂ ଦିନ ଆସିବ ଯେତେବେଳେ ସମସ୍ତେ ଗୋଟିଏ ରକମର ନାକ ଧରି ବଞ୍ଚିବେ ।

 

‘ସର୍ବେ ହୋଇବେ ଏକାକାର

ବେଦର ନଥିବ ବିଚାର ।’

 

ସେଦିନ କାହିଁ ? କାହିଁ ସେ ସୁଦିନ, ଯେତେବେଳେ ବେଦର ପାର୍ଥକ୍ୟ ଭୁଲି ଆର୍ଯ୍ୟ ଓ ଅସୁର ଏକ ହୋଇଯିବେ ?

 

‘‘ନାଁ, କେବଳ ଏଇ ଏକମାତ୍ର ଉପାୟ । ଏହାହିଁ କେବଳ ବିବର୍ତ୍ତନକୁ ବହୁ ଭିନ୍ନତାଆଡ଼କୁ ଠେଲି ନଦେଇ ଏକାତ୍ମୀୟତା ଓ ଏକରୂପତ୍ଵ ଆଡ଼କୁ ଟାଣିଆଣିବ । ସେଇଦିନ ମଣିଷ ଜାତିର ଗୌରବମୟ ବିଜୟର ଦିନ ପାଳିତ ହେବ ସବୁ ଜଙ୍ଗଲରେ ଓ ସବୁ ସହରରେ ଏବଂ ସେଇଦିନର ଧାରଣା ନିର୍ଭର କରେ ଏଇ ବୈବାହିକ ସମ୍ପର୍କର ମୂଳପିଣ୍ଡ ଉପରେ । ଯଦି ଏହା ନହୁଏ ପୁଣି ହେବ ସୀତାହରଣ, ପୁଣି ହେବ ଚଣ୍ଡୀ-ମହିଷାସୁରର ଯୁଦ୍ଧ; କିନ୍ତୁ ଏଥର ଯୁଦ୍ଧରେ ରାବଣର କିମ୍ବା ମହିଷାସୁରର ପତନ ହେବନାହିଁ ।”

 

ଡକ୍ଟର ମିଶ୍ର ଦାଢ଼ି ସାଉଁଳେଇବାକୁ ଲାଗିଲେ । ଅନୁପମର ଆଖି ଆଗରେ ନାଚି ଉଠିଲା–ତା’ ବାପାର ସେଇ ଯାତ୍ରା ମଞ୍ଚକୁ ଆସିବା କାଳର ବେଶ, ହାତରେ ନିଆଁହୁଳା, ଓ ସେଇ ଗୋରା ତକ୍‌ତକ୍‌ ପିଲାଟାକୁ ଶୂନ୍ୟକୁ ଉଠେଇ ଦେବା । ସବୁ ମନେପଡ଼ିଲା–ତା’ର ମହିଷାସୁର, ବାଣାସୁର, ଜରାସନ୍ଧ ବାପା, ତାର କୁମ୍ଭକର୍ଣ୍ଣ ବାପା । ସେ ଯେମିତି ସତକୁସତ ମହାବିପ୍ଳବର ମଶାଲ ଧରି ଉଠୁଛି । କେବଳ ତା’ରି ଗାଁରେ ନୁହେଁ, ସେ ନିଆଁ ପ୍ରସରି ଯାଉଛି । ଭାରତବର୍ଷର କଣେ କଣେ ତାର ପ୍ରତିଧ୍ୱନି ଉଠୁଛି, ନିଆଁ ବି ଜଳୁଛି–ଆଫ୍ରିକାରେ, ଜଳି ଉଠିଛି ଅଷ୍ଟ୍ରେଲିଆରେ, ଦକ୍ଷିଣ ଆମେରିକାରେ....ଚାରିଆଡ଼େ । ଆଉ ପ୍ରକମ୍ପିତ ହୋଇଉଠୁଛି ବୈକୁଣ୍ଠ ଭବନର ସିଂହାସନ-। ଆକାଶ ଛାଇହୋଇ ଉଠୁଛି ଆଗ୍ନେୟାସ୍ତ୍ର, ପବନାସ୍ତ୍ର, ଆଟମ ବମ୍‌, ହାଇଡ୍ରୋଜେନ ବମ୍‌, ସେଇ ଶୂଳ ଶକ୍ତି ରକେଟ୍‌, ମିଶାଇଲସ୍‌ ଓ କ୍ଷେପଣାସ୍ତ୍ରରେ ।

 

ସୁଦର୍ଶନ ଚକ୍ର ଘୂରୁଛି ମଝିରେ । ତାହା ଖସିଆସିଛି ବିଷ୍ଣୁଙ୍କ ହାତରୁ । କାଳଚକ୍ର କୁନୀତିକୁ ସହିପାରେନାହିଁ । ସଂଘର୍ଷ ! ମହାସଂଘର୍ଷ ! ଏହାରି ଅନ୍ୟ ନାମ ବୋଧହୁଏ ପ୍ରଳୟ ।

 

ଡକ୍ଟର ମିଶ୍ର ପକେଟ୍‌ରୁ ପାଇପ୍‌ ବାହାର କରି ଟୋବାକୁ ଭର୍ତ୍ତିକରି ଦିଆସିଲି ମାରିଲେ ।

 

ନାଁ, ଏହି ମହାବିପ୍ଳବକୁ ବନ୍ଦ କରିବାକୁ ପଡ଼ିବ; କିନ୍ତୁ ଡ: ମିଶ୍ରଙ୍କ ଉପାୟ ମଧ୍ୟ ଅନ୍ୟ ଏକ ବିପ୍ଳବ ।

 

ଏ ମହାବିପ୍ଲବକୁ ରୋକିବାକୁ ହେଲେ ଏ କ୍ଷୁଦ୍ର ବିପ୍ଲବ-ଯଜ୍ଞରେ ନିଜକୁ ଆହୁତି ଦେବା ବରଂ ଶ୍ରେୟସ୍କର; କିନ୍ତୁ ଆର୍ଯ୍ୟ ଓ ଅସୁରଙ୍କ ଭିତରେ ପ୍ରଣୟ କଣ ସମ୍ଭବ ? ଜୋନାକୀ କଣ ଅନୁପମକୁ ଅନ୍ତର ଦେଇ ଭଲପାଏ ? ଯୁଗ ଯୁଗଧରି ଠିଆହୋଇଥିବା ଏ ପାଚେରିଟାକୁ ଡେଉଁ ସତରେ ସେ କଣ ଅନୁପମକୁ ବରଣ କରିବ ?

 

ଅନୁପମ ଜୋନାକୀକୁ ସହଜରେ ବିଶ୍ଵାସ କରିପାରୁନାହିଁ । ସତେ କଣ…… ? କିଏ ଜାଣେ ? ହୁଏତ ଅନୁପମକୁ ରାବଣପଣ ସ୍ଵୟମ୍ବର ସଭାରୁ ଛତ୍ରଭଙ୍ଗ ଦେଇ ଫେରିବାକୁ ପଡ଼ିବ ! ତା’ ହେଲେ କିନ୍ତୁ ? ସେ ଦାନ୍ତ ରଗଡ଼ିବାକୁ ଲାଗିଲା ଓ ତା’ ଦାନ୍ତର କତୁରୀରେ ଗୋଲାପର ପାଖୁଡ଼ା ସବୁ ଟିକିନିଖି ହୋଇଗଲା କାଟିହୋଇ ।

 

ଅନ୍ଧାର ପାତଳ ହୋଇଆସିଲାଣି । ଗୋଟାଏ ଦିଇଟା ପକ୍ଷୀ ବସା ଭିତରେ ଥାଇ ଟିଟ୍‌କାରି ମାରିଲେଣି ।

 

ଡକ୍ଟର ମିଶ୍ର ଓ ଅନୁପମ ଦୁଇଟା ମେରୁପର୍ବତ ପରି ଠିଆହୋଇଥାନ୍ତି । ଦୁଇଟା ଖୁଣ୍ଟପରି ଦୂରକୁ ହୁଏତ ଦିଶୁଥିବେ । ଜଣେ ଆର୍ଯ୍ୟ, ଜଣେ ଅସୁର । ଦୁଇଜଣଙ୍କ ମଥା ଉପରେ ଆକାଶ । ଦୁଇ ଜଣଙ୍କ ଆଖି ଆଗରେ ନିଷ୍ପ୍ରଭମାନ ପାହାନ୍ତି ତାରା ।

 

ମହାସମର ! ମହାବିପ୍ଳବ ! ମହାସଂଘର୍ଷ ! ମହାପ୍ରଳୟ । ରକ୍ତପାତର ବିଭୀଷିକା ! ଆଟ୍‌ମ ବମ୍‌ ଆଗ୍ନେୟାସ୍ତ୍ର ! ....ଓଃ !

 

ଡକ୍ଟର ମିଶ୍ର କହିଲେ–‘‘ସଭ୍ୟତାର ନିରାପତ୍ତା ହିଁ ଆମର ଭିବଷ୍ୟତ ନିର୍ଣ୍ଣୟ କରିବ । ଏଇ ମହାବିପ୍ଳବ ଯଦି ହୁଏ, ହୁଏତ ନିଷ୍ପେଷିତ ଶୋଷିତ ଅସୁରମାନେ ଜୟଯୁକ୍ତ ହେବେ; କିନ୍ତୁ ତାଙ୍କପାଇଁ ଏ ପୃଥିବୀ ନଥିବ ପୃଥିବୀ ହୋଇ । ମହାଭାରତ ଓ ଲଙ୍କା ଯୁଦ୍ଧପରି ଏହା ମଧ୍ୟ ଏକ ସାମାଜିକ ହାହାକାର ସୃଷ୍ଟି କରିବ । ଯିଏ ସିଂହାସନ ପାଉନା କାହିଁକି, ସେଇ ସିଂହାସନ ପ୍ରତିଷ୍ଠିତ ହେବ ସଭ୍ୟତାର କଙ୍କାଳକୁଢ଼ ଉପରେ ।’’

 

ଭକ୍‌ଭକ୍‌ କରି ଧୂଆଁ ନିର୍ଗତ ହେଲା ଡକ୍ଟର ମିଶ୍ରଙ୍କ ପାଇପ୍‌ରୁ ।

 

ପୂର୍ବ ଦିଗ୍‌ବଳୟ କ୍ରମଶଃ ବର୍ଣ୍ଣବିଭାରେ ଉଜ୍ଜ୍ଵଳ ହୋଇଉଠିଚି । ନାନାଦି ପକ୍ଷୀଙ୍କ କାକଳିରେ ହସ୍‌ପିଟାଲର ଆକାଶ ବି ମୁଖରିତ ହୋଇଉଠିଲାଣି । କା’–କା’ କରି ଚକ୍‌କର ଦେବାକୁ ଲାଗିଲେଣି କେତେଟି କଳାପକ୍ଷୀଆ କାଉ । ପଡ଼ିଆଟା ସାରା କାକରର ଆସ୍ତରଣ । ଅନୁପମର ପାଦଟା କାକରରେ ଭିଜିଯାଇଥିଲା; ମୁଣ୍ଡବାଳ ଓଦାହୋଇ ଯାଇଥିଲା । ହେଜ୍‌ ନଥିଲା ଅନୁପମର ।

 

ପ୍ରସୂତିଭବନ (ମ୍ୟାଟର୍‌ନିଟି ୱାର୍ଡ)ରୁ ଭାସିଆସିଲା ଏକ ନବପ୍ରସୂତ ଶିଶୁର କ୍ରନ୍ଦନଧ୍ୱନି-

 

ପୂର୍ବ ଦିଗର ମଣ୍ଡପ ଉପରେ ସୂର୍ଯ୍ୟ ଗୋଟାଏ ଶିଶୁ ପରି ହାତଗୋଡ଼ ଛାଟିବା ଆରମ୍ଭ କରିଦେଲେ ।

 

ପ୍ରଭାତ ! ଖାଲି ଆଖିରେ ଆକାଶର ତାରା ଆଉ ଦେଖାଯାଉନାହାନ୍ତି । ଦିନର ମାୟା ଭିତରେ ଲୁଚିଗଲେଣି ସେମାନେ ।

 

ଚିନ୍ତାମଗ୍ନ ଡକ୍ଟର ମିଶ୍ର ଗୋଟାଏ ହାତୀ ପରି ଚାଲି ଚାଲି ଫେରିଗଲେ ତାଙ୍କ ଲାବୋରେଟରିକୁ ।

 

ଅନୁପମ ଫେରିଆସିଲା ।

 

ସାରା ରାତି ଉଜାଗର ରହିଥିଲେ ବି ସକାଳୁ ସକାଳୁ ଅନୁପମର ଆଖି ଉପରେ ନିଦର ପରଳ ମାଡ଼ିଆସିଲା ନାହିଁ । ତା’ର ଅନେକ କର୍ତ୍ତବ୍ୟ, ଅନେକ କାମ । ଶୋଇବାକୁ ବେଳ ନାହିଁ । ତା’ଭିତରର କୁମ୍ଭକର୍ଣ୍ଣ ସତେ ଯେମିତି ଏତେ ଦିନକେ ଚେଇଁଉଠିଚି; କିନ୍ତୁ ଏଥର ସେ ଚେଉଁଉଠିଚି ଆଉ ଥରେ ଶୋଇବା ପାଇଁ ନୁହେଁ । ଏଥର ସେ ଜାଗିଛି ତା’ର ନ୍ୟାୟସଂଗତ ଦାବିକୁ ପରିପୂର୍ଣ୍ଣ କରିବାଲାଗି ।

 

ଅନୁପମର ଅନ୍ତର ଏକ ପ୍ରାଗ୍‍-ଐତିହାସିକ ଯୁଗର ବାଘ–ମଣିଷ ପରି କୁଦିବାକୁ ଲାଗିଲା । ତାର ମନହେଲା ଯେମିତି ସେ ଠିଆହୋଇଛି ଏକ ପାହାଡ଼ର ଶିଖର ଦେଶରେ ଓ ସେଉଠୁ ସେ ଡକାପକାଉଛି ବିରାଟ ଗର୍ଜ୍ଜନ କରି । ମେଘନାଦୀ ଶଙ୍ଖ ବାଜିଉଠୁଛି । ତାର ସମର୍ଥନ ଆସୁଛି ହିମାଳୟର ଜଙ୍ଗଲରୁ । ତା’ରିଆଡ଼କୁ ଛୁଟି ଆସୁଛନ୍ତି ଅଜସ୍ର ନିଷ୍ପେଷିତ ଅସୁର ସଇନି ଜଙ୍ଗଲ ଓ ପର୍ବତର ଖୋଲ ଓ ଗୁମ୍ଫାରୁ । ପ୍ରତି ଦଳରେ ପ୍ରତିଧ୍ଵନିତ ହେଉଛି ସେ ଡାକରା, ଶୋଷିତ ଲାଞ୍ଛିତ । ଅସୁରମାନେ ଆସି ଅନୁପମର ଚାରି ପାଖରେ ଘେରି ଯାଉଛନ୍ତି । ଜଙ୍ଗଲ ଜାଗିଛି । ପାହାଡ଼ର ନିଦ ଭାଙ୍ଗିଛି । ଅନୁପମର କାନରେ ଅନୁରଣିତ ହେଉଛି ସେଇ ପୁରାଣ ପୁରୁଷଙ୍କର ବାଣୀରୁ ହିଁ ଆମ ବଂଶର ମୁଖ ଉଜ୍ଜ୍ଵଳ କରିବୁ...ତୁ ହିଁ ତୁହିଁ । ଆଉ ଶୁଅନା । ତୁ ମାତି ଉଠ୍‌, ମତେଇ ଦେ । ଜାଗିଉଠ୍‌, ଜଗେଇଦେ । ଜଳିଉଠ୍‌, ଜଳେଇଦେ ! ବଂଶର ନାଁ ରଖ୍‌ ।

 

ରାବଣ କହୁଛି–ଅନୁପମ ! ମୋତେ ମୁକ୍ତ କର । ଦେଖ, ମୋ ଉପରେ କେମିତି ମାଟି ପଡ଼ିଯାଇଚି । ମୋର ସୁନାଲଙ୍କାକୁ ଭାଙ୍ଗିରୁଜି ଆର୍ଯ୍ୟ କେମିତି ତାର ସ୍ତ୍ରୀକୁ ସୁନାର ଅଳଙ୍କାର ପିନ୍ଧାଇଛି । ଦେଖ, ବାବା ଦେଖ ! ମୋର ସୁନାର ଶିଡ଼ି ଅଧାହୋଇ ରହିଯାଇଛି; ସ୍ଵର୍ଗକୁ ଛୁଇଁପାରିନି । ତୁ ପୂର୍ଣ୍ଣକର । ମୋତେ ମୁକ୍ତି ଦେ, ମୁକ୍ତି ଦେ ! ମୋ ଉପରୁ ମାଟି କାଢ଼ିନେ, ପଥର କାଢ଼ିନେ । ମୋତେ ଖୋଲ ! ଜଗତକୁ ଦେଖା ମୋର ମୁହଁ । ମୋ ନାଁରେ ମିନାର ନିର୍ମାଣ କର । ମୁଁ ଅସୁରମାନଙ୍କୁ କି ସୁଖ ଭୁଂଜେଇ ନଥିଲି ? କି ସମ୍ମାନ, କି ଗୌରବ ଓ କିଭଳି ଆଭିଜାତ୍ୟରେ ଭୂଷିତ କରିବାକୁ ଚେଷ୍ଟା କରିନଥିଲି । ଏ ଧ୍ଵଂସସ୍ତୂପ ଭିତରୁ ମୋତେ ଉଦ୍ଧାର କର । ଆଉ ଥରେ ଆମେ ଏହି ପୃଥିବୀକୁ ଚମକେଇଦେବୁ । ଭାଙ୍ଗିପଡ଼୍‍ନା । ତୋ’ଠି ମୋ ରକ୍ତ ଅଛି । ମୋତେ ଭୁଲନା, ଭୁଲ୍‌ନା ।

 

ରାହୁଦୈତ୍ୟ କହୁଚି–ଆଖି ବୁଜିଦେ’ନା । ମୋତେ ଚାହାଁ । ଆର୍ଯ୍ୟମାନେ କେମିତି ଦି’ଗଡ଼ କରିଦେଇଛନ୍ତି ! ପାଟିଟା ଛଡ଼ା ମୋର ଆଉ କଣ୍‌ ଅଛି ? କିନ୍ତୁ ତଥାପି ମୁଁ ବସିନାହିଁ । ମୁଁ ଏବେ ବି ସଂଗ୍ରାମ କରୁଛି । ତୁ ମୋତେ ସାହାଯ୍ୟ କର । ଲୋକମତ ଜାଗ୍ରତ କର, ପ୍ରତିଶୋଧ ନେ-। ଅମୃତରୁ ଆମ ଭାଗ ଆମକୁ ଦିଆଯାଇନାହିଁ । ଏ ଶୋଷଣର ପ୍ରତିବାଦ କର । ଆମକୁ ପ୍ରତିଷ୍ଠା ଦେ । ଆର୍ଯ୍ୟମାନେ ଲକ୍ଷ୍ମୀ ନେଲେ, ଘୋଡ଼ା ନେଲେ, ହାତୀ ନେଲେ, ଔଷଧ ନେଲେ, ବିଦ୍ୟା ନେଲେ, ପାରିଜାତ ନେଲେ, ସବୁ ଐଶ୍ଚର୍ଯ୍ୟ ନେଲେ । ଆମକୁ ଦେଲେ କ’ଣ୍‌ ? ଜାଣୁ, ଶହ ଶହ ଅସୁରଙ୍କୁ ନେଇ ମୁଁ କେମିତି ସେଇ ସମୁଦ୍ରକୁ ମନ୍ଥି ପକାଇଥିଲି; କିନ୍ତୁ ସେଇ ବିଷ୍ଣୁ ! ଓଃ, କି ପକ୍ଷପାତ ବିଚାର ତାର ? କି ଚକ୍ରାନ୍ତ ତାର ? ଆମର ସରଳତାର ସୁଯୋଗ ନେଇ ସେ କି ଶାସ୍ତି ନ ଦେଲା ଆମକୁ ? ଅନୁପମ ! ନିଜକୁ ଚାହାଁ । ତୁଇ ଆମରି ବଂଶର । ମୋରି ବଂଶର । ମୋରି ରକ୍ତ ତୋର ଶିରାରେ ଶିରାରେ ଏବେ ବି ରହିଛି, ଏବେବି ବହୁଛି । ଗୋଟି ଗୋଟି କରି ଆମ ବଂଶର ସବୁ ରାଜାଙ୍କୁ ମାରିଚି ସେଇ ଆର୍ଯ୍ୟ । ଅସୁର ରାଜଧାନୀ ସବୁ ନିଶ୍ଚିହ୍ନ କରିଛି ସେଇ-। ସେମାନଙ୍କୁ ପାହାଡ଼ ବଣ ଖୋଲକୁ ଖେଦିଚି ସେଇ । ଆମର ନଗରୀ, ଆମର ସଂସ୍କୃତି, ଆମର ସଭ୍ୟତା ସବୁକୁ ସେ ପୋତିପକାଇଚି । ସବୁକୁ ସେ ଛାରଖାର କରିଚି ମୋରି ଆଖି ଆଗରେ; କିନ୍ତୁ ମୋତେ କେବଳ ସେ ଶେଷ କରିପାରିନାହିଁ । ମୁଁ ଏଇ ସୂର୍ଯ୍ୟ ପଛେ ପଛେ ଘୂରୁଛି ମହାକାଳ ଭିତରେ; କିନ୍ତୁ ନିରୁପାୟ । ମୋ ବଂଶର ଯେତେକ ବଞ୍ଚିଛନ୍ତି ସେମାନେ ମୂକ, ସ୍ଥାଣୁ । ସେମାନେ ଆର୍ଯ୍ୟଙ୍କ ନିର୍ଯାତନା ସହି ନପାରି ବଣ ଜଙ୍ଗଲରେ ଲୁଚି ଲୁଚି ରହିଛନ୍ତି । ଆଜି ଦେଖିଲି ତୋତେ-। ତୋ’ଠି ଚୈତନ୍ୟ ଉଦୟ ହୋଇଛି । ଅନୁପମ, ତୋ’ ଉପରେ ମୋର ଅଗାଧ ବିଶ୍ଵାସ । ତୁ ମୋ ବଂଶର ମୁହଁ ଉଜ୍ଜ୍ଵଳ କରିବୁ । ଲକ୍ଷ ଲକ୍ଷ ନିର୍ଯାତିତ ଅସୁରଙ୍କର ଦୁଃଖ ତୁଇ ହିଁ ମୋଚନ କରିବୁ-

 

ଅନୁପମର ମୁଣ୍ଡ ଚାରିପାଖରେ ଖଣ୍ଡିଆଭୂତ ପରି ଛାୟାସବୁ ନାଚିବାକୁ ଲାଗିଲେ । ରାବଣ, ତ୍ରିଶିରା, ସହସ୍ରଶିରା, ମହୀଷାସୁର, ଜରାସନ୍ଧ, ବାଣାସୁର କେତେ ନା କେତେ । ସେମାନେ ସବୁ ଅନୁପମର ପିତୃପୁରୁଷ । ସେମାନେ ଦିନେ ବଞ୍ଚିଥିଲେ । ଦିନେ ବାହୁବଳରେ ବିଶ୍ୱରେ ରାଜାଧିରାଜ ହୋଇଥିଲେ । ସେମାନେ ଆଜି ନାହାନ୍ତି । ତାଙ୍କ ସହିତ ଧୂଳିସାତ୍‍ ହୋଇଛି ସେମାନଙ୍କର ଅଟ୍ଟାଳିକା ଓ ସେମାନଙ୍କର ସଭ୍ୟତା । ତାଙ୍କର ବଂଶଧର ଅନୁପମ, ଯାହାର ମସ୍ତିଷ୍କ ଓ ଆଖି ଦୁଇଟା ଆର୍ଯ୍ୟ, ଦେହ, ଛାତି, ଓଠ, ନାକ, ଦାନ୍ତରୁ ପାଦ ପର୍ଯ୍ୟନ୍ତ ଅସୁର । ନାଃ, ସେ ଆର୍ଯ୍ୟ ନୁହେଁ । ଆର୍ଯ୍ୟମାନେ ତାକୁ ସ୍ଵୀକୃତି ଦେଇନାହାନ୍ତି । ତେଣୁ ସେ ମାନିଯିବ, ଠିକ୍‌ । ପିତୃ ପରମ୍ପରାରେ ସେ ଅସୁର ଓ ମାତୃ ପରମ୍ପରାରେ କେବଳ କେଉଁଠି ଟିକିଏ ଆର୍ଯ୍ୟତ୍ଵର ଛିଟିକା ଲାଗିଯାଇଛି । ହଁ ହଁ ଏଇଟା ଠିକ୍‌ । ତାର ପିତା ଅସୁର । ପିତାମହ, ପ୍ରମିତାମହ ଏମାନେ ସମସ୍ତେ ଅସୁର । ସେ ଅସୁର, ତାର ପାହୁଲ, ଛାତି ଓ ବାହୁରେ ଲେଖା ହୋଇଚି । କିନ୍ତୁ ଅସୁର ବଂଶର ଅଭ୍ୟୁଦୟ ଲାଗି ସେ କଣ କରିପାରିବ ? ସେ କଣ ଆରମ୍ଭ କରିବ ମହାବିପ୍ଳବ ସେ ନେତା ହେବ-? ସେ ହଜାର ହଜାର ଅସୁରଙ୍କୁ ଗୁହା ଓ ଜଙ୍ଗଲରୁ ପଦାକୁ ଆଣି ବିପ୍ଳବ ଆରମ୍ଭ କରିପାରିବ-? କିନ୍ତୁ ତା’ଦେଇ ହେବ କଣ ? ଡକ୍ଟର ମିଶ୍ରଙ୍କର ସୂଚିତ ସେଇ ବିଭୀଷିକା, ରକ୍ତପାତ କଣ ଧାଇଁଆସିବ ନାହିଁ ସେହି ସୁଯୋଗରେ ? ନାଃ, ବରଂ ତାର ବଂଶ ଲୁପ୍ତ ହେଉ, କିନ୍ତୁ ସେ ମହାସମରର ଧ୍ଵଂସକୁ ଡାକିହାକି ଆଣିବ ନାହିଁ । ପୃଥିବୀକୁ ଆଉ ଥରେ ଏକ କଙ୍କାଳକୁଢ଼ରେ ପରିଣତ କରିବ ନାହିଁ ସେ ।

 

କାଳଚକ୍ରର ଯଦି ବଦଳେଇବାର ଶକ୍ତି ଅଛି ତେବେ ଏହା ଆପେ ଆପେ ବିନା ରକ୍ତପାତରେ ବି ବଦଳିଯିବ । ଆପେ ଆପେ ଗଢ଼ିଉଠିବ ରାହୁ, ରାବଣ ଓ ଜରାସନ୍ଧ ନାମରେ ମୀନାରମାଳା । ଏହା ଯଦି ମହାକାଳର ଲକ୍ଷ୍ୟ, ତାକୁ ତା’ହେଲେ ରୋକିବାକୁ ସାଧ୍ୟ କାହାର ?

 

ଅନୁପମ ବ୍ୟତିବ୍ୟସ୍ତ ହୋଇ ପଦଚାରଣ କରିବାକୁ ଆରମ୍ଭକଲା ମଣ୍ଡଳାକାରରେ । ତା’ପରେ ସେ ଠିଆହେଲା ଓ ଖଟ ଉପରେ ନ ଶୋଇ ଭୂମିରେ ଲୋଟିପଡ଼ିଲା ।

 

ଏଇ ମାଟି ତାର ଅତି ଆପଣାର । ଆର୍ଯ୍ୟ ଓ ଅସୁର ଉଭୟେ ମାଟିର ସନ୍ତାନ; ତାର ବାଛବିଚାର ନାହିଁ । ସେ ମାଟିକୁ ଚୁମ୍ବନ କଲା; ମନଇଚ୍ଛା ଚୁମ୍ବନ କଲା । ଏଇ ମାଟି ଛଡ଼ା ଏତେ ଆପଣାର ତାର ଆଉ କିଏ ?

 

ଅନୁପମର କାନ ପାଖରେ ପୁଣି ଦୁଇଟା ଶବ୍ଦ । ସେଇ ଶବ୍ଦକୁ ପ୍ରଥମେ ଅନୁପମ ଠଉରେଇ ପାରିଲା ନାହିଁ । ପରେ ସେ ବୁଝିଲା ସେଇ ଶବ୍ଦ ଆସୁଛି ମାଟି ଭିତରୁ । ସେ କାନେଇଲା, ଦୁଇଟା ଧ୍ୱନି; କିନ୍ତୁ ଗୋଟାଏ ଆୱାଜ୍‌ ।

 

‘ଏତେ ଦିନ ପରେ ଆମକୁ ତୁ ଚିହ୍ନିଲୁ । ଆମେ, ଆମେ ମଧୁକୈଟଭ । ତୋରି ପିତୃପୁରୁଷ । ସେଇ ବିଷ୍ଣୁ, ଆମକୁ ମାରିଚି । ଆମରି ମେଦରେ ତିଆରି ହୋଇଚି ଏଇ ମେଦିନୀ । ଆମରି ଉପରେ ଆହୁରି ଆହୁରି ଅତ୍ୟାଚାର ସେ କଲାଣି । ଆର୍ଯ୍ୟମାନେ ଆମରି ଛାତିରେ କେତେ କାଣ୍ଡ ନ କରୁଛନ୍ତି ? ଆମରି ଛାତି ଉପରେ ଆମରି ପୁତ୍ର ପ୍ରପୌତ୍ରଙ୍କୁ ମାରିଛନ୍ତି । ଏହାଠାରୁ ବଡ଼ ଦୁର୍ଭାଗ୍ୟ ଆଉ କଣ ହୋଇପାରେ ? ତୁଇ ଆମକୁ ପ୍ରଥମେ ଶ୍ରଦ୍ଧାରେ ଚୁମ୍ବନ କଲୁ । ଆମେ ଅସୁର ଥିଲୁଁ । ତେଣୁ ଆମ ଉପରେ କେବଳ ଅସୁର-ବସତି ହେବା ଉଚିତ । ତୁ ବିପ୍ଳବ କର ! ସଂଘର୍ଷ ହେଉ । ରକ୍ତପାତ ହେଉ । ଆମେ ଆର୍ଯ୍ୟଙ୍କ ରକ୍ତ ଶୋଷିବାକୁ, ଚାହୁଁ । ଆଶା ପୂର୍ଣ୍ଣକର ।

 

ଅନୁପମର କାନ ଝାଁ-ଝାଁ ହୋଇଗଲା । ଏ କଣ ହେଉଛି ସବୁ ? ଏ ମାଟି ବି ସେଇଆ ଚାହେଁ ? ତେବେ କଣ ମହାବିପ୍ଲବ, ମହାସମର ଅନିବାର୍ଯ୍ୟ ?

 

ଅନୁଭବ ଉଠିଗଲା । ତା’ ମନରେ ଦୁଇଟି ବିରୋଧୀ ଶକ୍ତିର ମଲ୍ଲଯୁଦ୍ଧର ଯନ୍ତ୍ରଣା ସେ ଅନୁଭବ କଲା । ସେ ନିଜର ମୁଣ୍ଡବାଳଗୁଡ଼ାକୁ ଭିଡ଼ିଧରିଲା । ତା କାନରେ ଗୁଞ୍ଜରିଉଠିଲା ସେଇ ମଦୁଆର ପ୍ରଳାପବାଣୀ ।

 

ଅନୁପମ ନିଜର ଗାଲକୁ ଦୁଇ ହାତର ଆଙ୍ଗୁଳି ଫାଙ୍କ ଫାଙ୍କ କରି ଚିପିଧରିଲା–

 

ମୁଁ ଆର୍ଯ୍ୟ ନୁହେଁ–ମୁଁ ଅସୁର ନୁହେଁ–ହମ କୋଇ ନେହିଁ–ମୁଁ କିଛି ନୁହଁ । ମୁଁ ମଣିଷ । ଆକାଶରୁ ଆସିଚି ଓ ପୁଣି ଅନନ୍ତ ଆକାଶରେ ମିଳେଇଯିବି । ମୋର ପିତୃ-ପୁରୁଷ ରାହୁ ନୁହେଁ କି ନାରାୟଣ ନୁହେଁ । ମୁଁ ଏହି ମହାକାଳ ମହାଶକ୍ତି ଓ ମହାଶୂନ୍ୟର ଏକ ଅଣୋରଣିୟାନ୍‌ ସାକାର ମୂର୍ତ୍ତି ।

 

ଅନୁପମ ଖୁଁ ଖୁଁ ହୋଇ କାନ୍ଦି ଉଠିଲା । ମୁହଁମାଡ଼ି ଶୋଇପଡ଼ିଲା ଖଟ ଉପରେ ଆପେ ଆପେ । ସେ ଭୁଲିବାକୁ ଚେଷ୍ଟାକରୁଥିଲା–ଦୈତ୍ୟମାନଙ୍କର ସେଇ ଉଦ୍‍ବୋଧନ, ଉତ୍ସାହବାଣୀ । ମୁଣ୍ଡ ତାର ଅଧିକ ଭାରି ହୋଇଉଠୁଥିଲା ।

 

ସେଇଦିନ । ବେଳ ପ୍ରାୟ ବାରଟା । କାର୍ତ୍ତିକ ମାସର ପାଣିଚିଆ ଖରା ପଡ଼ିଥାଏ ଝରକା ଦେଇ, ଅନୁପମର ରୁମ୍‌ ଭିତରେ । ଉଦ୍ୟାନରେ ଗେଣ୍ଡୁ ଫୁଲଗୁଡ଼ାକ ଅମ୍ଳାନ ତାରାପରି ଫୁଟିଥାଆନ୍ତି । ଦଳ ଦଳ ହୋଇ ପ୍ରଜାପତି ତା’ରି ଉପରେ ଉଡ଼ୁଥାନ୍ତି ।

 

ସେମାନଙ୍କ ଉପରେ ଏକ ଲଘୁ ଦୃଷ୍ଟି ପକାଇଥିଲା ଅନୁପମ । ସେମାନଙ୍କର ରଙ୍ଗୀନ୍‌ ଗତିବିଧି କୌଣସି ରୂପରେ ଅଙ୍କିତ ହୋଇପାରିଲା ନାହିଁ ।

 

ଅନୁପମ ବାହାରିଲା କଲେଜକୁ । ତାର ମୁହଁ କଳାହାଣ୍ଡିଆ ମେଘ ପରି ଗୁମ୍‌ ହୋଇଥାଏ । ଜୀବନ ପ୍ରତି ବୀତସ୍ପୃହ । କୌଣସି ଦୁରାରୋଗ୍ୟ ରୋଗୀପରି ତାର ଗାଲର ଶକ୍ତିମାନ୍‌ ପେଶୀ ଦୁଇଟା ଓହଳି ପଡ଼ିଥାଏ ଅଳ୍ପ ତଳକୁ । ହୁ-ହୁ ବଢ଼ି ଯାଇଥିବା ବଜାରଦରକୁ ଚାହିଁ ଗୁଡ଼ାଏ ଛୁଆପିଲାର ଜଣେ ମଧ୍ୟବିତ୍ତ ପିତା ଯେପରି ନୀତି ଓ ଦୁର୍ନୀତି ଭିତରୁ କେଉଁଟିକୁ ମାନିବ ଭାବି ନପାରି ଆପଣାର ଅଳ୍ପ ଅଳ୍ପ ବଢ଼ିବା ଦୁଇଦିନର ଦାଢ଼ିକୁ ନିରାସକ୍ତ ଭାବରେ ଖର୍‌ଖର୍‌ କରି ଅନୁଭବ କରେ । ଅନୁପମ ସେଇପରି ଆର୍ଯ୍ୟ ଓ ଅସୁରଙ୍କ ଭିତରୁ କାହାକୁ ଧରିବ ଠିକ୍‌ କରି ନପାରି ଗୋଟାଏ ଭଲି ବଲ୍‌ପରି ଏପଟ ସେପଟ ହେଉଥିଲା ଓ ନିଜର ହାତ ଆଙ୍ଗୁଳିଗୁଡ଼ାକୁ ଗୋଟାଏ ପରେ ଗୋଟେ ଫୁଟେଇ ଚାଲିଥିଲା ।

 

ପ୍ରଥମେ ସେ ଭେଟିଲା ଜୋନାକୀକୁ । ଜୋନାକୀର ମୁହଁଟା କାହିଁକି କେଜାଣି ଶୁଖିଲା ଶୁଖିଲା ଦିଶୁଥାଏ–ଯେମିତି ତା ଭିତରୁ ଚପଳତା ଓ ସରସତା କିଏ ଜବରଦସ୍ତ, ଝିଙ୍କି ନେଇଛି ।

 

ଜୋନାକୀ ଓ ଅନୁପମ ସାମ୍ନାସାମ୍ନି ହେଲାକ୍ଷଣି ଆପେ ଆପେ ଅଟକିଗଲେ, ଯେପରିକି ଉଭୟେ ଉଭୟଙ୍କୁ ମନେମନେ ବହୁସମୟ ଧରି ଖୋଜୁଥିଲେ ।

 

ଅନୁପମର ଚାହିଁବାରେ ଗଭୀରତା ନଥିଲା । ତା’ ମୁହଁରେ ହସ କିମ୍ବା ବିଷାଦ କିଛିହେଲେ ଫୁଟିଲା ନାହିଁ ଏବଂ ସେ ଜୋନାକୀର ଚାହାଣିର ଓଜନକୁ ମାପି ପାରିଲା ନାହିଁ । ଜୋନାକୀ ଅନେକ କଥା କହିବାକୁ ଆସି କିଛି କହିପାରୁ ନଥିଲା । ଚୁପ୍‌ ରହିଲା । କେତେ ସମୟ ପରେ ଅନୁପମ ପରସ୍ଥିତିଟାକୁ ଉପଲବଧି କଲା । ଆରେ, ୟେ କଣ ? ଏପରି ଠିଆହେବାର ଅର୍ଥ କଣ ? ନିବୁଜ ହୋଇ ଜମିଥିବା ମେଘ ଫାଟିଗଲା । ପବନ ହେଲା । ମେଘସବୁ ଖଣ୍ଡଖଣ୍ଡ ହୋଇ ଭାସିଲେ । ମେଘଖଣ୍ଡର ଦାନ୍ତିଗୁଡ଼ାକରେ ସୂର୍ଯ୍ୟକିରଣ ପଡ଼ି ଚକ୍‌ଚକ୍‌ ଦିଶିଲା । ଅନୁପମର ଆଖି ଓ ନାକପୁଡ଼ା ଦେଇ ହସ ଓହ୍ଲେଇ ପଡ଼ିଲା ଓଠଉପରକୁ ।

 

ଜୋନାକୀର ମନଟାକୁ ଉଖୁରେଇ ଦେବାକୁ ଅନୁପମ କହିଲା–‘‘କଥା କଣ ? ଏମିତି ନିଶ୍ଚଳ ପ୍ରତିମା ପରି ଠିଆ ହୋଇଚ ଯେ ! କଣ ଭାବୁଚ ?’’

 

ଜୋନାକୀ ନିରୁତ୍ତର ।

 

‘‘ହଁ, ଡକ୍ଟର ମିଶ୍ର କାଲି ତୁମର ଖୁବ୍‍ ପ୍ରଶଂସା କରୁଥିଲେ; କହୁଥିଲେ....’’

 

‘‘କଣ କହୁଥିଲେ ?” ଜୋନାକୀ ନିରାସକ୍ତ ଭାବରେ ପଚାରିଲା–‘‘କହୁଥିଲେ ନିଶ୍ଚୟ ଜୋନାକୀ ଜଣେ ଅପୂର୍ବ ଅଭିନେତ୍ରୀ ।’’

 

‘‘ହଁ, ସେଇଆ ହିଁ କହୁଥିଲେ ।” କିନ୍ତୁ ଜୋନାକୀର କଣ୍ଠସ୍ଵର ଭିତରେ ଅସ୍ଵାଭାବିକତା ଥିଲା କିଛି, ଯାହା ଅନୁପମ ପ୍ରଥମରେ ବାରିପାରି ନଥିଲା । ପରମୁହୂର୍ତ୍ତରେ ଅନୁପମ ଚମକି ପଡ଼ିଲା । ଜୋନାକୀର କଥାର ଅର୍ଥ କଣ ? ସେ ଆପଣାର ଗାଲଟାକୁ ସାମାନ୍ୟ କୁଞ୍ଚିତ କରି ପଚାରିଲା–‘‘ଘଟଣା କଣ୍‌ ? ସହସା ଡକ୍ଟର ମିଶ୍ରଙ୍କ ମନ୍ତବ୍ୟ ପ୍ରତି ତୁମେ ନାରାଜ ହେଲା ପରି ଜଣାପଡ଼ୁଛ ।’’

 

ଜୋନାକୀ ନିରୁତ୍ତର ।

 

ଅନୁପମ ଏଥର ଜୋନାକୀର କାନ୍ଧ ଦୁଇଟାକୁ ସାମାନ୍ୟ ଝୁଲାଇଦେଲା ଗୋଟାଏ ଭାବାବେଗରେ (ଯାହା ସେ ଅନ୍ୟ ସମୟରେ ଚେଷ୍ଟା କରିଥିଲେ ବି କଲେଜ ବାରଣ୍ଡାରେ ଠିଆହୋଇ ପାରିନଥାନ୍ତା ।)

 

‘‘କୁହ ଜୋନାକୀ ! କୁହ !’’

 

ଅନୁପମ ଜୋନାକୀର କାନ୍ଧ ଛାଡ଼ିଦେଲା । ଅନୁପମ ପୁଣି କହିଲା–‘‘ଡ: ମିଶ୍ରଙ୍କ ମନ୍ତବ୍ୟ ଭିତରେ ଅନ୍ୟ କୌଣସି ମନୋବୃତ୍ତି ନଥିଲା ଏବଂ ନାହିଁ । ସେ ପ୍ରଥମେ କହୁଥିଲେ ଯେ ତୁମର ଅଭିନୟରେ କେଉଁଠି ତ୍ରୁଟି ରହିଛି ବୋଲି । କିନ୍ତୁ ପୁଣି ସେ ବିଚାରକରି ଦେଖିଲେ–ତୁମର ତ୍ରୁଟିଟା ହିଁ ଯଥାର୍ଥରେ ସେଠି ରମଣୀୟ ଓ ପରିବେଷଣଟାକୁ ମଧୁରତର ଏବଂ ସମଗ୍ର ନାଟ୍ୟାଭିନୟକୁ ବାସ୍ତବତାର ବୀଜରେ ପରିପୂର୍ଣ୍ଣ କରିଛି । ତେଣୁ ସେ ତୁମକୁ ପ୍ରଶଂସା କରି ନାଚିଉଠିଥିଲେ ମୋ’ରି ସାମ୍ନାରେ । ସେ ତୁମର ମନରଖିବା ପାଇଁ କହିନାହାନ୍ତି ।’’

 

ଜୋନାକୀ କହିଲା–‘‘ନା, ତା’ ନହେଁ । ଡକ୍ଟର ମିଶ୍ରଙ୍କୁ ମୁଁ ଅବିଶ୍ଵାସ କରୁ ନାହିଁ । ମୁଁ କେବଳ ଆଉ ଥରେ ତାଙ୍କୁ ହିଁ ଉଦ୍ଧାର କରି କହୁଛି–ମୁଁ ବାସ୍ତବିକ ଜଣେ ଚତୁରୀ ଅଭିନେତ୍ରୀ ।’’

 

‘‘ମାନେ ?” ଅନୁପମର ଚାହାଣି ଗୋଜିଆ ହୋଇଗଲା ।

 

ଜୋନାକୀ କହିଲା–‘‘ଅତି କମ୍‌ରେ ତୁମେ ହିଁ ଶେଷରେ ମୋତେ ଏଇ ଦୋଷରେ ଭୂଷିତା କରିବ ।’’

 

‘‘ଅର୍ଥାତ୍‌.... !!’’

 

‘‘ଛାଡ଼’’–ଜୋନାକୀ କହିଲା, “କେଉଁଠି ଟିକିଏ ବସିଲେ ହୁଅନ୍ତା ନାହିଁ ? ଚାଲ, ଗୋଟାଏ ନିରୋଳା ଜାଗାକୁ ଚାଲ । ଟିକିଏ ବସିବା । ମନଖୋଲି ଟିକିଏ କଥାବାର୍ତ୍ତା ହେବା ।’’

 

ଅନୁପମ ଲକ୍ଷ୍ୟକଲା ଜୋନାକୀର ଆଖିକୋଣରେ ଲୁହ ଢଳଢଳ ହେଉଛି । ଜୋନାକୀ ଲୁଚେଇବାକୁ ଚେଷ୍ଟା କରୁଛି ।

 

ଅନୁପମର ଭିତର ମଣିଷଟା ବିଳପିଉଠିଲା । ପୁଣି ଜୋନାକୀର ଏପରି ନିବେଦନ ତାକୁ ଚମକେଇଦେଲା । ସେ ଏକ ଅଜଣା ଅଶୁଭ ଭୟରେ ଥରିଉଠିଲା । ଜୋନାକୀ ତାକୁ ମୁହଁଖୋଲି ଶୁଣେଇବ ବହୁ ଦିନର ଗୁଫିତ ପ୍ରୀତି-ବେଦନା । କିନ୍ତୁ ଏପରି ଅତର୍କିତ ଭାବରେ କାହିଁକି ?

 

ନିରୋଳା ଜାଗା କାହିଁ ? ଏଇଟା ହାସ୍‍ପିଟାଲ । ପୁଣି ଦିନ । ମଣିଷ ହାଉଯାଉ । ଚାରିପାଖରେ କଟକସହର । ଏଠି ମନଖୋଲି କଥା କହିବାକୁ ନିର୍ଜ୍ଜନ ଜାଗା କାହିଁ ?

 

ଜୋନାକୀ ପୁଣି ଅନୁପମକୁ ଅସଂଖ୍ୟ କାକୁତିଭରା ଆଖିରେ ଚାହିଁଲା–‘‘ଚାଲନା, ତୁମ ରୁମ୍‌କୁ ।’’

 

ଅନୁପମ ଥଙ୍ଗଥଙ୍ଗ ହେଲା–‘‘ପୁଅପିଲାଙ୍କ....’’

 

‘‘ଦୁଃଖ ନାହିଁ”–ଜୋନାକୀ କହିଲା–‘‘ଅପବାଦ ମୋର ହେବ–ତୁମର ନୁହେଁ–ଚାଲ ।’’

 

ଅନୁପମ ମନାକରିପାରିଲା ନାହିଁ । କିନ୍ତୁ ତାର ପାଦ ଉଠୁନଥାଏ; ତଥାପି ତାକୁ ହଷ୍ଟେଲ୍‌ଆଡ଼କୁ ମୁହେଁଇ ଚାଲିବାକୁ ପଡ଼ିଲା ।

 

ହଷ୍ଟେଲ୍‌ ବାରଣ୍ଡାରେ ଜୋନାକୀକୁ ଦେଖି ପୁଅପିଲାଙ୍କ ମନରେ ଏକ କୌତୁକ ଧରଣର ସକ୍‍ ଖେଳିଗଲା । ଯେଉଁମାନେ ସିନେମା ଗୀତର ଲହର ଛୁଟାଇଥିଲେ, ସେମାନେ ନିଜ ରୁମ୍‌ ଭିତରକୁ ପଶିଗଲେ ।

 

ଅନୁପମ ବାଧ୍ୟହୋଇ ସେମାନଙ୍କର ସ୍ଥିତିକୁ ଅସ୍ଵୀକାର କରିଥିଲା ।

 

ଅନୁପମ ସାମ୍ନା ଝରକା ଓ ଦୁଆର ବନ୍ଦକରିଦେଲା ।

 

ନୂଆ ହଷ୍ଟେଲର କୋଠାପିଟା ତଥାପି ସରିନଥାଏ । କାମତୁଣୀମାନେ ଗୀତ ଗାଉଥାନ୍ତି–‘‘ପ୍ରିୟ, ଆଜି ମୁଁ ତୋ ପାଖରେ, କାଲି ଆଉ କାହା ପାଖକୁ ଚାଲିଯିବି । ତୁ ପୁଣି ଆଉ ଜଣକୁ ଆଣି ଘରକରିବୁ । ଦିନେ ସିଏ ବି ତୋତେ ଛାଡ଼ି ଚାଲିଯିବ । ସେଥିରେ ଦୁଃଖ ଅଛି କି ? ଆମେ ତ ସମସ୍ତେ ମୂଲଲାଗି ପେଟ ପୋଷିବା । ପ୍ରିୟ ! ତୁ ମୋତେ ଆପଣାର କରିବା ଲାଗି ଏତେ ଜୋର୍‌ କରୁଛୁ କିଆଁ ? ଆପଣାର ହୋଇ ତୋର କେହି ବୋଲି କେହି ରହିବେ ନାହିଁ । ପ୍ରିୟ ଆଜି ମୁଁ ତୋ ପାଖରେ ଅଛି, କାଲି ତ ଆଉ କାହା ପାଖକୁ ଚାଲିଯିବ ।’’

 

ଅନୁପମ ନିବିଷ୍ଟଚିତ୍ତରେ ସେଇ ଗୀତଟାକୁ ଶୁଣୁଥିଲା । ତା’ପରେ ସେ ଜୋନାକୀର ଦେହକୁ ଲାଗି ବସିଲା ଖଟଉପରେ । ଜୋନାକୀର ହାତଟାକୁ ନିଜର ଦୁଇହାତର ପାପୁଲି ଭିତରେ ଭିଡ଼ି ଧରିଲା ଓ ଘନଘନ ଚୁମ୍ବନ ଦେବାକୁ ଲାଗିଲା ।

 

ଜୋନାକୀ ଗୋଟାଏ ଫୁଲତୋଡ଼ା ପରି ବସିଥାଏ । ଅନୁପମଠାରୁ ସେ ହାତଟି ଛଡ଼ାଇ ନେଇ ପାରୁନଥାଏ । ଭୁଆସୁଣୀ ବୋହୂ କାଚରାଆଡ଼କୁ ହାତ ବଢ଼ାଇଥିଲା ପରି ସେ ବଢ଼େଇଥାଏ-

 

ଅନୁପମ ଦେଖିଲା–ଜୋନାକୀର ଆୟତ ଆଖିରୁ ଦୁଇଧାର ଲୁହ ବହିଆସିଛି । କାହିଁକି ଏ ଲୁହ ?

 

ଅନୁପମ ଜୋନାକୀକୁ ଆହୁରି ନିକଟକୁ ଘେନିଆସିଲା ଓ ତା’ର ଆଖିପତା ଉପରେ ଓଠ ଲଗେଇଲା I ଜୋନାକୀ ଆଖି ମୁଦିଦେଲା ।

 

ଜୋନାକୀ ଅନୁପମ ଗାଲର ପୋଡ଼ା ଦାଗଟା ଉପରେ ହାତ ମାରୁଥାଏ–କଣ ଯେମିତି ସେ ଖୋଜୁଥାଏ ତହିଁରୁ । ତା’ପରେ ଜୋନାକୀ ଅନୁପମର ସେଇ ପୋଡ଼ାଚିହ୍ନ ଉପରେ ବାରମ୍ବାର ବୋକ ଦେବାକୁ ଲାଗିଲା ଓ ସେଇ ଅବସ୍ଥାରେ ପୋଡ଼ାଦାଗଟା ଉପରେ ଜୋନାକୀ କଇଁକଇଁ ହୋଇ କାନ୍ଦିପକେଇଲା ।

 

‘‘କାହିଁକି କାନ୍ଦୁଛ ଜୋନାକୀ ! ଜାଣ, ତୁମ ଆଖିର ଲୁହ ମୁଁ ସହିପାରେନାହିଁ । କୁହ ଜୋନାକୀ ! କାହିଁକି କାନ୍ଦିଲ ?’’

 

ଅନୁପମର ଏହି କଥାରେ ଜୋନାକୀର କାନ୍ଦଣା ବଢ଼ିଗଲା ସିନା କମିଲାନାହିଁ ।

 

‘‘କୁହ ଜୋନାକୀ ! କଣ କହିବ ବୋଲି କହୁଥଲ ପରା ?” ନାରୀ ପୁରୁଷର ଛାତି ଉପରେ ଯେତେ ନିର୍ଭୟରେ ଓ ଯେତେ ଆନ୍ତରିକାତାର ସହିତ କାନ୍ଦିପାରେ–ଅନ୍ୟ କେଉଁଠି ବୋଧହୁଏ ସେତେ ମନଖୋଲି କାନ୍ଦିପାରେନାହିଁ । ଅନୁପମ ଜୋନାକୀର କାନ୍ଦଣା କେମିତି ବନ୍ଦ କରିବ ଭାବିପାରିଲାନାହିଁ । ତାର ହୃଦୟ ମଧ୍ୟ ଅସ୍ଥିର ହୋଇ ଉଠିଲା । ସେ କହିଲା–‘‘ମୁଁ ତୁମକୁ ପ୍ରାଣଦେଇ ଭଲପାଏ ଜୋନାକୀ ! ବିଶ୍ଵାସ କର । କୁହ କଣ ହେଇଚି । ଶକ୍ତିମତେ ମୁଁ ତୁମକୁ ସାହାଯ୍ୟ କରିବି । ଜବାବ ଦେଉଚି ।’’

 

ଟିକିଏ ରହି ପୁଣି କହିଲା–‘‘ଜାଣିଚ–ଡ: ମିଶ୍ର କଣ କହୁଥିଲେ ? କହୁଥିଲେ ଆମରି ବାହାଘର କଥା । ତାଙ୍କର ଇଚ୍ଛା ତୁମେ ମୋତେ....”

 

ଅନୁପମ କଥାଟା ସଂପୂର୍ଣ୍ଣ କରିପାରିଲାନାହିଁ । ଜୋନାକୀ ଲୁହ ପୋଛିଲା ଓ ଅନୁପମଠାରୁ ନିଜକୁ ମୁକ୍ତ କରିନେଲା । ଜୋନାକୀର ଆଖି ଦୁଇଟା ବର୍ଷଣମୁଖୀ ମେଘ ପରି ଦିଶୁଥାନ୍ତି ।

 

ଜୋନାକୀ ପେଟ ଭିତରୁ ଉଠୁଥିବା କୋହଟାକୁ ଜବର୍‍ଦସ୍ତ ଚାପୁଥାଏ ଯେମିତି । ସେ ବାକ୍‌ରୁଦ୍ଧ ହୋଇଯାଉଥାଏ । ଜୋନାକୀ ବହୁତ ଶକ୍ତି ସଞ୍ଚୟକରି ଠିଆହୋଇ କହିଲା–‘‘ଅନୁପମ, ଚାଲ ମୋତେ ଛାଡ଼ିଦେଇ ଆସିବ । ଖୁବ୍‌ ଡେରି ହେଲାଣି ।

 

‘‘କଣ କହିବ ବୋଲି କହୁଥିଲ ଯେ ?’’ ଅନୁପମ ପଚାରିଲା ।

 

‘‘ନା, ସେ କିଛି ନୁହେଁ’’–ଜୋନାକୀ ଗୋଟାଏ ଶୁଖିଲା ହସ ହସି କହିଲା, “ଚାଲ । ମୋତେ ଗେଟ୍‌ ପାଖରେ ଛାଡ଼ି ଆସିବ । ମୁଁ ରିକ୍‌ସାକରି ଘରକୁ ପଳେଇବି ।”

 

‘‘କାହିଁକି ? ଆଉ ତୁମର ଆଜି କ୍ଳାସ୍‌ ନାହିଁ ?”

 

‘‘ଅଛି । କିନ୍ତୁ..... ତୁମେ ଚାଲ ତ ଛାଡ଼ିଦେଇଆସିବ ।’’ ଜୋନାକୀ ଏଥର ନିଜେ ଯାଇ ଦରକାର ବୋଲଟ୍‌ ଖୋଲିଲା ।

 

ଅନୁପମ ବାଧ୍ୟହୋଇ ଚାଲିଲା ଜୋନାକୀକୁ ଛାଡ଼ିବାପାଇଁ; କିନ୍ତୁ ତାର ଇଚ୍ଛା ନଥିଲା । ସେ ଚାହୁଁଥିଲା ଜୋନାକୀ ଆହୁରି ଅନେକ ସମୟଧରି ରହିଥାନ୍ତା ତା’ରି ରୁମ୍‌ରେ ।

 

ସେମାନେ ଫାଟକ ଆଡ଼କୁ ଚାଲିଲେ ।

 

ବାଟରେ ଅନୁପମ ଜୋନାକୀକୁ କହିଲା–‘‘ଆସିଲ, କାନ୍ଦି କାନ୍ଦି ଗଲ । ଟିକିଏ ହସିଲ ନାହିଁ । ଏଥର ତୁମକୁ ମୋ’ ରାଣ ଆଦୌ କାନ୍ଦିବନାହିଁ ।’’

 

ଜୋନାକୀ ଗୋଟିଏ ପାଦ ଆଗେଇ ଚାଲିଥାଏ କୌଣସି ଉତ୍ତର ନ ଦେଇ ।

 

ଅନୁପମ କହିଲା–‘‘ତୁମ ପାଇଁ ନୋଟ୍‌ ଖୋଜିକରି ରଖିଚି । ଦେବାକୁ ଭୁଲିଗଲି । ଆଉ ଥରେ ଆସିଲେ ନେବ । ଆଜି ସନ୍ଧ୍ୟାକୁ ଯଦି ଆସନ୍ତ, ବୁଲିଯାଆନ୍ତେ ।’’

 

ସେମାନେ ଫାଟକ ପାରହେଲେ । ଫାଟକ ରାସ୍ତା । ଜୋନାକୀ ହାତଟେକି ରିକ୍‍ସାକୁ ଇଙ୍ଗିତଦେଲା । ରିକ୍‌ସା ଆସିଲା l ଜୋନାକୀ ବସିଲା । ରିକ୍‌ସା ଉପରେ ଗୋଟାଏ ହାତ ପକାଇ ଅନୁପମ କହିଲା :

 

–‘‘ମନ ମେଣ୍ଟିଲା ନାହିଁ ଜୋନାକୀ ! ଏତେ କମ୍‍ ସମୟରେ ଚାଲିଗଲ । ହଉ ଯାଅ, କିନ୍ତୁ ଏଥର ତୁମକୁ ଫେରିବାର ବାଟ ବନ୍ଦକରି ଆସିବାକୁ ପଡ଼ିବ, ସାରା ଜୀବନ ପାଇଁ । ଆସିବ ତ-!’’

 

ଜୋନାକୀ ଡିସେକ୍‌ସନ୍‌ ବାକସ ଭିତରୁ ଦାନ୍ତ ଚିପି ଗୋଟାଏ ନୀଳ ଲଫାପା ବାହାରକରି ଅନୁପମକୁ ଧରାଇ ଦେଲା ।

 

ତା’ପରେ ଜୋନାକୀ ଇଙ୍ଗିତଦେଲା ରିକ୍‍ସାବାଲାକୁ–‘ଚାଲ୍‌’ । ଅନୁପମର ହାତ ପାପୁଲିଟାକୁ ଜୋନାକୀ ଚାପିଧରି ଛାଡ଼ିଦେଲା । ଜୋନାକୀର ଆଖି ଲୁହ ଛଳଛଳ ହୋଇଉଠିଥିଲା-

 

ରିକ୍‌ସା ଚାଲିବାକୁ ଆରମ୍ଭ କଲା । ଅନୁପମର ହାତଟା ଆପେ ଆପେ ଛାଡ଼ି ହୋଇଗଲା । ସେ ଜୋନାକୀର ଆଖି ଦୁଇଟାକୁ ଏକ କରୁଣ ବିସ୍ମୟରେ ଚାହିଁଥିଲା । ସେ ଦେଖୁଥିଲା–ଜୋନାକୀ ହାତପାପୁଲି ଯୋଡ଼ି ନମସ୍କାର କରୁଛି ଦୂରରୁ ।

 

ଅନୁପମ ଚାହିଁଥିଲା ବିହ୍ଵଳହୋଇ । ରିକ୍‍ସା ମିଶିଯାଉଥିଲା ଜନଗହଳି ରାସ୍ତା ଭିତରେ । ଚିଠିଟାକୁ ସେ ପକେଟ୍‌ ଭିତରେ ଭର୍ତ୍ତିକରିଦେଲା । ସେ ବୁଝିପାରୁ ନଥିଲା ରହସ୍ୟର ଆଦିଅନ୍ତ କିଛି-। ଜୋନାକୀର ବ୍ୟବହାର, ଏ ଚିଠି ତାକୁ ଏକ ପ୍ରହେଳିକା ପରି ବୋଧହେଉଥିଲା ।

 

ସେ ଫେରିଲା ।

 

ଜୋନାକୀର ଲୋତକପୂର୍ଣ୍ଣ ଆଖି ଦିଇଟା ତା’ରି ଆଗରେ ଦୁଇଟା ପାଗଳୀ କୁମାରୀ ଝିଅ ପରି ନାଚୁଥାନ୍ତି ।

 

ଚିଠିଟାରେ କଣ ଲେଖାହେଇଚି ! ଚିଠି ଦେବାର କାରଣ କଣ ? କଣ ସେ କହିବାକୁ ଚାହୁଁଥିଲା ଯେ କହିପାରିଲାନାହିଁ ? ଅନୁପମର ଏତେ ନିବିଡ଼ ବନ୍ଧନ ଭିତରେ ଥାଇ ବି ତା’ ମନର କେଉଁ ବେଦନା ଅପ୍ରକାଶ୍ୟ ରହିଗଲା ଯେ ସେଥିପାଇଁ ଜୋନାକୀ ଚିଠି ଦେଇଗଲା ?

 

ଅନୁପମକୁ ପକେଟ୍‌ଟା ଭାରି ଭାରି ଲାଗିଲା; ଯେମିତି ପକେଟରେ କିଏ ନିଆଁ ମୁଣ୍ଡାଏ ଭର୍ତ୍ତିକରିଦେଉଚି ।

 

ଅନୁପମ ରୁମ୍‌କୁ ଫେରି କବାଟ ବନ୍ଦକଲା । ପକେଟରୁ ବାହାରକଲା ଚିଠିଟା । ଲଫାପାଟା ଖୋଲିବାକୁ ତାର ସାହସ ହେଉନଥାଏ । ତାକୁ ଡର ଲାଗୁଥାଏ–ସତେ ଅବା ସେଇଟା ଲଫାପା ନୁହେଁ; ଗୋଟାଏ ସାପପେଡ଼ି–ଖୋଲିଲାକ୍ଷଣି ନାଗସାପ ଫାଁକିରି ଚୋଟମାରିଦେବ; ଅଥବା ସେଇ ଲଫାପା ଭିତରେ ଯେପରି କି ଗୋଟାଏ ମନ୍ତୁରା ହାର ଅଛି, ଯାହାକୁ ଛୁଇଁଲାକ୍ଷଣି ସେ ପଥର ପାଲଟିଯିବ । କେତେ ଭାବନା ତା’ର ମନରେ ଖେଳିଗଲା ।

 

ଭୟରେ ତା’ ଛାତି ଭିତରେ ଧକ୍‍ଧକ୍‍ କରି ରେଳଗାଡ଼ି ଦଉଡ଼ୁଥାଏ । କୋଠାପିଟା ଚାଲିଥାଏ ନୂଆ ହଷ୍ଟେଲ୍‌ର । କାମତୁଣୀମାନେ ଗୀତ ଗାଉଥାନ୍ତି ତାଳଦେଇ :

 

–‘‘ସଙ୍ଗାତ, ସେଦିନ ତୁ ମୋ ମୁଣ୍ଡରେ ଫୁଲ ଖୋସିଦେଲୁ । ମୋ ଦିହ ଛୁଇଁଲୁ; ନିୟମ କଲୁ ମୋତେ ଘେନି ଘରକରିବୁ । ଏବେ ତୋ ମୁହଁ ସପନ ହେଲା । ଦିନରାତି ତୋ’ରି କଥା ମୋର ମନେ ପଡ଼ୁଛି । ସଙ୍ଗାତ, ଆଉ ଦିନେ ମୋ ମୁଣ୍ଡରେ ଫୁଲ ଖୋସିବାକୁ ଆସିଲେ ମୁଁ ତୋତେ ଧରାଦେବିନାହିଁ । ମୋର ଆଖିରୁ ଲୁହ ବହିଲାବେଳେ ତୁ ଆସି ପୋଛିଦେଇଥିଲୁ କି ? ତୁ ତ ଅନ୍ୟ ଜଣକୁ ବାହାହେଲୁ । ମୋ ଉପରେ ତୋର ସରାଗ ତୁଚ୍ଛା ସରାଗ । ସଙ୍ଗାତ ! ମୁଁ ଏକା ଏକା କାମ କରି ଖାଇବି ପଛେ ତୋତେ ଆଉ ଧରା ଦେବିନାହିଁ । ତୁ ଭାରି ନିଦାରୁଣ । ଭାରି କପଟିଆ ।’’

 

ଅନୁପମ ଚିତ୍‌ହୋଇ ଶୋଇ ଚିଠି ଖୋଲିଲା । ପରୀକ୍ଷାଫଳ କାଗଜରୁ ନିଜ ନାଁଟା ଖୋଜୁଥିବା ପରୀକ୍ଷାର୍ଥୀ ଭଳି ସେ ଥରୁଥାଏ । କେହି ଟେଲିଗ୍ରାମ ଖୋଳ ଚିରୁ ଚିରୁ ଅଜଣା ଶୁଭାଶୁଭର ସମ୍ଭାବନାରେ କମ୍ପିଉଠିବା ଯେମିତି ସ୍ଵାଭାବିକ, ସେଇ ଲକ୍ଷଣ ପ୍ରକାଶ ପାଉଥାଏ ଅନୁପମର ମୁଖମଣ୍ଡଳରେ ।

 

ଜୋନାକୀ ଲେଖିଚି–

 

‘‘ବଂଧୁ !

 

ଶେଷରେ ମୋତେ ଚିଠି ଲେଖିବାକୁ ପଡ଼ିଲା । ନ ଲେଖିଥିଲେ ଚଳିନଥା’ନ୍ତା–କାରଣ ଏଥିରେ ଯାହା ଲେଖିବି ବୋଲି କଲମ ଧରିଚି, ତାହା ତୁମ ସାମ୍ନାରେ ଠିଆହୋଇ କହିବାର ଶକ୍ତି ମୋର ନାହିଁ । ନାରୀ ସ୍ଵଭାବତଃ ଦୁର୍ବଳ କିନା !

 

ତୁମେ ପୁରୁଷ, ଶକ୍ତିମାନ୍‌ । ଅଧୀରତା ତୁମ ପକ୍ଷରେ ଅଶୋଭନୀୟ । ମୋ ରାଣ, ପ୍ରିୟ-! ଚିଠିଟି ଶେଷଯାଏ ପଢ଼ିବ ।

 

ମୁଁ ଆର୍ଯ୍ୟ ରମଣୀ । ତୁମେ ଅସୁର । ସେଥିକି ମୋର ଶୋଚନା ନଥିଲା । ଯଦି ଇଚ୍ଛାବରଣ କରିବାର ସୁଯୋଗ ମୋତେ ଦିଆଯାଇଥାନ୍ତା, ତେବେ ମୁଁ ତୁମକୁ ହିଁ ବରଣ କରିଥାନ୍ତି; କିନ୍ତୁ ମୋର ସ୍ଵୟମ୍ବର ହେଉନାହିଁ । ମୁଁ କଣ କରିବି ?

 

ମୋର ଭାଇ ଓ ନୂଆବୋହୂ ‘କୀଚକବଧ’ ଦେଖିଯାଇଥିଲେ । ଅଭିନୟର ପ୍ରଶଂସା କରୁଛନ୍ତି । ମୁଁ କାଲେ ଖୁବ୍‌ ସୁନ୍ଦର ଦିଶୁଥିଲି ? ହେଇଥିବ ! ଭାଇ ମୋର ସିଦ୍ଧାନ୍ତ ନେଇଛନ୍ତି–କାଲିଠୁଁ ମୋର କଲେଜ ଯିବା ବନ୍ଦ । ପାଠପଢ଼ା ଶେଷ । ପୋଥିରେ ଡୋର ବନ୍ଧାଯିବ ।

 

ଏହାର କାରଣ କିନ୍ତୁ ତୁମେ ନୁହଁ । ସେଇ ସ୍ଵପ୍ନକାନ୍ତ ଓ ସେଇ ଦିନର ଅଶ୍ଳୀଳ କାର୍ଟୁନ୍‌ । ଭାଇଙ୍କ କାନରେ ପଡ଼ିଚି । ରାଗିଯାଇ ମୋର ପାଠପଢ଼ା ବନ୍ଦ କରି ଦେଇଛନ୍ତି ।

 

ଖାଲି ସେତିକି ନୁହେଁ; ଆଉ ମାତ୍ର ସାତଟି ଦିନ ପରେ ମୋର ବିବାହ । କାଲି ନିର୍ବନ୍ଧ । ଭାଇଙ୍କର ଜିଦ୍‌ । କିନ୍ତୁ ବର ତୁମେ ନୁହଁ–ଆଉ ଜଣେ, ତୁମର ଓ ମୋର ଏକାନ୍ତ ଅପରିଚିତ ।

 

ମୋର ଅନୁରୋଧ, ମୋତେ ଭୁଲିଯାଅ । ମୁଁ ଗୋଟାଏ ମାଟିଆ ଚିଲ ପରି ତୁମ ସାମ୍ନାରେ ଦେଖାଦେଇଥିଲି, ମୋର ଏ ତ୍ରୁଟି ପାଇଁ କ୍ଷମା ଦେବ ।

 

ଜୀବନ ଖୁବ୍‌ ଛୋଟ । ପ୍ରେମ ଖୁବ୍‌ ବଡ଼ । ତାକୁ ଧରିରଖିବା ମୋ ପକ୍ଷରେ ସହଜ ହେଲା ନାହିଁ । ମୁଁ ଗୋଟାଏ ଶୁଖିଲା ଖାଡ଼ି ପରି ଠକ୍‌ଠାକ୍‌ ହୋଇ ଭାଙ୍ଗି ପଡ଼ିଲି । ତୁମେ ମହାନ୍‌ । ତୁମେ ଆକାଶହୃଦୟ । ମୁଁ ତୁମର ଯୋଗ୍ୟା ନୁହେଁ । ଡ: ମିଶ୍ର କହୁଥିଲେ ତୁମକଥା ମୋ’କଥା । ସେ ନିଷ୍କପଟ, ତ୍ରିକାଳଜ୍ଞ ଋଷି । ଜଗତରେ ସମସ୍ତେ ଡକ୍ଟର ମିଶ୍ର ନୁହନ୍ତି; ଚକ୍ଷୁଷ୍ମାନ୍‌ ନୁହନ୍ତି । ଏଣୁ ମୋତେ ବି ମୋର ଆଖି ଦୁଇଟିକୁ ହରାଇବାକୁ ପଡ଼ୁଛି ।

 

ପ୍ରିୟ ! ତୁମ ଗାଲର ପୋଡ଼ା ଚିହ୍ନଟା ଦେଖିଲାକ୍ଷଣି ମୁଁ କାନ୍ଦି ଉଠୁଥିଲି । କି କଷଣ ତୁମେ ନସହିଛ ? ଭାବିଥିଲି ତୁମର ସେଇ ପୋଡ଼ା ଚିହ୍ନଟାକୁ ମୋର ଓଠ ପାଖୁଡ଼ା ତଳେ ଲୁଚାଇଦେବି.....

 

କିନ୍ତୁ ହେଲା ନାହିଁ । ମୋର ଆଶା ଗଛରେ କଢ଼ ଧରିଥିଲା; କିନ୍ତୁ ତାହା ଫୁଟି ପାରଲା ନାହିଁ–ଜଳିଗଲା, ବାମ୍ଫ ହୋଇଗଲା ।

 

ଜଗତ କୁହେ ତୁମେ ଅସୁନ୍ଦର । ଲେଡିଜ ରୁମ୍‌ରେ ତୁମ ରୂପ ଘେନି ନାନାଧରଣର କଦର୍ଯ୍ୟ ଆଲୋଚନା ହୁଏ । କିନ୍ତୁ, ମୁଁ ଜାଣେନା, କାହିଁକି ତୁମେ ମୋତେ ଭାରି ସୁନ୍ଦର ଦିଶ । ତୁମର ସେଇ ଆଖି ଦୁଇଟାକୁ ଚାହିଁଲେ ମୋତେ ମଣିରତ୍ନ ପାଇଲା ପରି ଲାଗେ । କିଏ ତୁମର ହେଇ ଆସିବ ? କି ସୌଭାଗ୍ୟ ତା’ର ? ମୋର ସେ ସୌଭାଗ୍ୟ ନାହିଁ । ଛାଡ଼ ମୁଁ ଗୋଟାଏ ମାମୁଲି ନାରୀ । ମୋ ଲାଗି ବିଚଳିତ ହେବ ନାହିଁ । ମୋ ରାଣ, ମୋତେ ଭୁଲିଯିବ । ଭୁଲିଯିବ ।

 

କେବଳ ଶେଷରେ ଗୋଟିଏ ଅନୁରୋଧ, ମୋତେ କେବେ ଅଭିନେତ୍ରୀ ବୋଲି ଭାବିବନାହିଁ ।

 

ଆଉ କଣ ଲେଖିବି ? ମୋ କଥା ତ ତୁମକୁ କିଛି ହେଲେ କହିନାହିଁ । କହିବା ଆରମ୍ଭ କରୁ କରୁ ତ ଶେଷ ହୋଇଗଲା । ଜୀବନସାରା ଲାଗି ଯେଉଁ କଥା ମୁଁ କହି ସାରି ନଥାନ୍ତି, ଏଇ ଚିଠିଟାରେ ତାହା କେମିତି କହିବା ସମ୍ଭବ ? ମିଛରେ କେବଳ ସ୍ମୃତିଟାକୁ ଆହୁରି ଘନିଷ୍ଠ ଓ ଯନ୍ତ୍ରଣାମୟ କରିଦେବ । ପ୍ରିୟ, ଚାଲ ଆମେ ପରସ୍ପରକୁ ଭୁଲିଯିବା–ଯେମିତି କି ଆମର କେବେ କେଉଁଠି ଭେଟ ହୋଇ ନ ଥିଲା, ଯେମିତି ଆମେ ପରସ୍ପର ନିକଟରେ ଯୁଗାନ୍ତରଧରି ଅପରିଚିତ । ମୁଁ ଜାଣେ, ମନେରଖିବାଟା ଯେତେ ସହଜ, ଭୁଲିବାଟା ସେତିକି କଷ୍ଟ । ମୁଁ ସବୁଠାରୁ ବେଶୀ ଖୁସି ହେବି ଯଦି ତୁମକୁ ଭୁଲିଯାଏଁ ।

 

ମୋ କଥା ଭାବିବ ନାହିଁ । ଭୁଲିଯିବ । ମନରୁ ମୋତେ ପୋଛିପକାଇବ । ଦୁନିଆରେ ଘର କରି ତିଷ୍ଠିବାକୁ ହେଲେ ବହୁ କଥା ଭୁଲଯିବାକୁ ପଡ଼ିଥାଏ ।

 

ମୁଁ ତୁମ ମାନ ରଖିପାରିଲି ନାହିଁ । ମୁଁ ଦୁର୍ବଳ, ମୁଁ କୁଳୀନ ଆର୍ଯ୍ୟ ଘରର କନ୍ୟା । ସେଇଥିପାଇଁ, କେବଳ ସେଇଥିପାଇଁ । ତଥାପି ବିଶ୍ଵାସ ଅଛି–ଆମେ ଏଇ ଅନନ୍ତ ଆକାଶରେ ମିଶିବା, ଚିହ୍ନାଚିହ୍ନି ହେବା; ଯେଉଁଠି ଆର୍ଯ୍ୟ ଓ ଅସୁର ଗୋଷ୍ଠୀ ଭିତରେ ତଫାତ୍‍ ନ ଥିବ, ଦ୍ରୋହ ନ ଥିବ, ଅସହିଷ୍ଣୁତା ତା ଓ ହୀନମନ୍ୟତା ନ ଥିବ ।

 

ମୁଁ ଚାଲିଲି । ଆଗରେ ଗୋଟାଏ ଅପରିଚିତ ଜଙ୍ଗଲ ରାସ୍ତା । ସେଇ ବାଟରେ ଯିବାକୁ ହେବ । ତୁମକୁ ମୁଁ ଶିକାର କରିଥିଲି; ଏଥର ନିଜେ ଶିକାର ହେବି ଅପରିଚିତର ହାତରେ । ଦୁନିଆର ଏ ନିୟମକୁ ଭାଙ୍ଗି ଦେବାର ବଳ ମୋର ନାହିଁ । ମୁଁ ଭୁଲ, ମୋ ଆଖି ଭୁଲ ଏବଂ ମୋର ପ୍ରେମ ଓ ସ୍ନେହ..... ସବୁ ଭଲ ।

 

ଆହୁରି ଗୋଟିଏ ଅନୁରୋଧ–ତୁମେ ମୋ ବାହାଘର ଉତ୍ସବକୁ ଆସିବ ନାହିଁ–ଦୟାକରି ଆସିବ ନାଇଁ । ତୁମେ ଆସିଲେ ପୁଣି ସବୁ ଗୋଳମାଳ ହେଇଯିବ । ତୁମକୁ ଏମାନେ ପ୍ରକାଶ୍ୟରେ ଅପମାନିତ କରିବେ । ହୁଏତ.....ନା, ନା, ପ୍ଲିଜ୍‍, ମୋ ରାଣ, ତୁମେ ଆସିବ ନାଇଁ । ତୁମର ସେଇ ଆଖି ଦୁଇଟାକୁ ଚାହଁଲେ ମୁଁ ନନ୍ଦିକେଶ୍ଵରୀ ପାଲଟିଯିବି । ବାହାଘର ଭାଙ୍ଗିବ । ହେବ ଯୁଦ୍ଧ । ଏବଂ ମୁଁ ଜାଣେ, ଭଲକରି ଜାଣେ, ଆର୍ଯ୍ୟ-ଅଧ୍ୟୁଷିତ ଅଞ୍ଚଳରେ ଅସୁରର ଭାଗ୍ୟ କଣ ହେବ ! ପରାଜୟ ଓ ପରିଣାମ କଣ ହେବ ! ଅତି କମ୍‌ରେ ମୁଁ ତାହା ଦୁର୍ଘଟିତ ହେବାକୁ ଦେବି ନାହିଁ ।

 

ତୁମେ ଆର୍ଯ୍ୟ କୃଷ୍ଣ ନୁହଁ ଯେ ମୋତେ ବିବାହବେଦିରୁ ଉଠାଇନେଇ ବିଜୟ ଲାଭ କରିବ । ତୁମେ ଅନିରୁଦ୍ଧ ନୁହଁ ଯେ ତୁମପାଇଁ ଦ୍ଵାରକାର ଅଧିପତି ଓ ବାହିନୀ ଆସି ଯୁଦ୍ଧ କରିବେ । ତୁମେ ନିଃସ୍ଵ । ତୁମେ ନିରାଶ୍ରୟ । ତୁମର ଛାତି ଓ ହାତ ଦୁଇଟା ଛଡ଼ା ତୁମ ପାଖରେ ଆଉ କଣ ଅଛି-? କି ସାହସରେ ଆସି ତୁମେ ଠିଆହେବ ଏମାନଙ୍କ ବିପକ୍ଷରେ ! ତୁମେ ପୃଥ୍ଵୀରାଜ ନୁହଁ, ତୁମେ କୃଷ୍ଣଚନ୍ଦ ନୁହଁ–ଯଦିଓ ମୁଁ ସଂଯୁକ୍ତା କିମ୍ବା ରୁକ୍ମିଣୀର ରକ୍ତଧାରିଣୀ ।

 

ଅସୁରମାନଙ୍କର ସେ ଦିନ ଆସିନାହିଁ । ରାହୁ ଏପର୍ଯ୍ୟନ୍ତ ସୂର୍ଯ୍ୟକୁ ଗିଳିନାହିଁ । କୃଷ୍ଣ ହାତରୁ ଏ ପର୍ଯ୍ୟନ୍ତ ସୁଦର୍ଶନ ଚକ୍ର ହସ୍ତାନ୍ତରିତ ହୋଇନାହିଁ । ତେଣୁ ସେ ଶୋଷଣର ଏବେ ପ୍ରତିବାଦ ଅର୍ଥ ମୃତ୍ୟୁ, ଜୀବନର ଜୀବନ୍ତ ସମାଧି ।

 

ମୋରି ଆଖି ସାମ୍ନାରେ ମୁଁ ତୁମର ବିଲୟ, ତୁମର ପତନ ଦେଖିପାରିବି ନାହିଁ । ଅନୁପମ ! ବିଶ୍ଵାସ କର । ଏବେବି ମୁଁ ତୁମକୁ ଭଲପାଏ । ଏବେବି ଏ ଭଲପାଇବାର ଅନ୍ତ ନାହିଁ ।

 

ରହିଲି । ହୁଏତ ଆଉ କେବେ ତୁମ ସହିତ ଦେଖାହେବ ନାହିଁ । ତମ ରାସ୍ତାରୁ ମୋର ପଦଚିହ୍ନ ଲିଭିଯାଉ । ତମ କାନରେ ମୋର ଶବ୍ଦ ଆଉ ଗୁଞ୍ଜରିତ ନ ହେଉ । ତୁମ ଚକ୍ଷୁରେ ମୁଁ ଆଉ ଉଦିତ ନ ହୁଏ । ଆଗରେ ସାହାରା ପରି ଜୀବନ ! ଶୁଷ୍କ ନିରସ । ତଥାପି ଯିବାକୁ ହେବ । ଚାଲିବାକୁ ହେବ । ଠିକ୍‌ ମୁଁ ଚାଲିବି ନାହିଁ; ଚାଲିବ ମୋର ଓଟ । ମୋର ଦୀର୍ଘଦିନର ଗର୍ବୋନ୍ନତ ଓଟ । (ମୁଁ ବୋଧହୁଏ ତୁମରି ପାଖରେ ହିଁ ପଡ଼ିଯାଇଛି ।)

 

ମୁଁ ପୋଡ଼ିଯାଏଁ । ପୋଡ଼ିଯାଉ ମୋର ଓଟ । ମୋ ଓଟଚଢ଼ା ଶେଷ ହେଉ ।

 

‘‘ଓଁ ଅସତୋ ମାଂ ସଦଗମୟ । ତମ ସୋ ମାଂ ଜ୍ୟୋତିର୍ଗମୟ ।

 

ମୃତୋମାଂ ଅମୃତଂ ଗମୟ...... ।’

 

ବନ୍ଧୁ ! ମୁଁ ଅନାଇଁ ରହିଲି ଅସୁରକୁଳର ସେଇ ସ୍ଵର୍ଣ୍ଣଯୁଗକୁ ।

 

କୋଟି କୋଟି ଦଣ୍ଡବତ ସହ,

 

ବିଦାୟ ନେଲି ।

 

ତୁମର

ଅପରାଧିନୀ–ଜୋନାକୀ’’

 

ଅନୁପମର ହାତରୁ ଚିଠିଟା ଖସିପଡ଼ିଲା ତା’ର ଛାତି ଉପରେ । ତା’ର ଆଖିରୁ ଲୁହ ଦୁଇଧାର ଗଡ଼ିଆସିଲା କାନମୂଳକୁ । ମୁହଁମାଡ଼ି ତକିଆ ଭିତରେ ସେ ଜୋନାକୀକୁ ଲୋଡ଼ିବାକୁ ଲାଗିଲା–‘ଜୋନାକୀ ! ଜୋନାକୀ ! ପ୍ରାଣର ଜୋନାକୀ ମୋର !’

 

ଅନୁପମ ଚାହିଁଲା ଖଟ ଉପରର ସେଇ ଶୂନ୍ୟ ଜାଗାଟାକୁ, ଯେଉଁଠି ମାତ୍ର ଘଣ୍ଟାଟିଏ ଆଗରୁ ଦୀପଟିଏ ଜଳୁଥିଲା ଅତି ଦୀପ୍ତ ହୋଇ । ଏକାନ୍ତ ଉଚ୍ଛ୍ଵସିତ ଭାବରେ ଜଳୁଥିଲା । ଜଳୁଥିଲା ଆର୍ଯ୍ୟଯଜ୍ଞର ହୋମଶିଖା ପରି, ଦୀପାବଳି ଅମାବାସ୍ୟାର ଆଲୋକମାଳା ପରି । ଜଳୁଥିଲା ମୂର୍ତ୍ତିମନ୍ତ ହୋଇ ମୁହୂର୍ତ୍ତକ ପରେ ନିଭିଯିବ ବୋଲି ।
 

ଜୋନାକୀ–ଦୁଇଟା ଆଖି ଗୋଟାଏ ଗୋଲାପ, ଗୁଡ଼ାଏ ତାରା ଓ ଅସଂଖ୍ୟ ବେଦନା ! ନାଃ, ଖାଲି ସେତକି ନୁହେଁ, ସେ ବି ଗୋଟାଏ କୁହେଳି ଲତା । ସେ ବି ତଡ଼ିତ୍‌ । ସେ ବି ସେଇ ଦୂରନ୍ତ ଦିଗ୍‌ବଳୟ । ଅନୁପମ ମନଇଚ୍ଛା ଚୁମ୍ବନ କଲା ଖଟର ସେଇ ଖାଲିଜାଗାଟାକୁ । ଜୋନାକୀ ଆଉ ଫେରିବ ନାହିଁ ତାର ଘରକୁ । ସେଇ ଥିଲା ତା’ର ଶେଷ ଆସିବା ।

 

ସେଇ ଦିନଠୁଁ କେହି ଅନୁପମକୁ ବଗିଚାରେ ବୁଲି ଫୁଲ ଛିଣ୍ଡାଇବାର ଦେଖି ନାହିଁ । ଅନୁପମ ନିଜର ଟେବୁଲ୍‌ ଉପରେ ଆରସି ରଖି ଗାଲର ପୋଡ଼ା ଚିହ୍ନଟାକୁ ଦେଖିବା ଓ ତା’ ଉପରେ ପାଉଡ଼ର ବୋଳିବାର ଅଭ୍ୟାସଟାକୁ ଚେଷ୍ଟା କରି ଭାଙ୍ଗି ଦେଇଚି ।

 

କେବଳ ସେ ଅଧିକାଂଶ ସନ୍ଧ୍ୟାରେ କେତେବେଳେ ବା ଅର୍ଦ୍ଧରାତ୍ରିରେ ଗୁମହୋଇ ଆଣ୍ଠୁ ଭିତରେ ମୁହଁଗୁଞ୍ଜି ଏକକାଳୀନ ଘଣ୍ଟା ଘଣ୍ଟା ଧରି ବସିରହୁଥିଲା । କଲେଜ ବାରଣ୍ଡାରେ ମୁହଁକୁ ତଳକୁ ପୋତି କୁଣ୍ଢେ ବହି ଧରି ଚାଲୁଥିଲା ଅଥବା ଲାଇବ୍ରେରୀ ପାଖରେ ରିଡ଼ିଂ ରୁମ୍‌ର ଗୋଟାଏ କଣରେ କାନ୍ଥଆଡ଼କୁ ମୁହଁକରି ନୀରବରେ ବସି ପଢ଼ୁଥିଲା ।

 

ସେ ପ୍ରାୟ ମୁହଁ ଉଠେଇ କାହାରିକୁ ଚାହୁଁ ନଥିଲା । ଯଦି ଚାହୁଁଥିଲା, ଚାହୁଁଥିଲା ଅତି ନିର୍ଲିପ୍ତଭାବରେ ।

 

ଦିନକର ଘଟଣା । ଅନୁପମ କ୍ଲାସକୁ ଯାଉଥାଏ । ଦେଖିଲା, ସ୍ଵପ୍ନକାନ୍ତକୁ ଘେରି ଆହୁରି ପାଞ୍ଚଜଣ ପିଲା ଠିଆ ହୋଇଛନ୍ତି । ଆଲୋଚନା ପଡ଼ିଛି ବିଷୟ ଖୁବ୍‌ ଗଭୀର । ଅନୁପମ କାନେଇଲା । ନବବନ୍ଧୁ ହିମତ୍‍ ଦେଇ କହୁଚି–‘ଏଡ଼େ ସାହସ ତା’ର ଭାଇର ? ତୋତେ ନାପସନ୍ଦ କରିଦେବ ? ତା’ ଗୋଡ଼ ଭାଙ୍ଗି ଦେବିନାହିଁ ! କଣ ଭାବିଚି କି ? ଆରେ, କଲେଜରୁ ରସ୍‌ଟିକେଟ୍‌ ହେବି ବରଂ, ଚାକିରି ନ ପାଇବି ବରଂ–ଦେଖିବି ଜୋନାକୀକୁ କେମିତି ସେ ଅନ୍ୟଠି ବାହାଦେବ ? ହଃ ମୁଁ କଟକ ସହର ପିଲାଟି ! ବେଦିରୁ ଉଠାଇ ଆଣିବିରେ ସ୍ଵପ୍ନକାନ୍ତ ! ତୁ ଧୈର୍ଯ୍ୟ ଧର–ମୁଁ ସତ କହୁଛି, ତୋ’ଲାଗି ତାକୁ ବେଦିରୁ ଉଠାଇ ଆଣିବି ।”

 

ନବବନ୍ଧୁକୁ ଆହୁରି ଟିକେ ଟେହି ଦେଇ କହିଲା ଆଉ ଜଣେ–‘‘ଆରେ ଛାଡ଼ ଛାଡ଼, ତୋତେ କିଏ କଲେଜରୁ ତଡ଼ିଦେବରେ ? ପ୍ରିନ୍‌ସିପାଲ୍‌ । ଭୁଃ ! ସେଇଟା । ତାକୁ କଣ ଜୀବନ ପିତା ଲାଗିଲା କିରେ ! ବାଟ ଚାଲିବନା ସେ ?”

 

ନବବନ୍ଧୁ କହିଲା–‘‘ଶଳାଟାକୁ ତ ମୁଁ (ଅଶ୍ରାବ୍ୟ) ପ୍ରମାଣେ ଖାତିର୍‌ କରେ ନାହିଁ । ଦେଖିଲୁ ନାହିଁ, ସେଦିନ କେମିତି ମୁହେଁ ମୁହେଁ ବତେଇଦେଲି ।’’

 

କଥାଟା ନିଶ୍ଚୟ ଜୋନାକୀ ଓ ସ୍ଵପ୍ନକାନ୍ତ ଘେନି ପଡ଼ିଥିଲା । ଜୋନାକୀ ଅନ୍ୟଜଣକୁ ବାହାହେବାକୁ ଯାଉଥିବା ଖବର ପାଇ ସେମାନେ ଉତ୍ତେଜିତ ହୋଇଉଠିଥିଲେ । ସ୍ଵପ୍ନକାନ୍ତ କିନ୍ତୁ ଗୋଟାଏ ଆତ୍ମବିଶ୍ଵାସହୀନ ରଜା ପରି ଠିଆ ହୋଇଥିଲା; ତେଣୁ ଯୁଦ୍ଧ କରିବାକୁ ତିଆର ଥିବା ସେନାପତିମାନଙ୍କ ଗର୍ଜନଟାକୁ ବୋଧହୁଏ ସେ ବିଶ୍ଵାସ କରିପାରୁନଥିଲା ।

 

ସେ ନବ ବନ୍ଧୁକୁ ବନ୍ଦ କରି କହିଲା–‘‘ନାଃ । ଥାଉ । ମୋତେ ଭୁଲିଯିବାକୁ ପଡ଼ିବ–ନଇଲେ ସେଇ ଝିଅଵାର ଦାମ୍‌ ଆହୁରି ବଢ଼ିଯିବ ।”

 

ନାରାୟଣ କହିଲା–‘‘ସାବାସ ! ଏଇଆକୁ ସେ କହନ୍ତି ମରଦ୍‌ । କିବା ଗୋଟାଏ ଝିଅ, ତା’ଲାଗି ପୁଣି ତୋ’ ଭଳି ଟୋକା ପସ୍ତେଇବ ? ଛିଃ । ତାଠୁଁ ଢେର୍‌ ସୁନ୍ଦରୀ ମିଳିବେ ତୋତେ ।’’

 

ଦୀପେଶ୍ କହିଲା–‘‘ଠିକ୍‌ ଠିକ୍ । କପେ ଗରମ ଚା’ ଆଉ ଗୋଟାଏ ତାଜା ଚାରମିନାର୍‌ ସିଗ୍ରେଟ୍‌ରେ ଜୋନାକୀ ଭଳି ଗଣ୍ଡାଏ ଝିଅ ଉଡ଼ିଯିବେ ।’’

 

ନାରାୟଣ କହିଲା–‘‘ଚାଲ–କାଣ୍ଟିନ୍‌କୁ ଚାଲ ।’’ ଓ ନିଜର ପକେଟ୍‌ରେ ହାତମାରି ସ୍ଵପ୍ନକାନ୍ତକୁ ଚାହିଁଲା ।

 

ସ୍ଵପ୍ନକାନ୍ତ କହିଲା–‘‘ପଇସା ମୋ ପାଖରେ ଅଛି ।’’

 

ସେମାନେ ଚାଲିଗଲେ । ସେମାନଙ୍କର ପାଦଶବ୍ଦଗୁଡ଼ାକ ଅନୁପମକୁ ଗୋଟାଏ ଫମ୍ପା ଓ ଫଟା ଢୋଲର ଆୱାଜ ପରି ଶୁଣାଯାଉଥିଲ ।

 

ଅନୁପମ ଆଗେଇଲା, କିନ୍ତୁ ବେଶି ଦୂର ଆଗେଇ ପାରିଲା ନାହିଁ । ପୁଣି ତା’କୁ ଅଟକିବାକୁ ପଡ଼ିଲା । ନିଜ ଇଚ୍ଛାରେ ନୁହେଁ, ସିଗ୍‌ନାଲ୍‌ ହୋଇ ନ ଥିଲେ ବେଳେବେଳେ ମେଲ୍‌ଗାଡ଼ି ଯେମିତି ବାଧ୍ୟହୋଇ ଗୋଟାଏ ନିହାତି ସାଧାରଣ ଷ୍ଟେସନ ଆଗରୁ ବି ଅଟକିଯାଏ–ଅନୁପମର ଆଗରେ ଆସି ଠିଆହେଲା ସୁମିତା ।

 

“ଏଇ ଯେ ଅନୁପମ ବାବୁ ! ଅନେକ ଦିନ ହେବ ଆପଣଙ୍କ ସହିତ ସାକ୍ଷାତ ହୋଇନାହିଁ-। କେମିତି ଅଛନ୍ତି ? ଭଲ ତ !”

 

“ଭଲ !”

 

“ପରୀକ୍ଷା ତ ଆଉ ମାତ୍ର ଦି’ମାସ । ତା’ପରେ କିଏ କୁଆଡ଼େ ଚାଲିଯିବେ.....” ସୁମିତା କହିଲା–‘‘ଆଉ କଣ୍‌ ସତେ...... ।”

 

“କଲେଜଟା ପ୍ରତି ଖୁବ୍‌ ମାୟା ବଢ଼ିଯାଇଛି ନାଁ... ?” ଅନୁପମ କହିଲା–‘‘ଏତେ ଦିନର ହାଉଜାଉ ହାଳହୁଳି ସହଜରେ ଭୁଲିହେବନାହିଁ । ନିଶ୍ଚୟ ଗୁମୁରି ଗୁମୁରି ମନେପଡ଼ିବ । ଗୋଟିଏ ଜୀବନର ଯବନିକା ପଡ଼ିବ ଓ ଆରମ୍ଭ ହେବ ଆଉ ଏକ ଜୀବନ । କିଏ ଜାଣେ କେଉଁଟା ସୁନ୍ଦର.....”

 

“ତା’ହେଲେ ଆପଣ ନୂଆ ଜୀବନ ଆରମ୍ଭ କରୁଛନ୍ତି । ନୁହେଁ ?” ସୁମିତା କହିଲା–‘‘କିନ୍ତୁ କଣ ଦେଇ ଆରମ୍ଭ କରିବେ ଜାଣିପାରିବି କି ?”

 

“ନିଶ୍ଚୟ ଲାଲ୍‌ରଙ୍ଗ ଦେଇ ନୁହେଁ...” ଅନୁପମ କହିଲା–‘‘ସେ ଜୀବନ ଆରମ୍ଭ ହେବ ରକ୍ତଦେଇ, ଛୁରି ଦେଇ ।”

 

“ମାନେ…’’

 

“ମାନେ ଅତି ସହଜ । ମୁଁ ଡାକ୍ତର । ମଣିଷର ରଙ୍ଗ ଅପେକ୍ଷା ବେଶିକରି ରକ୍ତ ହିଁ ମୋର ଆଖିରେ ପଡ଼େ । କଲମ ଅପେକ୍ଷା ଛୁରି ହିଁ ମୋର ବେଶି ଦରକାରୀ ।”

 

“ଓ, ଆଇ ସି । ମୁଁ ଭାବିଲି କି ଆପଣ ଯେମିତି କାହାରିକୁ ହତ୍ୟା କରିବା କଥା କହୁଛନ୍ତି-।”

ଅନୁପମ ନିରୁତ୍ତର ରହିଲା ।

“କିନ୍ତୁ ଇଏ ତ ନିହାତି ସାଧାରଣ ଜଣାଶୁଣା କଥା ଆପଣ କହିଲେ”–ସୁମିତା କହିଲା, “ମୁଁ ପଚାରୁଥିଲି ପ୍ରକୃତ ଜୀବନ କଥା ।” ସୁମିତା ହସିଲା । ଅନୁପମ ବୁଝିଲା ତାର ହସ ।

ଅନୁପମ ଭାବିଲା–ତା’ ଜୀବନ ସହିତ ଇଏ କି ଭାବରେ ଜଡ଼ିତ ହେବାକୁ ଚାହେଁ ? କାହିଁକି ସୁମିତା ଅନୁପମର ଭବିଷ୍ୟତ ଘେନି ଏତେ ଚିନ୍ତିତ ? ତାର ଏ ଅନଧିକାର ଚର୍ଚ୍ଚାକୁ ସେ ପ୍ରଶ୍ରୟ ଦେବନାହିଁ । ସୁମିତା ତାର ନିଜକଥା ଚିନ୍ତାକରି ଶିଖୁ । ପର ଉପରେ ଲଦିଦେବାକୁ ତାର ଆକାଂକ୍ଷା, ତାର ସଚେତନ କୌତୂହଳକୁ ଅନୁପମ ଚରିତାର୍ଥ କରିବାକୁ ଦେବ କିପରି ? ସେ ସହପାଠିନୀ, ସେଇଥିରେହିଁ ରହୁ । ଅନୁପମର ଏକାନ୍ତ ବ୍ୟକ୍ତିଗତ ଜୀବନର ପରିସୀମା ଭିତରେ ତାହାର ପ୍ରବେଶ କରିବା ଇଚ୍ଛାକୁ ସେ କାଟି ନିର୍ମୂଳି କରିବାକୁ ଚାହେଁ । (ଯଦିଓ ଭଲକରି ଜାଣିଥିଲା, ଆଶା ଗୋଟାଏ ନିର୍ମୂଳି ଲତା; ଯେତେ କାଟିଲେ ବି ତାହା ମାଡ଼ିବ । ଅମରପୋଇ ପରି ଯେମିତି ହେଲେ ଚେରେଇବ, ଗଜେଇବ, କଅଁଳିବ ।)

ଅନୁପମ ନିରୁତ୍ତର ।

“ପ୍ରକାଶ କରିବାକୁ ନାରାଜ, ନା !”–ସୁମିତା କହିଲା–”ବେଶ୍‌, ନ କହନ୍ତୁ ।” ସୁମିତା ଗମ୍ଭୀର ହୋଇଗଲା । ଅନୁପମ ଲକ୍ଷ୍ୟକଲା ସୁମିତାର ସ୍ଵରରେ ଅଭିମାନର ଜୁଆର । ନାରୀର ଅଭିମାନ ହିଁ ପୁରୁଷର ଦମ୍ଭକୁ ଭାଙ୍ଗିଦିଏ । ଅନୁପମ ବିଚଳିତ ହୋଇପଡ଼ିଲା । ତାର ମନ ଗୁଡ଼େଇତୁଡ଼େଇ ହେଲା । ନିଜକୁ ସେ ଠିକ୍‌ ବୁଝିପାରିଲା ନାହିଁ । କଣ ଅଛି ଏଥିରେ ? ଅତି କମ୍‌ରେ ସୌଜନ୍ୟ ଦୃଷ୍ଟିରୁ ତ ଉତ୍ତରଟାଏ ସେ ଦେଇପାରିଥାନ୍ତା ? କି ଉତ୍ତର ସେ ଦେବ ? କି ଯୋଜନା ବା ସେ କରିଛି ଭବିଷ୍ୟତ ପାଇଁ ? କେଉଁ ଯୋଜନାଟା ବା ତା’ର ସଫଳ ହେବାର ସମ୍ଭାବନା ରହିଲା ? କାହିଁକି ବା ସେ ଯୋଜନା କରିବ ପୁଣି ? ଭବିଷ୍ୟତଟାକୁ ସେ କାହିଁକି ବା ଏତେ ନିବିଡ଼ ଭାବରେ ଭାବିବ–ଶୂନ୍ୟକୁ ମାପିବାର ଚେଷ୍ଟା କଲା ଭଳି ?

ଭବିଷ୍ୟତଟା ଗୋଟାଏ କି ଚିଜ ! କ’ଣ ବା ତା’ର ରୂପ ଅଛି ? କ’ଣ ବା ତା’ର ଆକାର ଅଛି ? ବର୍ତ୍ତମାନରେ ଠିଆହୋଇ ଭବିଷ୍ୟତକୁ ରଙ୍ଗେଇଦେଲେ କଳ୍ପନାରେ, ରଙ୍ଗଟା ବା କେଉଁ ଲାଗିଯାଉଛି ସେଠି ? ଆକାଶକୁ ଅବିର ପୋଫାଡ଼ିଲା ପରି, ରଙ୍ଗ’ ପିଚକାରି ମାରିଲା ପରି ସେ କାହିଁକି ସେଇ ଅନାକାର ଓ ଅଶରୀର ଭବିଷ୍ୟତକୁ ମିଛଟାରେ ରଙ୍ଗ ଫୋପାଡ଼ିବ ?

କିଏ ବା ଭବିଷ୍ୟତକୁ ନିଜର କଲାଣି ! ରାବଣ ତ ଏତେ ସଜାଡ଼ୁଥିଲା ଭବିଷ୍ୟତକୁ–କୁଆଡ଼େ ଗଲା ତାର ଭବିଷ୍ୟତର ସ୍ଵପ୍ନ ! କେଉଁଠି ବା ସ୍ଵର୍ଗକୁ ସୁନାର ଶିଡ଼ି ଲଗେଇଦେଲା ଲଙ୍କାରୁ-! ଆଉ ଲୋହାସୁର–ସେ ପରା ଅସୁରଙ୍କ ଭବିଷ୍ୟତ ଉନ୍ନତି ଲାଗି ଲୁହାନଗରୀ ତିଆରି କରିଥିଲା-! ଅସୁରମାନେ କେଉଁଠି ତାକୁ ଭୋଗକରି ପାରିଲେ ! କଣ ବା ଲାଭହେଲା ଅସୁରଙ୍କର-? ସବୁ ତ ଆର୍ଯ୍ୟମାନେ ହିଁ ନେଇଛନ୍ତି ! ଭୋଗ କରୁଛନ୍ତି !

ଭବିଷ୍ୟତ ସ୍ଵପ୍ନ, ଭବିଷ୍ୟତ ଚିନ୍ତା–ତୁଚ୍ଛ, ବୃଥା, ନିଷ୍ଫଳ । କିଛି ଲାଭ ନାହିଁ; ବରଂ ଭବିଷ୍ୟତ କଳ୍ପନାରେ ଅସ୍ଥିର ହୋଇ ସେ ଯଦି ଆତ୍ମରକ୍ଷା ଲାଗି ଭସ୍ମାସୁର ପରି ସଫଳ ତପସ୍ୟାରେ ବର ଲାଭ କରେ, ତାହା ହେବ ଆଉରି ବିପଜ୍ଜନକ । ଶେଷରେ ତା’ର ଭବିଷ୍ୟତ ଭସ୍ମାସୁର ଭଳି ନିଜର କ୍ରିୟାରେ ହଁ ଭସ୍ମୀଭୂତ ହେବ । ନିଜେ ବୋମା ତିଆରି କରି ମଣିଷ ନିଜର ଭବିଷ୍ୟତକୁ ଧ୍ଵଂସ କରେ ଯେମିତି ।

 

ଭବିଷ୍ୟତ ମିଥ୍ୟା, ଭବିଷ୍ୟତ ସୁନାର ହରିଣୀ ।

 

ମଣିଷ ଭବିଷ୍ୟତକୁ କାଚ ଆକ୍ୱୋରିଅମ୍‌ରେ ମାଛ ରଖି ଛୋଟରୁ ବଡ଼ କଲାଭଳି ରଖିପାରିବନାହିଁ । ଭବିଷ୍ୟତଟା ଠିକ୍‌ ଗୋଟାଏ ନଈପହିଁରା ମାଛ ଗୋଟିଏ ପୋଷା ମାଛକୁ କାଚରୁ ବାହାରକରି ନଈରେ ଛାଡ଼ିଦେଇ ପୁଣି ନିଜର ବୋଲି କହି ଖୋଜିବା ଯାହା, ଭବିଷ୍ୟତ କଳ୍ପନାରେ ଓ ଯୋଜନାରେ ହାଉଲୁ ମାଉଲୁ ହେବା ଠିକ୍‌ସେଇଆ ।

 

ମଣିଷ ଭବିଷ୍ୟତ ଗଢ଼େନାହିଁ । ଭବିଷ୍ୟତ ମଣିଷ ଗଢ଼ିଥାଏ । ଭବିଷ୍ୟତ ମଣିଷକୁ କେତେବେଳେ ଦାନ୍ତରେ ଚୋବେଇ ପକାଏ, କେତେବେଳେ ବା ମଣିଷକୁ ରଙ୍ଗେଇ ପକାଏ । ସେଥିକୁ କାହାରି ହାତ ପାଏନାହିଁ । ସେଟା ଶୂନ୍ୟ । ତା’ ଦିହରେ ଛୁରି ଭୁଷି ହୁଏନାହିଁ, କିମ୍ବା ରଙ୍ଗ ବୋଳିହୁଏନାହିଁ ।

 

ଅତୀତ ଭିତରେ ବାରମ୍ବାର ମନ୍ଥିହୋଇ ଆସି ମାଦଳପରି ବର୍ତ୍ତମାନଟାହିଁ ତାର ନିଜର । ଯେତେ ଅସୁନ୍ଦର, ଯେତେ ଅଶ୍ଳୀଳ, ଯେତେ ଅଭଦ୍ର ହୋଇଥାଉ ପଛକେ ଏଇ ବର୍ତ୍ତମାନଟାହିଁ ସତ୍ୟ-

 

ଅତୀତର ରୋମନ୍ଥନ ମଧ୍ୟ ଅନୁପମ ଆଉ ଚାହେଁନାହିଁ ! ସେ ଜାଣେ, ତାଜମହଲ ଭିତରେ ମମ୍‌ତାଜକୁ ଖୋଜି ମଣିଷ ନିରାଶ ହୁଏ । ହଜିଗଲା ମଣିଷକୁ ଖୋଜି ଘରଢିଅ ଖୋଲିଲେ ମାଟି ତାଡ଼ିବାହିଁ ସାର ହୁଏ ।

 

ଅନୁପମ ଆଉ ଜୋନାକୀ କଥା ଭାବିବ ନାହିଁ କିମ୍ବା–ସୁମିତାକୁ କଳ୍ପନା ଶୁଣେଇବ ନାହିଁ-

 

ଅନୁପମ ନିରୁତ୍ତର ।

 

ସୁମିତା ବି କଥା କହୁନାହିଁ ।

 

ଅନୁପମ ଦଳେ ଜଳଦସ୍ୟୁଙ୍କଦ୍ଵାରା ଜବରଦସ୍ତି ଅଟକା ହୋଇଥିବା ଗୋଟାଏ ମଝିଦରିଆର ଜାହାଜପରି ଦୋହଲୁଥାଏ । ଠିଆହୋଇଥାଏ ବିଚାରାଳୟର କାଠଗଡ଼ା ଭିତରେ । ନିଆଁ ଲାଗିଯାଇଥିବା ଗୋଟାଏ ଉଡ଼ାଜାହାଜ ଭିତରେ ଯାତ୍ରୀପରି ସେ ତା’ର ଭବିଷ୍ୟତଟାକୁ କଳ୍ପନା କରିପାରୁନଥାଏ । ସୂର୍ଯ୍ୟକିରଣରେ ଛାଇ ହୋଇଥିବା ନିରନ୍ଧ୍ର ଆକାଶ ଭିତରେ ସେ କୌଣସି ଜ୍ୟୋତିର୍ମାନ୍‌ ତାରାକୁ ଖୋଜି ପାଉନଥାଏ ।

 

କଣ ଉତ୍ତରଦେବ ସେ ସୁମିତାକୁ ?

 

ସୁମିତାର ସ୍ଵରର ଅଭିମାନ ଆଖି ଉପରକୁ ଚଢ଼ିଲାଣି ! ଭାଷା ସ୍ଫୁରୁ ନଥାଏ ଅନୁପମର-। କଣ ବା ସେ କହିବ ?

 

ସେ ସୁମିତାର ଆଖି ଦୁଇଟା ଉପରେ ଗୋଟାଏ ପ୍ରାଣହୀନ ଦୃଷ୍ଟି ପକାଇ କହିଲା–‘‘ସୁମିତା ! ମୁଁ ଇଚ୍ଛାକରି ମୋ ରୁଚିରେ ନୂତନ ଜୀବନ ଆରମ୍ଭ କରିପାରିବିନାହିଁ । ତାହା ଆପେ ଆପେ ଆରମ୍ଭ ହୋଇଯିବ । ତହିଁରେ ମୋ ରୁଚିର ଅଣୁମାତ୍ର ସ୍ପର୍ଶ ଓ ସାମଞ୍ଜସ୍ୟ ନ ଥାଇପାରେ ।”

 

‘‘କାହିଁକି ?” –ସୁମିତା କହିଲା–‘‘ଏତିକି ଆତ୍ମବିଶ୍ଵାସ ଆପଣଙ୍କର ନାହିଁ ?” “ଆତ୍ମବିଶ୍ଵାସ-! ନା । ନାହିଁ । ଆଦୌ ନାହିଁ । ଯଦି ଥାଆନ୍ତା, ତେବେ......ଅନୁପମ ସଂପୂର୍ଣ୍ଣ କରିପାରିଲାନାହିଁ । ତାର ମନର ବିସ୍ଫୋରଣ ମନରେ ହଁ ମିଳେଇଗଲା ।” (ତେବେ ସେ ଜୋନାକୀକୁ ବିବାହବେଦିରୁ ଉଠାଇ ଆଣି ପାରିଥାନ୍ତା ।) ଅନୁପମର ଦାନ୍ତ ଦାବି ହୋଇଗଲା ଆପଣାର ଓଠ ଉପରେ ।

 

ଛାଡ଼ ! ଅନୁପମ ଦୀର୍ଘନିଃଶ୍ଵାସ ପକେଇ କହିଲା–ମାତ୍ର ଦୁଇଟି ହାତ ମୋର । ରାବଣକୁ ଜାଣିଚ, ତାର କୋଡ଼ିଏଟା ହାତ ଥିଲା । ତାର ଆତ୍ମବିଶ୍ଵାସ କେତେ ନଥିଲା ? କେଉଁଠି ସେ ଜିତିଲା ଅବା ? ଆଉ ମୁଁ ? ଫୁଃ ।

 

‘‘ମୁଁ ଗୋଟିଏ କଥା କହିବି’’–ସୁମିତା କହିଲା ।

 

‘‘କହିବ ! କୁହ; କିନ୍ତୁ ଜାଣିଥା, ମୋର ଆଉ କାହାରି କଥା ଉପରେ ବିଶ୍ଵାସ ନାହିଁ ।”

 

‘‘ନାହିଁ ?’’

 

‘‘ନା’–ଅନୁପମ କହିଲା–‘‘ନିଜ ଉପରେ ବି ନୁହଁ ।’’

 

‘‘ବିଶ୍ଵାସ ଅବିଶ୍ଵାସର କଥା ଉଠୁନାହିଁ । ସାମାନ୍ୟ ଗୋଟାଏ ଅନୁରୋଧ; ମାତ୍ର କେଇ ଘଣ୍ଟାର କଥା । ରଖିବେ ଯଦି କହିବି ।’’

 

ଅନୁପମ ବଡ଼ ଅସୁବିଧାରେ ପଡ଼ିଲା ।

 

ସୁମିତା ପୁଣି କହିଲା–‘‘କୁହନ୍ତୁ । ରଖିବେ କି ନାହିଁ ?” ଅନୁପମର ଛାତି ଧକ୍‌ଧକ୍‌ ହେଲା । କି ପ୍ରକାର ସତ୍ୟ କରେଇ ନେବ ସୁମିତା ? ସେ ଜାଣିପାରିଲା ନାହିଁ ।

 

“ବେଶ୍‌ । ନ ରଖିବେ ଯଦି କାହିଁକି କହିବି ?” ସୁମିତାର ସ୍ଵରରେ ସେଇ ପୁରାତନ ଅଭିମାନର ଟିପାର ଶବ୍ଦ । ପୁଣି ବିଚଳିତ ହୋଇପଡ଼ିଲା ଅନୁପମ ।

 

‘କୁହ’–ଅନୁପମ କହିଲା ଏଥର..... “ସମ୍ଭବହେଲେ କଥା ଦେଲି ନିଶ୍ଚୟ ରଖିବି ।”

 

ସୁମିତା ତାର ଓଠକୁ ପ୍ରସାରିତ କରି ହସିଲା । ଆଖି ଦୁଇଟା ପୂରିଉଠିଲା ।

 

‘‘ମୋର କାଲି ଜନ୍ମଦିନ ।’’

 

ଅନୁପମ ଏ ସମ୍ବାଦ ଶୁଣି ଚମକିଲାନାହିଁ, କିମ୍ବା ଆନନ୍ଦରେ କୁରୁଳି ଉଠିଲା ନାହିଁ । ସେ ଖାଲି ଅପେକ୍ଷା କରୁଥିଲା ଶେଷଟା ଶୁଣିବା ଲାଗି ।

 

‘‘ଆପଣଙ୍କୁ ନିମନ୍ତ୍ରଣ । ଆମ ଘରକୁ ଯିବେ । ପ୍ଲିଜ୍‌....’’

 

ଅନୁପମର ମୁଣ୍ଡରୁ ଏକ ବୋଝ ଓହ୍ଲାଇଗଲା ପରି ଲାଗିଲା । ସେ ଭାବିଥିଲା ସୁମିତା ଅନ୍ୟ କିଛି ପ୍ରସ୍ତାବ ଆଣିବ ।

 

‘‘ହଁ; ନଶ୍ଚୟ ଯିବି”–ଅନୁପମ କହିଲା–‘‘ସମୟ ଓ ସ୍ଥାନ ? ମୁଁ ତୁମ ଘର ଦେଖିନାହିଁ ।’’

 

‘‘କାଲି ସବୁ ବତେଇଦେବି ।’’

 

‘ଆଚ୍ଛା’ !

 

ଅନୁପମ ଯିବାକୁ ବାହାରିଲା ।

 

‘ଶୁଣନ୍ତୁ’–ସୁମିତା ଅଟକେଇନେଲା–‘‘ଏଇ ଫୁଲଟା ଆପଣଙ୍କ ପାଇଁ ଆଣିଥିଲି ।” ଡିସେକ୍‌ସନ୍‌ ବାକ୍‌ସ ଭିତରୁ ଫୁଲଟାଏ ବାହାର କରି ଅନୁପମର ହାତକୁ ଦେଲା ସୁମିତା–‘‘ନିଅନ୍ତୁ” !

 

ଅନୁପମ ନେବ କି ନାହିଁ ଭାବିବାକୁ ସମୟ ପାଇଲାନାହିଁ । ସେ ଫୁଲଟାକୁ ଗୋଟାଏ ପଥର ଗୋଟାଳି ନେବା ପରି ନେଲା ଓ ପକେଟରେ ଭର୍ତ୍ତିକରି ଚାଲିଲା । ଆଉ ପଛକୁ ଫେରି ଚାହିଁଲାନାହିଁ ।

 

ଅନୁପମ ଗଲା ଡ: ମିଶ୍ରଙ୍କ ଲାବୋରେଟରିକୁ । ପର୍ଦ୍ଦା ଆଡ଼େଇ ଘର ଭିତରେ ପଶିଲା । କୌଣସି ସ୍ଵରଶବ୍ଦ ପାଇଲାନାହିଁ । ସବୁ ଚୁପ୍‌ଚାପ୍‌ । ଡ: ମିଶ୍ରଙ୍କ ପ୍ରକୋଷ୍ଠରୁ କେବଳ ଧୂଆଁ କୁଣ୍ଡଳାକାରରେ ଉପରକୁ ଉଠୁଥାଏ । ଅନୁପମ ଭାବିଲା,–ଭିତର ବଖରାକୁ ଯିବ କି ନାହିଁ । ଯଦି ସାର୍‍ଙ୍କ ଭାବନାରେ ବ୍ୟାଘାତ ଜନ୍ମେ ? ପୁଣି, ଯଦି ସାର୍‌ ପଚାରନ୍ତି–କିହେ, କୁଆଡ଼େ ! କଣ ଉତ୍ତର ଦେବ ସେ ? ସେ କେଉଁଥିପାଇଁ ଆସିଚି ନିଜେ ବି ଜାଣେନା ।

 

ତଥାପି ସେ ଫେରିପାରିଲାନାହିଁ । ଡ: ମିଶ୍ର ତା’ ପକ୍ଷରେ ଚଳନ୍ତି ଦେବତା; ଆଉ ଏଇ ଲାବୋରେଟରି ଗୋଟାଏ ମନ୍ଦିର । ମନ୍ଦିରକୁ ସେ ଆସି ଫେରିଯିବା ଉଚିତ ନୁହେଁ ।

 

ସେ ଆସ୍ତେକରି ମୁଣ୍ଡ ଗଳେଇଲା ପର୍ଦ୍ଦା ଭିତରେ । ତା’ ନାକରେ ଆଲ୍‌କୋହଲ୍‌ମିଶା ପବନ ବାଜିଲା । ଦେଖିଲା ଡ: ମିଶ୍ର ଗୋଟାଏ କାଚ ବିକରରେ ଆଲ୍‌କୋହଲ୍‌ ଆପଣାର ଓଠ ପାଖରେ ଧରିଛନ୍ତି । ଆଉ ଗୋଟେ ହାତରେ ପାଇପ୍‌ । ଗାଲର ମାଂସପେଶୀଗୁଡ଼ାକ ତଳକୁ ସାମାନ୍ୟ ଓହଳି କୁଞ୍ଚିତ ହୋଇଯାଇଛି । ଆଖିଗୁଡ଼ାକ ଧୀରେ ଧୀରେ ଲାଲ ପଡ଼ିଆସୁଛି । ଫ୍ରେଞ୍ଚଦାଢ଼ିର କିଛି ଅଂଶ ବିକର୍‌ ଭିତରର ଆଲ୍‌କୋହଲ୍‌ରେ ବୁଡ଼ି ରହିଚି । ଟେବୁଲ୍‌ ଉପରେ ଖବର କାଗଜଟାଏ ଖୋଲାହୋଇ ପଡ଼ିଚି ।

 

ଡ: ମିଶ୍ରଙ୍କର ସେଇ ଚେହେରା ଅନୁପମକୁ ଦୋହଲାଇଦେଲା । ତାର ପାଦ ଥରିବାକୁ ଲାଗିଲା । ତାକୁ ଭୟଲାଗିଲା–ସେଇ ଆଲ୍‌କୋହଲ୍‌ର ବାୟୁମଣ୍ଡଳ ଭିତରକୁ ପାଦ ବଢ଼େଇବାକୁ ।

 

ସେ ପର୍ଦ୍ଦ। କଡ଼ରେ ଗଳେଇଥିବା ମୁଣ୍ଡଟାକୁ ଏ ପାଖକୁ ଆଣି କିଛିକାଳ ସଳଖି ଠିଆହେଲା ।

 

ଭିତର ବଖରା ପୂର୍ବପରି ନୀରବ ଥାଏ ।

 

ଅନୁପମ ପୁଣି ପର୍ଦ୍ଦା ଆଡ଼େଇ ଚାହିଁଲା କୌତୂହଳବଶତଃ । ଦେଖିଲା–ଡ: ମିଶ୍ର ବିକରକୁ ଆଲ୍‌କୋହଲ୍‍-ଶୂନ୍ୟକରି ମୁହଁରେ ପାଇପ୍‍ ଧରିଲେଣି । ତା’ପରେ ଡ: ମିଶ୍ର ଚେୟାର ଉପରେ ହଲିବାକୁ ଲାଗିଲେ । ଧୀରେ ଧୀରେ କାଗଜଟା ମଧ୍ୟ ସାମାନ୍ୟ ଉପରକୁ ଉଠିଲା ଏବଂ ଖବରକାଗଜର ଆଢ଼ୁଆଳରେ ଡ: ମିଶ୍ରଙ୍କ ମୁହଁ ବୁଡ଼ିଗଲା; ଅନୁପମକୁ ଦିଶିଲା ନାହିଁ ।

 

ଏଥର ଅନୁପମର ସାହସ ହେଲା । ସେ ଭିତରକୁ ପାଦ ବଢ଼େଇଲା । ଆଲ୍‌କୋହଲ୍‌ର ଗନ୍ଧ କ୍ରମଶଃ କୋହଳ ହୋଇଆସୁଥାଏ । ଅନୁପମ ଏ ଗନ୍ଧ ସହିତ ଖୁବ୍‍ ପରିଚିତ ଥିଲା ଆଗରୁ । ସେ ଜାଣେ ଡ: ମିଶ୍ର ଆଲ୍‌କୋହଲ୍‌ ପିଅନ୍ତି । ଆଉ କାହିଁକି ପିଅନ୍ତି–ତା’ ମଧ୍ୟ ଜାଣେ ।

 

କିନ୍ତୁ ପିଇବା ମୁହୂର୍ତ୍ତଗୁଡ଼ାକୁ ସେ ଭୟକରେ ।

 

ଅନୁପମ ଯାଇଁ ଡ: ମିଶ୍ରଙ୍କ ଟେବୁଲ୍‌ ସାମ୍ନାରେ ଠିଆହେଲା । ଡ: ମିଶ୍ର ନିର୍ବାକ । ଆଖିଟା ଖବରକାଗଜର ଧାଡ଼ିଗୁଡ଼ାକ ଉପରେ ବୁଲୁଛି । ଅନୁପମର ଉପସ୍ଥିତି ସେ ଜାଣିପାରିନାହାନ୍ତି ।

 

ଅନୁପମ ଲାବୋରେଟରି ଭିତରେ ଆଖି ବୁଲେଇଲା । କିଛି ପରିବର୍ତ୍ତନ ହୋଇନାହିଁ । ସାପ ଆଖି, ବେଙ୍ଗ ଆଖି, ବାଘ ଆଖି, ମଣିଷ ଆଖି ଇତ୍ୟାଦି ଜୀବଜନ୍ତୁ ଓ ପଶୁପକ୍ଷୀଙ୍କର ଆଖିଗୁଡ଼ାକ ସବୁ ଅକ୍ଷୟକାରୀ ଏସିଡ୍ ଭିତରେ ସଜାହେଇଛି । ନାଲି ନେଳି ବଲବ୍‌ ମାଳ ମାଳ ହୋଇ ଟଙ୍ଗା ହେଲାପରି କୌଣସି ଉତ୍ସବ ନିଶିରେ । ଆଖିଗୁଡ଼ାକୁ ଡ: ମିଶ୍ର ନିଜ ଚେଷ୍ଟାରେ ଯୋଗାଡ଼ କରିଛନ୍ତି । ରାତି ଦିନ ଲାଗି ସେ ସବୁକୁ ବସି ପରୀକ୍ଷା କରନ୍ତି । ଆଉ ସେଇ ଦୂରବୀଣ୍‌-କାଚ-ପଟାଟା ଓ ସେଇ ମନଦେଖା ଆରିସିଟା ଗୋଟିଏ ଉଚ୍ଚ ମାଞ୍ଚିଆ ଉପରେ ଥୁଆ ହୋଇଚି । ତାଙ୍କର ନିଜ ଉଦ୍ଭାବନ କି ନା ! ତା’ ଛଡ଼ା ଗୁଡ଼ାଏ ଏସିଡ୍‌-ବୋତଲ, କିଛି ଆଲ୍‍କାଲି, କିଛି ବିକର, ଫ୍ଲାସ୍କ୍‌, ଟେଷ୍ଟଟ୍ୟୁବ, ଗ୍ଳାସରଡ୍‌ ଓ ଦୁଇଟା ଦାମିକା ଅଣୁବୀକ୍ଷଣ ଯନ୍ତ୍ର, ଏବଂ ଗୋଟିଏ ଔଷଧ ଆଲ୍‌ମିରା ଇତ୍ୟାଦି ।

 

ଗୋଟାଏ କଣରେ ଡ: ମିଶ୍ରଙ୍କ ଲୁଗାପଟା, ଟ୍ରଙ୍କ୍‌, ବହିଥାକ ଓ କେତେକ ନିତ୍ୟ-ବ୍ୟବହାର୍ଯ୍ୟ ଜିନିଷ । କାରଣ ତାଙ୍କର କ୍ଵାର୍ଟର୍‌ସ୍‌ ନାହିଁ । ସିଏ ନେଇ ନାହାନ୍ତି । ଲାବୋରେଟରି ହିଁ ତାଙ୍କର ଆବାସସ୍ଥଳୀ । ସେଇଠି କାମ, ସେଇଠି ଶୋଇବା ଓ ସେଇଠି ତାଙ୍କର ମଦ ଖାଇବା–ସବୁ କିଛି ।

 

ବିଶେଷ ବଡ଼ ଧରଣର ଆଖିରୋଗ ନ ହେଲେ କେହି ଡ: ମିଶ୍ରଙ୍କ ପାଖକୁ ଆସନ୍ତି ନାହିଁ-। ସମସ୍ତେ କହନ୍ତି ସେ ପାଗଳା ଡାକ୍ତର । ଆଖି ଦେଖୁ ଦେଖୁ ପଚାରିବେ–‘‘କୁହନ୍ତୁ, ଆପଣ କ’ଣ ଆଶା କରିଥିଲେ, କଣ ପାଇନାହାନ୍ତି ? ଆପଣଙ୍କ ଜୀବନର ସବୁଠୁ ବଡ଼ ଦୁଃଖ ଓ ଅଭାବ କେଉଁଠି-? କୁହନ୍ତୁ, ସତ କୁହନ୍ତୁ ?’’

 

କେହି କହନ୍ତି ନାହିଁ । ଡ: ମିଶ୍ର ସେମାନଙ୍କୁ ପଚାରି ପଚାରି ବିବ୍ରତ ହୋଇପଡ଼ନ୍ତି । ଶେଷରେ ରୋଗୀକୁ ଫେରାଇଦିଅନ୍ତି । କୁହନ୍ତି–ଡାକ୍ତର ଆଗରେ ସତକଥା କହିବାକୁ ଯିଏ କୁଣ୍ଠା ପ୍ରକାଶକରେ, ତାହାଠାରେ ରୋଗମୁକ୍ତ ହେବାର ନିଷ୍ଠା ମଧ୍ୟ ନଥାଏ । ସେପରି ଲୋକଙ୍କୁ ଦୟା ଦେଖାଇ ଲାଭ କ’ଣ ?

 

କିଛି ସମୟ ସେଇମିତି ନୀରବରେ କଟିବାପରେ ଡ: ମିଶ୍ର ଆଖିଆଗରୁ ଖବରକାଗଜ ତଳକୁ କଲେ ଓ ଅନୁପମକୁ ଦେଖି ହସିପକେଇଲେ; କିନ୍ତୁ ପରମୁହୂର୍ତ୍ତରେ ତାଙ୍କର ମୁଖ ଗମ୍ଭୀର ହୋଇଗଲା । ସେ ଚେଆର୍‌ରୁ ଉଠିଆସିଲେ । ଝରକା ପାଖକୁ ଗଲେ । ଝରକା ପାଖରେ ଠିଆହୋଇ ଗୋଟାଏ ତିର୍ଯ୍ୟକ୍ ଭଙ୍ଗୀରେ ଅନୁପମକୁ ନିରୀକ୍ଷଣ କଲେ । ତାଙ୍କ ଆଖିରେ ପଲକ ପଡ଼ୁ ନଥାଏ । ପାଇପରୁ ଧୂଆଁ ବାହାରିବା ବନ୍ଦ ହୋଇଯାଇଥାଏ ।

 

କିଛି କ୍ଷଣ ପରେ ଡ: ମିଶ୍ର ଅନୁପମ ଉପରୁ ଆଖି ଫେରାଇ ନେଇ ନିଜର ମୁଣ୍ଡ-ବାଳଗୁଡ଼ାକୁ କେରା କେରା କରି ଝିଙ୍କିବାକୁ ଲାଗିଲେ ଓ ମଣ୍ଡଳାକାରରେ ପଦଚାରଣ କଲେ ଝୁଲି ଝୁଲି । ପୁଣି ପାଇପ୍‌ ଧରିଲେ ।

 

ଅନୁପମକୁ ପ୍ରହେଳିକା ପରି ଲାଗୁଥାଏ । ସେ ଜାଣେ, କୌଣସି ଗୋଟାଏ ବିଶେଷ ଘଟଣା ଘଟିଲେ ଡ: ମିଶ୍ର ଏପରି ଚାହାନ୍ତି ଓ ଏଇପରି ପଦଚାରଣ କରନ୍ତି; କିନ୍ତୁ ସେଦିନର ବିଶେଷ ଘଟଣା ସହିତ ଅନୁପମ ସେତେବେଳ ପର୍ଯ୍ୟନ୍ତ ପରିଚିତ ହୋଇନଥାଏ ।

 

ଡ: ମିଶ୍ର ଝୁଲି ଝୁଲି ଆସି ଅନୁପମର ମୁହଁ ସାମ୍ନାରେ ଠିଆହେଲେ । ତାଙ୍କର ଆର୍ଯ୍ୟ ନାକଟାରୁ ଚିନ୍ତାମଗ୍ନ ପବନ ବାହାରୁଥାଏ । ଫ୍ରେଞ୍ଚ୍‌ଦାଢ଼ିଟାରୁ ଆଲ୍‌କୋହଲ୍‍ ଗନ୍ଧ ତେବେ ବି ଛାଡ଼ିନଥାଏ ।

 

ଅନୁପମ ବୁଝିଲା ଡ: ମିଶ୍ର ନିଶ୍ଚୟ ତାକୁ କୌଣସି ଏକ ଗୁରୁତର ସମ୍ବାଦ ଶୁଣାଇବେ । ସେ ମୁହଁ ଖୋଲିଲା–‘‘ସାର୍‌....”

 

ଡ: ମିଶ୍ର ପଛକୁ ଫେରିଲେ । ଟେବୁଲ୍‌ ଉପରୁ କାଗଜ ଉଠେଇ ଅନୁପମ ଆଖି ଆଗରେ ଗୋଟାଏ ନିର୍ଦ୍ଦିଷ୍ଟ ସମ୍ବାଦର ଚିହ୍ନଟା ଦେଇ କହିଲେ–‘‘ରିଡ୍‌ ଇଟ୍‌ । ପଢ଼ !’’

 

ଡ: ମିଶ୍ର ପୁଣି ପଦଚାରଣ କରିବାକୁ ଲାଗିଲେ, ପୂର୍ବପରି । ତା’ ଆଖିରେ ଉଜ୍ଜ୍ଵଳି ଉଠିଲା–‘କଳିଙ୍ଗ ଘାଟିର ଅନ୍ଧାରିକୂଟରେ ନାହିଁ ନ ଥିବା ଅସୁରର ଅମାନୁଷିକ ଲୀଳା । ଭଂଜନଗର ଓ ଘୁମୁସର ଉଦୟଗିରି ପୋଲିସଙ୍କର ମିଳିତ ଉଦ୍ୟମର ଦୁର୍ବୃତ୍ତ ଗୁଳିଚୋଟରେ ଆହତ ହୋଇ ଧରାପଡ଼ିଛି । ଅନ୍ଧାରିକୂଟ ଭିତରୁ କେତେକ ଯୁବତୀଙ୍କର କଙ୍କାଳ ଓ ଆଉ କେତେକଙ୍କର ଶବୋଦ୍ଧାର ।’

 

‘ଅସୁର’ ଶଦ୍ଦଟା ପଢ଼ି ଅନୁପମର ସର୍ବାଙ୍ଗ ପ୍ରକମ୍ପିତ ହୋଇଗଲା ।

 

ଡ: ମିଶ୍ର ବୁଝିପାରିଲା । କହିଲେ–‘‘ସଂପୂର୍ଣ୍ଣ କର ! ଧୈର୍ଯ୍ୟ ହରାଅନା । ତାହା କିଛି ନଗଣ୍ୟ ଘଟଣା ନୁହେଁ ।”

 

ଅନୁପମ ପଢ଼ିଲା ।

 

ଭଂଜନଗର ସମ୍ବାଦଦାତା ଲେଖିଛନ୍ତି–

 

ଭଂଜନଗରରୁ ପ୍ରାୟ ପାଇଁତିରିଶି କିଲୋମିଟର ଦୂରରେ କଳିଙ୍ଗଘାଟି ଅବସ୍ଥିତ । ଭଂଜନଗରରୁ ଫୁଲବାଣୀ ଓ ଘୁମୁସର-ଉଦୟଗିରି ଯିବାକୁ ହେଲେ ଏହି ଘାଟି ଅତିକ୍ରମ କରିବାକୁ ପଡ଼ିଥାଏ । ଏହି ଘାଟିରେ ଅନ୍ଧାରିକୂଟ ଖୋଲ । କେହି କେହି ଏହାକୁ ଅନ୍ଧାରିକୋଟ କହନ୍ତି । ଅନ୍ଧାରିକୂଟରେ ଘୁମୁସରେ ରାଜାଙ୍କର ଶୈଳନିବାସ ଥିଲା । ସେଇ ନିବାସର ଭଗ୍ନାବଶେଷ ବର୍ତ୍ତମାନ ମଧ୍ୟ ଦୃଷ୍ଟିଗୋଚର ହୁଏ । ସେଇ ସ୍ଥାନ ଅତି ଦୁର୍ଗମ, ଘଞ୍ଚ ଜଙ୍ଗଲ-ପରିବେଷ୍ଟିତ ଓ ବାଘ ଭାଲୁ ଆଦିଙ୍କର ନିରାପଦ ସ୍ଥାନ । ଏଠାକାର ଆଦିମ ଅଧିବାସୀ କନ୍ଧମାନେ ମଧ୍ୟ ଏକାକୀ ସେଇ ଜାଗାକୁ ଏବେ କଥା କରିବାକୁ ଯାଇପାରନ୍ତି ନାହିଁ ।

 

କନ୍ଧମାନେ ନିଜକୁ ଗୋସିଂହ ଅସୁରର ବଂଶଧର ବୋଲି କୁହନ୍ତି । ତାଙ୍କ କହିବା ଅନୁସାରେ–ରାବଣର ରାଜତ୍ଵକାଳରେ କଳିଙ୍ଗ ପର୍ବତରେ ଗୋସିଂହ ଦୈତ୍ୟ ରାଜତ୍ଵ କରୁଥିଲା ।

 

Unknown

ଏବେ ପ୍ରକୃତରେ ଏକ ଅସୁରର ସନ୍ଧାନ ମିଳିଅଛି । ଆଜିକୁ ପ୍ରାୟ ଦୁଇବର୍ଷ ପୂର୍ବେ ଏଇ ଅସୁରଟିର ଉତ୍ପାତ ଆରମ୍ଭ ହୋଇଥିଲା–ଏପରିକି କନ୍ଧମାନେ ମଧ୍ୟ ଭୀତତ୍ରସ୍ତ ହୋଇପଡ଼ିଲେ ।

 

ସେଇ ଅସୁରଟି ଅନ୍ଧାରିକୂଟରେ ହିଁ ରହୁଥିଲା; ନିଜର ଏକ ସୁଡ଼ଙ୍ଗ ପ୍ରସ୍ତୁତ କରିଥିଲା । କନ୍ଧ ଯୁବତୀମାନେ ବନକୁ କାଠ କାଟିବାକୁ; ପତ୍ର ତୋଳିବାକୁ କେହି ବା ଲାଲମାଟି ଆଣିବାକୁ ଯାଆନ୍ତି । ତାହା ତାଙ୍କର ବେଉସା ।

 

ଆଜକୁ ପ୍ରାୟ ଦୁଇବର୍ଷ ପୂର୍ବେ, ଗୋଟିଏ କନ୍ଧ ବୁଢ଼ାର କହିବା ଅନୁସାରେ, ତାର ଯୁବତୀ ଝିଅ ଦିନେ ପତ୍ର ତୋଳିବାକୁ ବନ ଭିତରକୁ ଯାଇଥିଲା । ସନ୍ଧ୍ୟା ହୋଇଗଲା, ତଥାପି ଫେରିଲା ନାହିଁ । ବୁଢ଼ା କନ୍ଧପଲ୍ଲୀର ସମସ୍ତଙ୍କୁ ପଚାରିଲା–‘‘ମୋ ଝିଅକୁ କେହି ଦେଖିଛ କି ?” ଅନ୍ୟମାନେ ନାହିଁକଲେ । ରାତି ହେଲା । ଅନ୍ଧାର ମାଡ଼ିଆସିଲା । ତେବେ ବି ବୁଢ଼ାର ଝିଅ ଫେରିଲା ନାହିଁ । କନ୍ଧ ଟୋକାମାନଙ୍କୁ ବୁଢ଼ା ଯାଇ କହିଲା । ସେମାନେ ଶୁଣି ବାହାରିଲେ । କାଠନିଆଁ ହାତରେ ଧରି ବଣରେ ଝିଅର ନାଁ ଧରି ଉଚ୍ଚସ୍ଵରରେ ବହୁତ ଡାକିଲେ । ବନକୁ ହନ୍ତାଳି ହନ୍ତାଳି ଖୋଜିଲେ । କେଉଁଠି ସେ ଝିଅର ସନ୍ଧାନ ମିଳିଲା ନାହିଁ । ଶେଷରେ ସେମାନେ ଦେଖିଲେ ସିଇରା ଓ ପତ୍ରସବୁ ବୁଣିହୋଇ ପଡ଼ିଛି । ବୁଢ଼ା ଚିହ୍ନିଲା, ସେଇ ତା’ ଝିଅର ସିଇରା । ସମସ୍ତେ ଆହା ଆହା କଲେ–କେଉଁଠି ବାଘ ଥିଲା, ଟାଣିନେଇଯାଇଚି । ବୁଢ଼ା କାନ୍ଦିଲା । କାନ୍ଦିଲେ ଆଉ କ’ଣ ଥାଏ ? ରାତି ସେତେବେଳକୁ ବହୁତ ହେଲାଣି । ସେମାନେ ଫେରିଆସିଲେ ।

 

ତା’ ଆରଦିନ ସକାଳୁ ଟୋକାମାନେ ଧନୁଶର ଧରି ଦଳବଦ୍ଧ ହୋଇ ଚାଲିଲେ । ଖୋଜିଲେ ବାଘକୁ । ବାଘକୁ ପାଇଲେ ନାହିଁ । ଦେଖିଲେ ଅନ୍ଧାରିକୂଟ ନିକଟର ଗୋଟାଏ ଗଛରେ ଗତ ରାତିରେ ହଜିଥିବା ଝିଅଟାର ଶବ ଝୁଲୁଚି । ପୂରା ଉଲଗ୍ନ । ମୁଣ୍ଡ ତଳକୁ । ଗୋଡ଼ ଦୁଇଟା ଗୋଟାଏ ଗଛ ଡାହିରେ ବନ୍ଧାହୋଇଛି । ବାଳଗୁଡ଼ାକ ଓହଳିପଡ଼ିଚି । ମୁହଁରୁ ରକ୍ତ ବାହାରି ମୁଣ୍ଡବାଳ ଦେଇ ବିନ୍ଦୁ ବିନ୍ଦୁ ହୋଇ ପଡ଼ିଚି । ବୋହିବା ବନ୍ଦ ହୋଇଗଲାଣି ।

 

ସେମାନେ ଡାହିରେ ଚଢ଼ି ଶବଟାକୁ ତଳକୁ ଆଣିଲେ । ବୁଝିଲେ, ଝିଅଟା ଉପରେ ଅତ୍ୟଧିକ ଶୃଙ୍ଗାର କରାହୋଇଛି । କିଏ ସେ ଦୁର୍ବୃତ୍ତ ? ସେମାନେ ବହୁତ ଖୋଜିଲେ । ଟେର୍‌ ପାଇଲେନାହିଁ ।

 

ତା’ ପରେ ପରେ ଆହୁରି ଦୁଇଟା ଝିଅ ମଧ୍ୟ ନିଖୋଜ ହେଲେ ଓ ସେମାନଙ୍କର ଶବ ସେଇପରି ଗଛ ଡାହିରେ ଝୁଲୁଥିବାର ଦେଖାଗଲା ।

 

ଏକରକମ ଭୟରେ କନ୍ଧମାନେ ବଣକୁ ଏକାକୀ ଆସିବା ବନ୍ଦ କରିଦେଲେ । କନ୍ଧ ପୁରୋହିତ ସନ୍ଧ୍ୟାବେଳେ ବସି ସାନମାନଙ୍କୁ ଗପ ଶୁଣେଇଲେ–‘‘ମଣିଷ ! ଏବେ ସାବଧାନ, କଳିକାଳ, ଘୋର କଳିକାଳ । ପୁରାଣରେ ଅଛି, ଆମ ବଂଶରେ ଏଇମିତି କିଏ ଜନ୍ମ ହେବ, ଯାହାର ଉପଦ୍ରବରେ ଯୁବତୀମାନେ ଦାଣ୍ଡକୁ ବାହାରିପାରିବେ ନାହିଁ । ଏକେଲା ଝରଣାକୁ ପାଣି ଆଣିବାକୁ ଯାଇପାରିବେ ନାହିଁ । ଚୋରାଇ ନେବ । ତା’ପରେ ହେବ ପ୍ରଳୟ । ସବୁ ଓଲଟିଯିବ । ପୁଣି ସୃଷ୍ଟି ନୂଆକରି ହେବ । ରାବଣ ଜନ୍ମହେବ । ଆମର ପୁଣି ସମୃଦ୍ଧି ଘଟିବ ।”

 

ଏଇପରି ଏକ ଉତ୍ପାତ ଖବର ପୋଲିସ କାନରେ ବାଜିନଥିଲା । କନ୍ଧମାନେ ତାହାକୁ ଅନିବାର୍ଯ୍ୟ ବୋଲି ଭାବି ନିଜ ଭିତରେ ହିଁ ଛପେଇ ରଖିଥିଲେ ।

 

ଆଜକୁ ପ୍ରାୟ ଏକବର୍ଷ ତଳେ ଅନ୍ଧାରିକୂଟ ନିକଟରେ ଆଉ ଏକ ଘଟଣା ଘଟିବାର ଆମକୁ ଜଣାଅଛି । ଘୁମୁସ–ଉଦୟଗିରିର ଜନୈକ ଭଦ୍ରବ୍ୟକ୍ତି ସ୍ତ୍ରୀଙ୍କୁ ଧରି କାରରେ ଆସୁଥିଲେ । ଅନ୍ଧାରିକୂଟ ନିକଟରେ ତାଙ୍କ କାର୍‌ ଆଗରେ ଗୋଟାଏ ଭୀମାକୃତିର ମଣିଷ ଠିଆହୋଇ ଅଟକେଇଲା ଏବଂ ଚାଳକ ଓ ଭଦ୍ରବ୍ୟକ୍ତିଙ୍କୁ ମାଡ଼ଦେଇ ମୂର୍ଚ୍ଛା । କରିଦେଲା । ତା’ପରେ ସ୍ତ୍ରୀଲୋକଟିକୁ ନେଇଯାଇଥିଲା । ପୋଲିସ୍‌ ଖବର ପାଇ ଘଟଣାସ୍ଥଳକୁ ଗଲେ । ମୋଟରଚାଳକ ଓ ମାଲିକଙ୍କୁ ଭଂଜନଗର ହସ୍‌ପିଟାଲକୁ ପଠାଇଦେଇ ସେମାନେ ସ୍ତ୍ରୀଲୋକଟିକୁ ଖୋଜିଥିଲେ । ଶେଷରେ ସେମାନେ ଉକ୍ତ ସ୍ତ୍ରୀଲୋକଟିର ଶବଟି ଗୋଟିଏ ଗଛାଡାଳରୁ ଉଲଗ୍ନ ଅବସ୍ଥାରେ ଝୁଲୁଥିବାର ଦେଖିଥିଲେ । ସେମାନେ ବହୁତ ଖୋଜିଲେ; କିନ୍ତୁ ଦୁର୍ବୃତ୍ତର ସନ୍ଧାନ ପାଇନଥିଲେ ।

 

ଦିନକୁ ଦିନ ନାରୀହରଣସଂଖ୍ୟା ବଢ଼ିଲା ।

 

ସେ ବାଟ ଦେଇ ଯାତ୍ରୀ ଯିବାକୁ ଭୟକଲେ । ପ୍ରାୟ ତିନିମାସ ତଳେ କଳିଙ୍ଗଘାଟିର ଡାକବଙ୍ଗଳାରେ ଆସି ରାତ୍ରିଯାପନ କରୁଥିବା ଇଂଜିନିଅର ବାନାର୍ଜିଙ୍କ ସ୍ତ୍ରୀ ଓ ତା’ର ଦୁଇଦିନ ପରେ ସ୍ଥାନୀୟ ଗ୍ରାମସେବିକା ଶ୍ରୀମତୀ ଚୌଧୁରୀଙ୍କର ଶବ ସେଇ ଗଛ ଡାଳରୁ ଉଲଗ୍ନ ଅବସ୍ଥାରେ ଝୁଲୁଥିବାର ଦେଖାଯାଇଥିଲା ।

 

କ୍ରମେ କ୍ରମେ ଏ ଆତଙ୍କ ଭଂଜନଗର, ଫୁଲବାଣୀ ଓ ଘୁମୁସର–ଉଦୟଗିରି ପର୍ଯ୍ୟନ୍ତ ପ୍ରସାରିତ ହେଲା । ପୋଲିସ୍‌ କନ୍ଧମାନଙ୍କୁ ସନ୍ଦେହ କଲେ ।

 

ଦୁଇଦିନ ତଳେ ଫୁଲବାଣୀର ଏକ ପ୍ରମୋଦ ଉତ୍ସବରେ ଯୋଗଦେବାକୁ ଯାଉଥିବା ବିଖ୍ୟାତ ନର୍ତ୍ତକୀ କୁମାରୀ ମିତାଙ୍କର ମଧ୍ୟ ଏହି ଦଶା ଘଟିଅଛି । ପୋଲିସ୍‌ କିନ୍ତୁ କୁମାରୀ ମିତାଙ୍କ ଜିପ୍‌ର ପଛେ ପଛେ ଯାଉଥିଲେ । ସେଇ ବିରାଟକାୟ ବ୍ୟକ୍ତିଟି ଜିପ୍ ସାମ୍ନାରେ ପଥର ଥୋଇ ଅଟକାଇଲା ଓ କୁମାରୀ ମିତାଙ୍କୁ କାନ୍ଧରେ ପକାଇ ବଣ ଭିତରକୁ ପଲାଇଲା । ପୋଲିସ୍‌ ଅନୁସରଣ କଲେ । ଗୁଳି କଲେ । ସବୁ ବ୍ୟର୍ଥ ହେଲା । ଅସୁରଟା ହଠାତ୍‍ କେଉଁଠି ଅଦୃଶ୍ୟ ହୋଇଗଲା । ସେମାନେ ଖୋଜି ପାଇଲେ ନାହିଁ; କିନ୍ତୁ ହତୋତ୍ସାହିତ ନ ହୋଇ ସେମାନେ ଖୋଜିଲେ । କନ୍ଧମାନେ ମଧ୍ୟ ଜମାହୋଇ ପଡ଼ିଲେ । ଶେଷରେ ଅନ୍ଧାରିକୂଟର ପଶ୍ଚାତ୍‌ଭାଗରେ ଥିବା ଗୁପ୍ତ ସୁଡ଼ଙ୍ଗଟିର ସନ୍ଧାନ ମିଳିଲା ।

 

ପୋଲିସ୍‌ ଟର୍ଚ୍ଚମାରି ଦେଖିଲେ–ସୁଡ଼ଙ୍ଗ ଭିତରେ ଅସୁରଟିର ଅମାନୁଷିକ ଶୃଙ୍ଗାର ଲୀଳ-। ସେମାନେ ଗୁଳି ଚଳାଇଲେ । ଅସୁର ପଥର ଢେଲା ମାରି ଆକ୍ରମଣ କଲା । ତା’ ପରେ ସେଠାରେ ପୋଲିସମାନଙ୍କୁ ସାହାଯ୍ୟ କରିବା ଲାଗି ଉପସ୍ଥିତ ଥିବା ବ୍ୟକ୍ତିଙ୍କୁ ଉଦ୍ଦେଶ୍ୟ କରି କହିଲା–“ମୁଁ ଶପଥ ନେଇଛି ଆର୍ଯ୍ୟକୁଳ ନିର୍ମୂଳ କରିବା ଲାଗି । ସେଇଥିପାଇଁ ସେମାନଙ୍କର ନାରୀ ହରଣ କରିଛି । ତାଙ୍କରି ଲାଗି ଅସୁରକୁଳ ଉଚ୍ଛେଦ ହୋଇଛି । ତାଙ୍କରି ଲାଗି ମରିଛି ରାବଣ, ମହିଷାସୁର । ସେଇ ଇତିହାସର ପ୍ରତିଶୋଧ ନେଉଥିଲି ମୁଁ ।”

 

ପୁଲିସ୍‌ ତା’ ଉପରେ ଘନଘନ ଗୁଳି ବର୍ଷଣ କରିଥିଲେ । ସେ ରକ୍ତାକ୍ତ ଅବସ୍ଥାରେ ଠିଆହୋଇଥିଲା ସଂପୂର୍ଣ୍ଣ ଉଲଗ୍ନ ହୋଇ । ତଥାପି ସେ ଗର୍ଜନ କରୁଥିଲା–“ମୁଁ ଆଉ ହୁଏତ ବଞ୍ଚିବି ନାହିଁ । ମୋର ପିତୃପୁରୁଷଙ୍କ ପରି ମୋତେ ହିଁ ମୃତ୍ୟୁବରଣ କରିବାକୁ ହେବ ।”

 

ଏହା କହୁଁ କହୁଁ ସେ ପଡ଼ିଯାଇଥିଲା ।

 

ଉକ୍ତ ଅସୁର ଏ ପର୍ଯ୍ୟନ୍ତ ମରିନାହିଁ । ଜୀବନ ସୁକୁସୁକୁ ହେଉଛି । ତାକୁ ଦେଖିବାପାଇଁ ଭଂଜନଗର ହସପିଟାଲ୍‌ରେ ଅସଂଖ୍ୟ ଲୋକ ଜମିଛନ୍ତି ।

 

ଅନୁପମ ସମ୍ବାଦ ପଢ଼ୁପଢ଼ୁ ଉତ୍ତେଜିତ ଓ କମ୍ପିତ ହୋଇଉଠୁଥିଲା । ତା’ର ଉତ୍ତେଜନା ହ୍ରାସ କରିବା ଲାଗି ଡ: ମିଶ୍ର ପଛଆଡ଼େ ଠିଆହୋଇ ତା’ର ପିଠି ସାଉଁଳେଇ ଦେଉଥିଲେ ।

 

ଅନୁପମ ପଢ଼ିସାରି ଡ: ମିଶ୍ରଙ୍କ ମୁହଁକୁ ଚାହିଁଲା ।

 

ଡ: ମିଶ୍ର ଖାଲି ପାଇପ୍‌ଟାକୁ ହାତପାପୁଲିରେ ବାଡ଼େଇ ବାଡ଼େଇ କହିଲେ–“ଚକ୍ର ଘୂରୁଛି-। ସୁଦର୍ଶନଚକ୍ର ବିଷ୍ଣୁଙ୍କ ହାତରୁ ଖସି ଆସି ଏଇ ଆକାଶମଣ୍ଡଳରେ ଘୂରୁଛି । ସବୁ ବଦଳିଯିବ–ସବୁ ବଦଳିଯିବ ।”

 

ଅନୁପମ ଫେରିଆସିଲା । ପରଦିନର ତିଥିରେ ଜୋନାକୀର ବାହାଘର । ସେଇଦିନ ବି ସୁମିତାର ଜନ୍ମଦିନ । ଜୋନାକୀ ମନାକରିଛି–ମୋ ରାଣ, ଆସିବ ନାହିଁ ସେଠାକୁ । ନାଁ, ସେ ଯିବନାହିଁ । ବରଂ ସେ ଯିବ ସୁମିତା ଘରକୁ । ବେଶ୍‌ ।

 

ସନ୍ଧ୍ୟା ସମୟରେ ଅନୁପମ ପଡ଼ିଆ ମଝିରେ ବସିଲା ମୁଣ୍ଡକୁ ଆଣ୍ଠୁ ଉପରେ ଭରାଦେଇ-। କଳିଙ୍ଗ ଘାଟିର ସେଇ ଅସୁରଟା ତା’ର ମନ ଉପରେ ଡେଣା ବାଡ଼ଉଥାଏ, ମୁଦଗର ପିଟୁଥାଏ, ଖେଞ୍ଚା ଦେଉଥାଏ; ପୁଣି କେତେବେଳେ ବା ଗୋଇଠା ମାରୁଥାଏ । ବିପ୍ଳବ ! ମହାବିପ୍ଲବ-! ମହାସମର ! ପୂର୍ବସୂଚନା ସେଇ ଅସୁର । ଗୋଟାଏ ମହାଜାଗରଣର ପ୍ରଥମ ଶିଖା ସେ-

 

ଅନୁପମ କିଛି ନୁହେଁ । ପ୍ରାଣହୀନ । ନିଃଷ୍ପନ୍ଦ । ନାଁ । ବରଂ ସେ କାପୁରୁଷ ହେବ, କିନ୍ତୁ ମହାସମରକୁ ଡାକିବ ନାହିଁ । ୱାଶିଂଟନ, ଟୋକିଓ, ଦିଲ୍ଲୀ, କଲିକତା ଭୁବନେଶ୍ଵର–ଜାଣୁ ଜାଣୁ ସେ ଭାଙ୍ଗିଦେବ ନାହିଁ । ଧ୍ଵଂସ କଲେ କଣ ଅସୁର-ସଭ୍ୟତା ପୁନର୍ଜୀବିତ ହେବ ? କି ସମ୍ଭାବନା ଅଛି ? ଜାଣୁ ଜାଣୁ ପୃଥିବୀକୁ ଶ୍ମଶାନ କରିବାର ଅର୍ଥ କଣ ? ସେଥିରେ କଣ ବା ଗୌରବ ମିଳିବ ?

 

ଯଦି ଚକ୍ର ଘୂରୁଛି, ଘୂରୁ । ଘୂରିଲେ ତ ସବୁ ବଦଳିବ । ଆପେ ବଦଳିବ । ସେଇଦିନ ରାତିରେ ଅନୁପମ ଆଉ ଘର ଭିତରେ ଶୋଇଲାନାହିଁ ଗଲା ଛାତ ଉପରକୁ । ପଦ୍ମାସନରେ ବସିଲା-। ଏକଲୟରେ ଉଚ୍ଚାରଣ କରିବାକୁ ଲାଗିଲା–‘ଓଁ’ । ପ୍ରତି ଉଚ୍ଚାରଣରେ ସେ ଅନୁଭବ କଲା ଯେ ତାର ଛାତି ପ୍ରସାରିତ ହୋଇଯାଉଛି । ନିରନ୍ଧ୍ର ଦେହର ଝରକା ସବୁ ଖୋଲିଯାଉଛି ।

 

ଉଶ୍ଵାସ ହୋଇଉଠୁଛି ତାର ବିରାଟ ମୁଣ୍ଡଟା । ପ୍ରଶ୍ନ ଓଁକାର ତାକୁ ନୂତନ ଉଚ୍ଚାରଣ ଲାଗି ଉତ୍ସାହିତ କରୁଥାଏ । ସେ ଚିହ୍ନୁଥାଏ ନିଜର ଶବ୍ଦକୁ । ସାକାର ଦେହର ଅନାକାର ଉଚ୍ଛ୍ଵାସକୁ, ନିରାକାର ବେଦନାକୁ ।

 

ଅନୁପମର ଓଁକାର ଘଡ଼ଘଡ଼ି ପରି ଉତ୍ତୀର୍ଣ୍ଣ ହୋଇ ଦିଗଦଗନ୍ତରେ ବିଲୟ ହୋଇଯାଉଥାଏ ।

 

ପ୍ରତିଟି ପ୍ରତିଧ୍ୱନିକୁ ସେ ଉତ୍‍କର୍ଣ୍ଣ ହୋଇ ପରୀକ୍ଷା କରୁଥାଏ । ସେ ଝଂକାର ? ନା ନିନାଦ ଅଥବା ମେଘଡମ୍ବର ? କଣ ତାହା ?

 

ତାହା କଣ ମେଘନାଦର ହୁ-ଙ୍କାର; ତାହା କଣ ସେଇ ଅମୃତାତ୍ମା ଅସୁର ରାହୁର ନବଜାଗରଣର ପ୍ରଳୟ ହୁଙ୍କାର ! କ’ଣ ତାହା ?

 

ସେଇଥିପାଇଁ ସେ ନିବିଷ୍ଟ ଚିତ୍ତରେ ଶୁଣୁଥିଲା ନିଜକୁ । ଉପରେ ନଇଁପଡ଼ିଥିଲା ପ୍ରଭାମାଳିନୀ ଆକାଶ । ବର୍ଷୁଥିଲା କାକରବିନ୍ଦୁ ଆକାଶର ଆଶୀର୍ବାଦର ଅର୍ଘ୍ୟପରି ।

 

ଅନୁପମ ନିଜର ହାତ ଲୋମରେ ଜମିଥିବା କାକରବିନ୍ଦୁଗୁଡ଼ାକୁ ଜିଭ ଲଗେଇ ଚାଟିପକେଇଲା । ଗୋଧଟାଏ ଅଦ୍ଭୁତ ସ୍ଵାଦୁ ତାର । ସେ ଆହୁରି ଚାଟିଲା । ତା’ପରେ ଆଁ-କରି ଜିଭ ଲମ୍ବେଇଲା ପଦାକୁ । କାକର ବର୍ଷିବ ତାରି ଜିଭରେ । ଆକାଶ ଓହ୍ଲେଇବ ତା’ରି ଜିଭରେ । କି ଆନନ୍ଦ ତାର ! ଆଃ !

 

ଅନୁପମ ଉଲଗ୍ନ ହୋଇପଡ଼ିଲା । ଠିଆହୋଇ ଗୋଡ଼ହାତ ଛାଟିବାକୁ ଲାଗିଲା । ଜିଭ ସେଇମିତି ଲମ୍ବିଥାଏ ପଦାକୁ । ତା’ପରେ ସେ ନାଚିଲା ଗୋଟାଏ ଅଦ୍ଭୁତ ତାଳରେ । ହଷ୍ଟେଲ୍‌ ଛାତର ଏ ମୁଣ୍ଡରୁ ସେ ମୁଣ୍ଡକୁ ସେ ଧାଇଁ ଧାଇଁ ନାଚୁଥାଏ, ଉଲଗ୍ନ ଶିବ ପରି; କିନ୍ତୁ ତା’ର ପାଦଶବ୍ଦ କାନରେ ପଡ଼ୁନଥାଏ ।

 

କିଛିକ୍ଷଣ ନାଚିବା ପରେ ସହସା ତାର କାନଟା ଚମକି ଉଠିଲା । ସେ ନିଜର ପାଦଶବ୍ଦ ଶୁଣିପାରିଲା–ଧୂର୍ମୁସ-ପାହାର ପରି ଶୁଭୁଛି । ବନ୍ଦକରିଦେଲା ନାଚ । ଠିଆହେଲା ସ୍ଥିରହୋଇ । ତା’ପରେ ଭୂଇଁରେ ଗୋଟିଏ ପାଦ କଚାଡ଼ିଲା–ଧୁମ୍‌ । ଶଦ୍ଦଟା ତାର କାନ ପରଦାରେ ବାଡ଼େଇ ହେଲା । ପୁଣି ସେ କଚାଡ଼ିଲା–ଧୁମ୍‌....ଧୁମ୍‌.....ଧୁମ୍‌ । ଏଁ ! ଏ କି ଶବ୍ଦ ! ଏଇ ତାର ପାଦଶବ୍ଦ ! ଏତେ କର୍କଶ ! ଏତେ ଭୟଙ୍କର !!

 

ତାର ମନେପଡ଼ିଲା, ଡ: ମିଶ୍ର କହୁଥିଲେ, ତାର ପାହୁଲ ଦୁଇଟା ଅସୁରପାହୁଲ । ସତେ-!!

 

ଅନୁପମ ଆଉ ଚାଲିବାକୁ ମଧ୍ୟ ଇଚ୍ଛାକଲା ନାହିଁ । ତାର ଭୟ ହେଲା । ଭୟ ହେଲା ତା’ ନିଜର ପାହୁଲକୁ ।

 

ତା’ପରେ ସେ ନିଜର ଚେହେରାକୁ ଚାହିଁଲା । ତା’ର ଆଖି ବୁଜିହୋଇଗଲା । ନିଜର ରୂପ ଦେଖି ସେ ନିଜେ ହିଁ ଭୀତ ହୋଇପଡ଼ିଲା । କି ଭୀଷଣ ! କି ବୀଭତ୍ସ ! କି କଦର୍ଯ୍ୟ !

 

ସେ ସାଙ୍ଗେ ସାଙ୍ଗେ ଆଖିବୁଜି ଲୁଗା ପିନ୍ଧିପକେଇଲା ଓ ନିଜର ଛାତିଟାକୁ ତଉଲିଆରେ ଢାଙ୍କି ପକେଇଲା, ହଠାତ୍‍ କୌଣସି ପୁରୁଷକୁ ଦେଖି ନାରୀ ଯେପରି ଅତର୍କିତ ଭାବରେ ସର୍ବାଙ୍ଗ ଆବୃତ କରିପକାଏ ।

 

ସେ ଅନୁଭବ କଲା ଯେ କାକର ପଡ଼ି ମୁଣ୍ଡବାଳ ଓଦାହୋଇଯାଇଛି । ସେ ତଉଲିଆରେ ମୁଣ୍ଡ ମଧ୍ୟ ପୋଛିଲା । ଶୀତରେ ମଧ୍ୟ ତାହ ଦେହ ଥରିଉଠିଲା । ଦାନ୍ତକୁ ଦାନ୍ତ ଠକ୍‌ଠକ୍‌ ବାଡ଼େଇହେଲା ଶୀତରେ । ସେ ତଉଲିଆ ଖଣ୍ଡକରେ ନିଜର ଦେହକୁ ଜାକି ଉଷୁମ ବାହାର କରିବାକୁ ଚେଷ୍ଟାକଲା । ନାଁ । କେମିତି କେଜାଣି ତାର ଦେହ ଶୀତଳ ହୋଇଯାଇଛି । ତାର ରେଜେଇ କିମ୍ବା କମ୍ବଳ ଦରକାର । ସେ ଠିକ୍‌କଲା, ତଳକୁ ଓହ୍ଲେଇବ ।

ସେ ପାଦ ବଢ଼େଇଲା ଏଇ ସମୟରେ ସେ ଶୁଣିଲା ଛାତର କୌଣସି ପାର୍ଶ୍ଵରୁ ଏକ ହସର ଶଦ୍ଦ । –“କିଏ ?”

ପୁଣି ସେଇ ହସ । ଅନୁପମ ଖୋଜିଲା, କେଉଁଠୁ ଆସୁଚି ହସଟା । ଶେଷରେ ସେ ଠିକଣା କଲା । ଦେଖିଲା ଅଦୂରରେ ଠିଆହୋଇଛି ଛାୟାଟିଏ । ଆସ୍ତେ ଆସ୍ତେ ଛାୟାମୂର୍ତ୍ତିଟି ତା’ରି ଆଡ଼କୁ ଆସୁଚି ।

‘‘କିଏ ?’’

ପୁଣି ସେ ହସ ।

‘‘ଓ ! ସାର୍‌ !! ଆପଣ ଏଠି ?’’

ଡ: ମିଶ୍ର ଅନୁପମର ପାଖରେ ପହଞ୍ଚି ତା’ର ପିଠି ଥାପୁଡ଼େଇ କହିଲେ–“ଆଜି ବି ତୁମର ମନ ତୁମର ଶରୀର ପାଖରେ ହାରିଗଲା । ଦିନ ଆସିବ, ତୁମେ ଆଉ ତୁମର ଦେହଟାକୁ ଦେଖି ଡରିବନାହିଁ । ମୁଁ ଖୁବ୍‌ ଆଶାବାଦୀ । ସେଦିନ ନିଶ୍ଚୟ ଆସିବ ।’’

 

ଅନୁପମ ଲଜ୍ଜିତ ହେଲା ।

 

‘‘ସାର୍‌, ଆପଣ କଣ ସବୁ ଦେଖୁଥିଲେ ? ମୁଁ ତ ଜାଣିପାରି ନ ଥିଲି ।’’

 

‘‘ତପସ୍ୟା କରେ ଚିତ୍ତ । ତୁମେ ତପସ୍ୟା କରୁଥିଲ । ତୁମ ଚିତ୍ତ ଦେହକୁ କବଳିତ କରୁଥିଲା । ସେତେବେଳେ ତୁମେ କୌଣସି ପାର୍ଥିବ ମୂର୍ତ୍ତିକୁ ଦେଖିପାରୁନଥିଲ । ଯେତେବେଳେ ତୁମର ତପସ୍ୟା ଭଙ୍ଗହେଲା, ତୁମର ଦେହ ଚିତ୍ତକୁ କବଳିତ କଲା । ତୁମକୁ ଲଜ୍ଜା ଲାଗିଲା, ଭୟ ହେଲା, ଶୀତ ଲାଗିଲା ଓ ଶେଷରେ ତୁମେ ମୋତେ ଦେଖିପାରିଲ ।’’ –ଡ: ମିଶ୍ର କହିଲେ ।

 

ଡ: ମିଶ୍ର ସଂପୂର୍ଣ୍ଣ ଉଲଗ୍ନ ହୋଇ ଠିଆହୋଇଥାନ୍ତି । ଅନୁପମ ଡ: ମିଶ୍ରଙ୍କ ଶରୀରଟାକୁ ଚାହିଁପାରୁନଥାଏ ।

 

ଡ: ମିଶ୍ର ହସୁଥାନ୍ତି । ଅନୁପମ ମୁହଁ ତଳକୁ ପୋତି ଠିଆହୋଇଥାଏ ।

 

ଡ: ମିଶ୍ର କହିଲେ–‘‘ଯାଅ ! ଶୋଇବ ଯାଅ ! ତୁମକୁ ଶୀତ ହେଲାଣି । ଦିନ ଆସିବ, ଯେତେବେଳେ ତୁମକୁ ହୁଏତ ଶୀତ ଲାଗିବନାହିଁ ।’’

 

ଅନୁପମ ଓହ୍ଲେଇଲା ତଳକୁ । ପାହାଚ ପରେ ପାହାଚ । ସେଇ ତାର ଛୋଟ ଅପ୍ରଶସ୍ତ ରୁମ୍‌ ଭିତରକୁ ।

 

ନିଜ ରୁମ୍‌ ଭିତରେ ଆଲୁଅ ଜାଳି ସେ ଚେଷ୍ଟାକଲା ଉଲଗ୍ନ ହେବାକୁ ଆରସି ଆଗରେ; କିନ୍ତୁ ତାହା ବି ସେ ପାରିଲାନାହିଁ । ତା’ର ମନେହେଲା କାନ୍ଥଗୁଡ଼ାକର ବି ଯେମିତି ଆଖି ଅଛି ।

 

ସେ ଶୋଇପଡ଼ିଲା ଏକଡ଼ ସେକଡ଼ ହୋଇ ।

 

ତା’ପର ଦିନ ।

 

ସୁମିତା ଆସି ଅନୁପମକୁ ଡାକିନେଇଗଲା ତାର ଘରକୁ । ସେତେବେଳକୁ ସଞ୍ଜ ବୁଡ଼ିଲାଣି । ସେମାନେ ରିକ୍‌ସାରେ ବସିଲେ, ଗୋଟିଏ ରିକ୍‌ସାରେ ପାଖାପାଖି ଦୁଇଜଣ । ଅନୁପମକୁ ଅଡ଼ୁଆ ଲାଗୁଥିଲେ ବି ସେ କୌଣସି ଭାବରେ ନିଜକୁ ଜାକିଜୁକି ବସିପଡ଼ିଥିଲା ।

 

ଦୁହେଁ ନୀରବରେ ହିଁ ଯାଉଥିଲେ । ସୁମିତା ମଝିରେ ଗପର ଖିଅ ବାହାର କରୁଥିଲା; କିନ୍ତୁ ଅନୁପମ ତହିଁରେ ନୂଆ ଖିଅ ଯୋଡ଼ୁ ନଥିବାରୁ ଛିଡ଼ିଯାଉଥିଲା, ଆରମ୍ଭରେ ହିଁ ଶେଷ ହୋଇଯାଉଥିଲା । ଲମ୍ବି ପାରୁନଥିଲା ରାସ୍ତାପରି ଆଗକୁ ଆଗକୁ ।

 

ଅନୁପମ ନିଜକୁ ଲୁଚେଇବାକୁ ଚେଷ୍ଟାକରୁଥିଲା । ସେଥିପାଇଁ ପାର୍ଶ୍ଵବର୍ତ୍ତୀ ଲାଇଟ୍‌ଖମ୍ବଗୁଡ଼ାକୁ ସେ ଏକ ବିରକ୍ତିପୂର୍ଣ୍ଣ ଦୃଷ୍ଟିରେ ଚାହୁଁଥିଲା ।

 

ସୁମିତା କିନ୍ତୁ ପ୍ରକାଶିତା ହେବାକୁ ଇଚ୍ଛାକରୁଥିଲା ବୋଧେ । ସେ ରାସ୍ତାର ସବୁ ମଣିଷଙ୍କ ସହିତ ଦୃଷ୍ଟି ପରିଚୟ କରୁଥିଲା–ଯେମିତି ଜଣେଇଦେବାକୁ ଚାହୁଁଥିଲା ତାର ଏଇ ବୁଲିବାଟାକୁ ।

 

ରିକ୍‌ସା ତଳତେଲେଙ୍ଗା ବଜାରର ଏକ ଅଣଓସାରିଆ ଗଳି ଭିତରକୁ ମୁହେଁଇଲା । ସୁମିତା ରିକ୍‌ସାବାଲାକୁ ନିର୍ଦ୍ଦେଶ ଦେଉଥାଏ । ସେମାନଙ୍କର ରିକ୍‍ସା ଶେଷରେ ଅଟକିଲା ଗୋଟାଏ ପୁରୁଣା ଏକମହଲା କୋଠା ସାମ୍ନାରେ । କୋଠା ତ ନୁହେଁ, କୋଠାର ଗୋଟାଏ ଥାଟ, ଗୋଟାଏ କଙ୍କାଳ । ରଙ୍ଗ ନାହିଁ । ମଝିରେ ମଝିରେ ଚୂନ ଖସିପଡ଼ିଥିବାରୁ ଇଟା ଦେଖାଯାଉଥାଏ । ରାସ୍ତାକଡ଼କୁ ଲାଗି ବାରଣ୍ଡା । ଉପରେ ଲାଲ୍‌ ଓ କଳା ମିଶା ଧୂଳି ପରସ୍ତେ ପଡ଼ିଛି । ଆଲକାତରା ଦିଆହୋଇ ରଙ୍ଗ ହୋଇଥିବା ଝରକା ରେଲିଂରେ ଧୂଳି ଲାଗିଛି । ଏଇ ତା’ହେଲେ ସୁମିତାର ଘର ! ସେଇ ବସ୍ତିରେ ପ୍ରାୟ ସବୁଗୁଡ଼ାକ ପଲ୍‍ହା ପରି ଚଳଘର । ଦୁଇକଡ଼ରେ ଦୁର୍ଗନ୍ଧ ନଳା । ବହୁଦିନର ମଇଳା ଜମିଥାଏ । ଗୋଟାଏ ଲଙ୍ଗଳା ପିଲା ରାସ୍ତା ଉପରେ ବସି ହଗୁଥାଏ । କାହାର ଘର ଆଗରେ ଥୁଆହୋଇଥାଏ ରିକ୍‌ସା । କେଉଁଠି ବା ଲାଗିଥାଏ କଜିଆ । କାହା ଘର ଭିତରୁ ଫୁଟି ବାହାରି ଆସୁଥାଏ ଦୁଇ ତିନିଟା ଛୁଆଙ୍କର ଏକତ୍ର କାନ୍ଦଣାର ରା’ । କିଏ ବା ତା’ର ପିଲାଟାକୁ ବାଡ଼ୋଉଥାଏ ରାଗରେ । କାହା ଘର ଆଗରେ ବା ଅଧନଙ୍ଗୁଳୀ ନୁଖୁରୀ ମାଇକିନାଟାଏ ବସିଥାଏ, ବୁଢ଼ୀ କାଳିଗାଈ ପରି କୌଣସି କଥାକୁ ପାକୁଳି କରି କରି, ଆଉ ଓହଳି ପଡ଼ିଥିବା ଥନରୁ ଗୋଟାକରେ ମୁହଁ ଲଗେଇ ଓ ଅନ୍ୟଟିକୁ ଆଉ ଗୋଟେ ହାତରେ ଧରି ଚୁଁ ଚୁଁ କରି ଶୋଷିଯାଉଥାଏ କାଳିଆ ହାଡ଼ୁଆ ଶିଶୁଟାଏ । ଅନୁପମ ସେମାନଙ୍କ ଉପରେ ଦୃଷ୍ଟି ବୁଲେଇ ଆଣିଲା । ବତିଖୁଣ୍ଟର ଆଲୁଅ ସେମାନଙ୍କ ପିଣ୍ଡାରେ ମହଳ ଜୋଛନା ପରି ପେଟେଇ ପଡ଼ିଥାଏ ।

 

ଅଧିକାଂଶଙ୍କର ଘରୁ ଦିଶୁଥାଏ ଚୁଲି ନିଆଁର ଧାସ । ହାଣ୍ଡିଆ ରନ୍ଧାର ଗନ୍ଧ ପରିବେଶଟାକୁ କିଛି ପରିମାଣରେ ବଞ୍ଚିବାର ବିଶ୍ଵାସରେ ହାଲୁକା କରିଥାଏ ।

 

ଅନୁପମ ଠିଆହୋଇଥାଏ ବାରଣ୍ଡାରେ । ସୁମିତା କବାଟ ଠକ୍‌ଠକ୍‌ କରି ଡାକୁଥାଏ–“ବାପା ! ବାପା ! ହେ ବାପା !” ଭିତରୁ ଜବାବ୍‌ ଆସୁ ନ ଥାଏ ।

 

ଅନୁପମ ପେଣ୍ଟ୍‌ପକେଟରେ ହାତ ଭର୍ତ୍ତିକଲା । ହଠାତ୍‌ ତା’ର ଡାହାଣ ହାତର ଅଙ୍ଗୁଳି ପକେଟ୍‌ ଭିତରେ ଅନୁଭବ କଲା କିଛି । କଣ ରେ ! କଣ ଏଇଟା । ଓଃ, ଗତ ଦିନର ସେଇ ଫୁଲଟା, ଯେଉଁଟାକୁ ସୁମିତା ଉପହାର ଦେଇଥିଲା; ସେଇମିତି ପକେଟ୍‌ରେ ପଡ଼ି ପଡ଼ି ଶୁଖିଗଲାଣି-। ତଥାପି ତାକୁ ଲାଗିଲା ତା’ଭିତରେ ଯେମିତି ଗୋଟାଏ ଅତୃପ୍ତ ବାସନା ଏଯାଏଁ ଜିଇଁରହିଛି-। ଅନୁପମର ଅଙ୍ଗୁଳିକୁ କଣ୍ଟା ଫୋଡ଼ିହେବା ପରି ଲାଗିଲା । ସେ ପକେଟ୍‌ରୁ ବାହାର କରି ଅତି ସତର୍କତାର ସହିତ ସୁମିତା ଆଖିର ଆଢ଼ୁଆଳରେ ବାରଣ୍ଡା ତଳର ନର୍ଦ୍ଦମାକୁ ଫିଙ୍ଗିଦେଲା-

 

ସୁମିତାର ବାପା ତଥାପି ଜବାବ ଦେଇନଥାନ୍ତି । ସୁମିତାର କଣ୍ଠରେ ବିରକ୍ତି ଜମିଆସିଲାଣି । କେତେ ଡାକିବ ସେ ?

 

ସେ ଖୁବ୍‌ ଜୋର୍‌ରେ କବାଟ ଠକ୍‌ଠକ୍‌ କଲା–‘‘ବାପା ! କବାଟ ଖୋଲ ବାପା !’’

 

‘‘ତୁମ ଘରେ କଣ ଆଉ କେହି ନାହାନ୍ତି’’–ଅନୁପମ ପଚାରିଲା ।

 

‘‘ନା’’ ସୁମିତା କାନ୍ଦ କାନ୍ଦ ସ୍ଵରରେ କହିଲା–‘‘କେବଳ ବାପା ଓ ମୁଁ । ଭାଇ ନାହିଁ, ଭଉଣୀ ନାହିଁ । ମା’ ମାରିବା ଆଜକୁ ଦଶ ବର୍ଷ ହେଲାଣି ।’’

 

ସେ ପୁଣି ଖଡ଼୍‍ଖଡ଼୍‍ କଲା–‘‘ବାପା ! ବାପା ! ବାପା !’’

 

ଶେଷରେ ଗୋଟାଏ କ୍ଷୀଣ ଉତ୍ତର ଆସିଲା ଘର ଭିତରୁ । କିଛି ସମୟପରେ କବାଟ ଖୋଲିଲା ଭିତରଆଡ଼ୁ । ଅନୁପମ ଦେଖିଲା–ବୟସ ଷାଠିଏରୁ ଅଧିକ ହେବ ବୁଢ଼ାଟିଏ । ହାତରେ ବାଡ଼ିଟିଏ ଧରିଛି । ଆଣ୍ଠୁ ଲୁଚୁନଥିବା ଲୁଗାଟିଏ ପିନ୍ଧିଛି । ଦେହରେ ଖଣ୍ଡେ ଶସ୍ତାଦରର ତୂଳା କମ୍ବଳ ଘୋଡ଼େଇ ହୋଇଛି । ନାକ ଆଗରେ ଚଷମାଟିଏ, ଦୁଇଟି କାନରେ ସୂତା ଦେଇ ବନ୍ଧାହୋଇଛି । କଙ୍କାଳ ପଡ଼ିଲାଣି । ଦାନ୍ତ ନାହିଁ । ଆଖିକୁ ଭଲକରି ଦୃଶ୍ୟ ହେଉନାହିଁ । ସମୟର ପାଞ୍ଚଣ ଦାଗ ପରି ଛାତିର ପଞ୍ଜରା ଦିଶୁଛି ଜଳଜଳ । ସେଇ ସୁମିତାର ବାପା, ଘରର ମୁରବି ।

 

ବୁଢ଼ାଟି କହିଲା–“ଶୋଇପଡ଼ିଥିଲି ମା’ ବସୁ ବସୁ । ନିଆଁନଗା କାନକୁ ବି କଣ ଆଉ ଭଲକରି ଶୁଭୁଚି କି ?”

 

ସୁମିତା ବଡ଼ପାଟିରେ ଅନୁପମ ସହିତ ତା’ ବାପାଙ୍କର ପରିଚୟ କରେଇଦେଲା–“ବାପା ଅନୁପମବାବୁ ଆସିଛନ୍ତି, ଯାହାଙ୍କ କଥା ମୁଁ କହୁଥିଲି ।”

 

ବୁଢ଼ା ଅଣ୍ଡାଳି ଅଣ୍ଡାଳି ଅନୁପମର ହାତ ଧରି କହିଲା–”ବେଶ୍‌ । ବେଶ୍‌ । ଆସିଚ ଭଲ କରିଚ । ସୁମିତାର ଜନ୍ମଦିନ ଆଜି । ତା’ ମା’ ଥିଲେ ପିଠାପଣା କରିଥାନ୍ତା । ସେ ତ ନାହିଁ । ସୁମିତା ଯାହା ନିଜେ ନିଜେ ରାନ୍ଧିଛି । କପାଳ ! କପାଳ ! ଖାଲି ମୁଁ ହନ୍ତସନ୍ତ ହେଉନାହିଁ, ମୋ ସହିତ ଏଇ ଝିଅଟା ବି ବଡ଼ ହନ୍ତସନ୍ତ ହେଉଛି । ହଉ, ହଉ, ଆସି ଭିତରକୁ ଆସ । ଲୋ ମିତା ! ଦେ, ତାଙ୍କୁ ଆସନ ଦେ ବସିବାକୁ ।” ବୁଢ଼ାଟି ଅନୁପମର ହାତ ଧରି ଘର ଭିତରକୁ ଅଣ୍ଡାଳି ଅଣ୍ଡାଳି ଟାଣିକି ନେଲା । ଅନୁପମ ଚାଲିଥାଏ ପଛେ ପଛେ ।

 

‘‘ବସ ବାବା, ବସ !’’–ବୁଢ଼ା କହିଲା, “ଏକୁ ନିଜ ଘର ବୋଲି ଭାବି ବସ ।’’

 

ଅନୁପମ ହାତ ଛାଡ଼ିଦେଇ ଘରଟାକୁ ଚାହିଁଲା । ଦୁଇଟା ବଖରା ସମୁଦାୟ ଗୋଟିଏ ସୁମିତାର ପଢ଼ାଘର, ପରିଷ୍କାର ପରିଚ୍ଛନ୍ନ, ବେଶ ରୁଚିପୂର୍ଣ୍ଣ; ଯଦିଓଦାମୀ ଜିନିଷପତ୍ର କିଛି ନାହିଁ । ଖଣ୍ଡିଏ ପୁରୁଣା ଟେବୁଲ ଓ ଖଣ୍ଡିଏ ଭଙ୍ଗା ଚେୟାର; ଗୋଡ଼ରେ ଦଉଡ଼ି ବନ୍ଧାହୋଇଛି । ସୁମିତା ତା’ରି ଉପରେ ବସି ପଢ଼େ । ଘର କାନ୍ଥରେ ତା’ର ବାପା–ମା’ଙ୍କର କେବେ ଏକତ୍ର ଉଠାହୋଇଥିବା ଫଟୋଟିଏ ଝୁଲୁଚି । ପୁରୁଣା ହୋଇଗଲାଣି । ହଳଦିଆ ଓ ମଳିଚିଆ ପଡ଼ିଆସିଲାଣି ।

 

ସୁମିତା କହିଲା–‘‘ଦେଖନ୍ତୁ ! ଏଇ ଆମର ଘର । ମନକୁ ନିଶ୍ଚୟ ପାଉନଥିବ । କଣ ଆଉ କରାଯାଇପାରେ ? ବାପା ମୋଟା ଦରମା ପାଉଥିଲାବେଳେ ଘର ଖଣ୍ଡିକ ତିଆରି ହୋଇଥିଲା । ଚାକିରି ତ ଗଲାଣି ଆଜକୁ ଦଶବର୍ଷ ହେଲା । ଯାହା ସଞ୍ଚୟ ଥିଲା ସେ ସବୁ ଖର୍ଚ୍ଚ ହେଉଛି ମୋ ପାଠପଢ଼ାରେ । ଆଉ ଯାହା ପେନ୍‌ସନ୍‌ ଟଙ୍କା କେଇଟା । ବେଶ୍‍, ସେତିକି । ସେତିକିରେ ଆମେ ଦି’ଜଣ କଷ୍ଟେମଷ୍ଟେ ଚଳିଯାଉଛୁ । ଚୂନ ଲଗେଇବାକୁ ପଇସା କୁଆଡ଼ୁ ଆସିବ-? ମରାମତି କରାଯିବ କେମିତି ? ପୁରୁଣାକାଳିଆ ଘର ବୋଲି ଅଛି, ନଇଲେ ଭାଙ୍ଗି ପଡ଼ନ୍ତାଣି କେଉଁ ଦିନରୁ ।’’

 

ସୁମିତାର ବାପା ଆରଘରକୁ ଯାଇସାରିଥାନ୍ତି । ତାଙ୍କର ପାଟି ଶୁଭୁନଥାଏ । ମଝିରେ ମଝିରେ କେବଳ ଗୋଟାଏ ଲେଖାଁ ଗଳାଖଙ୍କାର ଆସୁଥାଏ ।

 

ଜାଗାଟା ଅନୁପମକୁ ମାଡ଼ି ମାଡ଼ି ପଡ଼ୁଥାଏ ।

 

ସୁମିତା ପୁଣି କହିଲା–“ଆପଣ ବସନ୍ତୁ ଏଠି–ମୁଁ ଟିକିଏ ଆସୁଚି ।’’

 

ଅନୁପମ ବସି ବସି ଭାବିଲା–ସୁମିତାକୁ ସେ କଣ ଉପହାର ଦେବ ? କିଛି ତ ଆଣି ନାହିଁ ! ତାର ମନଟା ଗୁଡ଼େଇ-ପୁଡ଼େଇ ହେଲା । ନିଜ ପାଖରେ ସେ ଅପରଧୀ ହୋଇପଡ଼ିଲା । ସେ ବଡ଼ ଭୁଲ୍‌ କରିଛି । ଅତି କମ୍‌ରେ ସୌଜନ୍ୟଦୃଷ୍ଟିରୁ....

 

ତା’ର ମନେପଡ଼ିଲା, ସୁମିତା ଦିନେ କହୁଥିଲା, ତାର ଗୋଟାଏ ବଗିଚା ଅଛି ବୋଲି, ଯେଉଁଠି ସୁମିତା ଆପଣା ହାତରେ ଫୁଲଗଛ ଲଗେଇଥିଲା ଏବଂ ଯେଉଁ ଫୁଲଟାକୁ ସେ ନେଇ ପ୍ରଥମ ଉପହାସ ଦେଇଥିଲା ଅନୁପମକୁ । ସେ ବଗିଚାଟା କେଉଁଠି ? ଦାଣ୍ଡପାଖରେ ତ ନାହିଁ । ସେ ଠିଆହୋଇ ବାଡ଼ିଆଡକୁ ଅନିଷାକଲା । ଅନ୍ଧାରିଆ ଦିଶୁଥାଏ । ଫୁଲବଗିଚା ଅଛି କି ନାହିଁ ଜାଣିହେଉନଥାଏ । ସେ ପାଖକୁ ଗଲା । ବଗିଚା-ଫଗିଚା ହୋଇ ସ୍ଵତନ୍ତ୍ର ଭାବରେ କିଛି ହେଲେ ନାହିଁ । ପ୍ରାୟ ଦଶହାତ ଲମ୍ବା ଓ ଚାରିହାତ ଓସାରର ନାଳୀ ପରି କିଆରିଟିଏ । ତହିଁରେ ତିନିଚାରିଟି ଗେଣ୍ଡୁ ଗଛ, ଦୁଇବୁଦା ମଲ୍ଲୀ ଆଉ ଗୋଟିଏ ଗୋଲାପ ଗଛ । ବେଶ୍‌, ସେଇ ବଗିଚା । ସେଇ ଉଦ୍ୟାନ । ସେଇ ବି ହୋଇଥିବ ସୁମିତାର ତପୋବନ ।

 

ଅନୁପମ ଦେଖିଲା କେବଳ ଗେଣ୍ଡୁଗଛରେ ଫୁଲ ଫୁଟିଛି; ଆଉ କେଉଁଠି ଫୁଲ ନାହିଁ । ଗୋଲାପ ଗଛରେ ମାତ୍ର କଢ଼ଟିଏ । ପାଖୁଡ଼ା ଖୋଲି ନାହିଁ । ହୁଏତ ଆଉ ଦିନେ ଦି’ଦିନ ଭିତରେ ଫୁଟିପଡ଼ିବ ।

 

ଅନୁପମ ଗୋଟିଏ ଗେଣ୍ଡୁ ଫୁଲ ଛିଡ଼େଇ ହାତରେ ଧରିଲା । ସେଇଟିକୁ ସେ ଉପହାର ଦେବ ।

 

ସୁମିତା ନୂଆ ଶାଢ଼ିଟିଏ ପିନ୍ଧି ଅନୁପମର ଆଗରେ ଠିଆହେଲା । ଈଷତ ନୀଳ ରଙ୍ଗର ଶାଢ଼ି, ଫିକା ଲାଲ ବ୍ଲାଉଜ୍‌ଟିଏ–ଜନ୍ମଦିନ ଉପଲକ୍ଷରେ ନିଶ୍ଚୟ କିଣାହୋଇଥିଲା ।

 

‘‘ଆସ ଭିତରକୁ’’–ସୁମିତା ଡାକିଲା ।

 

ଅନୁପମ ଅନୁସରଣ କଲା ସୁମିତାକୁ । ସେମାନେ ସୁମିତାର ବାପାଙ୍କ ଶୋଇଲା ଘରକୁ ଗଲେ ।

 

ସୁମିତାର ବାପା ଢୁଳାଉଥିଲେ ବୋଧହୁଏ, ଖଟ ଉପରେ କାନ୍ଥକୁ ଆଉଜି । ତାଙ୍କର ମୁଣ୍ଡଟା ବେଳେ ବେଳେ ଝୁଙ୍କି ପଡ଼ୁଥିଲା କେତେବେଳେ ସାମନାକୁ, କେତେବେଳେ ବା କଡ଼କୁ । ତା’ପରେ ପୁଣି ସେ ସଜାଡ଼ି ନେଉଥିଲେ ନିଜକୁ । ଆଖି ଖୋଲୁଥିଲେ । ଗୋଡ଼ ହଲାଉଥିଲେ । କେତେବେଳେ ଅବା ଗଳାଖଂକାର ମାରୁଥିଲେ । ଯେମିତି କି ସୂଚେଇ ଦେଉଥିଲେ–ମୁଁ ଅଛି । ବଞ୍ଚିଛି । ଶୋଇପଡ଼ିନାହଁ । ମରିଯାଇନାହିଁ । ସୁମିତା ଲୋ, ଡରନା, ମୁଁ ଅଛି ।

 

କିନ୍ତୁ ରାତିରେ ତାଙ୍କୁ କିଛି ଭଲକରି ଦେଖାଯାଉନଥିଲା । ନ ଦେଖାଗଲେ ବି କାନ୍ଥରେ ଝୁଲୁଥିବା ଯିଶୁଙ୍କର ଫଟୋଟି ଆଡ଼କୁ ମୁହଁକରି ବସିଛନ୍ତି । ସୁମିତା କହେ, ଦିନ-ରାତି ସେଇଠି ସେଇମିତି ବସିବା ତାଙ୍କର ଅଭ୍ୟାସ । ଦରକାର ନ ପଡ଼ିଲେ ସେଠୁ ଘୁଞ୍ଚନ୍ତି ନାହିଁ ।

 

ସୁମିତା ଠିଆହେଲା କାନ୍ଥରେ ଝୁଲୁଥିବା ଫଟୋ ତଳରେ । ଫଟୋକୁ ନିବିଷ୍ଟ ଚିତ୍ତରେ ଚାହିଁଲା ।

 

ଅନୁପମ ଦେଖିଲା–ଅମୃତାତ୍ମା ଦେବତାତ୍ମା କ୍ରୁଶବିଦ୍ଧ ଯିଶୁ । ବେକଟା ଝୁଲି ପଡ଼ିଛି । ଆଖି ବୁଜିହୋଇଯାଇଛି । ସେ ହାତ ଯୋଡ଼ିଲା ।

 

ସୁମିତା ଖ୍ରୀଷ୍ଟାନ । ଅନୁପମ ଆଗରୁ ଜାଣିଥିଲା । ସୁମିତା ବେକରେ ଗୋଟିଏ କ୍ରସ୍‌ ଝୁଲେଇ ବୁଲେ । ମଝିରେ ମଝିରେ ସେଇ କ୍ରସ୍‌ଟାକୁ ପ୍ରାଣଦେଇ ଚୁମ୍ବନ କରେ ।

 

ସୁମିତାର ଆଖି ଛଳଛଳ ହୋଇଉଠିଲା । ଦୁଇ ଧାର ଲୁହ ଗଡ଼ିଆସିଲା । ମୁହଁରେ ତା’ର ଭାଷା ନାହିଁ । କାକୁତି ନାହିଁ । କେବଳ ଲୁହ ।

 

ଅନୁପମ ବିଚଳିତ ହୋଇପଡ଼ିଲା । ପାହାଡ଼ ପରି ସ୍ତ୍ରୀଲୋକଟା ବି କାନ୍ଦୁଛି । କେଉଁ ବେଦନାରେ ! କି ଯନ୍ତ୍ରଣାରେ !

 

ଅନୁପମ କିନ୍ତୁ ସୁମିତାର ଲୁହ ପୋଛିପାରିଲାନାହିଁ । ପଚାରି ପାରିଲା ନାହିଁ–କାହିଁକି କାନ୍ଦୁଛ ବୋଲି । ଝୁଲେଇ ଦେଇ ପାରିଲାନି ତାର କାନ୍ଧକୁ, ଭାଙ୍ଗି ପାରିଲାନାହିଁ ତାର ବେଦନାଦଗ୍‌ଧ କ୍ରୁଶବିଦ୍ଧ ହୃଦୟର କାନ୍ଦଣାକୁ । କାନ୍ଦୁ । କାନ୍ଦୁ । ମନଇଚ୍ଛା କାନ୍ଦୁ । ଲୁହ-ଲୁହାଣ ହୋଇ କାନ୍ଦୁ । ସୁମିତାର ଦୁଃଖଗୁଡ଼ାକ ଲୁହହୋଇ ବହିଯାଉ ।

 

ସୁମିତା ଫଟୋ ତଳରେ ମୁଣ୍ଡ ଭରାଦେଇ ବେଳକୁ ବେଳ ଜୋର୍‌ରେ କାନ୍ଦିଉଠିଲ । ।

 

ଅନୁପମ ଗୋଟାଏ ପାଷାଣମୂର୍ତ୍ତିପରି ଠିଆ ହୋଇଥାଏ ।

 

ସୁମିତାର ବାପା ସହସା ପ୍ରଳାପ କଲାପରି କହିଉଠିଲେ–‘‘କିଏ ? କିଏ ? ସୁମି !

 

ସୁମିତା ! ମିତା ! ମା, କେଉଁଠି ତୁ ? କାହିଁକି କାନ୍ଦୁଛୁ ! କାନ୍ଦ୍ ନା, କାନ୍ଦ୍ ନା ମା’ !’’

 

ଅନୁପମ ଦେଖିଲା–ବୁଢ଼ାଟା ଖଟ ଉପରେ ଅସ୍ଥିର ହୋଇଉଠୁଛି । ହାତରେ ଅଣ୍ଡାଳି ଓହ୍ଲେଇବାକୁ ଉଦ୍ୟମ କରୁଛି ।

 

ବାପାର ପାଟି ଶୁଣି ସୁମିତା ଲୁହ ପୋଛିପକାଇଲା ପଣତ କାନିରେ–‘‘ନାଇଁ ବାପା । ! ମୁଁ କାନ୍ଦୁ ନାହିଁ । କାନ୍ଦିବି କାହିଁକି ? ମୁଁ ପରା ଏଇଠି ଠିଆ ହୋଇଚି ।’’

 

‘‘ନା, ନା, ମୋତେ ଲୁଚାନା । ତୁ ନିଶ୍ଚୟ କାନ୍ଦୁଥିଲୁ । ମୋତେ ଏଇମିତି ଲୁଚେଇ ଲୁଚେଇ ତୁ ସବୁଦିନେ କାନ୍ଦୁଛୁ । ମୁଁ ପଚାରିଲେ ମୋତେ ଭୁଲେଇଦେଉଛୁ ।’’

 

ସୁମିତା ନିରୁତ୍ତର ରହିଲା ।

 

‘‘ହଉ, ହଉ କାନ୍ଦ୍‌ । କାନ୍ଦିବୁ ନାହିଁ ତ ହେବ କେମିତି ? କାନ୍ଦିବା ଛଡ଼ା ତୋର ଉପାୟ କ’ଣ ଅଛି ? ତୋର କଣ ଅଛି ? ରୂପ ଅଛି ନାଁ ଅର୍ଥ ଅଛି ଯେ ତୁ କାନ୍ଦଣା ଭୁଲିଯିବୁ ? କାନ୍ଦ୍‌କାନ୍ଦ୍‌ ଭଲକରି କାନ୍ଦ୍‌ । ସେଇ ଯିଶୁ କେବଳ ବୁଝିବ କ୍ରୁଶବିଦ୍ଧ ପ୍ରାଣର କାନ୍ଦଣା । ତା’ରି ଆଗରେ କାନ୍ଦ୍; କିନ୍ତୁ ସେ କଣ କରିବ ମା’ ? ସେ ଯେ କ୍ରୁଶବିଦ୍ଧ । ସେ ଯେ ମୃତ । ସେ ଯେ ନିର୍ଜୀବ । ସେ ଯେ ଜଡ଼ । ତଥାପି ତୁ କାନ୍ଦ୍ । ତୋର ଅଭାବଗ୍ରସ୍ତ ମନଟାକୁ ଅତି କମ୍‌ରେ ଲୁହରେ ଭିଜେଇ ରଖିଥା । ସେଇ ଲୁହଟା ହିଁ ତୋର ସମ୍ପତ୍ତି ।’’

 

ସୁମିତା କହିଲା–‘‘ଏ କଣ କହୁଛନ୍ତି ବାପା ? ମୁଁ ପରା ଏଇ ହସୁଛି ! ମୋର କ’ଣ ଅଭାବ ଯେ ? ଆପଣ ତ ଅଛନ୍ତି, ସେଇ ମୋର ପରମ ସମ୍ବଳ ।’’

 

ଅନୁପମ ସବୁ ଶୁଣୁଥିଲା । ଶୋକରେ ଦ୍ରବୀଭୂତ ହୋଇଯାଉଥିଲା ତାର ଅନ୍ତର; କିନ୍ତୁ ସେ ସମ୍ବେଦନା ପ୍ରକାଶ କରିପାରୁନଥିଲା ।

 

ବୁଢ଼ାଟିର ସ୍ଵର ଦବିଗଲା । ନିଃଶ୍ଵାସଟାଏ ବାହାରିଆସିଲା ପେଟ ଭିତରୁ । ବୁଢ଼ାଟି କହିଲା–‘‘ମିତା ଲୋ ! ଯା’ ମା ! ତୋର ସାଙ୍ଗକୁ ପରା ଡାକିଆଣିଛୁ । ଯା’ କିଛି ଅଛି ଯୋଗାଡ଼ କର ଯା । ତୋର ମା’ ଆଜି ଥିଲେ ତୋତେ କରିବାକୁ ପଡ଼ିନଥାନ୍ତା । ସେ କେତେ ସ୍ନେହରେ କେତେ ଆଦରରେ ତୋର ବନ୍ଧୁଙ୍କୁ ଖୋଇଥାନ୍ତା । ଯାହା ଅଳ୍ପ ପାରିବୁ ଦେ ମା ।’’

 

‘‘ତୁମର ବ୍ୟସ୍ତ ହେବା ଦରକାର ନାହିଁ ବାପା ! ସେ ସବୁ ମୁଁ କରିଦେବ’’–ସୁମିତା କହିଲା ।

 

ତା’ ପରେ ବୁଢ଼ାଟି ଡାକିଲା ଅନୁପମକୁ–‘‘ଆସ ବାପା ! ତୁମେ ଏଠି ବସ ! ଏଇ ଖଟ ଉପରେ ।’’

 

ଅନୁପମ ଖଟ ଉପରେ ବସିଲା । ସୁମିତା ଚାଲିଗଲା । ବୁଢ଼ାଟି ଅନୁପମର ମୁହଁରେ ହାତରେ ହାତମାରି ସ୍ୱରୂପ ଅନୁଭବ କରିବାକୁ ଆରମ୍ଭ କଲା ।

 

ତା’ପରେ ବୁଢ଼ାର ଓଠରେ ଏକ ଆନନ୍ଦର ଢେଉ ଖେଳିବାର ଦେଖାଗଲା । ଅନୁପମ ପିଠିରେ ହାତ ଥାପୁଡ଼େଇ ସେ କହିବାକୁ ଆରମ୍ଭ କଲା–‘‘ଖୁବ୍‌ଭଲ । ଖୁବ୍‌ଭଲ । ଏଇମିତି ଶରୀର ଖଣ୍ଡେ ମୋର ବି ଥିଲା । ଏଇ ଶରୀର ପାଇଁ କେବଳ ଇଂରେଜ ସରକାର ମୋତେ ଆବିଷ୍କାର କରିଥିଲେ ଏଇ ଗଳି ଭିତରୁ । ମୁଁ ସେତେବେଳେ ପିଲା । କାଲିପରି ଲାଗୁଛି । ବାପା ଆମର ଇଂରେଜ ସର୍କାର ପାଖରେ ଚାକିରି କରୁଥାଏ । ବୟସ ମୋର ସେତେବେଳେ ପନ୍ଦର ଷୋହଳ ହେବ । କ୍ଷତ୍ରିୟ ଚେହେରା ଝଳିଝଳି ଆସୁଥାଏ ମୋର । ସାଇବ ଅଫିସର୍‌ ମୋତେ ହଠାତ୍‌ ଦିନେ ଦେଖି ବାପାଙ୍କୁ କହିଲେ–‘ତୋ ପୁଅକୁ ଭଲ ଚାକିରି ଦେବି । ତୋର ପ୍ରମୋସନ୍‌ କରେଇବି ।’ ତାହା ହିଁ ହେଲା । ମୁଁ ସ୍କୁଲ ଛାଡ଼ିଲି । ବାପା ମୋର ବହୁ ଦିନରୁ ହିନ୍ଦୁଧର୍ମ ଛାଡ଼ି ଖ୍ରୀଷ୍ଟାନ ହୋଇସାରିଥିଲେ । ମୁଁ ସେଇ ଧର୍ମରେ ଦୀକ୍ଷିତ ହେଲି; କିନ୍ତୁ ମୋତେ ସାଇବମାନେ ଭାରତବର୍ଷରେ ରଖେଇ ଦେଲେନାହିଁ । କାହିଁକି ରଖେଇ ଦେଲେନାହିଁ ଜାଣ ?’’–ବୁଢ଼ାଟି ଅନୁପମ ଆଡ଼କୁ ମୁହେଁଇଲା ।

 

ଅନୁପମ ନିରୁତ୍ତର । ବୁଢ଼ାଟାର ଦେହ କମ୍ପି ଉଠୁଥାଏ । ‘‘କାରଣ ମୁଁ ଥିଲି ଜଣେ ଇଂରେଜ-ବିରୋଧୀ । ନେତାଜୀ ବୋଷ ଓ ମୁଁ ଏକା ସ୍କୁଲରେ ପଢ଼ୁଥିଲୁ । ମୁଁ ଇଂରେଜମାନଙ୍କୁ ଘୃଣା କରୁଥିଲି । ସେଥିପାଇଁ ସେମାନେ ମୋର ବାପାଙ୍କୁ କାବୁ କରି ମୋତେ ନେଇଗଲେ ଭାରତବର୍ଷରୁ ବହୁ ଦୂରକୁ–ସୁଦୂର ଆଫ୍ରିକାକୁ । ଟଙ୍କା ପ୍ରଚୁର ଦେଉଥିଲେ । ସମ୍ମାନ ବି ପ୍ରଚୁର ଦେଲେ; କିନ୍ତୁ ସେ ସମ୍ମାନକୁ ମନ ଦେଇ ଅନୁଭବ କରି ପାରୁ ନଥିଲି । ସେ ଅର୍ଥକୁ ମୁଁ ପ୍ରଚୁର ମଦ ଖାଇ ଶେଷ କରୁଥିଲି; କିନ୍ତୁ ଭାରତ ଫେରିଆସିବାକୁ ଉପାୟ ନଥିଲା । ଚିରଦିନ ପାଇଁ ମୋତେ ମୋର ପିତାଙ୍କଠାରୁ ଛିନ୍ନ କରାଯାଇଥିଲା । ଜନ୍ମଭୂମିଠାରୁ ବିଯୁକ୍ତ କରାଯାଇଥିଲା । ମୁଁ ଥିଲି କ୍ରୀତଦାସ ।

 

‘‘ମୋର ବାପା ମୋତେ ଝୁରି ଝୁରି ମରିଗଲେ । ତାଙ୍କର ମୃତ୍ୟୁ ଖବର ମୋ ନିକଟର ପହଞ୍ଚିଲା ପ୍ରାୟ ଦୀର୍ଘ ଦୁଇ ବର୍ଷ ପରେ । ସେ ଖବର ପାଇ ମୁଁ କେବଳ ମଦ ଖାଇ ନାଚିଲି; କିନ୍ତୁ ସେ ନାଚ ମଧ୍ୟ ମୋତେ ସନ୍ତୁଷ୍ଟ କରିପାରିଲାନାହିଁ, ଦୁଃଖ-ମୁକ୍ତ କରିପାରିଲାନାହିଁ, ଭୁଲାଇପାରିଲାନାହିଁ ମୋର ପିତା ଓ ଜନ୍ମଭୂମିକୁ ।

 

‘‘ନିରୀହ ଆଫ୍ରିକାର ଅଧିବାସୀଙ୍କୁ ଶୋଷଣ କରିବାପାଇଁ ମୁଁ ଥିଲି ଶୋଷକ ସାଇବଙ୍କର ଏକ ଅସ୍ତ୍ର । ମୋରି ଓ ମୋ ଭଳି ଆଉରି ଅନେକଙ୍କ ମାଧ୍ୟମରେ ଆଫ୍ରିକାର ଜଙ୍ଗଲକୁ ଶାସନ କରୁଥାନ୍ତି ସେମାନେ ।’’ ଟିକିଏ ଦମ୍‌ନେଇ ପୁଣି ବୁଢ଼ା କହିଲା–‘‘ହଠାତ୍‌ ଦିନେ ମୁଁ ଅସୁସ୍ଥ ହୋଇପଡ଼ିଲି । ପ୍ରବଳ ଅସୁସ୍ଥ । ସେବା କରିବାକୁ କେହି ନଥାନ୍ତି ଆପଣାର ହୋଇ । ସେତେବେଳେ ମୋ ଜୀବନରେ ଦେଖାଦେଇଥିଲା ଏଇ ସୁମିତାର ମା’ ମାର୍ଗାରେଟା । ମାର୍ଗାରେଟା ମୂଳତଃ ଆଫ୍ରିକାର ଆଦିମ ଅଧିବାସିନୀ । ଜବର୍ଦସ୍ତି ଖ୍ରୀଷ୍ଟାନ ହୋଇଥିଲା । ସାମାନ୍ୟ ଇଂରେଜୀ ଜାଣିଥିଲା ଓ ସେହି ସାହେବୀ ହସ୍‌ପିଟାଲ୍‌ରେ ନର୍ସ କାମ କରୁଥିଲା । ସେଇ କେବଳ ମୋର ସେବାକଲା । ତାରି ଆନ୍ତରିକ ଚିକିସ୍ୟାରେ ମୁଁ ବଞ୍ଚିଗଲି ।

 

‘‘କିନ୍ତୁ ମୁଁ ସୁସ୍ଥ ହୋଇ ତାକୁ ଭୁଲିଗଲିନାହିଁ । ମୋର ଉପରିସ୍ଥ ଅଫିସର ସାଇବଙ୍କୁ ଅନୁମତି ମାଗିଲି ଯେ, ମୁଁ ମାର୍ଗାରେଟାକୁ ବିବାହ କରିବାକୁ ଚାହେଁ ।’ ସାଇବ କହିଲେ–‘ମାର୍ଗାରେଟା ନର୍ସ ଚାକିରି କରେ । ନର୍ସମାନେ ବିବାହ କରିବା ଆଇନସଙ୍ଗତ ନୁହେଁ ।’ ମାର୍ଗାରେଟା ହସ୍‌ପିଟାଲ ଛାଡ଼ିଲା । ସାଇବଙ୍କ ଅନୁମତି କ୍ରମେ ଆମେ ଚର୍ଚ୍ଚରେ ଯାଇ ବିବାହ କଲୁ-। ମାର୍ଗାରେଟା ହେଲା ମୋର ସ୍ତ୍ରୀ ।

 

‘‘ଇଂରେଜମାନେ ତା’ପରେ ମୋତେ ସନ୍ଦେହ କଲେ । ଆଫ୍ରିକୀୟ ନାରୀକୁ ବାହାହେବାଦ୍ୱାର ଯଦି ମୁଁ କୌଣସି ଭାବରେ ଆଫ୍ରିକାବାସୀଙ୍କୁ ସହଯୋଗ କରେ ଓ ବିପ୍ଳବ ହୁଏ, ତେବେ ସେମାନଙ୍କର ଶାସନ-ସଂସ୍ଥା ଦୁର୍ବଳ ହୋଇପଡ଼ିବ । ଏଣୁ ସେମାନେ ମୋତେ ଆଉ ଆଫ୍ରିକାରେ ରଖିବା ଉଚିତ ମନେକଲେ ନାହିଁ । ଆଫ୍ରିକାର କେତେକ ଅଞ୍ଚଳରେ ସେତେବେଳେ ବିପ୍ଳବର କ୍ଷୀଣାଗ୍ନି ଦେଖାଗଲାଣି । ଭାରତରେ ବିପ୍ଳବ ଆରମ୍ଭ ହୋଇଗଲାଣି । ଏଇ ଅବସ୍ଥାରେ ଦିନେ ସାଇବ ମୋତେ ପାଖକୁ ଡାକି କହିଲେ–‘ଶୁଣ ! ତୁମ ଉପରେ ଆମର ଖୁବ୍‌ ବିଶ୍ଵାସ ଅଛି । ତୁମର ପ୍ରମୋସନ୍‌ ହେଲା । ତୁମେ ଏବେ ଲଣ୍ଡନର ଦପ୍ତରରେ କାମ କରିବ ।’ ଉପାୟ ନଥିଲା । ମାର୍ଗାରେଟା ଓ ମୁଁ ଲଣ୍ଡନରେ ରହିଲୁ । ଲଣ୍ଡନର କାଗଜପତ୍ରରେ ସେତେବେଳେ ଭାରତର ଖବର ବେଶି ପ୍ରକାଶିତ ହେଉଥାଏ । ମୁଁ ଖବର ପଢ଼ି ନିଜକୁ ପାଇଲାପରି ଅନୁଭବ କରୁଥାଏ । ଭାରତର ତୁଙ୍ଗ ବିପ୍ଳବୀ ନେତାମାନଙ୍କର ଶୁଭକାମନା କରି ପ୍ରତିଦିନ କ୍ରୁଶବିଦ୍ଧ ଯିଶୁଙ୍କ ଫଟୋ ତଳେ ମୁଣ୍ଡ ମାରୁଥାଏ । ଯେଉଁଦିନ ଆନ୍ଦୋଳନର ଖବର ବେଶି ବାହାରିଥାଏ, ସେଦିନ ମୁଁ ବେଶି ଗର୍ବ ଅନୁଭବ କରେ । ସାଇବଙ୍କ ସହିତ ଛାତି ମିଳେଇ ଠିଆହୁଏ । ମୁଁ ଭୁଲିଯାଏ ସେଇସବୁ ଦିନଗୁଡ଼ିକରେ ଯେ ମୁଁ ଜଣେ କ୍ରୀତଦାସ । ସେଇ ଲଣ୍ଡନରେ ଏଇ ସୁମିତାର ଜନ୍ମ ।

 

‘‘ହଠାତ୍‌ ଦିନେ ଲଣ୍ଡନର କେନ୍ଦ୍ର ଦପ୍ତର କମ୍ପିଉଠିଲା । ସମଗ୍ର ଦପ୍ତରରେ ଏକ ଆନନ୍ଦ-ବିଷାଦର ଛାଇ-ଆଲୁଅ ନାଚିଗଲା । ଦପ୍ତର କୋଠାର ଶିଖରଦେଶରୁ ନିନାଦିତ ହେଲା ବେଗୁଲ୍ । ଆମେସବୁ ଚେୟାର୍ ଛାଡ଼ି ବିସ୍ମୟରେ ଉତ୍‍କର୍ଣ୍ଣ ହୋଇ ରହିଲୁ–ସରକାରଙ୍କର ନୂତନ ଘୋଷଣା ଶୁଣିବାଲାଗି । କାରଣ ସେଇ ବେଗୁଲ୍‌ ସବୁଦିନେ ବାଜେ ନାହିଁ; ବାଜେ କେବଳ ବିଶେଷ ଐତିହାସିକ ଦିନଗୁଡ଼ିକରେ, ଅତ୍ୟଧିକ ଆନନ୍ଦ ଉତ୍ସବ–ଦିନରେ ଓ ଘୋର ବିପଦଗ୍ରସ୍ତ ଦିନରେ, କିମ୍ବା ଏକ ଯୁଗାନ୍ତକାରୀ ଘୋଷଣା ପ୍ରକାଶିତ ହେବା ଦିନରେ ।

 

‘‘ସମ୍ବାଦ ଘୋଷିତ ହେଲା–ଭାରତ ସ୍ଵାଧୀନ ହେବ ।

 

‘‘ମୁଁ ନାଚିଉଠିଲି, ମୋର ଜଣେ ଇଂରେଜ ବନ୍ଧୁକୁ ବଳପୂର୍ବକ ଚୁମ୍ବନ କଲି । ସେ ମଧ୍ୟ ମୋତେ ଚୁମ୍ବନ କଲେ, କାରଣ ସେ ମଧ୍ୟ ଭାରତର ସ୍ଵାଧୀନତା ଚାହୁଁଥିଲେ ।

 

‘‘ସେଇଦିନ ସନ୍ଧ୍ୟାବେଳେ ଗୋଟିଏ ଅଶ୍ଵପୃଷ୍ଠରେ ଚଢ଼ି ଜଣେ ରାଜଦୂତ ଆସି ଅଭିବାଦନ କରି ଚିଠିଦେଲା । ଚିଠି ନୁହେଁ ଆଦେଶପତ୍ର । ପରଦିନ ପ୍ରଭାତରେ ମୋତେ ଲଣ୍ଡନ ଛାଡ଼ଯିବାକୁ ହେବ ବିମାନଯୋଗେ ।

 

‘‘ମୁଁ ସମ୍ବାଦ ପାଇ ଆନନ୍ଦରେ ଅଧୀର ହୋଇଉଠିଲି । ମୋର ଜନ୍ମଭୂମିର ରୂପ ମୋ ଆଖି ଆଗରେ ନାଚିଉଠିଲା । ଆହୁରି ଆନନ୍ଦିତ ହେଲି–ଏଇଥିପାଇଁ ଯେ ମୋର କ୍ରୀତଦାସ ଜୀବନର ଅବସାନ ଘଟିଲା ବୋଲି ।

 

‘‘ଭାରତ ଫେରିଲି ମାର୍ଗାରେଟା ଓ ସୁମିତା ସହ । ଭାରତର ସ୍ଵାଧୀନ ସରକାର ଆମକୁ ଗ୍ରହଣ କଲେ । ଚାକିରି ଦେଲେ ।

 

‘‘କଟକ ଆସି ଦେଖେଁ ତ ମୋର ଘର ଡିହରେ ଆଉ ଜଣଙ୍କର କୋଠା ଉଠିସାରିଛି । ମୋର ସମ୍ବଳ କିଛି ନାହିଁ । ମକଦ୍ଦମା କଲି; କିଛି ହେଲାନାହିଁ ।

 

‘‘ଖଣ୍ଡିଏ ଜାଗା କିଣି ଏଇ ଘର ତିଆରି କରିଥିଲି । ସେ ବି ଆଜି ଭାଙ୍ଗି ଯିବା ଉପରେ । ମାର୍ଗାରେଟା ବି ମରିଗଲା । ମୁଁ ନିଃସ୍ୱ ହୋଇ ପଡ଼ିରହିଛି । ତା’ପରେ ଚାକିରି ଗଲା । ସଞ୍ଚିତ ଧନ କେତେ ଦିନ ବା ଯିବ । ସବୁ ଜିନିଷ କିଣା । ପେନ୍‌ସନ ଟଙ୍କା ବେଶି ମିଳେନାହିଁ । ଚଳିବା ସେମିତି ସେମିତି । ଏତିକି ସୁଖ–ମୁଁ ଭାରତରେ ମରିବି–ମୋର ଜନ୍ମଭୂମିରେ ।’’

 

ବୁଢ଼ାର ସ୍ଵର ବନ୍ଦ ହୋଇଗଲା ।

 

ଅନୁପମ ଭାବିଲା–ସୁମିତାର କଥା । ତାହାଠି ବି ଆଫ୍ରିକାର ରକ୍ତ ଅଛି ।

 

ବୁଢ଼ା ପୁଣି ହାତମାରିଲା ଅନୁପମର ପିଠିରେ–‘ବୁଝିଲ ବାବୁ ! ମୋର ଆଉ ନିଜ ଜୀବନପ୍ରତି ଲୋଭ ନାହିଁ । ବହୁତ ବିଳାସ କରିଛି । ବହୁତ ପଇସା ଉଡ଼େଇଛି । ମୁଁ କେବଳ ଭାବୁଛି ଏଇ ସୁମିତା କଥା । ସେଇ ମୋର ଏକମାତ୍ର ସନ୍ତାନ । ତାହାର କିଛି ମୁଁ କରିପାରୁନାହିଁ । ଅବସ୍ଥା ଏମିତି ହେଲା, ଚାକରାଣୀଟିଏ ରଖିବାକୁ ମଧ୍ୟ ପଇସା ନାହିଁ । ସୁମିତା ନିଜେ ରୋଷେଇ କରି ଖାଏ, ମୋତେ ଖୁଆଏ । ଆଗରୁ ଯାହା ବା ମୁଁ ଏପଟ ସେପଟ ହୋଇ ଟିକିଏ କାମଦାମ କରୁଥିଲି, ଆଜିକାଲି ଆଉ ପାରୁନାହିଁ । ଆଖିକୁ ଦିଶୁନାହିଁ ଅନ୍ଧାର ହେଲେ । ଝାପ୍‌ସା ଝାପ୍‌ସା ଦିଶୁଛି । ମଣିଷ ଚିହ୍ନି ହେଉନାହିଁ । କାନକୁ ବି ଭଲକରି ଶୁଣାଯାଉନି । ହାତଗୋଡ଼ ଅବଶ ହୋଇଆସିଲାଣି । ଆଉ କେଇଟା ଦିନ ବା ବଞ୍ଚିବ । ଦେହଟା ନିଜୋର୍‌ ହୋଇପଡ଼ିଲାଣି; ତା’ ସହିତ ମନଟା ବି ।

 

‘‘ମାର୍ଗାରେଟା ମଲାବେଳେ କହିଥିଲା–ମୋର ସୁମିତା ତୁମକୁ ଲାଗିଲା । ତାକୁ ଭଲ ଜାଗାରେ ବାହାଦେବ । ତା’ କଥା ମୁଁ ରଖିପାରୁନାହିଁ । କ’ଣ କରିବି ? ଖ୍ରୀଷ୍ଟାନ ପରିବାର ଏଠି ଖୁବ୍‌ କମ୍‌ । ଯେତେ ଜାଗାରେ ପ୍ରସ୍ତାବ ପକାଇଲି ସବୁ ଭାଙ୍ଗିଗଲା ।

 

‘‘ସୁମିତା କହୁଛି–ମା ନର୍ସ ଥିଲା, ମୁଁ ଡାକ୍ତରାଣୀ ହେବି । ବାହାହେବି ନାହିଁ; କିନ୍ତୁ ଏଇଟା କଣ ଗୋଟାଏ କଥାର କଥା ! ବାପ ମନ କଣ ଏଥିରେ ବୁଝେ !’’

 

ଅନୁପମ କାଠପିତୁଳା ପରି ସବୁ ଶୁଣି ଚୁପ୍‌ହୋଇ ବସିଥାଏ । ତାର ଭାଷା ସ୍ଫରୁ ନଥାଏ ଉତ୍ତର କିଛି ଦେବାକୁ ।

 

ସୁମିତା ଆସି ପହଞ୍ଚି କହିଲା–‘‘କ’ଣ ସବୁ ତାଙ୍କ ଆଗରେ କହୁଚ ବାପା ?’’

 

‘‘ନା, କିଛି ନୁହେଁ’’ ବୁଢ଼ା କହିଲା–‘‘କିଛି ନୁହେଁ । କହୁଥିଲି କେବଳ ତୋରି ମା’ କଥା; ସେ କେମିତି ଆଫ୍ରିକାରୁ ଆସି ଏଠି ମଲା । କହୁଥିଲି ସେ କେମିତି ମୋତେ ପ୍ରତି ମୁହୂର୍ତ୍ତରେ ଗାଳିଦେଉଛି, ମୁଁ ବାପ ହୋଇ ଝିଅ କଥା ବୁଝୁ ନାହିଁ ବୋଲି ।’’

 

ଅନୁପମ ହାତରେ ଗେଣ୍ଡୁ ଫୁଲଟି ଧରିଥାଏ । ସୁମିତା ଡାକିଲା । ବୁଢ଼ା କହିଲା–‘‘ଯାଅ ବାବା, ଯାଅ ।’’ ଅନୁପମ ଖଟରୁ ଓହ୍ଳେଇ ସୁମିତାର ପଢ଼ାଘରକୁ ଗଲା ।

 

ଡାକିଲା–‘‘ସୁମିତା !’’

 

ସୁମିତା ଆସି ପାଖରେ ଠିଆହେଲା–‘‘କଣ ?’’

 

ଅନୁପମ ଥର ଥର ଗଳାରେ କହିଲା–‘‘ଆଜି ପରା ତୁମର ଜନ୍ମଦିନ–ଆଜି ଦିନରେ...’’ ସେ ଆଉ କହିପାରଲା ନାହଁ । ସୁମିତାର ଆଖି ଆଗରେ କେବଳ ଫୁଲଟାକୁ ଧରି ରଖିଲା ।

 

ସୁମିତା ହସିଲା । ଅନୁପମ ହାତରୁ ଫୁଲ ନେଲାନାହିଁ । ଅନୁପମ ସୁମିତାର ହାତରେ ମଧ୍ୟ ଜର୍ବଦସ୍ତି ଗୁଞ୍ଜି ପାରିଲାନାହିଁ । ଫୁଲଟାକୁ ଧରି କେବଳ ଠିଆ ହୋଇ ରହିଲା ।

 

ସୁମିତାର ମନ ମରିଗଲା । ସେ ଫୁଲଟାକୁ ନଚାହିଁ କହିଲା–‘‘ଥାଉ ! ତୁମେ ଯେ ଦେବାକୁ ଚାହୁଁଛ, ସେତିକି ଯଥେଷ୍ଟ, ସେଇ ମୋର ସୌଭାଗ୍ୟ । ହାତ ବଢ଼େଇ ନେଲେ କଣ ଆଉ ଅଧିକା ହେବ ?’’

 

ସୁମିତାର କଥାପଦକ ଚାଉଁକିନା ଲାଗିଲା ଅନୁପମ ମନରେ ଗରମ ତାଉଆରେ ପାଣି ବୁନ୍ଦେ ପକାଇଲେ ଯେମିତି ସେଁହୋଇଉଠେ ।

 

ସୁମିତାର ଅଭିମାନକୁ ସେ ତରଳେଇପାରିଲାନାହିଁ । ଅନୁପମ ବୁଲେଇଆଣିଲା ସୁମିତାକୁ–‘‘ତୁମକୁ ନେବାକୁ ହିଁ ହେବ ।’’ ସୁମିତାର ଗଭାରେ ସେ ଫୁଲଟି ଖୋସିଦେଲା । ତା’ ପରେ ସେ ସୁମିତାର କାନ୍ଧ ଉପରେ ହାତ ଦୁଇଟା ରଖିଲା; ସହଜରେ ଉଠେଇ ଆଣିପାରିଲାନାହଁ । ସୁମିତାର ପିଠିଟା ଆସ୍ତେ ଆସ୍ତେ ତା’ର ଛାତିରେ ଗୋଟାଏ କାଠପଟା ପରି ଆଉଜି ହୋଇଗଲା । ପିଠି ଉପରୁ ଧୀରେ ଧୀରେ ଏକପ୍ରକାର ଉଷୁମ ବାହାରିଲା । ଅନୁପମର ଦେହ ଗରମ ହୋଇଗଲା-। ତା’ ପରେ ସେ ଝୁଙ୍କିପଡ଼ିଲା ସୁମିତାର ବେକ ପାଖକୁ । ସାପ ପରି ତାର ହାତଟାରେ ସୁମିତାର ମୁହଁଟାକୁ ନିଜ ଆଡ଼କୁ ଓଟାରିଆଣିଲା । ତାର ଓଠଟା ଧୀରେ ଧୀରେ ନଇଁଆସୁଥିଲା ସୁମିତାର କପାଳ ଉପରେ । ସୁମିତା ଆଖି ବୁଜିଦେଇଥିଲା । ଅନୁପମର ପ୍ରଶ୍ଵାସ ଘନ ଘନ ବାଜୁଥିଲା ସୁମିତାର କପାଳ ଉପରେ । ସେତିକିବେଳେ ଅନୁପମର ମନ ଉପରେ ବିଜୁଳି ବେଗରେ ଉଲ୍‌କା ପରି କ’ଣଟାଏ ସାଇଁ କରି ଚାଲିଗଲା । ଅନୁପମ ଚମକିପଡ଼ଲା–କ’ଣଟାଏ ? ସେ ଅନୁଭବ କଲା; ତାର ଓଠରେ ଯେମିତି ନିଆଁ ଲାଗିଯାଇଚି । ତାର ହାତ ଛାତି ସବୁଥିରେ ଯେମିତି ସେଇ ଉଲ୍‌କାଟା ନିଆଁ ଜାଳିଦେଇ ଯାଇଛି । ସେ ପୋଡ଼ିଯାଉଛି ।

 

ସେ ସୁମିତାର କପାଳରେ ଓଠ ଲଗେଇ ପାରିଲା ନାହିଁ । ତା’ ଠୁଁ ଅଲଗା ହୋଇ ଠିଆହେଲା । ସେ ଅନୁଭବ କଲା ଯେମିତି ତା’ର ଗାଲଟା ନୁହେଁ, ସମୁଦାୟ ମୁହଁଟା ପୋଡ଼ି ବିରୂପ ହୋଇଯାଇଛି । ସେ ହନୁ ହୋଇଯାଇଛି । ସେ କି ଭୁଲ ନ କଲା ? ଘରର କାନ୍ଥଗୁଡ଼ାକ ତାକୁ କେନ୍ଦ୍ର କରି ଖୁବ୍‌ଜୋର୍‌ରେ ଘୂରିବାକୁ ଲାଗିଲେ । ଛାତଟା ଉପର ତଳ ହେବାକୁ ଲାଗିଲା । ଚକ୍ରାକାରରେ ଘୂରିବାକୁ ଲାଗିଲା ସେଇ ଉଲ୍‌କାଟା । ସାରା ଘରଟା ଭର୍ତ୍ତି ହୋଇଗଲା ଏକ ନିନାଦରେ । ସେଇ ଉଲ୍‌କାଟାର ଶବ୍ଦ–‘‘ଅନୁପମ ! ତୁମେ ବିଶ୍ଵାସଘାତକ । ତୁମେ ପାପୀ, ତୁମେ ଚରିତ୍ରହୀନ । ଯାହାକୁ ତୁମେ ଭଲପାଅନା, ତା’ ଦେହରେ ହାତ ଦେବାର ତୁମର କି ଅଧିକାର ଅଛି-? ଅନୁପମ ! ତୁମେ ବିଶ୍ଵାସଘାତକ । ତୁମେ ଚରିତ୍ରହୀନ । ତୁମର ସେ ଓଠ ଜଳିଯିବ । ... ଅନୁପମ ତୁମେ... ଅନୁପମ...ତୁମେ... ।

 

ସେ ଆଉ ସ୍ଥିର ରହିପାରିଲା ନାହିଁ । ସେହି ଶବ୍ଦରେ ତାର କାନ ଝାଁ ଝାଁ ହୋଇଗଲା । ସେ କ୍ଷିପ୍ରବେଗରେ ଦର୍ଜା ଖୋଲି ସୁମିତାର ଘରୁ ପଳାଇଆସିଲା ରାସ୍ତାକୁ ଓ କ୍ଷିପ୍ର ବେଗରେ ଦଉଡ଼ିବାକୁ ଲାଗିଲା ରାସ୍ତାରେ । ସେଇ ଉଲ୍‌କାଟା ତଥାପି ତା’ ପଛେ ପଛେ ଦଉଡ଼ୁଥାଏ ।

 

ସେ ଆଉ ପଛକୁ ଫେରି ଚାହିଁପାରିଲା ନାହିଁ । ତା’ପରେ ସେ କେତେବେଳେ ଯେ ଗୋଟାଏ ରିକ୍‌ସା ଉପରେ ବସିପଡ଼ିଛି, ତାକୁ ଜଣାନାହିଁ । ରାତି ପ୍ରାୟ ଏଗାରଟା ‘ମେଡ଼ିକାଲ କଲେଜକୁ ଚାଲ’ କହି ସେ ରିକ୍‌ସା ଉପରେ ଆଖି କାନ ବୁଜି ବସିପଡ଼ିଲା । ବସିଲା ପରେ ଚେତା ରହିଲା ନାହିଁ ।

 

ତା’ପରେ ସେ କିଛି ଜାଣେନା ।

 

ତା’ପରେ ଚେତା ଆସିଲା ହସ୍‌ପିଟାଲରେ । ସେ ଆଖି ଖୋଲି ଦେଖେ ତ ତା’ର ଚାରିପାଖରେ ଡ: ମିଶ୍ର, କେତେଜଣ ଛାତ୍ରଭାଇ ଓ ଦୁଇ ଚାରିଜଣ ନର୍ସ ଠିଆହୋଇଛନ୍ତି ।

 

ଅନୁପମ ଆଖି ଖୋଲିବା ଦେଖି ଡ: ମିଶ୍ର କହିଲେ–‘‘ତୁମେ ଭଲ ଅଛ ତ ।’’

 

ଅନୁପମ ମୁଣ୍ଡ ହଲେଇଲା ।

 

ଡ: ମିଶ୍ର ପଚାରିଲେ–‘‘ତୁମେ ଦେଖିପାରୁଛ ତ !’’

 

ଅନୁପମ ହସିଲା । ତାକୁ ଲାଜ ଲାଗିଲା । କଣ ହୋଇଥିଲା ଯେ ତାର ?–ସମସ୍ତେ ଯେମିତି ସେହି ପ୍ରଶ୍ନର ଉତ୍ତର ପାଇଁ ଠିଆ ହୋଇଥିଲେ ତା’ରି ପାଖରେ । ସେ କାହାରିକୁ କିଛି କହିପାରିଲା ନାହିଁ ।

 

ସେ ଉଠି ବସିଲା । ଯେ ଯୁଆଡ଼େ ଯେଝା କାମରେ ଚାଲିଗଲେ । ଠିଆହୋଇ ରହିଲେ ଡ: ମିଶ୍ର । ସିଷ୍ଟର ଗୋଟାଏ ଗ୍ଲାସ ଗରମ୍‌ ଦୁଧ ଆଣିଲା । ଅନୁପମ ଢକଢକ କରି ପିଇଦେଇ ଠିଆହୋଇପଡ଼ିଲା ।

 

ଡ: ମିଶ୍ର ଅନୁପମର ମୁହଁକୁ ପୁଣି ସେଇ ବିଚିତ୍ର ତୀରାୟିତ ଭଙ୍ଗିରେ ଚାହିଁଲେ । ଅନୁପମ ଶିହରି ଉଠିଲା । ଡ: ମିଶ୍ର ତା’ର ମନଟାକୁ ଭସେଇ ନେବେ ଚଟ୍‌କରି, ସବୁ ଘଟଣା ଜାଣିପକେଇବେ ଆପେ ଆପେ । ସେ ଭୁଲ୍‌ କରିଛି । ହୁଏତ ଆଉ ଏ ଭୁଲ କେବେ କରିବ ନାହିଁ; କିନ୍ତୁ କେମିତି ବଞ୍ଚିବ ସେ ଅପଛାୟାର ଦାଉରୁ । ନା, ସେ ସବୁ ସାନପିଲାଟି ପରି ସ୍ଵୀକାର କରିଯିବ-। ସବୁ ମାନଯିବ, ଗୋଟି ଗୋଟି କରି ସବୁ ଘଟଣା କହିଯିବ । ସିଏ ବରଂ ଭଲ । ଗୁରୁଦେବ ଡ: ମିଶ୍ର ତାକୁ କ୍ଷମାଦେବେ । ଦିଅନ୍ତୁ ବା ନଦିଅନ୍ତୁ ସେ ସବୁ କହିପକେଇବ-। ଅନ୍ତରକୁ ଖୋଲିପକାଇବାରେ ହିଁ ପାପର ପ୍ରାୟଶ୍ଚିତ୍ତ ଅଧା ହୋଇଯାଏ । ସେ ସୁମିତାର ସ୍ନେହଭାବର ସୁଯୋଗ ନେଇ ଯାହା କରିବାକୁ ଯାଉଥିଲା, ତାହାଠୁ ବଳି ପାପ ଆଉ କଣ ଥାଇପାରେ-? ତାର ପ୍ରାୟଶ୍ଚିତ୍ତ ଦରକାର । ସେ ସୁମିତାକୁ କ୍ଷମା ମାଗିବ । ପାଦଧରି କ୍ଷମା ମାଗିବ । ସେ ସୁମିତାକୁ ଭଲପାଏ ନାହିଁ । ସ୍ପର୍ଶ କରିବାର ଅଧିକାର ତାର ଆସିବ କେଉଁଠୁ ?

 

ସେ ବିକଳ ଭାବରେ, ପରୀକ୍ଷାରେ ନିନ୍ଦନୀୟ ଭାବରେ ଫେଲ୍‌ ହୋଇଥିବା ଗୋଟାଏ ଛାତ୍ର ପରି ଡ: ମିଶ୍ରଙ୍କ ମୁହଁକୁ ଚାହିଁଲା । ତାର ଇଚ୍ଛା ହେଉଥିଲା ସେ ବଡ଼ପାଟିରେ ଚିତ୍କାରକରି କହିପକାନ୍ତା–‘‘ସାର୍‌, ମୁଁ ଅନ୍ୟାୟ କରିଛି । ମୁଁ ଆପଣଙ୍କର ଶିଷ୍ୟତ୍ୱର ଅପନାମ କରିଛି । ମୋର ତାରୁଣ୍ୟର, ମୋର ବଳିଷ୍ଠତାର ଅପଚୟ କରିଛି । ଜଣଙ୍କର ସ୍ନେହ ଓ ସାରଲ୍ୟର ସୁଯୋଗ ନେଇ ମୁଁ ହୀନବୃତ୍ତି ଅବଲମ୍ବନ କରିଛି ।’’ କିନ୍ତୁ ତାର ଜିଭ ତାକୁ ବାରମ୍ବାର ପ୍ରତାରିତ କରୁଥାଏ । ସେ ଗୋଟିଏ ହେଲେ ଶବ୍ଦ ମଧ୍ୟ ଉଚ୍ଚାରଣ କରିପାରୁନଥାଏ । ମୁନିବର ଭାତହାଣ୍ଡିରେ ଲୋଭବଶତଃ ମୁହଁ ମାରି ଦେଇଥିବା ଗୋଟିଏ ପୋଷାକୁକୁର ପରି ସେ କେବଳ କିଲିବିଲି ହୋଇ ଚାହିଁଥାଏ, ଡ: ମିଶ୍ରଙ୍କର ଧୀରେ ଧୀରେ ଗୋଜିଆ ହୋଇଆସୁଥିବା କୁହୁକ ମଣି ପରି ଆଖି ଦୁଇଟାକୁ ।

 

ଡ: ମିଶ୍ର କହିଲେ–‘‘ଚାଲ, ମୋର ଲାବୋରେଟରିକୁ ଚାଲ । ତମକୁ ଅନେକ କଥା କହିବାର ଅଛି ।’’

 

ଅନୁପମ ବିନା ଦ୍ଵିଧାରେ ଅନୁସରଣ କଲା । ଡ: ମିଶ୍ର ଦୁଇପାଦ ପଛେଇ ଆସି ଅନୁପମର ବାମ କାନ୍ଧରେ ଆପଣାର ଡାହାଣ ହାତ ପକାଇଲେ ।

 

ଡ: ମିଶ୍ରଙ୍କ ବଖରାରେ ପହଞ୍ଚିଲାବେଳକୁ ଅନୁପମ ଦେହରୁ ଏକ ଝାଳ ବୋହି ଯାଇଥିଲା । ସେ ରୁମାଲ୍‌ଟା ବାହାରକରି କପାଳ ପୋଛିପକେଇଲା; କିନ୍ତୁ ଡ: ମିଶ୍ରଙ୍କ ଆଖିରୁ ତାହା ବାଦ୍‌ ଗଲାନାହିଁ ।

 

ଲାବୋରେଟରିରେ ପହଞ୍ଚି ଡ: ମିଶ୍ର ପାଇପ୍‌ରେ ଟବାକୋ ଭତ୍ତିକଲେ ଓ ଦିଆସିଲି ମାରିଲେ । ଗୋଟାଏ ସୁଟ୍‌କା ଧୂଆଁ ଛାଡ଼ି ଡ: ମିଶ୍ର ଆରମ୍ଭକଲେ–ଅନୁପମ ! ତୁମେ ଅତୀତ ସମ୍ପର୍କରେ ଏତେ ବେଶି ଭାବିବା ଉଚିତ ନୁହେଁ । ଅତୀତଟା ଗୋଟାଏ ଭୂତ ପରି । ତାହା ସୁସ୍ଥ ମଣିଷକୁ ମଧ୍ୟ କାବୁ ଓ ରୋଗଗ୍ରସ୍ତ କରିପକାଏ । ଜୋନାକୀ ଥିଲା, ଭଲ ପାଉଥିଲା, ବର୍ତ୍ତମାନ ନାହିଁ–ତାକୁ ଫେରାଇଆଣିବାକୁ ତୁମର ବଳ ନାହିଁ, ସାହସ ନାହିଁ, କିମ୍ବା ସେ ପ୍ରକାର ମନୋବୃତ୍ତି ମଧ୍ୟ ନାହିଁ । ବେଶ୍‌, ତା’ଲାଗି ଏତେ ନିର୍ଯାତନା କାହିଁକି ?

 

‘‘ଅବଶ୍ୟ ମୁଁ ଜାଣେ; କେହି କାହାକୁ ଭୁଲିଯାଇପାରେନାହିଁ । ତୁମର ମନ ଭିତରେ ସେ ଗୋଟାଏ ଭାଲ୍‌ବ ସୃଷ୍ଟି କରିଯାଇଛି । ସେ ଭାଲ୍‌ବଟା ଜଳୁଥିବ । ସେ ଜ୍ୱଳନକୁ ଶାନ୍ତ କରିବାର ଶକ୍ତି କାହାର ନାହିଁ । ନିଭୃତ ମୁହୂର୍ତ୍ତରେ ପ୍ରତିଟି ଭଂଗ୍ନାଶକୁ ତାହା ଚେତାଉଥିବ, ଫୋଡ଼ୁଥିବ, ଚିମୁଟୁଥିବ । ସେଇ ଯନ୍ତ୍ରଣା ସମସ୍ତଙ୍କୁ ଭୋଗ କରିବାକୁ ପଡ଼ିବ । ଧୀରେ ଧୀରେ ସେଇ ଯନ୍ତ୍ରଣାଟା’ ତୁମର ଦିହ-ସୁହା ହୋଇଯିବ । ତୁମର ମନ ଯଦି ସର୍ବଦା କୌଣସି ନା କୌଣସି କାମରେ ବ୍ୟସ୍ତ ରହେ; ଦେହ ଓ ମନକୁ ଫେରାଏ, ହେଲେ ବି ଫୁରୁସତ୍‌ ନ ମିଳେ, ତା’ ହେଲେ ସେଇ ଯନ୍ତ୍ରଣାରୁ ତୁମେ ଆଂଶିକଭାବେ ନିଜକୁ ମୁକ୍ତ କରି ରଖିପାରିବ । ସେଥିପାଇଁ ତୁମକୁ କର୍ମକ୍ଷେତ୍ରକୁ ଡେଇଁବାକୁ ପଡ଼ିବ ନୂତନ ଶପଥ ନେଇ–ଆଉଜଣକୁ ଭଲପାଇବାକୁ, ନୂତନ ଚେତନା ଓ ସ୍ଵପ୍ନ ନେଇ । ଅବସରକୁ ବାଦ୍ ଦେବାକୁ ପଡ଼ିବ ଏକାନ୍ତ ନିର୍ମମଭାବେ । ତୁମକୁ ଭୁଲିବାକୁ ପଡ଼ିବ ନିଜକୁ । ତୁମକୁ ବଞ୍ଚିବାକୁ ପଡ଼ିବ ଅନ୍ୟମାନଙ୍କ ପାଇଁ; ତୁମ ନିଜପାଇଁ ନୁହେଁ ।’’

 

ଡ: ମିଶ୍ର ଅନୁପମର କାନ୍ଧ ଝୁଲାଇଦେଲେ–‘‘ଅନୁପମ ! ତୁମେ ଡାକ୍ତର । ଏ ପୃଥିବୀର ଅସଂଖ୍ୟ ରୋଗୀ, ଅଗଣନ ମୁମୂର୍ଷୁ–ଚିତ୍କାର, ହାହାକାର; ଥରେ ସିଆଡ଼କୁ କାନ ଦିଅ । ଶୁଣି ପାରିବ ସେମାନଙ୍କର କାନ୍ଦଣା । ତୁମର ସେମାନଙ୍କ ପ୍ରତି କର୍ତ୍ତବ୍ୟ ରହିଛି । ସେମାନଙ୍କ ପାଇଁ ତୁମକୁ ବଞ୍ଚିବାକୁ ପଡ଼ିବ ।

 

‘‘ତୁମପରି ଏ ପୃଥିବୀରେ ଅସଂଖ୍ୟ ଜନତା ଆପଣାର ଆଶାକୁ ଚରିତାର୍ଥ କରି ନ ପାରି ମନ୍ଥି ହେଉଛନ୍ତି; କିନ୍ତୁ ସେମାନେ ମରୁ ନାହାନ୍ତି, ଆତ୍ମହତ୍ୟା କରୁନାହାନ୍ତି; ତୁମପରି ରିକ୍‌ସାରେ ଅଚେତ ହେଉନାହାନ୍ତି । ତୁମେ ସଚେତ ହୁଅ, ତୁମକୁ ମଧ୍ୟ ବଞ୍ଚିବାକୁ ପଡ଼ିବ ।

 

‘‘ତୁମେ ଜାଣ ମୁଁ କାହାପାଇଁ ବଞ୍ଚିଛି ? ନିଶ୍ଚୟ ନିଜପାଇଁ ନୁହେଁ । ନିଜପାଇଁ ମୁଁ କ’ଣ କରିଛି ? କ’ଣ ଅଛି ମୋର ? ଘର ନା ସ୍ତ୍ରୀ, ନା ପିଲାଛୁଆ ? ତଥାପି ମୁଁ ବଞ୍ଚିଛି । ଯଦି ମୋ ଦେଇ ଏ ବିଶ୍ଵର କିଛି ଅଭାବ ଦୂର ହୋଇପାରେ । ବର୍ତ୍ତମାନର ପ୍ରତିଟି ମୁହୂର୍ତ୍ତକୁ ମୁଁ ଏଇ ଆଦର୍ଶରେ ହିଁ ଜର୍ଜରିତ କରିଛି, ରସାଣିତ କରିଛି । ଅତୀତଟା ମୋର ମରିଯାଇଛି, ଭବିଷ୍ୟତଟା ଉପରେ ମୋର ଆସ୍ଥା ନାହିଁ । ବର୍ତ୍ତମାନ ହଁ ମୋର ସମ୍ବଳ । ସେଇଟା ବିତାଏ ମୁଁ ଲାବୋରେଟରିରେ ।

 

‘‘ମରିଯିବାଟା ଖୁବ୍‌ ସହଜ, ବଞ୍ଚିବାଟା ହିଁ କଷ୍ଟ । ଯେ ବଞ୍ଚିବାକୁ ଚେଷ୍ଟା କରେ ସେଇ କେବଳ ଜିତିଯାଏ । ଆଉ ସମସ୍ତେ ହାରିଯାନ୍ତି ।

 

‘‘ତୁମେ ବଞ୍ଚି ଶିଖ । ନିଜପାଇଁ ନ ହେଲେ ବି ଅନ୍ୟମାନଙ୍କ ପାଇଁ; ତୁମ ଅସୁରକୁଳ ପାଇଁ; ମଣିଷ ଜାତି ପାଇଁ; ଦୁର୍ବଳ ଶୋଷିତ ଅଗଣିତ କ୍ଷତବିକ୍ଷତ ରୋଗଗ୍ରସ୍ତ ଅନ୍ଧ, ବିକୃତ-ମସ୍ତିଷ୍କ ଜନତା ପାଇଁ ।

 

‘‘ନିଜେ ବରଂ ଜଳ, ଅନ୍ୟମାନଙ୍କୁ ଜ୍ଵଳନରୁ ରକ୍ଷାକର । ସେଇଥିରେ ହିଁ ପୁରୁଷତ୍ୱ ପ୍ରକାଶପାଏ ।

 

‘‘ହଜିଗଲା ମୁହୂର୍ତ୍ତଗୁଡ଼ାକୁ ଆଉ ଅଣ୍ଡାଳି ଲାଭ ନାହିଁ । ସେଗୁଡ଼ାକ ଯାଇଛନ୍ତି ଫେରିବାର କୌଣସି ସଙ୍କେତ ନରଖି । ଯେଉଁ ମୁହୂର୍ତ୍ତ ସବୁ ଆସୁଛନ୍ତି, ସେମାନଙ୍କୁ ତୁମେ ଚିହ୍ନିନା । ତୁମେ କେବଳ ଦେଖିଛ ତମରି ଆଗରେ ତରଙ୍ଗ ପରି ପେଟେଇ ପଡ଼ି କଚାଡ଼ି ହେଉଥବା ବର୍ତ୍ତମାନକୁ । ସେଇ ବର୍ତ୍ତମାନକୁ ତୋଳିଧର, ଆଲିଙ୍ଗନ କର, ଚୁମ୍ବନ କର । ସେଇଥିରେ ତୁମେ ଶାନ୍ତି ପାଇବ ଓ ଜୋନାକୀର ଯନ୍ତ୍ରଣାରୁ ନିଜକୁ ତୁମେ ଆଂଶିକ ମୁକ୍ତ କରିପାରିବ ।’’

 

ଅନୁପମ କିନ୍ତୁ ଭାବୁଥାଏ ସୁମିତା କଥା ।

 

ସେ ଫେରିଆସିଲା ହଷ୍ଟେଲ୍‌କୁ । ତାର ହାତଗୁଡ଼ାକ ପୋଡ଼ି ଅଙ୍ଗାର ହୋଇଗଲା ପରି ଲାଗିଲା । ସେ ମନେ ମନେ କ୍ଷମା ମାଗିଲା ଜୋନାକୀକୁ–ଜୋନାକୀ ! ମୋତେ ଏଇ ବାରକ କ୍ଷମା କର । ମୁଁ ଆଉ କାହାରିକୁ ସ୍ପର୍ଶ କରିବିନାହିଁ । ଯେଉଁ ବାହୁରେ ତୁମକୁ ଆଲିଙ୍ଗନ ଦେଇଚି, ସେ ବାହୁରେ ଅନ୍ୟକୁ ବାନ୍ଧି ମୁଁ ଭୁଲ କରିଛି ।

 

ପର ମୁହୂର୍ତ୍ତରେ ଆସି ଅନୁପମ ମନରେ ଠିଆହେଲା ସୁମିତା । ସୁମିତାର ବାପା, ମା, ଆଫ୍ରିକା ଓ ସୁମିତାର ସେଇ ଲୁହ, ସେଇ ଦରିଦ୍ର ନିଃସହାୟ ଜୀବନ–ସବୁ ତାକୁ ଜଳଜଳ ଦିଶିଲା । କି ଦୁଃଖ ସୁମିତାର ? ଅନୁପମ କାହିଁକି ଅଭିନୟ କଲା ତା’ ସହିତ ! ଯାହା ସହିତ ପ୍ରାଣର ସଂଯୋଗ ନାହିଁ, ତା ସହିତ ଏତେ ମିଳାମିଶାକୁ ଜାଣୁ ଜାଣୁ ପ୍ରଶ୍ରୟ ଦେଲା ? ଏ ଦୁଷ୍କର୍ମର ଶାସ୍ତି କ’ଣ ? ଡ: ମିଶ୍ର କହୁଛନ୍ତି ଅନୁପମକୁ ପର ପାଇଁ ବଞ୍ଚିବାକୁ ପଡ଼ିବ–ତା’ହେଲେ ସେଇ ପ୍ରଥମ ‘ପର’ ସୁମିତା କାହିଁକି ନ ହେବ ? ସେ ତ ତାକୁ ଭଲପାଏ ? କେତେ ଭଲପାଏ ! ସେ ନିଜକୁ ଜାଳି, ନିଜକୁ ପାପ-ପୂର୍ଣ୍ଣ କରି ସୁମିତାକୁ ବେଶ୍ ଦେଇପାରିବ ଜୀବନ, କିନ୍ତୁ ସତରେ କଣ ଏହା ସେ ପାରିବ ? ଜୋନାକୀ କଣ ଏହାସବୁ ସହିପାରିବ ? ସେଦିନ ପରା ସୁମିତା ସହିତ ଅନୁପମକୁ ଦେଖି ସେ କଇଁକଇଁ ହୋଇ କାନ୍ଦି ଉଠୁଥିଲା !

 

ଅନୁପମ ଖଟ ଉପରେ ଗଡ଼ିବାକୁ ଲାଗିଲା । ସେ ଭୀଷଣ ହେବ ନା କାନ୍ତ ହେବ ! ନିଜପାଇଁ ମରିବ ନା ପରପାଇଁ ବଞ୍ଚିବ ! କେବଳ ନିଜେ ଜଳିବ ନା ନିଜେ ଜାଳି ଅନ୍ୟକୁ ଜ୍ୱଳନରୁ ମୁକ୍ତ କରିବ ? କୌଣସିଟା ସହଜ ନୁହେଁ । ସବୁଥିରେ ନିଜେ ଦଗ୍‌ଧ ହେବାହିଁ ସୁନିଶ୍ଚିତ ।

 

କିନ୍ତୁ ଡକ୍ଟର ମିଶ୍ରଙ୍କର ବାକ୍ୟଗୁଡ଼ାକୁ ସେ ଓଜନ ନ କରି ରହିପାରିଲା ନାହିଁ । ସେ ଓଜନ କରି ଦେଖିଲା, ତା ପ୍ରାଣର ଜ୍ଵଳନ ଅପେକ୍ଷା ବେଶୀ, ତା’ ନିଜର ଦୁଃଖ ଅପେକ୍ଷା ବେଶୀ । ନିଜର ହାହାକାର ଶବ୍ଦଠାରୁ ଆହୁରି ବଡ଼, କୋଟି କୋଟି ମଣିଷଙ୍କର ଆର୍ତ୍ତନାଦ ତା’ର ନିଜ ହୃଦୟ ଅପେକ୍ଷା ଆହୁରି ବେଶୀ ବେଦନାଦଗ୍‌ଧ ଏ ପୃଥିବୀରେ ଅଛନ୍ତି । ସେମାନଙ୍କ ପାଇଁ ସେ କାହିଁକି ନଭାବିବ ?

 

କାହିଁକି ସେ ପ୍ରାୟଶ୍ଚିତ୍ତ ନ କରିବ ସୁମିତାର ଯନ୍ତ୍ରଣାମୟ ହୃଦୟକୁ ଶାନ୍ତ କରି ? କାହିଁକି ସେ ପ୍ରାୟଶ୍ଚିତ ନ କରିବ ସୁମିତାର ବୁଢ଼ାବାପାକୁ ଶାନ୍ତିରେ ନିଶ୍ୱାସ ନେବାର ଆୟୋଜନ କରିଦେଇ-? କାହିଁକି ସେ ନିଜର ହାତରେ ପୋଛି ନ ଦେବ ସେଇ ଅଭିଶପ୍ତା ଲତାଟିର ଆଖିରେ ଜମାଟ ବାନ୍ଧିଆସୁଥିବା ହା-ହୁତାଶ ପ୍ରାଣର ଲୁହବିନ୍ଦୁଗୁଡ଼ାକୁ ?

 

ଜୋନାକୀ ଗୋଟାଏ ନିରାକାର ଆଲୋକ ବୃତ୍ତ ପରି । ତାକୁ ଆଉ ଧରିହୁଏନା; ଅତି ନିକଟରେ ପାଇ ହୁଏନା । ସେ ଦେବୀ । କିରଣ୍ମୟୀ । ତାକୁ କେବଳ କଳ୍ପନା କରିହୁଏ ।

 

ଅନୁପମର କିନ୍ତୁ ଦେହଟାଏ ବି ଦରକାର । ତେଣୁ ସାକାର ସୁମିତାକୁ ସେ ଗ୍ରହଣ ନ କରିବ କାହିଁକି ?

 

ଅନୁପମର ଚିନ୍ତାର ସୀମା ନାହିଁ । ରାତି ଅନେକ ହେଲାଣି । ସମୟଟା ଝିଙ୍କାରି ପରି ଝେଁ ଝେଁ ହୋଇ ଦଉଡ଼ୁଛି ।

 

ଚକ୍ର ଘୂରୁଛି । ଅନୁପମର ମୁଣ୍ଡ ଉପରେ ଉଲ୍‌କା ପରି ଛିଡ଼ିଛିଡ଼ି ପଡ଼ୁଛି କଣ ଗୁଡ଼ାଏ ତତଲା ଲାଲ ଟହଟହ ଲୁହାମୁଣ୍ଡା । ମୁଣ୍ଡାଏ ତତଲା ଲୁହାକୁ ଗିଳି ଠିଆହେବାର ଚେଷ୍ଟା କରୁଛି ସୁମିତା । ପାରୁନାହିଁ । ପଡ଼ିଯାଉଛି । ପଡ଼ିଯାଉଚି ତା’ ନିଜ ବାପା ପରି । ବିକଳ ସ୍ୱରରେ କାନ୍ଦୁଛି । ସେଇ ଲୁହ–ସେଇ–, ଅସୁରନାରୀର କୋମଳ ଅପରିପୂର୍ଣ୍ଣ ଆକାଂକ୍ଷାର ବିକଳ ବିକଳ ଲୁହ ବି ମିଶିଛି । ସୁମିତା ଆର୍ଯ୍ୟ ନୁହେଁ; ଆର୍ଯ୍ୟ ଓ ଅସୁରଙ୍କ ଭିତରେ ଗୋଟିଏ ସେତୁ । ସେଇ ଭଲ । ସେଇ ଭଲ । ଅନୁପମ ନିଜକୁ ସାନ୍ତ୍ୱନା ଦେବାକୁ ଲାଗିଲା । ତାକୁଇ ସେ ଜାକିନେବ ପାଖକୁ । ଆଶ୍ୱାସନା ଦେବ । ତା’ରି ଦୁଃଖ ଶୁଣିବ । ତା’ରି ଲାଗି କାନ୍ଦିବ, ହସିବ । କାମ କରିବ । ବେଦମ୍‌ କାମ କରିବ । ଫୁରୁସତ୍‌ ଦେବନାଇଁ ମନକୁ ଜୋନାକୀ ରୂପର କଳ୍ପନା କରିବା ଲାଗି ।

 

ଅନୁପମକୁ ଖୁବ୍‌ଶୀତ ଲାଗିଲା ସେଦିନ । ସେ ଛାତ ଉପରକୁ ଯିବ ବୋଲି ପିଣ୍ଡାକୁ ବାହାରିଲା; କିନ୍ତୁ କାହିଁକି କେଜାଣି ଦେହ ତା’ର ଥରିଉଠିଲା, ଦାନ୍ତରେ ଦାନ୍ତ ବାଜିଲା ଠକ୍‌ଠକ୍‌ ହେଇ ।

 

ତଥାପି ସେ ଗଲା ମନରେ ସାହସ ସଞ୍ଚୟ କରି । ଯାଇଁ ବସିଲା । ପଦ୍ମାସନଟା ବେକାଇଦା ହୋଇଯାଇଛି । ସେ ପୁଣି ଡାହାଣ ଓ ବାମ ଗୋଡ଼କୁ ତଳ ଉପର କରି ପଦ୍ମାସନଟାକୁ ଠିକ୍‌ କରିବାକୁ ଚେଷ୍ଟାକଲା; କିନ୍ତୁ ସଫଳ ହୋଇପାରିଲାନାହିଁ । ସାମାନ୍ୟ ବ୍ୟାକରଣଗତ ପ୍ରମାଦ ଓ ଅଶୁଦ୍ଧି ଯେମିତି ବାକ୍ୟଟାକୁ ଲଘୁ ଓ ବିକଳାଙ୍ଗ କରିପକାଏ, ଠିକ୍‌ ସେଇମିତି ଅନୁପମର ଆସନର କୌଣସି ଅଶୁଦ୍ଧି ରହିବାରୁ ସେ ସହଜ ଅନୁଭବ କରିପାରିଲା ନାହିଁ ଓ ତାର ଦେହଟା ଅନାୟତ୍ତ ରହିଗଲା ବୋଧେ ।

 

ସେ ଉଚ୍ଚାରଣ କରିବାକୁ ଚେଷ୍ଟାକଲ–ଓଁ । ତାହାବି ନିଷ୍ଫଳ ହେଲା । ତାର ତୋଟିକୁ କିଏ ଚିପିଧରିଲା ପରି ବୋଧହେଲା । ପେଟ ଭିତରୁ ଯେମିତି କିଏ ଶବ୍ଦଟାକୁ ଟାଣିପକାଉଥିଲା, ବାହାରକୁ ଛାଡ଼ୁନଥିଲା; ଏବଂ ବହୁ ଚେଷ୍ଟା ପରେ ଯେଉଁ କ୍ଷୀଣ ଶବ୍ଦଟି ଭେଁ ଭେଁ ହୋଇ ତା’ କଣ୍ଠରୁ ପଦାକୁ ଆସିଲା ତାହା ଠିକ୍‌ ଓଁ କାର ନୁହେଁ–ଓଁ କାର ଉଚ୍ଚାରଣ ଚେଷ୍ଟାର ଏକ ନିଷ୍ଫଳ ପ୍ରଳାପ । ସେଇ ଶବ୍ଦଟାକୁ ଶୁଣି ଅନୁପମ ନିଜେ ବିସ୍ମିତ ହେଲା । ଭିତରର କୌଣସି ଯନ୍ତ୍ର ତା’ର ବିଗିଡ଼ିଯାଇଛି । ସେ ଆହୁରି ଚେଷ୍ଟାକଲା । କିଛି ସମୟ ଛେଳି ମେଣ୍ଢା ପରି ଚେଁ ଭେଁ ହେବା ପରେ ଅନୁପମ କ୍ଳାନ୍ତ ହୋଇପଡ଼ିଲା । ସେମିତି କ୍ଳାନ୍ତି ସେ କେବେହେଲେ ଅନୁଭବ କରିନଥିଲା । ଯେଉଁ ପେଁକାଳି ଏଡ଼େ ସୁନ୍ଦର ବାଜୁଥିଲା, ସେଇ ପେଁକାଳିର ଏଇପରି ନୈରାଶ୍ୟଜନକ ସ୍ୱର ଶୁଣି ଅନୁପମ ଖାଲି ଯେ ବିସ୍ମିତ ହେଲା ତା’ ନୁହେଁ, ତାକୁ ଭୟଲାଗିଲା ଭାରି । ଛାତି ଉପରଟା ତାକୁ ମାଡ଼ିମାଡ଼ି ପଡ଼ିଲା । ତାକୁ ଲାଗିଲା–ଯେମିତ କି ଛଞ୍ଚାଣଟାଏ ଅଦୃଶ୍ୟରେ ତାରି କାନ ପାଖଦେଇ ସାଁ ସାଁ କରି ଉଡ଼ିଯାଉଛି । ଯେମିତି କି ଲଙ୍ଗଳା ହୋଇ ଗୁଡ଼ାଏ ରୋଗୀ ତା’ରି ଆଗରେ ଡାକୁଣୀ ପରି ନାଚୁଛନ୍ତି । ଯେମିତି କି, ସେଇ କଳିଙ୍ଗାଘାଟିର ଅସୁରଟା ଗୁଡ଼ାଏ ଲଙ୍ଗଳା କନ୍ଧ ପିଲାଙ୍କୁ ଆଣି ଅନୁପମର ଚାରିପାଖରେ ଘେରାଉ କରିଦେଇ ନିଜେ ଠିଆହୋଇ ତାଳିମାରୁଛି ଓ ମୁଣ୍ଡରେ ବେତାଏ ବେତାଏ ନୁଖୁରା ବାଳ ଥିବା ଲଙ୍ଗଳା ପିଲାଗୁଡ଼ାକ ତା’ରି ଉପରେ ଲଦି ହୋଇ ପଡ଼ୁଛନ୍ତି, ଚୁଟି ଟାଣିପକାଉଛନ୍ତି, ଛେପ ପକାଉଛନ୍ତି, କିଏ ବା ତାଙ୍କ ଭିତରୁ କୁକୁରଛୁଆ ପରି ଗୋଡ଼ ଟେକି ଅନୁପମ ଉପରେ ଚିର୍‌ଚିର୍‌ କରି ମୂତି ଦେଉଛି, ଆଉ ସେଇ ଅସୁରଟା ହେ ହେ ହେ ହୋଇ ହସୁଛି କିଳିକିଳା ଧ୍ୱନିକରି । ପୁଣି କଳା କଟାସ ପରି କିଏ ସବୁ ତା’ରି ଉପରକୁ କୁଦିପଡ଼ୁଛନ୍ତି । କଳା ଡାମରା କାଉଟାଏ ରାଉ ରାଉ କରି ଘୂରୁଛି, ଠିକ୍‌ ତାରି ମଥା ଉପରେ ।

 

ଅନୁପମ ପଦ୍ମାସନ ଛାଡ଼ି ଗୋଟାଏ ଦେଶୀ କାଳିଆ କୁକୁର ପରି ବସିଲା ଆଉ ନିରିଖେଇ ଚାହିଁଲା ସେଇ ନାଚୁଥିବା ଭୟଙ୍କର ଛାଇଗୁଡ଼ାକୁ ।

 

ତାକୁ ଭୟଙ୍କର ଭାବେ ଶୀତ ହେଲା । ସେ ଆଖି ଓହ୍ଲେଇ ଆଣିଲା ତଳକୁ । ପଛକୁ ଚାହିଁଲା ନାହିଁ । ନିଜ ରୁମ୍‌ ଭିତରକୁ ଆସି ସେ କବାଟ ବନ୍ଦ କରି ଆଲୁଅ ଜାଳି ଗୋଟାଏ ଦୀର୍ଘ ନିଃଶ୍ଵାସ ମାରିଲା ।

 

ତା’ ପରେ ଆଖି ବୁଜି ପଡ଼ିରହିଲା ଖଟ ଉପରେ । ମୁହଁରୁ ପାହୁଲ ପର୍ଯ୍ୟନ୍ତ କମ୍ବଳ ଢାଙ୍କିଦେଲା । ରୁମ୍‌ରେ ଆଲୁଅ ଜଳୁଥାଏ; କିନ୍ତୁ ନିଦ ତାକୁ ସହଜରେ ଆସିଲାନାହିଁ । ସେ ଅନୁଭବ କଲା ଯେମିତି ତାର ବେକ ପାଖରେ କେହି ହାତ ଦାବୁଛି । ଜୋରରେ ଜୋର୍‌ରେ ଦାବିହେଲା ହାତଟା ଆସ୍ତେ ଆସ୍ତେ । ଅନୁପମର ନିଃଶ୍ୱାସ ବନ୍ଦ ହୋଇ ଆସିଲା । ସେ ଗଁ ଗଁ ହେଲା । ତାକୁ ଲାଗିଲା ଯେମିତି ତା’ ଉପରୁ କମ୍ବଳଟା ଜବରଦସ୍ତି କିଏ ଉଠାଇ ନେଇଗଲାଣି । ସେ କେହି ନୁହନ୍ତି; ସେଇ ଅସୁର । ଆଉ ସୁମିତାର ମା’ ମାର୍ଗାରେଟା । ଦୁହେଁ ଏକାସାଙ୍ଗରେ କହୁଛନ୍ତି– ‘ଅସୁରବଂଶରେ କାଳି ଲଗେଇଚୁ ତୁ ? ବିଶ୍ଵାସଘାତକ । କାପୁରୁଷ ।’

 

ଅନୁପମ ଚିତ୍କାର କରି ଉଠିଥିଲା ଚେଁ ଚେଁ ହୋଇ । ତା’ପରେ ସେମାନେ ସବୁ ଅଦୃଶ୍ୟ ହୋଇଗଲେ ।

 

ଅନୁପମ ନିଜର ଛାତିଟାକୁ ଆଉଁସି ଶୋଇପଡ଼ିଲା ।

 

ପରଦିନ ।

 

ସକାଳ । ଆକାଶ ମେଘାଚ୍ଛନ୍ନ । ଶୀତ ଲାଗିଲା । ସ୍ୱେଟର୍‌ଟିଏ ଲଗେଇବା ପରେ ଵି ସ୍ମାର୍ଟ ଲାଗୁନଥାଏ ।

 

ଡକ୍ଟର ମିଶ୍ରଙ୍କ କଥାଗୁଡ଼ାକ ଅନୁପମର କାନରେ ଗୁଞ୍ଜରିତ ହେଉଥାଏ–‘‘ତାକୁ ପର ପାଇଁ ବଞ୍ଚିବାକୁ ପଡ଼ିବ ।’

 

କିନ୍ତୁ ସେ ଜାଣେ–ପର ପାଇଁ ବଞ୍ଚିବାରେ ଉତ୍ତେଜନା ନ ଥାଏ; ଥାଏ ମହନୀୟତା । ସେ ମହାନତାର ରୂପ ନାହିଁ, ଆକାର ନାହିଁ; ସେ ଆଦର୍ଶର ଚେହେରା ନାହିଁ । ଉତ୍ତେଜନା ବିନା ମଣିଷ କୌଣସି କର୍ମରେ ସଫଳ ହୋଇପାରିବନାହିଁ, ପ୍ରତି ମୁହୂର୍ତ୍ତରେ ସେ ନିଜକୁ ହାଲୁକା ମନେକରିବ, ନିଜକୁ ଓ ନିଜର କର୍ମକୁ ନିରର୍ଥକ ମନେକରିବ । ପାହାଚ ଉଠୁ ଉଠୁ ସେ କେତେବେଳେ ଉଠିବା ବନ୍ଦ କରିଦେବ ନିଜେ ଜାଣିପାରିବନାହିଁ । ପାହାଚଗୁଡ଼ାକ ତାକୁ ପଥର ପରି ଲାଗିବ । ଛାତ ଉପରେ ଠିଆହେଲେ ତା’ର ମୁଣ୍ଡ ବୁଲେଇଦେବ ଓ କେତେବେଳେ ସେ ଗଡ଼ିପଡ଼ିବ ଜାଣିପାରିବ ନାହିଁ । ବଞ୍ଚିବାକୁ ହେଲେ ବି ଗୋଟାଏ ନିର୍ମଳ ଉତ୍ତେଜନା ଦରକାର । ସେ ପାଇବ କେଉଁଠୁ ? କେଉଁ କାମରୁ ?

 

ଜୋନାକୀର ଗତ ରାତିରେ ବାହାଘର ସରିଯାଇଚି । ଯେଉଁ ନାରୀଟିର ମୁହଁ ତାର ଜୀବନ ପଥରେ ଏକ ଅଦ୍ଭୁତ ଗତି ଆଣିଦେଇଥିଲା ସେ ନାହିଁ । ଅନୁପମର ବତିଘର ଭାଙ୍ଗିଯାଇଚି-। ଧ୍ରୁବତାରା ଲୁଚିଯାଇଛି । ଚାରିଆଡ଼େ ତ ଦିଗ୍‌ବଳୟ, ଚାରିଆଡ଼େ ତ ତରଙ୍ଗମାଳା, ଚାରିଆଡ଼େ ତ ହା-ହୁତାଶ ଓ ହାହାକାର ! କେଉଁ ଦିଗକୁ ସେ ଯିବ ? ଯିବା ପାଇଁ ତାକୁ ଉତ୍ସାହଦେବ କିଏ-? ପ୍ରେରଣା ଦେବ କିଏ ? ଠେଲିନେବ କିଏ ? ଟାଣିନେବ କିଏ ? କିଏ ଭରିଦେବ ତାର ପ୍ରାଣରେ ହସି ହସି ତରୀ ବାହିବାର ପ୍ରବଳ ଉତ୍ତେଜନା । କିଏ ଦେବ ? କିଏ ? ଜୋନାକୀ ତ ଭିନ୍ନ ଘରର କାନ୍ଥରେ ଟଙ୍ଗାହେଲା ଛବି ।

 

କେହି ନାହିଁ ।

 

ଡକ୍ଟର ମିଶ୍ରଙ୍କ ପରି ନିଶା ଖାଇ ଏକ କୃତ୍ରିମ ଉପାୟରେ ମନର ଉତ୍ତେଜନାଟାକୁ ବଞ୍ଚେଇ ରଖିବାକୁ ପଡ଼ିବ । ନହେଲେ ସେ ଚାଲି ପାରିବନାହିଁ । ଠିଆହୋଇ ପାରିବ ନାହିଁ । ଫୁଟି ପାରିବନାହିଁ; ବାସନା ବିତରଣ କରିବା ଦୂରେ ଥାଉ ।

 

ତାର କମ୍ବଳ ଦରକାର, ତାର ବାଡ଼ି ଦରକାର, ତାର ଦରକାର ଗୋଟାଏ କଙ୍ଗଡ଼ି । ତାର ବି ଦରକାର ଗୋଟାଏ ଅକ୍‌ସିଜେନ୍‌ ପାଇପ୍‌ ।

 

ଅନୁପମର ଆଖି ଆଗରେ ଠିଆହେଲା ସେଇ ଅଶ୍ରୁମୟୀ ନାରୀଟା; କାନ୍ଦି କାନ୍ଦି ଯେମିତି ତାର ଆଖିଗୁଡ଼ାକ ଫୁଲିଯାଇଛି; ବହୁଦିନର ତେଲଚିଟାରେ କଲା ପଡ଼ିଲେ ବି ଜଳୁଥିବା ପ୍ରଦୀପଟିଏ ସେ । ଯେମିତି ସେ ନଖାଇ ନପିଇ ସେତିକିବେଳୁ ଉପାସ ରହିଚି ଏଯାଏଁ । କଣ ଭୁଲ ବା ସୁମିତା କରିଛି ? ଜଣକୁ ଅନ୍ତରଦେଇ ଭଲପାଇବାରେ କେବେହେଲେ ଭୁଲ ନ ଥାଇପାରେ । ଅନୁପମର ଯଦି ଇଚ୍ଛା ନ ଥିଲା, ମନାକରିଥାନ୍ତା, ନିମନ୍ତ୍ରଣ ରଖିନଥାନ୍ତା । କିନ୍ତୁ ଏପରି ଯାଇ ଅପମାନ ଦେଇ ଝଡ଼ପରି ପଳାଇ ଆସିବାଟା... !! ନାଃ । ଅନୁପମ ଭୁଲକରିଛି । ସେଇ ଭୟଙ୍କର ଜ୍ୱଳମାନ ଉଲ୍‌କାଟାକୁ ଚାହିଁ ଅନୁପମ ଭୁଲକରିଛି । ନିର୍ଦ୍ଦୟ ହୋଇଛି; ନିଷ୍ଠୁର ହୋଇଛି; ଘୋର ଅବିଚାର ସେ କରିଛି ସୁମିତା ପ୍ରତି । ହଁ, ହଁ, ଅବିଚାର । କ୍ରୂର ଅବିଚାର । ନିନ୍ଦନୀୟ ଭାବେ ଅବିଚାର । ଅନୁପମ ବିଚଳିତ ।

 

କାହିଁକି ସେ ଫୁଲ ନେଉଥିଲା ? କାହିଁକ ସେ ଫୁଲ ଖୋଷିଦେଉଥିଲା ସୁମିତାର କବରୀରେ ? କାହିଁକି ତାକୁ କହିଦେଉ ନଥିଲା ମୁହଁ ଖୋଲି ପ୍ରେମ କରେନାହିଁ ବୋଲି ? ଏ ଅଭିନୟ, ଏ ସମ୍ପର୍କ, ଏ ଅବୁଝାମଣାକୁ ସେ କାହିଁକି ପ୍ରଶ୍ରୟ ଦେଲା ? ସେ ତ ଫୁଲ ଫେରାଇ ଦେଇପାରିଥାନ୍ତା !! ସୁମିତାକୁ ସେ ଜଳିବାକୁ ଇନ୍ଧନ ଦେଇଚି, ୟା’ଠୁଁ ବଡ଼ ଭୁଲ୍‌ ଆଉ କଣ ହୋଇପାରେ ? ଏକ ଅନନ୍ତ ଗ୍ଳାନିବୋଧରେ ଅନୁପମ କର୍ଦ୍ଦମାକ୍ତ ହୋଇଗଲା ।

 

ଲୋଭନୀୟ ଦେହ କିମ୍ବା ମନମତାଣିଆ ଫୁଲପରି ରୂପ ସିନା ନାହିଁ; କିନ୍ତୁ ସୁମିତାର ଗୋଟାଏ ପ୍ରୀତି–ଢଳଢଳ ହୃଦୟ ଅଛି; ବକ୍ର ହେଲେ ବି ଅଛି ଦୁଇଟା ଅଶ୍ରୁ-ଛଳଛଳ ଆଖି । ସେ ବି ନିଜ ହାତରେ ଫୁଲଗଛ ଲଗେଇବାକୁ ସୁଖପାଏ । ସେ ବି ଜୋନାକୀ ପରି ମୁଣ୍ଡରେ ଫୁଲ ଖୋଷେ-। ସେ ବି ଅଭିମାନ କରି ପୁରୁଷର ହୃଦୟ ଟଳାଇଦେଇପାରେ ।

 

ତେବେ, ଅନୁପମ ନିଜ ଭୁଲ ପାଇଁ କ୍ଷମା ମାଗିବ ! ତାହା ହିଁ ହେବ ତାର କୃତପାପର ପ୍ରଥମ ପ୍ରାୟଶ୍ଚିତ । ଜୀବନର ପ୍ରଥମ ଆତ୍ମ-ବିଶ୍ୱାସ ।

 

ଅନୁପମ ଠିକ୍‌କଲା କଲେଜରେ ସେ ଯେମିତି ହେଲେ ଖୋଜି ବାହାର କରିବ ସୁମିତାକୁ ।

 

ଆକାଶ ପୂର୍ବପରି ମେଘବୃତ । ବର୍ଷୁନାହିଁ କିମ୍ବା ଖୋଲିଯାଉନାହିଁ, କି ଭାସିଯାଉ ନାହିଁ କୁଆଡ଼େ ।

 

ଅନୁପମ କଲେଜକୁ ଗଲା । କୋଠରି କୋଠରି ବୁଲି ସୁମିତାକୁ ଖୋଜିଲା; କେଉଁଠି ହେଲେ ପାଇଲାନାହିଁ । ୱାର୍ଡ଼ ୱାର୍ଡ଼ ବୁଲିଲା । ଲାବୋରେଟରିରୁ ଲାବୋରେଟରି ଗଲା । ସୁମିତା କଣ ଆସିନାହିଁ କି ?

ଅନୁପମ ଲେଡ଼ିଜ୍‌ କମନ୍‌ ରୁମ୍‌ ପାଖରେ ଯାଇ ଠିଆହେଲା । ଝରକାବାଟେ ଚାହିଁଲା । ଗୁଡ଼ାଏ ଝିଅଙ୍କର କଥା ଓ ହସ ଶୁଭାଯାଉଥାଏ । ଅନୁପମ ଆପଣାର କୌଣସି ସହପାଠିନୀଙ୍କର କଣ୍ଠସ୍ୱର ଶୁଣିବାକୁ ପାଇଲାନାହିଁ । କାହାକୁ ଡାକି ପଚାରିବ ? ଯାହାକୁ ପଚାରିବ ତାର କଣ ଧାରଣା ହେବ ଅନୁପମ ଉପରେ ?

ସେ କେବଳ ଠିଆହୋଇ ରହିଥାଏ । କେହି ଭିତରକୁ ଯାଉନଥାନ୍ତି କିମ୍ବା ଭିତରୁ ଆସୁନଥାନ୍ତି । ଆପଣାର ଠିଆହୋଇ ରହିବାଟାକୁ କିଛିକ୍ଷଣ ପରେ ସେ ଆଉ ଭଲ ମନେକଲା ନାହିଁ । ତାକୁ ଜାଗାଟା ମାଡ଼ିମାଡ଼ି ପଡ଼ିଲା । ସେ ନିଜକୁ ବୁଝେଇପାରିଲା ନାହିଁ ଠିଆହେବାର ଯଥାର୍ଥତା ଘେନି । ନିଜର ଯୁକ୍ତିଗୁଡ଼ାକ ନିଜ ପାଖରେ ବି ଫମ୍ପାପରି ବୋଧହେଲା ।

ସେ ଫେରିବାକୁ ଠିକ୍‌ କରି ବୁଲିପଡ଼ିଲା । ଦେଖିଲା ସୁମିତା ଠିଆହୋଇଚି ନୀରବରେ । ଓଠରେ ହସ ନାହିଁ । ମେଘୁଆ ଆକାଶ ପରି ମୁହଁଟା ଭାରି, ଅଳ୍ପ ନଇଁପଡ଼ିଚି ତଳକୁ । ବେକରେ କଳାନାଗ ପରି ଝୁଲୁଚି ଷ୍ଟେଥିସ୍‌କୋପଟା । ପୂର୍ବ ରାତିର ଶାଢ଼ିଟି ପିନ୍ଧିଛି । ଅନୁପମ ନିଜ ହାତରେ ଖୋଷିଦେଇଥବା ଗେଣ୍ଡୁଫୁଲଟା ସେଇମିତ ଲାଖିରହିଚି, ମଉଳି ପଡ଼ିଚି, ତୋରା ଦିଶୁନାହିଁ; ଗୋଟାଏ ରଙ୍ଗ ଛାଡ଼ିଯାଇଥିବା ପ୍ଲାଷ୍ଟିକ୍‌ ଫୁଲ ପରି ମନେହେଉଚି । ମୁଣ୍ଡବାଳରେ ତେଲ ଦିଆଯାଇନାହିଁ,–ଆଗପାଖରେ ଅଳକ ସବୁ ଏପାଖ ସେପାଖ ହୋଇ ମୁର୍ଦ୍ଦାର ପରି କପାଳ ଉପରେ ଓ କାନ ପାଖରେ ପଡ଼ିଚି ।

ଅନୁପମ ସୁମିତାର ମୁହଁକୁ ଚାହିଁପାରଲା ନାହିଁ ଭଲକରି । ଗତ ଦିନର ଘଟଣା ସ୍ମରଣକରି ସେ ବିବ୍ରତ ହୋଇପଡ଼ିଲା । ସୁମିତା ଆଗରେ ପୂର୍ବପରି ଦୃଢ଼ଭାବରେ ଠିଆହେବାର ସାହସ ତାର ନାହିଁ । ସେ ନିଜକୁ ହିଁ ନିଜେ ଦୁର୍ବଳ କରିପକାଇଚି ।

ସୁମିତାକୁ ସାମ୍ନାରେ ଦେଖି ଅନୁପମ କେବଳ ବିସ୍ମିତ ହେଲାନାହିଁ । ତା’ର ଛାତି ଏକ ଅଜଣା ଭୟରେ ଧକ୍‌ଧକ୍‌ ହେବାକୁ ଲାଗିଲା–ପାପଟାକୁ ଆଖି ସାମ୍ନାରେ ଭେଟିଲେ ପାପୀ ଯେପରି ଚମକିପଡ଼େ ଓ ଭୟରେ କମ୍ପି ଉଠେ–ହତବ୍ୟକ୍ତିର ଭୂତକୁ ଦେଖି ଘାତକ ଯେମିତି ବିବ୍ରତ, ଭୀତ ଓ ଅନୁତାପ–ଜର୍ଜରିତ ହୋଇଉଠେ । ସୁମିତାର ବାହୁ ଦୁଇଟାକୁ ଚାହିଁ ଅନୁପମ ସେଇପରି ତ୍ରସ୍ତ ହୋଇପଡ଼ିଲା ।

ସେ କେବଳ ଠିଆହୋଇ ରହିଲା ଓ ଆପେ ଆପେ ତାର ଜିରାଫ୍‌ ପରି ବେକଟା ନଇଁଗଲା ସୁମିତାର ଅଚଳୋ ଡୋଳାଦୁଇଟା ସାମ୍ନାରେ । ସେ ଶବ୍ଦଟାଏ ମଧ୍ୟ ଉଚ୍ଚାରଣ କରିପାରିଲା ନହିଁ ।

ସୁମିତା କହିଲା–‘‘ଅନୁପମ ବାବୁ !’’ ...ଓ ନିଜର ଡିସେକ୍‌ସନ୍‌ ବାକ୍‌ସ ଭିତରୁ ଚିଠିଟାଏ ବାହାର କରି ଦେଲା–‘‘ଏଇଟାକୁ ଦୟାକରି ପଢ଼ିବେ ।’’

ତା’ପରେ ସେ ଚାଲିଯିବାକୁ ବସିଲା । ଅନୁପମ ଅଟକାଇଲା–‘‘ଶୁଣ ! ମୁଁ ଭୁଲ କରିଛି-।’’

‘‘ଭୁଲ୍ !’’ ସୁମିତା କହିଲା–‘‘ଆପଣ ଭୁଲ କରିନାହାନ୍ତି, ମୁଁ ଆପଣଙ୍କୁ ଜବରଦସ୍ତି ନିମନ୍ତ୍ରଣ କରି ଭୁଲ୍‌ କରିଛି ।’’

‘‘ନା, ନା ସୁମିତା–ତା’ ନୁହେଁ...’’ ଅନୁପମ ବ୍ୟସ୍ତ ହୋଇପଡ଼ିଲା–‘‘ମୋତେ କ୍ଷମାକର । କାଲିକା ଘଟଣାଟା ଭୁଲିଯାଅ । ତୁମେ ଜାଣିନାହଁ ମୋର ମାନସିକ ଯନ୍ତ୍ରଣା କାଲି କେମିତି ଥିଲା । ମୁଁ ଗୋଟାଏ ବିରାଟ ଅପରାଧ ମୋର ଅଜାଣତରେ କରିବାକୁ ଯାଉଥିଲି । ତୁମେ ମୋତେ କ୍ଷମାକର ସୁମିତା !’’

ସୁମିତା ନିରୁତ୍ତର ।

‘‘ଆଜି ମୁଁ ଠିକ୍‌ କରିଛି...’’ ଅନୁପମ କହିଲା ।

‘‘କଣ ଠିକ୍‌ କରିଛନ୍ତି ?’’–ସୁମିତା କହିଲା–‘‘ମୋ ସାଙ୍ଗରେ ଆଳାପ ମଧ୍ୟ ବନ୍ଦ କରିଦେବେ–ଏଇଆ... ?’’

‘‘ନା...ନା...ଠିକ୍‌ କରିଛି ....ଠିକ୍‌ କରିଛି...’’ ଅନୁପମ କହିପାରିଲାନାହିଁ । ଶବ୍ଦଟା ଓଲଟିଲା ନାହିଁ । ସେ ଚାହିଁରହିଲା ସୁମିତାକୁ ।

ସୁମିତା ତଥାପି ଏକ ପ୍ରଶ୍ନବାଚୀ ପରି ଠିଆହୋଇଥିଲା–‘‘କଣ ଠିକ୍‌ କରିଛନ୍ତି ? କୁହନ୍ତୁ... ।’’

‘‘ନା, ସେ ପରକଥା’’–ଅନୁପମ କହିଲା–‘‘ମୁଁ ଆଜି ସଂଧ୍ୟାରେ ତୁମ ଘରକୁ ଯିବି ।’’

‘‘ୱେଲ୍, ଆଇ ସାଲ୍ ବା ଗ୍ଳାଡ଼୍‌’’–ସୁମିତା କହିଲା–‘‘ଇଫ୍‌ ୟୁ ପ୍ଳିଜ୍‌ ।’’ ଉପରକୁ ଟିକିଏ ହେଲେ ହସ ମଧ୍ୟ ଫୁଟି ବାହାରିଲା ନାହିଁ ସୁମିତାର ।

ଅନୁପମ କହିଲା–‘‘ତୁମେ କିଛି ଭାବିବନାହିଁ । ମୁଁ କାଲିକା ନିମନ୍ତ୍ରଣଟା ସଂପୂର୍ଣ୍ଣ କରି ଆସିବି ଆଜି ।’’

ଅନୁପମ ପଳେଇଆସିଲା । ସୁମିତା ସେଇମିତି ସେଇଠି ଏକ ଖୁଣ୍ଟପରି ଠିଆ ହୋଇଥିଲା କିଛି ସମୟ । ଅନୁପମ ତାକୁ ଦୂରରୁ ଦେଖିଥିଲା ସେଇମିତି ଠିଆହେବାର । କେତେବେଳେ ସେଇ ଅବସ୍ଥାରୁ ସୁମିତା ମୁକ୍ତି ପାଇଥିବ କିଏ ଜାଣେ ?

ଅନୁପମ ରୁମ୍‌ରେ ପହଞ୍ଚି ଚିଠିଟା ଖୋଲି ପଢ଼ିଲା । ଚିଠିରେ ବିଶେଷ କିଛି ନ ଥିଲ । ସୁମିତା କେବଳ କ୍ଷମା ମାଗିଥିଲା । ତା’ଛଡ଼ା ଗୋଟିଏ ବିଶେଷ ଅନୁରୋଧ କରିଥିଲା ସେଇ ଚିଠିରେ ସୁମିତା । ଅନୁରୋଧଟା ଅତ୍ୟନ୍ତ ଗୁରୁତର । ସୁମିତା ଲେଖିଥିଲା,–

‘‘ପ୍ରିୟ ଅନୁପମ ବାବୁ !

ଆପଣ ମୋର ବାପାଙ୍କ ଅବସ୍ଥା ଦେଖିଲେ । ସେ ଦିନକୁଦିନ କେବଳ ମୋ’ରି ଚିନ୍ତାରେ ଝଡ଼ିଯାଉଛନ୍ତି । ଦିନ ଦିନ ପ୍ରଳାପ କରୁଛନ୍ତି, ବେଳେବେଳେ ଆପଣାକୁ ହୀନ ପାପୀ ବୋଲି କହି ଜୋର୍‌ରେ କାନ୍ଦି ଉଠୁଛନ୍ତି । ଅନୁପମ ବାବୁ ! ମୁଁ ନାରୀ, ଅତି ଦୁର୍ବଳ । ତାଙ୍କର ଏ ଦୁଃଖ ମୁଁ ସହିପାରୁନାହିଁ, ତାଙ୍କ ଆଖିର ଲୁହ ମୁଁ ଦେଖିପାରୁନାହିଁ । ସେ ମୋର ପିତା । ତାଙ୍କର ଅନ୍ତିମକାଳ ଉପସ୍ଥିତ । ତାଙ୍କର ଶେଷକାଳରେ ଟିକିଏ ହସ ମୁଁ ଦେଖିବାକୁ ଚାହେଁ । ତାଙ୍କ ପ୍ରାଣରୁ ଦୁଇଟା ସନ୍ତୋଷଜନକ ନିଃଶ୍ୱାସ ବାହାରିବ–ତାହାହିଁ ମୋର ଇଚ୍ଛା; କିନ୍ତୁ କେମିତି ତାହା ?

 

‘‘ଆପଣ କାଲି ଝଡ଼ବେଗରେ ଚାଲିଆସିଲେ, କାହାରିକୁ କିଛି ନକହି, ନଖାଇ, ନପିଇ । ବାପା ଚମକିପଡ଼ି ପଚାରିଲେ–ସୁମି ! ସୁମି ! କଣ ହେଲା ? କଣ ହେଲା ? ମୁଁ କଣ ବା କହିଥାନ୍ତି-? ମୁଁ ନିର୍ବାକ୍‌ ଓ ହତବୁଦ୍ଧି ହୋଇ ଠିଆ ହୋଇଥାଏ । କବାଟ ଖୋଲାଥାଏ, ଆପଣଙ୍କର ଦ୍ରୁତ ପାଦଶବ୍ଦ ରାସ୍ତାରେ ରାସ୍ତାରେ ମିଳେଇ ଯାଉଥାଏ । ମୁଁ ଠିଆ ହୋଇଥାଏ ଗୋଟାଏ ପମ୍ପଦିଆ ରବର ନାରୀପରି, ଗୋଟାଏ ଚିତ୍ରପରି । ବାପାଙ୍କୁ ମୁଁ କୌଣସି ଉତ୍ତର ଦେଇପାରିନଥିଲି-। ବାପା ପୁଣି ପଚାରିଲେ–‘ସୁମି ! ସୁମି ! କଣ ହେଲା ? କଣ ହେଲା ? ଆରେ... !!’ ତା’ପରେ ସେ ଆପଣଙ୍କ ନାମ ମଧ୍ୟ ଧରି ଡାକିଲେ...‘କଣ ହେଲା ବାବୁ ?’

 

‘‘ତା’ପରେ ବାପା ଆଉ ଖଟ ଉପରେ ବସିପାରିଲେନାହିଁ । ତରତର ହୋଇ ଓହ୍ଲାଇଲେ-। ଓହ୍ଲାଉ ଓହ୍ଲାଉ ଖୁବ୍‌ଜୋର୍‌ରେ ପଡ଼ିଗଲେ ତଳେ ।

 

‘‘ତା’ ପରେ ମୋର ଚେତନା ଆସିଲା । ମୁଁ ଦଉଡ଼ିଗଲି ତାଙ୍କ ପାଖକୁ । ବାପାଙ୍କୁ ଆଉ ତଳୁ ଉଠାଇପାରିଲି ନାହିଁ । ତାଙ୍କରି କୋଳରେ, ସେଇ ଭୂମିରେ ମୁହଁ ରଖି ଭୋ-ଭୋ ହୋଇ କାନ୍ଦିଉଠିଲି । କାହିଁକି କାନ୍ଦିଲି ଜାଣେନାହିଁ । ତୁମ ଲାଗି, କି ବାପାଙ୍କ ଲାଗି କିମ୍ବା ମୋ’ ନିଜ ଲାଗି କାନ୍ଦିଲି, ଜାଣେନାହିଁ ।

 

‘‘ବାପାଙ୍କ ସ୍ୱର ମୋର କାନପାଖରେ ଶୁଭିଲା–‘ସୁମି ! କାନ୍ଦନା କାନ୍ଦନା । ଆହୁରି ଅନେକ ଦୁଃଖ ଭୋଗିବାକୁ ହେବ ତୋତେ । ଏତିକି ଦୁଃଖରେ ଯଦି ଭାଙ୍ଗିପଡ଼ୁ ଚଳିବୁ କେମିତି ?’

 

‘‘ସେ ମୋର ପିଠି ଓ ମୁଣ୍ଡ ଆଉଁସିଲେ ।

 

‘‘ଖୁବ୍‌ ଗୁରୁତର ଭାବେ ଆହତ ହୋଇଛନ୍ତି ସେ । ଆଉ ଉଠିପାରୁନାହାନ୍ତି । ଖାଲି ପ୍ରଳାପ କରୁଛନ୍ତି–‘ସୁମି ! ସୁମି ! ମିତା ! ତୋ ବାହାଘର କେମିତି ହେବ ?’

 

‘‘ତାଙ୍କର ବଡ଼ ଭୟ ବୋଧହୁଏ ମୁଁ ଚିରଦିନ ଅବିବାହିତା ରହିଯିବି–କେହି ମୋତେ ଭଲପାଇବେ ନାହିଁ–ମୋ’ରିଠାରୁ ତାଙ୍କର ନାମ ଓ ବଂଶ ଲୁପ୍ତ ହୋଇଯିବ–କେହି ରହିବେ ନାହିଁ ଆଗକୁ ମନେପକାଇବା ଲାଗି ।

 

‘‘ମୁଁ ଆପଣଙ୍କୁ ଭଲପାଏ ବୋଲି ଦିନେ ବାପାଙ୍କ ସାମ୍ନାରେ ପ୍ରକାଶ କରିଥିଲି । ବାପା ଭାରି ଖୁସି ହୋଇଥିଲେ । ମୁଁ ଅବଶ୍ୟ ଜାଣେନା, ଆପଣ ମୋତେ ସ୍ନେହକରନ୍ତି କି ନାହିଁ । ମୁଁ ଏକଥା ବାପାଙ୍କ ଆଗରେ କହିବାର ଅର୍ଥ କେବଳ ତାଙ୍କୁ ଟିକିଏ ଶାନ୍ତି ଦେବା । ଏହାଦ୍ୱାରା ମୁଁ ନିଶ୍ଚୟ ଆପଣଙ୍କ ପାଖରେ ଭୁଲକରିଛି, ବାପାଙ୍କ ପାଖରେ ବି ଭୁଲ୍‌କରିଛି । ଆପଣଙ୍କଠୁ ସ୍ନେହ ଦାବି କରିବାର ଅଧିକାର ମୋର ନାହିଁ । ମୁଁ ବି ଦାବି କରିବି ନାହିଁ କେବେ । କେବଳ ଗୋଟିଏ ଅନୁରୋଧ ମୋର, ଦୟାକରି ରଖିବେ I କେବଳ ମୋର ବାପାଙ୍କୁ କହିବେ ଯେ ମୋତେ ଖୁବ୍‌ ଭଲପାଆନ୍ତି ଏବଂ ମୋତେ ବିବାହ କରିବେ । ଆପଣଙ୍କ ମୁହଁରୁ ଏତିକି ଶୁଣିଲେ ସେ ନିଶ୍ଚୟ ଶାନ୍ତିରେ ଆଖି ବୁଜିବେ । ଏତିକି ମୋର ଅନୁରୋଧ । ମୁଁ କେବେ ଆପଣଙ୍କ ପାଖରୁ ଭବିଷ୍ୟତରେ ସ୍ନେହ ଆଦାୟ କରିବାକୁ ଜିଦ୍‌ କରିବିନାହିଁ । ମୁଁ ଆପଣଙ୍କ ବେକରେ କାଳିନାଗ ପରି ଗୁଡ଼େଇହେବାକୁ ଯିବିନାହିଁ । ମୁଁ ଆପଣଙ୍କଠାରୁ ନିଶ୍ଚୟ ନିଜ ଇଚ୍ଛାରେ ଦୂରେଇଯିବି । ଏ ଦୁନିଆରେ କେହି ‘‘ଜାଣିବେନାହିଁ ଯେ ଆପଣ ମୋର ବାପାଙ୍କୁ କଥା ଦେଇଥିଲେ ବୋଲି । ଅନୁପମ ବାବୁ ! ମୋର ଏଇ ନିର୍ମଳ ଅଥଚ, ଅବାନ୍ତର ଅନୁରୋଧକୁ ଉପେକ୍ଷା କରିବେନାହିଁ, ସନ୍ଦେହ ଆଖିରେ ଦେଖିବେ ନାହିଁ । ଅନୁରୋଧ ମୋ ପାଇଁ ନୁହେଁ, ମୋର ସେଇ ରୁଗ୍‌ଣ, ପଳିତ ଓ ମୁମୂର୍ଷୁ ବାପାଙ୍କ ପାଇଁ ।

 

‘‘କାଲି ନଖାଇ ପଳାଇଆସିଲେ । ଭାତହାଣ୍ଡି ସେଇମିତି ପଡ଼ିଛି । ଢଙ୍କା ଖୋଲା ହୋଇନାହିଁ । ପାଣିଗିଲାସ ଓ ଆସନ ସେଇମିତି ଥୁଆହୋଇଛି ।

 

‘‘ମୁଁ କି ଅପରାଧ କରଛି ଏଯାଏଁ ବୁଝିପାରୁନାହିଁ । ଯଦି ମୋର ଅଜାଣତରେ ମୁଁ ଅପରାଧ କରିଛି, ତାହା ଆପଣ ବଡ଼ ଗୁଣରେ କ୍ଷମାଦେବେ ।’’

 

‘‘ଆପଣ ପୁରୁଷ, ମୁଁ ନାରୀ । ଆପଣଙ୍କଠାରୁ ସ୍ନେହ ଓ କ୍ଷମା ଚାହିଁବା ଅପରାଧ ନୁହେଁ-।’’

 

‘‘ମୁଁ ଜାଣେନା–ଆପଣ ମୋର ଏଇ ଅନୁରୋଧ ରଖିବେ କି ନା; ତଥାପି ବିଶ୍ୱାସ କରୁଛି...ଆଶା କରୁଛି...ଆପଣ ଆସିବେ ଦୀପର ସଳିତା ନିକଟକୁ ଯେମିତି ଆସେ ଅଗ୍ନି ।

 

ଇତି

ଅପରାଧିନୀ

ସୁମିତା’’

ଅନୁପମ ଚିଠିଟା ପଢ଼ିସାରି କିଛି କ୍ଷଣ ନୀରବରେ ତଳକୁ ଚାହିଁ ଭାବିବାକୁ ଲାଗିଲା–ସୁମିତାର କରୁଣ ଅବସ୍ଥା ସମ୍ପର୍କରେ । ସୁମିତାର ବୁଢ଼ାବାପାର ମୁହଁ ତାକୁ ଦିଶିଗଲା । ଯୀଶୁଙ୍କର ସେଇ ଫଟୋଆଡ଼େ ମୁହେଁଇବସିଚି ବୁଢ଼ା, ଆଖିରୁ ଲୁହ ବହିଯାଉଛି, ମଝିରେ ମଝିରେ ପ୍ରଳାପ କରୁଛି–‘ସୁମି ! ସୁମି ! ଲୋ ମିତା ! କାନ୍ଦନା ମା, କାନ୍ଦନା ? ପୁଣି କେତେବେଳେ କହୁଚି–‘ହଉ ହଉ କାନ୍ଦ୍‌, ଭଲକରି କାନ୍ଦ୍‌ । ସେଇ ଯୀଶୁ କେବଳ ତୋ’ କାନ୍ଦଣା ବୁଝିବେ ।’ ଅଲକ୍ଷ୍ୟରେ ଆକୁଳରେ ବେଳେବେଳେ ଡାକୁଚି–ମାର୍ଗାରେଟା ! କୁଆଡ଼େ ତୁ ? ଚାହାଁ, ମୁଁ କେମିତି ଦୁର୍ବଳ ହୋଇପଡ଼ିଚି ମୋର ବଳିଷ୍ଠ ଶରୀର କେମିତି ଆଜି କଙ୍କାଳସାର ହୋଇଯାଛଛି । ଦେଖ୍‌ ଦେଖ୍‍ ବାପହୋଇ କେମିତି ଝିଅର କାନ୍ଦଣାକୁ ସହିଯାଉଚି ? ବୁଢ଼ା କାନ୍ଦି ଉଠି କହୁଛି–‘ମାର୍ଗାରେଟା ! ତୋ’ର ଶେଷ କଥା ମୁଁ ରଖିପାରୁନାହିଁ । ମୁଁ ଆଉ ସେକାଳର ଉଚ୍ଚପଦସ୍ଥ କର୍ମଚାରୀ ନୁହଁ । ମୋର ଖାନ୍‌ସାମା ନାହାନ୍ତି । ମୋର ଘୋଡ଼ା ନାହିଁ । ମୋର ସେଇ ହଣ୍ଟର୍‌ଟା ମଧ୍ୟ ନାହିଁ, ଯେଉଁଥିରେ ବାଡ଼େଇ ମୁଁ ସେଇ ନିର୍ଦ୍ଦୋଷ ନିରୀହ ଜଙ୍ଗଲି ମଣିଷଗୁଡ଼ାଙ୍କୁ ସାବାଡ଼ କରୁଥିଲି । ମୋତେ କ୍ଷମା କରେ ! ମୋତେ କ୍ଷମା କରେ ମାର୍ଗାରେଟା ! ମୁଁ ତୋର କଥା ରଖିପାରୁନାହିଁ । ମୁଁ ସାଜାହାନ୍‌ ନୁହେଁ ।’ ବୁଢ଼ାର ଶବ୍ଦ ଅନୁପମକୁ ବିବ୍ରତ କରିଦେଲା । କଡ଼ ଲେଉଟେଇଲା ସେ । ତଥାପି ଅନ୍ତରିତ ହେଲାନି । ବୁଢ଼ାଟା ଯେମିତି କାନପାଖରେ ଫୁସ୍‌ଫୁସ୍‌ କରି କହୁଛି–‘ବାବୁ ! ତୁମ ଉପରେ ମୋର ଖୁବ୍‌ ଭରସା । ଠିକ୍‌ ତୁମରି ଶରୀରପରି ମୋର ମଧ୍ୟ ଶରୀର ଥିଲା ।’

ସୁମିତା ଲେଖିଚି–ବୁଢ଼ା ପଡ଼ିଯାଇଛି ଖଟ ଉପରୁ । ଆଉ ଉଠିପାରୁନାହୁଁ । ଶେଷ କାଳ-। ଛଞ୍ଚାଣ ଉଡ଼ିଲାଣି । ଚକ୍ର ବୁଲିଯିବ । ତା’ ପରେ, ତା’ ପରେ ସୁମିତା ହେବ ଏକାନ୍ତ ଏକାକିନୀ, ଏକ ଅସହାୟ କପୋତୀ । କରୁଣ ହେବ ତାର ଜୀବନ । ଇସ୍‌ !!! ଅନୁପମ ଆଉ ଚିନ୍ତା କରିପାରିଲାନାହିଁ ।

କଣ ସେ କରିପାରିବ ତା’ ପାଇଁ ?

ସେ କଣ ସୁମିତାକୁ ... ? ନା, ନା..... ବଡ଼ ଭୟ ତାର ସେଇ ଉଲ୍‌କାଟାକୁ; ପ୍ରାଣେ ଭୟ ତାର ଜ୍ୱଳନ୍ତ ବିଗ୍ରହକୁ । ସେଇଟା ପୁଣି ଗୋଟାଏ ଝଡ଼ର ଇଗଲ୍‌ ପରି ବାହାରିପଡ଼ିବ । ନା, ନା, ସୁମିତା ବରଂ କାନ୍ଦୁ । ନିଃସ୍ୱ ହେଉ । ଅଭାଗିନୀ ପରି ଜୀବନ ଯାପନକରୁ–ତା’ର କଣ ଯାଏ ?

 

ଅନୁପମ ବୁଲି ଶୋଇଲା ।

 

ସୁମିତା ଲେଖିଚି ଅନୁପମକୁ ଯିବାଲାଗି । ତାର ବିଶ୍ଵାସ ଅନୁପମ ଯିବ । କାହିଁକି ଅନୁପମଠିଁ ତା’ର ବିଶ୍ୱାସ ଜନ୍ମିଲା ?

 

ସୁମିତାର ଅନୁରୋଧକୁ ଅନୁପମ କଣ ଏଡ଼ାଇଦେଇପାରେନା ?

 

ସୁମିତା ଲେଖିଛି–ସ୍ନେହ ସେ ଦାବି କରିବନାହିଁ । ସେ ଦୂରେଇଯିବ । କିଛି ଚାହିଁବ ନାହିଁ-। ଖାଲି ସେ ଚାହେଁ ତା’ରି ବାପା ଲାଗି.... ।

 

ଅନୁପମ ମିଛ କହିପାରିବ ? କହିପାରିବ ସେ ମୁହଁ ଖୋଲି ?

 

କାହିଁକି ନ ପାରିବ ? କିଏ ତାକୁ ବାଧା ଦେଉଛି ? ଉଲ୍‌କା ? ଜୋନାକୀ ? ହୁଁ !! ସବୁ ମିଛ । ସବୁ ମାୟା । ସମସ୍ତେ ଗୋଟିଏ ଗୋଟିଏ ମିଥ୍ୟାର ଅବତାର, ମାୟାର ବିଗ୍ରହ, ଛଳନାର ଓ ନିର୍ଯାତନାର ସାକାର ପ୍ରତିମା । କାହିଁକି ସେମାନଙ୍କର ବାଧା ମାନିବ ଅନୁପମ ?

 

ଅନୁପମକୁ ବଞ୍ଚିବାକୁ ପଡ଼ିବ–ଯେତେ ଭୟଙ୍କର ହେଉ ବରଂ ତା’ର ଜୀବନଲୀଳା । ସମାଜ ପକ୍ଷରେ ଘୋର ଅପବିତ୍ର ଶାଗୁଣା ସେ ହେଉ ପଛକେ, ଧୂମକେତୁ ହେଉ ପଛକେ–ତାକୁ ବଞ୍ଚିବାକୁ ପଡ଼ିବ–ଗୋଟାଏ ଆକ୍ୱାରିଅମର ମାଛ ପରି ନୁହେଁ; ତାକୁ ବଞ୍ଚିବାକୁ ପଡ଼ିବ ଗୋଟାଏ ଅନନ୍ତ ସାଗର ଭିତରର ଜଳବ୍ୟାଘ୍ର ହାଙ୍ଗର୍‌ ପରି । ହଁ, ହଁ ସେଇମିତି । ଏପରି କ୍ଷୀଣ, ନିଷ୍ପେଷିତ, ଦୁର୍ଦ୍ଦଶାଗ୍ରସ୍ତ, ପଚମାନ ଓ ଦୁଃଖଜର୍ଜରିତ ଜୀବନ ଘେନି ଲୁହ ଓ ଲାଭା ଭିତରେ ବଞ୍ଚିବାଟା ନୁହେଁ–ଏକ ଜୀବନ୍ତ ସମାଧି ।

 

ସେ ଅସୁରକୁଳର ବଂଶଧର । କଳିଙ୍ଗା ଘାଟିର ସେଇ ନବୋତ୍‌ଥିତ ଅସୁର ପରି ସେ ବି ଗୋଟି ଗୋଟି କରି ନିଃଶେଷ କରିବ ଏଇ ସୁନ୍ଦର ସଭ୍ୟତାକୁ । ସେ ବି ଜବାବ୍‌ ଦେବ ତା’ ନିର୍ଯାତନାର । ସେ ଆରମ୍ଭ କରିବ ଆର୍ଯ୍ୟମେଧ ଯଜ୍ଞ । ସେଇ ପବିତ୍ର ଯୁଗାନ୍ତକାରୀ ସଫଳତା ଲାଗି ସେ ସାଥୀ କରିବ ସୁମିତାକୁ ।

 

ହେଉ ମହାବିପ୍ଳବ । ହେଉ ମହାସମର । ଧ୍ୱଂସ ହେଉ ଏଇ ପୃଥିବୀ । ଧ୍ୱଂସ ହେଉ ଏଇ ଆର୍ଯ୍ୟ-ସଭ୍ୟତାର କଳଙ୍କିତ ଦୁର୍ଗସବୁ । ଧ୍ୱଂସ ହେଉ । ନୂଆ କରି ଗଢ଼ିଉଠୁ ସଭ୍ୟତା, ଯହିଁରେ ସୁନ୍ଦର ଓ ଅସୁନ୍ଦର, ଆର୍ଯ୍ୟ ଓ ଅସୁର ଭିତରେ ଭେଦାଭେଦ ନଥିବ । ଯହିଁରେ ସୁବିଧାପ୍ରାପ୍ତ ଗୋଷ୍ଠୀ ନଥିବେ, ଯହିରେ ବାଛବିଚାର ରହିବନାହିଁ ମଣିଷ ମଣିଷ ଭିତରେ ।

 

ସୁମିତା ! ତୁମେ ଆସ, ତୁମେ ଆସ, ତୁମ ନିର୍ଯାତନାର ପ୍ରତିବାଦ କର ! ତୁମେ ମୋର ସହଚରୀ ହୁଅ ! ତୁମର ମା’ କଥା ସ୍ମରଣ କର ! ତାଙ୍କରି ରକ୍ତ ତୁମ ଦିହରେ । ଆମେ ଦୁହେଁ ଏକାପରି । ଚାଲ, ହାତ ମିଳାଅ ! ଏ ଆର୍ଯ୍ୟ, ଏ ଦେଖା-ସୁନ୍ଦର, ଛଳନାମୟ, ସ୍ଵର୍ଣ୍ଣାଭାସ ସଭ୍ୟତାକୁ ଧ୍ୱଂସକରିବା । ଆମରି ହାହାକାରରେ ପୂର୍ଣ୍ଣ କରିବା ଗଗନ ପବନ । ଆରମ୍ଭ କରିବା ଆର୍ଯ୍ୟମେଧ ଯଜ୍ଞ । ସେଇ ଯଜ୍ଞରୁ ଏକ ନୂତନ ପ୍ରଳୟାସ୍ତ୍ରର ଉଦୟ ହେବ । ସେଇ ଅସ୍ତ୍ର ହିଁ ଏ ପୃଥିବୀର ବର୍ତ୍ତମାନ ରୂପକୁ ଓଲଟପାଲଟ କରିବ, ତଳ ଉପର କରିବ, ଏପଟ ସେପଟ କରିବ । ହେବ ନୂତନ ସର୍ଜନା । ନୂତନ ସର୍ଜନାରେ ଆଉ ବିଷ୍ଣୁକୁ ଦିଆଯିବନାହିଁ ସୁଦର୍ଶନ ଚକ୍ର ଚାଳନାର କ୍ଷମତା ।

 

ଅନୁପମ ଉଠି ବସିଲା ।

 

କିନ୍ତୁ ପୁଣି ସେ ଅନୁଭବ କଲା ଘଡ଼ିର ପେଣ୍ଡୁଲମ୍‌ ପରି ତା’ର ଛାତି ଭିତରେ ଉଲ୍‌କାଟାଏ ଦୋହଲୁଛି । ସେ ଷ୍ଟେଥିସ୍କୋପ୍‌ଟାକୁ କାନରେ ଲଗେଇ ନିଜ ଛାତି ଉପରେ ତା’ର ମୁଖଟାକୁ ଥାପି ଥାପି ବୁଲେଇଲା;–ବିଚିତ୍ର କଳକବ୍‌ଜାର ବିକଳ ଧ୍ୱନି ସେ ଶୁଣିବାକୁ ପାଇଲା ତାର ଛାତି ଭିତରୁ । ସେଇ ଧ୍ୱନିଟା ଉଲ୍‌କାର; ଆଉ କାହାରି ନୁହଁ ।

 

ସେ ବିଳମ୍ବ ନକରି ଡକ୍ଟର ମିଶ୍ରଙ୍କ ଲାବୋରେଟରିକୁ ଗଲା । ଡକ୍ଟର ମିଶ୍ର ଗୋଟାଏ ରୋଗୀର ଆଖି ଦେଖୁ ଥାଆନ୍ତି । ଅନୁପମର ଉପସ୍ଥିତି ସେ ଜାଣିପାରିଲେନାହିଁ । ଅନୁପମ ଲବୋରେଟରିରୁ ଗୋଟାଏ ସାନ ବୋତଲରେ କିଛି ଆବ୍‌ସଲ୍ୟୁଟ୍‌ ଅଲ୍‌କୋହଲ୍‍ ଅଜାଡ଼ି ନେଇ ପକେଟରେ ଭର୍ତ୍ତିକଲା । ତା’ପରେ ସେ ନୀରବରେ ଚାଲିଆସିବାକୁ ବସିଲା । ଡକ୍ଟର ମିଶ୍ର ପଛଆଡ଼ୁ ଡାକିଲେ–‘‘ଅନୁପମ !’’ ଅନୁପମ ଫେରିଲା । ଭୟରେ ସେ ଥରିବାକୁ ଲାଗିଲା; କିନ୍ତୁ ମୁହଁରେ ହସ ଫୁଟେଇବାକୁ ଚେଷ୍ଟାକରି ସେ କହିଲା–‘‘ଆପଣ ବ୍ୟସ୍ତ ଅଛନ୍ତି ବୋଲି ଚାଲିଯାଉଛି ।’’

 

ଡକ୍ଟର ମିଶ୍ର କହିଲେ–‘‘କଣ କିଛି କାମ ଥିଲା ?’’

 

‘‘ନା’’

 

‘‘ତେବେ ଯାଇପାର ।’’–ଡକ୍ଟର ମିଶ୍ର ପ୍ରଥମେ ସନ୍ଦିଗ୍‌ଧ ଦୃଷ୍ଟିରେ ଚାହିଁ, ତା’ପରେ ହା–ହା ହୋଇ ହସିବାକୁ ଲାଗିଲେ । ଅନୁପମ ଫେରିଆସିପାରିଲା ନାହିଁ । ହଠାତ୍‌ ଠିଆହୋଇ ରହିଲା କିଛିକ୍ଷଣ ।

 

ଡକ୍ଟର ମିଶ୍ର ଅନ୍ୟ କାମରେ ମନଦେଲେ । ଅନୁପମ ପଛେଇ ପଛେଇ ଫେରିଆସିଲା ରୁମ୍‌କୁ ।

 

ସନ୍ଧ୍ୟାବେଳେ ଅନୁପମ ବଗିଚାକୁ ଗଲା । ଦୁଇଟା ରକ୍ତଗୋଲାପ ପକେଟ୍‌ରେ ଭର୍ତ୍ତିକଲା । ତା’ପରେ ସେ ରିକ୍‌ସା ଖଣ୍ଡେ ଧରି ଚାଲିଲା ସେଇ ତଳତେଲେଙ୍ଗାବଜାରର ଅପର୍ଚ୍ଛନିଆ ଗଳିଟାକୁ । ସୁମିତାର ଘର ଦୁଆରମୁହଁରେ ଓହ୍ଲେଇ ସେ କବାଟ ଠକ୍‌ଠକ୍‌ କଲା । ସୁମିତା ଦୁଆର ଖୋଲି ଅନୁପମକୁ ଦେଖି ଯୁଗପତ୍‌ ଆନନ୍ଦ ଓ ବିସ୍ମୟରେ ଅଭିଭୂତ ହୋଇପଡ଼ିଲା ଓ ତାର ଶ୍ମଶାନର ପୋଡ଼ା ବାଉଁଶପରି ହାତଦୁଇଟା ଅଳ୍ପ ଉପରକୁ ଉଠି ଯୋଡ଼ି ହୋଇଗଲା । ସୁମିତାର ଆଙ୍ଗୁଳିଗୁଡ଼ାକ ଭିତରେ ଧଳା ନଖଗୁଡ଼ାକ ଚକ୍‌ଚକ୍‌ ଦିଶୁଥାଏ ।

 

ଅନୁପମ ସୁମିତାର ଯୋଡ଼-ହାତକୁ ଧରିବାପାଇଁ ହାତୀଶୁଣ୍ଢ ପରି ତାର ହାତଟାକୁ ବଢ଼ାଇଲା । ସୁମିତା ପଛକୁ ଘୁଞ୍ଚିଗଲା ଓ ତିନିଚାରିପାଦ ପଛରେ ଗୋଟାଏ କଳାନାଗ ପରି ଫଣା ଟେକି ଅନୁପମକୁ ତୀବ୍ର ଆଖିରେ ଚାହିଁଲା । ଅନୁପମ ବୁଝିଲା ସୁମିତାର ଫଣା ଭିତରେ ଜଳୁଥିବା ଆଖି ଦୁଇଟାକୁ ଓ ସୁ-ସୁ ଗର୍ଜୁଥିବା ନିଃଶ୍ଵାସଟାକୁ; କିନ୍ତୁ ସୁମିତାର ସେଇ ଉତ୍‌ଫଣତା ବେଶି ସମୟ ତିଷ୍ଠି ପାରିଲାନାହିଁ । ସାପୁଆକେଳାର ବ୍ୟକ୍ତିତ୍ୱରେ ପରାସ୍ତ ହୋଇ ପେଡ଼ି ଭିତରେ ଆପେ ଆପେ ପଶିଗଲା ପରି ସୁମିତାର ଫଣା କେଉଁଠି ଲୁଚିଗଲା । ସେ ବଦଳିଗଲା । ତା’ ମୁହଁରେ ସ୍ୱାଗତିକାର ତୋରଣ ଝଲସିଉଠିଲା । ଗୋଟାଏ ରମ୍ଭାତରୁ ପରି ସେ ପତ୍ର ହଲାଇ ଡାକିଲା–‘‘ଆସନ୍ତୁ । ମୁଁ ଆପଣଙ୍କୁ ଅପେକ୍ଷା କରି ବସିଛି ।’’

 

‘‘ବାପାଙ୍କ ଦେହ କେମିତି ଅଛି !’’ ଅନୁପମ ପଚାରିଲା । ସୁମିତା କିଛି ଉତ୍ତର ନଦେଇ ଅନୁପମକୁ ଅନ୍ୟ ବଖରାକୁ ତା’ ସହିତ ଆସିବାକୁ ଇଙ୍ଗିତ ଦେଲା । ଅନୁପମ ଗଲା ।

 

ବୁଢ଼ା ଶୋଇଥାଏ କି ଚାହିଁଥାଏ ବୁଝାପଡ଼ୁନଥାଏ । ଅନୁପମ ବୁଢ଼ାର ପାଖରେ ବସି ନାଡ଼ି ଦେଖିଲା । କପାଳରେ ହାତ ମାରି ଉତ୍ତାପ ମାପିଲା । ତା’ ପରେ ମୁଣ୍ଡର ବାଳକୁ ଧୀରେ ଧୀରେ ସାଉଁଳେଇବାକୁ ଲାଗିଲା ।

 

ବୁଢ଼ାବାପାର ପାଦ ପାଖରେ ସୁମିତା ବସିଥାଏ ପାଦ ଦୁଇଟାକୁ ଆଉଁସି ଆଉଁସି । ବୁଢ଼ାର ନିଦ ଭାଙ୍ଗିଲା ବୋଧହୁଏ । ମେଁ ମେଁ କରି ବୁଢ଼ା କହିଲା–‘‘କିଏ ! ସୁମି ! ମା–ଖାଇଲୁଣି ନା-! ଯା’ ମା ଖାଇଦେ । ଯା... ଦିନରାତି ମୋ ପାଖରେ କାହିଁକି ବସିଚୁ ? ମୁଁ ମରିବି ନାହିଁ ଲୋ, ତୋର ଆଖିରେ ଲୁହ ଦେଖିବାକୁ ଏଇଠି ଶୋଇଥିବି । ଯା... I’’ ଆସ୍ତେ ଆସ୍ତେ ବୁଢ଼ାର ହାତଟି ଉଠିଲା ଅନୁପମର ହାତ ପାଖକୁ । ଅନୁପମ କିଛି କହିପାରିଲା ନାହିଁ । ଅନୁପମର ହାତ ଉପରେ ବୁଢ଼ାର ହାତ ଲାଗିବାକ୍ଷଣି ତା’ ମୁହଁର ରେଖାଗୁଡ଼ାକ ଈଷତ୍‌ କୁଞ୍ଚିତ ହୋଇଗଲା–‘‘କିଏ-?’’ ଅନୁପମ ତଥାପି ଉତ୍ତର ଦେଇପାରିଲାନାହିଁ । ‘‘କିଏ ? ସୁମି ! ସୁମି ! ମିତା ! ତୁ କୁଆଡ଼େ ?’’ ସୁମିତା ବୁଢ଼ାର ଗୋଡ଼ ପାପୁଲିରେ ହାତର ଚାପାକୁ ଆହୁରି ଟିକିଏ ଓଜନିଆ କରି କହିଲା– ‘‘ବାପା-! ମୁଁ ଏଇଠି, ଏଇଠି ବସିଚି, ଠିକ୍‌ ତୁମରି ଗୋଡ଼ ପାଖରେ ।’’

 

ବୁଢ଼ା କହିଲା–‘‘ତେବେ ଏ କିଏ ? ଏହା କାହାର ହାତ ? କାହାକୁ ତୁ ଡାକି ଆଣିଛୁ ମୋର ଘରକୁ ? ଆଁ !! ଆଉ ଡାକ୍‌ନା କାହାକୁ; ସମସ୍ତେ ତୋର ଜୀବନ ସହିତ ହିଁ ଖେଳିଯିବେ....-।’’

 

‘‘ବାପା !’’ ଅନୁପମ ଆଖିକୁ ଏକ ଅପରାଧିନୀ ପରି ଥରେ ଚାହିଁ ସୁମିତା ତାର ବାପାର ପାଟିରେ ହାତ ଦେଲା–‘‘ବାପା ! ଏଗୁଡ଼ାକ ତୁମେ କଣ କହୁଚ ? ସେ ପରା ଅନୁପମ ବାବୁ ! କାଲି ଯେ ଆସିଥିଲେ ।’’

 

‘‘ଓଃ’–ବୁଢ଼ା ଅନୁପମର ହାତକୁ ପୁଣି ଅଣ୍ଡାଳିବାକୁ ଲାଗିଲା–‘‘ବାବୁ ! ତୁମେ ଆସିଚ’’–ମୁହଁରେ ଏକ ପରିତୃପ୍ତିର ହସ ଖେଳିଗଲା ବୁଢ଼ାର–‘‘ତୁମଠୁ ମୁଁ ପଦେ କଥା ଶୁଣିବାକୁ ଚାହେଁ ।’’

 

ଅନୁପମ କିଛି କହିଲାନାହିଁ; ସୁମିତା ମୁହଁକୁ ଚାହିଁରହିଲା ନିଷ୍ପଲକ ଦୃଷ୍ଟିରେ । କିଛି କ୍ଷଣ ପରେ ବୁଢ଼ାର ମୁହଁରେ ଉକୁଟିଉଠିଥିବା ହସର ରେଖା କୁଆଡ଼େ ନଶ୍ଚିହ୍ନ ହୋଇଗଲା ।

 

ଅନୁପମ ବୁଢ଼ାର ହାତଟାକୁ ତଳେ ଥୋଇଦେଲା । ତା’ ଆଖି ଆଗରେ ନାଚିଉଠିଲା ସେଇ ଉଲ୍‌କାଟା । ଗୋଟାଏ ଅଗ୍ନିମଣ୍ଡଳ ପରି ଘୂରିବାକୁ ଲଗିଲା ସେ । ସାକ୍ଷାତ୍‌ ରଣମୂର୍ତ୍ତି ଚଣ୍ଡିକା-!

 

ଅନୁପମର ଓଠ କମ୍ପିବାକୁ ଲାଗିଲା । ସେ ଉଠି ପଳେଇଲା ଅନ୍ୟ ବଖରାକୁ । ପଛେ ପଛେ ତାକୁ ଅନୁସରଣ କଲା ସୁମିତା ଓ ଅନୁପମର ସାମ୍ନାରେ ବାହୁ ପ୍ରସାରିତକରି ଠିଆହେଲା–‘‘ନା, ତୁମକୁ ଆଜି ଛାଡ଼ିଦେବିନାହିଁ । କଥା ଦେବାକୁ ହେବ । ମୋର ଅନୁରୋଧ ରଖିବାକୁ ପଡ଼ିବ ।’’

 

ଅନୁପମକୁ ଲାଗୁଥିଲା ସେ ଯେମିତ ତଳେ ପଡ଼ିଯିବ ଓ ସେଇ ଚଣ୍ଡିକାଟା ମହିଷାସୁରକୁ ବଧିଲା ପରି ତାକୁ ଖଣ୍ଡ-ବିଖଣ୍ଡ କରିପକାଇବ ସେଇ ଅବସରରେ ।

 

ସୁମିତା କହିଲା–‘‘ତୁମେ ଅଭିନୟ କରି ଜାଣ । ଭାବିନିଅ, ଏଇ କଥା ଦେବାଟା ହିଁ ଏକ ନୂତନ ଅଭିନୟ ।’’

 

ଅନୁପମ ଆଗରେ ଉଲ୍‌କା ଘୂରୁଥାଏ । ସେ ଆଖିବୁଜି ସୁମିତାକୁ କୁଣ୍ଢାଇ ପକାଇଲା ନିବିଡ଼ଭାବରେ ଏବଂ ପକେଟ୍‌ରୁ ସେଇ ଆଲକୋହଲ୍‌ ବୋତଲଟା ବାହାର କରି ପିଇଦେଲା–ଏକାନିଶ୍ୱାସକେ । ଆଲ୍‌କୋହଲ୍‌ଟା ତରଳ ଅଗ୍ନିର ଧାରା ପରି ତାର ଅନ୍ତଗୁଡ଼ାକୁ ପୋଡ଼ି ପୋଡ଼ି ଚାଲିଲା ଭିତରକୁ । ଆଲ୍‌କୋହଲ୍‌ ଗନ୍ଧରେ ଏକବିଶେଷ ଅନୁଭୂତି ହେଲା ଅନୁପମର । ସେ ଦେଖିଲା–ଧୀରେଧୀରେ ସେଇ ଉଲ୍‌କାଟା ଅଦୃଶ୍ୟ ହୋଇଯାଉଛି ଏବଂ ସେଇ ଅଗ୍ନିମୂର୍ତ୍ତି ଚଣ୍ଡିକାଟା ଗୋଟିଏ ନାରୀ ପାଲଟି ଯାଉଛି । ଆସ୍ତେ ଆସ୍ତେ ହାତ ଗୋଡ଼ ଓଠ ସବୁ ଫୁଟିପଡ଼ୁଛି । ବାଃ, ବାଃ...ଚମତ୍କାର । ଅନୁପମ ବିସ୍ମିତ ହେଲା । ଏଡ଼େ ସୁନ୍ଦର ଏଇ ସୁମିତା ? ସେ ଘନଘନ ଚୁମ୍ବନ କରିବାକୁ ଲାଗିଲା ସେଇ ନାରୀମୂର୍ତ୍ତି ସୁମିତାକୁ–‘‘ମୁଁ ତୁମକୁ ଭଲପାଏ । ସୁମିତା, ମୁଁ ତୁମକୁ ବିବାହ କରିବି । ଚାଲ, ତୁମ ବାପାଙ୍କୁ ମଧ୍ୟ ଏ ଖବର ଜଣେଇଦେବା ।’’

 

ଅନୁପମ ସୁମିତାର କାନ୍ଧ ଉପରେ ଝୁଲିପଡ଼ି ହସିଉଠୁଥାଏ–‘‘ତୁମକୁ ଭଲପାଏ ମୁଁ, ଆଉ କାହାକୁ ନୁହେଁ । ସେଇ ଚଣ୍ଡୀ ପଳେଇଲାଣି । ଯାଉ, ଆମେ ସୁଖରେ ରହିବା । ତୁମେ ଭାବନା କରନା ।’’

 

ବୁଢ଼ାଟା ଆରଘରେ ତେଲ ସରିଆସୁଥିବା ପ୍ରଦୀପ ପରି ମିଁ ମିଁ ଜଳୁଚି ।

 

ଅନୁପମ ସୁମିତାକୁ ଟାଣି ଟାଣି ଆର ଘରକୁ ନେଇଗଲା ଓ ଯିଶୁଙ୍କର ଫଟୋ ସାମ୍ନାରେ ତାକୁ ଜବର୍ଦସ୍ତି ଠିଆ କଲା । ସୁମିତାର ଆଖି କିମ୍ବା ଦେହ ପ୍ରତି ଧ୍ୟାନ ନ ଥାଏ ତା’ର । ବୁଢ଼ାର ସ୍ୱର କିମ୍ବା ସୁମିତାର ଶବ୍ଦ କିଛି ଶୁଣାଯାଉନଥାଏ ତାକୁ ।

 

ସେ କହିଲା–‘‘ସୁମିତା ! ମୁଁ ତମକୁ ବିବାହ କରିବି, ଯିଶୁଙ୍କ ଆଗରେ ଶପଥକରି କହୁଚି, ତୁମକୁ ହିଁ ବିବାହ କରିବି ।’’

 

ବୁଢ଼ାଟାର ମେଁ ମେଁ ସ୍ଵର ଶୁଣାଗଲା ଅନୁପମକୁ । ସେ ବୁଲିପଡ଼ି ବୁଢ଼ାର କାନ ପାଖରେ ଏକ ଅସ୍ୱାଭାବିକ ସ୍ୱରରେ କହିଉଠିଲା–‘‘ମୁଁ ସୁମିତାକୁ ବାହାହେବି । ମୁଁ ତାକୁ ଭଲପାଏ ।’’

 

ତା’ପରେ ଅନୁପମର କେବଳ ଏତିକି ମନେପଡ଼େ ଯେ ସୁମିତା ତାକୁ ଆଲିଙ୍ଗନକରି ନେଇଯାଉଥିଲା କୁଆଡ଼କୁ । କୁଆଡ଼କୁ ସେ ବୁଝିପାରୁନଥିଲା । ସୁମିତାର କେବଳ ଗୋଟିଏ ଭାରିଶବ୍ଦକୁ ଅନୁପମ ଖିଆଲ୍‌ କରିପାରିଥିଲା–‘‘ତୁମେ ମଦ ପିଇଛ । ଅନୁପମ ! ଶୋଇପଡ଼ ଏଇଠି-।’’

 

ତା’ପରେ ସେ ଝିଅଟା ଦାନ୍ତ ଚିପି କାନ୍ଦୁଥିଲା ଅନୁପମର କାନ୍ଧ ଦୁଇଟାକୁ ଜୋର୍‌ରେ ହଲାଇ ହଲାଇ । ବେଶ୍‌ ସେତିକି ଅନୁପମର ଖିଆଲ ଭିତରେ ଘଟିଥିଲା । ତା’ପରେ ସେ ଶୋଇପଡ଼ିଲା ଗୋଟାଏ ଚେତନାଶୂନ୍ୟ ରୋଗୀ ପରି ।

 

ରାତି ପ୍ରାୟ ସେତେବେଳକୁ ଶେଷ ପ୍ରହରରେ ପହଞ୍ଚିଲାଣି । ଏକ କରୁଣ ବିଳାପ ଧ୍ୱନି ଅନୁପମର କାନରେ ବେହେଲାର ସ୍ୱରପରି ଧ୍ଵନିତ ହୋଇଉଠିଲା । ସ୍ୱରଟା ସ୍ପଷ୍ଟ ନୁହେଁ । କେଉଁଠୁ ଆସୁଚି ସ୍ୱରଟା ସେ ପ୍ରଥମେ ଠିକଣା କରି ପାରିଲାନାହିଁ । କିଏ କାନ୍ଦୁଚି ! ସେଇ କାନ୍ଦଣା ହିଁ ଅନୁପମକୁ ଚେତାଇଦେଲା । ସେ ବୁଝିପାରିଲା–ସୁମିତା କାନ୍ଦୁଚି ।

 

ସେ ଉଠି ଠିଆହେଲା ଓ ସନ୍ତର୍ପଣରେ ସ୍ଵରଟାକୁ ଲକ୍ଷ୍ୟକରି ଅଣ୍ଡାଳିଲା । ଆରେ ନା ତ-! ସୁମିତା ତ ଏଠି ଶୋଇନାହିଁ ? ତେବେ କାହାର ଏ କାନ୍ଦଣା ? କିଏ କାନ୍ଦୁଚି ? କାହିଁକି କାନ୍ଦୁଚି-?

 

ସେ ଲାଇଟ୍‌ ଜଳେଇଲା । ତା’ପରେ ବିଳାପ ଧ୍ୱନିଟା ଆଉ ଶୁଣାଗଲାନାହିଁ । ଅନୁପମ ଆଶ୍ଚର୍ଯ୍ୟ ହେଲା । ସେ ଉତ୍‌କଣ୍ଠିତ ହୋଇ ବୁଢ଼ାର ଶୋଇଲା ବଖରାକୁ ଗଲା । ବୁଢ଼ା ଶୋଇବାଘରର ଅଧା ବନ୍ଦ ହୋଇଥିବା ଦର୍ଜାଟାକୁ ନିଃଶବ୍ଦରେ ଖୋଲି ସେ ଭିତରକୁ ପଶି ଲାଇଟ୍‌ ଜାଳିଲା । ଚିତ୍‌ହୋଇ ବୁଢ଼ାଟା ସଁ ସଁ ହେଉଛି । ସୁମିତା ବୁଢ଼ାବାପାର ପାଖରେ ଶୋଇପଡ଼ିଛି କଡ଼ମାଡ଼ି; ତା’ର କଳା ଆଟିକା ପରି ଗାଲ ଉପରେ ଲୁହଧାର ଦୁଇଟା ଶୁଖିଯାଇଛି । ତେବେ ସୁମିତା କଣ ଏତେ ଶୀଘ୍ର ଶୋଇପଡ଼ିଲା ନିଘୋଡ଼ ନିଦରେ । ନା, ତାହା କେବେ ସୁମିତାର ସ୍ୱର ନଥିଲା । ତେବେ କାହାର ? ବୁଢ଼ାର ? ନା, ବୁଢ଼ାର ଆଉ କାନ୍ଦିବାର ଶକ୍ତିନାହିଁ । ବୁଢ଼ାଟା କେବଳ ଅପେକ୍ଷା କରି ଶୋଇଚି ମରଣକୁ । ମୃତ୍ୟୁର ଇଗଲ ଚକ୍‌କର ଦେଲାଣି । କାଳଛଞ୍ଚାଣ ଉଡ଼ିଲାଣି ! ମଥାନ ଉପରେ ପେଚା ବୋବେଇଲାଣି । ଆଉ ବେଶି ଡେରି ନୁହେଁ ।

 

କିନ୍ତୁ କାନ୍ଦୁଥିଲା କିଏ ?

 

ଝିଙ୍କାରିଟା ଝିଁ ଝିଁ ହୋଇ ବାହୁନୁଥାଏ ରାତିସାରା । ଅନୁପମ ଶୁଣିଥିବା କାନ୍ଦଣାଟା ଝିଙ୍କାରିର ବାହୁନା ପରି ନିଶ୍ଚୟ ନଥିଲା, ପେଚା ଡାକ ବି ନଥିଲା, କିମ୍ବା ଏଇ ବୁଢ଼ାଟାର ସଁ-ସଁ ଡାକ ମଧ୍ୟ ନଥିଲା । ଅନୁପମ ଭଲକରି ଜାଣେ, ସେଇଟା ସ୍ୱପ୍ନ ମଧ୍ୟ ନୁହେଁ । ସେ କିଛି ସ୍ଥିର କରିପାରିଲାନାହିଁ । ନିଜର କାନ ପ୍ରତି ତା’ର ଅବିଶ୍ୱାସ ମଧ୍ୟ ଆସିଗଲା ହଠାତ୍‌ । ସତରେ ସେ ଶୁଣିଥିଲା ନା ନାହିଁ ? ଯେ ?

 

ସେ ପୁନର୍ବାର ସବୁ ଆଲୁଅ ନିଭେଇଦେଲା ଓ ଆଣ୍ଠୁ ଉପରେ ଓଠ ଭରାଦେଇ ବସିଲା ପିଣ୍ଡାଉପରେ ।

 

ସୁମିତାର ସେଇ ଛୋଟ ବଗିଚା ଖଣ୍ଡିକ ଅନ୍ଧାର ଭିତରେ ଲୁଚିଯାଇଥାଏ । କୌଣସି ଫୁଲ ଦିଶୁନଥାଏ ଅନୁପମକୁ । ଝିଙ୍କାରିଟା ସେଇ ବଗିଚା ଭିତରେ କୌଣସିଠି ଲୁଚି ଝିଁ ଝିଁ ହୋଇ ବାହୁନୁଥାଏ ।

 

ଅନୁପମର ମନ ଉପରେ କଲେଜ ହଷ୍ଟେଲ୍‌ ଓହ୍ଲେଇଲା । ସେ ଯାଇନାହିଁ ରାତିରେ । ହଷ୍ଟେଲ୍‌ରେ ଅନୁପସ୍ଥିତ ରହିବା ମନା । ସେ ଆଇନ ଭାଙ୍ଗିଚି । ଜଣାପଡ଼ିଲେ ସେ କଣ ଉତ୍ତର ଦେବ–ରାତିରେ କେଉଁଠି ଥିଲା, କାହିଁକି ଥିଲା ? ସୁମିତା ସହ ତାର କି ସମ୍ପର୍କ ? କେମିତି ସେ ବୁଝେଇବ ? ଯଦି ଧରାପଡ଼େ, ତା’ର କଥା କଣ କେହି କାନଦେଇ ଶୁଣିବେ ?

 

କଥାଟା ଉଡ଼ିବ–ହଷ୍ଟେଲ ପାଚେରି ଡେଇଁ, ହସ୍‌ପିଟାଲ୍‌ ଡେଇଁ ଚାରିଆଡ଼କୁ ଖେଳିଯିବ । ସହର ଲୋକେ ଜାଣିବେ । ଏଇମିତି ଏଇମିତି ସଞ୍ଚରି ସଞ୍ଚରି ହୁଏତ ଜୋନାକୀର କାନ ପାଖରେ.......

 

ଅନୁପମର ଛାତିଟା ଉପରେ ପୋକଟାଏ ଖସିପଡ଼ିଲା । ଚମକିପଡ଼ିଲା ସେ । ଆକାଶ ତିଖରୁ ତା’ରି ଛାତିଆଡ଼କୁ ମୁହେଇଁ ଧାଇଁଆସିଲା ପୁଣି ସେଇ ଉଲ୍‌କା । ଅନୁପମ ବାଁ ହାତର ପାପୁଲିରେ ଆପଣା ଛାତିର ମାଂସପେଶୀଗୁଡ଼ାକୁ ଜାବୁଡ଼ି ଧରି ଆଖି ବୁଜିଦେଲା । କିଛି ସମୟ ପରେ ପୁଣି ସେ ଶୁଣିବାକୁ ପାଇଲା ସେଇ କାନ୍ଦଣାଲହରୀ । ସେ ଆଖି ଖୋଲିଲା । ଉଲ୍‌କାଟା ନାହିଁ, କେଉଁଠି ପଡ଼ିନାହିଁ, କେଉଁଠି ନିଆଁ ଲଗେଇନାହିଁ । ସେ ପୂର୍ବବତ୍‌ କାନ ବୁଲେଇ କାନ୍ଦଣାର ଠିକଣା ଖୋଜିବାକୁ ଅତି ସଜାଗତାର ସହିତ ଚେଷ୍ଟାକଲା । ତଥାପି ମଧ୍ୟ ଠିକ୍‌ କରିପାରିଲା ନାହିଁ । ନିର୍ଦ୍ଦିଷ୍ଟଭାବରେ କାନ୍ଦଣା କେଉଁଠୁ ଆସୁଚି ଜାଣିବାର ଚେଷ୍ଟା ତା’ର ସଫଳ ହେଲାନାହିଁ; କିନ୍ତୁ ସ୍ୱରଟାକୁ ସେ ପରିଷ୍କାର ଶୁଣିପାରୁଥିଲା ସେତେବେଳେ ।

ତା’ପରେ ସେ ଦେଖିଲା–ଅନ୍ଧାର ଭିତରେ କଣ ଗୋଟାଏ ଆଲୁଅମୟ ହୋଇ ଠିଆହୋଇଚି । କଣ ସେଟା ? ଏତେ ଜକ୍‌ଜକ୍‌ କରୁଚି ! ଓଃ, ସେଇ ଆଲ୍‌କୋହଲ୍‌ ବୋତଲ୍‌; କିନ୍ତୁ ସେଇଟାକୁ ବଗିଚା ଭିତରେ ପକେଇଲା କିଏ ! ସୁମିତା !! ହୁଏତ ସୁମିତା ହିଁ ଘରଭିତରୁ ଗୋଟେଇଆଣି ସେଠି ପକାଇଦେଇଚି ।

ହଠାତ୍‌ ସେଇ ଶୂନ୍ୟ ବୋତଲଟା ନାଚିବାକୁ ଆରମ୍ଭକଲା ଗୋଟାଏ ପୋଷା ମାଙ୍କଡ଼ ପରି, ସଖୀନାଟର କୃଷ୍ଣ ପରି ଓ ଗୋଟାଏ ଅଟୋମ୍ୟାଟିକ୍‌ ରବରନର୍ତ୍ତକୀପରି । ସୁମିତାର ବଗିଚାରେ ଫୁଟିଥିବା ଫୁଲଗୁଡ଼ାକ ଉପରେ ସେଇ ବୋତଲ ଠଂ ଠଂ ହୋଇ ନାଚିଲା ।

ଅନୁପମ ଅବାକ୍‌ହୋଇ ଚାହିଁଥାଏ–ମେଜିକ୍‌ ! ଶୂନ୍ୟ ବୋତଲର ମେଜିକ୍‌ । ସେଇ ବୋତଲଟା’ ଆଉ କାନ୍ଦୁନାହିଁ ତ ? ହଃ, ନାଚିପାରୁଚି ଯେତେବେଳଳେ କାନ୍ଦିବା ବିଚିତ୍ର କଣ ? ହଁ–ହଁ, ଠିକ୍‌ ସେଇଟା କାନ୍ଦୁଥିଲା ଓ କାନ୍ଦୁଚି କେବଳ ସଁ ସଁ ହୋଇ ।

 

ଅନୁପମ ନିଜର ଛାତିଟାକୁ ଆହୁରି ଜୋର୍‌ରେ ଜାବୁଡ଼ି ଧରିଲା । ସେ ବୋତଲଟାକୁ ଯାଇ ଅନ୍ଧାର ଭିତରୁ ଗୋଟେଇ ଆଣି, ତା’ ଭିତରେ ପାଣି ଭର୍ତ୍ତିକଲା । ଡବ୍‌ଡବ୍‌ ହେଇ ପାଣି ଭରିଯିବା ପରେ ସେ ବୋତଲକୁ ନେଇ ଓଠରେ ଲଗେଇଲା । ଆଃ, ଖୁବ୍‌ଶୋଷ ତାକୁ । ଖୁବ୍‌ଶୋଷ । ସେ ଜିଭରେ ସେଇ ଆଲ୍‌କୋହଲ୍‌ ଗନ୍ଧ ମିଶିଥିବା ପାଣିର ଓଦା ଗୁଣଟାକୁ ଅନୁଭବ କଲା ଧୀରେ, ବୁନ୍ଦା ବୁନ୍ଦା ପକେଇ । ଭାରି ସୁସ୍ଥି ଲାଗିଲା ତାକୁ । ଜୀବନ ଯେମିତି ସେଇ ଆଲ୍‌କୋହଲ୍‌ ଗନ୍ଧରେ ବେଶ୍‌ ଆସନ ଜମେଇ ରହିଥିଲା ଓ ଅନୁପମ ସାମାନ୍ୟ ଧାରକରି ଆଣିଲା ତହିଁରୁ ।

 

ସେ ସୁମିତାର ଶୋଇଲା ଘରକୁ ଗଲା । ଲାଇଟ୍‌ ଜଲେଇଲା । ସୁମିତା ତଥାପି ଶୋଇଥାଏ । ବୁଢ଼ାଟା ସଁ-ସଁ ହେଉଥାଏ । ଅନୁପମ ସୁମିତାଆଡ଼କୁ ଧୀରପାଦରେ ଚାଲିଲା ।

 

ଏଇ ସମୟରେ ଗୋଟାଏ ମିଁ–ମିଁ ସ୍ଵର ଶୁଣାଗଲା । ବୁଢ଼ା କହୁଚି–‘ସୁମି ! ସୁମି ! ଲୋ ମିତା ! ପାଣି ଟୋପେ ଦେଲୋ ! ଲୋ ସୁମି !’

 

ଅନୁପମ ଠିଆହେଲା । ସୁମିତାର ନିଦ ଭାଙ୍ଗିଲାନାହିଁ । ଅନୁପମ ପାଣିଟିକିଏ ଗ୍ଲାସ୍‌ରେ ନେଇ ବୁଢ଼ାର ପାଟିରେ ବୁନ୍ଦା ବୁନ୍ଦା କରି ପକାଇଲା । ବୁଢ଼ାର ଜିଭ ବାହାରକୁ ଆସି ଓଦା ଓଠକୁ ଚାଟିଲା । ବେଶ୍‌ ଜୀବନ୍ତ ଦେଖାଯାଉଥାଏ ବୁଢ଼ାର ଜିଭଟା ।

 

‘‘ପାଣି ପିଇବେ ଯେ ?’’ ଅନୁପମ ବୁଢ଼ାକୁ ଉଠେଇ ଚେତାକରାଇଲା । ତା’ପରେ ସେ ପାଣି ପିଆଇଦେଲା ।

 

ସୁମିତା ଶୋଇପଡ଼ିଥାଏ ।

 

ଅନୁପମ ବୁଢ଼ାର ଦେହ ମୁଣ୍ଡରେ ହାତମାରିଲା । ବୁଢ଼ାର ପେଟ ଭିତରେ ଗୋଟାଏ ପବନ ପେଣ୍ଡୁଳା ଅଣନିଃଶ୍ୱସୀ ହୋଇ ଖେଳି ବୁଲୁଥିବାର ସେ ଅନୁଭବ କଲା । ସେ ତତ୍‌କ୍ଷଣାତ୍‌ ସୁମିତାର ଷ୍ଟେଥିସ୍କୋପ୍‌ଟା ଆଣି ବୁଢ଼ାର ଛାତି ପରୀକ୍ଷା କଲା । ଏଁ । ଏ କଣ୍‌ । ଆସ୍ତେ ଆସ୍ତେ ବନ୍ଦ୍‌ ହୋଇଆସୁଚି ଯେମିତି ମେସିନ୍‌ଟା ! ସେ ତରତରରେ ସୁମିତାକୁ ଡାକିଲା–‘‘ଏଃ, ସୁମିତା, ଉଠ ଉଠ-।’’

 

ସୁମିତା ଉଠି ବସିଲା ।

 

ଅନୁପମ ଇଙ୍ଗିତ ହେଲା ସୁମିତାକୁ–‘ଦେଖ ତୁମର ବାପାଙ୍କୁ । ଯଦି ପାର... ।'

 

Unknown

ଅନୁପମ ଇଂଜେକ୍‌ସନ୍‌ ଛୁଞ୍ଚିଟାଏ ବୁଢ଼ାର ଦେହରେ ଫୋଡ଼ିସାରିବା ପରେ–ଗୋଟାଏ ଦୀର୍ଘଶ୍ୱାସ ମାରି ପିଣ୍ଡାକୁ ଆସି କ୍ରମଶଃ ଅପସୃୟମାନ ଅନ୍ଧାର ଆଡ଼କୁ ଚାହିଁଲା । ଆକାଶକୁ ଚାହିଁଲା-। ସେଠି ତାରାଗୁଡ଼ାକ ସବୁ ଗୋଟି ଗୋଟି କରି ଲିଭିଯାଉଥା’ନ୍ତି । ଆଉ ବୋଧହୁଏ ଧରିରଖିବାର ଉପାୟ ନାହିଁ । ତାରାସବୁ ଅନନ୍ତ ଆକାଶ ଭିତରେ ଲୁଚିଯିବେ ଆଉ ଟିକକରେ ଉଇଁଆସୁଥିବା ପାପିଷ୍ଠ ସୂର୍ଯ୍ୟ ସବୁ ନକ୍ଷତ୍ରକୁ ଲୁଚାଇଦେବ । ଯଦି ସତରେ ତାରାଟା ଲିଭିଯାଏ ! ତେବେ କଣ ହେବ ସୁମିତାର ଅବସ୍ଥା ? ସେ କେମିତି ଚାଲିବ, କେମିତି ପଢ଼ିବ ? ତା’ର ହେପାଜତ୍‌ କରିବ କିଏ-?

 

ଅତି କମ୍‌ରେ ବୁଢ଼ାଟା ତ ଗୋଟାଏ ମଥାନ ଖୁଣ୍ଟପରି ଘର ଭିତରେ ବସିଥିଲା ! ସୁମିତା ସେଇ ଖୁଣ୍ଟ ଦେହରେ ତ ବେଳେବେଳେ ମୁହଁ ଜାକି ଦୁଃଖ ଲାଘବ କରୁଥିଲା ! ଯଦି ସେଇ ଖୁଣ୍ଟଟା ଭାଙ୍ଗିଯାଏ, ତେବେ ସୁମିତାର ମଥାନଟାବି ଘର ସହିତ ଭାଜିପଡ଼ିବ ।

 

ଡାମରକୁଆଟେ କା କା କରି ଆସି ସୁମିତା ଘରର ଛାତ ଉପରେ ବସିଲା ଓ ଡାକ ପକେଇଲା ଅନ୍ୟମାନଙ୍କୁ; ଓ ସେଇ ଝାପ୍‌ସା ଅନ୍ଧାର ଭିତରେ ବି ଅନେକଗୁଡ଼ାଏ ଭୋକିଲା କୁଆ ବେଶ୍‌ ଡେଣା ହଲେଇ ହଲେଇ ଉଡ଼ିଆସିଲେ ସୁମିତା ଘରର ଛାତ ଉପରକୁ ।

 

ଶେଷ ତାରାଟା ଅନୁପମର ଆଖି ସାମ୍ନାରେ ହଠାତ୍‌ ନିଭିଗଲା । କୁଆଟାଏ କର୍କଶ ରାବକରି ସୁମିତା ଘରର ଛାତଉପରୁ ଉଡ଼ିଗଲା ତଳତେଲଙ୍ଗାବଜାର ଦେଇ ଓଲଟାମୁହାଁ କାଠଯୋଡ଼ି ନଈଆଡ଼େ ।

 

ପୂର୍ବଦିଗଟା ଜଳିଉଠିଲା ଶ୍ମଶାନରେ ଚାତାଗ୍ନି ଜଳିଲାପରି । ଭାଁ-ଭାଁ କରି ଗୋଟାଏ ଟ୍ରକ୍‌ ଯିବାର ଶବ୍ଦ ଶୁଭିଲା ସେଇ ଗଳି ଭିତରୁ ବାହାରି ପ୍ରଧାନ ରାସ୍ତା ଆଡ଼କୁ ।

 

ଅନୁପମର କାନରେ ଠଂ–ଠଂ ବାଡ଼େଇ ହୋଇଗଲା ଗୋଟାଏ ଶୁଷ୍କ କାନ୍ଦଣାମିଶା ଚିତ୍କାର–ବାପା ! ବାପା...ଓଃ !

 

ସେ ପାଣିଶୂନ୍‌ ଓ ଆଲ୍‌କୋହାଲ୍‌ ଶୂନ୍‌ ବୋତଲଟାକୁ ଓଠରେ ଲଗେଇଲ । ଗୋଟାଏ ନିରାଶ-ଶବ୍ଦ କରି ଖସିପଡ଼ିଲା ସେଇଟା ଅନୁପମର ଓଠରୁ, ଏବଂ ପିଣ୍ଡା ଦାଢ଼ରେ ପଡ଼ି ଝୁଂ ଝୁଂ ହୋଇ ଭାଙ୍ଗିଗଲା ସେଇଟା ।

 

ସୂର୍ଯ୍ୟ ଉଇଁସାରିଥିଲେ ! ଲାଲକିରଣର ଆଲୁଅରେ ଅନୁପମ ଦେଖିଲା ଭଙ୍ଗାକାଚର ମୁନିଆ ରୁଆଗୁଡ଼ାକ ତୀକ୍ଷ୍‌ଣ ଦାନ୍ତପରି ବିଚ୍ଛୁରିତ ହୋଇ ପଡ଼ିଛି ପିଣ୍ଡା କଡ଼ରୁ ସୁମିତାର ଫୁଲବଗିଚା ଭିତର ପର୍ଯ୍ୟନ୍ତ ।

 

ସୁମିତା ବାହୁନୁଥାଏ । ତାର କରୁଣ ଶବ୍ଦ ଖେଳିଗଲା ନମିଷକେ ସବୁ ଦିଗକୁ ଓ ଆଖପାଖରେ ସବୁ ଝରକା ଓ ଦୁଆରକୁ । ଅନୁପମ ନିଶ୍ଚଳତା ଭିତରେ କ୍ରମେ ପରାସ୍ତ ହୋଇଗଲା କାରୁଣ୍ୟ ନିକଟରେ ।

 

ମାର୍ଗାରେଟାର କବର ନିକଟରେ ସୁମିତାର ମୃତ ପିତାଙ୍କର କବର ସ୍ତମ୍ଭ ନିର୍ମାଣ କରାଗଲା । ମାଇଲ ଖୁଣ୍ଟ ପରି ଗୋଟାଏ ସିମେଣ୍ଟ୍‌ର ସ୍ତମ୍ଭ ଭିତରେ ଆପଣାର ପିତାଙ୍କୁ ଛାଡ଼ିଆସିଲା ପରେ ସୁମିତାର ମୁହଁ ଉପରେ ଗୋଟାଏ ଦୁଇଟା ନୂତନ ରେଖା ଫୁଟିଉଠିବାର ଲକ୍ଷ୍ୟକଲା ଅନୁପମ । ସୁମିତା ଯେମିତି ବହୁତ ବଦଳିବାକୁ ଚେଷ୍ଟା କରୁଥାଏ । ପ୍ରତିକ୍ଷଣ ଭୁଲିବାକୁ ଚେଷ୍ଟା କରୁଥାଏ ତାର ଅତୀତକୁ–ସତେ ଯେମିତି ତା’ର କେହି କେବେ ସାହା ଭରସା ନ ଥିଲେ ଏବଂ ସେ ଏକାନ୍ତ ଏକାକିନୀ ଭାବେ ବହୁଦିନ ଧରି ବୟସ ଓ ବର୍ଷଗୁଡ଼ାକୁ ଅତିପାତ କରିଆସୁଛି ।

 

ସୁମିତାର କରୁଣ ନିର୍ଜନ ଘରଟାକୁ ଅନୁପମ ବେଳେବେଳେ ଯାଏ; ସୁମିତା ନ ଡାକିଥିଲେ ବି । ସୁମିତା ଅନୁପମକୁ ଦେଖିଲେ ଓଠ କୁଞ୍ଚିତ କରି ସାମାନ୍ୟ ହସିପକାଏ ଏବଂ ପରମୁହୂର୍ତ୍ତରେ ସେଇ ହସଟା ନିଭିଯାଏ ଓ ତାର ମୁହଁର ରଙ୍ଗଟା ବର୍ଷାକାଳୀନ ମେଘୁଆ ଆକାଶପରି ତୋରାହୀନ ହୋଇଯାଏ । ଅନୁପମ ପଦେ ଦିପଦ କଥା ପଚାରେ, କେତେବେଳେ ସଂକ୍ଷିପ୍ତ ଉତ୍ତରଟାଏ ପାଏ, କେତେବେଳେ ବା ଆଦୌ ପାଏନାହିଁ । ଅନୁପମ ବେଶି କଥା ସାହସ କରି ପଚାରି ପାରେ ନାହିଁ; ତାକୁ ମଧ୍ୟ ଭୟ ଲାଗେ । ତାକୁ ଭୟ ଲାଗୁଥିଲା କେବଳ ସେଇ ଗୋଟିଏ କାରଣଯୋଗୁଁ ଯେ ସୁମିତାର ବାପା କାନରେ ଯାହା ସେ କଥା ଦେଇଥିଲା ତାହା ପୂର୍ଣ୍ଣ କରିପାରିନଥାଏ ବୋଲି ।

 

ସେ ପ୍ରତିଦିନ ପ୍ରାୟ ସୁମିତାକୁ ଭେଟି କିଛି କହିବ ବୋଲି ବାହାରୁଥିଲା–କିନ୍ତୁ ସିରିଅମ୍‌ ସୁମିତାର ଆଖିକୁ ଦେଖିଲାକ୍ଷଣି ତା’ର ଆତ୍ମବିଶ୍ଵାସ କମିଯାଉଥିଲା ତତ୍‌କ୍ଷଣାତ୍‌ ।

 

ଏଇମିତି ବହୁତ ଦିନ ଗଲା–ପ୍ରାୟ ଦେଢ଼ମାସ । ସୁମିତା ଘରର ନିର୍ଜ୍ଜନତା ସୁମିତାର ମୁହଁକୁ ଅଧିକ ଭାରାକ୍ରାନ୍ତ କରିପକାଉଥାଏ । ପରୀକ୍ଷା ନିକଟ ହୋଇଆସିଲା । ଅନୁପମ ଲାବୋରେଟରି ଓ ବହିଥାକ ଭିତରେ ନିଜକୁ ଜବର୍ଦସ୍ତ ମୋଡ଼ିମାଡ଼ି ମେଞ୍ଚାମେଞ୍ଚି କରି ଭର୍ତ୍ତି କରିବାକୁ ଚାହୁଁଥାଏ । କିନ୍ତୁ ନିଭୃତ ମୁହୂର୍ତ୍ତରେ ତାର ପ୍ରାଣର ପକ୍ଷୀ ଡେଣା ବାଡ଼େଇଦିଏ ଫରଫର କରି । ଜୋନାକୀ ଆଉ ସୁନିତାକୁ ସେ ଓଜନ କରେ ମନର ନିତିକିରେ । ବେଳେବେଳେ ତାର ପ୍ରାଣ ପକ୍ଷୀଟା ହୁମୁ ହୁମୁ କିରି ବିଳପିଉଠେ ଜୋନାକୀର ଆଖି ଦୁଇଟା କଥା ଭାବୁ ଭାବୁ । ପୁଣି କେତେବେଳେ ସେ ନିଜର ମୁହଁଟାକୁ ରାମ୍ଫୁଡ଼ି ପକାଏ, ଜୋନାକୀକୁ ତଡ଼ିବାକୁ ଚେଷ୍ଟା କରେ ଜୋର୍‌କରି । ସୁମିତାକୁ ବଳପୂର୍ବକ ଟେକିଆଣି ଠିଆ କରାଏ ଆଖି ଆଗରେ । ଅନେକ ସମୟରେ ତାର ସେ ସାଧନା ନିଷ୍ଫଳ ହୁଏ । ସୁମିତାର ମୁହଁ ଭିତରେ ଜୋନାକୀ ଫୁଟି ଦିଶେ ଛାୟାପଥ ଭିତରଦେଇ ତାରାସବୁ ଉଙ୍କି ମାରିଲା ଭଳି । ତାର ମନେହୁଏ, ସତେ ଯେମିତି ଜୋନାକୀ ତାରି ଲାଗି କୌଣସି କାରାଗାରରେ ବନ୍ଦିନୀ ଅବସ୍ଥାରେ ବ୍ରତ ଆଚରଣକରି ଅପେକ୍ଷା କରୁଛି ଜଣେ ଅଟଳ ଅଚଳ ସତୀପରି, ଅଶୋକବନରେ ସୀତା ନିଜକୁ ଧରି ରଖି ଅପେକ୍ଷାକଲା ସମାନ । ସେଇ କାରଗାରର ପାଚେରି ଦିଶିଯାଏ ଅନୁପମକୁ । ତା’ର ମନେପଡ଼ିଯାଏ ଜୋନାକୀର ଚିଠିର ଶେଷ ବାକ୍ୟଟି । ଅସୁରକୁଳର ଜୟନାଦ କରିଥିଲା ଜୋନାକୀ । ତାର ଏବେ ବି ଆଶା ହୁଏତ ଥିବ । ସେ ହୁଏତ ଚାହିଁବସିଥିବ ଅନୁପମର ବାହିନୀକୁ । କାନ ଡେରୁଥିବ ଅନୁପମର ଯୁଦ୍ଧଶଙ୍ଖକୁ । ପ୍ରତିଦିନ ଖବରକାଗଜ ଓଲଟେଇ ଦେଖୁଥିବ ଅନୁପମ କେଉଁଠି ଜାଗି ଉଠି ଅସୁରମାନଙ୍କୁ ମତେଇବାକୁ ଆରମ୍ଭ କରିଛି କି ନା । କିନ୍ତୁ ଅନୁପମ ନିଷ୍ପ୍ରଣବତ୍‌ । ସେ ଜାଗିନାହିଁ, ମାତିନାହିଁ କିମ୍ବା ମତାଇନାହିଁ କାହାକୁ । ସେ ଭୁଲିବାକୁ ଚେଷ୍ଟା କରୁଛି ସେଇ ଏକଦା ପ୍ରେମିକା ଲଳିତ ନାୟିକା ଜୋନାକୀକୁ ।

 

ଅନୁପମ ଭୁଲପାରିଲା ନାହିଁ । ଗୋଟିଏ ଚକ୍ଷୁହୀନ ସରୀସୃପ ପରି ସେ ଖୋଜି ହେଉଥିଲା ବେରାସ୍ତାରେ ।

 

ମଝିରେ ମଝିରେ ତାରି ଆଗରେ ଆସି ଠିଆହେଉଥିଲା ଦୁଇଟା ମୋଟା କାଚର ପ୍ରଚକ୍ଷୁ ତଳେ–ଦୁଇଟା ଉଦାସ ଆଖି, ଗୋଟାଏ ବେରଙ୍ଗ ମୁହଁ, ଗୋଟାଏ ଜ୍ୟୋତିହୀନ ଲୁହମିଶା ଆତ୍ମା, ଗୋଟାଏ ପରସ୍ତ ହୃଦୟ । ଚଷମାଟା ଚକ୍‌ଚକ୍‌ କରୁଥିଲା କଳା ମୁହଁ ଉପରେ ।

 

ସେ ସୁମିତା ।

 

ଅନୁପମ ବାଆଁରେଇ ହେଇ ଯାଇପାରୁନଥିଲା । ସାମାନ୍ୟ ପାଣିମିଶା ଆଲ୍‌କୋହଲ୍‌ର ବିକର୍‌ଟାକୁ କିଛି ଓଜାଡ଼ି ଆଣି ସେ ଭିତରେ ନେଉଥିଲା ନିଜର ଜିଭକୁ । ବେଳେବେଳେ ସେଇ ବିକର୍‌ ଭିଜେଇ ଫୁଟିଉଠୁଥିଲା ଜୋନାକୀର ସେଇ ଆଖି ଦୁଇଟା ଓ ଫୁଲସଜ୍ଜିତ କବରୀ । ଅନୁପମ ଆଖିବୁଜି ପିଇଦେଉଥିଲା ଲବୋରେଟରି ଭିତରେ ।

 

ତା’ପରେ ସେ ଯାଉଥିଲା ସୁମିତା ଘରକୁ ଓ ପୁଣି ଫେରିଆସୁଥିଲା–ପୁଣି ଯାଉଥିଲା ଫେରିଆସିବା ପାଇଁ ।

 

ଆଲ୍‌କୋହଲ୍‌ ! ସୁମିତା ! ବେଶ୍‌, ସେଇ ଭଲ । ଅନୁପମ ନିଜକୁ ବୁଝାଉ ବୁଝାଉ ବେଳେବେଳେ ବେଦମ୍‌ ହସିଉଠୁଥିଲା; ଯଦିଓ ତା’ର ହସଗୁଡ଼ାକ ମିଳେଇଯାଉଥିଲା ଭିଣାତୁଳାର ଉଡ଼ନ୍ତା ପାରୁପରି ଆକାଶରେ ଆକାଶରେ ।

 

ସେଇ ଥର ।

 

ଅନୁପମର ପରୀକ୍ଷାର ଶେଷଦିନ । ସୁମିତା ବି ପରୀକ୍ଷା ଦେଇସାରିଥିଲା । କଲେଜ ତା’ପରେ ବନ୍ଦ ହୋଇଯିବ । ଅନୁପମର ବି ଆଉ କଲେଜ ଆସିବା ଦରକାର ପଡ଼ିବ ନାହିଁ । ଘରକୁ ଯିବାକୁ ପଡ଼ିବ । ଗାଆଁରେ ରହିବାକୁ ପଡ଼ିବ ପରୀକ୍ଷାଫଳ ପ୍ରକାଶ ପାଇବା ପର୍ଯ୍ୟନ୍ତ ।

 

ପରୀକ୍ଷା ହଲ୍‌ରୁ ବାହାରିବା ପରେ ଅନୁପମ ଠିକ୍‌ କଲା ଆଜି ତାକୁ କିଛି ନା କିଛି ଗୋଟାଏ ସିଦ୍ଧାନ୍ତ କରିବାକୁ ପଡ଼ିବ । ସେ ଆଉ କାହାରି ଲାଗି ଅପେକ୍ଷା କରିବନାହିଁ । ସେ ଭୁଲିଯିବ ଜୋନାକୀକୁ । ସୁମିତାକୁ ସ୍ପଷ୍ଟକରି କହିଦେବ–‘‘ଚାଲ, ବାହାହେଇ ପଡ଼ିବା ! ତୁମ ବାପାଙ୍କୁ କଥାଦେଇଚି, ରଖିବି । ଆଉ ଆଲ୍‌କୋହଲ୍‌ ପିଇବି ନାହିଁ । ମାତାଲ ହେଇ ତୁମ ସାମ୍ନାରେ ଠିଆହେବି ନାହିଁ । ଯିଶୁଙ୍କୁ ଚାହିଁ କହୁଚି, ବିଶ୍ଵାସ କର ।’’

 

ସନ୍ଧ୍ୟା ପରେ ଅନୁପମ ଚାଲିଗଲା ସୁମିତାର ଘରକୁ ।

 

କବାଟ ବନ୍ଦ । ବାହାରୁ ତାଲା ପଡ଼ିଚି ।

 

ଅନୁପମ ଠିଆହେଇ ଅନିଷା କଲା ଇଆଡ଼େ ସିଆଡ଼େ । ସୁମିତା କାହିଁ ? କୁଆଡ଼େ ଯାଇଚି ?

 

ହୁଏତ, କିଛି କାମରେ ଯାଇଥିବ ।

 

ଅନୁପମ ଫେରିଆସିଲା । ଆସିବା ପୂର୍ବରୁ ଖଣ୍ଡିଏ କାଗଜରେ ଲେଖିଦେଇଗଲା– ‘ଆସିଥିଲି । ଯାଉଚି । କାଲି ସକାଳୁ ପୁଣି ଆସିବି । କୁଆଡ଼େ ଯାଇନଥିବ-।’ କାଗଜଟିକୁ ସେ ମୋଡ଼ିମାଡ଼ି ତାଲାରେ ଲଟକାଇ ଦେଇଗଲା ଯେମିତିକି ତାଲା ଖୋଲିଲେ ହିଁ ସୁମିତାର ଦୃଷ୍ଟି ପ୍ରଥମେ କାଗଜଟା ଉପରେ ପଡ଼ିବ ।

 

ପରଦିନ ସକାଳୁ ଅନୁପମ ପୁଣି ଗଲା ସୁମିତା ଘରକୁ । କବାଟ ବନ୍ଦ ।

 

ବାହାରୁ ତାଲା ପଡ଼ିଚି କାଗଜ ଖଣ୍ଡିକ ସେମିତି ଲଟକିଛି । ସୁମିତା କ’ଣ ତେବେ ଆଦୌ ଖୋଲିନାହିଁ ଘର କାଲି ସନ୍ଧ୍ୟାବେଳୁ ? କୁଆଡ଼େ ଯାଇଚି ତେବେ ?

 

‘ଅନୁପମ ଫେରିଆସିଲା ।’

 

ସେଦିନ ସନ୍ଧ୍ୟା ସମୟରେ ଆଉ ଥରେ ଗଲା ଅନୁପମ । ସେଇ ଅବସ୍ଥା । କବାଟ ବନ୍ଦ, ବାହାରୁ ତାଲାପଡ଼ିଚି, କାଗଜଟା ଲଟକିଛି I

 

କିଛି ନକହି କୁଆଡ଼େ ଗଲା ସୁମିତା ? ପରୀକ୍ଷା ସରୁ ସରୁ ସହର ଛାଡ଼ି ପଳେଇଲା କୁଆଡ଼େ ? କାହିଁକି ପଳେଇଲା ? ଅନୁପମକୁ ତ ସମ୍ବାଦଟା ଦେଇପାରିଥାନ୍ତା !

 

ଅନୁପମର ଧାରଣାଗୁଡ଼ାକ ଓଲଟପାଲଟ ହୋଇଗଲା । ତାର ସିଦ୍ଧାନ୍ତ ଓ ଶପଥ ସବୁ ପାଣିଫୋଟକା ପରି ଠୋ’ସ୍‍କରି ଫାଟିଗଲା କ୍ଷଣକରେ । ତାଲାରେ ତଥାପି ବି ଲଟକିଥିବା କାଗଜଖଣ୍ଡିକୁ ସେ ନେଇଆସି ପକେଟରେ ପୂରେଇଲା ଓ ପଛଆଡ଼କୁ ଚାହିଁ ଚାହିଁ ଫେରିଲା । ସୁମି ତଥାପି ବି ଫେରି ନ ଥାଏ ।

 

ସୁମିତା ଆଉ କଟକ ଫେରିଲାନାହିଁ । ଅନୁପମ ତା’ର ଖୋଜଖବର ପାଇଲା ନାହିଁ । ଅନୁପମ ଠିକ୍‌କଲା ଗାଁକୁ ଯିବ, ପରେ କଟକ ଆସିବ; ସୁମିତା ଫେରୁ ।

 

ଅନୁପମ ଗାଁକୁ ଯିବାଲାଗି ବସ୍‌ରେ ବସିଥାଏ । ବସ୍‌ଟା ତା’ରି ଗାଁ କଡ଼ଦେଇ ଯାଏ । ଅନୁପମ ଆଗ ସିଟ୍‌ରେ ବସିଥାଏ । ବସ୍‌ର କଣ୍ଡକ୍ଟର ଓ ଡ୍ରାଇଭର ଆସି ନ ଥାନ୍ତି । ଯାତ୍ରୀମାନେ ଅସହ୍ୟ ହୋଇଉଠୁଥାନ୍ତି । ଚାନ୍ଦିନୀଚୌକରେ ବସ୍‌ ଠିଆହୋଇଥାଏ ।

 

ଖବରକାଗଜ ବିକୁଥିବା ପିଲାଟାକୁ ଅନୁପମ ପକେଟ୍‌ରୁ ଦଶପଇସିଟାଏ ବାହାର କରି ବଢ଼େଇଦେଲା କାଗଜ ଖୋଲିଲା ।

 

ସମ୍ବାଦ ବାହାରିଥାଏ–କେତେ କଣ ! ଅନୁପମ ଏକ ଧ୍ୟାନମଗ୍ନ ଦୃଷ୍ଟିରେ ସେସବୁକୁ ଦେଖି ନେଉଁ ନେଉଁ ହଠାତ୍‍ ‌ତାର ଆଖିଟାରେ ଚାଁ-କିନା ଲଗିଗଲା ଗୋଟାଏ ସମ୍ବାଦ । ଆରାମରେ ଗଡ଼ୁଥିବା ରିକ୍‌ସାଟାର ଚକାଟା ହଠାତ୍‌ ଫାଟିଗଲେ ଯାତ୍ରୀ ଯେମିତି ଚମକିଉଠେ, ଅନୁପମ ସେଇମିତି ଉତ୍‌କ୍ଷିପ୍ତ ହୋଇଉଠିଲା ।

 

ଜନୈକା ମହିଳାଙ୍କର ରୋମାଞ୍ଚକର ଆତ୍ମହତ୍ୟା । ବାପା-ମା’ଙ୍କର କବର ନିକଟରେ ବିଷପାନ କରି ମରିଥିବା ସନ୍ଧାନ ମିଳିଛି । କେତେକ କାଗଜପତ୍ରରୁ ଜଣାଯାଇଛି ମହଳାଟିର ନାମ...ସୁମିତା ।

 

ଅନୁପମ ବସ୍‌ର ଝରକାବାଡ଼ରେ ମୁଣ୍ଡ ଦେଇ ଆଖି ବୁଜିପକେଇଲା ।

 

ବସ୍‌ ଚାଲିବାକୁ ଆରମ୍ଭ କରିଥାଏ ମଣିଷର ଭିଡ଼ରେ ଜଙ୍ଗଲ ପରି ରାସ୍ତାଗୁଡ଼ାକୁ ପହଁରି ପହଁରି କଟକ ପାରି ହେବାକୁ ।

 

ଦ୍ୱିତୀୟ ପର୍ବ

 

ଅନୁପମ ଗାଁରେ ପହଞ୍ଚିଛି ।

 

ତା’ର ମନ ଭିତରେ ପରସ୍ତ ପରସ୍ତ କୋହ, ପାହାଚ ପାହାଚ ହୋଇ ପ୍ରଶ୍ନ, ପାହାଡ଼ପରି ଦୁଃଖ । କୌଣସିଟାକୁ ସେ ଭୁଲିଯାଇପାରୁନାହିଁ । କୁଆଡ଼କୁ ସେ ଯାଇପାରୁନାହିଁ । କୁଆଡ଼କୁ ଯିବ ସେ ? ବାଁକୁ ନା ଡାହାଣକୁ ? ତଳକୁ ନା ଉପରକୁ ? କେଉଁଠି ତା’ ଲାଗି କଣ ଅଛି ?

 

ଶୂନ୍ୟ । ଚାରିଆଡ଼କୁ ବାଟ; କିନ୍ତୁ କୁଆଡ଼କୁ ବାଟ ନାହିଁ ।

 

ଅନୁପମ ବେଳେବେଳେ ଘରର ଝରକାଦେଇ ବାଡ଼ିପାଖକୁ ଚାହେଁ,–ସେଠି କେତେଟା କଦଳୀଗଛ ଲାଗିଥାଏ । ସବୁଜ ସିଝୁବାଡ଼ ଉପରେ ସୁନାତାର ପରି ଆବୁକୁ ଜାବୁରୁ ହୋଇ ଜାବୁଡ଼ି ରହିଥାଏ ନିର୍ମୂଳିଲଟା–ତଳ ନାହିଁ, ଉପର ନାହିଁ–ତଥାପି ବଞ୍ଚିଛି କଣ୍ଟା ସିଝୁଗଛ ଉପରେ ନିର୍ଭର କରି ।

 

କାହିଁକି ବଞ୍ଚିଛି ସେ ? କାହିଁକି ବା ଠିଆହେଇଚି ଡେଙ୍ଗା ତାଳଗଛଟା ! କାହିଁକି ଆପେ ଫୁଟି ଆପେ ଝଡ଼ିପଡ଼ୁଛି ଏଇ କାମିନୀଗଛର ଫୁଲ ? କି ଶ୍ରଦ୍ଧାରେ ? କି ସମ୍ଭାବନାରେ ? କି ମାୟାରେ ?

 

ସେମାନଙ୍କ ବଞ୍ଚିବା କ’ଣ ସାର୍ଥକ ହେଉଛି !

 

ସୁମିତା ଗୋଟାଏ ଭସାବଉଦ ପରି ଦେଖାଦେଇଥିଲା ଆକାଶରେ; ଆସିଥିଲା ବହୁତ କିଛି ଘେନି–କିଛି କିଛି ଦେବାକୁ–ନେବାକୁ । କିନ୍ତୁ ବର୍ଷିପାରିଲନାହିଁ । କୁଆଡ଼ୁ ଆସିଲା ଗୋଟାଏ ପବନ–ସେଇ ପବନରେ ସେ ଉଡ଼ିଗଲା, ମିଳେଇଗଲା ।

 

ଆଉ, ଏ ଧରଣୀରେ ତା’ର ଛାଇ ପଡ଼ିବ ନାହିଁ ।

 

କିନ୍ତୁ ସୁମିତାର ସେଇ ଅତୃପ୍ତ ଅତ୍ମାଟା ! ସେଇଟା କଣ ତା’ର ବାପା-ମା’ଙ୍କ କବର ଖୁଣ୍ଟରେ ବାନ୍ଧି ହୋଇ ପାରିବ ?

 

ନାଃ, ସୁମିତା ଭୁଲ କରିଛି; ଆତ୍ମହତ୍ୟା କରି ଭୁଲ କରିଛି । କଣ ପାଇଲା ସେ ? କଣ ନେଲା ସେ ! କଣ ବା ରଖିଗଲା ସେ ? କିଛିନା, କିଛିନା । ଭୁଲ । ସୁମିତା ହୁଏତ ପାଇପାରିଥାନ୍ତା-

 

ସୁମିତାର ସେଇ କିଛି ପାଇନଥିବା ଆଶାଟା ଘୂରିବ–ଘୂରିବ ଏଇ ଧରଣୀର ଗଛକୁ ଗଛ ଡେଇଁ, ଘର ଘର ଖୋଜି, ଦେହକୁ ଦେହ ପହଁରି ପହଁରି । ଯାହା ସେ ପାଇନାହିଁ, ସେଇଆ ପାଇବା ଲାଗି ସେ ହୁଏତ ପୁଣି ଜନ୍ମହେବ ।

 

ସତରେ କଣ ପୁନର୍ଜନ୍ମ ଅଛି ? ସତରେ କଣ ଏ ଦେହ ଭିତରେ ଗୋଟାଏ ଆତ୍ମା ଅଛି-? ମରଣପରେ ବି ଆତ୍ମା କଣ ବଞ୍ଚେ ?

 

ଯଦି ଆତ୍ମା ଅବିନାଶୀ–ତେବେ ...

 

ଅନୁପମ ଅନୁଭବ କଲା, ତାର ଯେମିତି ଦୁଇଟା ପକ୍ଷୀ ଲାଗିଯାଇଛି, ଆଉ ସେ ଉଡ଼ୁଛି-। ଉଡ଼ି ଉଡ଼ି ପହଞ୍ଚୁଛି ଆଉ ଏକ ଶାନ୍ତ ନିର୍ଜନ ଜାଗାରେ । ସେଠି ବସିଛି ଆଉ ଗୋଟିଏ ମୂର୍ତ୍ତି–ତାକୁ ଅପେକ୍ଷାକରି । ସେଇ ମୂର୍ତ୍ତିଟା ଜୋନାକୀର I ସେଇ ପଥର ମୂର୍ତ୍ତିଟା ହଲ୍‌ଚଲ୍‌ ହେଉଛି-। କିଛି କ୍ଷଣ ପରେ ଜୋନାକୀ ଠିଆ ହୋଇପଡ଼ିଛି ତା’ରି ଆଗରେ ।

 

ଅନୁପମ ଜୋନାକୀକୁ ଛାତିରେ ଜାକିଧରିଚି ।

 

ସେତିକିବେଳେ ଥରିଉଠୁଚି ନିକଟରେ ଥିବା ଡେଙ୍ଗା ଡେଙ୍ଗା ଗଛଗୁଡ଼ାକ–କିଳିକିଳା ରଡ଼ି ଶୁଭୁଚି–ଡାଳମାନ ଭାଙ୍ଗିପଡ଼ିଲା ପରି ଏବଂ ସୁମିତାର ମାଂସହୀନ କଙ୍କାଳଟା ନାଚ ଆରମ୍ଭ କରିଦେଇଚି । ପୁଣି ବନ୍ଦ ହେଇଯାଉଛି ସେ ଗର୍ଜନ, ସେ ରଡ଼ି, ସେ ନୃତ୍ୟ । ଭାସି ଆସୁଚି ଧୀର କରୁଣ ଏକ କାନ୍ଦଣା ।

 

ପୁନର୍ଜନ୍ମ ତା’ହେଲେ ଅଛି !

 

ତେବେ, ସେଇ ପଥରମୂର୍ତ୍ତି ସତ ହେବ ?

 

ଏବଂ ସେଇ କଙ୍କାଳ ବି ସତ ହେବ ?

 

ନାଃ ।

 

ଅନୁପମର ପୁନର୍ଜନ୍ମ ଦରକାର ନାହିଁ । ତାର ଦର୍କାର ନିର୍ବାଣ । ମୁକ୍ତି । ଚିରମୁକ୍ତି ! ମୁକ୍ତି ଏହି ସଂସାରରୁ; ଜୋନାକୀ ଆଉ ସୁମିତାଙ୍କ ବନ୍ଧନରୁ ।

 

କିନ୍ତୁ ସେଇ ନିର୍ବାଣ କଣ ସମ୍ଭବ ?

 

ଅନୁପମ ଘର ଝରକାର କାଠ ରେଲିଂଗୁଡ଼ାକୁ ଦୁଇ ମୁଠାରେ ଦାବେ । ତାର ଦାନ୍ତ ଟାଣ ହୋଇଯାଏ; କିନ୍ତୁ କାଠ ରୋଲିଂଗୁଡ଼ାକୁ ସେ ଭାଙ୍ଗି ପାରେନାହିଁ ।

 

ସେ ଖାଲି ବଲବଲ ହୋଇ ଅନାଇରହେ ଆକାଶକୁ । ପିଞ୍ଜରାବଦ୍ଧ ବାଘ ଯେଉଁ ଦୃଷ୍ଟିରେ ଚାହେଁ ବାହାରର ମଣିଷଙ୍କୁ ଅଥବା ଜଙ୍ଗଲକୁ, ଅବିକଳ ସେଇମିତି ।

 

ଆସ୍ତେ ଆସ୍ତେ ତା’ରି ଆଖି ସାମ୍ନାରେ ଆକାଶଟା ସଂକୁଚିତ ହୋଇଆସେ । ସେ ଆଖିବୁଜିପକାଏ । ଗୋଟାଏ ଯନ୍ତ୍ରଣାର ସ୍ଵର ସେ ଶୁଣିବାକୁପାଏ ତା’ର ଛାତି ଭିତରୁ ।

 

କିଛି ସମୟ ପରେ ସେ ଅନୁଭବ କରେ କାହାରି ହାତର ସ୍ପର୍ଶ । ଆଲ୍‌କୋହଲ୍‌ ଓ ପାଇପ୍‌ ଧୂଆଁର କଡ଼ାଗନ୍ଧ ତାହାର ନାକରେ ବାଜେ । ଗୋଟାଏ ଦୃଢ଼ ସ୍ୱର ତା’କାନରେ ଗୁଞ୍ଚରିତ ହୋଇଉଠେ–‘‘ତୁମକୁ ଅନ୍ୟମାନଙ୍କ ପାଇଁ ବଞ୍ଚିବାକୁ ପଡ଼ିବ । ଅନୁପମ, ତୁମକୁ ଅନ୍ୟମାନଙ୍କ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିବାକୁ ପଡ଼ିବ ।’’

 

ଅନୁପମର ଦୃଷ୍ଟି ପରିଧିରେ ପୂର୍ଣ୍ଣ ଠିଆହୋଇପଡ଼ନ୍ତି ଡକ୍ଟର ମିଶ୍ର, ଲାବୋରେଟରିର ଜୀବ, ଲାବୋରଟରିର ଋଷି ଓ ମଣିଷଙ୍କର ମଙ୍ଗଳପାଇଁ ବଞ୍ଚିଥିବା ଆତ୍ମ-ବିମୁଖ ତପସ୍ୱୀ ।

 

କି ବିଚିତ୍ର ସେଇ ଡକ୍ଟର ମିଶ୍ର ! କିଏ ତାଙ୍କୁ ଏପରି ତପସ୍ୟା କରିବାକୁ ଶିଖେଇଲା, ପ୍ରବର୍ତ୍ତେଇଲା ଅଥବା ବାଧ୍ୟ କଲା ? ସେ ତ ବେଶ୍‌ ଘରଦ୍ଵାର କରି ସୁଖ-ବିଳାସ ଭିତରେ ରହିପାରିଥାନ୍ତେ ଡ: ମହାନ୍ତି, ଡ: ପାଣିଗ୍ରାହୀଙ୍କ ପରି । ଡକ୍ଟର ପରିଜାଙ୍କ ପରି ସେ ତ ଖୁବ୍‌ ନାମ ବି କମେଇପାରନ୍ତେ ! କୋଠା ଉପରେ କୋଠା ପିଟିପାରିଥାନ୍ତେ । ଗବେଷଣା ଛାଡ଼ି, ପିଲାପିଲି ନେଇ ବେଶ୍‌ କିଛି ଆମୋଦରେ ବଞ୍ଚିଯାଇପାରିଥାନ୍ତେ । କାହିଁକି ନ ହେଲେ ସେମାନଙ୍କ ଭଳି ? ୟା’ ମୂଳରେ କଣ ଅଛି ? କିଏ ବୁଝିପାରିବ ତାଙ୍କୁ ?

 

ସେ ଆଲ୍‌କୋହଲ୍‌ ପିଅନ୍ତି କାହିଁକି ? କାହିଁକି ବା ଅନୁପମ ସେଇ କେଇଦିନ ଧରି ଲାଗ୍‌ଲାଗ୍‌ ପିଉଥିଲା ? କିଛି ସାମଞ୍ଜସ୍ୟ ଅଛି କି ?

 

ଅନୁପମ ଭାବେ । ଭାବି ଭାବି ହତାଶ ହୁଏ । ଏତେ ଦିନ ମିଶି ବି ଡ: ମିଶ୍ରଙ୍କୁ ଚିହ୍ନି ପାରିଲାନାହିଁ, ବୁଝିପାରିଲା ନାହିଁ । ଡ: ମିଶ୍ର ଏକ ରହସ୍ୟର ଅବତାର; ଗବେଷଣାଗାର ପରି ରହସ୍ୟମୟ ତାଙ୍କର କ୍ରିୟା-କଳାପ ।

 

ଅନୁପମ ଯଦି ତାଙ୍କର ପନ୍ଥା ଧରେ ! କିନ୍ତୁ ସେ ବାଟ ଦୁର୍ଗମ । ଅନୁପମ ହୁଏତ ପାରିବନାହିଁ । ଲାବୋରେଟରି ଓ ଆକାଶ,–ଏ ଦୁଇଧାର ମଝିରେ ବିରାଟ ଆୟତନର ଶୂନ୍ୟତା–ଅନୁପମ କଣ ବଞ୍ଚିପାରିବ ତାହାଭିତରେ ?

 

ମେ’ ମାସର ଅପରାହ୍‌ଣ । ଖରା ତେଜ କମିକମି ଆସୁଥାଏ । ପରସ୍ତେ ଦି’ପରସ୍ତ ଧୂଳି ଜମିଥାଏ ଆକାଶରେ । ଧୂଳିଆ ଗାଁ-ଦାଣ୍ଡ । ଗୋରୁଗୁଡ଼ାକ ଫେରୁଥାଆନ୍ତି ବିଲରୁ–ଗାଈଆଳ ପିଲଟା ହୁଟ୍‌ହୁଟ୍‌ କରୁଥାଏ ଏପାଖ ସେପାଖ ଧାଇଁ । ମଝିରେ ମଝିରେ ପାଞ୍ଚଣ ପାହାରର ଶବ୍ଦ ଆସୁଥାଏ–ଓଲିଆ ଗାଈ ଗୋରୁଙ୍କ ପିଠିରେ ଧପ୍‌-ଧପ୍‌ ଶୁଭୁଥାଏ ପାହାର । ଅନୁପମ ଚାହିଁଥାଏ ଝରକାରୁ ସେଇ ଗାଈଆଳ ପିଲାଟାକୁ । ମଳି କୁତୁକୁତୁ ଗାମୁଛା ଖଣ୍ଡେ ଗୁଡ଼େଇ ପିନ୍ଧିଛି । ଦିହସାରା ଧୂଳି, ପଞ୍ଜରାହାଡ଼ ଦିଶୁଛି, ଏଣ୍ଡୁଳିଆ ପେଟ ଉପରେ ଦୁଇ ଚାରିଟା ଶିରା ବି ପଡ଼ିଛି,–ଦିଶୁଛି ଗାଲର ହାଡ଼–ନୁଖୁରା ମୁଣ୍ଡ; କିନ୍ତୁ ଦାନ୍ତଗୁଡ଼ାକ ଭାରି ଚକ୍‌ଚକ୍‌–ଶାଣଦିଆ କୁରାଢ଼ିର ଧାରପରି ଧୋବ ଫର୍‌ଫର୍‌ । ସେଇ ଦାନ୍ତରେ କାଟି କାଟି ଖଣ୍ଡେ ଆଖୁ ଖାଇ ଖାଇ ଚାଲିଛି ସେଇ ପିଲାଟି । ରସ ଦୁଇକଳ ଦେଇ ବୋହିପଡ଼ିଛି ବେକ ଓ ପେଟ ଉପରେ । ଗୋଟାଏ ହାତରେ ପାଞ୍ଚଣ, ଆଉ ଗୋଟାଏ ହାତରେ ଆଖୁ । ମଝିରେ ମଝିରେ ପାଞ୍ଚଣଟାକୁ ଲହଲହ କରିଦେଉଛି ଶାସନ କରିବା ଲାଗି ଗୋରୁଗୁଡ଼ାଙ୍କୁ । ସେଇ ଦଶ-ବାର ବର୍ଷର ପିଲାଟା କେତେବେଳେ ଗୋରୁଙ୍କ ଭିତରେ, କେତେବେଳେ ବା ପଛରେ–ଆଖୁରସ ଚୋଷି ଚୋଷି ଚାଲିଥାଏ । ଅନୁପମ ଚାହିଁଥାଏ ।

 

ଗୋରୁଗୁଡ଼ାକ ଚାଲିଗଲେଣି,–ଧୂଳି ଉପରେ ଏଠିସେଠି ଯାଉଁ ଯାଉଁ ହଗି ଦେଇ ଯାଇଛନ୍ତି । ପଛେ ପଛେ ଆସିଲା ଆଉ ଗୋଟାଏ ବୁଢ଼ୀ–କଙ୍କାଳ ପଡ଼ିଛି–ହାତରେ ପାଛିଆଟାଏ,–ଅଧାଚିରା କସ୍ତା ଖଣ୍ଡିଏ ଅଣ୍ଟା ଓ ଛାତିରେ ଘେରେଇ ଦେଇଛି । ଧୂଳି ଉପରୁ ଗୋବର ପେଣ୍ଡୁଳାଗୁଡ଼ିକୁ ପାଛିଆରେ ପୂରେଇ ନେଉଛି ସେଇ ବୁଢ଼ୀଟା । ତା’ର ଦରକାର ଗୋବର । ଘଷି କରିବ । ଘଷି ବିକି ଚାଉଳ କିଣିବ । ତେଣୁ ତାକୁ ଚାଲିବାକୁ ପଡ଼େ ଏଇ ଗୋରୁଗୁଡ଼ିକ ପଛେ ପଛେ–ଦାଣ୍ଡେ ଦାଣ୍ଡେ–ଧୂଳିରେ ଧୂଳିରେ ।

 

ଅନୁପମ ସମସ୍ତଙ୍କୁ ଚିହ୍ନେ । ସେମାନେ ତା’ରି ଗାଁର ଜୀବ-ପୃଥିବୀ-ଧୂଳିର ପ୍ରାଣୀ-କୁକୁର ବିଲେଇଙ୍କ ପରି ତାଙ୍କର ମଧ୍ୟ ଜୀବନ ଅଛି । ସେମାନେ ଗୋରୁ ପରି କେବଳ ଖଟନ୍ତି, ପେଟ ପୂରେଇ ଖାଇପାରନ୍ତି ନାହିଁ । ମନମୁତାବକ ଖାଇଲେ ତାଙ୍କୁ ଲୋକେ କୁହନ୍ତି ‘ଓଲିଆ’–ସେଥିପାଇଁ ତାଙ୍କ ଉପରେ ପାଞ୍ଚଣ ବାଜେ । ଅନୁପମ କିନ୍ତୁ ସେମାନଙ୍କ ଅବସ୍ଥା ଘେନି ବେଶି ସମୟ ଚିନ୍ତା କରିପାରେନାହିଁ । ବେଳେବେଳେ ସେ ଭାବେ ଏଇ ଦରିଦ୍ର ନିଷ୍ପେଷିତ ଜୀବଗୁଡ଼ାଙ୍କୁ ଥଇଥାନ ଦେବ–ଯେତିକି ପାରେ, ଯେମିତି ପାରେ ସାହାଯ୍ୟ କରିବ ବଞ୍ଚିବାରେ । ପୁଣି କେତେବେଳେ ତା’ର ନିଜ ଜୀବନର ଝଙ୍କା ବରଗଛ ତା’ର ଉପରେ ହିଁ ଭାଙ୍ଗିପଡ଼େ–ମଡ଼ମଡ଼ କରି, ଅଣଚାଶ ଖଣ୍ଡ ତୋଫାନରେ । କାହୁଁ କାହୁଁ ଦଉଡ଼ିଆସନ୍ତି ଉଡ଼ା କୁମ୍ଭୀରପଲ ପରି ମେଘଗୁଡ଼ାକ ଭାରି ମନର ଆକାଶରେ । ସେ ଭୁଲିଯାଏ ଏ ଦୁନିଆର ଦହମାନ ଜୀବନଲୀଳା । ତା’ର ନିଜର ଅନ୍ତରର କୁହୁଳା ଧୂଆଁରୁ ଫୁତ୍‌ଫୁତ୍‌ କରି ଶିଖା ବାହାରେ । ସେ ଚାହେଁ ତା’ର ଘରକୁ–ବାପାକୁ ଓ ମା’କୁ ଅତି ଅଗଭୀର ଭାବରେ । ତା’ ମନ ଭିତରେ ଖାଲି ଗୁଡ଼ାଏ ଅସ୍ପଷ୍ଟ ରୂପହୀନ ଜୀବ ନାଚିଉଠନ୍ତି–କାହାରି ମୁଣ୍ଡ ନଥାଏ–ପୁଣି କେହି ବି ଶବ୍ଦ ସୃଷ୍ଟି କରୁ ନଥାନ୍ତି;–କେବଳ ନାଚୁଥାନ୍ତି ହାତ ଓ ଗୋଡ଼ ହଲେଇ ହଲେଇ ।

 

ସମୁଦାୟ ତିନି ବଖରା ଘର–ଚାଳ ଛପର । ସାମନା ପାଖ କାନ୍ଥଟି ମାଟି ଲଦା ହୋଇ ତିଆରି ହୋଇଛି–ସବୁ ଛଟା ବଡ଼–ବାଆଁଶ ଲଟି ଓ କଣି ଉପରେ ଚାରିଆଙ୍ଗୁଳି ମୋଟର କାଦୁଅ ଲେସା ହୋଇଛି । ଘର ମଝିରେ ଚାରିହାତ ଲମ୍ବ ଓ ତିନିହାତ ଓସାରର ଅଗଣାଟିଏ । ଅଗଣା ଉପରେ ଚାଳକୁ ଚାଳ ଟାଣି ସରୁ ନଡ଼ିଆକତା ଦଉଡ଼ିର ଜାଲ ବନ୍ଧାଯାଇଛି–କୁଆ, ବଣି ଚଢ଼େଇଙ୍କ ଦାଉରୁ ରକ୍ଷାପାଇବା ଲାଗି । ସେଇ ଅଗଣାରେ ଅନୁପମର ମା’ ହେଁସଟାଏ ପାରିଦେଇ ବତୁରା ଉଷୁନା ଧାନ ଶୁଖାଏ, ଆମ୍ବୁଲ ଶୁଖାଏ, କେତେବେଳେ ବା ବଡ଼ିଅଖାଟାଏ ।

 

ଅନୁପମର ମା’–କାନ ପାଖରେ ବାଳ କେରାଏ ପାଚିଗଲାଣି । ହାତରେ ଦୁଇଟା ରୁପାର ଖଡ଼ୁ, ବାହାରେ ପିତଳ ବାଜୁ । କାନରେ କିଛି ନାହିଁ । ନାକଟା ଖାଲି; କିନ୍ତୁ କାନ ଓ ନାକରେ ଚଉଡ଼ା ଚଉଡ଼ା ଫୋଡ଼ା ଅଛି–ଦିନେ ସେଠି ହୁଏତ କିଛି ନା କିଛି ଅଳଙ୍କାର ଥିଲା । ଓଠଟା ଖୁବ୍‌ ମୋଟା–ପାହୁଲଗୁଡ଼ାକ ଚଉଡ଼ା ଚଉଡ଼ା–ନଖଗୁଡ଼ାକ ଖୁବ୍‌ ମଳିଚିଆ । ସେଇ ଅନୁପମର ମା’ ଭାମା ଦେଈ I

 

 

ବାଡ଼ି ପାଖରେ ଗୋଟିଏ ଭଙ୍ଗା କାନ୍ଥଡ଼ା ଅଛି । ସେଇଟା ଢିଅଟେ । ଉଇହୁଙ୍କା ହେଲାଣି-। ହୁଙ୍କା ଉପରେ ଅପରାଜିତା ଲତାଟିଏ ମାଡ଼ିଯାଇଚି–ଦୁଇ ଚାରିଟା ନୀଳରଙ୍ଗର ଚୂନା ଚୂନା ଫୁଲ ଫୁଟିଛି । ସେଇ ଢିଅଟାରେ ତାଙ୍କର କମାରଶାଳ ଥିଲା । ସେଠି ଚୁଲି ଜଳୁଥିଲା । ଅନୁପମର ବୁଢ଼ା ବାପା ଲୁହା ତରଳେଇ ସେଇଠି ବସି କରୁଥିଲା କେତେପ୍ରକାରର ଯନ୍ତ୍ରପାତି,–କାତି, କୁରାଢ଼ି, ଦାଆ ଓ ଫାଉଡ଼ା । ଗାଁ-ସାରା ଲୋକ ସେଠି ଜମୁଥିଲେ ସକାଳୁ ସକାଳୁ । କିଏ ଲଙ୍ଗଳର ଫାଳଖଣ୍ଡେ ପାଇଁ, କିଏ ବା କାତିରେ ବେଣ୍ଟ ଲଗେଇବା ଲାଗି ସେଠି ଆସି ପହଞ୍ଚୁଥିଲେ-। ଦୋକ୍ତା ପିଙ୍କାଟାଏ ଟାଣି ଅନୁପମର ବୁଢ଼ାବାପା ସମସ୍ତଙ୍କର ଖବର ବୁଝୁଥୁଲା,–ସମସ୍ତଙ୍କର କାମ କରୁଥିଲା । ଅସନ୍ତୁଷ୍ଟ ହୋଇ କିଏ ହେଲେ ଫେରି ଯାଉନଥିଲେ । ଚମଡ଼ା ତକିଆଟାଏ ଖଞ୍ଜାହୋଇଥିଲା ଦୂରରେ–ଲୁହା ନଳି ଦେଇ ସେଇଟା ଯୋଡ଼ାହୋଇଥିଲା ଚୁଲି ସହିତ-। ତକିଆ ଉପରେ ଠିଆହୋଇ ଗୋଡ଼ ଉପର ତଳକୁ କରି ହାବିସ୍‌ ମରାଯାଏ । ହାବିସ୍‌ ମାରିଲେ ଭସ୍‌ଭସ୍‌ ହୋଇ ପବନ ବାଜେ ଚୁଲିରେ, କୁହୁଳୁଥିବା ଅଙ୍ଗାରସବୁ ଦାଉ ଦାଉ ହୋଇ ଜଳିଉଠେ-। ଚୁଲିର ନିଆଁର ଉତ୍ତାପ ବେଳକୁବେଳ ବଢ଼େ । ସେଇ ଉତ୍ତାପରେ କଞ୍ଚା ଲୁହା ପାଚି ଲାଲ୍‌ ହୋଇଯାଏ-। ତା’ ପରେ ଆରମ୍ଭ ହୁଏ ପିଟା । ଲୁହା ପିଟଣାରେ ପିଟି ପିଟି ମନମୁତାବକ ଆକାର ଦେଉଥିଲା ଅନୁପମର ବୁଢ଼ାବାପା ଲୁହାମୁଣ୍ଡାଗୁଡ଼ାକୁ । ସେଇ ଥିଲା ତା’ର ଜୀବିକା । ଲୁହା ଓ ନିଆଁ ସହିତ ତା’ର ଜୀବନ ବନ୍ଧାଥିଲା ।

 

ଦିନକର କଥା । ଅନୁପମର ବାପା ମାଗୁଣି ସେତେବେଳେ ପିଲା । ଚମଡ଼ା ତକିଆ ଉପରେ ଠିଆହୋଇ ମାଗୁଣି ହାବିସ୍‌ ମାରୁଥାଏ–ଭସ୍‌ଭସ୍‌ ହୋଇ ପବନ ବାଜୁଥାଏ ଚୁଲି ତଳରେ-। ଲୁହାମୁଣ୍ଡାଟାଏ ପଡ଼ିଥାଏ ଚୁଲିରେ । ଲୁହା ମୁଣ୍ଡାଟା ପାଚିଗଲା ପରେ ଅନୁପମର ବୁଢ଼ାବାପା ତାକୁ ଉଠେଇଲା ଚିମୁଟାରେ । ଚିମୁଟାରେ ଧରି ତଳେ ରଖି ଲୁହାର ପିଟଣାରେ ଜୋର୍‌କରି ପାହାରେ ପିଟିଲା । ହଠାତ୍‌ ଲୁହାମୁଣ୍ଡାଟା ଚିମୁଟାର ଅକ୍ତିଆରରୁ ଛିଟିକି ଆସି ଉପରକୁ ଉଠିପଡ଼ିଲା ଏବଂ କିଛି ଉଚ୍ଚକୁ ଉଠି ଖସିପଡ଼ିଲା ବୁଢ଼ାର ମୁଣ୍ଡ ଉପରେ ।

 

ସେଇ ଶେଷ । ଅନୁପମର ବୁଢ଼ାବାପାର ଶବ ପୋଡ଼ି ଆସି ମାଗୁଣି ଓ ମାଗୁଣିର ମା’ ଭାଙ୍ଗି ଦେଲେ ସେଇ କମାରଶାଳଟାକୁ । ସେଇ କାନ୍ଥଟା ଠିଆହେଇଚି । ଅନୁପମ ଦେଖିନାହିଁ–ଶୁଣିଚି କେବଳ ।

 

ତା’ପରେ ଅନୁପମର ବାପା ମାଗୁଣି ଦାସ ୟାର ତାଆର ଜମି ଭାଗ ନେଇ ଚାଷ କଲେ–ସେଇ ପିଲା ବୟସରୁ–ମାଟି ସାଙ୍ଗରେ ମାଟି ହୋଇ । ଏବେ ଦି-ତିନିମାଣ ଜମି କଲେଣି । ତା’ଛଡ଼ା ଦୋକାନଟାଏ କରିଛନ୍ତି, ଗାଁ ଲୋକଙ୍କର ନିତିଦିନିଆ ଗୁଜୁରାଣର ତେଜରାତି ଦୋକାନ । ବେଳେବେଳେ କଣ୍ଟ୍ରୋଲ୍‌ ଚାଉଳ ମଧ୍ୟ ବିକନ୍ତି ସୁବିଧା ପାଇଲେ । ସେଇଥିରୁ ଯାହା ମିଳିଚି ଅନୁପମକୁ ପଢ଼େଇଛନ୍ତି–ସେଇଥିପାଇଁ ଘର ଖଣ୍ଡେ ଭଲକରି ତିଆରି କରିପାରିନାହାନ୍ତି । ଅନୁପମର ମା’ ବି ଭଲକରି ଶାଢ଼ି ଖଣ୍ଡେ ପିନ୍ଧିପାରିନାହିଁ ଏ ଯାଏଁ ।

 

ଅନୁପମର ଭବିଷ୍ୟତ କର୍ମପନ୍ଥା ଉପରେ ନିର୍ଭର କରୁଛି ଏଇ ଛୋଟ ପରିବାରଟାର ଅର୍ଥନୈତିକ ଭବିଷ୍ୟତ । ଘରଟାକୁ ସେ ଅଲଗା କରିବାକୁ ଚାହେଁ । ସେ ଡାକ୍ତର । ଶିକ୍ଷିତ । ତାଙ୍କ ସାଇ ଭିତରେ ସେ ଜଣେ ବିଶିଷ୍ଠ ଆସନ ଓ ସମ୍ମାନର ଅଧିକାରୀ ।

 

ଅର୍ଦ୍ଧନଗ୍ନ ପାଉଁଶିଆ ଧୂଳିଆ ଲୋକଗୁଡ଼ାକ ହିଁ ସେଇ ସାଇଟାର ବାସିନ୍ଦା । ଦୁଇଘର କୁମ୍ଭାର । ଦୁଇଘର କେଉଟ । ତିନିଚାରି ଘର ରାଢ଼ି । ତା’ ଛଡ଼ା ଅନୁପମର ଘର ଆଗ ପଛ ଓ ଏକଡ଼ ସେକଡ଼ ହୋଇ ଆଉ ଦି-ଚାରି ଘର କମାର । ସବୁଗୁଡ଼ିକ ଚାଳ ଘର ।

 

ଘର ଆଗରେ ଗାଈଗୁହାଳ,–ଗୋବର ଓ ଗୋରୁ ମୂତରେ ପରିପୂର୍ଣ୍ଣ ଦାଣ୍ଡଟା । ସମସ୍ତଙ୍କ ଚାଳ ଉପରେ କଖାରୁ, ପୋଇ ଓ ବୋଇତାଳୁର ଲଟା ମାଡ଼ିଛି । କାହା ପିଢ଼ାକୁ ଲାଗି ସଜନାଛୁଇଁ ଗଛ । ପୁଣି କାହା ଘରର ଚାଳ ଫୁଟି ନଡ଼ିଆ ଗଛ ଠିଆହୋଇଛି । ସେଇ ସାଇର ମୁଣ୍ଡରେ ଚାରିଘର ଚମାର ଅଛନ୍ତି । ଏଇ ଡେଙ୍ଗା ଡେଙ୍ଗା ନଡ଼ିଆ ଓ ତାଳ ଗଛଗୁଡ଼ାକୁ ସେମାନେ ମାଙ୍କଡ଼ ପରି ଚଢ଼ିଯାଆନ୍ତି, ବାଉଙ୍ଗା ସବୁ ଝାଡ଼ିପକାନ୍ତି । ଘରକୁଘର ବୁଲି ଗଛକୁଗଛ ଚଢ଼ିବା ତାଙ୍କର ବେଉସା ।

 

ଅନୁପମର ସାଇଟି ବାସ୍ତବିକ ସେଇ ଗାଁର ପ୍ରଧାନ ଅଞ୍ଚଳ I କେଉଟ, ରାଢ଼ି, ଚମାର, କମାର ଓ କୁମ୍ଭାର ଜାତିର ଲୋକେ ହିଁ ଗାଁର ଆବଶ୍ୟକତା ମେଣ୍ଟାଇଥାନ୍ତି । ବଂଶ–ପରମ୍ପରାକ୍ରମେ ପୁଅ ବାପର ଜୀବିକା ଗ୍ରହଣ କରେ । ଅନୁପମର ଘରଟି ସେସବୁ ଭିତରୁ ଏବେ ଅଲଗା ହୋଇପଡ଼ିଛି । କମାରଶାଳ ଭାଙ୍ଗି ଯାଇଛି । ଅନୁପମ ଅଲଗା ହେଇପଡ଼ିଛି ଏଇ ସାଇଟାର ପାରମ୍ପରିକ ଧାରା ଭିତରୁ ।

 

ଅନୁପମ ମେଡ଼ିକାଲ କଲେଜରୁ ଗାଁକୁ ଆସିବା ଦିନଠାରୁ ଭାମା ଦେଈଙ୍କ ମୁହଁରେ ହସ ଫୁଟିଛି । ହସ ଓ ଉଲ୍ଲାସ ସହିତ କିଛି ପରିମାଣରେ ଗର୍ବ ମଧ୍ୟ ଅନୁପମ ନିଜ ମା’ର କଥାବାର୍ତ୍ତା ଚାଲିଚଳନରେ ଲକ୍ଷ୍ୟକରିପାରିଛି । ସତେ ଯେମିତି ଭାମା ଦେଈ ଏକ ବଶିଷ୍ଟ ଧରଣର ନାରୀ ଓ ସୌଭଗ୍ୟବତୀ ଜନନୀ ଏବଂ ଅନେକ ଜନନୀଙ୍କଠାରୁ ପୃଥକ୍‌ ।

 

ପିଲାବେଳେ ଅନୁପମକୁ ଯେଉଁମାନେ ଘୃଣା କରୁଥିଲେ ସେମାନଙ୍କ ଭିତରୁ କେତେକ ଅନୁପମ ଆଡ଼କୁ ମୁହେଁଇଲେଣି । କାହାର ପେଟ ଖରାପ, କାହାର ମୁଣ୍ଡରେ ଘା’ ବାହାରିଛି, କାହାକୁ ବା ଜର–ଏଇ ଧରଣାର ନାନା ଶାରୀରିକ ଅସୁସ୍ଥି ଘେନି ସେଇ ଲୋକସବୁ ମଝିରେ ମଝିରେ ଆସି ଅନୁପମ ଘରର ପିଣ୍ଡା ଉପରେ ଠିଆହୁଅନ୍ତି । କିଏ ବା ସ୍ନେହରେ ଡାକେ, କିଏ ଅନୁନୟ, କିଏ ବା ସାକୁଲାଏ ମା-ରାଣ ବାପ-ରାଣ ପକାଇ–ଓଷଦ ଟିକିଏ ପାଇଁ । ଅନୁପମର ହାତବାକ୍‌ସର ଔଷଧ ଉପରେ ସମସ୍ତଙ୍କର ଆଖି ଥାଏ । ଅନୁପମ ଦିଏ । ଅନେକ ସମୟରେ ସେ କେବଳ ଔଷଧର ସୂଚନା-ପତ୍ର ଲେଖିଦେଇ ପାଖ ସହରରୁ କିଣିଆଣିବାକୁ କହେ । ପଇସା ତାକୁ କେହି ଦିଅନ୍ତିନାହିଁ । ମାଗିବାକୁ ବି ତା’ର ସାହସ ହୁଏନାହିଁ । ଯଦିଓ ଲୋକସେବା କରିବା ତା’ର କାମନା ନଥିଲା, କିମ୍ବା ସେଥିପାଇଁ ସେ କିଛି ଇଚ୍ଛାକରି ନିଷ୍ଠାପର ଭାବରେ ଉତ୍ସର୍ଗ କରୁନଥିଲା; କିନ୍ତୁ ଆପଣାଛାଏଁ ତାକୁ ସମ୍ମାନ ଓ ପ୍ରଶଂସା ମିଳିଯାଉଥିଲା । ଏଣୁ ଲୋକେ ତାହାରି ଘର ଦୁଆରମୁହଁକୁ ବେଳକୁବେଳ ବେଣି ଛୁଟୁଥିଲେ । କିଏ କିଏ ବି କହୁଥିଲେ ‘ଅନୁପମର ହାତ ଖୁବ୍‌ଭଲ, ଔଷଦଟା କାଟୁ କରୁଚି ।’ ଅନୁପମ ସେଭଳି ପ୍ରଶଂସାରେ ଗର୍ବ ଅନୁଭବ କରୁନଥିଲା; କାରଣ ସେ ଜାଣିଥିଲା । ନିଷ୍ଠାପରଭାବରେ ସେ କିଛି କରିନାହିଁ । ରୋଗୀଗୁଡ଼ାକ ତାକୁ ପୁଲକିତ କିମ୍ବା ଉତ୍ତେଜିତ କରିପାରୁନଥିଲେ । ଅନୁପମ କେବଳ ଏକ ମେସିନ୍‌ ପରି କାମ କରୁଥିଲା, ଗୋଟାଏ ‘କମ୍ପ୍ୟୁଟର’ ମେସିନ୍‌ ପରି ଓଷଦ ବତାଉଥିଲା । ଏଣୁ ରୋଗୀସେବାର ସାର୍ଥକତାରୁ ଯେଉଁ ଆନନ୍ଦ ମିଳିବାର କଥା ଅନୁପମ ନିକଟରେ ତାହା ଅନୁପଲବ୍‌ଧ ରହିଯାଇଥିଲା । ଡ: ମିଶ୍ରଙ୍କର ବାଣୀ ତା’ କାନରେ ଗୁଞ୍ଜରିତ ହେଉଥିଲା–‘ତାକୁ ପରପାଇଁ ବଞ୍ଚିବାକୁ ପଡ଼ିବ ।’ କିନ୍ତୁ ତାହା ଅନୁପମ ହୃଦୟର ସମର୍ଥନ ଓ ସ୍ୱୀକୃତି ନ ପାଇଥିବାରୁ ଶିରାପ୍ରଶିରାରେ ଧ୍ୱନିତ ହୋଇପାରିନଥିଲା । ସେ ଉଦାସଭାବରେ ବସୁଥିଲା, କଥା କହୁଥିଲା ଓ କେବଳ ଆବଶ୍ୟକତା ଅନୁଭବ କରି ଓଠରେ ହସୁଥିଲା ।’’

 

ଦିନକର ଘଟଣା, ସକାଳ ପ୍ରାୟ ଆଠଟା ହେବ । ଅନୁପମ ବାରଣ୍ଡାରେ ବସିଚି । ଚାରି ବର୍ଷର ଗୋଟିଏ ଝିଅକୁ କାନ୍ଧରେ ବସେଇ ଲୋକଟିଏ ଆସିଲା । ଝିଅଟି ଖୁବ୍‌ ସୁନ୍ଦର, ପାଚିଲା ସୁନ୍ଦୁରୀ ଆମ୍ବ ପରି ଦିଶୁଥାଏ ।

 

ଝିଅଟିକୁ କାନ୍ଧରୁ ଓହ୍ଲେଇ ଲୋକଟି ଅନୁପମକୁ କହିଲା ‘‘ବାବୁ ! ଦେଖନ୍ତୁ ଏ ଝିଅର କ’ଣ ହେଇଛି କିଛି ଖାଉନି; ଚାରିଥର ବାନ୍ତି କଲାଣି ।’’

 

ଅନୁପମ ସଳଖେଇ ବସିଲା । ତା’ର ଇଚ୍ଛାହେଲା ଝିଅଟିକୁ ଆଗେ କୋଳ କରିବ; ଗେଲ କରିବ, ମନଇଚ୍ଛା ବୋକ ଦେବ । ସେ ହାତ ବଢ଼େଇଲା–‘‘ଆ ମା... ?’’

 

କିନ୍ତୁ ଅନୁପମ ହାତ ବଢ଼େଇଲାକ୍ଷଣି ଝିଅଟି କାନ୍ଦିବାକୁ ଆରମ୍ଭ କଲା–‘‘ବାବା ! ...ବାଇଆ ।’’

 

‘‘ନା...ଲୋ, ସେ ପରା ଡାକ୍ତରବାବୁ’’ ଲୋକଟି କହିଲା–‘କାନ୍ଦ୍‌ନା, କାନ୍ଦ୍‌ନା ସେ ତୋତେ ଭଲକରିଦେବେ ପରା !’’

 

କିନ୍ତୁ ଝିଅଟି ଲୋକଟିକୁ କୁଣ୍ଢାଇ ଧରିଲା ଓ ଚିହିରା ଛାଡ଼ି କାନ୍ଦିବାକୁ ଲାଗିଲା ଆଖି ବୁଜି-

 

ଅନୁପମ ହାତ ଫେରାଇଆଣିଲା । ସେଇଦିନଠାରୁ ଅନୁପମ ଆହୁରି ବେଶୀ ଉଦାସ ହୋଇପଡ଼ିଛି ।

 

ଅନୁପମର ଉଦାସଭାବ ଭାମା ଦେଈଙ୍କ ଆଖିରେ ଲୁଚିରହିପାରିନାହିଁ । ଅନୁପମ ମା’କୁ ଚାହିଁଲାକ୍ଷଣି ହସଟାଏ ଖେଳାଇଦିଏ; କିନ୍ତୁ ଭାମା ଦେଈ ଅନୁପମର ହସଟାକୁ କିଛିଦିନ ଲକ୍ଷ୍ୟ କରିବା ପରେ ଶୁଷ୍କତାକୁ ଠିକ୍‌ ଠଉରାଇନେଲେ । ଅନୁପମ ଲକ୍ଷ୍ୟକଲା ତା’ର ମା’ ମଧ୍ୟ ଉଦାସ ହୋଇପଡ଼ିଲାଣି । ତା’ ପରେ ଅନୁପମକୁ ଘରଟା ମଧ୍ୟ ସହଜ ଲାଗିଲା ନାହିଁ । ଅନୁପମ ସେଥିଲାଗି ଖରା ଲେଉଟିବାକ୍ଷଣି ଘରୁ ବୁଲିବାହାରିଯାଏ ଗାଁ-ମୁଣ୍ଡ ଆଡ଼କୁ–ଲକ୍ଷ୍ୟହୀନ ଭାବରେ ଯୁଆଡ଼େ ଇଚ୍ଛା ସିଆଡ଼େ । ଫେରେ ଖୁବ୍‌ ଡେରିରେ । ତା’ର ବାପା’ ଦୋକାନ ବନ୍ଦ କରି ପ୍ରାୟ ସେତେବେଳକୁ ଫେରିଆସିଥାନ୍ତି । ସଞ୍ଜପହରେ ସେ କୌଣସି ରୋଗୀଙ୍କ ଖବର ବୁଝେନାହିଁ I

 

ଅନୁପମ ବୁଲୁଁ ବୁଲୁଁ ବହୁତ ଦୂରକୁ ଚାଲିଯାଏ–ଗୋବିନ୍ଦପୁର ଗାଁର ଶେଷ ମୁଣ୍ଡକୁ–ଯେଉଁଠି ଅସୁରଦୀଘିଟା ଅଛି । ଏଇ ଅସୁରଦୀଘି ସମ୍ପର୍କରେ ଓଡ଼ିଶାର ଔପନ୍ୟାସିକ ଫକୀରମୋହନ ‘ଛମାଣ ଆଠଗୁଣ୍ଠ’ରେ ବର୍ଣ୍ଣନା କରିଛନ୍ତି । ଦୀଘିଟା ବେଶ୍‌ବଡ଼ ଗୋଟିଏ ଛୋଟିଆ ହ୍ରଦ ପରି ଦିଶେ । ଫକୀରମୋହନଙ୍କ ପ୍ରଦତ୍ତ ବିବରଣୀ ଅନୁସାରେ ପୁରାଣପ୍ରସିଦ୍ଧ ବାଣାସୁର ଏଇ ପୋଖରୀଟା ଖୋଳାଇଥିଲା । ସେ ଯାହାହେଉ, ଏଠାରେ ତାହାର ଆଲୋଚନା ଅବାନ୍ତର ।

 

ଅସୁର ଦୀଘି ପୂର୍ବକୂଳରେ ଦୁଇଟା ବଡ଼ ପଥର ପଡ଼ିଛି–ଗୋଟାଏ ଝଙ୍କା ବରଗଛ ତଳେ-। ବରଗଛର ଗୋଟାଏ ଡାହି ନଇଁପଡ଼ିଛି ପାଣି ଉପରକୁ ଲମ୍ବେଇହୋଇ । ପବନ ଦେଲେ ସେଇ ଡାହିଟାର ପତରଗୁଡ଼ାକ ପାଣିରେ ବୁଡ଼ିଯାଏ । ମୂଳରେ ଗୋଟିଏ ପଥର ବେଦୀ । ବେଦୀ ଉପରେ ଦୁଇ ଚାରିଖଣ୍ଡ ସିନ୍ଦୂରବୋଳା ପଥର, ଦଶ ପନ୍ଦରଟି ମାଟିପୋଡ଼ା ଘୋଡ଼ା । ବଡ଼ ପଥର ଖଣ୍ଡିକ ଜାଗୁଳେଈ ଭାବରେ ପୂଜା ହୁଏ । ପଥରଟିର ସର୍ବାଙ୍ଗ ସିନ୍ଦୂର ବିଲେପିତ, ତଳରୁ ଅଧାଯାଏଁ ଖଣ୍ଡିଏ ଚାଖେଣ୍ଡେ ଓସାର ଓ ଦୁଇ ହାତ ଲମ୍ବର କଳା ପାଞ୍ଚିରେ ଆବୃତ ହୋଇଛି । ସମସ୍ତଙ୍କ ଉପରେ କିଛି ମନ୍ଦାର ଫୁଲ । ଗାଁଟାଯାକର ଲୋକେ ଏହାଙ୍କୁ ପୂଜା କରନ୍ତି, ପ୍ରତିଦିନ ଭୋଗ ଦିଅନ୍ତି-। ବୁଢ଼ାବୁଢ଼ୀମାନେ ଭୋଗରାଗ ଦିଅନ୍ତି ଫୁଲ ବେଲପତ୍ର ଦିଅନ୍ତି । ବେଳେ ବେଳେ ଏଇଠି ମେଳା-ମଉଛବ ହୁଏ । ଝାଞ୍ଜ ମୃଦଙ୍ଗ ବାଜେ । କୀର୍ତ୍ତନ ହୁଏ । ପଣା ହୁଏ । ଏଇ ଠାକୁରଣୀଙ୍କ ଆଦର ବଢ଼ିଯାଏ; ବିଶେଷ କରି ହଇଜା ବସନ୍ତ ଇତ୍ୟାଦି ଲାଗିଲେ । ଲୋକେ ଚାନ୍ଦା ସଂଗ୍ରହକରି ମଉଛବ କରନ୍ତି । ବେଳେବେଳେ ଏହିମାନଙ୍କ ଆଗରେ ଯଜ୍ଞ ହୁଏ । ପୁଣି ଚୈତ୍ରମାସର ଘୋଡ଼ାନାଚ ଏଇ ବରଗଛ ମୂଳର ଶ୍ରେଷ୍ଠ ପର୍ବ । ଆଖପାଖ ଗାଁର ଲୋକେ ଏଠିକି ଆସି ରୁଣ୍ଡ ହୁଅନ୍ତି । ରାଢ଼ି ଓ କେଉଟ ଜାତିର ଲୋକେ କାଠ-ବାଆଁଶର କଙ୍କାଳ ଉପରେ କନାଖୋଳ ସଜେଇ ଘୋଡ଼ାଚାଳକ ବେଶରେ ରୁମୁଝୁମୁ ଶବ୍ଦ କରି ଏଇ ବରଗଛ ମୂଳରେ ଜମାହୁଅନ୍ତି । ପ୍ରାୟ ଚାଳିଶି ପଚାଶ ବାଆଁଶ ଓ କନା ତିଆରି ଘୋଡ଼ାର ମେଳନ ହୁଏ । ଘୁଙ୍ଗୁର ଘାଡ଼ୁ ଘାଡ଼ୁ କରି ମଣ୍ଡଳାକାରରେ ଘୋଡ଼ାନାଚ ହୁଏ–ଗୀତ ହୁଏ–ପାଲା ହୁଏ । ଚଇତ ମାସର ପୂନେଇଁ ରାତିର ଧୋବ ଫର୍‌ଫର୍‌ ଜହ୍ନ ଆଲୁଅ ତଳେ ଏଇ ବରଗଛ ତଳଟା ଭାରି ଜମିଉଠେ । ଅନୁପମ ପିଲାଟିବେଳେ ବହୁତଥର ଘୋଡ଼ାନାଚ ଦେଖିଚି । ଅନୁପମ ସାଇରୁ ମଧ୍ୟ ତିନି ଚାରିଟା ଘୋଡ଼ା ବାହାରି ଏଇ ପଡ଼ିଆକୁ ଆସେ ।

 

ଏଇ ଜାଗୁଳେଈଙ୍କ ସାମ୍ନାରେ କାଳିଶି ନାଚ ବି ହୁଏ । ସାଧାରଣତଃ ପୁରୁଷମାନଙ୍କୁ କାଳିଶି ଲାଗେ । ଯାହାକୁ କାଳିଶି ଲାଗେ ସେ ଲାଲ୍ ଶାଢ଼ିଟାକୁ ଗୁଡ଼େଇ ଘାଗରାଭଳି ପିନ୍ଧେ । ମୁଣ୍ଡରେ ଲାଲ୍‌ଗାମୁଛାଟାଏ ପାଗକରି ବାନ୍ଧେ । ହାତରେ ଗୋଟାଏ ବେତ ଧରେ । ଠାକୁରାଣୀଙ୍କ ଆଗରେ ଝୁଣାଧୂଆଁ କୁହୁଳୁଥାଏ । ସେଇ ଧୂଆଁ ପାଖରେ ପାଟି ଆଁ କରି ଦଣ୍ଡ ଭାଙ୍ଗେ । ଗୁଡ଼ାଏ ଧୂଆଁ ତାର ଆଖି-କାନ-ପାଟିରେ ଭର୍ତ୍ତି ହୋଇଯାଏ । ଢୋ-ଢୋ ହୋଇ ‘ଢୋଲ ବାଜେ । ବାଜାର ତାଳେ ତାଳେ ସେ ଧାବମାନ ନୃତ୍ୟକରେ, ‘‘ହାତରେ ବେତଟାକୁ ଲହଲହ କରି । ବେତଟାରେ ସିନ୍ଦୂର ଘଷାହୋଇ ଚର୍‌ତର୍‌ ଦିଶୁଥାଏ । ଭାରି ଭୟଙ୍କର ସେଇ କାଳିଶି ନାଚ । କେତେବେଳେ କାଳିଶି ବାଘ ପରି କୁଦେ କେତେବେଳେ ବା ଦାନ୍ତରେ ମନ୍ଦାରଫୁଲଟାଏ ଧରି ସାପପରି ନାକରେ ଫଁ ଫଁ ହୁଏ, ଆଖି ତରାଟି ଦେଖଣାହାରିଙ୍କୁ ଭୟ ଦେଖାଏ । ଢୋଲ ବାଜାର ରଣଧନ୍ଦୋଳିଆ ଢଂକାର ଓ ଝୁଣାଧୂଆଁ ଓ ଦର୍ଶକଙ୍କର ହୋ-ହୋ–ଶବ୍ଦ ପରିବେଶଟାକୁ ବେଶ୍‌ ଏକ ସ୍ଵତନ୍ତ୍ର ରୂପ ଦାନ କରିଥାଏ । କାଳିଶି ସହିତ ଦର୍ଶକଙ୍କର ବିଚିତ୍ର ମନଟା ବି ପାଗଳ ପରି ନୃତ୍ୟକରେ । ମାଇପେ ବି ପିଲାଛୁଆଙ୍କୁ କାଖେଇ ଧରି ସେଠିକି ଆସନ୍ତି ।

 

ଅନୁପମ ଶୁଣିଛି–ଭାମା ଦେଈ କାଳେ ତାକୁ ଧରି କାଳିଶି ନାଚ ଦେଖିବାକୁ ଯାଇଥିଲେ-। ଅନୁପମ ସେତେବେଳେ ବର୍ଷେ କି ଦଶମାସର ହୋଇଥାଏ । ତା’ ମୁଣ୍ଡରୁ ବାଳ ସବୁ କାଟିଦିଆଯାଇ ଲଣ୍ଡା କରାଯାଇଥାଏ, କେବଳ ପଛ ପାଖରେ ଗୋଟିଏ ଚୁଟି ଓହଳିଥାଏ-। ଭାମା ଦେଈ ସେଦିନ ଅନୁପମକୁ ତେଲ ହଲଦି ଘଷି ଗାଧୋଇ ଦେଇଥାନ୍ତି । ଅନୁପମ ଲାଗି ଜାଗୁଳେଈଙ୍କୁ ଖଣ୍ଡେ କଳା ପାଞ୍ଚି, ଟଙ୍କାକର ମୁଆଁ, ଅଣାକର ଝୁଣା ଇତ୍ୟାଦି ମାନସିକ କରିଥାନ୍ତି ଦେବାଲାଗି । ସେଇଦିନ ସବୁ ନେଇ ସେ ଜାଗୁଳେଈଙ୍କ ଗୋଡ଼ତଳେ ରଖି ଅନୁପମକୁ ଜାଗୁଳେଈଙ୍କ ସାମ୍ନାରେ ଗଡ଼େଇଦେଲେ । ଅନୁପମ କାଳେ ଚିର୍‍ଚିରେଇ କାନ୍ଦୁଥିଲା ସେତେବେଳେ । ତା’ ଦେହ ସାରା ବାଲି ଧୂଳି ଲାଗିଯାଇଥାଏ । ଜାଗୁଳେଈଙ୍କ ଦେହର ସିନ୍ଦୂର ଆଣି ଭାମା ଦେଈ ଅନୁପମ ମୁଣ୍ଡରେ ମାରିଦେଲେ । ତା’ପରେ ସେ ଅନୁପମକୁ କାଖେଇ ଠିଆହେଲେ ଜନତା ଭିତରେ ।

 

ସେଦିନ କାଳିଶି ଲାଗିଥାଏ ତାଙ୍କ ସାଇର ସନିଆ ଧୋବାକୁ । ସନିଆ ଧୋବା ପାଟଶାଢ଼ିଟାକୁ ଘାଗରା କରି ପିନ୍ଧୁଥାଏ । କାନରେ ଦୁଇଟା ମନ୍ଦାର ଫୁଲ ଖୋସିଥାଏ । ତା’ପରେ ସେ ଝୁଣା ଧୂଆଁ ଖାଇଲା ବହୁତ ସମୟ ଧରି । ଠାକୁରାଣୀ ତା’ ଦିହରେ ଗୁପ୍ତରେ ପଶିବା ପରେ ତାକୁ କାଳିଶି ଲାଗିଲା । ସେ ବାଘଛୁଆ ପରି କୁଦିପଡ଼ିଲା । ଠାକୁରାଣୀଙ୍କ ପିଣ୍ଡି ଉପରେ ବେତରେ ଦୁଇଚାରି ପାହାର ବାଡ଼େଇଦେଇ ସେ ବୁଲିପଡ଼ିଲା ଦର୍ଶକଙ୍କ ଆଡ଼କୁ । ଭାମା ଦେଈଙ୍କ ପରି ଆହୁରି କେତେ ମା’ ସେମାନଙ୍କ ପିଲାଙ୍କୁ ଧରି ଠିଆ ହୋଇଥାନ୍ତି । ସନିଆ ଧୋବାକୁ ଆସୁଥିବାର ଦେଖି ସମସ୍ତେ ଆଗକୁ ଝୁଙ୍କି ପଡ଼ିଲେ । ଭାମା ଦେଈ ସମସ୍ତଙ୍କୁ ଠେଲି ବାହାରିପଡ଼ିଲେ ଆଗକୁ । ଶିଶୁ ଅନୁପମକୁ ଦୁଇ ହାତରେ ଟେକିଧଇଲେ କାଳିଶି ଆଗରେ । ଅନୁପମର ପିଠିରେ ସପାକ୍‌ ସପାକ୍‌ କରି ବେତ ପାହାର ବସେଇଦେଲା ସନିଆ ଧୋବା । ଭାମା ଦେଈ କାଳେ ସେଇଆ ଚାହିଁଥିଲେ । କାଳିଶି ବେତର ପାହାର ବାଜିଲେ ପିଲାଙ୍କୁ ରୋଗ ଛୁଏଁ ନାହିଁ, ଦଶା କଟିଯାଏ ଆୟୁ ବଢ଼େ । ଅନୁପମ ପିଠିରେ କାଳେ ବେତଦାଗ ବସିଯାଇଥିଲା । ଫୁଲିଯାଇଥିଲା ପିଠିଟା । ସେ ଫୁଲା ଦୁଇ ଚାରିଦିନ ଯାଏଁ ରହିଥିଲା । ଯାହା ଉପରେ ଯେତେ ଜୋର୍‌ରେ ପାହାର ଲାଗେ ସେ ସେତେ ବେଶୀ ବର୍ଷ ବଞ୍ଚେ । ଭାମା ଦେଈ ସେଥିଲାଗି ଖୁସି ହୋଇଥିଲେ । ପୁଣି କାଳିଶି ନାଚର ପ୍ରଥମ ପାହାର ବସିଥିବାରୁ ସେ ମନେମନେ କୃତକୃତ୍ୟ ମଧ୍ୟ ହୋଇଥିଲେ । ସନିଆ ଧୋବାକୁ ମନେମନେ ଭାରି ପ୍ରଶଂସା କରିଥିଲେ ସେତେବେଳେ ।

 

ଏବେ କାଳିଶି ନାଚ ହେଲେ ଭାମା ଦେଈ ଅନୁପମ ଆଗରେ ସେଇ ପୁରୁଣା କଥାଗୁଡ଼ାକୁ ବାରମ୍ବାର କହିଥାନ୍ତି–ବୁଲାରେ, ତୁ ସେତେବେଳେ କେଡ଼ିକି ଟିକିଏ ପିଲା ଥିଲୁ.........ଇତ୍ୟାଦି ଇତ୍ୟାଦି ।

 

ଅନୁପମ ବେକ ଭାଙ୍ଗି ପଥରଟା ଉପରେ ବସିଥାଏ । ଅନ୍ଧାରରେ ଅସୁର ଦୀଘିର ପଶ୍ଚିମପଟ ଦୃଶ୍ୟ ହେଉ ନ ଥାଏ । ପଶ୍ଚିମପଟରେ ଥିବା ଦୁଇଚାରିଟା ଖଜୁରି ଗଛ ଛୁଆଭୂତ ପରି ଠିଆହୋଇଥାନ୍ତି; ଅସ୍ପଷ୍ଟ ଦିଶୁଥାଏ ସେମାନଙ୍କର ମୁଣ୍ଡସବୁ ।

 

ଉତ୍ତର ପଟର ଜଳଘାଟରୁ ତଥାପି ଭାସିଆସୁଥାଏ ପାଣି ଚବର ଚବର ଶବ୍ଦ–ମଝିରେ ମଝିରେ ପାଟିତୁଣ୍ଡ, କାଚ ଝମଝମ–କେତେବେଳେ ଗଳା ଖଙ୍କାର । ଗାଁଟା ଯାକର ଲୋକ ଏଇ ପୋଖରୀରେ ଗାଧୁଅନ୍ତି–ଗରାବାସନ ଅଇଁଠାକୁଣ୍ଟା ମାଜନ୍ତି–ଘାସ ସିଇରା ଧୂଅନ୍ତି, ଗୋରୁ ମଇଁଷିଙ୍କୁ ଗାଧୋଇଦିଅନ୍ତି ।

 

ଆକାଶରେ ତରା ଫୁଟିଲେଣି । ଅସୁରଦୀଘିରେ ସେମାନଙ୍କର ରୂପ ପ୍ରତିବିମ୍ବିତ ହେଲାଣି । ଶୂନ୍ୟ ପରି ଗହୀରିଆ ଦିଶୁଛି ଅସୁରଦୀଘି ସତେ ଯେମିତି ଦୀଘିଟା ଭିତରେ ଆହୁରି ଗୋଟାଏ ଶୂନ୍ୟ ଲୁଚି ରହିଛି । ଗାଁ ଆଡ଼ୁ ଡାଆଣୀ ଆଲୁଅ ପରି ଲଣ୍ଠନଟିଏ ଆସୁଚି । ତା’ ସହିତ କିଛି କିଚିରିମିଚିରି ଶବ୍ଦ, ମଝିରେ ମଝିରେ ହସ ଓ ବେପରୁଆ କଣ୍ଠରେ କଥାବାର୍ତ୍ତା ଏବଂ ବନ୍ଧନହୀନତା । ସେମାନେ ନିକଟବର୍ତ୍ତୀ ହେବା ପରେ ଅନୁପମ କ୍ରମଶଃ ଚିହ୍ନିଲା । ଲଣ୍ଠନ ଆଲୁଅରୁ ଫାଳେ ଯାହା ଉପରେ ପଡ଼ିଥିଲା–ସେଇ ମେଙ୍କୀ, ଦଧି କମାରର ଝିଅ, ବିଭା ହେବାର ବୟସ ହୋଇଗଲାଣି ।

 

ମେଙ୍କୀ......ସତେ ଯେମିତି ଗୋଟାଏ ପ୍ରାକୃତିକ ଅତ୍ୟାଚାରର ସେ ଏକ କରୁଣ–ଗାଥାଗୀତିକା; ମୁହଁ ସାରା ଠୋପା ଠୋପା ବସନ୍ତର ଅସ୍ତ୍ର-ଦାଗ–ଯେମିତି କୋଣାର୍କର ଏକା ଭଗ୍ନ–ପାଷାଣମୂର୍ତ୍ତି, କାଳର ଆଘାତରେ ବିକ୍ଷତ ହେଲେ ବି ଦଣ୍ଡାୟମାନ ।

 

ଶ୍ୟାମଳ ବର୍ଣ୍ଣର ସେଇ ଝିଅଟିର କଥା ଅନୁପମ ଅନେକ ଥର ଶୁଣିଚି । ତା’ ନାଁରେ ଅନେକ ଅପବାଦ; କିନ୍ତୁ, କୌଣସି ଅପବାଦ ମେଙ୍କୀକୁ ଭାଙ୍ଗିପାରିନାହିଁ, ବଙ୍କା କରିପାରିନି ।

 

ସବୁଠାରୁ ଦୁଃଖର କଥା–ମେଙ୍କୀର ବାମ ହାତର ଆଙ୍ଗୁଳି ତିନୋଟି ଅଧାରୁ ଅଧାରୁ ନାହିଁ । ଅନୁପମ ଗାଲର ପୋଡ଼ାଦାଗ ପରି ତାହାର ବି ଗୋଟାଏ କରୁଣ ଇତିହାସ ଅଛି । ସେତେବେଳେ ମେଙ୍କୀ ଚାରି ମାସର ସଦ୍ୟ ଶିଶୁ । ଘରର ଭିତର ପିଣ୍ଡାରେ କନ୍ଥାଖଣ୍ଡିକ ଉପରେ ଝିଅକୁ ଶୋଇଦେଇ ମା’ ତା’ର ଗାଧୋଇଗଲେ । ଘରେ ଆଉ କେହି ନ ଥା’ନ୍ତି । ମେଙ୍କୀ ଶୋଇପଡ଼ିଥାଏ । ତା’ର ଦୁର୍ଭାଗ୍ୟ ପରି ଭୟଙ୍କର କଳା କଟାଶଟିଏ ଆସି ପହଞ୍ଚିଲା । କନ୍ଥା ଉପରେ ନିସ୍ତେଜ ହୋଇ ପଡ଼ିଥିଲା ଶିଶୁଟିର ହାତ । ସେଇ ବିଲେଇ ତାର ଦାନ୍ତରେ ମେଙ୍କୀର କଅଁଳ ଚମ୍ପାକଢ଼ି ପରି ଆଙ୍ଗୁଳି ତିନିଟାକୁ ଚୋବେଇ ପକେଇଲା । ମେଙ୍କୀର ନିଦ ଭାଙ୍ଗିଗଲା । କାନ୍ଦିଲା ଚିଉଳା ଛାଡ଼ି । ମେଙ୍କୀବୋଉ ଆସି ଦେଖିଲାବେଳକୁ ଆଙ୍ଗୁଳି ତିନିଟା ଅଧାରୁ ଅଧାରୁ ଛିଡ଼ିଯାଇଚି, ରକ୍ତ ବୋହୁଚି । କେତେ ଔଷଦ-ମୋଷଦ କରାଗଲା । ଆଙ୍ଗୁଳି ଆଉ ଗଜେଇଲା ନାହିଁ । ମେଙ୍କୀର ସମୁଦାୟ ଭବିଷ୍ୟତକୁ ଯେମିତିକି ଚୋବେଇ ଛିନ୍‌ଭିନ୍‌ କରିଗଲା କଟାଶଟା I

 

ଆଙ୍ଗୁଳି ତିନିଟାକୁ ଦେଖି ବରଘର ଆସି ଚିହିଁକି ଫେରିଯାଉଛନ୍ତି । କହିଲେ ବିଶ୍ୱାସ କରୁନାହାନ୍ତି । କାଳେ କିଛି ରୋଗ ହେଇଥିବ !

 

ଦୁଇତିନି ଦିନ ତଳେ ମେଙ୍କୀକୁ ଅନୁପମ ହଠାତ୍‌ ଭେଟିଥିଲା ଗାଁ-ଦାଣ୍ଡରେ । ସମୟ ସକାଳ । ହଳଦିଆ କିରଣଗୁଡ଼ା ଗଛପତ୍ର ଅଗରେ ବିଛେଇ ହୋଇଯାଇଥାଏ । ମେଙ୍କୀର କାଖରେ ଥାଏ ପିତଳ ଗରାଟିଏ, ଦାନ୍ତରେ କରଞ୍ଜ ଦାନ୍ତକାଠି । ମଳିଆ କସ୍ତା ଖଣ୍ଡେ ପିନ୍ଧିଥାଏ । ବାରହାତ ଲମ୍ବର କଳାମଚମଚ ବାଳକୁ ଗୁଡ଼େଇ ମୁଣ୍ଡରେ ଏକ ପାକଲା ତାଳ ପରି ଖୋଷା ପାରିଥାଏ । ଖୋଷାର ବନ୍ଧନରୁ ଫିଟିପଡ଼ିଥିବା କେତେଟା ଅଳକା ସକାଳର ପବନରେ ଉଡ଼ୁଥାଏ ମୁହଁ ଉପରେ-। ମେଙ୍କୀ ବେଶ୍‌ ସ୍ଵାସ୍ଥ୍ୟବତୀ । ପୂରିଲା ପୂରିଲା ଓଉଫଡ଼ା ପରି ଗାଲ, ମୋଟା ଓଠ, ଓସାରିଆ ନାକ-

 

ମେଙ୍କୀ ପାଠ ପଢ଼ିନାହିଁ । ଗାଁ-ଇସ୍କୁଲ୍‌କୁ ବର୍ଷେଖଣ୍ଡେ ଯାଇଥିଲା । ଫଳା ଶେଷ କରିଛି-। ଢିମା ଢିମା ଅକ୍ଷରରେ ହୁଏତ ନାଁଟା ଲେଖିଶିଖିଥିବ ।

 

ସେଇ ମେଙ୍କୀ–ପିଲାଟିବେଳେ ମେଙ୍କୀ ଉପରକୁ ଗାଁର ଅନ୍ୟ ପିଲାଏ ଧୂଳି ବାଲି ଫୋପାଡ଼ୁଥିଲେ, କଜିଆ ଲଗାଉଥିଲେ । ତା’ର କଟାସ-ଖିଆ ଆଙ୍ଗୁଳିଗୁଡ଼ାକୁ ଲକ୍ଷ୍ୟ କରି କରି କିଏ କେତେ ପରିହାସ କରୁଥିଲେ । ମେଙ୍କୀ ବେଳେବେଳେ ସହିଯାଉଥିଲା; ଆଉ ବେଳେବେଳେ ଧୂଳି, ପଥର କିମ୍ବା ଗୋବର ଯାହା ହାତ ପାଖରେ ପାଉଥିଲା ଧରି ଫିଙ୍ଗୁଥିଲା ଅନ୍ୟମାନଙ୍କ ଉପରକୁ । ଆଉ କେତେବେଳେ ବା କାନ୍ଦି କାନ୍ଦି ଫେରିଯାଉଥିଲା ତା’ର ମା’ ପାଖକୁ ।

 

ଅନୁପମକୁ ପିଲାବେଳେ ଖେଳରେ କେହି ମିଶୋଉ ନ ଥିଲେ । ଅନୁପମ ଦାଣ୍ଡପିଣ୍ଡାରେ ଚୁପ୍‌ହୋଇ ବହିଧରି ବସୁଥିଲା ଓ ମଝିରେ ମଝିରେ ଉଦାସ ଦୃଷ୍ଟିରେ ଚାହୁଁଥିଲା ହୋ-ହୋ ହୋଇ ଖେଳୁଥିବା ଅଧାଲଙ୍ଗଳା ଧୂଳିଧୂସରିଆ ପିଲାଗୁଡ଼ାଙ୍କୁ । ସେତେବେଳେ ବି ମେଙ୍କୀ ପ୍ରତି ତା’ର ସହାନୁଭୂତି ଆସୁଥିଲା ।

 

ସେଇ ମେଙ୍କୀ ଏବେ ତା ନାମରେ କେତେ ଜନରବ । ବୟସ ହେଲାଣି । ଫୁଲ ତୋରାହୋଇ ଫୁଟିବା ପରେ ହିଁ ଭଅଁରଙ୍କର କଜିଆ ଆରମ୍ଭ ହୋଇଥାଏ–ଯିଏ ଫୁଲକୁ ନ ପାଏ ସେଇ କେବଳ ଅପବାଦ ଉଠାଏ । ବୟସ ହେବା ଆଗରୁ ଅପବାଦ ଉଠେନାହିଁ ।

 

ସତରେ କଣ ମେଙ୍କୀ ପଳେଇଥିଲା ଚେମା ପୁଅ ସହିତ ? ଯଦି ଏହା ସତ, ତେବେ ସେ ଟୋକା ତାକୁ ବାହାହେଉନି କିଆଁ ? କଣ ଅଛି ପ୍ରତିବନ୍ଧକ ? ଜାତି ପ୍ରଥା ? ଚିରଦିନ କଣ ଏଇ ପ୍ରଥା ଚାଲିଥିବ ? ନା, କିଛି ଗୋଟାଏ କରିବାକୁ ପଡ଼ିବ । ଅନୁପମର ଦେହ ଗରମ ହୋଇଗଲା ।

 

କିନ୍ତୁ କେମିତି ? କେମିତି ମଣିଷ ଓ ମଣିଷ ଭିତରେ ଥିବା କୌଳିକ ତଫାତ୍‍କୁ ଦୂରକରି ପ୍ରାଣକୁ ପ୍ରାଣରେ ମିଶେଇହେବ ?

 

ପରଦିନ ସଞ୍ଜରେ ଅନୁପମ ବୁଲିବୁଲି ପୁଣି ଅସୁର ଦୀଘି କୂଳରେ ପହଞ୍ଚିଲା । ମାଛି-ଅନ୍ଧାରବେଳ । ଗାଧୁଆ ତୁଠରେ ବହୁତ ଲୋକ ଜମିଥାନ୍ତି । ଅସୁର ଦୀଘିରେ ଭାସୁଥିବା ଡଙ୍ଗାଟା ଉପରେ ଦି-ଚାରିଜଣ ଟୋକା ଆରାମରେ ଖେଳୁଥାନ୍ତି । ସେମାନେ ସମସ୍ତେ ଭିନ୍ନ ସାଇର ପିଲା । ଅନୁପମ ସେମାନଙ୍କୁ ଚିହ୍ନେ ।

 

ଅସୁର ଦୀଘିର ଦକ୍ଷିଣ ପଟରେ ପଦ୍ମପତ୍ର ଭରିଥାଏ । ଫୁଲ ନ ଥିଲେ ବି ଚକା ଚକା ପତ୍ରଗୁଡ଼ାକ ବେଶ୍‌ ସୁନ୍ଦର ଦିଶେ । ହାଲୁକା ପବନରେ ଫଟ୍‌ଫାଟ୍‌ ଓଲଟେ । ତା’ ଉପରେ ବସିଥିବା ସୁକୁମାର ପକ୍ଷୀଗୁଡ଼ାକ ଫର୍‌ରଫାର୍‌ର ହୋଇ ଆକାଶକୁ ଉଡ଼ିଯାଆନ୍ତି ।

 

ଉତ୍ତରପଟରୁ ବାହାରି ଗୁଡ଼ାଏ ଧଳା ବଗ ସାଏଁ ସାଏଁ କରି ଦକ୍ଷିଣ ପଟକୁ ଦୀଘି ଉପରେ ଉଡ଼ିଗଲେ । କେହି ଅଟକିଲେ ନାହିଁ । କ୍ଷେତ ଜମିର ଆରପଟରେ ଦିଶୁଥିବା ଧାଡ଼ି ଧାଡ଼ି ସବୁଜ ଗଛର ଧାର ଆଡ଼ରେ ବୋଧହୁଏ ସେମାନଙ୍କର ବସା ।

 

ଅନୁପମ ସେଇ ବରଡାହିଟା ତଳେ ପଡ଼ିଥିବା ପଥର ଉପରେ ବସିଲା । ଚାହିଁଲା–ପଶ୍ଚିମପଟକୁ । ସୂର୍ଯ୍ୟ ବୁଡ଼ିଥିବା ଜାଗାଟାକୁ ଆଲୁଅ ଲିଭିନାହିଁ । ଅସୁର ଦୀଘିରେ ଆକାଶର ସେଇ ଅଂଶଟା ଖୁବ୍‌ ଚମକିଲା ଭଳି ବିମ୍ବିତ ହୋଇଛି ।

 

ମେଙ୍କୀ ଲୁଗା ଧୋଇ ଫେରୁଥାଏ–ତା’ ସଙ୍ଗରେ ଆହୁରି ଦି’ଜଣ । ସମସ୍ତଙ୍କର ଲୁଗା ଓଦା । ଦିହରେ ଜଡ଼ିଯାଇଚି । ଅନୁପମ ବେକ ଭାଙ୍ଗି ତଳକୁ ଚାହିଁଲା । ସେମାନେ ଅସୁର ଦୀଘିରୁ ପାଣି ନେଉଥାନ୍ତି ଘରକୁ । ସମସ୍ତଙ୍କ କାଖରେ କଳସି । ପାଣି ଚହଲି କଳକାଳ୍‌ ଶୁଭୁଥାଏ । ଅନୁପମ ଆଉ ଥରେ ବୁଲିକି ଚାହିଁଲା । ମେଙ୍କୀର ଆଖିଗୁଡ଼ାକ ଖୁବ୍‌ ତେଜୋମୟ ଦିଶୁଥାଏ । ସରସର ହୋଇ ପାଣି ବୋହିପଡ଼ୁଥାଏ; ଗୋଡ଼ ଦେଇ । ପିତଳ ଗରିଆକୁ ବେଢ଼ିଥାଏ ତାର ସେଇ କଳା ନାଗପରି ବାହୁଟା । ସ୍ପଷ୍ଟ ଦିଶୁଥାଏ ତା’ର ସେଇ ଅର୍ଧ-ଛିନ୍ନ ଆଙ୍ଗୁଳି ତିନିଟା । ଅନୁପମ ଆଖି ଫେରାଇଲା ।

 

ତା’ର ମନେପଡ଼ିଲା ସୁମିତା କଥା । ସେମାନେ ସବୁ ଏଇ ସୃଷ୍ଟିର ଗୋଟିଏ ଗୋଟିଏ ଅଭିଶପ୍ତ ଜୀବ । ସ୍ନେହ, ଆଦର ଓ ପ୍ରଶଂସା ସେମାନଙ୍କର ଭାଗ୍ୟରେ କ୍ୱଚିତ୍‌ ଜୁଟେ I

 

ଅନୁପମ ଆପଣା ଗାଲର ପୋଡ଼ା ଦାଗଟାକୁ ସାଉଁଳେଇବାକୁ ଲାଗିଲା । ଏଇ ପୋଡ଼ାଚିହ୍ନଟାକୁ କଣ ଲିଭେଇ ହୁଏନାହିଁ ?

 

ଅନ୍ଧାର ଗାଢ଼ରୁ ଗାଢ଼ତର ହେଲା–ପୁଞ୍ଜା ପୁଞ୍ଜା ହୋଇ ତାରାସବୁ ଆକାଶ ଉପରକୁ କୁଦିପଡ଼ିଲେ । ଗାଧୁଆତୁଠର କଳ-ଗୁଞ୍ଜରଣ ଆସ୍ତେ ଆସ୍ତେ ବନ୍ଦ ହୋଇଗଲା । ପିଲାଏ କୂଳରେ ଡଙ୍ଗା ବାନ୍ଧି ଘରକୁ ଫେରିଗଲେ । ଅନୁପମ ମନ ଖୋଲି ବେପରୁଆ ଭାବରେ ବସିଲା । ତା’ର ମନ ଉପରେ ବିମଳ ଅନ୍ଧକାର ନିବିଡ଼ରୁ ନିବିଡ଼ତର ହେବାକୁ ଲାଗିଲା ।

 

ସେଇ ପଥ ଦେଇ ଆସୁଥିବା ଚାରୋଟି ପାଦର ଶବ୍ଦ ଅନୁପମକୁ ଶୁଣାଗଲା । କ୍ରମେ କଥାବାର୍ତ୍ତାର ସ୍ଵର ସ୍ପଷ୍ଟତର ହେଲା । ଅନୁପମ ବୁଝିଲା–କୌଣସି କାରଣରୁ ଆରଗାଁକୁ ଯାଇ ଫେରୁଛନ୍ତି ନାରଣ ମିଶ୍ର ଓ ଲଖୁ ଜେନା । ଠକ୍‌ଠକ୍‌ ବାଡ଼ିଶବ୍ଦ ଶୁଭୁଚି । ନାରଣ ମିଶ୍ର ବୁଢ଼ା ହେଲାଣି-। ଲଖୁ ଜେନା ଟୋକା । ନାରଣ ମିଶ୍ର ଏକ ଗମ୍ଭୀର ଓ ହତାଶ ଗଳାରେ କହୁଥାଏ–‘ଆଉ ହବନାଇଁ, ହବ ନାଇଁ । ଏଥର ଚନ୍ଦ୍ର ସୂର୍ଯ୍ୟ ଆଉ ଆକାଶକୁ ଆସିବେ ନାହିଁରେ–ଅନ୍ଧାର ଘୋଟିଯିବ-। ପୃଥିବୀ ପ୍ରଳୟ ହୋଇଯିବ । ଭୂମିକମ୍ପ ହେବ । ମେଦିନୀ ଖୁବ୍‌ ପାପ ସହିଲାଣି,–ଏଥର ଆଉ ସହିବ ନାହିଁ, ଫାଟିଯିବ । ଧର୍ମଦେବତା ଆଉ ମଣିଷଙ୍କର ଏ ଅନାଚାର ସହିବେ ନାହିଁ-। କଣ ଥିଲା, କଣ ହେଲା-! ଆଗରୁ ଡାକିଲେ ଦେବତାମାନେ ଆସି ସାମ୍ନାରେ ଠିଆ ହୋଇଯାଉଥିଲେ-। ଆଉ ଆସୁଛନ୍ତି ନା-? କେମିତି ଆସିବେରେ ? ସେ ଅଚଳା ଭକ୍ତି କାଇଁ-? ନିଷ୍ଠା କାହିଁ ? ସେ ପୁଣ୍ୟ କାହିଁ-? ବ୍ରାହ୍ମଣେ ପୂଜାପାଠ ଭୁଲିଲେଣି, ନ କରିବା କାମ କଲେଣି, ଦେବତା ଆଉ ରହନ୍ତେ ନା-? ବୁଝିଲ ଲଖୁ, ଏଇଟା କଳି ଯୁଗର ଶେଷ ସମୟ । ସବୁ ଧ୍ୱଂସ ହୋଇଯିବ । ନିଜେ ଜଗନ୍ନାଥ ମହାପ୍ରଭୁ ବାରହାତ ଖଣ୍ଡା ଧରି ସମସ୍ତଙ୍କୁ ହାଣିଦେଇଯିବେ-। ମଣିଷର ଏ ବଡ଼େଇ ରହିବନାହିଁ-। ଠାକୁର କଣ ଦେଖୁ ନାହାନ୍ତି ? ସବୁ ଦେଖୁଛନ୍ତି । କେଉଁ ପାଣି କୁଆଡ଼କୁ ଗଡ଼ୁଛି, ସବୁ ଜାଣିଛନ୍ତି-। ଏଇ ଦେଖୁନୁ, ଏଇ ଜାଗୁଳେଈଙ୍କ ପାଖରେ କିଭଳି ଉତ୍ସବ ସବୁ ହେଉନ ଥିଲା ଆଗରୁ–ଆଜିକାଲି ଅଛି ନା ଆଉ-? ତୁମେ ଭୋଗରାଗ ନଦିଅ–ଠାକୁର କଣ ଭୋଗ ଚାହୁଁଛନ୍ତି । କିନ୍ତୁ ଦେବାକଥାଟା ଆମର । ଠାକୁରେ ଆମର ମନ ବିଡ଼ନ୍ତି । ପରୀକ୍ଷା କରନ୍ତି-। ଏବେ ସେ ଦୁନିଆଟାର ମନ ବିଡ଼ିନେଲେଣି । ଜାଣିଲେଣି ଜଗତ ତାଙ୍କୁ ହତାଦର କରୁଛି, ପଥର ସମଝଛି । ପଥର ଭଳି ବସି ସେ ସବୁ ଦେଖୁଛି, ଶୁଣୁଛି-। ଦେଖିବୁରେ ଲଖୁ ଜେନା-! ଏଇ ଜାଗୁଳେଈ ଯଦି ଖଣ୍ଡାଖର୍ପର ଧରି ଗୋଟି ଗୋଟି ମଣିଷଙ୍କୁ ଦିନେ ନ ଖାଇଚି ! କମ୍‌ପ୍ରତାପୀ ନୁହେଁରେ ୟେ ! କମ୍‌ମାନିବୁ ନାହିଁ ୟା’କୁ-! ରାଗିଲେ ତଣ୍ଟି ମୋଡ଼ିପକେଇବେ । ତୋ’ ବାପର ଭାରି ଭକ୍ତି ଥିଲା ଜାଗୁଳେଈଙ୍କ ଉପରେ-। ତୁ ତ ଜନ୍ମ ହେଇନଥିଲୁ । ଛୁଆପିଲା ନ ଥିଲେ । ସେ ଆସି ମୋତେ କହିଲା । ମୁଁ ତିନ ଦିନ ତିନି ରାତି ବ୍ରତ କରି ଏଠି ତା’ ଲାଗି ଚଣ୍ଡୀ କଲି । ସେ ଗୁଡ଼ାଏ ଟଙ୍କା ଖର୍ଚ୍ଚ କଲା ଏକା । ଧନ୍ୟ କହିବ ତା’ର ଦାତାପଣକୁ । ତା’ର ଭକ୍ତିରେ ଜାଗୁଳେଈ ସନ୍ତୁଷ୍ଟ ହେଲେ । ରାତି ଅଧ ସେତେବେଳକୁ-। ମୁଁ ମନ୍ତ୍ରପାଠ କରୁଥାଏଁ । ଆଖି ବୁଜିଥାଏଁ । ତୋ’ ବାପ ଲମ୍ବଖମ୍ବ ହୋଇ ପଡ଼ିଥାଏ ଜାଗୁଳେଈଙ୍କ ଗୋଡ଼ତଳେ । ମୁଁ ଆଖି ଖୋଲି ଦେଖେଁ ତ ଗୋଟିଏ ରୂପବତୀ କନ୍ୟା ହୋଇ ମୋ ସାମ୍ନାରେ ଜାଗୁଳେଈ ଠିଆହୋଇଛନ୍ତି । ମୁଁ ପ୍ରଣାମ କଲି-। ମୋ ଆଖି ଧନ୍ୟ ହୋଇଗଲା । ମୁଁ କହିଲି– ମା-! 'ତୋର ଭକ୍ତର ଦୁଃଖ ବୁଝୁନାହୁଁ କିଆଁ ? ସେ କେତେ କଷ୍ଟ କଲାଣି ! ମା’ କହିଲେ–‘ଏଇ ବେଲପତ୍ର ତାକୁ ଖାଇବାକୁ ଦେବୁ । ତା’ର ମନସ୍କାମ ପୂର୍ଣ୍ଣ ହେବ ।’ ମୋ ହାତକୁ ସେ ବେଲପତ୍ରଟି ବଢ଼ାଇଦେଇ ଅନ୍ତର୍ଦ୍ଧାନ ହୋଇଗଲେ । ମୁଁ ଦେଖିଲି, କେଡ଼େ ସୁନ୍ଦର ସେଇ ବେଲପତ୍ରଟି । ଏଠି ମିଳେ ନାହିଁରେ, କୈଳାସରେ ସେମିତି ବେଲଗଛ ଥିବା, କଥା ଶାସ୍ତ୍ରରେ ଲେଖାଅଛି । ମୁଁ ତୋ’ ବାପକୁ ଉଠେଇ ବେଲପତ୍ର ଖୋଇଦେଲି । ସତକୁସତ କଥା ଫଳିଲା । ବର୍ଷେ ନ ପୂରୁଣୁ ତୁ ଜନ୍ମହେଲୁ । ଆଉ ସେଦିନ ନାଇଁ କି ସେ ଭକ୍ତି ନାଇଁ । ସେ ଲୋକ ବି ସପନ ହେଲେଣି-। ସେ ଠାକୁରାଣୀ ବି ନାହାନ୍ତି । କଣ ନ ହେଲା ଏ ପୃଥ୍ୱୀ ସତେ ? ଦେଖୁନୁ ଏ ଦଧିଆ କମାରକୁ-। କେଡ଼େ ଗରବ ତା’ର ? ଝିଅଟାକୁ କେତେ ଦିନ ଅଭିଆଡ଼ୀ କରି ରଖିଚି ଦେଖୁନ୍ତୁ ? ସେ ପୁଣି ଥେଇ ଥେଇ ହେଇ ନାଚୁଛି ! ଏଁ, ଏଇ ଆଖି ପୁଣି ଏଇଆ ଦେଖିଲା-!’’

 

ଲଖୁ ଜେନା ନାରଣ ମିଶ୍ରଙ୍କ କଥାଗୁଡ଼ାକ ପିଇଯାଉଥିଲା । ମେଙ୍କୀ କଥା ଉଠିଲାରୁ ସେ ବି ଦି’ପଦ ଯୋଡ଼ି ଦେଲା–‘ତୁମେ ଯାହା କହିଲ ଠିକ୍‌ ଗୋସେଇଁ ! ମେଙ୍କୀ ଆଉ ମଣିଷ ମାନୁନି । କି ରଣଚଣ୍ଡୀ ! ମାଇକିନିଆ ଝିଅ, ଟିକିଏ ନରମ ହେବା କଥା ନା !’’

 

ମିଶ୍ରେ କହିଲେ–ଦଧିଆ ତାକୁ ଉଠେଇ ଦେଉନାଇଁ କାହିଁକିରେ ?

 

ଲଖୁ ଜେନା କହିଲା–ସେଥିରେ କଣ କମ୍‌ଚେଷ୍ଟା ଅଛି ତା’ର । ହେଲେ, ଜୁଟଛି କେଉଁଠି-? ଝିଅ ଚନ୍ଦ୍ର ମା ପରା ଏଣେ ଗୋଟାକୁ ଦି’ଟା ଭଙ୍ଗେଇଲେଣି । କଥାଟା ଆଉ କଣ ଲୁଚିଛି-?’’

 

‘‘ଲୁଚିବାର କଥା ହେଇଥିଲେ ସିନା ଲୁଚନ୍ତା’’–ମିଶ୍ରେ କହିଲେ–’’କିଏ ଜାଣୁ ଜାଣୁ କୁଳଟା-! ନାରୀକୁ ବୋହୂକରି ଘରକୁ ଆଣିବ । ହେଲେ ଲଖୁ ! କେଉଁଠି କିଛି... ?

 

‘‘ମୋ’ ମା’କୁ ଆସି ଭାରି ଲଗେଇ ଥିଲା’–ଲଖୁ କହିଲା, ‘‘ମୁଁ କହିଲି, ଅଭେଡ଼ା ରହିବି ପଛେ ତାକୁ ବାହା ହେବ ନାହିଁ ।’’

 

‘‘ହଁ–ତୋ’ର କି ଗରଜ ? କନିଆ କଣ ତୋତେ ଅଭାବ ହେଇଛନ୍ତି ? ମାଇନର୍‌ ପାସ୍‌ କରିଛୁ । ଆଉ କଣ ତୋର ନାହିଁ ଯେ ? ତୋ’ ବାପା ଆଗରୁ କରି ସବୁ ସମ୍ପତ୍ତି ତୋ’ ଲାଗି ଖଞ୍ଜି ଦେଇଯାଇଛି । କଣ ଅଭାବ ଅଛି ଯେ କନିଆ ମିଳିବେନାହିଁ ?’’

 

‘‘ମୁଁ ସେଥିକୁ ଭାବନା କରିନାହିଁ ଗୋସେଇଁ ! ଲଖୁ ଜେନାର ବାପକୁ ଯିଏ ଚହ୍ନିଚି ସିଏ ବି ମୋତେ ଚିହ୍ନିଚି ।’’ ‘‘ହଁ ହଁ...’’

 

ଧୀରେ ଧୀରେ ସେମାନଙ୍କର ସ୍ଵର ଅସ୍ପଷ୍ଟ ହୋଇଗଲା ।

 

ସେଦିନ ଅନୁପମ ଫେରୁ ଫେରୁ ବାଟ ମଝିରେ ଦଧିଆ କମାର ସହିତ ଦେଖାହେଲା । ‘‘କିଏ ବୁଲା କିରେ !’’ ଦଧିଆ କମାର ଲଣ୍ଠନଟାକୁ ଉପରକୁ କରି ଅନୁପମର ମୁହଁ ଉପରେ ଆଲୁଅ ପକେଇ ଚିହ୍ନିଲା–‘‘କିରେ ତୁ ସେଦିନରୁ ଆଇଲୁଣି, ଆମ ଘରଆଡ଼େ ଟିକେ ବୁଲିଯାଉନୁ !’’

 

ଅନୁପମ ଉତ୍ତର ଦେଲା ନାହିଁ ।

 

‘‘ତୋ ଖୁଡ଼ୀର ହାତରେ ଗରମ ପେଜ ପଡ଼ି ଗୋଡ଼ ଫୋଟକା ହୋଇଥିଲା । ସେଇ ଘାଆଟା ଏବେ ଖୁବ୍‌ ଚଉଡ଼ା ହେଇଗଲାଣି । ଟିକେ ଦେଖିଆସିବୁ କିରେ ବାବା ! ଭାରି ହାଉଲୁ-ମାଉଲୁ ହେଉଚି ସେ । କାମଦାମ କିଛି କରିପାରୁ ନାହିଁ ।’’

 

‘‘ଚାଲ !’’ ଅନୁପମ କହିଲା ।

 

‘‘ଏଣେ ଅନ୍ଧାରରେ କୁଆଡ଼େ ଯାଇଥିଲୁ ? ହାତରେ ଆଲୁଅ-ଫାଲୁଅ ଗୋଟେ ନ ନେଇ କୁଆଡ଼େ ଯିବୁନାହିଁ । ଖରାଦିନ ପରା । ବଣ ବୁଦା ମୂଳରୁ ସାପ ସବୁ ବାହାରି ଆସି ରାସ୍ତା ଉପରେ ପବନ ପିଅନ୍ତି ।’’

 

ଦଧିଆ କମାର ଚାଲିଲା ଘରମୁହାଁ । ଲଣ୍ଠନଟା ସାରା କଳା ହେଇଗଲାଣି । ଟିକେ ଟିକେ ଆଲୁଅ ଦିଶୁଥାଏ ।

 

ଦଧିଆ କମାର ଦାଣ୍ଡରେ ହେଲାକ୍ଷଣି ଡାକପକେଇଲା–‘‘ଲୋ ମେଙ୍କୀ ! ଦେ ମା’ ଅଗଣାରେ ଆସନ ଖଣ୍ଡେ ପକେଇବୁଟି । ବୁଲା ଆସିଚି । ଟିକେ ଦେଖିଯିବ ତୋ’ ମା’ର ଘା’ଟାକୁ-।’’

 

ଦୁହେଁ ଭିତରକୁ ଗଲେ । ମେଙ୍କୀ କିରୋସିନି ଡିବିଟିଏ ଧରି ଆସିଲା । ଶିଖାର କଳା ଧାସ ତା’ ମୁହଁ ଉପରେ ପଡ଼ୁଥାଏ । ଝାପ୍‌ସା ଦିଶୁଥାଏ ତା’ର ବସନ୍ତ ଦାଗରେ ପରିପୂର୍ଣ୍ଣ ମୁହଁଟା । ଆଖିରେ ଲାଜଥାଏ । ମୁଣ୍ଡ ଉପରେ ଓଢ଼ଣାଟାକୁ ଟିକେ ସଜେଇ ନେଇଥାଏ । ସଂକୁଚିତ ହୋଇଯାଇଥାଏ କିଛିଟା । ଆସନ ଖଣ୍ଡେ ଅଗଣାରେ ପାରି ଦେଉ ଦେଉ ମେଙ୍କୀ ଅନୁପମକୁ ଲକ୍ଷ୍ୟ କରି କହିଲା–‘‘ଆମ କଥା ତୁମର ମନରେ ଅଛି ତ ବୁଲା ଭାଇ !’’

 

ଦଧିଆ କମାର ସାଙ୍ଗେ ସାଙ୍ଗେ କହିପକାଇଲା–‘‘ମଲା, ସେ କଣ ଆଉ କାହା ଭଳି ହୋଇଚି କି ? ଏତେ ପାଠ ପଢ଼ିଚି–ଦେଖୁନୁ, ଟିକିଏ ହେଲେ ଫେସନ୍‌ ଅଛି ନା ତାର ! ପିଲାଟି ବେଳୁ ତ ସିଏ କାହାରି ଘରକୁ ଯା’ଆସ କରୁନଥିଲା । ସେ ତ ବେଳରୁ ଶାନ୍ତଶିଷ୍ଟ ପିଲା । ତୁ ଏବେ କୋଉ ଡାକିଯାଇଥିଲୁ ଯେ ସେ ଆସିଥାନ୍ତା ?’’

 

ଅନୁପମ ବସିଲା । ଅନ୍ଧାର ଘର ଭିତରୁ କୁନ୍ଥେଇ କୁନ୍ଥେଇ ଆସିଲେ ମେଙ୍କୀବୋଉ । ଝାମ୍ପୁରା ବାଳ । ମଳିଆ କସ୍ତାଖଣ୍ଡେ ପିନ୍ଧିଛନ୍ତି । ମେଙ୍କୀବୋଉ ଆସି ଅନୁପମ ପାଖରେ ବସି ଘା’–ହାତଟାକୁ ଦେଖେଇଲେ–‘‘ଦେଖ୍‌ନି ବାପ ! ବହୁତ ଭୋଗିଲିଣି । ବିନ୍ଧାଛିଟିକା ହେଉଚି । ରାତିଦିନ ଶୋଇ ହେଉନି । କି ନିଆଁନଗା ଘା’ଟା ହେଲା ଯେ ଝିଅଟା ମୋର କାମ କରି କରି ରହିଗଲାଣି ।’’

 

ଅନୁପମ ଲଣ୍ଠନଟାକୁ ପାଖକୁ ଆଣି ଘା’ଟାକୁ ଦେଖିଲା–‘‘ଭଲ ହେଇଯିବ । କାଲି ସକାଳେ ଗୋଟାଏ ଓଷଦ ଦେବି । ଦିନକୁ ଦୁଇଥର ଲଗେଇଦେବେ ।’’

 

ମେଙ୍କୀବୋଉଙ୍କ ମୁହଁ ସାମାନ୍ୟ ଉଜ୍ଜ୍ୱଳ ହୋଇଉଠିଲା । ବିନ୍ଧାଟା ଯେମିତି ହଠାତ୍‌ ରହିଗଲା ତାଙ୍କର ।

 

‘‘ତୋର ବାପ ଏଥର ପଢ଼ା ସରିଲା ପରା–ଏଥର ଚାକିରି କରିବୁ ତ ? ଯାହା ହେଉ, ଆମ କୁଳରେ ଏତେ ପାଠ କେହି ପଢ଼ି ନ ଥିଲେ । ତୁଇ ଆମ ଜାତିର ମୁହଁ ଉଜ୍ଜ୍ୱଳ କରିବୁ; କିନ୍ତୁ ମନେରଖିଥା, ଯେତେ ବଡ଼ ହେଲେ ବି ଏ ଜନ୍ମସ୍ଥାନକୁ ଭୁଲିବୁ ନାହିଁ । ଏ ପରା ତୋର ଗାଁ । ଆମେ ସମସ୍ତେ ତୋର ପର ହେଉଁ ପଛେ, ଖାଲି ଟିକେ ମନେରଖିଥିବୁ । ତୋ’ ମା’ର ଭାରି ସୁକୃତ, ଭାରି ପୁଣ୍ୟ । ତୁ ଯେତେବେଳେ ଅନ୍ତୁଡ଼ିଶାଳରେ ଏଡ଼ିକି ଟିକେ ପିଲା ହେଇଥାଉ–ତୋ’ ମା ସତ୍ୟନାଶିଆଣୀକୁ ନିଦ ଲାଗିଲା ଯେ ନିଆଁ ଆସି ଚରିଲାଣି, ଜାଣିପାରିଲା ନାହିଁ । ତୋର ଗାଲଟା ପୋଡ଼ିଗଲା । ତୁ କଣ୍‌ ସତରେ ବଞ୍ଚିବୁ ବୋଲି ଆମର ବିଶ୍ଵାସ ଥିଲା ? ମେଙ୍କୀବାପ ଦଉଡ଼ି ଦଉଡ଼ି ଯାଇଁ କେତେ ବଇଦଙ୍କ ହାତ ଗୋଡ଼ ଧରି ନେହୁରା ହୋଇ ଡାକିକି ଆଣିଥିଲା । କେତେ ଓଷଦ ହେଲାରୁ ଯାଇଁ ତୋ’ ଗାଲ ପୋଡ଼ା-ଘାଟା ଭଲହେଲା । ତୋ’ ମା’ର ତ ଜ୍ଞାନ ନ ଥାଏ । ମୂର୍ଚ୍ଛା ହୋଇଯାଇଥାଏ । ମୁଁ ତୋତେ କୋଳରେ ଧରିଥାଏ–କି ଦିନ, କି ରାତି । କାଲି ଭଳି ଲାଗୁଚି ମୋତେ, ତୁ ଏଡ଼ିକି ବକଟେ ହେଇଥିଲୁ । ସେଇ ତୁ । ଆଜି ପାଠ ପଢ଼ିଲୁଣି । ଭଗବାନ ଧର୍ମଦେବତା, ସେ କଣ ଆଉ ଦୁଃଖୀର ଡାକ ଶୁଣନ୍ତେ ନାହିଁ କି ! ହଁ ବାପ, ସହର ବଜାରରେ ରହୁଚୁ, ଦିହକୁ ଟିକେ ଜଗିରଖି ଚଳୁଥିବୁ । ତୁ ନଥିଲା ବେଳେ ତୋ ମାଆଟା ଭାରି କଲବିକଲ ହୁଏ-। ତୋ’ ନାଁରେ କେତେ ଠାକୁର କେତେ ଦିଅଁଙ୍କ ପାଖରେ କେତେ ମାନସିକ ନ କରିଛି ସେ-! ଠାକୁରେ ତା’ ଡାକ ଶୁଣିଲେ । ତୁ ମଣିଷ ହେଲୁ । ସେଇଥିରେ ଆମର ଶାନ୍ତି ।’’

 

ମେଙ୍କୀବୋଉ ପୁଣି କୁନ୍ଥାଇଲେ । ଦଧିଆ କମାର ବାଡ଼ିରୁ ଫେରିଲା–ହାତରେ ଦୁଇଚାରିଟା ପାକଲା କଦଳୀ । କହିଲା–‘‘ଏ ମେଙ୍କୀ ! ନେ ମା’ ଥାଳିଆ ଖଣ୍ଡକରେ ଏ କଦଳୀ ଦୁଇଟା ବୁଲାଭାଇକୁ ଦେ । ନୂଆ ପାଟକପୁରା କଦଳୀ, ଭଲକି ପାଚିନାହିଁ ସବୁଗୁଡ଼ା ।’’

 

ମେଙ୍କୀ ଥାଳିଆ ଧରି ଆସିଲା । ଅନୁପମ ଚାହିଁଲା ତା’ ମୁହଁକୁ । ତା’ର ଇଚ୍ଛା ହେଉଥିଲା ମେଙ୍କୀକୁ ଧରି ସେଇ ଆସନ ପାଖରେ ବସାନ୍ତା, ଏବଂ ଅନେକ କଥା ପଚାରନ୍ତା; କିନ୍ତୁ ତା’ର ଜିଭ ଲେଉଟିଲା ନାହିଁ । କାଳେ ଯଦି ଘଟଣାଟା ଓଲଟିଯିବ ?

 

ଅନୁପମ ଉଠିଲା । ଦଧିଆ କମାର ରାସ୍ତାକୁ ଲଣ୍ଠନ ଦେଖେଇଲା । ଅନୁପମ ରାପ୍ତା ଉପରୁ ବୁଲି ଚାହିଁଲା–ମେଙ୍କୀ ହାତରେ ଡିବିଟାଏ ଧରି ଠିଆହୋଇଥାଏ ଦାଣ୍ଡଦୁଆର କବାଟକୁ ଆଉଜି, ଗୋଟାଏ ଚିତ୍ରପ୍ରତିମା ପରି ।

 

ଅନୁପମ ଘରକୁ ଫେରି ଦେଖିଲା ତାଙ୍କ ଘରେ କେହି ଜଣେ ଅଚିହ୍ନା ଅତିଥି । ମାଗୁଣି ଦାସ ଓ ଅତିଥି ବସି ପିଣ୍ଡାରେ ଗପସପ ହେଉଛନ୍ତି ।

 

ଅନୁପମ ସିଧା ଘର ଭିତରକୁ ପଶିଯାଇ ଭାମା ଦେଈଙ୍କୁ ପଚାରିଲା–‘‘ମା ! ଏଇ ଲୋକଟି କିଏ ?’’

 

‘‘ଭାମା ଦେଈ କହିଲେ–‘ତୋ’ ବାହାଘର ପ୍ରସ୍ତାବ ନେଇ ଆସିଛନ୍ତି । ଝିଅର ବାପ ।’’

 

‘‘ମୋ ବାହାଘର ନେଇ ତୁମେ ସବୁ ଖୁବ୍‌ ବ୍ୟସ୍ତ ହୋଇପଡ଼ିଲଣି, ନାହିଁ ?’’ ଅନୁପମ କହିଲା ।

 

‘‘ଆଉ କଣ ତୁ ସବୁଦିନେ ଅଭେଡ଼ା ରହିବୁ ନା କଣ ?’’

 

‘‘ନାଇଁ ମା, ମୁଁ ଠିକ୍‌ କରିଛି ବାହା ହେବିନାହିଁ ।’’–ଅନୁପମ ଘର ଭିତରକୁ ପଶିଗଲା ।

 

ଭାମା ଦେଈ ତା’ ପଛେ ପଛେ ଆସିଲେ–‘‘କାହିଁକି ? ତୋର କଣ ହୋଇଛି କି ? କଣ ବାବାଜି ହବୁ ନା କଣ ?’’

 

‘‘ତୁ ଜାଣିନୁ ମା’’–ଅନୁପମ କଣ ଗୋଟେ କହିବାକୁ ଯାଉଥିଲା, କଥା ବଦଳେଇ କହିଲା–‘‘ମୁଁ ଚାକିରି ଫାକିରି ପାଏଁ । ଆଜିଠୁ ବାହାହେବା କଣ ଦରକାର ?’’

 

‘‘ହଉ ହେଲା ଏବେ, –‘‘ଏ ମାସ ନ ହେଇ ଆଉ ମାସେ ଦି ମାସ ପରେ ହେବ’’–ଭାମାଦେଈ କହିଲେ–‘‘ଆମେ କଣ ଆଉ ସବୁଦିନେ ବସିଥିବୁ । ତୁ ତ ଫେରେ ସଂସାର କରିବୁ । ଆମେ ଟିକେ ନାତି ନାତୁଣୀ ଦେଖିବୁ ନାହିଁ ନା ।’’

 

‘‘ନାଇଁ ମା । ତୁ ତାଙ୍କୁ ମନାକରିଦେ । ସେ ଚାଲିଯା’ନ୍ତୁ । ମୁଁ ଠିକ୍‌ କରିଛି ବାହା ହେବିନାହିଁ ।’’

 

‘‘ଛି, ଏମିତି କୁହନ୍ତି ନାହିଁ । ତୁ ପରା ଆମର ଗୋଟିଏ ବୋଲି ପୁଅ । ତୁଇ ତ ସବୁ । ତୁ ବାହା ନ ହେଲେ କୁଳ ରକ୍ଷାହେବ କେମିତି ? ବାହା ନହେବା କଥା ମନରେ ଧରନା ।’’

 

ଭାମା ଦେଈ ପୁଣି ହାଣ୍ଡିଶାଳକୁ ଫେରିଗଲେ । ଅନୁପମ କଥାଟାକୁ ଲେଉଟେଇ ଏପଟ ସେପଟ କରି ବିଚାରକଲା । ‘ଜୋନାକୀ’ର ଛବିଟାକୁ ଯଦି ସେ ଚିରିଦେଇ ପାରନ୍ତା, ହୁଏତ ତେବେ....ନା, ସେ ପାରିବ ନାହିଁ । ଜୋନାକୀ ତାକୁ ଭଲ ପାଇଥିଲା–ହୁଏତ ଏବେ ନିର୍ଦ୍ଦୟ ଭାବରେ ଅଲଗା ହୋଇ ରହିଛି । ତଥାପି ସେ ବଞ୍ଚିଛି । ଜୋନାକୀ ନାରୀ-ଅବସ୍ଥା ତାକୁ ଟାଣିନେଇଯାଇଚି, ଭିନ୍ନ କରିଦେଇଚି ଅନୁପମ ପାଖରୁ । ତା’ ବୋଲି ଅନୁପମ କଣ ଜୋନାକୀର ଭଲ ପାଇବାଟାକୁ ଟିକିନିଖି କରି କାଟିକୁଟି ଚୂନା କରିଦେବ, ଧୋଇଦେବ, ପୋଛିପକେଇବ ମନରୁ । ନା, ନା; ସେଇ ସ୍ମୃତିକୁ ସମ୍ବଳ କରି ତା’ରି ପାଇଁ ସେ ବଞ୍ଚିବ । ବଞ୍ଚିବା ବରଂ ତା ପକ୍ଷରେ ଏକ ଜୀବନ୍ତ ଦହନ ହେଉ ।

 

ଜୋନାକୀ ଲାଗି ସେ ହତାଦର କରିଛି ସୁମିତାକୁ । ତାର ଭଲପାଇବାକୁ ସେ ଫେରେଇ ଦେଇଚି । ପୁଣି ଆଜି କାହିଁକି ସେ ସାମାନ୍ୟ ଖିଆଲରେ ଏଡ଼େ ବଡ଼ ଅପରାଧ କରିବ ?

 

ସେ କଣ କେବେହେଲେ ଅନ୍ତର ଦେଇ ଭଲ ପାଇପାରିବ ଅନ୍ୟ ଗୋଟିଏ ଝିଅକୁ ? ଯଦି ପାରିବନାହିଁ, କାହିଁକି ଆଣି ବେକରେ ଝୁଲେଇବ ? କାହିଁକି ଆଣି କଲବଲ କରିବ ଆଉ ଗୋଟାଏ ନିରୀହ ନିର୍ଦୋଷ ସରଳ ଆତ୍ମାକୁ–ତାର କି ଅପରାଧ ? ସେ କାହିଁକି ଅନୁପମର ଦୁର୍ବଳତା ଲାଗି ସମଗ୍ର ଜୀବନଟା କେବଳ ଦୁଃଖ ଓ ଅଶ୍ରୁରେ କଟାଇଯିବ ? ନାଁ, ସେ ବିବାହ କରିବ ନାହିଁ । ତା’ର ବଂଶରକ୍ଷା ନ ହେଉ ।

 

ବଂଶ ! ହୁଁ !! କ’ଣ ଅଛି ଏ ବଂଶଟାରେ ? ଯିଏ ଏ ବଂଶରେ ଜନ୍ମିବ, ସେ ବି ଅନୁପମ ଭଳି ହେବ ନିର୍ଯ୍ୟାତିତ, ନଷ୍ପେଷିତ, ଘୃଣିତ । ଏ ଆର୍ଯ୍ୟସମାଜରେ ଅସୁରମାନଙ୍କର ସ୍ଥାନ ନାହିଁ । ତେଣୁ ନିର୍ବଂଶ ହେବା ବରଂ ଶ୍ରେୟସ୍କର ।

 

ବାପା–ମା ବୁଝିବେ ନାହିଁ, ମନ କଷ୍ଟ କରିବେ । କରନ୍ତୁ । ସେମାନେ ତ ଜାଣନ୍ତି ନାହିଁ ପୁଅର ସ୍ଥାନ ଏ ସମାଜରେ କେଉଁଠି ?

 

ତାର ପୋଡ଼ା ଗାଲଟା କି ଭଳି ଦୁଃଖ ଦିଏ ଏବେ ବି !!

 

ଅତିଥି ପରଦିନ ବିଦାୟ ନେଲେ । କହିଗଲେ ଦୁଇ-ଚାରିଦିନ ପରେ ଖବର ପଠେଇବେ; କିନ୍ତୁ ଦୁଇଚାରିଦିନ ପରେ ବି ଖବର ନ ଆସିବାରୁ ଭାମାଦେଈ ମାଗୁଣି ଦାସଙ୍କୁ ପଚାରିଲେ–‘‘ହଇହେ, ତୁମେ ସେ ଝିଅଟାକୁ ଦେଖିଚ ପରା ! ଦେଖିବାକୁ କେମିତି ? ସୁନ୍ଦର ନା ! କାମଦାମକୁ ପାରିବ ତ !’’

 

ମାଗୁଣି ଦାସ ଅନାସକ୍ତ ଭାବରେ ଉତ୍ତର ଦେଲେ–‘‘ହଁ, ସୁନ୍ଦର ନୁହେଁ ଆଉ କଣ ? ତମର ରଙ୍ଗ ପଡ଼ିବ । ହେଲେ ଟିକେ ପତଳା । କିନ୍ତୁ ?’’ ମାଗୁଣି ଦାସ ଚୁପ୍‌ ରହିଗଲେ ।

 

ଭାମାଦେଈ ଆହୁରି ଥିରିକରି ପଚାରିଲେ ଯେମିତିକି ଅନୁପମକୁ ଭଲକରି ଶୁଣା ନ ଯିବ; କିନ୍ତୁ ଅନୁପମ ତେରେଛେଇ ଚାହିଁ ମା’ର ଢଙ୍ଗଢାଙ୍ଗ ବାରିନେଲା ।

 

‘‘କିନ୍ତୁ କଣ ହେ ?’’

 

‘‘ତାଙ୍କର ଏଠି ଇଚ୍ଛା ନାହିଁ ।’’

 

ଭାମା ଦେଇ ଏଥର ପୁଣି ରାଗିଗଲେ । ଗାଳିହେଲା ସେଇ ଲୋକଟା ଉପରେ । ଅନୁପମ ଘରୁ ବାହାରିଗଲା ପଦାକୁ । ଭାମା ଦେଈ ଗାଳିଦେଲେ ଉଚ୍ଚ କଣ୍ଠରେ–‘‘ଅଳପେଇଷିଆ ! ମାଛ ଭାତ ବହେ ଗିଳିବାକୁ ଆସିଥିଲା କି ଏଠିକି !’’ ...ଇତ୍ୟାଦି ଇତ୍ୟାଦି ।

 

ଅନୁପମ ଫେରିଆସି କହିଲା–‘‘ମା ପାଟି କର୍‍ନା । ଦାଣ୍ଡର ଲୋକେ କଣ କହିବେ ? ମୁଁ କହିଲି ପରା କନିଆ ଖୋଜିବା ଦରକାର ନାହିଁ ।’’

 

ଭାମା ଦେଈ ଚୁପ୍‌ ହୋଇଗଲେ । ମାଗୁଣି ଦାସେ ବଟୁଆ ଓ ଦୋକାନ ଚାବିଟା ଧରି ବାହାରିଗଲେ ଦାଣ୍ଡକୁ, କାହାରିକୁ କିଛି ନକହି ।

 

ଅନୁପମ ଘର ଭିତରକୁ ଯାଇ ବିଛଣାରେ ଶୋଇ ଶୋଇ କହିଲା–ଜୋନାକୀ ! ମୋତେ ତୁମପାଇଁ ଚିରଜାଗ୍ରତ ରହିବାକୁ ବଳ ଦିଅ ! ମୁଁ ଯେପରି ତୁମରି ପାଇଁ ହିଁ ସବୁ ଲୁହକୁ ସାରିଦିଏ । ତୁମ ବ୍ୟତୀତ ଏ ପୋଡ଼ା ଦାଗଟାକୁ ଆଉ କେହି ଏତେ ଭଲ ପାଆନ୍ତି ନାହିଁ । ଏ ଅନ୍ଧକାର ଜୀବନରେ ତୁମେ ହିଁ ଏକମାତ୍ର ଦିହୁଡ଼ିର ସ୍ମୃତି । ତୁମେ ଜଳିଉଠ, ଜଳି ଉଠ ।’’

 

ଅନୁପମର ମୁଣ୍ଡ ଉପରେ ସେଇ ଉଲ୍‌କାଟା ପୁଣି ଚକର୍‌ ଦେବାକୁ ଲାଗିଲା–ଭୟଙ୍କର ଭାବରେ ନୁହେଁ । ସେଇ ଉଲ୍‌କାର ଘୂର୍ଣ୍ଣନ ଭିତରେ କେଜାଣି କେମିତି ଏକ ମଧୁର ସଙ୍ଗୀତର ଅତ୍ୟନ୍ତ ଚାପା ଝଙ୍କାର ଶୁଣାଯାଉଥିଲା । ବେଶ୍‌ ସୁନ୍ଦର, ସତେଜ ଓ ପ୍ରାଣବନ୍ତ ଦିଶୁଥିଲା ଉଲ୍‌କାଟା-

 

ଅନୁପମ ଉପଲବ୍‌ଧି କଲା ସତେ ଯେମିତି ସେଇ ଛନଛନିଆ ଉଲ୍‌କାଟା ଓହ୍ଲେଇଆସୁଚି ତାରି ଓଠ ପାଖକୁ, ଆପଣାର ସୁନା ରଙ୍ଗର ଦୁଇ ପାଖୁଡ଼ା ଓଠକୁ ଫୁଲଧନୁ ପରି ପ୍ରସାରିତ କରି । ଆଃ, ଏଇ ତ ପ୍ରେମ ! ଏଇ ତ ଭଲ ପାଇବା ! ଏଭଳି ମୃତ୍ୟୁ ଓ ଦହନରେ ଆନନ୍ଦ ବରଂ ନଥାଉ, ସାର୍ଥକତା ତ ଅଛି !

 

ପରଦିନ ସକାଳେ ଖରାତେଜ ଟାଁ–ଟାଁ ନ ହେଉଣୁ ଅନୁପମ ପରୀକ୍ଷା ଫଳ ଜାଣିଗଲା । ସେ ପାସ୍‌ କରିଛି । ପାସ୍‌ ଖବରଟା ପାଇ ସେ ଯେତେ ଆନନ୍ଦ ଅନୁଭବ କରିବାର କଥା କରିପାରିଲା ନାହିଁ । ପାସ୍‌ ଖବରଟା ଗୋଟାଏ ଶଙ୍ଖଚିଲ ପରି, ଗୋଟାଏ ଦିଗରୁ ଆସି ଆଉ ଗୋଟାଏ ଦିଗକୁ ଉଡ଼ିଗଲା । ଗୋଟିଏ ମୁହୂର୍ତ୍ତ ପରେ ଅନୁପମର ସେଇ ପୂର୍ବାବସ୍ଥା । ସେ ଖବରକାଗଜଟାକୁ ଓଲଟେଇ ଦେଖିଲା–‘ସୁମିତା’ ବି ପାସ୍‌ କରିଛି । ଅନୁପମର ଅନ୍ତର ଭିଜିଗଲା ଲୁହରେ । ସେ ଖବରକାଗଜଟାକୁ ମୋଡ଼ିମକଚି ଫିଙ୍ଗିଦେଲା ଝରକା ଆର ପାଖକୁ ।

 

ହାଉସ୍‌ସର୍ଜନ୍‌ ଭାବରେ ତା’ର ସଫଳତାର ପ୍ରମାଣପତ୍ର ପାଇସାରିବା ପରେ ସେ କଟକ ଦୌଡ଼ିଲା । ଅବଶେଷରେ ଦିନେ ତାକୁ ଡାକରା ଆସିଲା ଚାକିରି ପାଇଁ । ହଁ, ସେବାର ସୁଯୋଗ, ଚାକିରି ତ ନୁହେଁ ବଞ୍ଚିବା ଓ ବଞ୍ଚାଇବାର ଯୁଦ୍ଧ ସେ ।

 

ଅନୁପମକୁ କଟକ ଯିବାକୁ ପଡ଼ିଲା । ବିରୂପା ନଈ ପାର୍‌ହୋଇ ପୁଣି ତାକୁ ଯିବାକୁ ପଡ଼ିଲା ମହାନଦୀ କୂଳକୁ । କଟକରେ ପହଞ୍ଚି ସେ ପ୍ରଥମେ ଦେଖାକଲା ଡକ୍ଟର ମିଶ୍ରଙ୍କୁ । ସେଇ ଲାବୋରେଟରିରେ ପାଦ ଦେଲାକ୍ଷଣି ଅନୁପମର ମନରେ ପୁଣି ଏକ ନୂଆ ଚେତନା ସଞ୍ଚାରିତ ହୋଇଗଲା । ତା’ର ଅନ୍ତରରେ ପୁନରଭ୍ୟୁଦୟ ଘଟିଲା କେତେଗୁଡ଼ାଏ ମୃତପ୍ରାୟ ଶପଥ ଓ ସଙ୍କଳ୍ପର । ଡ: ମିଶ୍ରଙ୍କର ମୁହଁକୁ ଚାହିଁଲାକ୍ଷଣି ତାର ମନେପଡ଼ିଲା ସେ ତାକୁ ଅନ୍ୟମାନଙ୍କ ପାଇଁ ଏଇପରି ଧ୍ୟାନ ଭିତରେ ବସିବାକୁ ପଡ଼ିବ ।

 

ମନ୍ଦିରରେ ପ୍ରବେଶ କଲେ ‘ପାପୀ’ ପାପମୁକ୍ତ ହେବାଭଳି ଲବୋରେଟରି ଭିତରେ ପଶୁ ପଶୁ ଅନୁପମ ନିଜ ଜୀବନର ଅଧିକାଂଶ ଦୁଃଖଗୁଡ଼ାକ ଭୁଲିଗଲା । ତା’ର ମନେହେଲା ଯେମିତି ତା’ର ବଞ୍ଚିବା ଓ ଜନ୍ମ ଏକାବେଳକେ ନିଷ୍ଫଳ ହେବ ନାହିଁ । ସେ କର୍ମକ୍ଷେତ୍ରକୁ ଓହ୍ଲେଇବ ଡ: ମିଶ୍ରଙ୍କ ଆଦର୍ଶ ଓ ପ୍ରତିଜ୍ଞା ଧରି । ଆରମ୍ଭ କରିବ ରାବଣର ସାଧନା–ଜୀବନର ଶେଷ ପର୍ବ ପର୍ଯ୍ୟନ୍ତ ।

 

ସେ ଡ: ମିଶ୍ରଙ୍କର ପାଦଧୂଳି ନେଇ ମୁଣ୍ଡରେ ମାରିଲା–‘‘ସାର୍‌, କେମିତି ଅଛନ୍ତି ଆପଣ-?’’

 

ଡ: ମିଶ୍ର ପାଟି ମେଲାକରି ହସିଲେ । ଅନୁପମକୁ ଆପଣାର ବକ୍ଷଦେଶରେ କିଛିକ୍ଷଣ କୁଣ୍ଢାଇଧରିଲେ ।

 

‘‘ଖୁବ୍‌ ଭଲଅଛି । କୁହ, ଗାଁ ତୁମକୁ କେମିତି ଲାଗିଲା ?’’

 

ଅନୁପମ କିଛି କହିବା ପୂର୍ବରୁ ଡ: ମିଶ୍ର କହିଲେ–‘‘ଜାଣିଚି–ତୁମକୁ କେନ୍ଦ୍ରାପଡ଼ା ହସ୍‌ପିଟାଲରେ ରହିବାକୁ ପଡ଼ିବ ସହକାରୀ ଚିକତ୍ସକ ହୋଇ । ମୁଁ ଅବଶ୍ୟ ଜାଣେନାଇଁ ସେ ଜାଗାର ଜଳବାୟୁ କେମିତି ? କିନ୍ତୁ, ସବୁ ଆଡ଼େ ତ ଏକାଭଳି ରୋଗ ଓ ରୋଗୀ–ତଫାତ୍ କଣ ? ମୁଁ ଭାବୁଥିଲି ତୁମେ କଟକରେ ରହିଥିଲେ ହୁଏତ ଭଲ ହୋଇଥାନ୍ତା । ଯାଅ, ଖୁସିରେ ଯୋଗଦିଅ-।’’

 

ଡ: ମିଶ୍ର ଟିକିଏ ରହି ପୁଣି କହିଲେ–‘‘ତୁମେ ସବୁବେଳେ ଆମମାନଙ୍କଠୁଁ ଯେ କୌଣସି ସାହାଯ୍ୟ ଓ ଉପଦେଶ ଆଦାୟ କରିପାରିବ ନିଃସଂକୋଚ ଭାବରେ ।’’

 

ଅନୁପମ କହିଲା–‘‘ସାର୍‌ ! ଗୋଟାଏ କଥା ପଚାରିବି ?’’

 

‘‘ଓ ୟେସ୍‌, ହ୍ୱାଇ ନଟ୍‌ । ନିଶ୍ଚୟ ପଚାରି ପାରିବ...’’ ଡ: ମିଶ୍ର ଚାହିଁଲେ ଅନୁପମର ପାଟିକୁ ପ୍ରଶ୍ନଟା କଣ ଜାଣିବା ଲାଗି ।

 

ଅନୁପମ ଗଳାଟାକୁ ଓ ପ୍ରଶ୍ନଟାକୁ ଟିକେ ପରୀକ୍ଷା କରିନେଇ ଉଚ୍ଚାରଣ କଲା–‘‘ସାର୍‌ ! ଜୋନାକୀର ସେଇ ପ୍ରଶ୍ନଟା–ମରଣ ପରେ ଆଶାର ଅବସ୍ଥା କଣ ହୁଏ ? କିଛି ଉତ୍ତର ପାଇଲେ ଆପଣ ?’’

 

ଡ: ମିଶ୍ରଙ୍କ ମୁହଁ ପୁଣି ଗମ୍ଭୀର ହୋଇଗଲା । ଚକ୍ଷୁ ଅର୍ଦ୍ଧମୁଦ୍ରିତ ହୋଇଗଲା । ସେ ବାତୁଳଙ୍କ ପରି ବାଳଗୁଡ଼ାକୁ କେରାକେରା କରିବାକୁ ଲାଗିଲେ ।

 

ଅନୁପମ ଅସୁବିଧାରେ ପଡ଼ିଲା । ଡ: ମିଶ୍ର କିଛି କ୍ଷଣ ପଦଚାରଣ କରିବା ପରେ ବିକର୍‌ରେ ଆଲ୍‌କୋହଲ୍‌ ଢାଳିଲେ । ଆଲ୍‌କୋହଲ୍‌ ଗନ୍ଧ ଖେଳିଗଲା ଘରସାରା ।

 

ଅନୁପମ ଚାହିଁଥାଏ । ଡ: ମିଶ୍ର ବିକର୍‌ଟାକୁ ଓଠରେ ଚାପି ଆଲ୍‌କୋହଲ୍‌ ପିଉଥାନ୍ତି, ରୋଗୀ ଔଷଧ ପିଇବା ପରି । ତା’ ପରେ ଦିଆସିଲି ଜାଳିବାର ଶବ୍ଦ ହେଲା । ଡ: ମିଶ୍ରଙ୍କ ମୁହଁର ପାଇପ୍‌ରୁ ପୁଣି ବାହାରିଲା ଧୂଆଁ । ଆଲ୍‌କୋହଲ୍‌ର ଗନ୍ଧ ମିଶା କଡ଼ା ଧୂଆଁରେ ଭର୍ତ୍ତି ହୋଇଗଲ ଲାବୋରେଟେରିଟା ।

 

ଡ: ମିଶ୍ର ଅନୁପମକୁ ଚାହିଁପାରିଲେ ନାହିଁ । ମୁଣ୍ଡ ଓ ଆଖି ତଳକୁ କରି ଲାବୋରେଟରିର କଣରୁ କଣକୁ ଗୋଟାଏ ବାଉଳା ଶୁଭ୍ର ମେଘଖଣ୍ଡପରି ଘୂରିବାକୁ ଲାଗିଲେ ।

 

ଅନୁପମ ନିଃଶବ୍ଦରେ ନିଷ୍କ୍ରାନ୍ତ ହେଲା । ଏଇ ପ୍ରଶ୍ନର ଉତ୍ତର କଣ ଲବୋରେଟରିରୁ ମିଳିବ ? ଯଦି ଆଶା ଅକ୍ଷୁଣ୍ଣ ରହେ ମରଣ ପରେ ହୁଏତ ଜୋନାକୀ ଓ ଅନୁପମ ପୁଣି ମିଳତ ହେବେ–ଦୁଇଟା ଲଗାଲଗି ତାରା ପରି ଆକାଶରେ । ଯଦି ଆଶାର ବି ମୃତ୍ୟୁ ହୁଏ,–ତେବେ ଅନୁପମ ଆଉ କେବେ ହେଲେ ଛୁଇଁ ପାରିବନାହିଁ ଜୋନାକୀକୁ । ତେବେ... ତେବେ... ? ନାଃ, ଏ ପ୍ରଶ୍ନଟାର ଉତ୍ତର ଦରକାର, ନ ହେଲେ ଏ ବିଦ୍ୟା ଓ ସାଧନା, ଏ ଟଣାଓଟରା ଓ ଚାକିରିର କିଛି ଅର୍ଥ ହୁଏନା ।

 

ଅନୁପମ ଆଉରି ଦୁଇ ତିନି ଦିନ କଟକରେ ରହିଲା । ଦିନେ ସଂଜରେ ସେ ରିକ୍‌ସାକରି ଗଲା ତଳତେଲେଙ୍ଗା ବଜାରଆଡ଼େ । ସୁମିତାର ଘର ସାମ୍ନାରେ ସେ ରିକ୍‌ସା ବନ୍ଦ କଲା । ଦେଖିଲା ଘରଟା ଖୋଲାଅଛି । ସେ ସାଇର ଗୋଟାଏ ଲୋକକୁ ପଚାରିଲା–‘‘ଏ ଘରେ କିଏ ରହୁଛନ୍ତି କିରେ-?’’

 

‘‘ଆମେ ଚିହ୍ନୁନା ବାବୁ ! ଘରର ମାଲିକ ତ ମଲାଣି । ଏବେ କାଳେ ଏଇଟାକୁ ସରକାର ନେଇଯାଇଚି । କିଏ ଦୁଇଜଣ ଗୋରା ଗୋରା ପେଣ୍ଟ୍‌ପିନ୍ଧା ବାବୁ ତ ରହୁଛନ୍ତି ।’’

 

ଅନୁପମ ରିକ୍‌ସା ବୁଲେଇଲା । ସୁମିତାର ଶେଷ ସ୍ମୃତିଟା ବି ଆଉ ପୃଥବୀରେ ରହିଲା ନାହିଁ । ଆଉ କିଛି ଦିନ ପରେ ଏ ସାଇର ଲୋକେ ବି ସୁମିତାର ପରିବାରକୁ ସଂପୂର୍ଣ୍ଣ ଭୁଲିଯିବେ । କଣ ଲାଭ ତେବେ ଘର-ସଂସାର କରି ? କୋଠା ବନେଇ ? ଏଇ ସମାଜ ଓ ସରକାରର ଆଇନକାନୁନ୍‌ ସହିତ ପାଦ ମିଳେଇ ଚାଲି କଣ ବା ଲାଭ ?

 

ସେଇଦିନ ରାତିରେ ଅନୁପମ କଟକ କଲେଜର ଛାତ ଉପରକୁ ଯାଇ ଯୋଗାସନରେ ବସିଲା । ସେଦିନ ଜହ୍ନରାତି । ତାରାଗୁଡ଼ାକ ସେତେ ସ୍ପଷ୍ଟ ଦିଶୁନଥାନ୍ତି ।

 

ଅନୁପମ ବାରମ୍ବାର ଉଚ୍ଚାରଣ କଲା ସେଇ ଶବ୍ଦ–‘ଓଁ' ।

 

ତା’ପରେ ସେ ଲଙ୍ଗଳା ହେଲା–ନିଜର ଅଜାଣତରେ । ନାଚିଲା ମନଇଚ୍ଛା । ନାଚୁ ନାଚୁ କେତେବେଳେ ତା’ର ଅଙ୍ଗ ଶିଥିଳ ହୋଇପଡ଼ିଲା ସେ ଜାଣେ ନାହିଁ । ସେ ଉପରକୁ ମୁହଁ କରି ନିଜର ଅଜାଣତରେ ଶୋଇପଡ଼ିଲା ସେଇ ଛାତରେ । ଜହ୍ନ ଆଲୁଅ ପଡ଼ିଥାଏ ତା’ରି ଦିହ ଉପରେ । ତାକୁ ନିଦ ଲାଗିଗଲା ।

 

ଉଠିଲାବେଳକୁ ଜହ୍ନ ବୁଡ଼ିଲାଣି । ଚେଁ–ଚାଁ ହେଲାଣି ହସ୍‌ପିଟାଲ୍‌ ନାନାଦି କ୍ରନ୍ଦନ ଓ ଉଃ ଆଃ ଶବ୍ଦ ଭିତରେ । କଟକ ସହର ଉଠିପଡ଼ିଲାଣି ସେତେବେଳକୁ ।

 

ସେ ଦେଖିଲା–ତା’ରି ମୁଣ୍ଡ ପାଖରେ ବସିଚି ସୁମିତା । ସାଉଁଳଉଛି ବାଳଗୁଡ଼ାକ । ସେ ଉଠି ବସିଲା, ଦେଖିଲା ସୁମିତା ନାହିଁ, କେହି ନାଇଁ ।

 

ତା’ହେଲେ କଣ୍‌ ସୁମିତା ଚାଲିଚି ଅନୁପମର ପଛେ ପଛେ ! କବରଖାନାର ସ୍ତମ୍ଭ ଭିତରେ ସେ କଣ ନାହିଁ, ରହି ପାରିନାହିଁ ? ତା’ ଆଖିରେ ଲୁହ ଜକେଇ ଆସିଲା ।

 

ସେତେବେଳେ ମହାନଦୀ ଉପରେ ସଡ଼କ ରାସ୍ତାର ପୋଲ ହୋଇ ନ ଥିଲା । ବର୍ଷା ଆରମ୍ଭ ହୋଇ ଯାଇଥିବାରୁ ଖରାଦିନିଆ ରାସ୍ତା ଭାଙ୍ଗି ଦିଆଯାଇଥାଏ । ଏଣୁ କଟକରୁ ରେଳଯୋଗେ ଯିବାକୁ ପଡ଼ୁଥିଲା ଜଗତ୍‌ପୁରକୁ ଓ ଜଗତ୍‌ପୁରରୁ ବସ୍‌ଯୋଗେ କେନ୍ଦ୍ରାପଡ଼ା ।

 

ଅନୁପମ କେନ୍ଦ୍ରାପଡ଼ା ଅଭିମୁଖେ ବାହାରିବା ପୂର୍ବରୁ ପୁଣି ଥରେ ଡ: ମିଶ୍ରଙ୍କୁ ଦେଖାକରିବାକୁ ଗଲା । ଲାବୋରେଟରି ନିକଟରେ ପହଞ୍ଚି ଦେଖିଲା ଘର ଭିତରପଟୁ ବନ୍ଦ୍‌ । ସେ ବିସ୍ମିତ ହେଲା । କାରଣ ସେ କେବେହେଲେ ଡ: ମିଶ୍ରଙ୍କୁ ଭିତରପଟୁ ଦ୍ୱାର ବନ୍ଦ କରିବାର ଦେଖି ନ ଥିଲା ସେ ଯାଏଁ । ଅନୁପମର ସାହସ ହେଲାନାହିଁ ଖଟ୍‌ଖଟ୍‌ କରିବାକୁ । ସେ ନିଃଶବ୍ଦରେ କିଛି ସମୟ ଠିଆହେଲା । କାନ ଡେରିଲା କବାଟ ଫାଙ୍କରେ ।

 

ପ୍ରଥମେ ସେ କୌଣସି ଶବ୍ଦ ଶୁଣିବାକୁ ପାଇଲାନାହିଁ । ସବୁ ନିଃଶବ୍ଦ । ସାର୍‌ କଣ ଏ ଦିନବେଳଟାରେ ଶୋଇପଡ଼ିଲେ କି ?

 

ହଠାତ୍‌ ତା’ କାନ ପରଦାରେ ଗୋଟିଏ ହସର ଖିଅ ବାଜିଲା । ଡଃ: ମିଶ୍ର ହସୁଛନ୍ତି । ତା’ପରେ ପୁଣି ଝମ୍ କରି କିଛି ଭାଙ୍ଗିଯିବାର ଶବ୍ଦ ହେଲା । ଟେଷ୍ଟ୍‌ଟ୍ୟୁବ୍‌ କିମ୍ବା ଵିକର୍‌ଟାଏ ବୋଧେ ସିମେଣ୍ଟ୍‌ ଚଟାଣରେ ପଡ଼ିଗଲା; କିନ୍ତୁ ଧୀରେ ଧୀରେ ସେ ହସଟା ବଢ଼ିବାକୁ ଲଗିଲା ଓ ଝଣ୍‌ଝାଣ୍‌ ହୋଇ ଭାଙ୍ଗିବାର ଶବ୍ଦର ବେଗ ବି କ୍ରମଶଃ କ୍ଷିପ୍ରରୁ କ୍ଷିପ୍ରତର ହେବାକୁ ଲାଗିଲା । ତା’ପରେ ଏକ ବନ୍ୟ ମହାବଳ ବାଘ କୁଦିଲା ପରି ଶବ୍ଦ ଭାସିଆସିଲା ଲାବୋରେଟରି ଭିତରୁ ।

 

ହଠାତ୍‌ ସେଇ କୁଦିବା ବନ୍ଦ ହୋଇଗଲା । ତା’ ସାଙ୍ଗେ ସାଙ୍ଗେ ଶୁଣାଗଲା ଆଉ ଏକ ନୂତନ କଣ୍ଠସ୍ୱର; ଯେଉଁ ସ୍ୱର ସହିତ ଅନୁପମର କାନ ପ୍ରାୟ ଅପରିଚିତ ଥିଲା ।

 

ହଠାତ୍‌ ଡ: ମିଶ୍ରଙ୍କ ମୁହଁଟା ଅନୁପମକୁ କଳାବୋଳି ହୋଇଗଲା ପରି ଦିଶିଲା । ସେ ବୁଝିପାରିଲାନାହିଁ–ଡ: ମିଶ୍ରଙ୍କ ସହିତ ଏଇପରି ବନ୍ୟନୃତ୍ୟ କରୁଥିବା ନାରୀଟି କିଏ ?

 

ଡ: ମିଶ୍ର ତା’ହେଲେ କଣ ?

 

ପଛଆଡ଼ୁ ଆସିଲା ବୁଢ଼ା ପିଅନ୍‌ । ଅନୁପମ ବୁଲିପଡ଼ି ବୁଢ଼ାପିଅନ୍‌କୁ ପଚାରିଲା–“କିଏସେ ଅଛି ଭିତରେ ।’’

 

ବୁଢ଼ାପିଅନ୍‌ କହିଲା–‘କିଏ ମୁଁ ଜାଣେନା । କେହି ଜଣେ ସାଇବାଣୀ । ମୁଁ କେବେ ଦେଖିନାହିଁ । ଆଜି ଦେଖିଲି ।’’

 

‘‘ସାଇବାଣୀ !!’’ ଅନୁପମର ଦୃଷ୍ଟିରେ ପ୍ରଶ୍ନ ଓ ବିସ୍ମୟର ଯୁଗପତ୍‌ ନୃତ୍ୟ ଆରମ୍ଭ ହେଲା–‘‘ଏଇ କଟକରେ ଥାଆନ୍ତି ?’’

 

“ନା । ସିଆଡ଼ୁ କୁଆଡ଼ୁ ଆସିଛନ୍ତି । ମୁଁ ତ ଜାଣି ନାହିଁ ।’’ ବୁଢ଼ାପିଅନ୍‌ ଅନୁପମକୁ ଚାହିଁଲା,–ଯେମିତିକି କହୁଥିଲା, ଯା ବାବୁ, ମୁଁ ତୁମ ଏତେ ପ୍ରଶ୍ନର ଉତ୍ତର ଦେଇ ପାରିବିନାହିଁ । ମୋର କି ଯାଏ,–ସେ କିଏ, କୁଆଡ଼ୁ ଆସିଛନ୍ତି, ଜାଣିବା ମୋର କଣ ଦରକାର ?

 

‘‘ଘର ଭିତରୁ ଏତେ ଝଣ୍‌ଝାଣ୍‌ ଶବ୍ଦ ଆସୁଚି କାହିଁକି–ମନେ ହେଉଛି, ସାର୍‌ ଯେମିତି ବହୁତ କିଛି ଛେଚି ପିଟି ଭାଙ୍ଗି ପକାଉଛନ୍ତି ।’’

 

ବୁଢ଼ାପିଅନ୍‌ କବାଟ ଠକ୍‌ଠକ୍‌ କଲା । ଅନୁପମ କହିଲା ‘‘ରହ ରହ–ମୁଁ ଏଠୁ ପଳାଏଁ ଆଗେ । ସାର୍‌କଣ ଭାବିବେ ।’’

 

ଅନୁପମ ପଳାଇବାକୁ ସ୍ଥିର କରିଛି କି ନାହିଁ–ହଠାତ୍‌ ଭିତରପଟୁ କବାଟ ଖୋଲିଗଲା । ଅନୁପମ ଆଉ ପଳେଇ ପାରିଲାନାହିଁ । ଦରଜା ଦୁଇଟାକୁ ଦୁଇ ହାତରେ ମେଲାକରି ଠିଆହୋଇଗଲା ଗୋଟିଏ ଏକାନ୍ତ ଅପରିଚିତ ମୁହଁ ।

 

ଜଣେ ଶ୍ଵେତାଙ୍ଗିନୀ,–ଅସଂଯତ ସୁନା ରଙ୍ଗର କେଶ ବେକ ଉପରେ ଝୁଲୁଥାଏ,–ଦେହରେ ଚିପା ପୋଷାକ, ଅଧାରୁ ଅଧାରୁ ଗୋଡ଼ ଦିଶୁଚି । ଓଠରେ ଲାଲ୍‌ରଙ୍ଗ । ଆକର୍ଣ୍ଣ ଲମ୍ବିତ ଭ୍ରୂ । ତିଖ ପରି ଧାରେ ନାକ । ନାତିଦୀର୍ଘ ଦେହ । ବେଶ୍‌ ପାତଳ । ଗୋଟାଏ ରବର କଣ୍ଢେଇ ପରି ନିଖୁଣ ଚେହେରା; କିନ୍ତୁ, ଆଖି ଦୁଇଟାରେ ହସ ନାହିଁ । ଯେମିତିକି ଖୁବ୍‌ କାନ୍ଦୁଥିଲା ଟିକକ ଆଗରୁ, ଜବର୍ଦସ୍ତି ଲୁହସବୁ ପୋଛିପକାଇଛି ।

 

‘‘ହାଲୋ,–ପ୍ଲିଜ୍‌ କମ୍‌ ଇନ୍‌ (ଭିତରକୁ ଆସ) ।’’

 

ମହିଳାଟି ଭିତରକୁ ଗଲା,–ତାର ପଛେ ପଛେ କମ୍ପିତ ପଦରେ ଆଗେଇଗଲା ଅନୁପମ,–ତାକୁ ସବୁ ଆଚମ୍ବିତ ଲାଗୁଥାଏ ।

 

ଅନୁପମ ଭିତରକୁ ଯାଇ ଦେଖିଲା–ଡ: ମିଶ୍ର ଚିତ୍‍ହୋଇ ଭୂଇଁରେ ଶୋଇଛନ୍ତି । ଚାରି ଛ’ଟା ବିକର୍ ଘର ଭିତରେ ଏଣେ ତେଣେ ଭାଙ୍ଗି ପଡ଼ିଛି । ଅପର୍ଯ୍ୟାପ୍ତ ଗନ୍ଧ ଭରି ରହିଛି ଆଲ୍‌କୋହଲ୍‌ର । ଡ: ମିଶ୍ର ଆଖି ବୁଜିଛନ୍ତି । ବାହୁ ଦୁଇଟା ପକ୍ଷୀପରି ମେଲା ହୋଇ ପଡ଼ିଛି ଦୁଇ ପାର୍ଶ୍ଵରେ ।

 

ଭଦ୍ରମହିଳାଟି ନୀରବରେ ବସିପଡ଼ିଲା ଡ: ମିଶ୍ରଙ୍କର ଲୋଟୁଥିବା ମୁଣ୍ଡ ପାଖରେ । ତା’ପରେ ଆପଣାର ଲାଲ୍‌ ଲାଲ୍‌ ହାତ ଦୁଇଟିକୁ ଲମ୍ବାଇ ଡ: ମିଶ୍ରଙ୍କ ମୁଣ୍ଡଟିକୁ ଆଣି ନିଜର କୋଳ ଉପରେ ରଖିଲା–ତା’ପରେ ନଇଁପଡ଼ି ଚୁମ୍ବନ କଲା ।

 

ବୁଢ଼ାପିଅନ୍‌ ଓ ଅନୁପମ କ୍ଷଣକ ଲାଗି ପରସ୍ପରକୁ ଚାହିଁଲେ । ବୁଢ଼ାପିଅନ୍‌ ବାହାରିଗଲା-। ଅନୁପମ ଠିଆହୋଇ ଥାଏ । ଭଦ୍ରମହିଳାଟିର ଓଠ ସେ ପର୍ଯ୍ୟନ୍ତ ଵି ଡ: ମିଶ୍ରଙ୍କ ଓଠରେ ଜଡ଼ିହୋଇ ରହିଥାଏ ।

 

କିଛିକ୍ଷଣ ପରେ ଭଦ୍ରମହିଳା ଅନୁପମକୁ ଚାହିଁଲେ । ତାଙ୍କର ନୀଳବର୍ଣ୍ଣର ଆଖିରେ ବହୁଦିନର ସଞ୍ଚିତ ବେଦନା ଅଶ୍ରୁ ହୋଇ ଗଡ଼ିପଡ଼ୁଥାଏ, ଗାଲ ଦେଇ ବେକ ଉପରକୁ ।

 

ଭଦ୍ରମହିଳା ଇଂରେଜିରେ କହିଲେ–‘‘ଟିକେ ସାହାଯ୍ୟ କରିବ ?”

 

ଅନୁପମ କହିଲା–‘ନିଶ୍ଚୟ’ ।

 

ଭଦ୍ରମହିଳାଙ୍କ ନିର୍ଦ୍ଦେଶରେ ଅନୁପମ ବୁଢ଼ାପିଅନକୁ ଡାକି ଡ: ମିଶ୍ରଙ୍କର ଶୋଇବା ବଖରାର ବିଛଣାଟା ସଜାଡ଼ିଦେଲା । ଡ: ମିଶ୍ରଙ୍କୁ ଦୁଇ ହାତରେ ଧରିନେଇ ଶୁଆଇଦେଲା ବିଛଣା ଉପରେ । ହାତ ଓ ଛାତି ପରୀକ୍ଷାକଲା । ସବୁ ଠିକ୍‌ ଅଛି । ଡ: ମିଶ୍ର ଅଚେତନ ହୋଇଯାଇଛନ୍ତି ଅତ୍ୟଧିକ ମଦ୍ୟପାନ ହେତୁ ବୋଧହୁଏ ।

 

ଭଦ୍ରମହିଳାଟି ସହିତ ସେ ଦୁଇ ଚାରିପଦ କଥାହୋଇ ଜାଣିଲା–ଭଦ୍ରମହିଳାଙ୍କ ଘର ଲଣ୍ଡନରେ । ଡ: ମିଶ୍ରଙ୍କର ସହପାଠିନୀ । ଉଭୟେ ଭଲପା’ନ୍ତି ପରସ୍ପରକୁ । ଆଉ ବେଶି କିଛି ଭଦ୍ରମହିଳା ପ୍ରକାଶ କଲେନାହିଁ । ସେ ଖାଲି କ୍ଷଣକ୍ଷଣକରେ ଦୁଃଖ ପ୍ରକାଶ କରୁଥା’ନ୍ତି–"ମୋର ବନ୍ଧୁ ମୋ ପାଇଁ କେତେ ଦୁଃଖ ସହିଲେଣି । ମୁଁ କେମିତି ଶୁଝିବି ? ଏତେ ପ୍ରେମ, ଏତେ ଭଲପାଇବା ମୁଁ ଆଉ କାହାରିଠୁଁ ଏ ଜୀବନରେ ପାଇନାହିଁ ।’’

 

କିନ୍ତୁ ଘଟଣାର ସଂପୂର୍ଣ୍ଣ ରହସ୍ୟ ଭେଦ କରିପାରିଲାନାହିଁ ଅନୁପମ । ତଥାପି ତାର ମୁଣ୍ଡ ନଇଁଆସୁଥିଲା ଅଚେତନ ଡ: ମିଶ୍ର ଓ ସେଇ ଭଦ୍ରମହିଳାଙ୍କ ଉଦ୍ଦେଶ୍ୟରେ ।

 

ଡ: ମିଶ୍ରଙ୍କ ଲାବୋରେଟରିରେ ବିଳମ୍ବ ଘଟିବାରୁ ଅନୁପମ ଠିକ୍‌ ସମୟରେ ଷ୍ଟେସନରେ ପହଞ୍ଚିପାରିଲା ନାଇଁ । ବର୍ଷା ପଡ଼ୁଥାଏ । ଗାଡ଼ି ଆସି ଠିଆହୋଇସାରିଲାଣି । ଅନୁପମ ରିକ୍‌ସାରୁ ତରବରରେ ଓହ୍ଲେଇ ଟିକେଟ୍‌ଟାଏ କରି ପକାଇଲା । ଦେହରେ ବର୍ଷାତି । ହାତରେ ଚମଡ଼ା ସୁଟ୍‌କେଶ୍‌ଟାଏ ଧରିଥାଏ । ଆଉ ମାତ୍ର ଅଳ୍ପ ସମୟ ଥାଏ ଗାଡ଼ି ଛାଡ଼ିବାକୁ । ସଂଧ୍ୟା ହୋଇନଥିଲେ ବି ଷ୍ଟେସନ୍‌ଟାର ଆଲୁଅଗୁଡ଼ାକ ଜଳିଉଠିଥାଏ ସେତେବେଳକୁ ।

 

ଅନୁପମ କୁଆଡ଼କୁ କିଛି ନଚାହିଁ ଡବା ପରେ ଡବା ପାର ହୋଇ ସିଟ୍‌ଟାଏ ଖୋଜି ଦଉଡ଼ିଲା । ଗୋଟାଏ ମାତ୍ର ଷ୍ଟେସନ୍‌; ଠିଆହୋଇ ଯାଇହେବ–ଯେଉଁ ଶ୍ରେଣୀ ହେଉ ପଛକେ । ତଥାପି ସେ ଦଉଡ଼ୁଥାଏ ।

 

ହଠାତ୍‌ ଟ୍ରେନ୍‌ର କାଚ ଝରକା ଦେଇ ଗୋଟାଏ ମାଟି ଚା’–ପାତ୍ର ଅନୁପମର କାନ୍ଧ ଉପରେ ଆସି ଭାଙ୍ଗିଲା–ଠକ୍‌ କରି । ଖଣ୍ଡଖଣ୍ଡ ହୋଇ ପାତ୍ରଟା ତଳେ କୁଢ଼େଇ ହୋଇ ପଡ଼ିଲା । ଅନୁପମର ପାଦ ହଠାତ୍‌ ବନ୍ଦ ହୋଇଗଲା । ଚଟ୍‌ କରି ରାଗିଉଠିଲା ସେ । ଡବା ନିକଟକୁ ଧପସିଗଲା । କହିପକାଇଲା–‘‘ମଣିଷ ଦିଶୁନି...’’ ଗାଳିଟାକୁ ଅନୁପମ ପୂର୍ଣ୍ଣ କରି ପାରିଲାନାହିଁ । ଦୁଇଟି ହାତ ଅନୁନୟ ଭଙ୍ଗୀରେ ସେତେବେଳେ ଯୋଡ଼ିହୋଇ କାଚଝରକା ବାହାରେ ଝୁଲୁଥିଲା ଓ ଟପ୍‍ ଟପ୍‍ ପଡ଼ୁଥିବା ଧାରେ ବର୍ଷାପାଣିରେ ଓଦା ହେଉଥିଲା–‘‘କ୍ଷମା କରିବେ । ମୁଁ ଜାଣିନାହିଁ । ଭୁଲ ହେଇଚି...’’

 

ଅନୁପମ ଆହୁରି ନିକଟକୁ ଲାଗିଗଲା,–ଏଁ ! ଜୋନାକୀ ! ଚମକିପଡ଼ିଲା ଅନୁପମ । ତା’ର ଛାତିଟା ଥରିଉଠିଲା । ସେ ଘୁଞ୍ଚିଆସିଲା ପଛକୁ ପଛକୁ ।

 

ଦେଖିଲା ଜୋନାକୀ ଆଖିରୁ ଲୁହ ଗଡ଼ୁଚି । ଅନୁପମ ଅନ୍ୟ ଏକ ଡବାକୁ ଚଢ଼ିଯାଇ ଝରକାର ବାଡ଼ାରେ ମୁହଁ ପୋତି ଶିହରିବାକୁ ଲାଗିଲା । ତା’ ଆଗରେ ନୃତ୍ୟ କରୁଥିଲା ଜୋନାକୀ ମଥାର ସେଇ ସିନ୍ଦୁରବିନ୍ଦୁଟା ।

 

ଟ୍ରେନ୍‌ ଚାଲିବାକୁ ଲାଗିଲା ଧସ୍‌–ଧପ୍‌ ଧସ୍‌–ଧପ୍‌ କରି । ମହାନଦୀର ସ୍ରୋତକୁ ବର୍ଷା ବିନ୍ଦୁଗୁଡ଼ାକ ଛୁଞ୍ଚି ପରି କଣା କରିପକାଉଥିଲା । ଟ୍ରେନ୍‌ ଇଞ୍ଜିନ୍‌ର କଳାଧୂଆଁ ସବୁ ବିଛେଇ ହୋଇଯାଉଥିଲା ପାଣି ଉପରେ ଆକାଶକୁ ଉଠିନପାରି ।

 

ଟ୍ରେନ୍‌ ଥମିଲା । ବର୍ଷାତିଟାକୁ ସଜାଡ଼ିନେଇ ଅନୁପମ ବାହାରିଲା ଜଗତ୍‌ପୁରର ପ୍ଲାଟଫର୍ମକୁ । ଆଖି ଉପରକୁ ଟାଣିଆଣିଥିଲା ବର୍ଷାତି ଟୋପିଟା ।

 

ଟପ୍‌ଟପ୍‌ ବର୍ଷା ଭିତରେ ଲମ୍ବ ଲମ୍ବ ପାଦ ପକାଇ ସେ ପାରହେଲା ଜଗତ୍‌ପୁର ପ୍ଲାଟଫର୍ମ । ପ୍ଲାଟଫର୍ମଟା ଖୁବ୍‌ ଉପରେ । ପାହାଚ ଦେଇ ସେ ତଳକୁ ଗଲା । ପୋଲ ବାଟଦେଇ ଚାଲିଲା ବସ୍‌ଷ୍ଟାଣ୍ଡକୁ ।

ଟ୍ରେନ୍‌ଟା ପୁଣି ଚାଲିବାକୁ ଆରମ୍ଭ କରିଦେଇଥାଏ–ଭସ୍‌ଭସ୍‌ ଶବ୍ଦ କରି । ଜଗତ୍‌ପୁରର ଦୋକାନଗୁଡ଼ାକ ଭିତରେ ଜୁଳୁଜୁଳୁ ହେଉଥାଏ ଜୋନାକୀର ସେଇ ଆଖିଟା, ଧାଉଁଥାଏ ଚଳତ୍‌ଛବି ପରି ସେଇ ଅକ୍ଷୁର୍ଣ୍ଣ ଚକ୍‌ଚକ୍‌ ସିନ୍ଦୁରବିନ୍ଦୁଟା ଓ ତା ସହିତ ସେଇ ଘନୀଭୂତ ଜ୍ୟୋତ୍ସ୍ନା ସମାନ ବଳିଲା ବଳିଲା ହାତ ଦୁଇଟାର ପାପୁଲି ଓ ଆଙ୍ଗୁଳିଗୁଡ଼ାକ ।

ମରଣ ପରେ ଆଶା ଯଦି ଅବିକୃତ ରହେ–ତେବେ.... ତେବେ ସେ ହୁଏତ ଜୋନାକୀକୁ ପାଇବ; କିନ୍ତୁ...ସତେ କ’ଣ ଆଶା ବଞ୍ଚେ, ମରଣ ପରେବି... ? ଦେହ ସହିତ ଆଶା ଭସ୍ମୀଭୂତ ହୁଏ ନା ହୁଏନାହିଁ.... ? କେମିତି ଜାଣିବ.... ? ଡ: ମିଶ୍ରଙ୍କ ପରୀକ୍ଷା କ’ଣ ସଫଳ ହେବ..... ?

ବସ୍‌ ଚାଲିଲା କେନ୍ଦ୍ରାପଡ଼ା ଅଭିମୁଖେ । ରାସ୍ତା ଲମ୍ବି ଥାଏ ଦୂରକୁ ଦୂରକୁ ।

ବସ୍‌ର ସାମ୍ନା କାଚପଟା ଉପରେ ଅନବରତ ପଡ଼ୁଥାଏ ବର୍ଷା । ଓ୍ୱାଇପର୍‍ଟା ସଫା କରିବାରେ ଲାଗିଥାଏ ଅର୍ଦ୍ଧମଣ୍ଡଳାକାରରେ ଘୂରି ଘୂରି । ୱାଇପର୍‌ ଯେତେ ସଫା କରୁଥାଏ ସେତେ ପଡ଼ୁଥାଏ ବର୍ଷା ।

ଜାକିଜୁକି ହୋଇ ବସିଥାଏ ଅନୁପମ ଭିଡ଼ ଭିତରେ । ବେଳେବେଳେ ପାଣିମିଶା ପବନ ଝରକାର ପର୍ଦ୍ଦାଗୁଡ଼ାକ ଉଡ଼େଇ ପଶିଆସୁଥାଏ ଭିତରକୁ । ଗୋଟାଏ ଆହତ ଓ ପରାସ୍ତ ସୈନିକକୁ ମିଲିଟାରି ଗାଡ଼ି ବୋହିନେବାପରି ସେ ବୋହି ହୋଇଯାଉଥାଏ ଅର୍ଦ୍ଧମୃତ ଅବସ୍ଥାରେ ।

 

କେନ୍ଦ୍ରାପଡ଼ା ହସ୍‌ପିଟାଲ୍‌ରେ ଡାକ୍ତର ଭାବରେ ଯୋଗଦେବା ପରେ–ହୁଲି ଡଙ୍ଗାଟା କିଛିଦିନ ସୁଅମୁହଁରେ ସିଧାସଳଖ ଗତି କରିବାକୁ ଲଗିଲା । ତାଲିମ୍‌ ଆଉ ଶିକ୍ଷାର ବନ୍ଧାଜୀବନ ଭିତରେ ବିଶେଷ କିଛି ବୈଚିତ୍ର୍ୟ ନଥିଲେ ବି, ତାହା ଦୁର୍ବିସହ ଅତୀତର ସ୍ମୃତି ଚିତ୍ରଗୁଡ଼ାକୁ କିଛିକାଳ ଅନୁପମର ମନଠାରୁ ଦୂରେଇ ଦୂରେଇ ରଖିପାରିଥିଲା ।

 

କେନ୍ଦ୍ରାପଡ଼ା ହସ୍‌ପିଟାଲ୍‌ ଆୟତନରେ ବେଶି ବଡ଼ ନୁହେଁ; ବେଡ୍‌ ସଂଖ୍ୟା ଖୁବ୍‌ କମ୍‌ । ଡାକ୍ତରଙ୍କ ସଂଖ୍ୟା ଅନୁପମକୁ ଲଗାଇ ମାତ୍ର ଚାରି । ବଡ଼ଡାକ୍ତର ଡ: ମହାନ୍ତି ବୃଦ୍ଧ । ସାମ୍ନାପାଖ ବାଳରୁ କେରାଏ ଦୁଇକେରା ଧଳା ହୋଇଗଲାଣି । କାନ ଦୁଇଟା ଓହଳିପଡ଼ିଲାଣି । ଡ: ମହାନ୍ତି ବେଶ୍‌ ଭଦ୍ର, ଯଦିଓ ମଝିରେ ମଝିରେ ଖୁବ୍‌ ଚିଡ଼ି ଉଠି ରାଗିଯାଆନ୍ତି ହସ୍‌ପିଟାଲ୍‌ର କର୍ମଚାରୀଙ୍କ ଉପରେ, ତାଗିଦ୍‌ କରନ୍ତି, ଦରମା କାଟିଦେବି ବୋଲି ଧମକ୍‌ ଦିଅନ୍ତି । ବେଳେବେଳେ ମନଇଚ୍ଛା ଗାଳିଦିଅନ୍ତି ସମସ୍ତଙ୍କୁ । ସେ ରାଗିଲେ ହସ୍‌ପିଟାଲ୍‌ର କର୍ମଚାରୀମାନେ ମୂଷାଭଳି ହୋଇଯାଆନ୍ତି ଓ କଳା ପିମ୍ପୁଡ଼ିପରି କାମ କରିବାରେ ଲାଗିଯାଆନ୍ତି ସମସ୍ତେ । ସେଇ ଅବସ୍ଥାରେ କେହି ଛୁଟି ଦରଖାସ୍ତ ଧରି ଆସିଲେ ଡ: ମହାନ୍ତି ନାଲି କାଳିରେ ବଡ଼ ବଡ଼ କରି ଲେଖିଦିଅନ୍ତି–‘ନୋ’ । ରୋଗୀମାନେ ବି ସାହସ କରି ନିବେଦନ ଜଣାଇ ପାରନ୍ତିନାହିଁ ।

 

କିନ୍ତୁ ଡ: ମହାନ୍ତିଙ୍କର କ୍ରୋଧ ବେଶି କ୍ଷଣ ସ୍ଥାୟୀ ହୁଏନାହିଁ । ତାଙ୍କ କାନ ଓ ଆଖିରୁ ରଙ୍ଗ ସବୁ ଖସିପଡ଼େ । ସେ ପୁଣି ହସନ୍ତି । ହସ୍‌ପିଟାଲ୍‌ଟାରେ ପୁଣି ଆରମ୍ଭହୁଏ ଝଣ୍‌ଝାଣ୍‌, ଗପ, ଗୁଜବ ଓ କାନ୍ଦଣା–ମଝିରେ ଲୁଚାଛପା ହସ । ଅନୁପମର ବସ୍‌ ଓ ଗାଇଡ଼୍‌ ଡ: ମହାନ୍ତି–ବେଳେବେଳେ ଖୁବ୍‌ ହେୟ ଦୃଷ୍ଟିରେ ଚାହାନ୍ତି ଅନୁପମକୁ । ଅନୁପମ ଡ: ମହାନ୍ତିଙ୍କୁ ଚାହିଁ ନିଜର ଭୁଲ୍‌ ଖୋଜିବସେ-। କେତେବେଳେ ସେ ଆପଣାର ଭୁଲ୍‌ଟା ଆପେ ସନ୍ଧାନ କରିପାରିଥାଏ । କେତେବେଳେ ଖୋଜି ଖୋଜି ନିରାଶ ହୁଏ । ଡ: ମହାନ୍ତି ପୁଣି ହସି ହସି ଅନୁପମର ପିଠିରେ ହାତ ମାରନ୍ତି–‘କାମ ଶିଖ, କାମ ଶିଖ । ତୁମର ପ୍ରତିଭା ଅଛି । ତୁମେ ଖ୍ୟାତି ଅର୍ଜନ କରିବ ।'

 

ଅନୁପମ ଡ: ମହାନ୍ତିଙ୍କ ସହିତ ଛାଇ ପରି ଦୌଡ଼େ । ଗୋଟି ଗୋଟି କରି ରୋଗୀଙ୍କୁ ଦେଖେ I ପ୍ରେସ୍‌କ୍ରିପ୍‌ସନ୍‌ ବୁଝେ । କେତେବେଳେ ସହର ଭିତରକୁ ଆଉ କେତେବେଳେ ବା ସହର ବାହାରର ଗ୍ରାମକୁ ମଧ୍ୟ ସେ ଯାଏ ।

 

ହସ୍‌ପିଟାଲ୍‌ର ଦ୍ୱିତୀୟ ଡାକ୍ତର ଶ୍ରୀଯୁକ୍ତ ରଥ । ଡ: ରଥ ଜଣେ ଦାନ୍ତରୋଗ-ବିଶେଷଜ୍ଞ । ଏକ ସ୍ୱତନ୍ତ୍ର ଚେମ୍ବରରେ ସେ ବସନ୍ତି । କାହା ସହିତ ବେଶି କଥାବାର୍ତ୍ତା ହୁଅନ୍ତି ନାହିଁ ।

 

ତୃତୀୟ ଡାକ୍ତର ଜଣେ ମହିଳା–ଶ୍ରୀମତୀ ବିଜୟା ନାୟକ । ଗୌରବର୍ଣ୍ଣା । ସୁଗଠିତ ତନୁ-। ଯୌବନ ଅଛି । ଦେଖିବାକୁ ସୁନ୍ଦରୀ । ଆପଣାର ଚାରିପାଖରେ ଏକ ଲୋଭନୀୟ, ବାତାବରଣ ସୃଷ୍ଟି କରି ସେ ହସନ୍ତି । ତାଙ୍କର ଲିପ୍‌ଷ୍ଟିକ୍‌ ରଙ୍ଗ ଓଠଟା ଲମ୍ବିଯାଏ । ବେଳେବେଳେ କଲମଟାକୁ ଦାନ୍ତରେ କାମୁଡ଼ିବାର ଦେଖାଯାଏ । ବିଜୟା ଦେବୀ ବିବାହିତା; କିନ୍ତୁ ସିନ୍ଦୂର ନଥାଏ କପାଳରେ–କେବଳ ଝାପ୍‌ସା ହୋଇ ଗାରେ ଲାଗିଥାଏ ସୀମନ୍ତରେ । ବୟସ ତାଙ୍କର ତିରିଶି ପଇଁତିରିଶି ହେବ-। କେନ୍ଦ୍ରାପଡ଼ାରେ ରୁହନ୍ତି । ପୁଅଟି ପ୍ରାୟ ସାତ କି ଆଠ ବର୍ଷର ହେଲାଣି ।

 

ବିଜୟା ଦେବୀ ହସ୍‌ପିଟାଲ୍‌ର ଥିବାବେଳେ ଡ: ମହାନ୍ତି ବେଳେବେଳେ ଅଶ୍ଳୀଳ ଭାଷାରେ ଗାଳି ଦିଅନ୍ତି–ମେହେନ୍ତର ଓ ନିତାନ୍ତ ତଳପାହ୍ୟା କର୍ମଚାରୀମାନଙ୍କୁ; କିନ୍ତୁ, ବିଜୟା ଦେବୀ ଗମ୍ଭୀର ହୋଇ କଲମ କାମୁଡ଼ି ରୋଗ ଚିହ୍ନିବା ଓ ଔଷଧ ସୁପାରିସ୍‌ ଘେନି ଚିନ୍ତା କରୁଥାଆନ୍ତି ଓ ଡ: ମହାନ୍ତିଙ୍କ ଆଡ଼କୁ ଆଦୌ ଚାହାନ୍ତିନାହିଁ । ବିଜୟା ଦେବୀ ଅଧିକାଂଶ ଦିନ ଗୋଟିଏ କଳାରଙ୍ଗର ଅମ୍ବାସାଡ଼ାର୍‌ ଗାଡ଼ିରେ ହସ୍‌ପିଟାଲ୍‌କୁ ଆସିବାର ଦେଖାଯାଏ । ସେଇ କାର୍‌ଟି ତାଙ୍କ ନିଜର; କିନ୍ତୁ ବେଳେବେଳେ ଗୋଟାଏ ଲାଲ୍‌ ଫିଆଟ୍‌ଗାଡ଼ି ହସ୍‌ପିଟାଲ୍‌ର ଇଲାକା ଭିତରକୁ ମୁହାଁଏ । ଡ୍ରାଇଭର୍‌ କବାଟ ଖୋଲିବା ପରେ ସେଇ ଲାଲ୍‌ ଗାଡ଼ିଟା ଭିତରୁ ବାହାରିଆସନ୍ତି ବିଜୟା ଦେବୀ । ବେକରେ ଷ୍ଟେଥିସ୍‌କୋପ୍‌ ଝୁଲୁଥାଏ । ପାଦ ଦୁଇଟାରେ ହଠାତ୍‌ କେମିତି ଏକ ନୂଆ ଛନ୍ଦ ସଂଯୁକ୍ତ ହୋଇଥିବା ଭଳି ଲାଗେ । ବେଣୀଟା ଝୁଲୁଥାଏ ପଛଆଡ଼େ । ଦେହରେ ନିଶ୍ଚୟ କିଛି ନା କିଛି ରଙ୍ଗୀନ ଶାଢ଼ି ପିନ୍ଧିଥାନ୍ତି ।

 

ସେ ଯେଉଁଦିନ ନିଜ ଗାଡ଼ିରେ ଆସନ୍ତି, ସେଦିନ ପ୍ରାୟ ଧଳାଶାଢ଼ି ପିନ୍ଧିଥିବାର ଦେଖାଯାଏ । ଖୋଷାରେ ଫୁଲ ଖୋସିଥିବାର ଦେଖାଯାଏ; କିନ୍ତୁ, ତାଙ୍କ ଗତିରେ ସବୁଦିନେ ଲାଳିତ୍ୟ ନଥାଏ, କିମ୍ବା ସବୁଦିନେ ତିନିହାତ ଲମ୍ବର ବେଣୀ ଝୁଲିନଥାଏ ।

 

ବିଜୟା ଦେବୀଙ୍କ ସହିତ ଅନୁପମର ପରିଚୟ ସେମିତ ସେମିତି । ଅନୁପମ ବିଜୟା ଦେବୀଙ୍କ ସାମ୍ନାରେ ବସିଲାକ୍ଷଣି ବିଜୟା ଦେବୀ ଆରମ୍ଭକରନ୍ତି ବକ୍ତୃତା । ବକ୍ତୃତାର ବିଷୟ ଅଧିକାଂଶ ସମୟରେ ହୋଇଥାଏ–‘ଜନ୍ମ-ନିୟନ୍ତ୍ରଣ ।’ ସେ କହନ୍ତି–‘ଜନ୍ମ-ନିୟନ୍ତ୍ରଣଦ୍ୱାରା କେବଳ ଏକ ଆର୍ଥିକ ସମସ୍ୟାର ସମାଧାନ ହେବନାହିଁ, ଏହାଦ୍ଵାରା ନାରୀର ଯୌବନ ସତେଜ ଓ ଅଧିକ କାଳ ସ୍ଥାୟୀହୋଇ ରହିବ ।’

 

ସେ କୁହନ୍ତି–‘ଗୁଡ଼ାଏ ପିଲା ଜନ୍ମକରି ଅଳ୍ପ ବୟସରେ ବୁଢ଼ୀ ହେବା ଅପେକ୍ଷା–ଦୁଇଟି ପିଲାର ମା’ ହୋଇ ବେଶି ଦିନ ଯୁବତୀ ହୋଇ ରହିବାରେ ବାହାଦୁରୀ ଅଛି ।’

 

ଅନୁପମ ତାଙ୍କ କଥା ଶୁଣେ । କେତେବେଳେ ପଦେ ଦି’ପଦ ଯୋଡ଼ିଦିଏ । ବିଜୟା ଦେବୀ ଏସବୁ ଛଡ଼ା ମଝିରେ ମଝିରେ ଅନୁପମର ଭବିଷ୍ୟତ ଘେନି ଆଲୋଚନା କରନ୍ତି । କୁହନ୍ତି–'ଅର୍ଥ ଉପାର୍ଜନ କର । ଗାଡ଼ି ଚଢ଼ । ମଜ୍ଜାରେ ରୁହ । ଯେତେଦିନ ଚଳିବ ଖୁସିରେ ଆଚ୍ଛା ମିଜାଜ୍‌ରେ ଚଳ ।’

 

ବିଜୟା ଦେବୀଙ୍କ ମୁହଁକୁ ଅନୁପମ ବେଶି ସମୟ ଚାହିଁପାରେନାହିଁ । ତା’ର ଆଖି ମାଡ଼ିପଡ଼େ; କିନ୍ତୁ ବିଜୟା ଦେବୀ ଭୂ ନଚାଇ ନଚାଇ ହସନ୍ତି । ସିନେମା କାଇଦାରେ ନାନାରକମର ଅଙ୍ଗଭଙ୍ଗୀ କରନ୍ତି । ବେଳେବେଳେ ପ୍ରସଙ୍ଗକ୍ରମେ କୁହନ୍ତି–ଆପଣାର ଛାତ୍ରୀଜୀବନ କଥା–ମେଡ଼ିକାଲ କଲେଜର ସ୍ମୃତି କିପରି ତାଙ୍କର ମନରୁ ପାସୋରି ଯାଇନାହିଁ....କିପରି ସେ କଲେଜରେ ଖୁବ୍‌ ନାମ କମେଇଥିଲେ ଇତ୍ୟାଦି ଇତ୍ୟାଦି ।

 

ବିଜୟା ଦେବୀ କୁହନ୍ତି–ପ୍ରତିଦିନ କଲେଜ କାଣ୍ଟିନ୍‌ରେ କଫି ପିଇବା ତାଙ୍କର ଅଭ୍ୟାସ ଥିଲା । ‘ଆଜିକାଲି ସେମିତି କଫି ତିଆରି ହେଉଛି କି ନାହିଁ’–ବୋଲି ସେ ଅନୁପମକୁ ପଚାରନ୍ତି । ବେଳେବେଳେ କୁହନ୍ତି–କେନ୍ଦ୍ରାପଡ଼ା ଗୋଟାଏ ନିର୍ବୋଧ ସହର । ଏଠି ଆଦୌ କଫି ପିଇବାକୁ ମିଳେନାହିଁ । ନିଜ ହାତରେ ତିଆରି କଫି ନିଜକୁ କେବେ ସୁଆଦ ଲାଗେନାହିଁ । ତାଙ୍କର ପୂଝାରିଟା ବି କଫି ତିଆରି କରି ଶିଖିଲା ନାହିଁ ଏ ଯାଏଁ ।

 

ଦିନେ ବିଜୟା ଦେବୀ ଅନୁପମକୁ ନିମନ୍ତ୍ରଣ କଲେ–‘‘ଆସନ୍ତୁ ଆଜି ସଂଧ୍ୟାରେ ଆମ ଘରେ କଫି ପିଇବେ । ନିଜ ହାତରେ ତିଆରି କଫି ସିନା ନିଜକୁ ଭଲଲାଗେନାହିଁ, ଆପଣଙ୍କୁ ନିଶ୍ଚୟ ଭଲଲାଗିବ । କଣ କହୁଛନ୍ତି–ଆସିବେ ତ !’’

 

ଅନୁପମ ଉତ୍ତର ଦେଲା–‘‘ଆପଣଙ୍କ ବସା...... ?’’

 

‘‘ଆରେ–ମୋତେ କଣ ଅଭଦ୍ର ବୋଲି ଭାବିଲେ ? ମୁଁ ନିଜେ ଆସି ନେଇଯିବି ଆପଣଙ୍କୁ’’–ବିଜୟା ଦେବୀ ଗର୍ବ ଓ ଗୌରବରେ ଫୁଲିଉଠି କହିଲେ–‘‘ବନ୍ଧୁମାନଙ୍କୁ ନେବା ଆଣିବା କରିବା ଲାଗି ତ କଷ୍ଟ କରି ଡ୍ରାଇଭିଂ ଶିଖିଛି ।’’

 

ସତକୁସତ ସେଦିନ ସଂଧ୍ୟାବେଳେ ଗୋଟାଏ କଳାରଙ୍ଗର କାର୍‌ ଆସି ଅନୁପମର କ୍ୱାର୍ଟର ସାମ୍ନାରେ ଅଟକିଲା । ଲୁହା ସିନ୍ଦୁକ ଭିତରୁ ରୂପାଟଙ୍କା ବାହାରିଲା ପରି ତା’ ଭିତରୁ ବିଜୟା ଦେବୀ ହସି ହସି ବାହାରିଆସିଲେ ।

 

‘‘ଡ: ଦାସ, ପ୍ରସ୍ତୁତ ତ ?’’

 

ପଶ୍ଚିମ ଦିଗରେ ସିନ୍ଦୂରଟୋପା ପରି ସୂର୍ଯ୍ୟଟା ବୁଡ଼ିଯାଉଥାଏ ଏବଂ ଅନୁପମର ଝରକା ଦେଇ ପଡ଼ିଥାଏ ସେଇ ସଂଧ୍ୟାର ଅନୁରାଗ ଓ ରାଗର ଆଭାସ ।

 

ଅନୁପମ ସଙ୍କୁଚିତ ହୋଇ କାର୍‌ରେ ବସିଲା ପଛ ସିଟ୍‌ରେ । ବିଜୟା ଦେବୀ କହିଲେ–‘‘ଲଜ୍ଜା କରୁଛନ୍ତି କି ? ଆଗକୁ ଆସନ୍ତୁ । ଏକା ଏକା ବିରକ୍ତ ଲାଗିବ ଆପଣଙ୍କୁ ।’’ ବିଜୟା ଦେବୀ କାର୍‌ର ଦରଜା ଖୋଲି ଠିଆହେଲେ । ଅନୁପମ ପଛରୁ ଉଠି ଆଗକୁ ଗଲା । ବିଜୟା ଦେବୀ ଷ୍ଟାର୍ଟ୍‌ନେଲେ । ଆମ୍ବାସଡ଼ର୍‌ ଗାଡ଼ିଟା ହସ୍‌ପିଟାଲ୍‌ର ଇଲାକା ଅତିକ୍ରମ କରି ଛୁଟିଚାଲିଲା ସହର ଭିତରକୁ ।

 

କିଛି ଦୂର ଯିବା ପରେ ଅନୁପମ ପଚାରିଲା–‘‘ଆପଣଙ୍କ ଘର ସହର ଭିତରେ ତ ?’’

 

ବିଜୟା ଦେବୀ କହିଲେ–“ନା, ଠିକ୍ ସହର ଭିତରେ ନୁହେଁ । ବଳଦେବ ମନ୍ଦିର ନିକଟରେ । ବେଶି ଦୂର ନୁହେଁ; ଦଶ ମିନିଟ୍‌ର ରାସ୍ତା ।’’

 

କେନ୍ଦ୍ରାପଡ଼ା କେନାଲ୍‌ ପୋଲ ପାରହୋଇ କାର୍‌ଟା ବଳଦେବ ମନ୍ଦିର ଆଡ଼କୁ ମୁହେଁଇଲା । ଦୁଇପାଖରେ ଚାଳ ଘର ଧାଡ଼ି ଧାଡ଼ି । ଅନୁପମ ବିଜୟା ଦେବୀଙ୍କର ମୁହଁକୁ ଥରେ ଓ ପଛକୁ ଧାଉଁଥିବା ପାର୍ଶ୍ୱବର୍ତ୍ତୀ ଆଖିଗୁଡ଼ାକୁ ଥରେ ଚାହୁଁଥିଲା । ବିଜୟା ଦେବୀ ଷ୍ଟିଅରିଂ ଉପରେ ଗୋଟାଏ ହାତ ରଖି ଆଉ ଗୋଟାଏ ହାତରେ ମଝିରେ ମଝିରେ ଆପଣାର ମୁହଁ ଉପରକୁ ଉଡ଼ିଆସୁଥିବା ଅଳକା ସବୁକୁ ସଜାଡ଼ିନେଉଥାନ୍ତି ।

 

ଅନୁପମ କହିଲା–‘‘ଆପଣ ଖୁବ୍‌ଭଲ ଡ୍ରାଇଭିଂ କରନ୍ତି । ମୋର ଈର୍ଷା ହେଉଛି–ପୁରୁଷ ହୋଇ ଏ ଯାଏଁ ଶିଖି ନାହିଁ ।

 

ବିଜୟା ଦେବୀ ଅଳ୍ପ ହସି କହିଲେ–‘ସେଥିରେ କିଛି ନାହିଁ । ସବୁ ଅଭ୍ୟାସ ଓ ସୁଯୋଗ ଉପରେ ନିର୍ଭର କରେ । ମୁଁ ମାତ୍ର ପାଞ୍ଚ ଛ’ ବର୍ଷ ହେବ ଭଲ କରି ଚଳାଇ ପାରୁଛି । ଆଗରୁ ପାଖରେ ଡ୍ରାଇଭର ନ ବସିଲେ ମୋତେ ଡର ଲାଗୁଥିଲା । ଆପଣ ଚାହିଁଲେ ଏଇ ଗାଡ଼ି ନେଇ ଶିଖିପାରନ୍ତି ।’’

 

‘‘ଧନ୍ୟବାଦ’’–ଅନୁପମ କହିଲା–‘କିନ୍ତୁ ସମୟ ମିଳିବ କେଉଁଠି ? ଡାକ୍ତରୀ ଜୀବନରେ ଅବସର ମିଳିବ ବୋଲି ମୋର କାହିଁକି ବିଶ୍ୱାସ ହେଉନାହିଁ ।’’

 

‘‘ଆପଣ ଠିକ୍‌ କହିଛନ୍ତି’’–ବିଜୟା ଦେବୀ କହିଲେ–‘‘ଏ ଜୀବନଟା ନିହାତି ଶୁଷ୍କ-ରସହୀନ-ଅଶ୍ରୁ ଛଡ଼ା ହସ ନାହିଁ । ପଇସା ହୁଏତ ମିଳୁଛି; କିନ୍ତୁ ଜୀବନ ପାଇଁ ପଇସା ଅପେକ୍ଷା ବେଶି ଦରକାର ଗୋଟାଏ ଶାନ୍ତି ଓ ସୁଖର ପରିବେଶ । ଡାକ୍ତରର ପରିବେଶଟା ଅଶାନ୍ତି ଓ ରୋଗର–ସୁଖ ମିଳିବ କେଉଁଠୁ ? ସେଥିପାଇଁ କେବଳ ଡାକ୍ତରଖାନାରୁ ବାହାରିଲେ ମୁଁ ମନଇଚ୍ଛା କାର୍‌ ଚଳାଇ ଦିନକୁ ଦଶଟଙ୍କାର ପେଟ୍ରୋଲ ପୋଡ଼େ–କେବଳ ଏଇ ମନରେ ଚମକ ଓ ଫୁର୍ତ୍ତି ଆଣିବା ଲାଗି । ମୋର ବିଶ୍ଵାସ, ଏତିକି ନ କରୁଥିଲେ ମୁଁ କେଉଁ ଦିନରୁ ସ୍ଥବିର ହୋଇଯାଆନ୍ତିଣି ।’’

ବିଜୟା ଦେବୀ ଗାଡ଼ିର ବେଗ ଆହୁରି ବଢ଼େଇଦେଲେ । ଗୋଟାଏ ମୋଡ଼ରେ ହଠାତ୍‌ ବଳଦଗାଡ଼ିଟେ ଆଗରେ ପଡ଼ିବାରୁ ବିଜୟା ଦେବୀ ତତ୍‌କ୍ଷଣାତ୍‌ ବ୍ରେକ୍‌ଦେଲେ । ଅଦ୍ଭୁତ ଶବ୍ଦକରି ଗାଡ଼ିଟା ଠିଆହୋଇଗଲା । ଅନୁପମ ସାମ୍ନାକୁ ଓ ଡାହାଣ ପାଖକୁ ଧକ୍‌କା ସମ୍ଭାଳି ନପାରି ଝୁଙ୍କି ପଡ଼ିଲା । ବିଜୟା ଦେବୀଙ୍କ ବାମବାହୁ ପାର୍ଶ୍ଵରେ ତାର ଦେହଟା ପିଟି ହୋଇଗଲା । ଅନୁପମ ଦୁଃଖ ପ୍ରକାଶ କଲା; କିନ୍ତୁ ବିଜୟା ଦେବୀ ହସି ଉଠିଲେ ଓ ବାମପଟକୁ ମାଡ଼ି ଆସୁନଥିବାରୁ ଶଗଡ଼ିଆକୁ ଚଢ଼ାଗଳାରେ ଦି’ପଦ ଗାଳି ଶୁଣାଇଦେଲେ । ଅନୁପମ ପୁଣି ପ୍ରଶଂସା କଲା ବିଜୟା ଦେବୀଙ୍କୁ–"ଆପଣଙ୍କର ଖୁବ୍‌ କଣ୍ଟ୍ରୋଲ୍‌ ଅଛି ଗାଡ଼ି ଉପରେ–ନଇଲେ ତ......’’

‘‘ଆପଣ ବୁଝୁନାହାନ୍ତି ମି: ଦାସ’’–ବିଜୟା ଦେବୀ ସାମାନ୍ୟ ଗମ୍ଭୀର ହୋଇ କହିଲେ–‘‘ଲୋକଙ୍କର ଟ୍ରାଫିକ୍‌ ଶୃଙ୍ଖଳା ସମ୍ପର୍କରେ ଏଯାଏଁ ବି ଧାରଣା ହେଲାନାହିଁ ।’’

ଗାଡ଼ି ପୁଣି ଚାଲିଲା । ସେ ଗପି ଚାଲିଲେ, ‘‘ଭଲ ରାସ୍ତା ପଡ଼ିଲେ ମୁଁ ଆଖି ବୁଜି ଗାଡ଼ି ଛାଡ଼ିଦିଏ । ମୋର ମନେଅଛି, ଥରେ ଖରାଦିନେ ମାତ୍ର ଗୋଟିଏ ଘଣ୍ଟାରେ ମୁଁ କେନ୍ଦ୍ରାପଡ଼ାରୁ ବାହାରି କଟକରେ ପହଞ୍ଚିପାରିଥିଲି । ଏ ଯେଉଁ ରାସ୍ତା ନା–ଦେଖୁନାହାନ୍ତି, କାର୍‌ର ପଛ ପାଖରେ ବର୍ତ୍ତମାନ କେତେ ନାଲିଧୂଳି ଜମିଯାଇଥିବ ! ପୁଣି ଏଠାରେ ସାମାନ୍ୟ ବେଗ ବଢ଼ାଇଦେଲେ ପ୍ରତି ମୁହୂର୍ତ୍ତରେ ଦୁର୍ଘଟଣା ହେବାର ସମ୍ଭାବନା । ଏଣୁ ଜଗିରଖି ଚଳିବାକୁ ହୁଏ । ବେପରୁଆ ଭାବରେ ଚଳେଇ ହୁଏନାହିଁ ।’’

କାର୍‌ଟା ବଳଦେବଙ୍କ ମନ୍ଦିର ସାମ୍ନା ଦେଇ ବଡ଼ଦାଣ୍ଡକୁ ଗଡ଼ିଲା । ପୁଣି ସେଠାରୁ ଏକ ବାଁହାତି ଗଳିକୁ ଗଲା । ତା’ପରେ ଗୋଟାଏ ଦୁଇମହଲା କୋଠା ସାମ୍ନାରେ ଅଟକିଲା ଗାଡ଼ିଟା । ‘‘ଏଇ ଆମର ଘର’’–ବିଜୟା ଦେବୀ ହାତ ବଢ଼ାଇ ଦେଖାଇଦେଲେ ।

ପାଖଆଖରେ ଯେତେ ଘର ସବୁଗୁଡ଼ାକର ଛପର ଚାଳ, ଗୋଟିଏ ଦିଓଟି ମାତ୍ର ଟାଇଲ-। କେଉଁ କେଉଁ ଘରର କାନ୍ଥଗୁଡ଼ାକରେ ଚୂନ ଲିପାହୋଇ ଧଳା କରାହୋଇଛି । କାହାର କାନ୍ଥ ପୁଣି ପୂରାପୂରି ଗୋବର ରଙ୍ଗର । ଅନୁପମ ଗୋଟେ ଫାଙ୍କାସିଆ ଦୃଷ୍ଟିରେ ସେଇ ସାଇଟାକୁ ଦେଖିନେଲା । ଗଳିର ଦୂର ଘରଗୁଡ଼ାକ ସ୍ପଷ୍ଟ ଦିଶୁନଥାଏ । ଗଛପତ୍ରର ଅନ୍ଧାର ଭିତରେ କୌଣସି କୌଣସି ଘର ଛାତ ବି ଅଦୃଶ୍ୟ ହୋଇଯାଇଥାଏ I କାହାରି ଘରର ଚାଳ ଭେଦି ଉପରକୁ ଉଠୁଥାଏ ଧୂଆଁ ମୋଡ଼ି ମୋଡ଼ି ହୋଇ I

ଅନୁପମକୁ ଗାଡ଼ିରୁ ଓହ୍ଲେଇଦେଇ ବିଜୟା ଦେବୀ ଗାଡ଼ିକୁ ନେଇ ଗାରେଜ୍‌ରେ ଭର୍ତ୍ତିକରିଦେଲେ । ଅନୁପମ ବାରଣ୍ଡା ଉପରେ ଠିଆହୋଇ ଚାହିଁଲା ଘର ଆଗର ସେଇ ଛୋଟ ବଗିଚାଟିକୁ । ବଗିଚାଟିରେ ବିଶେଷ କଛି ସୁନ୍ଦର ଗଛ ନାହିଁ; କେବଳ ଗୋଟାଏ ଚମ୍ପା ଗଛ ଓ ଦୁଇ ତିନିଟା କାମିନୀ ଗଛ । ବାଡ଼ ଉପରେ ଲଦିହୋଇଛି ବୁଗେନ୍‌ଭିଲା–ଧଳା ଓ ନାଲି ରଙ୍ଗର ଅସଂଖ୍ୟ ଫୁଲ ଫୁଟିଛି ତହିଁରେ ।

ବିଜୟା ଦେବୀ ଅନୁପମର ଆଖିକୁ ଦୂରରୁ ଲକ୍ଷ୍ୟ କରି ଆସୁଥିଲେ ବୋଧହୁଏ । କହିଲେ–‘‘ଆପଣଙ୍କ ଦେଖିବା ଭଳି ଏ ବଗିଚାରେ କିଛି ନାହିଁ । ପ୍ରଥମ କଥା, ଘର ସାମ୍ନାରେ ଜାଗା ଅଭାବ । ମୋଟର୍‌ ରାସ୍ତା ବାଦ୍‌ଦେବାପରେ ଆଉ କେତେ ବା ବଳୁଛି ? ସେଇଥିପାଇଁ ମୁଁ ଆଗପଟରେ ଫୁଲବଗିଚା କରିନାହିଁ ।

 

‘‘ଏଇ ଯେଉଁ ଗଛଗୁଡ଼ାକ ଦେଖୁଛନ୍ତି, ଏଗୁଡ଼ାକ ସବୁ ମୋ’ ସ୍ୱାମୀଙ୍କ ହାତଲଗା–ମୋ ହାତର ସ୍ପର୍ଶ ନାହିଁ । ସମୟ ବା କେଉଁଠି ମିଳୁଛି ମୋତେ ? ବିଛଣାରୁ ଉଠିବା ବେଳଠୁଁ ହସ୍‌ପିଟାଲ୍‌ ଯିବା ପର୍ଯ୍ୟନ୍ତ ମୋ ଘର ଆଗରୁ ତ ରୋଗୀଙ୍କ ଭିଡ଼ କମେନାହିଁ । କେବଳ ଯାହା ଏଇ ସଂଧ୍ୟାବେଳଟା । ସବୁଦିନେ ସେ ସଂଧ୍ୟାରେ ସମୟ ମିଳେ ତାହା ବି ନୁହେଁ–ମଝିରେ ମଝିରେ ବାହାରକୁ ବି ଯିବାକୁ ପଡ଼େ । କେତେ ଡାକରା ବା ଫେରେଇବି–ହୃଦୟ ତ ପୁଣି ଅଛି ? ଆରେ–ଭିତରକୁ ଆସନ୍ତୁ, ଏଠି କେତେବେଳ ଯାଏଁ ଠିଆହେବେ ।”

 

ବିଜୟା ଦେବୀ ଡାକପକେଇଲେ–‘‘ବଇଁଶି ! ବଇଁଶି !’’

 

ବଇଁଶି ଆସି ଠିଆହେଲା । କଳା ରଙ୍ଗର ହାଫ୍‌ପ୍ୟାଣ୍ଟ୍‌ଟିଏ ଓ ଧଳା ପରିଷ୍କାର ଗେଞ୍ଜି ଖଣ୍ଡେ ପିନ୍ଧିଥିବା ଚାଳିଶି ପଚାଶ ବର୍ଷର ଲୋକଟିଏ । ହାତରେ ଅଟା ଗୋଳା ଲାଗିଛି । ଅଟା ଦଳୁଥିଲା ବୋଧହୁଏ–ଧୋଇବାକୁ ସମୟ ପାଇନାହିଁ । ନିଶ୍ଚୟ ବିଜୟା ଦେବୀଙ୍କର ପୂଝାରି ହେବ ।

 

‘‘କେହି ଆସିଥିଲେ ?’’

 

‘‘ହଁ, ଜଣେ କିଏ ଆସି ଦଶ ପନ୍ଦର ମିନିଟ୍‌ ଅପେକ୍ଷା କରି ପଳେଇଲେ । ଏଇ ଚିଠା ଖଣ୍ଡିକ ଦେଇଯାଇଛନ୍ତି । କହିଛନ୍ତି ନିଶ୍ଚୟ ଯିବେ ।’’

 

ବଇଁଶି ପକେଟ୍‌ରୁ ଚିଠା ଖଣ୍ଡିକ ବାଁ–ହାତରେ ବାହାରକରି ଟେବୁଲ୍‌ ଉପରେ ରଖିଲା । ବିଜୟା ଦେବୀ କାଗଜ ଖଣ୍ଡକର ଭାଙ୍ଗ ଖୋଲି ଆଖି ବୁଲେଇଲେ ।

 

Unknown

ଅନୁପମ ପଚାରିଲା–‘‘କିଛି ସିରିଅସ୍‌..... ?’’

 

‘‘ନା’’–ବିଜୟା ଦେବୀ କହିଲେ–‘‘ସହସା ଯିବାର ପ୍ରୟୋଜନ ନାହିଁ । କାଲି ଗଲେ ମଧ୍ୟ ଚଳିବ ।’’

 

ବିଜୟା ଦେବୀ କୁସନ୍‌ ପଡ଼ିଥିବା ଚଉକି ଖଣ୍ଡେ ଅନୁପମକୁ ଦେଖାଇ ଦେଇ କହିଲେ–‘‘ବସନ୍ତୁ !’’ ନିଜେ ମଧ୍ୟ ସାମ୍ନାସାମ୍ନି ବସିଲେ । ବିଜୁଳିବତି ଜଳୁଥାଏ । ଶୀତ କାଳର ସଂଧ୍ୟା-। ପଙ୍ଖା ଘୂରେଇବା ଦରକାର ପଡ଼ିଲାନାହିଁ ।

 

‘‘ଆଚ୍ଛା ମି: ଦାସ’’–ବିଜୟା ଦେବୀ ଗୋଡ଼ ଉପରେ ଗୋଡ଼ ପକେଇ ଏବଂ ବେକଟାକୁ ସୋଫା ଉପରେ ଆରାମ ଅବସ୍ଥାରେ ଲୋଟେଇ ଦେଇ କହିଲେ, ‘‘ଆପଣ ଏଇ ଅବୈଧ ଭ୍ରୂଣହତ୍ୟା ସମ୍ପର୍କରେ କଣ ଭାବୁଛନ୍ତି ? ଏହାକୁ କ’ଣ ପ୍ରଶ୍ରୟ ଦିଆଯିବା ଉଚିତ ?’’

 

‘‘ଦିଆଯିବା ଉଚିତ୍‌’’–ଅନୁପମ କହିଲା–‘‘ନଇଲେ ଏ ସମାଜ ସେଇ କ୍ଷୁଧିତ ଶିଶୁଙ୍କର ଚିତ୍କାରରେ ପୂର୍ଣ୍ଣ ହୋଇଯିବ । ଜନସଂଖ୍ୟା ହୁ-ହୁ କରି ବଢ଼ିବା ସଙ୍ଗେ ସଙ୍ଗେ ନିରାଶ୍ରୟ ଶିଶୁ ଓ ମାତାଙ୍କର ଦଳସଂଖ୍ୟା ଦିନକୁ ଦିନ ବଢ଼ିବ ରାସ୍ତାରେ । କାରଣ ଅବୈଧ ଶିଶୁଙ୍କୁ ଆମ ସମାଜ ସ୍ଵୀକାର କରେନାହିଁ । ଗୁପ୍ତ-ପ୍ରଣୟରେ ଲିପ୍ତ ନାରୀଙ୍କର ଏ ସମାଜରେ ସ୍ଥାନ ନାହିଁ । ତେଣୁ ଭ୍ରୂଣହତ୍ୟା ହିଁ ଏଇ ଅନ୍ଧ ଓ ହାହାକାରମୟ ଭବିଷ୍ୟତର ‘ଆଁ’ରୁ ବଞ୍ଚିବାର ଏକମାତ୍ର ପଥ, ସେଇ ମାତା ଓ ସେଇ ଅନାଗତ ଶିଶୁ ପକ୍ଷରେ ।’’

 

ଅନୁପମ ଟିକିଏ ଦମ୍‌ନେଇ ପୁଣି କହିଲା–‘‘ଆପଣ ହୁଏତ କହିପାରନ୍ତି ଅବୈଧ ପ୍ରଣୟକୁ ହିଁ ମୂଳପୋଛ କରିବା ଦରକାର; କିନ୍ତୁ ସମାଜ ପ୍ରତିଷ୍ଠିତ ହେଲା ଦିନରୁ ମଣିଷ ଗୁପ୍ତ ପ୍ରଣୟକୁ ଅବୈଧ ଆଖ୍ୟା ଦେଇ ବି ବନ୍ଦ୍‌ କରିପାରିନାହିଁ । ଏ ଯୁଗରେ ତାହା କଳ୍ପନା ବି କରାଯାଇପାରେନାହିଁ । ଆର୍ଥିକ ଅବସ୍ଥା ପୁରୁଷ ଆଗରେ ଯେଉଁ ସମସ୍ୟା ଉନ୍ମୋଚିତ କରିଛି–ସେଇ ସମସ୍ୟାର ନାନା ଡରାଣ ପୁରୁଷମାନଙ୍କୁ କାବୁ କରିପକାଉଛି । ନିଜ ପେଟ ଯିଏ ପୋଷି ନ ପାରେ, ସେ ବାହା ହେବାର କଳ୍ପନା କରିବ କିପରି ? ଏଣୁ ଆପେ ଆପେ ଆସୁଚି ଗୁପ୍ତ କାରସାଦି ଓ ଶେଷରେ ଝିଅଟାର ହିଁ ଭାଗ୍ୟ ନଷ୍ଟହେଉଛି । ମହିଳାମାନେ ବି ସଚେତନ ହେଲେଣି; କିନ୍ତୁ କେତେକ ଦୁର୍ବଳ ମୁହୂର୍ତ୍ତରେ ସେମାନେ ବି ଶିଥିଳ ହୋଇ ଡାକିହାକି ଦୁର୍ଭାଗ୍ୟ ଓ ଦୁରବସ୍ଥାକୁ ବରଣ କରିଥାନ୍ତି । ସେକ୍‍ସଟାର ଉପଦ୍ରବରୁ ଏ ମଣିଷ ଯଦି ତ୍ରାହି ପାଏ, ତେବେ ଯାଇଁ ହୁଏତ ଅବୈଧ ପ୍ରଣୟକୁ ରୋକାଯାଇପାରେ ।’’

 

‘‘ମାନିଲି, ଏ ଯୁଗରେ ଜୀବନ ପରି ଗୁପ୍ତ-ପ୍ରଣୟ ମଧ୍ୟ ସତ୍ୟ; କିନ୍ତୁ ବୈଜ୍ଞାନିକ ଉପାୟରେ ଗର୍ଭସଞ୍ଚାର ତ ବନ୍ଦ୍‌ କରାଯାଇପାରେ–ଏହା ତ ଆପଣ ଅସ୍ୱୀକାର କରି ପାରିବେନାହଁ’’–ବିଜୟା ଦେବୀ କଥାଟାକୁ ଜୋର୍‌ଦେଇ କହିଲେ ।

 

‘‘ତାହା ସତ’’–ଅନୁପମ କହିଲା–‘‘କିନ୍ତୁ ତାହାକୁ ଗ୍ରହଣ କରିବା ଭଲ ଶିକ୍ଷା ବା କେଇଜଣଙ୍କର ଅଛି ? କେଇଜଣ ବା ଦାୟିତ୍ଵ ବୁଝନ୍ତି ? ଦାୟିତ୍ୱ ବୁଝୁଥିଲେ ଗୋଡ଼ ବା ବିପଥକୁ ଖସନ୍ତା କାହିଁକି ?

 

‘‘ଏଇ ଯେ ଲୋକଟି ମୁଁ ନଥିବା ବେଳେ ଆସି ଫେରିଯାଇଚି’’–ବିଜୟା ଦେବୀ କହିଲେ–‘‘ଏଥରକୁ ଲଗେଇ ସେ ପ୍ରାୟ ପାଞ୍ଚଥର ମୋ’ ଘରକୁ ଆସିଲାଣି । ଲୋକଟାର ଝିଅ ଅଭିଆଡ଼ୀ,–କିନ୍ତୁ ତିନି ଚାରିମାସ ହେବ ଗର୍ଭବତୀ ହେଲାଣି । ମାଡ଼ଗାଳି ସିନା ସେ ଘର ଭିତରେ ଦେବ–କିନ୍ତୁ ଲୋକଟାର ଉପାୟ କଣ ? କେହି କଣ ନିଜ ଝିଅଟାର ଭବିଷ୍ୟତଟାକୁ ଜାଳିପୋଡ଼ିଦେବାକୁ ଚାହେଁ ! ଝିଅଟାର ବୟସ ପୁଣି ବେଶିନୁହେଁ–ମାତ୍ର ଅଠର । ଲୋକଟା ଖୁବ୍‌ ଦରିଦ୍ର । ମୋତେ ଡାକିବାକୁ ଆସି ମୋରି ଗୋଡ଼ପାଖରେ ବସି କାନ୍ଦି କାନ୍ଦି ଯାଇଚି । କଣ କରିବି ଏ କ୍ଷେତ୍ରରେ ! ହୁଏତ ସବୁ ହେବ; କିନ୍ତୁ ସେଇ ଅଳ୍ପବୟସ୍କା ଯୁବତୀଟିର ଶରୀରର ଯେଉଁ କ୍ଷତି ସାଧିତ ହେବ, ତାକୁ ପୂରଣ କରିବା ଲାଗି ସେମାନଙ୍କର ସେପରି ପୁଷ୍ଟିକର ଖାଦ୍ୟ କିମ୍ବା ଭିଟାମିନ୍‌ କିଣିବାକୁ ସମ୍ବଳ ନାହିଁ । ସେ ଯାହାହେଉ, ଦିନେ ମୋତେ ଯିବାକୁ ହିଁ ପଡ଼ିବ । ବୁଝିଲେ ମି: ଦାସ, ଏଇପରି ପ୍ରାୟ ଶତାଧିକ କେସ୍‌ବି ହାତକୁ ନେଲିଣି । ପ୍ରତିଥର ଭାବେ, ଯିବିନାହିଁ; କିନ୍ତୁ ଯିବାକୁ ହିଁ ପଡ଼େ ଶେଷରେ । ଲୋକଟା କହୁଥିଲା–ତା’ ଝିଅର ଗର୍ଭ ପାଇଁ ଦାୟୀ ତାଙ୍କ ଗ୍ରାମର ଗୋଟାଏ ଯୁବକ ଯେ’ କାଳେ ବାହା ହେବାକୁ କଥା ଦେଇଥିଲା ଏବଂ ଅସମୟରେ ଲୋକଟା ଉକ୍ତ ଯୁବକ ନିକଟରୁ ପ୍ରାୟ ଟଙ୍କା ଶହେ ଖଣ୍ଡେ ଧାର ଆଣିଥିଲା । ପିଲାଟା ଏବେ ବି କହୁଛି ବାହା ହେବ ବୋଲି–କିନ୍ତୁ ହେଉନାହିଁ ।’’

 

‘‘ଏଇପରି ପୁରୁଷପିଲାଙ୍କୁ ଗୁଳି କରି ମାରିଦେବା ଉଚିତ’’–ଅନୁପମ ଉତ୍ତେଜିତ ହୋଇ କହିଲା–‘‘ନିରୀହା ଝିଅଙ୍କର ଭବିଷ୍ୟତ ନଷ୍ଟ କରି ସେମାନେ ଯେଉଁ ପାପ କରିଥାନ୍ତି, କେବଳ ଅମାନୁଷିକ ମୃତ୍ୟୁରେ ହିଁ ସେଭଳି କୃତକର୍ମର ସମାଧି ହୋଇପାରିବ ।’’ ‘‘କିନ୍ତୁ ତାହା ତ ଝିଅଟାର ଭାଗ୍ୟ ବଦଳାଇ ପାରିବନାହିଁ’’–ବିଜୟା ଦେବୀ କହିଲେ–‘‘ତାକୁ ସେଇମିତି ଘୂରିବାକୁ ପଡ଼ିବ ରାସ୍ତାରେ ଘୃଣ୍ୟ ଭାବରେ, କିମ୍ବା ହୁଏତ ପେଟ ପାଇଁ ଶେଷରେ ବେଶ୍ୟା ହିଁ ହେବାକୁ ପଡ଼ିବ । ମୁଁ ତେଣୁ ସେଇ ଦୁର୍ବଳା ହତଭାଗିନୀଙ୍କର କଥା ଭାବୁଛି ।’’

 

ବିଜୟା ଦେବୀ କାନ୍ଥ ଉପରେ ପୋକ ଖାଉଥିବା ଝିଟିପିଟିଟାକୁ ଚାହିଁଲେ ।

 

ଅନୁପମ କହିଲା–‘‘ଛାଡ଼ନ୍ତୁ, ଏଇ କଥା ସବୁ ବେଶି ଭାବିଲେ ମୁଣ୍ଡ ଗୋଳମାଳ ହୋଇଯିବ । ଆଧୁନିକ ଶିକ୍ଷାର ପ୍ରସାର ଘଟିଲେ ହୁଏତ କିଛି ପରିମାଣରେ ଏହା କମିଯାଇ ପାରେ.... ।’’

 

‘‘ଆଶା କରିବାରେ କିଛି କ୍ଷତି ନାହିଁ’’ ବିଜୟା ଦେବୀ କାନ୍ଧ ଦୁଇଟାକୁ ସାମାନ୍ୟ ଉପରକୁ ନଚାଇ କହିଲେ ।

 

ତା’ପରେ ବିଜୟା ଦେବୀ ଘର ଭିତରେ ମଣ୍ଡଳାକାରରେ ପଦଚାରଣ କଲେ । ଘରର ଗୋଟାଏ କୋଣରେ ଠିଆହୋଇ ଗୋଟାଏ ଅଭିନବ ଭଙ୍ଗୀରେ ଚାହିଁଲେ ଅନୁପମକୁ । ଅନୁପମ ବିଜୟା ଦେବୀଙ୍କ ଆଖି ଦୁଇଟାକୁ ଥରେ ମାତ୍ର ଚାହିଁ ଦୃଷ୍ଟି ଫେରାଇ ଆଣିଲା । ଆଲୋଚନାର ବାୟୁମଣ୍ଡଳଟା ତଥାପି ଅନୁପମର ଅନ୍ତର ଭିତରେ ତାଜା ହୋଇ ବଞ୍ଚିଥିଲା; ଯଦିଓ ବିଜୟା ଦେବୀ ବାତାବରଣରେ ଏକ ଅଚାନକ ପରିବର୍ତ୍ତନ ଆଣିବାକୁ ଚେଷ୍ଟାକରି ହସୁଥିଲେ ।

 

‘‘ମି: ଦାସ’’–ବିଜୟା ଦେବୀ ଅନୁପମର ନିକଟକୁ ଆସି ସାମ୍ନାରେ ଠିଆହୋଇ କହିଲେ–‘‘ଆସନ୍ତୁ, ଆମ ଘରର ଅନ୍ୟାନ୍ୟ ବଖରାଗୁଡ଼ାକ ବୁଲି ଦେଖିଆସିବେ ।’’

 

ଅନୁପମ ଉଠିଲା । ଡ୍ରଇଂ ରୁମ୍‌ ପରେ ଗୋଟାଏ ଚଉଡ଼ା ବାରଣ୍ଡା । ବାରଣ୍ଡାର ଗୋଟାଏ କଡ଼ରେ ଉପରକୁ ଯିବାର ପାହାଚ ।

 

ବିଜୟା ଦେବୀ ପାହାଚ ଉଠୁ ଉଠୁ କହୁଥାନ୍ତି–‘‘ଆମେମାନେ କେହି ତଳେ ରହୁନା । ଡାକ୍ତର ଘର ତ ! ରୋଗୀଙ୍କର ଯିବା ଆସିବା ତ ଅନିବାର୍ଯ୍ୟ ! ଏଣୁ ଡ୍ରଇଂ ରୁମ୍‌ ଓ ମୋର ପ୍ରାଇଭେଟ୍‌ ଡାକ୍ତରଖାନା ଏବଂ ରୋଷେଇଘର ଇତ୍ୟାଦି ଛଡ଼ା ଆଉ ତଳେ କିଛି ନାହିଁ । ତା’ ଛଡ଼ା ଉପରେ ଟିକେ ଖୁବ୍‌ ମିଜାଜ୍‌ ଖୋଲା ଭାବରେ ବସିହୁଏ । ତଳକୁ ଆସିଲେ ମୁଣ୍ଡ ଉପରେ ଦାୟିତ୍ୱଗୁଡ଼ାକ ଲଦିହୋଇଗଲା ପରି ବୋଧହୁଏ । ସବୁତକ ଡାକ୍ତର ବହିପତ୍ର, ଔଷଧ,–ଏପରିକି ଡାକ୍ତରି ପୋଷାକ ପର୍ଯ୍ୟନ୍ତ ସବୁ କିଛି ତଳେ । ଉପରର କୌଣସି ଜିନଷ ଡାକ୍ତରଖାନା ଭିତରକୁ ଯାଏନାହିଁ; କିମ୍ବା ଡାକ୍ତରଖାନାର କୌଣସି ବସ୍ତୁ, ଏପରିକି କାଗଜ ମଧ୍ୟ ଉପରକୁ ଆସେ ନାହିଁ ଏବଂ ଏ ନିୟମକୁ ମୁଁ ଅତି ସାବଧାନ ଭାବରେ ମାନି ଚଳିଥାଏଁ । ନିପାତନ ନାହିଁ, କ୍ଷମା ମଧ୍ୟ ନାହିଁ-। କୌଣସି ପ୍ରକାର ଡାକ୍ତରୀ ଆଲୋଚନା ମଧ୍ୟ ଉପରେ ନିଷେଧ । ଆପଣଙ୍କୁ ସତର୍କ କରିଦେଉଚି–ତଳ ଘରର ଆଲୋଚନାର ପୁନରାବୃତ୍ତି ଯେମିତି ନ ହୁଏ ଉପରେ I’’

 

ଉପରମହଲାରେ ପ୍ରକୋଷ୍ଠ ସଂଖ୍ୟା ତିନ୍‌ । ସବୁଗୁଡ଼ିକର ଦ୍ୱାରରେ ଦାମି ଦାମି ପର୍ଦ୍ଦ । । ତଳେ ଟିକିଏ ବୋଲି ଧୂଳି ପଡ଼ିନାହିଁ । ଛାତ ଉପରର ଯେଉଁ ଅଂଶଟା ଖୋଲା ସେଠି ଦୁଇଚାରିଟି ସୁନ୍ଦର ସବୁଜ ଗଛର କୁଣ୍ଡ ରଖାଯାଇଛି । ସୁନ୍ଦର ଆଖିକୁ ଆରାମ ଦେବା ଭଳି ଆଲୁଅ ।

 

ବିଜୟା ଦେବୀ ପ୍ରଥମ ବଖରାର ପର୍ଦ୍ଦା ଆଡ଼େଇ ଧରି ଅନୁପମକୁ ଭିତରକୁ ଆସିବାକୁ ନିର୍ଦ୍ଦେଶ ଦେଲେ । ଅନୁପମ ଭିତରକୁ ଗଲା । ଘର ଭିତରେ ପଶୁ ପଶୁ ତାର ଦୃଷ୍ଟି ପଡ଼ିଲା କାନ୍ଥରେ ଝୁଲୁଥିବା ଗୋଟିଏ ଫଟୋ ଉପରେ । ଅନୁପମ ଆଗେଇ ଯାଇ ଫଟୋଟିକୁ ଚାହିଁଲା ମନୋନିବେଶପୂର୍ବକ । ଚମତ୍କାର ଉଠିଚି ଫଟୋଟା । ମିଲିଟାରି ପୋଷାକ, ସୁନ୍ଦର ନିଶ–ଆଖିଗୁଡ଼ାକ ତୀବ୍ର । ଲୋକଟି ଗୋଟାଏ ଧଳା ଘୋଡ଼ା ଉପରେ ବସି ଫଟୋ ଉଠେଇଚି । ଅନୁପମ ବ୍ୟକ୍ତିଟିର ପରିଚୟ ପଚାରିବା ପୂର୍ବରୁ ବିଜୟା ଦେବୀ କହିଲେ–‘‘ସେ ମୋ ସ୍ୱାମୀଙ୍କର ଫଟୋ–ପ୍ରାୟ ଆଠ ବର୍ଷ ତଳେ ଉଠିଥିଲା ।’’

 

‘‘ଆପଣଙ୍କର ସ୍ୱାମୀ କଣ ମିଲିଟାରିରେ....’’ ଅନୁପମ ପଚାରିଲା I

 

‘‘ହଁ–ହଁ, ସେ ଜଣେ ମିଲିଟାରି ଡାକ୍ତର’’–ବିଜୟା ଦେବୀ କହିଲେ–‘‘ମୋତେ ବାହା ହେବା ପରେ ସେ ମିଲିଟାରି ଛାଡ଼ିଦେଇ ପ୍ରାଇଭେଟ୍‌ ପ୍ରାକ୍‌ଟିସ୍‌ ଆରମ୍ଭ କରିଥିଲେ । ତଳେ ଯେଉଁ ଡାକ୍ତରଖାନା ଦେଖିଲେ ମୂଳତଃ ତାହା ସ୍ଵାମୀଙ୍କର । ଆମେ ଦୁହେଁ ବେଶ୍‌ ଖୁସିରେ ଥିଲୁ ।’’

 

‘ବର୍ତ୍ତମାନ.......’’ ଅନୁପମର ମନକୁ ପାପ ଛୁଇଁଲାରୁ ସେ ବିଜୟା ଦେବୀଙ୍କ ସୀମନ୍ତକୁ ଚାହିଁଲା–‘‘ଆପଣଙ୍କ ସ୍ଵାମୀ କଣ କେନ୍ଦ୍ରାପଡ଼ାରେ ନାହାନ୍ତି ?’’

 

‘‘ତାହା ମୋର ଦୁର୍ଭାଗ୍ୟ’–ବିଜୟା ଦେବୀ କହିଲେ–‘‘ଚୀନ ସହିତ ଭାରତର ଯୁଦ୍ଧ ଲାଗିବାରୁ ତାଙ୍କୁ ଡାକରା ଆସିଲା । ସେ ବାଧ୍ୟହୋଇ ପୁନର୍ବାର ମିଲିଟାରିରେ ଜଏନ୍‌ କଲେ । ବର୍ତ୍ତମାନ ସେ କାଶ୍ମୀରରେ ଅଛନ୍ତି ।’’

 

‘‘ଆପଣ କାଶ୍ମୀର ଯାଉନାହାନ୍ତି ?’’ –ଅନୁପମ ଏହା କହି ସାରି ମନସ୍ତାପ କଲା ।

 

‘‘ଯିବା ମନା । ତା’ ଛଡ଼ା ପୁଅକୁ ଛାଡ଼ି କୁଆଡ଼େ ଯିବି ? ତା’ର ଭବିଷ୍ୟତ ଗଠନ କରିବାର ଦାୟିତ୍ଵ ତ ପୁଣି ମୋର ?’’ –ବିଜୟା ଦେବୀ କହିଲେ–‘‘ପୁଅକୁ ଏବେ ପାଞ୍ଚ ପୂରି ଛ’ ଚାଲିଲା । ଏଇ ବର୍ଷ ନେଇ କଟକ କନ୍‌ଭେଣ୍ଟ୍‌ ସ୍କୁଲ୍‌ରେ ଛାଡ଼ିଦେଇ ଆସିଚି ।’’

 

ଅନୁପମ ବିଜୟା ଦେବୀଙ୍କର ତାଳୁରୁ ତଳିପା ଯାଏଁ ଚାହିଁଗଲା । ତା’ ସାଙ୍ଗେ ସାଙ୍ଗେ ଘରଟା ବି କେମିତି ତାକୁ ମାଡ଼ିପଡ଼ିଲା ପରି ଲଗିଲା ।

 

ବିଜୟା ଦେବୀ ଦୀର୍ଘଶ୍ୱାସ ପକାଇ କହିଲେ–‘‘ଏକାନ୍ତ ଏକାକୀ ମି: ଦାସ, ମୁଁ ଏକାନ୍ତ ଏକାକୀ । ସବୁ ଥାଇ ବି ମୋର କିଛି ନାହିଁ । ମୁଁ ମଧ୍ୟ ବର୍ତ୍ତମାନ ହଜାର ଅଭାଗିନୀଙ୍କ ପରି କାଳ କାଟୁଛି । ମୋର ଶ୍ରେଷ୍ଠ ସମ୍ବଳ କାର୍‌ ଖଣ୍ଡିକ । ସେଇଟିରେ ବସିଲେ ମୁଁ କିଛି ସମୟ ପାଇଁ ଅଭାବବୋଧରୁ ମୁକ୍ତି ପାଇଥାଏଁ । ଛାଡ଼ନ୍ତୁ....’’

 

ବିଜୟା ଦେବୀ ଓଠରେ ହସ ଫୁଟାଇଲେ । ‘‘ଆସନ୍ତୁ..... ଅନ୍ୟ ବଖରାଟା ଦେଖିବେ ।’’

 

ଅନୁପମ ଦ୍ୱିତୀୟ ବଖରାରେ ପହଞ୍ଚିବାକ୍ଷଣି ନିଜକୁ ସଙ୍କୁଚିତ ମନେକଲା । ବିଜୟା ଦେବୀଙ୍କ ପରି ଜଣେ ବର୍ଷୀୟସୀ ମହିଳା ସହିତ ସେଇ ବଖରାଟାକୁ ପଶିବାଟା କେମିତି କେମିତି ଲାଗିଲା ତାକୁ ।

 

‘‘ଆଜିକାଲି ପ୍ରାୟ ମୁଁ ଏଇ ରୁମ୍‌ରେ ହିଁ କାଳ କାଟେ ।’’

 

ରୁମ୍‌ଟି ବେଶ୍‌ ଆଧୁନିକ କାଇଦାରେ ସଜ୍ଜିତ । ନାନାଦି ଲୋଭନୀୟ ଚିତ୍ର ସବୁ କାନ୍ଥରେ ଝୁଲୁଚି । ତା’ ଭିତରୁ ବେଶି ମନୋମୁଗ୍‌ଧକର ସ୍ଵୟଂ ବିଜୟା ଦେବୀଙ୍କର ଫଟୋଟି । ଅର୍ଧ-ନଗ୍ନ ଚେହେରା । ଚିପା ପୋଷାକ । ବାଳଗୁଡ଼ାକ ମୁଣ୍ଡ ଉପରେ ମୁକୁଟ ପରି ବନ୍ଧା ହୋଇଚି । ଫକ୍‌ସଟ୍ରଟ୍‌ ନୃତ୍ୟର ନର୍ତ୍ତକୀ ପରି ଦିଶୁଛନ୍ତି ବିଜୟା ଦେବୀ । ବୟସ ଖୁବ୍‌ କମ୍‌ ପରି ଜଣାପଡ଼ୁଛି I

 

‘‘ଏଇ ଫଟୋଟି ପ୍ରାୟ ଆଜିକୁ ଦଶ ବର୍ଷ ତଳେ ଉଠାଯାଇଥିଲା କଟକରେ ।’’ ବିଜୟା ଦେବୀ କହିଲେ–‘‘କିନ୍ତୁ ମାତ୍ର ସାତ ଆଠଦିନ ହେବ ଏଠି ଟଙ୍ଗାହୋଇଛି । ମୋର ଜଣେ ବାନ୍ଧବୀ ମୋତେ ଜବରଦସ୍ତି ଏମିତି ବେଶ କରେଇଥିଲେ । ସେଇଥିପାଇଁ ପୁଅ ଆଗରେ ଏ ଫଟୋ ବାହାର କରୁନଥିଲି । ସେ ବର୍ତ୍ତମାନ ସ୍କୁଲରେ ବୋଲି ଫଟୋ ଝୁଲାଇଚି । ସେ ଛୁଟିରେ ଆସିଲେ ଏ ଫଟୋଟିକୁ ବାଧ୍ୟହୋଇ ଖୋଲି ବାକ୍‌ସରେ ରଖିଦେବାକୁ ହେବ; କିନ୍ତୁ ଏଇ ଫଟୋଟାକୁ ଦେଖିଲେ ମୁଁ ଜାଣିନାହିଁ କାହିଁକି ଭାରି ଆନନ୍ଦ ଲାଗେ । ଭାବେ, ସବୁଦିନେ ମୁଁ ଏମିତି ବେପରୁଆ ପୋଷାକ ପିନ୍ଧିପାରୁଥାଆନ୍ତି କି ?’’

 

ଅନୁପମ ଆଖି ବୁଲେଇଲା । ନାନାଦି ସୌଖୀନ ଆସବାବପତ୍ରରେ ଘରଟି ପୂର୍ଣ୍ଣ ହୋଇଚି । ବହି ଥାକଟିଏ ବି ଗୋଟିଏ କଣକୁ ରହିଚି । ଅନୁପମ ଧୀରେ ସେଇ ଆଡ଼କୁ ଗଲା ।

 

‘‘ମି: ଦାସ ! ଜାଣିରଖନ୍ତୁ–ସେ ଥାକରେ କିନ୍ତୁ ଖଣ୍ଡିଏ ବି ଡାକ୍ତରିବିଦ୍ୟାର ବହି ନାହିଁ; କେବଳ ଉପନ୍ୟାସ, କବିତା ଓ ଚିତ୍ର ବହି । ଏଣୁ ଆପଣ ହୁଏତ ନିରାଶ ହୋଇପାରନ୍ତି ।’’

 

‘‘ମାନେ’–ଅନୁପମ କହିଲା–‘‘ମୁଁ କଣ୍‌ ଏକାବେଳକେ ବେରସିକ ବୋଲି ଭାବିଲେ ?’’

 

‘‘ନା, ନା–ତାହା ମୁଁ ଭବିନାହିଁ’–ବିଜୟା ଦେବୀ କହିଲେ–‘‘ଆପଣଙ୍କର ବୟସର ବଦ୍‌ନାମ କରିବି କାହିଁକି ? ଆପଣଙ୍କ ବୟସରେ ଆମେ ସବୁ.......’’ ବିଜୟା ଦେବୀ ଅଟକିଗଲେ । ଅନୁପମ ଚାହିଁଲା ବିଜୟା ଦେବୀ ଆଖି ଦୁଇଟା ପଦାକୁ କାଢ଼ି ଗୋଟାଏ କେମିତିକା ଥଟ୍ଟାଳିଆ ଦୃଷ୍ଟିରେ ହସି ହସି ଚାହିଁଛନ୍ତି ।

 

ଅନୁପମ ବହିଥାକ ଭିତରୁ ବାଛି ଗୋଟିଏ ଚିତ୍ର ବହି କାଢ଼ିଲା । ବହିଟା ଖୋଲିଲାକ୍ଷଣି ସେ ଦେଖିଲା ଗୁଡ଼ାଏ ନଗ୍ନ ନାରୀ ଓ ପୁରୁଷଙ୍କର ସଙ୍ଗମ ଚିତ୍ର । ସେ ସାଙ୍ଗେ ସାଙ୍ଗେ ବହିଟାକୁ ବନ୍ଦ କରିଦେଲା, ଯେପରିକି ବହିଟାର କୌଣସି ଚିତ୍ର ଆଦୌ ଦେଖିନାହିଁ ତା’ପରେ ଆଉ ଅନୁପମର ସାହସ ହେଲାନାହିଁ ଅନ୍ୟ କୌଣସି ବହି ଖୋଲିବାକୁ । ସେ ପକେଟ୍‌ରେ ହାତ ଭର୍ଭିକରି ଠିଆହେଲା । ପୁଣି ଚାହିଁଲା ସେ କାନ୍ଥରେ ଝୁଲୁଥିବା ଅନ୍ୟ ଏକ ଚିତ୍ରକୁ । ତାହା ଏକ ତୈଳଚିତ୍ର । ଗୋଟିଏ ନାରୀକୁ ପୁରୁଷଟିଏ ଚୁମ୍ବନ କରୁଛି ନିବିଡ଼ଭାବରେ । ସେ ଆଖି ଫେରାଇଲା ।

 

ବିଜୟା ଦେବୀ କହିଲେ–‘‘ଆସନ୍ତୁ କଫି ଖାଇବା–ଫାଙ୍କାରେ ବସିବା–ଆକାଶ ଯେଉଁଠି ଦିଶୁଥିବ । ଜହ୍ନରାତି ପରା !’’

 

ତା’ପରେ ସେ କଲିଂବେଲ୍‌ ଚିପିଲେ । ତଳୁ କେହି ପାହାଚ ଚଢ଼ିବାର ଶବ୍ଦ ଶୁଣାଗଲା । ବଇଁଶି ଆସିଲା I ଆରାମଚୌକି ଦୁଇଟା ପଡ଼ିଲା । ଖୋଲା ଛାତଟା ଉପରେ । ଟି-ପୟ୍‌ ଆସିଲା । ଗୋଟାକ ପରେ ଗୋଟାଏ ପ୍ଲେଟ୍‌ ସଜଡ଼ାହେଲା ।

 

ଜଳଖିଆ ଖାଇସାରିବା ପରେ ବିଜୟା ଦେବୀ କହିଲେ–‘ମୁଁ କହିଥିଲିନା ଆପଣଙ୍କୁ ନିଜ ହାତରେ କଫି ଖୁଆଇବି ବୋଲି ?’’

 

ତା’ପରେ ସେ କଫି ପ୍ରସ୍ତୁତ କରିବା ଆରମ୍ଭକଲେ ।

 

ଅନୁପମ କହିଲା–‘‘ଦେଖନ୍ତୁ ଆଜ୍ଞା ! ମୁଁ ବେଶି କଡ଼ା କଫି ଖାଏନାହିଁ ।’’

 

‘‘ଆପଣ କଣ ଖାଆନ୍ତି ନଖାଆନ୍ତି ଅଲଗା କଥା । ମୋର ରୁଚି ଅନୁସାରେ ଆପଣଙ୍କୁ ଆଜି ଦିନଟି ଖାଇବାକୁ ପଡ଼ିବ । ନଇଲେ ମୋ ହାତତିଆରିର ସୌନ୍ଦର୍ଯ୍ୟ ଓ ମାଧୁର୍ଯ୍ୟ ରହିଲା କେଉଁଠି ?’’

 

ଅନୁପମ ଚୁପ୍‌ହୋଇ ବସିଲା ।

 

ନିର୍ମେଘ ଆକାଶରେ ଜହ୍ନ ଉଠିଥାଏ । ଚାରିଆଡ଼େ ବିଛେଇ ହୋଇ ପଡ଼ିଥାଏ ଜ୍ୟୋତ୍ସ୍ନାର ଆଭାସ, ଜ୍ୟୋତ୍ସ୍ନାସ୍ନାତ ଚାଳଘରଗୁଡ଼ାକର ପିଢ଼ା ସବୁ ଦିଶୁଥାଏ ରୂପେଲି ସ୍ୱପ୍ନର ପାହାଚ ପରି । ଦୂର ବଳଦେବ ମନ୍ଦିରରୁ ଭାସିଆସୁଥାଏ କୀର୍ତ୍ତନର ସ୍ୱର । ତା-ଧିନ୍‌ ତା-ଧିନ୍‌ ହୋଇ ବାଜୁଥାଏ ମୃଦଙ୍ଗ । ବଡ଼ଦାଣ୍ଡ ଦିଶୁଥାଏ । ବଡ଼ଦାଣ୍ଡ ଉପରେ ଧଳା ଲୁଗା ପିନ୍ଧି ବୁଲୁଥିବା ଗୋଟାଏ ଦିଇଟା ମଣିଷ ଦୂରରୁ ଧଳା ଗୋରୁ ପରି ଦିଶୁଥାନ୍ତି । ଲୁଚକାଳି ଖେଳୁଥିବା ବାଳକମାନେ କଅଁଳା ବାଛୁରୀ ପରି ଦଉଡ଼ୁଥାନ୍ତି ସେଇ କାର୍ତ୍ତିକମାସିଆ ଜ୍ୟୋତ୍ସ୍ନାରେ । ମଝିରେ ମଝିରେ କେହି କେହି ପିଲାମାନଙ୍କୁ ଉଦ୍ଦେଶ୍ୟ କରି ତାଗିଦ୍‌ କରିବାର ଶୁଣାଯାଉଥାଏ–‘‘ଇରେ କାକର ପଡ଼ିଲାଣିରେ–ଘରକୁ ଯା’–ଆଉ ଖେଳନା ।’’

 

କୁହୁଡ଼ିର ପଣତ ବିସ୍ତାରିତ ହୋଇ ନ ଥିବାରୁ ଚତୁର୍ଦ୍ଦଶୀର ରୂପବନ୍ତ ଜହ୍ନ ଥାଳିଏ ମଲ୍ଲିଫୁଲ ପରି ଚହଟୁଥାଏ ଆକାଶରେ । ଅନୁପମକୁ ହଠାତ୍‌ କାହିଁକି ଜହ୍ନଟା ଗୋଟାଏ ଭାସମାନ ଚାଇନା ପ୍ଲେଟ୍‌ପରି ଦିଶିଲା ।

 

ବିଜୟା ଦେବୀ କହିଲେ–‘‘ନିଅନ୍ତୁ, କଫିର ରଙ୍ଗଟା ଠିକ୍‌ ବାରିହେଉନାହିଁ–ଜହ୍ନ ଆଲୁଅରେ ଝଲସି ଉଠୁଚି କି ନା !’’ ଅନୁପମ କଫି କପ୍‌ ଉଠେଇ ଗୋଟାଏ ଚୁମୁକ୍‌ ଦେବା ପରେ ବିଜୟା ଦେବୀ ପୁଣି କହିଲେ–‘‘ଦେଖନ୍ତୁ, ଖରାପ ଲାଗିଲେ ବି ଆପଣଙ୍କୁ ଭଲ ବୋଲି କହିବାକୁ ପଡ଼ିବ ।’’

 

ଅନୁପମ ବାଧ୍ୟହୋଇ ହସିପକାଇଲା–‘‘ଆଶ୍ଚର୍ଯ୍ୟ ଶୃଙ୍ଖଳା ତ ଆପଣଙ୍କର !’’

 

‘‘ବୁଝୁନାହାନ୍ତି–ଆପଣ ଯଦି ଖୁବ୍‌ଖୋଲା ମେଳାପର ଲୋକ ହୋଇଥିବେ, ‘ଖରାପ’ ବୋଲି କହିଦେବେ ହୁଏତ । ‘ଖରାପ’ ଶବ୍ଦଟା ଶୁଣିଲେ ଏ ଜହ୍ନରାତିଟା ନଷ୍ଟ ହୋଇଯିବ ମୋର । ସେଥିପାଇଁ ଆଗରୁ ସତର୍କ କରିଦେଲି ।’’

 

‘‘ହଁ–’’ ଅନୁପମ କହିଲା–‘‘ଆପଣଙ୍କ ହାତତିଆରି କଫି ବୋଲି ଜହ୍ନ ବି ଦିଶୁଚି ଭିତରେ-। ଖରାପ ବୋଲି କହିବା ଆଗରୁ ମୋ ଜିଭ କାଟିହୋଇ ପଡ଼ିବନାହିଁ !’’

 

‘‘ଜହ୍ନରାତି ଆପଣଙ୍କୁ ବି ଖୁବ୍‌ ଭଲଲାଗେ, ନୁହେଁ ?’’ ବିଜୟା ଦେବୀ କହିଲେ–‘‘ଜାଣନ୍ତି, ଜହ୍ନ ରାତିରେ ମୁଁ ଆଦୌ ଘର ଭିତରେ ରହିବାକୁ ସୁଖ ପାଏନାହିଁ । ଖରାଦିନ କଥା ଛାଡ଼ନ୍ତୁ, ମାଘ ମାସରେ ବି ମୁଣ୍ଡରେ ପଶମ ଟୋପି ଦେଇ ଏଇଠି ବସିଥାଏ, ନଇଲେ ଗଡ଼ୁଥାଏଁ ଭୂଇଁରେ ।’’

 

କିଛି ସମୟ ନୀରବ ରହିଲେ ଦୁହେଁ । ଅନୁପମ ଟି-ପୟ୍‌ ଉପରେ କଫି କପ୍‌ଟାକୁ ରଖି ଚାହିଁଲା ବିଜୟା ଦେବୀଙ୍କୁ । ବିଜୟା ଦେବୀଙ୍କ ମୁହଁରେ ଛାଇ ପଡ଼ିଥାଏ । ମୁଣ୍ଡବାଳଗୁଡ଼ାକରେ ଜ୍ୟୋତ୍ସ୍ନା ପଡ଼ି ତୁଷାର ଶେଯପରି ଦିଶୁଥାଏ । ସମଗ୍ର ଭାବରେ ବିଜୟା ଦେବୀ ଦିଶୁଥାନ୍ତି ଚେନାଏ ଧଳା ମେଘପରି । ବଣପକ୍ଷୀ ପରି ଦିଶୁଥାଏ ତାଙ୍କର ପିଠି ଉପରର ଶାଢ଼ିଟା । ବୟସ ଆଦୌ ବାରିହେଉନଥାଏ ।

 

ବିଜୟା ଦେବୀ ନୀରବତା ଭାଙ୍ଗିଲେ–‘‘ମି: ଦାସ ! ଆପଣଙ୍କୁ କେଉଁ ଫୁଲ ସବୁଠୁଁ ବେଶି ଭଲ ଲାଗେ ?’’

 

‘‘ରଜନୀଗନ୍ଧା’’

 

‘‘ରଜନୀଗନ୍ଧା !!’’

 

‘‘ହଁ– ।’’

 

‘‘କିଭଳି ଅଦ୍ଭୁତ ସାମଞ୍ଜସ୍ୟ ଦେଖିଲେ ! ମୁଁ ବି ସେଇ ଫୁଲଟାକୁ ଭାରି ଭଲପାଏଁ । କିନ୍ତୁ ସବୁଠୁ ଦୁଃଖର ବିଷୟ ସେଇ ଫୁଲ ମୁଁ ମୋଟେ ପାଏନାହିଁ । ବହୁତ ଖୋଜି ଖୋଜି ପୁଆଟାଏ ଯୋଗାଡ଼ କରିଥିଲି । ପୂଝାରି-ଚାକରଙ୍କ ଅସାବଧାନତା ହେତୁ ସେଇଟାକୁ ବି ଏଇ ସାଇର ଗୋରୁ ଖାଇଦେଲେ । ମି: ଦାସ, ଆପଣ ମୋତେ ଗୋଟାଏ ରଜନୀଗନ୍ଧାର ପୁଆ ଦେବେ ? ମୁଁ ଖୁବ୍‌ ଋଣୀ ରହିବି ଆପଣଙ୍କ ନିକଟରେ ।’’–ବିଜୟା ଦେବୀ ଚଉକିରୁ ଉଠି ଅନୁପମର ଡାହାଣ ହାତର ପାପୁଲି ଉପରେ ହାତରେ ଚାପାଦେଇ କହିଲେ ଆଉରି ଅନୁନୟ କଣ୍ଠରେ–‘‘ଦେବେ ତ ! ଶପଥ କରନ୍ତୁ !’’

 

ଅନୁପମର ଦେହଟା ଚାଁ-କିନା ଶିହରି ଉଠିଲା । ସେଇ ଅଧା-ଦେଖା ଚିତ୍ର ବହିଟାର ପୃଷ୍ଠାଗୁଡ଼ାକ ଫଟା-ଫଟ୍‌ ତାହାର ଚକ୍ଷୁ ସାମ୍ନାରେ ଖୋଲିଗଲା । ଥେଇ ଥେଇ ହୋଇ ନାଚିଉଠିଲେ ନଗ୍ନ-ଚିତ୍ରଗୁଡ଼ାକ ସେଇ ଟି-ପୟ୍‌ ଉପରେ, ନାନା ଭଙ୍ଗୀ କରି । ଲଣ୍ଠନ କାଚ ଭଳି ଗରମ ଲାଗୁଥିଲା ବିଜୟା ଦେବୀଙ୍କର ମସୃଣ ପାପୁଲିଟା । ବେଳକୁ ବେଳ ସେଇ ପାପୁଲିର ଚାପା ଦୃଢ଼ହେବାକୁ ଲାଗିଲା–‘‘କଣ ଦେବେନାହିଁ ?’’

 

ଅନୁପମ ଥଙ୍ଗ ଥଙ୍ଗ ହୋଇ କହିଲା–‘‘ମୁଁ–ମୁଁ–ଖୁବ୍‌ ଦୁଃଖିତ ବିଜୟା ଦେବୀ ! ସେଇ ଫୁଲଟାକୁ ମୁଁ ଭଲପାଏ ବୋଲି ତାହା ହିଁ ମୋ ପକ୍ଷରେ ମଧ୍ୟ ଦୁଷ୍ପ୍ରାପ୍ୟ । ମୁଁ ଆପଣଙ୍କ ଅନୁରୋଧ ରଖିପାରୁନାହିଁ ।’’

 

‘‘ହେ ଭଗବାନ୍‌, ମୋ’ରି ଭଳି ଆପଣ ମଧ୍ୟ ହତଭାଗ୍ୟ ? ମୁଁ ଭାବିଥିଲି.......’’ ବିଜୟା ଦେବୀଙ୍କ ହାତର ଚାପା କିନ୍ତୁ କୋହଳ ହେଲାନାହିଁ ।

 

ଅନୁପମ ଆପଣାର ସମସ୍ତ ଶକ୍ତି ରୁଣ୍ଡକରି ଉତ୍ତରଦେଲା–‘‘ଏହାହିଁ ସୃଷ୍ଟିର ଚିରାଚରିତ ନିୟମ–ଯେ ଯାହା ଚାହେଁ ଠିକ୍‍ ସେଇଟା ସେ ପାଏନା ।’’

 

‘‘ଡ: ଦାସ’’–ଅନୁପମର ଗାଲରେ ଆଞ୍ଜୁଳାଏ ଗରମ ନିଃଶ୍ୱାସ ବାଜିଲା ଏବଂ ଗୋଟାଏ ହଳଦି ଗରଗର ଚମ୍ପାଫୁଲିଆ ନାଗ ପରି ଗୋଟାଏ ହାତ ବେଢ଼ିଗଲା ଅନୁପମର ବେକରେ । ବିଜୟା ଦେବୀ ଆପଣାର କମ୍ପିତ ଓଠ ଉପରକୁ ଅନୁପମର ମୁହଁଟା ଜଡ଼େଇ ନେଲେ । ଶାଣଦିଆ କତୁରି ପରି ତାଙ୍କର ବାଁ-ହାତର ନଖଗୁଡ଼ାକ ଅନୁପମର ବେକମୂଳରେ ଦବିଗଲା । ପଦ୍ମଦଳପରି ମୁଦ୍ରିତ ହୋଇଯାଇଥିଲା ତାଙ୍କର ଆକର୍ଣ୍ଣ ଲମ୍ବିତ ଚକ୍ଷୁ ଦୁଇଟା । ଅନୁପମର ଓସାରିଆ ନାକରେ ଘଷି ହେଉଥିଲା ତାଙ୍କର ନହୁରୁଣୀ ପରି ନାକଟା । ଅନୁପମର ସମଗ୍ର ଦେହକୁ ସେଇ ଚିତ୍ରବହିଟାର ଛବିଗୁଡ଼ାକ କଳପାଟିଆ କରି ବାନ୍ଧିସାରିଥିଲେ । ଛୁଞ୍ଚି ପରି ଫୋଡ଼ିହୋଇଯାଉଥିଲା ସେଇ ଚିତ୍ରଗୁଡ଼ାକର ସାପ ଦାନ୍ତ ସବୁ । ସେ ଦେଖିଲା–କ୍ଷଣକ ଆଗରୁ ତୁଷାରମୁକୁଟ ପରି ଦିଶୁଥିବା ବିଜୟା ଦେବୀଙ୍କ ମୁଣ୍ଡବାଳରେ ହଠାତ୍‌ ନିଆଁ ଲାଗିଯାଇଚି । ସେ ନିଆଁ ଚରିଯାଉଚି, ଘୋଟିଯାଉଚି ପ୍ରବଳ ବେଗରେ–ବିଜୟା ଦେବୀଙ୍କ ଲୁଗାପଟା ଉପରକୁ, ସମଗ୍ର ଅବୟବର ଶୁଖିଲା କଞ୍ଚା ବାଡ଼ବତା ଉପରକୁ ।

 

ହଠାତ୍‌ ଜହ୍ନଟା ଅନୁପମର ଆଖି ଆଗରେ ପ୍ରଖର ଗତିରେ ଘୂରିବାକୁ ଲାଗିଲା–ଚହଲା ପାଣିରେ ପ୍ରତିବିମ୍ବ ପରି ବିଶୃଙ୍ଖଳ ଭାବରେ । ତା’ ସହିତ ତାରାଗୁଡ଼ାକ ବି । ତା’ ସହିତ ଘର, ଗଛ, ଚାଳ, ସବୁ କିଛି । ଚିତ୍କାର ଶୁଭିଲା ଦୂରରୁ । ଭୟଙ୍କର ରଡ଼ି କରି ଗୋଟାଏ ଆଲୋକ-ନିର୍ମିତ ପକ୍ଷୀ ଉଡ଼ିଆସିଲା ସେଇ ଛାତ ଉପରକୁ । ପକ୍ଷୀଟାର ଥଣ୍ଟ ମେଲା ହୋଇଥାଏ । ତା’ର ଆଁ–ଭିତରୁ ଭଳ ଭଳ ହୋଇ ବାହାରୁଥାଏ ନିଆଁ । ପୁଣି ସେଇ ନିଆଁଗିଳା ପକ୍ଷୀଟା ତା’ର ବିରାଟ ପକ୍ଷକୁ ସାଁ-ସାଁ କରି ଦୋହଲାଇ ଚକ୍ରପରି ଘୂରିଲା ଅନୁପମର ମୁଣ୍ଡ ଚାରିପାଖରେ । ତା’ ସହିତ ଘୂରିବୁଲିଲା ଗୋଟାଏ ଉଜ୍ଜ୍ୱଳ ଅସ୍ତାୟମାନ ସୂର୍ଯ୍ୟ ସଦୃଶଃ ବିନ୍ଦୁଏ ସିନ୍ଦୂର ଓ ଶୁଣାଗଲା ଗୋଟାଏ ଖୁଁ-ଖୁଁ କାନ୍ଦଣା-। କାନ୍ଦଣାର ସ୍ୱର କ୍ରମଶଃ ବଢ଼ିଲା । ସିନ୍ଦୂର ବିନ୍ଦୁଟାର ବେଗ ବି କ୍ରମଶଃ ବଢ଼ିଲା । ତା’ ପରେ ସେଇ ନିଆଁଗିଳା ପକ୍ଷୀଟାର ପ୍ରସାରିତ ପକ୍ଷ ବାଡ଼େଇ ହୋଇଗଲା ଅନୁପମର ଗାଲ ଉପରେ-। ଠନ୍‌-ଠାନ୍‌ ଶବ୍ଦ ହେଲା । ଗୋଟାଏ ଯନ୍ତ୍ରଣାର ସ୍ଵର ଅନୁପମର ହୃଦୟ ବିଦୀର୍ଣ୍ଣକରି ଖେଳିଗଲା ଆକାଶରେ-

 

ବିଜୟା ଦେବୀ ଓଠ ଉଠାଇନେଲେ । ଅନୁପମର ବେକଟା ସ୍ପ୍ରିଂ-ପରି ପଛକୁ ଝୁଙ୍କି ଚଉକି ବାଡ଼ାରେ ପିଟିହୋଇଗଲା । ସେ ଆଖି ଖୋଲିପାରିଲାନାହିଁ । ବିଜୟା ଦେବୀ ଅନୁପମର ହାତ ପାପୁଲିରେ ଓଠ ଲଗେଇ କହିଲେ–‘ମୋର ଅନଧିକାର ଚର୍ଚ୍ଚାପାଇଁ କ୍ଷମାକରିବେ ଡ: ଦାସ । ମୁଁ ଆପଣଙ୍କୁ.......'

 

ଅନୁପମର ଆଖି ସେଇପରି ବନ୍ଦ ଥାଏ । ତା’ କାନରେ ସେଇ ରଡ଼ି ଓ କାନ୍ଦଣାର ଅବଶେଷ ତଥାପି ଧ୍ୱନିତ ହେଉଥାଏ ଦୂରରୁ ଆସୁଥିବା ଗୋଟାଏ ଘଣ୍ଟାଶବ୍ଦପରି ।

 

ତା’ପରେ ଅନୁପମର ଦୁଇ ହାତକୁ ଟେକି ଠିଆକରେଇଲେ ବିଜୟା ଦେବୀ, ଏବଂ ତାର କଟୀରେ ବାହୁ ବେଷ୍ଟନ କରି ଚାଲିଲେ । ଅନୁପମ ଏକ ଯନ୍ତ୍ରପରି ଚାଲୁଥାଏ । ଶେଷରେ ଏକ ଖଟର ବିଛଣାରେ ଅନୁପମକୁ ଶୋଇଦିଆଗଲା । ବିଜୟା ଦେବୀ ଟ୍ରଙ୍କ୍‌ କିମ୍ବା ସୁଟ୍‌କେଶ୍‌ ଖୋଲିଲେ-। ଶବ୍ଦ ଶୁଭିଲା I ହ୍ୱିସ୍କିର ଗନ୍ଧ ଖେଳିଗଲା ଘରସାରା ।

 

ଗୋଟାଏ ସୁନ୍ଦର ପାତ୍ରରେ ହ୍ୱିସ୍କି ଢାଳି ବିଜୟା ଦେବୀ ଅନୁପମର ଓଠ ପାଖରେ ଧରି କହିଲେ–‘‘ପିଅନ୍ତୁ ।’’ ଅନୁପମ ଆଖି ଖୋଲିଲା । କାଚ ପାତ୍ରଟାରେ ତରଳ ନିଆଁ ଭର୍ତ୍ତି ହୋଇଥାଏ-। ସେ ଆଖି ବୁଜି ନିଃଶେଷ କରିଦେଲା ଗୋଟାଏ ପେଗ୍‌ ।

 

ସେଇ ଘରଟାରେ ଜଳୁଥାଏ ସବୁଜ ଆଲୁଅ । ବିଜୟା ଦେବୀ ଅନୁପମର କଟି ବେଷ୍ଟନ କରି ନାଚିବାକୁ ଲାଗିଲେ ସେଇ ଘରର ଚଟାଣରେ ଘୂରି ଘୂରି । ଅନୁପମର ମୁଣ୍ଡଟା ବିଜୟା ଦେବୀଙ୍କ କାନ୍ଧ ଉପରେ ଲଇଁପଡ଼ିଥାଏ ।

 

ତା’ପରେ ଅନୁପମକୁ ଆଉ ଦୂରସ୍ଥ କାନ୍ଦଣାର ଧ୍ୱନି ଶୁଣାଗଲାନାହିଁ । ସେ ସିନ୍ଦୂର ବିନ୍ଦୁଟା ମଧ୍ୟ ଉଭାନ ହୋଇଗଲା । ସେ ଆଖି ଖୋଲି ଦେଖିଲା–କିଛିକ୍ଷଣ ପୂର୍ବରୁ ଉଡ଼ୁଥିବା ନିଆଁ-ଗିଳା ପକ୍ଷୀଟା ମୁର୍ଦ୍ଦାର ପରି ପଡ଼ିଚି ସେଇ ଚଟାଣ ଉପରେ । ତା’ର ଥଣ୍ଟଟା କଟିଯାଇଛି ଅଧାରୁ । ପରଗୁଡ଼ାକ ବି ଛିଡ଼ିଯାଇଛି । ଦିଶୁଛି ଅତ୍ୟନ୍ତ ବୀଭତ୍ସ ସେଇ ପକ୍ଷୀର ମୁର୍ଦ୍ଦାରଟା । ସେ ବିଜୟା ଦେବୀଙ୍କର ଦେହଟାକୁ ସେଇଆଡ଼କୁ ଟାଣି ନେଇ ନାଚୁଥିବା ଅବସ୍ଥାରେ ସେଇ ମୁର୍ଦ୍ଦାରଟାକୁ ଗୋଡ଼ରେ ଆହୁରି ଭଲକରି ଦଳିଦେଲା । ତା’ପରେ ଅନ୍ଧାର ଘରୁ କୌଣସି ଏକ ରୁମରୁମିଆ ଜୀବଟାଏ ବାହାରି ଆସି ଦାନ୍ତରେ କାମୁଡ଼ି ସେଇ ପକ୍ଷୀର ମୁର୍ଦ୍ଦାରଟାକୁ ଘୋଷାରି ଘୋଷାରି ନେଇଗଲା ତଳ ମହଲାକୁ । ପାହାଚରେ ସେଇ ମୁର୍ଦ୍ଦାରଟା ଗଡ଼ି ଗଡ଼ି ଯାଉଥିବାର ଶବ୍ଦ ମଧ୍ୟ ଅନୁପମର କାନରେ ଅନୁରଣିତ ହେଉଥାଏ ।

 

ସେଇ ପକ୍ଷୀର ମୁର୍ଦ୍ଦାରଟା ସେଠାରୁ ନିଷ୍କ୍ରାନ୍ତ ହେବା ପରେ ଅନୁପମ ଗୋଟାଏ ବଳବାନ୍‌ ପୁରୁଷ ପରି ନାଚିବାକୁ ଲାଗିଲା ଓ ବିଜୟା ଦେବୀଙ୍କର ରବର କଣ୍ଢେଇ ପରି ମୁହଁଟାକୁ ମନଇଚ୍ଛା ଚୁମ୍ବନ କଲା ।

 

ଜହ୍ନ ବୁଡ଼ିଗଲା । ତାରାଗୁଡ଼ିକ ବି ସବୁ ଲିଭିଗଲେ । ସୋର୍‌ଶବ୍ଦ ଶୁଣାଗଲା ନାହିଁ କୌଣସି ନାଚ କିମ୍ବା ହ୍ୱିସ୍କି ବୋତଲର ।

 

ଅନୁପମର ନିଦ ଭାଙ୍ଗିଲାବେଳକୁ ଡାମରାକାଉଗୁଡ଼ାକ ହସ୍‌ପିଟାଲ୍‌ ପଡ଼ିଆରେ ଜମାହୋଇ ରାଉ ରାଉ କରୁଥିଲେ । ମେହେନ୍ତର ପହଁରା ମୁଠାଏ ଧରି ରାମ୍ଫି ରାମ୍ଫି ଘାସପଡ଼ିଆଟାରୁ ଅଳିଆ ଉଠାଉଥିଲା । ତେଜୋହୀନ ଧୂଳିମାନେ ଉଡ଼ୁଥିଲେ ଓ ବେଶି ଉଚ୍ଚକୁ ନ ଉଠିପାରି ଅଳ୍ପ ଉଚ୍ଚରୁ ଖସିପଡ଼ୁଥିଲେ ପୁଣି ସେଇ ଘାସପଡ଼ିଆ ଉପରେ । ଖେଁ-ଖେଁ ହୋଇ ଖଙ୍କାର ସଫା କରୁଥିଲା ପୁରୁଖା କମ୍ପାଉଣ୍ଡର୍‌ ଷଡ଼ଙ୍ଗୀ ଆପଣାର କ୍ୱାର୍ଟର୍‌ ପିଣ୍ଡା ଦାଢ଼ରେ ବସି ଓ ଢାଳରୁ ଚଳା ଚଳା ପାଣି ନେଇ ଗଳଗଳ କରୁଥିଲା ତଣ୍ଟି ପାଖରେ । ଛେପ, ଖଙ୍କାର ସବୁ ଜମା କରୁଥିଲା ତଳେ ନିର୍ବିକାର ଭାବରେ–ଫୁଁ-ଫାଁ, ସୁଁ-ସାଁ କରି । ଗୋଟାଏ ଖଣ୍ଡିଆ ରୁଗ୍‌ଣ କୁଆକୁ ଖୁମ୍ପି ଖୁମ୍ପି ବିବ୍ରତ କରୁଥିଲେ ଅନ୍ୟମାନେ–ହସ୍‌ପିଟାଲ୍‌ର ନାଳୁଆ ପାଖରେ ପଞ୍ଝେ ଘାଉଡ଼ା କୁକୁର ବି କଳି ଆରମ୍ଭ କରିଦେଇଥିଲେ ପରସ୍ପର ଭିତରେ ।

 

ସକାଳ ଡ୍ୟୁଟିରେ ଯୋଗଦେଇଥିବା ନର୍ସ ରାଜେଶ୍ଵରୀ ଘୂରୁଥିଲା ରୋଗୀ ୱାର୍ଡର ବାରଣ୍ଡାରେ–ମୁଣ୍ଡ ଓ ଦେହ ତା’ର ଆବୃତ ଥିଲା ଧଳା ପୋଷାକରେ–ଦୂରରୁ ଦିଶୁଥିଲା ଗୋଟାଏ ପାଦ୍ରୀ ମହିଳାପରି । ମଝିରେ ମଝିରେ ତା’ର କଣ୍ଠସ୍ଵର ବି ପିଟି ହେଉଥିଲା ଅନୁପମ ଘର ଝରକାର ଲୁହାବାଡ଼ାରେ ।

 

ଅନୁପମ ଉଠି ବସିଲା । କାଲି ସଂଧ୍ୟାରେ ପରିହିତ ପ୍ୟାଣ୍ଟ୍‌କାମିଜ୍‌ ଦେହରେ ଜଡ଼ି ରହିଛି-। ଗୋଡ଼ରୁ ମୋଜା ବି ଖୋଲାଯାଇନାହିଁ । ସେ ମୁଣ୍ଡକୁ ଦୁଇ ଚାରିଥର ବାମକୁ ଡାହାଣକୁ ହଲାଇ ଆଶ୍ଚର୍ଯ୍ୟ ଦୃଷ୍ଟିରେ ଚାହିଁଲା କାନ୍ଥଗୁଡ଼ାକୁ–ଏ ବସାଟା ତା’ରି ତ ! ଏଠିକି ସେ କେମିତି ଆସିଲା-! କିଛି ତ ତାର ମନେପଡ଼ୁ ନାହିଁ ! ସେ ତା’ହେଲେ ଅଚେତନ ହୋଇପଡ଼ିଥିଲା ନାଚୁ ନାଚୁ-!

 

ସେଇ ନାଚ କଥା ତାର ମନେପଡ଼ିଲା । ସେ ନିଜେ ନାଚୁଥିଲା ତ ! କିନ୍ତୁ କେବେ ତ ସେ ତା’ ପୂର୍ବରୁ କେଉଁଠି ହେଲେ ନାଚି ନଥିଲା । କେବେ ତ ଶିଖି ନଥିଲା । କେହି ବି ତାକୁ ଶିଖେଇ ନଥିଲେ । ହଠାତ୍‌ ସେ ଗୋଟାଏ ଦକ୍ଷ ନଟ ଭଳି ନାଚିପାରିଲା କେମିତି ! ସେ ନିଜର ବାହୁଗୁଡ଼ାକୁ ଚାହିଁଲା; ବାଁ-କାନ୍ଧରେ ଆସ୍ତେ ହାତମାରି ଅନୁଭବ କଲା । ନିଜର କଟି ଦେଶରେ ନିଜର ହାତଟାକୁ ମଧ୍ୟ ବଢ଼ାଇବାକୁ ଉଦ୍ୟମ କଲା । କଟିରେ ହାତ ବାଜିବା କ୍ଷଣି କୁତୁକୁତୁ ଲାଗିଲା ତାକୁ । କାହିଁ, ସେମିତି ତ ଲାଗୁନାହିଁ ? ସତରେ ସେ କଣ ଯାଇଥିଲା ବିଜୟା ଦେବୀଙ୍କ ଘରକୁ–ତାଙ୍କରି କାର୍‌ରେ ! ସତରେ କଣ ସେ ତିରିଶି ପଇଁତିରିଶି ବର୍ଷର ମହିଳାଟା ଅନୁପମ ସହିତ ନୃତ୍ୟ କରୁଥିଲା ! ସ୍ୱପ୍ନଭଳି ଲାଗିଲା ଅନୁପମକୁ । ସେ ଖଟ ଉପରୁ ଓହ୍ଲେଇ ଆରସି ପାଖକୁ ଗଲା । ନିଜ ରୂପରେ ସେ ସହସା କିଛି ପରିବର୍ତ୍ତନ ଦେଖିବାକୁ ପାଇଲା । ସେଇ ନୂଆ ରୂପଟା ତାକୁ ଭଲ ଦିଶିଲା କିମ୍ବା ଅସୁନ୍ଦର ଦିଶିଲା, ଠିକ୍‌ କହିହେବନାହିଁ; କିନ୍ତୁ ତାର ଚିତ୍ତକୁ ଝିଙ୍କି ନେଇଥିଲା ନିଶ୍ଚୟ ।

 

ତା’ ଓଠରେ ରଙ୍ଗ ଲାଗିଛି । ଅନୁପମ ଆରସିର ଆହୁରି ନିକଟକୁ ଯାଇ ମୋଟା ଓଠଟାକୁ ପ୍ରସାରିତ କରି ବାଁ-ହାତ ବିଶି ଆଙ୍ଗୁଳିର ଟିପଟାକୁ ଘଷିଲା । ଟିପଟା ବି ରଙ୍ଗ ହୋଇଗଲା–ଈଷତ୍‌ ଲାଲରଙ୍ଗ । ସେ ରଙ୍ଗୀନ୍‌ ଟିପଟାକୁ ବହୁତ କ୍ଷଣ ଧରି ଚାହିଁରହିଲା । ଖୁବ୍‌ ଭାରି ଲାଗିଲା ସେଇ ଟିପଟା ତାକୁ । ଆସ୍ତେ ଆସ୍ତେ ସେଇ ଟିପଟା ଫୁଲିବାକୁ ଲାଗିଲା ଗୋଟାଏ ଫୋଟକା ପରି । କ୍ରମଶଃ ସେଇ ଫୋଟକାଟା ଗୋଟାଏ ଗରମ୍‌ ଗୁଲୁଗୁଲା ପରି ଦିଶିଲା । ଛୁଞ୍ଚିପରି ଫୋଡ଼ିହେଇଗଲା ତା’ ଭିତରେ କଣ ସବୁ । ଯନ୍ତ୍ରଣା ହେଲା । ତା’ପରେ ଏକ ବିଶେଷ ଅବସ୍ଥାରେ ଯନ୍ତ୍ରଣାଟା ଆଉ ସହିବାର ସୀମା ଭିତରେ ରହିଲା ନାହିଁ । ଅନୁପମ ଟିପଟାକୁ ଡାହାଣ ହାତରେ ଚିପିଧରି ହାଉଲୁ-ମାଉଲୁ ହୋଇ ଡେଇଁବାକୁ ଲାଗିଲା ଘର ଭିତରେ, ସର୍କସ୍‌ର ମାଙ୍କଡ଼ପରି । ସେ ଅନ୍ୟ ଉପାୟ ନଦେଖି କାମୁଡ଼ିପକାଇଲା ସେଇ ଟିପଟାକୁ ଆପଣା ଦାନ୍ତରେ ।

 

ଝରଝର ହୋଇ ରକ୍ତ ବୋହିଲା । ଅନୁପମର ସାରା ପାଟି ରକ୍ତରେ ଭରିଗଲା । ଲୁଣିଆ ଲୁଣିଆ ଲାଗିଲା ତାକୁ । ତାର ଚେତନା ଫେରିଆସିଲା । ବିନ୍ଧିଲା ଆଙ୍ଗୁଳିଟା । କ୍ଷତ ସ୍ଥାନରେ ପବନ ବାଜିବାରୁ ପୋଡ଼ିଲା । ଅନୁପମ ବୁଝିପାରିଲା ଯେ ଭଲ ଆଙ୍ଗୁଳିଟାକୁ ସେ ମିଛରେ କାମୁଡ଼ି ପକେଇଛି । ସେ ତା’ପରେ କେହି ନ ଜାଣିବା ପୂର୍ବରୁ ଆଙ୍ଗୁଳିରେ ନିଜ ହାତରେ ଗୋଟାଏ ପଟି ଭିଡ଼ିଦେଲା ।

 

ଆରସିକୁ ନ ଚାହିଁ ସେ ଓଠର ରଙ୍ଗଗୁଡ଼ାକୁ ରଗଡ଼େଇ ଗାମୁଛା କାନିରେ ପୋଛି ପକେଇଲା । ତା’ ସହିତ କଳ ଦେଇ ଓଠ ଉପରୁ ଚିବୁକ ତଳକୁ ବୋହିଆସିଥିବା ଦୁଇଧାର ତାଜା ରକ୍ତ ମଧ୍ୟ ଗାମୁଛା କାନିରେ ଲାଗିଗଲା । ନିଜ ରକ୍ତର ରଙ୍ଗ ଦେଖି ସେ ଚମକିପଡ଼ିଲା । ଚଟାଣ ଉପରକୁ ଚାହିଁଲା–ସେଠି ବି ପାଞ୍ଚ ଛବୁନ୍ଦା ଉଜ୍ଜ୍ୱଳ ଗାଢ଼ ଲାଲରକ୍ତ ବିକ୍ଷିପ୍ତ ଭାବରେ ପଡ଼ିଛି । ସେଇ ରକ୍ତ ବିନ୍ଦୁଗୁଡ଼ାକ ତାକୁ ଭାରି ଚମତ୍କାର ଦିଶିଲା । ଭାରି ଲୋଭହେଲା ତାର । ଭାରି ଚକ୍‌ଚକ୍‌ ଦିଶୁଥାଏ । ପ୍ରତି ବିନ୍ଦୁରେ ସୂର୍ଯ୍ୟ ଆଲୋକ ଝଲସୁଥାଏ । ଅନୁପମର ମୁହଁର ଆକୃତି ବିମ୍ବିତ ହୋଇଯାଇଥାଏ–ତାଜା ଓ ତଟକା ଭାବରେ । ଅନୁପମ ଲୋଭ ସମ୍ଭାଳି ନପାରି ଆଣ୍ଠେଇପଡ଼ିଲା ସେଇଠି । ଜିଭ ଲମ୍ବେଇ କୁକୁର ପରି ଚାଟି ପକେଇଲା ସେଇ ରକ୍ତବିନ୍ଦୁଗୁଡ଼ାକୁ । ଗୋଟାଏ ଅଦ୍ଭୁତ ସ୍ୱାଦ ଅନୁଭବ କଲା ସେ । ଏପରି ସ୍ଵାଦ ସେ କେବେ ଅନ୍ୟ କୌଣସି ବସ୍ତୁରୁ ପାଇନଥିଲା ।

 

ସେ ଉଠି ଉଲ୍ଲାସରେ ଠିଆହେଲା ଆରସି ସାମ୍ନାରେ । ତା’ ମୁହଁ ଓ ଗାଲରେ ଗୋଟାଏ ଅପୂର୍ବ ପ୍ରଶାନ୍ତିର ତେଜ ଲାଗି ରହିଥାଏ । ୱାକ୍‌ସ ମଜା ସିମେଣ୍ଟ୍‌ ଚଟାଣ ସମାନ ଜକଜକ କରୁଥାଏ ଚେହେରାଟା । ଅଯତ୍ନ ବାଳଗୁଡ଼ାକୁ ସେ ପାନିଆରେ ଆଚ୍ଛାକରି କୁଣ୍ଡେଇଦେଲା । ଜିଭଟାକୁ ପଦାକୁ କାଢ଼ି ରଙ୍ଗଟାକୁ ମନଇଚ୍ଛା ଦେଖିଲା–କେଡ଼େ ସୁନ୍ଦର ଏଇ ଜିଭଟା !

 

ଅନୁପମର ଜିଭର ବିମ୍ବ ନିକଟରେ ଆଉ ଗୋଟାଏ ଜିଭ ଫୁଟି ଉଠିବାରୁ ସେ ଅତର୍କିତ ଭାବରେ ବୁଲିପଡ଼ିଲା । ତା ଘର ଭିତରକୁ ପଶିଆସିଚି କଳା କୁକୁରଟାଏ–ଲହ ଲହ କରୁଚି ଜିଭ; ଥରେ ଚାହୁଁଛି ଅନୁପମକୁ ଓ ଥରେ ଲକ୍ଷ୍ୟ କରୁଛି ସେଇ କିଛିକ୍ଷଣ ପୂର୍ବରୁ ରକ୍ତ ପଡ଼ିଥିବା ଜାଗାଟାକୁ; ଯାହା ଉପରେ ଠୋପାଏ ଦିଠୋପା ଅନୁପମ ଜିଭର ଲାଳ ତଥାପି ପଡ଼ିଥାଏ । କୁକୁରଟାର ଜିଭରୁ ମଧ୍ୟ ଲାଳ ଗଡ଼ି ଦୁଆରବନ୍ଧଟାର ଏକବର୍ଗ ଇଞ୍ଚ ପରିମିତ ସ୍ଥାନ ଓଦା ହୋଇସାରିଲାଣି । ପାଖରେ ପଡ଼ିଥିବା ଗୋଟାଏ ଛାଞ୍ଚୁଣି ଧରି ଅନୁପମ କୁକୁରକୁ ଗୋଡ଼େଇ ନେଲା, କ୍ଷିପ୍ର ବେଗରେ ତା’ ଉପରକୁ ଛାଟିଦେଲା । ଛାଞ୍ଚୁଣିଟା ନ ବାଜିଲେ ବି କୁକୁରଟା କ୍ୟାଉଁ କରି ପିଣ୍ଡାତଳେ ହାମୁଡ଼େଇ ପଡ଼ିଲା । ଅନୁପମ ଦଉଡ଼ିଯାଇ ତା’ର ବେକ ଓ ଅଣ୍ଟାକୁ ଧରି ଉଠେଇନେଲା ଶୂନ୍ୟକୁ ଓ ଛାଟିଦେଲା ଖୁବ୍‌ ଜୋର୍‌ରେ । କୁକୁରଟା ଦୂରରେ ପଡ଼ିଲା ଫ୍ଲାପ୍‌କରି । ଅନୁପମ ଆହୁରି ଦୌଡ଼ିଗଲା । ଏଥର କିନ୍ତୁ କୁକୁରଟା ତରବରରେ ଉଠି ଖଲେଇ ଖଲେଇ ଦଉଡ଼ିଗଲା ଦୂରକୁ । ଅନୁପମ ଦାନ୍ତ ରଗଡ଼ି ଓ ହାତକୁ ମୁଠା ମୁଠା କରି ଠିଆ ହୋଇ ପଡ଼ିଲା–‘‘ଶଳା, ମୋ’ ରକ୍ତ ପ୍ରତି ପୁଣି ତୋ’ର ଏଡ଼େ ଲୋଭ !!’’ ତାର ଇଚ୍ଛା ହେଉଥିଲା ଦଉଡ଼ି ଦଉଡ଼ି ଯାଇ ଆଉରିଥରେ କୁକୁରଟାକୁ ଧରନ୍ତା ଓ ବେକକୁ ମୋଡ଼ି ରକ୍ତ ନିକାଲି ପକାନ୍ତା ଏବଂ ଟୋପା ଟୋପା କରି ଖାଇବାକୁ ଦିଅନ୍ତା ଅନ୍ୟ କୁକୁରମାନଙ୍କୁ ।

 

ପ୍ରାୟ ପଚାଶଗଜର ପଡ଼ିଆ ଆରପଟରେ ଥିବା ରୋଗୀ-ୱାର୍ଡ଼ର ବାରଣ୍ଡାରେ ସେତେବେଳେ ନର୍ସ ରାଜେଶ୍ଵରୀ, ପିଅନ ଓ ଦୁଇଜଣଖଣ୍ଡେ ମୁହଁରେ ଅପର୍ଯ୍ୟାପ୍ତ ରୂଢ଼ ବଢ଼ିଥିବା ମଇଳା ଗେଞ୍ଜି ପିନ୍ଧା କଙ୍କାଳସାର ରୋଗୀ ଠିଆହୋଇ ସାରିଥିଲେ । ସମସ୍ତଙ୍କ ଦୃଷ୍ଟି ଥିଲା ଅନୁପମ ଉପରେ ନିବଦ୍ଧ । କମ୍ପାଉଣ୍ଡର୍‌ ଷଡ଼ଙ୍ଗୀ ବି ରାତିପିନ୍ଧା ଲୁଙ୍ଗିଟାକୁ ଭଲକରି ଖୋସଣି ମାରି ମାରି ପଡ଼ିଆ ଉପରକୁ ବାହାରିଆସି ମହାନୁଭବତା ପ୍ରକାଶ କରି କହିଲା–‘କଣ ଆଜ୍ଞା, ଦୁଧ ଖାଇଦେଲା କି ? କୁହନ୍ତୁନା, କୁହନ୍ତୁନା, ଯେଉଁ ଉତ୍ପାତ କଲେଣି ଏଗୁଡ଼ାକ ! କାଲି ଆମ ବସାରେ ସେଇ କାଳିଆ କୁକୁରଟା ଭାତ ହାଣ୍ଡିମାରା କରିଦେଇଥିଲା ।’’

 

ଷଡ଼ଙ୍ଗୀର ଆସିବା ଦେଖି ପିଅନ ଜଣେ ବି ଗଡ଼ିବାକୁ ଆରମ୍ଭ କଲା ହସ୍‌ପିଟାଲ୍‌ର ବାରଣ୍ଡା ଉପରୁ । ମେହେନ୍ତର ମଧ୍ୟ ଝାଡ଼ୁମୁଠାକ ଧରି ଆସି ସଶଙ୍କ ଓ ସପ୍ରଶ୍ନ ଦୃଷ୍ଟିରେ ଚାହିଁଲା ଅନୁପମକୁ–‘ଆଜ୍ଞା ?’ ସେଠାରୁ ପ୍ରାୟ ଡାହାଣପଟକୁ ତିରିଶି ଚାଳିଶି ଗଜ ଦୂରରେ ଥିବା ଡ: ମହାନ୍ତିଙ୍କ କ୍ୱାର୍ଟରର ଗୋଟିଏ ଝରକାର ପର୍ଦ୍ଦାର କିଛି ଅଂଶ ଖୋଲିଗଲା । ଡ: ମହାନ୍ତିଙ୍କ ପନ୍ଦରବର୍ଷର ସାନଝିଅ ଓ ବାରବର୍ଷର ପୁଅ କ୍ୱାର୍ଟରର ବାରଣ୍ଡାକୁ ଆସି ଅନୁପମକୁ ଲକ୍ଷ୍ୟ କଲେ । ଶେଷରେ ମନ୍ଥରଗତିରେ ରାଜେଶ୍ୱରୀ ମଧ୍ୟ ଡ୍ୟୁଟି ଛାଡ଼ି ପଡ଼ିଆ ଉପରକୁ ପାଦ ବଢ଼େଇଲା । ସକାଳ ପ୍ରହର ନ ହୋଇ ଯଦି ହସ୍‌ପିଟାଲ୍‌ର ପୂର୍ଣ୍ଣ କାର୍ଯ୍ୟକାଳ ହୋଇଥାଆନ୍ତା, କିମ୍ବା ଯଦି ଗୋଟାଏ ଗାଁର ସାଇ କିମ୍ବା ସହରର କୌଣସି ଦରିଦ୍ର ବସ୍ତି ହୋଇଥାଆନ୍ତା, ତେବେ ବୋଧହୁଏ ଅନୁପମକୁ ଘେରି ଶତାଧିକ ଲୋକ ଜମିଯାଇଥାନ୍ତେ । ଅନୁପମ ଲକ୍ଷ୍ୟ କଲା–ସମସ୍ତଙ୍କ ଆଖିରେ ସେଇ କୁକୁରଟା ଏକ ସାଧାରଣ ଶତ୍ରୁ ହୋଇ ଠିଆହେଇଚି । କେହି ନା କେହି ପଦେ ପଦେ ଆସି ଯୋଡ଼ି ଦେଉଛନ୍ତି–କୁକୁରଟାର ଅବିଗୁଣ ବର୍ଣ୍ଣନା କରି ।

 

ଅନୁପମ କାହାରି ପ୍ରଶ୍ନର ଜବାବ୍‌ ନ ଦେଇ ଘର ଭିତରକୁ ଫେରିଆସିଲା । ଆଉରି କିଛିକ୍ଷଣ ପର୍ଯ୍ୟନ୍ତ ରାଜେଶ୍ୱରୀ, ଷଡ଼ଙ୍ଗୀ ଓ ପିଅନମାନେ ସେଇ କୁକୁରଟାର ଚରିତ୍ର ଘେନି ଚର୍ଚ୍ଚା କରୁଥିଲେ । ସେମାନଙ୍କର ବ୍ୟୁହ ଭିତରୁ ଅନୁପମ ପଳାଇଆସିଥିବାରୁ ସେମାନଙ୍କ ଯୋଗାଯୋଗର ପରିମିତିଟା କେନ୍ଦ୍ରଚ୍ୟୁତ ହୋଇଥିଲା । ରାଜେଶ୍ଵରୀ ଯେଉଁ ନୂଆ ବୃତ୍ତଟି ପ୍ରସ୍ତୁତ କଲା; ତାହା କିଛି କ୍ଷଣ ପରେ ଭାଙ୍ଗିଗଲା–କାରଣ ଅନୁପମ ଝରକା ପାଖକୁ ଯାଇ ତୀବ୍ର ଦୃଷ୍ଟିରେ ଚାହିଁଲା ସେମାନଙ୍କୁ-। ବାଧ୍ୟହୋଇ ପିଅନ୍‌ ଓ ଷଡଙ୍ଗୀ ନିଜର ପନ୍ଥା ଧରିଲେ । ଏକାକିନୀ ରାଜେଶ୍ଵରୀ ନାକ ଅଗଟାକୁ ହାତରେ ଟାଣି ଟାଣି ଫେରିଗଲା ହସ୍‌ପିଟାଲ୍‌କୁ । କୁକୁର ଉପରେ ଯେଉଁ କ୍ରୋଧ ବହ୍ନି ଜଳିଉଠିଥିଲା, ଏଇ ବ୍ୟକ୍ତିମାନଙ୍କର ଅନଧିକାର ଚର୍ଚ୍ଚା । ଫଳରେ ତାହାର ଶିଖା ହଠାତ୍‌ ଖସିପଡ଼ିଲା । କୁକୁରକୁ ମାରିବାର କାରଣ ଅନୁପମ ପ୍ରକାଶ ନ କରିଥିବାରୁ ଷଡ଼ଙ୍ଗୀ ଓ ଅନ୍ୟମାନେ ତଥାପି ମଧ୍ୟ ଫୁଟ୍‌-ଫୁଟ୍‌ ହେଉଥିଲେ–ଅନୁପମର ଦୃଷ୍ଟିର ଅନ୍ତରାଳରେ ।

 

ପଛପଟର ଝରକାଦେଇ ନବୋଦିତ ସୂର୍ଯ୍ୟର କିରଣ ପଡ଼ିଥିଲା କାନ୍ଥ ଉପରେ । ରେଲିଂର ଛାଇଗୁଡ଼ାକ ଗାର ଗାର ହୋଇ ସ୍ପଷ୍ଟ ଦିଶୁଥିଲା । ଦୁଇ ଛାଇଗାରର ଭିତରେ ଆଉ ଗୋଟାଏ ସବୁ କଳାଗାର ପଡ଼ିଥିବାର ଅନୁପମ ଦେଖିପାରିଲା । ଗାରଟା ଜ୍ୟାମିତିକ ନିୟମରେ ସଳଖ ନ ହେଲେ ବି ସିଧା ବୋଲି କୁହାଯାଇପାରେ । ସେଇ କଳା ସରୁ ଗାରଟାକୁ ଅନୁପମ ଆହୁରି ନିବିଡ଼ ଭାବରେ ନିରୀକ୍ଷା କଲା । ତା’ପରେ ତାର ଦୃଷ୍ଟିଟା ସେଇ ଗାରେ ଗାରେ କାନ୍ଥ ଉପରୁ ତଳମୁହାଁ ହୋଇ ଗତି କରିବାକୁ ଲାଗିଲା । ସେଇ ଗାରଟା ଶେଷ ହୋଇଥିଲା ଗୋଟାଏ କଳା ଅସମବାହୁ ବିଶିଷ୍ଠ ବହୁଭୁଜୀ କଳା ବର୍ଣ୍ଣର ତିନିଆଙ୍ଗୁଳି ଚଉଡ଼ାର କ୍ଷେତ୍ରରେ । ଅନୁପମର ଦୃଷ୍ଟି ସେଇଠି ବନ୍ଦ ହେଲା । ତାର ଚକ୍ଷୁ ଫାଡ଼ି ହୋଇଗଲା । ସେ କଳାବର୍ଣ୍ଣର ରେଖାଟା ଗୋଟାଏ କଳା ପିମ୍ପୁଡ଼ିର ଧାର । ଅନୁପମର ରକ୍ତର ଗନ୍ଧ ପାଇ ସେମାନେ ଛୁଟିଛନ୍ତି; ଜିଭରୁ ଗଡ଼ିପଡ଼ିଥିବା ଲାଳକୁ ବେଶ୍‌ ଖାଇବାରେ ଲଗିଛନ୍ତି । ପିମ୍ପୁଡ଼ିଙ୍କର ଏପରି ଦୁରାଶା ଓ ଆସ୍ପର୍ଦ୍ଧା ଅନୁପମକୁ ପୁନର୍ବାର କ୍ରୁଦ୍ଧ କଲା । ସେ ଡେଇଁପଡ଼ି ଜୋତାରେ ଦଳିପକେଇଲା ସେ ବୁଭୁକ୍ଷୁ ଚଳନ୍ତା ବିନ୍ଦୁଗୁଡ଼ାକୁ ।

 

ଅନୁପମର ମନେପଡ଼ିଲା ଗୋଟାଏ କାଲେଣ୍ଡର୍‌ର ଚିତ୍ର–ଯେଉଁଟାକୁ ସେ କେବେ କୌଣସି ଚା’ଦୋକାନରେ ବହୁତ ଦିନ ତଳେ ଦେଖିଥିଲା । ସେଇ ଚିତ୍ରଟା ଥିଲା ହିନ୍ଦୁ ଦେବୀ ରକ୍ତବୀର୍ଯ୍ୟଦଳିନୀ କାଳୀଙ୍କର । କାଳୀ ଧରିଥିଲେ ଗୋଟାଏ ହାତରେ ରକ୍ତବୀର୍ଯ୍ୟର କଟାମୁଣ୍ଡ । ମୁଣ୍ଡରୁ ରକ୍ତ ପଡ଼ୁଥିଲା ଗୋଟାଏ ଶିଆଳର ପାଟିରେ । ଆହୁରି କେତେ ଜୀବଜନ୍ତୁ ମଧ୍ୟ ଆଁ କରି ଟାକି ରହିଥିଲେ ସେଇ ରକ୍ତପାଇଁ । ଯୋଗିନୀମାନେ ମଧ୍ୟ ଆଁ କରି ରକ୍ତବୀର୍ଯ୍ୟର ଅନ୍ୟାନ୍ୟ ଛିନ୍ନଶିରରୁ ରକ୍ତପାନ କରୁଥିଲେ । ରକ୍ତବୀର୍ଯ୍ୟ ଅସୁର ବଂଶର ଗୋଟିଏ ପୁରାତନ ମୁକୁଟ ଥିଲା । ସେଇ ଘଟଣା ସ୍ମରଣକରି ଆହୁରି ରାଗ ହେଲା ଅନୁପମର ପିମ୍ପୁଡ଼ି ଧାର ଉପରେ । ବିକ୍ଷିପ୍ତ ଭାବରେ ବାଉଳା ହୋଇ ହୋଇ ଏଣେତେଣେ ଘୂରୁଥିବା ବ୍ୟର୍ଥହୃଦୟ ପିମ୍ପୁଡ଼ିଗୁଡ଼ାକୁ ସେ ଗୋଟି ଗୋଟି କରି ମାରିବାକୁ ଲାଗିଲା । ରେଡ଼ିଓ ସମ୍ବାଦ ପରି କାନରେ ଧ୍ୱନିତ ହୋଇଉଠିଲା କାହା ଉତ୍ସାହବାଣୀ–‘‘ମାର୍‌....ମାର୍‌......ସେମାନଙ୍କୁ ନିର୍ମୂଳ କର୍‌ । ଆମରି ରକ୍ତ ପ୍ରତି ଭାରି ଲୋଭ ସେମାନଙ୍କର । ଅନୁପମ, ତୁଇ ବୁଝ, ମୁଁ ଆଦୌ ମରିନଥାନ୍ତି । ମୋରି ବିନ୍ଦୁଏ ରକ୍ତ ହଜାର ହଜାର ଅସୁର ସୃଷ୍ଟି କରିଥାନ୍ତା...ଠିକ୍‌ ମୋରି ଭଳି ବୀର୍ଯ୍ୟବାନ୍‌ ହଜାର ହଜାର । କେବଳ ଏଇମାନେ ନିଃଶେଷ କଲେ ଆମକୁ । ମାର୍‌.... ମାର୍‌ ଅନୁପମ ! ପ୍ରତିଶୋଧ ନେ.... ।’’ ଅନୁପମ ନଖରେ ରାମ୍ଫୁଡ଼ି ପକେଇଲା ପିମ୍ପୁଡ଼ିର ଶତଛିନ୍ନ ଧାରଟାକୁ । ଅନୁପମର ମନପଟରେ ଭସି ଉଠିଲା ସେଇ ରକ୍ତବୀର୍ଯ୍ୟର କରୁଣ ମୃତ୍ୟୁ । ଅସୁର ବଂଶର ଜଣେ ଦୁର୍ଦ୍ଦଣ୍ଡ ସେନାପତିର ପତନ । ଅସୁରକୁଳର ପରାଜୟ ଓ ଧ୍ୱଂସ ।

 

ସେଇ କାଳୀ । ସେଇ ମାୟାବିନୀ ନାରୀ । ସେଇ ଉଲଙ୍ଗ ଯୋଗିନୀ ଦଳ । ସେଇମାନେ ହଁ ତିଳ ତିଳ କରି ନଷ୍ଟ କରିଛନ୍ତି ଅସୁରର ଚତୁରଙ୍ଗ ବଳ । ସେଇ ଚଣ୍ଡୀ, ସେଇ ମାଙ୍କଡ଼, ସେଇ ଭାଲୁ, ଏପରିକି ସେଇ ଜଟାୟୁ ପକ୍ଷୀ–ସମସ୍ତେ ତାହାର ଶତ୍ରୁ–କେହ ମିତ୍ର ନୁହନ୍ତି । ଆର୍ଯ୍ୟର ମୋହନମନ୍ତ୍ର ସମସ୍ତଙ୍କୁ କାବୁକରି ପଟୁଆର ଚଳେଇଛି ଅସୁର ଵିପକ୍ଷରେ, ଯୁଗ ଯୁଗ ଧରି-। ଆଉ ସବୁରି ମୂଳରେ ସେଇ ନାରୀ ସେଇ ସୀତା, ସେଇ ଚଣ୍ଡୀ ଏବଂ ସେଇ ଲକ୍ଷ୍ମୀ-। ସେଇ କୁହୁକିନୀ ପାପିଷ୍ଠାମାନେ ହିଁ ଚୋଷିଛନ୍ତି ଅନୁପମର ପିତୃପୁରୁଷମାନଙ୍କୁ–କୁଟା ଲଗାଇ ଚରା-ଡାଆଣୀ ଆପଣା ସ୍ଵାମୀର ରକ୍ତ ଅର୍ଦ୍ଧରାତ୍ରିରେ ଶୋଷିଲା ଭଳି ।

 

ଦରକାର ପ୍ରତିଶୋଧ....ପ୍ରତିଶୋଧ । ଏ ପ୍ରତିଶୋଧ ପଛକେ ରୂପ ନେଉ ପୃଥବୀବ୍ୟାପୀ ମହାସମରର, ମହାବିପ୍ଳବର, ସୃଷ୍ଟି ପ୍ରଳୟର ।

 

ଅନୁପମ ଆଉରି କ୍ଷିପ୍ରବେଗରେ ମାରିବାକୁ ଲାଗିଲା ପିମ୍ପୁଡ଼ିଗୁଡ଼ାଙ୍କୁ । ଧୁମ୍‌ଧୁମ୍‌ କରି ତାର ହାତଟା ପ୍ରକାଣ୍ଡ, ଲୁହା ହାତୁଡ଼ି ସଦୃଶ ଉଠୁଥାଏ ପଡ଼ୁଥାଏ ବିନ୍ଦୁଏ ବିନ୍ଦୁଏ ଭୀତତ୍ରସ୍ତ କଳାଜୀବଙ୍କ ଉପରେ । ଧୀରେ ଧୀରେ ସେ କ୍ଳାନ୍ତ ହୋଇପଡ଼ିଲା । ତା’ର ଦେହରୁ ଗୋଟାଏ ଝାଳ ବୋହିଗଲା । ସେ ଭୂଇଁରେ ଶୋଇପଡ଼ିଲା ।

 

କିଛି କ୍ଷଣ ପରେ ତା’ର ମୁଣ୍ଡବାଳ କିଏ ସାଉଁଳେଇ ଦେଲା, ଝାଳଗୁଡ଼ାକୁ କିଏ ପୋଛିଦେଲା । ସେ ଆଖି ଖୋଲି ଦେଖିଲା, ତାରି ଆଖି ଆଗରେ ଗୋଟାଏ ମୁଣ୍ଡ ବସିଛି–ମୁଣ୍ଡଟା କେବଳ, ଦେହ ନାହିଁ । ବେକ ପାଖରୁ ଲମ୍ବାହାତ ଦୁଇଟା ବାହାରିଛି–ତହିଁରୁ ଗୋଟାଏ ପଡ଼ିଛି ଅନୁପମର ଅସଯତ୍ନ ବାଳ ଉପରେ । ସେଇ ମୁଣ୍ଡଟା ଡ: ମିଶ୍ରଙ୍କର । ଫ୍ରେଞ୍ଚ୍‌କଟ୍‌ ଦାଢ଼ି ଭିତରେ ଓଠ, ଓଠ କଡ଼ରେ ପାଇପ୍‌ । ଗୋଟାଏ ଖଣ୍ଡାଧାର ଭଳି ନାକ ଏବଂ ନାକ ଉପରକୁ ଦୁଇଟା ତେଜସ୍କର ଚକ୍ଷୁ । ମୁଣ୍ଡଟା ହସୁଥାଏ ।

 

ଅନୁପମ ଠିଆହେଲା । ହଠାତ୍‌ ସେଇ ମୁଣ୍ଡଟାରେ ଦେହ ଗୋଡ଼ ଇତ୍ୟାଦି ଯୋଡ଼ି ହୋଇଗଲା ଓ ଡ: ମିଶ୍ର ଠିଆହୋଇ ପୂର୍ବବତ୍‌ ପାଇପ୍‌ ଟାଣିବାକୁ ଲାଗିଲେ ।

 

ଅନୁପମ ହାତ ଯୋଡ଼ି ନମସ୍କାର କଲା–‘‘ସାର୍‌ !’’...

 

ସେ ଆଖି ବୁଜିଲା । ଦୁଇଧାର ଅଶ୍ରୁ ଗଡ଼ିଆସିଲା ତାହାର ଆଖିରୁ; ବିନ୍ଦୁ ବିନ୍ଦୁ ହୋଇ ଖସିପଡ଼ିଲା ଭୂଇଁରେ ।

 

ଅନୁପମ ଆଖି ଖୋଲି ଦେଖେ ତ ଶହ ଶହ ଡ: ମିଶ୍ର ତାରି ଘରେ କାନ୍ଥ, କଣ, ଚଉକି, ଟେବୁଲ ଓ ଖଟ ଉପରେ ବସିଛନ୍ତି, ଠିଆହୋଇଛନ୍ତି ଅଥବା ପଦଚାରଣା କରୁଛନ୍ତି ଅନୁପମର ଚାରିପାର୍ଶ୍ଵରେ । ଟୋବାକୋର ଧୂଆଁରେ ପୂର୍ଣ୍ଣ ହୋଇଯାଇଛି ସମଗ୍ର ଘରଟା । ତା’ପରେ ସେଇ ଡ: ମିଶ୍ରଙ୍କ ରୂପମାନେ ଆଣ୍ଠେଇପଡ଼ି ମୃତ ପିମ୍ପୁଡ଼ିଙ୍କ ମୁଣ୍ଡଗୁଡ଼ାକୁ ଗୋଟି ଗୋଟି କରି ସାଉଁଟିଲେ । ଗୋଟିଏ ଲେଖାଁ ମୁଣ୍ଡରୁ ଯୋଡ଼ିଏ ଲେଖାଁ ଆଖି ବାହାରକରି ଡ: ମିଶ୍ରମାନେ ସଜାଇଦେଲେ ଅନୁପମ ଘରର କାନ୍ଥସାରା । ସେ ଆଖିଗୁଡ଼ାକ ମଣିବିନ୍ଦୁ ଭଳି ଝଟକୁଥିଲା ।

 

ଅନୁପମ ଆପଣା ଛାତିର ମାଂସପେଶୀଗୁଡ଼ାକୁ ଦୁହିଁପକେଇ କହିଉଠିଲା କରୁଣ ସ୍ୱରରେ–‘ସାର୍‌.... !!’’ ତା’ର ଆଖି ଆପଣା ଛାଏଁ ବୁଜିହୋଇଗଲା–‘ସାର୍‌ ! ମୋତେ କ୍ଷମା କରନ୍ତୁ-!’’

 

ଡ: ମିଶ୍ରଙ୍କର ସ୍ଵର ଶୁଣାଗଲାନାହିଁ । ଅନୁପମ କାନକୁ ସ୍ତବ୍‌ଧ କରି କାନ୍ଦିଉଠିଲା–ଗୋଟାଏ ପ୍ରକାଣ୍ଡ ଶବ୍ଦ । ବହୁକଣ୍ଠର ସମ୍ମିଳିତ ସ୍ୱର–‘‘କ୍ଷମା ନାହିଁ । କ୍ଷମା ନାହିଁ ।’’ ମୃତ ପିମ୍ପୁଡ଼ିଙ୍କର ଆତ୍ମା ସବୁ ପିମ୍ପୁଡ଼ିମୁଖା ମଣିଷଭଳି ପାଟି କରୁଥିଲେ । ହାତରେ ଧନୁଶର ଧରିଥିଲେ । ତା’ପରେ ସେଇ ପିମ୍ପୁଡ଼ିମୁଖା ମଣିଷମାନେ ଲକ୍ଷ ଲକ୍ଷ ଶର ନିକ୍ଷେପ କଲେ ଅନୁପମ ଉପରକୁ । ଶରଜାଲରେ ଛାଇଗଲା ସମଗ୍ର ଘରଟା ।

 

ଅନୁପମ ସେଇମିତି ଆଖି ବୁଜିଥାଏ । ପୁଣି ସେ ଆକୁଳରେ ଡାକିଲା–‘ସାର ! କ୍ଷମା କରନ୍ତୁ ସାର୍‌ ! ସେମାନଙ୍କୁ ଶାନ୍ତ କରନ୍ତୁ ।’’

 

ଡ: ମିଶ୍ରଙ୍କର ତଥାପି କୌଣସି ସ୍ୱର ଅନୁପମର କାନରେ ନ ବାଜିବାରୁ ସେ ଆଖି ଖୋଲିଲା । ଡ: ମିଶ୍ରମାନେ ସେଠାରୁ ଅଦୃଶ୍ୟ ହୋଇଯାଇଥିଲେ । ଆଖିଗୁଡ଼ାକ ବି ସେଠି ଆଉ ଝୁଲୁ ନ ଥିଲା । ପିମ୍ପୁଡ଼ିମୁଖା ମଣିଷମାନଙ୍କର ଗର୍ଜନ ଵି ବନ୍ଦ ହୋଇଥିଲା ।

 

ଅନୁପମ ଆଖିରୁ ଅଶ୍ରୁ ବିନ୍ଦୁଗୁଡ଼ାକ ଚଟାଣରେ ଚକା ଚକା ହୋଇ ପଡ଼ିଥିଲା ମୃତ ପିମ୍ପୁଡ଼ିଙ୍କର ଛିନ୍ନ-ବିଚ୍ଛିନ୍ନ ଅଙ୍ଗ ଉପରେ । ସେଇ ଶବଗୁଡ଼ାକର କାନ୍ଦଣାରେ ଅଶ୍ରୁବିନ୍ଦୁଗୁଡ଼ାକ, ପବନରେ ଶାନ୍ତ ହ୍ରଦରେ ତରଙ୍ଗ ସୃଷ୍ଟି ହେବାପରି ଥରି ଉଠୁଥିଲା ।

 

ଏହା ହିଁ ଅନୁପମ ଓ ପିମ୍ପୁଡ଼ିଙ୍କ ଭିତରେ ଦୀର୍ଘ ସମୟ ଧରି ଚାଲିଥିବା ସଂଗ୍ରାମର ଧ୍ୱଂସାବଶେଷ । ପ୍ରତ୍ୟେକ ସମରଭୂମି ହୁଏ ଶେଷରେ ଶ୍ମଶାନ ।

 

ନାଁ, ମହାସମରକୁ ସେ ଡାକିହାକି ଆଣିବନାହିଁ । ତା’ରି ରକ୍ତ ପିଇ ଅନ୍ୟମାନେ ପୁଷ୍ଟ ହୁଅନ୍ତୁ ପଛକେ, ଏ ଘର ଘର ହୋଇ ରହୁ, ସଂଗ୍ରାମକ୍ଷେତ୍ର ନ ହେଉ, ଶ୍ମଶାନ ନ ହେଉ । ଯଦି ଅସୁରକୁଳ ତିଳ ତିଳ ହୋଇ ଧ୍ୱଂସହେବାର ଥାଏ–ହେଉ ! ହେଉ !

 

ଯେଉଁ ଗାମୁଛା କାନିରେ ଅନୁପମ ରକ୍ତ ପୋଛିଥିଲା, ସେଠି ସେତେବେଳକୁ ପୁଣି ଆଉ ଏକ ଦଳ ପିମ୍ପୁଡ଼ି ଜମା ହୋଇ ସାରିଥିଲେ । ଖାଆନ୍ତୁ ସେମାନେ, ଖାଆନ୍ତୁ ! ଅନୁପମ ସେମାନଙ୍କ ଆଡ଼େ ଚାହିଁଲାନାହିଁ । ପରପାଇଁ ରକ୍ତ ଉତ୍ସର୍ଗ କରିବାରେ ଯେଉଁ ଆନନ୍ଦ ମିଳିଥାଏ, ସେଇ ଆନନ୍ଦରେ ତା’ର ଅନ୍ତରାତ୍ମା ହଠାତ୍‌ ଭରିଉଠିଲା । ତା’ର ଇଚ୍ଛା ହେଲା, ସେ ପଡ଼ିଆରେ ମରିପଡ଼ନ୍ତା–ଆଉ ବହୁ ଦିନ ହେଲା ଖାଇନଥିବା କୁକୁର, ଶିଆଳ, ପକ୍ଷୀ ଆଦି ଜୀବଜନ୍ତୁମାନେ ତାକୁ ଖଣ୍ଡ ଖଣ୍ଡ କରି ଖାଇ ପେଟ ଭରି ଯାଆନ୍ତେ । ସେଥିରେ ହୁଏତ ତାର ଏଇ କୃତକର୍ମର ପ୍ରାୟଶ୍ଚିତ୍ତ ହୁଅନ୍ତା, ପିମ୍ପୁଡ଼ି ହତ୍ୟାର ଦୋଷରୁ ସେ ମୁକ୍ତିଲାଭ କରନ୍ତା ତା’ହେଲେ !

 

ତା'ର ପିତୃପୁରୁଷ ଲୋହାସୁର ନିଆଁ ଗିଳି ଲୁହା ଦେଇଯାଇଚି ପୃଥିବୀବାସୀଙ୍କୁ । ମଧୁକୈଟଭର ମେଦରେ କୋଟି କୋଟି ଜୀବଜନ୍ତୁଙ୍କ ଆଶ୍ରୟସ୍ଥଳୀ ଏଇ ପୃଥିବୀ ତିଆରି ହୋଇଛି । ସେଇମିତି ସିଏ ଯଦି ଗୋଟାଏ ଅଦ୍ଭୁତ ବରପାଇ ଜୀବଜନ୍ତୁଙ୍କର ଅନନ୍ତକାଳର ଖାଦ୍ୟ ହୋଇପାରନ୍ତା, ଅସରନ୍ତି ଖାଦ୍ୟର ଭଣ୍ଡାର ହୋଇପାରନ୍ତା, ତା’ହେଲେ ଅସୁର ବଂଶର ନାଁ ରହନ୍ତା ଯୁଗଯୁଗକୁ ।

 

ଅନୁପମ ନିଜର କ୍ଷତ ଆଙ୍ଗୁଳିର କନାପଟି ଖୋଲି ଟିପଟାକୁ ଚିପି ଦୁଇ ଚାରି ବୁନ୍ଦା ରକ୍ତ ପକେଇଦେଲା ଭୂଇଁରେ । ଆସ ପିମ୍ପୁଡ଼ିମାନେ–ଖାଅ, ଖାଇ ଶାନ୍ତ ହୁଅ !

 

ଖଣ୍ଡିଏ ବିସ୍କୁଟ୍‌ ଉପରେ ଦୁଇ ତିନିଠୋପା ରକ୍ତ ଢାଳି ସେ ରଖିଦେଲା ଟେବୁଲ୍‌ ଉପରେ-। ତା’ପରେ ଆଙ୍ଗୁଳିରେ କନାପଟି ପୁଣି ଗୁଡ଼େଇଦେଲା । ତା’ପରେ ରକ୍ତ ଲିପା ବିସ୍କୁଟ୍‌ ଖଣ୍ଡିକ ହାତରେ ଧରି ଦୁଆରମୁହଁକୁ ଗଲା । ଚାହିଁଲା, ସେଇ କାଳିଆ କୁକୁରଟା ଅଛି କି ନାହିଁ-

 

କଳା କୁକୁରଟା ବହୁତ ଦୂରରେ ଶୋଇଥାଏ । ଟିକେ ଆଗରୁ ମାଡ଼ ଖାଇବି ପାସୋରି ସାରିଲାଣି ବୋଧେ ! ଅନୁପମ ଚୁ ଚୁ କଲା । ବିସ୍କୁଟ୍‌ଟା, ହଲେଇଲା । କୁକୁରଟା ସବୁ ମାନ ଅଭିମାନ ଭୁଲି ଧାଇଁଆସିଲା ଓ ଅନୁପମ ହାତର ବିସ୍କୁଟ୍‌କୁ ପ୍ରଲୁବ୍‌ଧ ଦୃଷ୍ଟିରେ ଚାହିଁ ଲାଙ୍ଗୁଳ ହଲେଇଲା । ଅନୁପମ ବିସ୍କୁଟ୍‌ ଖଣ୍ଡିକ ପକେଇଦେଲା ତାର ମୁହଁକୁ ଲକ୍ଷ୍ୟ କରି । ବିସ୍କୁଟ୍‌ଟାକୁ ମୁହଁରେ ଧରି କୁକୁରଟା ପଳେଇଗଲା ଆନନ୍ଦରେ ।

 

କୁକୁରର ଆନନ୍ଦ ଉପଲବ୍‌ଧି କରି ଅନୁପମର ପୀଡ଼ିତ ହୃଦୟ ମହୋଲ୍ଲାସରେ ନାଚି ଉଠିଲା । ତାର ଇଚ୍ଛା ହେଉଥିଲା, ସେଇ କୁକୁରଟାକୁ କୋଳରେ ଜାକି ଘନ ଘନ ଚୁମ୍ବନ କରନ୍ତା । ମାଡ଼ଖାଇ ବଥା ହୋଇଥିବା ଜାଗାକୁ ସାଉଁଳେଇ ଦିଅନ୍ତା ହାତରେ । ଟିକେ ରକ୍ତ ପାଇଁ ଆସିଥିଲା ବୋଲି କି ଭଳି ନିର୍ଦ୍ଦୟ ହୋଇ ଜୀବଟାକୁ ମାରି ନଥିଲା ସେ !

 

ଘର ଭିତରକୁ ଫେରି ଦେଖେ ତ ରକ୍ତ ବୁନ୍ଦାଗୁଡ଼ାକୁ ଅଗଣିତ ପିମ୍ପୁଡ଼ି ଘେରି ଯାଇଛନ୍ତି, କଣ୍ଟ୍ରୋଲ ଚାଉଳ ଦୋକାନ ପିଣ୍ଡାରେ ଧାଡ଼ିଦେଇଥିବା ମଣିଷଙ୍କ ଭଳି । ଅନ୍ନଛତ୍ର କେନ୍ଦ୍ରକୁ ଦୁର୍ଭିକ୍ଷ ପୀଡ଼ିତ ବୁଭୁକ୍ଷୁ ମଣିଷ ନାନାଆଡ଼ୁ ମୁହେଁଇଲା ଭଳି ଘରର ବିଭିନ୍ନ କୋଣରୁ ପିମ୍ପୁଡ଼ିର ଧାରମାନ ଲାଗିଯାଇଚି ସେଇ ଜାଗାକୁ ।

 

ଅନୁପମ ସାବଧାନ ସହକାରେ ଚାଲାବୁଲା କଲା ଘର ଭିତରେ । ତାର ମନେହେଲା ଯେମିତି ସେଇ ପିମ୍ପୁଡ଼ିମାନେ ଆନନ୍ଦରେ ଗୀତ ଗାଉଛନ୍ତି, ଯେଉଁ ଗୀତରେ ଅସୁରକୁଳ ଓ ଅନୁପମର ପ୍ରଶଂସାତ୍ମକ ବର୍ଣ୍ଣନା କରାଯାଇଛି ।

 

ଅନୁପମ ପ୍ରାୟ ଦଶଟା ବେଳେ ହସ୍‌ପିଟାଲ୍‌ ଡ୍ୟୁଟିକୁ ଗଲା । ଡ: ମହାନ୍ତି ଆସି ସାରିଥାନ୍ତି । ବିଜୟା ଦେବୀଙ୍କ କାର୍‌ ପହଞ୍ଚି ନ ଥାଏ । ଡ: ମହାନ୍ତି ଅନୁପମର ଆଙ୍ଗୁଳିର କନାପଟିକୁ ଲକ୍ଷ୍ୟକରି କହିଲେ–‘କଣ ହେଲା ?’

 

‘‘ନାଇଁ ସାର–, କିଛି ନୁହେଁ । ବ୍ଲେଡ୍‌ରେ କଟିଯାଇଛି ଅଳ୍ପ ଟିକେ’’ । ଅନୁପମ କଥାର ସମାପ୍ତି ଆଣିବା ଲାଗି ଅନ୍ୟ ଏକ ଭିନ୍ନ ଧାରାର ପ୍ରଶ୍ନ ଖୋଜିଲା; କିନ୍ତୁ, ଡ: ମହାନ୍ତି ପୁଣି ପଚାରିଲେ–‘‘କୁକୁର କଣ ଖାଇଦେଇଥିଲା କି ?’’

 

‘‘ନାଇଁ ସାର୍, ଖାଇ ନ ଥିଲା, ଖାଇ ଦେଇ ଥାଆନ୍ତା ।’’

 

‘‘ଓ–, କିନ୍ତୁ ଘଟଣାଟାର ରୂପରେଖାରୁ ଜଣାଯାଉଥିଲା, ଯେମିତି କି ସେ ବଡ଼ ଧରଣର କିଛି ଗୋଟାଏ କ୍ଷତି କରିଥିଲା ତୁମର । ରକ୍ଷାହେଇଚି, ନଇଲେ ବିଚରା କୁକୁରଟାର ପଞ୍ଚତ୍ୱପ୍ରାପ୍ତି ହୋଇଥାନ୍ତା ।’’

 

ଡ: ମହାନ୍ତି ଏକ ବିଦ୍ରୂପାତ୍ମକ ଦୃଷ୍ଟିରେ ଚାହିଁଲେ ଅନୁପମକୁ–‘ହୁଏ, ଏମିତି ହୁଏ । ମଣିଷର କ୍ରୋଧ ମଣିଷ ହାତରେ ନ ଥାଏ ତ !’’

 

ରୋଗୀମାନେ ସେତେବେଳକୁ କ୍ୟୁ ଦେଇ ସାରିଥିଲେ । ଅନୁପମ ସେମାନଙ୍କ ଆଡ଼କୁ ବୁଲିପଡ଼ିଲା । ଜଣକ ପରେ ଜଣେ ଆପଣା ଆପଣାର ଅସୁସ୍ଥିର ବିବରଣୀ ଦେଇ ଚାଲିଲେ । ଅନୁପମ କାହାର ଜିଭ, କାହାର ଛାତି, ଆଖି, କାହାର ବା ପେଟ ଚିପି ଦେଖିଲା; କିନ୍ତୁ ରୋଗୀମାନଙ୍କର ଧାଡ଼ିଟି ପ୍ରାୟ ବେଳକୁବେଳ ବଢ଼ୁଥିଲା । ପ୍ରତି ମୁହୂର୍ତ୍ତରେ ନୂଆ ନୂଆ ଲୋକ ଆସି ଧାଡ଼ିର ପଛରେ ଠିଆ ହେଉଥିଲେ । ଡ: ମହାନ୍ତି ଅନୁପମର ବିଚାରକୁ ପରୀକ୍ଷା କରୁଥିଲେ, ମଝିରେ ମଝିରେ ସେ ଵି ଗୋଟାଏ ଲେଖାଁ ପ୍ରଶ୍ନ କରୁଥିଲେ ଏବଂ ନିର୍ଦ୍ଦେଶ ଦେଉଥିଲେ ଔଷଧର ।

 

ବିଜୟାଦେବୀ ଆସି ନ ଥିଲେ । ମହିଳା ରୋଗିଣୀମାନେ ଗୋଟାଏ ଲେଖାଁ ଶୂନ୍ୟ ବୋତଲ ଧରି ବସିଥିଲେ ବିଜୟାଦେବୀଙ୍କ ଚାମ୍ୱର୍‌ ଆଗର ବାରଣ୍ଡାରେ । ବିରକ୍ତି ଓ କ୍ଳାନ୍ତିର ଗାର ପଡ଼ିଯାଇଥିଲା ସମସ୍ତଙ୍କ ମୁହଁରେ । ତାଙ୍କ ଭିତରୁ କେହି କେହି କାଶୁଥିଲେ ଖୁଁ ଖୁଁ ହୋଇ । କେହି ବା କୁନ୍ଥୋଉଥିଲା । ରୋଗୀମାନେ ଘୂରୁଥିଲେ ଅଦୃଶ୍ୟ ଵିଛା ପରି ସେଇ ବାରଣ୍ଡାର ଚଟାଣରେ ଓ ବାୟୁରେ ।

 

କାର୍‌ହର୍ଣ୍ଣ ଶୁଭିଲା । ସଙ୍ଗେ ସଙ୍ଗେ କଳାରଙ୍ଗର କାର୍‌ଟା ମୋଡ଼ିଆସିଲା ହସ୍‌ପିଟାଲ୍‌ର ଇଲାକା ଭିତରକୁ । କାରଟା ବନ୍ଦହେଲା ବିଜୟା ଦେବୀଙ୍କ ଚାମ୍ୱର୍‌ର କାନ୍ଥ କଡ଼ରେ, ଯେଉଁଠି ଛାଇ ପଡ଼ିଥିଲା । ବିଜୟା ଦେବୀ ବାହାରି ଆସିଲେ ଫଟ୍‌କରି ଦରଜା ବନ୍ଦକରି ।

 

ଡ: ମହାନ୍ତି ନୀରବରେ ହାତ ଘଡ଼ିକୁ ଚାହିଁଲେ । ଅନୁପମ ବି ଚୋରାଦୃଷ୍ଟିରେ ଦେଖିନେଲା ସମୟ । ସାଢ଼େ ଦଶ । ଅଧଘଣ୍ଟାଏ ବିଳମ୍ବ । ତା’ପରେ ସେ ଆଉ ଗୋଟାଏ ଦୃଷ୍ଟିରେ ବିଜୟା ଦେବୀଙ୍କୁ ଚାହିଁଲେ । ବିଜୟା ଦେବୀଙ୍କ ଜୋତାର ଠୁକୁଠୁକୁ ଶବ୍ଦ ଉଠି ଆସୁଥିଲା ପାହାଚ ଦେଇ ବାରଣ୍ଡା ଉପରକୁ ।

 

ବିଜୟା ଦେବୀଙ୍କୁ ଏଭଳି ପୋଷାକ ପିନ୍ଧା ହସ୍‌ପିଟାଲ୍‌ ଆସିବାର ଅନୁପମ କେବେ ଦେଖିନଥିଲା । ଗାଢ଼ ନୀଳରଙ୍ଗର ଗୋଟାଏ ନେଳିଆ ପ୍ୟାଣ୍ଟ-ପଶମ କନାର ନିଶ୍ଚୟ । ପ୍ୟାଣ୍ଟ୍‌ଟା ଚିପିହୋଇ ରହିଚି । ଗୋଡ଼ ଓ ନିତମ୍ବର ମାଂସପେଶୀଗୁଡ଼ିକ ହାବୁକା ପରି ଉଠିଚି । ଗୋଟାଏ ଲାଲ୍‌ରଙ୍ଗର ପୂରାହାତିଆ ସ୍ୱେଟର ଚାପି ଧରିଚି ତାଙ୍କର ଦେହକୁ । ବେକଟା ପାନପତ୍ର ଆକାରରେ ଖୋଲା, ଠିକ୍‌ ଦୁଇସ୍ତନର ବର୍ତ୍ତୁଳାଂଶର ମଝି ପର୍ଯ୍ୟନ୍ତ ଗୋଜିଆ ହୋଇ । ସ୍ୱେଟର ତଳେ ଗୋଟାଏ ମାଛକାତିଆ ଛିଟ କନାର କାମିଜ୍‌ । ତାହାର ରଙ୍ଗଟା ସବୁଜ, ଲାଲ୍‌ ଓ ବାଇଗଣି ମିଶାମିଶି–ଯଦିଓ ବାଇଗଣି ରଙ୍ଗଟା ଟିକେ ବେଶି ସ୍ପଷ୍ଟ ଦିଶୁଥାଏ । କାମିଜ୍‌ଟା ବେକ ନିକଟରେ ଚିପା ହୋଇଥାଏ । ପ୍ରଜାପତିର ଡେଣାପରି କଲାର୍‌ ଦୁଇଟା ଲଥ୍‌ଲଥ୍‌ ହୋଇ ଉଡ଼ୁଥାଏ । ମୁଣ୍ଡର ବାଳଗୁଡ଼ାକୁ ବେଣୀ କରାଯାଇ ମଥା ଉପରେ ମୁକୁଟ ଭଳି କରି ସଜାହୋଇଥାଏ ଗୋଲପ ଫୁଲପରି । ରିବନ୍‌ର ଛକିଟାଏ ଠିକ୍‌ ମଥା ଉପରେ ବାନ୍ଧିରଖିଥାଏ ବେଣୀଗୁଡ଼ାକୁ । କାନ ପାଖର ସାନ ସାନ ଅଳକାଗୁଡ଼ାକ ଉପରକୁ ଟେକା ଯାଇପାରିନଥାଏ । ବିଜୟା ଦେବୀ ସେଗୁଡ଼ାକୁ ତରବାରି ପରି ବଙ୍କେଇ ଗାଲ ଉପରେ ଚିଟେଇ ଦେଇଥାନ୍ତି, ମହମଲଗେଇ ଗାଁ-ଝିଅମାନେ ପାତିଆ ପକେଇ କୁଣ୍ଡେଇବା ପରି । ଗୋଲପ ଫୁଲର ପାଖୁଡ଼ା ପରି ଦିଶୁଥାଏ ମୁହଁର ରଙ୍ଗ । ଓଠରେ ରଙ୍ଗ, ଅର୍ଦ୍ଧସ୍ଫୁଟ ମନ୍ଦାର ଭଳି ଦିଶୁଥାଏ । ବିଜୟା ଦେବୀଙ୍କ ଚେହେରାଟା ଅନେକାଂଶରେ ତାଙ୍କର ସେଇ ଫଟୋ ପରି, ଯେଉଁଟାକୁ ଅନୁପମ ଗତ ରାତିରେ ବିଜୟା ଦେବୀଙ୍କ ସୌଖୀନ ବଖରାର କାନ୍ଥରେ ଝୁଲୁଥିବାର ଦେଖିଆସିଥିଲା । ବିଜୟା ଦେବୀ ଦିଶୁଥିଲେ ଗୋଟାଏ ଡେଣାହୀନ ପ୍ରଜାପତି ପରି–କୌଣସି ଜାପାନୀ ନୃତ୍ୟରେ ଅବତୀର୍ଣ୍ଣା ପ୍ରଧାନ ନଟୀପରି । ସେ ହାଇହିଲ୍‌ ଜୋତା ଠକ୍‌ଠକ୍‌ କରି ଓ ନିତମ୍ବଟାକୁ ଯଥାସମ୍ଭବ ଛନ୍ଦାୟିତ କରି ଚାଲିଆସୁଥିଲେ ।

 

ଡ: ମହାନ୍ତିଙ୍କ ମୁହଁଟା ବିଜୟା ଦେବୀଙ୍କ ପୋଷାକ ଦେଖି ସହସା ଭାରିହୋଇଗଲା । ସେ ବିଜୟା ଦେବୀଙ୍କୁ ଆଉ ନ ଚାହିଁ ଟେବୁଲ୍‌ ଉପରର ପେପର୍‌ୱେଟ୍‌ଟାକୁ ହାତରେ ସଜୋରେ ଚିପିବାକୁ ଲାଗିଲେ । ତାଙ୍କ ହାତର କଳା ଶିରାଗୁଡ଼ାକ ଟାଁ ଟାଁ କରି ଟାଣ ହୋଇଯାଉଥିଲା ।

 

ବାରଣ୍ଡାରେ ଅପେକ୍ଷା କରିଥିବା ମହିଳା ରୋଗୀମାନେ ଉଠିପଡ଼ିଲେ । କ୍ୟୁରେ ଠିଆହୋଇଥିବା ପୁରୁଷମାନେ ବି ଥରେ ଥରେ ପଛକୁ ବୁଲି ଚାହିଁଦେଲେ । ଅନୁପମର ରୋଗ-ଚିହ୍ନାଟା ବି କ୍ଷଣକ ଲାଗି ଗୋଳମାଳ ହୋଇଗଲା ।

 

ବିଜୟା ଦେବୀ ଆପଣ ଚାମ୍ୱର୍‌କୁ ନ ବାଙ୍କି ପଶିଆସିଲେ ସେଇ ବଖରାକୁ । ଡ: ମହାନ୍ତିଙ୍କୁ ଉଦ୍ଦେଶ୍ୟ କରି କହିଲେ ଇଂରେଜିରେ–‘ସାର୍‌ ! କ୍ଷମା କରିବେ । ଆଜି ମୋର ଆସିବା ବିଳମ୍ବ ହୋଇଚି ।’

 

ଡ: ମହାନ୍ତି ବିଜୟାଦେବୀଙ୍କୁ ଚାହିଁଲେ ତାଳୁରୁ ତଳିପା ପର୍ଯ୍ୟନ୍ତ । କିଛି କହିଲେ ନାହିଁ । ମୁଣ୍ଡ ବି ହଲେଇଲେ ନାହିଁ । ହସିଲେ ବି ନାହିଁ ।

 

ଅନ୍ୟମାନେ ଥରେ ଡ: ମହାନ୍ତିଙ୍କୁ ଓ ଥରେ ବିଜୟା ଦେବୀଙ୍କୁ ଅନାସକ୍ତ ଦୃଷ୍ଟିରେ ଚାହୁଁଥାନ୍ତି । ବିଜୟା ଦେବୀ ବଡ଼ ଅସୁବିଧାରେ ପଡ଼ିଲେ । ଗୋଟାଏ କାଳିବଇଁଶି ସାପ ଛୁଆପରି ବେକରେ ଷ୍ଟେଥିସକୋପ୍‌ଟା ଝୁଲୁଥାଏ । ଭାଙ୍ଗି ଯାଉଥିବା ଛନ୍ଦଟାକୁ ଆଉଥରେ ସଜାଡ଼ିନେବାକୁ ବିଜୟାଦେବୀ ଡ: ମହାନ୍ତିଙ୍କୁ ଚାହିଁ ହସିଦେଲେ । ତାଙ୍କ ଓଠ, କାନମୂଳ ଓ ଆଖିରୁ ମେଞ୍ଚା ମେଞ୍ଚା ପଦ୍ମଫୁଲିଆ ହସ ବାହାରିପଡ଼ିଲା । ଷ୍ଟେଥିସ୍‍କୋପ୍‌ର ଚକଚକିଆ ଅଗ୍ରାଶଂଟାକୁ ଓଠରେ ଲଗେଇ ଏକ ନବସପତ ବର୍ଷର କୁମାରୀ କନ୍ୟାପରି ଲାଜ ଲାଜ ହୋଇ ଖୁବ୍‌ ଶାନ୍ତ, ଖୁବ୍‌ ଶିଷ୍ଟ, ଖୁବ୍‌ ମଧୁର ସ୍ଵରରେ ପୁଣି ବିଜୟା ଦେବୀ ନିବେଦନ କଲେ–‘‘ଟିକେ ଅସୁବିଧାରେ ପଡ଼ିଥିଲି ।’’

 

ଡ: ମହାନ୍ତି ଏଥର ମୁଣ୍ଡ ହଲେଇଲେ–‘‘ଠିକ୍‌ଅଛି ।’’ ବିଜୟା ଦେବୀ ଅନୁପମକୁ ଚାହିଁ ଦେଇ ସଖୀନାଟର କାଠ କଣ୍ଢେଇପରି ଘୂରିଗଲେ ଏବଂ ମନ୍ଥର ଗତିରେ ଠକ୍‌ଠକ୍‌ କରି ବାହାରିଗଲେ ଆପଣାର ଚାମ୍ୱର୍‌କୁ । ବିଜୟା ଦେବୀ ଅତର୍କିତ ଭାବରେ ନଷ୍ଟ ହୋଇଥିବା ଛନ୍ଦଟାର ଆରୋହ ଅବରୋହକୁ ପୁନର୍ବାର ଫେରିପାଇଥିଲେ; କିନ୍ତୁ ହଜିଯାଇଥିଲା ଲାଳିତ୍ୟ । ଏ ରସଭଙ୍ଗ ନିଶ୍ଚୟ ବିଜୟା ଦେବୀଙ୍କୁ କିଛି ପରିମାଣରେ ବିରକ୍ତ ଓ ବ୍ୟଥିତ କରିଥିବା ସମ୍ଭବ ।

 

ବିଜୟା ଦେବୀଙ୍କ ଚାମ୍ୱର୍‌ରୁ ଗୋଟାଏ ଆୱାଜ୍‌ ଶୁଣାଗଲା । ବିଜୟା ଦେବୀ ପିଅନ୍‌ଟାକୁ ଟେବୁଲ୍‌ ଅପରିଷ୍କାର ଓ ଅଯତ୍ନ କରି ରଖିଚି ବୋଲି ଗାଳିଦେଉଥିଲେ ।

 

ଅନୁପମ ଚୋରେଇ ଚୋରେଇ କାନ ପାତିଲା । ବିଜୟା ଦେବୀ ରଣଚଣ୍ଡୀଙ୍କ ଭଳି ଭୂଇଁରେ ଜୋତା କଚାଡ଼ି କହୁଥାନ୍ତି–‘ଚାକିରି ପିତା ଲାଗିଲାଣିକିରେ ?’’

 

ଡ: ମହାନ୍ତି ରୋଗୀ ୱାର୍ଡ଼ ପରିଦର୍ଶନ ପାଇଁ ଉଠିଗଲେ । ଆପଣା କାମରେ ମନୋନିବେଶ କରିବାକୁ ଚେଷ୍ଟାକଲେ ।

 

ପ୍ରାୟ ସାଢ଼େ ବାରଟା ସମୟରେ ଅନୁପମ ମୁକ୍ତି ପାଇଲା କାମରୁ । ଡ: ମହାନ୍ତି ନିଜେ ଆସି ଅନୁପମର କାମଟା ହାତକୁ ନେଲେ । ରୋଗୀମାନଙ୍କ ସଂଖ୍ୟା ସେତେବେଳ ପର୍ଯ୍ୟନ୍ତ ଵି କମି ନ ଥାଏ ।

 

ଅନୁପମ ଉଠି ଠିଆହେଲା । ‘ଯାଅ, ଲଞ୍ଚ୍‌ ଖାଇନିଅ’ ଡ: ମହାନ୍ତି କହିଲେ । ଅନୁପମ ବସା ଅଭିମୁଖରେ ଚାଲିଲା । ବସା କହିଲେ ମାତ୍ର ଦୁଇବଖରା ଘର । ତାର ନିଜର ପୂଝାରି ନାହିଁ । ଡ: ମହାନ୍ତିଙ୍କ ଘରୁ ଖାଇବା ଆସେ । ପ୍ରାୟ ପ୍ରତିଦିନ ସାଢ଼େ ବାରଟାବେଳେ ସେ ଲଞ୍ଚ୍‌ ଖାଏ । ରାତି ସାଢ଼େ ଆଠଟାରେ ଡିନର୍‌ ।

 

ଅନୁପମ ବସାକୁ ଫେରିବା ଦେଖି ଡ: ମହାନ୍ତିଙ୍କ ପୂଝାରି ଖାଇବା ଜିନିଷ ଟିଫିନ୍‌ ବାକ୍‌ସରେ ଘେନିଆସିଲା । ଖାଇସାରିବା ପରେ ପୂଝାରି ଅଇଁଠା ବାସନ ନେଇ ଫେରିଗଲା ସେ ଖଟ ଉପରେ ଚିତ୍‌ହୋଇ ଆରାମ ନେବାକୁ ଚେଷ୍ଟାକଲା । ଆଖିଗୁଡ଼ାକ ବି କେମିତି ଭାରି ଭାରି ଲାଗୁଥାଏ ତାକୁ । ହାଇ ପରେ ହାଇ ବାହାରି ଆସୁଥାଏ ପେଟ ଭିତରୁ । ସତକୁସତ ଅନୁପମର ଆଖି ମୁଦି ହୋଇଗଲା ଓ ଗୋଟାଏ ଛାଇଛାଇଆ ନିଦ ପତଳା କଳାକନାର ଉତ୍ତରୀୟ ପରି ତାର ଦୃଷ୍ଟିଉପରେ ବିଛେଇ ହୋଇଗଲା ।

 

କେତେକ ମୁହୂର୍ତ୍ତ ପରେ ସେଇ କଳାବର୍ଣ୍ଣର ଉତ୍ତରୀୟଟା ଗୋଟାଏ ମାଛ ହୋଇଗଲା । ମାଛଟା ଖେଳୁଥିଲା ଅନ୍ଧକାର ଆକାଶରେ । ତାର ଗାଲି ଦୁଇଟା ଆହୁଲାପରି ପବନ କାଟି ଚାଲିଥିଲା ଓ ମଙ୍ଗପରି ଲାଞ୍ଜଟା ନିୟନ୍ତ୍ରିତ କରୁଥିଲା ଦିଗ । ବେଶ୍‌ ଲୋଭନୀୟ ଥିଲା ମାଛଟା । ତାର କାତିଗୁଡ଼ାକ ତାରିଭଳି ଜକ୍‌ଜକ୍‌ ଦିଶୁଥିଲା । ଆକାଶଟା ସାରା ଭର୍ତ୍ତି ହୋଇଥିଲା କଳାରଙ୍ଗର ନିରୁତା ପାଣିରେ । କିଛି ସମୟ ପହଁରିବା ପରେ ମାଛଟାର ମୁହଁ ଅନୁପମ ଆଡ଼କୁ ବୁଲିଗଲା । ହଠାତ୍‌ ତା’ର ମାଛ ମୁହଁଟା ଅଦୃଶ୍ୟ ହୋଇଗଲା ଓ ତା’ ସ୍ଥାନରେ ଯୋଡ଼ି ହୋଇଗଲା ଗୋଟାଏ ବାଘୁଣୀର ମୁଖା । ସେଇ ମାଛ-ବାଘୁଣୀଟା ଆକାଶ ତିଖରୁ ଗୋଟାଏ ତଳମୁହାଁ ଯୁଦ୍ଧ ଉଡ଼ାଜାହାଜ ସଦୃଶ ପ୍ରଖର ଗତିରେ ଧାଇଁ ଆସିଲା ଅନୁପମଆଡ଼କୁ । ଅନୁପମ ଭୟରେ ବ୍ୟତିବ୍ୟସ୍ତ ହୋଇପଡ଼ିଲା ସତ, କିନ୍ତୁ ଖଟଉପରୁ ଉଠି ଅନ୍ୟଠି ଆତ୍ମଗୋପନ କରିବାକୁ ଅସମର୍ଥ ଥିଲା । ଯେତେ ଚେଷ୍ଟା କଲେ ବି ସେ ଖଟ ଛାଡ଼ିପାରୁନଥିଲା, ଦୌଡ଼ି ପଳେଇବା କଥା ଦୂରେ ଥାଉ । ତା' ପରେ ସେଇ ମାଛ-ବାଘୁଣୀଟା ଅନୁପମର ଘର ଚଟାଣରେ କଳା ପୋଷାକରେ ଆବୃତ୍ତ ଗୋଟାଏ ଡକାୟତ ଭଳି କୁଦିପଡ଼ି ଠିଆ ହୋଇଗଲା ଏବଂ ଅନୁପମଆଡକୁ ଭୟଙ୍କର ଚକ୍ଷୁକରି ମାଡ଼ିଆସୁଥାଏ । ଅନୁପମ ଭୟରେ ଚାହିଁଥାଏ । ପୁଣି ସେଇ ମାଛ-ବାଘୁଣୀର ବାଘମୁଖା ବଦଳିଗଲା; ତା'ସ୍ଥାନରେ ଲାଗିଗଲା ଗୋଟାଏ ନୀଳବର୍ଣ୍ଣର ସାପର ଫଣା । ସାପ ଜିଭ ବୁଲାଉଥାଏ । ପୁଣି ସେଇ ମାଛ-ସାପର ମାଛଦେହଟା ଲୁଚିଗଲା ଓ ତା’ ଜାଗାରେ ଗୋଟାଏ କାଳିଆ କୁତିର ଦେହ ଯୋଡ଼ିହୋଇଗଲା । ସେଇ ସାପ-କୁତିଟା ଏଥର କୁଦି ପଡ଼ିଲା ଅନୁପମର ଦେହ ଉପରକୁ । ତା’ପରେ ସାପ-କୁତିଟା ତାର ସାପ-ମୁଖାଟା ଆଁକରି ଅନୁପମର ସେଇ କ୍ଷତ ଆଙ୍ଗୁଳିଟାକୁ ଚୋଚମିବାକୁ ଲାଗିଲା, ରକ୍ତ ଶୋଷିବାକୁ ଲାଗିଲା । ଅନୁପମକୁ ଏକ ଅସମ୍ଭବ ଧରଣର ଯନ୍ତ୍ରଣା ହେବାରୁ ସେ ହାତର ସେ ଆଙ୍ଗୁଳିଟାକୁ ଝିଙ୍କି ଆଣିବାକୁ ଚେଷ୍ଟାକଲା । ତା’ର ଚେଷ୍ଟା ନିଷ୍ଫଳ ହେଲା । କୁତି-ସାପଟି ତଳପାଟି ଓ ଉପର ପାଟି ବୁଜି ଦାନ୍ତରେ ଚିପି ଧରିଲା ଆଙ୍ଗୁଳିର ଟିପଟାକୁ । ଅନୁପମ ଯନ୍ତ୍ରଣା ସହି ନ ପାରି ଚିତ୍କାରକଲା ।

 

ଚିତ୍କାର ପବନରେ ସେ ଅନ୍ଧାର ଆକାଶ ଲୁଚିଗଲା । ସେ କଳା ଉତ୍ତରାୟ ଉଡ଼ିଗଲା ଅନୁପମର ଆଖି ଉପରୁ । ତାର ନିଦଟା ଭାଙ୍ଗିଗଲା ।

 

‘‘କେମିତି କଟିଲା ଆପଣଙ୍କର ଆଙ୍ଗୁଳିଟା ?’ ଅନୁପମ ପ୍ରଥମେ ସ୍ଵରଟାକୁ ବାରିପାରିଲାନାହିଁ । ତାର ନିଦୁଆସିଆ ଆଖି ଆଗରେ ତଥାପି ସେ କଳା କୁତି-ସାପଟା ବସିଥିଲା । ତା’ପରେ ତାକୁ ଝାପ୍‌ସା ଦିଶିଲା ଆଉ ଗୋଟାଏ ରୂପ । କୁତି-ସାପ ବଦଳରେ ତାରି ଖଟ ପାଖକୁ ଚେୟାରଟାଏ ଟାଣିଆଣି ବସିଛନ୍ତି ବିଜୟା ଦେବୀ, ଅନୁପମର କ୍ଷତ ଆଙ୍ଗୁଳିଟାକୁ ହାତରେ ଧରି ଚାହିଁଛନ୍ତି । ପଟିଟା ଖୋଲା ସରିଚି । ଅନୁପମ ଉଠିବାକୁ ଉଦ୍ୟମକଲା । ବିଜୟା ଦେବୀ ଅନୁପମକୁ ଉଠିବାକୁ ନଦେଇ ତାର କାନ୍ଧମୂଳି ଧରି ପୁଣି ଶୁଆଇଦେଲେ–‘‘ଆଃ ! ଶୁଅନ୍ତୁନା ! କେମିତି କଟିଲା ଅଙ୍ଗୁଳିଟା ? ବ୍ଲେଡ଼ରେ କଟିଲା ପରି ତ ଜଣାପଡ଼ୁ ନାହିଁ ।’’

 

‘‘ଆପଣ ?’’

 

‘‘ହଁ–ମୁଁ, କଣ ହେଲା ? ପ୍ରଥମେ ମୋ ପ୍ରଶ୍ନର ଉତ୍ତର ଦିଅନ୍ତୁ–କେମିତ କଟିଲା ? ପୁଣି ଆପଣ କିଛି ଔଷଧ, ଏପରିକି କିଛି ଆଣ୍ଟିସେପ୍ଟିକ୍‌ ନ ଲଗେଇ ଖାଲି ବାନ୍ଧି ଦେଇଛନ୍ତି । ଆପଣଙ୍କ ରୁମ୍‌ରେ ହୁଏତ କିଛି ନାହିଁ; କିନ୍ତୁ ହସ୍‌ପିଟାଲ୍‌ତ ଦୂର ନୁହେଁ । ନିଜର ଶରୀର ପ୍ରତି ଏତେ ଅସାବଧାନତା କାହିଁକି ? ମଣିଷର ସବୁଠୁ ବଡ଼ ଜିନିଷ ତା’ର ଦେହ । ପୃଥିବୀରେ ଏକମାତ୍ର ଆପଣାର ତ ନିଜର ଦେହ–ତାହାର ଯତ୍ନ ନେବେନାହିଁ ? ଆପଣ ପରା ଡାକ୍ତର ! ଦେହ ଅଛି ବୋଲି ସିନା ମଣିଷର ମନ ଅଛି, ଇଚ୍ଛା ଅଛି, କାମନା ଅଛି–ଦେହ ନଥିଲେ ସେ ସବୁ ଥାଆନ୍ତା ନା-! ଦେହ ବିନା ସେସବୁର ସ୍ଥିତି ଆସିବ କୁଆଡ଼ୁ ? ଆପଣଙ୍କର ଦେହ ଅଛି ବୋଲି ତ ଆପଣ ଏଇ ଖଟ ଉପରେ ଶୋଇଛନ୍ତି–ନଇଲେ ଶୋଇ ପାରନ୍ତେ କି ?’’ ବିଜୟା ଦେବୀ ଅନୁପମର ସେଇ କ୍ଷତ ଟିପଟାକୁ ଧୀରେ ଧୀରେ ସାଉଁଳେଇବାକୁ ଲାଗିଲେ ।

 

ଅନୁପମ କହିଲା–‘‘ଦେହ ଅଛି ବୋଲି ଏଇ କ୍ଷତ ହୋଇଛି ଓ ଯନ୍ତ୍ରଣା ହେଉଛି । ନଇଲେ କ୍ଷତ ବା ଯନ୍ତ୍ରଣା ହୋଇଥାନ୍ତି । କାହିଁକି ?’’

 

‘‘ତା’ ମାନେ... ?’’

 

‘‘ମାନେ’’–ଅନୁପମ କହିଲା–‘‘ଦେହଟା କେବଳ ମନ, ଇଚ୍ଛା ଓ କାମନାର ଉତ୍ସଭୂମି ନୁହେଁ, ଦେହଟା ବି ଯନ୍ତ୍ରଣାର ନର୍କ; ବ୍ୟଥାଭୂ ଓ ରୋଗଭୂ । ଦେହଟା ହିଁ ବୃନ୍ଦାବନ । ଦେହଟା ହିଁ କଂସପୁର । ଦେହଟା ହିଁ ସବୁ ।’’

 

‘‘କିଏ ମନାକରୁଛି’’ ବିଜୟା ଦେବୀ କହିଲେ–‘‘ତା' ବୋଲି ଆପଣ ତ ଜାଣି ଜାଣି ଦେହଟାକୁ କାଟିକୁଟି ଯନ୍ତ୍ରଣାକୁ ଡାକିହାକି ଆଣିବେ ନାହିଁ ? ଆମର ଲକ୍ଷ୍ୟ ଦେହଟାକୁ ଯେମିତି ହେଲେ ଗୋଟାଏ ମଜବୁତ୍‌, ସୁନ୍ଦର ଓ ଚଳମାନ୍‌ ମେସିନ୍‌ କରି ରଖିବାକୁ ପଡ଼ିବ । ମେସିନ୍‌ର ସ୍ଥାୟୀତ୍ୱ ନିର୍ଭରକରେ ଯତ୍ନ ଉପରେ । ଯତ୍ନ ଦେହର ସୌନ୍ଦର୍ଯ୍ୟ ବଢ଼ାଏ ।’’

 

ବିଜୟା ଦେବୀ ଟିକିଏ ଚୁପ୍‌ରହି ପୁଣି ଆରମ୍ଭକଲେ–‘ମନେକରନ୍ତୁ ମୋର ଏଇ କାର୍‌-ସବୁ ପାର୍ଟ ଠିକ୍‌ ଅଛି ବୋଲି ଆରାମରେ ଗଡ଼ୁଛି–କେଡ଼େ ମଜା ଲଗୁଛି ତା’ଉପରେ ବସି ଘୂରିବା ଲାଗି; କିନ୍ତୁ ଯଦି ତାର ରଙ୍ଗଟା ମଳିଚିଆ ହୋଇଯିବ–କିମ୍ବା ତା’ର ଗୋଟାଏ ପାର୍ଟ ଧେତେଡ଼ା ହୋଇ ଅଦ୍ଭୁତ ଶବ୍ଦ କରିବ, କିମ୍ବା ସାମ୍ନା କାର୍‌ଟା ଫାଟିଯିବ–ତେବେ ଆଉ ମଜା ଲାଗିବ କି ? ପୂର୍ବ ମଜା ଆଦୌ ମିଳିବ ନାହିଁ । ସେଥିପାଇଁ ମୁଁ ପ୍ରତିଦିନ ତିନିଚାରିଥର କାର୍‌ଉପରୁ ଧୂଳି ପୋଛେଇ ଚକ୍‌ଚକ୍‌ କରାଏ । ଧୂଳି ନିଶ୍ଚୟ ପଡ଼ିବ ଏବଂ ମୋତେ ନିଶ୍ଚୟ ପୋଛିବାକୁ ପଡ଼ିବ–ଉପାୟ ନାହିଁ । ଯଦି ଧୂଳି ପୋଛା ନହୁଏ ଗୋଟାଏ ସପ୍ତାହରେ କାର୍‌ଟାର ରଙ୍ଗ ପୂରା ବଦଳିଯିବ ନାହିଁ କି ? ଧୂଳିରେ ପୋତିହୋଇ ପଡ଼ିବ ନାହିଁ କି ? ଏବଂ ଏପରି ଦିନ ଆସିବ–ସେ ଦିନଟା ପଛେ ଅନନ୍ତକାଳ ପରେ ଆସୁ–କାର୍‌ ଭିତରେ କେବଳ ଧୂଳି ହିଁ ପୂରିଥିବ; ମଣିଷର ବସିବାକୁ ଜାଗା ନଥିବ–ଯେଉଁଟାକୁ ଆପଣ ନିଶ୍ଚୟ କାର୍‌ ନକହି ଅନ୍ୟ କିଛି କହିବେ ।’’

 

କହୁଁ କହୁଁ ବିଜୟା ଦେବୀ ଜଣେ ଅଧ୍ୟାପିକାଙ୍କ ପରି ସିରିଅସ୍‌ ହୋଇପଡ଼ିଥିଲେ । ଅନୁପମ ତାଙ୍କ ମୁହଁକୁ ଚାହିଁଥିଲା ଜଣେ ବାଧ୍ୟ ଛାତ୍ର ଭଳି; ଗୋଟାଏ ଜବର୍ଦସ୍ତ ବକ୍ତା ଭଳି ଗପୁଥିଲେ ବିଜୟା ଦେବୀ । ହଠାତ୍‌ ସେ ଆତ୍ମସଚେତନ ହୋଇପଡ଼ିଲେ ବୋଧେ । ତାଙ୍କ ମୁହଁର ଗୁରୁ-ରେଖାଗୁଡ଼ାକ ଲୁଚିଗଲା । ଓଠରେ ହସ ଫୁଟିଲା । ଆଖି ଚମକିଲାଭଳି ହୋଇ ପୁଣି ନାନା ଅବୋଧ୍ୟ ଚିତ୍ରମୟତାରେ ପରିପୂର୍ଣ୍ଣ ହୋଇଗଲା । ବିଜୟା ଦେବୀ ମୁହଁ ନଚେଇ କହିଲେ–‘‘ମୁଁ ଖୁବ୍‌ ଗପିଲି, ନା ? ଖୁବ୍‌ ବାଜେ କଥାଗୁଡ଼ାକ ବେଳେବେଳେ ଏଇମିତି ଅଜାଣତରେ ଲମ୍ବି ଲମ୍ବି ଯାଏ ଅସରନ୍ତି ଲହରୀର ବିଶୃଙ୍ଖଳ ଓ ବିବାକ ବେହୁସିଆର ଡେଣା ଭଳି । ଛାଡ଼ନ୍ତୁ । ଆରେ,–ହଁ–କହିଲେ ନାଇଁ ତ ଏ ଆଙ୍ଗୁଳିଟା କେମିତି କଟିଲା ? ମୋର ଜାଣିବାର ଅଧିକାର କଣ ନାଇଁ ?’’

 

ଅନୁପମ ନିରୁତ୍ତର ରହିଲା ।

 

‘‘କିନ୍ତୁ ଆଙ୍ଗୁଳିଟାର ଚୋଚମିବାର ଅଧିକାର ନିଶ୍ଚୟ ଅଛି ।’’–ଅନୁପମର ଉତ୍ତରକୁ ଅପେକ୍ଷା ନକରି ବିଜୟା ଦେବୀ ଟିପଟାକୁ ପାଟିରେ ପୂରେଇ ଚୋଚମିବାରେ ଲାଗିଲେ, ଶିଶୁପିଲା ମା'ର ଥନ ଚୁଁ-ଚୁଁ ଚୋଷିଲା ପରି । ଅନୁପମର ଆଙ୍ଗୁଳିରୁ ରକ୍ତ ସିର୍‌ସିର୍‌ ହୋଇ ବିଜୟା ଦେବୀଙ୍କ ପାଟିକୁ ଚାଲିଯାଉଥାଏ । ବିଜୟା ଦେବୀଙ୍କ ଓଠଟା ଜୋକ ଭଳି ଲାଗିଥାଏ I ଅନୁପମ ବିଚଳିତ ହୋଇପଡ଼ିଲା ।

 

ବିଜୟା ଦେବୀ ଚୋଚମିବା ବନ୍ଦକରି ଗୋଟାଏ ତୃପ୍ତିର ନିଃଶ୍ୱାସ ନେଲେ...‘‘ଆଃ ! ଅଦ୍ଭୁତ ସ୍ୱାଦୁ ଆପଣଙ୍କ ରକ୍ତର । ସାମ୍ପେନ୍‌ ପରି ଲାଗିଲା ।’’

 

ଅନୁପମ ତାଟକା ହୋଇ ଚାହିଁଲା ଓ ଆଙ୍ଗୁଳିଟାକୁ ନିଜର ଅକ୍ତିଆରକୁ ଆଣି ଉଠି ବସିଲା...‘‘କଣ କହିଲେ, ସାମ୍ପେନ୍‌ ପରି ?’’

 

ବିଜୟା ଦେବୀ ମୁଣ୍ଡ ହଲେଇ ସମ୍ମତି ଜଣାଇଲେ ।

 

‘‘ଆଶ୍ଚର୍ଯ୍ୟ ! ରକ୍ତଟା ଲୁଣିଆ ଲୁଣିଆ ଲାଗେ ପରା !’’–ଅନୁପମ କହିଲା । ଅନୁପମର ମନେପଡ଼ୁଥିଲା ସେଇ କଳା କୁକୁର ଓ ପିମ୍ପୁଡ଼ିଙ୍କ କଥା । ମନେପଡ଼ୁଥିଲା ରକ୍ତବୀର୍ଯ୍ୟର କଟା ମୁଣ୍ଡରୁ ଝରୁଥିବା ରକ୍ତକୁ କେମିତି ଜିଭ ବଢ଼େଇ ଯୋଗିନୀମାନେ ପିଇଯାଉଥିଲେ; କାଳୀ କେମିତି ହାତେ ଲମ୍ବର ଜିଭ ବଢ଼େଇଥିଲେ ଓ ସୂକ୍ଷ୍ମ ଜାଲରେ ପଡ଼ିଥିବା ମାଛିଟାକୁ ଗୁଡ଼େଇ ଗୁଡ଼େଇ ବୁଢ଼ିଆଣୀ କେମିତି ରକ୍ତ ଶୋଷିନିଏ–ସବୁ ତା’ ଆଖି ଆଗରେ ଭାସିଉଠିଲା । ମଶା, ଜୋକ, ବାଘ, ସିଂହ ସମସ୍ତେ ତା’ର ମନପଟରେ ଚଳଚ୍ଚିତ୍ର ପରି ଦଉଡ଼ିବାକୁ ଲାଗିଲେ ଗୋଟାକ ପରେ ଗୋଟାଏ ।

 

ବିଜୟା ଦେବୀ କହିଲେ–‘‘ଆପଣ ବୋଧେ କେବେ ସାମ୍ପେନ୍‌ ପିଇନାହାନ୍ତି ?’’

 

ଅନୁପମ ମୁଣ୍ଡ ହଲେଇଲା ।

 

‘‘ତା’ହେଲେ ମୁଁ ଆପଣଙ୍କୁ ଥରେ ସାମ୍ପେନ୍‌ ପାନ ପାଇଁ ନିମନ୍ତ୍ରଣ କରିବି–ଆଜି ନୁହେଁ–ଏଠି ମିଳିବ ନାହିଁ–କଟକରୁ ମଗେଇବାକୁ ପଡ଼ିବ । ମୋର ବିଶ୍ଵାସ–ଆପଣ ମୋର ନିମନ୍ତ୍ରଣ ରଖିବେ’’–ବିଜୟା ଦେବୀ କହିଲେ ‘‘ସାମ୍ପେନ ମୋର ଅତି ପ୍ରିୟ ମଦ୍ୟ । ସାମ୍ପେନ୍‌ ପାଇଲେ ମୁଁ ମୋର ସବୁ ଦୁଃଖ ଓ ଜଞ୍ଜାଳ ଭୁଲିଯାଏଁ । ଆସିବେ ତ ସେଦିନ ? ସେଇ ରାତିଟା ଭାରି ମଜାରେ କଟିବ । ଆରେ ହଁ, ଆଜି ସକାଳେ କେତେବେଳେ ଆପଣଙ୍କ ନିଦ ଭାଙ୍ଗିଲା ? କାଲି ରାତିରେ ନା ଆପଣ ନାଚୁ ନାଚୁ ମୋରି କାନ୍ଧ ଉପରେ ହିଁ ଶୋଇପଡ଼ିଲେ । ବାବା ! ଏମିତି ନିଦ ପୁଣି ଆପଣଙ୍କର ! ମୁଁ ଚେଷ୍ଟା କରି ସବୁ ନିଷ୍ଫଳ ହେଲା । ମୋରି ବେକକୁ ଆପଣ ବାହୁରେ ଲଟେଇ ଧରିଥାନ୍ତି । ଭାବୁଥିଲି ସେଇ ଘରେ ଆପଣଙ୍କୁ ଶୁଆଇଦେବି । କଥାଟା ଖରାପ୍‌ହେବ ବୋଲି କାର୍‌ରେ ଆଣି ଏଠି ଶୁଆଇ ଦେଇଗଲି । ଏଠି ବି ବହୁତ ସମୟ ବସିଲି ଆପଣଙ୍କ ନିକଟରେ, କିନ୍ତୁ ଆପଣ ଉଠିଲେ ନାହିଁ । ଦର୍ଜାଟା ସେଇମିତି ଆଉଜା ହୋଇଥାଏ–ମୁଁ ରାତିଏ ରାତିଏ ଫେରିଗଲି । ଆପଣଙ୍କର ଅଭ୍ୟାସ ନାହିଁ ବୋଲି ଜାଣିଥିଲେ ମୁଁ ଖୁବ୍‌ କମ୍‌ ଆପଣଙ୍କୁ ଦେଇଥାନ୍ତି । ମିଛରେ କାଲି, ରାତିଟା ନଷ୍ଟ ହୋଇଗଲା । ମୁଁ ଛାତ ଉପରେ ସେଇ ଶୀତରେ ବି ଜହ୍ନକୁ ଚାହିଁ ଚାହିଁ ବହୁତ ରାତି ଯାଏଁ ଚେଇଁଥିଲି କାଲି ।’’

 

ବିଜୟା ଦେବୀଙ୍କ ମୁହଁ ଗୋଟିଏ ପ୍ରତିହତ ଆଶାର ଦୁଃଖାତ୍ମକ ସଙ୍ଗୀତର ଶବ୍ଦପରି ତରଙ୍ଗିତ ହୋଇଉଠିଲା ।

 

‘‘ଆରେ–ହଁ–ଡ: ଦାସ !’’ ବିଜୟା ଦେବୀ ଆପଣାର ପୋଷାକ ପ୍ରତି ଅନୁପମର ଦୃଷ୍ଟି ଆକର୍ଷଣକରି କହିଲେ–‘‘କୁହନ୍ତୁ, କେମିତି ହେଇଚି ? ବହୁତ ଦିନରୁ ଏଇ ଡ୍ରେସ୍‌ଟା ପିନ୍ଧିନଥିଲି । ଆପଣ କାଲି ମୋର ସେଇ ଛବିଟାକୁ ପ୍ରଶଂସା କରିବା ପରେ ମୋର ମନେ ପଡ଼ିଲା । କୁହନ୍ତୁ; କେମିତି ଲାଗୁଚି ?’’

 

‘‘ସୁନ୍ଦର !’’

 

‘‘ବେଶ୍‌ ସେତିକି !’’–ବିଜୟା ଦେବୀ ବିସ୍ମୟ ପ୍ରକାଶକରି କହିଲେ–‘‘ଗୋଟାଏ ହେଲେ ବି ଉପମା ଆପଣଙ୍କ ମନକୁ ଅଇଲାନାହିଁ ! କୁହନ୍ତୁ–ଗୋଲାପ କି ରଜନୀଗନ୍ଧା–କି ମଲ୍ଲୀ ! କୌଣସି ଗୋଟାଏ ହେଲେ ଫୁଲ ତ ମୋ’ ଭଳି ଥିବ ! କିମ୍ବା କବିତା ଭଳି ହୁଏତ ଲାଗୁଥିବି !’’ ଟିକିଏ ଦମ୍‌ନେଇ ପୁଣି କହିଲେ–‘‘ଏଇ କବିତା ଶବ୍ଦରୁ ମନେ ପଡ଼ିଲା । ମୁଁ ସେତେବେଳେ କଲେଜରେ ପଢ଼ୁଥିଲି, ସେଇ ସମୟର କଥା । ଗୋଟାଏ ପିଲା ମୋ’ ପ୍ରେମରେ ପଡ଼ିଥାଏ । ମୁଁ କିନ୍ତୁ ଜାଣି ନ ଥାଏ ସେ ଜଣେ କବି । ତା’ କବିତାରୁ ଜାଣିଲି ଯେ ମୁଁ କାଳେ ତାକୁ ଗୋଟିଏ ପଦ୍ମଫୁଲପରି ଦିଶୁଥିଲି, ମୁଇଁ କାଳେ ତାର କବିତା ଥିଲି, ମୋ’ ବିନା କାଳେ ତାର ଜୀବନ ଖରାଦିନର ନଈବାଲି ପରି ଦୁର୍ବିସହ ହୋଇଯାଇଥିଲା । ଏଇମିତି କେତେ କଣ ଲେଖିଥିଲା ସେ କବିତାରେ । ସେ ଲୋକଟା ଏବେ ବି କବିତା ଲେଖୁଚି । ଏବେ କଟକ ରାସ୍ତାରେ ଥରେ ଦେଖିଥିଲି-। ମୁଁ କାହିଁକି ତା’ ସହିତ କଥା କୁହନ୍ତି–ମୋର କି ଗରଜ ପଡ଼ିଚି । ମୁଣ୍ଡବାଳ ଫୁର୍‌ଫୁର୍‌ କରି ଗୋଟାଏ ଛିଣ୍ଡା ହାଓ୍ୱାନି ଓ ଖଣ୍ଡେ ଧଳା ପାଇଜାମା ପିନ୍ଧି ସେ ଲୋକଟା କାଖରେ ତିନି ଚାରିଟା ବହି ଜାକି ଯାଉଥାଏ । ଭାରି ମଜାଲାଗେ ମୋତେ ସେଇ ଲୋକଟା କଥା ଭାବିବାକୁ । ଡ: ଦାସ-! ଆପଣ କୁହନ୍ତୁ ନା–କେମିତି ଆଜି ମୁଁ ଦିଶୁଚି ?’’

 

ଅନୁପମ ଭାବି ଭାବି କହିଲା–‘‘ଆପଣ ଆଜି ଗୋଟାଏ ଜରିଠିପିଦିଆ ସାମ୍ପେନ୍‌ ବୋତଲ୍‌ ପରି ଦିଶୁଛନ୍ତି ।’’

 

ବିଜୟା ଦେବୀ ହୋ ହୋ ହୋଇ ହସିଉଠିଲେ । ଚମତ୍କାର ଡ: ଦାସ ! ଆପଣଙ୍କ କବିତ୍ୱ ସମସ୍ତଙ୍କୁ ଟପିଗଲା । ଖୁବ୍‌ ମଜା ଲୋକ ଆପଣ ।’’ ବିଜୟା ଦେବୀ ହାତଘଡ଼ିକୁ ଚାହିଁଲେ–‘‘ଆରେ–ଡେରି ହୋଇଗଲାଣି–ମାତ୍ର ଅଧଘଣ୍ଟାଏ ଛୁଟି ଆଣି ଏଠି ଘଣ୍ଟାଏ ଗପିଲିଣି । ଆପଣ ବି ଯିବେ ବୋଧହୁଏ ? ଉଠନ୍ତୁ ଯିବା ! ନଇଲେ ସାର୍‌ ମୁହଁ ଓହଳେଇ ବସିବେ । ତା’ଛଡ଼ା ପୁଣି ରୋଗୀଗୁଡ଼ାଏ ଜମିଯାଇଥିବେ ।’’

 

ପ୍ରାୟ ସାଢ଼େ ଚାରିଟାବେଳେ ହସ୍‌ପିଟାଲ୍‌ ବନ୍ଦ ହେଲା । ବିଜୟା ଦେବୀଙ୍କୁ ବିଦାୟ ଦେବାଲାଗି ଅନୁପମ ହସ୍‌ପିଟାଲ୍‌ ବାରଣ୍ଡାରେ ଠିଆହୋଇଥାଏ । ବିଜୟା ଦେବୀ କାର୍‌ ଭିତରୁ ହାତ ହଲେଇ ବିଦାୟ ସଙ୍କେତ ଦେଲେ । ତା ପରେ କଳା କାର୍‌ଟି ହସ୍‌ପିଟାଲ୍‌ର କମ୍ପାଉଣ୍ଡ୍‌ରୁ ବାହାରିଗଲା ଲାଲ୍‌ମୋରମ୍‌ ବିଛା ସଡ଼କ ଉପରକୁ । କାର୍‌ର ପଛପଟୁ ବାତୁଳ ଭଳି ଲାଲ୍‌ ଧୂଳିମାନେ ଉଡ଼ୁଥାନ୍ତି ।

 

ହସ୍‌ପିଟାଲ୍‌ର ପ୍ରାୟ ସାମନାରେ ଥିବା ବାଳିକା ବିଦ୍ୟାଳୟର ଛୁଟି ଘଣ୍ଟା ବାଜିଲା ଟଂ ଟଂ କରି । ବିଦ୍ୟାଳୟର ହତା ଭିତରୁ ଆଶ୍ରମର ମୁକ୍ତ ହରିଣୀ ପରି ବିଶୃଙ୍ଖଳ ଭାବରେ ଦଳଦଳ ହୋଇ ରଙ୍ଗବେରଙ୍ଗରେ ଶାଢ଼ି ଓ ଫ୍ରକ୍‌ ପିନ୍ଧିଥିବା ଛାତ୍ରୀମାନେ ରାସ୍ତା ଉପରକୁ ବାହାରିପଡ଼ିଲେ । ପ୍ରାୟ ସମସ୍ତେ ବହି ଖାତା ଛାତିରେ ଜାକି ଧରିଥାନ୍ତି । କିଏ ଡାହାଣକୁ ବାଙ୍କିଲା, କିଏ ବା ବାମକୁ । କିଏ ଗପ କରୁଥିଲା ସାଥିମାନଙ୍କ ସହିତ । କେହି ବା ଗୋଠଖଣ୍ଡିଆ ଗୋରୁ ପରି କ୍ଲାସ୍‌ର ଅନୁଭୂତିକୁ ରୋମନ୍ଥନ କରିକରି ଏକାଏକା ରାସ୍ତା ଧାରେଧାରେ ଛୁଟିଥିଲା । ସମସ୍ତଙ୍କ ମୁହଁରେ କ୍ଳାନ୍ତି ଜମିଥିଲା ରାସ୍ତାର ଲାଲ୍‌ମୋରମ୍‌–ପରି; କିନ୍ତୁ ବିରକ୍ତି ଭାବ ନ ଥିଲା କାହାରି ମୁଖରେ । ରାସ୍ତାରୁ ଏକ ସ୍ଵତନ୍ତ୍ର ଆନନ୍ଦ ମିଳେ । ପ୍ରତି ସ୍ଵାଧୀନତା ଏକ ସ୍ଵତନ୍ତ୍ର ସୁଖ ଦାନ କରିଥାଏ । ସେଇ ଆନନ୍ଦ ଓ ସୁଖ ସେମାନଙ୍କ ମୁହଁ ଉପରେ ସ୍ପଷ୍ଟ ହୋଇଉଠିଥିଲା । ଅନ୍ୟାନ୍ୟ ସହର ପରି ଛାତ୍ରୀମାନଙ୍କୁ ନେବା ଆଣିବା କରିବା ଲାଗି କେନ୍ଦ୍ରାପଡ଼ାରେ ମୋଟରର ବନ୍ଦୋବସ୍ତ ନ ଥିଲା । ଏଣୁ ଅଧିକାଂଶ ବାଳିକା ଚାଲି ଚାଲି ଆସୁଥିଲେ ଓ ଚାଲି ଚାଲି ଫେରୁଥିଲେ । ରିକ୍‌ସାରେ ଯା ଆସ କରିବାକୁ ଯେଉଁ ସମ୍ବଳ ଦରକାର, ଅଧିକାଂଶଙ୍କର ପିତା-ମାତା ତାହା ଯୋଗାଇବାକୁ ଅସମର୍ଥ ଥିଲେ । ତାଙ୍କ ଭିତରୁ କେହି କେହି ସହରର ଅନ୍ୟ ଏକ ମୁଣ୍ଡରେ ଥିବା ମହୀପାଳ କିମ୍ବା ତାଠୁ ଦୂର ଜାଗାରୁ ମଧ୍ୟ ଚାଲି ଚାଲି ଆସିବାକୁ ବାଧ୍ୟ ହେଉଥିଲେ; ଉପାୟ ନ ଥିଲା । ଅଳ୍ପ କେତେ ଦିନ ତଳେ କଟକରେ ଘଟିଥିବା ଏକ ଖବର ସେଇ ପ୍ରସଙ୍ଗରେ ଅନୁପମର ମନେପଡ଼ିଲା । ମହିଳା କଲେଜକୁ ଆସୁଥିବା କୌଣସି ଜଣେ ଛାତ୍ରୀଙ୍କ ବକ୍ଷଦେଶରେ ଏକ ଅନାମଧେୟ ଯୁବକ ଆଗ ଆଡ଼ୁ କାର୍‌ରେ ଆସି କାର୍‌ ଅଟକାଇ ଛୁଞ୍ଚି ଫୋଡ଼ିଦେଇଥିଲା । ଯୁବତୀ ଛାତ୍ରୀଟି ଏପରି ଅତର୍କିତ ଆକ୍ରମଣ ପାଇଁ ପ୍ରସ୍ତୁତ ନ ଥିଲା । ଯନ୍ତ୍ରଣାରେ ସେ ଉଚ୍ଚସ୍ୱରରେ ଚିତ୍କାର କରି ଉଠିଲା । ପାଖଆଖର ଲୋକେ ଜମାହୋଇପଡ଼ିଲେ; କିନ୍ତୁ ସେମାନେ ଘଟଣାସ୍ଥଳକୁ ଆସିବାବେଳକୁ ଯୁବକ କାର୍‌ଛୁଟାଇ ପଳାଇ ସାରିଥିଲା । ଏଇ ଦୁର୍ଘଟଣା ଫଳରେ ଅଧିକାଂଶ ପିତା-ମାତା ଓ ବାଳିକାଙ୍କ ମନରେ ଏକ ବିଶେଷ ଭୟର ସୂତ୍ରପାତ ହୋଇଛି । କେନ୍ଦ୍ରାପଡ଼ାରେ ଏପରି ଦୁର୍ଘଟଣା ଏ ପର୍ଯ୍ୟନ୍ତ ହୁଏତ ଘଟିନାହିଁ; କିନ୍ତୁ ଦୁର୍ବୃତ୍ତଙ୍କର ଅଭାବ ବା କେଉଁଠି ଅଛି ?

 

ଅନୁପମର ତାଲିମ କାଳ ସରିଗଲାଣି । ଏବେ ସିଏ ଅନ୍ୟମାନଙ୍କ ଭଳି ସ୍ୱୟଂ ସଂପୂର୍ଣ୍ଣ ଡାକ୍ତର । ତାର ପ୍ରାଥମିକ ଡାକ୍ତରି ନିଯୁକ୍ତି ମଧ୍ୟ ସେଇଠି ହେଲା । ଏ ସମ୍ବାଦ ପାଇଲା ଦିନ ବିଜୟା ଦେବୀ ପ୍ରଥମେ ତାଙ୍କୁ ଅଭିନନ୍ଦନ ଜଣାଇଲେ । ତାହା ଏପ୍ରିଲ୍‌ ମାସର ଗୋଟାଏ ଧୂଳିଧୂଳିଆ ସନ୍ଧ୍ୟା-। ବିଜୟା ଦେବୀ ଗୋଟାଏ ନିହାତି ଫିକା ସବୁଜ ରଙ୍ଗର ଶାଢ଼ି ପିନ୍ଧି ଅନୁପମର ବସା ନିକଟରେ ପହଞ୍ଚି କାର୍‌ ଅଟକାଇଲେ ।

 

କାର୍‌ର ଦରଜା ଖୋଲି ଡାକିଲେ–‘‘ଡ: ଦାସ ! ଆସନ୍ତୁ ! ଆଜି ଏ ସହରଟା ପରିକ୍ରମା କରିବା ।’’

 

ଅନୁପମ କାର୍‌ରେ ବସିବା ପରେ ବିଜୟା ଦେବୀ ଗାଡ଼ିରେ ଷ୍ଟାର୍ଟଦେଇ କହିଲେ–‘‘କୁହନ୍ତୁ, ପ୍ରଥମେ କେଉଁଠିକି ଯିବା–କେନାଲ୍‌ ନା ନଈକୂଳକୁ ?’’

 

‘‘ଆପଣଙ୍କ ଇଚ୍ଛା ଯେଉଁଠିକି ।’’

 

‘‘ତଥାପି ଆପଣଙ୍କ ଇଚ୍ଛାଟା ଶୁଣିବାରେ କ୍ଷତି ଅଛି କି ?’’–ବିଜୟା ଦେବୀ କହିଲେ–‘‘ନା ଆପଣ ଭାବୁଛନ୍ତି ଆପଣଙ୍କ କଥାଟା ରଖିବି ନାହିଁ ବୋଲି ? କଥା ଦେଲି–ଆଜି ଆପଣଙ୍କ ରୁଚିଟା ହିଁ ମୋତେ ରୁଚିକର ହେବ । ଏବେ କୁହନ୍ତୁ ।’’

 

ବିଜୟା ଦେବୀଙ୍କୁ ନ ଚାହିଁ ଅନୁପମ କହିଲା–‘‘ବେଶ୍‌, ଚାଲନ୍ତୁ–ପ୍ରଥମେ ନଈ ଆଡ଼କୁ ।’’

 

‘‘ମୁଁ ଜାଣିଥିଲି–ଆପଣ ନଈ କଥା ହିଁ କହିବେ–’’ ବିଜୟା ଦେବୀ କହିଲେ–‘‘କାରଣ ନଈର ବାଙ୍କଗୁଡ଼ାକ ଭାରି ଲୋଭନୀୟ । ମୁଁ ବି ନଈକୁ ଭଲପାଏ; କିନ୍ତୁ ସହରଠୁଁ ବହୁତ ଦୂର ଗଲେ ଯାଇ ନଈଟାକୁ ଉପଭୋଗ କରିହେବ । ସହର ତଡ଼ିର ନଈଟା ଖୁବ୍‌ ଅପରିଷ୍କାର । ଏଣୁ ଆମକୁ ବାଙ୍କିବାକୁ ପଡ଼ିବ ଡାହାଣକୁ, ସୁନେଇଲୋ ଗାଁ ଭିତରଦେଇ ଯିବାକୁ ହେବ ।’’

 

ସହର ଛାଡ଼ି ଗୋଟାଏ ଅଣଓସାରିଆ ଧୂଳିଆ ରାସ୍ତାରେ ବହୁ ବାଙ୍କଦେଇ ପ୍ରାୟ ଦୁଇମାଇଲ୍‌ ଯିବା ପରେ ଗୋବରୀ ନଈର ଏକ ଅତି ମନୋରମ ବାଙ୍କ ପଡ଼େ । ସେଠି ବଣ ନାହିଁ-। ଚାରିଆଡ଼େ ବିଲ । ପାଖରେ ବି ଶ୍ମଶାନଟାଏ । ଭଙ୍ଗା ଆଟିକା, କୋକେଇ, ଛିଣ୍ଡା ମସିଣା, ଅଧାପୋଡ଼ା ବାଉଁଶ କିଳା ପଡ଼ିଛି । ନଈର ଆରପଟରେ ଦୂରସ୍ଥ ଗୋଟାଏ ଦୁଇଟା ଜନବସତିର ନଡ଼ିଆଗଛଗୁଡ଼ାକ ଦିଶୁଥାଏ ସେଠାକୁ । ସେଇଠି ସେମାନେ ଅଟକିଲେ ।

 

ଗୋବରୀ ନଈର ନୀଳ ପାଣି ଥଲ୍‌ଥଲ୍‌ ହେଉଥାଏ ପବନରେ । କାର୍‌ରୁ ବାହାରିଲାକ୍ଷଣି ବିଜୟା ଦେବୀ ଗୋଟାଏ ଅଳ୍ପବୟସ୍କା ତରୁଣୀ ପରି ପାଟିକଲେ–‘‘ଆହା, କେଡ଼େ ସୁନ୍ଦର ! ଦେଖନ୍ତୁ ଡ: ଦାସ, ସୂର୍ଯ୍ୟର ନାଲି କିରଣ କେମିତ ସିନ୍ଦୂର ପରି ଦିଶୁଚି ପାଣି ଉପରେ ।’’ ବିଜୟା ଦେବୀଙ୍କର ଶାଢ଼ି ଏବଂ ଚୂର୍ଣ୍ଣକୁନ୍ତଳ ବତାସରେ ଫର୍‌ଫର୍‌ ହୋଇ ଉଡ଼ିବାକୁ ଲାଗିଲା । ବିଜୟା ଦେବୀ ସେଥିପ୍ରତି ଧ୍ୟାନ ନ ଦେଇ ଡେଇଁବାକୁ ଚେଷ୍ଟା କରୁଥିଲେ ଠେକୁଆ ପରି ଧଳା ବାଲି ଉପରକୁ । ସତକୁସତ ସେ ଆଗେଇଗଲେ । ଅନୁପମ ପଛରେ ଯାଉଥାଏ । ବିଳୟା ଦେବୀ ହାତେ କିମ୍ବା ଦୁଇହାତ ଉଞ୍ଚର ତଡ଼ି ଉପରୁ ବାଲି ଉପରକୁ ଲମ୍ଫଦେଇ ପ୍ରାୟ ଏକରକମ ଗଡ଼ିବାକୁ ଲାଗିଲେ ଗୋଟାଏ ସାତବର୍ଷର ବାଳିକା ଭଳି । ବାଲି ଉପରେ ତାଙ୍କର ଦେହର ଦାଗ ପଡ଼ୁଥାଏ ବିଭିନ୍ନ ଭାବରେ । କେତେବେଳେ ବା ବାଲିଗୁଡ଼ାକୁ କୁଣ୍ଢେଇ ପକାଉଥାନ୍ତି–ପୁଣି କେତେବେଳେ ଆଞ୍ଜୁଳାଏ ଦି–ଆଞ୍ଜୁଳା ଧରି ଖୁବ୍‌ ଉଲ୍ଲାସରେ ଛାଟୁଥାନ୍ତି ଉପରକୁ । ବାଲି ରେଣୁଗୁଡ଼ାକ ତାଙ୍କର ମୁଣ୍ଡ ଉପରେ କୁଢ଼େଇ ହୋଇ ପଡ଼ୁଥାଏ । ଅନୁପମ ଠିଆହୋଇ ଦେଖୁଥାଏ ସେଇ ଅଦ୍ଭୁତ ଚରିତ୍ରଟାର ବାଲିଖେଳ । ହାତରେ ମୁଠାଏ ବାଲି ଧରି ବିଜୟା ଦେବୀ ଅନୁପମ ଉପରକୁ ଛାଟିଲେ । ଅନୁପମ ପ୍ରସ୍ତୁତ ନଥିବାରୁ ବାଲିଗୁଡ଼ାକର ହଠାତ୍‌ ଆକ୍ରମଣରୁ ନିଜକୁ ରକ୍ଷାକରି ପାରିଲାନାହିଁ । ତା’ ଆଖିରେ ମଧ୍ୟ ବାଲିରେଣୁଟାଏ ଛିଟିକି ପଡ଼ିଲା । ସେ ଚାହିଁ ପାରିଲା ନାହିଁ । ଅନୁପମର ପିଲାଦିନ କଥା ମନେପଡ଼ିଲା–ଦିନେ ଗାଁ ଦାଣ୍ଡରେ ଠିଆହୋଇଥିବାବେଳେ ବିନା କାରଣରେ ନାରଣ ମିଶ୍ରଙ୍କ ପୁଅ ତା’ ଉପରକୁ ଧୂଳି ଫୋପାଡ଼ିଥିଲା । ସେ ଠିକ୍‌ ଏଇମିତି ଚାହିଁ ପାରି ନ ଥିଲା ଓ କାନ୍ଦି କାନ୍ଦି ଘରକୁ ଫେରିଯାଇଥିଲା । ସେତେବେଳେ ମା’ ପଣତକାନିର ଅଗରେ ଧୂଳି ସଫାକରି ଦେଇଥିଲା ଆଖିରୁ-

 

‘‘ମୁଁ ଖୁବ୍‌ ଦୁଃଖିତ ଡ: ଦାସ ! ଦେଖି, ଆଖି ଖୋଲନ୍ତୁ ତ ! ଆଃ, ଖୋଲନ୍ତୁ ନା ! ଲାଇକ୍‌ ଏ ଗୁଡ୍‌ବୟ–ଗୋଟିଏ ସୁନାପିଲାପରି ।’’

 

ବିଜୟା ଦେବୀ ପଣତକାନି ଗୋଜିଆ କରି ଅନୁପମର ଆଖିରୁ ବାଲିଗୁଡ଼ାକୁ ବାହାର କରିଦେଲେ ।

 

‘‘ଆଉ ଅଛି ?’’

 

‘‘ନା–ବୋଧେ ନାଇଁ ।’’

 

‘‘ଭଲ ଲାଗୁଚି ତ !’’ ବିଜୟା ଦେବୀ କହିଲେ–‘‘ଅନେକ ସମୟରେ ଭିତରେ ରହିଥିଲେ ବି ଜଣାପଡ଼େନାହିଁ । ବାଲି ବାହାର କରିବାର ସର୍ବଶ୍ରେଷ୍ଠ ଉପାୟ ହେଉଛି ଲୁହ । ଆପଣ କାନ୍ଦି ପାରିବେ ?’’

 

‘‘ମୁଁ କାନ୍ଦିଲେ କଣ ଖୁସି ହେବେ ଆପଣ ? ଅନୁପମ କହିଲା–‘‘କୁହନ୍ତୁ, ତା’ହେଲେ ମୁଁ ନିଶ୍ଚୟ କାନ୍ଦିବି ।’’

 

ବିଜୟା ଦେବୀ ଅନୁପମର ବେକରେ ଓହଳିବାକୁ ଚେଷ୍ଟାକଲେ ହାତ ବୁଲେଇ; କିନ୍ତୁ ଅନୁପମ ବାଲିରେ ଠିଆ ହୋଇଥିବାରୁ ସଳଖି ନ ପାରି ବାଙ୍କି ପଡ଼ୁଥିଲା ଓ ବିଜୟା ଦେବୀଙ୍କ ଓହଳିବା ଇଚ୍ଛା ଚରିତାର୍ଥ ହୋଇପାରୁ ନ ଥିଲା । ଅନୁପମ ହସିବ କି କାନ୍ଦିବ ବୁଝି ପାରୁ ନ ଥିଲା ବିଜୟା ଦେବୀଙ୍କର ଆଚରଣ ଦେଖି ।

 

‘‘ଆପଣ ମୋତେ କାନ୍ଧରେ ବସେଇପାରିବେ ?’’ ବିଜୟା ଦେବୀ ପଚାରିଲେ–‘‘ମୁଁ ପିଲାବେଳେ ଖୁବ୍‌ କାନ୍ଧ ହେଉଥିଲି । ବିଶେଷକରି ମୋର ଅଜା କାନ୍ଧରେ । ଭାରି ଇଚ୍ଛା ହେଉଛି କାନ୍ଧ ହେବାକୁ । ପାରିବେ ନାଇଁ ଆପଣ ?’’

 

‘‘ନା...’’

 

‘‘ତା'ହେଲେ ମୋତେ ପଚା ଲାଉ କରନ୍ତୁ ।’’

 

‘‘ନା... I’’

 

‘‘ଅସମ୍ଭବ ଲୋକ ଆପଣ’’–ବିଜୟା ଦେବୀ କହିଲେ–‘‘ମୁଁ ଏତେକରି କହୁଚି...ନ ହେଲା ନାଇଁ ସେ ସବୁ, ଆପଣ ହାମୁଡ଼େଇ ଘୋଡ଼ା ହୁଅନ୍ତୁ । ମୁଁ ବସିବି ଆପଣଙ୍କ ଉପରେ...’’

 

‘‘ଉହୁଁ.... ।’’

 

‘‘ତା ବି ପାରିବେ ନାଇଁ ! ବେଶ୍‌, ତା’ହେଲେ ଆପଣ ଚିତ୍‌ହୋଇ ଶୁଅନ୍ତୁ । ମୁଁ ଆପଣଙ୍କ ଆଣ୍ଠୁରେ ଲଟକି ଗୁ-ଗୁପାଞ୍ଚି ହେବି । କୁଲାରେ ଧାନ ପାଛୁଡ଼ିବା ପରି ମୋତେ ଗୋଡ଼ରେ ତଳ ଉପର କରି ପକେଇବେ ଉଠେଇବେ । ପଚାରିବେ–ଧାନ କୁଟିବୁ ? ମୁଁ କହିବି–ନା । ଭାତ ରାନ୍ଧିବୁ-? ମୁଁ କହିବି–ନା । ବାପାଙ୍କୁ ଖାଇବାକୁ ଦେବୁ ? ମୁଁ କହବି–ନା । ଭାଇକୁ ? ମୁଁ କହିବି ନା-। ମା’କୁ ? ମୁଁ କହବି–ନା । ଯାତ୍ରା ଦେଖି ଯିବୁ ? ମୁଁ କହବି–ହଁ । ଆପଣ ସେଇଠୁ ମୋତେ ଏକ ପାଖକୁ ଲେଉଟେଇ ଦେଇ କହିବେ–ସୁନା ଗଡ଼ିଆରେ ପଡ଼ ପଡ଼ ! ଗୋବର ଗଡ଼ିଆରେ ପଡ଼୍‌ପଡ଼୍‌-। ଭାରି ମଜା । ମୁଁ ପିଲାବେଳେ ମା’ ଗୋଡ଼ରେ ଭାରି ଗୁ-ଗୁପାଞ୍ଚି ହେଉଥିଲି । ଆପଣ ଶୁଅନ୍ତୁ ନା, ମୁଁ ଆଜି ଥରେ..........’’

 

‘‘ନା... I’’

 

ବିଜୟା ଦେବୀଙ୍କ ମୁହଁରେ ପୂର୍ବରୁ ଜମିଆସୁଥିବା ନୈରାଶ୍ୟ ଏଥର ସ୍ପଷ୍ଟଭାବେ ଘନୀଭୂତ ହୋଇଗଲା । ସେ ମୁହଁ ଫୁଲେଇଲେ । ଆଖି ତଳକୁ କରି କାନିରେ ଗଣ୍ଠି ପରେ ଗଣ୍ଠି ପକାଇବାକୁ ଲାଗିଲେ । ତା’ପରେ ସେ ଅନୁପମର ସାମ୍ନାରୁ ଚାଲିଗଲେ କିଛି ଦୂରକୁ । ବସିଲେ ଅନୁପମ ଆଡ଼କୁ ପିଠିକରି । ଆଣ୍ଠୁ ଭିତରେ ମୁହଁକୁ ଗୁଞ୍ଜିଦେଲେ ।

 

ଅନୁପମ ଏହା ଆଦୌ ଆଶଙ୍କା କରିନଥିଲା । ବିଜୟା ଦେବୀଙ୍କ ଏଭଳି ଅନୁରୋଧ ରଖିବା ତା’ ପକ୍ଷରେ କଣ ସମ୍ଭବ ?

 

ସେ ପାଦ ଚିପି ଚିପି ଆଗେଇଗଲା ବିଜୟା ଦେବୀଙ୍କ ଆଡ଼କୁ । ବିଜୟା ଦେବୀ ବୁଦାଏ ବାଲି ସିଝୁ ଗଛପରି ନିଶ୍ଚଳ ହୋଇ ବସିଥାନ୍ତି । ଅନୁପମ ନଇଁ ନଇଁ ତାଙ୍କର ପିଠି ପାଖରେ ପହଞ୍ଚିଲା । ଭାବୁଥିଲା, ଯାଇକି ପଛଆଡ଼ୁ ଆଖି ବୁଜି ଧରିବ । ସେ ହାତ ବଢ଼େଇଚି କି ନାହିଁ ବିଜୟା ଦେବୀ ଗୋଟାଏ ଚପଳା ବାଳିକା ପରି ହାମୁଡ଼େଇ, ଆଖି ଡିମ୍ବା ଡିମ୍ବା କରି, ଗାଲ ଓଠ ଫୁଲେଇ ବାଘ ସାଜି ଘାଉଁ ଘାଉଁ କଲେ ଓ ସହସା ଅନୁପମର ମୁହଁ ଆଡ଼କୁ ବୁଲିପଡ଼ିଲେ । ଅନୁପମ ଚମକିପଡ଼ିଲା ।

 

‘‘ଏଇ ଯେ–ଆପଣଙ୍କୁ ଦେଇଚି ଏଥର ଡରେଇ’’–ବିଜୟା ଦେବୀ ହୋ-ହୋ ହେଇ ହସି ଦୁଇ ହାତରେ ତାଳିମାରି ନାଚିଲେ–‘‘ଦେଇଚି, ଡରେଇ ଦେଇଚିରେ ।’’

 

‘‘କିନ୍ତୁ ମୁଁ ଡରିନାହିଁ’’–ଅନୁପମ କହିଲା–‘‘ଆପଣ ନାଚୁଛନ୍ତି କାହିଁକି ?’’

 

‘‘ଏଁ– !’’ ବିଜୟା ଦେବୀଙ୍କ ହସ ଓ ନାଚ ବନ୍ଦ ହେଇଗଲା ହଠାତ୍‌–‘‘ଆପଣ ଏଡ଼େ ମିଛୁଆ ! ଡରିଲେ ପରା ଏଇକ୍ଷଣି !’’

 

‘‘ମିଛକଥା !’’

 

‘‘ହେ ଭଗବାନ୍’’–ବିଜୟା ଦେବୀ କାନରେ ହାତ ଦେଲେ–‘‘ବେଶ୍‌–ଯଦି ନ ଡରିଛନ୍ତି, ଏବେ ଦେଖିବା କେମିତି ନ ଡରିବେ !’’ କୁହନ୍ତୁ–‘‘ତୋଟାକୁ ଯିମି, ଆମ୍ବ ଖାଇମି; ବାଘ ଆଇଲେ ଡରିମି ନାଇଁ । କୁହନ୍ତୁ... ।’’

 

‘‘କଣ ସତରେ କହିବାକୁ ପଡ଼ିବ ?’’

 

‘‘ଆଉ କଣ ମିଛରେ ? ଆଃ, କୁହନ୍ତୁ ନା–ଜଲ୍‌ଦି ଜଲ୍‍ଦି ।’’

 

ବାଧ୍ୟ ହୋଇ ଅନୁପମ କହିଲା–‘‘ତୋଟାକୁ ଯିମି, ଆମ୍ବ ଖାଇମି, ବାଘ ଆଇଲେ ଡରିମି ନାଇଁ ।”

 

‘‘ଡରିବେ ନାଇଁ ?’’

 

‘‘ନା– ।’’

 

‘‘ଡରିବେ ନାଇଁ... ??’’

 

‘‘ନା... !’’

 

‘‘ଠିକ୍‌ କହୁଛନ୍ତି ଡରିବେ ନାଇଁ ???’’

 

‘‘ନା– !’’

 

‘‘ଫୁଃ– ।’’ ବିଜୟା ଦେବୀ ଜୋର୍‌ରେ ଫୁଙ୍କି ଦେଲେ ଅନୁପମର ଆଖିକୁ । ମେଞ୍ଚାଏ ପବନ ଫସ୍‌କରି ପିଟି ହୋଇଗଲା ଅନୁପମର ଆଖିରେ । ଚମକିବାରୁ ଅନୁପମର ଆଖିରେ ପଲକ ପଡ଼ିଗଲା ।

 

ବିଜୟା ଦେବୀ କୁଳୁ କୁଳୁ ହସି ଏଥର ଡେଇଁ ଡେଇଁ ତାଳିଦେଇ ନାଚିଲେ–

 

‘‘ଡରୁଆ ରେ ଡରୁଆ !

 

କୋଉଁ ସାହସେ ଚୋରାଇନେଲୁ

 

ମାମୁଁ ଘର ଫରୁଆ ।

 

ଡରୁଆ ରେ ଡରୁଆ !

 

ଗୁଣ୍ଡୁଚି ଦେଖି ଡରି ପଳାଉ,

 

ବିଲୁଆ ଦେଖି ଥରୁ,

 

କୋଉ ସାହସେ ସାଧବ-ବୋହୂ

 

ଫରୁଆ ଚୋରିକରୁ ?

 

ଡରୁଆରେ ଡରୁଆ !’’

 

ବିଜୟା ଦେବୀ ଗୀତ-ନାଚ ବନ୍ଦକରି ଏଥର ଅନୁପମକୁ ତାଗିଦ୍‌ କଲେ–‘‘ମାନନ୍ତୁ ଡରିଛନ୍ତି ବୋଲି ।’’

 

‘‘ମାନିଲି....’’

 

‘‘ନା–ନା, ସେ ଠକାଠକି କଥା ପଟିବନାହିଁ’’–ବିଜୟା ଦେବୀ କହିଲେ, ‘‘ପରିଷ୍କାର କରି କୁହନ୍ତୁ–ମୁଁ ଡରିଲି । କୁହନ୍ତୁ ! ହଁ,–କୁହନ୍ତୁ । ଆରେ ସତ କଥାଟା ବି ଆପଣଙ୍କ ଜିଭରେ ଲେଉଟୁ ନାହିଁ ?’’

 

‘‘ଆଚ୍ଛା ବାବା ! ମୁଁ କହୁଛି ମୁଁ ଡରିଲି ।’’

 

‘‘ସାବାସ୍‌....’’ ବିଜୟା ଦେବୀ ଅନୁପମର ହାତରେ ଜବର୍ଦସ୍ତ ହାତ ମିଳାଇଲେ–‘‘ଆପଣ ବଢ଼ିଆ ପିଲା ।’’

 

ବିଜୟା ଦେବୀଙ୍କ ଖେଳ କିନ୍ତୁ ସେଇଠି ଶେଷ ହେଲାନାହିଁ । ସେ ପୁଣି ଏକ ପ୍ରସ୍ତାବ ବାଢ଼ିଲେ–‘‘ଲୁଚକାଳି ଖେଳିବା । ମୁଁ ଯାଉଛି ସେଇ ଯେଉଁ ଗଛ ଆରପଟରେ ଲୁଚିବି । ଆପଣ ମୋତେ ଖୋଜିବାକୁ ଯିବେ ।’’

 

‘‘ଆଉ ଫେର୍‌ ଖୋଜିବି କଣ ? କହିଲେ ପରା ଗଛ ଆରପଟରେ... ।’’ ଅନୁପମ କହିଲା ।

 

‘‘ମୁଁ କେଡ଼େ ବୋକୀଟେ’’–ବିଜୟା ଦେବୀ କହିଲେ–’’ତେବେ ଆଉ କେଉଁଠି ଲୁଚିବି ?’’ ଏଣିକି ତେଣିକି ଆଖି ବୁଲେଇଲେ–‘‘ବେଶ୍‌, ଏଥର ଆପଣ ଆଖି ବୁଜନ୍ତୁ–ମୁଁ ଲୁଚିବାକୁ ଯିବି ।’’

 

‘‘ନା– I’’

 

‘‘ତା’ ହେଲେ ଆପଣ ଯାଆନ୍ତୁ ଲୁଚିବେ–ମୁଁ ଆଖି ବୁଜୁଚି । ଯାଆନ୍ତୁ ନା !’’ ବିଜୟା ଦେବୀ ଠେଲିଲେ ଅନୁପମକୁ ଓ ନିଜର ଲୁଗାକାନିଟାକୁ ଦୁଇ ପରସ୍ତ କରି ଆଖି ଉପରେ ଭିଡ଼ି ଧରିଲେ– ‘‘ଦେଖନ୍ତୁ–ଦୁଇମିନିଟି ଭିତରେ ଲୁଚିବା ଶେଷ କରିବାକୁ ହେବ–ହଁ ।’’

 

ଅନୁପମ ଯାଇ ନିଃଶବ୍ଦରେ କାର୍‌ର ଦର୍ଜା ଖୋଲି ପଛ ସିଟ୍‌ରେ ଶୋଇପଡ଼ିଲା ।

 

ତା’ପରେ ଆରମ୍ଭ ହେଲା ବିଜୟା ଦେବୀଙ୍କ ଖୋଜିବା ଅଧ୍ୟାୟ । ସେ ଗଛଗୁଡ଼ାକ ଆଡ଼କୁ ତଟୁ ଘୋଡ଼ା ପରି ଖଣ୍ଡିଦଉଡ଼ା ଦେଇ ଚାଲିଲେ । ସଂଧ୍ୟାର ଅନ୍ଧକାରରେ ସେତେବେଳକୁ ରୁମମୂଳ ଲୁଚିଲାଣି । ଏପାଖ ସେପାଖ ବହୁତ ଖୋଜିଲେ ବିଜୟା ଦେବୀ–କେଉଁଠି ପାଇଲେ ନାହିଁ-। ଅନୁପମକୁ ସବୁ ଦିଶୁଥାଏ ।

 

ତା’ପରେ ବାଲି ଉପରକୁ ଫେରିଆସି ଠିଆ ହୋଇ ପାଟି କଲେ–‘‘ଡ: ଦାସ, ମୁଁ ହାରିଲି-। ଶୀଘ୍ର କେଉଁଠି ଲୁଚିଛନ୍ତି ଆସନ୍ତୁ ।’’

 

ଅନୁପମ ସେଠାକୁ ନ ଯାଇ ଥରେ କାର୍‌ର ଦର୍ଜା ଖୋଲି ସଶବ୍ଦରେ ବନ୍ଦ କଲା ।

 

‘‘ଇରେ, ବଡ଼ ଚାଲାକ୍‌ ଆପଣ ଏଇଠି ଛପିଯାଇଛନ୍ତି–ମୁଁ ତେଣେ ଖୋଜୁଚି ଯାଇଁ । ଆସନ୍ତୁ ବାହାରକୁ । ଏଥର ମୁଁ ଲୁଚିବି ଆପଣ ଖୋଜିବେ ।’’

 

‘‘ନା–ଆଜି ଏତିକି ଥାଉ’’–ଅନୁପମ କହିଲା ।

 

‘‘ଆରେ ସେ କେମିତି ? ସାତ ବାଜି ଖେଳ ହେବା କଥା ନା ! ସାତ ବାଜି ଖେଳ ହେଲେ ସାତ ବୋଝ ହେବ ମୋ ଉପରେ । ତା’ପରେ ଆପଣ ମୋ’ର ଆଖିରେ କନାପଟି ବାନ୍ଧି ଆଞ୍ଜୁଳାରେ ଆଞ୍ଜୁଳେ ବାଲି ଦେଇ, ବାଲି ଦିହରେ ଗୋଟାଏ କାଠି ପୋତି ମୋତେ ସାତ–ବେଣ୍ଟିଆ କରିବେ । ମୁଁ ଆପଣଙ୍କୁ ଯଦି ଧରିଦେବି, ତେବେ ଜିତିବି । ନଇଲେ ସତକୁସତ ସାତ-ବେଣ୍ଟିଆ ମା’ ହେଇଯିବି ।’’ ବିଜୟା ଦେବୀ ବଡ଼ ଅନୁନୟ ଦୃଷ୍ଟିରେ ଚାହିଁଲେ ଅନୁପମକୁ ।

 

ଅନୁପମ କହିଲା, ‘‘ନା–ନା, ବିଜୟା ଦେବୀ ପୁଣି ଆଉ ଥରେ,–ଚାଲନ୍ତୁ ଫେରିଯିବା । ପୁଣି ଆପଣଙ୍କ ଘରକୁ ଯେବେ ଯିବି ସେଇଠି ଖେଳିବା ।’’

 

‘‘ତା’ହେଲେ–ଏଇଠୁ ଖେଳ ବନ୍ଦ !!’’

 

‘‘ହଁ–’’

 

‘‘ତା’ହେଲେ ଆଜି ଆମ ଘରକୁ ଯିବେ ?’’

 

‘‘ନା–ଆଜି ନୁହେଁ–ଆଉ ଦିନେ ।’’

 

‘‘କାହିଁକି, ଆଜି ଚାଲୁନାହାନ୍ତି–ଚାଲନ୍ତୁ ନା ! ପ୍ଲିଜ୍‌ ମୋତେ ଭାରି ଏକା ଏକା ଲାଗେ ସେଠି । ମୁଁ ଭାରି ଖୁସି ହେବି । ଡଃ: ଦାସ ! ପ୍ଲିଜ୍‌....’’

 

‘‘ଆଚ୍ଛା....’’

 

‘‘ଭେରି ଗୁଡ୍‌’’–ବିଜୟା ଦେବୀ କାର୍‌ ଭିତରକୁ ଗଲେ–‘‘ଆରେ, ଆଗକୁ ଆସନ୍ତୁ ।’’ ନିଜର ଲୁଗାପଟାକୁ ଚାହିଁ ଓ ମୁଣ୍ଡରେ ହାତ ମାରି ବିଜୟା ଦେବୀ କହିଲେ–‘‘ଇସ୍‌, କେତେ ବାଲି ମଁ-। ଇଃ, ବଡ଼ ଅସନା ଲାଗୁଚି ।’’ ବିଜୟା ଦେବୀଙ୍କ ମୁହଁ କୁଞ୍ଚିତ ହୋଇଉଠିଲା । ‘‘ଚାଲନ୍ତୁ... ଘରେ ପ୍ରଥମେ ମୋତେ ଗାଧୋଇବାକୁ ପଡ଼ିବ ।’’
 

ଅନୁପମ ଆଗକୁ ଆସିଲା ପରେ କାର୍‌ ଚାଲିଲା । ପୁଣି ସେଇ ସହର ଆଡ଼କୁ, ବାଙ୍କ ବୁଲି ବୁଲି, ଯେଉଁ ରାସ୍ତା ଦେଇ ଆସିଥିଲେ ସେଇ ରାସ୍ତାରେ ।

 

ସେଦିନ କୃଷ୍ଣପକ୍ଷର ଅଷ୍ଟମୀ ତିଥି । ଆକାଶରେ ଅଗଣିତ ତାରା ଅନୁପମର ହଜାର ହଜାର ଆଶା ପରି ମିଟିମିଟି କରୁଥାନ୍ତି । ଜହ୍ନ ନ ଥାଏ । କାର୍‌ ଚାଲିଥାଏ ସହର ଭିତର ଦେଇ । ଅନୁପମ କାଚ ଦେଇ ଚାହିଁଥାଏ ସେଇ ବିସ୍ତୃତ ଆକାଶର ତାରାଗୁଡ଼ାକୁ । ବିଜୟା ଦେବୀ ଷ୍ଟିଅରିଂ ଉପରେ ହାତ ରଖି ଚାହିଁଥାନ୍ତି ଦୁଇ ଭାଗରେ ବିଭକ୍ତ ହୋଇଯାଉଥିବା ଜନତାର ଭିଡ଼କୁ ।

 

କେନ୍ଦ୍ରାପଡ଼ା କେନାଲ୍‌ର ପୋଲ ଉପରେ ହଠାତ୍‌ ବିଜୟା ଦେବୀ କାର୍‌ ବନ୍ଦ କଲେ । ଶବ୍ଦ କରି ଗାଡ଼ିଟା ଠିଆହେଲା ଅର୍ଦ୍ଧବୃତ୍ତାକାର କାଠପୋଲଟାର ଠିକ୍‌ ମଝାମଝି ଜାଗାରେ । ତଳେ କେନାଲ୍‌ର ପାଣି ସୁଅ । ଶାନ୍ତ । ତାରାଙ୍କର ଚେହେରା ବିମ୍ବିତ । କେନାଲ୍‌ କୂଳର ବତିଖୁଣ୍ଟଗୁଡ଼ାକର ଆଲୁଅ ବି ଦିଶୁଚି ପାଣି ଭିତରେ ଓଲଟା ସଲଟା ଦି-ଧାଡ଼ି ହୋଇ । ବାଁ-ପାଖ ତଳରେ ସ୍ନାନଘାଟ, ସିମେଣ୍ଟର ବେଞ୍ଚ । କେହି ଦୁଇଜଣ ବସିଛନ୍ତି । ତା’ ଭିତରୁ କେହି ବୋଧହୁଏ ଗୀତଟିଏ ଗାଉଚି–ଶୁଭୁଚି ଅନୁପମକୁ–କାନ୍ତ କବିଙ୍କ ରଚିତ ସେଇ ସଙ୍ଗୀତ, ‘‘ସବୁଥିରୁ ବଞ୍ଚିତ କରି, କେଉଁ ଯଶବାନା ଉଡ଼ାଇବ ହେ......’’ ଭାରି ବେଦନାମୟ ହୃଦୟଛୁଆଁ ତାର ଭାବ–ଭାରି କରୁଣ ତାର ମୂର୍ଚ୍ଛନା । କିଏ ସେ ? ଏ ପୃଥିବୀରେ କିଏ ବା ବଞ୍ଚିତ ନୁହେଁ ? କଣ ବା କିଏ ପାଇଚି ? ସେଇ ରୁଗ୍‌ଣ ଅଭିଶପ୍ତ କବି ଲକ୍ଷ୍ମୀକାନ୍ତଙ୍କର ମୁହଁଟା ଛଳଛଳ ହୋଇଉଠିଲା କେନାଲର ଅର୍ଦ୍ଧାଲୋକିତ ପାଣିରେ–ଅନୁପମକୁ ସ୍ପଷ୍ଟ ଦିଶୁଥିଲା ତାଙ୍କର ଆଖି ଦୁଇଟା । କିଛି କ୍ଷଣ ପରେ ସେଇ ଛବିଟା ଅଦୃଶ୍ୟ ହୋଇଗଲା ତାରାମାନଙ୍କର ବିମ୍ବ ଭିତରେ । ଗୀତର ସ୍ୱରଟା ବି ଭାସିଗଲା କେନାଲ୍‌ର ସୁଅରେ । ସିମେଣ୍ଟ ବେଞ୍ଚରେ ବସିଥିବା ସେଇ ଲୋକଟି ଉଠିପଡ଼ି ଗୋଟାଏ ଲମ୍ବା ଦୀର୍ଘଶ୍ୱାସ ନେଲା । ତା’ ସାଙ୍ଗରେ ଥିବା ଲୋକେ କହିଲେ–‘‘ବାଃ, ଭଲ ଗାଇଚୁ । ତୋ କଣ୍ଠକୁ ଏଇ ଗୀତଟି ବେଶ୍‌ ସାଜୁଛି-।’’ ଅନୁପମ କିନ୍ତୁ ସେଇ ‘ଦୀର୍ଘଶ୍ୱାସ’ଟାକୁ ଓଜନ କରୁଥିଲା I
 

କେନାଲ୍‌ଟା ଲମ୍ବିଯାଇଥିଲା ଦୂରକୁ ଦୂରକୁ । ଅନ୍ଧକାର ଭିତରେ ଦିଶୁନଥିଲା ତାର ଶେଷ । ଡାହାଣପଟରେ ସେଇ ଏକା ଭାବ । ଅନ୍ଧାରରୁ ଆସୁଚି କେନାଲ୍‌ଟା । ଅନୁପମ କଳନା କରିପାରୁନାହିଁ–ତାହାର ଆଦି କଣ, ଅନ୍ତ କଣ ।

 

ଅନ୍ଧାରମିଶା ପବନ ସାଇଁ ସାଇଁ ପିଟୁଛି । ଅନ୍ଧାରର ପ୍ରତିମା ପରି ଷ୍ଟିଅରିଂ ଉପରେ ମୁଣ୍ଡ ଭରାଦେଇ ବସିଛନ୍ତି ବିଜୟା ଦେବୀ । ଭାରି ଥଣ୍ଡା ପବନ । ଦେହ ହେମାଳ ଲାଗୁଛି । ବିଜୟା ଦେବୀ ଆଖି ବୁଜିଛନ୍ତି ।

 

କାର୍‌ଟା ମଝିରେ ଠିଆହୋଇଥିବାରୁ ବାଟୋଇମାନେ ଗଲାବେଳେ ହାତମାରି ଦେଉଛନ୍ତି ପଛପଟରେ । କେହି ଦୃଷ୍ଟି ଗଳେଇ ଅନଉଛନ୍ତି ଭିତରକୁ । କଣ ଅଛି ? କିଏ ଅଛନ୍ତି–ଜାଣିବାକୁ । ଗୋଟାଏ ଦୁଇଟା ସାଇକେଲ୍‌ ରିକ୍‌ସା ଟଣ୍‌ଟଣ୍‌ କରି ବାଟକାଟି ପଳେଇଲେଣି । ପୋଲକୁ ସହଜରେ ଉଠିପାରୁନଥିବା ସାଇକେଲବାଲା ବୁଢ଼ାମାନେ ସାଇକେଲ୍‌ ଗଡ଼େଇ ଚାଲିକରି ପାରହେଲାବେଳେ ଚାହୁଁଛନ୍ତି ଭିତରକୁ । ବିଜୟା ଦେବୀ ଆରାମରେ ଶୋଇଛନ୍ତି–ତାଙ୍କର ପଣତଟା ପବନରେ ଫଟ୍‌ଫଟ୍‌ ହୋଇ ଉଡ଼ି ଅନୁପମର ଗାଲରେ ପିଟି ହେଉଛି । ଅନୁପମକୁ ଅଡ଼ୁଆ ଅଡ଼ୁଆ ଲାଗୁଛି ।

 

ଅନୁପମ ଡାକିଲା ଖୁବ୍‌ ଧୀରେ–‘‘ବିଜୟା ଦେବୀ ! ଚାଲନ୍ତୁ–ବାଟ ମଝିରେ....’’

 

ବିଜୟା ଦେବୀ ଶୁଣିଲେନାହିଁ । ଅନୁପମ ପୁଣି ଡାକିଲା । ବିଜୟା ଦେବୀଙ୍କ ଅଙ୍ଗ ଛୁଇଁବାକୁ ତା’ର ସାହସ ଥିଲେ ବି କେମିତି କେଜାଣି ତାକୁ ପଛଆଡ଼ୁ କିଏ ଟାଣି ଧରୁଥାଏ । ବିଜୟା ଦେବୀ ଶୁଣିଲେନାହିଁ ତାର ଡାକ । ସେ ବାଧ୍ୟ ହୋଇ ତାଙ୍କର ବାହା ଧରି ଝୁଲାଇଲା–‘‘ଚାଲନ୍ତୁ ମ...-!’’

 

‘‘କାହିଁକି ? ଖରାପ ଲଗୁଚି !’’

 

‘‘ହଁ–’’

 

‘‘ମାନେ–ଏଡ଼େ ସୁନ୍ଦର ବତାସି–ଏ କେନାଲ–ଏ ପୋଲ–ଖରାପ ଲାଗିବାର କିଛି ତ ଦେଖୁନାହିଁ ମୁଁ !’’ ବିଜୟା ଦେବୀ କହିଲେ ।

 

‘‘ସବୁ ଭଲଲାଗୁଚି–କିନ୍ତୁ ବାଟ ମଝିଟା....’’

 

‘‘ଓ, କଥାଟା ଯାଇ ସେଠି । ହଇହେ ଡଃ: ଦାସ, ଏ ଦୁନିଆ ଓ ଏ ସହରର ଲୋକେ କଣ ଆପଣଙ୍କ ଭଲମନ୍ଦ ବୁଝନ୍ତି, ସୁବିଧା ଅସୁବିଧା ବୁଝନ୍ତି ? ମୁଁ ନିଶ୍ଚିତ ଯେ–ଦେ ଡୋଣ୍ଟ୍‌ କେଆର୍‌ ଫର୍‌ ୟୁ । ସେମାନେ ଆପଣଙ୍କ ମଲାଗଲାର ଖବର ରଖନ୍ତିନାହିଁ । ଦେନ୍‌ ହ୍ୱାଇ ସୁଡ଼ ୟୁ କେଆର୍‌ ଫର୍‌ ଦେମ୍‌ ? ଆପଣ କାହିଁକି ତାଙ୍କୁ ଅସୁବିଧା ହେବ ବୋଲି ବାଟ ମଝିରୁ ଗାଡ଼ି ହଟେଇବାକୁ କହୁଛନ୍ତି ? ଅନ୍ୟ ଗାଡ଼ି ଆସୁ । ଲଗଉ ଧକ୍‌କା । ଯିଏ ଜିତିବ ସିଏ ବଞ୍ଚିବ, ସିଏ ପୋଲ ପାର ହେବ । ଯିଏ ହାରିବ–ସେ ପୋଲ ତଳ କେନାଲ ପାଣିରେ ଭାସିଯିବ । ଆମେ ପଇସା ପାଉଛେ ବୋଲି ଡାକ୍ତର ହୋଇ ଔଷଦ ଦେଉଛେ । ରୋଗୀର ରୋଗ ହେଉଛି ବୋଲି ସେମାନେ ଆସୁଛନ୍ତି-। କେଇଜଣ ସୁସ୍ଥଲୋକ ଆପଣଙ୍କୁ ସମ୍ବର୍ଦ୍ଧନା ଦେଲେଣି, ଆପଣାଛାଏଁ ଆସି ସୁବିଧା-ଅସୁବିଧା ବୁଝିଲେଣି କିମ୍ବା ଅର୍ଥ ଦେଲେଣି କହିଲେ ? ଜଣକ ଅଫିସ୍‌ ଗାଡ଼ି ଯେଉଁ ନିୟମରେ ଅଫିସରଙ୍କ ଘର କାମରେ ଲାଗିପାରିବ, ଠିକ୍‌ ସେଇ ନିୟମରେ ଆମ ଗାଡ଼ି ରାସ୍ତା ମଝିରେ ଠିଆହୋଇ ପାରିବ–ଜବର୍ଦସ୍ତ–କିଏ ଆସୁଚି କହିବା ପାଇଁ ଆସୁ ।’’

 

‘‘କିନ୍ତୁ ଲାଭ କ’ଣ ଏଥିରେ ?’’–ଅନୁପମ କହିଲା ।

 

‘‘କ୍ଷତିଟା ବା କଣ ?’’

 

‘‘ଆମେ ଯାଇ ଏଇ ସମୟରେ ଆପଣଙ୍କ ଘରେ ପହଞ୍ଚିପାରିଥାନ୍ତେ !’’

 

କିନ୍ତୁ–ପହଞ୍ଚିନାହାନ୍ତି–ଏଇଆ ତ !’’ ବିଜୟା ଦେବୀ କହିଲେ–‘‘କ୍ଷତିଟା କଣ ହୋଇଚି ମୁଁ ବୁଝିପାରୁନାହିଁ । ମଣିଷ ଯେଉଁଠି ରହିବ ସେଇଟା ତା’ର ଘର । ଏଇଟା ବି ଘର । ଆପଣ ଅଛନ୍ତି, ମୁଁ ମଧ୍ୟ ଅଛି । ସେଠିକି ଗଲେ ମଧ୍ୟ ସେଇ ଆପଣ ଓ ସେଇ ମୁଁ–କିଛି ଅଧିକା ହେବ କି ? ତେଣୁ ଏଠି କାର୍‌ ଭିତରେ ବସିବା ଯାହା ଘର ଭିତରେ ବସିବା ବି ତାହା । ଛାଡ଼ନ୍ତୁ, ମଜା କଥା କିଛି କୁହନ୍ତୁ । କେମିତି ଲାଗୁଛି ଏଇ ପରିବେଶ । ଏ ଅନ୍ଧାର ରାସ୍ତା–ପୁଣି ଲୋକଙ୍କ ଯା-ଆସ–କାର୍‌–ମୁଁ ପୁଣି ବସିଚି ପାଖରେ–ବହୁତ ଗୁଡ଼ାଏ ପ୍ରଭାବଶାଳୀ ବସ୍ତୁର ଏକତ୍ର ସମାହାର ଆପଣଙ୍କୁ ନିଶ୍ଚୟ ଭଲ ଲାଗୁଥିବ ! ଲାଗୁନାହିଁ ?’’

 

‘‘ନା–’’

 

‘‘କାହିଁକି ? କଣ ହେଲା । ଆପଣ ତ ହାରିନାହାନ୍ତି ଶେଷ ଖେଳଟାରେ–ଆପଣ ଗୋଟାକରେ ଜିତିଲେ । ମୁଁ ମଧ୍ୟ ଗୋଟାକରେ ଜିତିଲି । ମନ ଖରାପ କିଆଁ ?’’

 

ଏତିକିବେଳେ ପଛଆଡ଼ୁ, ଗୋଟାଏ କାର୍ ଆସି ହର୍ଣ୍ଣ ଦେଲା । ବିଜୟା ଦେବୀ ନ ଶୁଣିଲା ପରି ବସିଲେ । କିଛି ସମୟ ପରେ ଆଗଆଡ଼ୁ ମଧ୍ୟ ଟ୍ରକ୍‌ଟାଏ ଆସି ହର୍ଣ୍ଣ ଦେଲା । ଦୁଇ ପାଖରୁ ଘନଘନ ହର୍ଣ୍ଣ ଶବ୍ଦ ଆସୁଥାଏ । ବିଜୟା ଦେବୀ ସେଇମିତି ବସିଥାନ୍ତି । ଶେଷରେ କାର୍‌ର ଡ୍ରାଇଭର୍‌ ଓ ଟ୍ରକ୍‌ର ଡ୍ରାଇଭର ଆସି ରାଗିମାଗି ପହଞ୍ଚି କହିଲେ–‘‘କଣ ଆଜ୍ଞା, ବାଟଟାକୁ ପଟ୍ଟା କରିନେଲେ କି ? ନା କାଲ ହୋଇଗଲେ ?’’

 

‘‘ଗାଡ଼ି ଖରାପ’’–ବିଜୟା ଦେବୀ ଗମ୍ଭୀରଭାବରେ ଓଠ ଚିପି କହିଲେ ।

 

‘‘କଣ ହେଇଚି ?’’ ଟ୍ରକ୍‌ ଡ୍ରାଇଭର ପଚାରିଲା ।

 

‘‘ଷ୍ଟାର୍ଟ ବନ୍ଦ । ପେଲିଲେ ଷ୍ଟାର୍ଟ ହେବ ।’’

 

‘‘ପେଲିଦେଉନାହାନ୍ତି !’’ –କାର୍‌ ଡ୍ରାଇଭର କହିଲା ।

 

ବିଜୟା ଦେବୀ ଖତେଇ ହେଲାପରି କହିଲେ–‘‘ଆମେ ପେଲିପାରିବୁ ନାହିଁ । ଗାଡ଼ି ଏଇଠି ରହିବ.... ।’’

 

‘‘ଆଚ୍ଛା କଥା, ଆମେ ଆଉ ପାର ହେବୁନାହିଁ ନା କଣ ?’’

 

‘‘ହୁଅନ୍ତୁ ବା ନ ହୁଅନ୍ତୁ’’–ବିଜୟା ଦେବୀ କହିଲେ–‘‘ଆମର କି ଯାଏ ! ଆପଣ ପାର୍‌ହେଲେ ଆମ ଗାଡ଼ି କୋଉ ଠିକ୍‌ ହୋଇଯିବ ନା ଘର ଧନରତ୍ନରେ ଭର୍ତ୍ତି ହୋଇଯିବ, ନା ଆପଣ ପାର୍‌ ନହେଲେ ଆମର କୋଉ ଖଣ୍ଡିଆ କାନ୍ଥ ପଡ଼ିଯିବ ! ପାରିବେ ଯଦି ଦୁଇଜଣଯାକ ମିଶି ପେଲିଦିଅନ୍ତୁ–ଗାଡ଼ି ଷ୍ଟାର୍ଟ ହେଲେ ଆମେ ପଳେଇବୁ–ରାସ୍ତା ସାଫ୍‌ ହୋଇଯିବ ଓ ଲୋକଙ୍କ ଯିବାଆସିବା ସହଜ ହେବ । ନ ପାରିବେ ତ ନାହିଁ । ବେଶ୍‌, ଏଇମିତି ଆମେ ସାରାରାତି ପଡ଼ିଥିବୁ । କାର୍‌ଟାକୁ ଏଠି ଛାଡ଼ି ତ ଯାଇ ହେବନାହିଁ–କଣ ଆଉ କରାଯିବ ?’’

 

ଡ୍ରାଇଭର୍‌ ଦୁଇଜଣ ପରସ୍ପର ମୁହଁକୁ ଚାହିଁଲେ । ଟ୍ରକ୍‌ ଡ୍ରାଇଭର୍‌ ଜଣକ ଅନୁପମକୁ ଲକ୍ଷ୍ୟ କରି କହିଲା–‘‘ହଉ ଆଜ୍ଞା, ଆପଣ ବାହାରକୁ ଆସନ୍ତୁ, ମିଶିକି ପେଲି ଦେବା ।’’

 

ବିଜୟା ଦେବୀ କହିଲେ–‘‘ନା, ସେ ଅସୁସ୍ଥ । ଠିଆ ହୋଇ ପାରୁନାହାନ୍ତି, ପେଲିବେ କେମିତ ? ସେ ପାରିବାର ହୋଇଥିଲେ ଆମେ ଯାଇଁ ଏତେବେଳକୁ ଘରେ ପହଞ୍ଚିସାରିଥାନ୍ତୁ ।’’

 

ବାଧ୍ୟ ହୋଇ ଦୁଇଜଣ ବିରକ୍ତିସହ ଗାଡ଼ିଟା ପେଲିଲେ । ଗାଡ଼ି ଗଡ଼ିଲା ଆଗକୁ । ବିଜୟା ଦେବୀ ମୁଚୁକି ମୁଚୁକି ହସୁଥାନ୍ତି । ଅନୁପମ କାବ୍‌ବା ହୋଇ ଚାହିଁଥାଏ । ଗାଡ଼ିଟା ପୋଲମୁଣ୍ଡରେ ପହଞ୍ଚିଲାକ୍ଷଣି ବିଜୟା ଦେବୀ ଷ୍ଟାର୍ଟ ଦେଲେ । ଗାଡ଼ି ସାଁ-ସାଁ କରି ଚାଲିଲା । ବିଜୟା ଦେବୀ ଅନୁପମକୁ କହିଲେ–‘‘ଦେଖିଲେ ତ ! କି ମଜାଟା ହେଲା ।’’

 

ବିଜୟା ଦେବୀଙ୍କ ଘରେ ପହଞ୍ଚି ଅନୁପମ ଦେଖିଲା–ପୂଝାରି ବଇଁଶୀ ଗୋଟାଏ କଳା-ବିରାଡ଼ିକୁ ଗୋଡ଼େଇଚି ହାତରେ ପିଠାଖଡ଼ିକାଟିଏ ଧରି । ବିରାଡ଼ିଟା ଘରର ବିଭିନ୍ନ କୋଣରେ ଲୁଚି ଲୁଚି ନିରାଶ ହୋଇ ପଳେଇବାର ବାଟ ଖୋଜୁଥାଏ I ପଶିଥାଏ ଆଲ୍‌ମିରା ତଳେ । ବଇଁଶୀ ତାକୁ ଜଗିଥାଏ, ବାହାରିଲେ ଦେବ ପାହାରେ I ବିରାଡ଼ିଟା ମ୍ୟାଉଁ ମ୍ୟାଉଁ ହେଉଥାଏ–ମଝିରେ ସୁ ସୁ ହୋଇ ନିଶ ଫୁଲାଇ ଦାନ୍ତ ଓ ନଖ ଉଞ୍ଚୋଉଥାଏ ବଇଁଶୀ ଆଡ଼କୁ । ତାର ନଖକୁ ଡରି ବଇଁଶୀ ଭୟରେ ହାତ ବଢ଼ଉ ନଥାଏ ଆଲମାରି ତଳକୁ–ଯଦି ଡେଇଁପଡ଼ି ରାମ୍ପି ପକେଇବ ! ଆଲ୍‌ମିରାର ତଳ ଅନ୍ଧାରରେ ସେଇ ଅନ୍ଧାରର ଜନ୍ତୁ ବିରାଡ଼ିଟାର ଆଖି ଦୁଇଟା କିନ୍ତୁ ଦାଉଦାଉ ଜଳୁଥାଏ–ନିଆଁମୁଣ୍ଡା ପରି । ଅନୁପମ ପହଞ୍ଚିଲାକ୍ଷଣି ବଇଁଶୀ ସାମାନ୍ୟ ଅନ୍ୟମନସ୍କ ହୋଇପଡ଼ିଲା । ସେଇ ଅବସରର ସୁଯୋଗ ନେଲା ବିରାଡ଼ିଟା । ଆଲ୍‌ମାରି ତଳୁ ବାହାରି ପଡ଼ିଲା ଲମ୍ବହୋଇ । ଅନୁପମର ଦୁଇଗୋଡ଼ର ଫାଙ୍କ ଦେଇ ମାଇଲା ଚିଲ୍ଲା । ବଇଁଶୀ ପିଠାଖଡ଼ିକାଟା ଫୋପାଡ଼ିଲାବେଳକୁ ବିରାଡ଼ିଟା ବାହାରର ଅନ୍ଧକାର ଭିତରକୁ ଡେଇଁ ପଡ଼ିଥିଲା । ପିଠାଖଡ଼ିକାଟା ଖଟାଂଖଟ ହୋଇ କଚାଡ଼ି ହୋଇ ପଡ଼ିଲା ତଳେ ।

 

‘‘କିରେ, କଣ ଖାଇଲା କି ?’’ –ବିଜୟା ଦେବୀ ବଇଁଶୀକି ପଚାରିଲେ ।

 

‘‘ପରିବା କାଟୁ କାଟୁ ମୋ ଆଙ୍ଗୁଳିଟା କଟିଗଲା । ସେଇ ରକ୍ତ ଲାଗିଥିଲା ପନିକି ଦାଢ଼ରେ । ମୁଁ ଆଙ୍ଗୁଳିଟାରେ ଖଣ୍ଡେ କନା ଗୁଡ଼େଇବାକୁ ଗଲି । ପନିକି ଓ ଅଧାକଟା ପରିବା ସେଇମିତି ଥାଏ । ଫେରି ଦେଖେଁ ତ ଏଇ ଭୁଆଟା ଆସିକି ପନିକିଟା ଚାଟୁଛି । ମଣିଷରକ୍ତ ବିରାଡ଼ି ଖାଇଲେ ଭାରି ଅଶୁଭ ହୁଏ ପରା !’’

 

‘‘କେଜାଣି ମୁଁ ଜାଣେନା’’–ବିଜୟା ଦେବୀ କହିଲେ, ‘‘ଡକ୍ଟର ଦାସ ! ଆସନ୍ତୁ ଉପରକୁ । ହଁ, ବଇଁଶୀ, ବାବୁ ଆଜି ଏଠି ଖାଇବେ–ବୁଝିଲୁ !’’ ବିଜୟା ଦେବୀ ଯାଉଁ ଯାଉଁ ପୁଣି ଠିଆହୋଇ କହିଲେ–‘‘ହଁ, ଦେଖି ତୋ ହାତ ।’’ ବଇଁଶୀର ଆଙ୍ଗୁଳିଟାକୁ ବିଜୟା ଦେବୀ ପରୀକ୍ଷା କଲା ଭଳି ଏପଟ ସେପଟ କଲେ ଓ କନାପଟିଟାକୁ ଖୋଲି ପକେଇଲେ–‘‘କଣ ଦେଇଚୁ ?’’ ବଇଁଶୀ କହିଲା–‘‘କିଛି ନାହିଁ ! କଣ ଦେବି ବୁଝିପାରିଲି ନାହିଁ ।’’

 

‘‘ଆଚ୍ଛା କରିଛୁ’’–ବିଜୟା ଦେବୀ କହିଲେ । ଅନୁପମ ଚାହିଁଥାଏ ବିଜୟା ଦେବୀଙ୍କ ମୁହଁକୁ । ବିଜୟା ଦେବୀ ବଇଁଶୀର ଆଙ୍ଗୁଳିଟାକୁ ଟାଣିଧରି ପାଟିରେ ପୂରେଇଲେ । ତା’ପରେ ଚୁଁ–ଚୁଁ କରି ଟାଣିଲେ ରକ୍ତ । ଅନୁପମର ଦେହ ଶିରିଶିରି ହୋଇ ଉଠୁଥାଏ, ତାର କ୍ଷତ ଆଙ୍ଗୁଳି ଉପରେ ବିଜୟା ଦେବୀଙ୍କର ସେଦିନର ଅତ୍ୟାଚାର କଥା ମନେ ପଡ଼ି । ଠିକ୍‌ ଏଇମିତି ତ ରକ୍ତ ଶୋଷୁଥିଲେ ସେଦିନ । ହଁ–ଠିକ୍‌ ଏଇମିତି !

 

ବଇଁଶୀ ଆଖି ବୁଜି ଠିଆହୋଇଥାଏ; ଯନ୍ତ୍ରଣାର ଚିହ୍ନ ସ୍ପଷ୍ଟ ହୋଇ ଉଠିଥାଏ ତାର ଗାଲ ଓ ଭ୍ରୂରେ ।

 

କଛି କ୍ଷଣ ପରେ ବିଜୟା ଦେବୀ ବଇଁଶୀର ଆଙ୍ଗୁଳିଟାକୁ ମୁକ୍ତି ଦେଲେ । ‘‘ଯାଃ, ସବୁ ଭଲ ହେଇଯିବ । ଆଉ କିଛି ଲଗେଇବା ଦରକାର ନାହିଁ ।’’

 

ଅନୁପମ ଦେଖିଲା–ବଇଁଶୀର ଆଙ୍ଗୁଳିଟା ସିଠା ପଡ଼ିଯାଇଥାଏ । ବିଜୟା ଦେବୀ ଶୋଷିବା ପରେ ଅନୁପମର ଆଙ୍ଗୁଳିର କ୍ଷତଟା ମଧ୍ୟ ଭଲ ହୋଇଯାଇଥିଲା । ଅନୁପମ କହିଲା–‘‘ବେଶ୍ ଉପାୟ ତ !’’ ବିଜୟା ଦେବୀ ସାମାନ୍ୟ ହସି କହିଲେ–‘‘ମଣିଷର ରକ୍ତ ଉପରେ ମୋର ଭାରି ଲୋଭ । କେଡ଼େ ଉଜ୍ଜ୍ୱଳ ଓ ସ୍ଵାଦୁରକ୍ତ, କେଡ଼େ କଷ୍ଟରେ ତିଆରି ହୁଏ, ତାକୁ ନଷ୍ଟ କରିବା ନିର୍ବୋଧତା ନୁହେଁ କି ? ଆମେ ପଶୁଙ୍କଠାରୁ ଏତିକି ଶିଖିରଖିବା ଉଚିତ ।’’

 

‘‘ବିଜୟା ଦେବୀ !!’’ –ଅନୁପମ ଆଶ୍ଚର୍ଯ୍ୟ ଆଖିରେ ଚାହିଁଲା । ବିଜୟା ଦେବୀ ହସିଲେ–‘‘ଆମେ ଭିଟାମିନ୍‌ ଖାଉଁ ରକ୍ତ ହେବ ବୋଲି; କିନ୍ତୁ ପଶୁମାନଙ୍କର ଭିଟାମିନ୍‌ ଖାଇବା ଦରକାର ପଡ଼େନାହିଁ–ସେମାନେ ନିର୍ମଳ ନାଗ୍‌ଦା ରକ୍ତ ହଁ ଖାଆନ୍ତି । କୁହନ୍ତୁ, କିଏ ବୋକା, କିଏ ଚାଲାକ୍‌ ? ଛାଡ଼ନ୍ତୁ ସେ କଥା । ଉପରକୁ ଆସନ୍ତୁ । ହଁ, ଉପରେ ଯେମିତି ଏଇସବୁ ସିରିଅସ୍‌ ବିଷୟର ଆଲୋଚନା ନହୁଏ ମନେରଖିବେ ।’’

 

ସେମାନେ ଉପରକୁ ଉଠିଲେ । ଗୁଡ଼ାଏ ବିଶୃଙ୍ଖଳ ଶବ୍ଦ ପାହାଚ ଉପରୁ ଖସି ଖସି ପଡ଼ୁଥିଲା ତଳକୁ; କେତେକ ବା ପାଣିଆ କାଦୁଅ ପିଚିକିଉଠିଲା ଭଳି ପିଚ୍‌ପିଚ୍‌ ହୋଇଯାଉଥିଲା ଚାରିଆଡ଼କୁ ।

 

ଉପରେ ।

 

ଅନୁପମ ହାତରେ ଗୋଟାଏ ଚିତ୍ର-ବହି ଧରାଇଦେଇ ବିଜୟା ଦେବୀ କହିଲେ–‘‘ଏଇଟାକୁ ଦେଖୁଥାନ୍ତୁ । ମୁଁ ଟିକିଏ ଗାଧୁଆଘରୁ ଆସେ । ଟିକିଏ ତାଜା ହେବା ଦରକାର ତ !’’ ବିଜୟା ଦେବୀ ବାଥ୍‌ରୁମ୍‌କୁ ଚାଲିଗଲେ । ଅନୁପମ ଚିତ୍ର-ବହିଟି ସେଇମିତି ଧରିଥାଏ, ଅପ୍ରବୀଣ ସାପୁଆକେଳା ସାପକୁ ଆପଣା ବେକରେ ଗୁଡ଼ାଇବାର ସାହସ ନ ପାଇ କେବଳ ହାତରେ ଧରିରଖିବା ପରି । ହାତ ଉପରେ ସାପଟା ଭିଡ଼ିମୋଡ଼ି ହେଲେ କେଳାକୁ ଯେପରି ସର୍‌ସର୍‌ ଲାଗେ ଚିତ୍ର ବହିଟା ଅନୁପମ ହାତକୁ ସେଇଭଳି ସର୍‌ସର୍‌ ଲାଗୁଥିଲା । ସୁଇଚ୍‌ ଟିପିଲେ ବିଦ୍ୟୁତ୍‌ ସଂଯୋଗରେ ବିଦ୍ୟୁତ୍‌-ହିଟର୍‌ର କଏଲ୍‌ ଯେପରି ଧୀରେ ଧୀରେ ଗରମ ଓ ଲାଲ୍‌ଲାଲ୍‌ ହୋଇଉଠେ, ଠିକ୍‌ ସେମିତି ଅନୁପମର ଅବୟବରେ ଏକ ଚଳନ୍ତା ଶକ୍ତି କ୍ରମଶଃ ସଞ୍ଚାରିତ ହେଉଥିଲା । ତାକୁ ଭାରି ଓଜନ ଲାଗୁଥିଲା ସେଇ ଚିତ୍ର ବହିଟା । କୁହୁକ ପେଡ଼ି ଖୋଲି ରହସ୍ୟ ବୁଝିବାକୁ ପ୍ରବଳ ଲୋଭ ଥିଲେ ବି ଯାଦୁବିଦ୍ୟା ସମ୍ପର୍କରେ ଅଜ୍ଞ ଥିବା ଲୋକର ଯେପରି ପେଡ଼ି ଖୋଲିବାକୁ ସାହସ କୁଳାଏ ନାହିଁ, ଅନୁପମର ସେଇମିତି ବହିଟା ଖୋଲିବାକୁ ସାମର୍ଥ୍ୟ ପାଉନଥିଲା । ତାର ସ୍ମୃତିରେ ଜମିଥିବା ଜୋନାକୀ ଓ ସୁମିତ୍ରାର ଅଶ୍ରୁଗୁଡ଼ାକ କପାଳରେ ସ୍ୱେଦବିନ୍ଦୁ ହୋଇ ଅନୁପମକୁ ସଚେତ କରାଉଥିଲେ । ଡ: ମିଶ୍ର ତା’ର ଆଖି ଆଗରେ ଠିଆହୋଇ ଦାଢ଼ି ଆଉଁଷୁଥିଲେ ଓ ମଦ ପିଉଥିଲେ । ସେଇ ବ୍ରିଟିଶ୍‌ ମହିଳାଜଣକ ବି କାନ୍ଦି କାନ୍ଦି ଡ: ମିଶ୍ରଙ୍କ ଓଠ ଉପରେ ଓଠ ରଖିବାର ଦୃଶ୍ୟ ଅନୁପମର ଆଖି ଆଗରେ ନାଚିଉଠୁଥିଲା । ଡାମରା କାଉଟେ ଭଳି ତାର ବିବେକ ରାଉ ରାଉ ହୋଇ କହୁଥିଲା–ଖୋଲ୍‌‌ନା, ଖୋଲ୍‌ନା ତାକୁ I ସେଇ ନିଆଁ, ତୋତେ ପୋଡ଼ିଦେବ । ସେଇଟା ଗୋଖର, ତୋତେ ଦଂଶନ କରିବ । ସେଇଟା ବାଘୁଣୀ, ତୋର ରକ୍ତ ପିଇଯିବ । ସେଇଟା ମାୟା, ତୋ’ ଆଖିରେ ଅନ୍ଧପୁଟୁଳି ବାନ୍ଧି ତୋତେ ଅଗନାଗ୍ନି ବନସ୍ତକୁ ନେଇଯିବ, ତୋତେ ଫୁଲ ଶୁଙ୍ଘେଇ ମଇଁଷି କରିଦେବ । ଧର୍‌ନା, ଧର୍‌ନା ତାକୁ । ଫୋପାଡ଼୍‌ ଫୋପାଡ଼୍‍–ଆରେ ପକେଇଦେ, ପକେଇଦେ ତଳକୁ । ଫିଙ୍ଗ୍‌....ଫିଙ୍ଗ୍‌ । ଆରେ, ଫିଙ୍ଗି ଦେରେ....

Unknown

 

ଲୋମଶ ହାତ ଉପରେ ଚାଲୁଥିବା ବିଛାଟାକୁ ଚିହିଁକି ପଡ଼ି ହାତ ଛାଟି ଦୂରକୁ ଫିଙ୍ଗି ଦେଲା ଭଳି ଅନୁପମ ବହିଟାକୁ ତଳେ ପକେଇଦେଲା ଅତର୍ଚ୍ଛା ।

 

ବହିଟା ତଳେ ପଡ଼ିବାରୁ ଶବ୍ଦ ହେଲା । ସେଇ ଶବ୍ଦରେ ଅନୁପମ ସାମାଜିକ-ଚେତନା ଫେରିପାଇଲା । ସେ ପୁଣି ତଳୁ ଉଠେଇଲା ବହିଟା । (ବିଜୟା ଦେବୀ କଣ ଭାବିବେ !)

 

ବାଥ୍‌ରୁମ୍‌ରେ ବିଜୟା ଦେବୀଙ୍କ ଉପରେ ପାଣି ଝମଝମ ହୋଇ ପଡ଼ିବାର ଶବ୍ଦ ଶୁଭୁଥାଏ; ଗୋଟାଏ ପୋଲା କାଚ କଣ୍ଢେଇ ଉପରେ ବାଲି ପଡ଼ିଲେ, ଯେମିତି ଶବ୍ଦ ହୁଏ ଠିକ୍‌ ସେମିତି ।

 

କିଛି କ୍ଷଣପରେ ବାଥ୍‌ରୁମ୍‌ର ଦର୍ଜା ଖୋଲିଲା । ଗୋଟିଏ ପଦ୍ମରଙ୍ଗର ଶାଢ଼ି ଓ ପଦ୍ମରଙ୍ଗର ବ୍ଲାଉସ୍‌ ପରିଧାନ କରି ବିଜୟା ଦେବୀ ଘର ଭିତରକୁ ଆସିଲେ । ସଜାହୋଇ ଥୁଆହୋଇଥିବା ଧାଡ଼ିଏ ସୌଖୀନ ଚପଲ ଭିତରୁ ଈଷତ୍‌ ପଦ୍ମରଙ୍ଗର ଜରିକାମକରା ଚପଲ୍‌ଟିଏ ପାଦରେ ଦେଲେ । ତାଙ୍କର ବାଳ ମୁକୁଳାଥାଏ । ଓଦା ବାଳର ଗଣ୍ଠିଟାଏ ଅତି ଅସାବଧାନ ଓ ଅଯତ୍ନଭାବରେ ତାଳୁ ଉପରକୁ ଟେକିହୋଇ ରହିଥାଏ ।

 

ବିଜୟା ଦେବୀ ଅନୁପମକୁ ଚାହିଁ କହିଲେ–‘‘ବହିଟା ଏତେ ଶୀଘ୍ର ଶେଷ କରି ଦେଲେ ! କୁହନ୍ତୁ, କେଉଁ ଚିତ୍ରଟା ଆପଣଙ୍କ ମନକୁ ସବୁଠୁ ବେଶି ଛୁଇଁଚି ? ଖୁବ୍‌ ମଜା ମଜା ଚିତ୍ରଗୁଡ଼ାକ, ନା-!’’

ଅନୁପମ କିଛି କହିଲା ନାହିଁ । ବିଜୟା ଦେବୀ ଅନୁପମର ଉତ୍ତରକୁ ଅପେକ୍ଷା ନ କରି ଗଣ୍ଠିଟା ଖୋଲିଲେ ଗୋଟାଏ ରୁମ୍‌ରୁମିଆ ତଉଲିଆରେ ବାଳଗୁଡ଼ାକୁ ଗୁଡ଼େଇ ଶୁଖେଇଲେ । ତଉଲିଆଟାରେ କିଛି କିଛି ଓଦାଅଂଶ ନଷ୍ଟ ହୋଇଯିବା ପରେ ସେ ଲମ୍ବା ଲମ୍ବା ବାଳଗୁଡ଼ାକୁ ମୁଣ୍ଡ ହଲେଇ ଫଚ୍‌ଫଚ୍‌ କରି ଝାଡ଼ିବାକୁ ଲାଗିଲେ । ତାଙ୍କର ଛାଇ ପଡ଼ିଥାଏ କାନ୍ଥରେ । ଛାଇଟା ଦିଶୁଥାଏ ଗୋଟାଏ ଭୂତୁକୁଡ଼ୀ ପରି; କିନ୍ତୁ ବିଜୟା ଦେବୀ ଯେବେ ଖୁବ୍‌ବେଶୀ ବେଗରେ ମୁଣ୍ଡ ଏକଡ଼ ସେକଡ଼ କରି ବାଳ ଝାଡ଼ୁଥିଲେ, ବାଳଗୁଡ଼ାକ ଅର୍ଦ୍ଦଚକ୍ରାକାରେ ଘୂରୁଥିଲା ଏବଂ ସେଇ ଅବସ୍ଥାର ଛାଇଟା ଗୋଟାଏ ଅଳ୍ପ ଉଞ୍ଚ ଖଜୁରି ଗଛ ଦୋହଲିଲାପରି ଦିଶୁଥିଲା । ତା’ପରେ ବିଜୟା ଦେବୀ ବାଳରେ ଦୁଇଚାରି ଚକି ତେଲ ଘଷି ଗୋଟାଏ ତୃତୀୟା ଚନ୍ଦ୍ରାକୃତିର ପାନିଆ ଧରି କୁଣ୍ଡାଇଲେ । ପାନିଆର ରଙ୍ଗ ଥିଲା ଧଳା । କପାଳରୁ ନିତମ୍ବ ଯାଏଁ ଲମ୍ବିତ ସେଇ କଳା ମଚମଚ କେଶ ଉପରେ ସେଇ ପାନିଆଟା ନୀଳ ଜଳ ଉପରେ ଠିକ୍‌ ଗୋଟାଏ ଚିତ୍ତଳ ମାଛ ପହଁରିବା ପରି ଦିଶୁଥାଏ । ଅଲରା ବାଳଗୁଡ଼ାକ ସଳଖ ହେବା ପରେ ବିଜୟା ଦେବୀ ତାକୁ କେରା କେରା କରି ପକାଇଲେ ଏବଂ ବରଡ଼ା ଚଟେଇ ବୁଣିବା ପରି ଦୁଇକେରା ତିନିକେରା ମିଶେଇ ବେଣୀ ବୁଣିଲେ । ଶେଷରେ ଖଜୁରି ପିଁଛ ପରି ବାଳଗୁଡ଼ାକ ଦୁଇସାର ଖଜୁରିପତ୍ର ଫିତା ପରି ଝୁଲିଲା । ଆଗରେ ପଦ୍ମରଙ୍ଗର ଦୁଇଟା ରିବନ୍‌ଫୁଲ ପରି ଝୁଲିଲା ବେଣୀ ଦୁଇଟା ଦୁଇଟି କଳା ଯୁଗଳ ମଣିଚୂଳ ସାପ ଭଳି ଦେଖାଗଲା । ରୁମିଆ ତଉଲିଆରେ ବେକମୂଳକୁ ଗଡ଼ିଆସିଥିବା ତେଲିଆ ପାଣିଗୁଡ଼ାକୁ ରଗଡ଼ି ରଗଡ଼ି ପୋଛି ସାରି ବିଜୟା ଦେବୀ ଶାନ୍ତିରେ ନିଃଶ୍ୱାସ ନେଲେ ଏବଂ ଆରସିରେ ମୁହଁକୁ ବହୁ କୋଣରୁ ତିନି ଚାରିଥର ଦେଖିଲେ । ତା’ପରେ କିଛିକ୍ଷଣ ଧରି ବନ୍ଦଥିବା ବିଜୟା ଦେବୀଙ୍କ ପାଟି ଖୋଲିଲା–‘‘ଡ: ଦାସ, ବର୍ତ୍ତମାନ ମୁଁ କେମିତି ଦଶୁଚି କହିଲେ ?’’

‘‘ଆପଣ.... !’’

‘‘ହଁ....ମାନେ ଗୋଟାଏ ଚମତ୍କାର ଉପମା ଦେଇ କହିବେ’’–ବିଜୟା ଦେବୀ ସତୃଷ୍ଣ ନୟନରେ ଚାହିଁଲେ ଅନୁପମକୁ । ତାଙ୍କର ଚିବୁକ ଓ ଓଠରୁ ହସର ମଦିରା ବୋହିପଡ଼ି ଥାଏ ।

‘‘ଆପଣ ଏଇ ଚିତ୍ରବହିର ଚିତ୍ରଗୁଡ଼ାକ ଭଳି ଦିଶୁଛନ୍ତି....’’

‘‘କଣ୍‌ କହିଲେ.... ?’’ ବିଜୟା ଦେବୀ ଗମ୍ଭୀର ହୋଇ ପଚାରିଲେ–‘‘ମୁଁ ସେଇ ଚିତ୍ରଗୁଡ଼ାକ ଭଳି... ଆପଣ ଠିକ୍‌ କହୁଛନ୍ତି ?’’

ଅନୁପମ ବଡ଼ ଅସୁବିଧାରେ ପଡ଼ିଲା । ଚିତ୍ରଗୁଡ଼ାକ ନ ଦେଖି କହିବାଟା ନିଶ୍ଚୟ ତା’ର ଭୁଲ ହେଇଚି । ସେ କଥାଟାକୁ ବଦଳେଇବାକୁ ଚେଷ୍ଟା କଲା–‘‘ଆପଣ ସତେ ଅତି ସୁନ୍ଦର ଦିଶୁଛନ୍ତି–ଗୋଟିଏ ଫୁଟିଲା ପଦ୍ମଭଳି । ଆପଣଙ୍କର ଏ ଶାଢ଼ି, ବ୍ଲାଉସ୍‌ ଓ ମୁହଁର ରଙ୍ଗ ଦେଖି ଯେ କେହି ଏ କଥା ମାନିବ !’’

‘‘ବାଃ, ବେଶ୍‌ ଲୋକ ତ ଆପଣ !’’–ବିଜୟା ଦେବୀ କହିଲେ–‘‘ଟିକିଏ ଆଗରୁ କହୁଥିଲେ ଚିତ୍ରପରି, ବର୍ତ୍ତମାନ କହିଲେଣି ପଦ୍ମଫୁଲ ପରି । ଆଉ ଥରେ ପଚାରିଲେ ବୋଧହୁଏ କହିବେ ମାଙ୍କଡ଼ୀ ପରି କିମ୍ବା ଘୋଡ଼ୀ ପରି । ଆପଣଙ୍କ କଳ୍ପନାର ଭାରସାମ୍ୟ କାହିଁ ? ନାଃ, ଆପଣଙ୍କୁ ଆଉ ଗୋଟାଏ ଉପମା ଦେବାକୁ ପଡ଼ିବ–ନଇଲେ ମୁଁ କଥା କହିବି ନାହିଁ ଆପଣଙ୍କ ସହିତ; ମାତ୍ର ଦୁଇମିନିଟ୍‌ ସମୟ ଦେଲି, ୟା’ ଭିତରେ ଉପମାଟା ଯୋଖିବାକୁ ପଡ଼ିବ ।’’

ଅନୁପମ ଏଥର ଆଉରି ଅସୁବିଧାରେ ପଡ଼ିଲା–କି ଉପମା ସେ ଦେବ ! ବଡ଼ ଜର୍ବଦସ୍ତ ଏ ବିଜୟା ଦେବୀ । ବିଜୟା ଦେବୀଙ୍କର ଆପାଦମସ୍ତକ ବାରମ୍ବାର ନିରୀକ୍ଷଣ କରି ଅନୁପମ ଉପମା ଖଞ୍ଜୁଥିଲା । ଉପମାଟା ପୁଣି ନୂଆ ଧରଣର ହେବା ଉଚିତ । ପୁରୁଣା ଉପମାଗୁଡ଼ାକ କାଟୁ କରିବନାହିଁ । ଅନୁପମର କଳ୍ପନାଶକ୍ତି ନାଗଲୋକରୁ ସ୍ୱର୍ଗଲୋକ ଯାଏଁ ଧାଇଁଲା–ଫଳ କିଛି ହେଲାନାହିଁ । ବିଜୟା ଦେବୀ କାହାରି ଭଳି ଦଶିଲେ ନାହିଁ । ପୃଥିବୀର ଫୁଲ, ଫଳ, ନଈ, ନାଳ, ପର୍ବତ ସବୁ ନାକଚ ହେଲା । ଅନୁପମ ଯେତେ ବିଳମ୍ବ କରୁଥାଏ, ବିଜୟା ଦେବୀଙ୍କ ମୁହଁର ରେଖାଗୁଡ଼ିକ ସେତିକି ଥରିଉଠୁଥାନ୍ତି–‘‘ହଁ କୁହନ୍ତୁ, କୁହନ୍ତୁ... ।’’ ଶିକ୍ଷୟିତ୍ରୀ ଗୋଟାଏ ଗଧ–ଛାତ୍ରକୁ ପାଠ ପଚାରି ଉତ୍ତର ଆଦୟ କରିବା ଭଳି ସେ ମୁଣ୍ଡ ହଲେଇ କହୁଥିଲେ–‘‘ହଁ,–କୁହନ୍ତୁ...’’

‘‘ଆପଣ ! ଆପଣ ଗୋଟେ...’’ ଅନୁପମ ଥଙ୍ଗଥଙ୍ଗ ହୋଇ କହିଲା–‘‘ମାନେ, ଗୋଟାଏ–ଗୋଟାଏ–ପ୍ରେମ ଚିଠି ଭରିଥିବା ଗୋଟାଏ ଠିକଣାହୀନ ଲାଲ୍‌ଲଫାପା ପରି ଦିଶୁଛନ୍ତି ।’’ ଅନୁପମ କହଦେଇ ଉପମାଟା ସଫଳ ହେଲା କି ନହେଲା ଜାଣିବା ଲାଗି ବିଜୟା ଦେବୀଙ୍କ ମୁହଁକୁ ନିଜ ଉତ୍ତର ଘେନି ନିଶ୍ଚତ ନଥିବା ଛାତ୍ର ଭଳି ଚାହିଁଲା । ଏଥର କିନ୍ତୁ ବିଜୟା ଦେବୀ ହସିଉଠିଲେ–‘‘ସାବାସ୍‌ ! ଆପଣ ସତକୁସତ କବି ହୋଇ ପାରିଥାଆନ୍ତେ !’’ ବିଜୟା ଦେବୀ ଅନୁପମର ଡାହାଣ ହାତଟା ହଠାତ୍‌ ଉଠେଇ ନେଇ ଓଠ ଲଗେଇ ଚୁମ୍ବନ କରିଦେଲେ–‘‘ଆପଣ ନିହାତି ମଜାଦାର ଲୋକ, ଡ: ଦାସ ! ୟୁ ଆର୍‌ ରିଅଲି ଏ... I’’ ବିଜୟା ଦେବୀ ହାତଟାକୁ ଆଉ ଥରେ ଚୁମ୍ବନ କରିବାକୁ ଯାଉଥିଲେ–ଅନୁପମ ହାତଟା ନିଜର ଅଧିକାରକୁ ଘେନିଆସିଲା । ବିଜୟା ଦେବୀଙ୍କ ଚ-କାର ଶବ୍ଦଟା ଶୂନ୍ୟରେ ଶୂନ୍ୟରେ ମିଳେଇଗଲା ।

 

‘‘ଆରେ ! ମୋ ଘରେ ବସି ଆପଣଙ୍କର ତ ଅସ୍ପର୍ଦ୍ଧା କମ୍‌ ନୁହେଁ ?’’ ବିଜୟା ଦେବୀ ହସି ହସି କହିଲେ–‘‘ଖୁବ୍‌ ରସିକ ଆପଣ ।’’ ଅନୁପମ କାଠପିତୁଳା ପରି ବସିଥାଏ । କେବଳ ପରିବେଶଟାକୁ ସାମାନ୍ୟ ସ୍ୱାଭାବିକ କରିବା ଲାଗି ମଝିରେ ମଝିରେ ହସୁଥାଏ ଏବଂ ମୁଣ୍ଡ ହଲାଉଥାଏ । ବେଳକୁବେଳ ବିଜୟା ଦେବୀଙ୍କ ରୂପଟା ତା’ ନିକଟରେ ରହସ୍ୟରୁ ରହସ୍ୟତର ହୋଇଯାଉଥାଏ । ସେ ଯେତେ ନିକଟକୁ ଯାଉଥାଏ, ବିଜୟା ଦେବୀ ସେତେ ରୂପ ପରିବର୍ତ୍ତନ କରୁଥାନ୍ତି । ଅନେକ ଥର ଅନୁପମ–ଭାବିଲାଣି ପଚାରିବ, ‘‘ଆପଣଙ୍କ ସ୍ଵାମୀ କେବେ ଆସିବେ ?’’ କିନ୍ତୁ ତା’ର ସାହସ ହୁଏନାହିଁ ।

 

ବିଜୟା ଦେବୀ କହିଲେ–‘‘ଡ: ଦାସ, ମୁଁ ଖୁବ୍‌ ଦୁଃଖିତ ଯେ ଆଜି ଆପଣଙ୍କୁ ସାମ୍ପେନ୍‌ ଦେଇ ପାରିବି ନାହିଁ । ମୁଁ କହିଥିଲି ନା, ଏଠି ମିଳେ ନାହିଁ, କଟକରୁ ମଗେଇବି ବୋଲି । ଅଣାହୋଇ ପାରିନାହିଁ । ଅବଶ୍ୟ ମୋର ଅବହେଳାରୁ କିମ୍ବା ଭୂଲା ମନ ଯୋଗୁଁ । ଆପଣ କିଛି ମନେକରିବେ ନାହିଁ । ହ୍ୱିସ୍କି ହିଁ ଅଛି ।’’

 

‘‘ମୁଁ ପିଇବି ନାହିଁ ଆଜି’’–ଅନୁପମ କହିଲା–’’ଆପଣ ପିଅନ୍ତୁ । ମୋର ଅଭ୍ୟାସ ନାହିଁ ।’’

 

‘‘ଇଏ କି କଥା !’’ ବିଜୟା ଦେବୀ କହିଲେ–‘‘ଆପଣ ପିଇବେ ନାହିଁ....ମାନେ ? ପିଇବା ପାଇଁ ହିଁ ପଡ଼ିବ । ଆପଣ ମୋର ଅତିଥି; ସେଇ ଅନୁସାରେ ପୂଜ୍ୟ । ପୂଜକ ବା ପୂଜାରିଣୀ ଯାହା ଦେବ ପୂଜ୍ୟ ତାହା ଗ୍ରହଣ କରିବାକୁ ବାଧ୍ୟ । ଏହା ଯଦି ନ ହୁଏ ପୂଜା ଏକ ଅସମ୍ଭବ ଜିନଷରେ ପରିଣତ ହେବ । ପୂଜାରିଣୀ ହରାଇବ ତା’ର ନିଷ୍ଠା, ପଣ୍ଡ ହେବ ପୂଜା, ନିଷ୍ଫଳ ହେବ ସବୁ କର୍ମକାଣ୍ଡ । ସେଥିପାଇଁ ପୂଜ୍ୟ ମୂକ ହୋଇ ପୂଜକ-ପୂଜାରିଣୀଙ୍କର ନୈବେଦ୍ୟ ଘେନନ୍ତି । ସେଇଥିରେ କେବଳ ‘ପୂଜ୍ୟ’ ହୁଅନ୍ତି ଭଗବାନ୍‌ ପଥର ହୁଏ ମହତ୍ତମ ଦେବତା । ଯେଉଁଠି ପୂଜ୍ୟର ରୁଚି ଘେନି ପୂଜକ-ପୂଜାରିଣୀଙ୍କୁ ନୈବେଦ୍ୟ ସଜାଡ଼ିବାକୁ ପଡ଼େ, ସେଠି ପୂଜା ହୋଇପାରେ ନାହିଁ–ତାହା ହୁଏ କେବଳ ଏକ କର୍ମକାଣ୍ଡ, ଏକ ଆଚାର । ସେ ପୁଜ୍ୟ ଭଗବାନ୍‌ ହୋଇପାରନ୍ତି ନାହିଁ । ସେ ପୂଜକ-ପୂଜାରିଣୀ ଭକ୍ତ ହୋଇ ପାରନ୍ତି ନାହିଁ । କର୍ମ କାଣ୍ଡର ଶେଷ ଅଛି; କିନ୍ତୁ ପୂଜାର କଣ ଶେଷ ଅଛି ? ପୂଜା ହିଁ ବଡ଼, କର୍ମକାଣ୍ଡଟା କିଛି ନୁହେଁ । ବୁଝିଲେ, ସେଇ ଅତିଥି ବଡ଼ ଯେ ନିଜର ରୁଚି ବିସ୍ମରଣ ହୋଇ ଅତିଥି–ସେବକଙ୍କ ରୁଚି ଶ୍ରଦ୍ଧାରେ ଗ୍ରହଣ କରେ । ସେ ଅତିଥି କେବଳ ଦେବତା ଅଥବା ଭଗବାନଙ୍କ ଆସନ ଦାବି କରିପାରନ୍ତି । ଆପଣଙ୍କୁ ରାମଚନ୍ଦ୍ରଙ୍କ ଭଳି ଶବରୀ ହାତରୁ କୋଳି, କୃଷ୍ଣଙ୍କ ଭଳି ସୁଦାମା ହାତରୁ ଚାଉଳଭଜା ଖାଇବାକୁ ପଡ଼ିବ ।’’

 

ବିଜୟା ଦେବୀ ବନ୍ଦହେଲେ । ତା’ପରେ ଗୋଟାଏ ବାର୍ଣ୍ଣିସ୍‌ଦିଆ କାଠ ବାକ୍‍ସର ଢାଙ୍କୁଣୀ ଖୋଲିଗଲା । ବିଜୟା ଦେବୀ ହ୍ୱିସ୍କି ବୋତଲଟାର ଠିପିଟା ଠସ୍‌କରି ଖୋଲି ପାତ୍ରରେ ଢାଳିଲେ; ଆଉ ଅନୁପମର ଓଠ ପାଖରେ ପାତ୍ରଟି ଲଗାଇ କହିଲେ–‘‘ପିଅନ୍ତୁ !’’

 

ଅନୁପମ ବାଧ୍ୟହୋଇ ପିଇଲା । ତରଳ ନିଆଁଭଳି ହ୍ୱିସ୍କି ପେଟ ଭିତରେ ଚାଉଁକିନା ପଡ଼ିଲା । ଗୋଟିଏ ପେଗ୍‌ ଶେଷକରିବା ପରେ ଅନୁପମ କହିଲା–‘‘ଏଥର ମୁଁ ଆପଣଙ୍କୁ ପିଆଇ ଦିଏଁ...’’

 

‘‘ସତେ ! ଆପଣ ପିଆଇଦେବେ......ତେବେ ମୋର ସୌଭଗ୍ୟ !’’

 

ଅନୁପମ ନିଜ ହାତରେ ପାତ୍ରଟି ଧରି ବିଜୟା ଦେବୀଙ୍କ ଓଠ ତଳେ ଲଗାଇଦେଲା । ମଦ୍ୟର ଆରସିରେ ସ୍ପଷ୍ଟ ଦିଶୁଥାଏ ବିଜୟା ଦେବୀଙ୍କ ବିସ୍ମୟଭରା ଆଖିଗୁଡ଼ାକ । ଅନୁପମର ଦେହରେ ସେଇ ଆଖି ସହସ୍ର ଆଖିଭାବରେ ଫୁଟିଉଠିଲା । ଅନୁପମ କହିଲା–‘‘ପିଅନ୍ତୁ !’’

 

ବିଜୟା ଦେବୀ ପିଇବାକୁ ଯାଉଁ ଯାଉଁ ବନ୍ଦ୍‌କଲେ–‘‘ନାଃ, ଆପଣଙ୍କ ହାତରୁ ପିଇବିନାହିଁ-।’’

 

‘‘କାହିଁକି ? ମୁଁ କିପରି ଆପଣଙ୍କ ହାତରୁ ପିଇଲି ?”–ଅନୁପମ କହିଲା–‘‘ପିଇ ଦିଅନ୍ତୁ; ନହେଲେ ମୁଁ......’’

 

‘‘ନା–ନା–ନା, ମୋ ରାଣ ଡ: ଦାସ’’–ବିଜୟା ଦେବୀ କହିଲେ–‘‘ଆପଣ କିଛି ମନେକରନ୍ତୁନାହିଁ । ମୁଁ କାହାରି ହାତରୁ ମଦ ପିଏନା ଡ: ଦାସ–ମୋତେ କ୍ଷମା କରନ୍ତୁ । ମୁଁ ନିଜେ ପିଇଦେବି । ଦିଅନ୍ତୁ, ମୋ ହାତକୁ ଦିଅନ୍ତୁ । ଏପରିକି ମୋର ସ୍ଵାମୀ ମଧ୍ୟ ମୋତେ ମଦ ପିଆଇବାକୁ ଚେଷ୍ଟାକରି ନିରାଶ ହୋଇଛନ୍ତି ।’’ ଅନୁପମ ବୁଝିପାରୁ ନ ଥିଲା ନିଜେ ପିଇବା ଓ ଅନ୍ୟ ଜଣେ ପିଆଇଦେବା ଭିତରେ ପାର୍ଥକ୍ୟ କଣ ? ସେ ବିଜୟା ଦେବୀଙ୍କ ହାତରେ ପାତ୍ର ଧରାଇଦେଲା । ବିଜୟା ଦେବୀ ଗୋଟାଏ ଢୋକ ପିଇ କହିଲେ, ଅନୁନୟ ହୋଇ–‘‘ଡ: ଦାସ, କିଛି ମନେକରିବେନାହିଁ–ଏଇଟା ମୋର ବ୍ରତ, ଏଇଟା ମୋର ଏକମାତ୍ର ସଂକଳ୍ପ । ମୁଁ ଦାନ ଦେବି, ପ୍ରତିଦାନ ନେବିନାହିଁ I ମୁଁ ଚୁମ୍ବନ ଦେବି, ଚୁମ୍ବନ ନେବିନାହିଁ କାହାଠୁଁ । ପ୍ରତିଦାନ ନେଲେ ‘ଦାନ’ ନିଷ୍ଫଳ ହୋଇଯାଏ I ମୋର ସ୍ଵାମୀ ବି ଏପର୍ଯ୍ୟନ୍ତ ମୋତେ ଚୁମ୍ବନ କରିପାରିନାହାନ୍ତି–ବିଶ୍ୱାସ କରନ୍ତୁ-।”

 

ଅନୁପମର ଆଖିର ପର୍ଦ୍ଦାଟା ସୂର୍ଯ୍ୟକିରଣରେ ନୀଳଦୀଘିର ତରଙ୍ଗମାନେ ଚକ୍‌ଚକେଇ ଉଠିଲା ଭଳି ଝଲସି ଉଠୁଥିଲା । ବିଚିତ୍ର ଦିଶୁଥିଲେ ବିଜୟା ଦେବୀ, ଗୋଟାଏ କାନ୍ତ ଲଳିତ ମଧୁପୂର୍ଣ୍ଣ ପୁଷ୍ପ ପରି ଭାଙ୍କର ଓଠ ଦିଶୁଥିଲା–ଯେ କେବଳ ଭ୍ରମରଙ୍କୁ ମଧୁ ଦିଏ, କିଛି ନିଏ ନାହିଁ ।

 

‘‘ଆପଣ ରାଗିଲେ କି ଡ: ଦାସ !’’–ବିଜୟା ଦେବୀ କହିଲେ–‘‘ନାରୀ କେବଳ ସ୍ତନ୍ୟ ଦେଇ ସନ୍ତାନ ଗଢ଼େ, କାହାଠୁଁ ସ୍ତନ୍ୟ ନିଏ ନାହିଁ । ସ୍ତନ୍ୟ ନେଲେ ମାତୃତ୍ୱ ଓ ନାରୀତ୍ୱର ଗୌରବ ନଷ୍ଟ ହୁଏ; ସେ ଆଉ ନାରୀ କିମ୍ବା ମାତା ହୋଇ ରହେନାହିଁ । ସେ ଏକ ବ୍ୟବସାୟର ବସ୍ତୁ ହୋଇଯାଏ; ଏକ ଦେବା-ନେବା ଖେଳର ପାତ୍ରୀ ହୋଇପଡ଼େ । ସେ ପ୍ରେମ ଦେଇ ପ୍ରେମ କିଣେ ସେ ମୋହିନୀ; ଯେ କାମ ଦେଇ କାମ କିଣେ ସେ କାମିନୀ; ସେ ଦେହ ଦେଇ ଅର୍ଥ ନିଏ ସେ ଗଣିକା ।’’

 

ବିଜୟା ଦେବୀ ଏକା ନିଃଶ୍ଵାସରେ ପେଗ୍‌ଟା ଶେଷ କରିଦେଇ କହିଲେ–‘‘ଆପଣଙ୍କୁ ଅପମାନିତ କରିବା ମୋର ଇଚ୍ଛା ନୁହେଁ । ଆପଣ ମୋର ନିମନ୍ତ୍ରିତ ଅତିଥି । ଏଇଟା କେବଳ ମୋର ଅନୁରୋଧ । ମୁଁ ସତୀତ୍ଵ କହିଲେ ମୋର ଏଇ ‘ଶପଥ’କୁ ହିଁ ବୁଝେ ।’’

 

ମଦ୍ୟର ଯାଦୁସ୍ପର୍ଶରେ ଅନୁପମର ଆଖିପତା ଭାରି ଭାରି ହୋଇପଡ଼ୁଥିଲା । ଝାପ୍‌ସା ଝାପ୍‌ସା ଦିଶୁଥିଲା ବିଜୟା ଦେବୀଙ୍କ ମୁହଁ ।

 

ବିଜୟା ଦେବୀ କଲିଂବେଲ୍‌ର ସୁଇଚ୍‌ ଟିପିଲେ । ବଇଁଶୀ ଆସିଲା । ଖାଦ୍ୟ ସାମଗ୍ରୀ ସଜାହେଲା ଟେବୁଲ୍‌ରେ । ସେମାନେ ଖାଇଲେ । ଖାଇବା ଟେବୁଲ୍‌ରେ ଖାଦ୍ୟ ପ୍ରତି ଅନୁପମର ଆଉ ମୋହ ନଥାଏ । ବିଜୟା ଦେବୀ ଏଇଟା ଖାଆନ୍ତୁ, ସେଇଟା ଖାଆନ୍ତୁ ବୋଲି ଜିଦ୍‌ଧରି ଅନୁପମକୁ ଖୁଆଉଥାନ୍ତି । ବେଳେବେଳେ ନିଜେ ଅନୁପମର ପାଟିରେ ଗୁଞ୍ଜି ଦେଉଥାନ୍ତି । ଅନୁପମ ଗୋଟାଏ ଯନ୍ତ୍ର ପରି ମନାକରୁଥାଏ, ପୁଣି ଗୋଟାଏ ଯନ୍ତ୍ରପରି ଚୋବେଇ ଗିଳୁଥାଏ । ସେ ବାରମ୍ବାର ଚେଷ୍ଟା କରୁଥାଏ–କେମିତି ହେଲେ ସ୍ପଷ୍ଟ ଦେଖନ୍ତା, ସ୍ପଷ୍ଟ ବାରନ୍ତା ଏଇ ନାରୀର ଚେହେରାକୁ ଆଉ ଥରେ । ଏଣୁ ତାର ହେଜ୍‌ ମୁହୂର୍ତ୍ତରେ ସେ ଆଖି ଡିମା ଡିମା କରି ଚାହୁଁଥିଲା ବିଜୟା ଦେବୀଙ୍କୁ; ବେଳେବେଳେ କିଛି କାରଣ ନ ଥାଇ ମଧ୍ୟ ହସି ଦେଉଥିଲା । ପୁଣି ସେ ଅନ୍ୟମନସ୍କ ହୋଇପଡ଼ୁଥିଲା । ପୁଣି ଆଖି ଖୋଲି ଢୁଳୋଉଥିବା ଟ୍ୟୁସନ୍‌ ଛାତ୍ର ମାଷ୍ଟ୍ରଙ୍କ ମୁହଁକୁ ଚେଷ୍ଟା କରି ଚାହିଁଲା ଭଳି ସିଧା ହୋଇ ଚାହୁଁଥିଲା । କେବଳ ସେ ଚାହୁଁଥିଲା, ଦେଖୁ ନ ଥିଲା କିଛି । ବିଜୟା ଦେବୀ ଗପୁଥିଲେ, ବେଳେବେଳେ ହୋ-ହୋ କରି ହସୁଥିଲେ । ଅନୁପମ ଶୁଣୁଥିଲା, କିନ୍ତୁ ବୁଝୁ ନ ଥିଲା କିଛି ।

 

ଖାଇବାଁ ଶେଷ ହେବା ପରେ–ବିଜୟା ଦେବୀ କାଠବାକ୍‌ସ ଭିତରୁ ସିଗାର୍‌ ବାହାର କରି ଅନୁପମକୁ କହିଲେ–‘‘ସିଗାର୍‌ ଖାଆନ୍ତୁ ।’’ ଅନୁପମର ଝାପ୍‌ସା ଦୃଷ୍ଟିରେ ସିଗାର୍‌ଟା ଗୋଟାଏ ଶ୍ମଶାନର ପୋଡ଼ା ବାଉଁଶ ପରି ଦିଶିଲା । ସେ ଆଖି ମଳି ପୁଣି ଚାହିଁଲା–‘‘କଣ୍‌ଏ ଟା ?’’

 

‘‘ସିଗାର୍‌’’–ବିଜୟା ଦେବୀ କହିଲେ–‘‘ଆପଣ ଜଣ କେବେ ଖାଇନାହାନ୍ତି ? ବେଶ୍‌ ତା’ହେଲେ ଆପଣଙ୍କୁ ଆଜି ଏଇଟା ଚାଖିବାକୁ ପଡ଼ିବ । ମୋ ସ୍ଵାମୀ ଏଇଟା ଖାଇବାକୁ ଭଲପାଆନ୍ତି ବୋଲି ମୁଁ ସାଇତି ରଖିଚି–ନିଅନ୍ତୁ.... ।’’

 

‘‘ନା, ମୁଁ ସିଗ୍ରେଟ୍‌ ଖାଏନା । ସିଗାର୍‌ ଖୁବ୍‌ କଡ଼ା ଲାଗିବ’’–ଅନୁପମର ଦୁର୍ବଳତା ପ୍ରକାଶ କରିବାକୁ ଇଚ୍ଛା ନ ଥିଲେ ବି ସେ କହିପକେଇଲା ।

 

‘‘ସେ କଥା ପଟିବ ନାହିଁ’’–ବିଜୟା ଦେବୀ ଜୋର୍‌କରି କହିଲେ–‘‘ଆପଣଙ୍କୁ ଖାଇବାକୁ ହିଁ ପଡ଼ିବ । ହଁ–ଆଁ କରନ୍ତୁ । ବେଶ–ଏଥର ପାଟି ବୁଜନ୍ତୁ ।’’

 

ବିଜୟା ଦେବୀ ଦିଆସିଲି ମାରିଲେ । ଦିଆସିଲ୍‌ କାଠିର ଶବ୍ଦରେ ଅନୁପମର ହଜିଆସୁଥିବା ଚେତନା ପୁଣି ଜାଗ୍ରତହେଲା । ସେ ଓଠରୁ ଖସିପଡ଼ୁଥିବା ସିଗାର୍‌ଟାକୁ ପୁଣି ଜାବିଧରିଲା । ବିଜୟା ଦେବୀ ଦିଆସିଲି କାଠିର ଶିଖାକୁ ସିଗାର୍‌ ମୁହଁରେ ଲଗେଇ କହିଲେ–‘‘ଟାଣନ୍ତୁ । ହଁ–ଜୋର୍‌–ଆଉରି ଜୋର୍‌ରେ–ହଁ, ଆରେ ଟାଣନ୍ତୁ ନା ! ଯାଃ–ଲିଭିଗଲା । ଆଚ୍ଛା ରୁହନ୍ତୁ–ମୁଁ ଆଉ ଗୋଟାଏ କାଠି ମାରେ । ବେଶ୍‌,–ଟାଣନ୍ତୁ ଏଥର । ହଁ–ଆଉ ଟିକିଏ ଜୋର୍‌-। ସାବାସ୍‌...ବନ୍ଦ୍‌ କରନ୍ତୁ ନାହିଁ... ।’’

 

ଅନୁପମ ଜୋର୍‌ରେ କଳେ ଧୂଆଁ ଖାଇଲା । କଡ଼ା ଦୋକ୍ତାର ଧୂଆଁ ତାର ମଗଜକୁ ଉଠିଗଲା । ସେ କାଶିଲା–ଖୁଁ ଖୁଁ ହୋଇ । ଓଠରୁ ଖସିପଡ଼ିଲା ସିଗାର୍‌ଟା ଭୂଇଁରେ । ନିଆଁଟା ବି ଲିଭିଗଲା ।

 

ସିଗାର୍‌ ଧୂଆଁର ଗନ୍ଧରେ ତାର ଲୁପ୍ତାୟମାନ ଚେତନା ସମ୍ପୂର୍ଣ୍ଣ ଲୁପ୍ତ ହୋଇ ପାରିନଥିଲା-। ତା’ର ହେଜ ଥିଲା ଅବସ୍ଥାରେ ବିଜୟା ଦେବୀ ପୂର୍ବଥର ଭଳି ତା’ର କଟି ବେଷ୍ଟନ କରି ନାଚିବାକୁ ଲାଗିଲେ । ଅନୁପମ ଘୋଷାରି ଘୋଷାରି ହୋଇ କେବଳ ପାଦ ପକାଉଥାଏ । ଆସ୍ତେ ଆସ୍ତେ ଅନୁପମର ବେକଟା ଭାଙ୍ଗି ପଡ଼ିଲା ବିଜୟା ଦେବୀଙ୍କ କାନ୍ଧ ଉପରେ । ତାକୁ ଆଉ କିଛି ଦିଶିଲା ନାହିଁ ।

 

ରାତିରେ ଶେଷ ଘଡ଼ିରେ ଅନୁପମର ଚେତା ହେଲା । ସେ ଖଟ ଉପରେ ଶୋଇଚି ବୋଲି ବୁଝିଲା । ଘରେ ଜଳୁଛି ସବୁଜ ଆଲୁଅ । ବିଜୟା ଦେବୀଙ୍କ ଘର ସେଇଟା । ଏକା ଏକା ସେ ଶୋଇଚି ।

 

ଅନୁପମ ବସି ଉଠିଲା । ଆପଣର ପୁର୍ବ-ପରିହିତ ପୋଷାକରେ କୌଣସି ପରିବର୍ତ୍ତନ ଲକ୍ଷ୍ୟ କଲାନାହିଁ । ଫ୍ୟାନ୍‌ଟା ଘିର୍‌ଘିର୍‌ ହୋଇ ଘୂରୁଥାଏ । ବିଜୟା ଦେବୀ ସେଠି ନ ଥାନ୍ତି । ସେ ନିଃଶବ୍ଦରେ ବାହାରିଲା ବଖରା ଭିତରୁ, ଚୋରଙ୍କ ପରି ପାଦ ଚିପି ଚିପି । ଅନ୍ୟ ବଖରାର ଖୋଲା ଝରକା ଭିତର ଦେଇ ମୁହଁ, ଗଳେଇ ଚାହିଁଲା–ଅନ୍ଧାର, ପୁଣି ବାହାର ପଟୁ ବନ୍ଦ । ତେବେ ବିଜୟା ଦେବୀ କେଉଁଠି ? ସେ କଣ ରାତିରେ ଘରେ ରହନ୍ତି ନାହିଁ ? ଅନୁପମକୁ କେମିତି କେମିତି ଲାଗିଲା ଘଟଣାଟା ।

 

ଆକାଶ ଅନ୍ଧକାର । ତାରାଗୁଡ଼ାକ ତଥାପି ଜଳୁଥା’ନ୍ତି । ଅନୁପମ ଆଗେଇଲା ସେଇ ପ୍ରଶସ୍ତ କରିଡର୍‌କୁ, ଯେଉଁଠି ଠିଆହେଲେ ଆକାଶଟା ଆହୁରି ବିରାଟ ଦିଶେ ।

 

ବଡ଼ଦାଣ୍ଡଟା ଦିଶୁଥାଏ ଛାତ ଉପରୁ–ଅନ୍ଧକାରର ଏକ ନଦୀ ପରୀ । କାହାରି କାହାରି ଘର କବାଟ ଫାଙ୍କ ଦେଇ କ୍ଷୀଣ ଆଲୋକ ରେଖା ଦେଖାଯାଉଥାଏ । ବଳଦେବ ମନ୍ଦିରର ଚୂଡ଼ାଟା ଗୋଟାଏ ଅନ୍ଧାରି ଅସ୍ତ୍ର ପରି ମୁନିଆଁ ହୋଇ ନିତାନ୍ତ ଅସ୍ପଷ୍ଟ ଦିଶୁଥାଏ । ପାଖରେ ବୋଧହୁଏ କେଉଁଠି ରାଢ଼ି ସାଇ ଥିଲା । ଚୂଡ଼ାକୁଟିବା ଆରମ୍ଭ ହେଲାଣି । ଢିଙ୍କି ପାହାରର ଶବ୍ଦ ଶୁଭୁଥାଏ ।

 

ସହସା ଅନୁପମର କାନରେ ଏକ ଚଳତ୍‌-ଶବ୍ଦର ପଟୁଆର ବାଜିଲା । ଶବ୍ଦ ଆସୁଥିଲା ବଡ଼ଦାଣ୍ଡରୁ । କ୍ରମଶଃ ସ୍ପଷ୍ଟତର ହେଲା ଶବ୍ଦଟା–ପଞ୍ଝେ କୁକ୍‌କୁର ଏକମୁହାଁ ହୋଇ ଧାଇଁଲା ପରି ଶବ୍ଦ । ଅନୁପମ ଆଖି ମଳି ଚାହିଁଲା ବଡ଼ଦାଣ୍ଡକୁ । ସେ ଗୋଟିଏ ଅଦ୍ଭୁତ ଜୀବକୁ ଦେଖିଲା । ଜୀବଟାର ଆଖି ଦୁଇଟା ଭୂଇଁ ନିକଟରେ ଦାଉ ଦାଉ ହୋଇ ଦିଶୁଚି, ରଡ଼ନିଆଁ ପରି । ଦୁଇଟା କଳା ଠେଙ୍ଗାପରି କଣ ଦେଖାଯାଉଚି ଉପରକୁ । ମନେହେଉଚି ଯେପରିକି କେହି ଗୋଡ଼ ଉପରକୁ କରି ହାତରେ ଚାଲୁଚି ସର୍କସ୍‌ ମଣିଷ ଭଳି । ସେଇ ଅଦ୍ଭୁତ ଜୀବଟା ଦଉଡ଼ୁଚି ଆଗେ ଆଗେ । ତା’ ପଛେ ପଛେ ଛୁଟିଛନ୍ତି ଗୁଡ଼ାଏ ବିଲୁଆ, କୁକ୍‌କୁରଙ୍କ ସଦୃଶ କୌଣସି ଚତୁଷ୍ପଦ ଜୀବର ଦଳ । ସେମାନଙ୍କର ଶତାଧିକ ଆଖି ଶତାଧିକ ନିଆଁ ବିନ୍ଦୁ ପରି ଦିଶୁଚି । ସବୁ ନିଆଁ ବିନ୍ଦୁଗୁଡ଼ାକ ଗୋଟିଏ ଆଡ଼କୁ ଦଉଡ଼ୁଛନ୍ତି । ସେଇ ଅଦ୍ଭୁତ ଜୀବଟା ସର୍କସର ଜନ୍ତୁ ପରି ପ୍ରଖର ବେଗରେ ଦଉଡ଼ୁଛି । ସେଇ ଶବ୍ଦର ପଟୁଆରଟା ଚାଲିଲା ବଳଦେବ ମନ୍ଦିରଆଡ଼େ । ମନ୍ଦିର ସାମ୍ନାରେ ଥିବା ବତିଖୁଣ୍ଟ ନିକଟରେ ପହଞ୍ଚିଲାକ୍ଷଣି ଅନୁପମ ସେଇ ଅଦ୍ଭୁତ ଜୀବଟାକୁ ନିରିଖେଇ ଦେଖିନେଲା; ଯଦିଓ ସ୍ପଷ୍ଟ ଦିଶୁ ନ ଥିଲା । ଜୀବଟା ମାଇକିନାଟାଏ ଭଳି ଦିଶୁଥାଏ । ଗୋଡ଼ ଉପରକୁ କରିଥାଏ । ସମ୍ପୂର୍ଣ୍ଣ ଉଲଙ୍ଗ । ଦୁଇହାତ ଭୂଇଁରେ ଭରାଦେଇ ଦୌଡ଼ୁଥାଏ କୁଆଡ଼କୁ । ତା’ ପଛେ ପଛେ ଗୁଡ଼େ କଳାମୁହଁ କୁକ୍‍କୁର ଜିଭ ଲହଲହ କରି ଖେପିଥାନ୍ତି । କୁକ୍‍କୁର ଦଳର ସାମ୍ନା ଧାଡ଼ି ଓ ସେଇ ମାଇକିନାଟା ଭିତରେ ଦୂରତ୍ୱ ପ୍ରାୟ ତିରିଶି ହାତ ଥିଲା । ସେଇ ବ୍ୟବଧାନ ଆସ୍ତେ ଆସ୍ତେ ବୃଦ୍ଧି ପାଉଥିଲା । ହୁଏତ କୁକ୍‍କୁରମାନେ କ୍ଳାନ୍ତ ହୋଇପଡ଼ୁଥିଲେ କ୍ରମଶଃ; କିମ୍ବା ସେଇ ଜୀବଟାର ବେଗ ପ୍ରତି ମୁହୂର୍ତ୍ତରେ ବୃଦ୍ଧି ପାଉଥିଲା । ଖପା-ଖପ, ଖପା-ଖପ୍‌ ଶବ୍ଦ ଶୁଭୁଥିଲା ଓ ମଝିରେ ମଝିରେ ସେଇ ଜୀବଟା ଦଶ ପନ୍ଦର ହାତ ଡେଇଁପଡ଼ୁଥିଲା ମଧ୍ୟ । ଅନୁପମକୁ ଭୟ ଲଗିଲା । ସେ ଦେଖିଲ, ହଠାତ୍‌ ସେଇ ଅନୁସରଣକାରୀ କୁକୁରଦଳ ବଳଦେବ ମନ୍ଦିରର ମୋଡ଼ରୁ ଆଉ ଦୂରକୁ ନ ଯାଇ ବନ୍ଦ ହୋଇଗଲେ ଓ ସେଇ ଜୀବଟାକୁ ଧରି ନ ପାରିବାରୁ ଶ୍ରମ-ନିଷ୍ଫଳ କୁକୁରମାନେ କେଁ-କେଁ-ହୋଇ ଉଚ୍ଚସ୍ୱରରେ ଭୀରୁଙ୍କ ଭଳି ରୋଦନ କରିବାକୁ ଲାଗିଲେ । ତା’ପରେ ସେଇ କୁକ୍‌କୁରମାନେ ଇଆଡ଼େ ସିଆଡ଼େ ବିଚ୍ଛୁରିତ ହୋଇଗଲେ । କେହି ବା ସେଇ ବତିଖୁଣ୍ଟ ତଳେ ଶୋଇପଡ଼ି ଆପଣାର ମାଂସପେଶୀଗୁଡ଼ାକୁ ଜିଭରେ ଚାଟିଲା । ତା ଭିତରୁ କେତେକ ସେଇ ଧୂଳିରେ ଲୋଟିପଡ଼ିଲେ ଗୋଡ଼ ଓ ପେଟ ଉପରକୁ କରି । ଆଉ ବା କେତେକ ଫେରିଲେ ଯେଉଁ ରାସ୍ତା ଦେଇ ସେମାନେ ଦୌଡ଼ୁଥିଲେ ସେଇ ରାସ୍ତାରେ ପଛକୁ ବୁଲି । ପୁଣି କେତେକ ଖେଁକା-ଖେଁକି ହେଲେ ପରସ୍ପର ଭିତରେ । ଦୁଇ ଚାରିଟା ଅଣ୍ଡିରା କୁକ୍‌କୁର ଗୋଟାଏ କୁତୀକୁ ବିଭିନ୍ନ ପାଖରୁ ଚାଟିବା ଆରମ୍ଭ କରି ଦେଇଥିଲେ । କେହି ବା କୁତୀ ଉପରକୁ ଆଗଗୋଡ଼ ଟେକି ବିକଳ ହେଉଥିଲା କୁଁ କୁଁ ହୋଇ; ତାକୁ ଦାନ୍ତ ଦେଖାଉଥିଲେ ଅନ୍ୟମାନେ । ସେ ଥରକୁଥର ଚେଷ୍ଟାକରୁଥିଲା, ହାରି ବି ହାରୁନଥିଲା । କ୍ରମେ ଅନ୍ୟମାନେ ବିମୁଖ ହୋଇ ବାହୁଡ଼ିଲେ । କୁତୀ ଓ ସେଇ ଅଣ୍ଡିରା କୁକୁର ବଡ଼ଦାଣ୍ଡର ଅନ୍ଧାର ଭିତରକୁ ପଶିଗଲେ । ଅନୁପମକୁ ସେମାନଙ୍କର ଚାରିଟା ନିଆଁ ଜଳା ଆଖି ତଥାପି ଦିଶୁଥିଲା । ଗୋଟାଏ କୁକ୍‌କୁର ବାରମ୍ବାର ଗୋଡ଼ ଟେକି ବତିଖୁଣ୍ଟ ଉପରକୁ ମୂତୁଥିଲା; ଏବଂ ଆଖି ମଟମଟ କରି ଚାହୁଁଥିଲା ସେଇ ଅନ୍ଧାରକୁ, ଯେଉଁଠି ସେଇ କୁତୀକୁ ଘେନି ଆର ଅଣ୍ଡିରାଟା ଅଦୃଶ୍ୟ ହୋଇଯାଇଥିଲା । ସେ ମଝିରେ ମଝିରେ ପଛଗୋଡ଼ ଦୁଇଟାକୁ ଖର୍‌ଖର୍‌ କରି ଧୂଳି ରାମ୍ପୁଡ଼ି ପଛକୁ ଫୋପାଡ଼ୁଥିଲା; ତାର କାନ ଦୁଇଟା ଠିଆ ହୋଇଥିଲା କୌଣସି ଶବ୍ଦ ଶୁଣିବା ଲାଗି; ମଝିରେ ମଝିରେ ନିଶ ଓ ଗାଲକୁ ସାମାନ୍ୟ ଫୁଲାଇ ଅତି ସନ୍ତର୍ପଣରେ ଭୁଃ-ଭୁଃ କରୁଥିଲା, ବୀରଦର୍ପରେ ଠିଆହେଉଥିଲା; କିନ୍ତୁ ସେସବୁ ସତ୍ତ୍ୱେ ବି ଝାମ୍ପଦେଇ ଖେପି ପାରୁ ନ ଥିଲା ଆଗକୁ ।

 

ଅନୁପମ ଚାହିଁଥାଏ ସେମାନଙ୍କୁ । ଅନୁପମର ଦୃଷ୍ଟି ବେଳେବେଳେ ସେମାନଙ୍କୁ ଅତିକ୍ରମ କରି ଅନ୍ଧାର ଭିତରେ ସେଇ ଅଦ୍ଭୁତ–ଜୀବଟାକୁ ଠାବ କରିବାକୁ ଚେଷ୍ଟା କରୁଥାଏ; କିନ୍ତୁ ନିଷ୍ଫଳ–ଚେଷ୍ଟା ହୋଇ ପୁଣି ବୁଲୁଥାଏ । ସେଇ ପରାସ୍ତ କୁକ୍‌କୁର–ବାହିନୀର ଭୀରୁ ଶିବିର ଉପରେ-। ଅନୁପମର ଦୃଷ୍ଟି ତା’ପରେ ପଡ଼ିଲା ମନ୍ଦିରବେଢ଼ାର ପଛପଟେ କେତେଟା ଚାଳ-ଛପର ଓ ଡେଙ୍ଗା ଗଛର ପତ୍ର ଉପରେ । ସେଗୁଡ଼ାକ କେମିତି ହଠାତ୍‌ ଆଲୋକମୟ ହୋଇଉଠିଥିଲା-। ସେ ଆଲୁଅର ଆଭାଟା କ୍ରମେ କ୍ରମେ ଅଧିକ ଦୀପ୍ତିମୟ ହେଉଥିଲା । ତାର ପ୍ରଭାରେ ଗଛ ଉପରେ ଝୁଲୁଥିବା ସେଇ କେତେଟା ବାଦୁଡ଼ି ମଧ୍ୟ ଫଡ୍‌-ଫାଡ଼୍‌ କରି ଆକାଶରେ ଗଛକୁ କେନ୍ଦ୍ର କରି ଚକର୍‌ ଦେବାକୁ ଲାଗିଲେ । ତା’ପରେ ସେ ଆଲୁଅଟାର ଆଭା ହଠାତ୍‌ ବୁଲିଯାଇ ମନ୍ଦିରରେ ସିଂହଦରଜା ଉପରେ ପଡ଼ିଲା । ତା’ପରେ ବତିଖୁଣ୍ଟ ଆଡ଼କୁ ପେଲିଆସିଲା କାର୍‌ଟାଏ, କ୍ଷିପ୍ରଗତିରେ-। ତାର ପଛେ ପଛେ ପୁଣି ଅନ୍ଧାର ଜମି ଜମି ଆସୁଥିଲା ପୂର୍ବରୁ କ୍ଷଣକ ଲାଗି ଆଲୋକିତ ଛପର, ବେଢ଼ା, ଗଛପତ୍ରଙ୍କୁ ପୁଣି ଗ୍ରାସ କରି କରି । ବତିଖୁଣ୍ଟ ନିକଟରେ ଠିଆହୋଇ ଅନ୍ଧାରକୁ ଚାହିଁଥିବା ସେଇ ପୂର୍ବ-ସୂଚିତ କୁକ୍‍କୁରଟା କାର୍‌ର ଧକ୍‌କାରେ ତଳେ ପଡ଼ିଗଲା ଏବଂ ଅନ୍ୟାନ୍ୟ କୁକୁରମାନେ ଧାଁଧପଡ଼ ହୋଇ ରାସ୍ତା ଛାଡ଼ିଦେଲେ କାର୍‌ରୁ । କାର୍‌ର କେବଳ ଆଖି ଭଳି ଦୁଇଟା ବତି ଦିଶୁଥାଏ ଏବଂ ସେଇ ସାମ୍ନା ବତିରୁ ରୁପା ପହଁରାମୁଠାଭଳି ଦୁଇ ଗୋଛା ଆଲୋକ ରେଖା ପଡ଼ୁଥାଏ ବଡ଼ଦାଣ୍ଡର ରାସ୍ତା ଉପରେ । ମୋଟର ଆଲୁଅ ବେଳେବେଳେ ବଡ଼ଦାଣ୍ଡର ଦୁଇ କଡ଼ରେ ଧାଡ଼ି ଦେଇ ଦଉଡ଼ିଆ ଖଟ ଉପରେ ଶୋଇଥିବା ଲୋକଙ୍କ ଉପରେ ପଡ଼ୁଥାଏ । ତା’ ଭିତରୁ କେତେକଙ୍କର ନିଦ ଭାଙ୍ଗ ଯିବାରୁ ସେମାନେ ଉଠି ବସୁଥାନ୍ତି । କ୍ରମେ ସେଇ କାର୍‌ଟା ଫାଟକ ଦେଇ ବିଜୟା ଦେବୀଙ୍କ ଘରର ହତା ଭିତରକୁ ମୁହେଁଇଲା । ସେ ପର୍ଯ୍ୟନ୍ତ ଅନୁପମ ବୁଝି ନ ଥିଲା ଯେ କାର୍‌ଟା ବିଜୟା ଦେବୀଙ୍କର ବୋଲି । ତେବେ ବିଜୟା ଦେବୀ ସାରା ରାତି କୁଆଡ଼େ ଥିଲେ ? ଅନୁପମକୁ ବଡ଼ ରହସ୍ୟଜନକ ବୋଧ ହେଲା ବିଜୟା ଦେବୀଙ୍କର ଗତି-ବିଧି ।

 

ଗ୍ୟାରେଜ୍‌ର ଦରଜା ବନ୍ଦ ହେବାର ଶବ୍ଦ ଶୁଣାଯିବା ପରେ ଅନୁପମ ଚୁପ୍‌କରି ଯାଇ ଆଗଭଳି ଶୋଇରହିଲା ଖଟ ଉପରେ, ଯେଉଁଠି ସେ ଆଗରୁ ଶୋଇଥିଲା । ସେ କାନେଇଥାଏ । ଦୁଇଟା ଅତି ସାବଧାନ ପାଦର ଶବ୍ଦ ପାହାଚ ଦେଇ ଉପରକୁ ଉଠିଲା । କ୍ରମେ ସେ ପାଦଶବ୍ଦ ଦୁଇଟା ଆସି ଅନୁପମର ଘର ଦୁଆରମୁହଁରେ ଅଟକିଗଲା ।

 

ଅନୁପମ ଟିକିଏ ବି ହଲଚଲ ନ ହୋଇ ଆଖି ବୁଜି ପଡ଼ିଥାଏ । ଶବ୍ଦଟା ଘର ଭିତରକୁ ପଶିଲା ଓ ବନ୍ଦ ହେଲା ଅନୁପମର ଖଟ ପାଖରେ ।

 

ଅନୁପମ ଚୋରା ଆଖିରେ ଦେଖିନେଲା–ପାଖରେ ଠିଆ ହୋଇଛନ୍ତି ବିଜୟା ଦେବୀ । କଳା ଶାଢ଼ି ଓ କଳା ବ୍ଲାଉଜ୍‌ ଦେହରେ । ଓଠଗୁଡ଼ାକ ଭରି ଲାଲ୍‌ ଦିଶୁଚି । ଆଖିଗୁଡ଼ାକ ଦିଶୁଚି ବିରାଡ଼ି ଆଖିପରି । ବିଜୟା ଦେବୀ ଅନୁପମକୁ ଗୋଡ଼ରୁ ମୁଣ୍ଡ ପର୍ଯ୍ୟନ୍ତ ଦୃଷ୍ଟି ସଞ୍ଚାର କରି ନିରୀକ୍ଷଣ କରୁଥାନ୍ତି । ଅନୁପମକୁ ଖୁବ୍‌ ଡର ଲାଗୁଥାଏ ସେଇ ଚେହେରା ଦେଖି ।

 

ବିଜୟା ଦେବୀ କିଛି କ୍ଷଣ ପରେ ଅନୁପମ ଉପରେ ନଇଁପଡ଼ିଲେ । ଅନୁପମ ଆଉ ଚୋରା ଦୃଷ୍ଟିରେ ବି ଦେଖିବାକୁ ସାହସ କଲାନାହିଁ । ଭକ୍‌ଭକ୍‌ କରି ଗନ୍ଧଉଥିଲା ତାଙ୍କର ମୁହଁଟା । ଅନୁପମ ସଶଙ୍କ ଚିତ୍ତରେ ଅପେକ୍ଷା କରିଥିଲା । ତା’ପରେ କଣ ଘଟିବ । ଅନୁପମ ଜାନୁ ଉପରେ ଗୋଟାଏ ହାତର ସ୍ପର୍ଶ ଅନୁଭବ କଲା । କ୍ରମେ ସେଇ ସ୍ପର୍ଶ ଟାଣ୍‌ହେଲା, ଓ ତହିଁରୁ ଗୁଡ଼ାଏ ଉଷ୍ଣପ୍ରସ୍ରବଣରେ ଧାରା ବାହାରି ଅନୁପମର ଶିରାରେ ଶିରାରେ ପ୍ରସାରିତ ହୋଇଗଲା । ପରେ ସେଇ ହାତଟାର ସ୍ପର୍ଶ ଶିଥିଳ ହୋଇଗଲା ଏବଂ କଛିକ୍ଷଣ ପରେ ଅନୁପମ ଆଉ କୌଣସି ହାତର ସ୍ପର୍ଶ ଅନୁଭବ କରିପାରିଲାନାହିଁ । ତଥାପି ମଧ୍ୟ ଅନୁପମର ଛାତି ଧଡ଼ପଡ଼ କରୁଥାଏ; ମନେହେଉଥାଏ ଯେମିତି ତାର ଛାତି ଉପରେ ଦଳେ ଦସ୍ୟୁ ରାତିଅଧରେ ନିର୍ଜନତା ଭିତରେ ଘୋଡ଼ା ଛୁଟେଇଛନ୍ତି ।

 

ଦୁଇ ଚାରିଟା ଦୀର୍ଘଶ୍ୱାସର ଶବ୍ଦ ମଧ୍ୟ ଅନୁପମ ଶୁଣିବାକୁ ପାଇଲା–ଓ ତା’ ସହିତ ଗୋଟାଏ ଅର୍ଦ୍ଧସ୍ଫୁଟ ଧ୍ୱନି–ନାଃ.........

 

ତା’ପରେ ଦୁଇଟା ପାଦର ଶବ୍ଦ ଗଲା ଦୂରକୁ । ଏଥର ଅନୁପମ ପୁଣି ଚୋରା ଦୃଷ୍ଟିରେ ଦେଖିଲା–ବିଜୟା ଦେବୀ ଘରକୋଣରେ ଠିଆହୋଇ ଧୀରେ ଧୀରେ ନଗ୍ନି ହେଉଛନ୍ତି । କ୍ରମେ ବିଜୟା ଦେବୀ ସମ୍ପୂର୍ଣ୍ଣ ନଗ୍ନହେଲେ । ତାଙ୍କର ସମସ୍ତ ଅବୟବ ସବୁଜ ଆଲୁଅରେ ମଧ୍ୟ ସ୍ପଷ୍ଟ ଦିଶୁଥାଏ । କଳାଶାଢ଼ି ଓ ବ୍ଲାଉସ୍‌କୁ ଚଉତେଇ ବିଜୟା ଦେବୀ ଗୋଟାଏ ଆଲ୍‌ମିରା ଭିତରେ ରଖିଲେ । ତା’ପରେ ସେ ବାଥ୍‌ରୁମ୍‌ ଭିତରକୁ ଗଲେ । ବାଥ୍‌ରୁମ୍‌ରେ ପୁଣି ପାଣିପଡ଼ିବାର ଶବ୍ଦ ଶୁଭିଲା ।

 

ଅନୁପମ ଶୁଣିବାକୁ ପାଇଲା ନିଦ୍ରୋତ୍‌ଥିତ ପକ୍ଷୀଙ୍କର କାକଳି । ତା’ ସଙ୍ଗେ ସଙ୍ଗେ ବାଜିଉଠିଲା ଝାଞ୍ଜ ମୃଦଙ୍ଗ ବଳଦେବ ମନ୍ଦିରରେ । ପ୍ରଭାତ ଆଳତିର ବାଦ୍ୟଧ୍ୱନିରେ ଅନୁପମର ବକ୍ଷ-କମ୍ପନ ବନ୍ଦ ହୋଇଗଲା ।

 

ପ୍ରାୟ ଦୀର୍ଘ ପନ୍ଦର ମିନିଟ୍‌ପରେ ବିଜୟା ଦେବୀ ବାଥ୍‌ରୁମ୍‌ରୁ ବାହାରିଲେ । ସେଇ ପଦ୍ମରଙ୍ଗର ଶାଢ଼ି ଓ ବ୍ଲାଉସ୍‌ ପିନ୍ଧିଥାନ୍ତି, ଖୁବ୍‌ ସତେଜ ଦିଶୁଥାନ୍ତି । ତୋରା ବି ଦିଶୁଥାନ୍ତି । ତା’ପରେ ସେ ପ୍ରସାଧନ ଆରସି ସାମ୍ନାରେ ବସି ଓଠରେ ଲିପ୍‌ଷ୍ଟିକ୍‌ ଲଗେଇଲେ–ମୁହଁରେ ପାଉଡର୍‌ ବୋଳିଲେ–ଭ୍ରୂଲତାରେ କଳା ଲଗେଇଲେ ଏବଂ ଶେଷରେ ଗୋଟାଏ ଅତର ଶିଶିର ଠିପି ଖୋଲି ମୁଣ୍ଡବାଳ ଓ ଲୁଗାପଟାରେ ବୁନ୍ଦା ବୁନ୍ଦା କରି ଛିଞ୍ଚିଲେ । ଘର ଭିତରେ ଗୋଟାଏ ସୁଗନ୍ଧମିଶା ପବନ ଖେଳିଗଲା ।

 

ତା’ପରେ ବିଜୟା ଦେବୀ ପୁଣି ଆସିଲେ ଅନୁପମର ଖଟ ପାଖକୁ । ଅନୁପମ ଆଖିପତାକୁ ଭଲଭାବରେ ମୁଦିଦେଲା । ବିଜୟା ଦେବୀଙ୍କ ଚେହେରା ଆଉ ତାକୁ ଦେଖାଗଲା ନାହିଁ-। ଅନୁପମ ନିଜର ଦେହ ପାଖରେ ଆଉ ଗୋଟାଏ ଦେହର ସ୍ଥିତ ଅନୁଭବ କଲା । ବିଜୟା ଦେବୀ ବୋଧହୁଏ ତା’ର ଦେହକୁ ଲାଗି ଖଟ ଉପରେ ଶୋଇବାକୁ ଯାଉଥିଲେ । ଆପଣାର ମୁଣ୍ଡ ପାଖରେ ଆଉ ଗୋଟାଏ ମୁଣ୍ଡର ସ୍ପର୍ଶ ମଧ୍ୟ ସେ ପାଇଲା । ଅନୁପମ ଚିତ୍‌ ହୋଇ ଶୋଇଥାଏ । ଗୋଟାଏ ବାହୁ ତାକୁ ନିବିଡ଼ ଭାବରେ ବେଢ଼ାଇ ଧରିଲା ଏବଂ ଗୋଟାଏ ଓଠ ତା’ର ଓଠ ଉପରେ ଲଦିହୋଇପଡ଼ିଲା । ଅନୁପମ ଦେହରେ କିନ୍ତୁ କୌଣସି ତେଜର ଉଦୟ ଘଟୁ ନଥିଲା । ସେଇ ହାତଟା ତାକୁ ଏକ କଳିଙ୍କିଲଗା ମୋଟା ଲୁହା ଜଞ୍ଜିର ଭଳି ବୋଧହେଉଥିଲା । ସେ ଓଠଟା ତାକୁ ଗୋଟାଏ ପ୍ଲାଷ୍ଟିକ୍‌ କଣ୍ଢେଇର ଓଠ ଭଳି ଖସ୍‌ଖସ୍‌ ଲାଗୁଥିଲା । ଆସ୍ତେ ଆସ୍ତେ ବିଜୟା ଦେବୀ ଅନୁପମ ଉପରେ ସମଗ୍ର ଦେହଟାକୁ ଲଦିଦେଲେ । ଅନୁପମର ପାଦରୁ କପାଳ ପର୍ଯ୍ୟନ୍ତ ବିଜୟା ଦେବୀଙ୍କ ଆପାଦ ମସ୍ତକ ଦେହ ଜଡ଼ି ହୋଇ ରହିଥାଏ । ଓଜନ ଲାଗୁଥାଏ ଅନୁପମକୁ; ସତେ ଯେମିତି ତା ଉପରେ ଗୋଟାଏ ଲୁହାର ଓଜନିଆ ପଟା କିଏ ଜବର୍ଦସ୍ତ, ଶୁଆଇଦେଇଛି-। ଅନୁପମର ଛାତିର କମ୍ପନର ବେଗ କ୍ରମଶଃ ବଢ଼ୁଥାଏ । ବଳଦେବଙ୍କ ମନ୍ଦିରର ଆରତି ଘଣ୍ଟା ତଥାପି ଶୁଭୁଥାଏ ଝାଁ–ଝାଁ–ଝାଁ ଟଂ–ଟାନ୍‌ ହୋଇ । ଅନୁପମର ଇଚ୍ଛାହେଉଥିଲା ଲୁହାର ପଟାଟାକୁ ସେ ଗଡ଼େଇପକାନ୍ତା ତଳକୁ; କିନ୍ତୁ ସେ ପାରୁ ନ ଥିଲା । ଲୁହା ଜଞ୍ଜିର ଦୁଇଟା ତାକୁ କଳପାଟିଆ କରି ବାନ୍ଧି ପକାଇଥିଲା । ସେ ସମସ୍ତ ଶକ୍ତି ସଞ୍ଚୟ କରି ଲୁହା ପଟାର ଭାର ବହନ କରିଥିଲା-

 

ବଳଦେବଙ୍କ ପ୍ରଭାତ ଆଳତି ଶେଷ ହେଲା ବୋଧହୁଏ । ଅନୁପମକୁ ଆଉ ବାଜଣା ଶୁଣାଗଲା ନାହିଁ । ସେଇ ବାଜଣା ତା’ର କାନରେ କିଛି ସମୟ ଗୁଞ୍ଜରିତ ହେବା ପରେ ଧୀରେ ନିଃଶେଷ ହୋଇଗଲା । ତା’ପରେ–ସେଇ ଲୁହାପଟାଟା ଖୁବ୍‌ ଜୋର୍‌ ତାତିଉଠିଲା । ସେଇଟା ଆଉ ଲୁହା-ପଟା ହୋଇ ରହିଲା ନାହିଁ, ଗୋଟାଏ ନିଆଁର ମୂର୍ତ୍ତି ପାଲଟିଗଲା । ସେଇ ନିଆଁର ତାପରେ ଅନୁପମ ପୋଡ଼ି ନ ଯାଇ ନିଆଁ ହୋଇଗଲା । ଅନୁପମ ଚୋରାଦୃଷ୍ଟିରେ ଚାହିଁଲା–ତାର ପେଟ ଉପରେ ଗୋଟାଏ ଚଣ୍ଡୀ ବସିଚି । ମହିଷାସୁରକୁ ମାଡ଼ିବସିଲାଭଳି ମାଡ଼ବସିଚି ସେଇ ଚଣ୍ଡୀ, ନିଆଁର ମୂର୍ତ୍ତିଟେ । ବାସୁକୀ ପରି ଫିଁ ଫିଁ ହେଉଚି । ସମଗ୍ର ଦେହର ଲୁଗାପଟା ଝାଳରେ ଓଦା ପ୍ରାୟ-। କପାଳରେ ଘର୍ମବିନ୍ଦୁ, ଅଗଣିତ । ଅନୁପମ ନିଜେ ନିଜେ ନିଆଁ ନହୋଇଯାଇଥିଲେ ବୋଧହୁଏ ଜଳିଯାଇଥାନ୍ତା । ଅନୁପମ ସେଇମିତି ଆଖି ବୁଜି ପଡ଼ିଥାଏ । ପୁଣି ସେ ଅନୁଭବ କଲା ତାର ତେଜୀୟାନ୍‌ ବାହୁ ଦୁଇଧାର ପେଶୀ ଉପରେ ହାତର ସ୍ପର୍ଶ । ଛୁରି ପରି ବିଜୟା ଦେବୀଙ୍କ ନଖର ଧାରଗୁଡ଼ାକରେ ତାର ବାହୁ କାଟିହେଲା ଭଳି ଲାଗୁଥାଏ । ପୁଣି ସେଇ ନିଆଁ ମୂର୍ତ୍ତିଟା ଶୋଇ ପଡ଼ିଲା ଅନୁପମର ଛାତି ଉପରେ । ଅନୁପମର ତତଲା ଓଠରେ ବିଜୟା ଦେବୀଙ୍କ ତାତିଲା ଓଠର ଘନଘନ ପାହାର ପଡ଼ିଲା । କିନ୍ତୁ ସେଥିରେ ଅନୁପମର ଓଠ ପରାଜିତ ହେଲା ନାହିଁ, ଫୁଲପରି ମଉଳିଗଲାନାହିଁ, କିମ୍ବା ତୁଳା ପରି ପୋଡ଼ିଗଲାନାହିଁ । କିଛି କ୍ଷଣ ପରେ ସେଇ ଓଠଟାର ପାହାର ବନ୍ଦ ହେଲା । ବିଜୟା ଦେବୀ ନିଚେଷ୍ଟ ହୋଇ ଶୋଇପଡ଼ିଲେ ସେଇମିତି ଅନୁପମ ଉପରେ-। ଆସ୍ତେ ଆସ୍ତେ ତାଙ୍କର ବନ୍ଧନ ଶିଥିଳ ହୋଇଯାଉଥିଲା, ଦେହ ଥଣ୍ଡା ହୋଇଯାଉଥିଲା ଏବଂ ଓଜନ କମିଯାଉଥିଲା । ବିଜୟା ଦେବୀ କ୍ରମଶଃ ଏକ ମୁର୍ଦ୍ଦାର ପରି ନିସ୍ତେଜ ହୋଇଯାଉଥିଲେ । ତା’ପରେ ଅନୁପମ ଶୁଣିଲା ବିଜୟା ଦେବୀ ଖୁଁ-ଖୁଁ ହୋଇ ତାରି ଉପରେ କାନ୍ଦୁଛନ୍ତି । ତାଙ୍କ ଆଖିରୁ ଥଣ୍ଡା ଲୁହ ଗଡ଼ିଆସି ଅନୁପମର ଗାଲ ଉପରେ ପଡ଼ିଲା । ଅନୁପମର ମନେହେଲା–ସତେ ଯେମିତି ଗୋଟାଏ ଛିନ୍ନ ମାଳତୀ ଲତା ତାରି ଉପରେ ଗୋଟାଏ ମୃତ ସାପପରି ସିଧାହୋଇ ଶୋଇଚି-। ତଥାପି ଅନୁପମ ହଲ୍‌ଚଲ୍‌ ହେଲାନାହିଁ ।

 

ତା’ପରେ ବିଜୟା ଦେବୀ ଉଠିଗଲେ ତା’ଉପରୁ । ଅନୁପମ ଚୋରାଦୃଷ୍ଟିରେ ଦେଖିଲା, ବିଜୟା ଦେବୀ ଆଖିରୁ ଲୁହ ପୋଛି ପୁଣି ପ୍ରସାଧନ ଆରସି ସାମ୍ନାରେ ବସିଲେ । ପାନିଆ ଧରି ବାଳଗୁଡ଼ାକୁ ବାଗେଇନେଲେ । ଲିପ୍‌ଷ୍ଟିକ୍‌ ଛାଡ଼ିଯାଇଥିବା ଜାଗାରେ ପୁଣି ଆଉ ଥରେ ବୋଳିଲେ । ତା’ପରେ କିଛି କ୍ଷଣ ପଦଚାରଣ କରିବାକୁ ଲାଗିଲେ ଘର ଭିତରେ । ପଦଚାରଣ କରୁଁ କରୁଁ ହଠାତ୍‌ ସେ ବନ୍ଦହେଲେ ଏବଂ ତଳକୁ ନଇଁପଡ଼ି ତଳୁ କିଛି ଉଠାଇଲେ । ଅନୁପମ, ଦେଖିଲା–ସେଇ ଅଭୁକ୍ତ ସିଗାର୍‌; ଯେଉଁ ତାରି ଓଠରୁ ତଳେ ପଡ଼ିଯାଇଥିଲା । ବିଜୟା ଦେବୀ ସିଗାରକୁ ବାମ ହାତରେ ଧରି ଡାହାଣ ହାତରେ ଆଉଁସିଲେ । ତା’ପରେ ତାହାକୁ ମୁହଁରେ ଧରିବାକୁ ପାଟି ପାଖକୁ ନେଲେ । କିନ୍ତୁ କଣ ଭାବି ଓଠରେ ଧରିଲେ ନାହିଁ । ବାମ ହାତର ତିନିଟି ଟିପରେ ଧରି କିଛି କ୍ଷଣ ତଳ ଉପର କରି ନଚାଇଲେ । ହଠାତ୍‌ ସିଗାର୍‌ର ସେ ନୃତ୍ୟ ମଧ୍ୟ ବନ୍ଦ ହେଲା । ଶବ୍ଦ ହେଲା ଦିଆସିଲି ମାରିବାର । ଡାହାଣ ହାତରେ ଜଳନ୍ତା ଦିଆସିଲି କାଠିଟାକୁ ଧରି ବାଁ-ହାତର ସିଗାର୍‌ରେ ନିଆଁ ଧରାଇଲେ ବିଜୟା ଦେବୀ । ଆଶ୍ଚର୍ଯ୍ୟ ଲାଗିଲା ଅନୁପମକୁ–କାହିଁ, ମୁହଁରେ ଲଗେଇ ଟାଣୁନାହାନ୍ତି ତ ! ଗୋଟାକ ପରେ ଗୋଟାଏ ଦିଆସିଲି କାଠି ଜଳିଲା । ଶେଷରେ ସେଇ ସିଗାର୍‌ଟା ସମ୍ପୂର୍ଣ୍ଣ ଧ୍ୱଂସହେଲା ନିଆଁରେ । ପାଉଁଶ ସବୁ ବିଛେଇ ହୋଇଗଲା ତଳେ । ଗୋଟାଏ କଡ଼ାଗନ୍ଧ ବି ଖେଳିଗଲା ପବନରେ । ତଳେ ପଡ଼ିଥିବା ଦଗ୍‌ଧ ସିଗାର୍‌ର ପାଉଁଶଗୁଡ଼ାକୁ ଚାହିଁ ବିଜୟା ଦେବୀ ଗୋଟାଏ ଆତ୍ମସନ୍ତୋଷମୂଳକ ହସ ହସିଲେ I ଦୁଇ ହାତକୁ ଏକାଠି କରି ଆଙ୍ଗୁଳି ଫୁଟାଇଲେ । ଗୋଟାଏ କାମୁଡ଼ା ମହାବଳ ବାଘକୁ ମାରିସାରି ଶିକାରୀ ଯେମିତି ବାଘର ମୃତ-ଦେହକୁ ଚାହିଁ ଆନନ୍ଦ ଓ ଗୌରବରେ ଫୁଲିଉଠେ ବିଜୟା ଦେବୀ ପାଉଁଶଗୁଡ଼ାକୁ ଚାହଁ ସେଇମିତି ହସୁଥିଲେ ।

 

ବିଜୟା ଦେବୀଙ୍କ ଗୌରବୋଜ୍ୱଳ ଦୃଷ୍ଟି ଅନୁପମ ଆଡ଼କୁ ବୁଲିଆସିଲା । ସାଙ୍ଗେ ସାଙ୍ଗେ ବିଜୟା ଦେବୀଙ୍କ ମୁହଁରୁ ସେ ହସ ଓ ଦୀପ୍ତିର ଶିଖା ନିଭିଗଲା । ଉପଚ୍ଛାୟା ଭିତରେ ଗତିକଲେ ପୂର୍ଣ୍ଣଚନ୍ଦ୍ରର ରୂପ ଯେପରି ମହଳଣ ଦିଶେ, ସେଇମିତି ବିଜୟା ଦେବୀଙ୍କ ମୁହଁ ଉପରେ ଗୋଟାଏ ଛାୟା ପଡ଼ି ମଳିଚିଆ କରିଦେଲା । ଅନୁପମ ଏ ପରିବର୍ତ୍ତନଟାକୁ କୌଣସି ଭାବରେ ବୁଝିପାରିଲା ନାହିଁ । ତା’ପରେ ବିଜୟା ଦେବୀ ଦ୍ରୁତପଦରେ କାଠ ବାକ୍‍ସ ନକଟିକୁ ଯାଇ ଢାଙ୍କୁଣୀ ଖୋଲିଲେ ଓ ସିଗାର୍‌ର କାଠ–ଡବାଟା ବାକ୍‍ସ ଭିତରୁ ବାହାର କଲେ । ସିଗାର୍‌ର କାଠ-ଡବାଟାକୁ ତିନି ଚାରିଥର ଚୁମ୍ବନ କରି ତଳେ ରଖିଲେ । ତା’ପରେ ଗୋଟାଏ ଛୋଟ ଶିଶିରୁ କିଛି ତରଳ ପଦାର୍ଥ ସେଇ କାଠ-ଡବା ଉପରେ ଢାଳିଲେ । ଅନୁପମ ଗନ୍ଧରୁ ଜାଣିପାରିଲା ଯେ ତରଳ ପଦାର୍ଥଟି ସ୍ପିରିଟ୍‌-। ତା’ପରେ ଦିଆସିଲି କାଠି ମାରିବାର ଶବ୍ଦ ହେଲା ଓ ସଙ୍ଗେ ସଙ୍ଗେ ହୁତୁହୁତୁ ହୋଇ ଜଳିଲା ସ୍ପିରିଟ୍‌ ସମେତ ସେଇ ସିଗାର୍‌ ଡବାଟା । ପ୍ରଥମେ ପ୍ରଥମେ ଶିଖା ଦିଶୁଥିଲା; କିଛି କ୍ଷଣ ପରେ ନିଆଁର ଶିଖା ଦିଶିଲାନାହିଁ । ହେଲା ଧୂଆଁ । ଅପର୍ଯ୍ୟାପ୍ତ ଧୂଆଁରେ ସମଗ୍ର ଘରଟା ରୁଦ୍ଧ ହୋଇଗଲା-। ସିଗାର୍‌ର କଡ଼ା ଧୂଆଁରେ ନିଃଶ୍ୱାସ ନେବା ବି କଷ୍ଟକର ହୋଇଉଠିଲା ବିଜୟା ଦେବୀ ନାକରେ ଲୁଗାକାନି ଦେଇ କୁହୁଳି କୁହୁଳି ପୋଡ଼ିଯାଉଥିବା ସେଇ ସିଗାର୍‌–ଡବାଟାକୁ ଚାହିଁଥା’ନ୍ତି-। ତାଙ୍କର ମୁହଁ ସେ ଧୂଆଁର କୁଣ୍ଡଳାକାର ଭିତରେ ବି ବେଳକୁ ବେଳ ଅଧିକ ସତେଜ ହୋଇଉଠୁଥାଏ-

 

ଧୂଆଁର କଡ଼ା ଗନ୍ଧ ସହି ନ ପାରି ଛାଟିପିଟି ହୋଇ ଅନୁପମ ଉଠିବସିଲା, ବିଜୟା ଦେବୀଙ୍କୁ ଲକ୍ଷ୍ୟକରି କହିଲା–‘‘ଇଏ ଆପଣ କଣ କରୁଛନ୍ତି ?’’

 

‘‘ପୋଡ଼ୁଛି...’’

 

‘‘କଣ... ?’’

 

‘‘ସିଗାର୍‌....’’–ବିଜୟା ଦେବୀ କହିଲେ–‘‘ଆପଣଙ୍କୁ ଯାଚିଲି ଖାଇଲେନାହିଁ । ଆଉ କଣ ହୁଅନ୍ତା ଏଗୁଡ଼ାକ ! ପୋଡ଼ିଦେଉଚି ।’’ ବିଜୟା ଦେବୀ ହସିଲେ–‘‘ଡ: ଦାସ, ଖୁବ୍‌ ନିଦ ଆପଣଙ୍କର-। ମୁଁ ଯେତେ ଡାକିଲି ଶୁଣିଲେନାହିଁ । ବଡ଼ ନିର୍ଦ୍ଦୟ ଆପଣ ! ଆତିଥ୍ୟ ବୁଝନ୍ତି ନାହିଁ । ରାତି ସାରା ଆପଣଙ୍କ କଥା ଭାବି ଭାବି ମୁଁ ଖାଲି ଏକଡ଼ ସେକଡ଼ ହେଉଥିଲି ।’’

 

‘‘ଏବଂ ସେଇ ରାଗର ପ୍ରତିଶୋଧ ନେବା ଲାଗି ବୋଧହୁଏ ଏଇ ସିଗାର୍‌ ଡବାଟା ପୋଡ଼ୁଛନ୍ତି ?’’ ଅନୁପମ କହିଲା, ବିଜୟା ଦେବୀ ! ଆପଣ ଅତି ବିଚିତ୍ର ଧରଣର ନାରୀ ।’’ ଅନୁପମର କଣ୍ଠଟା କେମିତି ହଠାତ୍‌ ଅସ୍ୱାଭାବିକ ହୋଇଉଠିଲା । ତାର ମନେହେଉଥିଲା, ସେ ବିଜୟା ଦେବୀଙ୍କ ତଣ୍ଟି ଚିପି କହିଥାନ୍ତା–ଆପଣ ମାୟାବିନୀ, ମିଥ୍ୟାବାଦିନୀ... ଓ ଆପଣ ଏକ ପ୍ରହେଳିକା, ଆପଣ ସିଗାରର ଧୂଆଁ; କିନ୍ତୁ ବିଜୟା ଦେବୀଙ୍କ ଭ୍ରୂଲତା ଦୁଇଟା ସାମାନ୍ୟ କୁଞ୍ଚିତ ହୋଇଯିବାରୁ ସେ କିଛି ଉଚ୍ଚାରଣ କରିବାକୁ ସାହସ କଲାନାହିଁ । ବିଜୟା ଦେବୀ ଅନୁପମର ନିକଟକୁ ଉଠିଆସି ଆଖିକୁ ଚାହିଁ ଠିଆହେଲେ । ଗମ୍ଭୀର ଦିଶୁଥିଲେ ସେ । ଅନୁପମ ନିଜକୁ ଦୋଷୀ ମନେକଲା । କଥାଟାକୁ ବଦଳେଇବାକୁ ଓ ପରିବେଶଟାକୁ ଲଘୁ କରିବାକୁ ଇଚ୍ଛାକରି ସେ ଉପାୟାନ୍ତର ନ ଦେଖି ଫିକ୍‌କିନା ହସି ଦେଲା ମାତ୍ର । ଅନୁପମର ସେ ଉପାୟ ବ୍ୟର୍ଥ ହେଲା-। ‘‘ବିଜୟା ଦେବୀଙ୍କ ମୁଖର ଭାବରେ କୌଣସି ପରିବର୍ତ୍ତନ ହେଲାନାହିଁ । ତାଙ୍କର ଚକ୍ଷୁ ଆଗପରି ନିଷ୍ପଲକ, ଉଦାସ, ଗମ୍ଭୀର ଓ ଅର୍ଦ୍ଧନିମୀଳିତ ଥାଏ । ଅନୁପମ ଆପଣା ହାତର ଦୁଇ ପାପୁଲି ପ୍ରସାରିତ କରି ବିଜୟା ଦେବୀଙ୍କ ମୁଖ ସ୍ପର୍ଶ କରିବାକୁ ଗଲା–ଯଦି ତା’ ଦେଇ ବିଜୟା ଦେବୀଙ୍କର ଏ ଉଦାସଭାବ ଭାଙ୍ଗି ହୁଏ ! ଅନୁପମ ବିଜୟା ଦେବୀଙ୍କ ଗାଲ ସ୍ପର୍ଶ କରିବା ପୂର୍ବରୁ ତାର ହାତପାପୁଲି ଦୁଇଟାରେ ନିଆଁ ଲାଗିଗଲା । ସାଙ୍ଗେ ସାଙ୍ଗେ ହୁତ୍‌ହୁତ୍‌ ହୋଇ ଜଳିଲା । ଅନୁପମ ହାତ ଦୁଇଟା ଉପରକୁ କରି ଯନ୍ତ୍ରଣାରେ ଛଟପଟ ହେବାକୁ ଲଗିଲା । ସେ ଦ୍ରୁତଗତିରେ ବାଥ୍‌ରୁମ୍‌କୁ ଯାଇ ପାଣିକୁଣ୍ଡ ଭିତରେ ଜଳନ୍ତା ହାତ ଦୁଇଟାକୁ ବୁଡ଼ାଇଦେଲା । ତା’ପରେ ହାତ ତାର ପୂର୍ବାବସ୍ଥା ଫେରିପାଇଲା । ହାତଟା ଥଣ୍ଡା ହେବାରୁ ସେ ଗୋଟାଏ ନିଃଶ୍ୱାସ ମାରି ସମଗ୍ର ଦେହରେ ପାଣିଛିଟା ମାରିଲା । ଓଦା କଲା ମୁଣ୍ଡବାଳ ।

 

ବାଥ୍‌ରୁମ୍‌ ଭିତରୁ ଆସି ଦେଖେ ତ ବିଜୟା ଦେବୀ ଠିକ୍‌ ଆଗପରି ଠିଆହୋଇଛନ୍ତି । ଧୂଆଁଗୁଡ଼ାକ ଆସ୍ତେ ଆସ୍ତେ ପତଳା ହୋଇଗଲାଣି । ବାହାର ଫର୍ଚ୍ଚା ଦିଶିଲାଣି । ପକ୍ଷୀମାନଙ୍କର କଳରବରେ ଗଛଲତାର ଶାଖା-ପ୍ରଶାଖା ମୁଖରିତ ହେଲାଣି । ସବୁଜ ଆଲୁଅ ନିଷ୍ପ୍ରଭ ଦିଶିଲାଣି । ଅନୁପମ ପୁଣି ଯାଇ ବିଜୟା ଦେବୀଙ୍କ ମୁହଁ ପାଖରେ ଠିଆ ହୋଇ ହସିଲା । କହିଲା–“ଆରେ ! କଣ ଭାବୁଛନ୍ତି ସେତିକିବେଳୁ ? ବୁଝିଲେ, ସକାଳ ହେଲାଣି । ଆପଣ ତ ମୋତେ ମଦ ପିଆଇ ଶୋଇ ପକେଇଲେ; ନଇଲେ ଖୁବ୍‌ ମଜା ହୋଇଥାନ୍ତା । ଶୋଇପଡ଼ିଲି ମାନେ ସମୟ ନଷ୍ଟ କଲି ।’’

 

ବିଜୟା ଦେବୀ ତଥାପି ନୀରବ ଥିଲେ । ଅନୁପମ ଆଉରି ଥରେ ଚେଷ୍ଟା କଲା–‘‘ବିଜୟା ଦେବୀ ! ଭଲ ସ୍ଵପ୍ନଟେ ଦେଖିଲି ରାତିରେ । ଆପଣ ମୋର ମୁହଁରେ ସିଗାର୍‌ ଧରାଇଦେଉଥିଲେ; ମୁଁ ଗୋଟାକ ପରେ ଗୋଟାଏ ଆନନ୍ଦରେ ଟାଣି ଶେଷ କରୁଥିଲି । ଭକଭକ କରି ଧୂଆଁ ଛାଡ଼ୁଥିଲି ।’’

 

‘‘ସତେ !!’’ ବିଜୟା ଦେବୀ ହସିଲେ–‘‘ସତରେ ଆପଣ ଏମିତି ସ୍ଵପ୍ନ ଦେଖିଛନ୍ତି !! ତା’ହେଲେ ମୁଁ ଏଇ ସିଗାର୍‌ ଜାଳିଦେଇ ଭୁଲ୍‌କଲି ତ !’’

 

‘‘ସେଥିରେ କିଛି ନାହିଁ’’–ଅନୁପମ କହିଲା–‘‘ସିଗାରର କଣ ଅଭାବ ଅଛି ବଜାରରେ ? ଆଉରି କିଣିବା ।’’

 

‘‘ମୁଁ ବଡ଼ ଦୁଃଖିତ ଡ:ଦାସ’’–ବିଜୟା ଦେବୀ କହିଲେ–‘‘ବେଶ୍‌, ସେଇ ସାମ୍ପେନ୍‌ ପିଇବା ଦିନ ସିଗାର ବି ଉପହାର ଦେବି–ରାଜି ତ ।’’

 

‘‘ହଁ...’’ ଅନୁପମ କହିଲା–‘‘ଆଚ୍ଛା, ବିଜୟା ଦେବୀ ! ଆପଣ ସେଦିନ କହିଲେ ନା ମୋତେ ଡ୍ରାଇଭିଂ ଶିଖେଇଦେବେ ବୋଲି ? ମନେଅଛି ଆପଣଙ୍କର ? ନା, ଭୁଲିଗଲେଣି ? ପ୍ଲିଜ୍‌, ମୋତେ ଶିଖେଇ ଦିଅନ୍ତୁ । ମୁଁ ତା’ହେଲେ ଆପଣଙ୍କୁ ଗାଡ଼ିରେ ବସାଇ ରାତି ଅଧରେ ବୁଲିବି ।’’

 

‘‘ରାତି ଅଧରେ !’’ –ବିଜୟା ଦେବୀ ପ୍ରଶ୍ନକଲେ–‘‘କାହିକି, ଅର୍ଦ୍ଧରାତ୍ରିଟା ପ୍ରତି ଏତେ ଲୋଭ ହଠାତ୍‌ !’’

 

‘‘କାରଣ–ବହୁତ ରାତି ଶୋଇ ଶୋଇ ନଷ୍ଟ କଲିଣି । ଏଥର ରାତିରେ ଚେଇଁ ଦିନରେ ଶୋଇବାକୁ ଠିକ୍‌ କରିଛି ।’’

 

‘‘ଓଃ...ମୁଁ ଭାବିଲି ଆପଣ ଆଜିଠୁଁ ରାତ୍ରିଚର ପାଲଟିଯିବେ କି କଣ ? ଛାଡ଼ନ୍ତୁ ! ସକାଳ ହେଲାଣି । ଚାଲନ୍ତୁ ଚା’ ଖାଇବା । ସକାଳୁ ସକାଳୁ ମୋତେ ବାହାର ଛାତରେ ବସି ଚା’ ପିଇବାକୁ ଭଲଲାଗେ । ଆଉ ଟିକକ ପରେ ତ ରୋଗୀ ଆସି ମୋ ଦାଣ୍ଡରେ ପୂର୍ଣ୍ଣ ହୋଇଯିବେ । ମୋତେ ତଳକୁ ଯିବାକୁ ପଡ଼ିବ । ତା’ ପୂର୍ବରୁ ମୁଁ ଆପଣଙ୍କୁ ଆପଣଙ୍କ ବସାରେ ଛାଡ଼ିଆସିବା ଉଚିତ ହେବ-।’’

 

ବିଜୟା ଦେବୀ ଛାତ ଉପରେ ବସିଲେ । ଅନୁପମ ଛାତ ଉପରୁ ତଳକୁ ଚାହିଁଲା । ବଡ଼ଦାଣ୍ଡରେ ଖରା ପଡ଼ିଲାଣି । ଲୋକଙ୍କର ଯା’ ଆସ ଲାଗିଲାଣି । ମୁଣ୍ଡରେ ଚିତାତିଳକ ଓ ଚନ୍ଦନ ମାରି, କାନ୍ଧରେ ଲାଲରଙ୍ଗର ଗାମୁଛା ପକେଇ, କେହି ଢାଉଆ, କେହିବା ଧଳା ଲୁଗା ପିନ୍ଧି, କେହିବା ବେକରେ ରୁଦ୍ରାକ୍ଷମାଳା ପକେଇ ଚାଲିଥାନ୍ତି । ବ୍ରାହ୍ମଣ ପୂଜକ ଓ ଭକ୍ତମାନେ ବଳଦେବ ମନ୍ଦିର ଆଡ଼କୁ । ବଡ଼ଦାଣ୍ଡର ମଝିରେ ଠିଆହୋଇଥାଏ ବଳଦେବଙ୍କ ରଥର କଙ୍କାଳଟା । ରଥଯାତ୍ରାବେଳେ ତାହା ସଜ୍ଜିତ ହୁଏ କେବଳ । ସେତିକିବେଳେ ସେ ଜୀବନ ପାଏ । ଘଡ଼ଘଡ଼ ଶବ୍ଦ କରି ଚାଲେ । ଲୋକେ ତାକୁ ଟାଣନ୍ତି । ସୁବିଧା ପାଇଲେ ସେ ଲେକଙ୍କ ଉପରେ ଚଡ଼ିଯାଏ । କେହି କେହି ପୁଣି ଚକତଳେ ନିଜକୁ ଉତ୍ସର୍ଗ କରି ଦିଅନ୍ତି । ରଥଚକ ସେ ଲୋକର ବେଦନା ବୁଝେନାହିଁ, ଅତ୍ମୋତ୍ସର୍ଗର ମହତ୍ତ୍ୱ ବୁଝେନାହିଁ । ରକ୍ତ ଖାଏ । ରକ୍ତ ଖାଇ ଗଡ଼େ ।

 

ବଡ଼ଦାଣ୍ଡର କୌଣସି ଘରୁ ଆସୁଥିବା ତୁହାଇ ତୁହାଇ ବାହୁନାର ଶବ୍ଦ ଅନୁପମର କାନରେ ପଡ଼ିଲା । କିଏ କାନ୍ଦୁଚି ? ଅନୁପମ ଉତ୍କର୍ଣ୍ଣ ହୋଇ ଧ୍ୟାନକଲା । ସକାଳେ ବି ମୃତ୍ୟୁର ପର୍ବ ଉଦ୍‌ଘାଟିତ ହୁଏ ! କାନ୍ଦୁଚି ବାହୁନି ବାହୁନି ଗୋଟାଏ ମୃତବତ୍ସା ମାତା । ମଝିରେ ମଝିରେ ସେ ଭାଷାରେ ପ୍ରକାଶ କରୁଚି ଆପଣାର ଅପୂରଣୀୟ କ୍ଷତିଜନକ ଦୁଃଖକୁ । ଭାରି କରୁଣ ସେ ସ୍ୱର । ସେ ସ୍ୱର ଭିତରେ ଅନ୍ତରର ଆକୃତି ଅପେକ୍ଷା ବିଦୀର୍ଣ୍ଣତା ବେଶି । ସେଇ ମୃତବତ୍ସା ଧେନୁ କାନ୍ଦୁଚି–‘‘ହାଁ, ମୋ ଦୁଃଖୀ ସଙ୍ଖାଳିରେ..., ହାଁ, ନେତ୍ରସୁନ୍ଦରରେ..., ହାଁ ଜୀବନଧନ ମୋର ମାଣିକହାରରେ..., ହାଁ...

 

ବେଳକୁ ବେଳ ତା’ର କୋହର ଉଚ୍ଚତା ବଢ଼ୁଥାଏ । ବନପତ୍ର ଥରିଉଠୁଥାଏ ଯେମିତି । ଅନୁପମର ଚକ୍ଷୁ ଲୋତକରେ ପରିପୂର୍ଣ୍ଣ ହୋଇଗଲା । ତା’ ଛାତି ଭିତରର କୌଣସି ଗୋଟାଏ ଅବୋଧ୍ୟ ତନ୍ତ୍ରୀ କରୁଣ ଭାବରେ କମ୍ପିତ ହୋଇ ଉଠିଲା । ପୃଥିବୀର କୋଟି–କୋଟିଙ୍କ ଭିତରେ ନଗଣ୍ୟ ହେଲେ ବି ଗୋଟିଏ ମାତାର ସେ କୋଟିଧନ । ସେଇ ଗୋଟିକର ଅଭାବ କୋଟିଙ୍କ ଦେଇ ପୂର୍ଣ୍ଣ ହେବ ନାହିଁ । ସେଇ ମୃତବତ୍ସା ଜନନୀ ଲାଗି ତାର ହୃଦୟ ସଂବେଦନାରେ ଭରିଉଠିଲା-। ସେଇ ମାତାର ବାହୁନା ବନ୍ଦ ହୋଇ ନଥାଏ । ସେ ବନ୍ଦ ହେବାର ନୁହେଁ । କାରଣ ସେ ବିୟୋଗ କାହାର ନିୟୋଗଦ୍ୱାରା ଭୁଲିବା ଅସମ୍ଭବ ।

 

ବିଜୟା ଦେବୀଙ୍କ ଫାଟକ ସାମ୍ନାରେ ବିପରୀତ ଦିଗରୁ ଆସୁଥିବା ଦୁଇଜଣ ପୁରୁଷ ଭେଟାଭେଟି ହେଲେ । ଜଣେ ଅନ୍ୟ ଜଣକୁ ପଚାରିଲା–‘‘କିଏ କାନ୍ଦୁଚିରେ ?’’

 

‘‘କାହ୍ନୁ, ରାଢ଼ୀର ବଡ଼ବୋହୂ । ଏତେ ଦିନେ ଗୋଟିଏ ବୋଲି ପୁଅ ହେଇଥିଲା । ମାସେ ନ ପୂରୁଣୁ.....ଚାଲିଗଲା । କାନ୍ଦିବ ନାହିଁ ନା !’’

 

‘‘କିରେ କାଲି ପରା ମୁଁ ରାତିରେ ଦେଖିଆସିଥିଲି–ଭଲ ଥିଲା ଗୋଟାମିତି । ଏମିତି କେମିତି ହେଲାରେ ?’’

 

‘‘ସେଇ କଥା ପରା । ଭଲ ପିଲାଟା......ରାତିରେ ମା’ ପାଖରେ ଶୋଇଥିଲା, ଦୁଧ ଖାଉଥିଲା । ସକାଳକୁ ଦେଖେ ତ ମରି ଶୋଇଚି । ବୁଝିଲ ନା, ଖାଲି ସିଠାଟା ପରା । ଗଡ଼େଇ ଗଡ଼େଇ ଦେଖିଲି, ଟିକିଏ ହେଲେ ରକ୍ତ ନାହିଁ ।’’

 

‘‘କଣ କରିବା ଆମେ–ଭାଗ୍ୟ, ଭାଗ୍ୟ....ବଳଦେବ ଦେଇଥିଲେ, ସେଇ ପୁଣି ଛଡ଼େଇନେଲେ । ମଣିଷର କଣ ହାତ.....’’

 

ବିଜୟା ଦେବୀ ଡାକିଲେ–‘‘ଡ: ଦାସ ! ଆରେ ସେଠି କଣ କରୁଛନ୍ତି ? ବସନ୍ତୁ, ଚା’ ଆସିଲାଣି ।’’

 

ବିଜୟା ଦେବୀ ହସୁଥିଲେ ।

 

‘‘କୌଣସି ଗୋଟାଏ ମାସକର ଶିଶୁ ମରିଯାଇଚି । କାନ୍ଦଣା ଶୁଭୁଚି’’–ଅନୁପମ ଦୁଃଖ ପ୍ରକାଶ କରି କହିଲା ।

 

‘‘ରକ୍ଷା !’’ ବିଜୟା ଦେବୀ କହିଲେ–‘‘ମୁଁ ଭାବିଲିକି କିଏ ଜନ୍ମ ହେଲା ! ଡ: ଦାସ, କାହାରି ଜନ୍ମସମ୍ବାଦ ଶୁଣିଲେ ମୁଁ ଦୁଃଖିତ ହୁଏ । ବୁଝୁନାହାନ୍ତି, ଏ ଯୁଗରେ ଖାଦ୍ୟ–ସମସ୍ୟାର ସମାଧାନ କରିବା କଷ୍ଟ ହୋଇପଡ଼ିବ କେବଳ ଏଇ ନିର୍ବୋଧ ମାତୃଜାତିଙ୍କ ପାଇଁ । କୁଆଡ଼କୁ ଟିକିଏ ହେଲେ ଦୃଷ୍ଟି ନ ଦେଇ ସେମାନେ ଖାଲି ଛୁଆଜନ୍ମ କରି ଚାଲିଛନ୍ତି । ତା’ଦ୍ୱାରା ଆମର ଦେଶର ଖାଦ୍ୟ–ସଂକଟ କେମିତି ହୁ–ହୁ କରି ବଢ଼ୁଚି, ସେମାନେ କଣ ଟିକିଏ ବୁଝୁଛନ୍ତି ? ଯାହାହେଉ, ଆଜି ସକାଳେ ଗୋଟାଏ ଦୁଃସମ୍ବାଦ ଶୁଣିବାରୁ ମଣିଷ ବଞ୍ଚିଯାଇଚି । ମୃତ୍ୟୁ–ସମ୍ବାଦଟା ମୋ’ ପକ୍ଷରେ ଶୁଭ । ମୁଁ ମଧ୍ୟ ଅନୁମାନ କରୁଛି–ସେଇ ପିଲାଟା ଯିଏ । ବୁଝିଲେ ଡ: ଦାସ, ତାଙ୍କ ଘରେ ମୁଠିଏ ଖାଇବାକୁ ବି ନାହିଁ । କହିଲେ, ସେ ପିଲାଟା କେମିତି ବଞ୍ଚିଥାନ୍ତା ? ବଞ୍ଚିକରି ବା କଣ କରିଥାନ୍ତା ? କଦର୍ଯ୍ୟ ଭାବେ ବଞ୍ଚିବା ଅପେକ୍ଷା ମରିଯିବା ଶ୍ରେୟସ୍କର । ସେ ମରିନାହିଁ ଯେ ନାନା ସମସ୍ୟାରୁ ମୁକ୍ତିପାଇଯାଇଚି ।’’

 

‘‘କିନ୍ତୁ ମୋତେ ବଡ଼ ଦୁଃଖ ଲାଗୁଚି’’ ଅନୁପମ କହିଲା–‘‘ଶୁଣୁନାହାନ୍ତି, କି ବିକଳ ହୋଇ କାନ୍ଦୁଚି ସେଇ ମୃତ–ଛୁଆର ମା’ । ଏତେ ଦିନ ଯେ ସେ ଗର୍ଭବେଦନା ସହିଥିଲା, କାହିଁକି ? କ’ଣ ପାଇଁ ?’’

 

‘‘ଡୋଣ୍ଟ ବି ସୋ ସେଣ୍ଟିମେଣ୍ଟାଲ୍‌ ଡ: ଦାସ !’’ ବିଜୟା ଦେବୀ କହିଲେ–‘‘ଏତେ ଭାବପ୍ରବଣତା ଖାଦ୍ୟସଂକଟ ଯୁଗର ଜଣେ ଡାକ୍ତର ପକ୍ଷେ ଶୋଭାପାଏନା ।’’

 

‘‘ସେଇ ନାରୀର ଦୁଃଖ ଟିକେ ବୁଝନ୍ତୁ ବିଜୟା ଦେବୀ !’’ ଅନୁପମ କହିଲା–‘‘ଆପଣ ବି ତ ଜଣେ ମାଆ !’’

 

ବିଜୟା ଦେବୀଙ୍କ ମୁହଁର ରଙ୍ଗଟା ହଠାତ୍‌ ବଦଳିଗଲା; କିନ୍ତୁ ପରିବର୍ତ୍ତିତ ନୂତନ ରଙ୍ଗଟା ସେ ପଣତକାନିରେ ପୋଛିଦେଇ କହିଲେ–‘‘ଛାଡ଼ନ୍ତୁ, ଡେରି ହେଉଛି, ଚା’ ଖାଇନିଅନ୍ତୁ । ଥଣ୍ଡା ହୋଇଯିବ ।’’

 

ଅନୁପମ ଚା’–କପ୍‌ରେ ଚୁମକ୍‌ ଦେଲା; କିନ୍ତୁ ସେ ଚୁମକ୍‌ରେ କୌଣସି ତେଜ ନଥିଲା । ତା’ପରେ ସେ ଢକଢକ କରି ପିଇଦେଇ ଚା–କପ୍‌ଟାକୁ ମିନିଟିକ ଭିତରେ ଶୂନ୍ୟ କରିଦେଲା ।

 

‘‘ଏତେ ଶୀଘ୍ର ଶେଷ କରିଦେଲେ ?’’

 

‘‘ଥଣ୍ଡା ହୋଇଯାଇଥିଲା ।’’

 

‘‘ତା’ହେଲେ ରୁହନ୍ତୁ–ଆଉ କପେ’ ଦେବାଲାଗି ମୁଁ ବଇଁଶୀକୁ ଡାକେ ।’’

 

‘‘ନା–ନା ବିଜୟା ଦେବୀ ! ଥାଉ, ମୁଁ ବେଶି ଚା’ ଖାଏନା । ଏଇ କପ୍‌କ ଯଥେଷ୍ଟ ।’’

 

ବିଜୟା ଦେବୀଙ୍କ ମୁହଁର ରଙ୍ଗଟା କିନ୍ତୁ ଠିକ୍‌ ନ ଥିଲା–ଯେମିତକି ସେ କୌଣସି ଗୋଟାଏ ବିଷୟ ଭାବୁଥିଲେ । କେବଳ ସୌଜନ୍ୟ ରକ୍ଷାଲଗି ହସୁଥିଲେ ଓ କଥା କହୁଥିଲେ । ଅନୁପମର ଆଖିରୁ ତାହା ବାଦ୍‌ ଗଲାନାହିଁ ।

 

‘‘ଆପଣ ଵି ଭାବପ୍ରବଣ ବିଜୟା ଦେବୀ ?’’ ଅନୁପମ କହିଲା ।

 

‘‘ମୁଁ... ?’’

 

‘‘ହଁ,–ଆପଣ । ମା’ ମନ ପରା ଆପଣଙ୍କର !’’ ପୁଅ ଲାଗି ଦୁଃଖ ନ ହେବ କେମିତି ? ମୁଁ ଖୁବ୍‌ ଦୁଃଖିତ ବିଜୟା ଦେବୀ–ଆପଣଙ୍କ ପୁଅ କଥା ସ୍ମରଣ କରାଇ ଦେଲି ବୋଲି । ହଁ, ଆପଣ ପୁଅକୁ ନେଇ ଆସୁନାହାନ୍ତି, କିଛି ଦିନ ରହିଯିବ ଆପଣଙ୍କ ନିକଟରେ । ଛୋଟ ପିଲା, ଏକାବେଳକେ ଏତେଦିନଧରି ବାହାରେ ରହିବା ତା’ର ବ୍ରେନ୍‌ ପକ୍ଷରେ ଭଲ ନୁହେଁ । ମୁଁ ବୁଝୁଛି ଆପଣ ଵି ମଝିରେ ମଝିରେ ତା’ରି କଥା ଭାବୁଛନ୍ତି । ଯେତେହେଲେ ମାଆ ଆପଣ, ନ ଭାବିବେ କେମିତି ?’’

 

ବିଜୟା ଦେବୀଙ୍କ ମୁହଁ ଉପରେ ଘନଚ୍ଛାୟା ଆହୁରି ଗାଢ଼ତର ହେଉଥିଲା । ଆଖି ଅଶ୍ରୁରେ ଛଳଛଳ ହୋଇଉଠୁଥିଲା ।

ଅନୁପମ କହିଲା–‘‘ଛାଡ଼ନ୍ତୁ, ଚାଲନ୍ତୁ ମୋତେ ଛାଡ଼ିଦେଇ ଆସିବେ । ଆରେ, କଣ ହେଲା ଆପଣଙ୍କର ? ଦେଖିଲେ କିଏ ବେଶି ଭାବ–ପ୍ରବଣ ? ଚାଲନ୍ତୁ......., ଆରେ, ଉଠନ୍ତୁ ନା ! ହଁ, ଆପଣ ମୋତେ ଡ୍ରାଇଭିଂ ଶିଖେଇଦେବେ ଯେ ? ତାହା ଆଜି ସନ୍ଧ୍ୟାରୁ ଆରମ୍ଭ ହେଉ । କଣ କହୁଛନ୍ତି ?’’

ବିଜୟା ଦେବୀ ଓଠରେ ସ୍ମିତହାସ୍ୟ ଖେଳାଇ ଉଠିଲେ–‘‘ଠିକ୍‌ ଅଛି । ଆଜି ସନ୍ଧ୍ୟାରେ...ଚାଲନ୍ତୁ, ମୁଁ ଆଗେ ଆପଣଙ୍କୁ ଛାଡ଼ିଦେଇଆସେ ।

ଗାଡ଼ି ଫାଟକରୁ ବାହାରି ବଡ଼ଦାଣ୍ଡରେ ପହଞ୍ଚିଲା । ତଥାପି ଶୁଭୁଥାଏ ସେଇ ପୁତ୍ରହୀନା ନାରୀଟିର କାନ୍ଦଣା.....‘‘ମୋ ଦୁଃଖୀସଙ୍ଖାଳିରେ !’’ କାନ୍ଦି କାନ୍ଦି ତାର ତଣ୍ଟି ପଡ଼ିଗଲାଣି । ତଥାପି ସେ କାନ୍ଦୁଥାଏ ।

ଗାଡ଼ି ବଳଦେବ ମନ୍ଦିର ନିକଟସ୍ଥ ସେଇ ବତିଖୁଣ୍ଟ ଅତିକ୍ରମ କଲାବେଳେ ଅନୁପମ ଦେଖିଲା–ଗଡ ରାତିରେ କାର୍‌ ଚକା ତଳେ ମରିଥିବା ସେଇ ଅଣ୍ଡିରା କୁକୁରଟାର ଶବ; ରକ୍ତ ସାଲୁବାଲୁ । ଅନ୍ତବୁଜୁଳା ବାହାରିପଡ଼ିଚି । ଗଣ୍ଡିଟା ମେଞ୍ଚା ହୋଇଯାଇଛି । ମୁଣ୍ଡଟା ରକ୍ତ ବାନ୍ତି କରି ଜିଭ କାମୁଡ଼ି ଗଡ଼ୁଛି । ଆଖି ଦୁଇଟା ଶେତା ଦିଶୁଚି । ଗନ୍ଧ ହେଲାଣି । ମାଛି ଭଣଭଣ ହେଲେଣି । ନାକରେ ଲୁଗା ଦେଇ ମେହେନ୍ତରଟେ ଆସୁଛି ସେଇ କୁକୁରଟାକୁ ବଡ଼ଦାଣ୍ଡରୁ ବାହାରି କରି ଗାଁ ବାହାରେ ଫୋପାଡ଼ିଦେବା ଲାଗି । ଅନ୍ୟ କୁକୁର ବି ତାହାର ପାଖ ପଶୁନାହାନ୍ତି । ଲୋକେ ପାଖଦେଇ ଗଲାବେଳେ ନାକରେ ଲୁଗା ଦେଇ ଛେପ ଥୁଃ କରି ଯାଉଛନ୍ତି ।

କୁକୁରଟା ମରିଯାଇଛି । ଅଣ୍ଡିରାଟେ ତ ! କିନ୍ତୁ କିଏ ବା କାନ୍ଦୁଚି ତା’ ଲାଗି ? କିଏ ବା ଆଲୋଚନା କରୁଚି ଦୁଃଖ କରୁଚି ତା’ର ମୃତ୍ୟୁ ସମ୍ପର୍କରେ ? ବଳଦେବ ମନ୍ଦିରର ସିଂହଦ୍ଵାରରେ ପୂର୍ବପରି ଯାତ୍ରୀ–ଭଗତଙ୍କ ଯା–ଆସ ଲାଗିଥାଏ । ଦୋକାନରେ କିଣା–ବିକା ଲାଗିଥାଏ । ମନ୍ଦିରର ଚୂଡ଼ାରେ ଉଡ଼ୁଥାଏ ପତାକା ଠିକ୍‌ ଆଗ ଭଳି । ପଛରେ ସେଇ ମାତା କାନ୍ଦୁଥାଏ–‘‘ମୋ ଜୀବ–ଜୀବନରେ !’’ କୁକୁରଟେ ମରି ପଡ଼ିଥାଏ ।

କାର୍‌ ଅତିକ୍ରମ କରିଗଲା, ପଛଆଡ଼କୁ ଧୂଳି ଉଡ଼େଇ ଉଡ଼େଇ । ସେଇ ଧୂଳି ଭିତରେ ମୃତ କୁକୁରର ଶେତା ଆଖି ଦୁଇଟା ଚକ୍‌ଚକ୍‌ ଦିଶୁଥିଲା ଅନୁପମକୁ, କାର୍‌ର କାଚ କବାଟ ଭିତରେ-

 

ଅନୁପମ ଚାହିଁଲା ବିଜୟା ଦେବୀଙ୍କୁ । ବିଜୟା ଦେବୀ ପ୍ରଖର ବେଗରେ ଚଳାଇଥାନ୍ତି ଗାଡ଼ି ।

 

ଅନୁପମ ଡ୍ରାଇଭିଂ ଶିଖୁଛି ।

 

ବିଜୟା ଦେବୀ ପାଖରେ ବସି ଶିଖେଇଦେଉଛନ୍ତି ।

 

ପ୍ରାୟ ପ୍ରତିଦିନ ସଞ୍ଜବେଳେ ସେମାନେ ଚାଲିଯାଆନ୍ତି ଗୋବରୀ ନଈ କୂଳେ କୂଳେ ତିମୁହାଣି ଛକଯାଏଁ । ତିମୁହାଣି ଛକ ପହଞ୍ଚିବା ପୂର୍ବରୁ ବାଁ–ହାତି ଗୋଟାଏ ରାସ୍ତାରେ ସେମାନେ ଗଡ଼ିଯାଆନ୍ତି ତଳକୁ । ରାସ୍ତାଟା ଗୋଟାଏ ଆମ୍ବତୋଟା ଭିତର ଦେଇ ପଡ଼ିବ କେନ୍ଦ୍ରାପଡ଼ା କଲେଜ ଓ ଇଂଜିନିଅରିଂ ସ୍କୁଲଯାଏଁ ।

 

ଗ୍ରୀଷ୍ମକାଳ । କଲେଜ ଓ ସ୍କୁଲ ଛୁଟି । ପିଲାଏ ନ ଥାନ୍ତି । ସେଇ କଲେଜର ଖେଳପଡ଼ିଆଟି ଜନଶୂନ୍ୟ ଥାଏ । ପାଖରେ କୌଣସି ଗାଁ ନାହିଁ । ଚାବି ପଡ଼ିଥିବା କେତେଟା କଲେଜ–ଅଧ୍ୟାପକଙ୍କ ବସା ଛଡ଼ା ସେଠି ବି ଆଉ କାହାର ଘର ଦେଖିବାକୁ ମିଳେନା । ଆମ୍ବଗଛ ମୂଳରେ ଗୋଟାଏ କୁଡ଼ିଆ ଠିଆହୋଇଥାଏ କେବଳ । ସେଇଟା ଗୋଟାଏ ଗୁଡ଼ିଆ ଦୋକାନ । କଲେଜ ଖୋଲାଥିବା ସମୟରେ ତାହା ଖୋଲେ; ଛୁଟିରେ ବନ୍ଦ ହୁଏ । ଗ୍ରୀଷ୍ମଛୁଟି ହୋଇଥିବାରୁ ତାହା ମଧ୍ୟ ଗୋଟାଏ ସର୍ବହରାର ପ୍ରେତାତ୍ମା ପରି ଠିଆହୋଇଥିଲା । ସେଇ ଗୁଡ଼ିଆ ଦୋକାନର ପଛପଟକୁ ଲାଗି ପଡ଼ିଆ । ବିସ୍ତୃତ I ଗୋଟେପଟକୁ କ୍ରମଶଃ ଢାଲୁ ହୋଇଥିଲେ ବି ପଡ଼ିଆଟା ଆବୁ–ଖାବୁ ନୁହେଁ ।

 

ସେଇ ପଡ଼ିଆରେ ଗାଡ଼ି ପହଞ୍ଚିବା ପର୍ଯ୍ୟନ୍ତ ବିଜୟା ଦେବୀ ଚଲାନ୍ତି । ପଡ଼ିଆରେ ଅନୁପମ ସେ ସ୍ଥାନ ଦଖଲ କରେ । ଗାଡ଼ି ମଣ୍ଡଳାକାରରେ ଘୂରେ ପଡ଼ିଆଟା ଭିତରେ । ଗିଅର୍‌ ଓ ବ୍ରେକ୍‌ ଅପେକ୍ଷା ଷ୍ଟିଅରଂ ଅକ୍ତିଆରକୁ ଆଣିବା ହିଁ ଆୟାସକର । ସେଥିପାଇଁ ଅନୁପମକୁ ବହୁତ ସମୟ ଲାଗିଲା ।

 

ପ୍ରାୟ ଏକମାସ ପଡ଼ିଆରେ ଅଭ୍ୟାସ କରିବା ପରେ ଦିନେ ଅନୁପମ ବିଜୟା ଦେବୀଙ୍କୁ ପାଖରେ ବସାଇ କଲେଜ ପଡ଼ିଆରୁ ଆମ୍ବତୋଟା ଦେଇ ପ୍ରଧାନ ରାସ୍ତା ଉପରକୁ ଉଠିଲା, ମନରେ ପ୍ରଚୁର ସାହସ ସଞ୍ଚୟ କରି । ଆଗକୁ ଆଗକୁ ଗାଡ଼ି ମନ୍ଥରଗତିରେ ଚାଲିଥାଏ...ଧୂଳି ଉଡ଼ୁଥାଏ ପଛରେ । ଅନୁପମକୁ ଭାରି ଆନନ୍ଦ ଲାଗୁଥାଏ ସେଦିନ ।

 

କିଛି ଦୂର ଯିବା ପରେ ବିଜୟା ଦେବୀ ଅନୁପମକୁ ଗାଡ଼ି ବନ୍ଦ କରିବାକୁ କହିଲେ । ଗାଡ଼ି ବନ୍ଦ ହେଲା । ବିଜୟା ଦେବୀ କହିଲେ–‘‘ଛାଡ଼ନ୍ତୁ–ମୁଁ ଚଲେଇବି । ଆପଣ ବସନ୍ତୁ ।’’

 

‘‘କାହିଁକି–ଦୁର୍ଘଟଣା ହୋଇପାରେ ବୋଲି ଭୟ କରୁଛନ୍ତି ?’’

 

‘‘ନା, ତାହା ନୁହେଁ ।’’ ବିଜୟା ଦେବୀ କହିଲେ–‘‘ଆପଣଙ୍କ ଶିକ୍ଷା ସମାପ୍ତ ହୋଇଚି । ବର୍ତ୍ତମାନ ମୁଁ ଚଲେଇବି, ଆପଣ ବସିବେ । ଆଉ କିଏ ଡ୍ରାଇଭିଂ କରୁଥିବା ଗାଡ଼ିରେ ମୁଁ ବସେ ନାହିଁ-।’’

 

‘‘ଅର୍ଥାତ୍‌... ?’’ ଅନୁପମ ବିସ୍ମିତ ହୋଇ ପଚାରିଲା ।’’

‘‘ଅର୍ଥ–ଫର୍ଥ କିଛି ନାହିଁ–ଏଇଟା ମୋର ଶପଥ । ଆପଣ ଏହାକୁ ହୁଏତ ଅହଂଭାବ ବୋଲି କହିପାରନ୍ତି ।’’

‘‘ଠିକ୍‌ ଅଛି’’–ଅନୁପମ କହିଲା–‘‘କିନ୍ତୁ, ମୁଁ ବି ଯଦି ସେଇ ଭଳି ଜିଦ୍‌ ଧରେଁ ।’’

‘‘ତାହେଲେ ଆପଣଙ୍କୁ ଏଇଠୁ ହସ୍‌ପିଟାଲ୍‌ ଯାଏଁ ଚାଲି ଚାଲି ଯିବାକୁ ପଡ଼ିବ–’’ ବିଜୟା ଦେବୀ ଗମ୍ଭୀର ହୋଇ ପ୍ରକାଶ କଲେ–‘କେଉଁଟାକୁ ଆପଣ ପସନ୍ଦ କରିବେ ?’’

ଅନୁପମ କାର୍‌ର ଦର୍ଜା ଖୋଲି ବାହାରକୁ ଆସିଲା । ବିଜୟା ଦେବୀ କାର୍‌ ଛୁଟାଇ ଚାଲିଗଲେ । ଅନୁପମ ରାସ୍ତା ଉପରେ ସେଇ କାର୍‌ଟା ପଛରେ ଜଳୁଥିବା ଲାଲ୍‌ ଆଖିଟାକୁ କିଛି ସମୟ ଚାହିଁ ଗୋଟାଏ ଦୀର୍ଘଶ୍ୱାସ ପକାଇ ଚାଲିବାକୁ ଲାଗିଲା । କଣ ଆଉ କରିଥାନ୍ତା ସେ ? ଗୋଟାଏ ମହିଳାର ଅହଂକୁ ସବୁବେଳେ ମାନିନେବା ଠିକ୍‌ ନୁହେଁ । ଅନୁପମ ଅପମାନିତ ହୋଇ ଵି ପୁରୁଷ ପରି ଚାଲୁଥିଲା । ତାହାର ପଛରେ ବାୟାବାବାଙ୍କ ବୈଷ୍ଣବମଠ, ବରଗଛ ଓ ମହୀପାଳୁଣୀ ଦେବୀଙ୍କ ଆସ୍ଥାନ ଗୋଟି ଗୋଟି ହୋଇ ଅଦୃଶ୍ୟ ହୋଇଯାଉଥିଲେ । ଅନୁପମ ଆପଣାକୁ ଓ ବିଜୟା ଦେବୀଙ୍କୁ ତଉଲୁଥିଲା–କିଏ ବେଶି, କିଏ କମ୍‌ ବୁଝିପାରୁନଥିଲା ।

ସଞ୍ଜ ଗଡ଼ିସାରିଥାଏ । ରାସ୍ତାର ଦୁଇପାଖରେ ବତି ଜଳି ଉଠି ସାରିଥାନ୍ତି । ଗୋବରୀ ନଈର ବାଲିରୁ ବସ୍ତିର ମାଇକିନାଙ୍କ ଟୁପ୍‌-ଟାପ୍‌ ଶୁଭୁଥାଏ । କିଏ ପାଣିମାଠିଆ ଧରି ଉଠୁଥାଏ ବାଲିରୁ ତଟ ଉପରକୁ, କିଏ ବା ଲୁଗା ଧୋଇ ପାଲଟୁଥାଏ । ତା’ଛଡ଼ା ଲୁଗା ହକଳା ଓ କୁଳକୁଞ୍ଚାର କଳଶବ୍ଦ ମଧ୍ୟ ଶୁଣାଯାଉଥାଏ–ପାଣିଧାରରୁ ।

ଅନୁପମ ଚାଲିଥାଏ ସେଇ ଆବୁଡ଼ା ଖାବୁଡ଼ା–ଗୋଟାଏ ଲୋମହୀନ କୁକୁର ପରି ଦିଶୁଥିବା ପିଚୁରାସ୍ତାରେ, ଯାହାର ମଝିରୁ ମଝିରୁ ପୁଳା ପୁଳା କରି ପିଚୁ ଉଠିଯାଇଥାଏ ।

ସାମ୍ନାରୁ ଆସୁଥିବା ଗୋଟାଏ ଗାଡ଼ିର ତୀବ୍ର ଆଲୁଅ ତା’ ଆଖିରେ ପଡ଼ିବାରୁ ସେ ଠିଆହେଲା । ହଠାତ୍‌ ସେଇ ଗାଡ଼ିଟା ତା’ରି ପାଖରେ ବନ୍ଦ ହେଲା । ଗାଡ଼ି ଭିତରୁ ହାତ ହଲେଇ କେହି ଜଣେ କହିଲା–‘‘ସାବାସ୍‌ ! ଡ: ଦାସ, ସାବାସ୍‌' ଆପଣ ହିଁ ଜିତିଲେ ଆଜି ।’’

ତା’ପରେ ବିଜୟା ଦେବୀ ବାହାରିଆସି ଅନୁପମ ନିକଟରେ ପ୍ରାୟ ହାତଯୋଡ଼ି ଠିଆହେଲାଭଳି ଅନୁନୟ ଭଙ୍ଗୀରେ ଠିଆହେଲେ ।

‘‘ନା, ମୁଁ ଚାଲି ଚାଲି ଯାଇପାରିବି–ଆଉ ତ ଅଳ୍ପବାଟ । ଆପଣ ଯାଆନ୍ତୁ–’’ଅନୁପମ କହିଲା–‘‘ମୋର ଦୁଇଟା ଶକ୍ତିଶାଳୀ ଗୋଡ଼ ଅଛି ।’’

‘‘ଆରେ ! ଇଏ କି କଥା ? ଆପଣ ରସିକତା ବି ବୁଝନ୍ତି ନାହିଁ ? ଆସନ୍ତୁ, ଆସନ୍ତୁ । ବୁଝିଲେ, ଏଇ ତ ମାତ୍ର ବଡ଼କୋଠା ବସ୍‌ଷ୍ଟାଣ୍ଡ୍‌ । ଏଠୁ କମ୍‌-ସେ-କମ୍‌ ମାଇଲିଏ ବାଟ ହସ୍‌ପିଟାଲ୍‌, କିମ୍ବା ଆହୁରି ବେଶି । ଆପଣଙ୍କୁ ମୁଁ ବାୟାବାବା ମଠ ସିଧାରେ ଓହ୍ଲେଇ ଦେଇଥିଲି । ଦଶ ପନ୍ଦର ମିନିଟ୍‌ ଭିତରେ ଆପଣ ଅଧମାଇଲେ ଆସିଛନ୍ତି... । ବୁଝିଲେ...ଖୁବ୍ ବେଶି ଚାଲିନାହାନ୍ତି ଆପଣ....-।’’

 

‘‘ତା’ହେଲେ ମୋତେ ଖୁବ୍‌ ବେଶି ଚାଲିବାର ସୁଯୋଗ ଦିଅନ୍ତୁ–ମୁଁ ଚାଲିବି । ଆପଣ ଯାଆନ୍ତୁ ।’’

 

ଅନୁପମ ଯିବାକୁ ବୁଲିଲାକ୍ଷଣି ବିଜୟା ଦେବୀ ତାହାର ହାତ ଧରି କହିଲେ–‘‘ଏତେ ରାଗନ୍ତୁ ନାହିଁ, ଡ: ଦାସ ! ପ୍ଲିଜ୍‌....ପ୍ଲି ଇଜ୍‌.....’’

 

ଅନୁପମ ବାଧ୍ୟ ହୋଇ ଗାଡ଼ିରେ ବସିଲା । ଗାଡ଼ି ପଛକୁ ବୁଲି ହସ୍‌ପିଟାଲ୍‌ ଆଡ଼େ ମୁହେଁଇଲା ।

 

ହସ୍‌ପିଟାଲ୍‌ ହତାଭିତରେ ଗାଡ଼ି ପଶିବା ପରେ ବିଜୟା ଦେବୀ କହିଲେ–‘‘ମୋର ଆଜି ଭାରି ଆନନ୍ଦର ଦିନ ।’’

 

‘‘କାହିଁକି ? କାରଣ କଣ... ?’’

 

‘‘ବୁଝିପାରୁନାହାନ୍ତି... ?’’ ବିଜୟା ଦେବୀ କହିଲେ ।

 

‘‘ନା....’’

 

ଗାଡ଼ି ଅନୁପମର ବସା ସାମ୍ନାରେ ଅଟକିଲା ଓ ଅନୁପମ ବାହାରକୁ ଗଲା ।

 

‘‘ଆନନ୍ଦର କାରଣ ହେଉଛି–’’ ବିଜୟା ଦେବୀ କହିଲେ–‘‘ଯେ ଶେଷ ମୁହୂର୍ତ୍ତରେ ମୁଁ ଆପଣଙ୍କୁ ହରେଇଦେଲି । ମୁଁ ଡ୍ରାଇଭିଂ କଲି ଓ ଆପଣ ବସି କରି ଆସିଲେ ! ବାୟ....ବାୟ....ଟା ଟା I’’

 

ବିଜୟା ଦେବୀ ଗୋଟାଏ ହାତ ପଦାରେ ରଖି ଏକ ଉଲ୍ଲସିତ ସାପ ଲାଂଜପରି ନଚେଇ ନଚେଇ ଚାଲିଗଲେ ।

 

ଜ୍ୟେଷ୍ଠ ମାସର ଶେଷଆଡ଼କୁ ସେ ବର୍ଷ ଦୁଇ ତିନି ଅସ୍ରା ବର୍ଷା କାଚିହୋଇଗଲା । କେନ୍ଦ୍ରାପଡ଼ା ସହର ରାସ୍ତା କିଛିଦିନ ପାଇଁ କାଦୁଆ ହୋଇଗଲା; କିନ୍ତୁ, ଗୁଳୁଗୁଳି ଛାଡ଼ିଲା ନାହିଁ । ବର୍ଷା ହେବାର ଠିକ୍‌ ଦୁଇ ଚାରିଦିନ ପରେ ପୁଣି ଖରା କାହିଁରେ କଣ ଟାଣ ହେଲା ।

 

ହସ୍‌ପିଟାଲ୍‌ ହତାରେ ଥିବା ଶିମୁଳିଗଛର ଫଳ ସବୁ ଫୁଟ୍‌ଫାଟ୍‌ କରି ଫାଟିଲେ । ଉଡ଼ିଲା ତୁଳା, ଅତି ବେକାଇଦା ଭାବରେ–ବିଶୃଙ୍ଖଳ ଭାବରେ–ବହୁଦିନ ଧରି ପିଞ୍ଜରାରେ ଆବଦ୍ଧ ଥିବା ପକ୍ଷୀଟାଏ ହଠାତ୍‌ ସ୍ୱାଧୀନତା ପାଇଲେ ଯେମିତି ଲକ୍ଷ୍ୟହୀନ ଭାବରେ କେବଳ ଉଡ଼ିବା ପାଇଁ ଉଡ଼େ ।

 

କେବଳ ଶିମୁଳି ତୁଳା ଉଡ଼ିଲେ କିଛି ଦୁଃଖ କରିବାର କିମ୍ବା ବିସ୍ମିତ ହେବାର କାରଣ ନ ଥା’ନ୍ତା; କିନ୍ତୁ, ଅନୁପମ ଦେଖିଲା ଆକାଶରେ ଗୋଟାଏ ବିରାଟ ସୈତାନ୍‌ର ବ୍ୟୋମବାହିନୀ ଉଡ଼ୁଚି-। ସେଇ ସୈତାନ୍‌ର ଭୟରେ ଥରିଉଠିଲା ସହରର ଗଳି, ଉପଗଳି, କନ୍ଦି ବିକନ୍ଦି । ହସ୍‌ପିଟାଲ୍‌ ହତାର ସେଇ ଶିମୁଳିଗଛର ଶାଖା–ପ୍ରଶାଖାରେ ସେଇ ସୈତାନ୍‌ର ସୈନିକମାନେ ଡେଣା ବୁଜି ବସୁଥିଲେ । ବେଳେ ବେଳେ କ୍ରଁ–କ୍ରଁ ରବକରି ଡେଣା ଫଡ଼୍‌ଫଡ଼୍‌ କରୁଥିଲେ, କେତେବେଳେ ଚକର୍‌ ଦେଉଥିଲେ ହସ୍‌ପିଟାଲ୍‌ର ଆକାଶରେ–ଉଞ୍ଚେ ଓ ତଳେ–ଭିନ୍ନ ଭିନ୍ନ ରୀତିରେ । ସାଇଁସାଇଁ ଶୁଭୁଥିଲା ସେମାନଙ୍କର ଡେଣା ଶବ୍ଦ । ସେମାନେ ଶାଗୁଣାର ଦଳ । ଆଉ ସେ ସୈତାନ୍‌ ଥିଲା ହଇଜା । ସେଇ ସୈତାନ୍‌ ଏକ ବାଘ ଭଳି କୁଦି କୁଦି, କିମ୍ବା ଅଜଗର ଭଳି ଘୁଷୁରି ଘୁଷୁରି ଫଁ ଫଁ ହୋଇ ଆସିଲା ନାହିଁ; ସେ ଆସିଲା ତୈମୁର୍‌ ଲଙ୍ଗ୍‌ କଳାପାହାଡ଼ଙ୍କଠାରୁ ଆହୁରି ଭୟଙ୍କର ଭାବରେ-। ସେମାନେ କେବଳ ଘର ଜାଳିଥିଲେ, ବିଗ୍ରହ ପୋଡ଼ିଥିଲେ; କିନ୍ତୁ ଏ ସୈତାନ୍ ଜାଳିଗଲା ଘର ଭିତରର ଜୀବଙ୍କୁ । ଘର ଓ ବିଗ୍ରହ ତା’ପରେ ଆପେ ଆପେ ଜଳିଗଲା ।

 

କେନ୍ଦ୍ରାପଡ଼ା ହସ୍‌ପିଟାଲ୍‌ ହଇଜା ରୋଗୀରେ ପୂରିଗଲା । ଡାକ୍ତରମାନଙ୍କୁ ରୋଗୀ ସେବା କରି କରି ବିଶ୍ରାମ ମିଳୁ ନ ଥାଏ । ବେଡ଼୍‌ ଅଭାବ ହେବାରୁ ପଡ଼ିଆରେ ତମ୍ବୁ ପକାଇ ରୋଗୀଙ୍କୁ ଚିକିତ୍ସା କରାଯାଉଥାଏ । ରୋଗୀ ପରେ ରୋଗୀ ମେଳା ଦେଖିବାକୁ ଗ୍ରାମ୍ୟ ଯାତ୍ରୀଙ୍କ ପରି ଧାଡ଼ିଲାଗିଥାନ୍ତି ହସ୍ପିଟାଲକୁ । ଆମ୍ୱୁଲାନ୍‌ସ ଗାଡ଼ିକୁ ବିଶ୍ରାମ ନ ଥାଏ । କିଏ ଆସୁ ଆସୁ ବାଟରେ ତାକୁ ସୈତାନ୍‌ ହାଫୁଲା ମାରି ନେଇଯାଉଥାଏ, ଶାଗୁଣା ଛୋଟ କୁକୁଡ଼ାକୁ ଗୋଡ଼ରେ ଉଠେଇ ନେଲାଭଳି । କିଏ ମରି ପଡ଼ୁଥାଏ ଆପଣାର ଘରେ । ଆଉ ବା କିଏ ହସ୍‌ପିଟାଲ୍‌ରେ ପହଞ୍ଚୁ, ପହଞ୍ଚୁ, ଶେଷ ନିଃଶ୍ୱାସ ନେଉଥାଏ । ଯେଉଁମାନେ ଚିକିତ୍ସାରେ ରହୁଥା’ନ୍ତି, ଦିନେ ଅଧେ ରହି ସେମାନଙ୍କ ଭିତରୁ ପନ୍ଦରପଣଙ୍କର ଶବକ ଠେଲାଗାଡ଼ି କରି ନେଇ ମେହେନ୍ତର ଶ୍ମଶାନରେ ଫିଙ୍ଗିଦେଇ ଆସୁଥାଏ । ସୈତାନ୍‌ର ବିଚାର ନଥିଲା । ଖାଦକ ‘ଖାଦ୍ୟ’ର ବେଦନା ବୁଝେନା, ଅସୁବିଧା ବୁଝେନା; ତା’ ଉପରେ ଆଉ କେହି ନିର୍ଭର କରି ଚଳୁଛନ୍ତି ବୋଲି ବୁଝେନା । ବାପା-ମା-ଭାଇ-ସ୍ତ୍ରୀ-ସ୍ୱାମୀ-ପୁଅ-ଝିଅ କୌଣସି ସମ୍ପର୍କର ମୂଲ୍ୟ ସେ ମାନେନା । ସେ ଖାଏ । ଖାଇବା ହିଁ ସେଇ ଅବସ୍ଥାରେ ତାର ଧର୍ମ । ନ ଖାଇଲେ ଯେମିତି ତାର ‘ଖାଦକତ୍ୱ’ର ଅମଙ୍ଗଳ ସାଧିତ ହେବ । ତେଣୁ ସେଇ ସୈତାନ୍‌ ଆଖି ବୁଜି ଖାଇଗଲା–ଦିନକୁ ତିରିଶି, ଚାଳିଶି, ପଚାଶ, ଷାଠିଏ କରି ମୁଣ୍ଡ ଚାଲିଲେ । କାନ୍ଦ–ବୋବାଳିରେ ହସ୍‍ପିଟାଲ୍‌ର ପ୍ରକାଣ୍ଡ ହତାଟା ଉଛୁଳିପଡ଼ିଲା । କାଉଗୁଡ଼ାକ କା’ କା’ ହେଲେ ଅନବରତ । ଶାଗୁଣା ସବୁ ଚକ୍‌କର୍‌ ଦେବାକୁ ଲାଗିଲେ ଆକାଶରେ ଶବ–ସନ୍ଧାନ କରି କରି ।

ସୈତାନ୍‌ କିଛି ବିଚାର କଲାନାହିଁ । ମଣିଷର ବୁକୁଫଟା କାନ୍ଦଣା ତାକୁ ଶୁଭିଲା ନାହିଁ । ସେ ଭାବିଲା ନାହିଁ ଭେଣ୍ଡାପୁଅକୁ ଖାଇଦେଲେ ଅଶିବର୍ଷର ବୁଢ଼ୀ–ମା’ ଏକା ଏକା କେମିତି ବଞ୍ଚିବ, କେମିତି ବଞ୍ଚିବ ସ୍ତ୍ରୀ, ସ୍ୱାମୀକୁ ଖାଇଦେଲେ । ଘରର ସମସ୍ତଙ୍କୁ ଖାଇ ପିଲା ଝିଅଟାକୁ ଛାଡ଼ିଗଲେ ଶେଷରେ ସେଇ ଝିଅଟା ଯେ ଅବସ୍ଥା–ଚାପରେ ପଡ଼ି ବେଶ୍ୟା ହେବ, ଦେହ ବିକି ବଞ୍ଚିବ–ଏ ବିଚାର ତା’ଠି ପଶିଲାନାହିଁ । ସେଥିପାଇଁ ସେ ସୈତାନ୍‌, ସେ ରାକ୍ଷସ ।

ସେଇ ରାକ୍ଷସ ସହିତ ସଂଗ୍ରାମ କରୁଥିଲେ ହସ୍‌ପିଟାଲ୍‌ର ସେଇ ଡାକ୍ତର,

କମ୍ପାଉଣ୍ଡର୍‌ ଓ ନର୍ସମାନେ । ଦୀର୍ଘ ଦିନ ଧରି ଏ ସଂଗ୍ରାମ ଚାଲିଲା । ସହର ସାରା ପୋକ ମାଛି ଓ ଦୁର୍ଗନ୍ଧରେ ପୂର୍ଣ୍ଣ ହୋଇଗଲା । ଯେଉଁ ସ୍ଥାନରେ ଦେଖିବ ମୃତ ବ୍ୟକ୍ତିର ଶବବୁହା ଚାଲିଚି–କାନ୍ଦଣା ଶୁଭୁଛି । କେଉଁଠି ବା କେବଳ ଶବ ପଡ଼ିଚି–ମଶା ମାଛିର ଘେର ଭିତରେ–କାନ୍ଦଣା ନାହିଁ କିମ୍ବା କୋକେଇ ନାହିଁ । ଫୁଲ ନାହିଁ କିମ୍ବା ସ୍ତମ୍ଭ ଅଥବା କବର ନାହିଁ । ଚିତାଗ୍ନି ନାହିଁ, ହୁଏତ ଅଗ୍ନି ଅଛି ।

ଅନୁପମ ଖାଇବା ପିଇବା ଭୁଲିଯାଇଥିଲା । ତା’ର ମନେପଡ଼ୁଥିଲା ବାରମ୍ବାର ଡ: ମିଶ୍ରଙ୍କର ସେଇ ବାଣୀ–‘‘ଅନୁପମ, ତୁମକୁ ପରପାଇଁ ବଞ୍ଚିବାକୁ ପଡ଼ିବ ।’’ ଏଇ ପରୀକ୍ଷାର ବେଳ । ନିଷ୍ଠାର ସହିତ ଅନୁପମ ଲଢ଼ୁଥିଲା ସୈତାନ ସହିତ ।

କେବଳ କେନ୍ଦ୍ରାପଡ଼ା ନୁହେଁ–ସୈତାନ୍‌ ବାହୁ ବିସ୍ତାର କରିଥିଲା ଆହୁରି ଦୂରକୁ । ବାଲେଶ୍ଵର, ଯାଜପୁର, କଟକ, ସାଲେପୁର, ପଟାମୁଣ୍ଡାଇ ସବୁଆଡ଼କୁ ସୈତାନ୍‌ର ଅନୁଚରମାନେ ଖେଦିଯାଇଥିଲେ । ‘‘ମଣିଷ ସାବଧାନ୍‌, ମଣିଷ ସାବଧାନ୍‌’’ର ସ୍ୱର ଉଠୁଥିଲା । ଖବରକାଗଜମାନଙ୍କରେ । ମଣିଷ ସାବଧାନ ହେଉଁ ହେଉଁ ବି ସୈତାନ୍‌ ତାକୁ ଧରିନେଉଥିଲା ଛୁଆଧରା ବାୟା ମୁଣିରେ ଛୁଆ ପୂରେଇନେଲା ଭଳି ।

 

ହଇଜା ଲାଗିବାର ସପ୍ତମ ଦିନ......

 

ଅନୁପମ ଧଳା ପ୍ୟାଣ୍ଟ୍‌ଟାଏ ପିନ୍ଧି ଦେହରେ ଧଳା ବୁସ୍‌ସାର୍ଟଟିଏ ପିଦ୍ଧି ହସ୍‌ପିଟାଲ୍‌କୁ ଗଲା । ଗୋଟିଏ ରୋଗୀକୁ ପରୀକ୍ଷା କରିଛି କି ନାହିଁ, ପୋଷ୍ଟ ଅଫିସର ଟେଲିଗ୍ରାମ୍‌ ପିଅନ୍‌ ଆସି ଅନୁପମ ହାତକୁ ଟେଲିଗ୍ରାମ୍‌ ଲଫାଫାଟି ବଢ଼େଇଦେଲା । ଟେଲିଗ୍ରାମ ଲଫାଫାଟା ଧରିଲାବେଳଠୁଁ ଅନୁପମର ଛାତି କୌଣସି ଆଶଙ୍କିତ ବିପଦର ସମ୍ଭାବନାରେ ଥରିଉଠିଲା । ସେ ଦସ୍ତଖତଟାଏ ଥରଥର ହାତରେ କରିବା ପରେ ଟେଲିଗ୍ରାମ୍‌ ପିଅନ୍‌ ଫେରିଗଲା । ଅନୁପମର ସାହସ ହେଲାନାହିଁ ଲଫାଫାଟା ଖୋଲିବାକୁ । ଯଦି ସୈତାନ୍‌ ତା’ ଭିତରେ ପଶିଥାଏ !

 

‘‘କଣ ହେଲା ? ଖବର କଣ ?’’ –ବିଜୟା ଦେବୀ ଅନୁପମ ହାତରୁ ଲଫାଫାଟି ଛଡ଼ାଇ ନେଲେ–‘‘ଆରେ ! ଅଦ୍ଭୁତ ଲୋକ ଆପଣ ! ଏପର୍ଯ୍ୟନ୍ତ ଲଫାଫାଟା ବି ଖୋଲି ନାହାନ୍ତି ?’’

 

ଏହା କହି ସେ ନିଜେ ଲଫାଫାଟା ଚିରି ଚାରିଚଉଢା ଟେଲିଗ୍ରାମ୍‌ କାଗଜ ଖଣ୍ଡିକ ଖୋଲିଲେ । ଅନୁପମ ସେ କାଗଜଟାକୁ ଭଲକରି ଚାହିଁ ବି ପାରୁନଥାଏ । ତାକୁ ଅକ୍ଷରଗୁଡ଼ାକ ଝାପ୍‍ସା ଦିଶୁଥାଏ । ବିଜୟା ଦେବୀ ପଢ଼ିଲେ । କଳା ପେନ୍‌ସିଲ୍‌ ଅକ୍ଷରରେ ଲେଖା ହୋଇଥିଲା– ‘‘ବାପା–ମା ମୃତ୍ୟୁ–ଶଯ୍ୟାରେ । ଶୀଘ୍ର ଆସ’’–ଟେଲିଗ୍ରାମ କରିଥିଲା ସେଇ ଦଧିଆ କମାର, ମେଙ୍କୀର ବାପା । ତେବେ କଣ ହଇଜା ? ଅନୁପମର ମୁଣ୍ଡଟା ଘୂରିଗଲା I ହସ୍‌ପିଟାଲ୍‌ର ବାରଣ୍ଡାଟା ତଳ ଉପର ହେଲା ।

 

ବିଜୟା ଦେବୀ କହିଲେ–‘‘ଯାଅ ! ଘରକୁ ଯାଅ ! ତୁମର ଶୁଭକାମନା କରୁଛି । ଯାଅ, ଡ: ମହାନ୍ତିଙ୍କୁ ଟେଲିଗ୍ରାମ୍‌ଟା ଦେଖାଅ ।’’

 

ଡ: ମହାନ୍ତିଙ୍କୁ ଟେଲିଗ୍ରାମ୍‌ଟା ବଢ଼ାଇ ଦେଇ ଅନୁପମ ନିର୍ବାକ୍‌ ହୋଇ ଠିଆହେଲା । ଏ ଅବସ୍ଥାରେ, ହସ୍‌ପିଟାଲ୍‌ର ଏ ଦୁର୍ଦ୍ଦିନରେ ସେ ଛୁଟି ମାଗିବ କେମିତି ? ଯାହାଙ୍କ ପାଇଁ ତାର ଚାକିରି–ତାଙ୍କରି ବିପଦବେଳେ ସେ ଆପଣା ସ୍ଵାର୍ଥୀ ହେବ ! ଡ: ମହାନ୍ତି ଅନୁପମର ମୁହଁକୁ ଥରେ ଚାହିଁଲେ । ସେ ବି କଣ କହିବାକୁ ଯାଉଁ ଯାଉଁ ଅଟକିଗଲେ । ଶେଷରେ ସେ ଅନୁପମ ନିକଟକୁ ଉଠିଆସି ପିଠିରେ ହାତ ମାରି କହିଲେ–‘‘ଯାଅ, ଘରକୁ ଯାଅ ! ଧୈର୍ଯ୍ୟ ଧର, ହୁଏତ କିଛି ନ ହୋଇପାରିଥାଏ ! ହଁ–ଶୁଣ, ନିଜ ସ୍ୱାସ୍ଥ୍ୟର ଯତ୍ନ ନେବ । ଶୀଘ୍ର ଫେରିବ ।’’

 

ସେଇକଥା ବି ବିଜୟା ଦେବୀ ବିଦାୟ ଦେବାବେଳେ କହିଲେ–‘‘ଆପଣା ସ୍ଵାସ୍ଥ୍ୟର ଯତ୍ନ ନେବେ । ଫେରିବେ ଶୀଘ୍ର । ମୁଁ ଚାହିଁରହିଲି ।’’

 

ଗୋବିନ୍ଦପୁରରେ ସେ ପହଞ୍ଚିଲା ବେଳକୁ ଗଛପତ୍ରରୁ ଦିନ ଖସିଗଲାଣି । ସୂର୍ଯ୍ୟ ବୁଡ଼ିଗଲେଣି । କେବଳ ଚିତାଗ୍ନିର ଶିଖା ଜଳୁଥିଲା ।

 

ଅସୁର ଦୀଘିର ସେଇ ବଟଗଛ ମୂଳରେ ଗାଁର ଲୋକେ ରୁଣ୍ଡ ହୋଇଥିଲେ I ଠାକୁରାଣୀଙ୍କର ପୂଜା ହେଉଥିଲା । ଝୁଣା ଧୂଆଁ ଉଠୁଥିଲା । ଝାଞ୍ଜ-ମୃଦଙ୍ଗ ବାଜୁଥିଲା । ତା’ ସାଙ୍ଗେ ସାଙ୍ଗେ ଭୟ-ଭୀତ ମଣିଷ କୀର୍ତ୍ତନ କରୁଥିଲା ଏକତ୍ର ବସି I

 

ଅନୁପମ ସେଇ ବାଟ ଦେଇ ଯିବା ଦେଖି କେହି ତାକୁ ପଛଆଡ଼ୁ ଡାକିଲା । ଅନୁପମ ଠିଆହେଲା; ଦେଖିଲା ଜଣେ ବୃଦ୍ଧ ତା’ରି ଆଡ଼କୁ ଉଠି ଆସୁଚି । ବୁଢ଼ାଟିକୁ ସେ ଚିହ୍ନିଥିଲା । ତାଙ୍କରି ଗାଁର । ଅସ୍ପଷ୍ଟ କଣ୍ଠରେ ବୁଢ଼ାଟି କହିଲା–‘‘ଖୁବ୍‌ ଡେରିରେ ଆଇଲୁରେ ବାପ....’’

 

ଅନୁପମ ଆଉ କିଛି ନଶୁଣି ଦଉଡ଼ି ଦଉଡ଼ି ଗାଁଭିତରକୁ ପଶିଗଲା ।

 

ଗାଁ–ମଶାଣି ।

 

ହୁତୁହୁତୁ ଜଳୁଥାଏ ଚିତାଗ୍ନି । ଅନୁପମ ଗୋଟାଏ ଅଧାପୋଡ଼ା ମଶାଣି ବାଉଁଶ ଠେଙ୍ଗାଭଳି ଠିଆହୋଇଥାଏ । ଫର୍‌-ଫର୍‌ ହୋଇ ଅଗ୍ନି ଚରିଯାଉଥାଏ ତାର ବାପା-ମା’ଙ୍କ ଚଉଡ଼ା ଛାତି, ବଳିଷ୍ଠ ବାହା ଓ ବୋଝପରି ହେଇଥିବା ମୁଣ୍ଡ ବାଳ ଉପରେ ।

 

ରାତି ଦି-ଘଡ଼ି ହେବ ।

 

ଅନୁପମ ଚାହିଁଲା ଆକାଶକୁ–ଶୂନ୍ୟ ! ଅମାପ, ଅକଳନ୍ତା ଶୂନ୍ୟ ! କିଛି ନାହିଁ, କିଛି ନାହିଁ-। ଉପରେ ଲକ୍ଷ ଲକ୍ଷ ତାରା । ସେଇଠି–ସେଇଠି ବୋଧହୁଏ ତାରା ବାପା-ମା’ ! ସେଇଠି ବୋଧେ-!

 

ଚିତା-ନିଆଁର ଆଲୁଅରେ ଅନୁପମର ଦେହରୁ ଫାଳେ ଲାଲ୍‌ ଲାଲ୍‌ ଦିଶୁଥାଏ । ଯେଉଁ ସାଇବାଲାମାନେ ଶବ କାନ୍ଧେଇ ଆସିଥିଲେ, ନିଆଁ ଚରିବା ଆରମ୍ଭ ହେଲାକ୍ଷଣି ସେମାନେ ପଳେଇଲେ । କେବଳ ମୁଣ୍ଡରେ ହାତ ଦେଇ ମୁଣ୍ଡେ ଅଙ୍ଗାର ଭଳି ବସିଥାଏ ଦଧିଆ କମାର । ଚିତାଗ୍ନିର ଆଲୁଅ ବି ପଡ଼ିଥାଏ ତା’ ମୁହଁରେ । ଜକଜକ ଦିଶୁଥାଏ ତାର କଳା ଅଙ୍ଗାର ତେଜହୀନ ଗାଲରୁ ଚେନେ ।

 

ଅନୁପମ ବି ଜାଣିଥିଲା ଦଧିଆ କମାର କାହିଁକି ଜଗିଚି ।

 

କିନ୍ତୁ...

 

ଦଧିଆ କମାର କହିଲା–‘ତୋ’ ବାପା-ମା ଭାରି ପୁଣ୍ୟ କରିଥିଲେରେ–ଏକା ବିଛଣାରେ ଏକାବେଳକେ ମଲେ । ଏକା ନିଆଁରେ ପୋଡ଼ାହେଲେ । ସମସ୍ତେ ଏମିତି ମରନ୍ତି ନାହିଁ...ଖାଲି ଯାହା ତୋ’ରି ହାତରୁ ପାଣି ଟୋପେ ପାଇଲେନାହିଁ । ଭାରି ଖୋଜୁଥିଲେ ତୋତେ । ତୋରି ନାଁ ଡାକି ଡାକି ତାଙ୍କର ପ୍ରାଣ ଯାଇଚି । ମେଙ୍କୀ ସାରାଦିନ ସେଠି ଜଗିକି ବସିଥିଲା । ମଲାବେଳେ ତୋ’ ବାପା-ମା ତାରି ହାତରୁ ପାଣି ପିଇ ମରିଛନ୍ତି । ମେଙ୍କୀ....’’ ଦଧିଆ କମାର ଆହୁରି କଣ କହିବାକୁ ଯାଉଥିଲା । ମୁର୍ଦ୍ଦାରର ଗଣ୍ଠି ଫୁଟିବା ଶବ୍ଦ ହେବାରୁ ସେ ଆଉ କହିପାରିଲା ନାହିଁ ।

 

ଅନ୍ତ୍ୟେଷ୍ଟିକ୍ରିୟା ଶେଷ ହେବା ପରେ ...

 

ଅନୁପମ ବାପର ଦୋକାନଟାକୁ ଭାଙ୍ଗି ଜିନିଷପତ୍ର ସବୁ ସାଇର ଗରିବ ଲୋକଙ୍କୁ ବାଣ୍ଟିଦେଲା । ଦଧିଆ କମାରକୁ ଜମି ଓ ଘରର ଭାର ଦେଇ କେନ୍ଦ୍ରାପଡ଼ା ପଳେଇ ଆସିବାକୁ ଠିକ୍‌ କଲା । ଗାଁରେ ରହିଲେ ତା’କୁ ମାଡ଼ି ମାଡ଼ି ପଡ଼ୁଥାଏ ।

 

ଘରୁ ଗୋଡ଼ କାଢ଼ିଲା ବେଳେ ଦଧିଆ କମାର ଆସି ପୁଣି ବସିଲା ଦାଣ୍ଡଦୁଆରେ । କଥାର ଖିଅଟାଏ ଯୋଡ଼ି ଆରମ୍ଭ କଲା–‘‘ତୋ’ ବାପ ମଲା ବେଳକୁ ମୋତେ ନେହୁରା ହୋଇ କହିଯାଇଥିଲା ମେଙ୍କୀ କଥା । ଭାରି ଇଚ୍ଛା ଥିଲା ତାର ମେଙ୍କୀକୁ ବୋହୂ କରିନେବା ଲାଗି...ସେ ତ ନାହିଁ....ହେଲେ; କଣ ରଖିଯାଇନାହିଁ ସେ ? କଣ ବା ଦେଇଯାଇ ନାହିଁ ତୋତେ ? ତୁ ତ କିଛି ଅମଣିଷ କି ଅଶିକ୍ଷିତ ହୋଇନାହୁଁ ।’’

 

ଅନୁପମ ନିରୁତ୍ତର ରହିଲା ।

 

‘‘ମୁଁ ଖାଲି ତୋଠୁ କଥା ପଦେ ଶୁଣିବାକୁ ଚାହେଁ–କେତେ ଦିନ ବା ମୁଁ ଆଉ ବଞ୍ଚିବି ? ତା ଆଗରୁ....’’

 

‘‘ସେସବୁ ପର କଥା । ମୁଁ ବର୍ତ୍ତମାନ କିଛି କହିପାରିବି ନାହିଁ.... । ମୁଁ ବୋଧେ....’’

 

ଅନୁପମ ଦଧିଆ କମାରର ମୁହଁକୁ ଚାହିଁ କିଛି କହିପାରିଲା ନାହିଁ । ଘର ବନ୍ଦ କରି ଏକାନିଃଶ୍ଵାସକେ ଘର ଓ ସାଇ ଡେଇଁ ଚାଲିଲା ।

 

ସେଇ ତା’ର ଜନ୍ମଭୂମି, ଗାଁ । ବେଶ୍‌, ସେଇ ସେତକ ମାତ୍ର । ଆଉ କଣ୍‌ ଅଛି ସେଠି ?

 

ତାର ପଛ ପାଖରେ ଅନ୍ଧାର ଅତୀତ ପରି ପଛେଇ ପଛେଇ ଅଦୃଶ୍ୟ ହୋଇଯାଉଥିଲା ଗାଁ–ଟା । ଅସୁର ଦୀଘି ପାର ହେଲାବେଳେ ଦୀଘି ମଝିର ଗରୁଡ଼ଖମ୍ବ ଅଗରେ କଳିଙ୍କିଲଗା ନିଷ୍ପ୍ରଭ ସୁଦର୍ଶନ ଚକ୍ରଟାକୁ ସେ ଥରେ ଦିଥର ଚାହିଁ; ତା’ପରେ ଝପ୍‌ଟି ଚାଲିଥିଲା ବସ୍‌ ରାସ୍ତା ଆଡ଼କୁ–ଲାଇନ୍‌ ବସ୍‌ ଧରିବା ଲାଗି ।

 

କେନ୍ଦ୍ରାପଡ଼ା...

 

ପୁଣି ଆରମ୍ଭ ହେଲା ଅନୁପମର ନିତିଦିନିଆ ଜୀବନ–ଲାସ୍‌କଟା, ମଳମୂତ୍ର ପରୀକ୍ଷା ଘା-ଦେଖା । ଅନୁପମର ଦୁଃଖରେ ସମସ୍ତେ ଚ ଚ କଲେ । କିଏ ରୁମାଲ୍‌ରେ ଆଖି ପୋଛିଲା । କିଏ ବା ନାକ ସୁଁ–ସୁଁ କଲା । କିଏ ବା ବୋଧ ଦେଲା ଶାସ୍ତ୍ରର ଉଦ୍ଧୃତି ଦେଇ–‘‘ମର ଦେହରେ ଜନ୍ମ ପାଇ, ଦେବତା ହୋଇଲେ ମରଇ ।’’

 

ମୃତ୍ୟୁ ସୁନିଶ୍ଚିତ ବୋଲି ତ ପୃଥିବୀର ଅନ୍ୟ ନାଁ ମର୍ତ୍ତ୍ୟଭୂମି । ନ ମରି ଅନନ୍ତକାଳଧରି କିଏ ବଞ୍ଚିଲାଣି ? ରାମଙ୍କୁ ବି ମରିବାକୁ ପଡ଼ିଥିଲା; କୃଷ୍ଣଙ୍କୁ ବି ମରିବାକୁ ପଡ଼ିଥିଲା ।

 

ସୁଦର୍ଶନ ଚକ୍ର ଘୂରୁଛି । ତାର ଉଜ୍ଜ୍ୱଳ ଦାନ୍ତିରେ କିଏ କାଟି ନ ହେଉଛି... ! ସଭିଏଁ, ସଭିଏଁ... I ସେଇ ମହାକାଳ..., ତା’ରି ଏକା ଶେଷ ନାହିଁ ମୃତ୍ୟୁ ନାହିଁ–ସେଇ ଏକା ରୁଗ୍‌ଣ ହେଉନାହିଁ । ଆମେ ସିନା ଦେଖିପାରୁନାହୁଁ । ସେଇଟା ଘୂରୁଛି...ଅବିରାମ, ଅନବରତ; ଦିନ ଓ ରାତି ପରସ୍ପରର ପଛେ ପଛେ ଘୂରିବା ପରି ।

 

ସୁଦର୍ଶନ ଚକ୍ରର ଦୁଇଟା ବିଭାବ–ସଂହାର ଓ ସର୍ଜନା–ମରଣ ଓ ଜନ୍ମ ।

 

ତାହାର ପୁଣି ଦୁଇଟା ରୂପ–ଅନାକାର ଓ ସାକାର । ସାକାର ଭାବରେ ସେ ଦୃଶ୍ୟମାନ୍‌-। ଅନାକାର ଭାବରେ ସେ ଅଦୃଶ୍ୟ ।

 

ଅନାକାର ଓ ଅଦୃଶ୍ୟ ଅବସ୍ଥାରେ ସେ ଆପଣାଛାଏଁ, ସ୍ଵେଚ୍ଛାରେ, ସ୍ଵୟଂଶକ୍ତିରେ ଘୂରେ ଓ ଅନ୍ୟ ସବୁକୁ ଘୂରାଏ । ସାକାର ଓ ଦୃଶ୍ୟମାନ୍‌ ସୁଦର୍ଶନ ଚକ୍ର ଆପଣାଛାଏଁ ଘୂରିପାରେ ନାହିଁ । ତାକୁ ଅନ୍ୟ ଜଣେ ଘୂରାଏ, ଅନ୍ୟ ଜଣଙ୍କ ଇଚ୍ଛାରେ ସେ କ୍ରିୟା-ଶୀଳ ହୁଏ । ଅନାକାର ଘୂରେ ଦିନରାତି ଭଳି । ସାକାର ଘୂରେ ଘଡ଼ିର ସେକେଣ୍ଡ୍‌ କଣ୍ଟା ଭଳି । ସେକେଣ୍ଡ୍‌ କଣ୍ଟା ଯନ୍ତ୍ରଦ୍ୱାର ଘୂରେ; କିନ୍ତୁ ଦିନ-ରାତି ଘୂରିଥାଏ ଆପେ ଆପେ ।

 

ସାକାର ସୁଦର୍ଶନ ଚକ୍ରକୁ ଘୂରାଏ ବିଷ୍ଣୁ । ବ୍ରାହ୍ମଣ ପୂଜକ ଦେବବିଗ୍ରହକୁ ‘ମୋର’ ‘ମୋର’ କହିଲା ଭଳି ବିଷ୍ଣୁ, ସୁଦର୍ଶନ ଚକ୍ରକୁ ନିଜର ବୋଲି କୁହେ । ଦେବତା ଆରାଧନାର ସୁଯୋଗ ପାଇ ପୂଜକ ଅନ୍ୟାନ୍ୟ ଜନତାଙ୍କୁ ଶାସନ କରେ; ଦେବତାକୁ ଏକ ଅସ୍ତ୍ରଭାବରେ ବ୍ୟବହାର କରେ; ସମସ୍ତଙ୍କୁ ବିଗ୍ରହ ସ୍ପର୍ଶକରିବାର ଅଧିକାର ନ ଦେଇ ପକ୍ଷପାତ ବିଚାର କରେ, ନିଜେ ହିଁ ବୋଲାଏ ମାଲିକ ଓ ସେଇ ସାକାର–ଦେବତାର ଅବଲମ୍ବନରେ ସେ ନିଜେ ସମାଜ-ଧର୍ମର ସିଂହାସନ ଦଖଲ କରେ ଓ ଆପଣାର ପ୍ରିୟ-ଗୋଷ୍ଠୀକୁ ନାନାଦି ସୁବିଧା ଦାନ କରେ । ଠିକ୍‌ ସେଇମିତି ବିଷ୍ଣୁ ସାକାର ସୁଦର୍ଶନ ଚକ୍ରକୁ ନିଜ ଇଚ୍ଛାରେ ଘୂରାଇ ଶାସନ କରିଆସିଛି ଜୀବ-ସମାଜକୁ । ସେ ନିଜେ ବଡ଼ ହୋଇଛି । ନିଜର ଲୋକଙ୍କୁ ସୁବିଧା ଦେଇଛି । କେବଳ ସେଇ ସୁଦର୍ଶନ ଚକ୍ର ଯୋଗୁଁ ସେ ପାଇଛି ଅସୀମ କ୍ଷମତା । କ୍ଷମତାନ୍ଧ ହୋଇ ସେ ଆପଣା ଗୋଷ୍ଠୀକୁ ନେଇ ସ୍ଵର୍ଗରେ ବସାଇଛି, ପକ୍ଷପାତ ବିଚାର କରିଛି । ନିଜର ଲୋକଙ୍କୁ ଇନ୍ଦ୍ରପଦ ଦେଇଛି । ସେ ଅସୁରଗୋଷ୍ଠୀର ଟାଲେଣ୍ଟ୍‌କୁ ସ୍ଵୀକାର କରିନାହିଁ ।

 

କିନ୍ତୁ ସେ ଜାଣେନା ତାକୁ ବି ଘୂରାଇଦେବ ଆଉ ଏକ ଅଦୃଶ୍ୟ ସୁଦର୍ଶନ ଚକ୍ର । ସେ ବଳୀକୁ ଚାପିଛି ପାତାଳକୁ; ତାକୁ ବି ଦିନେ ପାତାଳକୁ ଯିବାକୁ ପଡ଼ିବ । ସେ ସାକାର-ଚକ୍ରର ଅନ୍ତର୍ନିହିତ ‘ଶକ୍ତି’ ଉଡ଼ିଯିବ; ଜୀବାତ୍ମା ଦେହରୁ ବାହାରି ପରମାତ୍ମାରେ ମିଶିଲା ଭଳି ନଈର ଜଳ ସମୁଦ୍ରକୁ ଗଡ଼ିଗଲା ଭଳି–ସେ ‘ଶକ୍ତି’ ମିଶିଯିବ ସେଇ ଅନାକାର ସୁଦର୍ଶନ ଚକ୍ରରେ । ଆତ୍ମାବିହୀନ ଘଟ ପଡ଼ିରହିବା ଭଳି, ପାଣିହୀନ ଶୁଷ୍କ ନଈବାଲି ପଡ଼ିରହିବା ଭଳି, ଶକ୍ତି-ହୀନ ସେ ସାକାର-ଚକ୍ର କେବଳ ଏକ ପ୍ରତିମା ହୋଇ ହିଁ ରହିବ । ଅକାମି ହୋଇ ପଡ଼ିବ । ସେତେବେଳେ ଆଉ ବିଷ୍ଣୁ ରହିବ ନାହିଁ ବିଶ୍ୱପତି ହୋଇ, ସେ ଖସିପଡ଼ିବ; ତାର ସିଂହାସନ ଭାଙ୍ଗିଯିବ, ଧ୍ୱଂସ ହେବ ତାର ସାମ୍ରାଜ୍ୟ, ବିଲୁପ୍ତ ହେବ ତା’ର ଦ୍ୱାରକା । ହଁ, ହଁ–ସବୁ ଓଲଟିଯିବ । ସବୁ ଓଲଟେଇଦେବ ସେଇ ଅଦୃଶ୍ୟ ସୁଦର୍ଶନ ଚକ୍ର, ସେଇ ସ୍ୱୟଂଶକ୍ତି, ସେଇ ମହାକାଳ । ସବୁ ଓଲଟେଇଦେବ ସେ, ସମସ୍ତ ଘଡ଼ିର ଯନ୍ତ୍ରକୁ ଭାଙ୍ଗିଦେବ ଓ ଅକାମି କରିଦେବ ।

 

ସେଇ ସୁଦର୍ଶନ ଚକ୍ର...ସେଇ ଏକା ନିରପେକ୍ଷ । ସେଇ ଏକା ଏକାନ୍ତ ଆପଣାର । ଏ ଜୀବକୁଳର ସେଇ ଏକା ଧ୍ୟେୟ, ସେଇ ଏକା...ସେଇ ଏକା...

 

ବଳଦେବ ମନ୍ଦିର ଚୂଡ଼ାର ସୁଦର୍ଶନ ଚକ୍ର ଓ ଅସୁରଦୀଘିର ସେଇ ଗରୁଡ଼ଖମ୍ବ ଅଗର ସୁଦର୍ଶନ ଚକ୍ରରେ କଳିଙ୍କି ଧରିଲାଣି । ଭଉଁରି ବୁଲୁଚି...

 

ବାପା-ମା’ଙ୍କ ପରେ ଅନୁପମ ବି ପଡ଼ିବ ସେଇ ଭଉଁରିରେ । ପଡ଼ିବ ନିଶ୍ଚୟ... ।

 

ଡ: ମିଶ୍ର କହନ୍ତି–ଭଉଁରିରେ ପଡ଼ିବା ଆଗରୁ ନିଷ୍ଠାରେ କିଛି କରିଯାଅ ଅନ୍ୟମାନଙ୍କ ଲାଗି । ସେଇ ଆତ୍ମୋତ୍ସର୍ଗ, ସେଇ ନିଷ୍ଠା ମରଣ ପରେ ବି ବିନ୍ଦୁ ଏ ଗ୍ରହ ସୌରଜଗତ୍‌ରେ ଘୂରିଲା ଭଳି ଜୀବନ୍ତ ହୋଇ ରହିବ ଏଇ ଆକାଶରେ । ସୁଦର୍ଶନ ଚକ୍ରରେ ତାହା କ୍ଷୟ ହେବ ନାହିଁ ।

 

ଅନୁପମର ସେ ନିଷ୍ଠା କାହିଁ ? ସେ ନିଃସ୍ୱାର୍ଥପରତା କାହିଁ ? ତାର ମନେପଡ଼ୁ ଥିଲା–ଡ: ମିଶ୍ରଙ୍କର ସେଇ ଉଜ୍ଜ୍ୱଳ ଆଖିରେ ଭରା ଲାବୋରେଟରିଟା । ସେଇ ଅଯତ୍ନ ଦେହ, ସେଇ ହସ ଓ ସେଇ ଆଲ୍‌କୋହଲ୍‌... I

 

କିନ୍ତୁ ଡ: ମିଶ୍ରଙ୍କର ସେଇ ନିଷ୍ଠା ପଛରେ ଗୋଟାଏ ବଡ଼ ପ୍ରେରଣା ଥିଲା–ଯେଉଁଥିରେ ହୁଏତ ସେ ସଫଳ ହେବାର ଦେଖିଆସିଚି ସେଦିନ ଅନୁପମ । ଆଃ, କି ଧୈର୍ଯ୍ୟ ତାଙ୍କର ? ଗୋଟାଏ ସାମାନ୍ୟ ମହିଳା ପାଇଁ ଯେ ଏତେଦିନ ନିଜ ଜୀବନକୁ ତିଳ ତିଳ କରି ପାଉଁଶ କରି, ଧୂଆଁ କରି ଅପେକ୍ଷା କରିପାରେ ସେ କାହିଁକି ସଫଳ ନ ହେବ ! ଆତ୍ମୋତ୍ସର୍ଗର ମୂଲ୍ୟ ନିଶ୍ଚୟ ଅଛି-। ନିଷ୍ଠାର ମୂଲ୍ୟ ନିଶ୍ଚୟ ଅଛି । ଡ: ମିଶ୍ର କେବଳ ତାହା ପାରନ୍ତି; ଏଣୁ ସେଇ କେବଳ ସେଭଳି ସଫଳତାର ଅଧିକାରୀ ହୋଇପାରନ୍ତି ।

 

କିନ୍ତୁ ଅନୁପମ... !!

 

କଣ ପାରିଚି ସେ ? କଣ କରିଛି ସେ ? ସେ' ତ ବେଶ୍‌ କାର୍‌ ଚଢ଼ି ବୁଲୁଚି । ଆନନ୍ଦ କରୁଛି । ବିଜୟା ଦେବୀଙ୍କ ସହିତ ହସୁଛି, ଗପକରୁଛି–ଶୋଇ ଶୋଇ ରାତି ବିତେଇ ଦେଉଛି । ସେ ମରିପାରୁଛି କେଉଁଠି ଜୋନାକୀ ଲାଗି ? ସେ ବି ତ ଡ: ମିଶ୍ରଙ୍କ ଭଳି ସାଧନା ଆରମ୍ଭ କରିପାରନ୍ତା-!

 

ଯଦି ପାରନ୍ତା–ତା’ହେଲେ କଣ ସେ ଜୋନାକୀକୁ ଫେରିପା’ନ୍ତା !!

 

ତାର ମନେପଡ଼ୁଥିଲା ସେଇ ବ୍ରିଟିଶ୍‌ ମହିଳାର ଅଶ୍ରୁପୂର୍ଣ୍ଣ ଆଖି ଦୁଇଟା, ଯେ ଧାଇଁଆସିଥିଲା ସୁଦୂର ଲଣ୍ଡନରୁ ଡ: ମିଶ୍ରଙ୍କ ପାଇଁ । ନିଜ କୋଳରେ ଡ: ମିଶ୍ରଙ୍କ ଚେତନା-ହୀନ ମୁଣ୍ଡକୁ ଧରି କାନ୍ଦୁଥିଲା ସେ । କ୍ଷମା ମାଗୁଥିଲା ବାରମ୍ବାର ।

 

ଜୋନାକୀ ଯଦି ସେଇମିତି.....

 

ନାଃ–ସବୁ ମଣିଷ ଡ: ମିଶ୍ର ନୁହନ୍ତି, କିମ୍ବା ସବୁ ପ୍ରେମିକା ସେଇ ବ୍ରିଟିଶ୍‌ ମହିଳା ପରି ନୁହନ୍ତି ।

 

ଜୋନାକୀ ତା’ର ନିଜ ସୁଖରେ ଅଛି; ଥାଉ... । ସେ ହୃଦୟହୀନା । ହୁଏତ ସେ ଚାହିଁଥିଲା ଅନୁପମ ନିକଟକୁ ଆସିବା ଲାଗି; କିନ୍ତୁ ସେଇ ଚାହିଁବା ଭିତରେ ବୋଧହୁଏ ଅଭାବ ଥିଲା ସେଇ ବ୍ରଟିଶ୍‌–ମହିଳାଟିର ନିଷ୍ଠା । ଏଣୁ ତାକୁ ବାନ୍ଧି ନେଇଗଲା ଗୋଷ୍ଠୀ, ସମାଜ... ଇତ୍ୟାଦି ।

 

ବିଦାୟ ବେଳାରେ ଜୋନାକୀ ହୁଏତ କାନ୍ଦୁଥିଲା; କିନ୍ତୁ ସେଇ ବ୍ରିଟିଶ୍‌–ମହିଳାର ଅଶ୍ରୁ ଭଳି ତାହା ବୋଧହୁଏ ଗାଢ଼ ନ ଥିଲା; ସୁମିତାର ଅଶ୍ରୁ ଭଳି ତାହା ବୋଧହୁଏ ହାର୍ଦ୍ଦିକ ନ ଥିଲା; ଏବଂ ବୋଧହୁଏ ତାହା ଥିଲା ଏକ ଛଳନା, ଏକ କୁମ୍ଭୀରର ଅଶ୍ରୁ ।

 

ଏଣୁ ସେ ଫେରିଆସିବ କେମିତି ? କାହିଁକି ବା ଆଉ ସେ ଫେରିବ ? କେଉଁ ଦୁଃଖରେ...-?

 

ତା’ହେଲେ ଅନୁପମର କି ଗରଜ ପଡ଼ିଚି ଅପେକ୍ଷା କରିବା ଲାଗି ତାକୁ ଡ: ମିଶ୍ରଙ୍କ ଭଳି; ନିଜ ମନ ଓ ଦେହର ଇଚ୍ଛାକୁ ବାରମ୍ବାର ଚାପିଚୁପି ଭୁଲାଇ ରଖି, ସବୁ ଭୋଗରୁ ବଞ୍ଚିତ କରି-? କାହିଁକି ବା ସେ ସହିବ ? କାହା ପାଇଁ ? କଣ ମିଳିବ ତାକୁ... ? ତାର ‘ନିଷ୍ଠା’ ହୁଏତ ଅଖଣ୍ଡ କାଳସିନ୍ଧୁରେ ଗୋଟାଏ ଅକ୍ଷୟ, ଶାଶ୍ୱତ ବୋଇତ ଭଳି ଚିରଦିନ ଭାସିବ; କିନ୍ତୁ ଏ ଜନ୍ମରେ ସେ କଣ ବା ପାଇବ ? ...କଣ ବା ?

 

ଅନୁପମର ବଞ୍ଚିବାରେ ଓ ଜନ୍ମରେ କଣ ଅନ୍ୟ କୌଣସି ସ୍ଵାର୍ଥ ନାହିଁ ? ଅଛି... ଅଛି... ନିଶ୍ଚୟ ଅଛି । ଅନୁପମ ଉତ୍ତେଜନାରେ ଟେବୁଲ୍‌ ଉପରେ ମୁଷ୍ଟି ପ୍ରହାର କରେ । ଦୁଇ ତିନିବାର ମୁଷ୍ଟି ପ୍ରହାର କଲା ପରେ କାଠ ଟେବୁଲ୍‌ର ଶବ୍ଦ ସହସା ଅନୁପମର କାନକୁ ଅସ୍ୱାଭାବିକ ବୋଧହୁଏ । ସେ ଚମକିପଡ଼େ । ସେ ଫଟରେଇ ହୋଇ ନିଜକୁ ପଚାରେ–ଏଇ ଶବ୍ଦଟା କାହାର ? ତା’ ମୁଷ୍ଟିର ନା କାଠ ଟେବୁଲ୍‌ର ? କାହାର ଠିକ୍‌ ?

 

ସେ ପ୍ରଶ୍ନର ଜବାବ ପାଏ ନାହିଁ । ଶବ୍ଦଟାକୁ ଆଉ ଥରେ ପରୀକ୍ଷା କରିବା ଲାଗି ପୁଣି ସେ ବିଧା ମାରେ ଟେବୁଲ୍‌ ଦାଢ଼ରେ । ତା’ର ହାତକୁ କାଟେ । ଶବ୍ଦ ହୁଏ । ପୁଣି ସେ ଆଉଳି-ବାଉଳି ହୋଇଯାଏ–ଶବ୍ଦଟା କାହାର ? କେଉଁଠୁ ବାହାରୁଚି ?

 

ଶବ୍ଦଟା ଯଦି ଟେବୁଲ୍‌ର, ତେବେ ତାହାର ହାତକୁ ଏପରି କାଟିଲା କାହିଁକି ? ଶବ୍ଦଟା ହାତର ଚିତ୍କାର କାହିଁକି ନ ହେବ ?

 

ପୁଣି ଶବ୍ଦଟା ଯଦି ହାତର–ତେବେ ଟେବୁଲ୍‌ ଥରିଲା କାହିଁକି ? ଶବ୍ଦଟା ତେବେ ଟେବୁଲ୍‌ର ଚିତ୍କାର କିଆଁ ନ ହେବ ?

 

ବିଷୟଟା ଘେନି ହଠାତ୍‌ ତାର କୌତୂହଳ ବୃଦ୍ଧି ପାଇଲା । ସେ ହସ୍‌ପିଟାଲ୍‌ର ଲାବୋରେଟରିକୁ ଯାଇ ସ୍ପିରିଟ୍‌ ଲ୍ୟାମ୍ପ୍‌ ଜାଳିଲା । ଗୋଟାଏ ଲୁହାକଣ୍ଟାକୁ ଚିମୁଟାରେ ଧରି ତତେଇଲା ଲ୍ୟାମ୍ପ୍‌ର ଶିଖାରେ । ଆସ୍ତେ ଆସ୍ତେ ଲୁହା କଣ୍ଟାଟା ନିଆଁରେ ପାଚି ଲାଲ୍‌ ହୋଇଗଲା । ଗାଢ଼ ଲାଲ୍‌ ହୋଇଯିବା ପରେ ଖଣ୍ଡେ ଆଜ୍‌ବେଷ୍ଟସ୍‌ ପଟା ଉପରେ ସେ ଲାଲ ଟହଟହ ଲୁହାକଣ୍ଟାଟାକୁ ଥୋଇଲା I ତା’ପରେ ଗୋଟାଏ ଡ୍ରପର୍‌ ଆଣି ସେଇ ଗରମ ଲୁହା କଣ୍ଟାଟା ଉପରେ ଠୋପା ଠୋପା କରି ଥଣ୍ଡା ପାଣି ପକାଇଲା I

 

ସେ ଦେଖିଲା ପ୍ରତି ‘ଠୋପା’ ପଡ଼ିଲା କ୍ଷଣି ‘ସାଁ’ କରି ଶବ୍ଦ ହେଉଛି । ଜଳବିନ୍ଦୁଟା ବାଷ୍ପ ହୋଇଯାଉଛି ନିମିଷକେ । ଲୁହାର ଉତ୍ତାପ ମଧ୍ୟ କମିଯାଉଛି ସେଇ ଅନୁପାତରେ । ଆସ୍ତେ ଆସ୍ତେ ଲୁହା କଣ୍ଟାଟା ଥଣ୍ଡା ହୋଇଗଲା । ଆଉ ‘ସାଁ’–ଶବ୍ଦ ହେଲା ନାହିଁ ।

 

ତେବେ ସେ ‘ସାଁ’–ଶବ୍ଦଟା କାହାର ? ପାଣିର ନା ଲୁହାକଣ୍ଟାର ? ଯଦି ପାଣିର କିମ୍ବା ଲୁହାର, ଗରମ ଛାଡ଼ିଯିବା ପରେ ‘ସାଁ’–ହେଉନାହିଁ କାହିଁକି ?

 

ସେ ପୁଣି ଗୋଟାଏ କାଚ ପ୍ଲେଟ୍‌ ତତେଇଲା । ପ୍ଲେଟ୍‌ଟା ତାତିଯିବା ପରେ ସେ ଆଜ୍‌ବେଷ୍ଟସ୍‌ ପଟା ଉପରେ ଥୋଇ ପୁଣି ସେଇ ଡ୍ରପର୍‌ରେ ପାଣି ପକେଇଲା ଠିକ୍‌ ପୂର୍ବ–ରୀତିରେ ଠୋପା ଠୋପା କରି ।

ପ୍ରତି ଠୋପା ଠିକ୍‌ ଆଗଭଳି ‘ସାଁ’ ହୋଇ ବାମ୍ଫ ହୋଇଯାଉଥାଏ ନିମିଷକରେ । ଏଇମିତି କିଛି ସମୟ ‘ସାଁ’ ‘ସାଁ’ ହେବା ପରେ, ଆଉ ‘ସାଁ’–ଶବ୍ଦ ଶୁଭିଲା ନାହିଁ । ଅନୁପମ ହାତ ମାରି ଦେଖିଲା କାଚଟା ଥଣ୍ଡା ହୋଇଗଲାଣି ।

ତେବେ ‘ସାଁ’–ଶବ୍ଦଟା କାହାର ? କାଚର ନା ପାଣିର ? ଯଦି କାଚ କିମ୍ବା ପାଣିର ତେବେ ଆଉ ସେଭଳି ଶବ୍ଦ ବାହାରୁନାହିଁ କାହିଁକି ?

ସେ ବଡ଼ ଚିନ୍ତିତ ହୋଇ ପଡ଼ିଲା ।

ତା’ପରେ ସେ ଲୁହାକଣ୍ଟା ଓ କାଚକୁ ଦୁଇହାତରେ ଧରି ବାଡ଼େଇଲା ପରସ୍ପର ଉପରେ–ଟଂ, ଟଂ...କରି ଶବ୍ଦ ହେଲା । କିନ୍ତୁ ‘ସାଁ’...'ସାଁ’ ହେଲାନାହିଁ ।

 

ତା’ପରେ ସେ ଲୁହାକଣ୍ଟା ଓ କାଚକୁ ନେଇ ଆପଣା ବସାକୁ ଗଲା । ଯେଉଁ ଟେବୁଲ୍‌ ଉପରେ ସେ ବିଧା ମାରିଥିଲା ସେଇ ଟେବୁଲ୍‌ ଉପରେ ପ୍ରଥମେ ଲୁହା କଣ୍ଟାକୁ ପିଟିଲା–କିନ୍ତୁ ‘ସାଁ’ ହେଲାନାହିଁ, କିମ୍ବା ଅନୁପମର ମୁଷ୍ଟି ପ୍ରହାର ଭଳି ଶବ୍ଦ ହେଲା ନାହିଁ । ଠିକ୍‌ ସେମିତି କାଚକୁ ପିଟିବାରୁ ଠକ୍‌-କରି ସେଟା ଭାଙ୍ଗି ରୁଣୁଝୁଣୁ ଶବ୍ଦ କରି ତଳେ ପଡ଼ିଗଲା । ଅନୁପମର ମୁଷ୍ଟି ପ୍ରହାର ପରି କିମ୍ବା ‘ସାଁ’–କିନା ଶବ୍ଦ ହେଲା ନାହିଁ ।

 

ତା’ପରେ ସେ କାନ୍ଥ–ଟ୍ରଙ୍କ୍‌ସବୁରି ଉପରେ ଲୁହାକଣ୍ଟା ଓ ମୁଷ୍ଟି ପ୍ରହାର କରି କରି ‘ଶବ୍ଦ’ ପରୀକ୍ଷା କରିଚାଲିଲା । କୌଣସି କ୍ଷେତ୍ରରେ ସେ ‘ସାଁ’ କିମ୍ବା ଟେବୁଲ୍‌ ଉପରେ ମୁଷ୍ଟି ଆଘାତର ‘ଶବ୍ଦ’ ଶୁଣିପାରିଲା ନାହିଁ ।

 

ତା’ହେଲେ ?

 

ଶବ୍ଦଟା ପାଣିର ନୁହେଁ, କିମ୍ବା ଲୁହାର ନୁହେଁ, କିମ୍ବା କାଚର ନୁହେଁ, ଅଥବା ହାତର ନୁହେଁ, କିମ୍ବା ଟେବୁଲର ନୁହେଁ, କିମ୍ବା କାନ୍ଥର ନୁହେଁ, କିମ୍ବା ଆଉ କୌଣସି ବସ୍ତୁର ନୁହେଁ । ଶବ୍ଦଟା ଏକାନ୍ତଭାବେ ଏକ ଅବସ୍ଥାର । ସେଇ ଅବସ୍ଥା ଅଦ୍ୱୈତ; କିନ୍ତୁ ସେଇ ଅଦ୍ୱୈତ ଅବସ୍ଥା ଭିନ୍ନ ଭିନ୍ନ ଦୁଇଟି ବିରୋଧାତ୍ମକ ଅବସ୍ଥାର ମିଳନାବସ୍ଥା । ତା’ପରେ ଦ୍ୱୈତ ଅଦ୍ୱୈତ ହୋଇଯାଏ । ସେଇ ମିଳନାବସ୍ଥା ମାତ୍ର ଗୋଟିଏ କ୍ଷଣର ଏକ-ଶତାଂଶରୁ ଆହୁରି କମ୍‌ ସମୟ ସ୍ଥାୟୀ ହୋଇଥାଏ । ପ୍ରତ୍ୟେକ ‘ଶବ୍ଦ’ ଏକାନ୍ତଭାବେ ସେଇ ମିଳନାବସ୍ଥାର । ସେଇ ଅବସ୍ଥାରେ ‘ତାପ’ ତାପ ହୋଇ ରହେନାହଁ, ‘ଥଣ୍ଡା’ ଥଣ୍ଡା ହୋଇ ରହେନାହିଁ । ଦୁହେଁ ମିଶିଯାନ୍ତି । ଦୁହେଁ ହିଁ ବାମ୍ଫ ହୋଇଯାନ୍ତି । ବାମ୍ଫ ହୋଇ ଏକାତ୍ମ ହୋଇଥାନ୍ତି । ସେଇ ‘ଶବ୍ଦ’ କିନ୍ତୁ ମରେ ନାହିଁ, ଅନନ୍ତ ଆକାଶ ଭିତରେ ଚିରକାଳ ଜୀବନ୍ତ ରହେ ।

 

ପ୍ରେମଟା ଠିକ୍‌ ଏଇପରି ଏକ ଅଦ୍ୱୈତ ଓ ଏକାତ୍ମ ଅବସ୍ଥାର ସ୍ୱର; ଯେଉଁ ଅବସ୍ଥାରେ ଦୁଇ ଭିନ୍ନ ଭିନ୍ନ ଅବସ୍ଥାର ମିଳନ ସଙ୍ଘଟିତ ହୋଇ ‘ଏକତ୍ୱ’ ପ୍ରାପ୍ତି ହୋଇଥାଏ । ଏଣୁ ପ୍ରେମର ମୃତ୍ୟୁ ନାହିଁ, ବିଲୟ ନାହିଁ ।

 

ଅନୁପମର ମୁହଁଟା ହଠାତ୍‌ ଉଜ୍ଜ୍ୱଳ ହୋଇଉଠିଲା । ସେ ନାଚିଉଠିଲା ଆନନ୍ଦରେ । ଜୋନାକୀର ମୁହଁ ଓ ଆଖି ତା’ର ସାଥିରେ ଅତି ଉଜ୍ଜ୍ୱଳ–ହସ ହସ–କାନ୍ତ ଓ କମନୀୟ ଭାବରେ ଏକ ଲଳିତ ଛନ୍ଦରେ ନାଚିବାକୁ ଲାଗିଲା ସେଇ ଘର ଭିତରେ ବୁଲି ବୁଲି । ସେ ବାରମ୍ବାର ଚୁମ୍ବନ କଲା ଶୂନ୍ୟକୁ–ଚୁଁ ଚୁଁ କରି । ତା’ର ମନେହେଉଥିଲା ସତେ ଯେମିତି ସେ ଜୋନାକୀର ଅଙ୍ଗକୁ ବାହୁରେ ଛନ୍ଦି ନାଚୁଛି ।

 

ନାଚି ନାଚି ଯେତେବେଳେ ଏକପ୍ରକାରର ତୃପ୍ତିର କ୍ଳାନ୍ତିରେ ତା’ର ଅଙ୍ଗ ଅବଶ ହୋଇପଡ଼ିଲା, ସେତେବେଳେ ସେ ଲୋଟିପଡ଼ିଲା ଖଟ ଉପରେ–ଜାକିଜୁକି ହୋଇ ଶୋଇପଡ଼ିଲା-। ଜୋନାକୀର ଓଠ ତା’ର ଗାଲର ପୋଡ଼ା ଦାଗଟାକୁ ଚୁମ୍ବନରେ ରସାଣିତ କରିଦେଉଥାଏ-। ବେଶ୍‌ମଜା ଲାଗୁଥାଏ ତାକୁ । ସେ ସ୍ଵପ୍ନ ଦେଖିଲା–ଗୋଟାଏ ସୁନ୍ଦର ପ୍ରାସାଦର ଗୋଟାଏ ଅତି ବିଚିତ୍ରଭାବେ ସଜ୍ଜିତ ଘର । ଭେଲ୍‌ଭେଟ୍‌ ପର୍ଦ୍ଦାସବୁ ଉଡ଼ୁଚି । ସେ ହୋଇଯାଇଚି ଗୋଟାଏ ରାଜକୁମାର କେମିତି । ସେଇ ପ୍ରକୋଷ୍ଠର ଗୋଟାଏ ଧୋବ–ଫର୍‌ଫର୍‌ ଶେଯ ଉପରେ ଶୋଇଚି ସେ । ଆସିଚି ଜୋନାକୀ ସେଇ ପ୍ରକୋଷ୍ଠକୁ । ଦେହରେ ଧଳାଶାଢ଼ି ଚକ୍‌ଚକ୍‌ ଦିଶୁଚି ଶଙ୍ଖ ପରି-। ପଦ୍ମକଳି ସମ ବେନି ସ୍ତନ । ଗଭାରେ ମଲ୍ଲୀଫୁଲର ହାର । ଦିଶୁଚି ଗୋଟାଏ ରାଜକନ୍ୟା ପରି-। ହାତରେ ଧରିଚି ପୂଜା ଉପଚାର,–ଧୂପ, ଦୀପ, ଫୁଲ, ଚନ୍ଦନ । ଢଳିଢଳି ଚାଲୁଚି । ଓଠରେ ପାଟଳ ଲଜ୍ଜା । ଆକର୍ଣ୍ଣଲମ୍ବିତ ଭ୍ରୂ । କପାଳରେ ବିନ୍ଦୁ ବିନ୍ଦୁ, ଚନ୍ଦନର ଚିତା, ଦୁଇଟା ଲତା ପରି ଝାଉଁଳିପଡ଼ିଛି, ଗାଲ ଉପରେ ଜକଜକ ଦିଶୁଚି ସେ ରୁପାର ଚୂର୍ଣ୍ଣ ପରି ।

 

ଜୋନାକୀ ଆସି ପ୍ରଥମେ ଅନୁପମର କପାଳରେ ତା’ର ଛୋଟ ଚମ୍ପାକଳି ସମ ଆଙ୍ଗୁଳିରେ ଚନ୍ଦନର ବିନ୍ଦୁ, ଦେଲା । ଅନୁପମ ମୁଗ୍‌ଧ ହୋଇ ଚାହିଁଥିଲା । ତା' ପରେ ଦୀପରେ ବନ୍ଦାପନା କଲା ଅନୁପମକୁ । ଧୂପର ଗନ୍ଧରେ ଆମୋଦିତ ହୋଇଯାଇଥିଲା ଘରଟା । ଭାରି ମଜା ଲାଗୁଥିଲା ଅନୁପମକୁ । ତା’ପରେ ଜୋନାକୀ ଫୁଲଟିଏ ଡାହାଣହାତ ଆଙ୍ଗୁଳିର ତିନୋଟି ଟିପରେ ଧରି ଅନୁପମର ଗାଲ, ମୁହଁ, ଓଠ ସାଉଁଳେଇଲା । ଶେଷରେ ସେ ଫୁଲଟାକୁ ଆଣି ଅନୁପମର ନାକପୁଡ଼ା ପାଖରେ ଧରିଲା । ବହୁତ ସମୟ ଧରି ତା’ରି ନାକପୁଡ଼ା ଫୁଲଦ୍ଵାରା ବନ୍ଦ ହୋଇ ରହିବାରୁ ସେ ଅଣନିଃଶ୍ୱାସୀ ହୋଇପଡ଼ିଲା । ସେ ମୁଣ୍ଡ ହଲେଇ ସ୍ନେହରେ ଜୋନାକୀର ହାତ ଦୂରେଇ ଦେବାକୁ ଯାଉଚି–ଏଇ ସମୟରେ ତା’ର ନିଦ ଭାଙ୍ଗିଗଲା ।

 

ସେ ଆଖି ମଳି ଭଲକରି ଚାହିଁଲା । ତା’ପରେ ସେ ଦେଖିଲା ଜଣେ କେହି–ହୋ ହୋ ହୋଇ ହସୁଚି । ତାକୁ ଝାପ୍‌ସା ଦିଶିଲା । ଆରେ, ଏ ତ ଜୋନାକୀ ନୁହଁ ? ସେଇ ବୁଢ଼ୀଟା !

 

ବିଜୟା ଦେବୀ ଫୁଲଟାକୁ ଧରି ବିଜୟ ଗର୍ବରେ ହସୁଥା’ନ୍ତି–’‘ନିଦ ଭାଙ୍ଗିଲା ଏଥରକ, ନାଁ ।’’

 

ଅନୁପମ ବିରକ୍ତ ହେଲା–କେଡ଼େ ସୁନ୍ଦର ସ୍ୱପ୍ନଟା ସେ ଦେଖୁନଥିଲା !

 

ବିଜୟା ଦେବୀ ଫୁଲଟାକୁ ନେଇ ପୁଣି ଥରେ ଅନୁପମର ନାକପୁଡ଼ାରେ ଘଷିଦେଲେ–‘‘କୁହନ୍ତୁ ତ ଦେଖି, ୟେ’ କି ଫୁଲ !’’

 

“ମୁଁ ଜାଣିନାହିଁ”–ଅନୁପମ ଟିକିଏ ହେଲେ ନହସି ଉଦାସ ସ୍ଵରରେ ଉତ୍ତର ଦେଲା ।

 

‘‘ଜାଣିନାହାନ୍ତି ! ମାନେ... ? ଆପଣ ସେଦିନ କହୁଥିଲେ ନା ରଜନୀଗନ୍ଧା ଆପଣଙ୍କର ଅତି ପ୍ରିୟ ଫୁଲ ବୋଲି ! ହୁଏତ ଆପଣ... !’’

 

ଅନୁପମ ଫୁଲଟାକୁ ନ ଚାହିଁ ଅଳସ ଭାଙ୍ଗିଲା ।

 

ବିଜୟା ଦେବୀ ପୁଣି ଥରେ ତାର ନାକ ପାଖରେ ଫୁଲଟାକୁ ଲଗେଇଆଣି ଆଖି ଆଗରେ ନଚେଇଲେ–‘‘ଆଉ ଥରେ ଭଲକରି ଦେଖନ୍ତୁ–ଆପଣଙ୍କ ଆଖିରୁ ବୋଧହୁଏ ସେତେବେଳେ ତନ୍ଦ୍ରା ଛାଡ଼ି ନଥିଲା । କୁହନ୍ତୁ ଏଥର...’’

 

‘‘ରଜନୀଗନ୍ଧା...’’ –ଅନୁପମ କହିଲା ।

 

‘‘ହଁ–ଏଇଟା ମୋର ସେଇ ପ୍ରିୟତମ ଫୁଲ । ବହୁତ ଦିନ ପରେ ଆଜି ପାଇଚି । ନେବେ ଆପଣ ଗୋଟାଏ... ?’’

 

‘‘ନାଁ...ଦର୍କାର ନାହିଁ ।’’

 

‘‘ନିଅନ୍ତୁ–ନିଅନ୍ତୁ । ଏତେ ସୌଜନ୍ୟ ଭଲ ନୁହେଁ । ନିଅନ୍ତୁ ମୁଁ–ମୋ ପାଖରେ ଆଉରି ଗୋଟାଏ ଅଛି । ବିଶ୍ଵାସ କରନ୍ତୁ ।’

 

ଅନୁପମ ବାଧ୍ୟ ହୋଇ ଫୁଲଟା ନେଲା । ବାସ୍ନାଟା କାହିଁକି ତାକୁ ଆଦୌ ଭଲ ଲାଗୁନଥାଏ ।

 

ଏତିକିବେଳେ ଗୋଟିଏ ପିଅନ ଆସିଲା ତାଙ୍କରି ବସା ପାଖକୁ । ବିଜୟା ଦେବୀଙ୍କୁ କହିଲା–‘‘ସାର୍‌ ଖୋଜୁଛନ୍ତି । ଆସନ୍ତୁ ।’’

 

‘‘ମୋତେ... !!’’ ବିଜୟା ଦେବୀ କହିଲେ–‘‘ନିଶ୍ଚୟ କିଛି ସିରିଅସ୍‌ ମହିଳାରୋଗୀ ଆସି ପହଞ୍ଚିଛି I"

 

"ହଁ–"ପିଅନ କହିଲା–"ଗୋଟାଏ ଯୁବତୀର ପାମପଖ ଛାତିରେ କେହି ଜଣେ ଛୁଞ୍ଚି ଫୋଡ଼ିଦେଇଚି I"

 

"କ’ଣ ହେଲା ? ଛୁଞ୍ଚି ଫୋଡ଼ିଦେଇଚି ?” ଅନୁପମର ସମସ୍ତ ତନ୍ଦ୍ରା ଛାଡ଼ିଗଲା–“କିଏ ଫୋଡ଼ିଦେଇଚି କିଛି ଜାଣୁ ?"

 

ଶୁଣୁଚି ତ କଲେଜରୁ ଫେରୁଥିଲା ଏକା ଏକା । ଜଣେ କିଏ ପଛଆଡ଼ୁ, ଆସି ତା’ର ଆଖି ବନ୍ଦ କରି ଛୁଞ୍ଚି ଫୋଡ଼ିଦେଲା ଓ ତା’ପରେ ଠେଲିଦେଲା । ଝିଅଟା ଗଡ଼ିଗଡ଼ିକା ଯାଇ ନୟନଯୋଡ଼ିରେ ପଡ଼ିଲା । ସେ ଦେଖିନାହିଁ କିଏସେ ଫୋଡ଼ିଛି ।’’

 

‘‘ରକ୍ତ ବହୁଚି ଖୁବ୍‌, ନାଁ ?” ବିଜୟା ଦେବୀ ପଚାରିଲେ I

 

‘‘ହଁ–ଦେହ ଗୋଟାସାରା ତ ରକତ ହୋଇଯାଇଚି ।’’

 

‘‘ଚାଲ୍...ଚାଲ୍‌ ଦେଖିବା”–ବିଜୟା ଦେବୀ ବାହାରିଗଲେ I

 

ଅନୁପମ ବି ଚାଲିଲା ତାଙ୍କ ପଛେ ପଛେ ହସ୍‌ପିଟାଲ୍‌କୁ ।

 

ହସ୍‌ପିଟାଲ୍‌ରେ ଗୋଟାଏ ଆତଙ୍କ ଖେଳିଯାଇଥିଲା ସେଦିନ । ସମସ୍ତେ ଫୁଟରୁ-ଫାଟର୍‌ ହୋଇ ପରସ୍ପରକୁ ଚାହୁଁଥିଲେ–‘‘ଝିଅଟା ବଞ୍ଚିବ ତ !”

 

ଝିଅର ଅଭିଭାବକଙ୍କ ଆଖି ଅଶ୍ରୁ ଛଳଛଳ ଥିଲା ।

 

ବିଜୟା ଦେବୀ ପହଞ୍ଚି ଅଚେତ ଝିଅଟାକୁ ଆପଣାର ଚାମ୍ଭର୍‌କୁ ଘେନିଗଲେ । ରାଜେଶ୍ଵରୀକୁ ଡାକିଲେ । ତା’ପରେ ଭିତରପଟୁ କବାଟ ବନ୍ଦ କଲେ ।

 

ଡ: ମହାନ୍ତି ଓ ଅନୁପମ ବାହାରେ ଠିଆହେଲେ । ବେଳେବେଳେ ଡ. ମହାନ୍ତି ପଦଚାରଣ କରୁଥାନ୍ତି । ବହୁତ ସମୟ ବିତିଲା । ବିଜୟା ଦେବୀଙ୍କ ଚାମ୍ବରର ଦର୍ଜା ଖୋଲିଲା ନାହିଁ-। କୌଣସି ଶବ୍ଦ ଶୁଭୁ ନଥାଏ ବି ।

 

ଝିଅଟାର ଅଭିଭାବକ ବ୍ୟସ୍ତ ହୋଇ ଡ. ମହାନ୍ତିଙ୍କ ମୁହଁକୁ ଚାହୁଥାନ୍ତି । ଅନୁପମ ଭାବୁଥାଏ ସେଇ ଦୁର୍ବୃତ୍ତ କଥା । କିଏ ସେ ? କ’ଣ ତାର ଉଦ୍ଦେଶ୍ୟ ଥିଲା ? କାହିଁକି ଏପରି କଲା-? କ’ଣ ବା ପାଇଲା ସେ ?

 

କିଛି ସମୟ ପରେ ଦର୍ଜା ଖୋଲିଲା । ବାହାରି ଆସିଲ ନର୍ସଟା । ଡ. ମହାନ୍ତି ଭିତରକୁ ପଶିଲେ ।

 

ଅନୁପମ ନର୍ସକୁ ଚୁପ୍‌ଚୁପ୍‌ କରି ପଚାରିଲା–“କଣ ହେଲା ?”

 

‘‘ଚେତା ଫେରିନାହିଁ ।’’

 

‘‘ଫେରିନାହିଁ ! ବିଜୟା ଦେବୀ କଣ ସବୁ ପରୀକ୍ଷା କଲେ ?’’

 

‘‘ସେ ତ ଅଦ୍ଭୁତ ଡାକ୍ତରାଣୀ’’–ନର୍ସଟି କହିଲା–‘‘ସେ ଶୋଇପଡ଼ି ଝିଅଟାର କ୍ଷତସ୍ଥାନରେ ଓଠ ଲଗେଇ ପ୍ରାୟ ଦୀର୍ଘ ତିନି ମିନିଟ୍‌ଧରି ରକ୍ତ ଶୋଷିଲେ । ଇସ୍‌...କେମିତ ଯେ...ମୋତେ ବଡ଼ ଘୃଣା ଲାଗେ.. ।”

 

‘‘ରକ୍ତ ଶୋଷିଲେ !’’

 

“ହଁ, ସେ ତ ସେଇଆ କରନ୍ତି ସବୁବେଳେ !’’

 

‘‘ମାନେ... ?’’

 

‘‘ମୁଁ ଆଉ କଣ ଜାଣେ ଭଲ ମନ୍ଦ ।’’

 

–ନର୍ସ ପୁଣି ଭିତରକୁ ଗଲା ।

 

‘‘କଣ ହେଲା ବାବୁ !’’ ଅଭିଭାବକ ପଚାରିଲେ–‘‘ଚେତା ହେଲାଣି ନା ? ମୋର ସେ ଗୋଟିଏ ବୋଲି ସନ୍ତାନ–ଆଗକୁ ନାହିଁ କି ପଛକୁ ନାହିଁ । ସେଇ ମୋର ପୁଅ, ସେଇ ମୋର ଝିଅ–ସବୁ କିଛି ।’’

 

ଅନୁପମ ବିଜୟା ଦେବୀଙ୍କ ଚାମ୍ବର୍‌କୁ ପଶିଲା । ଡ. ମହାନ୍ତି ନ ଥିଲେ ସେ ହୁଏତ ବିଜୟା ଦେବୀଙ୍କ ତଣ୍ଟି ଚିପି କହିଥାନ୍ତା–‘‘ଏ ଝିଅ ଯଦି ମରେ ତେବେ ଦାୟୀ ହେବେ ଆପଣ । କାରଣ ୟା’ର ବଳକା ରକ୍ତତକ ଆପଣ ଶୋଷିଛନ୍ତି ।’’

 

କିନ୍ତୁ ତା’ର କ୍ରୋଧ ଭିତରେ ଭିତରେ ଛପିଗଲା । ବିଜୟା ଦେବୀ ହସିଦେଲେ–‘‘କିଛି ଭାବନ୍ତୁ ନାହିଁ, ନିଶ୍ଚୟ ଭଲ ହୋଇଯିବ ।’’

 

‘‘ମୋ ମତରେ ଏହାର ଚେତା ଫେରିବା ପରେ କଟକ ନେଇଯିବା ଉଚିତ ।’’ ଅନୁପମ କହିଲା–‘‘କାରଣ ଅପର୍ଯ୍ୟାପ୍ତ ରକ୍ତସ୍ରାବ ଫଳରେ ହୁଏତ ଏ ଆରୋଗ୍ୟ ନ ହୋଇପାରେ । କଟକ ରକ୍ତଭଣ୍ଡାରରୁ ଏହା ପାଇଁ ରକ୍ତ ଦରକାର । ଆପଣ ଏହା ପାଇଁ ବ୍ୟବସ୍ଥା କରିଦିଅନ୍ତୁ ସାର୍‌...’’

 

ଡ: ମହାନ୍ତି କହିଲେ–‘‘ତାହା ହିଁ କରିବାକୁ ହେବ ।’’

 

ବିଜୟା ଦେବୀ କହିଲେ–‘ମୋର କିଛି ଆପତ୍ତି ନାହିଁ, କଟକ ପଠାଇଦିଅନ୍ତୁ I’’

 

ତାହା ହିଁ ହେଲା । ସନ୍ଧ୍ୟା ରତରତ ବେଳକୁ ଗୋଟାଏ ଭଡ଼ା ରଙ୍ଗହୀନ ଟାକ୍‌ସିରେ ସେଇ ବିକ୍ଷତ ଯୁବତୀଟିକୁ କଟକ ହସ୍‌ପିଟାଲ୍‌କୁ ସ୍ଥାନାନ୍ତରିତ କରାଗଲା । ସେତେବେଳକୁ ଯୁବତୀର ଚେତା ଅବଶ୍ୟ ଫେରିଆସିଥିଲା ।

 

ବସାକୁ ଫେରି ସେଦିନ ଅନୁପମ କାହିଁକି କେଜାଣି ଦୁଃଖରେ ଭାଙ୍ଗିପଡ଼ିଲା । ତା’ର ଇଚ୍ଛା ହେଉଥିଲା–ବିଜୟା ଦେବୀଙ୍କ ଗାଲକୁ ପଟାସ୍‌ ପଟାସ୍‌ କରି ଚାପୁଡ଼ା ମାରିଦିଅନ୍ତା । ସେଇ ଓଠଟାକୁ କାଟିପକାନ୍ତା । ସେଇ ଜିଭଟାକୁ ଛିଣ୍ଡେଇ ଆଣନ୍ତା । କାମୁଡ଼ି କାମୁଡ଼ି ନିଜେ ବିଜୟା ଦେବୀଙ୍କ ରକ୍ତଗୁଡ଼ାକ ମନ ଇଚ୍ଛା ଚୋଷିନିଅନ୍ତା । ସିଠା କରି ଖାଲି ଦେହଟାକୁ ପକାଇଦିଅନ୍ତା ରାସ୍ତାରେ । ଶାଗୁଣା, ବିଲୁଆ, କୁକୁର, କୁଆ ଟାଣି–ଓଟାରି ଖାଇଯାଆନ୍ତେ । ସମସ୍ତେ ଦେଖି ନାକରେ ଲୁଗାଦେଇ ଯା’–ଆସ କରନ୍ତେ, କେହି ପୋଡ଼ନ୍ତେ ନାହିଁ, କବର ତିଆରି କରନ୍ତେ ନାହିଁ, କାନ୍ଦନ୍ତେ ନାହିଁ–କି କିଏ ମରିଚି ବୋଲି ପଚାରନ୍ତେ ବି ନାହିଁ । ଅନୁପମର ହାତ ମୁଠା ମୁଠା ହୋଇଗଲା । ଦାନ୍ତରେ ଦାନ୍ତ ଦାବିହୋଇଗଲା ।

 

ଉତ୍ତେଜନାରେ ତା’ର ଜିଭ ଦାନ୍ତରେ କାଟି ହୋଇଗଲା ଓ ରକ୍ତ ବୋହିବାକୁ ଲାଗିଲା ।

 

ବିଜୟା ଦେବୀଙ୍କ ପ୍ରଦତ୍ତ ରଜନୀଗନ୍ଧା ଫୁଲଟା ପଡ଼ିଥାଏ ଶେଯ ଉପରେ । ଅନୁପମ ସେଟାକୁ ତଳେ ପକେଇଦେଲା ଛିଣ୍ଡେଇ ଛିଣ୍ଡେଇ । ସେତିକିରେ ତା’ର ଆତ୍ମା ସନ୍ତୁଷ୍ଟ ହେଲାନାହିଁ । ସେ ଜୋତାରେ ଦଳିପକେଇଲା ଫୁଲର ଛିଣ୍ଡା ପାଖୁଡ଼ାଗୁଡ଼ାକୁ ।

 

ସେଇଦିନଠୁଁ ଅନୁପମ ପ୍ରତିଦିନ ରାତିରେ ଘଣ୍ଡେ ଦି-ଘଣ୍ଟା ହସ୍‌ପିଟାଲ୍‌ର ପଡ଼ିଆରେ ବସୁଥିଲା । ଚାହୁଁଥିଲା ଆକାଶକୁ । ବେଳେବେଳେ ଜିଭ ଲମ୍ବେଇ ସେ ଚାଟୁଥିଲା ଆକାଶରୁ ଝରୁଥିବା ଜ୍ୟୋତ୍ସ୍ନା ଅଥବା ଅନ୍ଧକାରର ରେଣୁକୁ I

 

ସୁଦର୍ଶନ–ଚକ୍ର ଘୂରୁଥିଲା ।

 

ଅନୁପମ ଅନୁନୟ ଦୃଷ୍ଟିରେ ଚାହୁଁଥିଲା ମହାକାଳ ଓ ମହାଶୂନ୍ୟର ପରିଧିହୀନ ସତ୍ତାକୁ । ପ୍ରାର୍ଥନା କରୁଥିଲା–ରେ ନିରପେକ୍ଷ କାଳ ! ତୁଇ ବୁଝିବୁ ସବୁ ।

 

ସୁଦର୍ଶନ ଚକ୍ର ଘୂରୁଥିଲା । ଅନୁପମ ଜିଭ ଲମ୍ବଉଥିଲା ଆକାଶ ଆଡ଼କୁ ।

 

ଜୋନାକୀ ବାହାହୋଇଯିବାର ପ୍ରାୟ ତିନିବର୍ଷ ପୂରିଗଲାଣି । ତଥାପି ଅନୁପମ ଚାଲିଛି ଏକା ଏକା ।

 

କୁକୁର ବିଲେଇ ପୋଷିବା ଅନୁପମର ଏକ ଅଭ୍ୟାସରେ ପରିଣତ ହୋଇଗଲା । ପୋଷିବା ଅର୍ଥ କେବଳ ସ୍ନେହ । ସେ କାହାରିକୁ ବାନ୍ଧିରଖେନାହିଁ । ସମସ୍ତେ ଆସନ୍ତି । ଅନୁପମ ଖାଇବାକୁ ଦିଏ । ସେମାନେ ଚାଲିଯା’ନ୍ତି । ଧଳା ବିଲେଇଟେ ଆସି ତା’ରି ଘରେ ଦିନରାତି ଶୁଏ । ଅନୁପମ ହସ୍‌ପିଟାଲ୍‌ରୁ ଫେରିଲେ ତା’ ଉପରକୁ କୁଦିପଡ଼େ । ଜବର୍ଦସ୍ତ କୋଳରେ ଜାଗା କରି ଶୁଏ, ‘ମ୍ୟାଉଁ ମ୍ୟାଉଁ’ ହୁଏ । ଅନୁପମ ହାତରେ ତାର ରୁମ ସାଉଁଳେଇଦିଏ । ଭାରି ଆରାମ ଲାଗେ ବିଲେଇଟାକୁ । ଅନୁପମ ଖୁବ୍‌ ଆନନ୍ଦ ପାଏ ସେଇମିତି ସାଉଁଳେଇବାକୁ ।

 

ସେଇ କାଳିଆ କୁକୁରଟା ବି ଆସେ । ଲାଞ୍ଜ ହଲାଏ । ଗଁ–ଗଁ ହୁଏ । ଅନୁପମ ବିସ୍କୁଟ୍‌ କିମ୍ବା ପାଉଁରୁଟି ଫିଙ୍ଗିଦିଏ । କୁକୁରଟା ଖାଏ । ଖାଇସାରି କେତେବେଳେ ପଳାଏ । କେତେବେଳେ ବା ପିଣ୍ଡା ଉପରକୁ ଉଠିଆସି କୁଣ୍ଡଳି କରି ଶୋଇପଡ଼େ ।

 

ସକାଳ ହେଲେ ପଞ୍ଝେ କୁକୁର ଆସି ଅନୁପମ ଘର ସାମ୍ନାରେ ଜୁଟିଯା’ନ୍ତି । ଅନୁପମ ବାଣ୍ଟିକରି ଦିଏ ସମସ୍ତଙ୍କୁ ରାତିର ଅଧାଖିଆ ଅଇଁଠା ଭାତ । ସେମାନେ ଚାଲିଯା’ନ୍ତି, ତା’ପରେ ପୁଣି ଆସନ୍ତି । ପୁଣି ଯାଆନ୍ତି ।

 

କେବଳ ସେଇ କାଳିଆ କୁକୁରଟା ଦିନର ଅଧା ସମୟ ସେଇଠି ଆସି ଶୁଏ । ସେଇମାନଙ୍କୁ ଗେଲକରି ଖାଇବାକୁ ଦେଇ ଅନୁପମ ଖୁବ୍‌ ଆନନ୍ଦ ପାଉଥିଲା ।

 

ତା’ ଛଡ଼ା ବୁଢ଼ିଆଣୀ ଜାଲ, ବଲୁରିବସା ଓ ପିମ୍ପୁଡ଼ିଧାର ଅନୁପମ ବସାର ଏକ ସ୍ଥାୟୀ ଜିନିଷ । ସେମାନଙ୍କୁ ତଡ଼ିଦେବାକୁ ସେ କେବେହେଲେ ଇଚ୍ଛାକରେ ନାହିଁ ।

 

ଦିନେ ରାତି ପ୍ରାୟ ଦୁଇଟା ହେବ । ଅନୁପମ ନିଘୋଡ଼ ନିଦରେ ଶୋଇଥାଏ । ହଠାତ୍‌ ସେଇ କାଳିଆ କୁକୁରଟାର ଭୋ-ଭୋ ଶବ୍ଦରେ ତା’ର ନିଦ ଭାଙ୍ଗିଲା । ସେ ଉଠିପଡ଼ି ଝରକା ଦେଇ ବାହାରକୁ ଅନେଇଲା ।

 

ହସ୍‌ପିଟାଲ୍‌ ଢୁଳୋଉଛି । ରାତି ଡ୍ୟୁଟିରେ ଥିବା ନର୍ସଟି ବୋଧହୁଏ କ୍ଳାନ୍ତ ଥିବାରୁ କେଉଁଠି ବସୁ ବସୁ ଶୋଇପଡ଼ିଛି । ସୋର୍‌-ଶବ୍ଦ ଶୁଭୁନାହିଁ ।

 

ଡେଙ୍ଗା ଶିମୁଳିଗଛର ଉଞ୍ଚା ଡାଳରେ ବୋବାଉଛି ପେଚାଟା–ଖ୍ୟାଉ ଖ୍ୟାଉ କରି । ଭାରି କର୍କଶ ସେ ଶବ୍ଦ ।

 

କିନ୍ତୁ କୁକୁରଟା ସେଥିପାଇଁ ଭୁକୁନଥିଲା । ଅନୁପମ ଦେଖିଲା ଅନ୍ଧାର ଭିତରେ ଫାକୁ ଫାକୁ ହୋଇ କଣଟାଏ ଡେଉଁଚି ଓ ଡେଉଁ ଡେଉଁ ଦଉଡ଼ୁଛି । ହାତରେ ଚାଳୁଛି, ଗୋଡ଼ ଉପରକୁ କରୁଛି–ମାଇକିନାଟେ ଭଳି ଦିଶୁଛି । ସଂପୂର୍ଣ୍ଣ ଉଲଙ୍ଗ । ବୁଝି ହେଉନାହିଁ ଝାପ୍‌ସା ଆଲୁଅରେ । ସେଦିନ ରାତିରେ ବଡ଼ଦାଣ୍ଡରେ ଯାହା ସେ ଦେଖିଥିଲା, ଠିକ୍‌ ସେଇମିତି ଅଦ୍ଭୁତ ଜୀବଟାଏ ଡେଉଁଚି-। ତାକୁ ଦେଖି କୁକୁରଟା ଭୁକୁଚି ।

 

କ୍ରମେ ସେ ଅଦ୍ଭୁତ–ଜୀବଟା ଫାକୁ ଫାକୁ କରି ହସ୍‌ପିଟାଲ୍‌ ଭିତରକୁ ପଶିଗଲା । ଅଦୃଶ୍ୟ ହୋଇଗଲା । ଫାକୁ ଫାକୁ ଶବ୍ଦ ବି ଶୁଭିଲାନାହିଁ । କୁକୁର ବି ଶେଷରେ ଭୁକିବା ବନ୍ଦକଲା ।

 

କିଛି କ୍ଷଣ ଅତିବାହିତ ହେବା ପରେ ହସ୍‌ପିଟାଲର ସାମ୍ନା ରାସ୍ତାରେ ଗୋଟାଏ କାର୍‌ ଯିବାର ଶବ୍ଦ ଶୁଭିଲା । ଏତେ ରାତିରେ କିଏ ଯାଉଚି ?

 

ସେଇ ଅଦ୍ଭୁତ–ଜୀବଟାର କଥା ଭାବୁ ଭାବୁ ଅନୁପମ ପୁଣି ଶୋଇପଡ଼ିଲା ।

 

ପରଦିନ ସକାଳେ ଅନୁପମର ନିଦ ଭାଙ୍ଗିଲା, ଏକ କରୁଣ କାନ୍ଦଣାରେ । ପ୍ରସୂତି–ସଦନରୁ ଆସୁଥାଏ କାନ୍ଦଣା ।

 

ସେ କମ୍ପାଉଣ୍ଡର ଷଡ଼ଙ୍ଗୀଙ୍କୁ କାନ୍ଦଣାର କାରଣ ପଚାରିଲା । କମ୍ପାଉଣ୍ଡର କହିଲା–‘‘କାଲି ଯେଉଁ ସ୍ତ୍ରୀଲୋକର ପୁଅ ହୋଇଥିଲା, ସେଇ କାନ୍ଦୁଚି । ତା’ର ପିଲାଟା ମରିଗଲା । ରାତିରେ ଭଲଥିଲା, ସକାଳକୁ ସିଠା ହୋଇଯାଇଚି; କିନ୍ତୁ ପିଲାଟା ତ ଖୁବ୍‌ସବଳ ସୁସ୍ଥ ହୋଇଚି ବୋଲି ରାଜେଶ୍ୱରୀ କହୁଥିଲା । କଣ ହେଲା ପୁଣି ?’’
 

ଅନୁପମ ପୁନର୍ବାର ଭାବିଲା ସେଇ ଅଦ୍ଭୁତ ଜୀବଟା କଥା ।

 

ମାର୍ଚ୍ଚ ମାସ । ସେଦିନ ରବିବାର । ଅନୁପମ ଡେରିକରି ବିଛଣା ଛାଡ଼ିଲା । ସୂର୍ଯ୍ୟ ସେତେବେଳକୁ ଉଦୟ ହୋଇସାରିଥିଲେ । ଆକାଶ ଥିଲା ପରିଷ୍କାର, ନିର୍ମେଘ...। ଶିମୂଳ-ଗଛଟାରେ ଫଗୁଣମାସର ନୂତନ ପତ୍ର କଅଁଳିଥିଲା । ତଳେ ସବୁ ବିଛେଇ ହୋଇ ପଡ଼ିଥିଲା ପୁରାତନ ପାକଲା ଓ ଶୁଖିଲା ପତ୍ରଗୁଡ଼ାକ ।

 

ଅନୁପମର ବସା ପଛପାଖରେ ଥିବା ପାଳଧୂଆ ଗଛଟାରେ ଲାଲ୍‌ ଲାଲ୍‌ ଫୁଲ ସବୁ ଖୁନ୍ଦି ହୋଇଥିଲା । ବସନ୍ତଦାଗ ପରି ଦିଶୁଥିଲା ଗଛ ଦେହର କଣ୍ଟାଗୁଡ଼ାକ; କିନ୍ତୁ ସେଇ ମୁନିଆକଣ୍ଟାକୁ ଖାତିର ନକରି ଗଛଟାର ଦେହରେ ଗୁଡ଼େଇ ହୋଇଥିଲା ମାଳତିଲତାଟାଏ । ସବୁଜ ପତ୍ର ଭିତରୁ ଓହଳିପଡ଼ିଥିଲା ନାଲି ଓ ଶୁଭ ଫୁଲର ନହନହକା ପେନ୍ଥାମାନ । ଗୋଟାଏ କଅଁଳା ଛନଛନିଆ ଗୋରୁଛୁଆର ମୁହଁ ପରି ସତେଜ ଦିଶୁଥିଲା ଫୁଲଗୁଡ଼ାକ । ମଝିରେ ମଝିରେ କେଉଁଠି କେଜାଣି ଲୁଚି ବସି କୁ–କୁ କରୁଥିଲା କୋଇଲିଟାଏ ଆପଣାର ଇଚ୍ଛାରେ, ଆପଣାର ତାଳରେ–ଯେମିତି କି କେହି ତାକୁ ଶିଖେଇନାହିଁ–ନିଜେ ସେ ନିଜର ଗୁରୁ । ତାର ଚିତ୍ତ ହିଁ ତା’ର ଶିକ୍ଷକ । ହଳଦିବସନ୍ତଟେ ବି ଫୁର୍‌–ଫୁର୍‌କରି ଉଡ଼ୁଥିଲା, ସେଇ ନାଲି ପାଳଧୂଆ ଫୁଲର ନେନ୍ଥି ନେନ୍ଥି ମହୁକୁ ଚୁମି ଚୁମି । ବେଳେବେଳେ ସେ ଲୁଚିଯାଉଥିଲା ମାଳତି ଫୁଲର ରତ୍ନବ୍ୟୂହରେ, ମନର ଶ୍ରଦ୍ଧା ଭିତରେ ମଣିଷର ରୂପ ଲୁପ୍ତ ହୋଇଗଲା ଭଳି । ଅନୁପମର ଆଖିରୁ ଗୋଟାଏ ଜ୍ୟୋତି ବାହାରିପଡ଼ି ସେଇ ରଙ୍ଗଗୁଡ଼ାକୁ ସବୁ ଜ୍ୟୋତିର୍ମୟ କରିଦେଇଥିଲା । ସେଇ ସ୍ଵରଗୁଡ଼ାକର ଝଙ୍କାରରେ ଅନୁପମର ହୃଦୟ ରସାଣିତ ହୋଇଉଠିଥିଲା ।

 

ଅନୁପମର ଅନ୍ତର ଓ ସେଇ ନିର୍ମଳ ଲାଲ୍‌ ଓ ନୀଳ ନିର୍ମେଘ ପ୍ରଭାତର ଫଗୁଣିଆ ପ୍ରଭା ଏକ ଓ ଅଭିନ୍ନ ହୋଇଯାଇଥିଲେ । ସତେ ଯେମିତି ଅନୁପମ ତା’ର ସେଇ କଳା–ଭୁଷୁଣ୍ଡାବିରୂପ ଦେହ ଛାଡ଼ି ଗାଉଥିଲା ସେଇ କୋଇଲି ପରି, ଫୁର୍‌-ଫୁର୍‌ କରି ଡାଳରୁ ଡାଳକୁ, ଫୁଲରୁ ଫୁଲକୁ ଉଡ଼ୁଥିଲା ହଳଦିବସନ୍ତ ପରି ଏବଂ ଫୁଟି ଉଠୁଥିଲା ଏକ ଆଶ୍ଚର୍ଯ୍ୟ ବିଭାରେ ସେଇ ପାଳଧୂଆ ଗଛର ଲାଲ୍‌ଲାଲ୍‌ ଫୁଲ ପରି ଏବଂ ସତେ ଯେମିତି ତା’ର ଦେହରେ ଗୁଡ଼େଇ ହୋଇଯାଇଥିଲା ମାଳିତି ଲତା ଭଳି ସେଇ ଅତିପାତ ଅତୀତର ମହିମାମୟ ସମୟର କାନ୍ତ-ଲଳିତ ଜୋନାକୀ ।

 

ଅନୁପମ ଭାବର ଆବେଶରେ ଝରକାର ରେଲିଂଗୁଡ଼ାକୁ ଚୁମ୍ବନ କଲା । ଆଃ, ଏ ପ୍ରକୃତି କେଡ଼େ ମନୋରମ, କେଡ଼େ ଜୀବନ୍ତ ସତେ ! ତା’ ଭିତରେ କଣ ହଜିଯାଇହୁଏନା ! ମିଶିଯାଇହୁଏନା ! ରେ ମହାକାଳ, ତୁ ମୋତେ ମିଶେଇନେ–ତୁ ମୋତେ ଉଠେଇନେ–ମୁଁ ତୋରି ପ୍ରାଣରେ ମିଶିଯିବାକୁ ଚାହେଁ ।

 

ଅନୁପମର ପାଦ ନିକଟରେ ଶଙ୍ଖୀ ବିଲେଇଟି ଆସି ମ୍ୟାଉଁ ମ୍ୟାଉଁ କଲାଣି–ତା’ର ଖିଆଲ ନଥିଲା । ବିଲେଇଟା ସ୍ନେହ ଚାହୁଁଥିଲା । ଅନୁପମ ତାକୁ ଉଠେଇନେଲା ହାତରେ । ଛାତି ପାଖରେ ଧରି ଆଦର କଲା–ଅତି ପ୍ରିୟ ଶିଶୁ ଅଝଟ କଲାଭଳି ବିଲେଇଟା ତଥାପି ମ୍ୟାଉଁ ମ୍ୟାଉଁ କରୁଥିଲା । ଅନୁପମ ଆହୁରି ଆଦର କଲା–ତା’ ଗାଲରେ ହାତ ମାରିଲା–ବେକ ଓ ଲୋମ ସାଉଁଳେଇ ଦେଲା, ତଥାପି ବିଲେଇଟା ମ୍ୟାଉଁ ମ୍ୟାଉଁ କରୁଥାଏ । ‘‘କଣ ହେଲା ତୋର ?’’

 

‘‘ମ୍ୟାଉଁ...’’

 

‘‘ଭୋକ ହେଲାଣି ? ଚାଲ୍‌, ଖାଇବୁ ଚାଲ୍‌ ।’’

 

‘‘ମ୍ୟାଉଁ...’’

 

ଅନୁପମ ଗୋଟାଏ କେକ୍‌ ଭାଙ୍ଗି ଟେବୁଲ୍‌ ଉପରେ ରଖିଲା । ବିଲେଇକୁ ଛାଡ଼ିଦେଲା ଟେବୁଲ୍‌ ଉପରେ । ବିସ୍ମୟର କଥା ବିଲେଇଟା ମୁହଁରେ ସ୍ପର୍ଶ ମଧ୍ୟ କଲାନାହିଁ । ସେଇମିତି ‘‘ମ୍ୟାଉଁ’’ କରି ପୁଣି ଅନୁପମର କାନ୍ଧ ଉପରକୁ ଡେଇଁପଡ଼ିଲା ।

 

‘‘ମ୍ୟାଉଁ...’’

 

‘‘କିରେ କଥା କଣ ? କହୁନୁ...’’

 

‘‘ମ୍ୟାଉଁ...’’

Unknown

 

‘‘ଯାଃ–ମୁଁ ତୋ’ କଥା ବୁଝିପାରୁନାହିଁ ।’’

 

‘‘ମ୍ୟାଉଁ–ମ୍ୟାଉଁ...’’

 

ଉପାୟ ନ ଦେଖି ବିଲେଇଟାକୁ ଆହୁରି ଆଦର କଲା ଅନୁପମ–ତାର ଲୋମଶ ଦେହରେ ମୁଣ୍ଡ ଓ ହାତ କୁତୁକୁତୁ କରି ।

 

କିନ୍ତୁ ବିଲେଇଟା ଅନୁପମର ଆଖିକୁ ଚାହିଁ କ୍ଷୀଣସ୍ୱରରେ ତଥାପି ‘ମ୍ୟାଉଁ’ ‘ମ୍ୟାଉଁ' କରୁଥାଏ ।

 

ଅନୁପମ ବିଲେଇଟାକୁ କାନ୍ଧରେ ପକେଇ ବାହାରକୁ ଗଲା । ଦୁଆରମୁହଁରେ କାଳିଆ କୁକୁରଟା ଜଗିଥିଲା । ସଲାମ୍‌ କଲା ଭଳି ମୁଣ୍ଡନୋଇଁ ତା’ର ମଳିଆ ଅସନା ପାଦରେ ଅନୁପମର ପାଦକୁ ସ୍ପର୍ଶକଲା, ସାଜିନ୍‌ ଭାଙ୍ଗିଲା ପରି । ତା’ପରେ କ୍ୟାଉଁ କ୍ୟାଉଁ ହୋଇ ଦୁଇଗୋଡ଼ ଟେକି ଅନୁପମର ଅଣ୍ଟା ପାଖକୁ ମୁହଁ ଉଞ୍ଚେଇଲା । ବାଟ ଛାଡ଼ିଲା ନାହିଁ ।

 

ଅନୁପମ ହସି ହସି ବସି ପଡ଼ି ତାର ପିଠିରେ ହାତ ମାରିଲା । ତା’ପରେ ସେ ଗଲା ପାଳଧୁଆଗଛ ପାଖକୁ । ଦୁଇ ତିନିଟା ମାଳତି ଫୁଲର ନେନ୍ଥା ଛିଣ୍ଡେଇ ଘର ଭିତରକୁ ଆସିଲା । କୁକୁରଟା ତା’ର ପଛେ ପଛେ ଲାଗିଥାଏ । ଦୁଆରମୁହଁ ଡେଇଁ ଭିତରକୁ ବି ପଶି–ଆସିଥାଏ, ବସିଥାଏ ଓ ଭୂଇଁରେ ବଙ୍କା ଲାଞ୍ଜଟାକୁ ଛଟ୍‌ଛଟ୍‍କରି ବାଡ଼ୋଉଥାଏ ।
 

ବିଲେଇଟା ତଥାପି ମ୍ୟାଉଁ ମ୍ୟାଉଁ କରୁଥାଏ, ଗୋଟାଏ ଅବୁଝା ଶିଶୁ ପରି ।

 

ଅନୁପମ ମାଳତି ଫୁଲ ଦୁଇଟା ବିଲେଇଟାର କାନରେ ଖୋସିଦେଲା; ଗୋଟାଏ ସୂତାରେ ବାନ୍ଧି କିଛି ଫୁଲ ବେକରେ ଝୁଲେଇଦେଲା । ତା’ପରେ ବିଲେଇକୁ ନେଇ ଆରସି ସାମ୍ନାରେ ଟେକି ଧରି କହିଲା–‘‘ଦେଖ୍‌, ଦେଖ୍‌–କେମିତି ସୁନ୍ଦର ଦିଶୁଚୁ–

 

ଦେଖ୍...’’

 

‘‘ମ୍ୟାଉଁ...’’

 

‘‘ଆରେ ଦେଖ୍‌...କେମିତି ସୁନ୍ଦର ଦିଶୁଚୁ !’’

 

‘‘ମ୍ୟାଉଁ ...’’

 

ଅନୁପମ ଏଥର ରାଗରେ ବିଲେଇଟାକୁ କାନ୍ଧରୁ ଓହ୍ଲେଇ ତଳେ ଠିଆକରି ଦେଲା–‘‘ଯା–ବଦ୍‌ମାସ୍‌–ସେତିକିବେଳୁ ମେଁ ମେଁ ହେଉଚି ।’’

 

ବିଲେଇଟା ପୁଣି ମ୍ୟାଉଁ ମ୍ୟାଉଁ ହୋଇ ଅନୁପମର ଗୋଡ଼ରେ ଗୁଡ଼େଇହେଲା । ଅନୁପମ ତାକୁ ଗୋଡ଼ରେ ଠେଲିଦେଲା–‘‘ଯାଃ, ତୁ ଆଉ ମୋ’ କତିକି ଆସିବୁ ନାହିଁ ।’’

 

ବିଲେଇଟା ଯାଇ ଅନୁପମର ଖଟ ଉପରେ ଶୋଇଲା । କ୍ଷୀଣସ୍ୱରରେ ତଥାପି ମ୍ୟାଉଁ ମ୍ୟାଉଁ ହେଉଥାଏ ।

 

ଅନୁପମ କୁକୁର ପାଖକୁ ସେଇ ଭଙ୍ଗାରୁଜା କେକ୍‌ଟା ଫୋପାଡ଼ିଦେଲା–‘‘ନେ...ଖା...’’

 

କୁକୁର କେକ୍‌ଟାକୁ ନାକରେ ତିନିଚାରିଥର ଶୁଙ୍ଘି ଛାଡ଼ିଦେଲା, ଜିଭ ଲଗେଇଲା ନାହିଁ ।

 

‘‘ଆରେ ! ତୁ ବି ଖାଇବୁ ନାହିଁ ଆଜି ? କଥା କଣ୍‌ ? ସକାଳୁ ସକାଳୁ ଆଜି ଅନଶନ ଆରମ୍ଭ କଲଣି ସବୁ ! କିରେ କାଳିଆ...କଥା କଣ ?’’

 

ଅନୁପମ ବସିପଡ଼ି ତା’ର କାନ ଓ ବେକ ଆଉଁସିଲା । କୁକୁରଟା କ୍ୟାଉଁ କ୍ୟାଉଁ କରି ଅନୁପମର ଆଣ୍ଠୁ ଉପରେ ଗୋଡ଼ ରଖି କାନ ପାଖରେ ମୁହଁ ଲଗେଇଲା । ଅନୁପମକୁ ସଲସଲ ଲାଗୁଥାଏ ।

 

‘‘ହଉ ହେଲା, ଗେଲ ତ କରିସାରିଲୁ, ଏବେ ଖା...’’

 

ଅନୁପମ ତାକୁ ତଳକୁ ଓହ୍ଲାଇଦେଲା । ଠିଆହେଲା । କୁକୁରଟା କିନ୍ତୁ ଦୂରେଇ–ଗଲାନାହିଁ । ପୁଣି ଅନୁପମର ଗୋଡ଼ରେ ପିଠି ଘଷିଲା, ଲାଞ୍ଜ ବାଡ଼େଇଲା, ଦୁଇଗୋଡ଼ରେ ଠିଆହୋଇ ଅନୁପମର ଛାତି ଓ କାନ୍ଧ ଉପରକୁ କୁଦିବାକୁ ଉଦ୍ୟମ କଲା ।

 

‘‘ଧେତ୍‌, ଯାଃ...’’ ଅନୁପମ କୁକୁରଟାକୁ ହାତ ଉଞ୍ଚେଇଲା । କୁକୁର ଦୂରେଇ ଯାଇ ଦୁଆରବନ୍ଧ ପାଖରେ କୁଣ୍ଡଳି କରି ଶୋଇଲା । ଜୁଳୁ ଜୁଳୁ କରି ଚାହିଁଲା ଅନୁପମକୁ ।

 

ଭଙ୍ଗା କେକ୍‌ଟା ସେଇମିତି ପଡ଼ିଥାଏ ।

 

ଅନୁପମ ଆରସି ପାଖରେ ଠିଆହେଇ ଦାଢ଼ି କାଟୁଚି–ଏଇ ସମୟରେ ତା’ର ବସା ପାଖରେ ଗୋଟାଏ କାର୍‌ ଅଟକିବାର ଶବ୍ଦ ହେଲା । ସାଙ୍ଗେ ସାଙ୍ଗେ କୁକୁରଟା ଭୋ-ଭୋ କରି ଜୋର୍‌ରେ ଭୁକିଉଠିଲା । ଅନୁପମ ବୁଲି ଦେଖିଲ–କାର୍‌ର ଦର୍ଜା ଖୋଲି ଠିଆ ହେଇଛନ୍ତି ବିଜୟା ଦେବୀ । କୁକୁରଟା ଦୁଆରମୁହଁରେ ଠିଆ ହୋଇ ଭୋ-ଭୋ ହେଉଥାଏ; ବାଟ ଛାଡ଼ୁ ନ ଥାଏ ।

 

ବିଜୟା ଦେବୀ ଡାକିଲେ–‘‘ଡ: ଦାସ...’’

 

ଅନୁପମ ବିରକ୍ତି ହୋଇ କୁକୁରଟାକୁ ଗୋଇଠେ ପକେଇଲା । କୁକୁରଟା ତିନିଗଡ଼ା ଦେଇ ପଡ଼ିଲା ତଳେ; କିନ୍ତୁ ତଥାପି ଭୁକୁଥିଲା । ଅନୁପମ ହାତରେ ସେଫ୍‌ଟି ରେଜର୍‌ଟା ଧରି ପୁଣି ଗୋଡ଼େଇ ନେଇଗଲା ତାକୁ–‘‘ଯାଃ...ଅଭଦ୍ର ।’’

 

ବିଜୟା ଦେବୀ ବାରଣ୍ଡା ଉପରକୁ ଉଠୁ ଉଠୁ କହିଲେ–‘‘ବାଃ, ଭଲ ଜଗୁଆଳିଟିଏ ରଖିଛନ୍ତି ତ ! କେବେଠୁଁ ମଁ ?’’

‘‘ରଖିନାହିଁ, ସେ ଆସି ରହିଚି ଆପଣା ଇଚ୍ଛାରେ । ସ୍ନେହ ପାଇଲେ ସମସ୍ତେ ଆସି ରହନ୍ତି ।’’ ଅନୁପମ କହିସାରି ଦାଢ଼ି କାଟିବାରେ ମନଦେଲା ।

‘‘କୁକୁର ବିଲେଇଙ୍କୁ ଗୋଟେ କି ସ୍ନେହ ଦିଅନ୍ତି ଆପଣ ? ମଣିଷଙ୍କୁ ତ ଦେଇ–ପାରିଲେ ନାହିଁ...’’ ବିଜୟା ଦେବୀ ଥଟ୍ଟା କଲେ ।

ବିଜୟା ଦେବୀ ଖଟ ଉପରେ ବସିଲାକ୍ଷଣି ବିଲେଇଟା ପୁଣି ମ୍ୟାଉଁ ମ୍ୟାଉଁ ହୋଇ ତାଙ୍କୁ ନଖ-ଦାନ୍ତ ଦେଖେଇଲା ।

‘‘ୟେ ଶଙ୍ଖି ! ଇଏ କଣ–’’ ଅନୁପମ କହିଲା I

ବିଲେଇଟା ଖଟ ତଳେ ଯାଇ ଶୋଇଲା ।

‘‘ବାଃ, ଆପଣଙ୍କ ଖଟ ଉପରେ ବି ଏ ବିଲେଇଟାର ଅଧିକାର ଅଛି ? ହଁ, ରହିବ ନାହିଁ କାହିଁକି ଲୋ ମା, ଅଧିକାର କରିବାର ଲୋକ ତ ନାହାନ୍ତି–ତେଣୁ ବିଲେଇଟା...’’ ବିଜୟା ଦେବୀଙ୍କର ଏ ପରିହାସରେ ହଠାତ୍‌ କାହିଁକି ଅନୁପମ ହସିପକେଇଲା I

 

‘‘ହଁ, ଡ: ଦାସ ! ଆଜି ଦିନଟା ଆପଣଙ୍କୁ କେମିତି ଲାଗୁଚି ? ମୋତେ କାହିଁକି ଆଜି କୌଣସି ପର୍ବଦିନ ଭଳି ଲାଗୁଚି–ଠିକ୍‌ ପହଲି ରଜ ଭଳି ।’’

 

‘‘କିନ୍ତୁ ମୋତେ ହୋଲି ଭଳି ।’’ ...ଅନୁପମ କହିଲା ।

 

ବିଜୟା ଦେବୀ କିର୍‌କିର୍‌ ହୋଇ ହସିଲେ–‘‘ବାଃ, ଭାରି ମଜାଲୋକ ତ ଆପଣ ! କବିତା ଲେଖି ପାରିଥାଆନ୍ତେ... ବୋଧହୁଏ ପାତ୍ରୀ ମିଳିଲେ ନାହିଁ ବୋଲି ଲେଖିନାହାନ୍ତି–ନୁହେଁ ?’’

 

ଅନୁପମକୁ ଏଇ କଥାଟା କାହିଁକି ଖଟ୍‌କରି ଲାଗିଲା ମନରେ । ସେ ହସିପାରିଲା–ନାହିଁ ଖୋଲା ଗଳାରେ । ତଥାପି–କଥାର ଜବାବ୍‌ ଦେବା ଲାଗି କହିଲା–‘‘କିନ୍ତୁ ଅପାତ୍ରୀ ବହୁତ ମିଳୁଛନ୍ତି-।’’

 

‘‘ମାନେ ... !!’’

 

‘‘ମାନେ–ଯେଉଁମାନେ ଠିକ୍‌ପାତ୍ରୀ ନୁହନ୍ତି ।’’

 

ବିଜୟା ଦେବୀଙ୍କ ହସଟା ବି କାହିଁକି ବନ୍ଦ ହୋଇଗଲା । ଅନୁପମ କଥାଟାର ମୋଡ଼ ବଦଳେଇ କହିଲା–‘‘ସତେ, ଆଜି ସକାଳଟା କାହିଁକି ଖୁବ୍‌ ମନମତାଣିଆ ଲାଗୁଚି । ତା’ ସାଙ୍ଗରେ ପୁଣି ଆପଣଙ୍କ ସହିତ ସକାଳୁ ସକାଳୁ ରବିବାରରେ ଦେଖା I ଆଜି ଦିନଟା ମୋର ଖୁବ୍‌ ଆନନ୍ଦରେ କଟିବ ମନେହୁଏ । କୁହନ୍ତୁ ବିଜୟା ଦେବୀ ! ଆପଣଙ୍କ ମତ କଣ... ?’’

 

ବିଜୟା ଦେବୀ ସାମାନ୍ୟ ଗର୍ବ ବୋଧ କଲାଭଳି ଜଣାଗଲେ । ସେ ପୁଣି ହସି ହସି କହିଲେ–‘‘ଦେଖନ୍ତୁ ତ, ମୁଁ ଆପଣଙ୍କ ନିକଟକୁ ଯାହା କହିବା ପାଇଁ ଆସିଥିଲି ତାହା କହିବାକୁ ଭୁଲିଯାଇ ଅନ୍ୟକଥା ଗପୁଚି । କେଡ଼େ ଭୁଲାମନ ମୋର ! ହଁ, ଡ: ଦାସ ! କାଲି ମୁଁ କଟକ ଯାଇଥିଲି–ଦୈବାତ୍‌ ସାମ୍ପେନ୍‌ ପାଇଯାଇଚି । ସୌଭଗ୍ୟ ମୋର ! ଏଣୁ ଆପଣଙ୍କୁ ନିମନ୍ତ୍ରଣ ରହିଲା-। ଆଜି ନିଶ୍ଚୟ ଏକ ଶୁଭଦିନ ମୋର । ମୋର ଅତି ପ୍ରିୟ ମଦ୍ୟ ମୁଁ ଆପଣଙ୍କୁ ପିଆଇ ପାରିବି–ଇଆଠୁଁ ବଳି ଆନନ୍ଦର ଦିନ ଆଉ କଣ ଥାଇପାରେ ? ହଁ, ଯିବେ ନିଶ୍ଚୟ । ଯିବେ କଣ୍‌, ମୁଁ ତ ଆସି ନିଜେ ଘେନିଯିବି । ବୁଝିଲେ, ଆଜି ପୂରା ଚାରିଟାବେଳେ ଯିବେ ଆମ ଘରକୁ । ଠିକ୍‌ ସଂଧ୍ୟାବେଳେ ସାମ୍ପେନ୍‌ର ହୋଲି ହେବ ।’’

 

ଅନୁପମ ପଚାରିଲା–‘‘ଆପଣ କାଲି କଟକ ଯାଇଥିଲେ, ମୁଁ ତ ଜାଣିନାହିଁ ! ଜାଣିଥିଲେ ମୋର କିଛି ଜିନିଷ ଅଣେଇଥାନ୍ତି ଆପଣଙ୍କ ହାତରେ । ଛାଡ଼ନ୍ତୁ । ହଁ, କୁହନ୍ତୁ, ଆପଣଙ୍କ ପୁଅ କେମିତି ଅଛି ? କଟକରେ ସାକ୍ଷାତ୍‌ ନିଶ୍ଚୟ କରିଥିବେ । ମୁଁ ତ ତାକୁ ଏପର୍ଯ୍ୟନ୍ତ ଦେଖିପାରିଲି ନାହିଁ-। ତାକୁ ଆପଣ କେତେବେଳେ ନେଇଆସି କେବେ ଯେ ଛାଡ଼ି ଆସୁଛନ୍ତି, ମୁଁ ବୁଝିପାରୁନାହିଁ-। ଏଥର କଟକ ଗଲେ ମୋତେ ଡାକିବେ–ମୁଁ ଆପଣଙ୍କ ପୁଅକୁ ଟିକେ ଦେଖିବି ।’’

 

‘‘ଦେଖିଆସିଲି କାଲି–’’ ବିଜୟା ଦେବୀ କହିଲେ–‘‘ଭଲ ଅଛି । ତାଙ୍କ ହଷ୍ଟେଲ୍‌ର ଧାଈମାନେ ତା’ର ଖୁବ୍‌ ଯତ୍ନ ନିଅନ୍ତି । ମୋଟାସୋଟା ବି ହେଇଚି ।’’

 

‘‘ସତରେ ଆପଣ ଖୁବ୍‌ ଦୁଃଖରେ ଅଛନ୍ତି’’–ଅନୁପମ କହିଲା–‘‘ସ୍ୱାମୀ ଦୂରରେ । ପୁଣି ପୁଅ ବି ଦୂରରେ । ଧନ୍ୟ ଆପଣଙ୍କ ଛାତି ! ମୁଁ ଏମିତ ମଜବୁତ୍‌ ଛାତିବାଲା ସ୍ତ୍ରୀଲୋକ କେଉଁଠି ଦେଖିନାହିଁ ।’’

 

‘‘ଛାଡ଼ନ୍ତୁ–ପ୍ରଶଂସା କରନ୍ତୁ ନାହିଁ ଏତେ । ଯେଉଁମାନେ ଦୂରରେ ରହିଛନ୍ତି ତାଙ୍କ କଥା ଭାବିବସିଲେ ମନ ତ ଦୁଃଖ ହେବ, ତା’ ସାଙ୍ଗକୁ ଆଜି ଭଳି ମଜାଦିନଟା ବି ନଷ୍ଟ ହୋଇଯିବ...’’ ବିଜୟା ଦେବୀ କହିଲେ–‘‘ମୁଁ ଯାଉଚି; ଠିକ୍‌ ଚାରିଟାବେଳେ ଆସିବି–ଆପଣ ପୂରା ପ୍ରସ୍ତୁତ ହୋଇଥିବେ । ହଁ, ଠିଆହେବାକୁ ପଡ଼ିବ ନାହିଁ । ଯେମିତ କହିଦଉଚି ଆଗରୁ–-ବୁଝିଲେ ?’’

 

ବିଜୟା ଦେବୀ ଚାଲିଗଲେ । ଅନୁପମ ଗାଳିଦେଇଥିବା କୁକୁର ବିଲେଇଙ୍କୁ ସ୍ନେହକଲା-

 

ଠିକ୍‌ଚାରିଟା ବେଳକୁ ବିଜୟା ଦେବୀଙ୍କ ଗାଡ଼ି ଆସି ପହଞ୍ଚିଲା । ବିଜୟା ଦେବୀ କାର୍‌ରୁ ବାହାରିଆସି ଅନୁପମର ଘରଭିତରେ ଠିଆହୋଇ ଭ୍ରୂଲତା ନଚେଇଲେ । ଅନୁପମ ଚାହିଁଲା–ଭାରି ଲୋଭନୀୟ ଦିଶୁଥାନ୍ତି ବିଜୟା ଦେବୀ । ତାଙ୍କର ଗାଢ଼ ଲାଲ ରଙ୍ଗର ଶାଢ଼ି, ଲାଲ ବ୍ଲାଉସ୍‌ ଓ ଓଠରେ ପୁଣି ଲାଲ ଲିପ୍‌ଷ୍ଟିକ୍‌ । ନାଲି ରଙ୍ଗରେ ଭୋର ଦେଖାଯାଉଥାନ୍ତି ସେ । ବାଳଗୁଡ଼ାକୁ ବେଶ୍‌ କାଇଦାରେ ମୁଣ୍ଡ ଉପରେ ଥୋଇଦେଇଥାନ୍ତି । ଠିକ୍‌ ମୁଣ୍ଡ ଉପରେ ଲାଲ ରିବନ୍‌ଟେ ଫୁଲ ପରି କମ ହୋଇ ବନ୍ଧାହୋଇଥାଏ । ସେଇଟା ଦିଶୁଥାଏ ଗୋଟାଏ ଅହିରାଜ ସାପର ଜିଭ ପରି ଲଥ୍‌ଲଥ୍‌ ହୋଇ । ଗୋଡ଼ରେ ଲାଲ ରଙ୍ଗର ହାଇହିଲ୍‌ । ତେନ୍ତୁଳି ମଂଜି ଭଳି ମିଁ–ମିଁ ଇଆ ହାତଘଡ଼ିଟାର ବ୍ୟାଣ୍ଡଟା ଲାଲ୍‌ରଙ୍ଗର ହୋଇଥାଏ । ସୁନା ଏବଂ ଅନ୍ୟାନ୍ୟ ରଙ୍ଗର କାଚ କାଢ଼ି ଦେଇ ଗାଢ଼ ଲାଲ୍‌କାଚରୁ ଦୁଇମୁଠା ସେ ପିନ୍ଧିଥାନ୍ତି ଦୁଇହାତରେ । ସୀମନ୍ତରେ ସିନ୍ଦୂରଗାରଟାଏ ଥାଏ ଝାପ୍‌ସା ହୋଇ; କିନ୍ତୁ କପାଳରେ ସିନ୍ଦୂର ନ ଥାଏ । ସେଠି ଲାଲ୍‌ କୁଙ୍କୁମରେ ଖୁବ୍‌ ଛୋଟ ପ୍ରଦୀପର ଶିଖା ଅଙ୍କିତ ହୋଇଥାଏ, ଖୁବ୍‌ ଯତ୍ନସହକାରେ । ଚୂର୍ଣ୍ଣକୁନ୍ତଳଗୁଡ଼ାକୁ ବିଜୟା ଦେବୀ କାନ ମୂଳରେ ଅଯତ୍ନ ଭାବରେ ଛାଡ଼ିଦେଇଥାନ୍ତି । ସେଗୁଡ଼ାକ ପବନରେ ଉଡ଼ୁଥାଏ । ହାତରେ ଗୋଟାଏ ଲାଲଫୁଲ ଧରିଥାନ୍ତି ।

 

ବିଜୟା ଦେବୀ ପୂରିଲା ପୂରିଲା ଦିଶୁଥାନ୍ତି ଠିକ୍‌ ଗୋଟାଏ ଦୁର୍ଗାମେଢ଼ର ମେହେରାବି ଭଳି । ଅନୁପମର ଆଖି ଝଲସିଉଠିଲା ।

ବିଜୟା ଦେବୀ ହାତର ଫୁଲଟାକୁ ନଚେଇ ନଚେଇ ଅନୁପମର ନାକପୁଡ଼ାରେ ଛୁଏଁଇ ଦେଲେ–‘‘କୁହନ୍ତୁ ତ ଏ ରକ୍ତଗୋଲପର ଗନ୍ଧଟା କେମିତି ? ରଜନୀଗନ୍ଧା ପାଇଲି ନାହିଁ । ହଁ–ଆପଣ ପ୍ରସ୍ତୁତ ତ !!’’

‘‘ପ୍ରସ୍ତୁତ...’’ ଅନୁପମ କହିଲା ।

ବିଜୟା ଦେବୀ ଆଉଥରେ ଅନୁପମର ନାକପୁଡ଼ାରେ ରକ୍ତଗୋଲାପ ଛୁଏଁଇ ଦେଇ ପଚାରିଲେ–‘‘କହିଲେ ନାହିଁ ତ ଗନ୍ଧଟା ଭଲ କି ଖରାପ୍‌ !’’

‘‘ଖୁବ୍‌ ମଧୁର...’’ ଅନୁପମ କହିଲା ।

‘‘ଧନ୍ୟବାଦ’’ ବିଜୟା ଦେବୀ କହିଲେ–‘‘ବାସ୍ତବିକ ମୋ–ପକ୍ଷରେ ଆଜି ଏକ ଶୁଭଲଗ୍ନ-।’’

ସେମାନେ ବାହାରିଲେ । ଆରବନ୍ଧ ପାଖରେ ଶୋଇଥିବା କୁକୁରଟା ଅନୁପମ ଆଗରେ ରାସ୍ତା ବନ୍ଦ କରି ଠିଆହେଲା । ଅନୁପମ ଆଖି ତରାଟିଲା, କିନ୍ତୁ ସେ ମାନିଲା ନାହିଁ । ଅନୁପମ ବାଧ୍ୟ ହୋଇ ତାକୁ ଗୋଡ଼ରେ ଆଡ଼େଇଦେଲା । ଘରେ ତାଲା ବନ୍ଦ କଲା । ବିଲେଇଟା ଘର ଭିତରେ ପଶି ‘ମ୍ୟାଉଁ’ ‘ମ୍ୟାଉଁ’ ହେଉଥାଏ । ଅନୁପମ କାର୍‌ରେ ବସିବାକ୍ଷଣି କୁକୁରଟା ପୁଣି ଭାଉ ଭାଉ ହେଲା ।

 

କାର ଚାଲିଲା । ଗାଡ଼ିର ଘୁଁ–ଘୁଁ ଶବ୍ଦରେ ବିଲେଇର ‘ମ୍ୟାଉଁ’ ‘ମ୍ୟାଉଁ’ ଶବ୍ଦ ଅନୁପମକୁ ଶୁଭିଲା ନାହିଁ । ବିଲେଇଟା ଝରକା ଡେଇଁ ପଡ଼ିଆକୁ ଆସିଲା । କୁକୁରଟା କାର୍‌ପଛେ ପଛେ ଦଉଡ଼ିଲା । ବିଲେଇଟା ବି I ତା’ପରେ ବିଲେଇଟା ଶିମୂଳିଗଛ ଉପରକୁ ଚଢ଼ିଯାଇ ଡାଳରେ ବସି ମ୍ୟାଉଁ ମ୍ୟାଉଁ ହେଲା ।

 

ହସ୍‌ପିଟାଲ୍‌ ହତା ପାରହୋଇ ପ୍ରଧାନ ରାସ୍ତାରେ ଗାଡ଼ି ଛୁଟିଲାବେଳେ ଅନୁପମ ପଛକୁ ବୁଲି କାଚ ଭିତରେ ଦେଖିଲା–କୁକୁରଟା ଦଉଡ଼ୁଛି–ଭୋ ଭୋ ହୋଇ । ଘୋଡ଼ା ପରି ଦଉଡ଼ିଛି ।

 

କାର୍‌ ଆଉରି ବେଗରେ ଚାଲିଲା । ବିଜୟା ଦେବୀ ଡ୍ରାଇଭିଂ କରୁଥାନ୍ତି । ଆଗପଟୁ ଟ୍ରକ୍‌ଟାଏ ଆସିଲା ଓ କାର୍‌ର କଡ଼ ଦେଇ ପଛକୁ ଚାଲିଗଲା । ମେଞ୍ଚାଏ ନାଲି ଧୂଳି ଅନୁପମର ନାକପୁଡ଼ାରେ ଭର୍ତ୍ତି ହୋଇଗଲା । ପଛପଟର ଆକାଶ ଧୂଳିମୟ ହୋଇଗଲା । ଭୀମ ରଡ଼ିକରି ଟ୍ରକ୍‌ଟା ଯିବା ପରେ ସେ ପୁଣି ପଛକୁ ଚାହିଁଲା,–କୁକୁରଟା ଆଉ ଦିଶିଲା ନାହିଁ ତାକୁ । ଧୂଳି ଭେଦକରି ତା’ର ଦୃଷ୍ଟି ଆଉ, ପଛକୁ ଯାଇପାରିଲାନାହିଁ । କୁକୁରଟାର ମୁହଁ ଆଉ ଦଶିଲାନାହଁ; କିନ୍ତୁ ସେ ଅନୁପମର ମନ ଭିତରେ ଦଉଡ଼ୁଥାଏ ତଥାପି,–ବିଲେଇଟା ମ୍ୟାଉଁ ମ୍ୟାଉଁ ହେଉଥାଏ ତେବେ ବି ।

 

ବିଜୟା ଦେବୀଙ୍କ ଘରେ ପହଞ୍ଚିଲାକ୍ଷଣି ଗୋଟାଏ କ୍ଷୀଣ କୁଆଁ କୁଆଁ ଶବ୍ଦ ଅନୁପମ ଶୁଣିବାକୁ ପାଇଲା । ବିଜୟା ଦେବୀ ମଧ୍ୟ ଶବ୍ଦଟାକୁ ଧ୍ୟାନର ସହିତ ଶୁଣିଲେ । ତା’ପରେ ସେ ବଇଁଶୀକୁ ଡାକି ପଚାରିଲେ–‘‘କିରେ କାଁ–କାଁ କଣ ହେଉଚି ?’’

 

ବଇଁଶୀ ଶିର ଯଥାସମ୍ମାନ ଅବନତ କରି ଓ ବାଁ–ହାତର ଆଙ୍ଗୁଳିରେ ବେକ କୁଣ୍ଡେଇ କୁଣ୍ଡେଇ ପ୍ରକାଶ କଲା–’‘ନାଇଁ ମା, ସେ କିଛି ନୁହେଁ... ।’’ ‘‘ମଲା, ଯେ କିଛି ନୁହେଁ ସେ ପୁଣି ଶବ୍ଦ କରିବ କେମିତି ?’’ –ବିଜୟା ଦେବୀ କହିଲେ–’’ କିରେ କହୁନୁ କଣ ?’’

 

ବଇଁଶୀ କହିଲା–‘‘ବିଲେଇଛୁଆ...’’

 

‘‘ବିଲେଇଛୁଆ.....’’ ବିଜୟା ଦେବୀ ତାଟକା ହୋଇ କହିଲେ–‘‘ମୋ ଘରେ ବିଲେଇଛୁଆ କେମିତି ? କିରେ...ଆଁ ! ଫୋପାଡ଼ ତାକୁ...ଆଉ କିଛି ମିଳିଲା ନାହିଁ ତୋତେ, ଶେଷରେ ବିଲେଇ ଛୁଆ ଆଣି...’’ ବିଜୟା ଦେବୀ ଅନୁପମକୁ ଚାହିଁଲେ । ତାଙ୍କର କଥା ଆପେ ଆପେ ବନ୍ଦ ହୋଇଗଲା ।

 

‘‘ବିଲେଇଛୁଆ କେଉଁଠୁ ପାଇଲୁ ?’’–ଅନୁପମ ବଇଁଶୀକୁ ପଚାରିଲା ।

 

‘‘ସେଇ ଯେଉଁ କାଳିଆ ବିଲେଇଟାକୁ ମୁଁ ସେଦିନ ଗୋଡ଼େଇ ନ ଥିଲି–ତାହାରି ଛୁଆ । ଏକା ସାଥିରେ ପାଞ୍ଚଟା ଛୁଆ ଦେଇଥିଲା–ତା’ ଭିତରୁ ତିନିଟାକୁ ଖାଇଦେଲ,–ମୁଁ ଏଇ ଦୁଇଟାକୁ ଆଣି ସିଇରା ଘୋଡ଼େଇପକେଇଚି । ନଇଲେ ଏଇ ଦୁଇଟାକୁ ବି ଖାଇଦେଇଥାନ୍ତା କି କଣ ? ସେମାନେ ବଢ଼ିଗଲେ ଆପେ ଆପେ ପଲେଇଯିବେନି କି ?’’

 

‘‘କଣ କହୁଚୁ ତୁ ? ନିଜ ଛୁଆ ତିନିଟାଙ୍କୁ ଖାଇଦେଲା ସେଇ ବିଲେଇଟା !’’ ଅନୁପମ ବିସ୍ମୟରେ ପଚାରିଲା ।’’ ହଁ ବାବୁ ! ବିଲେଇ ସବୁ ନିଜ ଛୁଆଙ୍କୁ ଖାଇଦିଅନ୍ତି ।’’ –ବଇଁଶି କହିଲା ।

 

ଅନୁପମ ବିଜୟା ଦେବୀଙ୍କୁ ଚାହିଁଲା । ବିଜୟା ଦେବୀଙ୍କ ମୁହଁରେ ଏକ ପରିବର୍ତ୍ତନ ଆସିଥିଲା । ସେ ଆଉ କିଛି ପଦେହେଲେ ନ କହି ତଳଘରୁ ଉପରଘରକୁ ଉଠିଲେ ଓ ଅନୁପମକୁ ଉଠିବା ପାଇଁ ନିର୍ଦ୍ଦେଶ ଦେଲେ । ଦୁଇଟି ପାହାଚ ଉଠିଛନ୍ତି କି ନାହିଁ ବିଜୟା ଦେବୀ ଠିଆହେଲେ, ପଛଆଡ଼ୁ ଆସୁଥିବା ଗୋଟାଏ ଶବ୍ଦ କାନରେ ପଡ଼ିବାରୁ । ସେ ଶବ୍ଦଟା ବିଜୟା ଦେବୀଙ୍କ ହତା ଭିତରକୁ ପଶିଆସିଥିବା ଗୋଟାଏ ନାଲିଗାଡ଼ିର ହର୍ଣ୍ଣ ।

 

ବିଜୟା ଦେବୀ ଓହ୍ଲେଇଲେ ତଳକୁ । ଅନୁପମ ବି ଆଉ ଉପରକୁ ନ ଉଠି ସେଇଠି ଠିଆହେଲା ।

 

କାର୍‌ ଭିତରୁ ଜଣେ ପେଣ୍ଟ୍‌କାମିଜ୍‌ପିନ୍ଧା ଭଦ୍ରଲୋକ ବାହାରିଆସି ହାତ ଯୋଡ଼ି ଅଭିବାଦନ କଲେ ବିଜୟା ଦେବୀଙ୍କୁ । ଭଦ୍ରଲୋକ ଖୁବ୍‌ ବ୍ୟସ୍ତ ଥିଲା ଭଳି ଜଣାଯାଉଥିଲେ । ଭଦ୍ରଲୋକ ଅତି ଵିନୟକଣ୍ଠରେ କହିଲେ–‘‘ଆଜ୍ଞା, ଆପଣ ବର୍ତ୍ତମାନ ନଗଲେ ଚଳିବ ନାହିଁ । ମୋ ସ୍ତ୍ରୀ ଭୀଷଣ କଷ୍ଟପାଉଛି । ଅଧଘଣ୍ଟାଏ ହେଲା କଷ୍ଟ ପାଇଲାଣି । ଏଇ ତା’ର ପ୍ରଥମ ଗର୍ଭ । ଆଜ୍ଞା ଡେରି ନକରି ଚାଲନ୍ତୁ ।’’

 

ବିଜୟା ଦେବୀ ଅନୁପମକୁ ଚାହିଁଲେ । ଅନୁପମ କହିଲା–‘‘କିଛି ନାହିଁ, ଆପଣ ଯାଆନ୍ତୁ-। ମୁଁ ଏଇଠି ଅପେକ୍ଷା କରିଛି । ଏ ଅବସ୍ଥାରେ ଆଉ କଣ ଡେରି କରିବା ଉଚିତ ? ଯାଆନ୍ତୁ–ମୋର କିଛି ଅସୁବିଧା ହେବନାହିଁ ।’’

 

ଭଦ୍ରଲୋକ ଜଣକ କହିଲେ–‘‘ହଁ–ଆଜ୍ଞା, ଚାଳିଶି ପଇଁଚାଳିଶି ମିନଟ୍‌ ଭିତରେ ଫେରିଆସିବେମାନେ ନିଶ୍ଚୟ ପାଞ୍ଚଟା ପୂର୍ବରୁ ।’’

 

ବିଜୟା ଦେବୀ କହିଲେ–‘‘ଡ: ଦାସ, ଆପଣ ଉପରେ ବସନ୍ତୁ । ବଇଁଶୀ ନେଇ କଫି ଇତ୍ୟାଦି ଦେବ । ମୁଁ ଶୀଘ୍ର ଫେରୁଛି । ଡାକ୍ତର ଜୀବନ...’’ ବିଜୟା ଦେବୀ ଚାଲିଗଲେ । ଅନୁପମ ଖୁବ୍‌ଧୀର ଗତିରେ ଗଣି ଗଣି ପାହାଚ ଚଢ଼ିଲା I

 

ଖରା ମଳିନ ଦିଶିଲାଣି । ବେଶ୍‌ ଥଣ୍ଡା ପବନ ଦେଉଛି । ମୁଲାୟମ୍‌ ଲାଗୁଛି । ଅନୁପମ କିଛି ସମୟ ଉପରେ ଠିଆହୋଇ ପୁଣି ତଳକୁ ଓହ୍ଲେଇଲା । ତାକୁ ସବୁ ଭଲ ଲାଗୁଥାଏ; ପୁଣି କିଛି ଲାଗୁ ନ ଥାଏ ।

 

ସେ ବଇଁଶୀକି ଡାକିଲା । ବଇଁଶୀ ଆସି ପାଖରେ ଠିଆହେଲା । ଅନୁପମ କଣ ପଚାରିବ ପଚାରିବ ହୋଇ ଶେଷରେ ପଚାରିଦେଲା–‘‘କିରେ, ତୁ ଏଠି କେତେ ବର୍ଷ ହେଲା ରହିଲୁଣି ?’’

 

‘‘ସାତ ବର୍ଷ...’’ ବଇଁଶୀ କହିଲା ।

 

‘‘ଏତେ ଦିନ ରହିଲୁଣି.... !’’ ଅନୁପମ କହିଲା ।

 

‘‘ହଁ ବାବୁ–ବହୁତ ଦିନ ହେଲାଣି ।’’ ବଇଁଶୀ କହିଲା–‘‘ବାବୁଙ୍କ ବାହାଘର ହେଲା–ଏ ବାବୁଆଣୀ ଆଇଲେ–ସେଇ ଦିନରୁ ତ ଅଛି ।’’

 

‘‘ତୋ ବାବୁ କେମିତି ଲୋକ ? ଭଲ ନା ?’’

 

‘‘ଭାରି ଜୋର୍‌ଦାର୍‌ଲୋକ ବାବୁ–ମିଲଟାରୀରେ ଥିଲେ–ବାପ ମଲା ପରେ ମିଲଟାରୀ ଛାଡ଼ିଲେ । ବାହା ହେଲେ; କିନ୍ତୁ ବାହାଘର ହେବାର ଠିକ୍‌ ଦେଢ଼ବର୍ଷ ପୂରିଛି କି ନାହିଁ ପୁଣି ଯାଇ ମିଲିଟାରୀରେ ରହିଲେ । କିଏ କେତେ ମନା କଲେ ମାନିଲେନାହିଁ । ଦିନେ ରାତିରୁ ଉଠିକି ପଳେଇଲେ । ଗଲାବେଳେ ମୋତେ କେବଳ କହିକି ଗଲେ । ସେ ଯିବାର ପାଞ୍ଚବର୍ଷ ହେଲାଣି କି ଆଉରି ବେଶି ହେଲାଣି । ଆଉ ଫେରିନାହାନ୍ତି ସେଇ ଦିନରୁ ।’’ ବଇଁଶୀର ଆଖି ଛଳଛଳ ହୋଇ ଉଠିଲା–‘‘ଏତେ ବଳ ସିନା ତାଙ୍କର ଥିଲା, କିନ୍ତୁ ଦିନେ ହେଲେ ସେ ପାଟିକରି କାହାକୁ ଗାଳି–ଦେଇନାହାନ୍ତି । ଭାରି ସୁଧାର ଲୋକ ସେ ।’’

 

ଅନୁପମ ଉତ୍‌କର୍ଣ୍ଣ ହୋଇ ଶୁଣୁଥିଲା । ସେ ଏପାଖ ସେପାଖକୁ ଚାହିଁ କୌତୂହଳ ପ୍ରକାଶ କରି ପୁଣି ପଚାରିଲା–‘‘କାହିଁକି ପଳେଇଲେ କିଛି ଜାଣୁ ?’’

 

‘‘ନା, ବାବୁ ! ମୁଁ କିଛି ଜାଣେନାହିଁ । ସେ, ତ ସବୁବେଳେ ଉପରେ ଥା’ନ୍ତି । ତଳକୁ ଆଇଲେ ଡାକ୍ତରଖାନାରେ ବସନ୍ତି । କେବଳ ଦିନେ ଉପରୁ ଭାରି ପାଟି ଶୁଭୁଥିଲା–ପ୍ରାୟ ଅଧରାତିରେ । ମୁଁ ତଳେ ଶୋଇଥିଲି । ସେ ପାଟିରେ ମୋ ନିଦ, ଭାଙ୍ଗିଯାଇଥିଲା । ବାବୁ ବାବୁଆଣୀଙ୍କୁ ଇଂରେଜିରେ କଣ ସବୁ ଗାଳିଦେଉଥାନ୍ତି; ବାବୁଆଣୀ ମଝିରେ ମଝିରେ ବଡ଼ ପାଟିରେ ଉତ୍ତର ଦେଉଥାନ୍ତି । ବେଶ୍‌...ତାହାର ସାତ ଆଠ ଦିନ ପରେ ତ ବାବୁ ପଳେଇଲେ ।’’

 

ଅନୁପମ ବୁଝିପାରିଲା, ନିଶ୍ଚୟ ସ୍ତ୍ରୀଙ୍କ ସହିତ କିଛି ନା କିଛି ଗଣ୍ଡଗୋଳ ହେବାରୁ ସେ ପଳେଇଛନ୍ତି । ଅନୁପମ ପୁଣି ପଚାରିଲା–‘‘ତୋ’ ବାବୁ ଆପଣା ପୁଅକୁ ବି ଦେଖିବା ପାଇଁ ଆସନ୍ତିନାହିଁ ?’’

 

‘‘ପୁଅ ! କି ପୁଅ ବାବୁ ?’’–ବଇଁଶୀ କହିଲା–‘‘ପୁଅ ଥିଲେ ଆଉ ଆସନ୍ତେ ନାହିଁ ? ରକ୍ତ ରକ୍ତକୁ ଟାଣନ୍ତା ନାହିଁ ନା ! ଜନ୍ମ ହେବାର ଠିକ୍‌ ପଞ୍ଚୁଆତି ଦିନ ପରା ପୁଅ ମଲା । ଭଲଛୁଆଟା; ରାତିରେ ମା’ ପାଖରେ ଶୋଇଥିଲା–ସକାଳକୁ କିଛି ନାହିଁ । ବାବୁ, ମୁଁ ପରା ନିଜେ ଦେଖିଚି–ଟିକିଏ ହେଲେ ରକ୍ତ ନ ଥିଲା ସକାଳକୁ, ପୁରା ସିଠା ହୋଇ ଯାଇଥିଲା । ବାବୁ କେତେ ପରୀକ୍ଷା କଲେ, କେତେ ଡାକ୍ତରଙ୍କୁ ଦେଖାଇଲେ–କେହି କହିପାରିଲେ ନାହିଁ–ଭଲପିଲାଟା ହଠାତ୍‌ ରକ୍ତଶୂନ୍ୟ ହେଲା କେମିତି । ବାବୁ କଣ କମି ମୁଣ୍ଡପିଟି କାନ୍ଦିଛନ୍ତି । ହେଲେ ଧନ୍ୟ କହିବ ବାବୁଆଣୀଙ୍କ ଛାତିକୁ–ଟିକିଏ ବି ଲୁହ ଗଡ଼ିବାର ମୁଁ ତ ଦେଖିନାହିଁ । ଆଉ କୋଉ ମାଇକିନା ହୋଇଥିଲେ ମୁଣ୍ଡ ପିଟି ମରିଥାଆନ୍ତା ! ଭାରି ସୁନ୍ଦର ହେଇଥିଲା ସେ ପୁଅଟା ।’’

 

ଅନୁପମର ମୁଣ୍ଡ ଗୋଳମାଳ ହୋଇଗଲା । କଣ ସେ ଶୁଶୁଚି ! ବିଜୟା ଦେବୀଙ୍କ ପ୍ରତି ତା’ର ଘୃଣା ଓ ଦୁଃଖ ଉଭୟ ଆସିଲା । କେମିତି ମାଇକିନା ସିଏ ! କେମିତି ବା ବଞ୍ଚୁଛନ୍ତି ? କଣ ତାଙ୍କର ଉଦ୍ଦେଶ୍ୟ ? ଅନୁପମକୁ ଏପରି ମିଛ କହିବାର କାରଣ କଣ ?

 

ଅନୁପମ ଉପରକୁ ଉଠିଲା ପୁଣି । ପ୍ରତି ପାହାଚ ଅତିକ୍ରମ କରିବା ଲାଗି ତାକୁ–ମିନିଟ୍‌କରୁ ଅଧିକ ସମୟ ଲାଗିଯାଉଥାଏ । ଭାରି ଭାରି ଲଗୁଥାଏ ଗୋଡ଼ଭଣ୍ଡାଗୁଡ଼ାକ । ତା’ ଆଖି ଆଗରେ ଚକ୍‌କର ଦେଇ ବୁଲୁଥାଏ ସେଇ ବହୁରୂପୀ ବିଚିତ୍ର ମାଇକିନା–ବିଜୟା ଦେବୀ ।

 

ଅନୁପମ ବୁଝିଲା–ବିଜୟା ଦେବୀ କେଉଁ ଉଦ୍ଦେଶ୍ୟରେ ତାକୁ ବାରମ୍ବାର ମଦ୍ୟ ପିଆଉଛନ୍ତି, ନିମନ୍ତ୍ରଣ କରୁଛନ୍ତି ଓ ଆଗରେ ବୟସ ବିଚାର ନକରି ହସି ହସି ଲୋଟିଯାଉଛନ୍ତି । ନାଃ, ଏଇ ଶେଷ । ୟା’ ପରେ ସେ ଆଉ ଆସିବ ନାହିଁ ଏ ଘରକୁ । ମିଶିବନାହିଁ ଏଇ ସବାଖାଈଟା ସହିତ । ଡାଆଣୀଟେ ଏଇଟା ।

 

ଯଦି ଅନୁପମ କେବେ ଶିଥିଳ ହୋଇପଡ଼େ ତା’ହେଲେ ! ତା’ହେଲେ....

 

ଜୋନାକୀକୁ ସେ ହତାଦର କରିପାରିବ ନାହିଁ । ସେ ତାକୁ ଭଲପାଇଥିଲା । ହଁ–ନିଶ୍ଚୟ ଭଲ ପାଇଥିଲା । ତାର ମନେପଡ଼ିଲା ସେଇ ଗୋଟିଏ ଦୃଶ୍ୟ–ସେଇ ବ୍ରିଟିଶ୍‌–ଭଦ୍ରମହିଳା କେମିତି ଲଣ୍ଡନରୁ ଆସି ଅଶ୍ରୁବର୍ଷଣ କରୁଥିଲେ ଡ: ମିଶ୍ରଙ୍କ ଓଠ ଉପରେ । ପ୍ରେମର ମୂଲ୍ୟ ଅଛି । ନିଶ୍ଚୟ ଅଛି । ଜୋନାକୀ ବରଂ ନିର୍ଦୟା ହେଉ–ବରଂ ସେ ଭୁଲିଥାଉ ଅନୁପମକୁ, ଅନୁପମର ପ୍ରେମକୁ, ଆଖିକୁ; କିନ୍ତୁ ତଥାପି ସେ ମରିନାହିଁ । ଜୋନାକୀ ଜିଇଁରହିଛି ଅନୁପମ ଲାଗି ସନ୍ଦେହରେ । ଜୋନାକୀ ରହଚି ମୂର୍ତ୍ତିମତୀ ହୋଇ ତାର ଅନ୍ତର ଭିତରେ–ଦେହ ଭିତରର ଆତ୍ମା ଭଳି । ତାକୁ ସେ ଅବମାନନା କରିପାରେନା । ଯେଉଁ ପ୍ରେମ ପାଇଁ ସୁମିତା ଭଳି ଏକ ନିଷ୍ପେଷିତା, ଲାଞ୍ଛିତା ଓ ନିରାଶ୍ରୟାକୁ, ଯେ କି ଅନୁପମର ପ୍ରେମ ପାଇଁ ତିଳେ ତିଳେ ଦଗ୍ଧ ହେଉଥିଲା, ଅନୁପମ ସ୍ନେହରେ ଆନ୍ତରିକତାର ସହିତ କଥାପଦେ କହିପାରିନାହିଁ, ପ୍ରେମ ଟିକେ ଦେଇପାରିନାହିଁ–ଏବଂ ଯିଏ ଅନୁପମର ପ୍ରେମ ନ ପାଇ ଚିରକାଳ ପାଇଁ ଆତ୍ମ ଉତ୍ସର୍ଗ ହିଁ କରିଯାଇଚି–ଏବଂ ଯାହାର ପ୍ରେମର ହୁଏତ ନିଷ୍ଠାଗତ ତୁଳନା ଅନ୍ୟ ସହିତ କରାଯାଇପାରେନା–ତାହାକୁ ବି ଅନୁପମ ଆଡ଼େଇ ଦେଇଆସିଚି ବାରମ୍ବାର କେବଳ ଜୋନାକୀ ପାଇଁ, କେବଳ ଜୋନାକୀର ସେଇ ‘ଭଲପାଇବା’ ଲାଗି I ଏବେ ସେ କେମିତି ସେଇ ‘ପ୍ରେମ’ର ଅପଚୟ କରିବ ? ସେ କେମିତି ହେବ ଏକ ଅକୃତଜ୍ଞ, ସ୍ୱାର୍ଥପର ଏବଂ ସୁବିଧାବାଦୀ । ନା–ନା–ନା, ସ୍ୱାର୍ଥପରତାରେ ହୁଏତ ବିଳାସ ମିଳେ, ଭୋଗ ମିଳେ, ସମ୍ଭୋଗ ମିଳେ, ସୁଖ ମିଳେ; କିନ୍ତୁ ଶାନ୍ତି ମିଳେନା, କିମ୍ବା ଆନନ୍ଦ ମିଳେନା । କାରଣ ଯାହା ଉପରେ ଅନ୍ତରର ନିର୍ଯ୍ୟାସ ନିଗିଡ଼ ନ ପଡ଼େ, ଯାହା ଉପରେ ମନର ସବୁ ଅଭିମାନ, ବେଦନା ଓ ବ୍ୟଥା ଅଜାଡ଼ି ହୋଇ ନପଡ଼େ–ତାକୁ ପ୍ରେମ କରି ହୁଏନା–କିମ୍ବା ସେ ପ୍ରେମିକା ହୋଇପାରେନା । ଲାଭ କଣ ସେଥିରେ ? କି ଲାଭ ସେ ବିଳାସର ? କି ଲାଭ ସେ ଭୋଗରୁ ? କି ଲାଭ, କି ଲାଭ ??

 

ଜୋନାକୀ ବରଂ ଚିରକାଳ ପାଇଁ ଅନୁପମଠାରୁ ଦୂରେଇ ରହୁ–ଅନୁପମ ‘ପ୍ରେମ’ର ଅପମାନ କରିପାରିବ ନାହିଁ । ତା’ର ପ୍ରେମ ବଡ଼ ଦେହର ସମ୍ଭୋଗଠାରୁ, ତାହାର ‘ପ୍ରେମ’ ବଡ଼, ପ୍ରେମିକାଠାରୁ ।

 

ଅନୁପମର ମନେପଡ଼େ–ଜୋନାକୀର ଚିଠିର ସେଇ ଶେଷ କଥା–‘ଅସୁରକୁଳର ଜୟ ହେଉ’ ।

 

କେମିତି ଜୟ ହେବ ? ବିପ୍ଳବରେ ? ନା–ବିପ୍ଳବରେ ନୁହେଁ, ମହାସମରରେ ନୁହେଁ, ପ୍ରଳୟରେ ନୁହେଁ । ସେସବୁ ଦେଇ ଜୟ ହୋଇ ନ ଥାଏ । ସେସବୁରେ ହୋଇଥାଏ କେବଳ ଧ୍ୱଂସ–ହତ୍ୟା–ଅଗ୍ନ୍ୟୁତ୍ସବ । ସେଭଳି ଯୁଦ୍ଧରେ କେହି ଜୟୀ ହୁଅନ୍ତି ନାହିଁ–ଉଭୟ ପକ୍ଷ ହିଁ ପରାଜିତ ହୁଅନ୍ତି–ଉଭୟ ପକ୍ଷ ହିଁ ଧ୍ୱଂସ ହୁଅନ୍ତି । ଜଣେ ଶତ୍ରୁ ହାତରେ ନିହତ ହୁଏ ଯୁଦ୍ଧଭୂମିରେ; ଆଉ ଜଣେ ନିହତ ହୁଏ ଯୁଦ୍ଧର ଶରରେ । ରାବଣ ଯୁଦ୍ଧରେ ମଲା । ରାମଚନ୍ଦ୍ର ମଲେ ଯୁଦ୍ଧ ପରେ; ଲଙ୍କାଯୁଦ୍ଧ ହିଁ ମାରିଲା ତାଙ୍କୁ I ହୁଏତ ରାବଣଠାରୁ ଅଧିକ ମର୍ମ୍ମନ୍ତୁଦ ଭାବରେ–ତିଳତିଳ ଦଗ୍‌ଧ ହୋଇ ମଲେ । କର୍ଣ୍ଣ ମଲା ମହାଭାରତର ସଂଗ୍ରାମଭୂମିରେ ଅର୍ଜ୍ଜୁନର ବାଣରେ; କିନ୍ତୁ ଅର୍ଜ୍ଜୁନ ମଲା ଯୁଦ୍ଧର ବାଣରେ ହିମାଳୟ ଉପରେ ସ୍ୱର୍ଗକୁ ଯାଉଁ ଯାଉଁ । ତାଙ୍କ ଭିତରୁ କେହି ଜିତିଲେ ନାହିଁ । ରାବଣ ଯୁଦ୍ଧଛାଡ଼ି ଯଦି ସୁନାର ଶିଡ଼ି ସମ୍ପୂର୍ଣ୍ଣ କରିବା ଲାଗି ସାଧନା କରିଥାଆନ୍ତା, ସେଇ କେବଳ ଜିତିଯାଇଥାନ୍ତା–ଯେମିତ ଜିତିଗଲା ବଳୀରାଜା; ଯେମିତି ଜୟୀ ହୋଇଗଲେ ହରିଶ୍ଚନ୍ଦ୍ର; ଯେମିତି ଜୟଟିକା ପିନ୍ଧି ଦେହତ୍ୟାଗ କଲେ ଦଧୀଚି ।

 

ସମରଦେଇ ଜୟ ଆସେନା, ଆସେ ସାଧନାଦେଇ । ସେ ସାଧନା ନିର୍ମଳ, ନିଷ୍ପାପ ଅନ୍ତରର । ସେ ସାଧନା ସତ୍ୟର, ନିଷ୍ଠାର; ଯାହାର ଅନ୍ୟ ନାମ ଆତ୍ମୋତ୍ସର୍ଗ ଅଥବା ଆତ୍ମତ୍ୟାଗ ।

 

ସୁମିତା ଆତ୍ମତ୍ୟାଗ କରି ଜିତିଯାଇଚି । ସେ ଦଗ୍‌ଧ ହୋଇଚି–କିନ୍ତୁ ସେ ଦହନ ହିଁ ତା’ର ବିଜୟ । ସେ ମରଣ ହିଁ ତାକୁ ସିଂହାସନ ଦେଇଚି ।

 

ଅନୁପମ ସେଇମିତି ଜିତିବ । ତା’ର ଶରୀର ଖଣ୍ଡଖଣ୍ଡ ହୋଇପଡ଼ୁ, ବରଂ; ବିଲୁଆ କୁକ୍‌କୁର ତାର ଦେହଟାକୁ ନ ଛୁଅନ୍ତୁ ବରଂ–ବରଂ ସେ ଘୃଣ୍ୟ ହେଉ, ଅଶୁଭର ସଙ୍କେତ ହେଉ–ବରଂ ତା’ ନାଁରେ ସ୍ତମ୍ଭ ନିର୍ମିତ ନ ହେଉ–ତଥାପି ସେ ମୂଲ୍ୟ ବୁଝିବ ପ୍ରେମ ପାଇଁ ସାଧନାର ।

 

ସାଧନାର ମୂଲ୍ୟ ଅନ୍ୟ କେହି ନ ବୁଝିଲେ ବି, ବୁଝିବ ଏକା ମହାକାଳ–ବୁଝିବ ସେଇ ସୁଦର୍ଶନଚକ୍ର–ବୁଝିବ ସେଇ ଅଦୃଶ୍ୟ ଅନାକାର ଚରିଜ୍ୟୋତିର୍ମୟ ମହତୋମହୀୟାନ୍‌...

 

ଧ୍ରୁବ ଭଳି ସେ ମଧ୍ୟ ଉଠିବ ଉପରକୁ, ଏଇ ଅନାଦି ଅନନ୍ତ ଆକାଶକୁ । ଅଖଣ୍ଡ ଜ୍ୟୋତି ଭଳି ଚିରଦୀପ୍ତ ରହିବ ତା’ର ପ୍ରେମ ।

 

ସହସା ତା’ର ମନେପଡ଼ିଲା–ଡ: ମିଶ୍ରଙ୍କୁ ଜୋନାକୀର ସେଇ ପ୍ରଶ୍ନଟା କଥା–‘‘ମରଣ ପରେ କଣ ହୁଏ ଅଚରିତାର୍ଥ ଆଶାର ଅବସ୍ଥା ?’’ ଉତ୍ତରଟା ତ ଏପର୍ଯ୍ୟନ୍ତ ମିଳିନାହିଁ । ଡ: ମିଶ୍ରଙ୍କ ଗବେଷଣା ଶେଷ ହୋଇନାହିଁ ବୋଧେ ! ଅନୁପମ ଠିକ୍‌କଲା ଚିଠି ଲେଖିବ କାଲି ଡ: ମିଶ୍ରଙ୍କୁ । ମନେପକେଇଦେବ । ଯଦି ଫଳଟା... ‘‘ହଁ’’ ହୋଇଥାଏ–ତେବେ ? ତେବେ–ଅନୁପମର ମନ ଉଲ୍ଲସି ଉଠିଲା । ତା’ହେଲେ ସେ ନିଶ୍ଚୟ ତାରା ହେବ । ସେ ନିଶ୍ଚୟ ପାଇବ ଜୋନାକୀକୁ ତାର ନିକଟରେ ବିଶିଷ୍ଠ ଅରୁନ୍ଧତୀକୁ ପାଇଲା ଭଳି । ଯଦି ସେ ସତକୁସତ ପାଏ,–ଅସୁରକୁଳର ତାହା କଣ କମ୍‌ ବଡ଼ ବିଜୟ ହେବ ? କମ୍‌ ବଡ଼ ଗୌରବମୟ ଘଟଣା ହେବ ?

 

ରାହୁ ଅମୃତ ଚୋରିକରି ଅପମାନ ଆଣିଛି–ରାବଣ ସୀତା ଚୋରୀ କରି କଳଙ୍କ କିଣିଛି–ମହିଷାସୁର ଦେହ ଆଶାରେ ଅସୁରକୁଳରେ କଳଙ୍କ ବୋଳିଛି । କିଏ ଆଣିଛି ଅଖଣ୍ଡ ଗୌରବ ? ସମସ୍ତେ ନାରୀ ଧର୍ଷଣ–ନାରୀ ଚୋରୀ–ସ୍ୱର୍ଗ ଲୁଣ୍ଠନ–ଧ୍ୱଂସ ରକ୍ତପାନ କରି ସମସ୍ତ ଅସୁରଜାତିର ପରମ୍ପରାକୁ କଳଙ୍କିତ କରିଛନ୍ତି । ସେ କଳଙ୍କ ସହଜରେ ପୋଛିହେବନାହିଁ । ବଳି ଦୈତ୍ୟ ଭଳି ଆଉରି ଲକ୍ଷେ କିମ୍ବା ତା’ଠୁଁ ବେଶି ଅସୁରଙ୍କୁ ଏଥିଲାଗି ଆତ୍ମୋତ୍ସର୍ଗ କରିବା ପାଇଁ ପଡ଼ିବ–ଗୟାସୁର ଭଳି କୋଟିଏ ଦୈତ୍ୟଙ୍କୁ ଦେହଦାନ କରିବାକୁ ପଡ଼ିବ–ଲୋହାସୁର ଭଳି ନୂତନ ବସ୍ତୁର ଆବିଷ୍କାର କରିବାକୁ ପଡ଼ିବ ଜନସମାଜର ମଙ୍ଗଳ ପାଇଁ । ଏଇ ନବଜାତ ଅସୁରଚେତନାର ଅନୁପମ ହେବ ପ୍ରଥମ ଅର୍ଘ୍ୟ । ସେଇଥିରେ ହିଁ ଅସୁରକୁଳର ଜୟ ହେବ । ସେଇଥିରେ ହିଁ ସେ ପାଇବ ଜୋନାକୀକୁ ।

 

ସେଇଥିପାଇଁ ଦର୍କାର ନାହିଁ ସ୍ୱର୍ଣ୍ଣଲଙ୍କା, କିମ୍ବା ପୁଷ୍ପକଯାନ, କିମ୍ବା ଅଶୋକବନ; ସେଥିପାଇଁ ଦରକାର ନାହିଁ ଯେନାବତୀ ନଗର–ସେଥିପାଇଁ ଦର୍କାର ନାହିଁ ଅସ୍ତ୍ରଶସ୍ତ୍ର । ଅନୁପମର ଏଇ ବିଶାଳ ପୁଷ୍ଟ ଛାତି, ଏଇ ବଳୀୟାନ୍‌ ବାହା ଓ ଏଇ ଦୃଢ଼ ହାତମୁଠା ହିଁ ଯଥେଷ୍ଟ । ଯଥେଷ୍ଟ ଗୋଟାଏ ହସ୍‌ପିଟାଲ୍ ଅଥବା ଗୋଟାଏ ଲାବୋରେଟରି । ସେଇ ହେବ ତାର ଏକମାତ୍ର ସାଧନ । ଆଉ କିଛି ଦରକାର ନାହିଁ ।

 

ବଡ଼ ଛୋଟର ବିଚାର ଜନତା କରିପାରେ ନାହିଁ, ଶାସ୍ତ୍ର କରିପାରେ ନାହିଁ । ଜୟ ପରାଜୟର ବିଚାର ମଧ୍ୟ ଯୁଦ୍ଧ ଭୂମି କରିପାରେ ନାହିଁ । ସେ ସବୁର ବିଚାର କରେ ସୁଦର୍ଶନଚକ୍ର । ସେ ଚକ୍ର ଅର୍ଜ୍ଜୁନ–ସାରଥୀ କୃଷ୍ଣ ହାତରେ ନ ଥାଏ; ଥାଏ ଅନାଦି ଅନନ୍ତ ବିଶ୍ୱରୂପୀ–କୃଷ୍ଣ ଭଳି ଅଦୃଶ୍ୟ ହୋଇ ।

 

କିନ୍ତୁ ଡ: ମିଶ୍ରଙ୍କର ଗବେଷଣାର ସିଦ୍ଧାନ୍ତ ଯଦି ଏ ସମ୍ଭାବନାର ବିପରୀତ ହୁଏ ! ଯଦି ଡ: ମିଶ୍ର ଶେଷରେ ଘୋଷଣା କରନ୍ତି–‘ମରଣ ପରେ ଆଶାର ସ୍ଥିତି ନାହିଁ I ମଣିଷର ଦେହ ସହିତ ତାହା ବିଧ୍ୱଂସ ହୁଏ ।’–ତେବେ... ?

 

ତେବେ–ମରଣ ପରେ ବି ଜୋନାକୀ ସହିତ ତାହାର ଭେଟ ହେବନାହିଁ । ଜୋନାକୀ ଭୁଲିବ । ଚିରକାଳ ପାଇଁ ଅଲଗା ରହିଯିବ ଜୋନାକୀ ।

 

ଯଦି ୟା’ ସତ... ! ଯଦି ୟା’... !! ଯଦି... !!! ଅନୁପମର ମୁଣ୍ଡ ଘୂରିଗଲା–ତାର ଅନ୍ତରରୁ ଏକ କାନ୍ଦଣାର ଧ୍ୱନି ଉଠିଲା–ତା’ ମୁହଁର ସବୁତକ ଉଲ୍ଲାସ କ୍ଷଣକରେ ନଷ୍ଟ ହୋଇଗଲା ଏବଂ ସେ ଆପଣାର ପୋଡ଼ାଦାଗଟାକୁ ରାମ୍ପୁଡ଼ିବାକୁ ଲାଗିଲା । ତେବେ ସେ କାହିଁକି ବଞ୍ଚିବ ? ଯଦି ବଞ୍ଚିବ, ତେବେ ସେ କାହିଁକି ବିଳାସ ନ କରିବ, ଭୋଗ ସଂଭୋଗ ନ କରିବ ? କାହିଁକି ସେ ଜୋନାକୀକୁ ଭୁଲି ନ ଯିବ ? ସେ ପ୍ରେମର କଣ ଅର୍ଥ–କଣ ମୂଲ୍ୟ ? ସେ ଏକ ତୁଚ୍ଛ ଅନିର୍ଦ୍ଦିଷ୍ଟ ବସ୍ତୁ ପାଇଁ କାହିଁକି ପଳେ ପଳେ ଧ୍ୱଂସ କରିବ ଏଇ ଦେହଟାକୁ; ଦେହର ସମସ୍ତ ଉତ୍ତେଜନାକୁ ସେ କାହିଁକି ଜୋର କରି ଚାପି ଦେବ ? କାହିଁକି ? କାହିଁକି ? ?

 

ପ୍ରେମର ମୂଲ୍ୟ କଣ ? ସାଧନାର ଅର୍ଥ କଣ ? ଆତ୍ମତ୍ୟାଗର ମୂଲ୍ୟ କଣ ?

 

କଳା ଡାମରା କୁଆଟେ କା–କା କରି ଉଡ଼ିଆସିଲା । ଛାତର କାନ୍ଥ ଉପରେ ବସି ଥଣ୍ଟକୁ ଦୁଇଚାରି ଥର ମାଜିଦେଇ ପୁଣି ରାଉ ରାଉ ହେଲା । ଭାରି କର୍କଶ ସେଇ ସ୍ୱର ।

 

ଅନୁପମ ଘର ଭିତରକୁ ଆସି ଠିଆହେଲା ବିଜୟା ଦେବୀଙ୍କ ପ୍ରସାଧନ ଦର୍ପଣ ସମ୍ମୁଖରେ । ସେ ଆଶ୍ଚର୍ଯ୍ୟ ହୋଇଗଲା ତାର ଚେହେରା ଦେଖି । ତାର ମୁଣ୍ଡଟା ନାହିଁ । ତା’ ଜାଗାରେ ଗୋଟାଏ କଳା ଡାମରା କାଉର ମୁଣ୍ଡ ଲାଗିଚି । ଡାମରା କାଉର ମୁଣ୍ଡଟା ଥଣ୍ଟ ପ୍ରସାରିତ କରି ମଣିଷ ପରି କହୁଚି–ମରଣ ପରେ କିଛି ନାହିଁରେ କିଛି ନାହିଁ । ‘ଭସ୍ମୀଭୂତସ୍ୟ ଦେହସ୍ୟ ପୁନର୍‌ଗମନଂ କୁତଃ ।’ ତୁ ନ ଖାଇ ଭୋକରେ ମରିବୁ ସିନା, କିନ୍ତୁ ତୋ ଦେହକୁ କୁଆମାନେ ଖୁମ୍ପି ଖୁମ୍ପି ଭୋକ ମାରିବେ । ଏଇ ତ ଜଗତର ରୀତି । ଏଣୁ ତୁ ନ ଖାଇବୁ କିଆଁ ? ଖା–ଖା, ମନ ଇଚ୍ଛା ଯାହା ପାଉଚୁ ଖା । ଖାଇବାରେ ଗୋଟେ ବାଛ-ବିଚାର କଣରେ ! ଦେଖୁନୁ–ଆମେ ମଣିଷର ମଳମୂତ୍ରରୁ ଆରମ୍ଭ କରି କଞ୍ଚା ମାଉଁସ, ଫଳ ଓ ଭାତ ତର୍କାରି ପର୍ଯ୍ୟନ୍ତ ସବୁ କେମିତି ନିର୍ବିକାରରେ ଖାଇଯାଉଛୁ । ଆମର କଣ ହୋଇଯାଇଛି ? ଆମେ ତ ଆନନ୍ଦରେ ଉଡ଼ି ଉଡ଼ି ବୁଲୁଛୁଁ ଏପାଖ ସେପାଖ । ଆମର ବନ୍ଧନ କାହିଁ ? ଆମର ବିକାର କାହିଁ ? ଭଲ ଖରାପ, ଭେଦାଭେଦ ବିଚାର ଆମେ କରୁ କି ? ଆମେ କୌଣସି ଖାଦ୍ୟକୁ ଘୃଣା କରୁନା । ସେଇଥିପାଇଁ ଆମର ବନ୍ଧନ ନାହିଁ । ତୋର ଘୃଣା ହିଁ ତୋର ବନ୍ଧନ । ତୋର ଭଲପାଇବା ହିଁ ତୋର ବନ୍ଧନ । ସେ ବନ୍ଧନରୁ ମୁକ୍ତ ନ ହେଲେ ତୋର କ୍ଷୁଧା ମରିବ ନାହିଁ, ବେଳକୁବେଳ ବଢ଼ିବ । ବଢ଼ି ବଢ଼ି ଶେଷରେ ତୋର କ୍ଷୁଧା ତୋତେ ଖାଇବ । ଏଣୁ ଖାଇଯା । ଯାହା ପାଉଚୁ ଖାଇଯା । ବାଛବିଚାର ନ କରି ଖାଇଯା । ହାପୁଲା ମାରି ଖାଇଯା । ନଇଲେ ତୁ ଭୋକ–ଉପାସରେ ଛଟପଟ ହେବୁ । ତୁ ଚାହିଁଥିବୁ–ତୋ’ର ଆଗରେ ଖିଆପିଆର ଖେଳ ଲାଗିଥିବ । ସମସ୍ତେ ଖାଇନେବେ । ତୋ’ ଆଗରେ କେହି କୁଢ଼େଇ ଦେବେ ନାହିଁ । ଆଜି ହୁଏତ ତୋତେ କେହି ଯାଚିକି ଦେଉଚି ଅଥଚ ତୁ ନେଉଁ ନାହୁଁ । ଆହୁରି ଭଲ ଖୋଜୁଚୁ, ତୋ’ର ମନମୁତାବକ ଜିନିଷ ଖୋଜୁଚୁ । ଦିନ ଆସିବ,–ତୋତେ କେହି ପଚାରିବେ ନାହିଁ–ତୋତେ କେହି ଯାଚିବେ ନାହିଁ । ତୋର ଭୋକ ଯେତେବେଳେ ବଢ଼ିବ ତୁ ଖାଦ୍ୟ ଖୋଜିବୁ । ସେତେବେଳେ ତୋତେ ଅନ୍ୟମାନେ ଗୋଡ଼ରେ ଆଡ଼େଇଦେବେ । ତୋ ହାତରେ ଆଉ କିଛି ପଡ଼ିବ ନାହିଁ, ତୋତେ କେହି ଚାହିଁବେ ନାହିଁ । ତୁ ପଡ଼ିବୁ ଖଣ୍ଡିଆ ଖାବରା ହେଇ ରାସ୍ତାକଡ଼ରେ । ଦରକାର ପଡ଼ିଲେ ତୋର ମାଉଁସକୁ ପୁଣି ଅନ୍ୟମାନେ ଖାଇଯିବେ । ମନଲାଖି ଚିଜ ଖୋଜ୍‌ନା । 'ମନଲାଖି ଚିଜ ଏ ଦୁନିଆରେ କେହି ପାଏନାହିଁ–ଖାଲି ଚାହିଁବା ସାର ହୁଏ; ଖାଲି ଭୋକରେ ମରିବା ସାର ହୁଏ । ଚାହାଁ–ଚାହାଁ–ମୋତେ । ଚାହାଁ–ମୁଁ ମନଲାଖି ଜିନିଷ ଖୋଜେନାହିଁ–ଯାହା ପାଏ ଖାଏଁ । ଖୋଜି ଖୋଜି ଛଡ଼େଇ, ହାପୁଲା ମାରି, କଳିକଜିଆ କରି ଖାଏଁ । ନିଜ ପୁଅ ମୁହଁରୁ ଛଡ଼େଇ ଖାଏଁ । ତୁ ବି ଖାଇଯା–ମୋ’ ଭଳି ଖାଇଯା । ଏଇଟା ଖାଇବା ସମୟ । ଦେହ ଥିଲା ଯାଏଁ ଖାଉଥିବୁ । ଦେହ ଉତ୍ସହେଲେ ଆଉ ଖାଇପାରିବୁ ନାହିଁ । ତୋ’ ଜନ୍ମ ନିଷ୍ଫଳ ହୋଇଯିବ । ତୋର ବଞ୍ଚିବା ଅସାର୍ଥକ ହୋଇଯିବ । ତୁ ସିନା ନ ଖାଇ ମରିବୁ–ମଲା ପରେ କେହି ତୋ’ କଥା ଭାବିବେ ନାହିଁ । ତୋ’ ଲାଗି ଆଉ କେହି ନଖାଇ ଉପାସ ରହିବେ ନାହିଁ । ତୋତେ ଫୋପାଡ଼ିଦେବେ । କେହି କହିବେ ନାହିଁରେ ତୁ ନଖାଇକି ମରିଛୁ ବୋଲି ! ତୋର ସେଇ ଦେହକୁ କୁକୁର ଶିଆଳ ଶାଗୁଣା ଝୁଣି ଝୁଣି ମହା ଆନନ୍ଦରେ ଖାଇଯିବେ । ଖାଇଲାବେଳେ କେହି ତୋ’ର ଦୁଃଖ, ଉପବାସ ଓ ସାଧନା କଥା ଭାବିବେ ନାହିଁ । ଠୋପାଏ ହେଲେ ବି ଲୁହ ଗଡ଼ିପଡ଼ିବ ନାହିଁ ତୋର ଦେହ ଉପରେ । ବାଇଆ ହ'ନାରେ, ବାଇଆ ହ’ନା ! ତୁ ଯା’ ଭାବୁଚୁ ସବୁ ଭୁଲ୍‌ । ସବୁ ତୋ’ର ନିର୍ବୋଧତା । କିଏ କାହା ଲାଗି ଅପେକ୍ଷା କଲାଣି ? ତୁ ସିନା ନଖାଇ ନପିଇ ଏଠି ମରୁଚୁ, ଅମୃତ ପାଇ ଥଣ୍ଟ ବୁଡ଼ାଉନାହୁଁ, କିନ୍ତୁ–ତୁ ଯାହା ଲାଗି ଉପାସ ରହିଚୁ ସେ ତା’ର ବେଶ୍‌ ଖାଉଚି, ବିଳାସ କରୁଚି, ମଉଜରେ ଅଛି । ଅମୃତ ଚାଖୁଚି ସେ, ତୁ ଏଠି ନିଜକୁ ପୋଡ଼ୁଚୁ । ଏଇଟା କେମିତି କଥା ! ସେ ଯଦି ତୋ’ ଲାଗି ଉପବାସ ନ ରହିଲା, ତୁ କାହଁକି ତା’ ଲାଗି ଉପବାସ ରହିବୁ ? ଆରେ, ତୋ’ର କି ଗରଜ ପଡ଼ିଚିରେ ? ତୋତେ କଣ ଭୋକ ହୁଏ ନାହଁ କି ?

 

ଖା–ଖା–ଖା–ଯାହା ପାରୁଚୁ ଖାଇଯା । ଦେହ ଥିଲା ପର୍ଯ୍ୟନ୍ତ ଖାଉଥିବୁ । ଦେହ ଶେଷ ହେଲେ ଆଉ ଖାଇପାରିବୁନାହିଁ ।

 

କୁଆଟାର ରାଉ ରାଉ ଶବ୍ଦରେ ଅନୁପମ ବିବ୍ରତ ହୋଇପଡ଼ିଲା । ଦୁଇ ହାତରେ ସେଇ କୁଆମୁଣ୍ଡକୁ ଛିଣ୍ଡେଇ ଫିଙ୍ଗିଦେବା ଲାଗି ଚେଷ୍ଟା କଲା । ମୁଣ୍ଡଟା ଛିଣ୍ଡିଲା ନାହିଁ । ସେ ପୁଣି ଚେଷ୍ଟା କଲା । ଆଖିବୁଜି । ସେ ଯନ୍ତ୍ରଣା ଅନୁଭବ କଲା । ସେ ଆଖିଖୋଲି ଦେଖେ ତ–କୁଆମୁଣ୍ଡଟା ଆଉ ନାହିଁ । ସେ ନିଜ ହାତରେ ନିଜ ଗଳାଟାକୁ ହିଁ ଭିଡ଼ିଧରି ଗଁ–ଗଁ ହେଉଛି । ସେ ତରବରରେ ହାତ ଛାଡ଼ି ବେକଟାକୁ ସାଉଁଳେଇବାକୁ ଲାଗିଲା । ବେକରେ ଆଙ୍ଗୁଳିର ଦାଗ ବସିଯାଇଥାଏ । ତା’ ଆଖିରେ ଯନ୍ତ୍ରଣାର ଲୁହ ରକ୍ତ ଭଳି ଚେଇଁ ଉଠିଥାଏ ।

 

ଦୂରକୁ ଉଡ଼ିଯାଇଥାଏ ବାହାରେ ରାଉ ରାଉ ହେଉଥିବା ଡାମରା କୁଆଟା । ଅନୁପମ ଖଟ ଉପରେ ଲୋଟିପଡ଼ିଲା । କିନ୍ତୁ କୁଆଟାର ଶବ୍ଦ ତଥାପି ତା’କୁ ଶୁଣାଯାଉଥାଏ– ‘‘ଖା–ଖା–ଖା-।’’ ଅନୁପମ ମୁହଁ ମାଡ଼ିଦେଲା ଶେଯ ଭିତରେ ।

 

ଧୀରେ ଧୀରେ ସେ କୁଆଟାର ଶବ୍ଦ ଆଉ ଶୁଣାଗଲା ନାହିଁ ।

 

ଅନୁପମ ଡାହାଣକୁ ମୁଣ୍ଡ ବଙ୍କେଇ ଆଖି ଖୋଲିଲା । ତାର ଦୃଷ୍ଟିରେ ପଡ଼ିଲା ଗୋଟାଏ ଶୁଭ୍ର ତୁଷାର ପରି କାନ୍ତ–ଲଳିତ ପକ୍ଷୀ । ତାର ଥଣ୍ଟ ଉଜ୍ଜ୍ୱଳ ଲାଲ୍‌ । ଡେଣା ମେଲି ବସିଥାଏ ପକ୍ଷୀଟି । ଅନୁପମକୁ ଚାହିଁଥାଏ ନିଷ୍ପଲକ ନେତ୍ରରେ । ଏଭଳି ଏକ ପକ୍ଷୀର ରୂପ ସେ ଦେଖିଥିଲା କଲେଜର ପକ୍ଷୀ–ସଂଗ୍ରହାଳୟରେ । ଖୁବ୍‌ କମ୍‌ ଦେଖାଯା’ନ୍ତି ଏଇ ପକ୍ଷୀ ।

 

ରାଜହଂସ ୟା’ର ନାମ । ଡ: ମିଶ୍ର ମଧ୍ୟ ରାଜହଂସର ଆଖି ସଂଗ୍ରହକରି ଆପଣାର ଚାଂବର୍‌ରେ ରଖିଛନ୍ତି । ଭାରି ସୁନ୍ଦର ପକ୍ଷୀଟା । ମାନସରୋବରରେ ବହୁତ ମିଳନ୍ତି । ମାନସରୋବରରେ ଝଡ଼ ହେଲେ, ଅତ୍ୟଧିକ ତୁଷାରପାତ ହେଲେ ଉଡ଼ିଆସନ୍ତି ଚିଲିକା ହ୍ରଦକୁ । ଅନୁପମକୁ ଭାରି ଆନନ୍ଦ ଲଗିଲା । ତା’ ଆଗରୁ ଏତେ ନିକଟରେ ପକ୍ଷୀଟାକୁ ସେ କେବେ ଦେଖି ନଥିଲା । ରାଜହଂସ ବସିଥାଏ, ଡେଣା ମେଲିଥାଏ–ଏଇ ପଳେଇବ, ଏଇ ପଳେଇବ ଭାବ; କିନ୍ତୁ ଯାଉ ନଥାଏ ।

 

ରାଜହଂସ ଥଣ୍ଟ ହଲେଇଲା । ତା’ପରେ ମଣିଷ ପରି କହିବାକୁ ଆରମ୍ଭ କଲା–‘ତୁ ମୋତେ ରଖିପାରିବୁ ?’’ ଅନୁପମ ଆଶ୍ଚର୍ଯ୍ୟ ଭାବରେ ଚାହିଁଲା–ଆରେ ! ଏ ମଣିଷ ଭଳି କଥା କହିପାରେ ନା କଣ ? କେମିତି କହୁଚି ମଁ ! ସେ ବସ୍ମିତ ହୋଇ ଉତ୍ତର ଦେବାକୁ ଭୁଲି ଯାଇଥିବାରୁ ରାଜହଂସଟି ପୁଣି ଥଣ୍ଟ ହଲେଇ ପଚାରିଲା–‘କହ ମଁ, ରଖିପାରିବୁ କି ନାହିଁ ?’’

 

ଅନୁପମ କହିଲା–‘ହଁ–ହଁ, ନିଶ୍ଚୟ ପାରିବି–ତୁ ଯଦି ରହୁ... ।’

 

ରାଜହଂସ କହିଲା–‘ଖାଲି କହିଦେଲେ ହେବ ନାହିଁ–କଥା ରଖିବାକୁ ପଡ଼ିବ । କଥା ଦେ... ।'

ଅନୁପମ କହିଲା–‘କଥା ଦେଲି–ରଖିବି । ଆଉ କଣ ?’

ରାଜହଂସ କହିଲା–‘ମୁଁ ଏକା ନୁହେଁ–ଆମେ ସ୍ଵାମୀ–ସ୍ତ୍ରୀ ଦି–ଜଣ ତୋ’ ପାଖରେ ରହିବୁ-।’

ଅନୁପମ କହିଲା–‘‘କାହିଁ ତୋ ସ୍ତ୍ରୀ ? କେଉଁଠି ଛାଡ଼ିଆସିଛୁ ତାକୁ ?’’

ରାଜହଂସ କହିଲା–‘‘ସେ ମୋ ପାଖରେ ଅଛି–ଏଇ ପରା !’’

ଅନୁପମ ଦେଖିଲା ସତକୁସତ ଆହୁରି ଗୋଟିଏ ପକ୍ଷୀ ତାରି ନିକଟରେ ବସିଚି–‘ଆରେ, ସତେ ତ ! ମୋତେ ଦିଶୁ ନ ଥିଲା । ତା’ହେଲେ ତୁମେ ଦୁହେଁ ରହିବ ମୋ ବସାରେ–ତୁମର କିଛି ଅସୁବିଧା ହେବ ନାହିଁ । ବୁଝିଲ !'

 

'ହଁ–କିନ୍ତୁ ଗୋଟିଏ କଥା–’ ରାଜହଂସ କହିଲା–‘ଆମେ ପଦ୍ମକେଶର ବ୍ୟତୀତ ଅନ୍ୟ କିଛି ଖାଉନା । ତୁ ଆମକୁ ପଦ୍ମକେଶର ଆଣିଦେବୁ ତ ?

 

ଅନୁପମ ଚନ୍ତିତ ହୋଇପଡ଼ିଲା । ଦିନ୍‌ ଦିନ୍‌ ସେ ପଦ୍ମକେଶର କେଉଁଠୁ ପାଇବ ? ସେ କହିଲା–‘ପ୍ରତିଦିନ ତୁମକୁ ପଦ୍ମକେଶର କେଉଁଠୁ ଆଣିଦେବି ? ତୁମେଁ ଯଦି ନିଜେଯାଇଁ ଖୋଜିକି ଖାଇ ଆସିପାରିବ ତେବେ ଯାଇଁ...’’

 

‘ନା–ନା...ତା’ ହବ ନାହିଁ’ । ରାଜହଂସୀ କହିଲା–‘ଅନ୍ୟାନ୍ୟ ପକ୍ଷୀମାନେ ଆମକୁ ଦେଖିଲେ ଖୁମ୍ପି ଖୁମ୍ପି ଲହୁଲୁହାଣ କରି ଦିଅନ୍ତି । ଆମ ରାଜ୍ୟ ଏ ନୁହେଁ । ସେମାନେ ଆମକୁ ଏଠୁ ଚାଲିଯିବାକୁ କହୁଛନ୍ତି । ବୁଝିଲ–କେବଳ ତୁମକୁ ଦେଖି ଆମେ ଆସିଲୁ । ତୁମେ ନ ରଖି ପାରିଲେ ପଳେଇବୁ । ଦେଖୁନ ମୋ ସ୍ୱାମୀଙ୍କ ପିଠିକୁ କିପରି ଶାଗୁଣା ଓ କୁଆମାନେ ଖୁମ୍ପି ଖୁମ୍ପି ଖଣ୍ଡିଆ କରିପକେଇଛନ୍ତି ! ତୁମେ ଆମକୁ ଯଦି ନିରାପଦରେ ରଖିପାରିବ, ତେବେ ଯାଇଁ ରହିବୁଁ ।’

 

ରାଜହଂସ ତା’ର ପିଠି ଦେଖେଇଲା । ଅନୁପମ ଦେଖିଲା ରକ୍ତ ଲାଗିଚି । ତାର ମନ ଦୁଃଖ ହେଲା । ରାଗ ହେଲା କୁଆଗୁଡ଼ାକ ଉପରେ ।

 

ସେ କହିଲା–‘ଆଚ୍ଛା ତୁମେ ଦୁହେଁ ରୁହ, ମୁଁ ନିଶ୍ଚୟ ତୁମକୁ ପଦ୍ମକେଶର ଖାଇବାକୁ ଦେବି, ଯେଉଁଠୁ ହେଲେ ଆଣିଦେବି । ମୋର ଘରେ ବି କେହି ନାହାନ୍ତି, ତୁମେ ଦୁହେଁ ରହିଲେ ମୁଁ ଭାରି ଖୁସି ହେବି ।'

 

ରାଜହଂସ ଓ ରାଜହଂସୀ କହିଲେ–‘ହଉ–ତା’ହେଲେ ଆମେ ରହିବୁ । ଆଉ ଫେରିବୁ ନାହିଁ ।’’

 

ଅନୁପମ ମୁଗ୍‌ଧ ହୋଇ ସେମାନଙ୍କୁ ଚାହିଁଥାଏ । ସେମାନେ ଶାନ୍ତଶିଷ୍ଟ ହୋଇ ବସିଥାନ୍ତି-। ହଠାତ୍‌ ରାଜହଂସୀଟା ଭୟରେ ଚିତ୍କାର କରିଉଠିଲା । ତା ସଙ୍ଗେ ସଙ୍ଗେ ରାଜହଂସ ବି-I ରାଜହଂସ କହିଲା–‘ରକ୍ଷାକର, ରକ୍ଷାକର ଆମକୁ–କାଳି ବିଲେଇ ଆସିଲା.....ଖାଇଦେବ ଆମକୁ-।’

 

ଅନୁପମ ଦେଖିଲା ବିଲେଇଟା ଲମ୍ଫ ଦେଉଚି । ସେ ଫଟ୍‌କରି ହାତରେ ଧରି ପକେଇଲା ବିଲେଇର ମୁହଁକୁ । ଭୟରେ ହଂସ-ହଂସୀ ଦୁଇଟା ଫଡ୍‌ଫଡ୍‌ କରି ଉଡ଼ିଗଲେ । ବିଲେଇର ମୁହଁକୁ ଜାବୁଡ଼ି ଧରି ଅନୁପମ କହିଲା–‘‘ଏଁ, ଏଡ଼େ ସାହସ ତୋର ? ମୁଁ ଏଇଠି ଶୋଇଚି, ତୋର ଖାତିର ନାହଁ ?’’ ସେ ବିଲେଇଟାକୁ ଝିଙ୍କି ଆଣିଲା ନିଜପଟକୁ । ସେ ଅନୁଭବ କଲା ତା’ ଉପରେ ଗୋଟାଏ ପ୍ରକାଣ୍ଡ ପବନପୂରା ରବର ତକିଆଟା ଲଦି ହୋଇଗଲା ପରି । ତା’ ସାଙ୍ଗେ ସାଙ୍ଗେ ସେ ଶୁଣିଲା ଗୋଟାଏ ଶବ୍ଦ–‘‘ଖୁବ୍‌ ରସିକ ଲୋକ ତ ! ଡ: ଦାସ, ସତରେ ଭାରି ମଜା କରି ଜାଣନ୍ତି ଆପଣ !’’

 

ଅନୁପମ ଦେଖିଲା–ବିଲେଇର ମୁହଁ ବଦଳରେ ସେ ଧରିଚି ବିଜୟା ଦେବୀଙ୍କର ହାତ-। ଉଡ଼ି ପଳେଇଛନ୍ତି ରାଜହଂସ–ହଂସୀ ଯୁଗଳ । ଅନୁପମ ଏଣେତେଣେ ଚାହିଁଲା,–କାହିଁ, କେଉଁଠି ତ ନାହାନ୍ତି !

 

‘‘କଣ ଦେଖୁଛନ୍ତି ?’’ ବିଜୟା ଦେବୀ ପଚାରିଲେ ।

 

‘‘ନା–କିଛି ନାହିଁ । ଆପଣ ଖୁବ୍‌ ଡେରିକଲେ ।’’

 

‘‘କ୍ଷମା କରନ୍ତୁ ସେଥିପାଇଁ । ମୁଁ ବାସ୍ତବିକ ଖୁବ୍‌ ଦୁଃଖିତ । ଏକା ଏକା ଆପଣଙ୍କୁ ପ୍ରାୟ ଘଣ୍ଟାଏ ପନ୍ଦର ମିନିଟ୍‌ ଏଠି ରହିବାକୁ ପଡ଼ିଲା । ଯା’ହେଉ–ମାଇକିନାଟା ଖଲାସ ପାଇଯାଇଚି ।’’ ବିଜୟା ଦେବୀ କହିଲେ ।

 

‘‘କଣ ହେଲା, ପୁଅ ନା ଝିଅ ?’’ ଅନୁପମ ପଚାରିଲା ।

 

‘‘ମଲା ଝିଅଟେ... ।’’ ବିଜୟା ଦେବୀ କହିଲେ ।

 

ସଂଧ୍ୟା ପ୍ରାୟ ସେତେବେଳେ ରୁମ୍‌ ଭିତରକୁ ଆସିଯାଇଥାଏ । ଗଛ ପତ୍ର ଉପରେ ଲାଖିରହିଥାଏ ଦିନ ।

 

ଅନୁପମ ବାହାରକୁ ଆସି ଆକାଶକୁ ଚାହିଁଲା–ପଶ୍ଚିମପଟରେ ଜଳୁଛି ଦିନର ପ୍ରାସାଦ–ସୁନାର ଲଙ୍କା ହନୁମାନର ଲାଙ୍ଗୁଳ ନିଆଁରେ ହୁତୁହୁତୁ ହୋଇ ଜଳିଲା ପରି । ଦିନ ଅଙ୍ଗାର ହେବ । ଆସିବ ରାତି । ଆସିବେ କୋଟି କୋଟି ତାରା । ସେଇ ରାତି ତା’ର ପ୍ରିୟର–ଅତି ପ୍ରିୟ ଆକାଶକୁ ସେ ରାତିରେ କେବଳ ଅତି ନିକଟରେ ପାଇଥାଏ ।

 

‘‘ସଂଧ୍ୟାଟା କେମିତି ଲାଗୁଚି ଆପଣଙ୍କୁ ?’’ ବିଜୟା ଦେବୀ ଅନୁପମର ସାମ୍ନାକୁ ଆସି ପଚାରିଲେ ।

 

‘‘ଭଲ ଲାଗୁଚି । ମାନେ, ଭଲ ଏଇଥିପାଇଁ ଯେ ୟା’ପରେ ରାତି ହିଁ ଆସିବ–ତା’ର ପୂର୍ଣ୍ଣାବୟବ ଧରି । ମୋତେ ଭାରି ଭଲ ଲାଗେ ରାତି ।’’ ଅନୁପମ କହିଲା ।

 

‘‘ମୋତେ ବି ରାତି ଭଲ ଲାଗେ’’ ବିଜୟା ଦେବୀ କହିଲେ–‘‘ଆଜି ଅଧିକ ଭଲ ଲାଗିବ, ଯେହେତୁ ଆପଣଙ୍କୁ ମୁଁ ସାମ୍ପେନ୍‌ ପିଆଇବି, ମୋର ଅତି ପ୍ରିୟ ସାମ୍ପେନ୍‌......’’

 

‘‘ମୁଁ ଯଦି ନ ପିଏଁ ...’’ ଅନୁପମ କହିଲା ।

 

‘‘ମୁଁ ଜୋର୍‌ କରି ପିଆଇବି’’ ବିଜୟା ଦେବୀ କହିଲେ । ‘‘ପିଇବାକୁ ହିଁ ହେବ । ଛାଡ଼ନ୍ତୁ । କିଛି ମଜା କଥା କୁହନ୍ତୁ ।’’

 

‘‘ମୋର କିଛି ମଜାକଥା ମନେ ପଡ଼ୁନାହିଁ ।’’ ଅନୁପମ କହିଲା ।

 

‘‘ମୁଁ ମନେ ପକେଇ ଦେବି ?’’ ବିଜୟା ଦେବୀ କହିଲେ–‘‘ଯଦି କିଛି ମନେ ନ କରନ୍ତି ତେବେ ମନେ ପକେଇ ଦେବି ।’’

 

‘‘କଣ କୁହନ୍ତୁ ।’’

 

‘‘ଏଇ ଯେ–ମୁଁ ଯେତେବେଳେ ତେଣେ ଚାଲିଗଲି–ଆପଣ ଏକା ଏକା ଶୋଇ ଶୋଇ ଭାବୁଥିଲେ–ଆହା, ଯଦି ବିଜୟା ଦେବୀ ଥାଆନ୍ତେ...ତା’ହେଲେ...’’ ବିଜୟା ଦେବୀ ଅତି ଅର୍ଥପୂର୍ଣ୍ଣ ହସରେ ଅନୁପମର ଚିତ୍ତ କଳିବାକୁ ଲାଗିଲେ ।

 

‘‘ତା'ହେଲେ ?’’

 

‘‘ତା’ହେଲେ–ଖୁବ୍‌ ମଜା ହୋଇଥାନ୍ତା; ମାନେ ଆମେ ଦୁହେଁ ଖୁବ୍‌ ମଜା କରିଥାନ୍ତେ–ଆଉ କଣ...। ହଁ, ମଜା କରିବାରେ କ୍ଷତି କଣ ? ଆପଣ ସେଇଥିଲାଗି ମୋ ଘରକୁ ଆସିଛନ୍ତି ଏବଂ ସେଥିଲାଗି ତ ମୁଁ ଆପଣଙ୍କୁ ନିମନ୍ତ୍ରଣ କରି ଆଣିଛି...’’ ବିଜୟା ଦେବୀ କହିଲେ–‘‘ଡ: ଦାସ–ଆଜି ରାତିରେ ବର୍ଷା ହୋଇପାରେ ।’’

 

‘‘କେମିତି ଜାଣିଲେ... ?’’

 

ଦେଖୁନାହାନ୍ତି–ଦକ୍ଷିଣ ପଟୁ କେମିତି ମେଘ ମାଳ ମାଳ ହୋଇ ଉଠିଲାଣି ଉପରକୁ । ଇଆଡ଼କୁ ଚାହାନ୍ତୁ–ଇଆଡ଼କୁ–ଓ’ ହେଇ...ହେଇ...ଦେଖିଲେ... !

 

‘‘ସତେ ତ !’’

 

‘‘ହଠାତ୍‌ ଆପଣଙ୍କ ମନ ଦୁଃଖ ହୋଇଗଲା ଯେ ? ଆପଣ ତ ବଣପକ୍ଷୀ ନୁହନ୍ତି–ପୂରାପୂରି ମଣିଷ । ଆପଣ ତ ଗଛଅଗରେ ବସା ବାନ୍ଧିନାହାନ୍ତି । ଆପଣଙ୍କର ଘର ଅଛି । ବର୍ଷାକୁ ଏତେ ଡର କାହିଁକି ?’’

 

‘‘କାରଣ–ବର୍ଷାରେ ତାରାମାନେ ଦିଶନ୍ତିନାହିଁ ।’’

 

‘‘ଆଶ୍ଚର୍ଯ୍ୟ ! ସେଥିରେ କଣ ଅଛି । ଦିନ୍‌ ଦିନ୍‌ ତ ଆପଣ ତାରାମାନଙ୍କୁ ଦେଖୁଛନ୍ତି–ଏଥର ବର୍ଷା ଟିକେ ଉପଭୋଗ କରନ୍ତୁ । ସତେ ଡ: ଦାସ–ଯଦି ବର୍ଷା ଖୁବ୍‌ ଶୀଘ୍ର ହୁଏ, ଖୁବ୍‌ ମଜା ହେବ । ଆପଣ–ମୁଁ, ସାମ୍ପେନ୍‌ ଓ ବର୍ଷା–ଆଃ, ଭାଗ୍ୟରେ ଥିଲେ ଏମିତି ସୁଯୋଗ ମିଳେ ।’’

 

‘‘ହଁ–ଆଜି ସଂଧ୍ୟା ଆଠଟା ଭିତରେ ପିଇବା ଓ ଖାଇବା ଶେଷ କରି ନାଚିବା । ମୁଁ ବଇଁଶୀକୁ ଖବର ଦିଏଁ ।’’ –ବିଜୟା ଦେବୀ ବଇଁଶୀକୁ ଡାକି ଶୀଘ୍ର ଖାଦ୍ୟ ପ୍ରସ୍ତୁତ କରିବାକୁ ଖବରଦେଲେ ।

 

ସତକୁସତ ବର୍ଷା ମାଡ଼ିଆସିଲା । ନିର୍ମେଘ ନିର୍ମଳ ଆକାଶରେ ସାଥେ ସାଥେ ଭରିଗଲେ ଘୁଷୁରିଛୁଆ ପରି ପଲ ପଲ ମେଘ ଏବଂ ପ୍ରାୟ ସାତଟାବେଳକୁ ଆରମ୍ଭ ହେଲା ଝିପିଝିପି ବର୍ଷା; ତା’ ପରେ ଖୁବ୍‌ ଜୋର୍‌,–ବରକୋଳିଆ ଠୋପା । ଥଣ୍ଡା ପାଣିରେ ଭିଜା ଭିଜା ପବନ ହାଲୁ ହାଲୁ କରି ଛୁଟିଆସିଲା ଘର ଭିତରକୁ ।

 

ବିଜୟା ଦେବୀ ସେଇ ବାର୍ଣ୍ଣିସ୍‌ଦିଆ କାଠ ବାକ୍‌ସ ଭିତରୁ ବାହାରକଲେ ସାମ୍ପେନ୍‌ର ବୋତଲ । ବୋତଲ୍‌ଟାକୁ ଅନୁପମର ଆଖି ଆଗରେ ଗୁଣୁଗୁଣୁ ହୋଇ କିଛି ସମୟ ନଚେଇଲେ ।

 

ଅନୁପମ ବୁଲି ଠିଆହେଲା । ସେ ସବୁବେଳେ ଖୋଜୁଥିଲା ଉଡ଼ିଯାଇଥିବା ସେଇ ରାଜହଂସ ଯୁଗ୍ମଙ୍କୁ I

 

ବିଜୟା ଦେବୀ ଅନୁପମ ପାଖର ଚେୟାର୍‌ରେ ବସି ଅନୁପମର ଓଠ ପାଖରେ ଗୋଟାଏ ପେଗ୍‌ ସାମ୍ପେନ୍‌ ଧରି କହିଲେ–‘‘ଡ: ଦାସ ! ଆପଣ ପ୍ରଥମେ ଆରମ୍ଭ କରନ୍ତୁ ।’’

 

‘‘ନାଁ–ଦୁହେଁ ଏକାସଙ୍ଗରେ ପିଇବା । ଆପଣ ବି ପାତ୍ର ଧରନ୍ତୁ ହାତରେ ।

 

ବିଜୟା ଦେବୀ ଅନୁପମର କଥା ମାନି କାଚପାତ୍ର ଧରିଲେ । ତା’ ପରେ ଦୁଇଟି କାଚପାତ୍ର ଶୂନ୍ୟରେ ଭେଟିଲେ ପରସ୍ପରକୁ–ଟଂ–କରି ଶବ୍ଦ ହେଲା । ଅନୁପମ ଚୁମୁକ ଦେଲା । ବିଜୟା ଦେବୀ ମଧ୍ୟ ।

 

ବିଜୟା ଦେବୀ କହିଲେ–‘‘ଆଃ–ଜୀବନ ତ ଏଇ ସାମ୍ପେନ୍‌ ଭିତରେ ପୂରିରହିଚି–ବାହାରେ ଖୋଜିଲେ ମିଳିବ କେଉଁଠୁ ?’’

 

ଅନୁପମ ମଧ୍ୟ ପିଇ ସାରି ଠିଆହେଲା । ତା’ର ମନେହେଲା ଯେମିତି ସେଇ ରାଜହଂସ–ଯୁଗଳ କେଉଁଠି ଅସୁବିଧାରେ ପଡ଼ିଛନ୍ତି । କେଉଁଠି ବର୍ଷାମାଡ଼ରେ ଥୁରୁଥୁରୁ ହୋଇ କମ୍ପୁଛନ୍ତି–କିମ୍ବା କୌଣସି ସାପ କିମ୍ବା କାଳୀ ବିଲେଇର ପାଲରେ ପଡ଼ିଯାଇଛନ୍ତି । ଆଃ, ନିରାଶ୍ରୟ ପକ୍ଷୀ ଦୁଇଟି... !

 

‘‘ହଠାତ୍‌ ଉଠିଲେ ଯେ !’’–ବିଜୟା ଦେବୀ କହିଲେ–‘‘କଣ ଭାବୁଛନ୍ତି ? ସାମ୍ପେନ୍‌ ପସନ୍ଦ ହେଲାନାହିଁ ବୋଧହୁଏ ? ମୁଁ ଜାଣେ–ନିଜ ହାତରେ ପିଆଇ ନ ଦେଲେ ଆପଣଙ୍କୁ ଖରାପ ଲାଗିବ-। ଆସନ୍ତୁ, ମୁଁ ପିଆଇଦେବି–ଆସନ୍ତୁ–ଆରେ...।’’ ବିଜୟା ଦେବୀ ଉଠିପଡ଼ି ଅନୁପମର ହାତ ଧରି ବସେଇଦେଲେ ଏବଂ ମଦ୍ୟ-ପାତ୍ର ଧରି କହିଲେ–‘‘ପିଅନ୍ତୁ ଏଥର–ଆଃ, ପିଅନ୍ତୁ ନା...’’

 

ଅନୁପମ ଆହୁରି ଏକ ଚୁମୁକ ଦେବାକୁ ଯାଉଥିଲା–ହଠାତ୍‌ ତାର ଆଖି ଝଲଝଲ କରିଉଠିଲା ମଦ୍ୟପାତ୍ରକୁ ଚାହିଁ । ସେ ଦେଖିଲା–ସାମ୍ପେନ ଭିତରେ ସେ ହଂସ-ହଂସୀ ଦୁଇଟାଙ୍କର ମୃତ ଶରୀର ଭାସୁଚି ।

 

‘‘ଏ ଆପଣ କଣ କଲେ ବିଜୟା ଦେବୀ !’’–ଅନୁପମ ଚିତ୍କାର କରି ଉଠିଲା ଭଳି କହିଲା–‘‘ମୋର ପ୍ରିୟ ପକ୍ଷୀ ଦୁଇଟିକୁ ମାରିଦେଲେ ?’’

 

‘‘କଣ କହୁଛନ୍ତି ପାଗଳଙ୍କ ପରି ଆପଣ ? ମୁଁ ଆପଣଙ୍କର ପ୍ରିୟ ପକ୍ଷୀକୁ ମାରିଦେଲି ! କାହିଁ ? କେଉଁଠି ମୁଁ ତ ଦେଖିନାହିଁ ଆପଣଙ୍କ ପ୍ରିୟ ପକ୍ଷୀଙ୍କୁ !’’

 

ଅନୁପମର ଚେତା ପଶିଲା । ସତେ ତ ! ବିଜୟା ଦେବୀ ଦେଖିଲେ କେମିତି ସେମାନଙ୍କୁ ? ସେ ଭଲକରି ଚାହିଁଲା ପାତ୍ରକୁ । ଓଃ, ଏଇ ଆଲୁଅଟା ଝଲମଲ କରୁଛି ।

 

‘‘ନା',–ଠିକ୍‌ ଅଛି’’–ଅନୁପମ କହିଲା–‘‘ମୁଁ ଭୁଲ କହିଲି; ସେମାନେ ମରିନାହାନ୍ତି ।’’

 

ସେ ଆଉ ଢୋକେ ପିଇଲା । ବର୍ଷା ପିଟୁଥାଏ ବାହାରେ, ଗୋଟାଏ ମୃତ-ପୁତ୍ରର ମା’ ମୁଣ୍ଡ ପିଟି କାନ୍ଦିଲା ପରି ।

 

ତା’ପରେ ବଇଁଶୀ ଖାଇବା ଟେବୁଲ୍‌ ପ୍ରସ୍ତୁତ କଲା । ଖାଇସାରିବା ପରେ ପରେ ବିଜୟା ଦେବୀ ପୁଣି କାଠ-ବାକ୍‌ସ ଖୋଲିଲେ । ତା’ପରେ ହାତରେ ଖଣ୍ଡେ ଚୁରୁଟ୍‌ ଧରି ଅନୁପମକୁ ଦେଖାଇ କହିଲେ–‘‘ଆପଣଙ୍କ ପାଇଁ କଣିଛି । ଆଜି ଆପଣଙ୍କୁ ଖାଇବାକୁ ପଡ଼ିବ ଏଇ ଚୁରୁଟ୍‌... କାରଣ ସେଦିନ ଆପଣ କହିଥିଲେ... ।’’

 

‘‘ଦିଅନ୍ତୁ...’’–ଅନୁପମ କହିଲା ।

 

ତା’ପରେ ଚୁରୁଟ୍‌ ଅଗରେ ନିଆଁ ଲଗେଇ ଟାଣିବାକୁ ଲାଗିଲା । ତାର ଛାତି, ପେଟ ଓ ବେକନଳି ଦୁହିଁହୋଇଯାଉଥାଏ; କିନ୍ତୁ ସେଥିକି ପରବାଏ ନକରି ସେ ଭଳ ଭଳ କରି ଧୂଆଁ ଛାଡ଼ୁଥାଏ । ସେଇ ରୁମ୍‌ଟା ଚୁରୁଟ୍‌ର ଗନ୍ଧରେ ଭର୍ତ୍ତି ହୋଇଯାଉଥାଏ ବେଳକୁବେଳ । ଅନୁପମର ଇଚ୍ଛା–ଚୁରୁଟ୍‌ଟାକୁ ସେ ଯଥାଶୀଘ୍ର ପୋଡ଼ିଦେବ, ସେଥିପାଇଁ ସେ ଅଣନିଃଶ୍ୱାସୀ ହୋଇ ଶୋଷୁଥାଏ ଚୁରୁଟ୍‌ ଭିତରର ନିଆଁ ଓ ଧୂଆଁ । ବିଜୟା ଦେବୀ ଅନୁପମର ଚୁରୁଟ୍‌ଖିଆ ଦେଖି ଅବାକ୍‌ ହୋଇ ଚାହିଁଥା’ନ୍ତି । ଏପରି ସିଗାର୍‌ଖିଆ ସେ ଆଗରୁ କେବେ ଦେଖି ନଥିଲେ । ଏଣୁ ତାଙ୍କର ଆଖି ଫାଡ଼ିହୋଇଯାଉଥିଲା । ଘରର ଚଟାଣରେ ଥୋପା ଥୋପା କରି ପାଉଁଶ ଜମାହେଉଥାଏ । ବିଜୟା ଦେବୀ ପାଉଁଶକୁ ଥରେ ଓ ଅନୁପମର ଓଠକୁ ଥରେ ଚାହିଁ ଚାହିଁ ସତେ ଯେମିତି ଭୟରେ ଶିହରି ଉଠୁଥାନ୍ତି । ଅନୁପମ ବିଜୟା ଦେବୀଙ୍କ ଭୀତତ୍ରସ୍ତ ଆଖି ଦୁଇଟାକୁ ଚାହିଁ ଆନନ୍ଦ ଅନୁଭବ କରୁଥାଏ-। ସତେ ଅବା ଅନୁପମ ବିଷ କଣ୍ଠ ଶିବ ଭଳି ବିଷ ଭକ୍ଷଣ କରୁଥିଲା–ତପୋବନ୍ତ ଋଷି ଭଳି ଆଗ୍ନେୟାସ୍ତ୍ର, ହଜମ କରୁଥିଲା । କିଛି କାଟୁ କରୁ ନ ଥିଲା ତାକୁ । ଆଗ୍ନେୟାସ୍ତ୍ର, ବାରୁଣାସ୍ତ୍ର, ଶୂଳ ଶକ୍ତି ସବୁ ଯେମିତି ତାର ଦେହ ଭେଦ ନ କରିପାରି, ତାକୁ ଜଳାଇ ନପାରି, ବୁଡ଼ାଇ ନପାରି ଚୂର୍ଣ୍ଣ-ବିଚୂର୍ଣ୍ଣ ହୋଇ ଭାଙ୍ଗିପଡ଼ୁଥିଲେ ଭୂଇଁରେ । ସତେ ଯେମିତି ଅନୁପମ ବର ପାଇଥିଲା–ଏସବୁରେ ମରିବନାହିଁ ।

 

ଅନୁପମ ସିଗାର୍‌ର ଶେଷାଂଶ ପର୍ଯ୍ୟନ୍ତ ଟାଣୁଥିଲା । ନିଆଁ ତାପରେ ତାର ଓଠ ଜଳିଯାଉଥିଲା । ତଥାପି ତା’ର ଶକ୍ତି ଥିଲା । ତା’ର ମନେପଡ଼ୁଥିଲା–ତା’ର ବଂଶ ଲୋହାସୁର କଥା, ଯେ ପ୍ରଥମେ କଞ୍ଚାଲୁହାକୁ ତରଳାଇ ଇସ୍ପାତ୍‌ ତିଆରି କରି ଦେଇଥିଲା ପୃଥିବୀକୁ I ସେଇ ଲୋହାସୁର ଲାଲ୍‌ ଟହଟହ ଉତ୍ତପ୍ତ ଲୁହା ପାଟିରେ ପୂରାଇ ଥଣ୍ଡା କରିପାରୁଥିଲା । ଏଣୁ ସେ ନଆଁ ମୁଣ୍ଡା ଭଳି ଚୁରୁଟ୍‌ର ଦଗ୍‌ଧାବଶେଷକୁ ତଳେ ଫିଙ୍ଗି ନ ଦେଇ ଓଠ ଉପରେ ଧରିରଖିଥିଲା ।

 

ତା’ର ଓଠରେ ଅଗ୍ନି ସଂଯୁକ୍ତ ହେବାକ୍ଷଣି ତା’ ମନରେ ମର୍ଦ୍ଦଳ ବାଜିଉଠିଲା, ଘଣ୍ଟା ବାଜିଉଠିଲା, ଢାଉଁ ଢାଉଁ ହେଲା ଝାମ୍ପ, ନାଗରା, ଢୋଲ ଏବଂ ଆହୁରି ଅନେକ ଅନେକ ବୀରବାଦ୍ୟ । ତାର ମନେପଡ଼ିଲା–ତା’ ବାପାର ଗାଁ–ଦାଣ୍ଡରେ ଅଭିନୟ । ନିଆଁ ହୁଳା ପାଟିରେ ପୂରାଇ କେମିତି ସେ ଡେଉଁଥିଲା ଦର୍ଶକଙ୍କ ସାମ୍ନାରେ–ହୋ ହୋ ହୋଇ । ତାର ମନେପଡ଼ିଲେ–ରାବଣ–ମହିଷା–ଶୁମ୍ଭ ନିଶୁମ୍ଭ ଆଦି ଅତୀତର ରାକ୍ଷସମାନେ । ବ୍ରହ୍ମା-ଶିବ ଆଦିଙ୍କୁ ସନ୍ତୁଷ୍ଟ କରିବା ଲାଗି ସେମାନଙ୍କର ତପୋସାଧନା ଥିଲା ଆଗ୍ନେୟ ସାଧନା । ବର୍ଷ-ବର୍ଷ ଯୁଗ-ଯୁଗ ଧରି ସେମାନେ ଅଗ୍ନି କୁଣ୍ଡରେ ପଶି ରହୁଥିଲେ । କାହିଁ, ଅଗ୍ନି ତ ପୋଡ଼ିପାରୁନଥିଲା ସେମାନଙ୍କୁ ? ତେବେ ଅନୁପମ ପୋଡ଼ିହେବ କାଇଁକି ? ଅନୁପମ ସମସ୍ତ ଦହନଜ୍ୱାଳାକୁ କଣ୍ଠସାତ୍‌ କରି ଚୋଷୁଥିଲା ସେଇ ନିଆଁ ମୁଣ୍ଡାଟା ।

 

‘‘ଓଠ ପୋଡ଼ିଯିବ ଯେ–ଇଏ କଣ କରୁଛନ୍ତି–ଫିଙ୍ଗି ଦିଅନ୍ତୁ ସିଗାର୍‌ଟା ।’’ ବିଜୟା ଦେବୀ କହିଲେ ।

 

ଅନୁପମର ପାଟିର ନାଳରେ ସେଁ–ସେଁ ହୋଇ ନିଭିଗଲା ନିଆଁଟା । ସେ ତଳେ ପକେଇଦେଲା ସେଇ ମୃତ–ନିଆଁର ଶରୀରଟାକୁ । ତା’ର ଦେହରେ ଏକ ଗୌରବମୟ ପୁଲକ ଓ ଉତ୍ତେଜନା ସଞ୍ଚାରିତ ହେଲା ସେଇ ପରସ୍ତ–ଅଗ୍ନିର ଶବକୁ ଚାହିଁ ।

 

ବିଜୟା ଦେବୀ ଅବାକ୍‌ ହୋଇ ଚାହିଁଥିଲେ । ହସ ନ ଥିଲା, କିମ୍ବା ଭାଷା ନ ଥିଲା ।

 

କିଛି କ୍ଷଣ ପରେ ବିଜୟା ଦେବୀ ପୁଣି ଟିକେ ହସିଦେଲେ । ରକ୍ତଗୋଲପଟି ଆଣି ଅନୁପମ ନାକରେ ମାରିଦେଲେ । କହିଲେ–‘‘ଡ: ଦାସ ! ଜଡ଼ା ଗନ୍ଧ ପରେ ଏଇ ଗନ୍ଧଟା ଖୁବ୍ ଭଲ ଲାଗିବ ଆପଣଙ୍କୁ ।’’ ବିଜୟା ଦେବୀ ବିଛୁଆତି ଘଷିଲା ପରି ଫୁଲଟାକୁ ବାରମ୍ବାର ଅନୁପମର ନାକପୁଡ଼ାରେ ଛୁଆଁଉଥିଲେ ।

 

ଅନୁପମ ବିବ୍ରତ ହୋଇପଡ଼ିଲା । ତା’ ପରେ ସେ ଆରସି ସାମ୍ନାକୁ ଗଲେ । ସେ ଦେଖିଲା–ତାର ମଣିଷ ମୁଣ୍ଡ ବଦଳି ବଦଳି ଯାଉଛି, ତା’ର କାନ ନାକ ଅପସରି ଯାଉଛି । ଶେଷରେ ତା’ ମୁଣ୍ଡ ଜାଗାରେ ଗୋଟାଏ ମେଣ୍ଢାର ମୁଣ୍ଡ ଲାଗିଗଲା । ମେଣ୍ଢା–ମୁଣ୍ଡଟା ପାଟି ଖୋଲି ମେଁ–ମେଁ ହେବାକୁ ଲାଗିଲା ।

 

ସେ ଚାହିଁଲା ତା’ର ଛାତିକୁ । ତା’ର ପଞ୍ଜରା ଦିଶୁଚି । ସେଇ ପଞ୍ଜରା ଭିତରେ ସେ ଦେଖିପାରିଲା–ଜୋନାକୀର ମୁହଁ । ଜୋନାକୀ ହସୁନାହଁ, ବିକଳ ହୋଇ କହୁଛି–‘ତୁମେ ତ’ ମେଣ୍ଢା ନ ଥିଲ । ମୁଁ ଭଲକରି ଜାଣେ ସେ ମେଣ୍ଢା–ମୁଁଣ୍ଡଟା ତୁମର ଅସଲ ମୁଣ୍ଡ ନୁହେଁ । ସେଟା ମାୟା–ମୁଣ୍ଡ । ଫୋପାଡ଼ିଦିଅ ତାକୁ । କାଟିପକାଅ ତାକୁ । ମୁଁ ତ କଦାପି ସେଇ ମେଣ୍ଢା–ମୁଣ୍ଡ ଓ ମେଣ୍ଢା–ଆଖିକି ଭଲ ପାଇ ନଥିଲି । ଦିଅ, ଦିଅ ମୋତେ ମୋର ପ୍ରିୟ–ମୁଣ୍ଡ ଦିଅ । ହଁ–ହଁ–ଏଇଟା ନୁହେଁ,–କାଟିପକାଅ ଏଇ ମୁଣ୍ଡଟା I ଆଃ, କାଟିପକାଅ ନା । ସେ ମୁଣ୍ଡଟା ଭଲ ଦିଶୁନାହିଁ ।”

 

ଅନୁପମ ନିଜ ହାତରେ ସେଇ ମେଣ୍ଢାମୁଣ୍ଡଟା ତରବରରେ ମୋଡ଼ିବାକୁ ଲାଗିଲା ।

 

‘‘ଆରେ–ଇଏ କଣ ! ମୁଣ୍ଡଟାକୁ ଛିଣ୍ଡେଇଦେବେ ନା କଣ୍‌ ? ଆଶ୍ଚର୍ଯ୍ୟ ! –ଆପଣଙ୍କୁ ମଦନିଶା ଧରିଗଲାଣି ବୋଧହୁଏ !’’ –ବିଜୟା ଦେବୀ କହିଲେ ।

 

ଅନୁପମ ଦେଖିଲା ସତକୁସତ ସେ ନିଜର ମୁଁଣ୍ଡଟାକୁହିଁ ଛିଣ୍ଡାଇବାକୁ ଯାଉଥିଲା ।

 

ବିଜୟା ଦେବୀ ଆସି ଅନୁପମର ପଛରେ ଠିଆହେଲେ । ଆରସିରେ ତାଙ୍କର ରୂପ ଝଲସିଉଠିଲା, ଗୋଟାଏ ଟେରେଲିନ୍‌ ଶାଢ଼ି ଉପରେ ସୂର୍ଯ୍ୟକିରଣ ପଡ଼ିଲେ ଯେମିତି ଦିଶେ । ଧୀରେ ଧୀରେ ଦୁଇଟି ହାତର ଦଉଡ଼ି ଅନୁପମର ବେକର ଚାରିପଟେ ବୁଲିଗଲା । ପଚା ଲାଉ ହେବା ପରି ବିଜୟା ଦେବୀ ଅନୁପମର ପିଠି ଉପରେ ଲଦି ହୋଇ ପଡ଼ିଲେ । ତନୁର ସକଳ ଲୋଭନୀୟ ଆକାଂକ୍ଷାକୁ ସେ ଅନୁପମ ଭିତରେ ଅନୁପ୍ରବେଶ କରିବାକୁ ଚାହୁଁଥିଲେ ବୋଧହୁଏ । ସେ ଅନୁପମର ବେକମୂଳକୁ ନିବିଡ଼ ଭାବରେ ଚୁମ୍ବନ କଲେ । ଅନୁପମ ଅନୁଭବ କରୁଥିଲା–ତାର ପିଠିରେ ଦୁଇଟା ଲୁହାପଥରର କ୍ଷୁଧିତ ଦାନ୍ତ ଯେପରି ଦାବିହୋଇଯାଉଛି । ସେଇ ତୀର ଦୁଇଟା ତାତିଚି । ତତଲା ଲୁହାଖାଡ଼ି ଦବେଇ କାଠରେ ବିନ୍ଧ କଲାଭଳି ବିଜୟା ଦେବୀଙ୍କ ସ୍ତନ-ତୀରରେ ସତେ ଯେମିତି ତାର ପିଠିରେ ଗୋଟାଏ ବିନ୍ଧ ହୋଇଯିବ । ଅନୁପମ ପଥର ପରି ହେବାକୁ ଚେଷ୍ଟାକଲା ।

 

ବାହାରେ ବର୍ଷା ତଥାପି ଚିତ୍କାର କରୁଥାଏ । ଅନୁପମର ମନେହେଲା–ସତେ ଯେମିତି ତାର ହଂସ-ହଂସୀକୁ ଗୋଟାଏ ଅଜଗର ସାପ ଗୋଡ଼େଇଚି ମୁଖ ବ୍ୟାଦାନ କରି । ସେ ବିଜୟା ଦେବୀଙ୍କ ହାତର ଶିକୁଳିରୁ ମୁକୁଳି ଆସି ପାଟିକରି ଉଠିଲା–‘‘ମୋର ରାଜହଂସ, ମୋର ରାଜହଂସୀ...-।’’

 

କିନ୍ତୁ ସେ ସମ୍ପୂର୍ଣ୍ଣ ମୁକ୍ତ ହୋଇପାରି ନଥିଲା । ବିଜୟା ଦେବୀଙ୍କ ଡାହାଣ ହାତରେ ତାର ବାମ ହାତର ପାପୁଲିଟି ରହିଯାଇଥିଲା । ନଇଲେ ଅନୁପମ ଘର ଭିତରୁ ବାହାରି ବର୍ଷାକୁ ଛୁଟିଯାଇଥା’ନ୍ତା କି କଣ ।

 

ବିଜୟା ଦେବୀ ପୁଣି ପାଖକୁ ଆସି ଅନୁପମର କଟୀ ବେଷ୍ଟନକଲେ–‘‘ଚାଲନ୍ତୁ ନାଚିବା-।’’ ଅନୁପମ ଯନ୍ତ୍ରପରି ନାଚିବାକୁ ଲାଗିଲା, ତାଳବେତାଳ ଜ୍ଞାନ ତାର ନ ଥାଏ ।

ପ୍ରତିଥର ସେ ନାଚୁ ନାଚୁ ଶୋଇପଡ଼ୁଥିଲା ବିଜୟା ଦେବୀଙ୍କ କାନ୍ଧ ଉପରେ । କିନ୍ତୁ ଏଥର ସେ ମୁଣ୍ଡ ନୋଇଁଲା ନାହିଁ । ବେକ ସିଧା କରି ବିଜୟା ଦେବୀଙ୍କ ଆଡ଼କୁ ଜଳଜଳ ହୋଇ ଚାହିଁ ସେ ନାଚିଲା–ପ୍ରଖର ବେଗରେ । ସେ ତ ନାଚ ନୁହେଁ.... ସତେ ଯେମିତି ଗୋଟାଏ ମଲ୍ଲଯୁଦ୍ଧ-

ଅନୁପମର ମନେହେଉଥିଲା ଯେମିତିକି ମହିଷାସୁର ଭଳି ସେ ଚଣ୍ଡୀ ସହିତ ଲଢ଼ୁଚି । କେହି କାହାକୁ ପକାଇ ପାରୁ ନାହାନ୍ତି । ବେଳକୁବେଳ ଅଧିକ ବଳ ସଞ୍ଚରିତ ହେଲା ଅନୁପମର ଶିରା-ପ୍ରଶିରାରେ । ସେ ନିଜ ଚାରିପାଖରେ ଘିର୍‌ ଘିର୍‌ କରି ବୁଲାଇଲା ବିଜୟା ଦେବୀଙ୍କୁ ।

ବିଜୟା ଦେବୀ କ୍ଳାନ୍ତ ହୋଇପଡ଼ିଲେ । ନାଚିବା ବନ୍ଦ କରି କହିଲେ ସେ–‘‘ଡ: ଦାସ ! ଆପଣ ଏତେ ଭଲ ନାଚିପାରନ୍ତି ବୋଲି ମୋର ଧାରଣା ନଥିଲା । ଅନ୍ୟ ଦିନମାନଙ୍କରେ ମୁଁ କେବଳ ନାଚୁଥିଲି, ଆପଣ କେବଳ ଗୋଡ଼ ପକେଇ ନିଦରେ ନିଦରେ ଚାଲୁଥିଲେ । ଆଜି ଆପଣ ମୋତେ ନଚାଇ ପାରିଛନ୍ତି । ମୁଁ ହାରିଯାଇଥିଲେ ବି ଆନନ୍ଦ ଅନୁଭବ କରୁଛି ।’’ ବିଜୟା ଦେବୀ ହସିଲେ–‘‘ଡ: ଦାସ, ସତରେ ଆପଣଙ୍କୁ ମୁଁ ଭଲପାଇ ଯାଇଚି....ୟା’ ଭିତରେ ।’’ ଅନୁପମ କାନରେ ଏଇ ଶବ୍ଦଟା ଚାପୁଡ଼ା ମାରିବା ପରି ଲାଗିଲା । ତା’ ଆଖିରୁ ଦୁଇଟି ଜୁଳୁଜୁଳା ପୋକ ବାହାରିପଡ଼ିଲେ । ପରେ ପରେ ସେ ଜୁଳୁଜୁଳା ପୋକ ଦୁଇଟା ଗୋଟାଏ ବଡ଼ ଆଲୁଅମୁଣ୍ଡା ହୋଇଗଲେ । କ୍ରମଶଃ ସେଇ ଆଲୁଅମୁଣ୍ଡାଟା ଗୋଟାଏ ପକ୍ଷୀ ହୋଇଗଲା–ଯାହାର ଥଣ୍ଟଟା ଦିଶୁଥିଲା ସୁନା ପରି ଜକଜକ । ପକ୍ଷୀଟା ଅନୁପମକୁ କେନ୍ଦ୍ର କରି ଘୂରିବାକୁ ଲାଗିଲା ଓ ଡେଣାରେ ବାଡ଼େଇବାକୁ ଲାଗିଲା, ଯାଉଣୁ ଆସୁଣୁ ଅନୁପମର ଦେହକୁ । ସେଇ ପକ୍ଷୀଟା ଠିକ୍‌ ଉଲ୍‌କା ଭଳି, ଯେଉଁଟାକୁ ଦେଖି ସେ ବହୁଥର ଭୟ ପାଇଚି ଆଗରୁ । ସେ ଆଖି ବୁଜିଦେଲା । ଭୟରେ ମୁହଁମାଡ଼ି ଶୋଇଲା ଖଟ ଉପରେ ।

ବିଜୟା ଦେବୀ ଖଟ ପାଖକୁ ଆସିଲେ । ସେ ନିଜେ ବହିଥାକରୁ ସେଇ ଚିତ୍ରବହିଟା ଆଣି ଖୋଲିଲେ । ତା’ପରେ ଅନୁପମକୁ ଉଠେଇ ଖଟ ଉପରେ ବସେଇଲେ–‘‘ଆଖି ଖୋଲନ୍ତୁ । ଦେଖନ୍ତୁ ଏ ଚିତ୍ରଗୁଡ଼ାକ କେମିତି । ମୋତେ ଭାରି ମଜା ଲାଗେ ଏ ଚିତ୍ରଗୁଡ଼ାକ ଦେଖିବାକୁ । ଆଖି ଖୋଲନ୍ତୁ ମ–ଆଃ, ଖୋଲନ୍ତୁନା !’’

ଅନୁପମ ଆଖି ଖୋଲିଲା । ବିଜୟା ଦେବୀ ପୃଷ୍ଠା ପରେ ପୃଷ୍ଠା ଓଲଟେଇ ଚାଲିଥା’ନ୍ତି । ଅନୁପମକୁ ଝାପ୍‌ସା ଦିଶୁଥାଏ । ଗୋଟିଏ ବିଶେଷ ପୃଷ୍ଠାରେ ଅନୁପମର ଦୃଷ୍ଟିରେ ଚମକ ଲାଗିଗଲା-। ସେ କହିଲା, ‘‘ଆପଣଙ୍କୁ ଏ ଦନ୍ତା ମାଙ୍କଡ଼ ଓ ସାପର ଛବିଗୁଡ଼ାକ ଏଡ଼େ ଭଲ ଲାଗୁଚି-?’’

ବିଜୟା ଦେବୀ ବିସ୍ମୟ ପ୍ରକାଶ କରି କହିଲେ–‘‘ଏ ଛବିରେ ମାଙ୍କଡ଼ ଅଥବା ସାପ କେଉଁଠି ? ଭଲ କରି ଦେଖନ୍ତୁ–ଏସବୁ ମଣିଷ, ନାରୀ ଓ ପୁରୁଷ । ବୁଝିଲି–ଆପଣ ଏପରି ଛବି ଦେଖିନାହାନ୍ତି ବୋଧେ ।’’

ଅନୁପମ ବହିଟାକୁ ବିଜୟା ଦେବୀଙ୍କ ହାତରୁ ଛଡ଼ାଇ ଆଣି ବୁଜିଦେଲା ଓ ପୁଣି ଶୋଇପଡ଼ିଲା । ବିଜୟା ଦେବୀ ଖଟ ଉପରୁ ଉଠିଯାଇ ବହିଟା ଥାକରେ ରଖିଦେଲେ । କିଛି ସମୟ ଘର ଭିତରେ ପଦଚାରଣ କରିବାକୁ ଲାଗିଲେ ।

 

ଅନୁପମକୁ ସେଇ ହଂସ-ଯୋଡ଼ାକ ଦିଶିଯାଉଥାନ୍ତି । ଆଃ, କୁଆଡ଼େ ରହିଲେ ସେମାନେ-? ସେ ଚିତ୍‌ହୋଇ ଆଖି ବୁଜି ପଡ଼ିରହିଲା । ମନେ ମନେ ଭାବୁଥିଲା–ଯଦି କାଲି ସକାଳୁ ସେଇ ହଂସ ଯୋଡ଼ାକ ଫେରିଆସନ୍ତି, ତେବେ ସେ ନିଶ୍ଚୟ ପୋଷିବ । ଏଡ଼େ ସୁନ୍ଦର ପକ୍ଷୀ ଦୁଇଟାକୁ କିଏ ଛାଡ଼ିପାରେ ?

 

ବିଜୟା ଦେବୀଙ୍କ ହାତର ସ୍ପର୍ଶ ଅନୁପମ ଆପଣାର ଜାନୁ ଉପରେ ଅନୁଭବ କରି ଥରିଉଠିଲା ପ୍ରଥମେ । ତା’ପରେ ସେ ସମ୍ଭାଳିନେଲା ଶିରାଗୁଡ଼ାକୁ । କ୍ରମଶଃ ସେଇ ସ୍ପର୍ଶ ତା’ର ସମଗ୍ର ଦେହ ଉପରେ ଖେଳିବୁଲିଲା । ଅନୁପମକୁ ଲାଗିଲା, ଯେମିତି ତା’ ଉପରେ ଗୋଟାଏ ପଥର ଲଦିହେଉଛି । କ୍ରମଶଃ ସେଇ ପଥରଟା ତାର କଟୀଦେଶରେ ସ୍ଥିର ହୋଇ ରହିଲା । କୌତୂହଳବଶତଃ ଅନୁପମ ଆଖି ଖୋଲିଲା । ଦେଖିଲା ଗୋଟାଏ ଉଲଙ୍ଗ ଅନଳ-ମୂର୍ତ୍ତି ବସିଚି ତା’ରି ଉପରେ । ମହିଷାସୁରର ଛାତି ଉପରେ ଚଣ୍ଡୀ ବସିଲା ପରି ବସିଚି । ଦେହରେ କୌଣସି ବସ୍ତ୍ର ନାହିଁ । ଜାନୁ ସ୍ତନମଣ୍ଡଳ ସବୁ ଦିଶୁଚି ସ୍ପଷ୍ଟ ହୋଇ । ଆଖିରୁ କ୍ଷୁଧିତ ଅଗ୍ନି ବାହାରୁଚି । ନାକରୁ ସାପ ନିଃଶ୍ୱାସ ପରି ଫଁ–ଫଁ ପବନ ବାହାରୁଚି । କେଶ ଲୋଟୁଚି ପିଠିରେ । ବୀଭତ୍ସ ଦିଶୁଚି ବିଜୟା ଦେବୀଙ୍କ ଚେହେରା–ଗୋଟାଏ ରାକ୍ଷସୀ–ଗୋଟାଏ ଯୋଗିନୀ ସଦୃଶ । ସାଙ୍ଗେ ସାଙ୍ଗେ ଗୋଟାଏ କୁଆ ପଶିଆସିଲା ଘର ଭିତରକୁ–କା–କା–କା କରି । କୁଆଟା ଆସି ତା’ପରେ ବସିଲା ଅନୁପମର ମୁଣ୍ଡ ଉପରେ, ଥଣ୍ଟରେ ଅନୁପମର ବାଳଗୁଡ଼ାକୁ ଖତଗଦା ଖୋଳି, ପୋକ ଖୋଜିବା ପରି ଉଖାରି ଏପାଖ ସେପାଖ କରିପକାଇଲା । ତା’ପରେ ରାଉ-ରାଉ ହୋଇ କହିଲା–‘‘ଅନଉଚୁ କଣ୍‌ରେ ଏମିତି ? ଖା–ଖାଉନୁ–ଖାଇଯା । ଆରେ, ଛାଡ଼୍‍ନା । ଖାଦ୍ୟ ତୋ’ ପାଖକୁ ଆସିଚି, ନିଜେ କହୁଚି ମୋତେ ଖା ମୋତେ ଖା; ଅଥଚ ତୁ ଖାଉନୁ ? କାହିଁକି ଖାଉନୁରେ ? ତୁ କଣ ଭାବୁଚୁ ତୋର ଭୋକ ନାହିଁ ବୋଲି । ତୋର ସେ ଭାବନା ଭୁଲ । ତୁ ପଚାର ତୋର ଦେହକୁ । କଣ ସେ ଚାହେଁ । ଭୋକ ତୋର ମରିନାଇଁ । ତୁ ତାକୁ ଜବର୍ଦସ୍ତି ମାରିଦେଉଚୁ । କିନ୍ତୁ ତଥାପି ସେ ମରିବ ନାହିଁ । ଏଇକ୍ଷିଣା ଖାଇବାକୁ ଦେଉନୁ । ଦିନେ ସେ ଜାଗିବ–କୁମ୍ଭକର୍ଣ୍ଣ ଭଳି ସବୁ ଖାଇବ । ଦର୍କାର ପଡ଼ିଲେ ତୋ’ର ଏଇ ସୌନ୍ଦର୍ଯ୍ୟକୁ ବି ଖାଇଦେବ । ଏଣୁ ଖାଇଯା । ଯା । ଯାଚିଲା ଧନ ଛାଡ଼ନା । ତୋ’ ଦିହକୁ ଖାଦ୍ୟ ଦେ । ସେ ଥିଲେ ସିନା ତୁ ରହିବୁ । ଯାଚିଲା ଖାଦ୍ୟ ଛାଡ଼ନା । ପରେ ପାଇବୁନାହିଁ । ବାରଦ୍ଵାର ଶୁଣ୍ଢି-ପିଣ୍ଡା ହୋଇ ବୁଲିବୁ । ଯିଏ ସେ ତୋର ଆପଣାର ନୁହେଁ । ସେ ବଳେବଳେ ପଶିଚି; ପୁଣି ବେଳ ପଡ଼ିଲେ ପଳେଇବ । ମୁଁ ସତ୍ୟ । ମୁଁ ଇ ତୋର ଭୋକକୁ ଚିହ୍ନିଚି । ମୋ’ କଥା ମାନ । ଖାଇଯା... ଯା–ଯା–ଯା । ଖାଇଯା...ଖା–ଖା–ଖା । ଅନୁପମର ମୁଣ୍ଡ ଉପରେ ବସି କୁଆଟା ଖୁମ୍ପିବାକୁ ଆରମ୍ଭ କରିବାରୁ ଅନୁପମ ଗୋଟାଏ ହାତରେ ତାକୁ ପେଲିଦେଲା । କୁଆଟା ଉଡ଼ିବାକୁ ଲାଗିଲା ଘର ଭିତରେ । ସେଇମିତି ଖା–ଖା–ଖା ହେଉଥାଏ ।

 

ଉଲଙ୍ଗ ଚଣ୍ଡୀପରି ତଥାପି ବିଜୟା ଦେବୀ ବସି ସଁ–ସଁ ହେଉଥାନ୍ତି ନାଗୁଣୀ ପରି ଅନୁପମର ତଳିପେଟ ଉପରେ । ଅନୁପମର କାନରେ ଗୁଞ୍ଜରିତ ହୋଇଉଠିଲା ମହିଷାସୁର ଓ ଚଣ୍ଡୀ ଯୁଦ୍ଧର ଗୋଟିଏ ଘଟଣା । ଏଇମିତି ମାଡ଼ିବସିଥିଲା ଚଣ୍ଡୀ ମହିଷାସୁରକୁ ଉଲଗ୍ନ ହୋଇ; ଏବଂ ସେଇ ମୂର୍ଖ, କାପୁରୁଷ, ଅସୁରକୁଳର କଳଙ୍କ ମହିଷା ନିର୍ବୋଧ ପରି ମୁଗ୍‌ଧ ହୋଇଯାଇଥିଲା ଚଣ୍ଡୀର ଉଲଗ୍ନ ରୂପଦେଖି ।

 

‘‘ଉଲଙ୍ଗ ଦେଖିଣ ମୈଷାସୁର ଯେ ରହିଲା

ମଞ୍ଚଭୂତ ଆତ୍ମାରେ ସେ ମୋହିତ ହୋଇଲା ।

ଭାବେ ଦେବଙ୍କୁ ଅଦୃଶ୍ୟ ଅଟେ ଯେଉଁ ସ୍ଥାନ

ତାହା ଦେଖିବାକୁ ମୁହିଁ ହୋଇଲି ଭାଜନ ।’’

X X X

‘‘ଅଚେଷ୍ଟ ରହିଲା ସେ ତାରିଣୀ ନଦୀକୂଳେ

ମାଡ଼ିବସିଲେ ଦେବୀ ମହିଷା ବକ୍ଷସ୍ଥଳେ ।

ଊର୍ଦ୍ଧ୍ୱମୁଖ ହୋଇଣ ସେ ଚାହିଁଲା ମହିଷା

ସ୍ତିରୀଲିଙ୍ଗ ଦେଖିକରି ବଳିଲା ତା’ ଆଶା ।’’

X X X

‘‘ନିଚେଷ୍ଟ ହୋଇ ଅସୁର ଗଲା ଯହୁଁ ମୋହ

ଦୁର୍ଗା ଗୁପ୍ତ ଅଙ୍ଗ ଦେଖି ବିସର୍ଜିଲା ଦେହ ।’’

 

ଅନୁପମ ପରାସ୍ତ ହେବ ନାହିଁ । ଅନୁପମକୁ ଜିତିବାକୁ ହିଁ ହେବ । ମହିଷାସୁର ଭିତରେ ଥିଲା ଗୋଟାଏ ପାଶବିକ କ୍ଷୁଧାର ମହିଷ । ସେଇ ପଶୁ ହିଁ ତାକୁ ପ୍ରତାରିତ କରିଥିଲା ତାର ଯୋଗୁ ହିଁ ଚଣ୍ଡୀ ଶେଷରେ ଜୟ କଲା ମହିଷାସୁର ଭଳି ଏକ ବୀର୍ଯ୍ୟବନ୍ତ ଅସୁରକୁ । ନାଃ, ଅନୁପମକୁ ସେସବୁ ମାୟା-ମୋହର ପରିଖା ଲଂଘନ କରିବାକୁ ପଡ଼ିବ କ୍ଷିପ୍ର ଗତିରେ । ମହିଷାସୁର ଲେପିଥିବା କଳଙ୍କ ଅନୁପମକୁ ହିଁ ପୋଛିବାକୁ ପଡ଼ିବ ଅସୁର–କୁଳର ଇତିହାସ ପୃଷ୍ଠାରୁ । ଅନୁପମର ଅଙ୍ଗ ଫୁଲିବାକୁ ଲାଗିଲା । ଶିରାସବୁ ସମରସିଂହ ପରି କୁଦିବାକୁ ଲାଗିଲେ । ଲକ୍ଷ ଲକ୍ଷ ରୁଦ୍ରତରଙ୍ଗ ଭଳି ତା’ର ଭିତରେ ରକ୍ତସବୁ କମ୍ପିତ ହୋଇ ଉଠିଲେ । ଅନୁପମର ସେଇ ପୋଷା କୁକୁରଟା ଭୋ–ଭୋ କରି ଉଠିଲା । ଶଙ୍ଖୀ ବିଲେଇଟା ‘ମ୍ୟାଉଁ’ ‘ମ୍ୟାଉଁ’ କରିଉଠିଲା । କୁଆଟା ଖା–ଖା ଶବ୍ଦ ବନ୍ଦକରି ଖାଇବି–ଖାଇବି ଚିତ୍କାର କଲା ଘର ଭିତରେ ଏ କଣରୁ ସେ କଣକୁ ଉଡ଼ି ଉଡ଼ି । ବର୍ଷା କଚାଡ଼ି ହୋଇ ପଡ଼ୁଥିଲା–ଶୁଭୁଥିଲା ତାଣ୍ଡବର ଶବ୍ଦ ।

 

ଅନୁପମ ଆଖି ଡିମା ଡିମା କରି ଚାହିଁଲା ବିଜୟା ଦେବୀଙ୍କୁ । ଚକ୍ଷୁ ରଙ୍ଗ କରି ସେ ଜଳୁଛନ୍ତି । ତାଙ୍କର ମୁଖ ଦିଶୁଚି ଲାଲ୍‌ ଲାଲ୍‌ ଜିଭ ଲମ୍ବେଇ ରକ୍ତବୀର୍ଯ୍ୟର ରକ୍ତ ଶୋଷିବାକୁ ବସିଥିବା କାଳିକାର ଭୟଙ୍କର ମୁଖ ପରି । ଆସ୍ତେ ଆସ୍ତେ ବିଜୟା ଦେବୀ ତାଙ୍କର ଭୁଜ ପ୍ରସାରିତ କରି ନଇଁଆସୁଥିଲେ ଅନୁପମର ମୁଖ ଉପରକୁ । ଦୁଇଟା ଅଗ୍ନିର ପର୍ବତ ତଳମୁହାଁ ହୋଇ ଖସିଲା ପରି ବିଜୟା ଦେବୀଙ୍କର ଅନାବୃତ କୁଚଯୁଗ୍ମ ନଇଁଆସୁଥିଲା ଅନୁପମ ଉପରକୁ; ସତେ ଯେମିତି ବିଦୀର୍ଣ୍ଣ କରିପକାଇବେ ବିଜୟା ଦେବୀ, ଚଣ୍ଡୀ ମହିଷାସୁରକୁ କାବୁ କରିସାରି ତା’ର ବକ୍ଷ ବିଦାରଣ କଲା ଭଳି । କମ୍ପିଉଠୁଥିଲା ଅନୁପମ । ବେଳକୁବେଳ ତତଲା ଲୁହାପରି ତାତୁଥିଲା ।

 

ଏତିକିବେଳେ ହଠାତ୍ ସେ ଦେଖିଲା–ସେଇ ରାଜହଂସ–ହଂସୀଯୁଗଳ ଘର ଭିତରକୁ ପଶି ଉଡ଼ିଲେ । ଉଡ଼ି ଉଡ଼ି ଆସିଲେ ଅନୁପମର ବକ୍ଷ ଉପରକୁ । ଅନୁପମ–‘ଆସ’ ‘ଆସ’ କହି ସେମାନଙ୍କୁ ଧରିବାକୁ ଯାଉଛି–ଏଇ ସମୟରେ ମଝିବାଟରୁ ହାପୁଲା ମାରି ବିଜୟା ଦେବୀ ସେଇ ହଂସଯୁଗଳକୁ ଧରି ନେଲେ । ତା’ପରେ ସେମାନଙ୍କର ବେକ ମୋଡ଼ି ରକ୍ତପାନ କଲେ ଅନୁପମର ବକ୍ଷ ଉପରେ ବସି । କୁକୁରଟା ଭୁ–ଭୁ କରୁଥାଏ । ବିଲେଇଟା ମ୍ୟାଉଁ ମ୍ୟାଉଁ ହେଉଥାଏ । ଏଇ ସମୟରେ ସେ କାଳୀ ବିଲେଇଟା ହଠାତ୍‌ କୁଦିପଡ଼ିଲା–ଅନୁପମ ଉପରକୁ । ଘଡ଼ଘଡ଼ି ଶବ୍ଦ ହେଲା-। ବିଜୁଳିର ଖଣ୍ଡା ବୁଲିଗଲା । ଅନୁପମ ସୁପ୍ତ ପର୍ବତ ଉଠିବା ପରି ଉଠିବସିଲା । ବିଜୟା ଦେବୀ ଖଟ ଉପରେ ପଡ଼ିଗଲେ । ଅନୁପମ କ୍ରୋଧରେ ବିଜୟା ଦେବୀଙ୍କ ବକ୍ଷସ୍ଥଳରେ ମାଡ଼ିବସିଲା-। ତା’ପରେ ଓଠ ଲଗେଇ ସେଇ ସ୍ତନ୍ୟ ପର୍ବତର ନିଆଁଗୁଡ଼ାକୁ ଚୋଷିବାକୁ ଲାଗିଲା, କୃଷ୍ଣଚନ୍ଦ୍ର ପୁତନା ରାକ୍ଷସୀର ସ୍ତନ୍ୟ ସହ ଜୀବନ ଶୋଷିବା ପରି ।

 

ସେଇ ମୃତ–ହଂସଯୁଗ୍ମର ଆତ୍ମା ରୁମ୍‌ଭିତରେ ବିକଳସ୍ୱରରେ କାନ୍ଦି କାନ୍ଦି ବୁଲୁଥିଲେ । କେଁ–କେଁ ହୋଇ କହୁଥିଲେ–‘‘ଆମର ରକ୍ତ ସେ ଖାଇଚି । ନେ, ପ୍ରତିଶୋଧ ନେ ।’’ ସେଇ ଉଲ୍‌କାଟା ବି ଘୂରିବାକୁ ଆରମ୍ଭ କରିଥିଲା–ବଜ୍ର, ଭଳି ଗର୍ଜନକରି । ମଝିରେ ମଝିରେ ଶୁଭୁଥିଲା–ଗୁଡ଼ାଏ ନବଜାତ ଶିଶୁଙ୍କର ଅସ୍ଫୁଟ ଧ୍ୱନି–‘‘ନେ–ପ୍ରତିଶୋଧ ନେ । ସେ ଆମରି ରକ୍ତ ପିଇଚି ।’ ଶୁଭୁଥିଲା ସେଇ ମୃତବତ୍ସା–ମାତାର ଗଗନଭେଦୀ କ୍ରନ୍ଦନଧ୍ୱନି–‘‘ମୋ ଦୁଃଖୀସଙ୍ଖାଳିରେ... ।’’ ସେ ବି କହୁଥିଲା–ଲୁହ ପୋଛି ପଣତ, କାନିରେ–“ମାର୍ ମାର୍ ତାକୁ । ରକ୍ତ ପିଇ–ଯା ତା’ର । ସେ ମୋତେ ପୁତ୍ରହୀନା କରିଛି । ମାର୍‌–ମାର୍‌–ନଇଲେ ଦିନେ ତୋ’ର ରକ୍ତ ବି ସେ ଶୋଷିନେବ । ହଁ–ହଁ–ମାର୍‌–ରକ୍ତ ପିଇଯା’ ।’’ ମହିଷାସୁର ବି କହୁଚି–“ମାର୍‌–ମାର୍‌–ଭୁଲନା ତାର ରୂପରେ; ତାର ବ୍ୟବହାରରେ । ମୁଁ ଭୁଲିଯାଇଥିଲି ନିର୍ବୋଧ ଭଳି । ମୁଁ ମରିଥିଲି । ତୁ ସେଇ ମୋହିନୀ ଯୋଗିନୀ ଚଣ୍ଡୀର ରକ୍ତ ପିଇଯା–ପିଇଯା ।’’ ଅନୁପମ ଆହୁରି ଜୋର୍‌ରେ ଶୋଷିଲା । ବିଜୟା ଦେବୀ ଗଁ–ଗଁ ହେଲେ । ଅନୁପମ ଛାଡ଼ିଲା ନାହିଁ । ସେମାନେ ଉଭୟେ ଖଟ ଉପରୁ ଗଡ଼ିପଡ଼ିଲେ ତଳକୁ । ତା’ପରେ... ବିଜୟା ଦେବୀଙ୍କ ଗଁ–ଗଁ ସ୍ୱର ମଧ୍ୟ ବନ୍ଦ ହୋଇଗଲା । ଗୋଟାଏ ପ୍ରଳୟଶବ୍ଦ ପରି ଘଡ଼ଘଡ଼ ଶବ୍ଦ ହେଲା ବାହାରେ ।

 

ଅନୁପମ ଉଠି ଠିଆହେଲା । ବିଜୟା ଦେବୀଙ୍କ ଉଲଙ୍ଗ ଗଣ୍ଡିଟା କଉ ମାଛ ପରି ଛଟଛଟ ହେଉଥାଏ । କ୍ଷଣକାଳ ପରେ ତାହା ବି ବନ୍ଦ୍‌ ହୋଇଗଲା ।

 

ବିଜୟା ଦେବୀ ମୃତ ।

 

ଅନୁପମର ହାତ ପାଟି ରକ୍ତାକ୍ତ ହୋଇଥାଏ । ସେ ଘରସାରା ଖେଳୁଥାଏ ରକ୍ତର ଲହଡ଼ି-। ବାହାରେ ଗର୍ଜୁଥାଏ ବର୍ଷା । ଘର ଭିତରେ କୁକର–ବିଲେଇ–ହଂସ–ନୂଆ କେହି ନ ଥାନ୍ତି । ଏକାନ୍ତ ନିର୍ଜନ ଥାଏ ।

 

ଅନୁପମ କାନ୍ଥଘଡ଼ିକି ଚାହିଁଲା–ଦଶଟା ବାଜି ମାତ୍ର ପନ୍ଦର ମିନିଟ୍‌ । କିନ୍ତୁ ମନେହେଉଥାଏ ଯେମିତି ରାତି ଦୁଇ । ଖାଇବାକୁ ଦେଇସାରି ନିଜେ ଖାଇ ବର୍ଷାପାଗ ଥିବାରୁ ବଇଁଶୀ ବି ଶୋଇ ପଡ଼ିଲାଣି, ନିଘୋଡ଼ ନିଦରେ ।

 

ଅନୁପମର ଦେହ ଥରିଉଠିଲା । ସେ ମାରିଚି ବିଜୟା ଦେବୀଙ୍କୁ । ଏ କଥା ନିଶ୍ଚୟ ପ୍ରମାଣିତ ହେବ । ତା’ ଆଗରେ ଦୁଇଟା ଫାଶିଖୁଣ୍ଟ ଠିଆହୋଇଗଲା । ଦଳେ ନାଲି ପଗଡ଼ିପିନ୍ଧା ପୋଲିସ୍‌ ତାରି ଆଡ଼କୁ ସେଇ ବର୍ଷା-ଭିତରୁ ମାଡ଼ିଆସିଲେ । ଶିକୁଳି ଝଣ୍‌ଝଣ୍‌ କଲେ । ମନେପଡ଼ିଲା–କୋଟ୍‌, କାଠଗଡ଼ା, ସହସ୍ର ସହସ୍ର ଲୋକଙ୍କର ଘୃଣା-ପୂର୍ଣ୍ଣ ଆଖି । ଅନୁପମ ଖୁଣୀ, ଅନୁପମ ନାରୀହତ୍ୟା କରିଛି । ସେ ଅସୁର; ଠିକ୍‌ ସେଇ ଦୁର୍ଦ୍ଦାନ୍ତ ପରମ୍ପରାରେ ସେ ବି ଶେଷରେ ରକ୍ତପାନ କଲା । କିଏ ତାକୁ କ୍ଷମା ଦେବ ? କାହିଁକି ଦେବ ? ଅନୁପମର କାନ–ମୁଣ୍ଡ ଝାଁ–ଝାଁ ହୋଇଗଲା–ଏକ ରଡ଼ିରେ । ସେଇ ରଡ଼ି ଆସୁଥିଲା–କାନ୍ଥରୁ, ବାୟୁରୁ, ଚେୟାର୍‌ ଟେବୁଲୁରୁ–‘‘ଅନୁପମ ! ତୁ ବର୍ବର, ତୁ ଖୁଣୀ, ତୁ ମହାପାପୀ ।’’

 

ବଞ୍ଚିବାର ଉପାୟ ଅନୁପମକୁ ଦିଶୁନଥିଲା । ସେ ଯାଇ ବର୍ଷାରେ ଭିଜିଲା । ତା’ର ଦେହର ଉତ୍ତେଜନା କମିଯିବା ପରେ ସେ ଭିତରକୁ ଆସି ବିଜୟା ଦେବୀଙ୍କ ମୃତ-ଶରୀର ଉପରେ ଗୋଟାଏ ଲାଲ୍‌ଶାଢ଼ି ଢାଙ୍କି ଦେଲା । ନମସ୍କାର କଲା ସେଇ ମୃତ–ଆତ୍ମା ଉଦ୍ଦେଶ୍ୟରେ ।

 

ତା’ପରେ–ସେ ଘରଟାକୁ ଭଲକରି ବାହାରଆଡ଼ୁ ବନ୍ଦକରିଦେଲା, ଝରକା ସହିତ । ଛୁଟିଲା ତଳକୁ । ବିଜୟା ଦେବୀ କାରର ଚାବିଟା ଯେଉଁଠି ରଖନ୍ତି, ସେଇ ଜାଗାଟାକୁ ଦେଖିଥିଲା ଅନୁପମ । କାର୍‌ର ଚାବିଟା ଆଣି ସେ ଗାରେଜ୍‌ରୁ ଗାଡ଼ି ବାହାର କରି ହତା ପାରହେଲା ।

 

ସହରଟା ଢୁଳୋଉଥାଏ । ଛୋଟ ଛୋଟ ଦୋକାନୀମାନେ ଦୋକାନ ବନ୍ଦକରି ଦେଇଥାନ୍ତି । ସିନେମା ହଲ୍‌ରୁ କେବଳ ଆସୁଥାଏ ଗୋଟାଏ ଶବ୍ଦ । ଅନୁପମର କାର୍‌ ବିଜୁଳି ପରି ଛୁଟିଥାଏ ଦୁଇ ପାଖକୁ କାଦୁଅ ପାଣି ପିଚ୍‌ପିଚ୍‌ କରି ଛାଟି ।

 

ଅନୁପମ ନିଜର ବସା ଭିତରକୁ ଯାଇ ଆଲୁଅ ନ ଜାଳି ଆଗେ ନିଜର କିଛି ଜିନିଷ-ପତ୍ର ଓ ଟଙ୍କା ଗୋଟାଏ ସୁଟ୍‌କେଶ୍‌ରେ ସଜାଡ଼ି ଦେଲା । ଓଦା ଓ ରକ୍ତଛିଟା ପଡ଼ିଥିବା ପୋଷାକକୁ ଖୋଲି ବାଥ୍‌ରୁମ୍‌ କୁଣ୍ଡରେ ଭର୍ତ୍ତିକରିଦେଲା । ତା’ପରେ ହଳେ ଇସ୍ତ୍ରୀ-କରା ସାର୍ଟ୍‌-ପେଣ୍ଟ୍‌ ପିନ୍ଧି ଦେହରେ ବର୍ଷାତି ଢାଙ୍କି ଭଲକରି ଘରର ଦର୍ଜା ବନ୍ଦକଲା । ବର୍ଷାତିର ଟୋପିଟାକୁ ସେ ଆଖି ଉପରକୁ ଟାଣିଦେଇଥାଏ ।

 

ପୁଣି ସେଇ କଳା–କାର୍‌ଟା ହସ୍‌ପିଟାଲ୍‌ ହତା ଡେଇଁ ଛୁଟିଚାଲିଲା ଜଗତ୍‌ପୁର ଆଡ଼େ । ବାଟରେ ଅନୁପମ ଦେଖିଲା ସେଇ କୁକୁରର ଶବ । ସେଇ ଶବ ଉପରେ ବି ଅନୁପମ ଗାଡ଼ି ଚଳେଇନେଲା ।

 

କାର୍‌ ଛୁଟିଥାଏ । ରାସ୍ତା ନିର୍ଜନ ଥାଏ । ବର୍ଷାପାଣିର ବ୍ୟୂହ ଭେଦକରି କାର୍‌ର ଆଲୁଅ ରାକ୍ଷସର ଦୁଇଟା ବିଶାଳ ହାତ ପରି ଲମ୍ବିଥାଏ ଆଗକୁ ଆଗକୁ ।

 

ଅନୁପମର ବ୍ୟତିବ୍ୟସ୍ତ ଓ ଭୟାର୍ତ୍ତ ଚିତ୍ତ ଭଳି ୱାଇପର୍‌ଟା । ଘୂରୁଥାଏ ସାମ୍ନା କାଚ ପଟାରେ, କାଟି ପକାଉଥାଏ ବର୍ଷା ପାଣି ।

 

ଅନୁପମ ଚିନ୍ତା କରୁଥିଲା–କୁଆଡ଼େ ସେ ଯିବ ? କଲିକତା ନା ମାଦ୍ରାଜ ? କିଛି ସେ ସିଦ୍ଧାନ୍ତ କରିପାରୁନଥିଲା ।

 

ତା’ର ମନେହେଉଥିଲା–ଯେମିତି ତା’ରି ପଛେ ପଛେ କେନ୍ଦ୍ରାପଡ଼ାର ପୋଲିସ ଭ୍ୟାନ୍‌ ଗୋଟାକ ପରେ ଗୋଟେ ଛୁଟୁଛି । ଯେମିତି କି ସେମାନେ ମାଇକ୍‌ରେ ପ୍ରଚାର କରି କରି ଆସୁଛନ୍ତି–‘ଭାଇମାନେ, ଗୋଟାଏ କଳା ଡେଙ୍ଗା ଅର୍ଘାସୁର ପରି ଲୋକକୁ ଯେଉଁଠି ଦେଖିବ, ଧରିବ-। ସେ ଏକ ନରହନ୍ତା ।’ ଏବଂ ଖବରକାଗଜରେ ଅନୁପମର ଫଟୋ ସହ ବଡ଼ ବଡ଼ ଅକ୍ଷରରେ ବାହାରିପଡ଼ିବ–‘ନୃଶଂସ ନରହତ୍ୟାକାରୀ ଡ: ଅନୁପମ ଦାସ ।’

 

ଅନୁପମର ମୁଣ୍ଡରେ ଝାଳ ବାହାରିପଡ଼ିଥିଲା । ତଥାପି ସେ ଛୁଟିଥାଏ । ଦୂରରୁ ଦିଶୁଥିଲା–ଜଗତପୁର ରେଳଷ୍ଟେସନ୍‌ର ଧାଡ଼ିଏ ଆଲୁଅ ।

 

ତାର ମନରେ ବାରମ୍ବାର ପ୍ରଶ୍ନ ଉଠୁଥିଲା–ଏଇ ହତ୍ୟା ପାଇଁ ଦାୟୀ କିଏ ? ଅନୁପମ ନିଜେ ନା ଜୋନାକୀ ? କିଏ ? କାହା ଲାଗି ?

 

ତୃତୀୟ ପର୍ବ

 

ମୁଁ ଡାଇରି ବନ୍ଦ କଲି ।

 

ସୂର୍ଯ୍ୟ ବୁଡ଼ିଲେଣି ବୋଧହୁଏ । ଧୂଆଁଳିଆ ଓ ଧୂଳିଆ କଲିକତାର ଆକାଶରେ ତଥାପି ଆଲୁଅର ଆଭାସ ଲାଗିରହିଥାଏ । ଟ୍ରାମ୍‌, କାର୍‌ ଓ ବସ୍‌ର ଶବ୍ଦରେ ପୋତି ହୋଇ ପଡ଼ୁଥାଏ ଆନନ୍ଦ ଓ ହସ । କେବଳ ସେଇ ଶବ୍ଦର ବ୍ୟୁହ ଭେଦକରି ମୋ କାନରେ ଅନୁରଣିତ ହେଉଥାଏ ଗୋଟିଏ ନିବେଦନ–‘ଆଃ, ଭାରି ଶୋଷ । ସିଷ୍ଟର୍‌, ମୁନ୍ଦେ ପାଣି, ମୁନ୍ଦେ ପାଣି । ନା–ନା–ଖାଲି ପାଣିରେ ଏ ଶୋଷ ତୁଟିବ ନାହିଁ । ଟିକିଏ ବିଷ ମିଶେଇ ଦିଅ...ଆଃ... ଭାରି ଶୋଷ !!'

 

ଅନୁପମର ହାତ କଟିଯାଇଥିଲା । ଜୋନାକୀ ପେଇଦେଉଥିଲା ପାଣି–ସେ ଢକ-ଢକ କରି ପିଇଯାଉଥିଲା । ପ୍ରଳାପ କରୁଥିଲା–‘ନା, ତୁମେ ସିଏ ନୁହଁ... ତୁମେ...'

 

ମୁଁ ଜୋନାକୀକୁ ଚାହିଁଲି । ଜୋନାକୀ ଛାତ ଉପରେ ବସି ମୋର ଚିରା ପାଇଜାମାଟାକୁ ହାତମେସିନ୍‌ ଘୂରେଇ ସିଲେଇ କରୁଥିଲା । ତା’ ପାଖରେ ବସିଥିଲା...ମୁନୁ । ମୋର ଦୁଇବର୍ଷର ପୁଅ ମୁନୁ... ।

 

ଜୋନାକୀ, ମେଡ଼ିକାଲ୍ କଲେଜ ଓ ଅନୁପମ !!!

 

ଜୋନାକୀ ମୋର ସ୍ତ୍ରୀ । ମୋର ସହଧର୍ମିଣୀ ।

 

ମୁନୁ ଖେଳୁଚି–ମଝିରେ ମଝିରେ ହସି ହସି ଡାକୁଚି–ମା–ମା–ବାପା ।

 

ସନ୍ଧ୍ୟା ।

 

ମୁଁ ଜୋନାକୀକୁ ଚାହିଁଲି । ତା’ର ମୁଣ୍ଡର ସିନ୍ଦୂରବିନ୍ଦୁଟା ଗୋଟାଏ ମଳିନ ପୂର୍ଣ୍ଣଚନ୍ଦ୍ର ପରି ଦିଶିଲା ମୋତେ । ଇଚ୍ଛା ହେଉଥିଲା ସେଇଟାକୁ ଲିଭେଇ ଦେଇ–ତା’ର ବେକରେ ଦି’ଧକ୍‌କା ଦେଇ ବିଦା କରିଦିଅନ୍ତି ଏଇ ମହାନଗରୀର ଲୋକ ହାଉଯାଉ ରାସ୍ତାକୁ । ସେ ରାସ୍ତାରେ ପଡ଼ିଥାନ୍ତି । ତା’ ଉପରେ ଲୋକେ ଚାଲୁଥାନ୍ତେ । ଛେପ ପକେଇ ଯାଉଥାନ୍ତେ–ଇସ୍‌ ପତିତାଟେ ! ଛୁଅଁ ନା...ଛୁଅଁ ନା-। ମୋର ଆଖି ଆଗରେ–ତାରି ଉପରେ ଚଢ଼ିଯାଆନ୍ତା ଅସୁର ପରି ଦି-ତାଲା ବସ୍‌ଗୁଡ଼ାକ; ଏବଂ ଜୋନାକୀର ରକ୍ତରେ ଲାଲ୍‌ ହୋଇଯାଆନ୍ତା ରାସ୍ତା । ମୁଁ ଦେଖନ୍ତି...ଏଇ ଛାତ ଉପରୁ ତାର ସେଇ କରୁଣ ଶେଷ ଅବସ୍ଥା ଯେ ତାହାର ସୁନ୍ଦର ଶରୀର, କଳଙ୍କିତ ଓଠ ଓ କଳିଙ୍କି ଲଗା ବାହୁଲତା ଚୂନା ଚୂନା ହୋଇ ଲୋଟୁଚି । ମୋର ଦାନ୍ତ ଠକ୍‌ଠକ୍‌ ହେଲା ।

 

ଜୋନାକୀ ମୁନୁକୁ ଗେହ୍ଲାକଲା–ବାପା କାହିଁରେ... ? ମୋ ବାପା କାହିଁରେ ? କୁଡ଼ୁ କୁଡ଼ୁ କୁଡ଼ୁ କୁଡ଼ୁ । ମୁନୁ ହସିଲାରେ, ମୁନୁ ହସିଲାରେ ମୋ ବାପାର କି ପାକ୍‌ଲା ହସ ! ଜୋନାକୀ ବୋକଦେଲା ମୁନୁର କପାଳରେ ।

 

ମୁଁ ଛଡ଼େଇଆଣିଲି ମୁନୁକୁ ତା’ ହାତରୁ ।

 

‘‘ରୁହ ମଁ”–ଜୋନାକୀ କହିଲା–‘‘ପିଲାଟା, ହାତ ମଚକିଯାଏ ଯଦି ! ‘‘ଛୁଆର କଅଁଳ ହାତ ପରା... !!"

 

ମୁଁ ମଧ୍ୟ ଗେହ୍ଲାକଲି ମୁନୁକୁ ।

 

‘‘ହଉ ଭଲକଥା–ମୁନୁକୁ ରଖିଥା–ମୁଁ ସଞ୍ଜ ଦେଇ ଆସେ । ସଞ୍ଜବେଳ ଗଡ଼ିଗଲାଣି ।’’ ଜୋନାକୀ ଭିତରକୁ ଚାଲିଗଲା ।

 

ମୁଁ ପୁଣି ଲକ୍ଷ୍ୟ କଲି ଜୋନାକୀକୁ । ସେ ହାତରେ ପ୍ରଦୀପଟିଏ ଧରି ମୁଣ୍ଡରେ ଓଢ଼ଣା ଦେଇ ଆସିଲା । ଦୁଆର ବନ୍ଧରେ ଦୀପଟି ରଖି ତଳେ ମୁଣ୍ଡ ଲଗେଇ ଜୁହାର ହେଲା ।

 

ମୁଁ ଡାକିଲି–‘‘ଜୋନାକି !’’

 

ଜୋନାକୀ ଆସି ମୋର ସାମ୍ନାରେ ଠିଆହୋଇ କହିଲା–‘‘କଣ କହିବ ପରା ? କହୁନ ! ଓଃ–ବୁଝିଲି–ପିଲାକୁ ନେବି–ଏଇଆ ତ ! ହଉ ଦିଅ । କେତେ ସମୟ ବା ହାତରେ ଧରିଲ–ଏତିକିରେ ବ୍ୟସ୍ତ ହୋଇପଡ଼ିଲଣି ? ମୋ ଭଳି ଯଦି ଦଶମାସ ଗର୍ଭରେ ଧରିଥାନ୍ତ ତେବେ ହାଉଲୁ-ମାଉଲୁ ହୋଇଥା’ନ୍ତ କି କଣ ! ଆ–ମୁନୁ–ଆ । ଆଚ୍ଛା ମୁନୁ,–ତୁ ତ ବଡ଼ ହେଇଗଲୁଣି–ଖେଳୁନୁ ଏକା ଏକା । ସବୁବେଳେ ଗୋଟେ କାଖ କଣରେ ?’’

 

ମୁଁ ଯାହା ପଚାରିବାକୁ ଭାବିଥିଲି ପଚାରି ପାରିଲିନାହିଁ । ମୋର କ୍ରୋଧ ମୋ’ ଅନ୍ତରଟାକୁ ହିଁ ଜାଳିବାକୁ ଆରମ୍ଭକଲା । ମୁଁ ବିବ୍ରତ ହୋଇପଡ଼ିଲି ।

 

ରାତିରେ–ଜୋନାକୀ ଶୋଇପକାଇଲା ମୁନୁକୁ ତା’ର ଏକ ନିତିଦିନିଆ ଗୀତ ଗାଇ–‘‘ଶୋଇ ପଡ଼ିଲାରେ ମୁନୁଆ ମୋର କୁଣ୍ଡେଇ କୁଣ୍ଡେଇ କାନ । ମୁନୁଆକୁ କିଏ ମାଇଲା ମାଡ଼ରେ, ଭାଙ୍ଗି ପକାଇଲା ପିଞ୍ଜରାହାଡ଼ । ମୁନୁ ମୋ’ର ଶୋଇପଡ଼ିଲା ଲୋ, କଷା ଜାମୁକୋଳି ଖାଇ । ମୁନୁଆ ମୋ’ର ଶୋଇପଡ଼ିଲା ଲୋ, ମୋ ଦୁଧ କୋଳେ ଖାଇ । ହାତୀ ଝୁଲୁଥାଇ ଦୂର ବନସ୍ତେ ଲୋ ବରଡ଼ାଳ ଭାଙ୍ଗିବାକୁ, ମୁନୁ ଝୁଲୁଥାଇ ଦିବାରଜନୀ ଲୋ, ମୋ’ କୋଳେ ଶୋଇବାକୁ-। ଧୋ’ ରେ ବାଇଆ ଧୋ’–ଯେଉଁ କିଆରିରେ ଗହଳ ମାଣ୍ଡିଆ ସେଇ କିଆରରେ ମୁନୁଆକୁ ନେଇ ଶୋ ।’’

 

ମୁଁ ଖଟରେ ଗୋଟେ ପାଖରେ ଶୋଇ ଭାବୁଥାଏ I ଯାହା ଭାବୁଥାଏ ତା'ର ରୂପରେଖ କିଛି ସ୍ପଷ୍ଟ ନଥିଲା । ସବୁ ଥିଲା ଦ୍ୱନ୍ଦ । ଅଡ଼ୁଆ ସୂତା I

 

ଜୋନାକୀ ମୁନୁକୁ ଶୁଆଇସାରି ମୋର ବାହୁ ସ୍ପର୍ଶ କଲା–‘‘ଶୁଭୁଚି ନା–ଶୋଇ ପଡ଼ିଲଣି କି ? ଏ.... । ବାଃ–ଖୁବ୍‌ଶୀଘ୍ର ନିଦ ଆସିଗଲା ତ ! ଏ....ଶୁଭୁଚି ? ମୁନୁ ଶୋଇଲାଣି... ?’’

 

ମୁଁ ଚୁପ୍‌ହୋଇ ଅଖିବୁଜି ପଡ଼ିଥାଏ । ଜୋନାକୀଙ୍କର ହାତ ମୋତେ କଖାରୁଡଙ୍କ ଭଳି ଖର୍‌ଖରିଆ ଓ ଦାଢ଼ୁଆ ଲାଗୁଥାଏ । ଇଚ୍ଛା ହେଉଥାଏ ତାକୁ ଠେଲି ଖଟତଳକୁ ପକାଇଦିଅନ୍ତି ।

 

ଜୋନାକୀର ପ୍ରତିଦିନିଆ ଅଭ୍ୟାସ ମୋତେ ନିଦରୁ ଉଠେଇ ଗଳ୍ପ କରିବା । ମୁଁ ତାର କେଶ ସାଉଁଳେଇ ନଦେଲେ ତାକୁ ନିଦ ହୁଏନା । ସେ ମୋର ଛାତିରେ ମୁଣ୍ଡ ଗୁଞ୍ଜି ଲତାଟିଏ ଭଳି ଦେହସାରା ଗୁଡ଼େଇ ହୋଇ ଜାକିଜୁକି ଶୋଇପଡ଼େ ।

 

ଜୋନାକୀ ମୋର ଶରୀରକୁ ବାହୁରେ ଛନ୍ଦି ଦେହକୁ ଲାଗି ଶୋଇଲା ମୋର ପିଠି–ପାଖରେ । ତା’ର ଓଠ ମୋର ବେକମୂଳରେ ସବୁଦିନ ଭଳି ନିବିଡ଼ଭାବରେ ଜାକି ହୋଇ ରହିଥାଏ-

 

ମୁଁ ତା’ର ହାତର ଛନ୍ଦଣିକୁ ଫିଟାଇ ଅଲଗା କଲି । ତା’ର ଦେହ ଓ ମୋର ଦେହ ଭିତରେ ବ୍ୟବଧାନ ରହିଲା । ବେଳକୁବେଳ ମୋର ମନରେ ଅଧିକ ଅଧିକ ନିଆଁ ଚରିବା ଆରମ୍ଭ ହେଉଥିଲା ।

 

ମୁଁ ଉଠି ବସିଲି । ଖଟ ଉପରୁ ଓହ୍ଲେଇ ଖଣ୍ଡେ ସପ ଓ ତକିଆ ଧରି ଛାତ ଉପରକୁ ଯାଇ ସେଇ ଅନ୍ଧାର ଭିତରେ ଶୋଇଲି ।

 

ଜୋନାକୀ ସେଠାକୁ ଯାଇ ପଚାରିଲା–‘‘ଗରମ ଲାଗୁଚି ନା କ’ଣ ?’’

 

ମୁଁ କହିଲି–‘‘ନାଃ...’’

 

‘‘ତେବେ ଏଠି ଆସି ଶୋଇଲ ଯେ... ?’’

 

‘‘ଉପାୟ ନଥିଲା ।’’ –ମୁଁ କହିଲି ।

 

ଜୋନାକୀ ହସିଲା । ତା’ପରେ ମୋର ଗୋଡ଼ତଳେ ବସି ମୋର ଗୋଡ଼ ଚିପିବାକୁ ଲାଗିଲା–‘‘ଗୋଡ଼ ବିନ୍ଧୁଚି କି ତୁମର ?’’

 

ମୁଁ ତା’ର ହାତରୁ ମୋ ଗୋଡ଼କୁ ଖସାଇ ଆଣି କହିଲି–‘‘ମୋର ଦେହରେ ତୁମେ ହାତ ଦିଅନା ! ତୁମେ... ତୁମେ... I’’ ମୋର ବାକ୍‌ରୁଦ୍ଧ ହୋଇଗଲା । ମୁଁ କିଛି ପ୍ରକାଶ କରିପାରଲି ନାହିଁ । ମୁଁ ସେଠାରୁ ଉଠି ଘର ଭିତରକୁ ପଳେଇ ଗଲି ଓ ଖଟ ଉପରେ ଶୋଇଲି ।

 

କିଛିକ୍ଷଣ ପରେ ପୁଣି ଅନୁଭବ କଲି ଜୋନାକୀ ହାତର ସ୍ପର୍ଶ ମୋର ମୁଣ୍ଡ ବାଳରେ । ଜୋନାକୀ କହିଲା–‘‘ହଠାତ୍‌ ଏତେ ରାଗ... ?’’ ହଉ–ରାଗିଲେ ବରଂ ରାଗ; ମୋତେ ଟିକେ ସ୍ନେହ କର । ତୁମେ ଜାଣ, ତୁମ ପାଖରେ ନ ଶୋଇଲେ ମୋତେ ନିଦ ହୁଏନା !’’

 

ଜୋନାକୀ ମୋର କପାଳ ଚୁମ୍ବନକଲା । ମୁଁ ତାର ମୁହଁକୁ ଗୋଟାଏ ହାତରେ ଠେଲି ସଂଯୋଗ ଛଡ଼େଇଦେଲି । ସେ ଆଉ ଟିକକରେ ତଳେ ପଡ଼ିଯାଇଥାନ୍ତା ।

 

ମୁଁ କହିଲି–‘‘ମୋତେ ଶୋଇଦେବନାହିଁ ନା କଣ ? କହିଲି ପରା ମୋତେ ଛୁଇଁବ ନାହିଁ ବୋଲି !’’

 

‘‘କାହିଁକି ? ମୋର ଅପରାଧ ?’’ –ଜୋନାକୀ କହିଲା ।

 

‘‘ଅପରାଧ ତୁମର ନୁହେଁ, ମୋର-ମୋର । ମୋତେ ସେଥିପାଇଁ ପ୍ରାୟଶ୍ଚିତ୍ତ କରିବାକୁ ପଡ଼ିବ ।’’ ମୋର ଗାଲ ସେତେବେଳକୁ ଉତ୍ତେଜନାରେ ଫୁଲିଉଠୁଥିଲା–‘‘ମୁଁ ତୁମର ମୁହଁ ଦେଖିବାକୁ ଚାହେଁନା । ତୁମେ ତୁମର ଅନୁପମ ଦାସ ପାଖକୁ ଯାଇପାର ।’’

 

ମୁଁ ଆଖିବୁଜିଦେଲି । ସେତିକିବେଳଠୁଁ ଜୋନାକୀ ଆଉ ମୋର ଦେହ–ସ୍ପର୍ଶ କରିନାହିଁ ।

ସେ କାଷ୍ଠପ୍ରତିମା ପରି ବସିରହିଥିଲା । ଭାବୁଥିଲା–କଣ, ଭାବୁଥିଲା ମୁଁ ଜାଣେନା ମୁଁ ମନେ ମନେ କହୁଥିଲି–‘ଜଳୁ, ଜଳୁ ସେ । ଜଳି ଜଳି ଦଗ୍‌ଧ ହେଉ ।’

ଗୋଟାଏ ଦୁଃ-ସ୍ୱପ୍ନର ଶେଷରେ ମୋର ନିଦ ଭଙ୍ଗିଲା । ମୁନୁ କାନ୍ଦୁଥାଏ–ବିଛଣା ଉପରେ ବସି । ସକାଳ ହୋଇଯାଇଥାଏ ପୂରାପୂରି । କଲିକତା ସହର ନଈବଢ଼ି ଭଳି ଘୋ ଘୋ ଗର୍ଜନ କରିବାକୁ ଆରମ୍ଭ କରିଥାଏ ।

ମୁନୁ କାନ୍ଦୁ ଥାଏ–ମାଆଁ–ମାଆଁ–ମାଆଁ ।

ମୁଁ ଉଠିବସି ଚାହିଁଲି ଇଆଡ଼େ ସିଆଡ଼େ । ଜୋନାକୀ ନାହିଁ । ଦରଜା ଖୋଲା ହୋଇିଚ-। କୁଆଡ଼େ ଗଲା ସେ ? ପିଲାଟା କାନ୍ଦୁଚି, ଶୁଭୁନାହିଁ ତାକୁ ?

ଡାକଲି–‘ଜୋନାକୀ ! ଜୋନାକୀ !’’

ମୋର ଶବ୍ଦର ପ୍ରତିଧ୍ୱନି ହିଁ ଆସିଲା । ମୁନୁର କାନ୍ଦ ମୋ ପାଟିରେ ବନ୍ଦ ହେଇଗଲା ।

ମୁନୁର ବେକରେ ଥିବା ସୁନାହାରଟାକୁ ମୁଁ ଚାହିଁଲି । ଲକେଟ୍‌ ପାଖରେ ଖଣ୍ଡେ କାଗଜ ବନ୍ଧାହୋଇଚି । ସହସା ମୁଁ ଏକ ଅଜଣା ଆଶଙ୍କାରେ ଶିହିରିଉଠିଲି । ମୁନୁ ବେକରୁ କାଗଜଖଣ୍ଡକ ତରବରରେ ଫିଟାଇଲି । ଦୁଇଟି ଧାଡ଼ି ଲେଖା ହୋଇଚି । ଲେଖିଚି ଜୋନାକୀ... ‘‘ମୁନୁରେ ! ତୋର ଏଇ ଦୁର୍ବଳା ଜନନୀକୁ କ୍ଷମା ଦେବୁ । ମୋତେ ଗାଳିଦେବୁ, ସବୁ କରବୁ–କିନ୍ତୁ ଭୁଲିବୁ ନାହିଁ ମୁଁ ତୋର ମାଆ ବୋଲି ।’’

 

ମୋ ହାତରୁ କାଗଜଖଣ୍ଡିକ ଖସିପଡ଼ିଲା । 'ମୁଁ ସାଥେ ସାଥେ ଓହ୍ଲାଇଲି ତଳକୁ,–ଖଣ୍ଡେ ପ୍ୟାଣ୍ଡ ଓ ଜାମା ପିନ୍ଧି ଚପଲଟାଏ ଗୋଡ଼ରେ ଗଳେଇ ।

 

ମୁନୁ କାନ୍ଦୁଥାଏ ଉପରେ–ମାଁଆ ମାଁଆ..

 

ବାପାଙ୍କୁ କହିଲି–‘‘ମୁନୁ ରହିଲା । ମୁଁ ଆସୁଚି । ଜୋନାକୀ ନାହିଁ... ।’’

 

ଗୋବିନ୍ଦପୁର ଅସୁର ଦୀଘିର ଗୋଟିଏ ପାଖ ଲୋକାରଣ୍ୟ ଥାଏ । ଗୋଟାଏ ବୁଢ଼ା ବରଗଛ ମୂଳରେ ଗୋବିନ୍ଦପୁର ଗାଁ’ର ପିଲା–ଟୋକା–ବୁଢ଼ା ଜମିଥା’ନ୍ତି । ସମସ୍ତଙ୍କ ଦୃଷ୍ଟି ଥାଏ ଅସୁର ଦୀଘିର ମଝାମଝିରେ ଥିବା ସେଇ ଗରୁଡ଼ଖୁମ୍ବଟା ଉପରେ । ସମସ୍ତେ ସ୍ତବ୍‌ଧ, ନିର୍ବାକ୍‌ । ଗଭୀର ନୀରବତା ବିରାଜମାନ କରୁଥାଏ ।

 

ମୁଁ ବ୍ୟତିବ୍ୟସ୍ତ ହୋଇ ସେଇଠି ପହଞ୍ଚିଲି । କେତେ ଜଣଙ୍କର ଦୃଷ୍ଟି ମୋ’ ଆଡ଼କୁ ଢଳିଲା–ପରେ ପରେ ପ୍ରାୟ ସମସ୍ତେ ମୋର ମୁହଁକୁ ବଲବଲ କରି ଚାହିଁଲେ । ସତେ ଯେମିତି ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ–‘‘ତୁମେ ପୁଣି କିଏ ?’’

 

ମୁଁ ଡାକଲି ଜଣେ ବୃଦ୍ଧଲୋକଙ୍କୁ । ପରେ ଜାଣିଲି ସେଇ ବୃଦ୍ଧଜଣକ ଅନୁପମର ବର୍ଣ୍ଣିତ ଦଧିଆ କମାର, ମେଙ୍କୀର ବାପା । ମୁଁ ପଚାରିଲି–‘‘ଅନୁପମ ଦାସ ଡାକ୍ତର, ତାଙ୍କ ଘର ଏଇଠି କେଉଁଠି କହିବେ ?"

 

ଦଧିଆ କମାଇ ମୋ ମୁହଁକୁ ଗୋଟାଏ କରୁଣ ଦୃଷ୍ଟିରେ ଚାହିଁଲା । ତାର ଓଠ ଥରି ଉଠିଲା–ଆଖି ଛଳଛଳ ହୋଇଉଠିଲା । ସେ କୋହ ଚାପି କହିଲା–‘‘ଅନୁପମ ଆଉ ଇହଧାମରେ ନାହିଁ । ସେ ଏଠାକୁ ବହୁତ ଦିନ ତଳେ, ପ୍ରାୟ ମାସେ ହେବ, ଆସିଥିଲା । ତାର ହାତ ନଥିଲା–କଟିଯାଇଥିଲା । ମୋ’ ଘରେ ଦି-ଦିନ ରହିଲା । ମୋ ଝିଅ ତାକୁ ଖୋଇଦିଏ । ଠିକ୍‌ ଦିନେ କିମ୍ବା ଦି’ଦିନ ପରେ ଏ ଗାଁରେ ଦେଖାଦେଲେ ପୋଲିସ୍‌ । ଅନୁପମ ଲୁଚିଲା । ମୋତେ କହିଲା–ମୋର ଗୋଟିଏ ଅନୁରୋଧ ରଖିବ । ମୁଁ ମଲେ ମୋର ଶବକୁ ପୋଡ଼ିବ ନାହିଁ କି ପୋତିବ ନାହିଁ । ପକେଇ ଦେବ ପଡ଼ିଆରେ । କୁକୁର–କୁଆ ବିଲୁଆଁ–ଶାଗୁଣା ସବୁ ଝୁଣି ଝୁଣି ଖାଇବେ । ସେଇଥରେ ମୁଁ ମୁକ୍ତ ହେବି ।’’

 

ଦଧିଆ କମାର ଲୁହ ପୋଛିଲା ।

 

ମୁଁ ପଚାରିଲି–‘‘କୁହନ୍ତୁ...ତାକୁ କଣ ପୋଲିସ୍‌..’’

 

ଦଧିଆ କମାର ମୁଣ୍ଡ ହଲେଇଲା ।

 

‘‘ତେବେ... !’’

 

‘‘ତା’ପରେ ସେ ମୋ’ ଘରୁ ଲୁଚି ପଳେଇଗଲା ।’’ –ଦଧିଆ କମାର କହିଲା–‘‘ପରଦିନ ସକାଳୁ ଏଇ ଅସୁର ଦୀଘିରେ ଭାସିଉଠିଲା ତାର ଶବ, ଠିକ୍‌ ସେଇ ଗରୁଡ଼ଖୁମ୍ବ ନିକଟରେ । ଆମେ ଦେଖିଲା ବେଳକୁ ସେଇ ଭାସନ୍ତା ଶବ ଉପରେ ଦୁଇ ଚାରିଟା ଶାଗୁଣା ବସିଥିଲେ । କୁଆ ସବୁ କା–କା କରୁଥିଲେ ।’’

 

ମୋ ମୁଣ୍ଡ ଘୂରିଗଲା । ତା’ହେଲେ ଜୋନାକୀ କୁଆଡ଼େ ଗଲା ? ଅନୁପମକୁ ନପାଇ ସେ ପୁଣି କୁଆଡ଼େ ଯାଇପାରେ ? କୁଆଡ଼େ... ? କୁଆଡ଼େ... ?? କୁ ...

 

ମୁଁ ଦଧିଆ କମାରକୁ ପଚାରିଲି–"ଆଚ୍ଛା କହିପାରିବେ, ଏଇ ଗାଁକୁ କୌଣସି ସ୍ତ୍ରୀଲୋକଟିଏ ଅନୁପମକୁ ଖୋଜିବାକୁ ଏଇ ଆଜି କିମ୍ବା କାଲି ଭିତରେ ଆସିଥିଲା କି ? ଦେଖିବାକୁ ଗୋରା...ପାତଳ ।’’

 

ଦଧିଆ କମାର କିଛି କହିଲାନାହିଁ । ତାର ଗୋଟିଏ ହାତ ଲମ୍ବିଗଲା ଅସୁର ଦୀଘିର ସେଇ ମଝାମଝିରେ ଥିବା ଗରୁଡ଼ଖୁମ୍ବ ଆଡ଼କୁ ।

 

ଜୋନାକୀ... !!!

 

ଆତ୍ମହତ୍ୟା କରିଥିବା ନାରୀଟିର ଶବ ଭାସିଉଠିବା ପର୍ଯ୍ୟନ୍ତ ଲୋକମାନେ ଅପେକ୍ଷା କରିଥିଲେ । ଗୋଟାଏ ଡଙ୍ଗାରେ ଚଢ଼ି ଦି’ଜଣ ଭେଣ୍ଡିଆ ମାଛ ଖୋଜିଲା ଭଳି କାତରେ କାତରେ ହନ୍ତାଳି ହନ୍ତାଳି ଯାଉଥିଲେ ଅସୁର ଦୀଘିର ଆଡ଼–ଦୀର୍ଘରେ ଘୂରି ଘୂରି ।

 

ଏଇ ସମୟରେ ଆସିଲା ଡାକପିଅନ୍‌ ସାଇକେଲ୍‌ ଘଣ୍ଟି ଟିଣ୍‌ଟିଣ୍‌ କରୁ । ସେ ଅନୁପମକୁ ଖୋଜିଲା । ମୁଁ ଚିଠିଟି ଖୋଲି ପଢ଼ିଲି । ଚିଠିଟି ଆସିଥାଏ ମେଡ଼ିକାଲ କଲେଜର ଅଧ୍ୟାପକ ଡ: ମିଶ୍ରଙ୍କ ନିକଟରୁ । ଲେଖାଥାଏ–‘‘ଶ୍ରଦ୍ଧେୟ ଅନୁପମ, ଜାଣି ଖୁସି ହେବ ଯେ ମୋର ଗବେଷଣା ଆଜି ସଫଳ ହୋଇଚି । ଜୋନାକୀର ସେଇ ପ୍ରଶ୍ନ ଉତ୍ତର ମୁଁ ପାଇଚି । ଆଶାର ମୃତ୍ୟୁ ନାହିଁ । ଦେହ-ତ୍ୟାଗ ପରେ ମଧ୍ୟ ତାହା କାଳ–କାଳ ଧରି ତାରାଭଳି ଅତୁଟ ରହେ । ଏଣୁ ଜୋନାକୀ ଓ ତୁମର ଅଚରିତାର୍ଥ ଆଶା ମୃତ୍ୟୁ ପରେ ତୁମ ଦୁହିଙ୍କୁ ଏକାତ୍ମ କରିବ ।’’

 

ମୁଁ ଜୋନାକୀ ଓ ଅନୁପମର ଅନାକାର ଆତ୍ମା ଉଦ୍ଦେଶ୍ୟରେ ପ୍ରଣାମ କଲି । ମୋ ଆଖିରୁ ଝରଝର ଗଡ଼ିଆସିଲା ଲୁହ । ଅସୁର ଦୀଘି ଉପରେ ଫଡ଼ ଫଡ଼ ହୋଇ ଉଡ଼ି ଉଠିଲେ ଦୁଇଟି ଶଙ୍ଖଚିଲ । କିଛି ସମୟ ଘୂରିବା ପରେ ସେଇ ଶଙ୍ଖଚିଲଯୁଗଳ ପୁଣି ଦୀଘି ଡେଇଁ କ୍ଷେତ ଡେଇଁ କୁଆଡ଼କୁ ଚାଲିଗଲେ–ମୋତେ ଦିଶିଲାନାହିଁ ।

 

କିଛି କ୍ଷଣ ପରେ ଶବ ଭାସିଉଠିଲା । ଚକ୍‌ଚକ୍‌ ହାଡ଼ଫଟା ଖରା ପଡ଼ିଥାଏ ଅସୁର ଦୀଘିରେ । ମାଛ କାତିଭଳି ପାଣିର ଭଙ୍ଗା ଭଙ୍ଗା ଲହରୀ ଝଟକୁଥାଏ । ଗୋଟାଏ ଘୂର୍ଣ୍ଣିବାୟୁ ଆସିଲା ମୋ ଆଡ଼କୁ–ବାଲି ଧୂଳି ଓ ଶୁଖିଲା ପତ୍ର ଉଡ଼ାଇ । ମୋର କାନ–ନାକ ବାଲିରେ ଭର୍ତ୍ତି ହୋଇଗଲା ।

 

କୂଳର ଥିବା ହୁଲିଡଙ୍ଗାଟା ଫଟେଇ ମୁଁ ଚାଲିଲି ଗରୁଡ଼ଖମ୍ବ ଆଡ଼କୁ । ଖୁମ୍ବ ଅଗରେ ସୁଦର୍ଶନ ଚକ୍ର । ପବନ ହେଲାରୁ ଶବଟା ଧୀର ଗତିରେ ଘୂରିଲା ସେଇ ଗରୁଡ଼ ଖମ୍ବକୁ କେନ୍ଦ୍ର କରି-। ମୁଁ ଖୁବ୍‌ ଜୋରରେ ଡଙ୍ଗା ବାହିଲି ।

 

କୂଳର ଲୋକେ ମନାକରୁଥାନ୍ତି–‘‘ଆପଣ ଯାଆନ୍ତୁ ନାହିଁ । ସେଠି ଅଥଳ ପାଣି । କାତ ପାଇବ ନାହିଁ । ଆପଣ ନୂଆ ଲୋକ ।’’

 

ମୁଁ ସେମାନଙ୍କ କଥାକୁ କାନ ଦେଉ ନ ଥାଏ । ପବନ ହେଉଥାଏ–ଗରମ ପବନ–ତାତିଲା ଝାଞ୍ଜି । ସେଇ ପବନର ଲହରୀରେ ପିଟିହେଉଥାଏ ମୋ କାନରେ ଗୋଟିଏ ଶବ୍ଦ–’’ବାପା–ବାପା–ମାଁ–ମାଁ...ବା...ପା...’’

Image